Saturday, September 30, 2017

ଏକ ନିବେଦନ

ଗୌରୀ ଲଙ୍କେଶଙ୍କ ହତ୍ୟା ବିରୋଧୀ ମଞ୍ଚ


ଶାନ୍ତିର ଚିହ୍ନ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ପ୍ରିୟ ସଚେତନ ନାଗରିକଗଣ,

ସାମ୍ବାଦିକ ଓ ସାମାଜିକ କର୍ମୀ ଗୌରୀ ଲଙ୍କେଶଙ୍କର ହତ୍ୟା ନିଶ୍ଚିତ ରୂପେ ଏକ ସତର୍କ ଘଣ୍ଟି ବଜାଇଦେଇଛି । ଏହି ନୃଶଂସ କାର୍ଯ୍ୟ ବିପକ୍ଷରେ ପ୍ରତିବାଦ ଓ ପ୍ରତିରୋଧର ଏକ ତରଙ୍ଗ ଦେଶସାରା ସୃଷ୍ଟି ହୋଇପାରିଛି, ଓ ତାହା ଉତ୍ସାହଜନକ ନିଶ୍ଚୟ । ତେବେ ହତ୍ୟା ଭଳି ଆତଙ୍କପୂର୍ଣ୍ଣ କାର୍ଯ୍ୟରୁ ଓ ଫାଶୀବାଦୀ ଶକ୍ତିର ଆକ୍ରମଣରୁ ଆମର ଅତି ମୂଲ୍ୟବାନ ଭିନ୍ନମତ ରଖିବାର ଗଣତାନ୍ତ୍ରିକ ଧାରାକୁ ବଞ୍ଚାଇ ରଖିବା ପାଇଁ ଆମକୁ ଅନେକ କିଛି କରିବାର ଅଛି ।

ଗୌରୀ ଲଙ୍କେଶଙ୍କୁ ହତ୍ୟା କରାଯିବାର ଦୁଇ ବର୍ଷ ପୂର୍ବରୁ କର୍ଣ୍ଣାଟକର ଏମ. ଏମ. କଳବୁର୍ଗୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ତେଣୁ ଆମେ ଏହାକୁ କଦାପି ଏକ ପୃଥକ ଘଟଣା ଭାବୁନାହୁଁ । ମହାରାଷ୍ଟ୍ରର ହେତୁବାଦୀମାନଙ୍କ ପରି ଠିକ ସମାନ ଢଙ୍ଗରେ ହତ୍ୟା ଆମକୁ ଚେତାବନୀ ଦେଇସାରିଛି । ‘ଗୋରକ୍ଷା’ ଓ ‘ଧର୍ମ’ ନାମରେ ଦେଶ ସାରା ଯେଉଁଭଳି ଦଳିତ ଓ ମୁସଲମାନ ମାନଙ୍କୁ ହତ୍ୟା କରାଯାଇଛି, ସେହି ସମସ୍ତ ଘଟଣାବଳୀକୁ ଏଥିରୁ ଅଲଗା କରାଯାଇପାରିବ ନାହିଁ । ଦକ୍ଷିଣପନ୍ଥୀ ବିଚାର ଅତ୍ୟନ୍ତ ବିପଜ୍ଜନକ ଓ ଧାରାବାହିକ ଭାବରେ ୧୯୮୦ ଦଶକରୁ ଯେଉଁ କାର୍ଯ୍ୟ କରିଚାଲିଛି, ଏହା ତାହାର ଅଂଶବିଶେଷ ମାତ୍ର ।

କର୍ଣ୍ଣାଟକର ‘କୌମ୍ୟ ସୌହାର୍ଦ୍ଦ୍ୟ ୱେଦିକେ’ର (ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ମଞ୍ଚ) ପ୍ରତିଷ୍ଠାତା ସଦସ୍ୟ ଭାବରେ ଗୌରୀ ଲଙ୍କେଶ, ଦକ୍ଷିଣପନ୍ଥୀ ସଙ୍ଗଠନର ଆକ୍ରମଣାତ୍ମକ ଓ ହିଂସାତ୍ମକ  କାର୍ଯ୍ୟ ବିରୋଧରେ ରାଜ୍ୟର ଅନ୍ୟ ସମସ୍ତ ପ୍ରଗତିଶୀଳ ଶକ୍ତି ସହିତ ମିଳିତ ଭାବରେ ପ୍ରତିରୋଧ କରିଆସୁଥିଲେ । ଆମର ନ୍ୟାୟିକ ସମାଜ ପ୍ରତି ବାଧା ସାଜିଥିବା ଏହି ଘାତକ ଶକ୍ତି ବିପକ୍ଷରେ ଦେଶ ଭିତରେ ବହୁ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଅତ୍ୟନ୍ତ ନିଷ୍ଠାପୂର୍ଣ୍ଣ, ଗମ୍ଭୀର ଓ ସାହସୀ ପଦକ୍ଷେପ ନେଉଛନ୍ତି । ମାତ୍ର ଦକ୍ଷିଣପନ୍ଥୀଙ୍କ ଦ୍ଵାରା କ୍ରମାଗତ ଭାବରେ ସଙ୍ଗଠିତ ହତ୍ୟା ଓ ହିଂସାତ୍ମକ କାର୍ଯ୍ୟ ଆମକୁ ସୂଚିତ କରୁଛି ଯେ, ଦକ୍ଷିଣପନ୍ଥୀ ଉଗ୍ରବାଦ କାର୍ଯ୍ୟକୁ ପ୍ରତିହତ କରିବା ଲାଗି ଆମର ଉଦ୍ୟମ ଯଥେଷ୍ଟ ନୁହେଁ । ବ୍ୟାପକ ସଙ୍ଖ୍ୟାରେ ବିଭିନ୍ନ ନାଗରିକ ସଙ୍ଗଠନ ଥାଇ ମଧ୍ୟ, ଏ କ୍ଷେତ୍ରରେ ଦୃଢ ଭାବରେ ସଙ୍ଗଠିତ ବିରୋଧ ନ ହୋଇପାରିବା ଆମ ପାଇଁ ଏକ ଚିନ୍ତାର ବିଷୟ । ଏହା କେବଳ କର୍ଣ୍ଣାଟକ ରାଜ୍ୟର ସମସ୍ୟା ନୁହେଁ । ଏହା ସାରା ଦେଶର ସମସ୍ୟା ।

ଦକ୍ଷିଣପନ୍ଥୀଙ୍କ ଗଲା ନିର୍ବାଚନରେ ବିପୁଳ ବିଜୟ ସତ୍ତ୍ୱେ ଦୁଇ ତୃତୀୟାଂଶ ଭୋଟ ଦକ୍ଷିଣପନ୍ଥୀଙ୍କ ବଢୁଥିବା ଏକଛତ୍ରବାଦର ବିପକ୍ଷରେ ଯେ ଥିଲା, ଏକଥା ବାରମ୍ବାର ସୂଚିତ କରିଛି ସେହି ବିଚାରଶୀଳ ବିରୋଧୀ ପକ୍ଷ ଓ ଅସନ୍ତୁଷ୍ଟ ନାଗରିକ ସମାଜକୁ ଚିହ୍ନଟ କରିବାର କାମ ବେଶ ଶିଥିଳ ଓ ନୈରାଶ୍ୟଜନକ । ତାହା ହୋଇପାରିଥିଲେ ବାମପନ୍ଥୀ, ଉଦାରବାଦୀ ଓ ଗଣତାନ୍ତ୍ରିକ ଶକ୍ତିମାନଙ୍କର ଏକ ଦୃଢ ସମନ୍ଵୟ ତିଆରି ହୋଇପାରିଥାନ୍ତା କିନ୍ତୁ ଗୌରୀ ଲଙ୍କେଶଙ୍କର ହତ୍ୟା ପରେ ସମାଜର ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ଆସିବାରେ ଲାଗିଛିସେମାନଙ୍କ ମଧ୍ୟରେ ଅଛନ୍ତି କଳାକାର (ମୁଖ୍ୟଧାରାର ସିନେମା କଳାକାର), ସାମ୍ବାଦିକ, ପୂର୍ବତନ ପ୍ରଶାସନିକ ଅଧିକାରୀ, ଓକିଲ ଓ ବିଚାରପତି, ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ବିଭିନ୍ନ ଧର୍ମର ମୁଖ୍ୟ (ବିଶେଷକରି କର୍ଣ୍ଣାଟକର ବୀରଶୈବ ‘ବାସବାହନ’ ଧାରାର ସ୍ଵାମିଜୀ) ଓ ଲୈଙ୍ଗିକ ଅଳ୍ପସଙ୍ଖ୍ୟକ ଇତ୍ୟାଦି । ଗୌରୀଙ୍କ ହତ୍ୟା ବହୁ ପ୍ରକାରର ସଙ୍ଗଠନଙ୍କୁ ନିଜ ମଧ୍ୟରେ ଥିବା ମତ ପାର୍ଥକ୍ୟ ଆଦିକୁ ଦୂର କରି ସେମାନଙ୍କୁ ଯୋଡ଼ିବା ଉପକ୍ରମ କରିଛି, ଯାହା ପୂର୍ବରୁ ନଥିଲା । ଏପରିକି ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀମାନେ ଆଜି ସର୍ବାଧିକ ସଙ୍ଖ୍ୟାରେ ହତ୍ୟାର ପ୍ରତିବାଦରେ ଏକାଠି ହେଉଛନ୍ତି । ହତ୍ୟା ବିପକ୍ଷରେ ଆଜି ଚାଲିଥିବା ସମସ୍ତ ବିକ୍ଷୋଭରେ, ଅତି ସ୍ଵାଭାବିକ ଭାବରେ ରାସ୍ତା ଉପରକୁ ଆସୁଥିବା ସାଧାରଣ ଲୋକର ସେଥିରେ ଯୋଗଦାନରେ, ଓ ସାମାଜିକ ଗଣମାଧ୍ୟମରେ ହତ୍ୟା ବିରୁଦ୍ଧରେ କ୍ରୋଧିତ ପ୍ରତିକ୍ରିୟା ମଧ୍ୟରେ, ଆମେ ସେହି ଯୋଡ଼ିହେବାର ପ୍ରକ୍ରିୟାକୁ ଦେଖିପାରୁଛୁ । ବିଭାଜନକାରୀ ଶକ୍ତି ବିପକ୍ଷରେ ଲଢିବାର ଏକ ସକାରାତ୍ମକ ଇଚ୍ଛା ଯେ ଜାଗୃତ ହୋଇଛି (ଯାହା କୌଣସି ପ୍ରକାରରେ ସାଲିସ ନକରି ଭିନ୍ନମତର ସ୍ଵରକୁ ଆହୁରି ଦୃଢିଭୂତ ଓ ପ୍ରସାରିତ କରୁଛି), ତାହା କ୍ରମଶଃ ପ୍ରଦର୍ଶିତ ହେବାରେ ଲାଗିଛି । ଶୋକ ସମୟରେ ଆମେ ପିନ୍ଧିଥିବା କଳା କପଡା ଆଜି ‘ପ୍ରତିରୋଧର କଳା’ ପାଲଟିଯାଇଛି ।

