Thursday, August 31, 2017

ଓଡ଼ିଆ ସିନେମା ଗୀତ - 'ମଧୁର ଏ ଚାନ୍ଦ ରାତି'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=8ewIbcCtWwU


ଚିତ୍ର - 'ଚନ୍ଦ୍ରାଲୋକରେ ବୁଲୋଁ ବନ୍ଦର' (୧୮୬୯)
ଫରାସୀ ଚିତ୍ରକର ଏଡୁଆଡ୍ ମାନେ (୧୮୩୨-୧୮୮୩)
(ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ସଙ୍ଗୀତ - ଶ୍ରୀକୁମାର
ଗୀତ - ସାରଦା ପ୍ରସନ୍ନ ନାୟକ
ଗାୟନ - ନିର୍ମଳା ମିଶ୍ର

ମଧୁର ଏ ଚାନ୍ଦ ରାତି ହସେ ତାରା ଗଗନେ
ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା

ବେଣୁତାନେ ମାରି ଛୁରି ମାରି ଆଡ଼ ନୟନ
ଲୁଚି ଖେଳ ଲୁଚକାଳି ଜାଳିଦେଲ ପରାଣ
ଅଭିମାନୀ ମାନିନୀ ମୁଁ ପୀରତିରେ ମଗନ
ଯାଅନା କାହ୍ନୁ ଯାଅନା

ଅଙ୍ଗେ ଅଙ୍ଗେ ଉଜାଗର ଯଉବନ ଜୁଆର
ନିଅ ତୋଳି ନିଅ ପାଶେ ଆତୁରେ ମୁଁ କାତର
ବିତିଯାଏ ଚାନ୍ଦରାତି କୋଳେ ତୋଳି ନିଅନା
ଯାଅନା କାହ୍ନୁ ଯାଅନା
ଯାଅନା କାହ୍ନୁ ଯାଅନା

ଉଛୁଳେ ଯମୁନା ଛାତି ମିଳନର ଲଗନେ
ଯାଅନା କାହ୍ନୁ ଯାଅନା
ନା ନା
ଯାଅନା କାହ୍ନୁ ଯାଅନା

ରାତି : ରତି ଓ ଗୋଟିଏ ଅନୁଭବ


ବ୍ରଜନାଥ ରଥ


କବି ବ୍ରଜନାଥ ରଥ  (୧୯୩୬-୨୦୧୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସେ ପାଖେ କୋଠରୀଟିଏ ଏ ପାଖେ କୋଠରୀ
ମଝିରେ ପାଚେରୀଟିଏ ନୀରବ ପ୍ରହରୀ ।

ସେ ପାଖରେ ସିଏ ଦୁଇ ଏ ପାଖରେ ମୁଁ 
ରାତିର ଦରିଆ ଗର୍ଜେ ଘୋ-ଘୋ-ଘୋ ।

ଅନ୍ଧାରର ଲହରୀରେ ଦେହଯାଏ ଲୋଟି
କାମନାର ଫୁଲ କିଆଁ ମନେ ଉଠେ ଫୁଟି ??

ସେ ପାଖରେ ରୁଣୁଝୁଣୁ ହସ ଖିଲିଖିଲି
ଏ ପାଖେ ମୋ ଦେହେ କିଆଁ ନିଆଁ ଦେଲା ଜାଳି ??

"ଛିଃ- ତମେ ବଡ଼ ଦୁଷ୍ଟ; ଥାଉ ଥାଉ ରୁହ"
ସେ ପାଖରୁ ଘନଘନ ନିଶ୍ୱାସର ସୁଅ-

ଏ ପାଖର କୋଠରୀରେ ଆସି ଯେବେ ଲାଗେ
ମୋ ଦେହର ସାପ କିଆଁ ଫଣା ତୋଳି ଜାଗେ ??

ଚୁପି ଚୁପି କଥା ପୁଣି ଚାପାଚାପା ହସ
ବେଳେ ବେଳେ ପଲଙ୍କର ଅପୂର୍ବ କୋରସ ।

ଏ ଘରର ନୀରବତା ଭଙ୍ଗକରେ କିଆଁ
ରକ୍ତରେ ଖେଳାଏ କିଆଁ ଲକ୍ଷେ ନାଗ ଛୁଆ ??

ସେ ପାଖରେ କୋଠରୀରେ ରାତି ଆଉ ରତି
ଏ ପାଖରେ ଏକା ମୁହିଁ ରାତିର ଅତିଥି ।

ସେ ଘରେ ବାନ୍ଧବୀ ମୋର ନବ ପରିଣୀତା
ଏ ଘରେ ମୁଁ ଚାରିଗୋଟି ସନ୍ତାନର ପିତା ।  

ଉତ୍ସ - ପୂଜା ସଙ୍ଖ୍ୟା ସାମ୍ନା : ୧(୧) ୨୯୨

Wednesday, August 30, 2017

ପାଲି ଧମ୍ମପଦ (୬୫) ର ଓଡ଼ିଆ  ପଦ୍ୟାନୁବାଦ


୬ ବାଳବଗ୍ଗୋ (ବାଳ ବର୍ଗ)



ସାଞ୍ଚିର ବୌଦ୍ଧ ସ୍ତୁପ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)

ମୁହୂର୍ତ୍ତ ମାତର ଯଦି କେହି ବିଜ୍ଞ ଜନ
ପଣ୍ଡିତ ଲୋକର ସେହୁ କରେ ଉପାସନ ।

ଜିହ୍ୱା ଯେପରି ଝୋଳର ରସକୁ ଚାଖଇ
ସେହିପରି ଧର୍ମକୁ ସେ ଶୀଘ୍ର ଜାଣିଥାଇ ।୫।

ମୁହୂତ୍ତମପି ଚେ ବିଞ୍ଞୂ ପଣ୍ଡିତଂ ପୟିରୁପାସତି ।
ଖିପ୍ପଂ ଧମ୍ମଂ ବିଜାନତି ଜିହ୍ୱା ସୂପରସଂ ୟଥା ।୬।

ମୁହୂର୍ତ୍ତମପି ଚେତ୍ ବିଜ୍ଞଃ ପଣ୍ଡିତଂ ପର୍ୟୁପାସତେ ।
କ୍ଷିପ୍ରଂ ଧର୍ମ୍ମଂ ବିଜାନାତି ଜିହ୍ୱା ସୂପରସଂ ୟଥା ।୬। 

କଖାରୁ ଡଙ୍କ ଭର୍ତ୍ତା


ସରୋଜିନୀ ଚୌଧୁରୀ



କଖାରୁ ଫୁଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରଣାଳୀ -  କଖାରୁର ଅଗଅଗ ନରମ ଡଙ୍କ ଆଣି ଛୋଟ ଛୋଟ ପତର ଥାଉଁଥାଉଁ ବେଶ୍ କରି ଚାହିଁ ବାଛିନେବ । ଆଁଶୁ ଆଁଶୁ ଖଣ୍ଡମାନ ଏକାଠି ଖଣ୍ଡେ ସୂତାରେ ବାନ୍ଧି ଭାତରେ ବା ଡାଲିରେ ପକାଅ । ସିଝିଗଲେ ବାହାର କରି ଲାଗିଥିବା ଡାଲି ଝାଡ଼ିଝୁଡ଼ି ଡଙ୍କଗୁଡ଼ିକ ସ୍ୱତନ୍ତ୍ର ରଖ ଏବଂ ତେଲ, ଲୁଣ ଓ ପିଆଜକୁ ସରୁ ସରୁ ଲମ୍ବ କାଟି ମିଶାଅ ।

ଗୁଣାଗୁଣ - କଖାରୁ ଡଙ୍କ ମଧୁର ରସ, ମଧୁର-ପାକ, ମଳମୂତ୍ର କାରକ, କଫ ପିତ୍ତ ନାଶକ ଏବଂ ବାୟୁବର୍ଦ୍ଧକ (ଦ୍ରବ୍ୟଗୁଣ) ।

ବି.ଦ୍ର. - କଖାରୁ ଡଙ୍କ ଭର୍ତ୍ତା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

ଓଡ଼ିଆ ଢ଼ମାଳି - ୫


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


୧୩ 

ପତୁରି ସୁନା ଦଣ୍ଡିକି
ଶିମିଳି ତୁଳା ମାଣ୍ଡିକି
ରାଣ୍ଡି ସାଙ୍ଗେ ଭାବ କଲେ
ନିତି ଯ।ଉଥିବ ଫାଣ୍ଡିକି ।

୧୪

ମଶା
ଗଣଗଣା କଲେ ବସା,
ପଦାମାଳ କଲେ ଜୁର
ଘଣ୍ଟିଘାଗୁଡ଼ି ଲଗେଇ ମଶା
ରହିଲେ ଗୋପାଳପୁର ।

୧୫

ସାନ ବଡ଼ ପାଦା ଗୋବିନ୍ଦା
ମକଦ୍ଦମା କରି ଶୁଙ୍ଘିଲା ଷଣ୍ଢା ।

Tuesday, August 29, 2017

ମହିମା ଭକ୍ତି କବିତା - 'ତତ୍ତ୍ୱ କଲେ ସତ୍ୟ ହେବ ଉଦୟେ ଗୋ'

ଭକ୍ତ କବି ଭୀମ ଭୋଇ


ବୌଦ୍ଧ ଭାବଚକ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତତ୍ତ୍ୱ କଲେ ସତ୍ୟ ହେବ ଉଦୟେ ଗୋ
ଏଥିରେ ନକର କିଛି ସଂଶୟ ଗୋ । ଘୋଷା ।

ହେତୁ ଚେତା ଦ୍ୱାରେ ଧର ବିଅର୍ଥେ ଭ୍ରମି ନ ମର
ଭଜ ନିଷ୍କାମରେ ଗୋ, ଶ୍ରୀଗୁରୁ ଆଜ୍ଞାରେ । 
ଚାହିଁ ଯେବେ ଦେବେ ଗୁରୁ ସୁଦୟା ହେବ ଛାମୁରୁ
ଏ ପିଣ୍ଡ ପରାଣ ହେବ ଅକ୍ଷୟେ ଗୋ ।୧।

ଆପଣା ଜିହ୍ୱାରେ ସତ୍ୟ ରଖି ପାରିଲେ ଭକତ
ଧ୍ୟାୟି ପାଦ ତଳେ ଗୋ, ପୂର୍ବ ତପ ଥିଲେ । 
କାମ କଳ୍ପଣା ନିବାର ଭବ ଭୟ କରି ଦୂର
ହାରି ଗୁହାରି ବୁଝିବେ ନିଶ୍ଚୟେ ଗୋ ।୨।

