Wednesday, October 31, 2018

ପାର୍ବତୀ ନାୟାରଙ୍କର କବିତା, "ମା' ଘୋଡାମାନଙ୍କୁ ଘରକୁ ପଠାଇ ଦେଇଚି ମୁଁ"

ଅନୁୂବାଦକ - ସମୀର ରଞ୍ଜନ

କଥୁଆ ସହରର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ମା'
ଘୋଡ଼ାମାନେ ଘରେ ପହଞ୍ଚି ଯାଇ ଥିବେ;
ସେମାନଙ୍କୁ ପଠାଇ ଦେଇଚି ମୁଁ,ସେମାନେ ଆମ ଘର ପାଇ ଗଲେ ନା ମା' ?
କିନ୍ତୁ ମୁଁ ନିଜେ ଘରେ ପହଞ୍ଚି ପାରିଲିନି ।

ତୁ ମତେ ସବୁବେଳେ କହୁ ଥିଲୁନା,
ହେ ଆଶିଫା ଏତେ ଯୋରରେ ଦଉଡ଼ନା ।
ତୁ ମତେ ହରିଣୀ ଭଳି ଭାବୁ ଥିଲୁନା ମା' ।

ହେଲେ ସେତେବେଳେ ମୋ' ପାଦ ଅଚଳ ହୋଇ ଯାଇ ଥିଲା ।
ତଥାପି ମୁଁ ଘୋଡ଼ାମାନଙ୍କୁ ପଠାଇ ଦେଇଚି ମା' ।
ମା' ସେମାନେ ସବୁ ଅଜବ ଦିଶୁ ଥିଲେ:
ନା ପଶୁ ନା ମଣିଷ ପରି ମଣିଷ;
ସେମାନଙ୍କ ପାଖରେ ହୃଦୟ ନଥିଲା,
କିନ୍ତୁ ସେମାନଙ୍କର ଶିଙ୍ଗ କିମ୍ବା ଡେଣା ବି ନ ଥିଲା ।

ସେମାନଙ୍କ ପାଖରେ ହତ୍ୟାକାରୀ ନଖ ବି ନ ଥିଲା;
ହେଲେ ସେମାନେ ମୋ ଉପରେ ବହୁତ ଅତ୍ୟାଚାର କଲେ ।
ମୋ ଆଖପାଖର ଫୁଲ, ପତ୍ର ଆଉ ପ୍ରଜାପତିମାନେ,
ଯେଉଁମାନଙ୍କୁ ମୁଁ ମୋର ବାନ୍ଧବୀ ବୋଲି ଭାବୁ ଥିଲି,
ସେମାନେ ସମସ୍ତେ ଚୁପ ବସି ଥିଲେ ମା';
ବୋଧହୁଏ ସେମାନଙ୍କ ହାତରେ କିଛି ନ ଥିଲା ।

ମୁଁ ଘୋଡ଼ାଙ୍କୁ ଘରକୁ ପଠାଇ ଦେଇଚି ।
ହଁ ବାପା ମତେ ଖୋଜି ଖୋଜି ଆସି ଥିଲେ ମା;
ତାଙ୍କୁ କହି ଦବୁ ତାଙ୍କ ଡାକ ମୁଁ ଶୁଣି ପାରି ଥିଲି ।
କିନ୍ତୁ, ମୁଁ ଅର୍ଦ୍ଧ ମୂର୍ଛାରେ ଥିଲି ।
ବାପା ମୋ ନାଁ ଧରି ଡାକୁ ଥିଲେ;
କିନ୍ତୁ ମୋ ଭିତରେ ଏତେ ଶକ୍ତି ନ ଥିଲା ।
ମୁଁ ବାରମ୍ବାର ତାଙ୍କୁ ମୋ ନାଁ ଧରି ଡାକିବାର ଶୁଣୁ ଥିଲି,
ହେଲେ ମୁଁ ଚିର ଦିନ ପାଇଁ ଶୋଇ ଗଲି ମା ।
ଏବେ ମୁଁ ଶାନ୍ତିରେ ଅଛି

ତୁ ମୋ ପାଇଁ ଚିନ୍ତା କରିବୁନି;
ଏବେ ସ୍ୱର୍ଗରେ ମତେ କିଛି ବି କଷ୍ଟ ନାହିଁ ।
ଝରୁଥିବା ରକ୍ତ ଶୁଖି ଗଲାଣି,
ଏବେ ମତେ ମୋର କ୍ଷତମାନଙ୍କୁ ଭରି ନବାକୁ ହେବ ।
ସେଇ ଫୁଲ ପତ୍ର ପ୍ରଜାପତିମାନେ,
ସେତେବେଳେ ଯେଉଁମାନେ ଚୁପ ଥିଲେ,
ସେମାନେ ସବୁ ଏଠି ଆସି ପହଞ୍ଚି ଯାଇଛନ୍ତି,
ସେଇ ସବୁଜ ମଖମଲୀ ଘାସର ଗାଲିଚାକୁ ସାଥିରେ ନେଇ,
ଯେଉଠି ସବୁବେଳେ ମୁଁ ଖେଳୁ ଥିଲି ।

କିନ୍ତୁ...ସେମାନେ...ସେଇ ଲୋକମାନେ ଏବେବି ସେଇଠି ଅଛନ୍ତି ମା' ।
ମା'
ମତେ ଭାରି ଡର ଲାଗୁଚି,
ସେଇ କଥା ଭାବି ।

