Friday, May 01, 2020

ଭୁଲି ନାହିଁ

ମନମୋହନ ମିଶ୍ର


ମାନ୍ଦ୍ରାଜର ମାରିନା ସମୁଦ୍ର କୂଳ ଠାରେ ଥିବା ସ୍ଥାପତ୍ୟ 'ଶ୍ରମର ବିଜୟ'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଭୁଲି ନାହିଁ, ଭୁଲି ନାହିଁ,
ଜନମ ମାଟି ମୋ ଭୁଲି ନାହିଁ ।
ଛତର ଭାତରେ ଅମୃତ ମଣୋହି
ଭୁଞ୍ଜେ ମୋର ଦେଶ ଭାଇ ।
ଗଛମୂଳେ ଥାପି ରାଜ ସିଂହାସନ
ବିକଳେ ରହେ ଅନାଇ ।
ଭୁଲି ନାହିଁ, ଜନମ ମାଟି ମୋ ଭୁଲି ନାହିଁ ।

କଂସ ରାଜୁତି ଆଜି
ଏବେ ଯାଇ ନାହିଁ ଭାଜି ।
ନୟନେ ଲୋତକେ ଦେବକି ମାଆ ମୋ
ଶାଙ୍କୋଳି ବସେ ମାଜି ।
ମୁକତି ଆସି ନାହିଁ,
ଭୁଲି ନାହିଁ, ଜନମ ମାଟି ମୋ ଭୁଲି ନାହିଁ ।

କେତେ ସୀତା ସତୀ କାଚ କାଢ଼ି ବସେ ।
କୁସୁମ କୋମଳ ଶିଶୁ ଝଡ଼ି ଖସେ ।
ବାଡ଼ି ବଢ଼ି ବୁଡ଼ି ତୋ ଅଙ୍ଗ ପରଶେ
ଶୀତଳ ମରଣ ଛାଇ ।
କୁଲୁର ସାଥୀରେ ମଣିଷ ଯୁଝଇ
ଅଇଁଠା ପତର ପାଇଁ ।

ଭୁଲି ନାହିଁ, ଭୁଲି ନାହିଁ, 
ଜନମ ମାଟି ମୋ ଭୁଲି ନାହିଁ ।

ବି.ଦ୍ର. -  ଏହି ଗୀତଟି ରବି ଦାଶ ସମ୍ପାଦନା କରିଥିବା 'ମନମୋହନ ମିଶ୍ର ଗ୍ରନ୍ଥାବଳୀ'ର ପ୍ରଥମ ଭାଗରୁ ନିଆଯାଇଛି । ବହିଟି ତାରପୁର (ଜଗତସିଂହପୁର ଜିଲ୍ଲା)ଠାରେ ସ୍ଥିତ ପ୍ରକାଶନ ସଂସ୍ଥା ବିଦ୍ୟାରତ୍ନ ପ୍ରକାଶନ ୨୦୦୬ ମସିହାରେ ଛାପିଥିଲେ ।