Thursday, September 19, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୩ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ



ଚେସ୍ ଖେଳର ଭାରତୀୟ ଆଦିରୂପ 'ଚତୁରଙ୍ଗ' (ୱିକିମିଡିଆ କମନ୍ସ୍)

ଚାଲେ ଆମ ଚେସ୍ ଖଳ ସବୁ ଦିନ କରୁଣା ପିଣ୍ଡାରେ
ଭବବଳ ଥିଲା ବାଜି, ଜିତି ଗଲି ଗୁରୁଙ୍କ କୃପାରେ ।

ଦୁଇମୁଖୀ ଚାଲ୍ ଦେଲି, ହୋଇଗଲା ରାଜା କିସ୍ତି ମାତ,
କପାଳରେ ଲେଖା ଅଛି ଏଇ ଏବେ ଜୀନପୁର ସତ ।

ଗଜବର ପ୍ରଥମରେ ଆକ୍ରମିଲା ସୈନୀକ ସମୂହ,
ରଣକ୍ଷେତ୍ରୁ ନିମିଷକେ ପାଞ୍ଚ ଜଣ ହୋଇଗଲେ ଦାହ ।

ରାଜନକୁ ଅବଶେଷେ ମନ୍ତ୍ରୀ ଦ୍ୱାରା କରି ଦେଲି ଗ୍ରାସ,
ଭବବଳ ଜିତି ଗଲି ନାହିଁ ମୋର ଆଉ କିଛି ଆଶ ।

ଗୁରୁ ଦିଏ ଜ୍ଞାନ ଆଗ କାହ୍ନୁପାଦ ଦାନ ଯେ ଚଳାଇ,
ଚଉଷଠି ବଖରା ଏଠି ସାବଧାନେ ଗଣିବ ଗୋସାଇଁ ।

Tuesday, September 10, 2019

ବାଣପୁରରେ ପିଲାଦିନ ପାଠପଢ଼ା


ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


ଅଠର ବର୍ଷ ବୟସରେ ଗୋଦାବରୀଶ ମିଶ୍ର ନିଜର ଜାତକକୁ ଚିରି ଫୋପାଡ଼ି ଦେଇ ଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନ ଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ । ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନ ଥିଲା, ସେହିପରି ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ । ୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନ ଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ ।

ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନ ଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନ ଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା । ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।

ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣେ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ । ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିରଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।

ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନ ଥିଲେ । ଏଣୁ ଶିକ୍ଷକଙ୍କ ଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇ ପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ । ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି ।

ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା । ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ ।

ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନ ଥିଲା । ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି ; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଚ ଚିଲିକା ମାଛ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପାଯାଇଥିଲା । ଏଥି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ର କଟକସ୍ଥ ପ୍ରକାଶକ ଗ୍ରନ୍ଥମନ୍ଦିର ୨୦୧୪ ମସିହାରେ ଛାପିଥିବା ପୁନଃମୁଦ୍ରଣରୁ (୨୦୦୧ ସାଲରେ ପ୍ରକାଶିତ ପରିମାର୍ଜିତ ଦଶମ ସଂସ୍କରଣର ପ୍ରତି) ସଙ୍ଗୃହିତ ।