Saturday, December 31, 2016

ବାଗଲପୁରରୁ ଶାନ୍ତିନିକେତନ


(ଶିକ୍ଷାସନ୍ଧାନ ଛାପିଥିବା ଜଗନ୍ନାଥ ଦାସଙ୍କର ଆତ୍ମଜୀବନୀ ‘ସ୍ମୃତିରୁ ଖିଏରୁ ସଙ୍ଗୃହିତ)


କଳା ଭବନ, ବିଶ୍ୱ ଭାରତୀ, ଶାନ୍ତିନିକେତନ : ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଜଗତସିଂହପୁରର ବାଗଲପୁରର ଗାଁର ଜଗନ୍ନାଥ ଦାସଙ୍କର ତିନି ଭାଇ, ଗୋଟିଏ ଭଉଣୀ ଜଗା ଭାଇ ସବା ବଡ଼ ତାଙ୍କ ପିଠିକୁ ସୀତାନାଥ ତାହା ତଳକୁ ପୃଥ୍ୱୀନାଥ ବଦ୍ରୀନାଥ ବାବୁ ତଅପୋଇ ପରି ଭଉଣୀ ଉର୍ମିଳା ସବା ସାନ ପାଠ ପଢ଼ା ପରେ ସ୍ୱାଧୀନତା ଆନ୍ଦୋଳନରେ ମିଶି ଜଗନ୍ନାଥ ବାବୁ ଦୁଇଦୁଇ ଥର ଜେଲ ଯାଇସାରିଥାଆନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଭାରତ ଛାଡ଼ ଆନ୍ଦୋଳନ ସମୟର କଥା ଦେଶକୁ ରାଜ୍ୟକୁ କେମିତି ଗୋଟାଏ ମଳିଚିଆ ବିଷାଦର ଛାଇ ଢ଼ାଙ୍କିଥାଏ ଜାତୀୟ ଆନ୍ଦୋଳନର ନେତୃତ୍ୱ ଜେଲ ଭିତରେ ସଢ଼ୁଥାଏ ବାହାରେ ସାମ୍ପ୍ରଦାୟିକ ରାଜନୀତି ବର୍ଷାଦିନେ ଲଗାଣ ବରଷାରେ ନଈ ଫୁଲିଲା ପରି ଇଂରେଜମାନଙ୍କର ସାହାଯ୍ୟ ପାଇ ବଢ଼ୁଥାଏ

ଜଗାବାବୁ ଦ୍ୱିତୀୟ ଥର ଆନ୍ଦୋଳନ କରି ଜେଲ ଭୋଗି ଫେରିଲା ପରେ ସାଙ୍ଗସାଥିମାନଙ୍କ ମେଳ ଭାଙ୍ଗି ଯାଇଥାଏ କିଛି ପିଲା ପାଠ ପଢ଼ିବାକୁ ବାହାରକୁ ଚାଲିଗଲେ ଆଉ କିଛି ଲୋକ ଚାକିରିବାକିରି ଖୋଜାଖୋଜିରେ ଲାଗିଥାଆନ୍ତି ଘରେ ତିନି ଭାଇ ପାଠ ପଢ଼ୁଥାଆନ୍ତି ଜମିବାଡ଼ି ନାମକୁ ମାତ୍ର ଗାଁରେ ଚଳିବା ପାଇଁ ସେମିତି କିଛି ସଙ୍ଗତି ନଥାଏ ଜଗାବାବୁଙ୍କ ପିତୃଦେବ ମୟୁରଭଞ୍ଜ ରଜାଙ୍କର ବନବିଭାଗରେ ବାଦାମ ପାହାଡ଼ର ଲୁହାପଥର ଖଣି ପାଖରେ ପାଇଟି କରୁଥାଆନ୍ତି ନିଜେ ଚଳି ଗାଁକୁ ଯାହା ପଠାନ୍ତି ସେଥିରେ ଜଗାବାବୁଙ୍କ ମାଁ ଦୁଃଖେସୁଖେ ପରିବାରର ତରୀକୁ ସଂସାରପାରାବାର ଉପରେ ହାଉଲେ ହାଉଲେ ଟାଣି ଆଗକୁ ନିଅନ୍ତି ପିତୃଦେବ ଚାକିରି ଖଣ୍ଡିଏ ଯୋଗାଡ଼ କରିବା ପାଇଁ ମାଟିରିକି ପାଠ ପଢ଼ିଥିବା ପୁତ୍ରମଣିଙ୍କୁ ଡକରା ଦେଲେ ପୁଅ ବାଦାମପାହାଡ଼ ଯାତ୍ରା କଲେ

