Monday, October 07, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୪ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତ୍ରିଶରଣ ବୋଲି ନାବ ତିଆରିଲି ତହିଁ ଆଠଗୋଟି ଘର,
ଭସାଇଣ ଦେଖେ କରୁଣା ଶୂନ୍ୟତା ଦେହ ତ ଜୁର ନିଜର ।

ସ୍ୱପ୍ନ ଆଉ ମାୟା ଜାଣି ଏ ଜୀବନ ଭବନଦୀ ସନ୍ତରିଲି,
ନଈ ମଝିଟାରେ କାହିଁ ବଡ଼ ଢେଉ ମଗନ କରିଲା ଖାଲି ।

ଦେହ ନଉକାରେ ପଞ୍ଚ ତଥାଗତ ଛିଡ଼ା ହୋଇଲେଣି ଆସି,
ଏଥର କାହ୍ନୁପା ନିଶ୍ଚେ ଛିଣ୍ଡାଇବ ମାୟା ମୋହ ବନ୍ଧା ରସି ।

ଗନ୍ଧ ରସ ଆଉ ପରଶଟି ଥାଉ ନିଦ୍ରାହୀନ ସ୍ୱପ୍ନ ପରି,
ଚିତ୍ତ-କର୍ଣ୍ଣଧାର ମାଗେ ଶୂନ୍ୟତା କାହ୍ନୁ ସଙ୍ଗମେ ଯାଏ ଚଳି ।

Tuesday, October 01, 2019

ଓଡ଼ିଆ ବ୍ରାହ୍ମ କୀର୍ତ୍ତନ - 'ଗାଅ ଆନନ୍ଦେ ସର୍ବେ ଗାଅ ଗାଅ'

ସଙ୍କଳକ - ବିଶ୍ୱନାଥ କର


କଲିକତାସ୍ଥ ବ୍ରାହ୍ମ ନବଦେବାଳୟର ଚିତ୍ର (୨୦୧୭ ମସିହାରେ ଉତ୍ତୋଳିତ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗାଅ ଆନନ୍ଦେ ସର୍ବେ ଗାଅ ଗାଅ
ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡ ବିଧାତା,
ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତାମାତା ।
ଏକମାତ୍ର ପରିଦ୍ରାତା ପବିତ୍ର ମହାନ,
ଏକମାତ୍ର ସର୍ବସାକ୍ଷୀ ମଙ୍ଗଳନିଦାନ ।

ଏକମାତ୍ର ହିତକାରୀ ଅଗତିର ଗତି,
ଏକମାତ୍ର ପ୍ରାଣସ୍ୱାମୀ ସର୍ବଲୋକପତି ।
ଏକମାତ୍ର ଆଦିଶକ୍ତି ଅଖିଳାକାରଣ,
ଏକପାତ୍ର ଶାନ୍ତିଦାତା ପତିତପାବନ ।

ଏକମାତ୍ର ଅଦ୍ୱିତୀୟ ଅନନ୍ତ ଅପାର,
ଏକମାତ୍ର ସର୍ବବ୍ୟାପୀ ବ୍ରହ୍ମ ନିରାକାର ।
ଏକମାତ୍ର ସନାତନ ସ୍ୱୟମ୍ଭୁ ଈଶ୍ୱର,
ଏକମାତ୍ର ସତ୍ୟଜ୍ୟୋତି ଅମୃତସାଗର ।

ଏକମାତ୍ର ଅନ୍ତର୍ଯ୍ୟାମୀ ଅଧମତାରଣ,
ଏକମାତ୍ର କୃପାସିନ୍ଧୁ କାତରଶରଣ ।
ଏକମାତ୍ର ଭୟହାରୀ ଭବକର୍ଣ୍ଣଧାର,
ଏକମାତ୍ର ଜଗନ୍ନାଥ ଜୀବନ ଆଧାର ।

ଏକମାତ୍ର ଧର୍ମରାଜ ସର୍ବଶକ୍ତିମୟ,
ଏକମାତ୍ର ସୁଧାସିନ୍ଧୁ ଆନନ୍ଦ-ଆଳୟ ।
ଏକମାତ୍ର ଜ୍ଞାନମୟ ଜାଗ୍ରତବିଧାତା,
ଏକମାତ୍ର ନ୍ୟାୟକାରୀ ନ୍ୟାୟଦଣ୍ଡଦାତା ।

ବିକମାତ୍ର ନିଷ୍କଳଙ୍କ ପାଷଣ୍ଡଦଳନ,
ଏକମାତ୍ର ମୋକ୍ଷସେତୁ ନିତ୍ୟ ନିରଞ୍ଜନ ।
ଏକମାତ୍ର ମୃତ୍ୟୁଞ୍ଜୟ ପ୍ରତ୍ୟକ୍ଷଦେବତା
ଏକମାତ୍ର ଭଗବାନ ଭୁବନକରତା ।