ଆତଙ୍କେ ଡାକିବ ଯେବେ କର୍ଣ୍ଣେ ଶୁଣିଲେ ଆସିବେ
ଜାଣିବେ ଅନ୍ତରେ ଗୋ, ଭକତ ହିତରେ ।
ଅନାଦି ସେ ଭାବଗ୍ରାହୀ ଭକ୍ତ ହିତେ ବଶ ହୋଇ
ଚିତ୍ତକୁ ଜାଣି କରିବେ ବିଜୟେ ଗୋ ।୩।

ବ୍ରହ୍ମପାଶେ ନାମ ଅଛି ଘୋଡାଇ କରି ରଖିଛି
ଚର୍ମ ନୟନକୁ ଗୋ, ନ ଦିଶେ କାହାକୁ । 
ଜ୍ଞାନ ନୟନେ ଦିଶଇ ଦୂରେ ନାହିଁ ପାଶେ ଥାଇ
ଚିହ୍ନି ପାରିଲେ କରନ୍ତି ସୁଦୟେ ଗୋ ।୪।

ଗୁରୁ ପାଦେ ସେବା କର ନାମ ବ୍ରହ୍ନରେ ବିହର
ଅଛି ଯେବେ ଭାଗ୍ୟ ଗୋ, ଦିଆଯିବ ଭାଗ । 
କୋଟି ଜନ୍ମ ପାପ ଯିବ ହେତୁ ଚେତା ନ ବୁଡିବ
ଚିହ୍ନି ପାରିବ ଯେମନ୍ତେ ସ୍ୱଦେହେ ଗୋ ।୫।

ଯାର ରୂପ ରେଖ ନାହିଁ ନର ଦେହ ଛନ୍ତି ବହି
କହୁଛନ୍ତି କଥା ଗୋ, ବ୍ରହ୍ମାଣ୍ତ କରତା । 
ଭଣେ ଭୀମହୀନ ଭୋଇ ସଦା ଅପରାଧୀ ହୋଇ
କର ଯୋଡି ଶ୍ରୀ ଛାମୁରେ ବିନୟେ ଗୋ ।୬।

ସାନ୍ତାଳୀ ଲୋକ କବିତା - 'ରାଣ ତୁମକୁ'


ସଙ୍ଗ୍ରହକାରୀ - ବ୍ରହ୍ମାନନ୍ଦ ଦାସ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରାଣ ତୁମକୁ 
ହାତ ଧରନା ମୋର
ଅନାମିକାରେ ଅଛି ରୂପା ମୁଦି,

ରାଣ ତୁମକୁ
ଜଡ଼ାଅ ନାହିଁ
ଗଳାରେ ଦୁଇ ବାହୁ

ବନ୍ଧୁ, ଗଳାରେ ଅଛି
ରୂପାର ହାର ଛନ୍ଦି 

ଉତ୍ସ - ବ୍ରହ୍ମାନନ୍ଦ ଦାସ କୃତ 'ପୃଥିବୀର ଆଦିବାସୀ ଲୋକ କବିତା' । କଟକସ୍ଥ ପାଇନ୍ ବୁକ୍ସ୍ ଦ୍ୱାରା ୧୯୯୪ ମସିହାରେ ପ୍ରକାଶିତ ପ୍ରଥମ ସଂସ୍କରଣ ।

Monday, August 28, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୩

ନୁବାଦକ - ଫକୀର ମୋହନ ସେନାପତି


ଶ୍ରୀମଦ ଭଗବଦ ଗୀତାର ୠଷୀୟ ସଂସ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଯେ ମୋତେ ଦ୍ୱେଷୀ ଅଭିଳାଷୀ । ସେ ଅଟେ ପ୍ରକୃତ ସନ୍ୟାସୀ ।।
ତାଦୃଶ ନିର୍ଦ୍ୱନ୍ଦ ପୁରୁଷେ । ତରେ ବନ୍ଧନୁ ଅନାୟାସେ ।୩।

ଜ୍ଞେୟଃ ସ ନିତ୍ୟସନ୍ନ୍ୟାସୀ ୟୋ ନ ଦ୍ୱେଷ୍ଟି ନ କାଙ୍ଖ୍ୟତି
ନିର୍ଦ୍ୱେନ୍ଦୋ ହି ମହାବାହୋ ସୁଖଂ ବନ୍ଧାତ୍  ପ୍ରମୁଚ୍ୟତେ ।୩।

ଲାଉ ଡଙ୍କ ଭର୍ତ୍ତା

ସରୋଜିନୀ ଚୌଧୁରୀ


କୋରିଆ ଦେଶର ସ୍ୟୋଲ୍ ନଗରରେ ଲାଉ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରଣାଳୀ -  ଲାଉ ଲତାର ଅଗଅଗ ନରମ ଡଙ୍କ ଆଣି ଛୋଟ ଛୋଟ ପତର ଥାଉଁଥାଉଁ ବେଶ୍ କରି ଚାହିଁ ବାଛିନେବ । ଆଁଶୁ ଆଁଶୁ ଖଣ୍ଡମାନ ଏକାଠି ଖଣ୍ଡେ ସୂତାରେ ବାନ୍ଧି ଭାତରେ ବା ଡାଲିରେ ପକାଅ । ସିଝିଗଲେ ବାହାର କରି ଲାଗିଥିବା ଭାତ ବା ଡାଲି ଝାଡ଼ିଝୁଡ଼ି ଡଙ୍କଗୁଡ଼ିକ ସ୍ୱତନ୍ତ୍ର ରଖ ଏବଂ ତେଲ, ଲୁଣ ଓ ପିଆଜକୁ ସରୁ ସରୁ ଲମ୍ବ କାଟି ମିଶାଅ । 

ଗୁଣାଗୁଣ - ଲାଉ ଡଙ୍କ ମଧୁର ରସ, ମଧୁର-ପାକ, ମଳମୂତ୍ର କାରକ, କଫ ପିତ୍ତ ନାଶକ ଏବଂ ବାୟୁବର୍ଦ୍ଧକ (ଦ୍ରବ୍ୟଗୁଣ) ।


ବି.ଦ୍ର. - ଲାଉ ଡଙ୍କ ଭର୍ତ୍ତା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

Sunday, August 27, 2017

ଆମ୍ବ ପୋଡ଼ା 

ସରୋଜିନୀ ଚୌଧୁରୀ


ଆମ୍ବ ଗଛ ଓ ଫଳର ଚିତ୍ର (୧୬୫୬ ମସିହା)
'ଫ୍ଲୋରା ସିନେନ୍ସିସ୍' ନାମକ ବହିରୁ ଆନୀତ
ଫଟୋ କ୍ରେ଼ଡ଼ିଟ - ୱିକିମିଡ଼ିଆ କମନ୍ସ୍


ପ୍ରଣାଳୀ ଗୋଟିଏ ଆମ୍ବକୁ ଖୁବ ଗରମ ପାଉଁଶରେ ବା ମଲା ନିଆଁରେ ପୋତି ପୋଡ଼ା ପରେ ଥଣ୍ଡା ହେଲେ ରସ କାଢ଼ ଏବଂ ତେଲ ଓ ଲୁଣ ମିଶାଅ । ଶୁଖିଲା  ଲଙ୍ଗାମରିଚ ଗୋଟାଏ ଓ ତିନିଫୋଡ଼ନ (ପାନମହୁରୀ, ମେଥି, କଳାଜିରା ସମାନ ଅଂଶ ନେଇ) ଭାଜି ଗୁଣ୍ଡା କରି ତହିଁରେ ପକାଅ । ଘଣ୍ଟାଏ ଖଣ୍ଡେ ଢାଙ୍କି ରଖ । ପରେ ଖାଇବାକୁ ଦେବ ।

