Friday, June 30, 2017

ଚିଲିକାର ବିଭବ - ୫


ଦୁର୍ଗାଚରଣ ପଣ୍ଡା



ଚିଲିକାର ୧୯୫୮ ମସିହାର ମାନଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୪ ଲୁଣମରା 


ଇଂରାଜୀ ଅଧିକାରର ବହୁ ଆଗରୁ ଚିଲିକା ମଧ୍ୟସ୍ଥ ଦ୍ୱୀପ ପୁଞ୍ଜରେ ଭାରତର ଅତି ଉତ୍କୃଷ୍ଟ ଲୁଣ ଆଦାୟ ହେଉଥିଲା । ଏକ ସମୟରେ ଗୋଟିଏ ବର୍ଷରେ ପ୍ରାୟ ଦୁଇଲକ୍ଷ୍ୟ ମହଣ ଲୁଣ ତିଆରି ହେବାର ଜଣାଯାଏ, ଏଇ ଲୁଣ ଯୋଗୁଁ ଚିଲିକାରେ ଭଲ ବୋଇତ ବାଣିଜ୍ୟ ମଧ୍ୟ ଚାଲୁ ହେଉଥିଲା କିନ୍ତୁ ଇଂରାଜୀ ମାନଙ୍କ ନିଷ୍ଠୁର ନୀତି ଯୋଗୁଁ ଏଇ ବ୍ୟବସାୟ ବନ୍ଦ ହେବାରୁ ଏଠାଲୋକେ ଭୋକ ଓପାସେ ଦିନ କାଟନ୍ତି !

ଏବେ କେତେବର୍ଷ ହେଲା ଏ ବ୍ୟବସାୟର ପୁନରୁଦ୍ଧାର କରାଯାଇଛି । କିନ୍ତୁ ଏକ୍ଷଣି ମାନ୍ଦ୍ରାଜ ଅଞ୍ଚଳରୁ ଅତି ଶସ୍ତାଲୁଣ ଆସି ଓଡ଼ିଶା ବଜାରରେ ବିକ୍ରୀ ହେଉଥିବାରୁ ଆମର ଏଠା ଦେଶୀଲୁଣର ଆଦର ଓଡ଼ିଶାରେ ନାଇଁ ! ସେଥିପାଇଁ ଏଠା ବ୍ୟବସାୟ ମଧ୍ୟ ମୁଣ୍ଡ ଟେକିପାରୁନି !

୫ ଶିପ, ଶାମୁକା ଓ ଚୁନଗୋଡ଼ି 


ଚିଲିକାର ଦ୍ୱୀପପୁଞ୍ଜ ଗୁଡ଼ିକରେ ବହୁସ୍ଥାନରୁ ଭୂଗର୍ଭରୁ ଶିପ ଓ ଶାମୁକା ପ୍ରଚୁର ପରିମାଣରେ ମିଳେ । ବହୁକାଳ ପୂର୍ବେ ଚିଲିକା ବଙ୍ଗୋପସାଗର ସଙ୍ଗେ ସମ୍ପୂର୍ଣ୍ଣରୂପେ ମିଶିଥିବାରୁ ଏବଂ କାଳକ୍ରମେ ଚିଲିକା ଓ ସମୁଦ୍ର ମଧ୍ୟରେ ଏକ ବାଲିବନ୍ତ ସୃଷ୍ଟି ହେବାରୁ ଏଠା ଦ୍ୱୀପଗୁଡ଼ିକ ମୁଣ୍ଡ ଟେକିପାରିଥିଲା ।  ଏଇ ପୋତା ସ୍ଥାନଗୁଡ଼ିକରେ ଭୂଗର୍ଭରେ ସ୍ତର ସ୍ତର ହୋଇ ଶିପ ଓ ଶାମୁକା ପୋତି ହୋଇ ରହିଛି । ଏଗୁଡ଼ିକୁ ଖୋଳି କାଢ଼ି ଚୁନପାଇଁ ପୋଡ଼ିବା ବ୍ୟବସାୟ କେତେକ ଲୋକ କରନ୍ତି । ସ୍ଥାନୀୟ ଜମୀଦାର ମାନେ ଏ ସ୍ଥାନଗୁଡ଼ିକୁ ପଟ୍ଟାଦେଇ ବାର୍ଷିକ କିଛି ଟଙ୍କା ପାନ୍ତି --- ଏବଂ ଯେଉଁମାନେ ପଟ୍ଟାକରି ନିଅନ୍ତି ସେମାନେ ଏଇ ଶିପ ଓ ଶାମୁକାକୁ ଼଼ଡଙ୍ଗାରେ ରପ୍ତାନୀ କରି ଲାଭବାନ ହୁଅନ୍ତି । 

ଚିଲିକା ମଧ୍ୟସ୍ଥ ପାହାଡ଼ିଆ ଅଞ୍ଚଳରେ ବିଶେଷତଃ, ଜଟିଆ ଓ ଦୀପ ଆଡ଼ିଆ ପାହାଡ଼ ଗୁଡ଼ିକରୁ ଚୁନ ଗୋଡ଼ି ମଧ୍ୟ ମିଳେ । ଏ ଗୋଡ଼ି ଆଣି କେତେକ ବ୍ୟବସାୟୀ ଚୁନ ତିଆରି କରି ଲାଭବାନ୍ ହୁଅନ୍ତି । ଏ ଅଞ୍ଚଳର ଚୁନ ପୁରୀ, କଟକ ଓ ବ୍ରହ୍ମପୁର ଯାଏ ରପ୍ତାନୀ ହୁଏ ।

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

ମହିମା ଭକ୍ତି କବିତା - 'କଳିଯୁଗେ ମହିମା ନାମ'

ସନ୍ଥ କବି - ଭୀମ ଭୋଇ


ଟ୍ୟୁନିସିଆ ଦେଶର କାଇରୁଆନ ନଗରର ଉକବା ମସଜିଦର ଦ୍ୱାର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଳିଯୁଗେ ମହିମା ନାମ ହେଲା ଉତ୍ପତ୍ତି

ଭଜ ଗୁରୁପାଦ ନୁହଁ ଅପ୍ରୀତି । ଘୋଷା ।
ବ୍ରହ୍ମରୂପେ ରହିଛି ଘୋଟି
ଚିଠିପତ୍ର ଦେଉଛି କାଟି
ସେ ନିତି ପ୍ରତି, ଚନ୍ଦ୍ର ସୂର୍ଯ୍ୟ ବେନି ଯା ବଚନ ମାନି
ଫେରୁଛନ୍ତି ଯାର ଆଜ୍ଞା ନ ମେଣ୍ଟି ।୧।

ଠାବେ ଠାବେ ସମ୍ପଦ କୋଟି
ଅଧିକାରୀ ଅଛନ୍ତି ଖଟି
ସେ ଛନ୍ତି ଆକୋଟି, କଟୁମ୍ବ ଜଞ୍ଜାଳ କେବେ ନୁହେଁ ଭଲ
ଚିନ୍ତାରେ ମୋ ମନ ହେଉଛି ଘାଣ୍ଟି ।୨।

ନ ବସିଲେ ବୈଷ୍ଣବ କତି
ଅର୍ଜିବାରେ ନିରତେ ମାତି
ସେ ଦିବସ ରାତି, ପର ଧନେ ବଡ ହେବେ ପାପୀ ମୂଢ
ନ ଜାଣିଲେ ଆତ୍ମା ଉଦ୍ଧାର ଗତି ।୩।

ମାୟା ମୋହେ ମଜ୍ଜିବେ ନିତି
କରୁଥିବେ ଅଜ୍ଞାନେ ପ୍ରୀତି
ସେ ଧର୍ମ ନ ଚିନ୍ତି, ଭବାର୍ଣ୍ଣବେ ପଡି ନିଜ ପଥ ହୁଡି
କେହି ନ ରଖିବେ କାହାର ଜାତି ।୪।

ହୃଦପଦ୍ମେ ନ ଥିବ ଭୀତି
ବଳାଇବେ ମନ ପ୍ରକୃତି
ସେ ପରେ ପୀରତି, ସର୍ବେ ଏକାକାର ହୋଇଯିବେ ନର
ଏବେ ଗୁରୁ ନାମ ଧର ହୋ ଚେତି ।୫।

ନ ପାଇଣ ଜ୍ଞାନର ଗତି
ଯେଉଁ ପାଦ ମୋକ୍ଷ ମୁକତି
ସେ ହୃଦେ ନ ଚିନ୍ତି, କହେ ଭୀମଭୋଇ ହେଉଛନ୍ତି ବାଇ
ବିଷ୍ଣୁକୁଟ ମାୟା ଧନ୍ଦାରେ ମାତି ।୬।

Thursday, June 29, 2017

ଚିଲିକାର ବିଭବ - ୪


ଦୁର୍ଗାଚରଣ ପଣ୍ଡା


ବାଲୁଗାଁଠାରେ ଚିଲିକାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୩ ଚିଲିକାରେ ଜଳଜୀବ


ବର୍ଷା ଆରମ୍ଭ ଓ ଶୀତ ଶେଷ - ଅର୍ଥାତ୍ ପ୍ରତିବର୍ଷର ଆଷାଢ଼ ମାସଠାରୁ ମାଘ ଶେଷ ପର୍ଯ୍ୟନ୍ତ ଚିଲିକାରେ ଯେତେ ଜାତି ଓ ବର୍ଣ୍ଣର ପକ୍ଷୀ ଦେଖାଯାନ୍ତି ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ସେପରି ଦେଖିବାକୁ ମିଳେ କି ନାହିଁ ସନ୍ଦେହ । ବିଶେଷତଃ, ମାର୍ଗଶୀର ଓ ମାଘମାସ ମଧ୍ୟରେ ଏଗୁଡ଼ିକର ସ‌ଂଖ୍ୟା ଗଣନାତୀତ ହୁଏ । ଠିକ ଏହି ସମୟରେ ବହୁସଙ୍ଖ୍ୟକ ଶିକାରୀ ଭାରତର ବିଭିନ୍ନ ସ୍ଥାନରୁ ଆସି ଏଇ ନିରୀହ ପକ୍ଷୀଗୁଡିକୁ ବନ୍ଦୁକ ଚୋଟରେ ମାରିଖାନ୍ତି !

