Friday, March 13, 2020

ଗଙ୍ଗାଧର ବଳଙ୍କ ହାଇସ୍କୁଲ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝରର ଗୁଣ୍ଡିଚାଘାଗି ଜଳପ୍ରପାତ (ୱିକିମିଡିଆ କମନ୍ସ୍)

ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ  

ସ୍କୁଲଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା । ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍‌ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥାଆନ୍ତି । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ ।

ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ   ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋଟି ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ ଥାଏ ହାତଗଣତି କେତୋଟି ନିମ୍ନ-ପ୍ରାଥମିକ ଓ ଉଚ୍ଚ-ପ୍ରାଥମିକ ସ୍କୁଲଟିମାନ ।  

ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ । କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତିବର୍ଷ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହେଉଥିଲା ।

ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ମଧ୍ୟ ତାଙ୍କ ପାଇଁ ବ୍ୟବସ୍ଥା ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା । ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।

ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା । ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ । ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି ଗରୀବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ ।

ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ । ତାହାର କିଛି ବର୍ଷ ପୂର୍ବରୁ ଆଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି କଠିନ ପରିଶ୍ରମ କରିବାକୁ ଲାଗିଲେ । 

ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇ ସାରି ଥାଆନ୍ତି । ଯଦିଓ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ  ଇଂରାଜୀ ଭାଷାରେ ଲିଖିତ ହଲ୍ ଆଣ୍ଡ୍ ନାଇଟ୍‌ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା ଡଡଲି ଷ୍ଟାମ୍ପ୍‌ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ । 

୧୯୪୫ ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ । 

ବି.ଦ୍ର.- ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ ଆତ୍ମଲିପିରୁ ସଙ୍ଗୃହିତ  ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ  

Wednesday, March 11, 2020

ଗାନ୍ଧୀଜୀଙ୍କର ଆଶ୍ରମ ଭଜନାବଳୀ - 'ଯେଉଁଠାରେ ଖାଲି ଲୁହ ପ୍ରଭୁ ହେ'


କବି - ଅଜ୍ଞାତ


ଦଙ୍ଗୀପୀଡ଼ିତ ନୂଆଖାଲିରେ ୧୯୪୬ ମସିହାରେ ଉତ୍ତୋଳିତ ଗାନ୍ଧୀଜୀଙ୍କ ଚିତ୍ର
ଫଟୋ କ୍ରେଡ଼ିଟ -ୱିକିମିଡିଆ କମନ୍ସ୍

ଯେଉଁଠାରେ ଖାଲି ଲୁହ ପ୍ରଭୁ ହେ !
ସେହିଠାରେ ମୋତେ ନିଅ ।
ଆଜୀବନ ଯିଏ କାନ୍ଦୁଛି ଖାଲି
ପୋଛିବି ତା ଆଖି ଲୁହ, ପ୍ରଭୁ ହେ ।

ଜୀବନକୁ ଯିଏ ମଣିଅଛି ଭାର
ଚିରଦିନ ମୁଦା ହରସ ଦୁଆର
ଜୀବନ ମରଣ ଭେଦ ନ ବୁଝିଣ
ବଞ୍ଚିବା ତା ଦୁର୍ବିସହ, ପ୍ରଭୁ ହେ ।୧।

ସେହିଆଡ଼େ ମୋତେ ନିଅ ଭଗବାନ
ସେହିଆଡ଼େ ମୋତେ ନିଅ
ପୋଛିବି ମୁଁ ତା'ର ସଜଳ ଆଖିର ଲୁହ ।
କହିବି ତାହାରେ ଡାକି
ଶୁଣ ହେ ଦୁଃଖର ସାଥୀ
ଆମ ଭଗବାନ ଦେଇଛି ଯେ ଦାନ
ମୋଠାରୁ ତା କାଢ଼ି ନିଅ ସାଥି ହେ
ମୋତେ ତୁମ ଲୁହ ଦିଅ ।୨।

Monday, March 09, 2020

ଗଙ୍ଗାଧର ବଳଙ୍କ ମାଧ୍ୟମିକ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝର ଗଡ଼ଜାତର ପତାକା (ୱିକିମିଡିଆ କମନ୍ସ୍)

