Tuesday, February 28, 2017

 ମହିମା ଭକ୍ତି କବିତା - 'ମହିମା ଦେଖ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମହିମା ଦେଖ ଯାର ନାହିଁ ରୂପ ରେଖ ।ଘୋଷା।

ନିଶବ୍ଦ ଘରୁ ଶବଦ ଜଡ଼ା କହେ ଚାରିବେଦ
ଶୂଦ୍ର ହୋଇ ବ୍ରହ୍ମ ପଦ ପ୍ରକାଶ ହେଉଛି ମୁଖ ।୧।

ମୂର୍ଖେ ହୋଇଲେ ପଣ୍ଡିତା ବେଦ ଶାସ୍ତ୍ରେ ନାହିଁ ଶ୍ରୋତା 
ଅଜ୍ଞାନୀ ହୋଇଲେ ଚେତା ବୁଦ୍ଧିକି କରି ବିବେକ ।୨।

ଗୃହୀମାନେ ହେଲେ ୠଷି ତପରେ ବ୍ରହ୍ମକୁ ତୋଷି 
ବୋଲାଇଲେ ଦାସ ଦାସୀ କ୍ଷଏ କରି ପାପ ଦୁଃଖ ।୩।

ମଲା ପିଣ୍ଡ ଉଠିଲାଣି ପାଷାଣ ପାଣି ହେଲାଣି
ଗୁପ୍ତ କଥା ଫିଟିଲାଣି ମିଛ ନୋହେ ସତ ବାକ୍ୟ ।୪।

ପଙ୍ଗୁ ଗିରି ଲଙ୍ଘି ଯାଇ ଅନ୍ଧ ଚକ୍ଷୁଦାନ ପାଇ
ଅପୁତ୍ରକ ପୁତ୍ର ହୋଇ ଏଥୁକି ନେବ ପରୀକ୍ଷ ।୫।

ଭଣେ ଭୀମ ଅରିକ୍ଷିତ ଧ୍ୟାଇ ଗୁରୁ ପାଦଗତ
ସେ ଅଲେଖ ଅବଧୂତ ଲଭିବାକୁ ନାହିଁ ସକ୍ଷ ।୬।

Monday, February 27, 2017

ପିଲାଙ୍କ ଗୀତ - 'ବିଲୁଆ ରଜା'


ମୃତ୍ୟୁଞ୍ଜୟ ରଥ (୧୮୮୨-୧୯୨୪)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଘୋର ଜଙ୍ଗଲ ମଝିରେ ନଅର ମୋହର
ଖଟୁଛନ୍ତି ନିତି କେତେ ଛାମୁରେ ଚାକର ।

ମହାବଳ ମନ୍ତ୍ରୀ ମୋର ଚିତାବାଘ ପାତ୍ର
ଗଧିଆ ଯୋଡ଼ାଏ ଦ୍ୱାରୀ ରହିଛନ୍ତି ମାତ୍ର ।

ବାଘ ଘରେ ଗନ୍ତାଘର ଭାଲୁ କରେ ନାଟ
ନଅର ବାହାରେ ଛାଡ଼େ କୁକୁର କୁହାଟ ।

ମାଙ୍କଡ଼ ଡାଳରେ ବସି ଶିରେ ଛତା ଧରେ
ଚଅଁର ଢ଼ାଳଇ  ହାତୀ ମୋ ଗାଦିରେ ପାଖରେ ।

ମୟୁର ଗାଦି ଉପରେ ପୁଚ୍ଛକୁ ମେଲାଇ 
ରହିଥାଏ ମୋ ମୁଣ୍ଡକୁ  ମହୁଡ଼ ଚଢ଼ାଇ ।

କୁଆ, କୁମ୍ଭାଟୁଆ ମିଳି ବଜାନ୍ତି ନାଗରା 
ପହରକେ ଥରେ ଦିଏ ବିଲୁଆ ପହରା ।

କେ ପାନବରଜେ ଯାଏ, କେ ଖୋଜେ ଶିକାର
ସବୁ ଜୁଟ ହେଲେ ମୋର ବସେ ଦରବାର ।

ମନ୍ତ୍ରୀ ମୋର ମହାବଳ ସବୁ ଦିଏ ବାଣ୍ଟି
ଫିଟିଯାଏ ସଭିଙ୍କର ତହୁଁ ଦାନ୍ତପାଟି ।

ହାତୀ, ଭାଲୁ, ମାଙ୍କଡକୁ ଦିଅନ୍ତେ ଅନାଇ
ଡାଳ, ଫଳ କିଛି ତଳେ ଦିଏ ସେ ପକାଇ ।

ଚରଚା ସରନ୍ତେ ଆସି ଡଗରା ବିଲୁଆ
ରାଜ୍ୟର ବାରତା କହେ ନକରି ପରୁଆ ।

ଭାଟ ପରି ମୟୁରଟା ଛାଡ଼ୁଥାଏ ଡାକ
ରଡ଼ିଯାନ୍ତି ଥରେ ଥରେ ଦରବାରୀ ଯାକ ।

ଦେଖୁ ଦେଖୁ ହେଲା ସଞ୍ଜ ଉଠି ତତକ୍ଷଣ
ବିଲୁଆ ଭାଇଏ ମିଳି କଲେ ସଙ୍କୀର୍ତ୍ତନ ।

ସମସ୍ତେ ଚିଡ଼ିଲେ ତାଙ୍କୁ ମାତ୍ର ମୋର ଡର 
ସବୁ ବଳଠାରୁ ବଡ଼ ସିନା ବୁଦ୍ଧିବଳ । 

Sunday, February 26, 2017

ପିଲା କାନ୍ଦୁଥିଲେ ବୁଝାଇବା ଗୀତ - ୧


ପିଲାଙ୍କର ପେଣ୍ଡୁ ଖେଳ
ରୋମୀୟ କଳାକୃତି, ଦ୍ୱିତୀୟ ଶତାବ୍ଦି, ଲୁଊ୍ର ସଙ୍ଗ୍ରହଳାୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୋ କୁନିକି କିଏ ମାଇଲା ମାଡ଼ ଲୋ
ଭାଙ୍ଗି ପକାଇଲା ପଞ୍ଜରାହାଡ଼
ନେଇ ମାମୁଁଘରେ ଛାଡ଼ ।

ମାମୁ ତ କହିଲେ ଏଇଟି କିଏ
ମାଇଁ ତ କହିଲେ ଭଣଜାଟିଏ ।

ଧୋଇଧାଇ କରି ଘରକୁ ନିଅ
ପୀତାମ୍ବରୀ ପାଟ ପିନ୍ଧାଇ ଦିଅ ।

ଦୁଧ ଭାତ କରି ଗୁଣ୍ଡିଏ ଦିଅ
ଖଟ ପଲଙ୍କରେ ଶୁଆଇ ଦିଅ । 

ଉତ୍ସ - ରାମକୃଷ୍ଣ ନନ୍ଦ କୃତ 'ଓଡ଼ିଆ ଶିଶୁ ସାହିତ୍ୟ ସଙ୍କଳନ' । ୨୦୦୮  (୧୯୮୪) ଭୁବନେଶ୍ୱର : ପ୍ରକାଶକ, ଓଡ଼ିଶା ସାହିତ୍ୟ ଏକାଡ଼େମୀ । 

Saturday, February 25, 2017

  'ଭୋକ'





ବାସ୍ ଗୋଟେ କଥା, 
ଜଣେ ଛୋଡ଼ିପାରିବ,
 ନହେଲେ ପାରିବନି:
ପ୍ୟାଣ୍ଟ ଖୋଲି ପ୍ରମାଣ କରିବ, 
ନହେଲେ ପେଳ କଟାହବ;
ଭୋକର ନିଅାଁରେ କ’ଣ କବିତା ସେ କହିବ?
ଏଇ ଜ୍ୱାଳା କ’ଣ ସଙ୍ଗୀତର ତଣ୍ଟି ଚିପିଦବ?
ଯିଏ ନିଜ ଛାତିର ସ୍ପନ୍ଦନର ମାତ୍ରା ଗଣିପାରୁନି
ତା ପାଇଁ ସଙ୍ଗୀତ ଜାଳ ।

ଭୋକ ! 
ମାଲୁମ ନଥିଲା,
ଏଠି କ୍ୟାପିଟାଲ ଆସେଟ ଗୀତ ଗାଇଲେ ବି 
ଧରିବ ଲୋକପାଳ ।

ଭୋକ !
ଏକ ଫୁଟୁନଥିବା ଡିନାମାଇଟ୍,
ଖଟିଖଟିକା ପ୍ରାଣଗଲେବି, ଦରମା ଗୋଡ଼ିମାଟି,
ଗୋଡ଼ିମାଟି ସହରରେ ଗୋଡ଼ିମାଟି ଘର,
ଘର ନକରିପାରିଲ ଯଦି ତମେ ବେଘର ।
ଭୋକ କେତେବେଳେ ତୁ ପସ୍କୋ ହୋଇଯାଉଛୁ, 
କେବେ ବେଦାନ୍ତ, କେବେ ପୁଣି ସରକାର ।

ଭୋକ! ଏମାନଙ୍କୁ ଆମେ କେମିତି ସାମ୍ନା କରିବୁ,
ତୁ ଲଗେଇଥିବା ଖେଳ ଖେଳିବାକୁ 
ଗାଣ୍ଡିରେ ପାଣି କୋଉଠୁ ଆସିବ ।


ଭୋକ !
ଚୋଟଦିଆ ନୀରବତାଟେ ବେଢ଼ିଯାଇଛି ଚାରିଆଡେ଼ ।
ଆଉ ଗୋଟେ ନୂଆ ଫାଶୀଦଣ୍ଡ ଆମକୁ ଆଜି ଶୁଣାହେଇଚି ।

ଭୋକ ! 
ଭାଇ ସରି ।
ସମୟ ବିଲଡିଙ୍ଗଟାକୁ ଆମେ ଭାଙ୍ଗିପାରିବୁନି
ବିଲଡିଙ୍ଗ ଭାଙ୍ଗିଗଲେ ବି ଆକାଶ କଳାହିଁ ଦିଶିବ ।
କୋଉ ହାଟରେ ବିକିବୁ ଆମେ ମ୍ୟୁଟ୍-ମରା ମନ ?
କୋଉ ରାଣୀ ମହୁମାଛିର, ତାକୁ ରାଣୀ କରିବୁ ?
ଉଇହୁଙ୍କା ପରି (ଫସକା) ମନଟା କିଏ କିଣିବ ?
ଦର କଷି କିଏ ସାପକୁ ଘରକୁ ଆଣିବ?
ଭୋକ ଦେଖା ତୋ ୟୁନିକ୍ ଆଇଡ଼ି, 
ପର୍ପସ୍ ରେଜିଷ୍ଟାରରେ ଲେଖ୍
ଯଦି ଆମେ ହେଲୁ କେବେ ସେ ସ୍ତରର ପରମ ମାଘିଆ,
ତାହାଲେ ଶେଷଥର ତତେ ଇଣ୍ଟରନେଟରେ କମ୍ପ୍ୟୁଟରରେ କୁସ୍ତି ଲଢ଼ିବାକୁ ଡାକିବୁ ।

ଭୋକ !
ଆଉ କେତେଦିନ ତତେ ଦେହର ସବୁ କଣାରେ ପୂରେଇ ଅଣନିଶ୍ୱାସୀ ହବୁ ?
ଆଉ କେତେଥର ଆଶ୍ୱାସନାର ଅଳିଆ ଝାଡ଼ିବୁ ?
ଆଉ କେତେଥର ଇତିହାସର କାଦୁଅକୁ ଧୋଇବୁ ?
ଆଉ କେତେଦିନ କାଳ ଛି ଛି ହବୁ, 'ଛି ଛି'ର ଫୁଟାଣି ଦେଖି?

ଭୋକ ! 
ତୋ ଆମ ଭିତରେ ଯଦି ଅଣ୍ଟରଗ୍ରାଉଣ୍ଡ କେବୁଲ ନପଡ଼ୁଛି,
ତା’ହେଲେ ଆମକୁ କମ୍ ସେ କମ୍ ଲ୍ୟାଣ୍ଡଲାଇନ୍ ପରି କ୍ରିଂ କ୍ରିଂ ହବାକୁ ଦେ ।

ଭୋକ ! 
ତୋ ଜମି, ତୋ ଜମିରେ ଉଠିଥିବା ଚିମ୍ନୀ
ଆମ ଗାଣ୍ଡିମୁଣ୍ଡରେ ଫୋଡ଼ିହୋଇଯାଉଛି,
ମୁଣ୍ଡରୁ ଧୂଅାଁ ବାହାରୁଚି ।
ମନ୍ଦିର ଆଳତୀର ଧୂଅାଁ,
କ’ଣ ସତରେ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ?

