Monday, March 09, 2020

ଗଙ୍ଗାଧର ବଳଙ୍କ ମାଧ୍ୟମିକ ଶିକ୍ଷା

ଶୈଲେନ ରାଉତରାୟ 


କେନ୍ଦୁଝର ଗଡ଼ଜାତର ପତାକା (ୱିକିମିଡିଆ କମନ୍ସ୍)

ପ୍ରଥମେ ପ୍ରଥମେ ପାଠପଢ଼ାରେ ଅମନଯୋଗୀ ଥିଲେ ହେଁ ନାନାଦି କାରଣରୁ ତୃତୀୟ ଶ୍ରେଣୀ ପାଠ ସାରିଲା ବେଳକୁ ଗଙ୍ଗାଧର ବଳ ଜଣେ ଭଲ ଛାତ୍ରରେ ପରିଣତ ହୋଇ ସାରିଥିଲେ । ତୃତୀୟ ଶ୍ରେଣୀ ପର ବୃତ୍ତି ପରୀକ୍ଷାରେ ଭଲ ଫଳ କରିବାରୁ ସେ ଆନନ୍ଦପୁର ମଧ୍ୟଇଂରାଜୀ ବିଦ୍ୟାଳୟକୁ ପଢ଼ିବାକୁ ଗଲେ । ଏହା ୧୯୩୦ ଦଶକର ମଧ୍ୟ ଭାଗର କଥା । ସେବେ ଆନନ୍ଦପୁର ଏମ୍‌.. ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି ଯାଜପୁରର ଦୟାନିଧି ପଣ୍ଡା । ଉତ୍ତମ ପଢ଼ାପଢ଼ି, ପିଲାମାନଙ୍କର ଚରିତ୍ର ନିର୍ମାଣ ଓ ବିଦ୍ୟାଳୟରେ ଶୃଙ୍ଖଳା ପ୍ରତି ତାଙ୍କର ନିରନ୍ତର ନିଘା ଥାଏ । ପାଠ ବାହାରେ ପଢ଼ାପଢି କରିବାରେ ପିଲାମାନଙ୍କର ଆଗ୍ରହ ତିଆରିବା ପାଇଁ ସେ ଇସ୍କୁଲୁରେ ଆରମ୍ଭ କରିଥାଆନ୍ତି ଗୋଟିଏ ପାଠାଗାର । 

ସେ ରବିବାର ଦିନ ସନ୍ଧ୍ୟାରେ ନିଜ ସହ ପିଲାମାନଙ୍କୁ ବସାଇ ଓଡ଼ିଶାର ପୁରାତନ କାବ୍ୟସମ୍ଭାରରୁ କିଛିକିଛି ସେମାନଙ୍କ ସହ ଆଲୋଚନା କରୁଥିଲେ । ସୁବିଧା ଦେଖି ବାହାରୁ ଜ୍ଞାନୀ ଲୋକମାନଙ୍କୁ ଡାକି ଆଣୁଥିଲେ ଛାତ୍ରମାନଙ୍କ ସହ କଥୋପକଥନ ପାଇଁ । ସ୍କୁଲରେ ବିଶ୍ୱମ୍ଭର ଦାଶ, ଦାଶରଥି ଦାଶ, କୃପାସିନ୍ଧୁ ସାମନ୍ତରାୟ, ଲୋକନାଥ ମିଶ୍ର ଓ ବାଳକୃଷ୍ଣ ମିଶ୍ର ଆଦି ଶିକ୍ଷକମାନେ ସେହି ସମୟରେ ସ୍କୁଲଟିରେ ଶିକ୍ଷାଦାନ କରୁଥିଲେ । ଅର୍ଥାତ୍, ଗଡ଼ଜାତ ଅଞ୍ଚଳରେ ମଧ୍ୟ ସ୍କୁଲ ସ୍ତରରେ ଶିକ୍ଷକତା ୧୯୩୦ ଦଶକ ପର୍ଯ୍ୟନ୍ତ ଦୁଇ ତିନୋଟି ତଥାକଥିତ ଉଚ୍ଚ ଜାତିର ପୁରୁଷମାନଙ୍କର ହିଁ ହସ୍ତମୁଦିମାହାଲ ଥିଲା । 

