Tuesday, August 01, 2017

ବାସ୍ତବତା "କ" ଓ ବାସ୍ତବତା "ଖ"



ହାରୁକି ମୁରାକାମୀ



ଅନୁବାଦ ଓ ଆଲେଖ୍ୟ - ଜ୍ୟୋତି ନନ୍ଦ


ଉପନ୍ୟାସ 'କାଫ୍କା ଅନ୍ ଦ ସୋର୍'ର ଜାପାନି ପ୍ରଥମ ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କେଉଁ ଘଟଣାଗୁଡିକ ଏକବିଂଶ ଶତାବ୍ଦୀର ସ୍ୱରୂପ ଠାରୁ ବିଂଶ ଶତାବ୍ଦୀର ସ୍ୱରୂପକୁ ଅଲଗା କରି ଦେଖାଇଥିଲା ? ସମଗ୍ର ବିଶ୍ୱର ପ୍ରେକ୍ଷାପଟରେ ସେଗୁଡିକ ହେଲା, ପ୍ରଥମରେ ବର୍ଲିନ କାନ୍ଥର ପତନ ଆଉ ତାହା ସହିତ ଶୀତଳ ଯୁଦ୍ଧ ପରିସ୍ଥିତିର ହଠାତ ଏକ ପୂର୍ଣ୍ଣଚ୍ଛେଦ୍ଦ । ତଥା, ଦ୍ୱିତୀୟରେ ୨୦୦୧ ମସିହା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ୱାର୍ଲଡ୍ ଟ୍ରେଡ୍ ସେଣ୍ଟର୍ ର ପତନ । ପ୍ରଥମ ବିଧ୍ୱଂସକାରୀ ଘଟଣାଟି ଆଶାର ଉଜ୍ଜ୍ୱଳ ଆଲୋକ ଦେଖାଇଥିବା ବେଳେ, ଦ୍ୱିତୀୟଟି ହେଉଛି ଏକ ଭୟାବହ ବିପର୍ଯ୍ୟୟ । ପ୍ରଥମ ଘଟଣାରେ ଆମ ପୃଥିବୀ ପରେ ସବୁଠାରୁ ଅଧିକ ସୁନ୍ଦର ହେବ ବୋଲି ସୃଷ୍ଟି ହୋଇଥିବା ଦୃଢ ବିଶ୍ୱାସଟି ୯/୧୧ ର ଦୁର୍ବିପାକ ଯୋଗୁ ପୁରାପୁରି ଧ୍ୱଂସ ପାଇଗଲା ।

ଶତାବ୍ଦୀର ଉଭୟ ପଟରେ ଘଟିଥିବା ଏଇ ଦୁଇଟି ବିଧ୍ୱଂସକାରୀ ଘଟଣା, ପ୍ରତ୍ୟେକର ସ୍ୱତନ୍ତ୍ର ନିର୍ଣ୍ଣାୟକ ପ୍ରଭାବ ରହିଥିଲେ ହେଁ, ଉଭୟ ଏକାଠି ଆମର ମାନସିକତାକୁ ପରିବର୍ତ୍ତନ କରିଥିବାର ଦେଖାଯାଏ ।