ଭୋକ ! ତୋ ରକ୍ତର ପିଳେହି ପାଣି ହୋଇଗଲାଣି ।
ଭୋକ ! ତୋ ରକ୍ତ ପାଟିରେ ଆଙ୍ଗୁଠି ଦେଲାଣି ।
ଭୋକ ! ହୁଇପ୍ ଜାରି କର, ଆମ ପେଟରେ କ୍ୟାଟ୍ରିନା ନାଚୁ ।
ଭୋକ ! ଫିଟ୍ କର ଆମ ମୁଣ୍ଡରେ ଫୁଲ ଚାର୍ଜ ଦେଖଉଥିବା ଲାଇଟ୍ ।
ଅଧିଗୃହିତ ମହାନଦୀ ଓ କୁଁ କୁଁ ହଉଥିବା ଆମ ଦାବୀ ।

ଭୋକ !
ଆମ ବିଲ୍ ପାଶ କର ।
ନଦୀକୂଳିଆ ସଭ୍ୟତାକୁ ଲୋପ କରନା,
ଦିନେ ଆମେ ଦେଖିବା ଏଇ ଆଖିରେ,
ଲଢେ଼ଇ ମହାନଦୀର ଓ ନଦୀକୁ ଗିଲାସରେ ପକେଇ ପିଉଥିବା ଲୋକମାନଙ୍କର ।


ଭୋକ !
ଆମେ ଡିମାଣ୍ଡ ନୋଟ ଦେଇସାରିଚୁ ।
ପେ ରିକ୍ୟୁାରମେଣ୍ଟରେ ଆମେ ଥାଉ ।
ଆମ ଫାଇଲରେ କ’ଣ କେବେ ସନ୍ତକ ହବନି?
ଚାଲ । ଟିପଚିହ୍ନ ନବା ।
ସୂର୍ଯ୍ୟ ଗୁଡ଼ମର୍ଣ୍ଣିଂ କହିବା ଭୁଲିଯାଇପାରେ ।
ନଈ ଘଣ୍ଟାରେ ଟାଇମ୍ ଦେଖିବା ଭୁଲିଯାଇପାରେ ।

ଆମେ ଲାଇଟ୍ କୁ ମାଗିଥିଲୁ,
ସିଏଫଏଲ୍ ଜୀବନଠୁ ଟିକେ ଅଧିକ ।
କିନ୍ତୁ ଲାଇଟ ଶଳା ଆମ ଏମ୍ ସି ବି କାଟିଦେଲା ।

ଭୋକ !
ଆମେ ଆଉ ଇଲେକ୍ଟିକକୁ ତାରକୁ ଓଲାଘିଆ ଡ଼୍ରଇଁଟେ ପରି ଝରକା ଆଗରେ ଅଙ୍କା ହେବାକୁ ଆଲାଉ କରିବୁନି ।
ଆଉ କେତେଦିନ ଯାଏଁ ପ୍ୟାଣ୍ଟ ଖୋଲା ରଖିବୁ ?
ଆଉ କେତେଦିନ ଯାଏଁ ଥ୍ୟାଙ୍କ୍ ୟୁ କହୁଥିବୁ?
ପଛ ପକେଟରେ ଥିବା ଗୀତ ଗାଇକି ଶୁଣଉଥିବୁ?
ଟେଇମ୍ ଗାର୍ଡ଼େନ୍ ବା ନାନୀପେଳ?
ମୁଣ୍ଡରେ ଯଦି ଛାତ ନାହିଁ ତା’ହେଲେ ସବୁତଳ ।
ଆଉ କେତେଦିନ ଆମେ ତୋ ମୋବାଇଲର ସିମ୍ ହେଇ ପଡ଼ୁଥିବୁ ?
ପେଟ ପାଇଁ ନୂଆ ନୂଆ ରିଙ୍ଗ୍ ଟୋନ୍ କାଢ଼ୁଥିବୁ ?
ଆଉ କେତେ ଦିନ ଖାଲି ସିଙ୍ଗ୍ ଟୋନ୍ ରେ ପେଟପୂରେଇବୁ ?
ଆମେ ମାଡ଼ ଖାଇଥିବା ଭଡ଼ାଟିଆ ଗୁଣ୍ଡାଙ୍କ ପରି,
ତୋ ଗୋଡ଼ତଳେ ପଡ଼ୁଚୁ;
ଆମେ ମାଡ଼ ଖାଇଥିବା ଭଡ଼ାଟିଆ ଗୁଣ୍ଡାଙ୍କ ପରି,
ତୋ ଗୋଡ଼ତଳେ ପଡ଼ୁଚୁ ;
କାରଣ ସୂର୍ଯ୍ୟର ଲମ୍ବା ହାଇୱେରେ,
ଆମର କୋଉଠି ଗାଣ୍ଡିମୁଣ୍ଡ ନାହିଁ ।
କୋଉ ହାରାମଜାଦା କହୁଚି,
ସିନେମା ହୀରୋ କେବେ ମାଡ଼ ଖାଏନି?


ଭୋକ !
ଆଜି ଟୋଟାଲି କିଛି ନାହିଁ ଖାଇବାକୁ ଘରେ
ଗୋଟେ ବି ଭଦ୍ରଚୋଦା ଘରେ ଦିଶୁନାହାନ୍ତି ।

ଭୋକ !
ଉଚ୍ଛନମନରେ ଠାକୁରଙ୍କୁ ଡାକିଲେ, ଭଜନ ଗାଇଲେ;
କ’ଣ ଭୋକର କିଳାଟା  ସାଇଡ଼ ଦେଇ ପଳେଇବ ?

ଭୋକ !
ତୋ ଛଇକୁ ମାନିବାକୁ ପଡ଼ିବ,
ତୁ ସେଇ ସବାଶେଷ ବେଧ
ଯାହାକୁ ଆମେ ସମସ୍ତେ ପେଲିବୁ ।
ତତେ ପେଲି ନପାରିଲେ,
ପେ ପେଟରେ ହାରାମୀ ନଛାଡ଼ିଲେ,
ଆମେ ଆମ ସମସ୍ତଙ୍କୁ, ସମସ୍ତେ ମିଶି ହତ୍ୟା କରିବୁ ।

ଭୋକ ! 
ଆମ ହାତରେ ଅଦୃଶ୍ୟ ଟେକା
ମିଡ଼ିଆର ହିଞ୍ଚିଡ଼ା ଗୀତ ସହ ଆମର ଲେନାଦେନା ନାହିଁ ।
ଆମ ଭିତର ମରଦଟୋକା ଟେକା ହେଇ ତତେ ଛେକିଛି
ଦେଖିବା କାହା ଗାଣ୍ଡି ଫାଟୁଛି - ତୋର ନା ଆମର ।


ଭୋକ !
କିଏ ଆଗ, ଗଛ ନା ମଞ୍ଜି ?
ଭୋକ ପ୍ରଶ୍ନଟାକୁ ଆଉ ଟେଷ୍ଟପେପରରେ ପୂରେଇ ଦେନା ।
କହ ! ଦକ୍ଷିଣରେ ଦିଶୁଥିବା ବଣମଣିଷମାନଙ୍କ ରଙ୍ଗ କଅଣ ?
ଉତ୍ତର ନ ଦେଇ ପାରିଲେ ତୋ ଚଉଦପୁରୁଷଙ୍କୁ ଆମେ ଗେହିଁବୁ ।
ତୋ ବୋଉକୁ ଗେହିଁବୁ, ତୋ ନାନୀକି...
ଭୋକ... ।

ବି.ଦ୍ର :  'ଭୋକ' କବି ନାମଦେଓ ଧସାଲ (୧୯୪୯ - ୨୦୧୪)ଙ୍କର କବିତାର ଦିଲ୍ଲିପ ଚିତ୍ରେ କରିଥିବା ଇଂରାଜୀ କବିତା 'ହଙ୍ଗର'ର ଛାୟାରେ ଲିଥିତ ଏକ କବିତା । ମୂଳ ଇଂରାଜୀ ଅନୁବାଦର କେବଳ ଢାଞ୍ଚାଟି ଓ କାବ୍ୟଧର୍ମ ବଜାୟ ରଖି ଏଠାରେ ଏକ ସମସାମୟିକ ଢ଼ଙ୍ଗରେ କବିତାଟିର ଅନୁସୃଜନ ସିମେ ଶିଳ୍ପୀ ଭରଦ୍ୱାଜ ପଣ୍ଡା (ଜୁଲୁ) କରିଛନ୍ତି ।

ହଳଧର ନାଗ : କବିତାର ମନ୍ତ୍ରସିଦ୍ଧ ଋଷିପୁତ୍ର


କେଦାର ମିଶ୍ର


ହଳଧର ନାଗ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ । ପୃଥିବୀ ଅପରୂପା ସୁନ୍ଦରୀ । ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡିଗଲେ । ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡି ଚାଲିଲା ଗୋପନରେ । ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ ପୃଥିବୀ ସହ ଦେବରାଜ ଇନ୍ଦ୍ରଙ୍କ ପରିଣୟ ପାଇଁ ।
ଅସାମାନ୍ୟ ରୂପସୀ ପୃଥିବୀକୁ ବାହା ଦେବାପାଇଁ ଦେବସଭାରେ ନିଷ୍ପତ୍ତି ହୋଇଗଲା । ଏ ଖବର ପାଇବା ମାତ୍ରେ ଭୟ ଓ ଆଶଙ୍କାରେ କାତର ପୃଥିବୀ ଚନ୍ଦ୍ରମାଙ୍କୁ ଝିଙ୍ଗାସ କଲେ ଏବଂ ସେ ସମୟ ସହ ପ୍ରଣୟବଦ୍ଧ ବୋଲି ଜଣାଇଦେଲେ । ବିଚଳିତ ଚନ୍ଦ୍ରମା ଏବେ କରନ୍ତି କଣ ? ଦେବରାଜଙ୍କୁ କହିଲେ, ‘ମହାରାଜ ! ମୋ ସାନ ଭଉଣୀ ଏବେ ମହାକାଳ ପ୍ରେମରେ ପଡିଯାଇଛି ।କ୍ରୋଧରେ ଇନ୍ଦ୍ର ନିଜ ବଜ୍ର ମାଧ୍ୟମରେ ସମୟକୁ ଖଣ୍ଡ ଖଣ୍ଡ କରି ହତ୍ୟା କଲେ ।
ପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ । ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା । ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି ? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ । ଲୋକପିତା କହିଲେ – ‘ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି ।
ତା ପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଅମୃତ ଜଳ ସିଞ୍ଚି ସମୟକୁ ଜୀବନ୍ୟାସ ଦେଲେ । କିନ୍ତୁ ଏ କ? ଇନ୍ଦ୍ରଙ୍କ ବ୍ରଜାଘାତରେ ସମୟ ଛଅ ଖଣ୍ଡ ହୋଇଯାଇଛି ଏବଂ ଅମୃତ ଜଳ ପାଇଲା ପରେ ସମୟର ଛଅଟି ସ୍ୱରୂପ ପୃଥିବୀକୁ ପ୍ରଣୟ ଭିକ୍ଷା କରୁଛନ୍ତି । ପୃଥିବୀ କହିଲେ, ‘ ଏ କି ଆଚମ୍ବିତ କଥା ? ଜଣେ ନାରୀ ଛଅ ପୁରୁଷଙ୍କ ସହ ଜୀବନ କଟାଇବ କେମିତି ? ବ୍ରହ୍ମା କହିଲେ – ‘ତମେ ବିଚଳିତ ହୁଅ ନାହିଁ । ସେମାନେ ସମୟର ଛଅଟି ସ୍ୱରୂପ ଛଅଟି ଋତୁ ।
ଜଣେ ପରେ ଜଣେ ସେମାନେ ତମ ପାଖକୁ ଆସିବେ ଓ ଦୁଇ ମାସ ଲେଖାଏଁ ତମକୁ ଭୋଗ କରିବେ । ସେହି ଦିନଠୁ ଛଅ ଋତୁ କ୍ରମାନ୍ମୟରେ ପୃଥିବୀ ପୃଷ୍ଠକୁ ଆସନ୍ତି ଓ ପୃଥିବୀ ରାଣୀକୁ ଭୋଗ କରନ୍ତି ।
ଇଏ କାହାଣୀ ନା କବିତା ? କେଉଁ ପୁରାଣରେ ଆପଣ ପଢ଼ିଛନ୍ତି ଏ କାହାଣୀ ? କବିର କଳ୍ପନାରେ ସମୟ ଓ ପୃଥିବୀର କାହାଣୀ ନୂଆ ରୂପେ ଗଢ଼ାଯାଇଛି । ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ବଛରନାମକ କାବ୍ୟର କାହାଣୀ ଇଏ । କାବ୍ୟର କବି ହେଉଛନ୍ତି ଶ୍ରୀଯୁକ୍ତ ହଳଧର ନାଗ ।
କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟ ନାମ କବି ହଳଧର ନାଗ । ସମଗ୍ର ପଶ୍ଚିମ ଓଡିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ । ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ । ଘଣ୍ଟା ଘଣ୍ଟା ଧରି କବିତା ତାଙ୍କର ମୁଖସ୍ଥ ଥାଏ । ଆତ୍ମବିଭୋର, କବିତା ବିଭୋର କବିଙ୍କୁ ଶୁଣିବା ପାଇଁ ଯାତ୍ରା ପରି ଗହଳି ଲାଗିଯାଏ ପଶ୍ଚିମ ଓଡିଶାରେ ।
ହଳଧର ନାଗ, ଦେଖିବାକୁ ଡେଙ୍ଗା, କଳା, ନହନହକା ମଣିଷଟିଏ । ଭାବପ୍ରବଣ ଦୁଇଟି ଆଖି । ବବୁରି ବାଳ ଲମ୍ବି ଯାଇଥାଏ ପଛକୁ । ଅଣ୍ଟାରେ ବେଢ଼ାଇ ହୋଇଥାନ୍ତି ଧଳା ଧୋତିଟିଏ, କାନ୍ଧରେ ଗାମୁଛା, ପାଦରେ ଚପଲ ନଥାଏ । ଦେଖିଲେ ଅତି ସାଧାରଣ ଗାଉଁଲି ମଣିଷଟିଏ । ସାଧାରଣ ଚେହେରା ତଳେ ଏକ ଅସାଧାରଣ ପ୍ରତିଭାର ଜ୍ୟୋତି ଉଦ୍‍ଭାସିତ ହେଉଥାଏ ତାଙ୍କ ଆଖି ଦିଓଟିରେ ।
ଅତ୍ୟନ୍ତ ନମ୍ର ଏବଂ ବିନୟୀ ସ୍ୱଭାବର କବି ହଳଧର ନାଗଙ୍କୁ ଦେଖିଲେ ଲାଗେନା ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ହୋଇଛି ଗ୍ରନ୍ଥ ମନ୍ଦିର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ । ତାଙ୍କୁ ନେଇ ବିବିସିତିଆରି କରି ସାରିଛି ଗୋଟିଏ ସିନେମା । ତାଙ୍କୁ ନିମନ୍ତ୍ରଣ ନକଲେ ପଶ୍ଚିମଓଡିଶାର କୌଣସି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୁଏନା । ଇତି ମଧ୍ୟରେ ତାଂକୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ କରିସାରିଛନ୍ତି।

