Friday, September 30, 2016

ପୁଞ୍ଜିକୟାଁର ଫକୀର : ଏକ ସମୀକ୍ଷା 




ପାଠୀ, ଦିନନାଥ  । ୨୦୦୪  । ପୁଞ୍ଜିକୟାଁର ଫକୀର  । ମିଡ଼ିଆ ଓଡ଼ିଶା : ଭୁବନେଶ୍ୱର  ।

ଅନେକ ସମୟରେ ହାତକୁ ଏପରି ଖଣ୍ଡିଏ ବହି ଆସେ ଯାହାକୁ ଦେଖି, ପଢ଼ି ସାରିଲାପରେ ମଣିଷ ଖଣ୍ଡେ ସମୟ ଫକାଶ ମାରିବାପାଇଁ ବସେ, ଆଉ ତା’ ପରେ ଇଚ୍ଛା ହୁଏ କୋଡ଼ିଏ ତିରିଶ ଖଣ୍ଡ କିଣି ଆଣି ନିଜ ଭାଇ, ବନ୍ଧୁ, ପ୍ରିୟଜନମାନଙ୍କ ଭିତରେ ବାଣ୍ଟିବାପାଇଁ  । ଧରନ୍ତୁ ଭୁବନେଶ୍ୱରରେ ସଦ୍ୟ ତିଆରି ହେଉଥିବା ପିଚୁ ଓ କଙ୍କ୍ରିଟିର ମରୁଭୂମି ଭିତରେ ରାସ୍ତା କଡ଼ରେ, ୩୦ ଟଙ୍କିଆ ପିଆଜର ଯୁଗରେ ଆପଣ ଗୋଟେ ଠେଲା ଗାଡ଼ିରେ ମୁସୁମୁସିଆ, ଲୁତୁଲୁତିଆ ପିଆଜରେ ତିଆରି ସ୍ୱର୍ଗୀୟ ଦୋପିଆଜି ଗଣ୍ଡାଏ ଖାଇବାକୁ ପାଇଲେ  । କ’ଣ କରିବେ ? ଭାଇ, ବନ୍ଧୁ, କୁଟୁମ୍ବକୁ ଡ଼ାକି / କିଣି ନେଇ ସେ ଦୋପିଆଜି ଖୁଆଇବେ କି ନାହିଁ ? ଏ ବହିଟି ସେ ଜାତୀୟ ପଦାର୍ଥ  । ଖାଲି ନିଜେ ପଢ଼ିଲେ ମନ ପୁରିବ ନାହିଁ  । ଡ଼ାକି ହାକି ତାର ସୁଆଦ ବାଣ୍ଟିବାପାଇଁ ମନ ଡ଼ାକିବ  ।

ବହିଟି ନାଁକୁ ମାତ୍ର ‘ପୁଞ୍ଜିକୟାଁର ଫକୀର' ଅର୍ଥାତ ପ୍ରସିଦ୍ଧ, ଚିତ୍ରକର ଓ କଳା ଐତିହାସିକ ଦୀନନାଥ ପାଠୀଙ୍କର ସ୍ୱର୍ଗବାସୀ ପିତା ଶ୍ୟାମ ପାଠୀଙ୍କର ବିଷୟରେ ଦୀନନାଥ ବାବୁଙ୍କର ସ୍ମୃତିଚାରଣ  । ଶ୍ୟାମ ପାଠୀ ଜାତିରେ ବ୍ରାହ୍ମଣ, ବୃତ୍ତିରେ ଚିତ୍ରକର, ଆଉ ଚିତ୍ତରେ ଓ ଜୀବନରେ କବି; ସେ କାଳର ଜଣେ ‘ସାଧାରଣ’ ଲୋକ, ହେଲେ ନିଜର କବିତ୍ତ୍ୱର ପ୍ରାଣଶୀଳତାରେ; କଳାର ଲୋକାଭିମୁଖତାରେ ଅସାଧାରଣ  । ମାତ୍ର ଅସଲ ଅର୍ଥରେ ଏହା ହଜି ଯାଉଥିବା ଏକ ସମାଜର ରେଖାଚିତ୍ର  । ଆଜିକାଲି ଇତିହାସ ଚର୍ଚ୍ଚାରେ ମାଇକ୍ରୋ-ହିସ୍ଟ୍ରୀ ଅର୍ଥାତ୍ ସ୍ଥାନୀୟ- ଇତିହାସକୁ ନେଇ ଅନେକ କୋଳାହଳ  । ବିଶେଷ କିଛି ହଇଚଇ ନକରି, ତାତ୍ତ୍ୱିକତାର ବିଶେଷ ଆଟୋପ ନଥାଇ ‘ପୁଞ୍ଜିକୟାଁର ଫକୀର’ ବହିଟି ଅନେକ ଦୃଷ୍ଟିରୁ ଗଡ଼ ଦିଗପହଣ୍ଡି ଓ ତାହାର ଆଖପାଖ ଅଞ୍ଚଳର ନିକଟ ଅତୀତର ଏକ ପ୍ରାଣୋଚ୍ଛକ ଆଲେଖ୍ୟ ।

ଭାରତରେ ଇଂରେଜମାନେ ଆସିବା ପୂର୍ବରୁ ତଥା ଇଂରେଜମାନେ ଶାସନ କରୁଥିବା ସମୟରେ ବ୍ରିଟିଶ ତଥା ରାଜରାଜୁଡ଼ା ଶାସନ ଅଞ୍ଚଳରେ ଅନେକ ଶୋଷଣ ତଥା ପ୍ରଶାସନିକ ବ୍ୟଭିଚାର ଥିଲା  । ମାତ୍ର ତା’ସହିତ ସମାଜ ଶାସ୍ତ୍ରୀ ଜେମ୍ସ୍ ସ୍କଟ୍ କହିଲା ଭଳି ‘ୱେପନ୍ସ୍ ଅନ୍ ଦ ୱିକ୍’ ଅର୍ଥାତ୍ ସରକାରୀ ସମ୍ପତ୍ତିର ଖୁଚୁରା ଚୋରୀ, ଗୁଜବ, ସରକାରୀ କର୍ମଚାରୀମାନଙ୍କୁ ହଇରାଣ କରିବା ଇତ୍ୟାଦି ଦୁର୍ବଳର ଅସ୍ତ୍ରମାନ ବ୍ୟବହାରକରି ସାଧାରଣ ଲୋକେ ଅନ୍ୟାୟ ଅନାଚାର ବିରୁଦ୍ଧରେ ଲଢ଼ୁ ମଧ୍ୟ ଥିଲେ  । ଏହି ବହିରେ ମଧ୍ୟ ଆମେ ଏହାର ଉଦାହରଣ ପାଉ । ଭାଲୁ ଶୀକାର ଅଭିଳାଷୀ ଅତ୍ୟାଚାରୀ ‘ଟିପ୍ପଣୀ’ ସାହିବକୁ ଶ୍ୟାମ ପାଠୀଏ ଜଲ୍ଦୀରେ ଠକେଇ ପଶେଇ ଏପରି ଆକ୍ରାନ୍ତ କରି ଛାଡ଼ିଲେ ଯେ ସାହିବ ଓଡ଼ିଶା ଭୁଖଣ୍ଡ ଛାଡି ଛୁ ମାରିଲା । ଶ୍ୟାମ ପାଠୀଏ ଖାଲି ସାହିବମାନଙ୍କୁ ପାଣି ପଆଉ ଥିଲେ ତା’ ନୁହେଁ । ସେ ଖଦଡ଼ ପିନ୍ଧୁଥିଲେ । ଆୟୁର୍ବେଦର ମଧ୍ୟ ପ୍ରସାର କରୁଥିଲେ  ।

କିନ୍ତୁ ଏ ଦେଶିଆ ପଣରେ ଅନ୍ଧ ରକ୍ଷଣଶୀଳତା ନଥିଲା । ବୃତ୍ତିରେ କଳାକାର ଭାବରେ ନାନାପ୍ରକାରର ପରୀକ୍ଷା ସେ ଅବଲୀଳାକ୍ରମେ କରିଯାଉଥିଲେ । ଦିଗପହଣ୍ଡିର ଠାକୁରାଣୀ ଯାତ୍ରା ସମୟରେ ବର୍ଷେ ପାଠୀ ମହାଶୟ କଙ୍କାଳ ଓ କାଠ କଣ୍ଢେଇମାନଙ୍କ ସାହାଯ୍ୟରେ ଏକ ଭୂତକେଳିର ଆୟୋଜନ କଲେ  । ସେହିପରି ଆଉ ଥରେ ଯାତ୍ରା ସମୟରେ ଜିଅନ୍ତା ମଣିଷକୁ ଯୀଶୁଙ୍କ ଆକାରରେ ସଜେଇ, ରଥାଋଢ଼ କରି ଯୀଶୁରଥ ମଧ୍ୟ ବାହାର କରେ  । ଦୀନନାଥ ପାଠୀ ମହାଶୟ କୁହନ୍ତି ଯେ ଏହି ଦୁଇ ପରୀକ୍ଷାକୁ ଆମେ ଓଡ଼ିଶାରେ ଅଧିଷ୍ଠାନ କଳା ତଥା ଅଭିନୟ କଳାର ଆଦ୍ୟ ରୂପ ଭାବରେ ଦେଖିପାରିବା । ମାତ୍ର ଏହା ସହିତ ଆମକୁ ଆମର ଶିଳ୍ପ-ସଂସ୍କୃତର ‘ପାରମ୍ପରିକତା’ ବିଷୟକୁ ମଧ୍ୟ ନୂଆ ଆଖିରେ ଦେଖି ଭାବିବାକୁ ପଡ଼ିବ । ଆମର ପାରମ୍ପରିକ ଶିଳ୍ପ ପରମ୍ପରା ଚିର ପରିବର୍ତ୍ତନଶୀଳ । ଏଣୁ କୌଳିକ ଆଧୁନିକତାର ଆଙ୍ଗିକ ପାଇଁ ଆମକୁ ପଶ୍ଚିମ ଦିଗକୁ ତାଟକା ହୋଇ ଚାହିଁବା ଯେ ଦରକାର ନାହିଁ, 'ପୁଞ୍ଜିକୟାଁର ଫକୀର' ପାଠୀ ମହାଶୟଙ୍କର ପରୀକ୍ଷାମାନ ସେ ବିଷୟରେ ସଚେତନ କରନ୍ତି  ।