ଏ ପର୍ଯ୍ୟନ୍ତର ଇତିହାସ କୁହେ, ବିଭିନ୍ନ ଧାରାର ସମଷ୍ଟିରେ ଗଠିତ ଏକ ବ୍ୟାପକ ଓ ମିଳିତ ମଞ୍ଚର  ଦୃଢ଼ ଭାବରେ ବିରୋଧ ଦ୍ଵାରା ହିଁ ଫାଶିବାଦୀ ଓ ଏକଛତ୍ରବାଦୀ ଶକ୍ତିକୁ ପ୍ରତିହତ କରାଯାଇପାରିଛି । ଦକ୍ଷିଣପନ୍ଥୀ ଶକ୍ତିର କ୍ରମବର୍ଦ୍ଧିଷ୍ଣ ପ୍ରଭାବ ଆମର ଗଣତନ୍ତ୍ର ଓ ସଦ୍ଭାବନା ପ୍ରତି ଯେ ବିପଦ, ଏହା ଭାରତ ସମେତ ସମଗ୍ର ବିଶ୍ଵକୁ ସତର୍କ କରିଦେଇଛି । ପୁରୁଣା ପ୍ରବାଦ ଅନୁସାରେ ନିରାଶା ମଧ୍ୟରେ ଆଶାର ଆଲୋକକୁ ଖୋଜିବାର ଅଛି । ଏଥର ଆମର ଅନ୍ତରର ସ୍ଵରକୁ ଶୁଣିବାର ଅଛି । ଦକ୍ଷିଣପନ୍ଥୀ ଉଗ୍ରବାଦ ଯେଉଁଭଳି ହତାଶ, ମୃତ୍ୟୁ ଓ ଧ୍ଵଂସର ପ୍ରକ୍ରିୟା ଆରମ୍ଭ କରିଛି ଓ ଏହାର ପ୍ରସାର ଘଟାଇ ଚାଲିଛି, ଏହାର ପ୍ରତିରୋଧ ପାଇଁ ବର୍ତ୍ତମାନ ଆମକୁ ସମଭାବାପନ୍ନ ଶକ୍ତିର ସମନ୍ଵୟ ପ୍ରତି ଗୁରୁତ୍ତ୍ୱ ଦେବାର ସମୟ ଆସିଛି ।

ଆମେ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁକି, ସମସ୍ତେ ଆଜି ଦକ୍ଷିଣପନ୍ଥୀ ଫାଶୀବାଦର ଆକ୍ରମଣରୁ ଆମର ସ୍ଵାଧୀନତା ଓ ଗଣତନ୍ତ୍ରକୁ ବଞ୍ଚାଇବା ଲାଗି ଏକ ବିରାଟ ଓ ମୁକ୍ତ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ କରନ୍ତୁ ।

ଏହାର ପ୍ରଥମ ପଦକ୍ଷେପ ଭାବରେ ଆମ୍ଭେମାନେ ଅନୁରୋଧ କରୁକି, ଆପଣମାନେ ସମସ୍ତେ ଆସନ୍ତା ଅକ୍ଟୋବର ଦୁଇ ତାରିଖରେ ଭାରତର ବିଭିନ୍ନ ସ୍ଥାନରେ ବିକେନ୍ଦ୍ରିତ ଭାବରେ ଅଥଚ ସଞ୍ଜୋଜିତ ଢଙ୍ଗରେ ଗାନ୍ଧୀମୂର୍ତ୍ତି ସାମ୍ନାରେ ହେଉ, ଅଥବା ଅନ୍ୟ କେଉଁଠି ଅନୁଷ୍ଠିତ ହେଉଥିବା ଧାରଣା ବା ବିକ୍ଷୋଭରେ, ସଙ୍ଗଠିତ ହୁଅନ୍ତୁ ଓ ଗୌରୀ ଲଙ୍କେଶଙ୍କର ହତ୍ୟାର ପ୍ରତିବାଦ କରନ୍ତୁ ।

ଏହି ମିଳିତ ଉଦ୍ୟମର ତୁରନ୍ତ ଆବଶ୍ୟକତା ଏଇଥି ପାଇଁ ପଡ଼ିଲା :

ଦାବୀ କରିବା ପାଇଁ ଯେ ପୁଲିସର ଅନୁସନ୍ଧାନ ଗୌରୀଙ୍କର ସମ୍ଭାବ୍ୟ ହତ୍ୟାକାରୀଙ୍କୁ ଠାବ କରିବା ସହିତ ଏହା ପଛରେ ଥିବା ରାଜନୈତିକ ଶକ୍ତିକୁ ମଧ୍ୟ ଠାବ କରୁଏହି ହତ୍ୟାକାଣ୍ଡର ସମ୍ଭାବ୍ୟ ହତ୍ୟାକାରୀମାନେ ହେଲେ ଗୌରୀ ଲଙ୍କେଶଙ୍କର ଶତ୍ରୁପକ୍ଷ, ଅତୀତରେ ଗୌରୀଙ୍କୁ ହତ୍ୟା ଧମକ ଦେଇଥିବା ଗୋଷ୍ଠୀ, ତଥା ହତ୍ୟା ପରେ ଉତ୍ସବ ପାଳନ କରିଥିବା ସମୁଦାୟଗୁଡ଼ିକ । କର୍ଣ୍ଣାଟକ ରାଜ୍ୟ ସରକାର ହତ୍ୟାକାରୀଙ୍କୁ ଗିରଫ କରି ନ୍ୟାୟ ପାଇଁ ନିଜର ସମସ୍ତ ପ୍ରକାରର ଉଦ୍ୟମ ଜାରି ରଖନ୍ତୁ ।

ବାଧ୍ୟ କରିବା ପାଇଁ ଯେ, ଯେଉଁମାନଙ୍କୁ ନିରପେକ୍ଷ ଭାବରେ ସମ୍ବିଧାନର ସୁରକ୍ଷା କରିବାର ଦାୟିତ୍ଵ ଦିଆଯାଇଛି, ଦୁଃଖର କଥା ଯେ ଆଜି ସେହି କେନ୍ଦ୍ର ସରକାର, ଆମ ସମାଜର ସାମ୍ପ୍ରଦାୟିକ ସଦ୍ଭାବନା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଧ୍ଵଂସ କରୁଥିବା ଶକ୍ତିମାନଙ୍କୁ ନିର୍ଲଜ ଭାବରେ ପ୍ରଶ୍ରୟ ଦେଇଚାଲିଚାଲିଛନ୍ତି । ଏଣୁ କେନ୍ଦ୍ର ସରକାର ଏକ ନିରପେକ୍ଷ ତଦନ୍ତ କରି ଘଟଣା ପଛରେ ଥିବା ଅପରାଧୀ ଓ ଏହାର ସମର୍ଥକ ଗୋଷ୍ଠିକୁ ଗିରଫ କରନ୍ତୁ ।

ଗୌରୀଙ୍କୁ ସମର୍ଥନ, ସ୍ଵାଧୀନତାକୁ ସମର୍ଥନ ଓ ସମଭାବପର୍ଣ୍ଣତାକୁ ସମର୍ଥନ”