ସେତେବେଳେ ବାଦାମପାହାଡ଼ରୁ ଲୁହାପଥର ବୋଝେଇ ହୋଇ ନିଇତି ମାଲବୁହା ରେଳଗାଡ଼ି ଟାଟାନଗର ଯାଏଁ ଚାଲୁଥାଏ ଗୋଟିଏ ଯାତ୍ରୀବାହୀ ରେଳଗାଡ଼ି ମଧ୍ୟ ଚାଲୁଥାଏ ବାଦାମପାହାଡ଼ ଠାରୁ ଟାଟାନଗର ଜଗାବାବୁ ପିତୃଦେବ ଦେଇଥିବା କୁକୁଡ଼ା, ପନିପରିବା ଇତ୍ୟାଦି ହାତଗୁଞ୍ଜା ନେଇ ଟାଟାନଗର ଯାଆନ୍ତି ଚାକିରୀ ସନ୍ଧାନରେ ମାତ୍ର ବାପାଙ୍କ ପରି ପୁଅ ପାଇଟି କରିପାରନ୍ତି ନାହିଁ ଛୋଟଛୋଟ ଚାକିରୀରେ ପଶନ୍ତି ପୁଣି ଛାଡ଼ନ୍ତି କେଉଁଠାରେ ତିଷ୍ଠିପାରନ୍ତି ନାହିଁ କଟକ, ବାଦାମପାହାଡ଼, ବାଗଲପୁର ଟାଟାନଗରର ବିନ୍ଦୁମାନଙ୍କୁ ଧରି ନିଜର ଘନଘନ ଯ।ତ୍ରା ଦ୍ୱାରା ବିକୃତ ଆକୃତିର ଗୋଟିଏ ଚତୁର୍ଭୁଜ ନିର୍ମାଣ କରିବାରେ ହିଁ ସମୟ ଅତିବାହିତ ହୁଏ

ନିଜର ପଢ଼ାଶୁଣାର ପରିଧି ତାହା ଉପରେ ଭବିଷ୍ୟତ ତିଆରି କରିବାର ସମ୍ଭାବନା ବିଷୟରେ ଜଗାଭାଇ ଟିକେ ସନ୍ଦିହାନ ଥିଲେ ଏତିକିବେଳେ ତାଙ୍କ ଗାଁ ବାଗଲପୁରର ଚିତ୍ତ (ଓଡ଼ିଆ ଗଦ୍ୟ ସାହିତ୍ୟର ଭବିଷ୍ୟତର ଯୁଗସ୍ରଷ୍ଟା ଚିତ୍ତରଞ୍ଜନ ଦାସ) ଗୋଟିଏ ସରକାରୀ ବୃତ୍ତି ପାଇ ଶାନ୍ତିନିକେତନ ପଢ଼ିବାକୁ ଗଲେ ଚିତ୍ତବାବୁ ମଝିରେ ମଝିରେ ବାଗଲପୁର ଆସି ଶାନ୍ତିନିକେତନ ବିଷୟରେ ବିବରଣୀ ଦେଉଥାଆନ୍ତି ସେଥିରୁ ଜଗାଭାଇ ଜାଣିବାକୁ ପାଇଲେ ଯେ କବିଗୁରୁଙ୍କର ଆଶ୍ରମରେ କଳାଶିକ୍ଷାର ମଧ୍ୟ ସୁନ୍ଦର ବ୍ୟବସ୍ଥା ଅଛି ମନସ୍ତାପରୁ ଦୂରରେ ରହିବା ପାଇଁ ଜଗନ୍ନାଥ ବାବୁ ବହିପତ୍ର ପଢ଼ାପଢ଼ି କଳାଚର୍ଚ୍ଚା ଅଭ୍ୟାସରେ ମଜ୍ଜି ରହନ୍ତି ସମୟ ଯେନତେନ ଉପାୟରେ କଟିଯାଏ