ସବୁଠାରୁ ବଡ଼ କଥାହେଲା ଯେ ଅତୀତକୁ ଜାଣିବାପାଇଁ ଇତିହାସ ଯେ ଏକମାତ୍ର ଉପାୟ ନୁହେଁ, ସେ ବିଷୟରେ ଏହି ବହିଟି ଆମକୁ ସଚେତନ କରାଏ  । ଶ୍ୟାମ ପାଠୀ ମହାଶୟ କବିତା ମଧ୍ୟ ଲେଖୁଥିଲେ  । କବିତାର ଭାଷା ଓ ରୂପ ଲୋକାଭିମୁଖୀ ହୋଇଥିବାରୁ ସେହି କବିତା ଗୁଡ଼ିକ ଏବେ ମଧ୍ୟ ଲୋକ ମୁଖରେ ବଞ୍ଚି ରହିଛି  । ହେଲେ ଅଧିକାଂଶ ଲୋକେ କବିତା ଗୁଡ଼ିକର କବି ଜଣକ ଯେ କିଏ, ସେ କଥା ପାଶୋର ଗଲେଣି । କହିବାର ଉପଲକ୍ଷ୍ୟ ହେଲା ଯେ, ଅତୀତକୁ ହେଜିବାର ଏହା ହିଁ ବୋଧହୁଏ ଭାରତୀୟ ଉପାୟ; ଶୈଳ୍ପିକ ହେଲେ ନୈର୍ବ୍ୟକ୍ତିକ  । ଏହି ବହିଟିର ସବୁଠାରୁ ବଡ଼ ଅବଦାନ ହେଲା ଏଇଆ ଯେ ଏହା ଆମ ପାଇଁ ଅତୀତ ନାମକ ଦେଶରୁ ଅନେକ ନିଟୋଳ ପୋଷ୍ଟକାର୍ଡ ପଠାଏ - କାଠ ପଟାରେ ତିଆରି ବସ୍, ବାଉରୀ ମାଇପିମାନଙ୍କଠାରୁ ଗାଳି ଶୁଣିବାର ରସିକତା କରୁଥିବା ଫରେଷ୍ଟ ଗାର୍ଡ, ଅନ୍ଧାରରେ ଆମ୍ବ ଭାଡ଼ି ମହୁ ଫଣାରେ ହାତମାରି କ୍ଷତବିକ୍ଷତ ଭାଲୁ ଓ ଗଞ୍ଜେଇର ରସ କାଟି ନିଗାଡ଼ୁଥିବା ପ୍ରେମକଟାରୀ ଛୁରୀ । 

ବହିଟିର ଅଙ୍ଗେ ଅଙ୍ଗେ ହାସ୍ୟମୟୀ ଚିତ୍ର  । ପ୍ରଚ୍ଛଦଟି ମଧ୍ୟ ଓଡ଼ିଆ ପ୍ରକାଶନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଦାବୀ କରେ  । ପାଠକେ ! ବହିଟିକୁ ଦୟାକରି ଲୋଡ଼ନ୍ତୁ, କିଣନ୍ତୁ, ପଢ଼ନ୍ତୁ ଆଉ ପଢ଼ାନ୍ତୁ  । କିମଧିକମ୍ ।

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ - ୨

ଯେଉଁ ଲୋକଙ୍କ ନାଁ ଗୋଟିଏ ଲେଖାଏଁ ବାକ୍ୟ


ୱିଗ୍-ୱାମ୍ ର ରେଖାଚିତ୍ର 


ଗୋଟିଏ ଜାତିର ଲୋକ ଅଛନ୍ତି ଯେଉଁମାନଙ୍କ ନାଁ ହେଉଛି ଗୋଟିଏ ଲେଖାଁ ବାକ୍ୟ ବା ବାକ୍ୟାଂଶ । ଜଣେ ଲୋକର ନାଁ ହେଉଛି, ‘ସେ ଠିକ ମୁଣ୍ଡର ଖପୁରି ଉପରେ ଆଘାତ କରେ ।’ ଆଉ ଜଣକର ନାଁ ହେଉଛି, ‘ସେ ସେମାନଙ୍କୁ ଖୋଜି ବାହାର କରେ ଓ ମାରି ପକାଏ ।’ ତାଙ୍କ ନାଁ ଯେ ଏତେଗୁଡ଼ାଏ ଭିନ୍ନ ଭିନ୍ନ ଶବ୍ଦ ତାହା ନୁହେଁ, କିନ୍ତୁ ତାଙ୍କ ନାଁର ଅର୍ଥ ଏହିପରି ମଧ୍ୟ ଅବଶ୍ୟ ଏ ଅର୍ଥ ଲୋକଙ୍କର କାର୍ଯ୍ୟକୁ ବୁଝାଏ ନାହିଁ । ଏ ଖାଲି ଗୋଟିଏ ଲେଖାଁ ନାଁ ।

ପୃଥିବୀର ଆର ପାଖରେ ଅର୍ଥାତ ଆମ ଗୋଡ଼ତଳେ ଉତ୍ତର ଓ ଦକ୍ଷିଣ ଆମେରିକା ବୋଲି ଯେଉଁ ଦୁଇଟି ବିଶାଳ ମହାଦେଶ ଅଛି, ଏମାନେ ସେହି ଦେଶର ଲୋକ। ଉତ୍ତର ଆମେରିକାର ପଶ୍ଚିମ ପଟେ ପର୍ବତମାଳା, ପୂର୍ବ ପାଖରେ ପାହାଡ଼, ଉତ୍ତରରେ ଅତି ଥଣ୍ଡା, ପାଇନ୍ ଗଛର ଜଙ୍ଗଲ ଓ ବରଫ, ମଝିରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପିଛି ବିଶାଳ ଗୋଟିଏ ପଡ଼ିଆ - ଯାହାର କଥା ‘ସମଶୀତଳ ଦେଶର ଘାସ ଭୂଇଁ’ରେ ତୁମେ ପଡ଼ିଛ। ଏହାକୁ ପ୍ରେୟାରି କହନ୍ତି ।  

ଦକ୍ଷିଣ ଆମେରିକାର ପଶ୍ଚିମକୁ ଉତ୍ତର ଆମେରିକାର ପର୍ବତମାଳା ଲମ୍ବି ଆସିଛି । ଏ ମହାଦେଶର ଚଉଡ଼ା ଉତ୍ତରଭାଗ ହେଉଛି ‘ଗରମ ଦେଶର ଜଙ୍ଗଲ’ । ତଳକୁ ତଳକୁ ଘାସ ଭୂଇଁ ଅଛି । ଗରମ ଦେଶର ଘାସ ଭୂଇଁ ଭିତରେ ଶାଖା ପ୍ରଶାଖା ମେଲାଇ ଯାଇଛି ପୃଥିବୀର ସବୁଠାରୁ ବଡ଼ ନଦୀ, ଆମେଜୋନ୍ ନଦୀ । ଉତ୍ତର ଆମେରିକାର ମଝିରୁ ଦକ୍ଷିଣକୁ ଚାଲିଯାଇଛି ମିଶୋରି-ମିଶିଶିପି ନଦୀ, - ଯହିଁରେ ଅସଙ୍ଖ୍ୟ ଗଙ୍ଗାନଦୀ ରହିଯାଇପାରିବେ ।