ପରୀକ୍ଷାରେ ଭଲ ମାର୍କ ରଖି ଗଙ୍ଗାଧର ଆନନ୍ଦପୁର ସ୍କୁଲରେ ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଲାଗିଲେ । କ୍ରମେ ତାଙ୍କୁ ଶ୍ରେଣୀରେ ମନିଟରର ଦାୟିତ୍ତ୍ୱ ମିଳିବାକୁ ଲାଗିଲା । ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ନୀତିଶିକ୍ଷା ଗୋଟିଏ ପାଠ୍ୟ ବିଷୟ ଭାବରେ ସେବେ ଥିଲା । ସେଥିରେ ମହାପୁରୁଷମାନଙ୍କର ଜୀବନୀ ପିଲାମାନେ ପାଠ କରୁଥିଲେ । ଛାତ୍ରାବାସରେ ଦୁଇ ଓଳି ଯାକ ପ୍ରାର୍ଥନାର ବ୍ୟବସ୍ଥା ଥିଲା । ପିଲାଏ ମଧୁସୂଦନ ରାଓଙ୍କର ପ୍ରସିଦ୍ଧ ବ୍ରାହ୍ମସଙ୍ଗୀତ ‘ଅଖିଳ ବ୍ରହ୍ମାଣ୍ଡ ପତି’ ଗାୟନ କରୁଥିଲେ । 

ଚତୁର୍ଥରୁ ସପ୍ତମ ପର୍ଯ୍ୟନ୍ତ ମଧୁସୂଦନଙ୍କର ‘ସାହିତ୍ୟ କୁସୁମ’ ଓ ‘ସାହିତ୍ୟ ପ୍ରସଙ୍ଗ’ ପାଠ୍ୟପୁସ୍ତକ ଭାବରେ ପ୍ରଚଳିତ ଥିଲା । ଷଷ୍ଠ ଶ୍ରେଣୀ ବେଳକୁ କୁଳମଣି ଦାଶଙ୍କ ଲିଖିତ ‘ସାହିତ୍ୟସୁଧା’ ଗଙ୍ଗାଧରବାବୁଙ୍କର ଶ୍ରେଣୀରେ ପାଠ୍ୟ ହେଲା । ଏହି ବିଦ୍ୟାଳୟଟିରେ ସେବେ ଡିବେଟିଂ ସୋସାଇଟିଏ ବି ଥିଲା । ତାହା ସହ ବେଳେବେଳେ ସଙ୍ଗୀତ ପ୍ରତିଯୋଗିତା ପିଲାମାନଙ୍କ ଭିତରେ ଅନୁଷ୍ଠିତ ହେଉଥିଲା । ପିଲାଏ ଏ ସବୁଥିରେ ଛାନ୍ଦଚମ୍ପୂ ଆଦି ପାରମ୍ପରିକ ଓଡ଼ିଶୀ ପ୍ରବନ୍ଧ ଓ ପାଠବହିର ଗୀତ ଗାଉଥିଲେ । ସ୍କୁଲର ଦକ୍ଷିଣ ପାର୍ଶ୍ୱରେ ଅବସ୍ଥିତ ପଡ଼ିଆଟିରେ ଫୁଟବଲ, ଭଲିବଲ, ଟେନିସ ଆଦି ଖେଳାଯିବାର ସୁବିଧା ସ୍କୁଲ ତରଫରୁ କରାଯାଇଥିଲା । 