ବି.ଦ୍ର. - ଆମ୍ବ ପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

ମାଥିଉଙ୍କର ମଙ୍ଗଳ ସମାଚାର - ୨୨

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଚିତ୍ର - 'ଦେବଦୂତଙ୍କ ଦ୍ୱାରା ପ୍ରେରିତ ପ୍ରଚାରକ ମାଥିଉ'
ଚିତ୍ରକକ - ରେମ୍ବ୍ରାଁ ହାର୍ମେନସ୍ ଭାନ୍ ରିନ୍ (୧୬୦୬-୧୬୬୯)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଦେଖ, କେନ୍ଦୁଆଗଣ ମଧ୍ୟରେ ଯେପରି ମେଣ୍ଢା, ତେମନ୍ତ ଆମ୍ଭେ ତୁମ୍ଭମାନଙ୍କୁ ପଠାଉଅଛୁଁ ; ଏଥିନିମନ୍ତେ ସର୍ପ ପରି ବୁଦ୍ଧିମନ୍ତ ଓ କାପ୍ତା ପରି ଅହିଂସକ ହୁଅ । ମାତ୍ର ମନୁଷ୍ୟମାନଙ୍କଠାରୁ ସାବଧାନ ଥାଅ ; ଯେହେତୁ ସେମାନେ ତୁମ୍ଭମାନଙ୍କୁ ବିଚାରସଭାରେ ସମର୍ପଣ କରିବେ ଓ ଭଜନାଳୟରେ ପ୍ରହାର କରିବେ । ପୁଣି ତୁମ୍ଭେମାନେ ଆମ୍ଭ ସକାଶେ ଶାସନକର୍ତ୍ତା ଓ ରାଜାମାନଙ୍କ ଛାମୁରେ ସେମାନଙ୍କ ଓ ପରଜାତୀୟମାନଙ୍କ ପ୍ରତି ସାକ୍ଷ୍ୟ ଦେବା ନିମନ୍ତେ ଅଣାଯିବ । ମାତ୍ର ଏହିରୂପେ ସମର୍ପିତ ହେଲେ ତୁମ୍ଭେମାନେ କିପ୍ରକାରେ  ଅବା କି କଥାରେ ଉତ୍ତର କରିବ, ସେ ବିଷୟରେ ଭାବିତ ହୁଅ ନାହିଁ ; ଯେହେତୁ ତୁମ୍ଭମାନଙ୍କୁ ଯାହା କହିବାକୁ ହେବ, ତାହା ସେହିକ୍ଷଣି ତୁମ୍ଭମାନଙ୍କ ମନରେ ଦିଆଯିବ । କାରଣ ସେ ସମୟରେ ଯେ କହିବେ, ସେ ତୁମ୍ଭେମାନେ ନୁହ, ମାତ୍ର ତୁମ୍ଭମାନଙ୍କ ମଧ୍ୟବର୍ତ୍ତୀ ପିତାଙ୍କର ଆତ୍ମା କହିବେ । ଆଉ ଭାଇ ଭାଇକି ଓ ପିତା ପୁତ୍ରକୁ ମୃତ୍ୟୁରେ ସମର୍ପଣ କରିବେ । ପୁତ୍ରମାନେ ଆପଣା ପିତାମାତାଙ୍କ ବିପକ୍ଷରେ ଉଠି ସେମାନଙ୍କୁ ବଧ କରାଇବେ । ପୁଣି ଆମ୍ଭର ନାମ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ ; ମାତ୍ର ଯେଉଁ ଜନ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ । ଆଉ ସେମାନେ ଯେବେ ତୁମ୍ଭମାନଙ୍କୁ ଏକ ନଗରରେ ତାଡ଼ନା କରନ୍ତି, ତେବେ ଅନ୍ୟ ନଗରକୁ ପଳାଅ ; ଆମ୍ଭେ ତୁମ୍ଭମାନଙ୍କୁ ସତ୍ୟ କହୁଁ, ଇଶ୍ରାୟେଲ ଦେଶର ସବୁ ନଗରରେ ତୁମ୍ଭମାନଙ୍କ ଭ୍ରମଣ ସମାପ୍ତିର ପୂର୍ବରେ ମନୁଷ୍ୟପୁତ୍ରଙ୍କର ଆଗମନ ହେବ । ଶିଷ୍ୟ ଗୁରୁଠାରୁ ବଡ଼ ନୁହେ, ଅବା ଦାସ କର୍ତ୍ତାଠାରୁ ବଡ଼ ନୁହେ ; ଶିଷ୍ୟ ଆପଣା ଗୁରୁ ଓ ଦାସ ଆପଣା କର୍ତ୍ତାର ତୁଲ୍ୟ ହେଲେ ତାହା ପକ୍ଷରେ ଯଥେଷ୍ଟ । ସେମାନେ ଯେବେ ଗୃହର କର୍ତ୍ତାଙ୍କୁ ଭୂତରାଜ ବୋଲି କହିଅଛନ୍ତି, ତେବେ ତାହାଙ୍କର ପରିଜନବର୍ଗକୁ ଆଉ କଣ ନ କହିବେ ? ତେଣୁ ତୁମ୍ଭେମାନେ‌ ସେମାନଙ୍କୁ ଭୟ କରନାହିଁ । ଯେହେତୁ ଯାହା ପ୍ରକାଶିତ ନ ହେବ, ଏମନ୍ତ ଆଚ୍ଛାଦିତ କିଛି ନାହିଁ ; ଓ ଯାହା ଜଣା ନ ଯିବ, ଏମନ୍ତ ଗୁପ୍ତ କିଛି ନାହିଁ । ଆମ୍ଭେ ତୁମ୍ଭମାନଙ୍କୁ ଯାହା ଅନ୍ଧକାରରେ କହୁଅଛୁଁ, ତାହା ତୁମ୍ଭେମାନେ ଆଲୁଅରେ କହ ; ପୁଣି ତୁମ୍ଭେମାନେ କର୍ଣ୍ଣରେ ଯାହା ଶୁଣ, ତାହା ଘର ଛାତ ଉପରେ ପ୍ରଚାର କର । ଆଉ ଯେଉଁମାନେ ଶରୀରକୁ ବଧ କରିପାରନ୍ତି, ଆତ୍ମାକୁ ବଧ କରି ନ ପାରନ୍ତି, ସେମାନଙ୍କୁ ଭୟ କର ନାହିଁ ; ମାତ୍ର ଯେ ଶରୀର ଓ ଆତ୍ମା ଦୁଇକି ନରକରେ ବିନଷ୍ଟ କରି ପାରନ୍ତି, ତାହାଙ୍କୁହିଁ ଭୟ କର । ଦୁଇଟି ଘରଚଟିଆ ପକ୍ଷୀ କଣ ଏକ ପଇସାରେ ବିକା ଯାନ୍ତି ନାହିଁ ?  ତଥାପି ତୁମ୍ଭ ପିତାଙ୍କର (ଅନୁମତି) ବିନା ସେମାନଙ୍କର ଗୋଟିଏ ଭୂମିରେ ପଡ଼େ ନାହିଁ ; କିନ୍ତୁ ତୁମ୍ଭମାନଙ୍କ ମସ୍ତକର ବାଳ ସବୁ ଗଣିତ ଅଛି ।ଏନିମନ୍ତେ ଭୟ କର ନାହିଁ ; ତୁମ୍ଭେମାନେ ଘରଚଟିଆ ପକ୍ଷିଠାରୁ ବହୁମୂଲ୍ୟ । ଆଉ ଯେ କେହି ମନୁଷ୍ୟମାନଙ୍କ ସାକ୍ଷାତରେ ଆମ୍ଭଙ୍କୁ ସ୍ୱୀକାର କରିବ, ଆମ୍ଭେ ଆପଣା ସ୍ୱର୍ଗସ୍ଥ ପିତାଙ୍କ ସାକ୍ଷାତରେ ତାହାକୁ ସ୍ୱୀକାର କରିବୁଁ । ପୁଣି ଯେ କେହି ମନୁଷ୍ୟମାନଙ୍କ ସାକ୍ଷାତରେ ଆମ୍ଭଙ୍କୁ ଅସ୍ୱୀକାର କରେ, ଆମ୍ଭେ ମଧ୍ୟ ଆପଣା ସ୍ୱର୍ଗସ୍ଥ ପିତାଙ୍କ ଛାମୁରେ ତାହାକୁ ଅସ୍ୱୀକାର କରିବୁଁ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ । 

Saturday, August 26, 2017

ଓଡ଼ିଆ ଢ଼ମାଳି - ୪


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର


ଚିତ୍ର - 'ଦି ଉଣ୍ଡେଡ଼୍ ହେରନ୍' ବା 'କ୍ଷତାକ୍ତ ବକ' (ଇଂଲଣ୍ଡ, ୧୮୩୭)
ଚିତ୍ରକର - ଜର୍ଜ ଫ୍ରେଡ଼୍ରିକ ୱାଟ୍ସ୍ (୧୮୧୭-୧୯୦୪)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


୧୦

ଦାସ ଗଲେ ଫାଣ୍ଡିକି
ଗୋଜ ଆଣିଲେ ଗାଣ୍ଡିକି

୧୧

ଦଶା ଅନୁକ୍ରମେ ବସା ମିଳିଅଛି
ଚଷାସାହି ମଶାବଣିରେ ।

୧୨

ପ୍ରଥମେ ଦେଖିଲି ଜଟାଧାରୀ ନା
ବଗ ମାଉଁସ ଖାଉଛି ପୋଡ଼ିକରି ।

ଦ୍ୱିତୀୟେ ଦେଖିଲି ରାଜନାରୀ ନା 
ଘୋଡ଼ା ସଇସ ମାରୁଛି ଚୁଟିଧରି ।

ତୃତୀୟେ ଦେଖିଲି ନିଜ ନାରୀ ନା
ଗୋଇଠା ମାରୁଛି ଗୋଟା ଚାରି ।

ମହିମା ଭକ୍ତି କବିତା - 'ଧର୍ମ ଧାରଣେ ଧରିତ୍ରୀ'


ଭକ୍ତ କବି ଭୀମ ଭୋଇ


ମହାକାଶରୁ ପୃଥିବୀର ଚିତ୍ର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଧର୍ମ ଧାରଣେ ଧରିତ୍ରୀ ରହିଛି ଚାରି ଯୁଗରେ । ଘୋଷା ।

ଶାନ୍ତଶୀଳ ଦୟାକ୍ଷମ
ଏହା ପାଳିବ ଯେ ଜନ
ଆତ୍ମା ଚିହ୍ନି ଅନ୍ନଦାନ ଦେଲେ ବଶ ହୋନ୍ତି ତା’ରେ ।୧।

ଜାମରେ ଶରଣ ଯାଅ
ଜୀବ ପରେ ଦୟା ବହ
ଏ ଧର୍ମରୁ ସାର ଆଉ ନାହିଁ ନା ଏ ସଂସାରରେ ।୨।

ଶରୀରାର୍ଥେ ଜ୍ଞାନ କର
ତେବେ ପାଇବ ଗୋଚର
ସେ ଅଲେଖ ଅଣାକାର ଅଛନ୍ତି ସର୍ବ ଘଟରେ ।୩।

ଅନ୍ତର୍ଯ୍ୟାମୀ ସେ ପୁରୁଷ
ତାଙ୍କ ମହିମା ଅଶେଷ
ସେବା ଭକତିକି ଜାଣି ଦୃଶ୍ୟ ହୁଅନ୍ତି ଭାବରେ ।୪।

ମନ ମଧ୍ୟେ କଲେ ତତ୍ତ୍ୱ
ତେବେ ଅଛି ସତ୍ୟ କୃତ୍ୟ
ବିଚାରିଲେ ପାଶେଛନ୍ତି ଉଦିତ ଭକ୍ତ ହିତରେ ।୫।

ବେନି ନେତ୍ରୁ ଲୁହ ବହେ
ହୃଦୟ ସନ୍ତାପି ହୁଏ
ଭଣେ ଭୀମକନ୍ଧ ଭକ୍ତ ଲୋଡୁଅଛି ନିରନ୍ତରେ ।୬।

Friday, August 25, 2017

ସ୍ତୋତ୍ର ଆନନ୍ଦଲହରୀ

କବି - ଶଙ୍କରାଚାର୍ଯ୍ୟ

ଅନୁବାଦକ - ଜ୍ୟୋତି ନନ୍ଦ


ଥାଇଲାଣ୍ଡର ଦେବୀ ସରସ୍ୱତୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସମୁଦ୍ରର ଆଲିଙ୍ଗନ, ଆନନ୍ଦଧାରା,
ଦିଗନ୍ତରୁ ଦିଗନ୍ତ:
ମଝିରେ ମଣିଦ୍ୱୀପ, ଭାବନା ମନ୍ଦିର
ଆନତ ଦେବଗଣ ଏକତ୍ର ଯେଉଁଠି,
ପାଦତଳର ଧାଡ଼ିକୁ ଧାଡ଼ି ପାହାଚକୁ ତେଜି
ମୋହିନୀ ତୁମେ କାମନାର ଉତ୍ତୁଙ୍ଗ ପଲଙ୍କକୁ
ଆରୋହଣ କରୁଥାଅ ।

କାନନରେ ବୀଣା ବାଜେ,
ମୋହନତାନରେ ଫୁଲର କୋମଳ ନିଃଶ୍ୱାସ,
ବନ୍ଦନା କରେ ବିହଙ୍ଗମ,
ପତଙ୍ଗ ଆଉ ବ୍ୟାଘ୍ରର ବାହାରେ ସମୟ,
ପରିଚାରକ ଭଳି ଅପେକ୍ଷମାଣ ।
ତୁମେ ଆରୋହଣ କରୁଥାଅ ମୋହିନୀ
ଉତ୍ତୁଙ୍ଗ କାମନାର ପଲଙ୍କକୁ ।

