Monday, December 31, 2018

ପାଚିଲା ଆମ୍ବ ସିଝାର ଚଟଣି

ସରୋଜିନୀ ଚୌଧୁରୀ


ଚିତ୍ର - 'ଆମ୍ବ ସହିତ ମହିଳା' (୧୮୯୨ ମସିହାରେ ଅଙ୍କିତ)
ଚିତ୍ରକର - ପଲ୍ ଗଗାଁ (୧୮୪୮-୧୯୦୩)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - ପାଚିଲା ଆମ୍ବ (ଖଟା) ଭାତରେ ପକାଇ ସିଝାଅ । ଥଣ୍ଡା ହେଲେ ଦୁଧ, ଚିନି, କର୍ପୁର ଟିକେ ଏବଂ ଅଦା ଖଣ୍ଡେ ଛଡ଼ାଇ ଖୁବ ସରୁ ସରୁ କାଟି ମିଶାଅ ।

ଗୁଣାଗୁଣ - ଆମ୍ବ ଚଟଣି ଅମ୍ଳ-ମଧୁର-ରସ, ସ୍ନିଗ୍ଧ, ଗୁରୁପାକ, ରୁଚିଜନକ ଓ ତୃପ୍ତିକାରକ ।


ବି.ଦ୍ର. - ପାଚିଲା ଆମ୍ବ ସିଝାର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, December 20, 2018

ଡାଳିମ୍ବର ସରବତ

ସରୋଜିନୀ ଚୌଧୁରୀ


ଚିତ୍ର - 'ଡାଳିମ୍ବ ଓ ପକ୍ଷୀ' (୧୮୩୭ରୁ ୧୮୪୩ ମସିହା ମଧ୍ୟରେ ଅଙ୍କିତ)
ଚିତ୍ରକର - କେଇସାଇ ଏଇସେନ୍ (୧୭୯୦ - ୧୮୪୮)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀତିନୋଟି ସୁପକ୍ୱ ଡାଳିମ୍ବର ଦାନା ଗୋଟିଏ ମୋଟା ପଥରର ଗଭୀର ପାତ୍ରରେ ରଖି ବେଲନା କାଠି ବା କାଠର ଘୁଟୁଣା ଦେଇ ଘାଣ୍ଟି ରସ ବାହାର କରିବ । ରସଟାରେ ବର୍ତ୍ତମାନ ତିନି ଛଟାଙ୍କି (ବାଲେଶ୍ୱରି) ଚିନି, ଗୋଟିଏ କାଗାଜି ଲେମ୍ବୁର ରସ, (ଛୋଟ ହୋଇ ଥିଲେ ଦୁଇଟି) ଏବଂ ଜଳ ପାଏ ମିଶାଅ । ସମସ୍ତଟାକୁ ପରିଷ୍କାର କଚା କନାରେ ଛାଣି ନେବ । ସୁବିଧା ଏବଂ ଇଚ୍ଛା ହେଲେ ଖଣ୍ଡିଏ ବରଫ ମିଶାଇ ନେଲେ ଅଧିକ ଶୀତଳ ହେବାରୁ ସନ୍ତୋଷପ୍ରଦ ହୁଏ ।

ବି.ଦ୍ର. - ଡାଳିମ୍ବ ସରବତ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, December 18, 2018

ଲୁଣି ଘି ଭାତ

ସରୋଜିନୀ ଚୌଧୁରୀ


ଟିତ୍ର - 'ସୁମିଦା ନଦୀ ତଟରେ ସେକିୟା ଗ୍ରାମ' (୧୮୩୦ ମସିହାରେ ଅଙ୍କିତ)
ଚିତ୍ରକର - କାତ୍‌ସୁସିକା ହୋକୁସାଇ (୧୭୬୦ - ୧୮୪୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଉପକରଣ - ସରୁ ଅରୁଆ ଚାଉଳ ଚାରି ଶହ ଗ୍ରାମ, ପାଣି ଆବଶ୍ୟକତା ଅନୁଯାୟୀ, ତେଜପତ୍ର ଦୁଇଟି, ପିଆଜ ତିନି ଚାରୋଟି, ଡାଳଚିନି ଛୋଟ ଖଣ୍ଡେ, ଗୁଜୁରାତି ଗୋଟିଏ, ଲବଙ୍ଗ ଗୋଟିଏ, ଲୁଣ ସୁଆଦ ଅନୁସାରେ, ଘିଅ ପଚାଶ ଗ୍ରାମ ।

ପ୍ରଣାଳୀ -  ହାଣ୍ଡି ଗୋଟିଏ ଧୋଇ ପାଣି ଚଢ଼ାଅ । ପାଣି ଫୁଟିଲେ ଚାଉଳ ଛାଡ଼। ଭାତ ହୋଇ ଆସିଲେ ଅର୍ଥାତ ମଞ୍ଜ ଟାଣ ଥାଉ ଥାଉ ଗାଳିବ କିନ୍ତୁ ନିଗାଡ଼ି ଗାଳିବ ନାହିଁ । ଲୁଣ ଓ ତେଜପତ୍ର ସେହି ଭାତରେ ପକାଇ ଟିକେ ଲେଉଟା ପାଲଟା କରି ଜ୍ୱଳନ୍ତ ଅଙ୍ଗାର ଦମରେ ବସାଅ । ପାଞ୍ଚ ମିନିଟ ଖଣ୍ଡେ ପରେ ଅଳ୍ପ ଟିକିଏ ଘିଅ କାଢ଼ି ରଖି ବାକି ସବୁ ଘିଅ ଓ ଗରମ ମସଲାର ଗୁଣ୍ଡି ମିଶାଇ ଓହ୍ଲାଇ ରଖ ।

ବର୍ତ୍ତମାନ ବାକି ଘିଅ ଗୋଟିଏ ଅଲଗା ହାଣ୍ଡି ବା କରାଇରେ କରିଦେଇ ଚଢ଼ାଅ । ପିଆଜର ଚୋପା ଛଡ଼ାଇ ଲମ୍ବ ଲମ୍ବ କାଟି ଭାଜ । ଭାତ ଉପରେ ଏହି ପିଆଜ ଭଜାଗୁଡ଼ିକୁ ଛିଞ୍ଚି ଦିଅ ।

ବି.ଦ୍ର. - ଲୁଣି ଘି ଭାତ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Sunday, December 16, 2018

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ମୋ ମନ ସୁମନ ଦେଇ'

(ରେଗୁପ୍ତ - ତ୍ରିପଟା)


ଚତୁର୍ଦ୍ଦଶ ଶତାବ୍ଦୀର ଚୀନ ଦେଶର କଳା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୋ ମନ ସୁମନ ଦେଇ ହରପଦ ପୂଜିବି ରେ ।

ଅଧମତାରଣ ହରି ଏ ଅଧମେ କୃପା କରି
ଆସିବେ ହୃଦକୁଟୀରେ, ମହାନନ୍ଦେ ମଜିବି ରେ ।

ସେ ବିଶ୍ୱମୋହନ ମୁଖ, ଦେଖି ପାସୋରିବି ଦୁଃଖ,
ନରକର କୀଟ ମୁହିଁ ଦେବଭାବ ଭଜିବି ରେ ।

ଅନାଇ ଥିବି ତାହାଙ୍କୁ, କହିବି ପ୍ରାଣନାହାଙ୍କୁ
ସେ ପଦରାଜୀବ ଛାଡ଼ି କାହିଁ ଆଉ ନ ଯିବି ରେ ।   

Friday, December 14, 2018

କରମଙ୍ଗା ଖଟା

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - ଛଅଟି କରମଙ୍ଗା, ଦେଢ଼ କପ୍ ନଡ଼ିଆ କୋରା, ତିନି ଚାମଚ ସୋରିଷ ବଟା, ୧୫୦ ଗ୍ରାମ ଗୁଡ଼, ଦୁଇଟି କଞ୍ଚା ଲଙ୍କା, ଗୋଟା ସୋରିଷ ଏକ ଚାମଚ, ଗୋଟା ଜୀରା ଏକ ଚାମଚ, ତେଲ ତିନି ଚାମଚ, ଦୁଇଟି ଡେମ୍ଫରୁ ଛିଣ୍ଡା ହୋଇଥିବା ଭୃସଙ୍ଗ ପତ୍ର, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ନଡ଼ିଆକୋରାକୁ ହେମଦସ୍ତାରେ ଭଲ କରି ଛେଚି ଦିଅନ୍ତୁ । କରମଙ୍ଗାଗୁଡ଼ିକୁ କାଟି ତିନି କପ୍ ପାଣିରେ ସିଝାଇ ଦିଅନ୍ତୁ । ସେଥିରେ ନଡ଼ିଆ ଛେଚା, ସୋରିଷ ବଟା ଓ ଗୁଡ଼ ଦେଇ ସିଝାନ୍ତୁ । କଞ୍ଚା ଲଙ୍କା ଓ ଭୃସଙ୍ଗ ପତ୍ରକୁ ଚୁନଚୁନ କରି କାଟନ୍ତୁ । ତେଲକୁ ଅନ୍ୟ ଏକ ପାତ୍ରରେ ଗରମ କରନ୍ତୁ । ଏଥିରେ ଜୀରା, ଗୋଟା ସୋରିଷ, ଭୃସଙ୍ଗ ପତ୍ର ଓ କଞ୍ଚା ଲଙ୍କା ଦେଇ ବଘାରି ଦିଅନ୍ତୁ । ଏହି ବଘାରକୁ ଲୁଣ ସହିତ କରମଙ୍ଗା ସହିତ ମିଶାଇ ପାଞ୍ଚ ମିନିଟ ହାଲକା ଆଞ୍ଚରେ ସିଝାନ୍ତୁ ।