ଗଲା ତିରିଶ ବର୍ଷ ଧରି ମୁଁ କଥା ସାହିତ୍ୟର ବିଭିନ୍ନ ବିଭାଗ, ଯେପରି ଛୋଟ ଗପଠୁ ଆରମ୍ଭ କରି ବଡ ଆକାରର ଉପନ୍ୟାସ ଯାଏଁ ଲେଖି ଆସିଛି । କାହାଣୀ ସବୁବେଳେ ମଣିଷର ସବୁଠାରୁ ମୌଳିକ ଅବଧାରଣା ଭିତରୁ ଗୋଟିଏ । ପ୍ରତ୍ୟେକ ଗପ ସ୍ଵତନ୍ତ୍ର ହୋଇଥିଲା ବେଳେ, ବିଶେଷତଃ ଏହା ଏମିତି ଏକ ପଦାର୍ଥ, ଯାହା ଅନ୍ୟ କାହା ସହ ଭାଗ ଓ ବିନିମୟ କରାଯାଇପାରିବାର କାମ ତୁଲାଇ ପାରିଥାଏ । ଏଇ ଗୋଟିକ କାମ ଆହୁରି ଅନେକ କାମ ଭିତରୁ ଦେଖିଲେ, ଗପକୁ ଅର୍ଥଟିଏ ପ୍ରଦାନ କରିଥାଏ । ପ୍ରତ୍ୟେକ ନୂଆ ଯୁଗର ପାଣିପବନରେ ଗପର ଚେହେରା ଆପେ ଆପେ ବଦଳି ଚାଲିଥାଏ । ସଂସ୍କୃତି ଧାରକ ହିସାବରେ କହିବାକୁ ଗଲେ ଗପକୁ ଯେଉଁଭଳି ବାଗରେ ପରିବେଷଣ କରାଯାଉଥାଏ, ତାହା ଖୁବ୍ ବେଶି ପରିବର୍ତ୍ତନଶୀଳ । ଜଣେ ଦକ୍ଷ ଫେସନ୍ ଡିଜାଇନର୍ ଭଳି ଆମେ ଔପନ୍ୟାସିକମାନେ ଗପକୁ ଦିନକୁ ଦିନ ତାହାର ବଦଳୁଥିବା ଚେହେରା ମାପର ଦରକାର ହେଉଥିବା ଶବ୍ଦର ପୋଷାକ ପିନ୍ଧାଇଥାଉ ।

ଏଇ ଭଳି ଏକ ବୃତ୍ତିଗତ ଦୃଷ୍ଟିକୋଣରୁ ଦେଖିଲେ ଲାଗିବ, ଯେତେବେଳେ ପୃଥିବୀ ଗୋଟିଏ ଶତାବ୍ଦୀର ଏରୁଣ୍ଡି ଡେଉଁଛି, ସେତେବେଳେ ଗପ ଓ ଆମ ଭିତରର ଆଦାନପ୍ରଦାନରେ ଆଗ ଅପେକ୍ଷା ଢେର ପରିବର୍ତ୍ତନ ଘଟିଗଲାଣି । ଏଇ ପରିବର୍ତ୍ତନଟି ଭଲ ପାଇଁ ପରିବର୍ତ୍ତନ ନା ଭେଲ ପାଇଁ, ମୁଁ ଠିକ୍ ରେ କହିପାରିବି ନାହିଁ । ଏତିକି କହି ପାରିବି, ଆମେ ଯେଉଁଠୁ ଆରମ୍ଭ କରିଥିଲେ, ହୁଏତ ସେଇଠିକୁ ଫେରି ପାରିବା ନାହିଁ ।

ନିଜ ବିଷୟରେ କହିଲେ, ମୁଁ ନିର୍ଦ୍ଦିଷ୍ଟ ଭାବରେ ଅନେକ କାରଣ ଭିତରୁ ଗୋଟିଏ କାରଣ କହିବି । ମୁଁ ଏବେ ଲେଖୁଥିବା ଗପମାନଙ୍କରେ ଅନେକ ପରିମାଣରେ ବାହାରକୁ ଦେଖାଯାଉଥିବା ଭଳି ପରିବର୍ତ୍ତନ ଘଟିଛି । ମୋ ଭିତରେ ବଢୁଥିବା ଗପମାନଙ୍କର ବାହାରର ନୂତନ ଜଳବାୟୁର ପ୍ରଭାବରେ କ୍ରମଶଃ କାୟା ପରିବର୍ତ୍ତନ ଘଟିବାରେ ଲାଗିଛି । ସେମାନଙ୍କର ଗତିବିଧି ମୁଁ ପରିଷ୍କାର ଭାବରେ ଦେଖିପାରେ, ମୋ ଦେହ ଭିତରେ । ଏହା ସହିତ ମୁଁ ଦେଖିପାରେ, ମୁଁ ଲେଖିଥିବା ଗପକୁ ପାଠକ ମାନେ ଯେଉଁଭଳି ଗ୍ରହଣ କରୁଛନ୍ତି, ସେଥିରେ ବିଶେଷ ଭାବରେ ପରିବର୍ତ୍ତନ ଘଟିଥିବାର କଥା ।