ଏହି ସମୟରେ ସମାଜ ଖବରକାଗଜରେ ଏକ ବିଜ୍ଞାପନ ଛପାଯାଇଥିବାର ସେ ଦେଖିଲେ ବିଜ୍ଞାପନଟି ଏକ ସରକାରୀ ବୃତ୍ତିର ଥିଲା ଶିକ୍ଷା ବିଭାଗ ତରଫରୁ ବୃତ୍ତିଟି କଳା ଶିକ୍ଷା ପାଇଁ ଉଦ୍ଦିଷ୍ଟ ଗୋଟିଏ ଛାତ୍ରଟିଏ ପାଇଁଆରଟି ଜଣେ ଛାତ୍ରୀ ପାଇଁ କବିଗୁରୁଙ୍କର କୁଞ୍ଜବନରେ, ଶାନ୍ତିନିକେତନରେ ବୃତ୍ତିଟିର ପ୍ରଥମ ପାହାଚ ଦରଖାସ୍ତ ତାହାପରେ ପରୀକ୍ଷା ସାକ୍ଷାତକାର ଉଭୟ କଟକରେ । ପରୀକ୍ଷାରେ ଜଗା ଭାଇ ପ୍ରଥମ ହେଲେ । ଷାଠିଏ ଟଙ୍କାର ସରକାରୀ ବୃତ୍ତି ପାଇଲେ । ଶାନ୍ତିନିକେତନରେ କଳାଶିକ୍ଷାର ବାଟ ଫିଟି ଗଲା । ହେଲେ ସେଠାକୁ ଯିବେ କେମନ୍ତେ ? ବାଟ ଖର୍ଚ୍ଚ ପାଇଁ ନିଜ ପାଖରେ ଟଙ୍କା ପଇସା ନଥାଏ । ଘରେ ମାଆଙ୍କ ପାଖରେ ଥିବା କଉଡ଼ିମୁଣି ମଧ୍ୟ ଖାଲି । ବାପାଙ୍କୁ ମାଗିବାକୁ ଇଚ୍ଛା ନଥାଏ । ଅଗତ୍ୟା ସବୁ ନିମ୍ନମଧ୍ୟବିତ୍ତ ଯାହା କରନ୍ତି, ଜଗାବାବୁ ମଧ୍ୟ ତାହା କଲେ । ସ୍ତ୍ରୀଙ୍କର କିଛି ଗହଣା ବିକିଲେ । କାହ୍ନୁ ଭାଇଙ୍କଠାରୁ କିଛି ହାତଉଧାରି କଲେ । ଉତ୍କୃଷ୍ଟକଳାର ଦେଶ, ଯେଉଁଠାରେ କଳାର ଅର୍ଥ ସେତେବେଳେ ଥାଏ ଡ଼୍ରଇଁ ମାଷ୍ଟର ବନିବାର ଟେରେନିଙ୍ଗି, ସେ ଦେଶକୁ ଛାଡ଼ି ବାବୁ ବାହାରିଲେ ଦେଶକୁ କଳାକ୍ଷେତ୍ରରେ ନୂଆ ବାଟ ଦେଖାଇଥିବା ନନ୍ଦନବନକୁ, ଶାନ୍ତିନିକେତନକୁ ।

ସେତେବେଳକୁ ୧୯୪୬ ମସିହା । ଦେଶ ସ୍ୱାଧୀନ ହେବ ବୋଲି ଜଣାପଡ଼ିବାକୁ ଆରମ୍ଭ କରିଥାଏ । ସେଥିପାଇଁ କ୍ଷମତା ବିବାଦ ଓ ସାମ୍ପ୍ରଦାୟିକ କନ୍ଦଳ ମଧ୍ୟ ବ୍ୟାପିଚାଲିଥାଏ । ହିନ୍ଦୁ-ମୁସଲମାନ ଗଣ୍ଡଗୋଳର ଗୋଟିଏ ବଡ଼ କେନ୍ଦ୍ର ଥାଏ କଲିକତା । ଆଗରୁ କେବେ କଲିକତା ଯାଇନଥାଆନ୍ତି ଜଗାବାବୁ । ପୁଣି ହାଣକାଟର ହୋ । ମନରେ ଦକ ରଖି ବାବୁ ଘରୁ କଟକ ଆସିଲେ ଟେରେନେ ଧରିବା ନାଗି । ସାଥିରେ ଟିଣ ସୁଟୁକେଶ ଗୋଟିଏ । ସେଥିରେ ଲୁଗା ଦୋଟି । ଗାମୁଛା ଗୋଟିଏ । ମା ଚୁଡ଼ା ଓ ଗୁଡ଼ ସାଥିରେ ଦେଇ ପଠାଇଥାଆନ୍ତି । ଭୋକକଲେ କଦଳୀ କିଣି ଚୁଡ଼ା, ଗୁଡ଼, କଦଳୀ ଚକଟି ଉଦରଜ୍ୱାଳା ଶାନ୍ତି କରିବା ପାଇଁ ।