ତାଙ୍କୁ ଦେଖିଲେ ବହୁ ବିଦ୍ୱାନ ହାତଯୋଡି ସମ୍ମାନ କରନ୍ତି । ଅଥଚ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହଳଧର ନାଗଙ୍କ ଆନୁଷ୍ଠାନିକ ଶିକ୍ଷା । ବୃତ୍ତିରେ ସେ ଚନାଚୁରବାଲା । କେବେ କେମିତି ଚାଷ କାମ କରନ୍ତି । ଗାଁ ସ୍କୁଲରେ ଭାରରେ ପାଣି ବୋହି ନିଅନ୍ତି । କିନ୍ତୁ କବିତାର ସେ ଏକ ଜ୍ୟୋତିର୍ମୟ ଅବତାର ।
କବି ହଳଧର ନାଗଙ୍କ ଜନ୍ମ ୩୧.୦୩.୧୯୫୦ ବରଗଡ ଜିଲ୍ଲାର ଘେଁସ୍‍ ଗାଁରେ । ଘେଁସ୍‍ ପଶ୍ଚିମଓଡିଶାର ଏକ ଐତିହାସିକ ଗାଁ । ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶରାଜ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଆଂଦୋଳନର ତୀର୍ଥ ଭୂମି ହେଉଛି ଘେଁସ୍‍ । ଏକ ଐତିହାସିକ ଗାଁର ଅତି ସାଧାରଣ ବାଳକଟିଏ ଅସାଧାରଣ ଇତିହାସ ରଚନା କରିବ ଏକଥା ଘେଁସ୍‍ ଗାଁର କେହି କେବେି ବି କଳ୍ପନା କରିନଥିବେ ।
ଲୋକଗୀତ ଏବଂ ଲୋକନୃତ୍ୟ ପ୍ରତି ପିଲାଦିନରୁ ହଳଧରଙ୍କ ଥିଲା ପ୍ରଚୁର ଆଗ୍ରହ । ରାମାୟଣ, ମହାଭାରତ ଶୁଣି ଶୁଣି ଡାଲଖାଇ, ରସରକେଲି, ଗୁଣୁ ଗୁଣେଇ ଆରମ୍ଭ ହୋଇଥିଲା ତାଙ୍କ କବିତ୍ୱର ଯାତ୍ରା ଅଳ୍ପ ପାଠୁଆ ତାଙ୍କ ମନ ଓ ହୃଦୟକୁ ନିଜର ନିବାସ ରୂପେ ବାଛି ନେଇଥିଲେ କବିତାର ସରସ୍ୱତୀ । ଆପେ ଆପେ ଆପଣଛାଏଁ ସେ ଆବୃତ୍ତି କରୁଥିଲେ ସୁକୁମାର କବିତା । ତାଙ୍କ ଆଗରେ ପ୍ରେରଣାର ଉତ୍ସ ଥିଲେ ବ୍ୟାସ, ବାଲ୍ମିକୀ, ଗଙ୍ଗାଧର ମେହେର ଓ ଭୀମଭୋଇ । ତାଙ୍କ କାବ୍ୟସିଦ୍ଧି ଗୋଟିଏ କଥା ପ୍ରମାଣିତ କରେ, ତା ହେଲା- କବିତାର ଉତ୍ସ ସବୁବେଳେ ସ୍ୱାଭାବିକ ଏବଂ କବିତା ରଚନା କୌଣସି ବୌଦ୍ଧିକ କସରତର ଆବଶ୍ୟକତା ରଖେ ନାହିଁ ।
ତାଙ୍କ କବିତାରେ ପଶ୍ଚିମ ଓଡିଶାର ଜନଜୀବନ, ପ୍ରାକୃତିକ ପରିବେଶ, ଚଳଣୀ, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ଛନ୍ଦ ଏବଂ ସର୍ବୋପରି ଜୀବନର ଉଦ୍ଦାମତା ପ୍ରତିଫଳିତ ହୋଇଥାଏ । କାବ୍ୟ ଓ ପୁରାଣରୁ ବିଷୟବସ୍ତୁ ଚୟନ କରୁଥିଲେ ହେଁ ବର୍ଣ୍ଣନା ଏବଂ ସର୍ଜନା କ୍ଷେତ୍ରରେ ତାଙ୍କ ଶୈଳୀ ମୌଳିକ । ଆଞ୍ଚଳିକ ଅସ୍ମିତାର ଉଦ୍‍ଗାତା ରୂପେ ଏବେ ସମଗ୍ର ପଶ୍ଚିମ ଓଡିଶାରେ ହଳଧର ନାଗ ଲୋକ ସଂସ୍କୃତିର ଦେବଦୂତ ପାଲଟି ଯାଇଛନ୍ତି । ଆଞ୍ଚଳିକ ସଂସ୍କୃତିର ପ୍ରାଣବନ୍ତ ପ୍ରତୀକ ତାଙ୍କର କବିତା ।
ପଶ୍ଚିମଓଡିଶାର ବିଶେଷ ଚର୍ଚ୍ଚା ହୋଇଥାଏ ଏ ଅଞ୍ଚଳର ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ପିଲାବିକ୍ରୀ ଇତ୍ୟାଦି ପ୍ରସଙ୍ଗ ପାଇଁ । ତେଣୁ ଏ ଅଞ୍ଚଳକୁ ନେଇ ଯେଉଁମାନେ କବିତା ଲେଖନ୍ତି ବା ଏ ଅଞ୍ଚଳରେ ରହି କବିତା ଲେଖନ୍ତି ସେମାନଙ୍କ ପାଇଁ କବିତାର ବିଷୟବସ୍ତୁ ପ୍ରାୟ ପୂର୍ବନିର୍ଦ୍ଧାରିତ ।
ସ୍ଥିତାବସ୍ଥା ବିରୁଦ୍ଧରେ ହେଉ କିଂବା ଏକ ନୂତନ ଆଂଦୋଳନର ସୂଚନା ହେଉ କବିତାରେ ତାର ସଙ୍କେତ ରହିଥାଏ । ଯଦିଓ ଆଧୁନିକ ଓଡିଆ କବିତାର ଅସ୍ପଷ୍ଟ, ରହସ୍ୟମୟ ଏବଂ ଦୁର୍ବୋଧ୍ୟ ପରମ୍ପରାରରେ ଏସବୁ ସ୍ୱରର ବିଶେଷ କିଛି ମାନେ ନଥାଏ । ପରମ୍ପରାର ମୁଖ୍ୟସ୍ରୋତରେ ଗୌଣସ୍ରୋତର ଭାବାବେଗ ପ୍ରାୟତଃ ବିଲୀନ ହୋଇଯାଏ ।
ସୌଭାଗ୍ୟକ୍ରମେ ହଳଧର ନାଗଙ୍କ କବିତା ଏହି ଦୁର୍ଭାଗ୍ୟଜନକ ପରିଣତି ଭୋଗିନାହିଁ । ପ୍ରାୟତଃ ପୁରାଣ, କାବ୍ୟ ଓ କଳ୍ପନାର ଆଧାରରେ ତାଙ୍କ କବିତ୍ୱର ପ୍ରତିଷ୍ଠା । ତେଣୁ ଆଧୁନିକତା କିମ୍ବା ଉତ୍ତର ଆଧୁନିକତାର ବ୍ୟୁହ ଭିତରେ ବାଟବଣା ଆଲୋଚକମାନଙ୍କ ପାଇଁ ତାଙ୍କ କବିତା ପାରମ୍ପରିକ କିମ୍ବା ପ୍ରାଚୀନପନ୍ଥୀ ମନେ ହୋଇପାରେ ।
କିନ୍ତୁ ଟିକେ ଗଭୀର ଭାବରେ ତାଙ୍କ କବିତାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, କଳ୍ପନା ଏଠି ବିଦ୍ରୋହର ଏକ ଛଦ୍ମ ଆୟୁଧ । ଶୋଷଣ ଓ ଅବହେଳାର ନିଶାଗ୍ରସ୍ତ ଗୋଟିଏ ଅଞ୍ଚଳର ଜନଜୀବନରେ ଚାଞ୍ଚଲ୍ୟ ଖେଳାଇବା ପାଇଁ ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡା ଅଲଗା ବାଟ ନଥାଏ । ପୌରାଣିକ କଳ୍ପନା ଆଧାରରେ ଜାତୀୟ ଅସ୍ମିତାର ପ୍ରତିଷ୍ଠା ପାଇଁ କାବି୍ୟକ ପ୍ରୟାସ କରିଥିବା ସାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ପରି ହଳଧର ନାଗ ସେଇ ବିଷୟବସ୍ତୁ ଓ ଶୈଳିର ଚୟନ କରିଛନ୍ତି । ତାଙ୍କ ବର୍ଣ୍ଣନାରେ ପଶ୍ଚିମ ଓଡିଶାର ଜୀବନ୍ତ ଚିତ୍ର ପାଠକର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠେ । ତାଙ୍କ କଳ୍ପନା ସାମର୍ଥ୍ୟ କ୍ଲାସିକ୍‍ କବିମାନଙ୍କର ସାମର୍ଥ୍ୟ ସହ ପ୍ରାୟ ସମାନ ।
ଏହି ଯଶସ୍ୱୀ କବିଙ୍କର କେତୋଟି ମୁଖ୍ୟ କାବ୍ୟଗ୍ରନ୍ଥ ହେଉଛି ବଛର, ‘ମହାସତୀ ଉର୍ମିଲା, ‘ତାରା ମନେ୍ଦାନ୍ଦରୀ, ‘ରସିଆ କବି, ‘ଅଛିଆ, ‘ସିରି ସମ୍‍ଲାଇଇତ୍ୟାଦି । ସରଳ ମନରେ ଯେଉଁ ଅପୂର୍ବ ଆଧ୍ୟାତ୍ମିକ ଦର୍ଶନର ଉଦ୍‍ଭାସ ସମ୍ଭବ ହୁଏ ତାହା କବିତାରେ ହିଁ ପ୍ରତିଫଳିତ ହୋଇଥାଏ ।
ଏକ ନଗଣ୍ୟ ଉପଭାଷା ବୋଲି ଗଣାଯାଉଥିବା ସମ୍ବଲପୁରୀ କୋଶଳୀ ଭାଷାରେ ଯେଉଁ ବୌଦ୍ଧିକ ଉଚ୍ଚତାର କାବ୍ୟ ରଚନା ହୋଇଛି, ତାହା ସେ ଭାଷାର ଉତ୍କର୍ଷ ଓ ମୌଳିକତାର ପରିଚୟ । ଓଡିଶା ଭାଷା ସହ ସମାନ୍ତରାଳ ଭାବେ ସମ୍ବଲପୁରୀ-କୋଶଳୀର ଏହି ପ୍ରତିଷ୍ଠାକୁ ନକରାତ୍ମକ ଦୃଷ୍ଟିରେ ନଦେଖିଲେ ଓଡିଆ ସାହିତ୍ୟର ଯଥେଷ୍ଟ ମଙ୍ଗଳ ହେବ ।ଖଗେଶ୍ବର ସେଠ, ସତ୍ୟନାରାୟଣ ବହିଦାର, ଇନ୍ଦ୍ରମଣି ସାହୁ, ହେମଚନ୍ଦ୍ର ଆଚାର୍ୟ ଓ ଆହୁରି କେତେକ ପ୍ରତିଭାବାନ୍ କବି ମଣ୍ଡଳୀରେ ହଳଧର ବିରାଜିତ
କବି ହଳଧରଙ୍କ କାବ୍ୟକୃତିରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି ତାଙ୍କ ଭାଷା ପ୍ରୟୋଗର ଅପୂର୍ବ ସ୍ୱତଃସ୍ଫୂର୍ତ୍ତତା । ପୁରାଣରେ ବର୍ଣ୍ଣିତ ବ୍ୟାସନ୍କ କଥନ ଓ ଗଣେଷଙ୍କ ଶ୍ରୁତଲିଖନ ପରି ତାଙ୍କର କାବ୍ୟଧାରା । ହଳଧରଙ୍କ କାବ୍ୟକୃତିରେ ଏତେ ଟିକିଏ ବି ଦୂର୍ବେଧ୍ୟତା ବା ଜଟିଳତା ନଥାଏ । ତାଙ୍କ ନିରୀହତା ପରି କବିତାର ଆବେଦନ ମଧ୍ୟ ନିରୀହ ଓ ରସମୟ ।
ପଶ୍ଚିମ ଓଡିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜୀବନର ଆଚାର, ଆଚରଣ, ପରମ୍ପରା ଓ ସଂସ୍କୃତି ସୌନ୍ଦର୍ଯ୍ୟବୋଧ ଏବଂ ଭାରତୀୟ ଆଧ୍ୟାତ୍ମିକତାର ସରଳ ପରିବେଷଣ ତାଙ୍କ ରଚନାର ଶ୍ରେଷ୍ଠତମ ସିଦ୍ଧି । ତା ସହ ତାଙ୍କ କବିତାରେ ଥାଏ ଶାଣିତ ଶ୍ଲେଷ ଓ ତୀବ୍ର କଟାକ୍ଷ । ବେଳେବେଳେ ବ୍ୟଙ୍କ କବିତା ରଚନାରେ ହାତ ଦିଅନ୍ତ କବି ।
ଓଡିଆ ବ୍ୟଙ୍କ କବିତାର ପ୍ରଚଳିତ ଧାରାଠୁ ଭିନ୍ନ ଶୁଦ୍ଧ ଶ୍ଲେଷ ଓ ବ୍ୟଞ୍ଚନାର ପରିବେଷଣ ତାଙ୍କ ବ୍ୟଙ୍ଗ କବିତାର ବିଶେଷ ଗୁଣ । ସ୍ଲୋଗାନ୍‍ଧର୍ମୀ ସମାଲୋଚନା ତାଙ୍କର ଏକ ଉଲ୍ଲେଖନୀୟ ସଫଳତା ।
ହଳଧରଙ୍କ କାବ୍ୟ ସାହିତ୍ୟ ଉପରେ ଏବେ ବହୁ ଗବେଷଣା ଆରମ୍ଭ ହୋଇ ସାରିଛି । ପଶ୍ଚିମ ଓଡିଶାର ଛୋଟବଡ ଗାଁ, ସହରମାନଙ୍କରେ କବିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ହଳଧରଙ୍କ କବିତା ସନ୍ଧ୍ୟା ଏବେ ମନୋରଞ୍ଜନର ଏପ ପରିଶୁଦ୍ଧ ସ୍ୱରୂପ । ତାଙ୍କ କବିତା ବହିର ଗ୍ରାହକ ଆମର ତଥାକଥିତ ପ୍ରତିଷ୍ଠିତ କବିମାନଙ୍କ ଠାରୁ ବହୁଗୁଣରେ ଅଧିକ ।
କିନ୍ତୁ ଦୁଃଖର କଥା ଓଡିଆ ସାହିତ୍ୟର ଆଲୋଚକ ଏବଂ ଐତିହାସିକମାନେ ତାଙ୍କ ପ୍ରତିଭା ବିଷୟରେ ପ୍ରାୟ ଉଦାସୀନ । କାବ୍ୟ ରଚନା ଏବଂ ସାହିତ୍ୟକର୍ମରେ ବିଶେଷ ରୁଚି ରଖୁଥିବା ଓଡିଆ ଭାଷାର ଦିଗ୍‍ଗଜମାନେ ହଳଧରନାଗଙ୍କ ବିଷୟରେ ବିଶେଷ କିଛି ଜାଣନ୍ତି ନାହିଁ ।ଲୋକ ଏବଂ ପାଠକଠାରୁ ସ୍ୱୀକୃତି ପାଇବା ଜଣେ କବି ଜୀବନର ସବୁଠାରୁ ବଡକଥା । କିନ୍ତୁ ଆମ ସାହିତ୍ୟ ଏକାଡେମୀ ବା ତଥାକଥିତ ସାହିତ୍ୟର ପ୍ରମୁଖ ସଂସ୍ଥାମାନେ ହଳଧର ନାଗଙ୍କ ବିଷୟରେ କିଛି ଜାଣନ୍ତି କି ? ଏହି ଯଶସ୍ୱୀ କବିଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରିବା ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ ହେବା ଉଚିତ୍‍ ନୁହେଁ କି ?