ବି.ଦ୍ର. - କରମଙ୍ଗା ଖଟା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, December 11, 2018

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୧୦

ନୁବାଦକ - ଫକୀର ମୋହନ ସେନାପତି


ପାରମ୍ପରିକ ମିଶରୀୟ କଳାର ଆଙ୍ଗିକ (ୱିକିମିଡିଆ କମନ୍ସ୍)

ସକଳ ଆସକ୍ତି ତ୍ୟାଗ କରି ଯେଉଁ ଜନ । 
ନିଜ କର୍ମଫଳ କରି ଇଶ୍ୱରେ ଅର୍ପଣ ।।
କର୍ମ ଅନୁଷ୍ଠାନ କଲେ ପାପ ତା ଶୀର ।
ନ ଲାଗେ କଦାଚ ଯେହ୍ନେ ପଦ୍ମ ପତ୍ରେ ନୀର । ୧୦।

ବ୍ରହ୍ମଣ୍ୟାଧାୟ କର୍ମ୍ମାଣି ସଙ୍ଗତ୍ୟକ୍ତା କରୋତି ୟଃ
ଲିପ୍ୟତେ ନ ସ ପାପେନ ପଦ୍ମପତ୍ରମିବାମ୍ଭସା ।୧୦।

Sunday, December 09, 2018

ଅଖିଳ ଦିବସ ଅନୁଚିନ୍ତା

ଅସିତ ମହାନ୍ତି


ଅଖିଳମୋହନ ପଟ୍ଟନାୟକ


ଜ୍ୟୋତି ବାବୁ,

ଆପଣଙ୍କର କେଇ ପଦ କଥା ମୋତେ ପ୍ରାୟ ୩୭-୩୮ ବର୍ଷ ତଳକୁ ଫେରାଇ ନେଲା । ୧୯୮୦ରେ ରେଭେନ୍ସାରୁ ପାଠ ପଢ଼ା ସାରି ମୁଁ 'ସମାବେଶ'ରେ କାମ ଆରମ୍ଭ କଲି । ଅଖିଳ ମୋହନ ସେତେବେଳକୁ ତାହାର ମୁଖ୍ୟ ସମ୍ପାଦକ । ସେହି 'ସମାବେଶ' ସମୟରେ ୧୯୮୧ରେ ସେ 'ଓ ଅନ୍ଧଗଳି' ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ । ତାହାର ପର ବର୍ଷ, ୧୯୮୨ ନଭେମ୍ବର, କାର୍ତ୍ତିକ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀଦିନ ତାଙ୍କର ଆକସ୍ମିକ ବିୟୋଗ ଘଟିଲା । ସେତେ ବେଳେ ତାଙ୍କର ଏକାଦଶାହ ଦିନ ପ୍ରକାଶ ପାଇ ଥିବା 'ଅଖିଳେଷୁ'ର ସମ୍ପାଦନା ସହ ମୁଁ ପ୍ରତ୍ୟକ୍ଷ ଓ ସକ୍ରିୟ ଭାବେ ଜଡ଼ିତ ଥିଲି । ସେଥି ପାଇଁ ରାତି ଦିନ ଏକ କରି ଆମେ କାମ କରି ଥିଲୁ । ତାହା ରାଉରକେଲାରେ ସେ ବର୍ଷ ଆୟୋଜିତ ଲେଖକ ସାମ୍ମୁଖ୍ୟର ସାହିତ୍ୟୋତ୍ସବରେ ଉନ୍ମୋଚିତ ହୋଇ ଥିଲା । ସେଦିନ ଭୋ୍‌ର୍ ଚାରିଟା ବେଳେ ସମ୍ପାଦକ ଜଗଦୀଶ ପାଣି ତାହା ନିଜେ ନେଇ କାର୍‌ରେ ରାଉରକେଲା ଗଲେ ଏବଂ ଦିନ ୧୧ଟା ବେଳେ ସେଠି ପହଞ୍ଚିଲେ । ସେହି ଉଦ୍‌ଘାଟନ ସମ୍ଭବ ହୋଇ ପାରିଲା । ଜାନକୀବଲ୍ଲଭ ପଟ୍ଟନାୟକ ବୋଧ ହୁଏ ସେହି ଦିନ ସଭାର ମୁଖ୍ୟ ଅତିଥି ଥିଲେ ।

ଅଖିଳ ମୋହନଙ୍କ ବିୟୋଗ ପରେ ତାଙ୍କର ପ୍ରଥମ ଜନ୍ମଦିନକୁ 'ଅଖିଳଦିବସ' ରୂପେ ଆମେ ପାଳନ କରି ଥିଲୁ । ସେ ନାଟକକୁ ଭଲ ପାଉ ଥିଲେ । ସେଥି ପାଇଁ ତାଙ୍କ ପ୍ରେରଣାରେ 'କଚ୍ଛପ ନାଟ୍ୟ ଆନ୍ଦୋଳନ' ଗଢ଼ା ହୋଇ ଥିଲା । ତେଣୁ ପ୍ରଥମ 'ଅଖିଳ ଦିବସ'ରେ ନାଟକଟିଏ ବି ମଞ୍ଚସ୍ଥ ହୋଇ ଥିଲା । କପିଳାସ ଭୂୟାଁ ସେଥିରେ ସକ୍ରିୟ ଭୂମିକା ନେଇ ଥିଲେ । ଏବେ ତାହା ବିସ୍ମୃତ ଇତିହାସ ।

ଅଖିଳବାବୁଙ୍କ ବିୟୋଗ ବେଳକୁ ତାଙ୍କର ଦୁଇଟି ଗଳ୍ପ ସଙ୍କଳନ ପ୍ରକାଶ ପାଇ ଥିଲା । ପ୍ରଥମଟି 'ଝଡର ଇଗଲ ଓ ଧରଣୀର କୃଷ୍ଣସାର' ଏବଂ ଦ୍ବିତୀୟଟି 'ଓ ଅନ୍ଧଗଳି। ତୃତୀୟ 'ନଦୀର ନାମ ଗଣତନ୍ତ୍ର' ପରେ ପ୍ରକାଶ ପାଇଲା । ତାହା ତାଙ୍କ ମୃତ୍ୟୁ ପରେ କପିଳାସ ଭୂୟାଁ 'ମ୍ୟୁଜ୍ ବୁକ୍ସ' ପକ୍ଷରୁ ପ୍ରକାଶ କରି ଥିଲେ । ଯେଉଁ ଦିନ 'ସମ୍ବାଦ' ପ୍ରଥମେ ପ୍ରକାଶ ପାଇଲା, ସେଦିନ (ଅକ୍ଟୋବର ୪, ୧୯୮୪) ଥିଲା ଗୁରୁବାର । ସେହି ଦିନ ବି ଥିଲା 'ସମ୍ବାଦ''ସାହିତ୍ୟ' ପୃଷ୍ଠାର ଦିନ । ସେଇ ପ୍ରଥମ ଦିନର ପ୍ରଥମ 'ସାହିତ୍ୟ' ପୃଷ୍ଠାରେ ମୁଁ 'ନଦୀର ନାମ ଗଣତନ୍ତ୍ର'ର ଏକ ସମୀକ୍ଷା ଲେଖି ଥିଲି ।

ତାହାର କିଛି ବର୍ଷ ପରେ ପ୍ରକାଶ ପାଇଥିଲା ଅଖିଳ ବାବୁଙ୍କର ଚତୁର୍ଥ ଓ ଶେଷ ଗଳ୍ପ ସଙ୍କଳନ, 'ପ୍ରଥମ ଓ ଶେଷ' । ସେତେବେଳକୁ ମୁଁ 'ସମାବେଶ'ରୁ ଆସି 'ପ୍ରଜାତନ୍ତ୍ର'ରେ । ଦିନେ ହଠାତ୍ ଆସି ସେଠି ପହଞ୍ଚିଲେ ବିଭୂତି ପଟ୍ଟନାୟକ । ତାଙ୍କ ସାଙ୍ଗରେ ଥିଲେ କଣ୍ଡୁରିଚରଣ ଦାସ । ସେମାନେ ତାହା ଛାପିବାକୁ ଚାହିଁଲେ । ସେଥିରେ 'ଶଙ୍ଖ'ରେ ପ୍ରକାଶିତ ଅଖିଳ ବାବୁଙ୍କ ପ୍ରଥମ ଗଳ୍ପ 'ସପନ' 'ସୁଚରିତା'ରେ ପ୍ରକାଶିତ ଶେଷ ଗଳ୍ପ 'ସ୍ପାର୍ଟାକସ୍' ଥିଲା । ତେଣୁ ତାହାର ନାଆଁ 'ପ୍ରଥମ ଓ ଶେଷ' ରଖା ଗଲା ।