ଗାନ୍ଧୀଙ୍କ ହତ୍ୟାକାରୀ ହିଁ ଗୌରୀଙ୍କ ହତ୍ୟାକାରୀ ।
ବିକ୍ଷୋଭ ସ୍ଥାନ : ମାଷ୍ଟର କ୍ୟାଣ୍ଟିନ ଛକ, ସମୟ ; ପୂର୍ବାହ୍ନ ୧୦.୩୦, ଅକ୍ଟୋବର ଦୁଇ, ୨୦୧
ନିବେଦକ (ଭୁବନେଶ୍ୱର କାର୍ଯ୍ୟକ୍ରମ): ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା;
ଅଲ ଇଣ୍ଡିଆ ପିପୁଲ୍ସ ଫୋରମ୍,(.ଆଇ.ପି.ଏଫ୍); ପିପୁଲ୍ସ ୟୁନିଅନ ଫର ସିଭିଲ୍ ଲିବର୍ଟିଜ୍ (ପି.ୟୁ.ସି.ଏଲ୍) ଓଡିଶା;
ଇନସାଫ; ଟ୍ରେଡ ୟୁନିଅନ ସେଣ୍ଟର ଅଫ ଇଣ୍ଡିଆ (ଟି.ୟୁ.ସି.ଆଇ); ଲୋକଶକ୍ତି ଅଭିଯାନ ଇତ୍ୟାଦି। 

ବି.ଦ୍ର.  : ଏହା 'ଗୌରୀ ଲଙ୍କେଶଙ୍କ ହତ୍ୟା ବିରୋଧୀ ମଞ୍ଚ' ପ୍ରସାରିତ କରିଥିବା ପ୍ରେସ ନୋଟ୍ ର ଏକ ସମ୍ପାଦିତ ଅଂଶ ।

Friday, September 29, 2017

ଠାକୁରଘର କଥା

ଜ୍ୟୋତି ନନ୍ଦ 


ଠିକ୍ ଅବିକଳ ଏପରି ନୁହଁ । ଆଗରୁ ଥରେ ଏଇ କଥାକୁ ଲେଖିଥିଲି । 

ଯେହେତୁ ଏଥିରେ କିଛି ବିଦ୍ୱେଷରହିତ ଇତିହାସର କଥା ରହିଛି, ସେଇଥି ପାଇଁ ଏହାକୁ ଯେତେ ଥର କହିଲେ ବି ସେମିତି କିଛି ଅସୁବିଧା ହେବାର ନାହିଁ ବୋଲି ଭାବୁଛି । ତାହା ସହ ପୁନରାବୃତ୍ତି କରି ଆପଣମାନଙ୍କ ଉଦାରତାର ଓ ଶ୍ରଦ୍ଧାର କିଛି ଅପବ୍ୟବହାର କଲେ ଆପଣମାନେ ଆଦୌ କ୍ଷୁବ୍ଧ ହେବେନାହିଁ ବୋଲି ଧରିନେଇ, ମୁଁ କୌଣସି ଧନୀକର ଅଲ୍ୟଳ ସନ୍ତାନ ପରି କିଛି ପରିମାଣରେ କୁପଥଗାମୀ ।

ଏମିତିରେ କିଛି କଥାକୁ ବାରମ୍ବାର କୁହାଯାଉଥାଏ, ଆଉ ସେହି କଥାକୁ ଆମେ ସାଧାରଣରେ ଇତିହାସ ବୋଲି ଜାଣୁ ଆଉ ମଣୁ । ତାହା ଦଶର ହେଉ ଅବା ଦେଶର ହେଉ ।

ଚିତ୍ର - 'ହିଷ୍ଟୋରିଆ' (୧୮୯୨)
ଚିତ୍ରକର - ନିକୋଲାସ୍ ଗିଜ଼ିସ୍ ( ୧୮୪୨-୧୯୦୧ )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମଣିଷର ଧର୍ମ, ଅର୍ଥ, କାମ ଆଉ ମୋକ୍ଷ ଭଳି ଚତୁର୍ବର୍ଗ ଫଳ ପ୍ରାପ୍ତି ନିମନ୍ତେ ଉଦ୍ଦିଷ୍ଟ ବଚନ ହେଉଛି ଇତିହାସ, ଯାହା ପୂର୍ବାବୃତ୍ତମ୍ କଥାୟୁକ୍ତମ୍, ଅର୍ଥାତ୍ ଆଗରୁ ଢେର ପ୍ରଚାରିତ ଯେତେକ ପୁରୁଣା କଥାର ସମାହାର ବୋଲି, ଆମ ଭାରତୀୟ ବିଦ୍ୱାନ ଓ ସ୍ୱପ୍ନବାସବଦତ୍ତା ତଥା କାଳିଦାସଙ୍କ ପ୍ରାକ୍-କାଳର ମହାନ ସଂସ୍କୃତ ନାଟକକାର ଭାସ ତାଙ୍କର ନିରୁକ୍ତରେ କହିଛନ୍ତି । ଇତିହାସର ଏଇ ସର୍ବପ୍ରାଚୀନ ଭାରତୀୟ ସଂଜ୍ଞାଟି ନିରୂପଣ କଲାବେଳେ, ଇତିହାସ ଆଉ ପୁରାଣ ଭିତରେ ଥିବା ପାର୍ଥକ୍ୟକୁ ପଣ୍ଡିତ ଭାସ ଦେଖିନାହାଁନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଭାସଙ୍କର ସମୟକାଳ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ, ଆଉ ନିରୁକ୍ତ ହେଉଛି ଏକ ପ୍ରକାରର ଅଭିଧାନ ।

ଯେଉଁଥିରୁ ଅଧ୍ୟାୟଟିଏ ପଢିସାରିଲା ପରେ ଆମେ ଆନନ୍ଦେ ଏକବାର ହରିବୋଲ ବୋଲି ଭଗବତପ୍ରେମରେ ବିହ୍ୱଳିତ ଏକ ଏକକରେ ପରିଣତ ହୋଇ ତାହାର ନିଚ୍ଛକ ପ୍ରତିଫଳନ ରୂପରେ ଏଇ ଭଳି କୁହାଟମାନ ଦେଇଥାଉ, ତାହାକୁ କହିବା ପୁରାଣ । ଅବଶ୍ୟ ଏବେ ଇତିହାସକୁ ସେଇଭଳି ମାନ୍ୟତା ଦିଆଯିବାର ରାଜନୈତିକ ସୁବନ୍ଦୋବସ୍ତ ଚାଲିଛି । ଏବେ ଆମେ ଯେଉଁ ପରି କୁହାଟ ଦେବାରେ ଅଭ୍ୟସ୍ତ ହେବାରେ ବସିଛୁ, ତାହା ନିହାତି ଶୁଦ୍ଧପୂତ ଭାବରେ ଇତିହାସରୁ ଅଧ୍ୟାୟେ ପଠନ ଏବଂ ତାହା ପରେ ପରମ ତୃପ୍ତିରେ ଆମେ ଅମୁକ ବା ସମୁକ ବିଷୟରେ ପ୍ରଥମ ବୋଲି ଏକ ନିଷ୍କର୍ଷର ବିବେଚନ, ଆଉ ଶେଷରେ ଢୋଲକାହାଳି ସହ ନିକଟସ୍ଥ ପାହାଡଶିଖରରେ ସୁଉଚ୍ଚ ବ୍ରୋଞ୍ଜପ୍ରତିମା ନିର୍ମାଣ । ପୁରାଣ ଅଧ୍ୟୁଷିତ ଇତିହାସର ଏହା ଏକ ରକମର ଏକକ ଚିତ୍ର ପ୍ରଦର୍ଶନୀ ।

ରକ୍ତ ବୀର୍ଯ୍ୟ ବିରୁଦ୍ଧରେ ଅମ୍ବିକାଙ୍କର ଯୁଦ୍ଧ (ଦେବିମାହାତ୍ମ୍ୟର ଅଳଙ୍କରଣ)
ଅଷ୍ଟାଦଶ ଶତାବ୍ଦୀର ନେପାଳର ପୋଥିଚିତ୍ର, ଚିତ୍ରକର ଅଜ୍ଞାତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଇତିହାସକୁ ପ୍ରତିକିକରଣ କରିଦେଲେ, କ୍ଷମତାଧରମାନେ ନିଜନିଜ କାଳଖଣ୍ଡରେ ନିଶ୍ଚିନ୍ତ ।