ବିଶେଷତଃ ଇଉରୋପୀୟ ଆଉ ଆମେରିକୀୟ ପାଠକ ମାନଙ୍କ ଠାଣିରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୋ ଉପନ୍ୟାସମାନ, ବିଂଶ ଶତାବ୍ଦୀ ପରିପ୍ରେକ୍ଷୀରେ, ସେଇ ପାଠକମାନଙ୍କ ମୁଣ୍ଡ ଭିତରକୁ "ଉତ୍ତର ଆଧୁନିକତା" ବା "କୁହୁକ ବାସ୍ତବବାଦ" ବା "ପ୍ରାଚ୍ୟବାଦ"ର ଦରବାଜା ଦେଇ ପ୍ରବେଶ କରୁଥିଲା । କିନ୍ତୁ, ନୂଆ ଶତାବ୍ଦୀକୁ ସେମାନେ ସ୍ୱାଗତ କରିବା ପରଠୁ, ସେମାନେ ସବୁ ପ୍ରକାର ବାଦ (ଇଜମ୍)କୁ ପରିହାର କରୁଛନ୍ତି । ମୋର ଗପର ଜଗତରେ ଯେମିତି ଯଥାର୍ଥ ରହିଛି, ସେମିତି ଗ୍ରହଣ କରୁଚନ୍ତି । ଇଉରୋପ ଓ ଆମେରିକା ଭ୍ରମଣ କାଳରେ ମୁଁ ପାଠକମାନଙ୍କର ଏମିତି ପରିବର୍ତ୍ତନଟିକୁ ପରିଷ୍କାର ଦେଖିଛି । ମୋତେ ଲାଗୁଛି, ଲୋକମାନେ ମୋ ଗପସବୁକୁ ଏକ ସାମଗ୍ରିକ ଏକକ ହିସାବରେ ଗ୍ରହଣ କରୁଛନ୍ତି, ଯଦିଓ ସେଥିରୁ କିଛି ଗପରେ "କେଓସ୍" ବା ଅରାଜକତା, କିଛି ଗପରେ ବେଳେବେଳେ ତର୍କହୀନତା ଏବଂ ବାସ୍ତବତାର ପୁନର୍ବିନ୍ୟାସ କରାଯାଇଛି । ମୋ ଗପ ଭିତରେ ଥିବା କେଓସ୍ କୁ ଆଲୋଚନା କରିବା ବଦଳରେ, ସେମାନେ ଏଇ ଗପଗୁଡିକରେ ଯେତିକି ସମ୍ଭବ ସେତିକି ନୂତନ ଆଗ୍ରହ ଦେଖାଉଛନ୍ତି ।

ଅନ୍ୟ ଭାବରେ କହିଲେ, ମୋ ଗପକୁ ପଢିବା ପାଇଁ ଏସୀୟ ଦେଶମାନଙ୍କରେ ଥିବା ସାଧାରଣ ପାଠକମାନଙ୍କର କୌଣସି ସାହିତ୍ୟିକ ତତ୍ତ୍ୱର ଜଳାବାଟ ଦରକାର ପଡେନାହିଁ । ଏସୀୟ ପାଠକମାନେ, ଯେଉଁମାନେ ମୋ ଲେଖା ପଢିବାର କଷ୍ଟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ପ୍ରଥମରୁ ଧରିନେଇଥାଆନ୍ତି ଯେ ମୁଁ ଯାହା ଲେଖିବି ତାହା ଆଦ୍ୟନ୍ତ "ସ୍ୱାଭାବିକ" ପର୍ଯ୍ୟାୟର ଲେଖା । ପ୍ରଥମେ ଆସିଛି ଗ୍ରହଣଯୋଗ୍ୟତା, ଏବଂ ପରେ (ଆବଶ୍ୟକ ହେଲେ) ଆସିବ ତର୍ଜମା । ପାଶ୍ଚାତ୍ୟ ଦେଶମାନଙ୍କରେ କିଛି ବ୍ୟତିକ୍ରମକୁ ବାଦ ଦେଇ ଦେଖିଲେ, ମୂଖ୍ୟତଃ ବିଶ୍ଲେଷଣ ଭାଗଟି ଗ୍ରହଣ କରିବା ପୂର୍ବରୁ ଆସିଥାଏ । ସମୟ କ୍ରମେ ପୂର୍ବ ଆଉ ପଶ୍ଚିମର ଏଇ ବିଭାଜକ ରେଖାଟି କ୍ରମଶଃ ଅଦୃଶ୍ୟ ହେବାରେ ଲାଗିଛି । କାରଣ ଉଭୟେ ଉଭୟର ବିଚାରକୁ ପ୍ରଭାବିତ କରିବାରେ ସକ୍ରିୟ ।