Friday, February 24, 2017

ମହିମା ଭକ୍ତି କବିତା -  'ଫେଡ଼ି କବାଟ ଯାଇ ପଶ ଭିତରେ'


କବି - ଭୀମ ଭୋଇ


ବାଲି ଦେଶରେ ବ୍ୟବହୃତ ଓଁକାରର ଚିହ୍ନ
ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍
ଫେଡ଼ି କବାଟ ଯାଇ ପଶ ଭିତରେ ।ଘୋଷା।

ପରଚେ ଦେଲେ ତାଙ୍କୁ । ଭୟ ନାହିଁ କାହାକୁ ।
ସଂଶୟ ଯିବ ମନୁ ସେବ ପୟରେ ।୧।

ଓ ମ, ବିନି କ୍ଷର । ଜ୍ଞାନୀଜନେ ବିଚାର ।
ଏକତ୍ତ୍ୱ କର ଯୁକ୍ତ ଦିବାନିଶିରେ ।୨।

ପାଦରୁ ଫେଡ଼ି ପଦ । ଅନାମେ କର ଭେଦ ।
ରହିବ ଏକା ଚାରି ଯୁଗରେ ।୩।

ସମ୍ପାଦ ବ୍ରହ୍ମଯୋଗ । ଜନ୍ମବନ୍ଧ ନୋହିବ ।
ପ୍ରବେଶ ହେବ ଜୀବ ବ୍ରହ୍ମପୁରରେ ।୪।

ରୂପ ଅରୂପ ଦୁଇ । ଛନ୍ତି ସମାନ ହୋଇ ।
ମଧ୍ୟ ଅଭୟପୁର ଅଛି ସେଠାରେ ।୫।

ଭଣିଲେ ଭୀମ କନ୍ଧ । ଗଳୁଛି ମକରନ୍ଦ ।
ଉଚ୍ଛିଷ୍ଟ ନାହିଁ କର ପିଅ ମୁଖରେ ।

Thursday, February 23, 2017

ଏକଦା ଏକ ଦିନ - ଏକୋଇଶି ଫେବୃଆରୀ

ମାତୃଭାଷା ଦିବସର ରକ୍ତ କଥା


ଜ୍ୟୋତି ନନ୍ଦ 


ବାଙ୍ଗଲାଦେଶର ଶହୀଦ ମୀନାର

ଏହି ସ୍ଥାପତ୍ୟଟି ଅଛି ବଙ୍ଗଳାଦେଶର ଢାକା ବିଶ୍ୱବିଦ୍ୟାଳୟର ପରିସରରେ । ଏହା ୨୧ ଫେବ୍ରୁଆରି ୧୯୫୨ ରେ ଶହିଦ ହୋଇଥିବା ବଙ୍ଗାଳୀ ଭାଷା ଆନ୍ଦୋଳନର କର୍ମୀମାନଙ୍କର ସ୍ମୃତିରକ୍ଷା କରେ । ଏହାର ଏକ ସମାନ୍ତର ସ୍ଥାପତ୍ୟ ଅଛି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀଙ୍କର । ସ୍ଥାପତ୍ୟଟିର ନାଆଁ ହେଉଛି 'ଭଉଣୀ କୋଳରେ ଜଣେ ଶହୀଦ' । ସମ୍ପ୍ରତି ଏଇ ଶିଳ୍ପକର୍ମଟି କଲିକତାର ବିରଲା ପ୍ଲାନେଟୋରିଅମର ଅପର ପାର୍ଶ୍ୱରେ ଅବସ୍ଥିତ । ସେହି ଜାଗାଟିକୁ "ଏକୁଶେ ଉଦ୍ୟାନ" ବା "ଏକୋଇଶ ର ଉଦ୍ୟାନ" ହିସାବରେ ଗତ ବର୍ଷ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରାଯାଇଥିଲା।

ସେତିତିକିରେ କ'ଣ ଆମମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ, ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମକୁ ଦେଖିପାରିବେ ? ସ୍ଥାପତ୍ୟର ପଛ ପଟରେ ନେପଥ୍ୟର ଇତିହାସ ବଖାଣ ହୋଇଛି । ଦୟାକରି ପଢିବେ । ସାମ୍ନା ପଟରେ ତିନି ଧାଡି କବିତା ଅଛି ବଙ୍ଗଳା ଭାଷାରେ:
" ଆମାଦେର୍ ଭାଇୟେର୍ ରକ୍ତେ ରାଙ୍ଗାନୋ
ଏକୁଶେ ଫେବୃଆରୀ,
ଆମି କି ଭୁଲିତେ ପାରି।"
ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ୟ ଭାଷାର କି ସାମର୍ଥ୍ୟ ଅଛି ପ୍ରତିବନ୍ଧକ ସୃଷ୍ଟି କରିବ ? ଆଶା କରୁଛି ଆମେ ସମସ୍ତେ ଏହାର ଅର୍ଥ ବୁଝି ପାରୁଥିବା । ଆମର ପ୍ରତିବେଶୀ ରାଷ୍ଟ୍ର ବଙ୍ଗଳାଦେଶର ଅବଦୁଲ୍ ଗଫର ଚୌଧୁରୀଙ୍କର ଏଇ ବିଶ୍ୱବନ୍ଦିତ ଗୀତଟି ମୁଁ କେବେହେଲେ ପୂରା ଶୁଣିପାରେ ନାହିଁ।