ପ୍ରାୟ ୧୫୦ ଶ୍ରେଣୀର ମାଛ ଚିଲିକା ପ୍ରାଣୀରେ ରହନ୍ତି, ସାଧାରଣ ଚିଙ୍ଗୁଡ଼ି, ଇଲିସୀ, ଓ ପାତୁଆ ଠାରୁ ଆରମ୍ଭ କରି ଅତିବଡ଼ ଖଙ୍ଗା, ଭେକେଟା, ଭୁଆଷୁଣୀ ଓ ମଗର ମଧ୍ୟ ଏଠାରେ ଦେଖାଯାନ୍ତି ।  ଗୋଟିଏ ଗୋଟିଏ ଭେକେଟା ଶଗଡ଼ରେ ବୁହାହୁଅନ୍ତି । ଭୁଆଷୁଣୀ ଓ ମଗର ମାଛ ଗୁଡ଼ିକ ଗୋଟିଏ ଗୋଟିଏ ମନୁଷ୍ୟକୁ ଗିଳିବାଭଳି ଦେଖାଯାନ୍ତି । ସାଙ୍କୁଚ, ଚିଲ୍ଲି ଓ କାଉନ୍ଦା ପ୍ରଭୃତି ବିଷାକ୍ତ ଜୀବ ମଧ୍ୟ ଚିଲିକାରେ ଦେଖାଯାନ୍ତି । ଏଗୁଡ଼ିକ କ୍ଷତ କଲେ ଲୋକମାନେ ବିଶେଷ ଯନ୍ତ୍ରଣା ଭୋଗନ୍ତି ।

କେବଳ ମାଛଧରି ନିଜର ଜୀବନ ବଞ୍ଚାଉଥିବା ପ୍ରାୟ ୧୦ ହଜାର ମତ୍ସ୍ୟଜୀବି ଜାତି ଚିକିଲା ମଧ୍ୟସ୍ଥ ଦ୍ୱୀପପୁଞ୍ଜରେ ଏବଂ ଏହାର ଚତୁର୍ଦିଗସ୍ତ କୂଳ ଗ୍ରାମ ଗୁଡ଼ିକରେ ବାସ କରନ୍ତି । ପ୍ରତିଦିନ, ନିଶାରାତିରେ ଏବଂ ବଡ଼ିଭୋର କିମ୍ବା ମଧ୍ୟାହ୍ନ ସମୟରେ ଗହୀର ଚିଲିକାରୁ ମାଛ ଧରି ଆଣି ତାକୁ ବିକ୍ରି କରି ସେଇ କଞ୍ଚା ପଇସାରେ ନିଜର ପେଟ ପୋଷିବାହିିଁ ଏଠା ମତ୍ସ୍ୟଜୀବିଙ୍କର ପ୍ରଧାନ ବ୍ୟବସାୟ । ପ୍ରତିବର୍ଷ ସମଗ୍ର ଚିଲିକାରୁ ପ୍ରାୟ ତିନି ଲକ୍ଷ ଟଙ୍କାର ମାଛ ଧରାଯାଏ । ଏଥିରୁ ଅଧିକାଂଶ ମାଛ ରେଳରେ କଲିକତାକୁ ରପ୍ତାନୀ ହୁଏ । ଯେଉଁମାନେ ଏଠା ମାଛ ରପ୍ତାନୀ କରନ୍ତି, ସେଥିରୁ ଅଧିକାଂଶ ମହାଜନ ବିଦେଶୀ ଅଟନ୍ତି । ଏହି ବିଦେଶୀମାନେ ମତ୍ସଦିଆଙ୍କୁ ଆଗତୁରା ଟଙ୍କା ଦେଇ ଅଳ୍ପ ମୂଲ୍ୟରେ ମାଛ ନିଅନ୍ତି ଏବଂ କଲିକତାରେ ବହୁ ମୂଲ୍ୟରେ ବିକ୍ରି କରି ଲାଭବାନ ହୁଅନ୍ତି ! ଗତ କୋଡ଼ିଏ ବର୍ଷ ମଧ୍ୟରେ ଅନେକ ମହାଜନ ଲକ୍ଷାଧିକ ଟଙ୍କା ଏ ପ୍ରଣାଳୀରେ ସଞ୍ଚୟ କରିଛନ୍ତି । କିନ୍ତୁ ଯେଉଁ ଗରିବ ମଳିମୁଣ୍ଡିଆ ମାଛଧରା ହାଡ଼ଭଙ୍ଗା ପରିଶ୍ରମ କରେ ତାର ଘର ଛପର ନହେଇ ପଡ଼ିଛି । ତା ଦେହ ଘୋଡାଇବାକୁ କନା ନାଇଁ କି ପେଟ ପୁରିବାକୁ ଦାନାମିଳୁନି ! ଏଇ ଗରିବଙ୍କ ଦୁରବସ୍ଥା ଦୂର କରିବା ଦିଗରେ କୌଣସି ମହାଜନ କେବେ ଚିନ୍ତିତ ଥିବାର ଦେଖାଯାନ୍ତି ନାଇଁ, ଏହାକି କମ୍ ଚିନ୍ତାର ବିଷୟ ? [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

ମହିମା ଭକ୍ତି କବିତା - 'ଧୂନି ଘରେ ରାଧିକା ବିଳାସ ଗୋ'


ସନ୍ଥ କବି ଭୀମ ଭୋଇ


ଦକ୍ଷିଣ ଭାରତର ନାମଦ୍ରୋଲିଙ୍ଗ ମଠର ଦୁଆର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧୂନି ଘରେ ରାଧିକା ବିଳାସ ଗୋ,
କରିବେ ଭଗତେ ଖେଡରସ ଗୋ,
ଦେଖି ଚାଲ ଯିବା ହୋଇ ବେଶ ଗୋ । ଘୋଷା ।

ମଦନ ମୋହନ ହରି ଲାବଣ୍ୟ ମୂରତି ଧରି
ଭଜ ଯାଇ ପାଶ ଗୋ, ଜନ୍ମ ମୃତ୍ୟୁ ନାଶ
ସକଳେ ବେଢିବା ଆସ ଚାରିଦ୍ୱାରେ ଦଶଦିଶ
କାହିଁ ଯିବେ ପ୍ରଭୁ ପୀତବାସ ଗୋ ।୧।

ମୋହନ ମଦନ ବଂଶୀ ଜୀବନେ ଘେନି ଯାଉଛି
ଋତୁ ମଧୁ ମାସ ଗୋ, ଫୁଟିଅଛି ପୁଷ୍ପ
ମୋହର ମନକୁ ଏହା ବିଚାର ଦୁଶୁଛି ଯାହା
ପିଉଥାନ୍ତି ସୁଧା ମଧୁରସ ଗୋ ।୨।

ଦୁଃଖୀର ଦୁଃଖୀ ଜୀବନ ଏ ମୋର ଗଳା ରତନ
ଭାବ ଭୋଳେ ବଶ୍ୟ ଗୋ, ଅଭାବେ ଅଦୃଶ୍ୟ
ଅନାହତ ଧୂନି ମଧ୍ୟେ ବିଜୟେ ଅନାମ ଭେଦେ
ଧରି ରୂପ ବର୍ଣ୍ଣ ପରକାଶ ଗୋ ।୩।

ଆସି ପାହିଲାଣି ଦିନ ପିଣ୍ଡ ପ୍ରାଣ ଦିଅ ଦାନ
ବୁଝୁଅଛ କିସ ଗୋ, ତେଜ ଗୃହ ବାସ
କେହି ନ କରୁଛ ସତ, ଏହି ଗୋ ଯଶୋଦା ସୁତ
ସାକ୍ଷୀଛନ୍ତି ଧରିତ୍ରୀ ଆକାଶ ଗୋ ।୪।

ନବୀନ ନଟନାଗର ଗୋପ ଯୁବତୀଙ୍କ ବର
ନବରଙ୍ଗେ ବେଶ ଗୋ, କରିବେ ରାହାସ
ସାତଦିନ ସାତରାତି ଢାଳିବେ ଚାମର ଛତ୍ରି
ଚାହିଁଲେ ଖଣ୍ଡିବ ପାପ ଦୋଷ ଗୋ ।୫।

ହୋଇବ ଅବଶ୍ୟ ଦେଖ ଜାଣିବେ ଜଗତ ଯାକ
ବଟମୂଳେ ଦୃଶ୍ୟ ଗୋ, କାଳିନ୍ଦୀ ପାରୁଶ
ଥାଅରେ ମୋ ପିଣ୍ଡେ ଜୀବ ଦେଖିବ ପ୍ରଭୁଙ୍କ ଭାବ
ଭଣିଲେ ଭଗତ ଭୀମ ଦାସ ଗୋ ।୬।