ଯଦି ମୋତେ ସମ୍ପ୍ରତି ପୃଥିବୀ କେଉଁ ପ୍ରକ୍ରିୟାରେ ଗତି କରୁଛି ବୋଲି ତାହାର ଗୋଟିଏ ଶିରୋନାମା ଦେବାକୁ କୁହାଯାଏ, ତେବେ ତାହା ହେବ "ପୁନଃସଜ୍ଜିକରଣ" ବା "ରିଆଲାଇନମେଣ୍ଟ୍" । ଶୀତଳ ଯୁଦ୍ଧ ସମାପ୍ତିର ପରବର୍ତ୍ତୀ କାଳରେ ବହୁ ଭାବରେ ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ପୁନଃସଜ୍ଜିକରଣ ଚାଲିଛି । ପୁଣି ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱସ୍ତରରେ ବ୍ୟବସ୍ଥାକୁ ଖଣ୍ଡ ଖଣ୍ଡ କରି ପୁଣି ଯୋଡିବାର ପ୍ରଭାବ ବିଷୟରେ କହିବା ଅତିକଥନ ହେବ । ଏଇ ଭଳି ପ୍ରକ୍ରିୟାର ଆବର୍ତ୍ତନରେ ସାହିତ୍ୟ ଏକେଲା ଏଇ ପୁନଃସଜ୍ଜିକରଣ ଓ ବ୍ୟବସ୍ଥା ପରିବର୍ତ୍ତନକୁ ଏଡାଇ ଯିବା ସମ୍ଭବ ହେବ ନାହିଁ ।

ଏଇଭଳି ପୁନଃସଜ୍ଜିକରଣ ପ୍ରକ୍ରିୟାରେ ସବୁଠୁ ବଡ ଅସୁବିଧା ହେଉଛି, ମୂଲ୍ୟାୟନ ପାଇଁ କୌଣସି ନିର୍ଦ୍ଧିଷ୍ଟ ମାନଦଣ୍ଡର ଅଭାବ । ଆଗରୁ ଗୁଣକୁ ତଉଲିବା ପାଇଁ ମାନକ ମାନ ଥିଲା । ସେମାନେ ସ୍ଥିର କରି ଦେଉଥିଲେ କେଉଁଟି କ'ଣ । ଆଜି ଆମ ମୁଣ୍ଡରେ ସେମିତି କିଛି ନାହିଁ ।ଆମ ଚାରିପାଖର ସବୁକିଛିକୁ ଆଜି ଗ୍ରାସ କରିଚାଲିଛି ଶୃଙ୍ଖଳହୀନତା, "କେଓସ୍" ।

"କେଓସ୍" ଶବ୍ଦଟି ଶୁଣିବା ମାତ୍ରକେ ମୋ ଆଖି ସାମ୍ନାକୁ ଆପେଆପେ ଆସିଯାଏ ୯/୧୧ର ଲକ୍ଷ ଲକ୍ଷ ଦର୍ଶକଙ୍କୁ ଟେଲିଭିଜନ ପର୍ଦ୍ଦାରୁ ଦିଶୁଥିବା ଅଭାବିତ ଦୃଶ୍ୟଗୁଡିକ - ଦୁଇଟି ଜମ୍ବୋ ଜେଟ୍ ର ତୀର ଭଳି ଜାଆଁଳା ମୀନାର୍ ର କାଚକାନ୍ଥ ଭିତରକୁ ପ୍ରବେଶ । ତଥା, ମାନୀର ଦୁଇଟିର ବିନା ଚିହ୍ନବର୍ଣ୍ଣରେ ଧ୍ୱଂସ ।ଏଇ ଦୃଶ୍ୟକୁ ସହସ୍ରଥର ଦେଖିଲେ ବି ମନରେ ବିଶ୍ୱାସ ହୁଏ ନାହିଁ । ଏଠାରେ ଷଡ଼ଯନ୍ତ୍ରଟି ଆଶ୍ଚର୍ଯ୍ୟଜନକ ଭାବେ ସଫଳ । ଆଉ ଏଇ ସଫଳତା ପ୍ରାୟତଃ ଅତିବାସ୍ତବବାଦର ପାଖାପାଖି । କହିଲେ ମୋତେ ଯେମିତି କେହି ଭୁଲ୍ ନବୁଝନ୍ତି, ଏଇ ଦୃଶ୍ୟଗୁଡିକ ଯେମିତି ହଲିଉଡ୍ ର କୌଣସି ପ୍ରଳୟର ଚଳଚ୍ଚିତ୍ର ପାଇଁ କମ୍ପ୍ୟୁଟରରେ ଗ୍ରାଫିକ୍ସରେ ତିଆରି କରାଯାଇଥିବା ଦୃଶ୍ୟ ଭଳି ଳାଗେ ।