ଅଖିଳବାବୁଙ୍କ ବିୟୋଗ ବେଳକୁ ସେ 'ସମାବେଶ'ରେ ଲେଖୁ ଥିବା 'ବାଘରାଣୀ ଖଇରୀ' ଅସମାପ୍ତ ଥିଲା । ତାହାର ଶେଷ ଅଧ୍ୟାୟ 'ଖଇରୀର ଶେଷ ଦିନଗୁଡ଼ିକ' ମୁଁ ଲେଖି ତାହାକୁ ସମ୍ପୂର୍ଣ୍ଣ କରି ଥିଲି । ତାହାର ଆଧାର ଥିଲା ଖଇରୀକୁ ଝିଅ ପରି ପାଳି ଥିବା ସରୋଜ ରାୟ ଚୈଧୁରୀଙ୍କ ଡାଏରି । ତାହାର ଅବଲମ୍ବନରେ ହିଁ ଅଖିଳବାବୁ 'ବାଘରାଣୀ ଖଇରୀ' ଲେଖୁ ଥିଲେ । ଅଖିଳବାବୁଙ୍କ ଭାଷା, ଭାବ ଓ ଶୈଳୀ ଅକ୍ଷୁଣ୍ଣ ରଖି ମୁଁ ତାହା ଲେଖିବାକୁ ଚେଷ୍ଟା କରି ଥିଲି । ଯେଉଁମାନେ ମୁଖବନ୍ଧ ନ ପଢ଼ି ତାହା ପାଠ କରିଛନ୍ତି, ସେମାନେ ତାହା ଅଖିଳବାବୁ ଲେଖି ନାହାନ୍ତି ବୋଲି ଜାଣି ପାରି ନାହାଁନ୍ତି । 

ସେତେବେଳେ 'ଦି ହେରିଟେଜ୍' ପତ୍ରିକାର ସମ୍ପାଦନା କରୁଥିଲେ ମନୋଜ ଦାସ । ସେ ମୋ ଶେଷ ଲେଖା ସମେତ ଖଇରୀର ସବୁ ଲେଖାତକ ମଗାଇ ନେଇ 'ହେରିଟେଜ୍'ରେ ତାହାର ଏକ ଇଂରାଜୀ ସାରାନୁବାଦ ପ୍ରକାଶ କରି ଥିଲେ । ପ୍ରଥମେ 'ଇଷ୍ଟର୍ଣ୍ଣ ମିଡିଆ'ରୁ ଏବଂ ପରେ 'ଆମ ଓଡିଶା'ରୁ ତାହା ବହି ରୂପେ ପ୍ରକାଶ ପାଇ ଖୁବ୍ ଆଦୃତ ହୋଇଛି ।

ଯେଉଁ ଦିନ 'ବାଘରାଣୀ ଖଇରୀ' 'କନକ ଟିଭି'ରେ ଉନ୍ମୋଚିତ ହେଲା, ସେଦିନ ଖଇରୀ ପାଇଁ ନିଜକୁ ଉଜେଇଁ ଦେଇଥିବା ନୀହାର ନଳିନୀ ଦେବୀଙ୍କ ସାକ୍ଷାତକାର ଆମେ ତା' ସହ ପ୍ରସ୍ତୁତ କରି ଥିଲୁ । ତାହା ପ୍ରସ୍ତୁତ କରି ଥିଲେ, ନୀଳାମ୍ବର ରଥ । ନୀହାର ନଳିନୀ ଦେବୀ ଆଜି ବି ଭୁବନେଶ୍ବରରେ ଅଛନ୍ତି; କିନ୍ତୁ, ତାଙ୍କୁ କେହି ଚିହ୍ନନ୍ତି ନାହିଁ ।

ଅଖିଳ ବାବୁ ଯେଉଁ ଦିନ ନିଜେ ଗାଡ଼ି ଚଳାଇ ଅସ୍ତ୍ରୋପଚାର ପାଇଁ କଟକ ଗଲେ, ଏବଂ ଅପରେସନ ଟେବୁଲ୍ ଉପରେ ମରି ଗଲେ, ସେଦିନ ତାଙ୍କ ସବୁଜ ତାରୁଣ୍ୟର ପ୍ରେମପତ୍ରର ସଙ୍କଳନ 'ଅନାଗତ ଫାଲଗୁନ'ର ହାତଲେଖା ମୁଖବନ୍ଧ ମୋ ହାତରେ ଦେଇ ଯାଇ ଥିଲେ । ସେଇ ହାତଲେଖା ମୁଖବନ୍ଧକୁ ନେଇ ସେ ବହି ତାଙ୍କ ମୃତ୍ୟୁ ପରେ ପ୍ରକାଶ ପାଇ ଥିଲା ।

'ବାଘରାଣୀ ଖଇରୀ'ର ରେଖାଚିତ୍ର ସବୁ ସେଦିନ ଛନ୍ଦା ଆଚାର୍ଯ୍ୟ ଓ 'ଅନାଗତ ଫାଲଗୁନ'ର ରେଖାଚିତ୍ର ସବୁ ଅସୀମ ବସୁ ଆଙ୍କି ଥିଲେ । 'ବାଘରାଣୀ ଖଇରୀ'ର ପ୍ରକାଶ ବେଳକୁ ଜ୍ଞାନଦା ପଟ୍ଟନାୟକ (ମାଉସୀ) ଜୀବିତ ଥିଲେ । ସେ ତାହାର ମୁଖବନ୍ଧରେ ଲେଖିଛନ୍ତି ଯେ, ମୋ ଉପରେ ଓ ମୋର ସେ ଦିନର ବନ୍ଧୁ ପ୍ରଦୀପ୍ତଙ୍କ ଉପରେ ସେ ପୁତ୍ରବତ୍ ସମସ୍ତ ଅଧିକାର ସେତେବେଳେ ନ୍ୟସ୍ତ କରୁ ଥିଲେ ।

ଅଖିଳବାବୁଙ୍କ ମୃତ୍ୟୁ ପରେ ଏବଂ 'ସମାବେଶ' ଛାଡ଼ିବା ଆଗରୁ, ମୁଁ 'ସମାବେଶ'ର ସମ୍ପାଦକୀୟ, ସେଥିରେ ସେ ଲେଖୁଥିବା 'କଚ୍ଛପୀୟ', ଅଧା ରହି ଯାଇ ଥିବା ଡିଟେକ୍ଟିଭ୍ ଉପନ୍ୟାସ 'ସୁନ୍ଦରବନରେ ହତ୍ୟାର ବିଭୀଷିକା' 'ବାଲ୍ମିକୀ ରାମାୟଣର ସାରାନୁବାଦ' ଆଦି ସବୁ ଲେଖାକୁ ଏକାଠି କରି ଜ୍ଞାନଦା ମାଉସୀଙ୍କୁ ଦେଇ ଆସି ଥିଲି । ଏ ସମ୍ପର୍କରେ ଆଉ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି, ସେତେ ବେଳେ ଭୁବନେଶ୍ୱରରେ ରହୁ ଥିବା ନାଟ୍ୟକାର ଗୋପାଳ ଛୋଟରାୟ 'ବାଘରାଣୀ ଖଇରୀ' ପରି, 'ବାଲ୍ମିକୀ ରାମାୟଣର ସାରାନୁବାଦ'କୁ ପୂର୍ଣ୍ଣାଙ୍ଗ କରିବାକୁ ଚାହିଁ ଥିଲେ ଓ ସେଥି ପାଇଁ ମୋର ସହଯୋଗ ଲୋଡ଼ି ଥିଲେ । କିନ୍ତୁ ଶେଷ ସୁଦ୍ଧା ତାହା ସମ୍ଭବ ହୋଇ ପାରି ନ ଥିଲା ।