Wednesday, June 28, 2017

ଚାଷୀ ଭାଇର ଉପୂରି ଦି’ ପଇସା


ଗୋପୀନାଥ ମହାନ୍ତି 


ନଅରର ମହିଳାମାନେ ରେଶମ ଆହରଣ କରିବାର ଦୃଶ୍ୟ
କଳାକାର ସଙ୍ଗ ବଂଶର ଚୈନୀକ ସମ୍ରାଟ ହୁଇଜଙ୍ଗ୍ (୧୦୮୨-୧୯୩୫)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପରି ବାବୁମାଷ୍ଟରେ ଓ ପିଲାଏ ନିଜ ହାତରେ ‘କୋଡ଼ି’ ଧରି ସ୍କୁଲ ଘରର ଛୋଟ ହତାଟିକୁ ନନ୍ଦନ-କାନନ ପରି ଭଲ ଭଲ ଗଛରେ ପୂର୍ଣ୍ଣ କରି ଦେଲେ । ଅନ୍ୟ ଲୋକଙ୍କର ଏହା ଦେଖା ଦେଖି ଝୁଙ୍କ ଲାଗିଗଲା । ଚାରିଆଡେ଼ ଲୋକେ ନାନାପ୍ରକାର ଫଳ ଲଗାଇବାକୁ ଅଣ୍ଟା ଭିଡ଼ି ଲାଗି ପଡ଼ିଲେ । ଗାଁ ଲୋକେ ଲେଖା ଲେଖି କରି ଫାରମରୁ ଚାଷବିଦ୍ୟା ଶିଖାଇବାକୁ ମଣିଷ ମଗାଇ ଆଣିଲେ । ଘମା ଘୋଟ କାମ ଚାଲିଲା ।

ଘରେ ଘରେ ଲୋକଙ୍କୁ ବୁଝାଇ ଶୁଝାଇ ଅରଟ ଚଳାଇବାକୁ କୁହାଗଲା । ପରି ବାବୁ ଲୋକଙ୍କୁ ବୁଝାଇ ଦେଲେ, “ଆମ ଗାଁରେ ଲୁଗା କିଣା ହେବ ନାହିଁ । ସମସ୍ତେ ସୂତା କାଟଫୁରସତ ବେଳେ ସୂତା କାଟି ଜମାଇ ରଖି ସେଥିରେ ଲୁଗା ବୁଣାଇ ଆଣିବା ।”

ଲୋକେ ଲାଗିପଡ଼ି ସୂତା କାଟିଲେ । ଯାହାର ଯେତେବେଳେ କିଛି କାମ ନ ଥାଏସେ ସେତେବେଳେ ଅରଟ ଧରି ବସେ । ସେପରି କଲାରୁ ଲୋକଙ୍କୁ ଲୁଗା ପାଇଁ ଆଉ ବେଶୀ ପଇସା ଦେବାକୁ ପଡ଼ିଲା ନାହିଁ ।

ତା ପରେ ଝୁଙ୍କ ପଡ଼ିଲା ଏଣ୍ଡିଚାଷ ଉପରେ । ପ୍ରଥମେ ଏଣ୍ଡିପୋକର ଅଣ୍ଡାକୁ ଆଣି କନା ପୁଡ଼ିଆରେ ରଖାହୁଏ । ଶୀତଦିନେ ଅଣ୍ଡା ଏଗାରରୁ ଏକୋଇଶ ଦିନରେ ଫୂଟେଅନ୍ୟାନ୍ୟ ଦିନେ ସାତ ଦିନରେ ଫୁଟେ । ଅଣ୍ଡା ଫୁଟିଲେ କିଛି କଅଁଳିଆ ଗବପତ୍ର କନା ଭିତରେ ପକାଇଦେଲେ ପୋକମାନେ ତହିଁରେ ଚଢ଼ି ଯାଆନ୍ତି । ତା ପରେ ପତ୍ରଗୁଡ଼ିକୁ ବହଳଭାବେ ଗୋଟିଏ ଡ଼ାଲାରେ ରଖାହୁଏ । ସବୁଦିନେ ନୂଆ ପତ୍ର ଖାଇବାକୁ ଦେଇ ଡ଼ାଲାକୁ ସଫା କରାହୁଏକିନ୍ତୁ ତୃତୀୟପଞ୍ଚମଅଷ୍ଟମ ଓ ଏକାଦଶ ଦିନରେ ପୋକମାନେ ମଲା ପରି ପଡ଼ି ରହନ୍ତିକିଛି ଖାଆନ୍ତି ନାହିଁତେଣୁ ସେ ଦିନ ଡ଼ାଲା ସଫା ହୁଏ ନାହିଁ । ଜନ୍ମ ଦିନଠାରୁ ଅଠର ଦିନରେ ପୋକମାନେ ପାକଳ ହୁଅନ୍ତି । ସେତେବେଳେ ଏମାନଙ୍କ ପିଠିରେ ଅଙ୍ଗୁଳି ଚଳାଇଲେ ଗୋଟିଏ ଶବ୍ଦ ବାହାରେ ।

ଟୋକେଇରେ ପ୍ରସ୍ତ ପ୍ରସ୍ତ ଆମ୍ବପତ୍ର ଦେଇ ପୋକମାନଙ୍କୁ ତହିଁରେ ରଖି ଉପର ଢ଼ାଙ୍କି ଦିଆଯାଏ । ସନ୍ଧ୍ୟା ପରେ ସେମାନେ ମୁହଁରୁ ସୂତା ବାହାର କରି ଗୋଟିଏ ଆବରଣ ବୁଣିବାରେ ଲାଗି ପଡ଼ନ୍ତି । ଏହିପରି ଚାରି ପାଞ୍ଚଦିନ ଚାଲିଯାଏ । ଶୀତଦିନେ ଆଠ ଦିନ ପରେ ଓ ଅନ୍ୟ ଦିନେ ପାଞ୍ଚଦିନ ପରେ ଆମ୍ବ ପତ୍ରରୁ ଛଡ଼ାଇ ନେଇ କୋଷାଗୁଡ଼ିକୁ ଡ଼ାଲାରେ ସଜାଇ ରଖନ୍ତି । ଶୀତଦିନେ ୪୦ ଦିନେ ଓ ଅନ୍ୟ ଦିନରେ ୧୮ ଦିନେ କୋଷା କଣା କରି ପ୍ରଜାପତି ବାହାରନ୍ତି ।

କୋଷାକୁ ସିଝାଇ ମଲା ପୋକମାନଙ୍କୁ ଫୋପାଡ଼ି ଦିଆଯାଏ । କୋଷା ସିଝିଲେ ତହିଁରୁ ସୂତା ବାହାରେସେହି ସୂତା ରେଶମ ସୂତା । ପିମ୍ପୂଡ଼ି, ଜନ୍ଦାମୂଷାଝିଟିପିଟିକାଉ---ଏମାନେ ଏଣ୍ଡିପୋକର ଶତ୍ରୁ । ତେଣୁ ସେମାନଙ୍କଠାରୁ ନିସ୍ତାର ପାଇବା ପାଇଁ ଘରର ଗୋଟିଏ କୋଣରେ ତଳେ ଜଳଯନ୍ତ୍ର କରି ବା କିରାସିନି କନା ଗୁଡ଼ାଇ ଏମାନଙ୍କୁ ରଖନ୍ତି ।

ବି.ଦ୍ର. - ଏହି ଲେଖାଟି ଶ୍ରୀ ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଉଦ୍ଧୃତ ।

ମହିମା ଭକ୍ତି କବିତା - 'ଧରିଥା ଯୁଗ ଶେଷ ଯାଏ'



ସନ୍ଥ କବି ଭୀମ ଭୋଇ


ଆନ୍ଧ୍ରପ୍ରଦେଶର ରିଆଲିଠାରେ ଏକ ଚୌଲଟ୍ରିର ଦ୍ୱାରଦେଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧରିଥା ଯୁଗ ଶେଷ ଯାଏ
କଳି କ୍ଷୟ ହେବ ସତ୍ୟ ହେଲାଣି ଉଦୟେ । ଘୋଷା ।

ସଂସାର ସାଗର ଜଳ ବହୁଅଛି ଅନର୍ଗଳ
ମାରୁଛି ଲହରି ଠେଲି କରାଉଛି ଭୟେ ।
ଛନ୍ଦ ମନ୍ଦେ ନ ବିହର ଗୁରୁ ପାଦପଦ୍ମ ଧର ନାମ ବ୍ରହ୍ମଲୟେ ।୧।

ଏକୁ ଏକେ ଛନ୍ତି ଗାଢ ଅଜ୍ଞାନ ପାମର ମୂଢ
ପ୍ରତିଜ୍ଞା କରନ୍ତି ବଡ ଜମ୍ବୁଦ୍ୱୀପାମହେ ।
ନିଜ ଦେବତା ନ ପୂଜି ମୂର୍ତ୍ତିକା ପାଷାଣ ଭଜି ପଡିଛନ୍ତି ମୋହେ ।୨।

ଏ ଜଗତ ଜନ ଯେତେ କହୁଛନ୍ତି ନାନା ମତେ
ମନେ ନ ଘେନିବ ଚିତ୍ତେ ରଚନା ବିଷୟେ ।
ନିନ୍ଦୁଛନ୍ତି ଧର୍ମ ବାଟ ନିଶ୍ଚୟେ ସରିବ ହାଟ ପାପେ ଯିବ କ୍ଷୟେ ।୩।

କଳି ସତ୍ୟ ଧର୍ମ ଆଜି ଦୋହେଁ ଲାଗିଛନ୍ତି ବାଦୀ
ସାକ୍ଷୀ ଅଛନ୍ତି ଅନାଦି ଯୁଦ୍ଧ ଅପ୍ରମୟେ ।
କଳିକି ଜିଣିଲେ ସତ୍ୟ କାଳକୁ ପାଇବ ସୁସ୍ଥ ହେବ ସ୍ଥିତି ଥୟେ ।୪।

ପାଇ ଆସୁଛି ଦିବସ ଯେ ପ୍ରଭୁଙ୍କ ଦାସୀ ଦାସ
ସର୍ବ କରିଥାଅ ଆଶ ରଖ ମନ ଥୟେ ।
ଯାର ଯେତିକି କାମନା ଆତ୍ମାଭକ୍ତିର ଭାବନା ଲଭିବ ନିଶ୍ଚୟେ ।୫।