କଟକର ଟେସନଟି ଥିଲା କୁନିଟିଏ । ହେଲେ ସେଥିରେ ନୋକ ଥାଟପଟାଳି । କଟକରୁ ବେଙ୍ଗଲ ନାଗପୁର ରେଳବାଇର ରେଳ ଚାଲୁଥାଏ । ମାନ୍ଦ୍ରାଜ ପାଇଁ ମାନ୍ଦ୍ରାଜ ମେଲ ଓ ପୁରୀଠାରୁ ପୁରୀ ଏକ୍ସପ୍ରେସ ଇତ୍ୟାଦି ଗାଡ଼ି ଛାଡ଼େ । କଲିକତା ପାଇଁ ଗୋଟିଏ ଯାତ୍ରୀବାହୀ ଗାଡ଼ି ପୁରୀଠାରୁ ହାବୁଡ଼ା ପର୍ଯ୍ୟନ୍ତ ଚାଲେ । କଲିକତା ଯିବାଲାଗି ଅଧିକାଂଶ ଯାତ୍ରୀ ସେତେବେଳେ କଟକରୁ ହିଁ ଉଠନ୍ତି । କଟକରୁ ଓପରବେଳା ଗାଡ଼ି ଛାଡ଼ି ଭୋଅରୁଭୋଅରୁ ହାବୁଡ଼ାରେ ଯାଇଁ ଲାଗେ । ସେତେବେଳେ ଯାତ୍ରୀବାହୀ ଗାଡ଼ିରେ ତୃତୀୟ ଶ୍ରେଣୀ ଡବା ମଧ୍ୟ ଥାଏ । ମହାତ୍ମା ଗାନ୍ଧୀ ସବୁବେଳେ ଏଇ ତୃତୀୟ ଶ୍ରେଣୀ ଡବାରେ ହିଁ ଯାତାୟତ କରୁଥିଲେ ।

ରେଳଗାଡ଼ିରେ ଜଗାବାବୁ ସେହି ତୃତୀୟ ଶ୍ରେଣୀ ଟିକଟ ଗୋଟିଏ କାଟି ବସିଲେ । ଡବାସାରା କଲିକତାର ଝୋଟକଳର ଶ୍ରମିକ ଭରତି । ଆଜିକାଲି ଯେମିତି ଓଡ଼ିଶାରୁ ଯାଉଥିବା ଆଇଟି ଶିଳ୍ପର ଶ୍ରମିକମାନଙ୍କ ପାଟିରେ ହିନ୍ଦି ଓ ଇଂରାଜୀ ଛଡ଼ା ଆଉ ଅନ୍ୟ କୌଣସି ଭାଷା ପଉଟୁନାହିଁ, ସେଇମିତି ସେତେବେଳେ କଲିକତାର ଝୋଟକଳର ଶ୍ରମିକମାନେ ଖାଲି ବଙ୍ଗାଳୀ ହିଁ ଚୋବାଉଥିଲେ । ତାଙ୍କ ପାଟିରେ ଆଉ ଓଡ଼ିଆ ଭଳି ଅସଭ୍ୟ ଭାଷା ପଶିପାରୁନଥିଲା । ତୃତୀୟ ଶ୍ରେଣୀର ରେଳ ଡବାରେ ବସିବା ନିମନ୍ତେ ଛାରପୋକଭର୍ତ୍ତି, ସରୁସରୁ କାଠପଟା । ଲୋକ ମାଳକୁମାଳ । ସେଇଥିରେ ଗେଞ୍ଜିଗାଞ୍ଜି ହୋଇ, ଅଣ୍ଟା ସଳଖି ବସିବାକୁ ହୁଏ ।