ସେତେବେଳେ ସଙ୍କଳିତ ହୋଇ ନ ଥିବା ଅଖିଳବାବୁଙ୍କ ଲେଖାଗୁଡ଼ିକ ସହିତ, ବହୁ ବର୍ଷ ତଳେ ସେ 'ଝଙ୍କାର'ରେ ଲେଖି ଥିବା ଦୁଇଟି ଆତ୍ମଜୀବନୀମୂଳକ ଲେଖା, ଏଯାଏ ଅସଙ୍କଳିତ କେତୋଟି ଗପ (ଯଥା ହାତଲେଖା 'କୁଙ୍କୁମ' ରେ ପ୍ରକାଶିତ ଗଳ୍ପ) ଏବଂ ତାଙ୍କର ଟିପାଖାତା ଆଦିକୁ ନେଇ ଗୋଟିଏ ଶେଷ ବହି ପ୍ରସ୍ତୁତ କରିବାର ଇଚ୍ଛା ମୋର ଥିଲା । ତାହାର ନାଆଁ ରହି ଥାଆନ୍ତା, 'ଅବଶିଷ୍ଟ ଅଖିଳମୋହନ। ସେ କଥା ତାଙ୍କ ଘର ଓ ଫାଉଣ୍ଡେସନ ସହ ସମ୍ପୃକ୍ତ ପ୍ରାୟ ସମସ୍ତଙ୍କୁ ବହୁ ବାର କହିଛି । ପ୍ରତି ବର୍ଷ ଜନ୍ମଦିନରେ ବି କହି ଆସୁଛି । କିନ୍ତୁ କିଛି ଫଳ ହେଉ ନାହିଁ । କୋର୍ଟ କାଗଜପତ୍ର ପରି ନାଲି ସାଲୁକନାରେ ବନ୍ଧା ଥିବା ସେଇ ଲେଖାଗୁଡ଼ିକ ଆଜି କି ଅବସ୍ଥାରେ ଅଛି, ମୁଁ ଜାଣେନା ।


ହଁ, ମଝିରେ ଥରେ ମୋଠୁ କିଛି ଲେଖା ନେଇ ଏମିତି ଏକ ଜନ୍ମଦିନ ଅବସରରେ କେଦାର ମିଶ୍ର 'ଅନୁପମ ଭାରତ'ରେ ଏକ ପୂରା ପୃଷ୍ଠା ପ୍ରକାଶ କରି ଥିଲେ । ସେଇ ପୃଷ୍ଠାଟି ସେଦିନ ଖୁବ୍ ଆଦୃତ ହୋଇ ଥିଲା ।


ଦୀର୍ଘ ବର୍ଷର ବିରତି ପରେ, ଏବେ ଅଖିଳମୋହନଙ୍କ ସମଗ୍ର ଗଳ୍ପ 'ଅଖିଳାୟନ' ମୋ ଆଗ୍ରହ ଫଳରେ 'ଆମ ଓଡିଶା' ପକ୍ଷରୁ ସୁଦୃଶ୍ୟ ଭାବେ ପ୍ରକାଶ ପାଇଛି । କିନ୍ତୁ ତାଙ୍କ ପ୍ୟାରିସ୍ ଭ୍ରମଣ ବୃତ୍ତାନ୍ତ 'ଅନ୍ୟ ଦେଶ' 'ଅନାଗତ ଫାଲଗୁନ' ଏବେ ଦୁଷ୍ପ୍ରାପ୍ୟ । ସେ ଦିଗରେ କିନ୍ତୁ କାହାରି ଧ୍ୟାନ ନାହିଁ । ଫଳରେ ଅଖିଳ ବାବୁ ଆଜି କେବଳ ଜଣେ ଗାଳ୍ପିକର ପରିଚୟ ଭିତରେ ସୀମିତ ହୋଇ ରହି ଯାଇଛନ୍ତି ।

ଅଖିଳ ବାବୁ କେବଳ ଜଣେ ଗାଳ୍ପିକ ନ ଥିଲେ । ସେ ବିଭିନ୍ନ ସମୟରେ ବିଭିନ୍ନ ସୃଜନଶୀଳ ବିଭାଵରେ ନିଜର ଶକ୍ତି ଓ ସିଦ୍ଧିର ପରୀକ୍ଷା କରୁ ଥିଲେ । ଯେତେବେଳେ ଯାହା ହେବାକୁ ଚାହୁଁ ଥିଲେ, ସେ ବାବଦରେ ପ୍ରଚୁର ପଢ଼ାପଢ଼ି ଓ ନୋଟ୍ କରୁ ଥିଲେ । ତାହାର ବହୁ ବିବରଣୀ ତାଙ୍କ ନୋଟ୍ ଖାତା ଗୁଡ଼ିକରେ ଅଛି । ତାହା ଦର୍ଶାଏ, ଗାଳ୍ପିକ ଅଖିଳ ମୋହନଙ୍କ ତଳେ ଆହୁରି ଅନେକ ଅଖିଳମୋହନ ପୋତି ହୋଇ ରହିଛନ୍ତି । ତାହାର ନିଦର୍ଶନ ତାଙ୍କ ଟିପାଖାତାରୁ ଉଦ୍ଧାର କରିବାର ଗୁରୁତ୍ୱପୂର୍ଣ୍ଣ ପ୍ରୟୋଜନ ରହିଛି । କିନ୍ତୁ ମନେ ହେଉଛି, ତାହା ଶେଷ ଯାଏଁ ଅନୁଦ୍‌ଘାଟିତ ହୋଇ ରହି ଯିବ ।

ଏହି ମାସରେ ଟିକେ ପରେ ଆସୁ ଥିବା, ଅଖିଳମୋହନଙ୍କ ୯୦ତମ ଜନ୍ମଦିନ ଅବସରରେ, ଏହା ହିଁ ମୋର ସବୁଠୁ ବଡ଼ ଦୁଃଖ ।


(ଅନ୍ୟ ବର୍ଷ ଗୁଡିକ ପରି ଏ ବର୍ଷ ମଧ୍ୟ ଏଇ ଡିସେମ୍ବର ୧୮ ତାରିଖ ଦିନ ଅଖିଳ ମୋହନ ପଟ୍ଟନାୟକଙ୍କର ଜୟନ୍ତୀ 'ଅଖିଳ ଦିବସ'       ଭାବରେ ପାଳିତ ହେବ ।  ଏ ନେଇ ଘୋଷିତ ହୋଇ ଥିବା କାର୍ଯ୍ୟକ୍ରମ ଓ ପୁରସ୍କାର ବାବଦରେ ଅଖିଳ ମୋହନ ଫାଉଣ୍ଡେସନର           ଅଧ୍ୟକ୍ଷା ମମତା ଦାଶଙ୍କ ପୋଷ୍ଟ୍‌ରେ ଜ୍ୟୋତି ନନ୍ଦ କିଛି ମତାମତ ଦେଇଛନ୍ତି । ତାହା ପଢ଼ିବା ପରେ ମୁଁ ଏଇ କିଛି କଥା ସେଠି କହି ଥିଲି ।   ତାହା ଅଧିକ ଲୋକ ପଢ଼ିବା ଦରକାର ବୋଲି ଜ୍ୟୋତି ବାବୁ କହିବାରୁ, ତାହା ଏଠାରେ ଦିଆ ଗଲା ।)

Friday, December 07, 2018

 ଛୋଟ ଛେଳି ମାଂସର ସୁରୁଆ

ସରୋଜିନୀ ଚୌଧୁରୀ


ଚିତ୍ର - 'ଷ୍ଟଡ଼ି ଅଫ୍ ଏ କିଡ଼୍' (୧୭୯୬ ମସିହାରେ ଅଙ୍କିତ)
ଚିତ୍ରକର - ଜେମ୍ସ୍ ୱାର୍ଡ଼୍ (୧୭୬୯ - ୧୮୫୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଉପକରଣ - ନରମ ଚର୍ବିହୀନ ମାଂସ ପାଏ, ଜଳ ଦେଢ଼ ସେର, ଲୁଣ ତୋଳେ, ପସନ୍ଦ ଅନୁଯାୟୀ ହଳଦି ବଟା ଟିକେ, ତେଜ ପତ୍ର ଦୁଇ ତିନି ଖଣ୍ଡ, ଧଣିଆ ପତ୍ର ତିନି ଚାରି ଡାଳ, ଆଦେଶ ଥିଲେ ଗୋଲମରିଚ ଗୁଣ୍ଡା 'ଛଙ୍କା' ଟିକିଏ ।

ପ୍ରଣାଳୀ - ମାଂସ ଖୁବ୍ ଛୋଟ ଛୋଟ କରି କାଟ ଅଥବା ଟିକିଏ ଛେଚି ନିଅ; ତେଜ ପତ୍ର ଓ ଧଣିଆ ପତ୍ର ମଧ୍ୟ ଧୋଇ ନିଅ । ଗୋଟିଏ ମାଟିର ହାଣ୍ଡିରେ ମାଂସ, ତେଜ ପତ୍ର, ଧଣିଆ ପତ୍ର, ପସନ୍ଦ ଅନୁଯାୟୀ ହଳଦୀ ବଟା ଓ ସମସ୍ତ ପାଣି ଦେଇ ହାଣ୍ଡି ମୁହଁ ଢାଙ୍କ । କିଛି ଅଟା ବା ମଇଦା ଗୋଳାଇ ଢାଙ୍କୁଣିର ଯୋଡ଼ ମୁହଁ ଲେପି ଦିଅ । ଚୁଲ୍ଲିରେ ଚଢ଼ାଅ ।