ଏହି ଦୁଇ ଦେଶରେ ଯେଉଁ ଲୋକେ ଅଛନ୍ତି ସେମାନଙ୍କୁ ସାହେବମାନେ କହନ୍ତି ‘ରେଡ଼୍ ଇଣ୍ଡିୟାନ୍’ ବା ‘ଲୋହିତ ଭାରତୀୟ’ । କାରଣ ଏ ଦେଶ ଯେତେବେଳେ ଆବିଷ୍କୃତ ହେଲା ସେମାନେ ଏହାକୁ ଭାରତବର୍ଷ ବୋଲି ସନେ୍ଦହ କରିଥିଲେ । ଏ ଦେଶର ଲୋକେ ପ୍ରକୃତରେ ନାଲି ନୁହନ୍ତି, ସେମାନଙ୍କ ରଙ୍ଗ ତମ୍ବାରଙ୍ଗ ପରି । ଏମାନେ ପୂର୍ବେ ସାରା ଆମେରିକା ବ୍ୟାପି ଥିଲେ । ତା’ପରେ ଇଉରୋପରୁ ଧଳା ଲୋକେ ଆସିଲେ । ନୂଆ ପରିସ୍ଥିତିକୁ ଏମାନେ ଆଦରି ନେଇପାରିଲେ ନାହିଁ । ସାହେବମାନଙ୍କୁ ସେମାନେ ଅତି ଆଦରରେ ପାଛୋଟି ନେଇଥିଲେ, ଡେଇଁ ହାତ ହଲାଇ କିଳିକିଳା ରଡ଼ି ଛାଡ଼ି ଆନନ୍ଦ ଦେଖାଇ ସେମାନଙ୍କୁ ଅଭ୍ୟର୍ଥନା କଲେ । ପରେ ଯେତେବେଳେ ଦେଖିଲେ ଯେ, ସାହେବମାନେ ତାଙ୍କ ଦେଶକୁ ତନ୍ନ ତନ୍ନ କରି ଦେଖି, ପାଦ୍ରୀ ପଠାଇ ଲୋକଙ୍କୁ ବାଗକୁ ଆଣି ଓ ତୋପ ଦେଖାଇ ଦେଶଟାକୁ ନେଇ ଯାଉଛନ୍ତି, ସେତେବେଳଠରୁ ସେମାନେ ଧଳା-ଲୋକଙ୍କର ଶତ୍ରୁ ହୋଇପଡ଼ିଲେ । ସେମାନେ ସାହେବମାନଙ୍କୁ ତାଙ୍କ ଭାଷାରେ କହନ୍ତି ‘ଶେଥାମୁହାଁ’, ଆମେ ଯେପରି କହୁ ‘ଗୋରା’ । ‘ଶେଥା-ମୁହାଁ’ମାନଙ୍କ ସଙ୍ଗେ ଧନୁ, ଛୁରି, କୁରାଢ଼ୀ ଓ ବେପାରୀମାନଙ୍କଠାରୁ କିଣିଥିବା ବନ୍ଧୁକରେ ଯୁଦ୍ଧ କରି ଏମାନେ କ୍ଷୟ ପାଇଗଲେ । ଯୁଦ୍ଧରେ ଯେତେ ନମଲେ, ସେତେ ଲୋକ ମଲେ ରୋଗରେ । ତାଙ୍କ ଖୋଲା ଦେଶରେ ପୂର୍ବେ ବସନ୍ତ-ରୋଗ ଦେଖା ନଥିଲା । ସେ ଆସିଲା ଇଉରୋପର ଲୋକମାନଙ୍କ ସହିତ ; ଏହିପରି ଅନେକ ରୋଗ ଇଉରୋପର ଲୋକେ ଆଣିଲେ । ଏମାନେ ପୂର୍ବେ ମଦ ଖାଉ ନଥିଲେ । ସାହେବମାନେ ସେମାନଙ୍କ ଭିତରେ ‘ନିଆଁ-ପାଣି’ ବା ମଦ ବିକ୍ରି କଲେ । ତହିଁରେ ସେମାନଙ୍କର ଅନିଷ୍ଟ ହେଲା । ଏହିପରି ଏହିପରି ଦୁଇ ଦୁଇଟା ମହାଦେଶ ବ୍ୟାପିଥିବା ଏତେବଡ଼ ଜାତିଟା ପ୍ରାୟ ଧ୍ୱଂସ ପାଇଗଲା । ବର୍ତ୍ତମାନ ଆମେରିକାର ସରକାର ଏମାନଙ୍କୁ ଯତ୍ନରେ ରଖିବାକୁ ଚେଷ୍ଟା କରୁଛନ୍ତି ଓ ଏମାନଙ୍କ ପାଇଁ ଅଲଗା ଜମି ଖଞ୍ଜି ଦେଇଛନ୍ତି । ଏମାନେ ବର୍ତ୍ତମାନ ସବୁଠାରୁ ବେଶୀ ଅଛନ୍ତି ଓକ୍ଲାହାମା ପ୍ରଦେଶରେ । ସେଠି ପ୍ରାୟ ସତୁରି ହଜାର, ‘ଲୋହିତ ଭାରତୀୟ’ ଘର କରିଛନ୍ତି ।

ଏମାନେ ଦିନେ ଆମେରିକାର ବିସ୍ତୃତ ପ୍ରେୟାରି ଭୂଇଁରେ ଛୋଟ ହରିଣ ଶିକାର କରି ବୁଲୁଥିଲେ । ଲୋକେ କହନ୍ତି, ଏମାନେ ଏସିଆର ଲୋକ । ବହୁବର୍ଷ ପୂର୍ବେ ଯେତେବେଳେ ଏସିଆ ଓ ଆମେରିକା ଏକାଠି ଲାଗିଥିଲା, ସେତିକିବେଳେ ଶିକାର କରିବାକୁ ଏମାନେ ଏଠିକୁ ଚାଲି ଆସିଥିଲେ ।
ଏମାନେ ଛୋଟ ଛୋଟ କୁଡ଼ିଆରେ ରହନ୍ତି, ତାକୁ କହନ୍ତି ‘ଉଇଗ୍-ୱାମ୍’ । ଘରର ଗୃହିଣୀକୁ କୁହାଯାଏ ‘ସ୍ତୂ’ ଓ ଗୃହସ୍ଥକୁ କହନ୍ତି ‘ଯୋଦ୍ଧା’। ଏମାନେ ବଡ଼ ଶିକାରୀ ଲୋକ କିନ୍ତୁ ଏମାନେ ଦଳବାନ୍ଧି ରହନ୍ତି, ସର୍ଦ୍ଦାରର କଥା ଶୁଣନ୍ତି । ଏଠି ବଡ଼ ବଡ଼ କାମରେ ହାତଦେବା ପୂର୍ବରୁ ଲୋକେ ଏକାଠି ରୁଣ୍ଡ ହୋଇ ସଭା କରନ୍ତି । କହଳ ବା ଯୁଦ୍ଧ ବନ୍ଦ କରିବାର ହେଲେ ଉଭୟ ପକ୍ଷର ଲୋକେ କୁରାଢ଼ୀକୁ ପୋତି ପକାନ୍ତି ଓ ଏକାଠି ବସି ଧୂଆଁ ପିଅନ୍ତି । 

ନାନାଜାତିର ଚଢ଼େଇର ପକ୍ଷୀକୁ ଏକାଠି ବୁଣି ଏମାନେ ମୁଣ୍ଡରେ ମୁକୁଟ କରି ପିନ୍ଧନ୍ତି ଓ ପଶୁମାନଙ୍କର ଚମଡ଼ା ପିନ୍ଧନ୍ତି । ଏମାନଙ୍କର ଅସ୍ତ୍ର ହେଉଛି ଟୋମାହକ୍ ଅର୍ଥାତ୍ କୁରାଢ଼ୀ । ସେଥିରେ ଏମାନେ ମୁଣ୍ଡର ଖପୁରି ଫଟାଇ ଦିଅନ୍ତି ଓ ଶିକାର ମଧ୍ୟ କରନ୍ତି । ଏ ଲୋକେମାନେ ସବୁ ପ୍ରକାର ଦେହଜୋର ଖେଳରେ ଧୁରନ୍ଧର । ଏମାନଙ୍କ ସଙ୍ଗେ ଦୌଡ଼ି ଜିତିବା ସହଜ ନୁହେଁ । ଜଙ୍ଗଲରେ ବୁଲି ବୁଲି ଏମାନଙ୍କର ବାଟ ଖୋଜିବା ବିଷୟରେ ଅଦ୍ଭୁତଶକ୍ତି ହୋଇଯାଇଛି । ପୁଅମାନେ ପିଲାଦିନୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଶିଖନ୍ତି । ଝିଅମାନେ ମା’ମାନଙ୍କୁ ସାହାଯ୍ୟ କରି ଶିଖନ୍ତି । ଶର ଫୋପାଡ଼ିବାରେ ଏମାନଙ୍କର ଅଦ୍ଭୁତ ଲକ୍ଷ୍ୟ । 

ଏ ଲୋକମାନେ କ୍ୱଚିତ୍ ହସନ୍ତି, ତା’ ବୋଲି ହାସ ପରିହାସ ଭଲ ନ ପାଆନ୍ତି ଏପରି ନୁହେଁ । ଏମାନେ ସ୍ତ୍ରୀ ଓ ପିଲାମାନଙ୍କୁ ଭାରି ଭଲ ପାଆନ୍ତି, ସେମାନଙ୍କର କଥା ଆଗ ଭାବନ୍ତି । ଏମାନେ ଶତ୍ରୁମାନଙ୍କ ଉପରେ ଯେପରି ଦାଉ ସାଧନ୍ତି, ବନ୍ଧୁଟିଏ ପାଇଲେ ଜୀବନ ଦେଇ ତା’ର ଉପକାର କରନ୍ତି । ଏମାନେ ପିଲାମାନଙ୍କୁ ଏତେ ସ୍ନେହ କରନ୍ତି ଯେ, ପିଲାମାନେ ଦୁଷ୍ଟାମି କଲେ ସୁଦ୍ଧା ସେମାନଙ୍କୁ ଦଣ୍ଡ ଦିଅନ୍ତି ନାହିଁ ବା ମାରନ୍ତି ନାହିଁ । ଭେଣ୍ଡା ଭେଣ୍ଡା ପୁଅମାନେ ଶିକାରରୁ ଫେରିଲେ ବାପମାନେ ସେମାନଙ୍କୁ କୁଣ୍ଡାଇ ପକାଇ ଗେଲ କରିବାକୁ ସଙ୍କୋଚ କରନ୍ତି ନାହିଁ ।