ବିଚାର ଦୃଷ୍ଟିରୁ ଇତିହାସ ଆଉ ପୁରାଣର ଫରକ ରହିଛି । କିନ୍ତୁ କ୍ଷମତାର ଶକ୍ତିଧରମାନେ ସବୁ ବେଳେ ଏଇ ଫରକ କଥାଟିକୁ ସ୍ୱୀକାର କରିବାକୁ ନାରାଜ ।
ଆପଣମାନେ ଜାଣନ୍ତି, କଥାଟିରେ ଯେତେବେଳେ ପୁରୁଣା ବୋଲି ଗୋଟିଏ ଲେବୁଲକୁ ସମୟର ଅଠା ଦେଇ ଲଗାଯାଇଛି, ସେତେବେଳେ କଥାଟି କମ୍ ପୁରୁଣା କି ଅଧିକ ପୁରୁଣା, ତାହା ତ ଘଟିସାରିଲାଣି, ତେବେ ସେଇ କଥାକୁ ନେଇ ଏବେ ଆମ ଭଳି କିଛି ଇତିହାସର ଛାତ୍ରମାନଙ୍କ ବ୍ୟତୀତ ଆଉ କାହାର କାହିଁକି ବା ମଥା ଘୁରେଇବ ? ଦେଖନ୍ତୁ ଏଇ କମ୍ ପୁରୁଣା କି ବେଶି ପୁରୁଣା, ସେଇ କଥାକୁ ନେଇ ଆମର ନିର୍ଦ୍ଦିଷ୍ଟ ବ୍ୟବହାରିକ ବିଚାରବୋଧ ରହିଛି । ବିଚାରଟି କହିବାକୁ ଗଲେ ପୂରାପୁରି ପାରିବାରିକ । ଆମମାନଙ୍କ ବିଚାରରେ ବେଶି ପୁରୁଣା ମଦ ଆଉ ବେଶି ପୁରୁଣା ଘିଅ ଅତି ଦରକାରୀ, ଔଷଧ ତୁଲ୍ୟ । ସେଇଠି ମଧ୍ୟ ଟିକିଏ ବିଳମ୍ବିତ ବିବାହଯୋଗ୍ୟା ଝିଅକୁ ଆମେ ଘିଅ ସାଙ୍ଗରେ ତୁଳନା କରି ପୁରୁଣା ଘିଅ ଗନ୍ଧାଇଥାଏ ବୋଲି ଏକ ନିଷ୍କରୁଣ ପୁରୁଷବାଦି ମାନସିକତାର ପରିପ୍ରକାଶ କରିଥାଉ ।

ପ୍ରସିଦ୍ଧ କଥାକାର ମିଲାନ୍ କୁନ୍ଦେରାଙ୍କର ଗୋଟିଏ କାହାଣୀ ସଙ୍କଳନ ଅଛି, ଯାହାର ଶୀର୍ଷକ ହେଉଛି "ଲାଫେବଲ୍ ଲଭ୍" - ଯାହାର ଓଡିଆ କଲେ ହେବ "ହସଯୋଗ୍ୟ ପ୍ରେମ" । ଏଥିରେ ଯେଉଁସବୁ ପ୍ରେମ କାହାଣୀ ମାନ ଅଛି, ତାହା ଜଣକୁ ନିରୋଳା ହସିବା ପରିବର୍ତ୍ତେ ଗମ୍ଭୀର କରିଦିଏ । ସେଥିରେ ଗୋଟିଏ ଗପ ଅଛି, ଯାହାର ଶୀର୍ଷକ 'ଦି ଓଲଡ୍ ଡେଡ୍ ସୁଡ୍ ଗିଭ୍ ପ୍ଲେସ୍ ଟୁ ୟଙ୍ଗ୍ ଡେଡ୍' ଅର୍ଥାତ୍ 'ପୁରୁଣା ମୃତକଟି ନୂଆ ମୃତକ ପାଇଁ ବାଟ ଛାଡିଦେବା ଉଚିତ୍' । ଏଥିରେ ଗୋଟିଏ ପୁରୁଣା କବରଖାନାର କଥା ରହିଛି, ଯେଉଁଠି ଆଉ ନୂଆ କାହାକୁ କବର ଦେବାକୁ ସ୍ଥାନର ଘୋର ଅଭାବ । ସେ ଦୃଷ୍ଟିରୁ ଅତି ପୁରୁଣା କବର ଗୁଡିକ ଭାଙ୍ଗି, ତାହା ଜାଗାରେ ନୂଆ କବର ତିଆରି କରିବାର ବ୍ୟବସ୍ଥାର ପୃଷ୍ଠଭୂମିରେ ଏଇ କାହାଣୀଟି ।

ଲାଫେବଲ୍ ଲଭ୍ସ୍ ର ପ୍ରଥମ ଇଂରାଜୀ ସ‌ଂସ୍କରଣର ମଲାଟ (୧୯୭୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

କହିବାକୁ ଗଲେ ଆବଶ୍ୟକତା ଅନୁସାରେ ଆଉ ପ୍ରାସଙ୍ଗିକତା ଅନୁସାରେ ଆମେ କମ୍ ପୁରୁଣା କି ବେଶି ପୁରୁଣା କଥାକୁ ଉଦ୍ଧାର କରିଥାଉ । ଆମ ପାଇଁ ପ୍ରସଙ୍ଗଟି ସବୁବେଳେ ଗୁରୁତ୍ୱପୂର୍ଣ୍ଣ, କଥାର ସମୟକାଳ ସମାନ ପରିମାଣରେ ଗୁରୁତ୍ୱପୂର୍ଣ୍ଣ ନୁହଁ ।
ହେଲେ କିଛି ଲୋକ ସଂସାରରେ ଅଛନ୍ତି, ସେମାନଙ୍କୁ ଦେଖିଲେ ଲାଗିବ କୌଣସି ଏକ ପୁରୁଣା ରେକର୍ଡ ଗ୍ରାମଫୋନରେ ପିନ୍ ଟି ଯେମିତି ଅଟକି ଯାଇଛି, ସେଇ ଭଳି ତାଙ୍କର ଅବସ୍ଥା । ବାରମ୍ବାର ସେଇ ଗୋଟିଏ ଜାଗାରେ କ୍ଲାନ୍ତିହୀନ ଭାବରେ ଘୁରୁଥିବାରେ ହିଁ ସେମାନଙ୍କର ତୃପ୍ତି । ବାହାର ପୃଥିବୀର ପ୍ରତିକ୍ରିୟା ପ୍ରତି ସେମାନେ ଉଦାସୀନ । ସେମାନେ ଯେମିତି ତାଙ୍କର ସମଗ୍ର ଜୀବନ କାଳକୁ ତନ୍ନତନ୍ନ କରି ଖୋଜିଖୋଜି ଅବଶେଷରେ ପାଇଯାଇଛନ୍ତି ଗୋଟିଏ ଗୋଟିଏ ବହୁମୂଲ୍ୟ ହୀରା କୋହିନୂର, ଯାହାକୁ ସେମାନେ ସମସ୍ତଙ୍କୁ ଦେଖାଇ ଚାଲିବେ, ତୃପ୍ତିର ସହ ବାରମ୍ବାର ଦେଖାଉଥିବେ, ନିଜର ଶେଷ ନିଃଶ୍ୱାସ ଯାଏଁ ।
ଆମ ଭିତରେ କ'ଣ ପିନ୍ ଅଟକି ଥିବା ରେକର୍ଡ ଗ୍ରାମଫୋନ୍ ଟିଏ ନାହିଁ  ? ଯିଏ କେତୋଟି କଥାକୁ ବାରମ୍ବାର କହିବାକୁ ଅତି ମାତ୍ରାରେ ଭଲପାଉଥାଏ ? ସେଇ କଥାଗୁଡିକୁ କହିବାରେ ଜଣେ ଏତେ ମସଗୁଲ୍ ହୋଇଯାଇଥାଏ ଯେ, ସେହି କହିବା ଲୋକକୁ ଲାଗେ ଯେମିତି ସେ ଏହାକୁ ପହିଲି ଥର ପରି କହୁଛି । ଏମିତିରେ କହିବା ଲୋକର କହିବାରେ ଦାୟ, କେଉଁ ହିସାବ ସେ କାହିଁକି ରଖିବ ? କହିବା ଲୋକ ତୁଳନାରେ ଶୁଣୁଥିବା ଲୋକଟିର ଏଇ କଥା କହିବାର କ୍ଷେତ୍ରଟିକୁ ବିଚାରକୁ ନେଲେ ଦେଖିବା ଯେ, କଥା ଶୁଣୁଥିବା ଲୋକଟି ଟିକିଏ ଅଧିକ ବୁଦ୍ଧିଆ । ସେ ହିଁ ଏକା କହିପାରିବ ଯେ, କହିବା ଲୋକର କଥାଟି କେତିକି ପୁରୁଣା ଆଉ ସେ ତାହାକୁ କେତେଥର ସମାନ କଥାଟି କହିଛି । ଏଇ କଥାରେ କେତେ ସତ ଭାଗ ଆଉ କେତେ ରସାଳ ମିଛ ଭାଗ ରହିଅଛି । ଶିକ୍ଷକମାନଙ୍କ ତୁଳନାରେ ପିଲାଏ ଜାଣନ୍ତି, ଶିକ୍ଷକଟି କେତେ ପୁନରାବୃତ୍ତି କରୁଥାଏ ।
ଏମିତିରେ ଦେଖିଲେ ବୟସ ଗଡିଲେ ସଭିଏଁ ଇତିହାସର ବିଶେଷଜ୍ଞ ପ୍ରୋଫେସର୍ । ସେମାନଙ୍କର ଯାବତୀୟ ବିରକ୍ତିକର ଦୀର୍ଘ ପୁନରାବୃତ୍ତିକୁ ସହି ନେଇ ସାମ୍ନାରେ ଉପସ୍ଥିତ ବଶମ୍ବଦ ଶ୍ରୋତାସୁଲଭ ଅତ୍ୟାଗ୍ରହର ଅଭିନୟକୁ ସେଇ ବିଚାରାମାନେ ଭାରି ଖୁସିରେ ଉପଭୋଗ କରନ୍ତି । ସବୁରି ମୁହଁ ଯେମିତି ସେଇ କୋହିନୂରର ଆଲୁଅରେ ଝଲମଲ । ମୁଁ ଏବେ ସେଇ ବିଚରାମାନଙ୍କ ଦଳରେ ।