ରାତି ଏଠି ତମ ମୁକୁଳା କେଶରାଜି, ମଥାରେ
ଝଲମଲ ନକ୍ଷତ୍ରର ଶୋଭାବନ୍ତ ମୁକୁଟ
ଗୋଟିଏ ହାତରେ ବୀଜ-ମନ୍ତ୍ରମାଳା ଆରଟିରେ
ଚିରନ୍ତନ ପୁସ୍ତକ ତମର ।
ମୋହିନୀ, ତମ ଛାଇ ଏବେ ଆମ ଚିନ୍ତାରେ ଅବା
ଯେ କୌଣସି ମୁହୂର୍ତ୍ତରେ ଆଖିବୁଜିଦେଲେ
ଝଲସି ଉଠିବ ସ୍ୱପ୍ନରେ ।
ସଶବ୍ଦରେ ଓହ୍ଲାଇ ଆସେ କବିତା, ରକ୍ତରୁ ।

କନ୍ଦର୍ପର କଥା ଜାଣେ, ମର୍ମଭେଦୀ ପୁଷ୍ପବାଣ ସହ
ସାମନ୍ତ ଯାର ବସନ୍ତ, ବାସନା ସାରଥୀ
ଏଇ ବିଶ୍ୱଜୟୀ ବୀର, ତାହା ବି ଜାଣେ, ପ୍ରେରଣାର ଉତ୍ସ
ତୁମର ଅପାଙ୍ଗରୁ ଛିନ୍ନ ଏକ କଣା, ଦୃଷ୍ଟିର କରୁଣା ।

ଦେଖିଅଛି ଏକ କଦାକାର ବୃଦ୍ଧ
ସହଚର ଯାର ଏବେ ରାକ୍ଷସୀ ଜରା ଆଉ ଭାର୍ଯ୍ୟା;
କାନ୍ତିମୟୀ ଯୁବତୀମାନେ ଅତି ପ୍ରମୋଦରେ ଉଦ୍ଦାମ ଏଇଲେ
ଛାତିଏ ଆଶ୍ଳେଷ ନେଇ ଯାଆନ୍ତି ଉତ୍ସବର ବୋଇତ ବନ୍ଦାଇ ।
ତୁମର ଅପାଙ୍ଗରୁ ମୁକ୍ତ ଏକ କଣା ଦୃଷ୍ଟି,
ସବୁବେଳେ କାମନା ତାହାର ।

ଚିରତରୁଣ ଶୃଙ୍ଗାରରେ ରତିଦାତ୍ରୀ ତୁମେ ତୁମେ ସରସ୍ୱତୀ !
ଝରିଆସ ବିନ୍ଦୁ ହୋଇ ଏ ଧୂଳି ମାଟିର ଜଗତେ ଆଲୁଅ ବିଛାଡ଼ି
ତେଣୁ ଭାଷା ପାଏ ଛନ୍ଦ, ଭାବନା ପ୍ରତିମା ହୁଏ,
ତମ ଆଲିଙ୍ଗନେ ଭୁଲି ମୃତ୍ୟୁଭୟ
ଜନ୍ମଦାତା ସକଳ ଦମ୍ପତ୍ତି ।

ଅନ୍ୟ ସବୁ ଦୃଶ୍ୟ ପୋଛି ହୃଦୟରେ ଦେଖେ ଯିଏ
ତୁମରି ନୟନ, ସଙ୍ଗୋପନେ ବୁଣେ ଜ୍ୟୋତିର୍ବୀଜ
ଅନିଶ୍ଚିତ ଅନ୍ଧାରରେ:
ଶୁଣିଛି ତୁମେ ଦାନ କର ତା'ରେ
ଖେଳରେ ଖେଳରେ କୌତୁକରେ
ସୁନାରୂପା, ସମସ୍ତ ଚନ୍ଦନ ବନ, ସାଥିରେ ଉର୍ବଶୀ ।

ସେଇ ଯେ ଉର୍ବଶୀ ଚିରକାଳ ଉର୍ଦ୍ଧ୍ୱ ମୁଖ ଯାର ସ୍ତନାଗ୍ର
ରୋମକୂପ ବିଦ୍ୟୁତ୍-ଗର୍ଭ, ଶରୀରରେ ସୋମରସ ନିଶା
ଅଙ୍ଗରୁ ଆଡ଼େଇ ଦେଇ ରତିକ୍ଲାନ୍ତ ତପସ୍ୱୀ ଯେତେକ;
କାଞ୍ଚଲା ପରି ନିର୍ଭାର, ଅଲ୍ଲିଜିତା, ଆହ୍ଲାଦିନୀ, ନଗ୍ନା
ସିଏ କି ତୁଳନା ତମ ସହ ?

ଈଶ୍ୱରୀ ତୁମେ ଇତିହାସର ଅତୀତ
ତୁମେ କେନ୍ଦ୍ର, ପ୍ରାନ୍ତ ଆଉ ଅନ୍ତରାଳ
ବିଶ୍ୱ ଯେ ଶରୀର ତୁମ ସୂର୍ଯ୍ୟ ଚନ୍ଦ୍ର ଦୁଇ ଗୋଟି ସ୍ତନ
ପୋଷାକ ବଦଳାଇ ଆସନ୍ତି ଋତୁ ସବୁ
ତୁମର ଚିହ୍ନରେ ଇଙ୍ଗିତ ଆଙ୍କେ ଅଦୃଷ୍ଟ
ନାଭି ରନ୍ଧ୍ରେ ଲୁଚିବସିଛନ୍ତି ସବୁ ଏକାଠି
ନାଆଁ ଯାର ଆମେ ଦେଇଛୁ ତ୍ରିକାଳ ।

ବ୍ୟୋମ ତୁମେ, ମନ ତୁମେ, ତୁମେ ଜଳ, ଜଳର ତରଳ
ସ୍ତବରେ ବାନ୍ଧିଛୁ ପଞ୍ଚଭୂତ ବନ୍ଧୁ ହୁଏ ଚେତନା ଇନ୍ଦ୍ରିୟ
ଯେତେ ଦ୍ୱନ୍ଦ୍ୱ ବିବାଦ, ଯେତେ ଖଣ୍ଡ ଖଣ୍ଡ ଜାଗତିକ ଅଂଶ, ସବୁ,
ସବୁ ମିଶିଯାଏ ଦେବୀ ତୁମର ସ୍ଥିର ଅବିକଳ ଆନନ୍ଦରେ ।

ମୁଁ କିନ୍ତୁ ଦରିଦ୍ର ଅତି ବିଚ୍ଛେଦ ହିଁ ମୋହର ନିବାସ ।
ତୁମ ଦେଖା ପାଏ ନାହିଁ,
ଜାଣେ ତୁମକୁ ଦେଖିବା ଜମା ପାରିବିନି ସହି;
ଖୋଜୁଅଛି ଖାଲି ତୁମର ଆଭାସ, ସଙ୍କେତ ଅବା ଅକସ୍ମାତ
କେଉଁ ସ୍ୱପ୍ନର ମୁହୂର୍ତ୍ତ ।
ଏତିକି ହିଁ ଯଥେଷ୍ଟ ହେବ ମୋହ ପାଇଁ ।

ସେହି ସବୁ ମୁହୂର୍ତ୍ତରେ ଯେତେବେଳେ ହୃଦୟରେ ଶୁଣେ
ଶବ୍ଦର ପଦପାତ, ଭାଷା ଧରା ଦିଏ ଛନ୍ଦେ
ମନନରେ ମୂର୍ତ୍ତିଗଢା ହୁଏ ସେତେବେଳେ
ଯେତେକ ସଂଶୟ ମୋର ଆର୍ତ୍ତି, ବିକାର ଅବା ଶୂନ୍ୟତା 
ସବୁ ସାର୍ଥକତା ପାଏ 
ଏକ ଉପାର୍ଜିତ ଭଙ୍ଗୁର ଆନନ୍ଦେ ।

ବିଶାଳ ଏ ଚରାଚର ମୁହିଁ କ୍ଷୁଦ୍ର ଅତି
ମୃତ୍ୟୁଭୟ ଭୁଲି ହୋଇପାରେ କ୍ଷଣିକ ପ୍ରେମିକ
କଥା ଯେତେ ବୁଢ଼ା ଥିଲେ ଫେରି ପାଆନ୍ତି ଯୌବନ,
ବିନ୍ଦୁଏ ଶୃଙ୍ଗାର କରୁଣାରେ ତୁମ;
ତୁମେ କାମେଶ୍ଵରୀ ସରସ୍ଵତୀ ଆମର ଆରାଧ୍ୟା ।

ପ୍ରୟାଗର ତ୍ରିବେଣୀ ସଙ୍ଗମ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏକ ସ୍ୱୀକାରୋକ୍ତି

ଏଇଟି ଶ୍ରୀଶ୍ରୀ ଶଙ୍କରାଚାର୍ଯ୍ୟଙ୍କ କୃତ ପ୍ରସିଦ୍ଧ "ଆନନ୍ଦ ଲହରୀ"ର ଏକ ଅନୁସୃଜନର ଅନୁସୃଜନ ।

ହଁ , ଏକ ଅନୁସୃଜନର ଅନୁସୃଜନ ।

ମୋର ଜଣେ ତରୁଣ ପ୍ରଶାସକ ବନ୍ଧୁ ଅଛନ୍ତି । ପ୍ରଶାସନକୁ ଆସିବା ପୂର୍ବରୁ ସେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପକ ଥିଲେ । ଗମ୍ଭୀର ଅଧ୍ୟୟନରେ ଆଉ ମନନରେ ସେ ସବୁବେଳେ ଆମର ଶ୍ରଦ୍ଧାର ପାତ୍ର । ହଠାତ ସେ ଶଙ୍କରାଚାର୍ଯ୍ୟଙ୍କୁ ପଢିବାକୁ ଆରମ୍ଭ କଲେ । ସବୁବେଳେ ଶଙ୍କରାଚାର୍ଯ୍ୟ । ଦେଖାହେଲେ ଖାଲି ଆଦିଗୁରୁଙ୍କର କଥା । ଆମେମାନେ ଯେଉଁମାନେ ଦଣ୍ଡିକିରି ମାଛ ପ୍ରଜାତିର, ରୋହି ମାଛମାନଙ୍କୁ ଥଟ୍ଟା କରି କାଳ ବିନୋଦନ କରିଥାଉ । ସେ କିନ୍ତୁ ନିଷ୍ଠାର ସହ ଆମକୁ ଶଙ୍କରାଚାର୍ଯ୍ୟଙ୍କ ବିଷୟ କହିବାରୁ ବିରତ ହୁଅନ୍ତି ନାହିଁ ।