ଯଦି ଏମାନେ ବେପାର ପଡ଼ନ୍ତି, ତାହାହେଲେ ବାମ୍ଫରେ ଗାଧୁଅନ୍ତି । ପଶୁ ଚମଡ଼ା ପ୍ରଭୃତି ଝୁଲାଯାଇ ଗୋଟାଏ ଘର ତିଆରି ହୋଇଥାଏ । ରୋଗୀ ତା ଭିତରେ ପଶେ । ତା ଭିତରେ ପାଣି ରହିଥାଏ । ପଦାରୁ ବନ୍ଧୁମାନେ ପଥର ଖଣ୍ଡ ସବୁ ତତାଇ ଭିତରକୁ ଗେଞ୍ଜି ଦିଅନ୍ତି । ସେ ଘରେ ବାମ୍ଫ ଉଠେ । ଏମାନେ ବାମ୍ଫରେ କିଛି ସମୟ ରହିଲା ଉତ୍ତାରୁ ଯାଇ ନଈରେ ଚା ପୋଖରୀରେ ବୁଡ଼ିପଡ଼ି ଆସନ୍ତି । ଏଇ ତାଙ୍କର ଚିକିତ୍ସା ।

ପାଗଲା ଲୋକଙ୍କ ପ୍ରତି ଏମାନଙ୍କର ଭାରି ଦୟା । ଥରେ ଯୁକ୍ତପ୍ରଦେଶର ଜିଓଲୋଜିକାଲ ସର୍ଭେ ବିଭାଗର ବୈଜ୍ଞାନିକ ଅଧ୍ୟାପକ ହେଡ଼େନ୍ ସେ ଦେଶର ପ୍ରଥମ ପରୀକ୍ଷା କରିବାକୁ ଯାଇ ଏ ଲୋକମାନଙ୍କ ହାବୁଡ଼େ ପଡ଼ିଲେ। ସେତେବେଳେ ଆମେରିକାନ୍  ମାନଙ୍କ ସହିତ ଏମାନଙ୍କର ଶତ୍ରୁତା ଥାଏ ।

ଏମାନେ ତାଙ୍କ ପକେଟ ଅଣ୍ଡାଳିଲେ, ଦେଖିଲେ ଖାଲି ଜାତି ଜାତିକା ଖଣ୍ଡ ଖଣ୍ଡ ପଥର ରହିଛି । ତାଙ୍କର ପକେଟରୁ ଗୋଟିଏ ଡବା ବାହାରିଲା ; ତାକୁ ଖୋଲି ଦେଖିଲେ ଯେ, ତହିଁରେ ଖାଲି ଜାତି ଜାତିକା ପୋକ ରହିଛନ୍ତି । ତା ପରେ ସେମାନେ ଭାରି ହସିଲେ, ଅଧ୍ୟାପକଙ୍କୁ ପାଗଳ ଭାବି ତାଙ୍କର ପଥର ଓ ପୋକ ତାଙ୍କୁ ଫେରାଇଦେଇ ବିଦା କରିଦେଲେ ।

ଏମାନେ ବର୍ତ୍ତମାନ ଆଉ ସେତେ ନାହାନ୍ତି । ଏମାନେ ଅତି ପୂର୍ବେ ସଭ୍ୟ ଥିଲେ, ମେକ୍ସିକୋ ଓ ପେରୁ ରାଜ୍ୟରେ ଏମାନଙ୍କର ସଭ୍ୟତା ଅଦ୍ୟାପି ଜଗତର ବିସ୍ମୟ ଉପୁଯାଉଛି । ଏମାନେ ଆଜିକାଲି ସ୍କୁଲ୍ କଲେଜରେ ପଡ଼ିଲେଣି, ମଟର ଚଢ଼ିଲେଣି, ସାହେବି ପୋଷାକ ପିନ୍ଧିଲେଣି । ଏମାନଙ୍କ ଜାତିକୁ ବଞ୍ଚାଇ ରଖିବା ପାଇଁ ଏ ଦେଶର ସରକାର ଅନେକ ପ୍ରକାର ଆଇନ ବାନ୍ଧିଛନ୍ତି ।

ଉତ୍ସ - ୨୦୧୪ ମସିହାର ପୂଜା ସଂଖ୍ୟା ମଲ୍ଲିକା । ଅତିଥି ସମ୍ପାଦନା - କମଳାକାନ୍ତ ମହାପାତ୍ର ।

Thursday, September 29, 2016

ବାଲେଶ୍ୱରର ନାଉରିଆ ଗୀତ


ବାବାରନାମାରେ ବାବରଙ୍କର ସୋଣ ନଦୀ ଅତିକ୍ରମଣର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍  

ନଈ ଯେ ନଈ ମୋର ମା' ଠାକୁରାଣୀ
ଆଖି ତ ପାଉନାହିଁ ଭଅଁର କଳା ପାଣି ।

ଉଠାଇ ଆସୁଛି ମେଘ ମାରୁଛି ବିଜୁଳି 
ହୁଲି ଡଙ୍ଗା ଗୋଟିକ ମୋ' ବଡ଼ ଖରଖରି ।

ବଳ ତ ପାଉନାହିଁ ମା' ଗୋ ଦିଶୁନାହିଁ ବାଟ 
ପଣା ଦେବି ଲୋ ଜାଗୁଳାଇ ଲଗାଇଦେଲେ ଘାଟ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୭


ଅନୁବାଦକ - ଫକୀରମୋହନ ସେନାପତି 


ଯୋଗମୁଦ୍ରାରେ ବୋଧିସତ୍ତ୍ୱ ମଞ୍ଜୁଶ୍ରୀ ଓ ପ୍ରଜ୍ଞାପାରମିତା
ନେପାଳ, ୧୫୭୫
ନର୍ଟନ୍ ସିମନ୍ ମ୍ୟୁଜିଅମ୍ 

ସର୍ବାଣୀନ୍ଦ୍ରିୟକର୍ମାଣି ପ୍ରାଣକର୍ମାଣି ଚାପରେ ।
ଆତ୍ମସଞ୍ଜମୟୋଗାଗ୍ନୌ ଜୁହ୍ନତି ଜ୍ଞାନଦୀପିତେ ।୨୭। 

କେହି କେହି ଯୋଗୀ ଧ୍ୟେୟ ବିଷୟ ଯୋଗରେ । ଉଦ୍ଦୀପିତ ଧ୍ୟାନରୂପ ଅନଳ ଯୋଗରେ ।।
ଜ୍ଞାନେନ୍ଦ୍ରିୟ କର୍ମ କର୍ମେନ୍ଦ୍ରିୟ କର୍ମମାନ । ପ୍ରାଣ ବାୟୁ କର୍ମ କରେ ଆହୁତି ପ୍ରଦାନ ।୨୭।

Wednesday, September 28, 2016

ଲେଉଟିଆ ଶାଗ ମାଛ 


ଚାରି ଜଣଙ୍କ ପାଇଁ 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଛଅ ଖଣ୍ଡ ପେଟି ରୋହି ମାଛ, ତିନିଟା ମଝି ଆକାରର ବିଲାତି ଆଳୁ. ତିନୋଟି ମଝିଆଳିଆ ପିଆଜ, ଦୁଇ ବିଡ଼ା ଲେଉଟିଆ ଶାଗ, ତିନିଟା କଞ୍ଚା ଲଙ୍କା, ଗୋଟି ଚାହା ଚାମଚ ଫୁଟଣ, ଦୁଇ ଚାହା ଚାମଚ ହଳଦୀ ଗୁଣ୍ଡ, କୋଡ଼ିଏ ଗ୍ରାମ୍ ତେଲ, ତିନି ଚାମଚ ଜୀରା, ତିନିଟା ଛୋଟ ଶୁଖିଲା ଲଙ୍କା, ଦୁଇ ଖଣ୍ଡ ଡାଲଚିନି, ଗୁଜୁରାତି ଚାରୋଟି ।

ପ୍ରଣାଳୀ - ପ୍ରଥମେ ଜୀରା, ଶୁଖିଲା ଲଙ୍କା, ଡାଲଚିନି ଓ ଗୁଜୁରାତି କୁ ଅଳପ ନିଆଁରେ ପଲମରେ ଦୁଇ ମିନିଟି ଭାଜି, ଶୁଖିଲା ଗୁଣ୍ଡ କରନ୍ତୁ । 
ତାହା ପରେ ମାଛକୁ ସଫା କରି ଧୁଅନ୍ତୁ ଓ ପାଞ୍ଚ ଗ୍ରାମ୍ ଲୁଣ ଓ ଦଶ ଗ୍ରାମ୍ ହଳଦୀ ଗୋଳାଇ ଦଶ ମିନିଟି ରଖନ୍ତୁ । କରେଇରେ ମାଛ ପକେଇ ଅଳପ ନିଆଁରେ କଡ଼ା ଭାଜନ୍ତୁ । କଡ଼େଇରୁ ମାଛ କାଢ଼ି ତାହା ଦେହରୁ କଣ୍ଟା କାଢ଼ି ଦିଅନ୍ତୁ । 