ହୁକା ସହିତ ଭାରତୀୟ ମହିଳା (୧୭୮୯ - ଢାକାଇ ମସଲିନ ପରିହିତା)
ଚିତ୍ରକର - ଫ୍ରାନସେସ୍କେ ରେନାଲ୍ଡି (୧୭୫୫-୧୭୯୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏଥର କିଛି ସାଧାରଣ ଲେବୁଲ୍ ମାନଙ୍କ ବିଷୟରେ କଥା ହେବା । ଏଗୁଡିକ ଦେଖିଲେ ଅତି ସାଧାରଣ ଲେବୁଲ୍ । ଆପଣମାନେ ଜାଣନ୍ତି ଇତିହାସର ବାତିଲ ତାଲିକାରେ କେବଳ ଗୋଟିଏ କଥା ରହିଥାଏ, ତାହା ହେଉଛି ଅସତ୍ୟ । ତେଣୁ ଏହା ସାଧାରଣ ଲେବୁଲ୍ ହୋଇଥିଲେ ବି ଐତିହାସିକ ପ୍ରାସଙ୍ଗିକତା ଦୃଷ୍ଟିରୁ ଏଗୁଡିକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଦସ୍ତାବେଜ ।
ସଂଲଗ୍ନ ଛବିଗୁଡିକ ହେଉଛି କଳତନ୍ତର ଲେବୁଲ୍ । ଏହା ବ୍ରିଟିଶ୍ ଏବଂ ଭାରତ ଭିତରେ ବାଣିଜ୍ୟିକ ସମ୍ପର୍କର କିଛି ଦୃଶ୍ୟମାନ ଅଂଶବିଶେଷ । ଏଇ ଲେବୁଲ୍ ଗୁଡିକୁ "ଟିକେଟ୍" ବା "ଶିପର୍ସ ଟିକେଟ୍" ବୋଲି ଉଲ୍ଲେଖ କରାଯାଉଥିଲା । ଇଂଲଣ୍ଡର ଶିଳ୍ପାଞ୍ଚଳ ତଥା ମାଞ୍ଚେଷ୍ଟର, ଗ୍ଲାସଗୋ ଆଦି ସ୍ଥାନରୁ ଉତ୍ପାଦିତ ଲୁଗା ବଣ୍ଡଲଗୁଡିକ ଉପରେ ଏଇ ଲେବୁଲ୍ ଗୁଡିକ ଅଠାରେ ଲଗାଯିବା ପରେ, ଜାହାଜରେ ଭାରତର ବମ୍ବେ, କଲିକତା ଆଉ ଅମୃତସର ଆଦି ଜାଗାକୁ ପଠା ଯାଉଥିଲା । ଏଇ ଲେବୁଲ୍ ଗୁଡିକର ସମୟକାଳ ହେଉଛି ଅଠରଶହ ଶତାବ୍ଦୀର ଶେଷ ଭାଗ ଆଉ ଊଣେଇଶଶହ ଶତାବ୍ଦୀର ଆରମ୍ଭ ।

ଇଷ୍ଟ ଇଣ୍ଡିଆ କମ୍ପାନୀର ପତାକା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସତର ଶତାବ୍ଦୀର ପ୍ରାକ୍ କାଳରେ ଇଂଲଣ୍ଡର ଗୋଟିଏ କମ୍ପାନୀ ଭାରତରେ ବାଣିଜ୍ୟ କରିବା ପାଇଁ ମହାରାଣୀଙ୍କ ସନନ୍ଦ ପାଇ ଦରିଆ ପାରି ଯାତ୍ରା କଲା । ଭାରତରେ ପହଞ୍ଚି ଜଣେ ସାଧାରଣ ବେପାରୀ ଭଳି ଭାରତୀୟ ଦ୍ରବ୍ୟ ଯଥା ମସଲା ତଥା ଭାରତୀୟ ଲୁଗା ଆଦିକୁ ଏଠାରୁ ଶସ୍ତାରେ କିଣି ସେଠାରେ ଚଢା ଦାମରେ ବିକ୍ରି କରି ଲାଭବାନ ହେଲା । ସେଇ କମ୍ପାନୀ ସେତେବେଳେ ଦେଖିଲା ଯେ, ଭାରତୀୟ ରାଜାମାନଙ୍କ ଭିତରେ ସିଂହାସନର ଉତ୍ତରାଧିକାରକୁ ନେଇ ଘୋର ବିବାଦ ତଥା ଯୁଦ୍ଧ ବିଗ୍ରହ । ଏଇ ପ୍ରକାର ବିବାଦରେ ଇଂଲଣ୍ଡର ଏଇ ବେପାର କରୁଥିବା କମ୍ପାନୀଟି କାହାର ଜଣକର ପକ୍ଷଭୂକ୍ତ ହୋଇ ତାହାକୁ ସୈନ୍ୟ ସହାୟ ଦେଇ ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବା ସହ ଏଠାରେ ନିରଙ୍କୁଶ ବେପାର କରିପାରିବାର ରାଜାନୁଗ୍ରହ ଲାଭକରୁଥିଲା । ଇଂଲଣ୍ଡର ଏଇ ବିଶିଷ୍ଟ କମ୍ପାନୀଟିର ପ୍ରଥମ ଶହେପଚାଶ ବର୍ଷର ଭାରତ-କାହାଣୀଟି ଏଇ ଭଳି ଥିଲା । ଏଇ ସମୟରେ କମ୍ପାନୀର ନୀତି ରହିଥିଲା ଭାରତୀୟ ରାଜାନୁରକ୍ତି ଓ ସେହି ରାଜାନୁଗ୍ରହରେ ନିର୍ବିଘ୍ନ ବେପାର । କେବଳ ଭାରତୀୟ ଉପକୂଳରେ ସୁରାଟ ଠାରୁ ଆରମ୍ଭ କରି ଫୋର୍ଟ ଉଇଲିୟମ ଯାଏଁ ବାଣିଜ୍ୟିକ ବସତି ବ୍ୟତୀତ କୌଣସି ସ୍ଥାନ ଅଧିଗ୍ରହଣ ସେମାନଙ୍କ ଯୋଜନାରେ ନଥିଲା ।

ଇଷ୍ଟ ଇଣ୍ଡିଆ କମ୍ପାନୀ ୧୮୩୫ରେ ଜାରି କରିଥିବା ସୁନା ମୋହର
ମୁଦ୍ରାରେ ଦେଖାଯାଉଥିବା ଶ୍ରୀମୁଖଟି ସମ୍ରାଟ ଚତୁର୍ଥ ୱିଲିଅମଙ୍କର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ପରବର୍ତ୍ତୀ ଶହେ ବର୍ଷ ରେ ଭାରତରେ କେବଳ ବେପାର କରୁଥିବା ଏଇ ଇଂଲଣ୍ଡ କମ୍ପାନୀଟିର ଭାରତ ପ୍ରତି ଅନୁସରଣ କରୁଥିବା ନୀତିଟି ବଦଳିଗଲା । ବେପାର ସହ ରାଜ୍ୟ ସ୍ଥାପନା ତାହାର ପ୍ରାଥମିକ ଚିନ୍ତା ହୋଇଗଲା । ଇଂଲଣ୍ଡର ସେ ସମୟର ଅର୍ଥନୈତିକ ପ୍ରେକ୍ଷାପଟ ଓ ସାମାଜିକ ପରିସ୍ଥିତି କମ୍ପାନୀର ଏଇ ପ୍ରକାର ଆଭିମୁଖ୍ୟ ପାଇଁ ଦାୟୀ । ଇଂଲଣ୍ଡରେ ୧୭୪୦ ଖ୍ରୀଅ ବେଳକୁ ଶିଳ୍ପ ବିପ୍ଳବ ଘଟିଲା । ଅର୍ଥାତ ମାଞ୍ଚେଷ୍ଟର ଆଦି ସ୍ଥାନମାନଙ୍କରେ କଳତନ୍ତର ଉଦ୍ଭାବନ ଘଟିଲା । ସେହି ମେସିନ୍ ଗୁଡିକର ଅର୍ଥନୈତିକ ଦୃଢତା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ ଏବଂ ପରେ ସେଠାରୁ ଉତ୍ପାଦିତ ସାମଗ୍ରୀର ବଜାର ନିମନ୍ତେ ସେମାନେ ଭାରତକୁ ଏକ ନିର୍ଭରଶୀଳ ଉପନିବେଶରେ ପରିଣତ କରିବାକୁ ଚାହିଁଲେ । ସେଇଠୁ ଆରମ୍ଭ ହେଲା ଭାରତବର୍ଷରେ ପଲାଶୀ ଯୁଦ୍ଧ ଆଉ ତାହା ପରବର୍ତ୍ତୀ ରଜ୍ୟବିସ୍ତାରର କାର୍ଯ୍ୟକ୍ରମ । ଭାରତ କ୍ରମଶଃ ହୋଇଗଲା ଏକ କଞ୍ଚାମାଲ ଉତ୍ପାଦନକାରୀ କେନ୍ଦ୍ର ଓ ନିୟନ୍ତ୍ରିତ ବଜାର । ଭାରତୀୟ ତନ୍ତିମାନଙ୍କର ହାତବୁଣା ଲୁଗାରେ ଅଧିକ କର ଓ ଇଂଲଣ୍ଡ ରୁ ଆସୁଥିବା ଲୁଗାରେ ସାମାନ୍ୟ କର, ଆମ ଅର୍ଥନୀତିର ଗଣିତକୁ ଗୋଳମାଳ କରିଦେଲା । ଶସ୍ତା ବିଦେଶୀ ଲୁଗା ସାମ୍ନାରେ ଆମର ହାତବୁଣା ଲୁଗା ଦାମିକା ହୋଇଥିବାରୁ, ବଜାରର ପ୍ରତିଦ୍ୱନ୍ଦିତାରେ ବିଫଳ ହେଲା । ଆମ ତନ୍ତିମାନେ ଲୁଗାବୁଣା ଛାଡି ପିଣ୍ଡାରି ଆଉ ଠଗି ଭଳି ଦସ୍ୟୁଦଳରେ ନାମ ଲେଖାଇବାକୁ ଉଚିତ ମନେକଲେ ।