ଶୁଭ ଅନୁକୂଳ ଯୋଗେ ରଣକ୍ଷେତ୍ର ମଧ୍ୟଭାଗେ
ଘେନି ଭକ୍ତ ଗଣ ପ୍ରଭୁ କରିବେ ବିଜୟେ ।
ସେ ଦିବସେ କଳିଯୁଗ ସତ୍ୟ ପାଦେ ଲୀନ ହେବ ଭୀମଭୋଇ କହେ ।୬।

Tuesday, June 27, 2017

ମହିମା ଭକ୍ତି କବିତା - 'ତ୍ରିଗୁଣ ରହିଅଛି ଜଡ଼ି'


କବି - ଭୀମ ଭୋଇ


ଫ୍ଲରେନ୍ସ୍ ନଗରୀରେ ସ୍ଥିତ ବ୍ୟାପ୍ଟିଷ୍ଟ୍ରିର ସିଂହ ଦ୍ୱାର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତ୍ରିଗୁଣ ରହିଅଛି ଜଡି
ଦେହ ଧରିଅଛି ଯେତେ କାହାକୁ ନ ଛାଡି । ଘୋଷା ।

ପିତା ମାତା ଯୁକ୍ତ କାଳୁ ପଦ୍ମରେ ପଡିଲା ବେଳୁ
କାଳିନ୍ଦୀ ହ୍ରଦ ମଣ୍ଡଳ ରଜବୀର୍ଯ୍ୟ ବୁଡି ।
ସର୍ଜନା ହୋଇଛି ପିଣ୍ଡ ଲାଗି ରଜବୀର୍ଯ୍ୟ ମଣ୍ଡ ପ୍ରକୃତିରେ ଗଢି ।୧।

ଧର୍ମ ତରାଜୁରେ ତୁଳି ଅଷ୍ଟାଙ୍ଗ ଶର ଶାଙ୍କୋଳି
ଲଗାଇଛି ବତାକୁଲି ଖଞ୍ଜିଅଛି ଧାଡି ।
ଅନୁମାନ ସୂତ୍ର ଧରି ଯହିଁକି ଯେମନ୍ତ କରି ଯତନରେ ଭିଡି ।୨।

ଅସ୍ଥିଟି ପ୍ରଥମ ଗୁଣ ରୁଧିର ଦ୍ୱିତୀୟ ଗୁଣ
ମାଂସ ସବୁ ତିନି ଗୁଣ ଆସି ଅଛି ବଢି ।
ଜଳ ପବନରେ ଦେହ ଅଗ୍ନିପାକରେ ସମୟ ଏ ଜୀବକୁ ବେଢି ।୩।

ଏହା ପଞ୍ଚଭୂତ ମନ ପଚିଶ ପ୍ରକୃତି ଗୁଣ
ରେତ ରସ ପ୍ରେମ ମାନ ମାରୁଛି ଲହଡି ।
ଘନରେ ବିଦ୍ୟୁ ଝଲକ ଚକ୍ଷୁ ବର୍ଚ୍ଛନା ମଟକ ଫେରୁଛି ବାହୁଡି ।୪।

ଛପନା କୋଟିରେ ବ୍ୟାପି ଅଣାକାର ଆତ୍ମାରୂପୀ
ସର୍ବଘଟେ ପରିପୂର୍ଣ୍ଣ ରହିଅଛି ମାଡି ।
ଏବେ ଗୁରୁ ସେବା କର ଆତ୍ମାଭକ୍ତିରେ ବିହର କ୍ରିୟା କର୍ମ ଏଡି ।୫।

ଭଣେ ଭୀମ ଅରକ୍ଷିତ ପିଣ୍ଡ ବ୍ରହ୍ମାଣ୍ଡେ ଏକାନ୍ତ
ଶରୀରାର୍ଥ ଆତଯାତ ପଦେ ପଦେ ଯୋଡି ।
ପ୍ରଳୟ କାଳକୁ ପାପ ଅଙ୍ଗରେ କରିବ ଭୋଗ ମାଡି ଆସେ ବଢି ।୬।

ଗାଁର ଚାଷ


ଗୋପୀନାଥ ମହାନ୍ତି 


କୋବି ଅମଳର ଦୃଶ୍ୟ
ପଞ୍ଚଦଶ ଶତାବ୍ଦୀର ସ୍ୱାସ୍ଥ୍ୟ ଶାସ୍ତ୍ର 'ଟାକୁଇନମ୍ ସାନିଟାଟିସ୍'ରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଗ୍ରାମ ସଙ୍ଗଠନ କାମ ଘମାଘୋଟ ଚାଲିଲା । ପଦାରୁ ଫାରମରୁ ଲୋକ ଆସି ଚାଷବାସ ବିଷୟରେ ଅନେକ କଥା ଶିଖାଇ ଦେଇଗଲେ । ସବୁଠାରୁ ବଡ଼ କଥା ହେଉଛିକେଉଁ ଫସଲ ପରେ କେଉଁ ଫସଲ ଲଗାଇଲେ ଫସଲ ଭଲ ହେବଜମି ପଡ଼ିଆ ପଡ଼ିବ ନାହିଁଅଥଚ ଜମି ଉର୍ବର ହେବ । ଏ କଥା ସେମାନଙ୍କୁ ଖୁବ୍ ଭଲକରି ବୁଝାଇ ଦିଆହେଲା । ସେହି ଅନୁସାରେ ଚାଷ କାର୍ଯ୍ୟ ଚାଲିଲା ।

ଡ଼ିହ ଜମି :- ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ପର୍ଯ୍ୟନ୍ତ ନଳିତାବିଆଳି ଧାନମାଣ୍ଡିଆକୋଳଥ କିମ୍ବା ମକା । ଭାଦ୍ରବ ଶେଷରୁ ମାର୍ଗଶିର ଅଧା ବିରି । କାର୍ତ୍ତିକଠାରୁ ଫାଲଗୁନ ଅଧ ପର୍ଯ୍ୟନ୍ତୁ ବିଲାତି ଆଳୁ ବା ଶୀତଦିନିଆ ପନିପରିବା,ଫାଲଗୁନ ଅଧରୁ ବୈଶାଖ ଶେଷ ପର୍ଯ୍ୟନ୍ତ ଖରାଦିନିଆ ପିଆଜ । ନୋହିଲେ ଜ୍ୟେଷ୍ଠ ଶେଷରୁ କାର୍ତ୍ତିକ ଅଧ ଚିନାବାଦାମ ।

ଲଘୁଧାନ ଜମିରେ ଜ୍ୟେଷ‌୍ଠରୁ କାର୍ତ୍ତିକ ଶେଷ ଲଘୁଧାନକାର୍ତ୍ତିକ ମାର୍ଗଶିର ମାସରେ ଆଖୁ ହୁଏ ।

ଖାଲ ଜମି :- ଖାଲ ଜମିରେ ଜ୍ୟେଷ୍ଠ ଅଧରୁ ଭାଦ୍ରବ ଅଧ ନଳିତାଭାଦ୍ରବ ଅଧରୁ ପୌଷ ଶେଷ ଧାନମାଘ ଅଧରୁ ବୈଶାଖ ଶେଷ ମୁଗ କରନ୍ତି ।

ପ୍ରଥମ କଥା ହେଉଛିସାର ଓ ଖତ କଥା । ସମସ୍ତେ ଗୁହାଳ ପାଖେ ଗୋଟିଏ ଖାତ କରନ୍ତିଗୁହାଳରୁ ନାଳି କାଟି ଦିଅନ୍ତିଯେପରି ଗୋରୁ ମୂତ ପ୍ରଭୃତି ଯାହା କିଛି ସବୁ ଗଡ଼ିଯାଇ ଗାତ ଭିତରେ ପଡ଼ିବ । ଏଣେ ଘର ଓଳେଇ ଅଳିଆ,ଗୋବର ସବୁ ପକାଇ ଦିଅନ୍ତି ସେ ଗୋବର ଖାତରେ । ତା ଉପରେ ଗୋଟାଏ ଘୋଡ଼ଣି ଘୋଡ଼ାଇ ଦିଆଯାଏ । ଏହିପରି ଗୋବର ସବୁ ଜମାଇ ଏକାଠି ବହୁତ ଦିନ ସଢ଼ିଗଲେ ସେଠୁ ଉଠାଇ ନେଇ ଜମିରେ ପକାଇ ଦଅନ୍ତି ।

ଫାରମ୍ ଲୋକଙ୍କ ଶିକ୍ଷାରେ ଅନେକ ନୂଆ ନୂଆ ଉପକାରୀ ସାର ବ୍ୟବହାର କରାଗଲାଯାହାର ଗୁଣ ଗୋବର ଖତ ପରି । ଜମିରେ ଫସଲ ହେବାର ଏକମାସ ପୂର୍ବରୁ ସେଠି ଧଣ୍ଡିଚା ବା ଛଣପଟ ବୁଣି ଗଛ ଦେଢ଼ଫୁଟ ଉଚ୍ଚ ହୋଇଗଲେ ତାକୁ ଲଙ୍ଗଳ ଓ ମଇ ଦେଇ ଜମିରେ ସଢ଼ାଇଦିଅନ୍ତି । ଧାନ ରୋଇବା ପାଇଁ ବୈଶଖ ଜ୍ୟେଷ୍ଠରେ ଧଣ୍ଡିଚା ବୁଣି ଏକ ମାସ ପରେ ତାକୁ ଚଷି ସଢ଼ାଇଦିଅନ୍ତି । ସାତ ଆଠ ଦିନ ପାଣିରେ ସଢ଼ିଗଲେ ହଳ ଓ ମଇ ଦେଇ ଧାନ ରୁଆ ହୁଏ ।