ଆମେ ବେଳେ ବେଳେ ଭାବୁ ଯଦି ୯/୧୧ ଘଟି ନଥାନ୍ତା, ଯଦି ସେଇ ଷଡଯନ୍ତ୍ର ବିଫଳ ହୋଇଯାଇଥାନ୍ତା, ତେବେ କିପରି ହୋଇଥାଆନ୍ତା ପୃଥିବୀର ଦୃଶ୍ୟପଟ ? ତେବେ ଆଜିର ପୃଥିବୀ ଅନେକ ବେଶି ଅଲଗା ଦିଶୁଥାନ୍ତା । ଆମେରିକାର ଭିନ୍ନ ରାଷ୍ଟ୍ରପତି ଥାଆନ୍ତେ (ଏକ ବୃହତ ସମ୍ଭାବନା ), ଓ ଇରାକ୍ ଆଉ ଆଫଗାନିସ୍ଥାନରେ ଯୁଦ୍ଧ ଘଟି ନଥାନ୍ତା (ଏହା ଅଧିକ ବୃହତ ସମ୍ଭାବନା) ।

ଆମେ ଯେଉଁ ପୃଥିବୀରେ ପ୍ରକୃତରେ ବାସ କରୁଛୁ ତାହାକୁ "ବାସ୍ତବତା "କ" " ଆଉ ୯/୧୧ ଘଟଣା ଘଟି ନଥିବା ଭଳି ଆମର ଏକ ସମ୍ଭାବିତ ପୃଥିବୀକୁ "ବାସ୍ତବତା "ଖ" ବୋଲି କୁହାଯାଉ । ତେବେ ଦେଖିବା ଯେ ବାସ୍ତବତା "ଖ" ଟି ବାସ୍ତବତା "କ" ତୁଳନାରେ ଅଧିକ ବାସ୍ତବ ଓ ଯୁକ୍ତିସଙ୍ଗତ ଲାଗିବ । ତେଣୁ ଅନ୍ୟ ଭାବରେ କହିଲେ, ଆମେ ଏମିତି ଏକ ପୃଥିବୀରେ ବାସ କରୁଛୁ, ଯାହାର ବାସ୍ତବତାର ମାତ୍ରା ଏକ ଅବାସ୍ତବ ପୃଥିବୀ ତୁଳନାରେ କମ୍ । ଏହାକୁ "କେଓସ୍ "ଛଡା ଆଉ କ'ଣ କୁହାଯାଇପାରେ ?

ଏଇ ଭଳି ଏକ ପୃଥିବୀରେ କାହାଣୀର ଅର୍ଥ କ'ଣ ? ଏହା କେଉଁ ଉଦ୍ଦେଶ୍ୟ ସାଧନ କରିବ ? ଯେଉଁ ଯୁଗରେ ବାସ୍ତବତା ସେତିକି ପରିମାଣର ବାସ୍ତବ ନୁହଁ, ସେଇଠି ଗୋଟିଏ ଗପ କେତେ ପରିମାଣର ବାସ୍ତବତାକୁ ନିଜ ଭିତରେ ଧରି ରଖିବାକୁ ସମର୍ଥ ହେବ ?