ତାଙ୍କ କଥାରେ କେବେବି ତୁ ବିଶ୍ୱାସ କରିବୁନି ।
ଆଉ ଗୋଟାଏ ଶେଷ କଥା,
ମୁଁ କେବେବି ଭୁଲିବିନି ତତେ କହିବାକୁ,
ସେଠି ଗୋଟେ ମନ୍ଦିର ବି ଅଛି ମା',
ଯେଉଁଠି ଜଣେ ଦେବୀ ବସିଛନ୍ତି ।

ହଁ ସେଇଠି ସବୁ ଘଟି ଗଲା ମା',
ତାଙ୍କରି ଆଖି ସାମ୍ନାରେ ।
ସେ ଦେବୀଙ୍କୁ ଧନ୍ୟବାଦ ଦେବୁ ମା',
ସେ ଘୋଡାଙ୍କୁ ଘରକୁ ପଠାଇବାରେ ସାହାଯ୍ୟ କରିଛନ୍ତି ।।
(ଜାମ୍ମୁକାଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଦେଵୀ ସ୍ଥାନ ମନ୍ଦିରେ ଦୀର୍ଘ
ଆଠ ଦିନ ଧରି ଗୋଟି ୮ ବର୍ଷର ନିଷ୍ପାପ ବାଳିକାକୁ ନିଶା ଦେଇ ଗଣ ବଳାତ୍କାର କରିବା ପରେ ହତ୍ୟା କରି ଫିଂଗି ଦିଆ ଗଲା। ସାରା ଦେଶରେ ଜନତା କ୍ଷୁବ୍ଧ ।ଏଇ ଘଟଣାରେ ବ୍ୟଥିତ ହୋଇ ବିଖ୍ୟାତ କବୀ ପାର୍ବତୀ ନାୟାର ଲେଖିଥିବା ଇଂରେଜୀ କବିତା "ଆଇ ସେଣ୍ଟ୍ ହର୍ସେସ୍ ହାଉସ୍ ମଦର୍" ସେଇ କୁନି ଝିଅଟିକୁ ସମର୍ପଣ କରି ଥିଲେ । ଯାହାକୁ ହଜାର ଲୋକେ ଇଣ୍ଟନେଟ୍‌ରୁ ପଢ଼ି ଲୁହ ନ ଗଡ଼ାଇ ରହି ପାରି ନାହାଁନ୍ତି । )

Sunday, October 28, 2018

"ଆତ୍ମ ହନ୍ତାର ଗୀତ " - ଜଣେ ଶୋଷିତ ଚିନ ଶ୍ରମିକର ଆତ୍ମକଥା

କବି - ଜୁ ଲିଝି

ଅନୁବାଦକ - ସମୀର ରଞ୍ଜନ

ଦ୍ୱାଦଶ ଶତାବ୍ଦୀର ସଙ୍ଗ୍ ବଂଶର ଚୀନ ଦେଶର ସମ୍ରାଟ ଗାଓଜଙ୍ଗ୍‌ଙ୍କର ଏକ କବିତା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ମୁଁ ଲୁହାର ଚାନ୍ଦ ଗିଳିଚି
ସେମାନେ ତାକୁ ବନିଶିର କଣ୍ଟା ବୋଲି କହନ୍ତି ।
ବେକାରୀର ଦସ୍ତାବେଜ୍‌ରୁ
ମୁଁ ଏଇ ଐଦିଗିକ ମଇଳାକୁ ଗିଳିଚି
ସମୟ ଆଗରୁ ମୋ ଯୁବ ଜୀବନକୁ
ମେସିନ ଉପରେ ହାମୁଡ଼େଇ
ନିଶ୍ୱାସ ବନ୍ଦ କରି ନେଉଚି ।

ମୁଁ ଗିଳିଚି ଭୀଡ଼ କୋଳାହଳ
ଆଉ ମୋର ଅପାରଗପଣ
ମୁଁ ଗିଳି ସାରିଚି, ପାଦ ଚଲା ରାସ୍ତା, ପୋଲ
ଆଉ କଳଙ୍କି ଲାଗି ଯାଇଥିବା ଜୀବନ ।
ହେଲେ ଏବେ ଆଉ କିଛି ବି ଗିଳି ପାରିବିନି
ଯାହା ବି ଗିଳି ସାରିଚି, 
ସେସବୁ ଏବେ ବାନ୍ତି ହୋଇ ବାହାରି ଆସୁଚି ।
ଆଉ ମୋ ପିତୃ ପୁରୁଷଙ୍କ ଭୂଇଁ ଉପରେ ମାଡ଼ି ଯାଉଚି
ଏକ ଅପମାନଜନକ କବିତା ହୋଇ।

ଆଜିର ଏଇ ଓଭର୍‌ଟାଇମ୍ ରାତିରେ
ଗୋଟାଏ ପେଚ ଭୂଇଁ ଉପରେ ଖସି ପଡ଼ି
ଭୂଇଁଟାକୁ ଆଲୋକିତ କରୁଚି ।
ହେଲେ ପୂର୍ବ ଥର ଭଳି ଏହା କାହାର ଧ୍ୟାନ ଆକର୍ଷିତ କରିବନି
ସେତେବେଳେ ଏମିତି ଏକ ରାତିରେ
ଭୂଇଁ ଉପରେ ଟଳି ପଡିଥିଲା ମଣିଷ ଜଣେ ।

ସାକ୍ଷାତ ଲୈ।ହଦାନବ ପରି ଦିଶୁଥିବା ସଚିବାଳୟ ସାମ୍ନାରେ ମୁଁ ଠିଆ ହୋଇ ରହିଚି
ଠିଆ ହୋଇ ରହିଚି
ମୋର ଦୁଇ ହାତ ପବନରେ ଉଡ଼ୁଚି
କେତେ ଦିନ ଆଉ କେତେ ରାତି
ମୁଁ ଏମିତି ଠିଆ ହୋଇ ରହି ଥିବି
ନିଜ ସାଥିରେ ନିଜେ ଲଢ଼ି ଲଢ଼ି ?