ଯେଉଁ ଜମିରେ ସାର କମିଯାଇଥାଏସେଠି ଚିନାବାଦାମମୁଗବରଗୁଡ଼ି ଚାଷ କରନ୍ତି । କାରଣ ତାହା ଦ୍ୱାରା ଜମିର ଉର୍ବରା ଶକ୍ତି ବଢେ଼ ।

ଫାର୍ମ ଲୋକେ ଘର ଘର କରି ବୁଝାଇଲେଅଳିଆକୁ ଫୋପାଡ଼ି ଦିଅ ନାହିଁ । କାରଣ ଅଳିଆ ଅତି ସୁନ୍ଦର ସାର । ପ୍ରତ୍ୟେକ ଗୃହସ୍ଥ ଦଶ ହାତ ଲମ୍ବାପାଞ୍ଚହାତ ଚୌଡ଼ାଦୁଇହାତ ଗଭୀର ଗାତ ଖୋଳି ରଖନ୍ତି । ତହିଁରେ ଘାସଅଳିଆ,ପଚାପତ୍ରନଡ଼ା ପ୍ରଭୃତି ଯାହା କିଛି ସବୁ ପ୍ରତିଦିନ ପକାଇଦିଅନ୍ତି । ଦୁଇ ତିନି ଫୁଟ ଉଚ୍ଚ ହେଲେ ତାକୁ ଚୌରସ କରି ଦେଇ ତା ଉପରେ ଗୋରୁମୂତ ଓ ଗୋବର ପାଣି ଛିଞ୍ଚି ଦିଅନ୍ତି । ପୁଣି ଅଳିଆ ଜମା ହୁଏ । ତିନି ଚାରି ମାସ ରହି ସଢ଼ିଲା ପରେ ସେ ଖତକୁ ଆଖୁଆଳୁ ଚାଷ ପ୍ରଭୃତିରେ ଦିଅନ୍ତି ।

ଗାଁରେ ପନିପରିବା ପୂର୍ଣ ହୋଇଗଲା । ଯେ ଯେଉଁଠି ବାରିସବୁ ପଡ଼ିଆ ପକାଇ ରଖିଥିଲେସମସ୍ତେ ନୂଆ ଉତ୍ସାହରେ ଲାଗି ପଡ଼ିଲେ ।

ବାଲିଆ ଅଥଚ ଉର୍ବରା ମାଟି ଓ ପୋଖରୀ ହୁଡ଼ା ଦେଖି କଦଳୀ ଗଛମାନ ପଡ଼ିଗଲା । କାର୍ତିକ ଓ ଜ୍ୟେଷ୍ଠ ମାସରେ ସାତହାତ ଛାଡ଼ି ହାତେ ଗହୀର ଗାତ ସବୁ ଖୋଳା ହୁଏ । ତହିଁରେ ପାଉଁଶଖତରା ମାଟି ଓ ଚଷୁ ପ୍ରଭୃତି ଦେଇ କଦଳୀପୁଆ ପକାନ୍ତି । ଗଛ ବଡ଼ ହୋଇଗଲେ ତଳେ ବେଶୀ ପୁଆ ରଖାଇ ଦିଅନ୍ତି ନାହିଁ ।

ପୂର୍ବେ ଏ ଗାଁରେ କୋବି କୋବି ଚାଷ ପ୍ରାୟ ଦେଖା ନ ଥିଲାଅଥଚ କୋବିରୁ ବେଶୀ ଲାଭ ମିଳେ । ଏଥର ପ୍ରଚୁର କୋବି-ଚାଷ ଆରମ୍ଭ ହେଲା । ଶ୍ରାବଣ ଶେଷ ଓ ଭାଦ୍ରବଆଶ୍ୱିନ ମାସରେ ହାଣ୍ଡିମାନଙ୍କରେ ମାଟି ପୂରାଇ ତହିଁରେ ହୁଙ୍କାମାଟିଖତ ଓ ପିଡ଼ିଆ ମିଶାଇ ଦେଇ ମଞ୍ଜି ବୁଣନ୍ତି ଓ ତାହା ଉପରେ କିଛି ଗୁଣ୍ଡିମାଟି ଛିଞ୍ଚିଦେଇ ପାଣି ଛିଞ୍ଚନ୍ତି । ତିନି ଚାରି ଦିନ ପରେ ଅନ୍ୟ ସ୍ଥାନକୁ ତଳିଗୁଡ଼ିକୁ ଉଠାଇ ନିଅନ୍ତି । ତା ନ କଲେ ବର୍ଷାପାଣିରେ ଚାରା ନଷ୍ଟ ହୋଇଯିବ । ଯେତେ କାକର ପଡେ଼ଚାରା ସେତେ ବଢେ଼ । ଚାରା ମୂଳରେ ପିମ୍ପୁଡ଼ି ହେଲେ ପାଉଁଶ ପକାନ୍ତି । ମଞ୍ଜି ବୁଣିବାର ମାସେ ପରେ ଚାରାକୁ କ୍ଷେତକୁ ଉଠାଇ ଦିଅନ୍ତି । କ୍ଷେତରେ ଖତପିଡ଼ିଆ ଓ ସାର ଦିଆ ହୋଇଥାଏ । ଗଛ ବଡ଼ ହେଲେ ପିଡ଼ିଆଛେଳିଲଣ୍ଡି ଓ ପାରାଗୁହ ସଢ଼ାଇ କରି ଦିଅନ୍ତି । ଫୁଲ ଓ ବନ୍ଧାକୋବି ଦୁଇ ଦୁଇ ଫୁଟ ଦୂରରେ ଓ ଓଲକୋବି ଫୁଟେ ଲେଖାଁଏ ଦୂରରେ ଲଗାନ୍ତି । ରୋଇବା ପରେ ଅଳ୍ପ ଅଳ୍ପ ପାଣି ଦିଆହୁଏ । ରୋଇବା ପରଦିନଠାରୁ ଚେର ଧରିବା ପର୍ଯ୍ୟନ୍ତି ଚାରାକୁ ବଡ଼ ବଡ଼ ପତ୍ର ବା ଖରାରେ ଖରାବେଳେ ଢ଼ାଙ୍କିଦିଅନ୍ତି । ପାଣି ମଡ଼ାଇ କାର୍ତିକ ମାସରେ ପିଡ଼ିଆ ଦେଇସାରି ହୁଡ଼ା ଟେକିଦିଅନ୍ତି । ପ୍ରୟୋଜନ ଅନୂସାରେ ପାଣି ଦିଆଯାଏ । ଲଗାଇବା ଦିନଠାରୁ ତିନି ଚାରି ମାସରେ କୋବି ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଯାଏ ।

ଯେଉଁ ଫୁଲକୋବି ମଞ୍ଜି ରଖାଟାଏତାକୁ ଫୁଲ ଫୁଟିବାର କିଛିଦିନ ପୂର୍ବରୁ କ୍ଷେତରୁ ଓପାଡ଼ି ନେଇ ଭଲ ସାରମାଟି ଦେଇ ଅନ୍ୟ ସ୍ଥାନରେ ଲଗାଇଦିଅନ୍ତି । ତହିଁରୁ ଯେଉଁ ବିହନ ହୁଏତାହା ଭାରି ସତେଜ ।

ଗାଁରେ ଆହୁରି ଗୋଟିଏ ନୂଆ ଫସଲ ହେଲା । ତାହା ହେଉଛି ପୋଟଳ । ଫାରମରୁ ପୋଟଳ ଚେର ଅଣାହୋଇ ବଣ୍ଟାହେଲା । ଆଶ୍ୱିନକାର୍ତ୍ତିକ ମାସରେ ଚାରି ଚାରି ହାତ ଛାଡ଼ି ହାତେ ଓସାର ଓ ହାତେ ଗହୀର ଗାତରେ ଚାରି ପାଞ୍ଚଖଣ୍ଡ ପୁରୁଣା ଗଛର ସରୁ ଡ଼ଙ୍କ ପୋତି ମାଟି ଘୋଡ଼ାଇଦିଅନ୍ତି ଓ ଚେର ଉଷୁମ ପାଇବ ବୋଲି ଉପରେ କୁଟା ଢ଼ାଙ୍କି ଦିଅନ୍ତି । କୁଟା ଉପରେ ପାଣି ଢ଼ଳାଯାଏ । ପନ୍ଦର କୋଡ଼ିଏ ଦିନ ପରେ ଯେତେବେଳେ ଗଛ ବାହାରେସେତେବେଳେ କୁଟା କାଢ଼ିନିଅନ୍ତି ଓ ହୁଡ଼ା କରିଦିଅନ୍ତି । ପୋଟଳ ଭୁଇଁରେ ବି ମାଡେ଼ରଞ୍ଜାରେ ବି ଲଟାଏ । ତଳୂ ଯତ୍ନକରି ଘାସ ଓପାଡ଼ି କିଆରୀକୁ ସଫା ରଖନ୍ତି । ଡ଼ଙ୍କ ବହଳ ହେଲେ କଅଁଳ ଡ଼ାଳକୁ ଭାଙ୍ଗିଦେଇ ମୂଳ ନାଳକୁ ବଢ଼ିବାକୁ ଦିଅନ୍ତିନ ହେଲେ ଫଳ ଝଡ଼ିପଡ଼ିବ । ଚୈତ୍ର ମାସରେ ଫଳ ଫଳେ । ପୋଟଳ ଗଛ ତିନି ଚାରି ବର୍ଷ ପର୍ଯ୍ୟନ୍ତ ରହେ । ଏଥିରେ ଯାହା ଖର୍ଚ୍ଚ ହୁଏତାହାର ଚାରି ପାଞ୍ଚ ଗୁଣ ଲାଭ ହୁଏ । ଗାଁରେ ଯେଉଁଠି ଉର୍ବର ମାଟିସେଠି ପୋଟଳ ଚାଷ ହେଲା ।