ପ୍ରକୃତରେ ଆମେ ଔପନ୍ୟାସିକମାନେ ଏଇ ସମସ୍ୟାଟିକୁ ଭେଟିଥାଉ । ଆମକୁ ଏଇ ପ୍ରଶ୍ନଟି ପଚରାଯାଏ । ମାନସିକ ସ୍ତରରେ ନୂଆ ଶତାବ୍ଦୀର ଏରୁଣ୍ଡି ଡେଇଁଲା ବେଳକୁ ଆମେ ବାସ୍ତବତାର ଏରୁଣ୍ଡି କୁ ବି ସବୁସମୟ ପାଇଁ ଡେଇଁ ଆସିଥାଉ । ଆମ ପାଖରେ ଏରୁଣ୍ଡି ଡେଇଁବା ବ୍ୟତୀତ ଆଉ କୌଣସି ଚାରା ନଥାଏ । ତେଣୁ ଆମର ଗପ ସବୁ ନିଜର ସ୍ଥାପତ୍ୟରେ ପରିବର୍ତ୍ତନ କରିବାକୁ ଏକପ୍ରକାର ବାଧ୍ୟ ।ଆମେ ଲେଖୁଥିବା ଗପ ଓ ଉପନ୍ୟାସରେ ଆଗ ଅପେକ୍ଷା ଭିନ୍ନ ଚରିତ୍ର, ଭିନ୍ନ ଅନୁଭବ ଆସୁଥାଏ । ଠିକ ଯେପରି ବିଂଶ ଶତାବ୍ଦୀର କାହାଣୀ ଉନବିଂଶ ଶତାବ୍ଦୀର କାହାଣୀ ଠାରୁ ପୁରାପୁରି ପରିଷ୍କାର ଭାବରେ ଭିନ୍ନ, ସେଇଭଳି ।

ଗପର ପ୍ରକୃତ ଲକ୍ଷ୍ୟ ନୁହଁ କେଉଁଟି ଠିକ୍ କେଉଁଟି ଭୁଲ, ଅଥବା କେଉଁଟି ସାଧୁ କେଉଁଟି ସଇତାନ୍, ବୋଲି ବିଚାର କରିବା । ଆମ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି, ଆମ ଭିତରେ ଥିବା ପରିବର୍ତ୍ତନଶୀଳ ଉପାଦାନ ଗୁଡିକ ସହ ପରମ୍ପରାଗତ ଉପାଦାନଗୁଡିକ ଯେମିତି ସମନ୍ୱିତ ଭାବରେ ଗତି କରୁଥିବେ, ଠିକଣା କରିବା ପାଇଁ ଯେ, ଆମର ଭିତରର ବ୍ୟକ୍ତିଗତ ଗପ ଆଉ ସାମୁହିକ ଗପ ଗୁଡିକ କେତେ ପରିମାଣରେ ଆମ ମୂଳ ସହ ସମ୍ପୃକ୍ତ ।

ଅନ୍ୟ ପ୍ରକାରରେ କହିଲେ, ଅତୀତ ଆଉ ଭବିଷ୍ୟତ ମଧ୍ୟରେ ତିଆରି ହୋଇଥିବା ଦର୍ଶନର ସେତୁକୁ ସୁରକ୍ଷିତ କରି ରଖିବା ହେଉଛି, ଗୋଟିଏ ଗପର ଭୂମିକା । ଏଇ ଭଳି ଏକ ଭୂମିକାରୁ ନୂଆ ନୂଆ ନିୟମାବଳୀ ଓ ନୈତିକତା ଆଦି ତିଆରି କରାଯାଇପାରେ । ସେମିତି ହେବାକୁ ହେଲେ ଆଗ ଆମକୁ ବାସ୍ତବତାର ପବନକୁ, ଠିକ୍ ସେଇ ପବନ ଯେମିତି ଅଛି ଅବିକଳ, ସେମିତିକୁ ପ୍ରଶ୍ୱାସରେ ନେବାକୁ ପଡିବ । ଆମ ଭିତରେ ବାରମ୍ବାର ବଦଳୁଥିବା ଗପକୁ ନିଷ୍ଠୁରତାର ସହ ଓ ବିନା ପୂର୍ବାଗ୍ରହ ସହ ନିରୀକ୍ଷଣ କରିବାକୁ ପଡିବ। ଏଇ କଥାକୁ ଆମ ଗପର ପରିବର୍ତ୍ତନ ବୋଲି ଧରିଲେ, ସେହି ପରିବର୍ତ୍ତନର ପ୍ରଶ୍ୱାସ ପାଇଁ ଆମକୁ ନୂଆ ଶବ୍ଦ ବାହାର କରିବାକୁ ପଡିବ ।

