Sunday, July 31, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ତୃତୀୟ ବଲ୍ଲୀ : ଶ୍ଲୋକ ୧



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶୁଣ ନଚିକେତ, ଜୀବ ପରମ ପ୍ରଭେଦ
ଭେଦିଲେ ଯେ ତତ୍ତ୍ୱ ଆଉ ନ ରହିବ ଖେଦ ।

ପରମାତ୍ମା ଜୀବଆତ୍ମା ଏକତ୍ର ଉଭୟେ
ପ୍ରବିଷ୍ଟ ମାନବ ବୁଦ୍ଧି-ଗୂଢ଼-ଗୁହାଶୟେ ।

ଉନ୍ମୁୁକ୍ତ ହୃଦୟାକାଶେ ବେନିଙ୍କ ପ୍ରକାଶ
ଏକ ଭୁଞ୍ଜେ ଆନ କରେ ଚିର ଉପବାସ ।

ସୁକୃତ ଦୁଷ୍କୃତ ଆଦି କର୍ମ ଫଳାଫଳ
ଦେହେ ଜୀବ, ଭୋଗେ ଦେଖେ ପରମ କେବଳ ।

ଅନ୍ଧକାର ଜୀବ, କିନ୍ତୁ ଆଲୋକ ପରମ 
ବ୍ରହ୍ମଜ୍ଞାନୀ କୁହନ୍ତି ଏ ଭେଦାଭେଦ ମର୍ମ ।

ଆବର ଯେ ପଞ୍ଚଅଗ୍ନି କରନ୍ତି ଅର୍ଚ୍ଚନା
କରନ୍ତି ଯେ ନଚିକେତ ଅଗ୍ନି ଆରାଧନା ।

ସେ ସକଳ ଉପାସକ କର୍ମନିଷ୍ଠ ଜନ
ବଖାଣନ୍ତି ପରାପର ପ୍ରଭେଦ ଏସନ ।

ପରାପର ବ୍ରହ୍ମଜ୍ଞାନ ଦୁଃସାଧ୍ୟ ନିଶ୍ଚିତ
ନୁହେ କିନ୍ତୁ ମାନବର ସାଧନା ଅତୀତ । (ନ.ଉ. ୧।୩। ୧୭-୧୮)

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୭ ଓ ୮ ଅପ୍ପମାଦବଗ୍ଗୋ 



ବୁଦ୍ଧପାଦ
 ଫଟୋ କ୍ରେଡିଟ୍ - ୱିକିମିଡ଼ିଆ କମନସ୍ 

୭ ଅପ୍ପମାଦବଗ୍ଗୋ


ମା ପମାଦମନୁଯୁଞ୍ଜେଥ ମା କାମରତିସନ୍ଥବଂ ।
ଅପ୍ପମତ୍ତୋ ହି ଝାୟନ୍ତୋ ପପ୍ପୋତି ବିପୁଳଂ ସୁଖଂ ।୭। 

ପ୍ରମାଦରେ କେବେହେଲେ ନହୁଅ ପ୍ରବୃତ୍ତ ।
କାମରତି ପ୍ରସ୍ତାବରେ ହୁଅନାହିଁ ଲିପ୍ତ ।।

ଅପ୍ରମାଦ ଗୁଣଯୁକ୍ତ କଉଣସି ଜନ
ଲଭଇ ବିପୁଳ ସୁଖ କଲେ ସେହୁ ଧ୍ୟାନ ।୭।


୮ ଅପ୍ପମାଦବଗ୍ଗୋ


ପମାଦଂ ଅପ୍ପମାଦେନ ଯଦା ନୁଦତି ପଣ୍ଡିତୋ ।
ପଞ୍ଯପାସାଦମାରୁୟ୍ହ ଅସୋକୋ ସୋକିନିଂ ପଜଂ ।
ପଦ୍ଦତଟ୍ଠୋ'ବ  ଭୁମ୍ମଟ୍ଠେ ଧୀରା ବାଳେ ଅବେକ୍ଖତି ।୮।

ଅପ୍ରମାଦ ଦ୍ୱାରା ଯ଼େତେବେଳେ ବୁଧଜନ ।
ପରମାଦର କରଇ ସେ ଅପନୋଦନ ।।

ସେହି ଧୀର ବ୍ୟକ୍ତି ଯେବେ ପ୍ରଜ୍ଞାର ପ୍ରାସାଦ 
ଆରୋହଣ କରି ହୋଇ ଶୋକରୁ ରହିତ,

ଶୋକପିଡ଼ିତ ଜନଙ୍କୁ ଦେଖଇ ସେପରି,
ପର୍ବତସ୍ଥ ଭୂମିସ୍ଥଙ୍କୁ ନିରେଖିଲା ପରି ।୮।

Saturday, July 30, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ନିତ୍ୟ ସମାହିତ ଶାନ୍ତ ସୁକୃତ ସଞ୍ଜତ
ଲଭେ ବ୍ରହ୍ମଜ୍ଞାନ ବଳେ ଗୂଢ଼ ଆତ୍ମତତ୍ତ୍ୱ ।