ମୁଁ ଯେତେବେଳେ ଦୈବାତ ଶଙ୍କରାଚାର୍ଯ୍ୟଙ୍କର ଏଇ "ଆନନ୍ଦ ଲହରୀ" ସ୍ତୋତ୍ରର ଅନୁସୃଜନଟି ପଢିଲି, ମୁଁ ଅପୁର୍ବ ଆନନ୍ଦରେ ହତବାକ ହୋଇଗଲି । ମୋର ମନେ ପଡିଲା, ମୋର ଅନୁଜପ୍ରତିମ, ଶଙ୍କରାଚାର୍ଯ୍ୟ ପ୍ରେମୀ, ସେଇ ପ୍ରଶାସକଙ୍କର କଥା । ବହୁ ଦିନ ହେଲା ତାଙ୍କ ସହ ଦେଖା ହୋଇନି । ହୁଏତ ସେ ଭୂବନେଶ୍ୱରରେ ରହୁଥାଇପାରନ୍ତି ।

ତାଙ୍କର ନାଆଁ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ନନ୍ଦ ।

ରକ୍ଷା ସେ ଏଇ ମାଧ୍ୟମରେ ନାହାଁନ୍ତି । ଥିଲେ ମୋର ଏଇ ଲେଖାକୁ ଦେଖି ସେ ପୁରୁଣା ଥଟ୍ଟାକୁ ସୁଧ ମୂଳ ସହ ଶୁଝାଇ ହୁଏତ କହିଥାଆନ୍ତେ, 'ଶେଷରେ ଭାଇନା ଆପଣ ? ଆସିଲେ ତ !  ଶଙ୍କରାଚାର୍ଯ୍ୟଙ୍କୁ କ'ଣ ଛାଡିହେବ ?'

ସେ ଯାହାହେଉ । ଏଇ ଅନୁସୃଜନରେ ବନ୍ଧୁଗଣ, ମୋର ଭୂମିକା ସ୍ୱଳ୍ପ । ଗୋଟିଏ ଜରି ଗୋଟାଳିର ଯେତିକି ଭୂମିକା, ସେତିକି । ମୁଁ ସଂସ୍କୃତରେ ପଣ୍ଡିତ ନୁହେଁ । ଯଦି ଆପଣମାନେ ମୋର ମାଟ୍ରିକ ପରୀକ୍ଷା ନମ୍ବର ଦେଖିବେ, ତେବେ ମୁଁ ସଂସ୍କୃତରେ ଜଣେ ମହାପଣ୍ଡିତ, ଆଉ ମୋ ତଳ ଭାଇ ସଂସ୍କୃତରେ ମୋଠୁ ଅଧିକ ଅତିପଣ୍ଡିତ । ଆଗରୁ ପାଣ୍ଡିତ୍ୱକୁ ନେଇ ଆମର ଅନେକ ଯୁଦ୍ଧ ହେଉଥିଲା । ସେ ଯାହା ହେଉ, ଶଙ୍କରାଚାର୍ଯ୍ୟ ତ ଆଉ ମାଟ୍ରିକ ପରୀକ୍ଷାର ପାଠ୍ୟକ୍ରମ ନୁହଁନ୍ତି !

ଏଇ ଅନୁସୃଜନର ସମସ୍ତ ଶ୍ରେୟାଂଶ ବଙ୍ଗଳାର କବି ତଥା ତୁଳନାତ୍ମକ ସାହିତ୍ୟର ଆଦ୍ୟପୁରୁଷ ଶ୍ରୀଯୁକ୍ତ ବୁଦ୍ଧଦେବ ବସୁଙ୍କର, ଯାହାଙ୍କର "ରାତ୍ ଭରେ ବ୍ରିଷ୍ଟି" ଉପନ୍ୟାସ ସହ ଆପଣମାନେ ପରିଚିତ ।

ମୁଁ ଶଙ୍କରାଚାର୍ଯ୍ୟଙ୍କର 'ଆନନ୍ଦ ଲହରୀ' ସ୍ତୋତ୍ର ଆଉ ଶ୍ରୀଯୁକ୍ତ ବସୁଙ୍କର ଅନୁସୃଜନକୁ ଏକାଠି ପଢ଼ି ଏଇ ଅନୁସୃଜନଟି କରିଛି । ସମସ୍ତ ଅଶୁଦ୍ଧିକୁ ମୋର ଅଜ୍ଞତା ବୋଲି ଉଦାର ହୃଦୟରେ କ୍ଷମା କରିଦେବେ ।

ଦୟାକରି ପଢ଼ିବେ ।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୧୪


ଇଷା ଉପନିଷଦର ପାଣ୍ଡୁଲିପିର କିୟଦଂଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପୂର୍ବରୁ ପୋଷିତ ଯେତେ କାମନାନିଚୟ 
ତତ୍ତ୍ୱଭାବ ଲାଭେ ହୃଦୁଁ ଯାଏ ସବୁ କ୍ଷୟ ।।

ଏ ମର ସଂସାରେ ତେବେ ମାନବ ଅମୃତ 
ଲଭେ ବ୍ରହ୍ମାନନ୍ଦ ବ୍ରହ୍ମେ ହୁଏ ଏକୀଭୂତ । (ନ.ଉ. ୨।୩।୨୯)।

ନଈବଢ଼ି ଗୀତ

ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର 


ଚିତ୍ର - 'ଜବଦ୍ୱୀପରେ ବନ୍ୟା' (୧୮୬୫-୧୮୭୫)
ଚିତ୍ରକର - ରାଦେଲ ସାଲେ ସିଜାରିଫ ବୋଏସ୍ମାନ (୧୮୧୧-୧୮୮୦)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 


ଆହେ ଚକାଡୋଳା ଜଗତନାଥ ହେ ମହାପ୍ରଭୁୂ
ତୁମେ ଥାଉଁ ଆମେ ହେଲୁ ଅନାଥ ହେ ମହାପ୍ରଭୁ ।

ତେନ୍ତୁଳି ପତର ସପନ ହେଲା ହେ ମହାପ୍ରଭୁ
କିଏ ବା ପାଣିରେ ବୁଡ଼ିମରିଲା ହେ ମହାପ୍ରଭୁ ।

ପେଟ ପିଲାକୁ ତା ମାଆ ଛାଡ଼ିଲା ହେ ମହାପ୍ରଭୁ
ବାଛୁରି ଛାଡ଼ି ତ ଗାଈ ଭାସିଲା ହେ ମହାପ୍ରଭୁ ।

ଘରବୁଡ଼ି ପାଣି ଆଣ୍ଠୁଏ ହେଲା ହେ ମହାପ୍ରଭୁ
କଲବଲେ କେହୁ ଗଛେ ଚଢ଼ିଲା ହେ ମହାପ୍ରଭୁ ।

କେହି ଅବା ସୁଏ ଭାସିଣ ଗଲା ହେ ମହାପ୍ରଭୁ
ଘରଦ୍ୱାର ସବୁ ଭାଙ୍ଗି ପଇଲା ହେ ମହାପ୍ରଭୁ 

Thursday, August 24, 2017

ଗେଣ୍ଡାର ଝୋଳ

ସରୋଜିନୀ ଚୌଧୁରୀ


ମୋସେର ଗେଣ୍ଡା (୨୦୦ ଖ୍ରୀଷ୍ଟାବ୍ଦ)
ଲିମା ନଗରର ଲାର୍କୋ ଜାଦୁଘରର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉପକରଣ - କୁଜି ଗେଣ୍ଡା ୫/୭ ପୁଞ୍ଜା, ଜଳ ଅଧ ସେର, ମଧ୍ୟଭଳି ବାଇଗଣ ଗୋଟାଏ, କଦଳୀ ଖଣ୍ଡେ, ହଳଦି ବଟା (ଖୁବ ଚିକ୍କଣ) ଟିକିଏ, ଖୁିବ୍ ଚିକ୍କଣ ଧନିଆ ଜିରା ବଟାରୁ ଟିକିଏ, ଲୁଣ ଚିମୁଟେ, ତେଜପତ୍ର ଖଣ୍ଡିଏ, ଲବଙ୍ଗ ଗୋଟାଏ, ଡାଲଚିନି ଛୋଟ ଖଣ୍ଡିଏ, ଘିଅ ଅଧପଳେ ଛୋଟ ପଳାରେ ।

ପ୍ରଣାଳୀ - ଗେଣ୍ଡା ଛଡ଼ାଇ ଭଲକରି ଧୋଇ ରଖ । ବାଇଗଣ ଓ କଦଳୀ କାଟି ଧୋଇ ରଖ । 

ହାଣ୍ଡିଟିଏ ଚୁଲ୍ଲୀରେ ଚଢ଼ାଇ ଘିଅରୁ ଅଧେ ପକାଅ । ଘିଅ ତାତିଲେ ଡାଲଚିନି ଲବଙ୍ଗ ତେଜପତ୍ର ପକାଇ ଘାଣ୍ଟିଦେଇ ଲୁଣ ହଳଦି ଗୋଳାଇ ଗେଣ୍ଡା ପକାଅ, ଥରେ ଦୁଇ ଥର ଘାଣ୍ଟି ସେଥିରେ ପରିବା ପକାଇ କସ । କସି ଉଠିଲେ ଜଳ ମସଲା ଲୁଣ ପକାଇ ଢାଙ୍କୁଣି ଦେଇଦିଅ ।ଧୀରେଧୀରେ ମୃଦୁ ଜାଳରେ ପନ୍ଦର ମିନିଟରେ ସିଦ୍ଧ ହେବ । 

ପସାରୁଣୀ ପତ୍ର ଦେଇ ମଧ୍ୟ ଏହି ଭଳି ଝୋଳ କରାଯାଏ ।   

ଗୁଣାଗୁଣ - ରକ୍ତ ଆମାଶୟ, ଅଜୀର୍ଣ୍ଣ, ଓ ଆମଦୋଷ ଜନିତ ଦସ୍ତ ହେଉଥିଲେ ଗେଣ୍ଡାରେ ଖୁବ ଉପକାର ମିଳେ । ଯେଉଁ ପିଲାଙ୍କର ଶରୀର ଦୁର୍ବଳ, ଦିନୁଦିନୁ ଶୀର୍ଣ୍ଣ ଦେଖାଯାନ୍ତି ସେମାନଙ୍କ ପକ୍ଷରେ ଗେଣ୍ଡା ଗୋଟିଏ ଉତ୍କୃଷ୍ଟ ବଳକାରକ ପଥ୍ୟ । ଅବସ୍ଥାନୁସାରେ ଝୋଳ ବା ଯୁଷ୍ କି କଞ୍ଚାରସ ଦିଆଯାଏ ।  