ଏକମାତ୍ର ପ୍ରାଣେଶ୍ୱର ପରମସୁନ୍ଦର,
ଏକମାତ୍ର ଭକ୍ତସଖା ଭକ୍ତମନୋହର ।
ଏକମାତ୍ର କୃପାସିନ୍ଧୁ କଳୁଷଭଞ୍ଜନ,
ଏକମାତ୍ର ସିଦ୍ଧିଦାତା ସଙ୍କଟବାରଣ ।

ଏକମାତ୍ର ପୁଣ୍ୟ-ସୂର୍ଯ୍ୟ ବିଭୁ ଜଗଦ୍‌ଗୁରୁ,
ଏକମାତ୍ର ଭକତର ବାଞ୍ଛାକଳ୍ପତରୁ ।
ଏକମାତ୍ର ପ୍ରେମଚନ୍ଦ୍ର ହୃଦୟ ଆକାଶେ,
ଏକମାତ୍ର ପ୍ରାଣସଖା ସଦା ଦୁଃଖୀ ପାଶେ ।

ଏକମାତ୍ର ବିଶ୍ୱବନ୍ଦ୍ୟ ବିଘ୍ନବିନାଶନ,
ଏକମାତ୍ର ଅନ୍ନ ଧନ ସମ୍ପଦକାରଣ ।
ଏକମାତ୍ର ଆଦିକବି ଆଦିଚିତ୍ରକର,
ଏକମାତ୍ର ପ୍ରକାଶକ ନିଜ ସ୍ୱରୂପର ।

ଏକମାତ୍ର ଘୋର ମୋହ ରାତ୍ରିବିନାଶନ,
ଏକମାତ୍ର ଭକ୍ତହୃଦ–ପଦ୍ମର ତପନ ।
ଏକମାତ୍ର ନିର୍ବିକାର ନିଖିଳ-ଆଶ୍ରୟ,
ଏକମାତ୍ର ଦର୍ପହାରୀ ଦୀନଦୟାମୟ ।

ଏକମାତ୍ର ବୁଦ୍ଧିଦାତା ଦୁର୍ବଳର ବଳ,
ଏକମାତ୍ର ଗତି ଆଶା ଭରସା କେବଳ ।
ଏକମାତ୍ର ଚିଦାନନ୍ଦ ପୂର୍ଣ୍ଣ ପରମେଶ,
ଏକମାତ୍ର ପ୍ରଜାପତି ଅନାଦି ଅଶେଷ ।

ଏକମାତ୍ର ଅତୀନ୍ଦ୍ରିୟ ବାଙ୍‌ମନ-ଅତୀତ,
ଏକମାତ୍ର ମହାରାଜ ବ୍ରହ୍ମାଣ୍ଡସେବିତ ।
ଏକମାତ୍ର ଶାସ୍ତିଦାତା ପାଷାଣ୍ଡଦଳନ,
ଏକମାତ୍ର ରୋଗଦ୍ୱାରା ସନ୍ତାପହରଣ ।

ଏକମାତ୍ର ବିଶ୍ୱଲକ୍ଷ୍ମୀ ବ୍ରହ୍ମାଣ୍ଡଜନନୀ,
ଏକମାତ୍ର ଭକ୍ତପ୍ରାଣ ହୃଦସ୍ପର୍ଶମଣି ।
ଏକମାତ୍ର ମହାଶକ୍ତି ମହାଭୟଙ୍କରୀ,
ଏକମାତ୍ର ଜଗଦମ୍ବା ରାଜରାଜେଶ୍ୱରୀ

ଏକମାତ୍ର ରିପୁକୁଳ–ସଂହାରକାରିଣୀ,
ଏକମାତ୍ର ପୁଣ୍ୟପ୍ରେମ–ସତ୍ୟପ୍ରସବିନୀ ।
ଏକମାତ୍ର ନିତ୍ୟନବ ନିତ୍ୟପୁରାତନ,
ଏକମାତ୍ର ଇଷ୍ଟଦେବ ଭୁବନମୋହନ ।

ଏକମାତ୍ର ସର୍ବଶ୍ରୟ ଇହ ପରଲୋକେ,
ଏକମାତ୍ର ପ୍ରାଣାରାମ ଦୁଃଖେ ତାପେ ଶୋକେ ।
ଏକମାତ୍ର ରସସିନ୍ଧୁ ଲୀଳାମୟ ହରି,
ଏକମାତ୍ର ଯାର ନାମେ ପାପୀ ଯାଏ ଡରି ।