ବ୍ରାହ୍ମଣ କ୍ଷତ୍ରୀୟ ଆଦି ଉତ୍ତମ ମଧ୍ୟମ 
ଅଛନ୍ତି ଜଗତେ ଯେତେ ସ୍ଥାବର ଜଙ୍ଗମ ।

ଆତ୍ମାର ଆହାର ସର୍ବେ ଆତ୍ମାର ଅଧୀନ
ଆତ୍ମା ଅଭ୍ୟନ୍ତରେ ଜାତ ଆତ୍ମାରେ ବିଲୀନ ।

ନିଜେ ମୃତ୍ୟୁ ଭଜେ ଯେହୁ ସକଳ ବିନାଶେ 
ଭଜେ ମୃତ୍ୟୁ ପଡ଼େ ଯେବେ ଆତ୍ମାର ଗରାସେ ।

ଆତ୍ମା ଅନ୍ତର୍ଭୁତ ସୃଷ୍ଟି ସଂସ୍ଥିତି ପ୍ରଳୟ 
ଲୋକେ ଯାହା ବିପର୍ଯ୍ୟୟ ନୁହେ ତା ବିଲୟ ।

ଏସନ ସ୍ୱରୂପ ଆତ୍ମା ଯହିଁ ବିଦ୍ୟମାନ 
ଦୁଃସାଧ୍ୟ ସାଧନେ ଲଭ୍ୟ ସେ ନିଗୂଢ଼ ସ୍ଥାନ ।

ଇତର ଜନର ନୁହେଁ ସହଜେ ଗୋଚର
ନଚିକେତ, ଜାଣି ଏହା ମନେ ହେତୁ କର ।" (ନ.ଉ. ୧।୨।୧୭) 

Friday, July 29, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଦୁଶ୍ଚରିତ୍ର ପାପପଥୁଁ ନୁହେଁ ଯେ ବିରତ 
ଶିକ୍ଷାବଳେ ନୁହେଁ ଯା'ର ଇନ୍ଦ୍ରିୟ ସଞ୍ଜତ ।

ନୁହେ ଯା'ର ଚିତ୍ତ ଦୃଢ଼ ଏକାଗ୍ର ନିଶ୍ଚଳ
ତେଜି ନାହିଁ ମନ ଯା'ର ବିଷୟ ପଟଳ,

ବୈରାଗ୍ୟ ନିର୍ମଳ ଶାନ୍ତ ହୋଇନାହିଁ ମତି 
ହୁଏ ନାହିଁ ତା'ର କେବେ ଆତ୍ମା ପରାପତି । (ନ.ଉ. ୧।୨।୧୬)

Thursday, July 28, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୩



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମିଳେ ନାହିଁ ଆତ୍ମଲାଭ ଶାସ୍ତ୍ର ଅଧ୍ୟୟନେ,
ଶାସ୍ତ୍ରାର୍ଥ ଶ୍ରବଣେ ଅବା କେବଳ ଧାରଣେ ।

ଆତ୍ମାର ସ୍ୱରୂପ ଜ୍ଞାନେ କରେ ଯେ ସାଧନା
ଦୂରେ ପରିହରି ହୃଦୁଁ ସକଳ କାମନା;

ନିଜ ପରମାର୍ଥ ରୂପ ସେ ସାଧକ ପାଶେ 
ମୋହ ଅନ୍ଧକାର ନାଶି ଆତ୍ମା ପରକାଶେ;

ହୁଏ ତାର ଆତ୍ମଲାଭ, ଆପଣାକୁ ଆପେ 
ଦେଖାଇ ସେ ଆତ୍ମାରାମ, ନ ପଡ଼େ  ତ୍ରିତାପେ । (ନ.ଉ. ୧।୨। ୧୬)

Wednesday, July 27, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଅନିତ୍ୟ ନଶ୍ୱର ପ୍ରାଣୀ ଦେହେ ବିରାଜିତ 
ନାହିଁ ରୂପ ନାହିଁ ତନୁ ବିକାର ବର୍ଜିତ ।

ଦେଶକାଳ ଗୁଣେ ନୁହେ ଆତ୍ମା ପରିଚ୍ଛନ୍ନ
ସର୍ବବ୍ୟାପୀ ସର୍ବେଶ୍ୱର ସର୍ବାପର ଭିନ୍ନ ।

ବୁଝେ ଏହୁ ଆତ୍ମତତ୍ତ୍ୱ ସୁଧୀର ସୁଜ୍ଞାନୀ
ତରେ ଶୋକ, ଆପଣାକୁ ଆତ୍ମା ବୋଲି ଜାଣି । (ନ.ଉ. ୧।୨।୧୬)

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୫ ଓ ୬ ଅପ୍ପମାଦବଗ୍ଗୋ 



ବୋଧିଧର୍ମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୫ ଅପ୍ପମାଦବଗ୍ଗୋ


ଉଟ୍ଠାନେନ'ପ୍ପମାଦେନ ସଞ୍ଯମେନ ଦମେନ ଚ ।
ଦୀପଂ କୟିରାଥ ମୋଧାବୀ ଯଂ ଓଘୋ ନାଭିକୀରତି ।୫। 

ଉଦ୍ୟମ, ଅପ୍ରମାଦ, ସଞ୍ଜମ, ଦମ ଧରି
ବୁଦ୍ଧିମାନ ବିରଚିବ  ଦ୍ୱୀପଟି ଏପରି 
ବନ୍ୟା ଭସାଇ ନନେଇ ପାରିବ ଯେପରି ।୫। 


୬ ଅପ୍ପମାଦବଗ୍ଗୋ


ପମାଦମନୁଯୁଞ୍ଯନ୍ତି ବାଳା ଦୁମ୍ମେେଧିନୋ ଜନା ।
ଅପ୍ପମାଦଞ୍ଚ ମେଧାବୀ ଧନଂ ସେଟ୍ଠଂ'ବ ରକ୍ଖତି ।୬।

ମୂର୍ଖ ପରମାଦେ ଲିପ୍ତ, ତଥା ଅପ୍ରମାଦେ
ଶ୍ରେଷ୍ଠ ଧନ ପରି ରକ୍ଷା କରନ୍ତି ଯେ ବୁଧେ ।୬।

Tuesday, July 26, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୧



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଅଚଳ ଅସ୍ଥିର ଆତ୍ମା କିନ୍ତୁ ଭ୍ରମେ ଦୂରେ 
କାର୍ଯ୍ୟହୀନ ଗତିହୀନ ଯାଏ ତିନି  ପୁରେ ।