ଲୁହ ମାନେ ଅବୋଧ ଶିଶୁ, ସେମାନଙ୍କର ଦୋଷ କାହିଁକି ଧରିବା ? ସେମାନଙ୍କର ଅଳି ଅର୍ଦ୍ଦଳି ତ ରହିବ । ଇତିହାସରେ କିଛି ଦିନକୁ ଦେଖିବ ଜୀବନ୍ତ, ଖୁବ୍ ବେଶି ଜୀବନ୍ତ । ଏକୋଇଶୀ ଫେବ୍ରୁଆରୀ ଭଳି। ୧୯୫୨ ମସିହାର ଏକୋଇଶୀ ଫେବ୍ରୁଆରୀରେ  ପଳାଶ ଫୁଲ ହୋଇ ଫୁଟିଗଲେ ସେତେବେଳର ପୂର୍ବ ପାକିସ୍ଥାନ ବା ଆଜିର ବଙ୍ଗଳାଦେଶର ତରୁଣ ଅବଦୁସ୍ ସଲାମ, ଆବୁଲ ବରକତ୍, ରଫିକ୍, ଜବାର୍, ଶଫିଉର୍ ଆଉ ଅହିଉଲ୍ଲାହ । "ବାଙ୍ଗ୍ଲା ଭାଷା, ପ୍ରାଣେର ଭାଷା" ସ୍ଲୋଗାନ ରେ ଢାକା ରାଜପଥରେ ପ୍ରାଣବଳୀ ଦିଅନ୍ତି ଏଇ ତରୁଣ ବଙ୍ଗାଳୀ ପ୍ରଜନ୍ମ, ତତ୍କାଳୀନ ପାକିସ୍ଥାନ ସରକାରଙ୍କର ବଙ୍ଗାଳୀ ବିଦ୍ୱେଷ ବିରୁଦ୍ଧରେ ସ୍ୱର ତୋଳି । ସେଇଦିନଠାରୁ ଗୋଟିଏ ସ୍ୱତନ୍ତ୍ର ବଙ୍ଗଳାଦେଶର ଧାରଣା ଜନ୍ମ ନେଇଥିଲା ସେଠାରେ ।
ଅନେକ ରକ୍ତପାତ ପରେ ବଙ୍ଗଳାଦେଶ ହେଲା ସ୍ୱାଧୀନ ହେଲା ୧୯୭୧ରେ । ବଙ୍ଗଳା ଆଜି ଜାତିସଙ୍ଘର ସ୍ୱୀକୃତ ଭାଷା । କାରଣ ତାହା ଗୋଟିଏ ସ୍ୱାଧୀନ ରାଷ୍ଟ୍ରର ଅର୍ଥାତ୍ ବଙ୍ଗଳାଦେଶର ଭାଷା । ସେଠାରେ ଏଇ ୨୧ ଫେବୃଆରୀକୁ "ଅମର ଏକୁଶେ" ହିସାବରେ ଏକ ଭାଷା ଦିବସ ହିସାବରେ ପାଳନ କରା ହୋଇ ଆସୁଛି । କିନ୍ତୁ ଏଇ ଦିନକୁ ୧୭ ନଭେମ୍ବର ୧୯୯୯ ରେ ମିଳିତ ଜାତିସଙ୍ଘର ୩୦ତମ ଅଧିବେଶନରେ ୨୮ଟି ସଦସ୍ୟ ଦେଶର ସମର୍ଥନରେ "ଆନ୍ତର୍ଜାତିକ ମାତୃଭାଷା ଦିବସ " ହିସାବରେ ସ୍ବୀକୃତି ଦିଆଯାଇଛି । ତାହାପରଠାରୁ ୨୦୦୦ ମସିହାରୁ ଏଇଦିନଟି ଆଉ ବଙ୍ଗଳାଦେଶର ଏକଚାଟିଆ ଅଧିକାର ରେ ନାହିଁ । ଦିନଟି ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଦିନ । ପ୍ରାୟତଃ ବିଶ୍ୱର ୧୮୮ ଟି ଦେଶର ଏହା ଏବେ ପାଳିତ ହେଉଛି । ଏପରିକି ପାକିସ୍ଥାନରେ ବି । ଯେଉଁ ପାକିସ୍ଥାନୀ ଶାସକ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁ ଦିନେ ଜନ୍ମ ନେଇଥିଲା ମହାନ ଏକୋଈଶ ଫେବୃଆରୀ, ସେଠାରେ ଏଇ ମାତୃଭାଷା ଦିବସଟି ସେମିତି ନ ହେଲେ ବି ଧୁମଧାମରେ ପାଳନ ହୁଏ । କରାଚୀ ଓ ଇସଲାମାବାଦ ପ୍ରଭୃତି ସହରରେ ସାହିତ୍ୟ ଉତ୍ସବ ହୁଏ, ଆଲୋଚନା ଚକ୍ରଟିମାନ ଅନୁଷ୍ଠିତ ।
ଏତିକି ପଢିସାରିବା ପରେ ଏଇଠି ବସି ଆମେ କ'ଣ ଭାବିବା ? ତରୁଣମାନଙ୍କ ଭିତରେ ଭାଷା ପାଇଁ ଉନ୍ମାଦନା ଆସିଲେ, ସେମାନେ ଯେ କୌଣସି ଚରମ ତ୍ୟାଗ ପାଇଁ ପ୍ରସ୍ତୁତ ହୋଇ ଲଢି ପାରିବେ । ଆଉ କେହି ନୁହଁ । ସେମାନେ ଉଚ୍ଚ କଣ୍ଠରେ ହିଁ କହିପାରନ୍ତି, ଭାଷା ଆମର ଅଧୀକାର ଆଉ ଦାୟିତ୍ୱ ବି । ଆଉ ବାକି ଆମେ ଯେଉଁମାନେ ରହିଲୁ, ସେମାନଙ୍କର ହଲିଲା ପାଣିକୁ ଗୋଡ ବଢାଇବା କିସ ଦରକାର ? ଯଦି ଆମ ଭିତରୁ କିଏ ଲେଖକ, ତେବେ ତାହାର ଅମରତ୍ୱଟିଏ ଲୋଡା । ଅମରତ୍ୱ କହିଲେ ଓଡିଆ ସାହିତ୍ୟର ପାଠ୍ୟକ୍ରମରେ ରହିଗଲେ ହେଲା । ଆମେ ସମସ୍ତେ ନିଜକୁ ସର୍ବୋତ୍ତମ ପାଠ୍ୟ ର ଯୋଗ୍ୟତାରେ ରଖୁ । ବାକି ଅନ୍ୟ ସବୁ କଥାକୁ ଆଖିରେ ଅନ୍ଧପୁଟୁଳୀ ବାନ୍ଧି ବସିଥାଉ । କିନ୍ତୁ ଆମେ ଠିକ କାନ ଡେରି ଥାଉ ସଞ୍ଜୟ ଆଡକୁ । ସଞ୍ଜୟ କ'ଣ କହୁଛି ? ଆମେ ଯଦି ସାହିତ୍ୟ କଲୁ ତେବେ ଆମର ଲୋଡା ସଞ୍ଜୟ।

ଆଉ ଗୋଟିଏ କଥା ଆମେ ଅମର ଏକୋଈଶରୁ ଶିଖିଲୁ, ତାହା ହେଉଛି, ଭାଷାଟି ଯେ କୌଣସି ଧାର୍ମିକ ବିଭିନ୍ନତାରୁ ଉର୍ଦ୍ଧ୍ୱରେ।ମାତୃଭାଷା ଦିବସରେ ଏଇ ଦୁଇଟି କିଛି କମ ଉପଲବ୍ଧି ନୁହଁ। ଆମର କୃତବିଦ୍ୟମାନଙ୍କର ଗପ, କବିତା, ଉପନ୍ୟାସ ଆପଣମାନଙ୍କର ନିତ୍ୟ ସହଚର ହୋଇଥିବ । ସେମାନଙ୍କର ଭାଷାଭାବନା ଉପରେ ଆପଣମାନେ ହୁଏତ ଜାଣିଥାଇ ପାରନ୍ତି, ମାତ୍ର ମୋର ଧାରଣାରେ କିଛି ନାହିଁ । ହୁଏତ ସେମାନେ ଭାଷାଭାବନାଟି କୁ ନିଜର ସୃଜନାତ୍ମକ ଦୃଷ୍ଟିରେ ନିକୃଷ୍ଟ ମନେ କରୁଥାଇ ପାରନ୍ତି । କିଏ ଜାଣେ?

ମୁଁ ଭୁବନେଶ୍ୱରରେ ଅଛି । ଆଜି ମାତୃଭାଷାର ଦିବସ ସମ୍ପର୍କରେ କୌଣସି ଉତ୍ସାହପ୍ରଦ ସୂଚନା ମୋ ପାଖରେ ନାହିଁ । ଆଜି ଅମର ଏକୋଈଶ ପାଳନ ଅବସରରେ ବଙ୍ଗଳାଦେଶର ଗୋଟିଏ ଚାନେଲ କିଛି ଲୋକଙ୍କୁ ପଚାରିଥିଲେ, ବାଙ୍ଗ୍ଲା ଭାଷାରେ ଆପଣଙ୍କର ସବୁଠାରୁ ପ୍ରିୟ ଶବ୍ଦର କଥା କହିଲେ କେଉଁ ଶବ୍ଦଟି ମନକୁ ଆସୁଛି ? ସବୁଠାରୁ ବେଶି ଯେଉଁ ଉତ୍ତର ଟି ଥିଲା, ତାହା ହେଉଛି, ମାଆ ।

ପ୍ରତି ଦୁଇ ସପ୍ତାହରେ ପୃଥିବୀରୁ ଗୋଟିଏ ଭାଷା ମରେ । ପ୍ରତି ଭାଷା ମରିବା ସହିତ, ପୃଥିବୀଟି ଆଉଟିକିଏ ଅଧିକ ସଙ୍କୁଚିତ ହୋଇଯାଏ । ସଙ୍କୁଚିତ ଏଇଥିପାଇଁ ହୁଏ, କାରଣ ଆମେ ଯେତେ ଅଧିକ ଭାଷାରେ ପୃଥିବୀକୁ ଡାକିବୁ ପୃଥିବୀର ସେତିକି ଶବ୍ଦ-ଧ୍ୱନୀ-ଭିତ୍ତିକ ବ୍ୟାପ୍ତି ରୂପ ରହିବ। ଓନା-ଭାରତୀୟ ବୋଲି ଗୋଟିଏ ସମ୍ପ୍ରଦାୟର ଶେଷ ପ୍ରତିନିଧି ଥିଲା ଆଞ୍ଜେଲା ଲୋଇଜ୍ । ଆଞ୍ଜେଲା ସେଇ ସମ୍ପ୍ରଦାୟଙ୍କ ଭାଷା କହିବାରେ ଶେଷ ଓ ଏକମାତ୍ର ମହିଳା । ସେ ଯାହା କହୁଥିଲା ତାହା କେବଳ ନିଜେ ବୁଝୁଥିଲା । ୧୯୭୪ରେ ସେ ପ୍ରାଣତ୍ୟାଗ କଲା । ଓନା-ଭାରତୀୟ ମାନେ ଅନେକ ଦେବତାଙ୍କୁ ପୂଜା କରୁଥିଲେ । ସେମାନଙ୍କର ମଧ୍ୟରେ ଶ୍ରେଷ୍ଠ ଦେବତା ଥିଲେ, ପେମାଲକ୍ ।ପେମାଲକ୍ ର ଅର୍ଥ ହେଉଛି; "ଶବ୍ଦ"।

ଶେଷକଥା: ୨୧ ଫେବ୍ରୁଆରୀରେ, ୧୮୪୮ ମସିହାରେ କମ୍ୟୁନିଷ୍ଟ ପାର୍ଟିର ଇସ୍ତାହାର ମାର୍କସ ଓ ଏଞ୍ଜେଲସଙ୍କ ଦ୍ୱାରା ପ୍ରଥମଥର ପ୍ରକାଶିତ ହୋଇଥିଲା।

Wednesday, February 22, 2017

ଜାତୀୟ ମୁକ୍ତି ସଙ୍ଗ୍ରାମର କବିତା -  'କି ହେବ ସ୍ୱରାଜ ଘେନି' 



କବି - ବାଞ୍ଛାନିଧି ମହାନ୍ତି (୧୮୯୭-୧୯୩୮)


ଚମ୍ପାରଣ ସତ୍ୟାଗ୍ରହର ନେତାମାନଙ୍କର ଚିତ୍ର

କି ହେବ ସେ ସ୍ୱରାଜ ଘେନି 
ଯେବେ ମୋର ନ ପୂରେ ପେଟ
ଖଟି ଖଟି ମଲେଣି ମୂଲିଆ 
ଚାଷୀ ଚଷି ଦାନା-କନା ନିଅଣ୍ଟ । (ଘୋଷା)।

ଅଧମାଣେ ଜମି ଜଣକା
କୋରଖରେ ସେ ପୁଣି ବିକା
ଗାଁ'ର ସଭିଏଁ କରଜ କରନ୍ତି
ଜଣେ ଦୁଇ ଜଣ ବମ୍ବେଇ ସେଠ ।୧।