ଅଙ୍ଗୁର ଡ଼ାଳ ପୋତିଲେ ଗଛ ହୁଏ । ଶୀତଦିନେ ନାଳକୁ କାଟି ଲଗାଯାଏଚେର ହେଲେ ବର୍ଷା ପୂର୍ବରୁ ଜମିରେ ଲଗାଯାଏ । ଭାଡ଼ି କରାଯାଏ । ଚୈତ୍ରଠାଣୁ ଆଷାଢ଼ ପର୍ଯ୍ୟନ୍ତ ଏହାର ଫଳ ମିଳେ । ମାର୍ଗଶିର ଓ ପୌଷମାସରେ ଅଙ୍ଗୁର ଗଛର ଚେର କାଟି କୋଡ଼ିଏ ଏକୋଇଶ ଦିନ ମୂଳକୁ ଖୋଲା ପକାନ୍ତି । ପରେ ଶୁଖୁଆସାର ପ୍ରଭୃତି ଦେଇ ଗାତକୁ ବନ୍ଦ କରିଦିଅନ୍ତି । ପ୍ରୟୋଜନ ଅନୁସାରେ ଡ଼ାଳ ଓ ଚେର ଛାଣ୍ଟି ଦିଆଯାଏ । ଗାଁରେ ଅନେକ ଅଙ୍ଗୁର ଗଛ ଲଗାହେଲା ।

ଛାଇତଳ ବାରିରେ ସପୁରି ଲଗାହେଲା । ଜ୍ୟେଷ୍ଠ ଆଷାଢ଼ ମାସରେ ପୁଆ ପୋତାହୁଏ । ମାର୍ଗଶିର ମାସରେ ଗଛ ମୂଳ କୋଳି ସଢ଼ା ଗୋବର ଦିଆଯାଏ । ଫଳ ଉପରେ ଥିବା ପୁଆ ଅପେକ୍ଷା ଗଛମୂଳରେ ଥିବା ପୁଆ ବେଶୀ ଲଗାହେଲା । କାରଣ ତହିଁରେ ଶୀଘ୍ର ଫଳ ଫଳେ ।

କେହି କେହି ଡ଼ାଳିମ୍ବ ବଗିଚା କଲେ । ଜମିରେ ଚୂନ ମିଶାଇ ଦିଅନ୍ତି ଓ ଗୋବରଖତପିଡ଼ିଆ ଦିଅନ୍ତି । ଗଛଗୁଡ଼ିକୁ ଛାଡ଼ି ଛାଡ଼ି ଲଗାଇଥାନ୍ତି ।

ଅନେକ ମିଠାଲେମ୍ବୁ ଳଗାଇଲେ । ଶୀଘ୍ର ଫଳିବ ବୋଲି ଗଛଗୋଟିକ ଟ୦.୧ ଠାରୁ ଟ ୦.୫ ପର୍ଯ୍ୟନ୍ତ ଦେଇ ଫାରମରୁ କଲମିଗଛ କିଣି ଆଣିଲେ । ଦୋରସା ମାଟିରେ ନିଗଡ଼ା ଭୂଇଁରେ ଲେମ୍ବୁ ଲାଗିଲା । ମାଟିରେ ଚୂନ ମିଶାହେଲା । ଦଶପନ୍ଦର ହାତ ଛାଡ଼ି ଛାଡ଼ି ଦୁଇ ହାତ ଚଉଡ଼ା ଦୁଇ ହାତ ଗହୀର ଗାତ ସବୁ ଖୋଳାହେଲା । ଗାତ ଭିତର ଘସି-ନିଆଁରେ ପୋଡ଼ା ହେଲା । କାରଣ ଏଥିରେ ଉଇରୁ ରକ୍ଷା ମିଳିପାରିବ । ପରେ ବାଲି ଓ ଖାରମାଟିପୁରୁଣା ଗୋବରଖତ ଓ ଛେଳିଲଣ୍ଡି ମିଶାଇ ମାଟି ପୂରାଇ ଦିଆହେଲା । ବର୍ଷା ପୂର୍ବରୁ ଗାତ ଖୋଳା ହୋଇ ରହିଥାଏ । ଯେପରି କି ତହିଁରେ ଥିବା ମାଟି ଦବିଯିବ । ତା ପରେ ଆଶ୍ୱିନ କାର୍ତ୍ତିକରେ ତହିଁରେ କଲମି-ଗଛ ଲଗା ହୁଏ । ବର୍ଷକ ପରେ ଗଛ ଚାରିପାଖ ଖୋଳି ସଢ଼ା ଗୋବରଖତ ଓ ଆମୋନିଆ ସାର ଦିଆ ହୁଏ । ପୁଣି ଦୁଇ ବର୍ଷରେ ଫସପେଟ୍ ସାରଶୁଖୁଆସାର ଓ ଗୋବରଖତ ଦିଆହୁଏ । ବର୍ଷାଦିନେ ପାଣି ଯିବା ପାଇଁ ମନ୍ଦାରୁ ନାଳି କଟା ହୁଏ ।

ଖରାଦିନେ ଗଛମୂଳ ଖୁସାଇ ପାଳ ବା ଶୁଖିଲା ପତ୍ର ବିଛାଇ ଦେଲେ ମାଟିରୁ ଶୀଘ୍ର ବତର ଚାଲିଯାଏ ନାହିଁ । ନାଗପୁର ଲେମ୍ବୁ ସାଧାରଣତଃ ବର୍ଷକେ ଦୁଇଥର ଫଳେଥରେ ମାଘ ଫାଲଗୁନରେ ଫୁଲ ଧରେପୁଣି ଥରେ ଜ୍ୟେଷ୍ଠ ଆଷାଢ଼ରେ । ମାଘ ଫାଲଗୁନର ଫୁଲରୁ ଯେଉଁ ଫଳ ହୁଏତାହା ଖରା ଲାଗି ଝଡ଼ି ପଡ଼ିବାର ଦେଖିଲେଗଛ ମୂଳରେ ଅଧିକ ପାଣି ଦିଆ ହୁଏ ଓ ପିଚକାରୀରେ ଉପରକୁ ପାଣି ଫୋପଡ଼ା ହୁଏ । ବର୍ଷା ସମୟରେ ଯେଉଁ ଫୁଲ ହୁଏ ତାର ଫଳ ମାଘଠାରୁ ଚୈତ୍ରମାସ ଭିତରେ ପାଚେ । ଏ ଫଳ ଅଧିକ ମିଠା ହୁଏ ।

ଚାଷର ଉନ୍ନତି ସଙ୍ଗେ ସଙ୍ଗେ ଗୋ-ଜାତିର ଉନ୍ନତି ଦିଗରେ ମଧ୍ୟ ଚେଷ୍ଟା ହେବାକୁ ଲାଗିଲା ।

ଗୋରୁର ଖାଦ୍ୟ ବଢ଼ାଇବା ପାଇଁ ଯତ୍ନ କରାହେଲା । ଫାରମରୁ ବଡ଼ ଘାସର ମଞ୍ଜି ଅଣାହୋଇ ଲଗା ହେଲା । 

ଏଥିପୂର୍ବରୁ ଲୋକଙ୍କର ଧାରଣା ନ ଥିଲା ଯେଘାସ ଚାଷ କରା ହୋଇପାରେ । ଖରାଦିନେ ଘାସ ଉଣା ହୋଇ ଗୋରୁଙ୍କର ବଡ଼ କଷ୍ଟ ହୁଏ । ତେଣୁ ଫାର୍ମ ଲୋକଙ୍କ ଶିକ୍ଷାରେ ପୂର୍ବରୁ ଘାସକୁ ଗାତରେ ଖଣି ପଖାଇ ଢ଼ାଙ୍କି ସାଇତି ରଖାହୁଏ । ତାହା ଛଡ଼ା ଗୋରୁମାନଙ୍କୁ ପ୍ରଚୁର ପରିମାଣରେ ଭୁଷିପିଡ଼ିଆକୋଳଥକୁଳୁଚି ଓ କପାମଞ୍ଜି ଦିଆହୁଏ । ଏହିପରି ସମସ୍ତେ ଗୋଜାତି ପ୍ରତି ଦୃଷ୍ଟି ଦେଲେ ।

ବି.ଦ୍ର. - ଏହି ଲେଖାଟି ଗୋପୀନାଥ ମହାନ୍ତି କୃତ 'ଭୌଗଳିକ କାହାଣୀ'ରୁ ଆହୃତ ।

Monday, June 26, 2017

ନବାନୁରାଗ

(ରାଗ - କଲ୍ୟାଣ)


କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ


ଜାପାନର କିଓଟୋଠାରେ ତୋଦାଜି ମନ୍ଦିରରେ କୃଷ୍ଣ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଦେଖିଲିଟି କୃଷ୍ଣକୁ ଗୋ, ଆଜ ମୁଁ ସଖି । (ଘୋଷା)

ମୋହନ ବଂ‌ଶୀଧାରୀ, ବ୍ରଜବିହାରୀ, ରାସ ରଙ୍ଗେ ନୃତ୍ୟକାରୀ,
ଯମୁନା ଘଟୁଆରୀ, ଲାଟ ଲବଣୀ ଚୋରୀ,
ଗୋପୀଙ୍କ ମନୋହାରୀ, ପୀତ ଦୁକୁଳିଆକୁ ।୧।

ନାସେ ସିନ୍ଧୁଫଳ ଶୋହେ, କାମକୁ ମୋହ ଘନେ ଶୁତ୍ର ଉଦୟେ
ହାର ପଦକ ଦେହେ, ମଣି କଙ୍କଣ ବାହେ,
ନୁପୂର ପଦ୍ମ ପାୟେ, ରତ୍ନ ମୁକୁଟିଆକୁ ।୨।

