Wednesday, September 13, 2017


ଗୋଟିଏ ଜୀବନର ଅବଶିଷ୍ଟାଂଶ

ମାହମୁଦ୍ ଦାର୍ୱିଶ୍ (୧୯୪୧-୨୦୦୮)

ଅନୁବାଦକ - ଜ୍ୟୋତି ନନ୍ଦ


ବେଥେଲହାମ୍ ବିଶ୍ୱବିଦ୍ୟାଳୟରେ ମେହମୁଦ୍ ଦାର୍ୱିଶ୍ (୨୦୦୬)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କୁହାଯାଏ ଯଦି :
ପ୍ରାୟ ସନ୍ଧ୍ୟାବେଳକୁ ଆସିବ ତମର ମୃତ୍ୟୁ
ଆଉ କ'ଣ କାମ ସେ ଭିତରେ ଛିଣ୍ଡାଇନେବ ଯେ ?

ମୁଁ ଆଗ ଦେଖିବି ହାତଘଡି,
ଗୋଟିଏ ଗ୍ଲାସ୍ ଫଳରସ ପିଇ
ଉଠାଇନେବି ଫଳଡାଲାରୁ ଆପଲ୍ ଟିଏ।
ସେଇ ପିମ୍ପୁଡି ସହ ବିତାଇବି କିଛି କାଳ
ଶେଷରେ ଯିଏ ପାଇଯାଇଛି ତାହାର ଅଭିଳଷିତ ଖାଦ୍ୟ 
ତାହା ପରେ ଫେରିଯିବି ହାତଘଡିକୁ।

ବଳକା ସମୟ କିଛି ଅଛି ।
ଦାଢିକଟା, ଗାଧୁଆ ଓ ଅବିରତ ଭାବନା ବିନ୍ୟାସ ।
"ଲେଖାକୁ ସଜାଇବାକୁ ଗଲେ, ଦେଖ
ତାହା ଏବେ ନୀଳରଙ୍ଗ ଲୁଗା"
ମୁଁ ଅନ୍ତତଃ ଖରାବେଳ ଯାଏଁ ଜୀବିତ 
ମୋ ପରିଚିତ ଟେବୁଲ୍ ପାଖରେ।
ଶବ୍ଦର ରଙ୍ଗମାନେ ଅଦୃଶ୍ୟ,
ଧଳା, ଧଳା, ଖାଲି ଧଳା...।

ନିଜ ଖାଇବା ରାନ୍ଧିବି,
ଦୁଇଟି ଗ୍ଲାସ୍ ରେ ଫେନିଳ ପାନୀୟ, ଗୋଟେ ମୋର
ଆରଟି ତାଙ୍କର ଆଜିର ଅନିମନ୍ତ୍ରିତ ଅତିଥି ସେ ।
ଏଇ ଦୁଇ ସ୍ୱପ୍ନ ମଝିରେ ଶୋଇଯିବି,
ମୋତେ ନିଦରୁ ଉଠେଇଦେବ ମୋ ଘୁଙ୍ଗୁଡ଼ି ।

ପୁଣି ହାତଘଡି ସଠିକ
ଏବେବି ସମୟ ଅଛି ପଢିବାକୁ ଅଧ୍ୟାୟେ ଦାନ୍ତେ,
ଅଧ୍ୟାୟେ ମୁଆଲକହ୍ ।
ଏବଂ ଦେଖିନେବି ମୋଠୁ ମୋ ଜୀବନ
ଅନ୍ୟମାନଙ୍କ ପାଖକୁ କେମିତି ଯାଉଛି ବିସ୍ତାରି, 
ପଚାରିବି ନାହିଁ
ପୂରଣ କରୁଛି କିଏ ଏଇ ଶୂନ୍ୟତାକୁ ?

ଏଇଟି ହୁଏତ ଏହା ।
ତାହା ପରେ କ'ଣ ?

ତାହା ପରେ ମୁଁ ମୁଣ୍ଡ କୁଣ୍ଡେଇ ସାରି 
ଫୋପାଡିଦେବି କବିତା,
ଏଇ କବିତା, ବାତିଲ୍ ର ଡଷ୍ଟବିନ୍ କୁ,
ହାଲଫେସନ୍ ର ସବୁଠୁ ସୁନ୍ଦର ଇତାଲୀୟ ସାର୍ଟ
ଦେହରେ ଗଳାଇ 
ବାହାରି ପଡିବି ଯେଉଁଠି ସ୍ପେନୀୟ ଭାଓଲିନମାନଙ୍କ ମେଳଣ
ଏବଂ ସିଧା ଚାଲିଯିବି କବରକୁ ।

ରାମଲ୍ଲା ସ୍ଥିତ ଦାର୍ୱିଶ୍ ଙ୍କର ସ୍ମୃତି ସ୍ତମ୍ଭ (୨୦୧୨)

ବନ୍ଧନୀ ଭିତରର କଥା

(ପାଲେଷ୍ଟାଇନ୍ ର କବି ମାହମୁଦ୍ ଦାର୍ୱିଶ୍ (୧୯୪୨-୨୦୦୮) ଆରବ ଜଗତର ସବୁଠାରୁ ପରିଚିତ କବି ।

ଦାର୍ୱିଶ୍ ନିର୍ବାସନକୁ ଜାଣିଛନ୍ତି ନିଜର ବ୍ୟକ୍ତିଗତ ଓ ସାହିତ୍ୟିକ ଜୀବନର ସତ୍ୟ ହିସାବରେ । ତାହା ଛଡା ନିଜର ଜନ୍ମଭୂମି ଓ ତାହାର ଅଧିବାସୀଙ୍କ ପାଇଁ ଅନିଃଶେଷ କ୍ରନ୍ଦନ ଏଇ କବିର କବିତାର ଅନ୍ୟତମ ପ୍ରଧାନ ଲକ୍ଷଣ ।

ମାହମୁଦ ଦାର୍ୱିଶ୍ ଆମ ଭାଷାରେ ସେତେ ଅପରିଚିତ ନୁହଁନ୍ତି । ତାଙ୍କର କିଛି କବିତା ଆମ ଭାଷାରେ ଅନୁବାଦ ହୋଇଛି ।

ଦାର୍ୱିଶ୍ ଙ୍କର ଏଇ ଅନୁବାଦରେ ମୁଁ ଯଦି ସେଇ କବିଙ୍କ କବିତାକୁ କିଛି ଅସମ୍ମାନ କରିଥାଏ ତେବେ ଦୁଃଖିତ ।

ଏବେ କବିତାଟି ଆପଣଙ୍କର ବିଚାର ପାଇଁ ।)

No comments:

Post a Comment