ମୁଁ ଆଉ ଥରେ ସମୁଦ୍ର ଦେଖିବାକୁ ଚାହୁଁଚି
ହଁ ଆଉ ଥରେ ସମୁଦ୍ର ଦେଖିବାକୁ ଚାହୁଁଚି ମୁଁ
ସରି ଆସୁ ଥିବା ଅଧା ଜୀବନ ଆଉ
ଲୁହର ପାରାବାରକୁ ପରଖି ନେବାକୁ ଚାହୁଁଚି
ମୋର ଭାଙ୍ଗି ଯାଇଥିବା ଆତ୍ମାକୁ ଆଉ ଥରେ
ଯୋଡ଼ିବାକୁ ଚାହୁଁଚି ।

ଆକାଶକୁ ଛୁଇଁ ତାର ମୁଲାୟମ ନୀଳାଭକୁ
ଅନୁଭବ କରିବାକୁ ଚାହୁଁଚି
କିନ୍ତୁ ଏମିତି କିଛି ବି ମୁଁ କରି ପାରିବିନି ।
ଏଥି ପାଇଁ ଚାଲି ଯାଉଚି ଦୁନିଆରୁ;
କୋଣସି ଲୋକ ଯିଏ ମୋ ବିଷୟରେ ଶୁଣିବେ,
ମୋ ଯିବା ପରେ ସେମାନଙ୍କର
ଆଶ୍ଚଯ୍ୟ ହେବାର କିଛି ନାହିଁ ।
ଦୁଃଖ କରିବାର ଆବଶ୍ୟକତା ବି ନାହିଁ
ଯେବେ ଏ ମାଟିକୁ ଆସି ଥିଲି
ଠିକ୍ ଥିଲି ମୁଁ
ଆଉ ଗଲା ବେଳେ ବି ଠିକ୍ ଅଛି ।

ମେସିନ ନୂଆବୋହୁ ସାଜି ଇଶାରା କଲାଣି;
ସିଲ୍ ହୋଇ ରହିଥିବା କାରଖାନାରେ
ଭରି ରହିଚି ରୋଗଗ୍ରସ୍ତ ଲୁହ,
ଟଙ୍କା ଲୁଚି ରହିଚି ପରଦା ଆଢ଼ୁଆଳରେ,
ଠିକ୍ ଯେମିତି ଯୁଆନ ଶ୍ରମିକ ନିଜ ପ୍ରେମିକାକୁ କବର ଦିଏ
ନିଜ ହୃଦୟଗର୍ଭରେ ।

ଅଭିବ୍ୟକ୍ତିର ସମୟ ଆଉ ଭାବାବେଗ
ସବୁ ଧୂଳିରେ ରୂପାନ୍ତରିତ ହୁଏ:
ସେମାନଙ୍କ ପେଟ ସବୁ ଲୁହାରେ ତିଆରି;
ସଲ୍‌ଫୁରିକ,ନାଇଟ୍ରିକ ଏସିଡ଼ ପରି ଗାଢ଼ ଏସିଡ଼ିରେ ଭରା ।

ଏହା ପୂର୍ବରୁ ସେମାନଙ୍କୁ ଲୁହ ଗଡ଼େଇବାର ସୁଯୋଗ ମିଳୁ,
ଏ ଉଦ୍ୟୋଗ ସେମାନଙ୍କୁ ଗିଳି ପକାଏ ।
ସମୟ ଗଡ଼ି ଯାଏ:
ସେମାନଙ୍କ ମୁଣ୍ଡ ସବୁ ଧୂଆଁରେ ହଜି ଯାଏ;
ଉତ୍ପାଦ ସେମାନଙ୍କ ବୟସ ଖାଇ ଯାଏ;
ଯନ୍ତ୍ରଣା ଦିନ ରାତି ଓଭର୍ଟାଇମ୍ କରାଏ ।

ସମୟ ପୂର୍ବରୁ ଛାଞ୍ଚରୁ ବାହାରିଲା ପରି,
ଦେହରୁ ଚମଡ଼ା ଅଲଗା ହୋଇ ଯାଏ,
ଆଉ ଆଲୁମିନିୟମର ଏକ ଆସ୍ତରଣ
ଚଢାଇ ଦିଆ ଯାଏ ।
ଏତେ ସବୁ ପରେ ବି ଏକ ଅବଶୋଷ ରହି ଯାଏ;
ଆଉ ବାକି ଜୀବନ
ରୋଗମାନଙ୍କର ବଳି ଚଢ଼ି ଯାଏ ।
ଏ ସବୁଙ୍କ ମଝିରେ, ମୁଁ ଜଗୁଆଳୀ କରୁଥାଏ ନିଜ ଯୈ।ବନର ମଶାଣିରେ।