ସୁନ୍ଦରବର କାଳିଆ, ବନମାଳିଆ, କଦମ୍ବ ତରୁ ତଳିଆ,
ମକର କୁଣ୍ଡଳିଆ, ବଚ୍ଛା ପ୍ରତି ପାଳିଆ,
ସେବତୀ ଚୁଳିଆକୁ ।୩।

ଗୋକୁଳ ରାଜନନ୍ଦନ, ନାଗରୀ ପ୍ରାଣ, ଗୋପୀଙ୍କ ହୃଦଚନ୍ଦନ
କାଳବିଷଖଣ୍ଡନ, ବୃନ୍ଦାବନ ମଣ୍ଡନ,
ବ୍ରହ୍ମା ଗର୍ବ ଗଞ୍ଜନ, ଘନ ଶ୍ୟାମଳିଆକୁ ।୪।

ଦେଖିଲା ବେଳୁ ନୟନ, ଚନ୍ଦ୍ରବଦନ, ଯାହା ହୋଇଛି ମନ,
ଚିତ୍ତ ମୋ ଛନଛନ, ଉଠେ ତାଠାକୁ ମନ,
ଯୁବା ରାଜନନ୍ଦନ, ଧ୍ୟାୟେ ସେହି ରୂପକୁ ।୫।

Sunday, June 25, 2017

ପର୍ବତରେ ଧର୍ମୋପଦେଶ - ୧୭


ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


'ବାବିଲୋନର ବେଶ୍ୟା'
ମାର୍ଟିନ ଲୁଥର କୃତ ବାଇବେଲର ୧୫୩୪ ମସିହାର ଅନୁବାଦରୁ ଆହୃତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏଥି ଉତ୍ତାରେ ଯୀଶୁ ଘର ମଧ୍ୟରେ ଭୋଜନ କରିବାକୁ ବସିଅଛନ୍ତି, ଆଉ ଦେଖ, ଅନେକ କରସମ୍ପାଦକ ଓ ପାପିଷ୍ଠ ଲୋକ ଆସି ତାହାଙ୍କ ଓ ତାହାଙ୍କ ଶିଷ୍ୟମାନଙ୍କ ସଙ୍ଗରେ ବସିଲେ । ଫାରୁଶିମାନେ ତାହା ଦେଖି ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, ତୁମ୍ଭମାନଙ୍କର ଗୁରୁ କି ନିମନ୍ତେ କରସମ୍ପାଦକ ଓ ପାପୀବର୍ଗ ସହିତ ଭୋଜନ କରନ୍ତି ? ଯୀଶୁ ତାହା ଶୁଣି ସେମାନଙ୍କୁ ଉତ୍ତର କଲେ, ସୁସ୍ଥ ଲୋକର ବୈଦ୍ୟଠାରେ ପ୍ରୟୋଜନ ନାହିଁ,  ମାତ୍ର ଅସୁସ୍ଥ ଲୋକର ପ୍ରୟୋଜନ ଅଛି । ଏଣୁ "ବଳିଦାନରୁୁ ଆମ୍ଭେ ଦୟାକୁ ଭଲ ଜାଣୁ," ଏହି କଥାର ଅର୍ଥ ଯାଇ ଶିଖ । ଯେହେତୁ ଆମ୍ଭେ ଧାର୍ମିକ ଲୋକଙ୍କୁ ନୁହେଁ, ମାତ୍ର ପାପିମାନଙ୍କୁ ଡାକିବାକୁ ଆସିଅଛୁଁ ।

ସେ ସମୟରେ ୟୋହନଙ୍କର ଶିଷ୍ୟମାନେ ତାହାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ଓ ଫାରୁଶିମାନେ ଅନେକଥର ଉପବାସ କରିଥାଉଁ, ମାତ୍ର ତୁମ୍ଭର ଶିଷ୍ୟମାନେ ଉପବାସ କରନ୍ତି ନାହିଁ, ତାହାର କାରଣ କଣ ? ଯୀଶୁ ସେମାନଙ୍କୁ କହିଲେ, ଯେପର୍ଯ୍ୟନ୍ତ ବରଯାତ୍ରିମାନଙ୍କ ସଙ୍ଗରେ ବର ଥାନ୍ତି, ସେପର୍ଯ୍ୟନ୍ତ କି ସେମାନେ ବିଳାପ କରିପାରନ୍ତି ? ପୁଣି ଯେତେବେଳେ ସେମାନଙ୍କ ନିକଟକୁ ବର ନିଆଯିବେ, ଏପରି ସମୟ ଆସିବ; ସେତେବେଳେ ସେମାନେ ଉପବାସ କରିବେ । ପୁରାତନ ବସ୍ତ୍ରରେ କେହି ନୂତନ ବସ୍ତ୍ରର ତାଳୀ ଦିଏ ନାହିଁ, ଯେହେତୁ ସେହି ତାଳୀରେ ପୁରାତନ ବସ୍ତ୍ର ଛିଣ୍ଡି ଯାଏ, ପୁଣି ସେହି ଛିଦ୍ର ଅଧିକ ମନ୍ଦ ଦିଶେ । ଆଉ ପୁରାତନ କୁମ୍ପାରେ କେହି ନୂତନ ଦ୍ରାକ୍ଷାରସ ରଖେ ନାହିଁ; ଯେହେତୁ ତାହା କଲେ କୁମ୍ପା ଫାଟିଯାଇ ଦ୍ରାକ୍ଷାରସ ଗଳି ପଡ଼େ, ପୁଣି କୁମ୍ପାସବୁ ନଷ୍ଟ ହୁଏ; ମାତ୍ର ନୂଆ କୁମ୍ପାରେ ନୂଆ ଦ୍ରାକ୍ଷାରସ ରଖିଲେ ଦୁଇର ରକ୍ଷା ହୁଏ ।      

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, June 24, 2017

ମାର୍କସ୍ ଅରିଲସ୍


ବିଚାରମାଳା (ମେଡ଼ିଟେସନ୍ସ୍)  : ଦ୍ୱିତୀୟ କାଣ୍ଡ - ସପ୍ତମ ଓ ଅଷ୍ଟମ ଅଧ୍ୟାୟ


ଗ୍ରୀକ ଦାର୍ଶନିକ ଏପିକ୍ଟେଟସ (୫୦-୧୩୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସପ୍ତମ ଅଧ୍ୟାୟ



ତୁମେ ବାହାରର ଘଟଣାବଳୀ ଦ୍ୱାରା ବିଚଳିତ କି ? ତାହା ହେଲେ ନିଜେ କିଛି ସମୟ ଶାନ୍ତ ଜାଗାରେ ବିଶ୍ରାମ କର । ଏହା ଫଳରେ ତୁମେ ସତ୍ ଜ୍ଞାନ ପାଇବ ତଥା ନିଜର ବ୍ୟଗ୍ରତାକୁ କମାଇବାର ଉପାୟ ମଧ୍ୟ । ଆହୁରି ଏକ ପ୍ରମାଦ ବିରୁଦ୍ଧରେ ସଚେତ ରୁହ - ଅତ୍ୟଧିକ ବ୍ୟବସାୟରେ ନିଜକୁ ନିଯୁକ୍ତ ରଖି ହାଲିଆ ହେଉଥିବା ଲୋକଙ୍କର ମୂର୍ଖାମୀ;  ଯେଉଁମାନଙ୍କର ନିଜର ସମସ୍ତ ଉଦ୍ୟମ ଓ ଚିନ୍ତାକୁ କେନ୍ଦ୍ରିତ କରି ରଖିବା ପାଇଁ କୌଣସି ଲକ୍ଷ୍ୟ ବି ନଥାଏ । 

ଅଷ୍ଟମ ଅଧ୍ୟାୟ



ତୁମ୍ଭେ ସହଜରେ ଏପରି ଜଣେ ଲୋକଙ୍କର ଠିକଣା ପାଇବ ନାହିଁ, ଯେ କି ଅନ୍ୟମାନଙ୍କର ଆତ୍ମାର କାର୍ଯ୍ୟାବଳୀକୁ ନିରୀକ୍ଷଣ ନକରିପାରିଥିବାରୁ ଦୁଃଖପ୍ରାପ୍ତ ହୋଇଥିବେ । ମାତ୍ର ଯିଏ ନିଜର ଆତ୍ମା ଓ ଭାବନାର ଚଳନକୁ ଧ୍ୟାନ ସହକାରେ ଅବଲୋକନ କରନ୍ତି ନାହିଁ, ତାଙ୍କ ପାଇଁ ଦୁଃଖଭୋଗ ଅବ୍ୟଶମ୍ଭାବୀ ।    

Friday, June 23, 2017

ଓଡ଼ିଆ ସିନେମା ଗୀତ - 'ମୋ' ନାଁ ଟି ମୋ' ନାଁ ଟି'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=KwjVc1gaDqA








Thursday, June 22, 2017

ଓଡ଼ିଆ ବୈଷ୍ଣବ ପଦାବଳୀ - 'ମଲ୍ଲିମାଳ ଶ୍ୟାମକୁ ଦେବି'

(ରାଗ-ବେହାଗ, ତାଳ-ଯତ୍)  

ଉପଇନ୍ଦ୍ର ଭଞ୍ଜ


ଗାୟନ - ଶ୍ୟାମାମଣି ଦେବୀ


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=WjQ-ww4DnCU


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





Wednesday, June 21, 2017

ଚିଲିକାର ବିଭବ - ୩


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାରେ ଗାଈ ପାଣି ପିଉଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