ବି.ଦ୍ର. - ଗେଣ୍ଡା ଝୋଳ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

ପୁରୁଣା ଗ୍ରାମୋଫୋନ ରେକର୍ଡ଼ ଗୀତ - 'ଆସ କିଏ ସେ ଯିବରେ'


ଶିରାରେ ଭାସୁଥିବା ରସାବଳି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ଆସ କିଏ ସେ ଯିବରେ ଆଜି ରଜା ଘର ଖାନା
ଖଣ୍ଡ ଖଣ୍ଡ ବସା ଦହି ମୁଣ୍ଡାମୁଣ୍ଡା ଛେନା
ଯୋଡ଼ା ଯୋଡ଼ା ଆରିଷା ପିଠା, ବଡ଼ ମିହିଦାନା ।

ଭଦ୍ରକର ପାଳୁଅ ଲଡ଼ୁ, ବାଲେଶ୍ୱରୀ ଗଜା,
କେନ୍ଦ୍ରାପଡ଼ା ରସାବଳୀ ରସ ଭାରି ମଜା ।

ଭୁବନେଶ୍ୱର ରସକୋରା, ଦୋ ପାଗି ଉଖୁଡ଼ା
ବାରିପଦାର ଗରମ ମୁଢ଼ି, ଧାମନଗର ଚୂଡ଼ା ।

ପୁରୀ ବେଢ଼ା ମଗଜ ଲଡ଼ୁ ଅମାଲୁ ସରପୁରି
ବିରଜା ବେଢ଼ା ମୋତିଚୁର କନ୍ଦଦିଆ ଭାରି ।

ସାକ୍ଷୀଗୋପାଳ ଗୁଡ଼ପାଟିଆ ଗହମ ଅଟା ଗଜା
ତାକୁ ପାକୁଆ ପାଟିରେ ରଗଡ଼ିଦେଲେ
ଡାକ ମାରିବ ମଜା ।

ସମ୍ବଲପୁର ଛେନାଦିଆ ଜଟଣି ଲେଡିକିନ
ଯାଜପୁରର ମୁଟମୁଟିଆ ସାତପତ୍ରିଆ ଫେଣି ।

ଆମ୍ବକଷିଆ ଅଦାଦିଆ ଆଳୁବଖରା ଚଟଣୀ
ପାଟିରେ ଦେଲେ ପେଟ ଭିତରେ ଲାଗିବ ଟଣାଟଣି ।

ବି.ଦ୍ର. - ଶିକ୍ଷାସନ୍ଧାନ ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତିଙ୍କର ଆତ୍ମଜୀବନୀ 'ଆମ ପାଠପଢ଼ା ସମୟ'ରୁ ସଙ୍ଗୃହିତ 

Wednesday, August 23, 2017

ସରି ଯିବଣିଟି 

କବି - ଲକ୍ଷ୍ମୀକାନ୍ତ ମହାପାତ୍ର 


ଲକ୍ଷ୍ମୀକାନ୍ତ ମହାପାତ୍ର (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)
(୯ ଡିସେମ୍ବର ୧୮୮୮- ୨୪ ଫେବୃଆରୀ ୧୯୫୩)

ସରି ଯିବଣିଟି ଜୀବନୁ କିଶୋରୀ ହେ ବଂଶୀଧାରୀ ।
ବିରହରେ ସଖି ହୋଇଛି କାତର
କଳେ ଯାକିଅଛି ସେ ଧୂଆଁପତର
ଦେଖିଲି ସଖିର ଅଣ୍ଟିରେ ମାତର ଜୀବନକୁ ଅଛି ଧରି ହେ ।

ନାସାଗ୍ରତେ ତୂଳା ଦେଲେ ତତପର 
ସିଙ୍ଘାଣି ବହିଲା ନାକୁ ସରସର
ହତାଶେ ଫେରିଲା ଯହୁଁ ଡାକତର ସବୁ ଆଶା ଗଲା ସରି ହେ ।

ଲାଗୁ ନ ଥିଲା ମୋ କରକୁ ନାଟିକା
ମୁହଁ କରିଥିଲା କି ମାଲ ଆଟିକା
ମାନ ମାରି ଖାଲି ଆଖିରେ ମିଟିକା ଲାଳ ପଡ଼ୁଥିଲା ଝରି ହେ ।

ତୁମ୍ଭ ଭଳି ଯେବେ ନୋହିଲା ପାତର
କାହିଁକି ଛୁଇଁଲ ସଖିର ଗାତର
ଏବେ ପରା ଭାରି ମାରୁଛ ଚାତର କାମଟା ଯିବାରୁ ସରି ହେ ।

ତୁମ୍ଭେ ଥାଉଁ ସଖି ଯେବେଟି ମରିବ
ପୁଲିସ ନିଶ୍ଚୟେ ଗିରଫ କରିବ
ଗରିବ କଥାକୁ ସେକାଳେ ସ୍ମରିବ ଡାଲି ଭାତ ଖାଇ କରି ହେ ।

ମହିମା ଭକ୍ତି କବିତା - 'ଗୁରୁ ପାଦ ତଳେ'


ଭକ୍ତ କବି ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଗୁରୁ ପାଦ ତଳେ ଗତି ମୁକତି ଗୋ
ଆଉ କଥାମାନ ଫଳ ସୁରତି ଗୋ । ଘୋଷା ।

ଅତିଥିକୁ ଦେଖି ମାନ୍ୟ ଆତ୍ମା ଚିହ୍ନି ଅନ୍ନଦାନ
ଯେ ଅବା ଦିଅନ୍ତି ଗୋ, ଧର୍ମକୁ ଲଭନ୍ତି
ବୋଲାନ୍ତି ପ୍ରଭୁ ଭକତ ଦାନୀପଣେ ସାମରଥ
ପଣ୍ଡିତ ସୁଜ୍ଞାନୀ ସେହୁ ଅଟନ୍ତି ଗୋ ।୧।

ପୁଣ୍ୟ ଯେବେ କରିଥିବ ଧର୍ମ ତାକୁ ସାହା ହେବ
ବ୍ରହ୍ନକୁ ଚିହ୍ନନ୍ତି ଗୋ, ବୈକୁଣ୍ଠେ ବସନ୍ତି
ଅଟନ୍ତି ସେ ମହାଜନ ଅଭୟ ବ୍ରହ୍ମରେ ଲୀନ
କଟିତ ହୁଅଇ କାଳ ବିପତ୍ତି ଗୋ ।୨।

ବ୍ରହ୍ମଙ୍କୁ ଚିହ୍ନିଲା ଲୋକ ସକଳଠାରୁ  ଅଧିକ 
ପାଦକୁ ସେବନ୍ତି ଗୋ, ଭେଦକୁ ଜାଣନ୍ତି
ପ୍ରସନ୍ନ ହୋଇଲେ ବ୍ରହ୍ମ ତୁଟିଯାଇ ମାୟା ଭ୍ରମ
ଅନଳ ପରାଏ ଅଙ୍ଗ ମୂରତି ଗୋ ।୩।

ଅଲେଖ ପୁରୁଷ ଯେହୁ ଲେଖାରେ ନ ବସେ ସେହୁ
ଅଶ୍ରୁତି ଅମୂର୍ତ୍ତି ଗୋ, ନାହିଁ ରୂପକାନ୍ତି
ମହା ଶୂନ୍ୟ ଶୂନ୍ୟ ଦେହୀ ନିଶବ୍ଦରେ ଛନ୍ତି ରହି
ଛପନା କୋଟି ଜୀବର ସମ୍ପତ୍ତି ଗୋ ।୪।

ନିଗମ ଭୂବନ ସେହି ମହା ଦୁର୍ଗମ ଅଟଇ
ଗଲେ ନ ଆସନ୍ତି ଗୋ, ପେଲି ନ ପଶନ୍ତି
ତହିଁକି ଦୃଷ୍ଟି ଲଗାଇ ଯେ ପାରିଲେ ଧର ଯାଇ
ଭକତ ପଣକୁ ଯେହୁ ଶକତି ଗୋ ।୫।

ଭାବକୁ ଆସନ୍ତି ଚାଲି ପୁଣି ପଛେ ଦ୍ୟନ୍ତି ଛଳି
ସତ୍ୟ ଥିଲେ ଥା’ନ୍ତି ଗୋ, ଅସତ୍ୟେ ନ ଥା’ନ୍ତି
ଭଣେ ଭୀମ ଅରକ୍ଷିତ ଧ୍ୟାୟି ଗୁରୁ ପାଦଗତ
ନିଷ୍କାମ ନିର୍ଗୁଣେ ଧରା ଦିଅନ୍ତି ଗୋ ।୬।

Tuesday, August 22, 2017

କଦଳୀ ଚଟଣୀ


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଉପକରଣ - ବଡ଼ ପୋଖତ ଯେଉଁ କଦଳୀ ଚକଟିଲେ ନରମ ହୋଇଯିବ (ଏକଜାତୀୟ କଦଳୀ ଅଛି ଯେ ସିଝିଲେ ଶକ୍ତ ହୁଏ, କିନ୍ତୁ ଅନ୍ୟ କେତେକ ସିଝାଇଲେ ବେଶ ମୋଲାମ ନରମ ହୁଏ ) ଏହିଭଳି କଦଳୀ ଯୋଡ଼ିଏ, ଲୁଣ ଅଧତୋଳେ, ଗୋଲମରିଚ ଗୁଣ୍ଡା ଚିମୁଟେ, ଅଦା ଅଧଗିରେ, ଘିଅ ପଳେ, କାଗଜି ଲେମ୍ବୁ ଗୋଟାକର ତିନିଭାଗର ଏକ ଭାଗ, ଗୋଟା ଗୋଲମରିଚ ବା କିସମିଶ ଚାରିଟା ।

ପ୍ରଣାଳୀ - କଦଳୀ ଚୋପା ଛଡ଼ାଇବ ନାହିଁ ; ଚୋପା ସୁଦ୍ଧା ଧୋଇ ଭାତରେ ପକାଇବ । ସିଝିଗଲେ ବାହାର କରିନେଇ ଗରମଗରମ ଥାଉ ଥାଉ ଛଡ଼ାଇ ଚକଟିବ । ଥଣ୍ଡା ହୋଇଗଲେ କଦଳୀର ଶସ ଶୁଖିଲା ହୋଇଯାଏ, ଭଲ ଚକଟି ହୁଏ ନାହିଁ । ଅଦା ଛଡ଼ାଇ ସରୁ, ଛୋଟ, ଲମ୍ବା କରି କାଟ । କଦଳୀ ଚକଟାରେ ଘିଅ, ଲୁଣ, ମରିଚଗୁଣ୍ଡି, ଓ ଲେମ୍ବୁର ରସ ମିଶାଇ ବାଦାମି ଆକାରରେ ଗଢ଼ । ଅଦାଖଣ୍ଡମାନ ତେରଛା ଭାବରେ ପୋତି ଯାଅ;  ଧୀରେ ଧୀରେ ମଝିରେ ମରିଚଟିଏ ଅଧା ପୋତିଦିଅ ।