ସ୍ଥିତି ଗତି ଆଦି ନାନା ଭାବ ବିପରୀତ 
ଏକାଧାରେ ଏକାବେଳେ ଯହିଁ ସମନ୍ୱିତ ।

ସେ ଆତ୍ମାର ତତ୍ତ୍ୱ ଅତି ଅଭେଦ୍ୟ ଦୁସ୍ତର
ମୋ ବିନା ନୁହଇ ଅନ୍ୟ କାହାର ଗୋଚର । (ନ.ଉ. ୧।୨।୧୫) 

Monday, July 25, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨୦



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସୂକ୍ଷ୍ମତମ ପରମାଣୁ ତହିଁ ସୂକ୍ଷ୍ମକାର
ବୃହତ୍ତମୁଁ ବୃହତ୍ତମ ଆତ୍ମାର ବିସ୍ତାର ।

ପ୍ରାଣୀଗଣ ହୃଦେ ଆତ୍ମା ନିହିତ ନିୟତ
ଗିରିଦରି ଅଭ୍ୟନ୍ତରେ ହର୍ଯ୍ୟଷ ଯେମନ୍ତ ।

କାମ ତ୍ୟାଗେ ପରିପୂତ ଯାହାର ଅନ୍ତର 
ଦୁଃଖ ଶୋକ ଅତିକ୍ରମ କରିଛି ଯେ ନର,

ଆତ୍ମାର ମହିମା ସେହୁ ଦେଖେ, ଉପଭୋଗେ 
ପ୍ରସନ୍ନ ଇନ୍ଦ୍ରିୟ ମନ ଶୁଦ୍ଧ ବୁଦ୍ଧି ଯୋଗେ । (ନ.ଉ. ୧।୨। ୧୫)

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୩ ଓ ୪ ଅପ୍ପମାଦବଗ୍ଗୋ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


୩ ଅପ୍ପମାଦବଗ୍ଗୋ 


ତେ ଝାୟିନୋ ସାତତିକା ନିଚ୍ଚଂ ଦଳ୍ହପରକ୍କମା ।
ପୁଂସନ୍ତି ଧୀରା ନିବ୍ବାଣଂ ଯୋଗକ୍କେମଂ ଅନୁତ୍ତରଂ ।୩।

ଧ୍ୟାନରତ ଯେଉଁମାନେ ସତତ ଜାଗ୍ରତ ।
ଧୀର ଏବଂ ସଦା ଦୃଢ଼ ପରାକ୍ରମଯୁକ୍ତ ।।

ନିଶ୍ଚିତ ଭାବେ ସେମାନେ କରନ୍ତି ସ୍ପର୍ଶନ ।
ଅନୁତ୍ତର ଯୋଗକ୍ଷେମ ଅଟେ ଯେ ନିର୍ବାଣ ।୩। 

୪ ଅପ୍ପମାଦବଗ୍ଗୋ 


ଉଟ୍ଠାନବତୋ ସତିମତୋ ସୁଚିକମ୍ମସ୍ସ ନିଶମ୍ମକାରିଣୋ ।
ସଞ୍ଯତସ୍ସ ଚ ଧମ୍ମଜୀବିନୋ ଅପ୍ପମତ୍ତସ୍ସ ଯସୋ ଭିବଡ୍ଡତି  ।୪।

ଶୁଚିକର୍ମା, ଉତ୍ଥାନଶୀଳ ଓ ସ୍ମୃତିମାନ ।
ସଞ୍ଜତ, ନିଶମ୍ୟକର୍ମା, ଧର୍ମଜୀବୀ ଜନ ।।

ଯେହୁ ଏହୁ ଗୁଣ ସହ ଅପ୍ରମାଦ ଯୁକ୍ତ ।
ନିଶ୍ଚିତେ ଯଶବୃଦ୍ଧି ସେ ହୁଅଇ ପ୍ରାପତ ।୪।

Sunday, July 24, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୯


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆତ୍ମଜ୍ଞାନ ହୀନ ଆତ୍ମା ସ୍ୱରୂପ ନ ଜାଣେ 
ଜଡ଼ ଶରୀରକୁ ଆତ୍ମା ରୂପେ ପରମାଣେ ।

ଏ ସମ ବିମୂଢ଼ ଯେବେ ଆନ ମୂଢ଼େ ହାଣେ 
ଏକ 'ହତ୍ୟା କଲି' ଆନ 'ହତ ହେଲି' ଜାଣେ । 

ଆପଣାକୁ ନ ଚିହ୍ନନ୍ତି ସେ ବେନି ଅଜ୍ଞାନେ,
ହୁଏ ନାହିଁ ଆତ୍ମ। ହତ କିବା ନାହିଁ ହାଣେ । (ନ.ଉ. ୧।୨।୧୫)

Saturday, July 23, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧ ଓ ୨ ଅପ୍ପମାଦବଗ୍ଗୋ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧ ଅପ୍ପମାଦବଗ୍ଗୋ


ଅପ୍ପମାଦୋ ଅମତପଦଂ ପମାଦୋ ମଚ୍ଛୂନୋ ପଦଂ ।
ଅପ୍ପମତ୍ତା ନ ମୀୟନ୍ତି ଯେ ପମତ୍ତା ଯଥା ମତା ।୧।

ଅପ୍ରମାଦ ଅଟଇ ଯେ ଅମୃତର ପଦ ।
ମୃତ୍ୟୁପଦ ଅଟଇ ନିଶ୍ଚିତରେ ପ୍ରମାଦ ।।

ଅପ୍ରମାଦ ଗୁଣଯୁକ୍ତ ବ୍ୟକ୍ତି ମରେ ନାହିଁ ।
ପ୍ରମାଦଯୁକ୍ତ ମରିଲା ପ୍ରକାରେ ବଞ୍ଚଇ ।୧।

୨ ଅପ୍ପମାଦବଗ୍ଗୋ


ଏତଂ ବିସେସତୋ ଞତ୍ୱା ଅପମ୍ମାଦମ୍ହି ପଣ୍ଡିତା ।
ଅପ୍ପମାଦେ ପମୋଦନ୍ତି ଅରିୟାନଂ ଗୋଚରେ ରତା ।୨।

ଅପ୍ରମାଦ, କୁଶଳୀ ଜନେ ବିଶେଷେ ଜାଣି  ।
ଅାର୍ଯ୍ୟମାନଙ୍କ ମାର୍ଗରେ ରତ ହୋଇ ପୁଣି ।
ଅପ୍ରମାଦେ  ପ୍ରମୋଦିତ ହୁଏ  ସେହୁ  ଜ୍ଞାନୀ ।୨। 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୮