କଟକରୁ ସିଧା ଶାନ୍ତିନିକେତନକୁ ରେଳଗାଡ଼ି ନାହିଁ । ହାବୁଡ଼ାରେ ଓହ୍ଲାଇ ଶାନ୍ତିନିକେତନ ପାଇଁ ଆଉ ଗୋଟିଏ ଟେରେନେ ଧରିବାକୁ ହେଲା । ହାବୁଡ଼ାରେ ଓହ୍ଲାଇ ଜଗାବାବୁ ପଚରାଉଚରା କରି ବୁଝିଲେ ଯେ, ଶାନ୍ତିନିକେତନ ପାଇଁ ପାଖର ଟେସନ ହେଲା ବୋଲପୁର । ବୋଲପୁର ଯିବା ପାଇଁ କିଛି ସମୟ ପରେ ଛାଡ଼ୁଥିବା କିଉଲ ଏକ୍ସପ୍ରେସ ଉତ୍ତମ ହେବ । କିଉଲ ଏକ୍ସପ୍ରେସ କିଉଲ ଯିବା ବାଟରେ ପଡ଼େ ବୋଲପୁର ଟେସନ । ବର୍ଦ୍ଧମାନ ପର୍ଯ୍ୟନ୍ତ ଏକ୍ସପ୍ରେସ ଓ ତାହାପରେ ପାସେଞ୍ଜର ବା ଯାତ୍ରୀବାହୀ ଗାଡ଼ି ବନିଯିବ । କିଉଲ ଏକ୍ସପ୍ରେସ ପାସେଞ୍ଜର ଗାଡ଼ି ବନିଗଲା ପରେ ସେତେବେଳର ପ୍ରଥମ ଯାତ୍ରୀ ହଲ୍ଟ ଥିଲା ବୋଲପୁର । ଏଣୁ ପାସେଞ୍ଜର ଗାଡ଼ିରେ ଯେଉଁ ଧକଡ଼ଚକଡ଼, ସେଥିରୁ ରକ୍ଷାମିଳିଯିବ । ବୋଲପୁର ଟେସନଠାରୁ ଅଳପ କେଇ ମାଇଲି ଦୂରରେ ବିଶ୍ୱବିଦ୍ୟାଳୟ ପରିସର । ସେଠାରେ ପହଞ୍ଚିବା ପାଇଁ ରେଳଗାଡ଼ିରୁ ଓହ୍ଲାଇ ଅନ୍ୟ ବ୍ୟବସ୍ଥା କରିବାକୁ ହେବ ।

ହାଉଡ଼ାରୁ କିଉଲ ଏକ୍ସପ୍ରେସ ସକାଳ ଆଠଟାରେ ଛାଡ଼ିଲା । ବାଟରେ ଜଗାବାବୁ କିଛି କଦଳୀଫଳ ଉଦରସ୍ଥ କଲେ । ଟେରେନେ ଯଥା ସମୟରେ ଦିନ ୧୨ଟା ବେଳେ ଯାଇଁ ବୋଲପୁରଠାରେ ପହଞ୍ଚିଲା । ଷ୍ଟେସନଟି କ୍ଷୁଦ୍ରାତିକ୍ଷୁଦ୍ର ହୋଇଥିବାରୁ କିଉଲ ଏକ୍ସପ୍ରେସ ସେଠାରେ ଅଳପ ସମୟ ରହି ଅତି ଶୀଘ୍ର ଗନ୍ତବ୍ୟ ଅଭିମୁଖେ ଯାତ୍ରା କଲା । ଜଗନ୍ନାଥ ଆଜ୍ଞା ଟେସନ ଛାଡ଼ି ପଦାକୁ ଆସିଲେ । ଆଖି ଆଗରେ ଷ୍ଟେସନ ପ୍ରାନ୍ତର ଭିତରେ ଗାଢ଼ ନୀଳରଙ୍ଗର ଗୋଟିଏ ମୋଟର ବସ । ବସ ଉପରେ ବଙ୍ଗଳା ଲିପିରେ ଲେଖା ହୋଇଛି ‘ଶାନ୍ତିନିକେତନ’ । ଆସନ ଗୁଡ଼ିକ ଗଦିଯୁକ୍ତ । ଗଦିଗୁଡ଼ିକ ଛାଉଣି ହୋଇଛି ବାଦାମୀ ରଙ୍ଗରେ ଖୋଳରେ । ଠିଆ ହୋଇଛି ଛାତ୍ର ଓ ଅଭିଭାବକମାନଙ୍କୁ ବିଶ୍ୱବିଦ୍ୟାଳୟର ପରିସରକୁ ବାହିନେବା ପାଇଁ ।