ପିଲାମାନେ ନଈକୂଳ ପଠାରେ ବିଦ୍ୟାଳୟ ତରଫରୁ ବଗିଚାଟିଏ ତିଆରି କରି ପନିପରିବା ଚାଷ କରୁଥିଲେ । ଏଥିରୁ ତ କିଛି ବାହାରୁଥିଲା । ଅଧିକ ଆବଶ୍ୟକୀୟ ପରିବା ଓ ବଜାରସଉଦା ପୂଝାରୀ ଓ ଛାତ୍ରାବାସର ଟହଲିଆଙ୍କୁ ନେଇ ମେସ ମ୍ୟାନେଜର କିଣି ଆଣୁଥିଲେ । ଛାତ୍ରାବାସରେ ପ୍ରତି ମାସରେ ଜଣେ ମେସ ମ୍ୟାନେଜର ଭାବରେ ନିର୍ବାଚିତ ହେଉଥିଲେ । ସେ ପିଲାଙ୍କଠାରୁ ଆଦାୟ ହୋଇଥିବା ଚାଉଳ, ବଗିଚାରୁ ଆଦାୟ ପରିବା ତଥା କିଣାଯାଇଥିବା ପନିପରିବା ଓ ସଉଦା ଭଣ୍ଡାରଘରେ ଯତ୍ନର ସହ ରଖୁଥିଲେ । ତାହା ସହ ସବୁ ପିଲାଙ୍କର ଚାଉଳ ହିସାବ, ଟଙ୍କା ଓ ବଜାରର ହିସାବ ବି ରଖୁଥିଲେ । ଛାତ୍ରାବାସରେ ସପ୍ତାହକୁ ଥରେ ଆମିଷ ରନ୍ଧା ଯାଉଥିଲା । 

ସେବେ ମଧ୍ୟଇଂରାଜୀ ପାଠ ସମୟରେ ପିଲାଏ ଯୋତା ବା ଚପଲ ଜାଣୁ ନ ଥିଲେ । ଲୁଗା ଓ ହାଫ୍ ସାର୍ଟ୍ ଥିଲା ଛାତ୍ରମାନଙ୍କର ସାଧାରଣ ପୋଷାକ । ସ୍କାଉଟରେ ଥିବା ପିଲାଏ ଯାହା ଆବଶ୍ୟକ ବେଳେ ପ୍ୟାଣ୍ଟ ପିନ୍ଧୁଥିଲେ । କାଠି କଲମରେ ପିତ୍ତଳ ବା ସୀସାର ନିବ୍ ଲଗାଇ ବ୍ୟବହାର କରାଯାଉଥିଲା । ଜେ.ବି.ଡ଼ି. କାଳି ଟାବଲେଟକୁ ଗୁଣ୍ଡ କରି, ଦୁଆତରେ ପାଣି ସହ ମିଶାଇ କାଳି ତିଆରି କରିବାକୁ ହେଉଥିଲା । ପରୀକ୍ଷା ଦିନ କାଳି ତିଆରିବାର ଦାୟିତ୍ତ୍ୱ ଥିଲା ସ୍କୁଲର ଦପ୍ତରି ଶଙ୍କରଙ୍କର । ସେ ହାଣ୍ଡିଏ କାଳି ତିଆରି କରିବେ । ପିଲାଏ ନିଜନିଜ ଦୁଆତରେ ସେହି କାଳିକୁ ଆଣି ପରୀକ୍ଷା ଖାତାରେ ଉତ୍ତର ଲେଖିବେ । ଏହି ପରି ପାଠ ପଢ଼ୁ ପଢ଼ୁ ସପ୍ତମ ଶ୍ରେଣୀ ଶେଷ ହୋଇଗଲା । ୧୯୪୨ ମସିହାର ଆରମ୍ଭରେ ଗଙ୍ଗାଧର ଯାତ୍ରା କଲେ କେନ୍ଦୁଝରର ଗିବସନ୍ ହାଇସ୍କୁଲରେ ମାଟ୍ରିକ ପାଠପଢ଼ା ଆରମ୍ଭ କରିବା ପାଇଁ ।  

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀଶିକ୍ଷାବିତ୍ ଆତ୍ମଲିପିରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ  

No comments:

Post a Comment