(ଜୁ ଲିଝି ଚିନର ଜଣେ ମୂଲିଆ ଏବଂ କବି ମଧ୍ୟ । ସେ ଦୁନିଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ନିର୍ମାଣକାରୀ ସଂସ୍ଥା, ଚିନର ଫାଙ୍କସକାନ କମ୍ପାନିରେ କାର୍ଯ୍ୟରତ ଥିବାବେଳ ଚରମ ଶୋଷଣରେ ଅତିଷ୍ଟ ହୋଇ ବିଦ୍ରୋହ କରନ୍ତି । ହେଲେ ଶୋଷକ ଫାକ୍ସକାନ କମ୍ପାନିର ନିଦ୍ରା ଭଙ୍ଗ ହୁଏ ନାହିଁ ।ଫଳରେ ସେ ଅତିଷ୍ଟ ହୋଇ ମାନସିକ ଭାବରେ ଦୁର୍ବଳ ହୋଇ ପଡ଼ନ୍ତି ଏବଂ ୨୦୧୪ ମସିହା ସେପ୍ଟେମ୍ବର ୩୦ ତାରିଖରେ ସେଇ କାରଖାନାର ଛାତରୁ ଡେଇଁ ମାତ୍ର ୨୪ ବର୍ଷ ବୟସରେ ଆତ୍ମହତ୍ୟା କରନ୍ତି । ମୃତ୍ୟୃ ପୂର୍ବରୁ ଲେଖି ଥିବା ଅନେକ କବିତା ତାଙ୍କ ବନ୍ଧୁମାନଙ୍କ ସୈ।ଜନ୍ୟରୁ ଗଣମାଧ୍ୟମ ନଜରକୁ ଆସେ । ଚିନଠାରୁ ଲଣ୍ଡନ ପର୍ଯ୍ୟନ୍ତ ତାଙ୍କ କବିତା ପ୍ରସରି ଯାଏ । ଶ୍ରମିକ ଦିବସ ଉପଲକ୍ଷେ ଲିଝିଙ୍କର ଏଇ ଚର୍ଚ୍ଚିତ କବିତାଟିର ସୀମରନଙ୍କର ଇଂରାଜୀ ରୂପାନ୍ତରରୁ ଓଡ଼ିଆ ଅନୁବାଦ କରିବାର ପ୍ରୟାସ କରିଛି । 

Tuesday, October 23, 2018

 ସଜନା ଫୁଲର ପତରପୋଡ଼ା

ସରୋଜିନୀ ଚୌଧୁରୀ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ -  ସଜନାର ତଟକା ଫୁଲ ବାଛି ଧୋଇ ଲୁଣ ଦେଇ ପତର ପୋଡ଼ା କର । ପୋଡ଼ା ହୋଇଗଲେ ବାହାର କରି ସ୍ୱତନ୍ତ୍ର କୌଣସି ପଥର ପାତ୍ରରେ ରଖି, ତେଲ ଓ ମରିଚ ଦେଇ କିମ୍ବା ଘିଅ, ଚିନି ଓ ତେନ୍ତୁଳି ମଣ୍ଡ ଦେଇ ଅଥବା କେବଳ ଲେମ୍ବୁରସ ଓ ଚିନି ଦେଇ ଚକଟି ଦେବ ।

ବି.ଦ୍ର. -  ସଜନା ଫୁଲର ପତରପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Saturday, October 20, 2018

 ରୁଦ୍ର ମହମ୍ମଦ ସହିଦୁଲ୍ଲାଙ୍କର ବଙ୍ଗଳା କବିତା - 'ବତାସରେ ଶବର ଗନ୍ଧ'

ଓଡ଼ିଆ ଅନୁବାଦ -ସମୀର ରଞ୍ଜନ

୨୦୧୧ ମସିହାରେ ଉତ୍ତୋଳିତ ରୁଦ୍ରଙ୍କର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ବି ବାରି ହେଉଚି ବତାସରେ ଶବର ଗନ୍ଧ;
ଆଜି ବି ଦେଖୁଚି ମାଟି ଉପରେ ମୃତ୍ୟୁର ନଗ୍ନ ନୃତ୍ୟ;
ଧର୍ଷିତାର କାତର ଚିତ୍କାର ଆଜି ବି ଶୁଭୁଚି ତନ୍ଦ୍ରା ଭିତରେ ।

ଏ ଦେଶ କଣ ଭୁଲି ଗଲାଣି ସେଇ ଦୁଃସ୍ବପ୍ନର ରାତି,
ସେଇ ରକ୍ତାଭ ସମୟ ?
ବତାସରେ ପହଁରି ବୁଲୁଚି ଶବର ଗନ୍ଧ,
ମାଟିରେ ଲାଗିଛି ରକ୍ତର ଦାଗ ।

ଏଇ ରକ୍ତ ରଞ୍ଜିତ ମାଟିର ଲଲାଟକୁ ଛୁଇଁ

ଦିନେ ଯେଉଁମାନେ ଆଶା ବାନ୍ଧିଥିଲେ,
ଜୀର୍ଣ୍ଣ ଜୀବନର ପାଗଳାମୀରେ
ସେମାନେ ଖୋଜି ନେଲେ ନିଷିଦ୍ଧ ଅନ୍ଧାର ।

ଆଜି ସେମାନେ ଆଲୋକହୀନ ପିଞ୍ଜରାର ପ୍ରେମରେ
ଜଗି ରହିଛନ୍ତି ରାତ୍ରିର ଗୁମ୍ଫାରେ,
ଯେମିତି କି ନଷ୍ଟ ଜନ୍ମର ଲଜ୍ୟାରେ
ଜଡ଼ସଡ଼ କୁମାରୀ ମା;
ସ୍ୱାଧୀନତା ଏଇ ଜନ୍ମ କଣ ନଷ୍ଟ ହେବ ?
ଏଇ କଣ ତେବେପିତାହୀନ ଜନନୀର ଲଜ୍ୟାର ଫସଲ ।