ଆଳୁକୁ ଚୁନାଚୁନା କରି (ଗୋଟିଏ ବର୍ଗ ସେ.ମି. ଆକାରରେ) କାଟନ୍ତୁ । ପିଆଜକୁ ମଧ୍ୟ ସେହିପରି କାଟନ୍ତୁ । କରେଇରେ ପାଞ୍ଚ ଗ୍ରାମ୍ ତେଲ ଗରମ କରି ସେଥିରେ ଆଳୁ ଓ ପିଆଜ କଟା ପକାଇ ମଝିଆଁ ଆଞ୍ଚରେ ଭାଜନ୍ତୁ ପାଞ୍ଚ ମିନିଟି ଭାଜନ୍ତୁ । ତାହା ପରେ କପେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଆଞ୍ଚ କମାଇ ଦଶ ମିନିଟି ଆଳୁ ପିଆଜ ଦରସିଝା ହେଲା ପର୍ଯ୍ୟନ୍ତ ଭାଜନ୍ତୁ । ତାହା ପରେ ଢାଙ୍କୁଣି ଖୋଲି, ସେଥିରେ କଣ୍ଟାବିହୀନ ମାଛ ପକାଇ ଭାଜନ୍ତୁ । 

ଆଉ ଗୋଟିଏ ଛୋଟ କରେଇରେ ପାଞ୍ଚ ଗ୍ରାମ୍ ତେଲ ଗରମ କରନ୍ତୁ ।  ସେଥିରେ ଫୁଟଣ ପକାଇ କମ ଆଞ୍ଚରେ ଦୁଇ ମିନିଟି ରଖନ୍ତୁ । ଏଥିରେ ମସଲା ଗୁଣ୍ଡ ତକ ପକାଇ ଆହୁରି ଦୁଇ ମିନିଟି ମସଲା ଭାଜି ଅଧା କପ ପାଣି ଦିଅନ୍ତୁ । ଆଉ ଦୁଇ ମିନିଟି ମସଲାକୁ କସି ଏହି କସା ମସଲାକୁ ନେଇ ମାଛ ଓ ଶାଗର ମିଶ୍ରଣରେ ପକାଇ ଦିଅନ୍ତୁ । ଲେଉଟିଆ ଶାଗ ମାଛ ତିଆରି ହୋଇଗଲା । 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୩


ସପ୍ତଚକ୍ର
୧୮୯୯ ମସିହାରେ ବ୍ରଜ ଭାଷାରେ ରଚିତ ଏକ ପାଣ୍ଡୁଲିପିରୁ ଆହୃତ
ବ୍ରିଟିଶ ଲାଇବ୍ରେରୀର ସଙ୍ଗ୍ରହ
ଫଟୋ କ୍ରେଡ଼ିଟ - ୱିକିପିଡିଆ କମନ୍ସ୍ 

ଜୀବାତ୍ମା ପୁରୁଷ ରହି ହୃଦୟ-କମଳେ 
ପେଷେ ପ୍ରାଣବାୟୁ ଉର୍ଦ୍ଧ୍ୱେ ଅପାନକୁ ତଳେ ।

ମୁମୁକ୍ଷୁବରେଣ୍ୟ ନିଜେ ମଧ୍ୟେ ସମାସୀନ
ଦେବରୂପୀ ଇନ୍ଦ୍ରିୟାଦି ଯାହାର ଅଧୀନ ।

ଲାଗିଥାନ୍ତି ନିରନ୍ତର ଆପଣା ବ୍ୟାପାରେ 
ଭୃତ୍ୟଗଣ ଖଟେ ଯଥା ପ୍ରଭୁ ଉପଚାରେ ।

ଦେହେନ୍ଦ୍ରିୟ ପ୍ରାଣ ଆଦି ଆତ୍ମାରୁ ବିଭିନ୍ନ 
ସର୍ବ ପରେ ଆତ୍ମାସ୍ୱାମୀ ସ୍ୱତନ୍ତ୍ର ସ୍ୱାଧୀନ । (ନ.ଉ. ୨।୨।୩୦)

Tuesday, September 27, 2016

ଟିଟିଲାଗଡ଼ର ରସରକେଲି ଗୀତ


ସମ୍ବଲପୁରୀ ନୃତ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ରସରକେଲି ବୋ,
ଧାନ ମାନେ ସିଝାଇଲି ନେଇଁ ହେଲା ବତର
ଚାଉଲ ଅଡ଼େ ମାଗିଗଲିଁ ନେଇଁ ଦେଲେ ଉଧାର
ରହ ରହ ଛୁଆପୁତା ଟିକେ ଥେବ୍ ଧର
କିଏ ଖାଇବ କ୍ଷୀରି ଆଉ କିଏ ଖାଇବ ପୁରୀ 
ଅଡ଼େ ଚାଉଲ୍ କେ ଚାଏର୍ ଟଙ୍କା
କେଶରୀ, ଦେଶ ଗଲା ସରି 
ନକୁଲ୍, ପଏସା ସଁକୁଲ
ଦିନ, ପଏସା ଛିନ
ହେନ୍ତା କଥା ଜାଣିଥିଲେ ବାବୁ କେ
ନେଇଁ ହେଇଥିନ୍ତି ବିହା, କିଆ ଦଗାଦିଆରେ ।

ରସରକେଲି ବୋ 
ପାନି ଗଲା ଖଲ ଖଲ ଟେକିଲା ଜଙ୍ଗଲ
ଘର୍ ଦୁଆରି କଲର୍ କଲର୍ ଡ଼ିଡ଼ୁଆଁ ଥିଲେ ଭଲ
କିଆ ଦଗାଦିଆରେ ।

ରସରକେଲି ବୋ,
କଂସାରୀ ଘରକେ ରାଜ, କହିଦେବୁ ଆଜ
ମୁଡ଼ର ଗରିଆ ଦେଲେ ବିପତ୍ତି ପଡ଼ିବ
ଖାକକୁ ଗରିଆ ଦେଲେ ଖସରି ପଡ଼ିବ 
ଅଣ୍ଟାକୁ ଗୁନୁଚି ଦେଲେ କଣ୍ଟା ହଟିଯିବ
ନାକକୁ ବସନ୍ତୀ ଦେଲେ ନାଗର ଯୁଗେ ଯୁଗେ ଥିବ 
ଲାଲି, ଦେ ଚାହାଲିରେ
କାଦୋପାନି ପୁଢ଼ ଲେଖେ ନନିଗା ମରିବୁ ହନ୍ଦାଲି 
କାଟିଗଲି ଝଲପା କେରି ଗଦାଇଲି ଝାରି
ବାଘଝଲିକେ ଦେଖିଯିବ ବାଗରି ଝାରି ଝାରି 
ବାଏଲ୍ ଛୁଆଁକେ ଗାଧିଯିବ ଆଡ଼୍ ବଏଁଶୀ ଧରି
ସଞ୍ଜବେଲ୍ କେ ବୁଲିଯିବ ଉଁକିଆ ହାତେ ଧରି
ନଲା, ଗରଜିଗଲା ରେ
ଦୁଇହାତେ ଦୁଦି ବିଡ଼ା ଚାଏର୍ ବିଡ଼ା, ଖେଲିମା ଘିଡ଼୍ ଘିଡ଼ା
ଜୁଆ, ସକାଲ୍ ପୁଆରେ ।

ସରିଗଲା ପିଠାପନା ଝରିଗଲା ଚୂପା 
ତୋର୍ ଲାଗି କହ୍ନାଇରେ ହେଲି ନାଁ ପକା 
ଅସମିଆ ବାରିଆଡ଼େ ବାଜିଲା ମୁରଲୀ
କାହାର ବୁଦ୍ଧିକେ ଧରି କହ୍ନାଇ ସବୁ ଦେଲେ ଗାଲି 
ରସ ଧୀରେ ବସରେ
ଲାଲି, ଦେ ଚାହାଲିରେ
ଛନେ ଘଡ଼େ ନାଇଁ ଦେଖ୍-ଲେ ସତେ କାଏଁ 
ଆସ ବଲୁଥିସ, ରସ ଧୀରେ ବସରେ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

Monday, September 26, 2016

ଚିଙ୍ଗୁଡ଼ି ତରକାରୀ


(ଚାରି ଜଣଙ୍କ ପାଇଁ)


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଏକ କିଲୋ ମଝି ଆକାରର ଚିଙ୍ଗୁଡ଼ି, ତେଲ ବଡ଼ ଚାମଚରେ ଆଠ ଚାମଚ (ବା ଅଶୀ ଗ୍ରାମ୍), ମଝି ଆକାରର ଆଳୁ ତିନୋଟି, ଦରପାଚିଲା ଛୋଟ ବିଲାତି ବାଇଗଣ ତିନୋଟି, ଦଶ ଗ୍ରାମ୍ ହଳଦୀ, କୋଡ଼ିଏ ଗ୍ରାମ ଅଦା, ପିଆଜ ଚାରୋଟି, ଚୋପା ଛଡ଼ା ରସୁଣ ଦଶ କୋଲା, ଡାଲଚିନି ଦୁଇ ଖଣ୍ଡ, ଗୁଜୁରାତି ଚାରୋଟି, ପୋସ୍ତ କୋଡ଼ିଏ ଗ୍ରାମ୍, ଜୀରା ଗୁଣ୍ଡ ଦଶ ଗ୍ରାମ୍, ଗୋଟା ଜୀରା ପାଞ୍ଚ ଗ୍ରାମ୍, ଲଙ୍କା ଗୁଣ୍ଡ ପାଞ୍ଚ ଗ୍ରାମ୍, ଚିନି ପାଞ୍ଚ ଗ୍ରାମ୍, ତେଜପତ୍ର ଚାରୋଟି । 