ପ୍ରଥମେ ପ୍ରଥମେ ପାଠପଢ଼ାରେ ଅମନଯୋଗୀ ଥିଲେ ହେଁ ନାନାଦି କାରଣରୁ ତୃତୀୟ ଶ୍ରେଣୀ ପାଠ ସାରିଲା ବେଳକୁ ଗଙ୍ଗାଧର ବଳ ଜଣେ ଭଲ ଛାତ୍ରରେ ପରିଣତ ହୋଇ ସାରିଥିଲେ । ତୃତୀୟ ଶ୍ରେଣୀ ପର ବୃତ୍ତି ପରୀକ୍ଷାରେ ଭଲ ଫଳ କରିବାରୁ ସେ ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟକୁ ପଢ଼ିବାକୁ ଗଲେ । ଏହା ୧୯୩୦ ଦଶକର ମଧ୍ୟ ଭାଗର କଥା । ସେବେ ଆନନ୍ଦପୁର ଏମ୍‌.. ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି ଯାଜପୁରର ଦୟାନିଧି ପଣ୍ଡା । ଉତ୍ତମ ପଢ଼ାପଢ଼ି, ପିଲାମାନଙ୍କର ଚରିତ୍ର ନିର୍ମାଣ ଓ ବିଦ୍ୟାଳୟରେ ଶୃଙ୍ଖଳା ପ୍ରତି ତାଙ୍କର ନିରନ୍ତର ନିଘା ଥାଏ । ପାଠ ବାହାରେ ପଢ଼ାପଢି କରିବାରେ ପିଲାମାନଙ୍କର ଆଗ୍ରହ ତିଆରିବା ପାଇଁ ସେ ଇସ୍କୁଲୁରେ ଆରମ୍ଭ କରିଥାଆନ୍ତି ଗୋଟିଏ ପାଠାଗାର । 

ସେ ରବିବାର ଦିନ ସନ୍ଧ୍ୟାରେ ନିଜ ସହ ପିଲାମାନଙ୍କୁ ବସାଇ ଓଡ଼ିଶାର ପୁରାତନ କାବ୍ୟସମ୍ଭାରରୁ କିଛିକିଛି ସେମାନଙ୍କ ସହ ଆଲୋଚନା କରୁଥିଲେ । ସୁବିଧା ଦେଖି ବାହାରୁ ଜ୍ଞାନୀ ଲୋକମାନଙ୍କୁ ଡାକି ଆଣୁଥିଲେ ଛାତ୍ରମାନଙ୍କ ସହ କଥୋପକଥନ ପାଇଁ । ସ୍କୁଲରେ ବିଶ୍ୱମ୍ଭର ଦାଶ, ଦାଶରଥି ଦାଶ, କୃପାସିନ୍ଧୁ ସାମନ୍ତରାୟ, ଲୋକନାଥ ମିଶ୍ର ଓ ବାଳକୃଷ୍ଣ ମିଶ୍ର ଆଦି ଶିକ୍ଷକମାନେ ସେହି ସମୟରେ ସ୍କୁଲଟିରେ ଶିକ୍ଷାଦାନ କରୁଥିଲେ । ଅର୍ଥାତ୍, ଗଡ଼ଜାତ ଅଞ୍ଚଳରେ ମଧ୍ୟ ସ୍କୁଲ ସ୍ତରରେ ଶିକ୍ଷକତା ୧୯୩୦ ଦଶକ ପର୍ଯ୍ୟନ୍ତ ଦୁଇ ତିନୋଟି ତଥାକଥିତ ଉଚ୍ଚ ଜାତିର ପୁରୁଷମାନଙ୍କର ହିଁ ହସ୍ତମୁଦିମାହାଲ ଥିଲା । 

ପରୀକ୍ଷାରେ ଭଲ ମାର୍କ ରଖି ଗଙ୍ଗାଧର ଆନନ୍ଦପୁର ସ୍କୁଲରେ ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଲାଗିଲେ । କ୍ରମେ ତାଙ୍କୁ ଶ୍ରେଣୀରେ ମନିଟରର ଦାୟିତ୍ତ୍ୱ ମିଳିବାକୁ ଲାଗିଲା । ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ନୀତିଶିକ୍ଷା ଗୋଟିଏ ପାଠ୍ୟ ବିଷୟ ଭାବରେ ସେବେ ଥିଲା । ସେଥିରେ ମହାପୁରୁଷମାନଙ୍କର ଜୀବନୀ ପିଲାମାନେ ପାଠ କରୁଥିଲେ । ଛାତ୍ରାବାସରେ ଦୁଇ ଓଳି ଯାକ ପ୍ରାର୍ଥନାର ବ୍ୟବସ୍ଥା ଥିଲା । ପିଲାଏ ମଧୁସୂଦନ ରାଓଙ୍କର ପ୍ରସିଦ୍ଧ ବ୍ରାହ୍ମସଙ୍ଗୀତ ‘ଅଖିଳ ବ୍ରହ୍ମାଣ୍ଡ ପତି’ ଗାୟନ କରୁଥିଲେ । 

ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ମଧୁସୂଦନଙ୍କର ‘ସାହିତ୍ୟ କୁସୁମ’ ଓ ‘ସାହିତ୍ୟ ପ୍ରସଙ୍ଗ’ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା । ଷଷ୍ଠ ଶ୍ରେଣୀ ବେଳକୁ କୁଳମଣି ଦାଶଙ୍କ ଲିଖିତ ‘ସାହିତ୍ୟସୁଧା’ ଗଙ୍ଗାଧରବାବୁଙ୍କର ଶ୍ରେଣୀରେ ପାଠ୍ୟ ହେଲା । ଏହି ବିଦ୍ୟାଳୟଟିରେ ସେବେ ଡିବେଟିଂ ସୋସାଇଟିଏ ବି ଥିଲା । ତାହା ସହ ବେଳେବେଳେ ସଙ୍ଗୀତ ପ୍ରତିଯୋଗିତା ପିଲାମାନଙ୍କ ଭିତରେ ଅନୁଷ୍ଠିତ ହେଉଥିଲା । ପିଲାଏ ଏ ସବୁଥିରେ ଛାନ୍ଦଚମ୍ପୂ ଆଦି ପାରମ୍ପରିକ ଓଡ଼ିଶୀ ପ୍ରବନ୍ଧ ଓ ପାଠବହିର ଗୀତ ଗାଉଥିଲେ । ସ୍କୁଲର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ପଡ଼ିଆଟିରେ ଫୁଟବଲ, ଭଲିବଲ, ଟେନିସ ଆଦି ଖେଳାଯିବାର ସୁବିଧା ସ୍କୁଲ ତରଫରୁ କରାଯାଇଥିଲା । 

ପିଲାମାନେ ନଈକୂଳ ପଠାରେ ବିଦ୍ୟାଳୟ ତରଫରୁ ବଗିଚାଟିଏ ତିଆରି କରି ପନିପରିବା ଚାଷ କରୁଥିଲେ । ଏଥିରୁ ତ କିଛି ବାହାରୁଥିଲା । ଅଧିକ ଆବଶ୍ୟକୀୟ ପରିବା ଓ ବଜାରସଉଦା ପୂଝାରୀ ଓ ଛାତ୍ରାବାସର ଟହଲିଆଙ୍କୁ ନେଇ ମେସ ମ୍ୟାନେଜର କିଣି ଆଣୁଥିଲେ । ଛାତ୍ରାବାସରେ ପ୍ରତି ମାସରେ ଜଣେ ମେସ ମ୍ୟାନେଜର ଭାବରେ ନିର୍ବାଚିତ ହେଉଥିଲେ । ସେ ପିଲାଙ୍କଠାରୁ ଆଦାୟ ହୋଇଥିବା ଚାଉଳ, ବଗିଚାରୁ ଆଦାୟ ପରିବା ତଥା କିଣାଯାଇଥିବା ପନିପରିବା ଓ ସଉଦା ଭଣ୍ଡାରଘରେ ଯତ୍ନର ସହ ରଖୁଥିଲେ । ତାହା ସହ ସବୁ ପିଲାଙ୍କର ଚାଉଳ ହିସାବ, ଟଙ୍କା ଓ ବଜାରର ହିସାବ ବି ରଖୁଥିଲେ । ଛାତ୍ରାବାସରେ ସପ୍ତାହକୁ ଥରେ ଆମିଷ ରନ୍ଧା ଯାଉଥିଲା । 