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆତ୍ମଜ୍ଞାନ ଲାଭେ ଯେବେ ବିଶ୍ୱ ବ୍ରହ୍ମମୟ,
ନାହିଁ ଜନ୍ମ, ନାହିଁ ମୃତ୍ୟୁ, ନାହିଁ ବୃଦ୍ଧି-କ୍ଷୟ ।

ନାହିଁ ଅନ୍ୟ ହେତୁ ଯହୁଁ ଆତ୍ମାର ସମ୍ଭବ 
ନୁହଇ ଆତ୍ମାରୁ ଅନ୍ୟ ବସ୍ତୁ ସମୁଦ୍ଭବ ।

ଜନ୍ମ ବିରହିତ ଆତ୍ମା ନିତ୍ୟ ସନାତନ 
ନିର୍ବିକାର ଶାଶ୍ୱତ ସେ ସର୍ବଦା ନୂତନ ।

ବିଶ୍ୱବସ୍ତୁ ରନ୍ଧ୍ରେ ରନ୍ଧ୍ରେ ଆତ୍ମା ସୁପ୍ରକାଶ 
ଶରୀର ବିନାଶେ ଆତ୍ମା ଯାଏ ନାହିଁ ନାଶ ।

Friday, July 22, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୯ ଓ ୨୦ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୯ ଯମକ ବଗ୍ଗ


ବହୁଂପି ଚେ ସହିତଂ ଭାସମାନୋ ନ ତକ୍କରୋ ହୋତି ନରୋ ପମତ୍ତେ ।
ଗୋପୋ'ବ ଗାବୋ ଗଣୟଂ ପରେସଂ ନ ଭାଗବା ସାମଞ୍ଜସ୍ସ ହୋତି ।୧୯।

 ଯଦିଚ ମଣିଷ ଧର୍ମଗ୍ରନ୍ଥ କରି ପାଠ ।
ପ୍ରମାଦ ନ ତେଜି ପୁଣ ହୋଇ କରି ମଠ ।।
ଗୋପାଳ ଯେପରି ପର ଗାଭୀ ଗଣୁଥାଇ ।
ଶ୍ରାମଣ୍ୟ ଫଳର ଭାଗୀ ହୋଇ ନ ପାରଇ ।୧୯।

୨୦ ଯମକ ବଗ୍ଗ


ଅପ୍ପମ୍ପି ଚେ ସହିତଂ ଭାଷମାନୋ ଧମ୍ମସ୍ସ  ହୋତି ଅନୁଧମ୍ମଚାରୀ ।
ରାଗଞ୍ଚ ଦ୍ୱେଷଞ୍ଚ ପହାୟ ମୋହଂ ସମ୍ମପ୍ପଜାନୋ ସୁବିମୁକ୍ତଚିତ୍ତୋ ।
ଅନୁପାଦିୟାନୋ ଇଧ ବା ହୁରଂ ବା ସ ଭାଗବା ସାମଞ୍ଯସ ହୋତି । ୨୦। 

 ଯେଉଁ ଜନ ଧର୍ମଗ୍ରନ୍ଥ ଅଳ୍ପ କରି ପାଠ ।
ଧର୍ମ ଅନୁସାରେ ଧର୍ମ କରୁଥାଇ ଶାଠ ।।

ରାଗ, ଦ୍ୱେଷ, ମୋହ ଆଦି ତ୍ୟାଗ କରିଦେଇ ।
ସମ୍ୟକ ପ୍ରଜ୍ଞାନଯୁକ୍ତ ନିଶ୍ଚିତେ ହୁଅଇ ।।

ଚିତ୍ତ ସୁବିମୁକ୍ତ, ଶ୍ରାମଣ୍ୟ ଫଳେ ତା ଭାଗ  
ଇହ ପର ଲୋକେ ନାହିଁ ଉପାଦାନେ ଯୋଗ ।୨୦।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୭



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବୁଝିଣ ଏ ତତ୍ତ୍ୱ ଯେହୁ ପୂଜେ ଏ ଅକ୍ଷର ।

ପୂରଣ ହୁଅଇ ତା'ର କାମନା ନିଚୟ 
ଥାଏ ନାହିଁ ପୁଣି ଜନ୍ମ-ଜରା-ମୃତ୍ୟୁ ଭୟ ।

ଅପର ପୂଜନେ ନର ଯାଏ ବ୍ରହ୍ମଲୋକେ 
ପଡ଼େ ନାହିଁ ଆଉ କେବେ ଭବ-ଦୁଃଖ ଶୋକେ ।

ପର ଉପାସନେ ହୁଏ ସ୍ୱୟଂ ବ୍ରହ୍ମରୂପ 
ଛିଣ୍ଡେ ଯେବେ ମୋହ ଜାଲ, ତୁଟେ ତମସ୍ତପ ।

ବ୍ରହ୍ମପ୍ରାପ୍ତି ସାଧନାର ମୁଖ୍ୟ ଆଲମ୍ବନ
ଓଁକାରେ ଗଣଇ ମନ ସତତ ଯେ ଜନ ।

ହୁଏ ବ୍ରହ୍ମରୂପ ଲଭି ପୂର୍ଣ୍ଣ ବ୍ରହ୍ମଜ୍ଞାନ
କିବା ବ୍ରହ୍ମଲୋକ ପାଏ ସମ ପୂଜ୍ୟସ୍ଥାନ । (ନ.ଉ. ୧।୨।୧୪)  