୨ ବୋଇତ ବାଣିଜ୍ୟ -


ସାଧବ ଘର ସାତ ପୁଅ ବୋଇତ ବାଣିଜ୍ୟକରି ଯିବା କଥା ପିଲା ଦିନରୁ ଆଇ ମାଙ୍କଠାରୁ ଆମେମାନେ ଶୁଣିଥିଲୁ --- ଏଇ ବୋଇତ ବାଣିଜ୍ୟକରି ଆମଦେଶର ସାଧବମାନେ ସୁଦୂର ଜାଭା ଓ ମଳୟ  ପ୍ରଭୃତି ଦ୍ୱୀପପୁଞ୍ଜରେ ଦିନେ ବସତି ସ୍ଥାପନ କରିଥିବାର ଇତିହାସରୁ ଜଣାଯାଏ । ସେ କାଳରେ ଯେଉଁ 'ଅର୍ଣ୍ଣବପୋତ' ମାନ ବ୍ୟବହାର କରାଯାଉଥିଲା ତାହାର କୌଣସି ଚିହ୍ନ ଏଠାରେ ନାହିଁ ସତ, କିନ୍ତୁ ସେକାଳର ଗୋଟିଏ 'ବତୀଘର' ଏଇ ବାଲୁଗାଁ ନିକଟବର୍ତ୍ତୀ ଚିଲିକାକୂଳସ୍ଥ 'ଦୀପମୁଣ୍ଡିଆ' ପାହାଡ଼ ଉପରେ ଥିବାର ଚିହ୍ନ ରହିଛି । ଏକ ସମୟରେ ଚିଲିକାରେ ଅତିବଡ଼ ବୁଡ଼ାଜାହଜ ଓ ଶକ୍ତ ଲୁହାରେ ତିଆରି ହେବା ବୋଇତ ମଧ୍ୟ ବ୍ୟବହାର କରୁଥିବାର ପ୍ରମାଣ ମିଳେ, ଇଂରାଜୀମାନେ ଓଡ଼ିଶା ଅଧିକାର କରିବା ପରେ ମଧ୍ୟ କିଛିକାଳ ଯାଏ ଏଠା ଅଦିବାସୀ ଚିଲିକାରେ ବୋଇତ ବାଣିଜ୍ୟ ଚଳାଇଲେ । କେବଳ ଏହାର କୂଳଦେଇ ରେଳପଥ ତିଆରି ହେବାରୁ ଗଞ୍ଜାମ ଓ ପୁରୀ---କଟକ ଜିଲ୍ଲାର ବାଣିଜ୍ୟ ଜିନିଷ ରେଳରେ ବୋହି ଯାଉଛି ---ଫଳରେ ଚିଲିକାର ବୋଇତ ବାଣିଜ୍ୟ ଲୋପ ହୋଇଛି ! ଏବେସୁଦ୍ଧା ଚିଲିକାର ଏକାଧିକ ସ୍ଥାନରେ ଛୋଟ ଓ ବଡ଼ ନାହା, ଡଙ୍ଗା ପଢ଼ୋଉ ପ୍ରଭୃତି ତିଆରି ହୁଏ, ଏବଂ ରମ୍ଭାଠାରୁ, କେଶପୁର, ବାଲୁଗାଁ, କୌରି କାଳୁପଡ଼ା ଓ ଭୁଷଣ୍ଡପୁର ପ୍ରଭୃତି ସ୍ଥାନ ଗୁଡ଼ିକ ବୋଇତ ବାଣିଜ୍ୟର ପ୍ରଧାନ ପେଣ୍ଠ ହୋଇରହିଛି । ଏ ସବୁ ସ୍ଥାନରେ ଛୋଟ ଓ ବଡ ଡଙ୍ଗାରେ ଧାନ, କାଠ, ଚୂନ, ଶିପ, ବାଉଁଶ --- ୠତୁ ଅନୁସାରେ ---- ଲୁଣ ଓ ଶୁଖୁଆ ପ୍ରଭୃତି ବୁହାଯାଏ ।   ମାଛମାରି ଆଣିବା ପାଇଁ ପ୍ରତିଦିନ ଶତାଧିକ ଡଙ୍ଗା ଚିଲିକାରେ ଯା' ଆସ କରେ । ପ୍ରାୟ ପ୍ରତିଦିନ ଦର୍ଶକ ମାନେ ଚିଲିକାରେ ବୁଲିବା ପାଇଁ କିମ୍ବା ପକ୍ଷୀ ଶିକାର କରିବା ପାଇଁ ଡଙ୍ଗାଚଢ଼ି ବୁଲୁଥିବାର ଦେଖାଯାନ୍ତି ! ଏ ସବୁ ଦୃଶ୍ୟ ଦେଖିଲେ ଓଡ଼ିଆ 'ନାବିକମାନେ ଏ ପର୍ଯ୍ୟନ୍ତ ବୋଇତ ବାଣିଜ୍ୟ' କଥା ପାଶୋରି ନାହାନ୍ତି ବୋଲି ସ୍ପଷ୍ଟ କହିପାରୁ, କେବଳ ସୁବିଧା ପାଇଲେ ଏଇ ବାଣିଜ୍ୟ ଯେ ଅଧିକ ଉନ୍ନତି ଲାଭ କରିପାରେ ଏ ଆଶା ରହିଛି ।   [କ୍ରମଶଃ]

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।

Tuesday, June 20, 2017

ଚିଲିକାର ବିଭବ - ୨


ଡାକ୍ତର ଦୁର୍ଗାଚରଣ ପଣ୍ଡା


ଚିଲିକାରେ ଅଭ୍ୟାଗତ ଚଢ଼େଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

୧ ପ୍ରାକୃତିକ ସୌନ୍ଦର୍ଯ୍ୟ

କବି ଓ ଭାବୁକ ମାନଙ୍କ ପାଇଁ ଯେଉଁସବୁ ଉପାଦାନ ପ୍ରକୃତିରେ ମିଳିବା ଦରକାର ସେସବୁ ଚିଲିକାର ପ୍ରତ୍ୟେକ ସ୍ଥାନରୁ ମିଳିଥାଏ । ଏଥିପାଇଁ ଲେଖକରମାତ୍ରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୁଅନ୍ତି । ବାସ୍ତବରେ କହିବାକୁ ହେବଯେ, ଓଡ଼ିଶାର ଯେଉଁ ଭାବୁକ ବା ଲେଖକ ଚିଲିକାର  ଏ ସୌନ୍ଦର୍ଯ୍ୟ ଦେଖି ନାହାନ୍ତି,  ତାହାଙ୍କ ଜୀବନରେ ଗୋଟିଏ ପ୍ରଧାନ ଅଭାବ ଚିଲିକା ଦେଖିବା ରହିଛି ବୋଲି ସ୍ପଷ୍ଟ କହିପାରୁଁ । ଇଟାଲିର 'ଭେନୀସ୍' ସହର ସମ୍ବନ୍ଧରେ ଇଂରାଜୀରେ ଲେଖାଅଛି । "ସି ଭେନୀସ୍ ଆଣ୍ଡ୍ ଡାଏ" ['ଭେନୀସ୍ ଦେଖି ମରିଯାଅ'] ଏ ଦୃଷ୍ଟିରେ ଆମକୁ କହିବାକୁ ହେବ - ଯେଉଁମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଇଚ୍ଛା କରନ୍ତି - ସେମାନେ ଜୀବନରେ ଥରେହେଲେ ଚିଲିକା ଦେଖନ୍ତୁ ।  ନଚେତ ସେମାନଙ୍କର ଏ ଅଭାବଟି ଅପୂର୍ଣ୍ଣ ରହିବ ମାତ୍ର । 

ସୌନ୍ଦର୍ଯ୍ୟ ବର୍ଣ୍ଣନା ନେଇ କବିବର ରାଝାନାଥ ତାଙ୍କର 'ଚିଲିକା' କାବ୍ୟରେ ଲେଖିଛନ୍ତି । 

"ଆହା, ଏ ଶୋଭାର କାହିଁ ପଟାନ୍ତର
ଥିଲେ ଥିବ ସ୍ୱର୍ଗେ, ମର୍ତ୍ତ୍ୟେ ଅଗୋଚର,
ପାଶୋରିବ ଦେଖି, କହ କେହୁଜନ,
ଏ ଶୋକ ପାସୋରା ଅପ୍ସରା ଭୁବନ"
ପୁଣି - କବିବର ଚିନ୍ତାମଣି ମହାନ୍ତି ତାହାଙ୍କର 'ଚିଲିକା ଭ୍ରମଣ' ପୁସ୍ତିକାରେ ଲେଖିଛନ୍ତି :-  "ଚିଲିକାର ପ୍ରାକୃତିକ ଦୃଶ୍ୟ ଅତୀବ ରମଣୀୟ ଓ ବିଚିତ୍ର ଅଟେ, ତାହାର ନିତ୍ୟ ନୂତନ ବେଶ ଦେଖି ଦର୍ଶକ ମାତ୍ରକେ ମୁଗ୍ଧ ନହୋଇ ରହିପାରିବ ନାହିଁ, ଚିଲିକାର ଦୃଶ୍ୟ କେବଳ ନିତ୍ୟ ନୂତନ ନୁହେ, ତାହା କ୍ଷଣ ନୂତନ ମଧ୍ୟ ଅଟେ, ତାହା କେବଳ ଅନୁଭବିର ଅନୁଭବ୍ୟ ସୁତରାଂ ବର୍ଣ୍ଣନାତୀତ ।"

ବି.ଦ୍ର. - ଏହି ଲେଖାଟି ମାସିକ ସାହିତ୍ୟ ପତ୍ରିକା 'ବୀଣା'ର ପ୍ରଥମ ସଂଖ୍ୟାର ପ୍ରଥମ ଭାଗରେ ପ୍ରକାଶିତ ହୋଇଥିଲା ।