ବସ ପଛେ ଲାଟ ଆସନେ
ମନ୍ତ୍ରୀ ହୁଅ ନୂଆ ଶାସନେ
ଚାଷୀ ଯେ ତିମିରେ ଚାଷୀ ସେ ତିମିରେ 
ସୁଖ ସଙ୍ଗେ କେବେ ହେବନି ଭେଟ ।୨।

ଧଳା ସ୍ଥାନେ କଳା କରତା
ହୁଅ ପଛେ ଦୈବ ବିଧାତା
ଧନୀ କି ଦରିଦ୍ର ଭେଦ କି ଘୁଞ୍ଚିବ
ବଡ଼ବଡ଼ିଆଙ୍କ ନଜର ହେଟ ।୩।

ମୋ ଭାଇର ବାଟିକୁ ବାଟି
ଅମାର ତ ପଡ଼ୁଛି ଫାଟି
ମୋର ଚାଳେ ନାହିଁ ଛପର କୁଟାଟି
ମୋ ଭାଇ ଶୋଇଛି ଛପର ଖଟ ।୪।

Monday, February 20, 2017

ପର୍ବତରେ  ଧର୍ମୋପଦେଶ - ୬

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ପୃଥିବୀର ପ୍ରଥମ ଛପା ବାଇବେଲ, ଗୁଟେନବର୍ଗ ବାଇବେଲ (୧୪୫୫ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

"ତୁମ୍ଭର ପ୍ରତିବାସୀକି ପ୍ରେମ କରିବ, ଓ ଶତୃକୁ ଘୃଣା କରିବ," ଏହି ପୂର୍ବ ଉକ୍ତି ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ତୁମ୍ଭ ଶତୃକୁ ପ୍ରେମ କର; ପୁଣି ଯେଉଁମାନେ ତୁମ୍ଭକୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର । ତହିଁରେ ଯେ ଦୁଷ୍ଟ ଓ ସାଧୁ ଲୋକଙ୍କ ଉପରେ ଆପଣାର ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକମାନଙ୍କ ଉପରେ ଜଳ ବର୍ଷାନ୍ତି, ଏମନ୍ତ ଯେ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ୍ଭେମାନେ ତାହାଙ୍କର ସନ୍ତାନ ହେବ । ଯେହେତୁ ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ ତୁମ୍ଭମାନଙ୍କର କି ଫଳ ହେବ ? କରଗ୍ରାହୀମାନେ କଣ ଏପରି କରନ୍ତି ନାହିଁ ? ଆଉ ତୁମ୍ଭେମାନେ ଯେବେ କେବଳ ଆପଣା ଭାଇମାନଙ୍କୁ ନମସ୍କାର କର, ତେବେ କି ଅଧିକ କର୍ମ କର ? ପରଜାତୀୟମାନେହିଁ କି ସେରୁପ କରନ୍ତି ନାହିଁ ? ଅତଏବ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ ଅଟନ୍ତି, ତୁମ୍ଭେମାନେ ସେପରି ସିଦ୍ଧ ହୁଅ ।

ସାବଧାନ, ମନୁଷ୍ୟମାନଙ୍କୁ ଦେଖାଇବା ପାଇଁ ସେମାନଙ୍କ ଗୋଚରରେ ଧର୍ମକର୍ମ କର ନାହିଁ, ତାହା କଲେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କଠାରୁ କୌଣସି ଫଳ ପାଇବ ନାହିଁ । ଏଣୁ ଯେତେବେଳେ ଦାନ କର, ସେତେବେଳେ କପଟୀ ଲୋକେ ଯେମନ୍ତ ମନୁଷ୍ୟଠାରୁ ପ୍ରଶଂସା ପାଇବା ପାଇଁ ଭଜନାଳୟରେ ଓ ରାଜଦାଣ୍ଡରେ ତୂରୀ ବଜାନ୍ତି, ସେପରି କର ନାହିଁ; ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ସେମାନେ ଆପଣା ଫଳ ପାଇଥାନ୍ତି । ପୁଣି ତୁମ୍ଭେ ଯେତେବେଳେ ଦାନ କର, ସେତେବେଳେ ତୁମ୍ଭର ଦକ୍ଷିଣ ହସ୍ତ କଣ କରୁଅଛି, ତାହା ବାମ ହସ୍ତକୁ ଜଣାଅ ନାହିଁ । ଏହି ରୂପେ ତୁମ୍ଭର ଦାନ ଗୋପନରେ ହେବ; ଆଉ ତୁମ୍ଭର ପିତା ଯେ ଗୋପନରେ ଦେଖନ୍ତି, ସେ ତୁମ୍ଭକୁ ଫଳ ଦେବେ ।      


ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

Sunday, February 19, 2017

ଜାତୀୟ ମୁକ୍ତି ସଙ୍ଗ୍ରାମର କବିତା - 'କହ କେଉଁ ଜାତି ପାଇଛି ମୁକତି'


କବିତା ଓ କଣ୍ଠ ବାଞ୍ଛାନିଧି ମହାନ୍ତି (୧୮୯୭-୧୯୩୮)


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=Cf5xRYSY-JI


ବାଞ୍ଛାନିଧି ମହାନ୍ତି
ଫଟୋ କ୍ରେଡ଼ିଟ - ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁଡଟୟୁଟ୍ୟୁବଡଟକମ




Saturday, February 18, 2017

ଓଡ଼ିଆ ଯୁଦ୍ଧବିରୋଧୀ କବିତା - 'ମୁଁ ଯେ ବିଦ୍ରୋହୀ'


ଜାତୀୟ କବି ବିରକିଶୋର ଦାସ (୧୮୯୨ - ୧୯୫୪) 


ମାୟା ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ମୁଁ ଯେ ବିଦ୍ରୋହୀ ଚିର ବିଦ୍ରୋହୀ
ଚିର ରଣଜୟୀ ରଣବିଦ୍ରୋହୀ
ରଣ ମାନବ ରଣ ଦାନବ 
ରଣ ରକ୍ତ ମୁଖରୁ ମୁକ୍ତ କରିବି ମୋର ମହୀ ।୧।

ତୋପ ବନ୍ଧୁକ ଯେତେ ହରିବି
ବିଷ-କନ୍ଦୁକ ଯେତେ ଚୂରିବି,
ରଣ ଅସ୍ତ୍ର ଯେତେ ମୁଁ ଭାଙ୍ଗିଭୁଙ୍ଗି ଦେଇ
ଗଢ଼ିବି ଲଙ୍ଗଳ, ମଇ ।୨।

ଶ୍ରମ ସିଞ୍ଚିତ ଧନ କିଞ୍ଚିତ 
କେବେ କରାଇ ନ ଦେବି ବଞ୍ଚିତ
ଏ ଲୁଣ୍ଠନ ଚିନ୍ତା ଦରବାର ଲାଗି
ଗୁଣ୍ଠେ ନ ଦେବି କାହିଁ ।୩।

ନର ହତ୍ୟାରେ ନର ଗୌରବ 
ନର ବନ୍ଧନେ ନର ବୈଭବ
ଗୌରବ ପ୍ରଥା ରଖିବି ନାହିଁ ମୁଁ
ଦେଇ ବୀରତ୍ୱର ଦ୍ୱାହି ।୪।

ଯୁଗ ଅତ୍ୟାଚାର ମୁଁ ଦଳିବି
ସତ ଶାନ୍ତି ପତାକା ମୁୂଁ ତୋଳିବି,
ମୃତ୍ୟୁ ଆସନ ଟଳମଳ ହେବ 
ହେବି ମୁଁ ଜଗତଜୟୀ ।୫।

Friday, February 17, 2017

 ଓଡ଼ିଆ ସିନେମା ଗୀତ - 'ପରଦେଶୀ ବନ୍ଧୁ ତୁମେ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=WU7G8QSoxwc


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍





Thursday, February 16, 2017

ଓଡ଼ିଆ ସିନେମା ଗୀତ - 'ଉଦାସୀ ଆଖି ଚାହିଁ ରହେ' 


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=AsVclyWThxs



ଗୀତ - ନାରାୟଣ ପ୍ରସାଦ ସିଂହ
କଣ୍ଠ - ଆରତି ମୁଖର୍ଜୀ

ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ
ଯାଏରେ
ଉଦାସୀ ଆଖି ଚାହିଁ ରହେ
ପିଆସୀ ମନ ଝରିଯାଏ


Wednesday, February 15, 2017

ମହିମା ଭକ୍ତି କବିତା - 'ସ୍ୱାମୀ ବୁଝିବେ ହେ'


କବି - ଭୀମ ଭୋଇ


ମିଶର ଦେଶର ହାଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସ୍ୱାମୀ ବୁଝିବେ ହେ ଆତଙ୍ଗେ ଡାକିଲେ ।
ଉଦେ ଅସ୍ତ ଦରଶନ ଧର୍ମକୁ ପାଳିଲେ । ଘୋଷା ।

ଅମୂଲ୍ୟ ରତନ ବାନ୍ଧିଥା ଯତନ
ହସ୍ତରୁ ଖସିବ ଧର ଧର ଏତେବେଳେ ।୧।

ଫିଟିଛି କବାଟ କରିଆସ ହାଟ,
ବଜାର ବସିଛି କିଣ ଯାହା ଇଚ୍ଛା ଥିଲେ ।୨।

ବାଛି ବାଛି ନିଅ ଭଣ୍ଡାରରେ ଥୁଅ 
ହେଳା କଲେ ଭେଳା ବୁଡ଼ି ଭାସିଯିବ ଜଳେ ।୩।

ଧରିଥା ସମ୍ଭାଳି ନିତ୍ୟେ ପ୍ରତିପାଳି,
ତିମିର ଫିଟିବ ପ୍ରଭୁ ପ୍ରସନ୍ନ ହୋଇଲେ ।୪।

ପଡ଼ୁଅଛି କୂଟ ହୋଇ ନାନା ବାଟ
ରଙ୍ଗ ପସରାରେ ବୁଡ଼ି ମରନାହିଁ ଭୋଳେ ।୫।

ଚାହିଁ ଦୟା ଥିବ ସ୍ୱାମୀ ଗୁରୁଦେବ
ଭୀମ ଭୋଇ ଅଛି ସୁର ଅସୁରଙ୍କ ମେଳେ ।୬।

Tuesday, February 14, 2017

ଏକଦା ଏକ ଦିନ - ଚଉଦ ଫେବୃଆରୀ


ଇତିହାସ , ସନ୍ଥ ଭାଲେଣ୍ଟାଇନ ଓ ଏକ ପ୍ରେମର ପର୍ବ 


ଜ୍ୟୋତି ନନ୍ଦ


ଶିଷ୍ୟମାନଙ୍କ ସହ ସନ୍ଥ ଭ୍ୟାଲେଣ୍ଟାଇନ


ବିତର୍କିତ ପ୍ରସଙ୍ଗଟିର ପରିପ୍ରେକ୍ଷ୍ୟ ଭିନ୍ନ । କିନ୍ତୁ ଏମିତିରେ ଦେଖିଲେ ଫେବୃଆରୀ ୧୪ ତାରିଖର ଭାଲେଣ୍ଟାଇନ ଦିବସର ପାଳନକୁ ବର୍ତ୍ତମାନ ସମୟର ସବୁଠାରୁ ବିତର୍କିତ ପର୍ବ ହିସାବରେ ନିଆଯାଇପାରେ । ଏହି ଦିବସଟି କ୍ରମଶଃ ଏକ ପ୍ରକାର ତାରୁଣ୍ୟର ଆବେଗ ଆଉ ଉତ୍ସାହର ପ୍ରତୀକ ହୋଇ ଉଠିଛି ।