ଜାତିର ପତାକାକୁ ଆଜି ପଞ୍ଜାରେ ମାଡ଼ି ବସିଚି ବୃଦ୍ଧ ଜରଦ୍‌ଗବ ।
ବତାସରେ ଶବର ଗନ୍ଧ ତଥାପି ବି ।

ନିଅନ୍ ଆଲୁଅରେ ନର୍ତ୍ତକୀ ଦେହରେ
ଉଠୁଚି ମାଂସର ତୋଫାନ;
ମାଟିରେ ପଡ଼ିଚି ରକ୍ତର ଦାଗ ।
ଚାଉଳ ଗୋଦାମରେ ପୁଣି ବି ଜମା ହେଉଚି
ଅନାହାରୀ ମଣିଷର ହାଡ଼ ।

ଏ ଆଖିକି ନିଦ ଆସୁନି,
ତନ୍ଦ୍ରାରେ ଶୁଣୁଚି ଧର୍ଷିତାର କରୁଣ ଚିତ୍କାର;
ନଦୀରେ ପହଁରି ବୁଲୁଚି ମଣିଷମାନଙ୍କର ପଚା ଶବ;
କୁକୁର ଖାଉ ଥିବା ବାଳିକାର ମୁଣ୍ଡହୀନ ବିଭତ୍ସ ଶରୀର 
ପହଁରି ବୁଲୁଚି ଆଖି ଭିତରେ ।

ମୁଁ ଶୋଇ ପାରୁନି ନା ବିଲକୁଲ ଶୋଇ ପାରୁନି ମୁଁ;
ରକ୍ତର କଫନରେ ବନ୍ଧା,
କୁକୁର ଶାଗୁଣା ଖାଉଥିବା ମଲା ଦେହ ସେ ମୋ ଭାଇର,
ସେ ମୋ ମା'ମୋ'ର ପ୍ରିୟତମ ବାପାଙ୍କର ।

ସ୍ୱାଧୀନତା ମୋର ସ୍ୱଜନ,
ପ୍ରିୟ ମଣିଷଙ୍କ ରକ୍ତରେ କିଣା ଯାଇ ଥିବା ଅମୂଲ୍ୟ ଫସଲ;
ଧର୍ଷିତା ଭଉଣୀର ଶାଢ଼ୀ ହିଁ
ମୋର ରକ୍ତାକ୍ତ ଜାତୀୟ ପତାକା ।

Tuesday, October 16, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୮

ଅନୁବାଦ - ଜ୍ୟୋତି ନନ୍ଦ

ଦାଓ ଦେବ ଚାଓ ଗୁଓଜିଉଙ୍କର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଚିତ୍ରକର - ଝାଙ୍ଗ୍ ଲୁ (୧୪୬୪-୧୫୩୮)

ନୈରାଜ୍ୟରୁ ଜନ୍ମ ନିଏ ଦେଶପ୍ରେମ ।
ବିଲୁପ୍ତ ହେଲେ ବୁଦ୍ଧି ଚାଲାକିର ଆଗମନ ହୁଏ,
ଅପସରି ଯାଏ ଜ୍ଞାନ ।

ବିନମ୍ର ହେଲେ ଦାଓ
ଜନ୍ମନିଏ ମହତ୍ତ୍ୱ ସୌନ୍ଦର୍ଯ୍ୟ ।

ସଂସାରରେ ଶାନ୍ତି ନାହିଁ, ଅଧଃପତନରେ ଉଚ୍ଛନ୍ନ ସନ୍ତାନ,
ଦେଶ ଯଦି ଡୁବି ଯାଏ, ନୈରାଜ୍ୟରେ ଜନ୍ମେ ଦେଶପ୍ରେମ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Friday, October 12, 2018

ଜସିନ୍ତା କେରେକେଟାଙ୍କର କବିତା - 'ବ୍ୟଥା'

ଅନୁବାଦ - ସମୀର ରଞ୍ଜନ 

ଗ୍ୱାଲିଅର ସ୍ଥିତ ତାନସେନଙ୍କର ତେନ୍ତୁଳି ଗଛ (ୱିକିମିଡିଆ କମନ୍ସ୍)

ଆମ ଅଗଣାରେ ମୁଁ ବସି ଥାଏ
ପୁଲିସ ଆସି ଉଠାଇ ନେଲା ମତେ ।

ମୁଁ ଲକ୍ଷେ ନେହୁରା ହେଲି- କହିଲି
ମୁଁ ସିଏ ନୁହଁ,
ଯାହାକୁ ତୁମେ ଖୋଜୁଚ,
ଯାହା ତୁମେ ଭାବୁଚ ।

ହେଲେ ସେମାନେ କିଛି ବି ଶୁଣିଲେନି
ଆଉ ମତେ ମାଓବାଦୀ ସଜେଇ ଦେଲେ ।

ଏବେ ମୁଁ ମନେ ପକାଉଚି
ମୋର ସେଇ ଯୁବା ବେଳର କଥା;
କେମିତି ସଢିଚି ଭୋକରେ,
କେମିତି ଗଡ଼ିଚି ଓଦା ଓଦା ମାଟିରେ
ଆଉ ମରି ମରି ବଞ୍ଚି ରହିଚି ।