ଗୁଣାଗୁଣ - କଞ୍ଚା କଦଳୀ ଶୀତଳ, ମଳରୋଧକ, ଦୁର୍ଜୟ ଓ ବଳବର୍ଦ୍ଧକ

ବି.ଦ୍ର. - କଦଳୀ ଚଟଣୀ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

ଚାଟଶାଳୀର ଗଣେଷ ବନ୍ଦନା


ବାଶୋଲି ମିନିଏଚର (୧୭୩୦)
ଜାତୀୟ ସଙ୍ଗ୍ରହାଳୟ, ନୂଆ ଦିଲ୍ଲୀ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କରୀ ମସ୍ତକେ କପୋଳୋ ଶୋହେ ଚିତା
ଖଡ଼ଗ ଡମ୍ବରୁ ଶୋହେ ବ୍ରହ୍ମବେତ୍ତା
ଗ୍ୟାନ ଗୁରୁ ବୋଲି ଦେବେ ଦେଲେ ବର
ନମୋ ନମୋ ଗଣନାଥ ବିଦ୍ୟାବର ।

ଚତୁରପଣେ ଅମୃତ ଲଡ଼ୁକର
ନମୋ ନମୋ ଗଣନାଥ ବିଦ୍ୟାବର
ଛତ୍ରୀବୀରପଣେ ବାନାଉଡ଼େ ନେତ
ଜଟା କଉପୀନ ବେଶ ଚଣ୍ଡୀସୁତ ।

ଡାକି ଡମ୍ବରୁ ବଜାନ୍ତି ଗଣେଶ୍ୱର
ଢଳି ଢଳି ନୃତ୍ୟକର ବିଦ୍ୟାବର । 

ବି.ଦ୍ର. - ଶିକ୍ଷାସନ୍ଧାନ ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତିଙ୍କର ଆତ୍ମଜୀବନୀ 'ଆମ ପାଠପଢ଼ା ସମୟ'ରୁ ସଙ୍ଗୃହିତ 

Monday, August 21, 2017

ମହିମା ଭକ୍ତି କବିତା - 'ନିରନ୍ତରେ ଭଜୁଥାଅ ନାମକୁ ଗୋ'


ଭକ୍ତ କବି ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ନିରନ୍ତରେ ଭଜୁଥାଅ ନାମକୁ ଗୋ
ଛାଡି ସୁତ ବିତ୍ତ ଦାରା ଧନକୁ ଗୋ । ଘୋଷା।

ଏ ସେ ବ୍ରହ୍ମ ଜ୍ଞାନ ତତ୍ତ୍ୱ ଏ ଜୀବ ଆତ୍ମାକୁ ହିତ
ଆସଇ ମନକୁ ଗୋ, ସୁଜ୍ଞାନୀ ଜନଙ୍କୁ
ପଚିଶ ପ୍ରକୃତି ମାରି ମନ ପବନରେ ଭରି
ଧରିଥିବ ମନ ଧ୍ୟାନ ଯୋଗକୁ ଗୋ ।୧।

ଏତେବେଳେ ଥିଲେ ବାଞ୍ଛି ନିଶ୍ଚୟେ ରଖିବେ ସଞ୍ଚି
ଆଗତ ଦିନକୁ ଗୋ, ଭକତମାନଙ୍କୁ
ପୃଥ୍ୱୀ ହୋଇଲେ ଉତ୍ସୁକ ଶୂନ୍ୟରୁ ପଡିବ ଡାକ
ଡେରିଥିବ ବାମକର କର୍ଣ୍ଣକୁ ଗୋ ।୨।

ଅମଡା ଅପୋଡା ଭୂଇଁ ଚନ୍ଦ୍ର ସୂର୍ଯ୍ୟ ଗମ୍ୟ ନାହିଁ
ଲୋଡା ସେ ସ୍ଥାନକୁ ଗୋ, ସୁମରି ଗୁରୁଙ୍କୁ
ପାଞ୍ଚ ମନ କଲେ ତତ୍ତ୍ୱୁ ପାଇବ ପୂର୍ବର ହେତୁ
ଭାଜନ ହୋଇବ ଦାସପଣକୁ ଗୋ ।୩।

ଗମି ପାରିଲେ ସେ ପୁର ଯୁଗ ଯୁଗାନ୍ତେ ଅମର
ଛେଦଇ ଭୟକୁ ଗୋ, ଭେଦଇ ଜ୍ଞାନକୁ
ସୁଜନେ ନ ଦେବ ଦୋଷ ଶ୍ରୀଗୁରୁ ଆଜ୍ଞାରେ ଦୃଶ୍ୟ
ସେଠାରୁ ଫିଟିଛି ବାଟ ଶୂନ୍ୟକୁ ଗୋ ।୪।

ବହୁଛି ବସନ୍ତ ତହିଁ କ୍ଷୁଧା ତୃଷ୍ଣା ବାଧା ନାହିଁ
ସୁସ୍ଥ ଏ ପିଣ୍ତକୁ ଗୋ, ଆଶ୍ୟ ଏ ଜୀବକୁ
ସଦ ବ୍ରହ୍ମଜ୍ଞାନ ଏହି ତିନି ତ୍ରୈଲୋକ୍ୟ ନ ପାଇ
ହିତକୁ ଆସଇ ଜ୍ଞାନୀ ଜନକୁ ଗୋ ।୫।

ବ୍ରହ୍ମଲୋକଙ୍କର ବାସ ତହିଁକି କରିଛି ଆଶ
ବିଚାରି ମନକୁ ଗୋ, ନ ଭଜି ଆନକୁ
କହେ ଭୀମ ଅରକ୍ଷିତ ଶ୍ରୀଗୁରୁ ଯେମନ୍ତେ ସତ୍ୟ
ଭାଗ୍ୟେ ଥିଲେ ଯିବି ତପୋବନକୁ ଗୋ ।୬।

 ପାଲି ଧମ୍ମପଦ (୬୪) ର ଓଡ଼ିଆ  ପଦ୍ୟାନୁବାଦ

୫ ବାଳବଗ୍ଗୋ (ବାଳ ବର୍ଗ)


ବୁଦ୍ଧଙ୍କର ମହାପ୍ରୟାଣର ସ୍ଥାନ କୁଶୀନଗର ଠାରେ ସ୍ଥାପିତ ବୌଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆକମନ୍ସ୍

ଯଦି ମୂର୍ଖ ଜନ କେହି ଜନ୍ମରୁ ମରଣ
ପର୍ଯ୍ୟନ୍ତ ପଣ୍ଡିତ ଲୋକେ କରେ ଉପାସନ ।

ଡଙ୍କି ଯେପରି ଝୋଳର ରସ ନ ଚାଖଇ
ସେହିପରି ବାଳଜନ ଧର୍ମ  ନ ଜାଣଇ ।୫।

ଯାବଜୀବମ୍ପି ଚେ ବାଳୋ ପଣ୍ଡିତଂ ପୟିରୁପାସତି ।
ନ ସୋ ଧମ୍ମଂ ବିଜାନାତି ଦବ୍ବୀ ସୂପରସଂ ଯଥା ।୫।

ଯାବଜ୍ଜୀବମପି ଚେତ୍ ବାଳଃ ପଣ୍ଡିତ‌ଂ ପର୍ଯ୍ୟୂପାସ୍ତେ ।
ନ ସଃ ଧର୍ମ୍ମଂ ବିଜାନାତି ଦର୍ବ୍ୱୀ ସୂପରସଂ ୟଥା ।୫। 

ସ୍ତ୍ରୀଲିଙ୍ଗ ନିର୍ମାଣ


ଜ୍ୟୋତି ନନ୍ଦ


ପୁସ୍ତକ - 'ଦି ଫିମେଲ୍ ୟୁନକ୍'
ପ୍ରଥମ ସଂସ୍କରଣର ମଲାଟ (୧୯୭୦)
ଲେଖିକା - ଜର୍ମେନ୍ ଗ୍ରିଅର୍
(୨୯ ଜାନୁୂଆରୀ ୧୯୩୯- ବର୍ତ୍ତମାନ)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଏଇ ଶୀର୍ଷକ଼ଟି କବି ଓ ନାରୀବାଦୀ ମଲ୍ଲିକା ସେନଗୁପ୍ତଙ୍କର ଗୋଟିଏ ବହିର ମଧ୍ୟ  । ପ୍ରତିବେଶୀ ବଙ୍ଗଳାର ଏଇ ପ୍ରଥିତଯଶା ଲେଖିକା "ସୀତାୟନ" ବୋଲି ଗୋଟିଏ ରାମାୟଣ ଲେଖିଛନ୍ତି । ତାଙ୍କର ଅମର ସ୍ମୃତି ପ୍ରତି ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ନାରୀଟିଏ ଜନ୍ମ ହୁଏ ନାହିଁ, ମାତ୍ର ନାରୀଟିକୁ ଆମେ ନାରୀ କହିଲେ ଯେମିତି ଦେଖୁ ବା ଭାବୁ, ସେମିତି ତାହାକୁ ନିର୍ମାଣ କରାଯାଇଥାଏ ।ଅର୍ଥାତ୍ କଳେବଳେ କଉଶଳେ ସେମାନଙ୍କୁ ଶରୀର ଭିତରେ ବନ୍ଦୀ କରାଯିବାର ଚେଷ୍ଟା ଚାଲିଥାଏ । ଆଉ ସେଥିରେ ଆମେ ବିଶେଷ ଭାବରେ ସଫଳ ।