ବମ୍ବେଇ ନଗରର ପୋତାଶ୍ରୟରେ ଜାହାଜମାନଙ୍କର ଦୃଶ୍ୟ (୧୭୩୨-୩୩)
ଚିତ୍ରକର - ସାମୁଏଲ ସ୍କଟ୍ (୧୭୦୨-୧୭୭୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କହିବାକୁ ଗଲେ, ସାଧାରଣତଃ ନିଜର କାର୍ପାସବସ୍ତ୍ରର ରପ୍ତାନୀ ନିମନ୍ତେ ଆବହମାନ କାଳରୁ ବିଶ୍ୱପ୍ରସିଦ୍ଧ ଭାରତବର୍ଷ, ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡକୁ କାର୍ପାସବସ୍ତ୍ର ବାହାରୁ ଆମଦାନୀ କଲା, ଆଉ ତାହାର କଞ୍ଚାମାଲ କପା ବାହାରକୁ ରପ୍ତାନୀ କଲା । ଏହା ଭାରତୀୟ ସ୍ୱୟଂନିର୍ଭର ଅର୍ଥନୀତିର ଏକ ଚରମ ବିପର୍ଯ୍ୟୟ ।

ଭାରତର ସେହି ବିପର୍ଯ୍ୟସ୍ତ ସମୟର ପ୍ରତିକ ବା ଅଂଶବିଶେଷ ହିସାବରେ ଏଇ ଲେବୁଲ୍ ଗୁଡିକୁ ନିଆଯାଇପାରେ । ଏଇ ଲେବୁଲ୍ ଗୁଡିକ ଲୁଗାବଣ୍ଡଲ ଉପରେ ଅଠାରେ ଲଗା ହୋଇ ଇଂଲଣ୍ଡରୁ ଏଠିକୁ ଆସୁଥିଲା ବୋଲି ଆଗରୁ କହିଛି । ସବୁଠୁ ଚମତ୍କାର କଥା ହେଲା ଯେ ଏଇ ରଙ୍ଗିନ ଲେବୁଲ୍ ଗୁଡିକର ପରିକଳ୍ପନା ଇଂଲଣ୍ଡରେ କରାଯାଉଥିଲା ବେଳେ ଏହାର ଛପେଇ କାମ କରିଯାଉଥିଲା ଜର୍ମାନୀରେ । ଏଇ ଲେବୁଲ ଗୁଡିକ ଯେଉଁ ଛପାକାମ ଦ୍ୱାରା କରାଯାଉଥିଲା, ତାହାକୁ "କ୍ରୋମୋଲିଥୋଗ୍ରାଫ" ବୋଲି କୁହାଯାଉଥିଲା । ଏଇ ପ୍ରକାର ବିଶେଷ ଛାପାକାମଟି ଇଂଲଣ୍ଡରେ ବିକଶିତ ହୋଇନଥିଲା । ସେଇଥିପାଇଁ ଏ କାମଟି ଜର୍ମାନୀରେ କରାଯାଉଥିଲା । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ଏଇ ଲେବୁଲ୍ ଗୁଡିକ ପ୍ରଥମେ ଜର୍ମାନୀ, ସେଇଠୁ ଇଂଲଣ୍ଡ, ଆଉ ତାହା ପରେ ଭାରତ ଯାତ୍ରା କରୁଥିଲା ।

ଭାରତକୁ ଆମଦାନୀ ହେଉଥିବା କପଡ଼ା କମ୍ପାନୀର ଟ୍ରେଡ଼ମାର୍କ
ଫଟୋ କ୍ରେଡ଼ିଟ - https://www.a-n.co.uk/

ବେପାରବଣିଜର ସବୁବେଳେ ଗୋଟିଏ ବିଶ୍ୱଦୃଷ୍ଟି ରହିଥାଏ । ଆପଣମାନେ ଜାଣନ୍ତି ଆମର ପାକିସ୍ଥାନ ସହିତ କାରଗିଲ୍ ଯୁଦ୍ଧ ଚାଲିଥିଲା ବେଳେ ବି ଆମର ବେପାର ସମ୍ପର୍କଟି ଯଥେଷ୍ଟ ମଧୁର ଥିଲା, ଅର୍ଥାତ ଆମେ ପରସ୍ପର ସହ ଚିନି ଦିଆ ନିଆ ହେଉଥିଲୁ ।

ଏଇ "କ୍ରୋମୋଲିଥୋଗ୍ରାଫ୍" ଲେବୁଲ୍ ଗୁଡିକ ଆପଣ ଦେଖିବେ, ଅତ୍ୟନ୍ତ ବୈଚିତ୍ରମୟ । ଏଥିରେ ରହିଛି ଆମର ଦେବାଦେବୀ ଏପରିକି ଭାରତମାତା, ପୌରାଣିକ ଆଖ୍ୟାନ ଆଉ ଲୋକପ୍ରିୟ ଚିତ୍ରମାନ । ବିଶେଷ ପ୍ରାଧାନ୍ୟ ପାଇଛି ସେଥିରେ ଦୁର୍ଗା, କୃଷ୍ଣ, ରାଧା ଆଉ ହନୁମାନ ଙ୍କ ଭଳି ଆମର ଅତି ପ୍ରିୟ ଦେବଦେବୀମାନେ । ଲୁଗାବଣ୍ଡଲର ଏଇ ଲେବୁଲ୍ ଗୁଡିକ ଭାରତୀୟ ଉପନିବେଶର ବିଭିନ୍ନ ଦୋକାନରୁ ସାଧାରଣ ଲୋକର ଘରକୁ ପ୍ରବେଶ କଲା । ଆଉ ସେହି ପ୍ରବେଶଟି ଅନ୍ୟ ଯେତେକ ବାହାରର ଦ୍ରବ୍ୟର ପ୍ରବେଶ ଭଳି ସେମିତି ସାଧାରଣ ନଥିଲା । ଏଇ ଲେବୁଲ୍ ର ଦେବୀଦେବୀମାନେ ଆମର ସାଧାରଣ ଘର ଭିତରେ ନିଜ ପାଇଁ ଗୋଟିଏ ଗୋଟିଏ ଆସ୍ଥାନ ମାଡି ବସିଲେ । ଫୁଲ, ଚନ୍ଦନ ଆଉ ଧୂପରେ ସେଇ ଆସ୍ଥାନ ମହମହ ବାସିଲା, ଆଉ ଆମର ପ୍ରାତ୍ୟହିକ କାର୍ଯ୍ୟକ୍ରମରେ ସେଇ ଆସ୍ଥାନଟି ଏକ ଗୁରୁତ୍ଵପୂର୍ଣ୍ଣ ସମୟର ଦାବୀ ରଖିଲା । ଆମେ ସବଂଶେ ସେଇ ଆସ୍ଥାନ ସାମ୍ନାରେ ଆଣ୍ଠୁ ମାଡି ଲୁହ ଗଦଗଦ ହୋଇ ଗାଇଲୁ, ମନ୍ତ୍ରହୀନ, କ୍ରୀୟାହୀନ, ଜପହୀନ...।