ପ୍ରଣାଳୀ - ପ୍ରଥମେ ଚିଙ୍ଗୁଡ଼ିଗୁଡ଼ିକର ଲାଞ୍ଜ, ମୁଣ୍ଡ ଓ ଗୋଡ଼ ଗୁଡ଼ିକ ଛଡ଼ାଇ ଗରମ ପାଣିରେ ସେଗୁଡ଼ିକୁ ଧୋଇ ଦିଅନ୍ତୁ । ପା଼ଞ୍ଚ ଗ୍ରାମ୍ ହଳଦୀ, ପାଞ୍ଚ ଗ୍ରାମ୍ ଲୁଣ ଚିଙ୍ଗୁଡ଼ିରେ ଗୋଳାଇ ଅଳ୍ପ ତେଲରେ (ଦୁଇ ଚାମଚ ବା କୋଡ଼ିଏ ଗ୍ରାମ୍) ସେଗୁଡ଼ିକୁ ଭାଜି ଅଲଗା ରଖନ୍ତୁ ।

ଅଦାକୁ ଚୋପା ଛଡ଼ାଇ ଛୋଟ ଛୋଟ କରି କାଟନ୍ତୁ । ପିଆଜକୁ ମଝିଆଳିଆ ଖଣ୍ଡ କରି କାଟନ୍ତୁ । ଅଦା, ରସୁଣ ଓ ପିଆଜକୁ ବିନା ପାଣିରେ ବାଟନ୍ତୁ । ପୋସ୍ତ, ଡାଲଚିନି ଓ ଗୁଜୁରାତିକୁ ଅଳ୍ପ ପାଣିରେ ଚିକ୍କଣ କରି ମିକ୍ସିରେ ଅଲଗା ବାଟନ୍ତୁ ।

ବିଲାତି ବାଇଗଣ ଓ ଆଳୁକୁ ମଝିଆଳିଆ ଖଣ୍ଡ କରି କାଟନ୍ତୁ ।

ବାକି ତକ ତେଲ (ଷାଠିଏ ଗ୍ରାମ୍) ଗରମ କରନ୍ତୁ । ତେଲ ଗରମ ହୋଇଗଲେ ସେଥିରେ ପ୍ରଥମେ ଚିନି ପକାନ୍ତୁ । ଚିନି ତରଳି ଗଲେ ସେଥିରେ ଗୋଟା ଜୀରା ଓ ତେଜପତ୍ର ପକାନ୍ତୁ । ଏହାର ଦୁଇ ମିନିଟି ପରେ ଜୀରା ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ, ଏହି କ୍ରମରେ ଅଧ ମିନିଟିଏ ଲେଖା ପରେ ପରେ ଗୋଟିକ ପରେ ଗୋଟିଏ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇବାର ମିନିଟିକ ପରେ ଅଦା, ପିଆଜ, ରସୁଣର ବଟା ମସଲା ପକାଇ କଷନ୍ତୁ । ଏବେ ଆଞ୍ଚ ପୂରା କମ କରିଦେବେ । ଅଳପ ନିଆଁରେ ଦଶ ମିନିଟି କଷନ୍ତୁ । କଷି ହୋଇଗଲେ (ତେଲ ମସଲାରୁ ଛାଡ଼ି ଆସୁଥିବ) ମସଲାରେ କଟା ଆଳୁ ଓ ବିଲାତି ବାଇଗଣ ପକାଇ ଆହୁରି ଦଶ ମିନିଟି କଷନ୍ତୁ । ତାହା ପରେ ଦୁଇ କପ ପାଣି ଦେଇ, କଡ଼େଇକୁ ଘୋଡାଇ ମଝିଆ ଆଞ୍ଚରେ ଦଶ ମିନିଟି ଆଳୁକୁ ସିଝାଇ ଦିଅନ୍ତୁ । ଏହା ପରେ ଢାଙ୍କୁଣି ଖୋଲି ସେଥିରେ ଭଜା ଚିଙ୍ଗୁଡ଼ି ପକାଇ ଦେଇ, ଚାରି କପ ପାଣି ଦେଇ, ଅଳପ ଆଞ୍ଚରେ ପାଞ୍ଚ ମିନିଟି ଛାଡ଼ି ଦିଅନ୍ତୁ । ପାଞ୍ଚ ମିନିଟି ପରେ ପୋସ୍ତ, ଡାଲିଚିନି ଓ ଗୁଜୁରାତି ବଟା ଦେଇ ପାଞ୍ଚ ମିନିଟି ଫୁଟାଇ କଡ଼େଇକୁ ନିଆଁରୁ ଓହ୍ଲାଇ ଦିଅନ୍ତୁ । ଚିଙ୍ଗୁଡ଼ି ତରକାରୀ ତିଆରି ହୋଇଗଲା ।

ଦହି ପଖାଳ


(ଦୁଇ ଜଣଙ୍କ ପାଇଁ)


ଦହି ପଖାଳ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସାମଗ୍ରୀ - ଛଅ କପ ରନ୍ଧା ଉଷୁନା ଭାତ, ପାଞ୍ଚ କପ ପାଣି, ଗୋଟିଏ କପ ସଜ ଦହି, ସୁଆଦ ଅନୁସାରେ ଲୁଣ, ପାଞ୍ଚ ଗ୍ରାମ ଚୋପାଛଡ଼ା ଚୁନଚୁନ କଟା ଅଦା, ଚାମଚେ ଘିଅ, ଅଧ ଚାହା ଚାମଚ ଗୋଟା ଜୀରା, କୋଡ଼ିଏଟି ଭେରେସୁଙ୍ଗ ପତ୍ର, ଶୁଖିଲା ଲଙ୍କା ଗୋଟିଏ ।

ପ୍ରଣାଳୀ - ରନ୍ଧା ଉଷୁନା ଭାତରେ ପାଣି ମିଶାଇ ଭାତର ଟେଳା ଭାଙ୍ଗି ଦିଅନ୍ତୁ । ପାଣି ମିଶାଇ ସାରିଲା ପରେ ସେଥିରେ ଦହି ଗୋଳାଇ ଦିଅନ୍ତୁ । ଛୋଟ କଡ଼େଇରେ ଘିଅ ପକାଇ ଗରମ କରନ୍ତୁ । ଏହା ଉପରେ ପ୍ରଥମେ ଭେରେସୁଙ୍ଗ ପତ୍ର ପକାନ୍ତୁ । ତାହା ପରେ ଅଦା, ଜୀରା ଓ ଲଙ୍କା ଏକା ସାଙ୍ଗରେ ପକାନ୍ତୁ । ଏହି ଛୁଙ୍କ ଓ ଲୁଣକୁ ଭାତ ସହିତ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଦହି ପଖାଳ ବର୍ତ୍ତମାନ ପରସିବା ପାଇଁ ପ୍ରସ୍ତୁତ । 

Saturday, September 24, 2016

ନିମଫୁଲ ବରା 


ନିମ ଫୁଲ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ସାମଗ୍ରୀ - ଦୁଇ କପ ନିମ ଫୁଲ, କୋଡ଼ିଏ ଗ୍ରାମ୍ (ଦୁଇ ଟେବୁଲ ଚାମଚ) ଚାଉଳ ଚୁନା, ଗୋଟିଏ ବଡ଼ ସିଝା ଆଳୁ, ଅଦା ଦୁଇ ଇଞ୍ଚ ଲମ୍ବାରେ ଦୁଇ ଇଞ୍ଚ ଚଉଡ଼ା ଖଣ୍ଡେ, ରସୁଣ ଦଶ କୋଲା, ଲଙ୍କା ଚାରି-ପାଞ୍ଚଟି, ପାଞ୍ଚ ଗ୍ରାମ ବା ଗୋଟିଏ ଚାହା ଚାମଚ ଜୀରା ଗୁଣ୍ଡ, ସୁଆଦ ଅନୁସାରେ ଲୁଣ, ଛାଣିବା ପାଇଁ ତେଲ ।

ପ୍ରକ୍ରିୟା - ଅଦା, ଲଙ୍କା ଓ ଚୋପାଛଡ଼ା ରସୁଣକୁ ଚୁନ୍ ଚୁନ୍ କରି କାଟନ୍ତୁ । ଏହି କଟା ମଲଲାକୁ ସିଝା ଆଳୁ, ନିମ ଫୁଲ, ଜୀରା ଗୁଣ୍ଡ, ଚାଉଳ ଚୁନା ଓ ବାକି ସବୁ ସାମଗ୍ରୀ ସହ ମିଶାଇ ଚକଟନ୍ତୁ । ଛୋଟ ଛୋଟ ଚେପେଟା ବରା କରି ଉଭୟ ପଟ ଭଲକରି ଭାଜି ହେଲା ପର୍ଯ୍ୟନ୍ତ ତେଲରେ ଛାଣନ୍ତୁ । 