ଖୁବ ନରମ ଆଞ୍ଚରେ ଧୀରେ ଧୀରେ ସିଝି ସିଝି ଦୁଇ ତିନି ଘଣ୍ଟା ଗଲେ ଓହ୍ଲାଇ ରଖ । ଅଳ୍ପ ଥଣ୍ଡା ହେଲେ ମାଂସଟାକୁ ବେଶ୍ କରି ଚକଟି ଚକଟି ଚିପୁଡ଼ି ପକାଇ ଲୁଣ ମିଶାଅ । 

ବି.ଦ୍ର. - ଛୋଟ ଛେଳି ମାଂସର ସୁରୁଆ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Wednesday, December 05, 2018

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୮-୦୯

ନୁବାଦକ - ଫକୀର ମୋହନ ସେନାପତି


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦର୍ଶନ ଶ୍ରବଣ ସ୍ପର୍ଶ ଅଶନ ଗମନ ।
ଶୟନ ଶ୍ୱସନ ପ୍ରାଣ ଆଳାପ ଗ୍ରହଣ ।।
ଉନ୍ମେଷ ନିମେଷ ତ୍ୟାଗ ଆଦି କର୍ମ କରି । 
ତତ୍ତ୍ୱଜ୍ଞାନୀ ବୋଲେ ମୁହିଁ ଅଛି ସେହି ପରି ।।
ନ କରେ ମୁଁ କିଛି କାର୍ଯ୍ୟ ଇନ୍ଦ୍ରିୟ ସକଳ ।
ନିଜ ନିଜ କାର୍ଯ୍ୟ କରୁଅଛନ୍ତି କେବଳ ।।

ନୈବ କିଞ୍ଚିତ୍ କରୋମୀତି ୟୁକ୍ତୋ ମନ୍ୟେତ ତତ୍ତ୍ୱବିତ୍ ।
ପଶ୍ୟନ୍ ଶୃଣ୍ୱନ୍ ସ୍ପୃଶନ୍ ଜିଘ୍ରନ୍ନଶ୍ନନ୍ ଗଚ୍ଛନ୍ ସ୍ୱପନ୍ ଶ୍ୱସନ୍ ।
ପ୍ରଳପନ୍ ବିସୃଜନ୍ ଗୃହ୍ନନ୍ନୁନ୍ମିଷନ୍ତିମିଷନ୍ନପି 
ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଷୁ ବର୍ତ୍ତନ୍ତ ଇତି ଧାରୟନ୍ । ୮-୯ ।

Monday, December 03, 2018


ପୁରୀ ଜିଲ୍ଲା ସ୍କୁଲରେ ପାଠ ସହ ଶାଠ: ସିନେମା ଦେଖା


ପୁରୀର ଦିଗବାରେଣୀ ଛକ (ୱିକିମିଡିଆ କମନ୍ସ୍)

ପ୍ରସିଦ୍ଧ ଇଂରାଜୀ ପ୍ରଫେସର ସର୍ବେଶ୍ୱର ଦାଶଙ୍କର ହାଇସ୍କୁଲ ଶିକ୍ଷାର ବହୁଳାଂଶ ଘଟେ ତାଙ୍କ ବାପାଙ୍କର ପୁରୀ ସହରକୁ ବଦଳି ହେବା ପରେ, ୧୯୩୫ ରୁ ୧୯୪୦ ମସିହା ମଧ୍ୟରେ । ଏହି ସମୟରେ ବାଳକ ସର୍ବେଶ୍ୱର ଯେ କେବଳ ପାଠ ପଢ଼ାରେ ମନଯୋଗ ଦେଉଥିଲେ ତାହା ନୁହେଁ, ନାନାଦି ଶାଠରେ ମଧ୍ୟ ତାଙ୍କର ସମୟ ବିତୁଥିଲା । ଏଥିରୁ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ସିନେମା ଓ ଥିଏଟର ଦେଖା ।

ମୋଚି ସାହି ଛକରେ ଏବେ ଯେଉଁଠାରେ ବଜାରଟି ଅଛି, ସେଠି ସେବେ ଥିଲା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତର । ସେହି ପଡ଼ିଆରେ ତମ୍ବୁ ପଡ଼େ । ତାହା ଭିତରେ ନାନାଦି ଭ୍ରାମ୍ୟମାଣ କମ୍ପାନୀ ଆସି ଚଳଚିତ୍ର ପ୍ରଦର୍ଶିତ କରନ୍ତି । ସେହି କମ୍ପାନୀମାନଙ୍କ ଭିତରୁ ସବୁଠାରୁ ସ୍ମରଣୀୟ ଥିଲା ଚାମୋରିଆ । ଏହି ପଡ଼ିଆରେ ତମ୍ବୁ ଭିତରେ ସର୍ବେଶ୍ୱର ଦେଖିଥିଲେ ‘ଦକ୍ଷଯଜ୍ଞ’ ବହିଟି । ସର୍ବେଶ୍ୱର ବାବୁ ତାଙ୍କର ଆତ୍ମଜୀବନୀରେ କହନ୍ତି ଯେ, ଏହି ଚଳଚିତ୍ରଟି ଥିଲା ଏକ ନୀରବ ଫିଲ୍ମ । ଯଦି ଏହା ସତ, ତାହା ହେଲେ, ଏହା ୧୯୨୦ ମସିହାରେ ନିର୍ମିତ ‘ସତୀ ପାର୍ବତୀ ବା ଦକ୍ଷଯଜ୍ଞ” ସିନେମାଟି ହୋଇ ପାରେ । ଅବଶ୍ୟ ସତୀଙ୍କ ମୃତ୍ୟୁ ବିଷୟକ ଏହି କାହାଣୀଟି ପରେ ୧୯୨୨ ମସିହାରେ ପ୍ରସିଦ୍ଧ ମଦନ ଥିଏଟର କମ୍ପାନୀଙ୍କ ଦ୍ୱାରା ଏବଂ ୧୯୨୭ ମସିହାରେ ବିଶିଷ୍ଟ ଚଳଚିତ୍ରକାର ଜି. ଭି. ସାହାନିଙ୍କ ଦ୍ୱାରା ପୁନଃନିର୍ମିତ ହୋଇଥିଲା । ଏହା ଛଡ଼ା ୧୯୩୮ ମସିହାରେ ରାଜା ଚନ୍ଦ୍ରଶେଖରଙ୍କ ଦ୍ୱାରା ତାମିଲ ଭାଷାରେ ସେହି ‘ଦକ୍ଷଯଜ୍ଞ’ ନାଁରେ ହିଁ ବହିଟି ଆଉ ଥରେ ତିଆରି ହୋଇ ଥିଲା । ଏହି ତାମିଲ ଚଳଟିତ୍ରରେ ଏମ୍. ଜି. ରାମଚନ୍ଦ୍ରନ ଅଭିନୟ କରିଥିଲେ ।

ନିଜ ଆତ୍ମଜୀବନୀରେ ସର୍ବେଶ୍ୱର ବାବୁ କହନ୍ତି ଯେ, ୧୯୩୭ ମସିହାର ଶେଷ ବେଳକୁ ତାଙ୍କର ଭିଣେଇ ଭୀମସେନ ମିଶ୍ର ଓ ମଙ୍ଗୁମଠର ମ୍ୟାନେଜର ପାଣ୍ଡେ ଚଳଚିତ୍ର ପ୍ରଦର୍ଶନ ପାଇଁ ପୁରୀ ସହରର ପ୍ରଥମ ଥେଟର ତିଆରିଲେ । ଥିଏଟରଟିର ନାଁ ଥିଲା ‘ଲକ୍ଷ୍ମୀ ଟକିଜ୍’ । ଏହା ନିର୍ମିତ ହୋଇଥିଲା ରାମଚଣ୍ଡି ସାହିରେ । ପ୍ରଥମ ପ୍ରଦର୍ଶିତ ବହିଟି ବୋଧ ହୁଏ ଥିଲା, ‘ଚଣ୍ଡିଦାସ’ ଏହି ବଙ୍ଗଳା ସିନେମାଟି କିନ୍ତୁ ତିଆରି ହୋଇଥିଲା କିଛି ସାଲ ପୂର୍ବରୁ, ୧୯୩୨ ମସିହାରେ । ଚଳଚିତ୍ରଟିର ନିର୍ଦ୍ଦେଶକ ଥିଲେ ଦେବକୀ ବସୁ । ସଙ୍ଗୀତ ଦେଇଥିଲେ, ରାଇଚାନ୍ଦ ବରାଳ । ଧୋବଣୀ ଝିଅ ରାମୀର ପ୍ରେମରେ ପଡ଼ିଥିବା ବଇଷ୍ଟଁବ ସାଧକ ଚଣ୍ଡିଦାସଙ୍କର ଭୂମିକାରେ ଅଭିନୟ କରିଥିଲେ ଦୁର୍ଗାଦାସ ବନ୍ଦ୍ୟୋପାଧ୍ୟାୟ । ସିନେମାଟିର ଅନେକ ଗୀତର ଗାୟନ ପାଇଁ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ଦେ ।