ରାଜା ରବି ବର୍ମା କୃତ ମୁରୁଗାନଙ୍କର ଚିତ୍ର

ସେଇଟି ହେଲା ଆମର ବ୍ୟକ୍ତିଗତ ଠାକୁରଘର ।

ଆମେ ଯେଉଁ ସମୟର କଥା ହେଉଛେ, ସେଇଠି ସାଧାରଣ ଲୋକଟିର ନିଜର ଠାକୁରଘର ବୋଲି କହିଲେ ଯେଉଁ ପବିତ୍ର ଅରାକ ବୋଲି ଜାଗା ରହିଥାଏ, ତାହା ଥିଲା କି ? ରାଜା ମହାରାଜା ମାନେ ନିଜର କ୍ଷମତାର ପରିପୂରକ ଭାବରେ ଦେବସ୍ଥାନ ନିର୍ମାଣକୁ ଏକ ସାର୍ବଜନୀନ ଲୋକହିତକର କାର୍ଯ୍ୟକ୍ରମ ବୋଲି ଭାବୁଥିଲେ । ସେମାନଙ୍କୁ ଅନୁକରଣ କରି ଅଭିଜାତ ବର୍ଗ ନିଜନିଜର ମନ୍ଦିର ତୋଳି ସର୍ବସାଧାରଣଙ୍କୁ ପ୍ରବେଶାଧିକାର ଦେଇ ପରମତୃପ୍ତିକୁ ଉପଭୋଗ କରୁଥିଲେ । ସମାଜର ଯେଉଁ ସାଧାରଣ ବର୍ଗ ଆଉ ନିମ୍ନ ବର୍ଗ ଅଛନ୍ତି, ଯାହା ଭିତରେ ସର୍ବଦା ଉଚ୍ଚବର୍ଗକୁ ଅନୁକରଣ କରିବାର ଏକ ସାମାଜିକ ମନସ୍ତତ୍ତ୍ୱ ରହିଥାଏ ବୋଲି ବିଶିଷ୍ଟ ସମାଜତତ୍ତ୍ୱବିତ୍ ଏମ୍. ଏନ୍. ଶ୍ରୀନିବାସ ତାଙ୍କର "ସଂସ୍କୃତିକରଣ" ନିଷ୍କର୍ଷରେ ଉଲ୍ଲେଖ କରିଛନ୍ତି, ସେମାନେ ସର୍ବଦା ନିଜର ଏକ ବ୍ୟକ୍ତିଗତ ଠାକୁରଘରର ସ୍ୱପ୍ନ ଦେଖୁଥିବା ସ୍ୱାଭାବିକ । କିନ୍ତୁ ସେଇ ଦେବତାର ପ୍ରତିରୂପଟିକୁ ନିଜ ଘରର ଅଭ୍ୟନ୍ତରକୁ ଆଣିବା ପାଇଁ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ ଦରକାର, କିଛି ପ୍ରଚଳିତ ବିଧିନିଷେଧର ସାମ୍ନା କରିବାର ସାହସ ଦରକାର, ଯାହା ସେତେ ସହଜ ନଥିଲା ସେ ସମୟରେ । ତେଣୁ ଠାକୁରଘରଟି ନିଜ ଘର ଭିତରେ ନଥିଲା ।
ଏଇ ସମୟରେ ଭାରତୀୟ ଚିତ୍ରକଳାର ଇତିହାସ ଭିତରକୁ ପ୍ରବେଶ କରନ୍ତି ଜଣେ ସୁଦର୍ଶନ ରାଜପୁତ୍ର । ତାଙ୍କର ନାଆଁ ରାଜା ରବି ବର୍ମା । ଏମିତି କହିବାକୁ ଗଲେ, ରାଜା ରବି ଭାରତୀୟ ଦେବଦେବୀଙ୍କୁ ପ୍ରଥମ କରି ଆମକୁ ଚିହ୍ନଟ କରି ତାଙ୍କ ଚିତ୍ରରେ ଲେଖିଲେ । ଆମର ଦେବଦେବୀଙ୍କ ଦେହ ଉପରେ ଗୋଟିଏ ଗୋଟିଏ ଭାରତୀୟ ମୁଣ୍ଡ ଶୋଭାବନ୍ତ ଦିଶିଲା, ଆଉ ଆମେ ତତକ୍ଷଣାତ୍ ତାହାକୁ ଆପଣାର କରିନେଲୁ ।


ରାଜା ରବି ବର୍ମା (୧୮୪୮-୧୯୦୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ରାଜା ରବି ବର୍ମା ଖ୍ରୀଅ ୧୮୯୦ ପରେ ଭାରତରେ ଗୋଟିଏ ଛାପାଖାନା ପ୍ରତିଷ୍ଠା କରି ଲୁଗା ବଣ୍ଡଲର ଲେବୁଲ୍ ମାନଙ୍କ ସହ ନିଜର ଅନ୍ୟାନ୍ୟ "ଲିଥୋଗ୍ରାଫ୍" କାମଗୁଡିକୁ ଛାପିଚାଲିଲେ । ଫଳରେ ଆଗରୁ ଜର୍ମାନୀରେ ଛପା ହେଉଥିବା ଲୁଗାବଣ୍ଡଲର ଲେବୁଲ୍ ଗୁଡିକ ଏଇଠି ଛପା ହେଲା, ଆଉ ଏଥିରେ ଦେବଦେବୀଙ୍କ ଛବି ଅନ୍ୟାନ୍ୟ ଛବି ତୁଳନାରେ ଅଧିକ ମହତ୍ତ୍ୱ ପାଉଥିଲା । ଏଇ ଲେବୁଲ୍ ଗୁଡିକରୁ କିଛି ରାଜା ରବି ବର୍ମାଙ୍କ ଛବି ବୋଲି ଜଣାପଡୁଥିଲେ ହେଁ ସେଥିରେ ତାଙ୍କର ସନ୍ତକ ନାହିଁ ।
ସେଇ ସମାନ ସମୟରେ ରାଜା ରବିଙ୍କ ଛାପାଖାନାରୁ କାଲେଣ୍ଡରଟିମାନ ବି ଛପା ହେଉଥିଲା । ଭାରତରେ କାଲେଣ୍ଡର ଶିଳ୍ପ ତଥା ଚିତ୍ରକଳାର ସେ ହେଉଛନ୍ତି ଅଗ୍ରଣୀ ପୁରୁଷ । କାଲେଣ୍ଡରର ବିପୁଳ ବାଣିଜ୍ୟିକ ସଫଳତା ରାଜା ରବି ବର୍ମାଙ୍କୁ ଜଣେ ଚିତ୍ରକର ହିସାବରେ ବିଶେଷ ଜନପ୍ରିୟ କରିପାରିଥିଲା ।

ରାଜା ରବି ବର୍ମା କୃତ ସରସ୍ୱତୀଙ୍କର ଚିତ୍ର

ସେଇ ଲୁଗାବଣ୍ଡଲର ଲେବୁଲ୍ ଆଉ କାଲେଣ୍ଡରର ଦେବଦେବୀମାନଙ୍କୁ ନେଇ ତିଆରି ହେଲା, ଆମର ନିଜର ଗୋଟିଏ ଠାକୁରଘର ।ସେଇଠି କାହାର କୌଣସି ନିଷେଧାଜ୍ଞା ନଥିଲା, ନଥିଲା କୌଣସି ଉପଚାର ବିଧିର ବାଧ୍ୟବାଧକତା । ଆମେ ପୂରାପୁରି ସ୍ୱାଧୀନ ଥିଲୁ ।
ଏବେ ବି ସ୍ୱାଧୀନ ରହିଛୁ, ସେଇଠି ।

Thursday, September 28, 2017

ଅସିଆ କାଳର ବାମୁଣ ବାହାଘର


ସୌଗନ୍ଧିକ ପରିଣୟ (୧୮୨୧)
ଚିତ୍ରକର - ମୁମ୍ମଦି କୃଷ୍ଣରାଜ ୱାଡେୟାର


ବିଦ୍ୟାଧର ମିଶ୍ର ଓଡ଼ିଶାର ବୌଦ୍ଧିକ ଜଗତରେ ଏକ ଜଣାଶୁଣା ନାମ ଉପକୂଳବର୍ତ୍ତୀ ଓଡ଼ିଶାର ଏକ ପଲ୍ଲୀ ଗ୍ରାମରୁ ବାହାରି, ବିଲାତରେ ପ୍ରଶିକ୍ଷିତ ହୋଇ, ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଶିକ୍ଷାର ମୂଳଦୁଆ ପକାଇଥିଲେ ପରେ ସେ ସେଠାରେ କୁଳପତି ଭାବରେ ମଧ୍ୟ କାମ କରିଥିଲେ ହେଲେ ତାଙ୍କର ବାହାଘର ପୁରୁଣା ପରମ୍ପରା ଅନୁସାରେ ଘଟିଥିଲା ସେ ଯେବେ ମାଇନର ପଢ଼ୁଥିଲେ, ତେବେ ବୋଧେହୁଏ ଗତ ଶତାବ୍ଦୀର ୧୯୩୦ର ଦଶକରେ