ମତେ ହାତ ତନ୍ତରେ ଲୁଗା ବୁଣିବାର
ଦେଖିଛନ୍ତି ବି ପୁଲିସବାବୁମାନେ ମୋ ଗାଁରେ,
ଯାହାଙ୍କର ଆଦେଶରେ ମୁଁ ଗାମୁଛା ବନଉ ଥିଲି ।

ହଁ ପୁଣି ମନେ ପଡିଲା-
ସେଇ ଟେବୁ ଥାନା କଥା;
କେମିତି ମତେ ପିଟି ପିଟି ନିଆ ଗଲା ମୋର ଦସ୍ତଖତ,
ଆଉ ନ୍ୟାୟାଳୟରେ ମତେ ଠିଆ କରେଇ ଦିଆଗଲା
ମାଓବାଦୀ କରି ।

ନିଜ ଜୀବନର ପୁଞ୍ଜି, ସତ୍ୟ ଆଉ ସରଳତା ପରେ
ଆଜି ମୁଁ ଦେଖୁଚି,
ନିଜ ଛାତିରେ ପୁଲିସ ଲାଠିର
ସେଇ କଳା କଳା ଦାଗମାନଙ୍କୁ
ଆଉ ମୋ ଆଖିରେ ଆକାଶର ନିଆଁକୁ ।

ବାରମ୍ବାର ଭାବୁଚି,
କେମିତି ମୋ ମୁଣ୍ଡରେ ମାଓବାଦୀର ଶିରିପା ବାନ୍ଧି
ସେମାନେ ଲୁଟି ନେଇ ଯିବେ
ମୋ ଆଖି ଆଗରେ ମୋର ସମ୍ମାନ:
ଯେମିତି ମୁଁ ଛାଡିଦେଇ ଚାଲି ଯିବି ସୁଦୂର
କେଉଁ ଏକ ଜଙ୍ଗଲକୁ;
ଛାଡିଦେଇ ମୋର ପ୍ରିୟ ଖେତ, ଖଳା, ଘର, ବାରି ।

ଯେମିତିକି ସେମାନେ ଅତି ସହଜରେ
ଲୁଟି ନେଇ ଯିବେ ମୋର ଅସ୍ତିତ୍ଵ,
ମୋର ପିତୃସତ୍ତା, ଆଉ,
ମୋର ପୂର୍ବପୁରୁଷଙ୍କ ଗଚ୍ଛିତ ସମ୍ପତ୍ତି ।

ଅନୁବାଦକୀୟ ଟୀକା - ଝାରଖଣ୍ଡର ଜଣେ ତେନ୍ତୁଳି ବିକି ଜୀବନ ଜୀଉଁଥିବା ଝିଅ ଜସିନ୍ତା କେରକେଟାଙ୍କ ଚର୍ଚ୍ଚିତ କବିତା "ଦର୍ଦ୍ଦ"ର ଏହା ମୋର ଓଡ଼ିଆ ଅନୁସୃଜନ । ଗାଁରୁ ବାହାରି ତାଙ୍କ କବିତାର ମହକ କେବଳ ଦେଶରେ ନୁହେଁ, ସେ ବିଦେଶରେ ମଧ୍ୟ ପହଞ୍ଚାଇ ପାରିଛନ୍ତି । ଅନେକ ବିଦେଶୀ ଭାଷାରେ ତାଙ୍କର କବିତା ଅନୁଦିତ । ଜସିନ୍ତାଙ୍କୁ ହୃଦୟରୁ ଧନ୍ୟବାଦ ।

Wednesday, October 10, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୭

ଅନୁବାଦକ - ଜ୍ୟୋତି ନନ୍ଦ

ଚୀନ୍‌ର ସିଚୁଆନ୍ ପ୍ରଦେଶର କିଙ୍ଗ୍‌ଚେଙ୍ଗ୍‌ ପର୍ବତମାଳାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଲୋକେ କହନ୍ତି
ଗୁରୁର ଶାସନରେ ମଣିଷ ଶାସିତ ହୁଏ,
ନିଜ ଅଜାଣତେ ।

ସେଇ ନେତା ଭଲ ଯିଏ ଭଲ ପାଇବାର ପାତ୍ର;
ସେଇ ନେତା ମନ୍ଦ ନୁହଁ, ଲୋକେ ଯାହାକୁ ଭୟ କରନ୍ତି;
ତେବେ ସେହି ନେତା ଖରାପ, ଲୋକେ ଯାହାକୁ ଘୃଣା କରନ୍ତି ।

ଯଦି ବିଶ୍ୱାସ କରି ନ ପାରିବ,
ଦେଖିବ ମଣିଷ ହେଉଛି ବିଶ୍ୱାସଘାତକ ।

କଥା ନୁହଁ, କାମକୁ ଭଲ ପାଆନ୍ତି ଗୁରୁ ।
ସଫଳ ସମାପ୍ତ ହେଲେ କାମ,
ଲୋକେ ବାହାବା ଗୋଟାନ୍ତି, ଆଉ କହନ୍ତି,
ବାଃ ଏଇ କାମ କିନ୍ତୁ ଆମେ ହିଁ କରିଛୁ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, October 09, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୬

ଅନୁବାଦ - ଜ୍ୟୋତି ନନ୍ଦ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତମର ହୃଦୟକୁ ହିଁ ମନେ ହେବ ଦାଓ:
ଶୂନ୍ୟ କରି ଦିଅ ମନ;
ଅଲଗାକରି ରଖ ବିଚିନ୍ତା;
ହୃଦୟରେ ତେବେ, ପାଇବ ପ୍ରଶାନ୍ତି ।