Thursday, July 21, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୬



ଆର୍ମେନୀୟ ଜୀବନ ବୃକ୍ଷ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଓଁକାରେ ସାକ୍ଷାତ ବ୍ରହ୍ମ, ବ୍ରହ୍ମ ପ୍ରତ୍ୟାକାର ।
ଯେ ଉତ୍ତମ ଅଧିକାରୀ ଓଁ କାର ସ୍ମରଣେ 
ବ୍ରହ୍ମର ପ୍ରତ୍ୟକ୍ଷ ରୂପ ଆପଣାକୁ ମଣେ ।
ଓଁକାରେ  ବ୍ରହ୍ମରୂପ କରି ଆରୋପଣ
ଅଳ୍ପ ଅଧିକାରୀ ଜନ କରିବ ଭାଜନ ।
ଓଁକାର ପରମ ବ୍ରହ୍ମ ଓଁକାର ଅପର, (ନ.ଉ. ୧।୨।୧୪)

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୭ ଓ ୧୮ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୭ ଯମକ ବଗ୍ଗ


ଇଧ ତପ୍ପତି ପେଚ୍ଚ ତପ୍ପତି ପାପକାରୀ ଉଭୟତ୍ଥ ତପ୍ପତି 
ପାପଂ ମେ କତନ୍ତି ତପ୍ପତି ଭୀୟ୍ୟୋ ତପ୍ପତି ଦୁଗ୍ଗତିଙ୍ଗତୋ ।୧୭।

ଇହ, ପର ଲୋକେ ପାପକାରୀ ଅନୁତପ୍ତ 
 "ମୁଁ ପାପ କରିଛି" ବୋଲି ହୁଏ ସେ ଦୁୂର୍ଗତ ।୧୭।

୧୮ ଯମକ ବଗ୍ଗ


ଇଧ ନନ୍ଦତି ପେଚ୍ଚ ନନ୍ଦତି କତପୁଞ୍ଯୋ ଉଭୟତ୍ଥ ନନ୍ଦତି  
ପୁଞ୍ଯ ମେ କତନ୍ତି ନନ୍ଦତି ଭୀୟ୍ୟୋ ନନ୍ଦତି ସୁଗ୍ଗତିଙ୍ଗତୋ ।୧୮।

ଇହ, ପର ଲୋକେ ପୂଣ୍ୟକାରୀ ଆନନ୍ଦିତ 
 "ମୁଁ ପୁଣ୍ୟ କରିଛି" ବୋଲି ହୁଏ ସେ ସୁର୍ଗତ । ୧୮।

Wednesday, July 20, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୫



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ବୋଇଲେ ଗଭୀରେ ଯମ ଏସନ ଉତ୍ତରେ,
"ଚାରିବେଦ ଗାଏ ଉଚ୍ଚେ ଦୃଢ଼ ସମସ୍ୱରେ ।

ଯେ ପଦ ଗରିମା, ଜାଣ ଏକାନ୍ତ ପ୍ରାପତି,
ବେଦମତେ ମାନବର ମୁଖ୍ୟତମ ଗତି ।

ତପ ବ୍ରହ୍ମଚର୍ଯ୍ୟ ଆଦି ବିବିଧ ସାଧନ 
ଯେ ପଦ ପ୍ରାପତି ଆଶେ ଆଚରନ୍ତି ଜନ 
ସଂକ୍ଷେପେ କହୁଛି ଶୁଣ - ସେ ପଦ ଓଁକାର । (ନ.ଉ. ୧।୨।୧୪)

Tuesday, July 19, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୫ ଓ ୧୬ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୫ ଯମକ ବଗ୍ଗ


ଇଧ ସୋଚତି ପେଚ୍ଚ ସୋଚତି ପାପକାରୀ ଉଭୟତ୍ଥ ସୋଚତି 
ସୋ ସୋଚତି ସୋ ବିହଞ଼୍ଯତି ଦିସ୍ୱା କମ୍ମ କିଳିଟ୍ଠମତ୍ତନୋ ।୧୫।

ପାପକାରୀ ଶୋକକରେ ଇହ ପରେ ଲୋକେ 
ନିଜ କଲା କର୍ମ ଦେଖି ବିହରଇ ଶୋକେ । ୧୫।

୧୬ ଯମକ ବଗ୍ଗ


ଇଧ ମୋଦତି ପେଚ୍ଚ ମୋଦତି କତପୁଞ୍ଯୋ ଉଭୟତ୍ଥ ମୋଦତି 
ସୋ ମୋଦତି ସୋ ପମୋଦତି ଦିସ୍ୱା କମ୍ମବିଶୁଦ୍ଧିମତ୍ତନୋ ।୧୬।

ପୂଣ୍ୟକାରୀ ମୋଦ କରେ ଇହ ପରେ ଲୋକେ
ନିଜ କଲା କର୍ମ ଦେଖି ବିହରଇ ସୁଖେ । ୧୬।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶୁଣି ଯମରାଜା ବାଣୀ ବୋଲେ ବିପ୍ରବର,
"କରିଛ ଅନ୍ତକ, ମୋର ପ୍ରଶଂସା ବିସ୍ତର ।

ଯଥାର୍ଥରେ ଯୋଗ୍ୟ ବୋଲି ମତେ ଯେବେ ମଣ 
ଯଥାର୍ଥ ମୋ ପ୍ରତି ଦେବ ଯେବେ ସୁପ୍ରସନ୍ନ,

କହ ତେବେ ମତେ ଆତ୍ମତତ୍ତ୍ୱ ବିବରଣ
ସର୍ବାପର ବୋଲି ଯାହା ଜାଣନ୍ତି ଆପଣ ।

ଧର୍ମାଧର୍ମ ବୋଲି ଯାହା ଶାସ୍ତ୍ର ନିରୂପିତ 
ଅଟଇ ଯେ ଆତ୍ମତତ୍ତ୍ୱ ତହିଁରୁ ଅତୀତ,

କାର୍ଯ୍ୟ-କାରଣରୁ ଯେହୁ ତତ୍ତ୍ୱ ବିଲକ୍ଷଣ 
ଭୂତ ଭବ୍ୟ ବର୍ତ୍ତମାନୁଁ ଯେହୁ ପୁଣି ଅନ୍ୟ,

ଯହିଁ ଅତିକ୍ରାନ୍ତ ଦେଶ କାଳ ବ୍ୟବହାର 
କହ ମୃତ୍ୟୁଦେବ, ସେହି ଆତ୍ମତତ୍ତ୍ୱ ସାର ।" (ନ.ଉ. ୧।୨। ୧୩-୧୪)