ଇତିହାସ ଦୃଷ୍ଟିରେ ତାରୁଣ୍ୟକୁ, ବିଶେଷ କରି ପ୍ରେମକୁ, ଦେହ ହେଉ କି ବିଦେହ ଉଭୟ କ୍ଷେତ୍ରରେ, ସବୁ ସମୟରେ ବିରୋଧ କରାଯାଇଛି । ସାଧାରଣତଃ ପିତୃସୁଖରୁ ବଞ୍ଚିତ ଅବହେଳିତ କିଶୋରଟି ନିଜ ପ୍ରଚେଷ୍ଟାରେ ସକ୍ଷମ ହୋଇ ପିତୃ-ପରିଚୟ-ଅର୍ଜନର ସନ୍ଧାନରେ ବାହାରି ସ୍ୱବିକ୍ରମରେ ନାୟକ ହୁଏ । ନାୟକ ହେଲାପରେ ପିତାର ଗୌରବକୁ ପୁନର୍ସଂସ୍ଥାନ କରି ଆତ୍ମବଳୀ ଦେଇ ଲୋକକଥାରେ ଅମର ହୋଇ ରହେ । ଧର୍ମପଦ ଭଳି ତରୁଣ ମାନଙ୍କର ଏହି ପରି ବୟସ୍କମାନଙ୍କ ପାଇଁ ବଳିଦାନର କାହାଣୀ ପୃଥିବୀର ପ୍ରାୟ ସବୁ ପୁରାଣରେ ଦେଖିବାକୁ ମିଳିବ । ଏହା ବୟସ୍କମାନଙ୍କର ସିଦ୍ଧାନ୍ତକୁ ତରୁଣମାନଙ୍କ ମାର୍ଫତରେ ବୈଧ କରିବାର ଏକ ସୁଚତୁର କୌଶଳ । ଆମ ପୁରାଣରେ ପୁଅ ପୁରୁ ବାପ ଯଯାତିର ବାର୍ଦ୍ଧକ୍ୟକୁ ଗୌରବର ସହ ବହନ କରି ବାପକୁ ନିଜ ଯୌବନ ସମ୍ପ୍ରଦାନ କରବା ସହ ଯାବତୀୟ ଶାରିରୀକ ଆନନ୍ଦର ସୁଯୋଗ ପ୍ରସ୍ତୁତ କରି ପୁତ୍ରପଣର ଉଜ୍ଜଳ ପ୍ରତୀକ ହୋଇ ରହିଅଛି । ଶାରିରୀକ ଭାବରେ ବୟସ୍କର ଜୟଯାତ୍ରା କହିବାକୁ ଗଲେ ସବୁଠାରେ ଆଉ ସେଇଠି ତରୁଣର ସ୍ଥାନ ତ୍ୟାଗରେ । ତେଣୁ ତରୁଣ ମାନଙ୍କର ପର୍ବଟିଏ ଉପସ୍ଥିତ ହେଲେ ଅ-ତରୁଣ ମାନଙ୍କର ମାନସିକ କ୍ଷୋଭ ଆଉ ଅସହାୟତାର ସୈଦ୍ଧାନ୍ତିକ ମାନସିକତାକୁ ବୁଝିବା ସେତେ କଷ୍ଟକର ନୁହଁ ।

ଅନ୍ୟପକ୍ଷରେ ସବୁ ସମୟରେ ବିଚାର କରାଯାଇଛି ଯେମିତି ପ୍ରେମଟି ଅଶାସ୍ତ୍ରୀୟ । କେବଳ ଦେବତାମାନଙ୍କର ଶାରୀରିକ ସମ୍ପୃକ୍ତିର ପୌରାଣିକ ଉତ୍ସବ ଯାହା, ମାନବମାନଙ୍କ ପାଇଁ କେବଳ ପଠନଯୋଗ୍ୟ ସାମଗ୍ରୀ ମାତ୍ର । ଆମେ ରାଧାକୃଷ୍ଣଙ୍କ ଲୀଳାରେ ବିଭୋର ହେଉ । କିନ୍ତୁ ସେଇ ଭଳି, ଅର୍ଥାତ, ରାଧାକୃଷ୍ଣଙ୍କ ଭଳି ଜୀବନଟିଏ ଜିଇଁବା ପାଇଁ ଯଦି କେହି ଚାହେଁ,  ତେବେ ଆମର ସମାଜ ତଥା ଶାସ୍ତ୍ରଜ୍ଞମାନେ କେଉଁ ପ୍ରକାରର ପଦକ୍ଷେପ ନେବେ, ତାହା ଆପଣମାନେ ବେଶ୍ ଭଲଭାବରେ ଜାଣନ୍ତି । କହିବାର କଥା ହେଉଛି ପୁରାଣରେ ଦେବତା ମାନଙ୍କର ଯେଉଁ ଜୀବନଧାରାକୁ ଆମେ ଶ୍ରଦ୍ଧାର ସହ ଅଧ୍ୟାୟେ ଅଧ୍ୟାୟେ ପାଠ କରୁ, ତାହା ସହିତ  ଆମର ବ୍ୟକ୍ତିଗତ ଜୀବନଧାରାର ପାର୍ଥକ୍ୟ ବହୁଳ ଭାବରେ ରହିଛି । ସେଇ ପାର୍ଥକ୍ୟଟି ମୂଖ୍ୟତଃ ପ୍ରେମର ଅବଧାରଣାକୁ କୁ ନେଇ । 

ଦେବତା-ଜୀବନରେ ରମଣୀ ଆଉ ମାନବ-ଜୀବନରେ ରମଣୀ ମଧ୍ୟରେ ପାର୍ଥକ୍ୟ ବେଶ୍ ସୁସ୍ଫଷ୍ଟ । ଦେବତାମାନଙ୍କର ପ୍ରେମରେ କୌଣସି ପ୍ରତିବନ୍ଧକ ନଥାଏ । ନିୟତି କୌଣସି ଜନ ଅଗୋଚର ସ୍ଥାନକୁ ବାଘ ବେଶରେ ଆସି ଅପେକ୍ଷାରତା କିଶୋରୀ ଗୌରୀର ଉତ୍ସ୍ୱାସର ରକ୍ତପାନ କଲାପରି କାହାଣୀ ଦେବତାମାନଙ୍କର ନାହିଁ । ମୋଟାମୋଟି ଭାବରେ କହିବାକୁ ଗଲେ ଦେବତାମାନେ ପ୍ରେମିକ ଏବଂ ପୁରାଣ ସାରା ସେମାନଙ୍କର ପ୍ରେମର ଆଉ ବୀରତ୍ୱର ଜୟଗାନ । ମଣିଷ ମାନଙ୍କ ପାଇଁ ପ୍ରେମ ନିଷିଦ୍ଧ ଫଳ । କାମର ଦେବତାକୁ ନିଜେ ଦେବତାମାନେ ଜାଳିବା ଭଳି ଘଟଣା ଘଟାଇ ସେଇ ବିଶେଷ ଦେବତାକୁ ନିଜେ ଦେବତା ମାନେ ହିଁ ଗୌଣ କରିଦେଇଛନ୍ତି । 

ଆମ କାବ୍ୟପରମ୍ପରାରେ ଶୃଙ୍ଗାରର ଭୂରିଭୂରି ପ୍ରୟୋଗ ଥିଲାବେଳେ, ଶୃଙ୍ଗାର ନ ଲେଖିଲେ କବି ନୁହେଁ ବୋଲି କହୁଥିବା ବେଳେ, ଯେଉଁ ଶୃଙ୍ଗାରଟିକୁ ସଚରାଚର ଦେଖାଯାଏ, ତାହା ଦେବତା-ଆଶ୍ରିତ ଓ ନାୟକ ବା ରାଜା ମହାରାଜାଙ୍କ ଶୟନକକ୍ଷର ପରିବର୍ଦ୍ଧିତ ସଂସ୍କରଣ ମାତ୍ର । ସମାଜସ୍ୱୀକୃତ ଶାରିରୀକ ସମ୍ପର୍କକୁ ନେଇ ଅନେକ ଚିତ୍ରକାବ୍ୟ-ବନ୍ଧୋଦୟ ରଚିତ ହୋଇଛି । ମାତ୍ର ସାଧାରଣ ମଣିଷର ପ୍ରେମ ସେଠାରେ ଅନୁପସ୍ଥିତ । ଏହି ପ୍ରକାର ପ୍ରେମକୁ ସ୍ଥିତାବସ୍ଥାର ବିଦ୍ରୋହ ଭଳି ବିବେଚନା କରାଯାଇଛି । ତେଣୁ ପ୍ରେମର ପର୍ବ ପାଳନର ବିରୋଧ କୌଣସି ପରିବର୍ତ୍ତନର ବିରୋଧ ବୋଲି ଦେଖାଯାଇପାରେ ।

ବୌଦ୍ଧଯୁଗରୁ ଭାରତର ଇତିହାସରେ ଗୋଟିଏ ଧାରଣାକୁ ସାଂସ୍କୃତିକତାର ପୁଟ ଦେଇ ମହିମାମଣ୍ଡନ କରି ପ୍ରଚଳନ କରାଗଲା । ସେଇ ଧାରଣାଟି ହେଉଛି ବ୍ରହ୍ମଚର୍ଯ୍ୟ ଦ୍ୱାରା ଶରୀର ଉପରେ ଆଧିପତ୍ୟ ବା ବିଜୟ । ଶାରୀରିକ ଶୁଚିତାର ସର୍ବଶ୍ରେଷ୍ଠ ରୂପ ବ୍ରହ୍ମଚର୍ଯ୍ୟ ବୋଲି ଗାନ୍ଧି ଯୁଗରେ ଆଉ ଖ୍ରୀଷ୍ଟୀୟ କାଥୋଲିକ ମାନଙ୍କର ଧାର୍ମିକ ଅନୁବନ୍ଧିତ ଇଂରେଜ ଶାସନରେ ବହୁଳ ଭାବରେ କୁହାଗଲା । ଫଳସ୍ୱରୂପ ଭାରତୀୟ ମାନସିକତାରେ ବ୍ରହ୍ମଚର୍ଯ୍ୟର ଗୁରୁତ୍ୱ ପରିପ୍ରେକ୍ଷୀରେ କୌଣସି ପ୍ରେମର ପର୍ବ ପାଳନ ଗ୍ରହଣୀୟ ହେବା ଏତେ ସହଜ ନୁହଁ ।

ଭାଲେନ୍ତାଇନ ଦିବସ ବୋଲି ଯେଉଁ ପର୍ବ ପାଳନ ଫେବୃଆରୀ ଚଉଦ ତାରିଖରେ ହେଉଛି, ତାହା ପ୍ରକୃତରେ କାଥୋଲିକ ଚର୍ଚ୍ଚର ଏକ ଅଣଖ୍ରୀଷ୍ଟୀୟ ଉତ୍ପାଦକ-ଉତ୍ସବ ସହ ଜଣେ ଖ୍ରୀଷ୍ଟୀୟ ଶହୀଦଙ୍କର ମୃତ୍ୟୁପାଳନକୁ ଯୋଡି ନିର୍ମାଣ କରାଯାଇଥିବା ଏକ ପ୍ରେମର ପର୍ବ  ।

ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ରୋମୀୟମାନେ ତରୁଣ ମାନଙ୍କର ଏକ ବାର୍ଷିକ ଉତ୍ସବ ପାଳନ କରୁଥିଲେ । ସେଇ ଉତ୍ସବଟି ଦେବତା ଲୁପେରକସ୍ ଙ୍କ ପାଇଁ ଉତ୍ସର୍ଗୀକୃତ ଥିଲା । ଉତ୍ସବ ପାଳନ ସ୍ଥଳକୁ ଗୋତିଏ ବଡ ବାକ୍ସ ଅଣାଯାଉଥିଲା । ବାକ୍ସରେ କିଶୋରୀମାନଙ୍କର ନାଆଁ ଚିରକୁଟରେ ଲେଖି ପକାଯାଉଥିଲା । ତାହା ପରେ ଉପସ୍ଥିତ ହେଉଥିଲେ ଅତ୍ୟନ୍ତ ଉଲ୍ଲାସର ସହ କିଶୋର ଦଳ । ଜଣକ ପରେ ଜଣେ କିଶୋର ଲଟେରି ଉଠାଉଥିଲେ । ଯାହା କପାଳକୁ ଯିଏ ଉଠିଲା ସେ ତାହାକୁ ଧରି ଉଭାନ ହୋଇଯାଉଥିଲା । ଏହିଭଳି ଉଭାନ ହୋଇ ଏକାଠି ରହିବା ବିଧାନ ଚିରକାଳ ପାଇଁ ନୁହଁ । ତାହାର ଗୋଟିଏ ସମୟସୀମା ଥିଲା । ବର୍ଷକ ପାଇଁ,ପରବର୍ତ୍ତି ଲଟେରି ହେବା ଯାଏଁ । ଏହି ଭଳି ଏକ ପ୍ରଥାକୁ ପ୍ରାୟ ଆଠ ଶହ ବର୍ଷ ପରେ, ଅର୍ଥାତ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ ପରିବର୍ତ୍ତନ କରିବା ପାଇଁ ଚର୍ଚ୍ଚର କର୍ମକର୍ତ୍ତାମାନେ ସ୍ଥିର କଲେ । ସେମାନେ ଦେବତା ଲୁପେରକସ୍ ଙ୍କ ସ୍ଥାନରେ ଆଉ ଜଣେ କାହାକୁ ବସାଇବାକୁ ଚାହୁଁଥିଲେ, ଯିଏକି ପ୍ରେମର ଏକ ବିଶ୍ୱସ୍ତ ପ୍ରତୀକ ହୋଇପାରିବେ ।