ଅଶାନ୍ତିକୁ ଗଳାଚିପି ହତ୍ୟା କର ନାହିଁ,
ଏହାର ବି ଅଛି ପୂର୍ଣ୍ଣତା ଲାଭର ଅଧିକାର ।
ଜଗତର ବିଚ୍ଛିନ୍ନ ସତ୍ତା ଫେରି ଆସେ ଉତ୍ସେ,
ଏହି ଫେରି ଆସିବାଟା ଖାଣ୍ଟି ।

ଏଇ ସତ୍ୟ ବୁଝିଗଲେ କଟି ଯିବ ଦ୍ୱିଧା:
ଯେତିକି ସହଜ ହେବ, ଫେରି ପାଇବ ଧୈର୍ଯ୍ୟ;
ଯେତିକି ନିର୍ମୋହ ହେବ, ଫେରି ପାଇବ ଉପକାରୀ ମନ;
ରାଜର୍ଷିର ମହାର୍ଘ୍ୟରେ, ଦୀପ୍ତ ହେବ ହୃଦୟ ତମର;
ହୃଦୟକୁ ସେତେବେଳେ ମନେ ହେବ ଦାଓ ।

ଜୀବନ ଯେଭାବେ ଆସୁ ତୋଳି ନିଅ ସହଜ ଆନନ୍ଦେ,
ମରଣ ଯେମିତି ଆସୁ, ତୋଳି ନିଅ ସହଜର ଛନ୍ଦେ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Sunday, October 07, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୫

ଅନୁବାଦ - ଜ୍ୟୋତି ନନ୍ଦ

ଦାଓ ପରମ୍ପରାରେ ବ୍ୟବହୃତ ଥାଇଲାଣ୍ଡ ଅଞ୍ଚଳର ମୁକୁଟ (ୱିକିମିଡିଆ କମନ୍ସ୍) 

ଗଡଖାଇ ପାର ହେବା କଥା ।
ପ୍ରାଚୀନ ଗୁରୁଙ୍କର ଦିବ୍ୟଦୃଷ୍ଟି ଥିଲା ଥିଲା ଗଭୀର ଧ୍ୟାନ;
ସେ ଜାଣିଥିଲେ ପ୍ରଜ୍ଞାର ସୀମା ।
ଆମେତ କେବଳ ଜାଣୁ ତାଙ୍କ ଜୀବନର ପୋଷାକୀ ମହିମା ।

ସେମାନେ ଥିଲେ ସତର୍କ;
ଯେମିତି ପାର ହେଉଛନ୍ତି ଗଡଖାଇ,
ଭାବୁଥିଲେ ରହିଛନ୍ତି,
ଶତୃ ଇଲାକାରେ ।

ସେମାନେ ଜାଣନ୍ତି ସୌଜନ୍ୟର ରୀତି,
ଥିଲେ ବରଫଖଣ୍ଡର ଭଳି ରୂପାନ୍ତରଶୀଳ ।
ଜାଣିଛନ୍ତି କେଉଁ ପରି ବିଚ୍ଛିନ୍ନ ହେବ ଯେମିତି କାଠର ଟୁକୁଡ଼ା,
ଉପତ୍ୟକା ଭଳି ପ୍ରସାରିତ
ଥିଲେ ସେମାନେ ସ୍ୱଚ୍ଛ ଜଳ ଭଳି ।

ତମର କେତେ ଧୈର୍ଯ୍ୟ ଜାଣ ?
କାଦୁଅକୁ ଶକ୍ତ ହେବାର ଆବଶ୍ୟକୀୟ ସମୟ
ଦେଇ ପାରିବ ?
ମନରେ ତାଙ୍କର ନାହିଁ ପୂର୍ଣ୍ଣତାର ପାଇଁ ହାହାକାର
ଚାହିଁ ଦେଖ ସର୍ବକାର୍ଯ୍ୟେ ଗୁରୁଦେବ ସର୍ବଦା ହାଜିର୍ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Saturday, October 06, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୪

ଅନୁବାଦ - ଜ୍ୟୋତି ନନ୍ଦ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଜ୍ଞାର ମର୍ମକଥା:
ଚାହଁ, ଦେଖା ଯିବନି;
ଶୁଣ କିଛି ଶୁଣା ଯିବ ନାହିଁ ।

ଯାଅ, ପାଇବ ନାହିଁ ଗନ୍ତବ୍ୟ;
ତଳେ ଯାହା, ତାହା ଗାଢ଼ ନୁହଁ,
ଏ ଫେରି ଆସିଛନ୍ତି ଶୂନ୍ୟତାର ଜଗତରୁ ।

ଏ ଅଖ, ଯାହାର ନାଆଁ ନାହିଁ
ଏ ଆକାରବିହୀନ ଆକାର
ଏ ଛବିବିହୀନ ଛବି
ଏ ହେଉଛି ଏକ ନିବିଡ ସତ୍ତା, ଧାରଣାର ଅତୀତ ।

ସମାପ୍ତି ନାହିଁ
ତମେ ହୁଏତ ପାରିବ ନାହିଁ ଜାଣି
କିନ୍ତୁ ତାହାକୁ ଧରି ପାରିବ ଏକ ସହଜ ଜୀବନରେ
ଏହା ହିଁ ତ ପ୍ରଜ୍ଞା ଜଗତର ।

ଉପରେ ଯାହା, ତାହା ଉଜ୍ଜଳ ନୁହଁ;
ଅନୁସରଣ କର ତାହାକୁ ,ଯାହାର ନାହାଁନ୍ତି କେଉଁ ଗୁରୁ ।
ତଥାପି ବୁଝିବାକୁ ଚେଷ୍ଟା କର କେଉଁଠୁ ଆସିଛ ତମେ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, October 03, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୩