Monday, July 18, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୪ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ନ ସମତିବିଜ୍ଝତି ।
ଏବଂ ସୁଭାବିତଂ ଚିତ୍ତଂ ରାଗୋ ନ ସମତି ବିଜ୍ଝତି । ୧୩।

ବୃଷ୍ଟି ନପଶେ ଯେପରି ଘର ସ୍ୱାଚ୍ଛାଦିତେ 
ରାଗ ବିଦ୍ଧ  କରେ ନାହିଁ ସୁଭାବିତ ଚିତ୍ତେ  । ୧୩।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୩



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ଗୁରୁମୁଖୁଁ ଉପଦେଶ ଶୁଣି ମର୍ତ୍ତ୍ୟ ନର
କରଇ ଆତ୍ମାର ସୂକ୍ଷ୍ମ ସ୍ୱରୂପ ଗୋଚର ।

ଶରୀରାଦି ଜଡ଼ବଶୁଁ ଆତ୍ମା ବିଲକ୍ଷଣ
ମହାମୋଦଦାୟୀ ବିଶ୍ୱଜଗତ ଧାରଣ ।

ଆତ୍ମାର ସ୍ୱରୂପ ତତ୍ତ୍ୱ ବୁଝି ଜ୍ଞାନବନ୍ତ 
ଲଭଇ ପରମ ସୁଖ ଅମୃତ ଅନନ୍ତ ।

ନଚିକେତ, ପରିହରି କାମନାନିଚୟ
ବ୍ରହ୍ମଜ୍ଞାନେ ଅଧିକାରୀ ତୁମ୍ଭେ ନିଃସଂଶୟ ।

ଫିଟିଅଛି ତୁମ୍ଭ ଲାଗି ବ୍ରହ୍ମପୁର ଦ୍ୱାର 
ମୋକ୍ଷ ଅଭିମୁଖୀ ତୁମେ କରେ ମୁଁ ବିଚାର ।" (ନ.ଉ. ୧।୨।୨୩)

Sunday, July 17, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୧୨ ଓ ୧୩ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧୨ ଯମକ ବଗ୍ଗ


ସାରଞ୍ଚ ସାରତୋ ଞତ୍ତ୍ୱା ଅସାରଞ୍ଚ ଅସାରତୋ 
ତେ ସାରମ୍ ଅଧିଗଚ୍ଛନ୍ତି ସମ୍ମାସଙ୍କପ୍ପଗୋଚରା ।୧୨।

ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ 
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ । 

ସମ୍ୟକ ସଂକଳ୍ପ ସହ ହୋଇ ସେହୁ ଯୁକ୍ତ
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨।

୧୩ ଯମକ ବଗ୍ଗ


ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ସମତିବିଜ୍ଝତି ।
ଏବଂ ଅଭାବିତଂ ଚିତ୍ତଂ ରାଗୋ ସମତିବିଜ୍ଝତି । ୧୩।

ବୃଷ୍ଟି ପ୍ରବେଶିଲା ପରି ଛିଦ୍ରଯୁକ୍ତ ଘରେ 
ଅଭ୍ୟାସରହିତ ଚିତ୍ତେ ରାଗ ବିଦ୍ଧ କରେ । ୧୩।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ବୁଦ୍ଧି ଉପଲବ୍ଧ ତେଣୁ ବୁଦ୍ଧି ଅଧିଗତ 
ଅନାଦି ଆଦି କାରଣ ପୁରାଣ ଶାଶ୍ୱତ ।

ଦୁଃସାଧ୍ୟ କଠିନ ଅତି ଆତ୍ମ ଦରଶନ
ଦେଖନ୍ତି ଅଧ୍ୟାତ୍ମଯୋଗେ ସିଦ୍ଧ ସାଧୁଜନ ।

ଲଭି ଆତ୍ମଦରଶନ ପ୍ରତ୍ୟକ୍ଷ ପ୍ରତୀତ
ହର୍ଷ ଶୋକ ତେଜି ଧୀର ହୁଏ ଦ୍ୱନ୍ଦାତୀତ । (ନ.ଉ. ୧।୨।୧୩)

Saturday, July 16, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୧୧



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନଚିକେତ ଧୈର୍ଯ୍ୟଗୁଣେ ଦୃଢ଼ କରି ମନ
ବୁଝିଅଛ ଆତ୍ମତତ୍ତ୍ୱ ତୁମ୍ଭେ ବିଚକ୍ଷଣ ।