ନାରୀର ଶ୍ରେଷ୍ଠ ରୂପ ଆମେ କହୁ ମାଆ, ଯାହାର ଏମିତି ଅର୍ଥ ବି ହୋଇପାରିବ ଯେ ନାରୀଟିର ସର୍ବଶ୍ରେଷ୍ଠ ଉପଲବ୍ଧି ହେଉଛି ସନ୍ତାନ ଉତ୍ପାଦନ ଆଉ ସନ୍ତାନର ପାଳନ । ମାଆଟିର ଯୌନତାକୁ ଆମେ ଗ୍ରହଣ କରିପାରୁନାହିଁ, ଯେମିତି ବାପାଟିର ଯୌନତାକୁ ଆମେ ମୋଟାମୋଟି ଭାବେ ଗ୍ରହଣ କରିନେଇଥାଉ । ସାବତ ମାଆଟି ଆମର ପସନ୍ଦ, ସାବତ ବାପ ସେତେ ନୁହଁ । ସେଇଥି ପାଇଁ ନାରୀବାଦୀ ଜର୍ମାନେ ଗ୍ରୀଅର୍ 'ଦି ଫିମେଲ୍ ୟୁନକ୍' ବା 'ଲିଙ୍ଗହୀନା ନାରୀ ବୋଲି ଗୋଟିଏ ସୁନ୍ଦର ବହି ବି ଲେଖିଛନ୍ତି ।

କହିବାକୁ ଗଲେ ସନ୍ତାନ ଜନ୍ମ, ରୂପଚର୍ଯ୍ୟା, ପତି ପରମଗୁରୁ ଲଗାମରେ ବନ୍ଧା ବିବାହର ସାମାଜିକତା ଓ ଯୌନ-ପୁସ୍ତକ ଆଦିରେ ଆମେ ନାରୀକୁ ଶରୀରରେ ବାନ୍ଧିଥାଉ ।

ଷଷ୍ଠ ଦଶକ ମଝିରୁ ଜନ୍ମ ନିୟନ୍ତ୍ରଣ ବଟିକାର ଉଦ୍ଭାବନ ନାରୀକୁ ଶରୀର-ମୁକ୍ତିର ଆନନ୍ଦ ଦେଇଥିଲେ ହେଁ, ଆମେ ପ୍ରସାଧନ ସାମଗ୍ରୀର ବିପଣନରେ ସେମାନଙ୍କୁ ବଶ କରିନେଲୁ । ଆମ ଗଳିର ବାପାମାଆ ମାନେ ହୋଟେଲ୍ କ୍ରାଉନ୍ ସାମ୍ନାରେ କାମ ପାଇବା ଆଶାରେ ହାତବାନ୍ଧି ବସିଥିଲା ବେଳେ ତାଙ୍କର କିଶୋରୀ ଝିଅ ବିଜ୍ଞାପନର ହଳଦିଆ କାଗଜ ଖଣ୍ଡେ ଧରି ବିଶ୍ୱସୁନ୍ଦରୀ ହେବାର ସ୍ୱପ୍ନ ଦେଖିଲା ।

ଯଦି ନାରୀଟିଏ ଆର୍ଥିକ ସ୍ୱଚ୍ଛଳତାକୁ ମାଧ୍ୟମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଲା, ନିଜ ପ୍ରେମକୁ ଲିଭ୍ ଇନ୍ ରେ ରୂପାୟିତ କରିବାକୁ ଚାହିଁଲା, ସେତେବେଳେ ଆମେମାନେ ଲକ୍ଷ ଲକ୍ଷ ଯୌନପୁସ୍ତକ ପ୍ରସ୍ତୁତ କରି ତାହାକୁ ସଂସ୍କୃତିର ବଶବମ୍ବଦା ହେବାପାଇଁ ବାଧ୍ୟ କଲୁ । ସେହି ସବୁ ପୁସ୍ତକରେ ଆପଣଜାଣନ୍ତି ନାରୀଟି ଶାରୀରିକ ଭାବରେ ଚିର ପିପାସୁ ବୋଲି ଚିତ୍ରିତ । ପୁରୁଷ ଯେମିତି ଶରୀର କ୍ଷେତ୍ରରେ ଏକ ଉଦାସୀନ ଧର୍ମଯାଜକ ।

ବାଃ।

ଏବେ ତ ଆମ ହାତରେ ସାଇବର୍ ଜଗତ ଅଛି । ଆମକୁ ଲାଗୁଛି ଯେମିତି ଆରପଟରେ ବିଚରଣ କରୁଛନ୍ତି ଅସଂଖ୍ୟ ଭର୍ଚୁଆଲ୍ ଅସତୀ ।ସେଇ ଅସତୀ ଶବ୍ଦଟିକୁ ମୁଁ ବ୍ୟବହାର କରିବାକୁ ସବୁବେଳେ କୁଣ୍ଠା ପ୍ରକାଶ କରିଥାଏ, ଯେହେତୁ ତାହାର ପୁରୁଷ ସୁଲଭ ବ୍ୟବହାରଯୋଗ୍ୟ ପ୍ରତିଶବ୍ଦ ନାହିଁ ସେଇଥିପାଇଁ । ଆଗରୁ ଶ୍ରୀଯୁକ୍ତ କମଳାକାନ୍ତ ମହାପାତ୍ରଙ୍କ ସେକ୍ରେଟାରୀଏଟ୍ ର ବାବୁଟି ଅଫିସ୍ ସାରିଲା ପରେ ମାଳିସାହିକୁ ଯାଉଥିଲା । ଏବେ କୁଆଡକୁ ଯିବା ଦରକାର ନାହିଁ । ଢେର ରାତି ହେଲେ ଚିନ୍ତକ ହେଉକି ଅଚିନ୍ତକ, ସମସ୍ତେ ସହଜରେ ଭର୍ଚୁଆଲ୍ ଶରୀର ଖୋଜିବେ । ଆଉ ତୃପ୍ତ ହେବେ ନିଜ ଶରୀର କର୍ମରେ । ମୋର ଆଖି କାନ ନାକ ପାଟି ଆଦି ସବୁ ପୁରୁଷାଂଙ୍ଗ ହୋଇଥିଲା କେବଳ ବେଳେ ମୋ'ର ନିର୍ଦ୍ଦିଷ୍ଟ ଗୋଟିଏ ଅଙ୍ଗକୁ କାହିଁକି ପୁରୁଷାଙ୍ଗ କୁହାଯିବ, ବା କୁହାଯାଉଛି, ସେକଥାକୁ ମୁଁ ଏଯାଏଁ ବୁଝିପାରିନାହିଁ । 

ବିଚାର ଆପଣଙ୍କର । ଏ ପ୍ରସଙ୍ଗଟି ବହୁତ ଦୀର୍ଘ । ବହୁତ କଥା ଅଛି । ପରେ ଗପ କରିବା ।

ମୁଁ ମୋର ଶିକ୍ଷକ ଜୀବନର ଏକତୃତୀୟାଂଶ ସମୟ ଝିଅମାନଙ୍କ ସହ ବିତାଇଛି । ମୁଁ ବେଳେବେଳେ ସେମାନଙ୍କୁ ପଚାରେ, ତମ ଘରମାନଙ୍କରେ ନିଷ୍ପତ୍ତି କିଏ ନିଏ, ବାପା ନା ମାଆ ? ଅଧିକାଂଶ ସମୟରେ ସେମାନେ ଖାଲି ହସିଥାଆନ୍ତି । ହସକୁରୀ ଝିଅଟିକୁ ଦେଖିବାକୁ ଭାରି ସୁନ୍ଦର ଲାଗେ । କିନ୍ତ ମୁଁ ତାହା ଭିତରର ବିମର୍ଶର ଭାବଟି ପଢିପାରେ ।

ପରିବାରରେ ପିଲାପିଲି ହେବାର ନିଷ୍ପତ୍ତି କିଏ ନିଏ  ? ନା, ଏଇ ପ୍ରଶ୍ନ ମୁଁ ମୋ' ପିଲାମାନଙ୍କୁ ବୋଧହୁଏ ପଚାରିପାରିବି ନାହିଁ ।

Sunday, August 20, 2017

ମହିମା ଭକ୍ତି କବିତା - 'ଭଜ ଆହେ ଜ୍ୟୋତିନାଦ'


ଭକ୍ତ କବି ଭୀମ ଭୋଇ


ରୁଦ୍ର ବୀଣା : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭଜ ଆହେ ଜ୍ୟୋତିନାଦ କରୁଛି ବୀଣା ଶବଦ
ଶବଦ ଉପରେ ରହିଅଛିଟି ନିର୍ବେଦ । ଘୋଷା ।

ବେଦର ଉପରେ ରହିଅଛିଟି ନିର୍ବେଦ
ନିର୍ବେଦ ଉପରେ ଅଛି ଅଣାକାର ପଦ ।୧।

ଅଣାକାର ପାଦବିନ୍ଦ ଗଳୁଅଛି ମକରନ୍ଦ
ଧ୍ୟାନକରି ସାଧୁଜନେ ପିଅ ମକରନ୍ଦ ।୨।

ଅଲେଖ ଶୂନ୍ୟ ଶବଦ ଶୂନ୍ୟେ କରୁଅଛି ନାଦ
ଶୂନ୍ୟପୁରେ ଦ୍ୱାରୀ ହୋଇଛନ୍ତି ଚାରିବେଦ ।୩।

ଶୂନ୍ୟ ଜ୍ୟୋତି ପାଦମୋଦ ରହିଛନ୍ତି ଛଡବେଦ
ଛଡ ମଣ୍ଡଳରେ ଶୂନ୍ୟ ରୂପ କରି ଭେଦ ।୪।

ଋକ୍ ସାମ ଯଜୁ ଅଥ ତଳ ପାବଚ୍ଛରେ ମୁଦ
ଅଲେଖ ବ୍ରହ୍ମେ ବିଷ୍ଣୁଙ୍କୁ କରିଛନ୍ତି ଭେଦ ।୫।

ଅଭୟ ବ୍ରହ୍ମର ପଦ ଭଜିଣ କରନ୍ତି ମୁଦ
ଭଜୁଛନ୍ତି ନିର୍ବେଦରେ ଭକ୍ତ ଜନ ବୃନ୍ଦ ।୬।

ଶୂନ୍ୟେ ଶୂନ୍ୟେ ବ୍ରହ୍ମନାଦ ରହି ଅନାମିକା ପଦ
ବୀଣାଯନ୍ତ୍ର ଚାଳୁଛନ୍ତି ଅଲେଖ ନିର୍ବେଦ ।୭।

ଅଲେଖ ଅରୂପାନନ୍ଦ ଶୂନ୍ୟେ ରାଉଅଛି ନାଦ
ଲୟ କରି ସାଧୁ ଜନେ ମନକୁ ନିରୋଧ ।୮।

ଧର ନିଷ୍କାମ ନିର୍ବେଦ ମାୟା ଜାଲମାନ ଛେଦ
ଶୂନ୍ୟେ ଜ୍ୟୋତିପାଦ ଚିତ୍ତେ ମନକୁ ମୋଦ ।୯।

ଅଣାକାର ପାଦବିନ୍ଦ ଝରୁଅଛି ମକରନ୍ଦ
ଭଣିଲେ ସେ ଭୀମକନ୍ଧ କବିକୁଳ ଚାନ୍ଦ ।୧୦।