Friday, September 23, 2016

ସମ୍ବଲପୁରର କରମା ଗୀତ


ମାଦ୍ରିଦ ନଗରର ଜାତୀୟ ପ୍ରତ୍ନତାତ୍ତ୍ୱିକ ମ୍ୟୁଜିଅମରେ ଥିବା ଚତୁର୍ଥ ଶତାବ୍ଦୀର ମୋଜାଗୀ
ମହାଜାଲ ଧରି ଆସ୍ତିଆନାକ୍ସ ଓ କାଲେନ୍ଦିଓ ଙ୍କର ମଧ୍ୟରେ ଯୁଦ୍ଧ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଅଇଲା ରେ ଭୁଦୋ ମାସ
ରସିଆ ଗଲା ଘସିଆ ପାଶ

ଏ ହାଟେ ଘରି ନାହିଁ ଉଠେ ଗୋ
ପାନ ପୁତାର ବକତ୍ ନାହିଁ ଫୁଟେ 

ଦଶପୁର ଭିତରେ ଚାକ ଗୁରଭେଲି ନଗର ଭିତରେ 
ବାମଣ୍ଡା ବଣାଇ ଗାଙ୍ଗପୁର ଚାରିକତିରେ,

ଯାଇଥିଲି ଗୋ ପହିଲି ପାର ଆଣିଥିଲି ଗୋ ମହାଜାଲ
ସେ ଜାଲେ ପଡ଼ିଲା ଗୋ ସିଙ୍ଗି ମାଛର ଟୁରି

ରାନ୍ଧି ଜାଣିଲେ ଝୋଳ ମିଠା 
ପୁଡ଼ାଇ ଦେଲେ ସିଠା ଗୋ,
ଖପରା ଘରର ମାଖନ ପତର ଖାଇ ଦେଲେ ପୋକ
ଟଙ୍କେ ସକେ ନାଇଁ ଦେଲେ କାଏଁ ବଲବେ ଲୋକ ।

ମାଦଲ ବାଜିଲାରେ ମାଦଲ ବାଜିଲା 
ନୂଆ ଭୁଆସୁଣୀ ଆନନ୍ଦେ ନାଚିଲା,
କବାଟ କିଲିୟା ଲାତେକ ମାରିୟା 
ଭିତରେ ପଶିଲେ ହରି
ରାଧାର ଅଙ୍ଗରେ ହାଲେ ଗାଇଣ 
ଛାତିକୁ ଭିଡ଼ିଲେ ଧରି ।

ଦୂତୀ କାହା ସଙ୍ଗେ ଗଲା 
ମଥୁିରାକୁ ଗଲାବେଳେ କୃଷ୍ଣ ମାରେ ଢ଼େଲା ।
ଗୌନ୍ତିଆ ଘରର ଭାଜି ଶାଗ ଖାଇଦେଲା ପୋକ
ଅଧଲେ ପଏସେ ଦେଉଛ ଯେ କାଏଁ ବଲବେ ଲୋକ ।

ଏ ଘର ଲାଉଫୁଲ ସେ ଘରକୁ ଯାଉ
କରମସାନି ବର ଦେଉଛେ ପିଲାଗୁଟେ ହେଉ,
ଆଗୋ ମା କରମସାନି 
ଅରୁଆ ଚାଉଲ ଦୂବ ଘେନି
ବନ୍ଦାଇବା କରମସାନି,
ଆଜି ତ କରମସାନି ମନ୍ଦାଇ ପୁରେ 
କାଲି ତ କରମସାନି ଗଙ୍ଗାର ତୀରେ । 

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

Thursday, September 22, 2016

ପୁରୀର ଶଗଡ଼ିଆ ଗୀତ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 

ଶଗଡ଼ିଆ ଭାଇ
ଶଗଡ଼ ବୁହାରୁ କି କି ସୁଖ ପାଇ
କାଠିମରା ଭାତ ଲୁଣ ଘେନି ଖାଇ 
ସରୁ ମ ସୁନ୍ଥାଣରେ ବାକୁଲି
ଦଉଡ଼ା ପାରି ଶୋଇ ହୋ ।

ଶଗଡ଼ ବୋହିଯିବୁ ପଶ୍ଚିମ ଦେଶକୁ
ନୀଳଚକ୍ର ବାନାରେ ଏକା ଉଡୁଛି
ପଶ୍ଚିମ ରାଇଜକୁ ହୋ ।

ଆଗରେ ଶଗଡ଼ ବୋହି ଦିହ କଲୁ କ୍ଷୀଣ 
ପଛ ତ ଶଗଡ଼ିଆର ନ ସରଇ ଦିନ
ମଝି ତ ଶଗଡ଼ିଆକୁ କହିବ 
ତାଟିଆ ମଙ୍ଗେ ଲୁଣ ହୋ ହୋ ।

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର କୃତ 'ଓଡ଼ିଆ ଲୋକଗୀତ' । ସାହିତ୍ୟ ଅକାଦେମୀ : ୨୦୧୩ (୧୯୯୪) ।

Wednesday, September 21, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୬


ଅନୁବାଦକ - ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନନ୍ସ୍ 

ଶ୍ରୋତ୍ରାଦୀନୀନ୍ଦ୍ରିୟାଣ୍ୟନ୍ୟେ ସଂୟମାଗ୍ନିଷୁଜୁହ୍ୱତି ।
ଶବ୍ଦାଦୀନ୍ ବିଷୟାନନ୍ୟ ଇନ୍ଦ୍ରିୟାଗ୍ନିଷୁ ଜୁହ୍ୱତି ।୨୬।

ସଞ୍ଜମ ସ୍ୱରୂପ ଅନଳେ । ଶ୍ରୋତ୍ରାଦି ଇନ୍ଦ୍ରିୟ ସକଳେ ।।
ଅନଳ ସ୍ୱରୂପ ଇନ୍ଦ୍ରିୟେ । ଅଥବା ଶବ୍ଦାଦି ବିଷୟେ ।।
ଏ ରୂପ ମଣି ଜ୍ଞାନୀଗଣ । କରନ୍ତି ଆହୁତି ପ୍ରଦାନ ।୨୬। 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୩



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ

ଜୀବାତ୍ମା ପୁରୁଷ ରହି ହୃଦୟ-କମଳେ 
ପେଷେ ପ୍ରାଣବାୟୁ ଉର୍ଦ୍ଧ୍ୱେ ଅପାନକୁ ତଳେ ।

ମୁମୁକ୍ଷୁୂ ବରେଣ୍ୟ ନିଜେ ମଧ୍ୟେ ସମାସୀନ
ଦେବରୂପୀ ଇନ୍ଦ୍ରିୟାଦି ଯାହାର ଅଧୀନ ।

ଲାଗିଥାନ୍ତି ନିରନ୍ତର ଆପଣା ବ୍ୟାପାରେ 
ଭୃତ୍ୟଗଣ ଖଟେ ଯଥା ପ୍ରଭୁ ଉପଚାରେ ।

ଦେହେନ୍ଦ୍ରିୟ ପ୍ରାଣ ଆଦି ଆତ୍ମାରୁ ବିଭିନ୍ନ 
ସର୍ବ ପରେ ଆତ୍ମାସ୍ୱାମୀ ସ୍ୱତନ୍ତ୍ର ସ୍ୱାଧୀନ । (ନ.ଉ. ୨।୨।୩୦)

Tuesday, September 20, 2016

 ପାଲି ଧମ୍ମପଦ (୪୬-୪୭) ର ଓଡ଼ିଆ  ପଦ୍ୟାନୁବାଦ


୩ ଓ ୪ ପୁପ୍ଫବଗ୍ଗୋ (ପୁଷ୍ପ ବର୍ଗ)



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଫେଣୂପମଂ କାୟମିମଂ ବିଦିତ୍ୱା ମରୀଚିଧମ୍ମଂ ଅଭିସମ୍ବୁଧାନୋ ।
ଛେତ୍ୱାନ ମାରସ୍ସ ପପୁପ୍ଫକାନି ଅଦସ୍ସନଂ ମଚ୍ଚୁରାଜସ୍ସ  ଗଚ୍ଛେ । ୩।

ଏହି ଶରୀରକୁ ଫେନ ସମ ଜ୍ଞାନ କରି 
ମରୀଚିକା ପ୍ରକୃତି ଏହାର ବୁଝିପାରି 
ଯେଉଁ ବ୍ୟକ୍ତି ପୁଷ୍ପଯୁକ୍ତ ମାରର ଯେ ଶରେ
ଛେଦନ କରଇ ତାହାକୁ ଅଗ୍ରଭାଗରେ 
ମୃତ୍ୟୁରାଜାର ଅଦର୍ଶନ ହୁଏ ତାହାରେ ।୩।

ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ସୁତ୍ତଂ ଗାମ‌ଂ ମହୋଘୋ'ବ ମଚ୍ଚୁ ଆଦାୟ ଗଚ୍ଛତି ।୪। 

ରାଗାଦି ପୁଷ୍ପମାନଙ୍କୁ ତୋଳୁଥିବା ନର
ବିଶେଷ ଭାବେ ଆସକ୍ତ ମନ ଅଟେ ଯା'ର ।
ମହାଜଳଧାରା ଶୋଇଲା ଗାଁ ନେଲା ପରି
ମୃତ୍ୟୁ ତାକୁ ସେହିପରି ନେଇଯାଏ ଧରି ।୪।

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୨୫


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

ଦୈବମେବାପରେ ୟଜ୍ଞଂ ୟୋଗିନଃ ପର୍ୟ୍ୟୁପାସତେ ।
ବ୍ରହ୍ମଗ୍ନାବପରେ ୟଜ୍ଞଂ ୟଜ୍ଞେନୈବୋପଜୁହ୍ୱତି ।୨୫।