ଠିକ୍ ସେତିକିବେଲେ କାହାଣୀ ଭିତରକୁ ପ୍ରବେଶକଲେ ସନ୍ଥ ଭାଲେନ୍ତାଇନ୍, ଖ୍ରୀଷ୍ଟୀୟ ୨୭୦ ରେ ଜଣେ ଶହୀଦ । ଦେବତା ଲୁପେରକସ୍ ଙ୍କ ସ୍ଥାନରେ ସେ ବିବେଚିତ ହେଲେ ପ୍ରେମର ପ୍ରତୀକ ଭାବରେ ଚର୍ଚ୍ଚର କର୍ମକର୍ତ୍ତାମାନଙ୍କ ଦ୍ୱାରା, ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରେ । ଖ୍ରୀଷ୍ଟୀୟ ୨୭୦ରେ ରୋମ୍ ରେ ଭାଲେନ୍ତାଇନ୍ ବୋଲି ଜଣେ ବିଶପ ତକ୍ରାଳୀନ ସମ୍ରାଟ କ୍ଲାଉଡିଅସ ଦ୍ୱିତୀୟଙ୍କର ବିରାଗ ଭାଜନ ହୋଇଥିଲେ । ପୃଥିବୀର ଇତିହାସରେ ରୋମୀୟ ନରପତିମାନଙ୍କ ଭଳି କ୍ରୁରତା ଅନ୍ୟତ୍ର ଦେଖାଯାଏ ନାହିଁ । କ୍ଲାଉଡିଅସଙ୍କର ବିଶ୍ୱାସ ଥିଲା ଯେ ବିବାହିତ ପୁରୁଷମାନେ ସୈନ୍ୟବାହିନୀ ନିମନ୍ତେ ନିହାତି ଅପାରଗ । କାରଣ ସେମାନେ ନିଜନିଜର ସ୍ତ୍ରୀ ପୁତ୍ର ଆଦିଙ୍କୁ ଛାଡି ଦୂର ସ୍ଥାନକୁ ଯାଇ ଯୁଦ୍ଧ କରିବାକୁ ସବୁବେଳେ ଅନିଚ୍ଛୁକ ହେବେ । ଏଣେ ରାଜାର ସବୁସମୟରେ ଦରକାର ଯୁଦ୍ଧ । 

ରାଜା କ୍ଲାଉଡିଅସ ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ବାଟ ବାହାର କଲେ । ଶିର ନଥିଲେ ଶିରପୀଡା ଆସିବ ନାହିଁ । ସେ ଖ୍ରୀଷ୍ଟୀୟ ୨୭୦ରେ  ସମସ୍ତ ବିବାହକୁ ନିଷିଦ୍ଧ କରି ଏକ ଘୋଷଣାନାମା ଜାରି କଲେ । ଠିକ ଏହି ସମୟରେ ଇନ୍ତେରାମନାର ବିଶପ ଥାଆନ୍ତି ଭାଲେନ୍ତାଇନ । ସେ ରାଜାଦେ କୁ ଖାତିର ନକରି ସମସ୍ତ ପ୍ରେମିକମାନଙ୍କୁ ଗୁପ୍ତରେ ସାକ୍ଷାତ କରିବାକୁ ନିମନ୍ତ୍ରଣ କରୁଥିଲେ ଓ ସେମାନଙ୍କର ବିବାହକର୍ମ ନିଜେ ସମ୍ପାଦିତ କରୁଥିିଲେ । କ୍ଲାଉଡିଅସ ଏହି ‘ପ୍ରେମିକମାନଙ୍କର ବନ୍ଧୁଙ୍କର ଖବର ପାଇଗଲେ । ତାଙ୍କୁ ଡକରା ଆସିଲା ରାଜନଅରରୁ । ରାଜା କ୍ଲାଉଡିଅସ କିନ୍ତୁ ଏହି ତରୁଣ ଖ୍ରୀଷ୍ଟୀୟ ଧର୍ମଯାଜକଙ୍କ ସାହସ ଆଉ ଧାର୍ମିକ ବିଶ୍ୱାସ ପ୍ରତି ଆନୁଗତ୍ୟ ଦ୍ୱାରା ପ୍ରଭାବିତ ହେଲେ । ଚେଷ୍ଟା କଲେ ଭାଲେନ୍ତାଇନଙ୍କୁ ନିଜ ଧର୍ମ ଆଡକୁ ଟାଣିବା ପାଇଁ । ସେ କିନ୍ତୁ ଖ୍ରୀଷ୍ଟ ଧର୍ମ ରେ ଦୃଢ ରହିଲେ ।

ଫେବୃଆରୀ ୨୪,୨୭୦ ଖ୍ରୀଷ୍ଟାବ୍ଦରେ ପ୍ରଥମରେ ପଥର ମାଡ ଓ ପରେ ମୁଣ୍ଡକାଟି ଭାଲେନ୍ତାଇନଙ୍କୁ ହତ୍ୟା କରାଯାଇଥିଲା । ଇତିହାସ କହେ ଜେଲରେ ଥିଲାବେଳେ ଭାଲେନ୍ତାଇନ ପ୍ରେମରେ ପଡିଥିଲେ । ତାଙ୍କର ପ୍ରେମିକାର ନାଆଁ ଆସ୍ତେରିସ । ସେ ବନ୍ଦୀ ଥିବା ଜେଲ୍ ର ଜେଲରଙ୍କ ଝିଅ ସେ । ଜନ୍ମରୁ ଦୃଷ୍ଟିହୀନ । ନିଜର ଆଧ୍ୟାତ୍ମିକ ପ୍ରଭାବରେ ସେ ଆସ୍ତେରିସର ଦୃଷ୍ଟିଶକ୍ତି ଫେରାଇ ଆଣି ପାରିଥିଲେ । ନିଜର ପ୍ରିୟତମାକୁ ବିଦାୟ ପତ୍ରରେ ସେ ସନ୍ତକ କରିଥିଲେ - 'ଇତି ତୁମର ଭାଲେନ୍ତାଇନ' ।

‘ଇତି ତୁମର ଭାଲେନ୍ତାଇନ୍’ ତାହାପରଠାରୁ ଏକ ବହୁ ବ୍ୟବହାରକାରୀ ଆବେଗର ବାକ୍ୟ ହୋଇ ରହିଆସିଛି ।

ସନ୍ଥ ଭାଲେନ୍ତାଇନଙ୍କୁ ବିକଳ୍ପ ହିସାବରେ ପାଇଗଲା ପରେ ଚର୍ଚ୍ଚର କର୍ମକର୍ତ୍ତାମାନେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରୁ ପ୍ରଚଳିତ ମଧ୍ୟ-ଫେବୃଆରୀର ରୋମୀୟମାନଙ୍କର ସେହି ଲୁପେରିସୀୟ ଉତ୍ସବକୁ ବାତିଲ କରିଦେଲେ । ସେତେବେଳେକୁ ତ ରୋମରେ ତଥା ଇଉରୋପ ଭୂଖଣ୍ଡରେ ଚର୍ଚ୍ଚର ସମ୍ପୂର୍ଣ୍ଣ ଆଧିପତ୍ୟ ପ୍ରତିଷ୍ଠିତ ହୋଇସାରିଥିଲା । ୪୯୬ ଖ୍ରୀଷ୍ଟାବ୍ଦରେ ପୋପ ଗେଲାସିଅସ ଲୁପେରିସୀୟ ଉତ୍ସବକୁ ନିଷିଦ୍ଧ ଘୋଷଣା କଲେ । କିନ୍ତୁ ଚତୁରତାର ସହ ସେ ରୋମୀୟମାନଙ୍କର ସେହି ପ୍ରିୟ ସମ୍ଭାବନାର ଖେଳ ତଥା ଉତ୍ସବ ସ୍ଥଳରେ ବାକ୍ସ ଆଉ ବାକ୍ସରୁ ଉଠୁଥିବା ଲଟେରୀକୁ ବାତିଲ କରିନଥିଲେ । ତାହା ଜାରି ରହିଥିଲା ସାମାନ୍ୟ ପରିବର୍ତ୍ତନ  ସହ । 

ଆଗରୁ ଲୁପେରିସୀୟ ଉତ୍ସବରେ ବାକ୍ସରେ ଲେଖାହୋଇ ରହୁଥିଲା ଓ ଲଟେରିରେ ଉଠୁଥିଲା କିଶୋରୀମାନଙ୍କ ନାଆଁ । କିନ୍ତୁ ଏହି ପରିବର୍ତ୍ତନରେ ବାକ୍ସରେ ଲେଖାହୋଇ ରହିଲା ବିଭିନ୍ନ ଖ୍ରୀଷ୍ଟୀୟ ସନ୍ଥମାନଙ୍କର ନାଆଁ । ଉଭୟ ସ୍ତ୍ରୀ ଓ ପୁରୁଷ ମାନେ ଲଟେରି ଉଠାଉଥିଲେ । ଆଉ ଯାହା ଭାଗ୍ୟରେ ଯେଉଁ ସନ୍ଥ ପଡୁଥିଲେ, ତାକୁ ବର୍ଷସାରା ସେହି ସନ୍ଥଙ୍କ ଜୀବନୀ ଆଉ ଆଦର୍ଶକୁ ଅନୁସରଣ କରିବାକୁ ପଡୁଥିଲା । ଅବଶ୍ୟ ଗୋଟିଏ ରୋମୀୟ କିଶୋର ପକ୍ଷରେ କୌଣସି କିଶୋରୀ ପରିବର୍ତ୍ତେ ଏହିପରି ଜଣେ ସନ୍ଥଙ୍କ ସହ କାଳାତିପାତ କରିବାର ବିଧାନ ଅବଶ୍ୟ ସେତେଟା ଆନନ୍ଦଦାୟକ ହୋଇନଥିବ ନିଶ୍ଚୟ ।

ଇତିହାସ ଅନୁସାରେ ଭାଲେନ୍ତାଇନ ପର୍ବର ଶେଷ କଥାଟି ଲେଖା ହୋଇଥିଲା ଜଣେ ମଧ୍ୟଯୁଗୀୟ କବିଙ୍କ ଦ୍ୱାରା । ସେ ହେଉଛନ୍ତି ଇଂରେଜ କବି ଜିଓଫେ ଚସର । ସେ ତାଙ୍କର କବିତାର ପାତ୍ରପାତ୍ରୀମାନଙ୍କୁ ସବୁବେଳେ ଏକ ଐତିହାସିକ ପରିପ୍ରେକ୍ଷ୍ୟ ଦେଇଥାଆନ୍ତି ।୧୩୭୫ ଖ୍ରୀଷ୍ଟାବ୍ଦରେ ସେ ପାର୍ଲିଆମେଣ୍ଟ ଅଫ ଫାଉଲସ ବୋଲି କବିତାରେ ‘ସନ୍ଥ ଭାଲେନ୍ତାଇନଙ୍କ ଦିନ’ର ଉଲ୍ଲେଖ ପ୍ରଥମେ କରିଛନ୍ତି । ଏହି ଦିନ, ଅର୍ଥାତ, ଫେବୃଆରୀ ମାସର ୧୪ ତାରିଖ ବହୁକାଳରୁ ପ୍ରେମର ପର୍ବ ହିସାବରେ ପାଳିତ ହୋଇ ଆସୁଥିବାର କଥା ସେ ଲେଖିଛନ୍ତି ତାଙ୍କ କବିତାରେ, ଯାହାର ଆଦୌ ଐତିହାସିକ ସତ୍ୟତା ନାହିଁ । ଚସରଙ୍କ ଅନୁସାରେ ଏହି ଦିନ ସମସ୍ତ ପ୍ରେମୀ, ପକ୍ଷୀଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ, ନିଜ ନିଜର ପ୍ରେମାଷ୍ପଦ ସହ ମିଳିତ ହୋଇଥାନ୍ତି । ଏହା ବିଶ୍ୱରେ ପ୍ରେମର ଏକ ଛୁଟିଦିନ । ତାହା ପରଠାରୁ ଭାଲେନ୍ତାଇନକୁ ଗୋଟିଏ ଦିନ, ତାରିଖ ଓ ଉଦ୍ଦେଶ୍ୟ ମିଳିଗଲା । ଏବଂ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ଅବ୍ୟାହତ ରହିଛି ।