ବରଘରୁ କନ୍ୟାଘର ପନ୍ଦର କିଲୋମିଟର ଖଣ୍ଡେ ହେବ ବରଘର ଶାସନ ଗାଁରେ ବହୁକୁଟମ୍ବୀ ଘର, ଯୌଥ ପରିବାର ଖାନଦାନି ଘର ଅପର୍ଯ୍ୟାପ୍ତ ସମ୍ପତ୍ତିବାଡ଼ି ଚାଷ ଜମି ଛଡ଼ା ତୋଟା ବଗିଚା ଇତ୍ୟାଦି ମଧ୍ୟ ଥାଏ ପାତ୍ରକୁ ଚଉଦ ବର୍ଷ ବୟସ ମାଇନର ସ୍କୁଲରେ ପାଠପଢ଼ା ଚାଲିଥାଏ ଝିଅକୁ ନଅ ବରଷ ଝିଅ ଘର ଲକ୍ଷାଧିକ ଟଙ୍କାର ମହାଜନୀ କାରବାର ଥାଏ ବାପ ତେଜରାତି ଦୋକାନ ଲୁଗା ଦୋକାନର ମାଲିକ ଶହେ ମାଣରୁ ବେଶୀ ଚାଷଜମି ଘରେ ସିରସ୍ତାରେ କୋଡ଼ିଏରୁ ବେଶୀ ଚାକରବାକର

ବିଭାଘର ତିଥି ଥିଲା ଫଗୁଣ ମାସର ଶୁକ୍ଳ ପକ୍ଷ ଦଶମୀ ଶୀତ ବିଦାୟ ନେଇଯାଇଥିଲେ ବି ଗ୍ରୀଷ୍ମର ଆଗମନ ଘଟିନଥାଏ ମଙ୍ଗନ ଦିନ ବରଧରା ଆସି ପହଞ୍ଚିଲା ପରେ ହାଡ଼ିବାଜା ତେଲିଙ୍ଗିବାଜା ଶବଦରେ ଥାଟପଟାଳି ପଡ଼ିଲା ଶାସନ ଲୋକେ ନିମନ୍ତ୍ରିତ ଭଦରନୋକେ ଠାକୁ ପଙ୍ଗତରେ ବସିଲେ ତାପରଦିନ, ଅର୍ଥାତ ବାହାଘର ଦିନ ବରଯାତ୍ରୀ ପ୍ରାୟତଃ ଚାଲିଚାଲି କନ୍ୟାଘର ଗାଁକୁ ଗଲେ ଗୁରୁଜନ, ବୟସ୍କ ଲୋକ ଖାଲି ଯାହା ଗଲେ ବଳଦଗାଡ଼ିରେ ବରବାବୁ ଗଲେ ପାଲିଙ୍କିରେ ବର ମହାଶୟ ସକାଳ ନଅଟାରୁ ବାହାରିଗଲେ ସନ୍ଧ୍ୟା ପୂର୍ବରୁ କାମ ତମାମ କରିବାକୁ ପଡ଼ିବ ଯେ

ସେତେବେଳେ ଗାଁମାନଙ୍କରେ ବ୍ୟାଣ୍ଡ୍ ବାଜା ଇତ୍ୟାଦିର ପ୍ରଚଳନ ଥାଏ କନ୍ୟାଘରର ଦେଢ଼ କିଲୋମିଟର ଖଣ୍ଡେ ଦୂରରୁ ବରର ଶୋଭାଯାତ୍ରା ଆରମ୍ଭ ହେଲା ବଡ଼ ବାଜା, ଢୋଲ, ମହୁରୀ, ତେଲିଙ୍ଗିବାଜା ଇତ୍ୟାଦି ବାଜିଲା ବର ପହଞ୍ଚିବା କ୍ଷଣି ବାହାଘରର କର୍ମକର୍ମାଣିର ଶୁଭାରମ୍ଭ ଚାରିଟା ଖଣ୍ଡେ ବେଳକୁ ହେଲା ବୈଦିକ ରୀତି ଅନୁସାରେ ଲବଣଚାମରୀ, ନାନ୍ଦୀମୁଖ ଶ୍ରାଦ୍ଧ, ବରଙ୍କର ଅଳତା ସିନ୍ଦୁର, କନ୍ୟା ଦାନ, ହାତଗଣ୍ଠି, ଲାଜା ହୋମ, ଅଗ୍ନି ପରିକ୍ରମା ଇତ୍ୟାଦି ସବୁ କର୍ମ ସମ୍ପାଦିତ ହେଲା କନ୍ୟାକୁ ବାରିକିଆଣି ଜଣେ ବେଦୀ ଉପରକୁ କାଖ କରି ନେଇଆସନ୍ତି କର୍ମ ବଢ଼ିଲେ ନେଇଯାଆନ୍ତି

ଇଆଡ଼େ ବାହାଘର ଆରମ୍ଭ ହେବା ବେଳକୁ ବରଯାତ୍ରୀ ଅନ୍ୟାନ୍ୟ ଅତିଥିମାନେ ଆଳିପଣା ସେବନରେ ମାତିଲେ ବାହାଘର କାମ ବଢ଼ିଲା ବେଳକୁ, ଆଳିପଣା ଖାଇବା ଶେଷ ଫୁଲ ସଭା ବସିଲା ଯାଇଁ ରାତ୍ର ଦଶ ଘଟିକାରେ ସେ ଯୁଗରେ ଫୁଲସଭା ବିଧିମତ ହେଉଥିଲା ଉଭୟ ପକ୍ଷ ନିମନ୍ତ୍ରିତ କରିଥାଆନ୍ତି ସଂସ୍କୃତପଣ୍ଡିତମାନଙ୍କୁ ଦୁଇ ପକ୍ଷ ଭିତରେ ଚାଲିଲା ସଂସ୍କୃତ ଶ୍ଲୋକର ବାଦବୁଦିଆ ସେଇ ଫୁଲସଭାରେ ସେଦିନ ବରପକ୍ଷରୁ ମୁଣ୍ଡିଆଳ ଥାଆନ୍ତି ମୟୁରଭଞ୍ଜ ରାଜ୍ୟର ସଭାପଣ୍ଡିତ ପ୍ରାଣକୃଷ୍ଣ ଆଚାର୍ଯ୍ୟ କନ୍ୟା ପକ୍ଷର ନେତା ଥାଆନ୍ତି ଖଡ଼ଗପୁର ମଠ ଟୋଲର ପ୍ରଧାନ ପଣ୍ଡିତ କୃପାସିନ୍ଧୁ ଆଚାର୍ଯ୍ୟ

ଶାସ୍ତ୍ରାର୍ଥ ପରେ ଅନ୍ନଭୋଜନର ବ୍ୟବସ୍ଥା ହେଲା ମାଛ, ଦହି, ଖିରି, ପିଠା, ଯାହାକୁ ଯେତେ ସେବେ ରାତିରେ ବର କନ୍ୟାକୁ ଶଙ୍ଖା ପିନ୍ଧାଇ ଦେବାର ପ୍ରଚଳନ ଥିଲା ସେତେବେଳକୁ ରାତି ପାହିଲାଣି ଶଙ୍ଖା ପିନ୍ଧାଇବା ସହିତ ବାହାଘର କର୍ମକର୍ମାଣି ସରିଲା ପରଦିନ ସକାଳେ ବରପକ୍ଷ କନ୍ୟାପକ୍ଷ ଉଭୟଙ୍କୁ ମିଶାଇ ଗୋଟିଏ ସାନ ସଭା ଅନୁଷ୍ଠିତ ହେଲା କନ୍ୟା ସଭାକୁ ଆସି ଓଢ଼ଣା ଟାଣି ବସିଲେ ଓଢ଼ଣି ଟେକି ବରପକ୍ଷ କନ୍ୟାର ମୁଖଦର୍ଶନ କଲେ, ସାମର୍ଥ୍ୟ ଅନୁସାରେ ଉପହାର ଦେଲେ ତଥା ତାହା ପରେ ବରଘର ଗାଁକୁ ବାହୁଡ଼ି ଗଲେ ପଛରେ ବାରିକ ପିଲାଟିଏ ସହିତ ରହିଗଲେ ବର ମହାଶୟ, ଶ୍ରୀ ବିଦ୍ୟାଧର ମିଶ୍ର କାରଣ ସେତେବେଳେ ଅଷ୍ଟମଙ୍ଗଳା ସରିବା ପର୍ଯ୍ୟନ୍ତ ବାମୁଣ ବର କନ୍ୟା ଘରେ ରହିବାର ପରମ୍ପରା ଥିଲା ସେହି ଆଠ ଦିନ ଯାକ ଯେ କଅଣ ହେଲା, ତାହା ଆଉ ଏକ କାହାଣୀ

ବିଶେଷ ଦ୍ରଷ୍ଟବ୍ୟ


ଏହି ଲେଖାଟି ଆଗରୁ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ପ୍ରକାଶିତ । ଲେଖାଟିରେ ବ୍ୟବହୃତ                 ତଥ୍ୟ ବିଦ୍ୟାଧର ମିଶ୍ର ନିଜ ସ୍ତ୍ରୀ ଚାନ୍ଦନାଙ୍କ ଉପରେ ଲେଖିଥିବା ବହି ‘ନାନୀରୁ ସଙ୍ଗୃହିତ । ବହିଟିର ସମ୍ପୂର୍ଣ୍ଣ ପ୍ରକାଶକୀୟ ବିବରଣୀ ହେଲା -  ବିଦ୍ୟାଧର ମିଶ୍ର । ୨୦୦୬ (ପ୍ରଥମ ପ୍ରକାଶନ ୧୯୯୨) । ‘ନାନୀ’ । କଟକ : ବିଦ୍ୟାପୁରୀ ।