ବୋଲପୁର ଟେସନରୁ ଶାନ୍ତି ନିକେତନ ହେଇ ହେଇ ତିନି ମାଇଲି । ବସ ଛାଡ଼ିଲା । ନାଲି ରାସ୍ତା । ଖାଲ ଢ଼ିପ ଭରା । ବସଟି ପୁରୁଣା । କବିଗୁରୁଙ୍କର ସ୍ମୃତିବହନ କରୁଥିବାରୁ ତାହାର ସମ୍ଭ୍ରାନ୍ତ ଗରିମା ବଜାୟ ରଖିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସେଥିରେ ମରାମତି କରି ନୂଆ ଯାନ୍ତ୍ରିକ କଳକବଜା ଇତ୍ୟାଦି ଯୋଡ଼ନ୍ତି ନାହିଁ । ପୁରୁଣା ମରାମତି ହୋଇନଥିବା ନରମ ଗଦିଯୁକ୍ତ ଆସନବାଲା ଗାଡ଼ି । ତାହା ସହିତ ଖମାଭର୍ତ୍ତି ପଥ । ଝୁଲି ଝୁଲି ହାତୀ ପିଠିରେ ବସିଗଲା ଭଳିଆ ଲାଗେ । ବସଟି ଯାଇ ଶେଷକୁ ଲାଗିଲା ବିଶ୍ୱବିଦ୍ୟାଳୟର ଅତିଥିଭବନରେ । ଶାନ୍ତିର ନିକେତନର ବିଶ୍ରାନ୍ତିର ପ୍ରକୋଷ୍ଠରେ ।

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୧ତମ ସଂଖ୍ୟାରେ ୨୦୧୬ ମସିହାରେ ପ୍ରକାଶିତ)

ଓଡ଼ିଆ ସିନେମା ଗୀତ - 'ହୃଦୟର ଏହି ଶୂନ୍ୟତାକୁ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=sbbP5jcaHvE


ଫଟୋ କ୍ରେଡ଼ିଟ -  www.fullodisha.com




Friday, December 30, 2016

ଓଡ଼ିଆ ସିନେମା ଗୀତ - 'ରତନୀ ଗଜଗମନୀ'


ଗୀତର ୟୁଟ୍ୟୁବ ଲିଙ୍କ -https://www.youtube.com/watch?v=-md22K_Jnz4&list=PL148LeOCwEqPgGdoNspNnXBMqW6zeYDu7


ଫଟୋ କ୍ରେଡ଼ିଟ - www.youtube.com





Thursday, December 29, 2016

ଓଡ଼ିଆ ସିନେମା ଗୀତ - 'ଯମୁନା ଯାଅନା'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=YQEk1aGUMqM


ଫଟୋ କ୍ରେଡ଼ିଟ - www.fullodisha.com 




Wednesday, December 28, 2016

ଓଡ଼ିଆ ସିନେମା ଗୀତ - 'ନିରିମାଖୀ କୁଆଁରୀ ମୁଁ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=OhGHrstBo0I&spfreload=5


ଫଟୋ କ୍ରେଡ଼ିଟ - www.odiahits.com 




Tuesday, December 27, 2016

ଓଡ଼ିଆ ସିନେମା ଗୀତ - 'ମିଛମାୟା ଭରା ଏ ସ‌ାରା ଦୁନିଆ'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=moMgUblXUoM


ଫଟୋ କ୍ରେଡ଼ିଟ - www.youtube.com