ଏଇ ଅର୍ଥରେ ଗପ ବର୍ତ୍ତମାନ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେଉଥିଲେ ହେଁ, ତାହା ପାଖରେ ଆଗ ଅପେକ୍ଷା ଅଧିକ ସୁଯୋଗ ରହିଛି । ଅବଶ୍ୟ ସବୁ ଯୁଗରେ କାହାଣୀକୁ ଉତ୍ତର ଦାୟିତ୍ୱ ଓ ପ୍ରଶ୍ନ କରିବାର ଅଧିକାର ଦିଆଯାଇଛି । ବର୍ତ୍ତମାନ ତାହା ଟିକିଏ ବେଶି । ଗପର ହେଉଛି ଗୋଟିଏ ବୋଲି କାମ, ଯାହା କେବଳ ଗପହିଁ କରିଥାଏ ଓ କରିପାରେ । ତାହା ହେଉଛି "ସବୁ କଥାକୁ ଗପ କରିଦେବା"। ଆମ ଚାରିପଟର ଘଟଣା ଓ ଚରିତ୍ରକୁ ଯେ କୌଣସି ପରିସ୍ଥିତିର ତଥା ଗତିଶୀଳତାର ପ୍ରକୃତ ଆକଳନ କରିବା ପାଇଁ କଥନିକାର ରୂପକରେ ନିର୍ମାଣ କରିବା ହେଉଛି ଗପର ପ୍ରଧାନ କାମ ।

ମୋର ନୂଆ ଉପନ୍ୟାସ ୧କ୍ୟୁ୮୪ ରେ ମୁଁ ଜର୍ଜ ଓରୱେଲ୍ ଙ୍କ ଭଳି ନିକଟ ଭବିଷ୍ୟତକୁ ଚିତ୍ରିତ କରିନାହିଁ । ବରଂ ତାହାର ଓଲଟା କରିଛି । ଅର୍ଥାତ୍ ୧୯୮୪ର ନିକଟ ଅତୀତକୁ ନେଇଛି । ଯଦି ଗୋଟିଏ ଭିନ୍ନ ୧୯୮୪ ।

ପ୍ରକୃତ ୧୯୮୪କୁ ଯେମିତି ଆମେ ଦେଖିଛୁ, ସେମିତି ନୁହଁ । ପୂରା ଅଲଗା ଗୋଟିଏ ୧୯୮୪ ? ଏହା ଗୋଟିଏ ନୂଆ ବାସ୍ତବତାକୁ ଯାତ୍ରା ।

ବାସ୍ତବତା "କ" ଆଉ ବାସ୍ତବତା "ଖ" ଭିତରେ ବାସ୍ତବତାକୁ ନେଇଁ ଯେଉଁ ଫାଙ୍କଟି ରହିଛି, ସେଥିରେ ଆମେ କେତେ ଆମର ଆହରିତ ମୂଲ୍ୟବୋଧକୁ ସଂରକ୍ଷିତ କରି ରଖିପାରିବା ? ଆଉ ତାହା ସହିତ ସେଥିରୁ ଆମେ କେଉଁ ନୂଆ ନୈତିକତାର ଜନ୍ମ ଦେଇପାରିବା ? ଏଇଟି ସେଇ ଉପନ୍ୟାସ ର ଅନ୍ୟତମ ବିଷୟ (ଥିମ୍) । ମୁଁ ଏଇ ଗପଟି ଉପରେ ତିନି ବର୍ଷ ଧରି କାମ କରିଛି । ସେଇ ସମୟରେ ଗୋଟିଏ ପରିକଳ୍ପିତ ପୃଥିବୀର ମୁଁ ଅନୁକରଣ କରୁଥିଲି । ସେହି "କେଓସ୍" ବର୍ତ୍ତମାନ ରହିଛି, ପୁରାପୁରି।