ସେବେ ମଧ୍ୟଇଂରାଜୀ ପାଠ ସମୟରେ ପିଲାଏ ଯୋତା ବା ଚପଲ ଜାଣୁ ନ ଥିଲେ । ଲୁଗା ଓ ହାଫ୍ ସାର୍ଟ୍ ଥିଲା ଛାତ୍ରମାନଙ୍କର ସାଧାରଣ ପୋଷାକ । ସ୍କାଉଟରେ ଥିବା ପିଲାଏ ଯାହା ଆବଶ୍ୟକ ବେଳେ ପ୍ୟାଣ୍ଟ ପିନ୍ଧୁଥିଲେ । କାଠି କଲମରେ ପିତ୍ତଳ ବା ସୀସାର ନିବ୍ ଲଗାଇ ବ୍ୟବହାର କରାଯାଉଥିଲା । ଜେ.ବି.ଡ଼ି. କାଳି ଟାବଲେଟକୁ ଗୁଣ୍ଡ କରି, ଦୁଆତରେ ପାଣି ସହ ମିଶାଇ କାଳି ତିଆରି କରିବାକୁ ହେଉଥିଲା । ପରୀକ୍ଷା ଦିନ କାଳି ତିଆରିବାର ଦାୟିତ୍ତ୍ୱ ଥିଲା ସ୍କୁଲର ଦପ୍ତରି ଶଙ୍କରଙ୍କର । ସେ ହାଣ୍ଡିଏ କାଳି ତିଆରି କରିବେ । ପିଲାଏ ନିଜନିଜ ଦୁଆତରେ ସେହି କାଳିକୁ ଆଣି ପରୀକ୍ଷା ଖାତାରେ ଉତ୍ତର ଲେଖିବେ । ଏହି ପରି ପାଠ ପଢ଼ୁ ପଢ଼ୁ ସପ୍ତମ ଶ୍ରେଣୀ ଶେଷ ହୋଇଗଲା । ୧୯୪୨ ମସିହାର ଆରମ୍ଭରେ ଗଙ୍ଗାଧର ଯାତ୍ରା କଲେ କେନ୍ଦୁଝରର ଗିବସନ୍ ହାଇସ୍କୁଲରେ ମାଟ୍ରିକ ପାଠପଢ଼ା ଆରମ୍ଭ କରିବା ପାଇଁ ।  

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀଶିକ୍ଷାବିତ୍ ଆତ୍ମଲିପିରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ  

Friday, March 06, 2020

ଓଡ଼ିଆ ଭଜନ - 'ଏହି କଥାରେ ମୋ ମନ'

କବି - ବନମାଳି ଦାସ

ଗାୟକ - ରାଧାମଣି ମହାପାତ୍ର


୧୮୮୦ରୁ ୧୯୧୦ ମସିହାରେ ପୁରୀରେ ଅଙ୍କିତ ପଟଚିତ୍ର (ୱିକିମିଡିଆ କମନ୍ସ୍)

ମହାପ୍ରଭୁ ଏହି କଥାରେ ମୋ ମନ
ନିତି ଦେଖୁଥିବି ନୀଳାଦ୍ରିମଣ୍ଡପେ କଞ୍ଜସୁନ୍ଦର ବଦନ । ଘୋଷା ।

ଅଞ୍ଜଳିରେ ଜଳ ପିଇ ପିନ୍ଧୁଥିବି ବକଳ କରି ବସନ
ଶଚୀପତି ପଦ ତୁଚ୍ଛ ମଣୁଥିବି ଥିଲେ ତୁମ୍ଭ ସନ୍ନିଧାନ । ୧ ।

ଲୋଭୀ ହୋଇଥିବି ଅର୍ଦ୍ଧଚନ୍ଦ୍ରମୁଖ ଚନ୍ଦନଲାଗି ବେଳକୁ
ଧୀରେ ଚାହୁଁଥିବି ବିପୁଳ ଭୁଜକୁ ସୁଭଦ୍ରା କାମପାଳକୁ । ୨ ।

ଅବକାଶମାନଙ୍କରେ ମୋ ଲାଳସ ହୋଇଥିବ ଅହର୍ନିଶ
ତେତେବେଳେ ଡୋଳେ ହେଳେ ନ ଦେଖିବି ବ୍ରହ୍ମା ରୁଦ୍ର ଦିନଈଶ । ୩ ।

ନିତି ବଦନଚନ୍ଦ୍ରକୁ ଚାହିଁ ମୁହିଁ ତାପତ୍ରୟକୁ ନାଶିବି
ବୋଲେ ବନମାଳୀ ଜନ୍ତୁପତି ଭୟ ଲୋକକୁ ଚାହିଁ ହସିବି । ୪ ।