ପ୍ରଥମ ଓଡ଼ିଆ ଚଳଚିତ୍ର ‘ସୀତା ବିବାହ’ ଏହା ପରେ ପରେ ‘ଲକ୍ଷ୍ମୀ ଟକିଜ୍’ରେ ହିଁ ପ୍ରଦର୍ଶିତ ହୋଇଥିଲା । କିନ୍ତୁ ଯେହେତୁ ସୀତା ବିବାହର ଲୋକାର୍ପଣ ଲକ୍ଷ୍ମୀ ଟକିଜ୍‌ରେ ହିଁ ୨୮ ଅପ୍ରେଲ, ୧୯୩୬ ମସିହାରେ ହୋଇଥିଲା, ଏଣୁ ଥିଏଟରଟି ନିଶ୍ଚିତ ଭାବରେ ଏହା ପୂର୍ବରୁ ତିଆରି ହୋଇଥିବ । ସର୍ବେଶ୍ୱର ବାବୁଙ୍କ ସ୍ମୃତି ଅନୁସାରେ ଏହା ପରେ, ଲକ୍ଷ୍ମୀ ଟକିଜରେ ସେ ଦେଖିଥିବା ତୃତୀୟ ଚଳଚିତ୍ର ହେଲା ବଙ୍ଗାଳୀ ବହି, ‘ବିଦ୍ୟାପତି’ । ଏହି ସିନେମାଟିର ନିର୍ଦ୍ଦେଶକ ମଧ୍ୟ ଥିଲେ ଦେବକୀ ବସୁ । କାନନ ଦେବୀ ଓ ପୃଥ୍ୱୀରାଜ କପୁରଙ୍କ ଭଳି ଅନେକ ବିଶିଷ୍ଟ ଅଭିନେତା ଏଥିରେ କାମ କରିଥିଲେ ।

ଏହା ଛଡ଼ା ବଙ୍କିମଚନ୍ଦ୍ରଙ୍କର ଉପନ୍ୟାସଗୁଡ଼ିକୁ ଭିତ୍ତି କରି ନିର୍ମିତ ଚଳଚିତ୍ର ଯଥା ‘କପାଳ କୁଣ୍ଡଳା’ ଓ ‘ବିଷବୃକ୍ଷ’, ଶରତଚନ୍ଦ୍ରଙ୍କର ‘ଦେବଦାସ’ (୧୯୩୫ ମସିହା) ଓ ‘ଦତ୍ତା’ (ଫିଲ୍ମ ରୂପଟି ‘ବିଜୟା’ ନାଁରେ ନାମିତ ହୋଇଥିଲା) ଓ ‘ପଲ୍ଲୀ ସମାଜ’ ଆଦି ଉପରେ ତିଆରି ସିନେମାଗୁଡ଼ିକ ମଧ୍ୟ ବାଳକ ସର୍ବେଶ୍ୱର ଦେଖିଥିଲେ । ଦେବଦାସ ଭୂମିକାରେ ଅଭିନୟ କରିଥିବା ପ୍ରମଥେଶ ବରୁଆଙ୍କ କାମ ତାଙ୍କୁ ବିଶେଷତଃ ପ୍ରଭାବିତ କରିଥିଲା । ଏହି ଦେବଦାସ ସିନେମାଟି ତଥା ସେହି ସମୟରେ ଅନେକ କିଛି ସ୍ମରଣୀୟ ଚଳଚିତ୍ର, ବଙ୍ଗଳାର ସେବେର ସବୁଠାରୁ ନାଁକରା ଷ୍ଟୁଡ଼ିଓ ‘ନ୍ୟୁ ଥିଏଟର’ ତିଆରି କରିଥିଲେ ।

ସର୍ବେଶ୍ୱରଙ୍କ ପାଇଁ ପ୍ରମଥେଶ ବରୁଆଙ୍କ ‘ମୁକ୍ତି’ (୧୯୩୭ ମସିହାରେ ନିର୍ମିତ) ତଥା ‘ଅଭିନୟ’ ଆଦି ଚଳଚିତ୍ରଗୁଡ଼ିକ ମଧ୍ୟ ସ୍ମରଣୀୟ ଥିଲା । ସେତେବେଳେ ନାୟକ ନାୟିକା ମାନେ ଚଳଚିତ୍ରରେ ନିଜେ ନିଜର ଚରିତ୍ରର ଗୀତଗୁଡ଼ିକର ଗାୟନର ଭାର ତୁଲାଉଥିଲେ । ନାୟକ ଭାବରେ ଅହୀନ୍ଦ୍ର ଚୌଧୁରୀ ଓ ଶିଶିର ଭାଦୁଡ଼ି ଓ ନାୟିକା ରୂପରେ ପାହାଡ଼ି ସାନ୍ୟାଲ, କାନନବାଲା ଓ ଉମାସଶୀ ଆଦି ନିଜ ଅଭିନୟ ଦ୍ୱାରା ତାଙ୍କର କିଶୋର ମନରେ ଛାପ ଛାଡ଼ି ଯାଇଥିଲେ ।

ବଙ୍ଗଳା ସିନେ ଶିଳ୍ପର ଏହି ଚଳଚିତ୍ରଗୁଡ଼ିକ ଛଡ଼ା ସର୍ବେଶ୍ୱର ଓ ତାଙ୍କ ଭାଇମାନେ ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିର ବହିଗୁଡ଼ିକ ମଧ୍ୟ ଦେଖୁଥିଲେ ଲକ୍ଷ୍ମୀ ଟକିଜ୍‌ରେ । ଏହି ସିନେମା ମଧ୍ୟରୁ ଅନେକ ଥିଲା ଜେ. ବି. ଏଚ୍. ୱାଡ଼ିଆ ଓ ହୋମି ୱାଡ଼ିଆ ପାର୍ସୀ ଭାତୃଦ୍ୱୟଙ୍କ ଚଳଚିତ୍ର ନିର୍ମାଣ କମ୍ପାନୀ ‘ୱାଡ଼ିଆ ମୁଭିଟୋନ’ ଦ୍ୱାରା ତିଆରି । ଏହି ଚଳଚିତ୍ରଗୁଡ଼ିକରେ ଅନେକ ସମୟରେ ପ୍ରଦର୍ଶିତ ହେଉଥିଲା ନାନାଦି ଦୁଃସାହସିକ କାର୍ଯ୍ୟାବଳୀ - ଯଥା, ଚଳନ୍ତା ରେଳଗାଡ଼ି ଉପରେ ମାଡ଼ପିଟର ଦୃଶ୍ୟ, କୋର୍ଟ କଚେରୀରେ ମହିଳା ଓକିଲ କିମ୍ବା ଅପରାଧୀଙ୍କର ଜବାବସୁଆଲ ଇତ୍ୟାଦି । ସର୍ବେଶ୍ୱର ବାବୁଙ୍କର ବର୍ଣ୍ଣନାରୁ ଯ।ହା ଅନୁମାନ କରାଯାଇ ପାରେ, ସେ ଦେଖିଥିବା ୱାଡ଼ିଆ ମୁଭିଟୋନର ଚଳଚିତ୍ରଗୁଡ଼ିକ ବୋଧ ହୁଏ ଥିଲା, ‘ହଣ୍ଟରୱାଲି’, ‘ମିସ୍ ଫ୍ରଣ୍ଟିଅର୍ ମେଲ୍’ ଓ ‘ପଞ୍ଜାବ୍ ମେଲ୍’ ଇତ୍ୟାଦି ବହି ।

ଲକ୍ଷ୍ମୀ ଟକିଜ ଯେହେତୁ ଭିଣୋଇଙ୍କର ଥିଲା, ସର୍ବେଶ୍ୱର ବାବୁ ଏକେଲା କିମ୍ବା ଭାଇମାନଙ୍କ ସହ ସେଠି ଚଳଚିତ୍ର ଦେଖିଲେ ମାଗଣାରେ ଦେଖୁଥିଲେ । ହେଲେ ସାଙ୍ଗମାନଙ୍କ ସହ ଗଲେ ଟିକଟ କାଟୁଥିଲେ । ସ୍ୱାଧୀନତା ପୂର୍ବର ସେହି ରକ୍ଷଣଶୀଳ ସମୟରେ ମଧ୍ୟ ସର୍ବେଶ୍ୱର ବାବୁଙ୍କୁ ତାଙ୍କ ବାପା ଅକାତରେ ସିନେମା ଦେଖ‌ିବାକୁ ଛାଡ଼ୁଥିଲେ । ଅବଶ୍ୟ ସବୁ ଥର ଅନୁମତି ନେବାକୁ ପଡ଼ୁଥିଲା । ଆଉ ସିନେମା ଦେଖି ଫେରି ସାରି ବାପାଙ୍କ ସହ ବହିଟି ଆଲୋଚନା କରିବାକୁ ପଡ଼ୁଥିଲା । ଅନୁମତି ମାଗିଲା ବେଳେ ବାପା ଯଦି ଥଙ୍ଗଥଙ୍ଗ ହୋଇ କହନ୍ତି, ‘ହଉ ଯାଅ’, ତାହା ହେଲେ ସର୍ବେଶ୍ୱର କି ତାଙ୍କ ଭାଇମାନେ ଆଉ ସିନେମାଟି ଦେଖିବାକୁ ଯାଆନ୍ତି ନାହିଁ । ହେଲେ ସିନେମା ଦେଖି ଦେଖି ସେମାନେ ଅନେକେ ବଙ୍ଗଳା ଓ ହିନ୍ଦୀ ଗୀତ ଜାଣିଯାଇ ଥାଆନ୍ତି ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