ଅନୁବାଦ - ଜ୍ୟୋତି ନନ୍ଦ

ଜାପାନରେ ୧୭୭୦ରେ ଛପା 'ଦାଓ ଦେ ଜିଙ୍ଗ୍'ର ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଭାରସାମ୍ୟ:
ସାଫଲ୍ୟ, ବ୍ୟର୍ଥତା ଭଳି ହିଁ ଭୟାବହ;
ଆଶା ବି ଭୟ ଭଳି ।

କ'ଣ ତେବେ ଏହାର ଅର୍ଥ,
"ସଫଳତା ବ୍ୟର୍ଥତା ଭଳି ହିଁ ଭୟାବହ" ?

ଯେତେ ଯାଏଁ ଉନ୍ନତି ନାହିଁ, ସେ ଯାଏଁ ନାହିଁ ଅବନତି ।
ଯେତେ ବେଳେ କିଏ ଛିଡ଼ା ହୁଏ ପାଦରେ ଭାରା ଦେଇ,
ଭାରସାମ୍ୟ ସେ ବୁଝି ପାରେ ।

"ଆଶା ଭୟ ଭଳି" କ'ଣ ଏହି କଥାଟିର ଅର୍ଥ ?
ଆଶା ଆଉ ଭୟ, ଜଣେ ଆରକର ଭୁତ;
ଯାହାର ଉତ୍ପତ୍ତି ଚେତନାରୁ,
ଯେତେବେଳେ ଜଣେ ନିଜକୁ ଦେଖେନି,
ସେତେବେଳେ କ'ଣ ଥାଏ ଡର ଭୟ ?

ପୃଥିବୀକୁ ଦେଖ ସତ୍ତାର ଭିତରେ,
ଭଲ ପାଅ ଯାହା ଅଛି ଯେମିତି,
ଭଲ ପାଅ ପୃଥିବୀକୁ ନିଜସ୍ୱ ରୀତିରେ,
ତାହା ହେଲେ ବନ୍ଧୁ ତମେ ସଭିଙ୍କର ହେବ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, October 02, 2018

ଗାନ୍ଧୀ ଜୟନ୍ତୀ ଅବସରେ ରାମଧୂନ୍

ଉସ୍ତାଦ ବିସମିଲ୍ଲା ଖାଁ ସାହେବ ପରିବେଶଣ କରିଥିବା ରାମଧୂନ୍ - https://www.youtube.com/watch?v=ravmZ2Dgq_8

୧୯୦୯ ମସିହାରେ ଉତ୍ତୋଳିତ ଗାନ୍ଧୀଜୀଙ୍କର ଚିତ୍ର (ୱିକିମିଡିଆ କମନ୍ସ୍)

ରଘୁପତି ରାଘବ ରାଜାରାମ 
ପତିତପାବନ ସୀତାରାମ ।
ମଙ୍ଗଲ ପରଶନ ରାଜାରାମ 
ପତିତପାବନ ସୀତାରାମ ।।

ଶୁଭ ଶାନ୍ତି ବିଧାୟକ ରାଜାରାମ 
ପତିତପାବନ ସୀତାରାମ ।
ବରାଭୟ ଦାନରତ ରାଜାରାମ 
ପତିତପାବନ ସୀତାରାମ ।।

ନିର୍ଭୟ କର ପ୍ରଭୁ ରାଜାରାମ 
ପତିତପାବନ ସୀତାରାମ ।
ଦୀନଦୟାଲ ପ୍ରଭୁ ରାଜାରାମ 
ପତିତପାବନ ସୀତାରାମ ।।

ଈଶ୍ୱର ଅଲ୍ଲା ତେରେ ନାମ 
ସବ୍‌କୋ ସନ୍‌ମତି ଦେ ଭଗବାନ ।
ଅଲ୍ଲା ମଜଦା ଜିହୋବା ରାମ 
ଏକହି ମାଲିକ ତୁଝେ ପ୍ରଣାମ ।।

ରାମ ରହିମ ତେରେ ନାମ 
ସବ୍‌କୋ ସନ୍‌ମତି ଦେ ଭଗବାନ ।
କୃଷ୍ଣ କରିମ ତେରେ ନାମ 
ସବ୍‌କୋ ସନ୍‌ମତି ଦେ ଭଗବାନ ।। 

Monday, October 01, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୨

ଅନୁବାଦ - ଜ୍ୟୋତି ନନ୍ଦ

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତାହାର ହୃଦୟ ଯେମିତି ଏକ ଖୋଲା ପଡିଆ:
ରଙ୍ଗ ଅନ୍ଧ କରି ଦିଏ ଆଖି;
ଶବ୍ଦ ନଷ୍ଟ କରିଦିଏ କାନ;
ଗନ୍ଧ ଶେଷ କରିଦିଏ ସ୍ୱାଦ;
ଚିନ୍ତା କ୍ଷତ କରିଦିଏ ମନ;
ବାସନା ଭ୍ରଷ୍ଟ କରେ ହୃଦୟ ।

ଗୁରୁ ଦେଖନ୍ତି ପୃଥିବୀ ଭାରି ସହଜ;
ସବୁ କିଛି କରୁଥାନ୍ତି ସ୍ୱୀକାର,
ତାଙ୍କର ମହାନ ହୃଦୟ ଯେମିତି ଏକ ପଡ଼ିଆ ।