ସମାପତ ଯହିଁ ନର କାମନାନିଚୟ 
ନିଖିଳ ବିଶ୍ୱର ଯାହା ପରମ ଆଶ୍ରୟ,

ଲଭେ ନର ଆତ୍ମା ଯହିଁ ପରମ ସଂସ୍ଥିତି
ପରାହତ ଯହିଁ ଜନ୍ମ ଜରା ମୃତ୍ୟୁ ଭୀତି,

ଅଣିମାଦି ଯୁକ୍ତ ମହାବନ୍ଦନୀୟ ପଦ 
ଯଜ୍ଞର ଅନନ୍ତ ଫଳେ ମିଳେ ଯେ ସମ୍ପଦ,

ଧୀର ଚିତ୍ତେ ଏ ସବୁର କରି ସୁବିଚାର 
ସଂସାର ସମ୍ଭୋଗରାଶି ଦୂରେ ପରିହର ।

କରୁଅଛ ନଚିକେତା ଧନ୍ୟ ମହାମନା ।
ଧନ୍ୟ ତୁମ୍ଭେ 'ସ୍ଥିରମତି' ଧୀର ଆଲୋଚନା ।

ଯେ ଆତ୍ମା ସାକ୍ଷାତ ଲାଗି ତବ ଅଭିଳାଷ
ଅତି ସୂକ୍ଷ୍ମ ସୁମହତ ସେ ଆତ୍ମା ପ୍ରକାଶ ।

ପୂରିରହିଅଛି ଆତ୍ମା ବିଶ୍ୱ ଅଭ୍ୟନ୍ତରେ 
ବିଦ୍ୟମାନ ମାନବର ହୃଦୟ କନ୍ଦରେ । (ନ.ଉ. ୧।୨।୧୨) 

ବିଶ୍ୱର ସଙ୍କଟ ବା ଡଙ୍କେଲ ପ୍ରସ୍ତାବର ଭିତିରି କଥା - ୫


ଲେଖକ - ଶ୍ରୀ କିଶନ ପଟ୍ଟନାୟକ


କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆଗକୁ ସାରା ବିଶ୍ୱରେ, ପୂରା ସମାଜ ଉପରେ ଯେଉଁ ବିପତ୍ତି ପଡ଼ିବାକୁ ଯାଉଛି, ବିଶେଷକରି ଶିଳ୍ପ ଉତ୍ପାଦନର ପରିମାଣ ଯେପରି କମ୍ ହେବାକୁ ଯାଉଛି, ସେଥିରେ ବିକଶିତ ଦେଶମାନେ ବେଶ୍ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୟୁରୋପୀୟ ଦେଶମାନେ ଚାହୁଁଛନ୍ତି ଯେ ଏହାର ପ୍ରଭାବ ତାଙ୍କ ଦେଶ ଉପରେ ନପଡ଼ୁ । ସେମାନେ ଚାହୁଁଛନ୍ତି ଯେ ସବୁ ବିପଦ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ ଉପରେ ପଡ଼ୁ । ବିକଶିତ ଦେଶଗୁଡ଼ିକ ବିଶ୍ୱର ଅନ୍ୟ ଦେଶର ରାଜନୀତି କଳ-କାରଖାନା ଉପରେ ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି, ଯାହାଦ୍ୱାରା ସେମାନେ ଏସିଆ, ଆଫ୍ରିକା ଲାଟିନ୍ ଆମେରିକୀୟ ଦେଶଗୁଡ଼ିକୁ ବଳି ପକାଇ ଦେବା ପାଇଁ ପ୍ରସ୍ତୁତ କରିପାରିବେ । ଏହି ନିୟନ୍ତ୍ରଣ ଫଳରେ ବିକଶିତ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଆଣବିକ ବର୍ଜ୍ୟବସ୍ତୁକୁ ଗରିବ ଦେଶଗୁଡ଼ିକରେ ଫୋପାଡ଼ି ପାରିବେ ।

ହି ବିଷୟରେ କିନ୍ତୁ ତୃତୀୟ ବିଶ୍ୱର ଦେଶଗୁଡ଼ିକରେ କୌଣସି ଆଲୋଚନା ହେଉନାହିଁ । ଯଦି ବା କେଉଁଠାରେ ହେଉଛି, ତେବେ ତାହାକୁ ଜୋରଦାର ଭାବରେ କରାନଯାଇ ଛୋଟିଆ ମୋଟିଆ ଘଟଣା ରୂପେ ଦେଖାଯାଉଛି । ବିକଶିତ ଦେଶଗୁଡ଼ିକରେ ଏ ବିଷୟରେ କେବଳ ରୁଦ୍ଧ କୋଠରୀରେ ଆଲୋଚନା କରାଯାଉଛି । ଏହା ମଧ୍ୟ ଅତି ଛୋଟିଆ ଗୋଷ୍ଠୀ ମଧ୍ୟରେ ସୀମିତ ରହୁଛି । କାରଣ ସେମାନେ ଏହି ଆଲୋଚନାକୁ ବିଶ୍ୱବ୍ୟାପୀ କରିବାକୁ ଚାହୁଁନାହାନ୍ତି । ବିକଶିତ ଦେଶମାନେ ଚାହୁଁନାହାନ୍ତି ଯେ ଭାରତ, ପାକିସ୍ତାନ ବା ବାଂଲାଦେଶର ଜନସାଧାରଣ ବିଶ୍ୱର ଭବିଷ୍ୟତକୁ ନେଇ ଆଲୋଚନା କରନ୍ତୁ । ଏହି ଦେଶର ଶାସକ ଗୋଷ୍ଠୀ ଯେ ସେ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ସେକଥା, ମଧ୍ୟ କୁହାଯାଇପାରିବ ନାହିଁ । କିନ୍ତୁ ସେମାନେ ଏହାକୁ ଜନସାଧାରଣଙ୍କର ଆଲୋଚନାର ବିଷୟବସ୍ତୁ କରାଇ ଦେବାକୁ ଚାହାନ୍ତି ନାହିଁ। ଏପରିକି ଏଠାରେ ବିଶ୍ୱ ବାଣିଜ୍ୟ ସଙ୍ଗଠନ ପେଟେଣ୍ଟ୍ ଆଇନି ସଂଶୋଧନ ଅଧିନିୟମକୁ ମଧ୍ୟ ସଂସଦରେ ଆଲୋଚନା ନକରି, ବିନା ଅଧ୍ୟାଦେଶରେ ଆଇନିରେ ପରିଣତ କରିଦିଆଯାଉଛି ।