ପୁରୀ ଜିଲ୍ଲା ସ୍କୁଲ ୧୯୩୫-୧୯୪୦


ପୁରୀସ୍ଥ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଟିତ୍ର (ୱିକିମିଡିଆ କମନ୍ସ୍)
ଏହି କୋଠାଟିର ପ୍ରାଚୀନତମ ଅଂଶଟିରେ ପୁରୀ ଜିଲ୍ଲା ସ୍କୁଲ ସ୍ଥାନିତ ଥିଲା


ଭବିଷ୍ୟତର ଖ୍ୟାତାନାମା, ଛାତ୍ରବତ୍ସଳ ଇଂରାଜୀ ପ୍ରାଧ୍ୟାପକ ସର୍ବେଶ୍ୱର ଦାଶଙ୍କ ବାପାଙ୍କର ପୁରୀ ସହରକୁ ବଦଳି ହୁଏ ୧୯୩୫ ମସିହାରେ । ଟ୍ରେଜେରି ଅଫିସର ଭାବରେ । ବାଳକ ସର୍ବେଶ୍ୱରଙ୍କର ପ୍ରାଥମିକ ଶିକ୍ଷା ସେତେବେଳକୁ ସରିଥାଏ । ସେ ନିଜର ଭାଇମାନଙ୍କ ସହ ନାମ ଲେଖାନ୍ତି ପୁରୀ ଜିଲ୍ଲା ସ୍କୁଲରେ । ଏବର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କୋଠାରେ ସେତେବେଳେ ଜିଲ୍ଲା ସ୍କୁଲ ଚାଲୁଥାଏ । ତାଙ୍କର ସେତେବେଳେ ସପ୍ତମ ଶ୍ରେଣୀ । ସେବେ ଜିଲ୍ଲା ସ୍କୁଲରେ ପ୍ରଧାନଶିକ୍ଷକ ଥିଲେ ଶ୍ରୀ ଜଗନ୍ନାଥ ତ୍ରିପାଠୀ । ତାଙ୍କର ଥିଓସଫିରେ ଆଗ୍ରହ ଥିଲା । ସେ ଥିଲେ ସର୍ବେଶ୍ୱରଙ୍କ ବାପାଙ୍କର ବନ୍ଧୁ । ବେଳେବେଳେ ଘରକୁ ଆସନ୍ତି । ଘରେ ଆଧ୍ୟାତ୍ମ ଆଲୋଚନାର ଆସର ବସେ ।

ସେତେବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମରେ ଶିକ୍ଷାର ବ୍ୟବସ୍ଥା ଥାଏ । ଅଷ୍ଟମ ଶ୍ରେଣୀ ପରଠାରୁ କେବଳ ଓଡ଼ିଆ ଛଡ଼ା ବାକି ସବୁ ବିଷୟର ପରୀକ୍ଷା ଇଂରାଜୀରେ ଦେଇ ହୁଏ । ସ୍କୁଲରେ ଥାଏ ଦୁଇଟି ସେକ୍ସନ । ‘ଏ’ ସେକ୍ସନ ପିଲା ଇଂରାଜୀରେ ମାଟ୍ରିକ ପରୀକ୍ଷା ଦିଅନ୍ତି । ଓଡ଼ିଆରେ ପରୀକ୍ଷା ଦେବାକୁ ଇଚ୍ଛୁକ ପିଲାଏ ‘ବି’ ସେକ୍ସନରେ ଭର୍ତ୍ତି ହୁଅନ୍ତି । ପ୍ରାୟତଃ ଛାତ୍ର ଥିଲେ ‘ଏ’ ସେକ୍ସନରେ । ଇଂରାଜୀ ପଢ଼ାରେ ସର୍ବେଶ୍ୱରଙ୍କର ଆବାଲ୍ୟ ବିଶେଷ ଆଗ୍ରହ ଥିବାରୁ ସେ ନାମ ଲେଖାନ୍ତି ‘ଏ’ ସେକ୍ସନରେ । ଓଡ଼ିଶା ସେତେବେଳକୁ ସ୍ୱତନ୍ତ୍ର ପ୍ରଦେଶ ହୋଇଯାଇ ଥିଲେ ମଧ୍ୟ, ମାଟ୍ରିକ ପରୀକ୍ଷା ଆଦିର ଭାର ଥାଏ ପାଟନା ବିଶ୍ୱବିଦ୍ୟାଳୟ ଉପରେ । କାରଣ ସେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟମାନେ ମାଟ୍ରିକ ପରୀକ୍ଷାର ଆୟୋଜନ କରୁ ଥାଆନ୍ତି । ଆଉ ଓଡ଼ିଶାରେ ସେ ପର୍ଯ୍ୟନ୍ତ କୌଣସି ବିଶ୍ୱବିଦ୍ୟାଳୟ ଖୋଲି ନ ଥାଏ ।

ଜିଲ୍ଲା ସ୍କୁଲରେ ସର୍ବେଶ୍ୱର ଛାତ୍ର ଥିଲା ବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୁଏ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଜନ ହବାକଙ୍କର ପ୍ରଥମ ଦରବାର ଆୟୋଜିତ ହୁଏ ପୁରା ଜିଲ୍ଲା ସ୍କୁଲ ହଲ୍‌ରେ । ସାଙ୍ଗମାନଙ୍କ ସହ ସେ ଯାଇ ହଲଟିର ଏହି ଉପଲକ୍ଷେ ଅଦ୍ଭୁତପୂର୍ବ ସାଜସଜ୍ଜା ଦେଖି ଆସନ୍ତି । ପାଖାପାଖି ସେଇ ସମୟରେ ନିର୍ବାଚନୀ ପ୍ରଚାର ପାଇଁ ନେହେରୁ ପୁରୀ ଆସିଥାଆନ୍ତି । ପରିଧାନ, ଖଦଡ଼ ପଞ୍ଜାବୀ ଉପରେ ଗୋଟିଏ ‘ଜହର ଜ୍ୟାକେଟ’ । ତଳେ ଖଦଡ଼ ପାଇଜାମା; ଆଣ୍ଠୁ ପାଖରୁ ପାଦ ଯାଏଁ ଚିପା । ପାଦରେ ଥାଏ କାବୁଲି ଚପଲ । ଦୂରରେ ଠିଆ ହୋଇଥିବାରୁ ତାଙ୍କ ଭାଷଣ ସର୍ବେଶ୍ୱରଙ୍କୁ ଶୁଣାଗଲା ନାହିଁ । ହେଲେ ସାନ୍ନିଧ୍ୟର ପ୍ରଭାବ ନିଶ୍ଚୟ ପଡ଼ିଲା । ସେହିପରି ନବମ କି ଦଶମ ଶ୍ରେଣୀରେ ପଢ଼ିଲା ବେଳକୁ ପୁରୀକୁ ଆସିଥିବା କଙ୍ଗ୍ରେସ ନେତ୍ରୀ ସରୋଜିନୀ ନାଇଡ଼ୁଙ୍କର ଭାଷଣ ଶୁଣିଲେ । ତାଙ୍କର ମାନପତ୍ରଟି ମଧ୍ୟ ସଭାରେ ପଢ଼ିଲେ ।