ବେଶ୍ ଅନେକ କଟାକଟି ପରେ ମୁଁ ଗପ ଆକାରରେ ବୁଝିଗଲି । "କେଓସ୍" ଯାହା "ସେଠାରେ ରହିବାର କଥା ନୁହଁ" ବୋଲି ଧାରଣାଟି ଠିକ୍ ନୁହଁ, ଯାହାକୁ ନୀତିଗତ ଭାବରେ ଅସ୍ୱୀକାର କରାଯାଇ ନପାରେ । ଆଉ ଯାହା ସବୁଠି ରହିବା ଥୟ ବୋଲି ଗ୍ରହଣ କରିନେବାରୁ, ମୋତେ ସମାଧାନଟି ମିଳିଗଲା ।

ମୁଁ ଅଧିକ ଆଶାବାଦୀ । କିନ୍ତୁ ଜଣେ ଗପକୁହାଳି ହିସାବରେ, ମନ ଆଉ ଆତ୍ମାର ଜଣେ ଅତ୍ୱୁତ୍ସାହୀ ବିନମ୍ର ବିମାନଚାଳକ ହିସାବରେ ଏଇ ଭଳି କହିବାକୁ ଚାହିଁବି - ଅନେକ କଟାକଟି ପରେ ପୃଥିବୀରେ ଗୋଟିଏ ନୂଆ ଉନ୍ମାଦନା ଆସିବ । ଯାହା ଫଳରେ ପୃଥିବୀ ନିଜ ସମସ୍ୟା ସମାଧାନର ବାଟ ପାଇଯିବ । ଆଉ ପୃଥିବୀ ଓ ଗପ ଏକାଠି ଅନେକ ଶତାବ୍ଦୀର ଏରୁଣ୍ଡି ଡେଇଁ ଆସିଛନ୍ତି । ଅନେକ ମାଇଲଖୁଣ୍ଟ ଅତିକ୍ରମ କରି ଆସିଛନ୍ତି । ଏଇ ଦିନଟି ପାଇଁ ଖାସ୍ ।


୨୦୦୫ ମସିହାରେ କାମ୍ବ୍ରିଜର ଏମ.ଆଇ.ଟି. ଠାରେ ଆଳାପରତ ମୁରାକାମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

( ହାରୁକି ମୁରାକାମି ବେଶ୍ କିଛି ବର୍ଷ ହେଲା ନୋବେଲ୍ ପୁରସ୍କାରର ସମ୍ଭାବ୍ୟ ତାଲିକାରେ ରହି ଆସିଛନ୍ତି । ଜଣେ ପ୍ରଭାବଶାଳୀ ଲେଖକ ବ୍ୟତୀତ, ସେ ଜଣେ ମାରାଥନ୍ ଦୌଡାଳୀ ଆଉ ଜାଜ୍ ସଙ୍ଗୀତର ଜଣେ ବିଶେଷଜ୍ଞ । ଦୌଡିବା ଉପରେ ତାଙ୍କର ଲେଖାରୁ କିଛି ଅନୁବାଦ କରିବାର ଇଚ୍ଛା ଅଛି । ଏଠାରେ ଗପର ବାସ୍ତବତା ଉପରେ ସେ ନିଜର ବିଚାର ରଖିଛନ୍ତି । ଯଦି ଏହା ଆପଣମାନଙ୍କର ଗପଭାବନାକୁ ପରିପୁଷ୍ଟ କରିବାରେ କିଛି ପରିମାଣରେ ସାହାଯ୍ୟ କରେ, ତେବେ ତାହା ଆମର କ୍ଷୟିଷ୍ଣୁ କଥା ସାହିତ ପାଇଁ ପରମ ସୌଭାଗ୍ୟର କଥା ହେବ । ମୁରାକାମୀଙ୍କ ର ଅନେକ ପାଠକ ଆମର ଏଠାରେ ରହିଛନ୍ତି । ସେମାନେ ଜାଣିଛନ୍ତି ତାଙ୍କର ଗଦ୍ୟ ଅନେକ ସ୍ୱଚ୍ଛ, ଯାହାକୁ କହନ୍ତି ମୁକ୍ତ ଧାରାର ଗଦ୍ୟ । ତେଣୁ ଏଇ ଅନୁବାଦର ଅସ୍ୱଚ୍ଛତାର ତୃଟିତକ ଏଇ ଅଧମର । )


No comments:

Post a Comment