ବିଶ୍ୱବ୍ୟାଙ୍କ୍ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷର ଅର୍ଥନୀତିଜ୍ଞମାନେ ଏତିକି ଜାଣିନାହାନ୍ତି ଯେ, ଶିକ୍ଷା ସ୍ୱାସ୍ଥ୍ୟ ସେବା ପାଇଁ ହେଉଥିବା ଖର୍ଚ୍ଚ କାଟ୍ କଲେ ବିକାଶଶୀଳ ଦେଶଗୁଡ଼ିକରେ ନିରକ୍ଷର ରୋଗଗ୍ରସ୍ତ ଲୋକଙ୍କ ସଂଖ୍ୟା ଅସାଧାରଣ ଭାବରେ ଢ଼ିଯି। ସେମାନେ ଜାଣିନାହାନ୍ତି ଯେ, ଗ୍ୟାଟ୍ ଚୁକ୍ତିର ପରିଣାମସ୍ୱରୂପ ପେଟେଣ୍ଟ୍ ଆଇନିରେ ସଂଶୋଧନ ହେବାଫଳରେ ଔଷଧର ଦରଦାମ୍ କେତେଗୁଣ ବଢ଼ିଯିବ ଓ ଏହା ଦରିଦ୍ର ଲୋକମାନଙ୍କର କ୍ରୟ କ୍ଷମତାର ବାହାରକୁ ଚାଲିଯିବ ? କ୍ଷୁଦ୍ର ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ବନ୍ଦ ହୋଇଗଲେ ବେକାରୀ ବଢ଼ିବ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଅବଲମ୍ବନ କରିବା କାରଣରୁ ଶିକ୍ଷିତ ଯୁବକଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସଙ୍କୁଚିତ ହୋଇଯିବ ? ଅଶୀ ଦଶକରେ କରାଯାଇଥିବା ଢାଞ୍ଚାଗତ ସୁଧାର କାର୍ଯ୍ୟକ୍ରମର ସବୁ ଉଦ୍ୟମ ବିଫଳ ହେବା ସତ୍ତ୍ୱେ ଧନୀ ଦେଶଗୁଡ଼ିକ ସମଗ୍ର ଗରିବ ପଛୁଆ ଦେଶଗୁଡ଼ିକୁ ଗ୍ୟାଟ୍ ଚୁକ୍ତିରେ ସ୍ୱାକ୍ଷର କରିବା ପାଇଁ ଜିଦ୍ କରିବାର କାରଣ ଣ ?

କାରଣ ଅତି ସ୍ପଷ୍ଟ । ଗଣମାଧ୍ୟମରେ ପ୍ରଚାରିତ କଥାରୁ ଅଲଗା କରି ଯଦି କେହି କୌଣସି କଥା କହିଲା ତେବେ ସେ କଥାଟି କମ୍ ବିଶ୍ୱସନୀୟ ପଦବାଚ୍ୟ ହୁଏ । ଏହିପରି ଏକ ସତ୍ୟ (ଯାହାକି ଏହି ଯୁଗର ସବୁଠାରୁ ମହତ୍ୱପୂର୍ଣ୍ଣ ସତ୍ୟ) ହେଉଛି, ଆଧୁନିକ ସମୃଦ୍ଧିର ଆଧାରଶିଳା ଏବେ ଖସି ଖସି ଯାଉଛି । ପ୍ରକୃତି ବା ପରିବେଶର ଅବକ୍ଷୟ, ଖଣିଜ ଦ୍ରବ୍ୟର ଦୃତ ହ୍ରାସ, ଆର୍ଥିକ ବିକାଶର ଅବନତି, ଅନିର୍ବାଯ୍ୟ ହୋଇଯାଉଛି । ଏ କଥାଟି ଏକବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ହିଁ ଦେଖିବାକୁ ମିଳିବ । ବିକଶିତ ଦେଶମାନେ ମଧ୍ୟ ଆର୍ଥିକ ଅବନତିର ଚାପରୁ ମୁକ୍ତ ରହିପାରିବେ ନାହିଁ ।

କିନ୍ତୁ ଚକ୍ରାନ୍ତ ହେଉଛି ଯେ ସବୁ ଉପରେ ବିକଶିତ ଦେଶମାନଙ୍କର ନିୟନ୍ତ୍ରଣ ଆଗେ ଆସିଯାଉ ତାହାପରେ ମାନବ ସଭ୍ୟତା ଉପରେ ପଡ଼ିବାକୁ ଥିବା ଏହି ବିପତ୍ତିକୁ ତୃତୀୟ ବିଶ୍ୱ ଉପରେ ଲଦି ଦିଆଯିବ । ଭୀଷଣ ବିପତ୍ତି, ରୋଗ, ଅନାହାର ଓ ଗୃହଯୁଦ୍ଧ ତଥା ଜଳବାୟୁର ପରିବର୍ତ୍ତନ ଯୋଗୁଁ କୋଟି କୋଟି ଲୋକ ମରିବେ । ଯେଉଁ ସ୍ଥାନ ଖାଲି ହେବ, ସେଠାରେ ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକର ସାମ୍ରାଜ୍ୟ ସ୍ଥାପିତ ହେବ । ସେମାନଙ୍କର କିଛି ବିଗିଡ଼ିଯିବ ନାହିଁ । ଯେଭଳି ଉତ୍ତର ଆମେରିକା ଗୋରା ଲୋକମାନଙ୍କର ହୋଇଗଲା, ସେହିଭଳି ସାରା ବିଶ୍ୱ ସେମାନଙ୍କର ବାସସ୍ଥାନ ହୋଇଯିବ । ବିଶ୍ୱବାଣିଜ୍ୟ ସଙ୍ଗଠନ ଗଠନ କରାଯିବା ପଛରେ ଏହି ମନୋବୃତ୍ତି ହିଁ କାମ କରୁଛି । ଆପଣ ଚାହିଁଲେ ଏହାକୁ ଏକ ରାକ୍ଷସର ଚିନ୍ତା ବୋଲି କହିପାରନ୍ତି ।