୧୯୩୭ ମସିହାର ଜାନୁଆରୀ ମାସର ନିର୍ବାଚନ ପରେ କଙ୍ଗ୍ରେସ ଓଡ଼ିଶାରେ କ୍ଷମତା ଗ୍ରହଣ କରିବାରେ ଦୋଦୋପାଞ୍ଚ ହେବାରୁ କିଛି ଦିନ ପାଇଁ ଗୋଟିଏ ରୀତିମତ ରାଜନୈତିକ ନାଟକ ଚାଲିଲା । ଏହା ବାଳକ ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ସେ ନୂଆ ସମ୍ବିଧାନ ବିଷୟକ ଇଂରାଜୀ ବହିଠିଏ ପଢ଼ିଲେ । ତାହା ସହ ସେ ଇଂରାଜୀ ସମ୍ବାଦପତ୍ର ତଥା ଓଡ଼ିଆ ‘ସମାଜ’ ପୃଷ୍ଠାରୁ ରାଜନୈତିକ ଗତିବିଧିଗୁଡ଼ିକୁ ସଚେତନତାର ସହ ଲକ୍ଷ୍ୟ କରିବାକୁ ଲାଗିଲେ । ୧୯୩୮ ମସିହାରେ ପୁରୀର ଡେଲାଙ୍ଗ ପାଖର ବେରବୋଇ ଗ୍ରାମରେ ଗାନ୍ଧୀ ସେବା ସଙ୍ଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଲା । ସେଥିରେ ଯୋଗ ଦେଇ ସର୍ବେଶ୍ୱରଙ୍କର ରାଜନୈତିକ ଚେତନା ଶାଣିତ ହେଲା । ଏହା ଛଡ଼ା ଗାନ୍ଧୀଜିଙ୍କର ଦର୍ଶନର ସୌଭାଗ୍ୟ ମଧ୍ୟ ମିଳିଲା । ଗାନ୍ଧୀଙ୍କ ଆଦର୍ଶ ତଥା ସମାଜବାଦୀ ବିଚାର ପ୍ରତି ସର୍ବେଶ୍ୱରଙ୍କର ଶ୍ରଦ୍ଧା ବଢ଼ୁଥାଏ । ଇଆଡ଼େ ରାମକୃଷ୍ଣ, ବିବେକାନନ୍ଦ ତଥା ଶିବାନନ୍ଦଙ୍କର ଆଧ୍ୟାତ୍ମିକ ଆହ୍ନାନଗୁଡ଼ିକ ପ୍ରତି ବି ଉନ୍ମୁଖତା ପ୍ରସ୍ଫୁଟିତ ହେଉଥାଏ ।

୧୯୩୫ର ନୂଆ ସମ୍ବିଧାନ ଅନୁସାରେ ଶାସନ ଆରମ୍ଭ ହେବା ପରେ ସ୍କୁଲଗୁଡ଼ିକରେ ହିନ୍ଦୀଶିକ୍ଷାର ପ୍ରଚଳନ ଆରମ୍ଭ ହେଲା । ହେଲେ ଏହି ବିଷୟରେ ପରୀକ୍ଷା ଆଦି ବାଧ୍ୟତାମୂଳକ ନ ଥିଲା । ନିରକ୍ଷରତା ଦୂରେଇବା ପାଇଁ ଏକ ଆନ୍ଦୋଳନ ସରକାରୀ ଭାବରେ ଆୟୋଜିତ ହେଲା । ବିଦ୍ୟାଳୟର ଛାତ୍ରମାନଙ୍କୁ ଏଥିରେ ନିୟୋଜିତ କରାଗଲା । ସ୍କୁଲରେ ସେ ସମୟରେ ହେଉଥାଏ ସାପ୍ତାହିକ ଆଲୋଚନା ସଭା । ତାହା ଛଡ଼ା ଗୋଟିଏ ସାପ୍ତାହିକ ସାହିତ୍ୟ ସଭାର ମଧ୍ୟ ଆୟୋଜନ ହୁଏ, ଯେଉଁଥିରେ ଛାତ୍ରମାନେ ନିଜର ଗଳ୍ପ, ପ୍ରବନ୍ଧ ତଥା କବିତା ଇତ୍ୟାଦି ପଢ଼ନ୍ତି ।

ଏହି ସମୟରେ ପୁରୀ ଜିଲ୍ଲା ସ୍କୁଲରେ କ୍ଷିତୀଶ ଚନ୍ଦ୍ର ଦେ ଇଂରାଜୀ ଓ ଭୂଗୋଳ ପଢ଼ାଉଥିଲେ । ଡଡଲି ଷ୍ଟାମ୍ପଙ୍କର ‘ଦି ୱର୍ଲ୍ଡ’ ଥିଲା ଭୂଗୋଳ ପାଠ୍ୟ ପୁସ୍ତକ । ଏଥିରେ କିଛି କିଛି ପ୍ରମାଦ ବି ଥିଲା । ଯେପରିକି ଲେଖାଥିଲା ଯେ, ଓଡ଼ିଶା, ଓଡ଼ିଶା-ବିହାର ପ୍ରଦେଶର ଏକ ଜିଲ୍ଲା । ହେଲେ କ୍ଷିତୀଶ ବାବୁ ପିଲାଙ୍କୁ ଭୂଗୋଳରେ ଆଗ୍ରହୀ କରିବା ପାଇଁ ‘ନ୍ୟାଶନାଲ ଜିଓଗ୍ରାଫିକ’ ପତ୍ରିକା ଆଣି ତାଙ୍କୁ କ୍ଲାସରେ ଦିଅନ୍ତି, ଯେପରି ଭୂଗୋଳ ପାଠରେ ଆଗ୍ରହ ଜନ୍ମିବ । ସେବେ ଧର୍ମ ଶିକ୍ଷା ପାଇଁ ପିରିଅଡ଼ଟିଏ ବି ଥାଏ । ତାକୁ ନିଅନ୍ତି ସ୍ଲୁଲର ପଣ୍ଡିତେ । ଇତିହାସ ପଢ଼ାଉ ଥାଆନ୍ତି ପ୍ରଥମ ଓଡ଼ିଆ ଉପନ୍ୟାସକାର ଉମେଶ ସରକାରଙ୍କର ପୁଅ ଅପୂର୍ବ ସରକାର । ସେ ଇଂଲଣ୍ଡର ଇତିହାସ ପଢ଼ାନ୍ତି । ଘରେ ସର୍ବେଶ୍ୱର ଏହି କ୍ଲାସ ପାଇଁ ପଢ଼ନ୍ତି ଥମାସ ଫ୍ରେଡ଼ିରିକ ଟାଉଟଙ୍କର ‘ବ୍ରିଟିଶ ହିଷ୍ଟ୍ରି’ । ଭାରତ ଇତିହାସ ପାଇଁ ପାଠ୍ୟପୁସ୍ତକ ଥାଏ, ସୁରେନ୍ଦ୍ରନାଥ ସେନ ଏବଂ ହେମଚନ୍ଦ୍ର ରାୟଚୌଧୁରୀଙ୍କ ଦ୍ୱାରା ରଚିତ ‘ଗ୍ରାଉଣ୍ଡୱର୍କ ଅଫ ଇଣ୍ଡିଆନ ହିଷ୍ଟ୍ରି’ । ସେହି ସମୟରେ କିଛି ଦିନ ପାଇଁ ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ପୁରୀ ଜିଲ୍ଲା ସ୍କୁଲର ଶିକ୍ଷକ ହୋଇ ଆସିଲେ ।

ସର୍ବେଶ୍ୱର ବାବୁଙ୍କ ବାପା ପିଲାମାନଙ୍କ ଶିକ୍ଷା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥାଆନ୍ତି । ସେ ନିଜେ ସଂସ୍କୃତ ଶିକ୍ଷାର ଦାୟିତ୍ୱ ନେଇ ଥାଆନ୍ତି । ଶୋଇଲା ପୂର୍ବରୁ ରାତିରେ ପିଲାମାନଙ୍କୁ ମୌଖିକ ଭାବରେ ପାଞ୍ଚୋଟି ପାଞ୍ଚୋଟି ଲେଖାଏଁ ଓଡ଼ିଆ ବାକ୍ୟକୁ ସଂସ୍କୃତ ଓ ଇଂରାଜୀକୁ ଅନୁବାଦ କରିବାକୁ ପଡ଼େ । ଘରେ ଟିଉସନ ମାଷ୍ଟର ଖଞ୍ଜା ଥାଆନ୍ତି । ଏକାଦଶ ଶ୍ରେଣୀ ଶେଷରେ ସେବେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଥାଏ । ସର୍ବେଶ୍ୱର ବାବୁ ୧୯୩୯ ମସିହାର ଜୁନ ମାସ, ଅର୍ଥାତ୍, ଏକାଦଶ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ବେଳକୁ ପୂରା ମାଟ୍ରିକ ପରୀକ୍ଷାର ପାଠ ପଢ଼ି ସାରି ଥାଆନ୍ତି । ଦିନକୁ ତେର ଚଉଦ ଘଣ୍ଟା ପଢ଼ାପଢ଼ି କରି ଟେଷ୍ଟ ପରୀକ୍ଷା ଫଳ ବେଶ୍ ଭଲ ହେଲା । ସେ ପ୍ରଥମ ହେଲେ । ୧୯୪୦ ମସିହାର ଫେବ୍ରୁଆରୀ ମାସରେ ପରୀକ୍ଷା ହୋଇ ଦୁଇ ମାସ ପରେ ଅପ୍ରେଲରେ ଫଳ ବାହାରିଲା । ସର୍ବେଶ୍ୱର ଓଡ଼ିଶାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଲେ ଓ ମାସିକ କୋଡ଼ିଏ ଟଙ୍କିଆ ଡିଭିଜନାଲ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେଲେ । ତାହା ପରେ ତାଙ୍କର କଲେଜ ପଢ଼ା ଆରମ୍ଭ ହୁଏ । ସେ ଆଉ ଏକ ଜୀବନ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।