ଥୋକାଏ ଯୋଗୀ ଦେଇ ମନ । କରନ୍ତି ଯଜ୍ଞ ଅନୁଷ୍ଠାନ ।।
ଥୋକେ ବା ପୂର୍ବୋକ୍ତ ପ୍ରକାରେ । ବ୍ରହ୍ମସ୍ୱରୂପ ଅନଳରେ ।।
ଯଜ୍ଞାଦିରୂପ କର୍ମମାନ । କରନ୍ତି ଆହୁତି ପ୍ରଦାନ ।୨୫।

Monday, September 19, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ଦ୍ୱିତୀୟ ବଲ୍ଲୀ : ଶ୍ଲୋକ ୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ସର୍ବବ୍ୟାପୀ ସର୍ବଗାମୀ ସର୍ବ ଅଧିଷ୍ଠାନ
ଉଜ୍ଜଳ ଦ୍ୟୁଲୋକେ ଆତ୍ମା-ରବି ଅଂଶୁମାନ 

ଅନ୍ତରୀକ୍ଷେ ସମୀରଣ ଅନଳ ଅଧ୍ୱରେ 
ସେହି ଏକା ପ୍ରତିଷ୍ଠିତ ବିଶ୍ୱବେଦୀ ପରେ ।

ଉଜ୍ଜ୍ୱଳ ପବିତ୍ର ସୋମଯୋଗ ଶୁଦ୍ଧଧାରେ 
ନରଦେହେ ବରଦେହେ ପ୍ରକାଶ ସଂସାରେ ।

ସତ୍ୟେ ଆତ୍ମା ଅବସ୍ଥିତି ଆକାଶେ ସଞ୍ଚାର 
ବିଶ୍ୱେ ମହାମୁଖେ ଆତ୍ମା ଯଦି ଉପଚାର ।

ଜଳେ ସ୍ଥଳେ ଧରାଧାରେ ହୁଏ ଯେ ଉଦ୍ଭବ
ସରିତ ନିର୍ଝର ମୀନ ମୁକ୍ତ ବ୍ରୀହି ଯବ ।

ସ୍ଥାବର ଜଙ୍ଗମ ଆଦି ଯେତେ ବସ୍ତୁଚୟ 
ସେ ସକଳେ ଏକମାତ୍ର ଆତ୍ମାର ଉଦୟ ।

ସର୍ବଭୂତମୟ କିନ୍ତୁ ସତ୍ୟ ସନାତନ
ଏକ ଅଦ୍ୱିତୀୟ ନିତ୍ୟ ଅପରିବର୍ତ୍ତନ ।

ସର୍ବ ମୂଳଧାରା ସେହି ସକଳ ନିଦାନ 
ତବ ଜିଜ୍ଞାସିତ ବସ୍ତୁ ବ୍ରହ୍ମ ସୁମହାନ ।

ନିଗୁଢ଼ ଏ ବ୍ରହ୍ମତତ୍ତ୍ୱ ସ୍ଥିର କରି ମନ 
କର ନଚିକେତ, ଏହା ହୃଦରେ ଧାରଣ । (ନ.ଉ. ୨।୨।୨୯.୩୦)

Tuesday, September 13, 2016

ଭାଲୁକୁଣୀ ଓଷା ଗୀତ


କାକଟପୁରର ମାଆ ମଙ୍ଗଳା
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଛି ଭାଲୁକୁଣୀ ଛିଇ ଲୋ
ଶୁଖୁଆ ଖାଇଲୁ କିଇ ଲୋ ।

ଭାଲୁକୁଣୀ ପୁଅ ମଲାରେ ସାଆଁଳା ମୂଟା ତଳେ 
ସାଆଁଳା ମୁଟା ଭାଙ୍ଗି ପଇଲା ଭାଲୁକୁଣୀ ଉପରେ ।
କିଏ କଇଲା ବାରଣ କାଲି, ରାତିରେ ସପନ ଦେଖିଲି ।

ଦିଇ ଗୋଡ଼ ଦେଇ ଅଳତା, ରଙ୍ଗ ଧାନ କଳେଇ
ଆମ ଭାଲୁକୁଣୀ ପୁଅ ବେଇଛି କିଏ ନେବ ଖେଳେଇ ?

ବାଟରେ ଦିପଖା ଚୂଲୀ
ଚୂଲୀ ଚାରିପାଖ ଛ'ଟା ଚୁଲୀ, ଦେବତା ଆଇଲେ ଗଲି ।

ପାନ ପତର 
ଆମ ଭାଲୁକୁଣୀ ଖେଳ ଖେଳନ୍ତି ନିଶା ରାତିର ।

ଆମ ଭାଲୁକୁଣୀ ହାତରେ ମୁଦି
ତମ ଭାଲୁକୁଣୀ ଅସଲ ବେଧୀ ।

ଆମ ଭାଲୁକୁଣୀ ନାଇଛି ଚୂଡ଼ି
ତମ ଭାଲୁକୁଣୀ ଖାଏ ମୁଢ଼ି ।

ଗୁଡ଼ିଆ ଘର ଚଟୁ
ଆମ ଭାଲୁକୁଣୀ ଚହଟ ଚିକ୍କଣ ତମ ଭାଲୁକୁଣୀ ଫାଟୁ ।

ଗଡ଼ି ଗଡ଼ି ଗଲା ବେଲ 
ତୁମ ଭାଲୁକୁଣୀ ବଇଠାରେ ନାହିଁ ତେଲ । 

ଉତ୍ସ - ଶ୍ରୀ ପ୍ରସନ୍ନ କୁମାର ମିଶ୍ର ସଙ୍କଳିତ ବହି 'ଓଡ଼ିଆ ଲୋକଗୀତ' । ପ୍ରକାଶକ ସାହିତ୍ୟ ଅକାଦେମି, ନୂଆ ଦିଲ୍ଲୀ । ୨୦୧୩ (୧୯୯୪)

Monday, September 12, 2016

ଗୋପୀନାଥ ମହାନ୍ତିଙ୍କ ଲିଖିତ ଭୂଗୋଳ ପାଠ - ୧


ଯେଉଁ ଦେଶରେ ଲୋକେ ମୁହଁରେ ଚିତା କୁଟନ୍ତି


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଗୋଟିଏ ଜାତିର ଖେଳ ଦେଖିଛ ? ସବୁ ପିଲାଏ ଏକାଠି ଗୋଲ ହୋଇ ବସିବେ, ତାପରେ ସମସ୍ତେ ମୁହଁକୁ ଭ୍ରୁକୁଟି କରି ଦାନ୍ତ ଦେଖାଇ ଆଖି ବୁଲାଇ ମୁହଁକୁ ଏପରି ଭାବରେ କରିବେ, ଯେପରି କି ଯେ ଦେଖିବ ଡରିଯିବ । ଏଣେ ଗର୍ଜନ ଛାଡ଼ୁଥିବେ। ହାତ ଗୋଡ଼ ଦେହ ଟାଙ୍କି ହେଉଥିବ । ଯାହାର ମୁହଁ ସବୁଠାରୁ ଭୟଙ୍କର ଦିଶିବ, ଆଉ ଯାହାର ଗର୍ଜନ ସବୁଠାରୁ ଭୟଙ୍କର ହେବ, ସେହି ଜିତିଲା ବୋଲି ଜାଣିବାକୁ ପଡ଼ିବ ।


ଖେଳ କେବଳ ଖେଳନ୍ତି ସେହିମାନେ, ଯେଉଁମାନଙ୍କୁ ମାଓରି କୁହାଯାଏ । ମାଓରିମାନେ ଏଠୁ ବହୁତ ଦୂରରେ ପ୍ରଶାନ୍ତ  ମହାସାଗରରେ ଥିବା ଏକାଠି ପାଖ ପାଖ ଦୁଇଟି ଦ୍ୱୀପରେ ରହନ୍ତି । ସେ ଦ୍ୱୀପକୁ ନିଉଜିଲାଣ୍ଡ କୁହାଯାଏ । ସେମାନେ କୁହନ୍ତି ଯେ, ସେମାନଙ୍କ ବଂଶ ଯେଉଁ ଲୋକଠାରୁ ଉତ୍ପନ୍ନ ହୋଇଛି, ତାଙ୍କ ନାମ ଥିଲା ମାଉଇ । ସେ ମାଉଇଙ୍କୁ ଭାରି ଯାଦୁବିଦ୍ୟା ଜଣାଥିଲା, ଆଉ ତାଙ୍କର ଶକ୍ତି ଏପରି ଥିଲା ଯେ, ସବୁ ଦେବତା ତାଙ୍କୁ ଡରୁଥିଲେ । ଦିନକର ମାଉଇ ମାଛ ମାରି ଯାଉଛନ୍ତି । ତାଙ୍କର ବନ୍ସି କଣ୍ଟା ଗୋଟିଏ କାଉଁରିହାଡ଼ରେ ତିଆରି । ବନ୍ସି ଡୋର ସମୁଦ୍ର ଭିତରକୁ ବହୁତ ତଳକୁ ଚାଲିଗଲା - ମାଛ ଦେବତାଙ୍କ ଘର ପର୍ଯ୍ୟନ୍ତ। ମାଛ ଦେବତାଙ୍କ ନାମ ଟୋଙ୍ଗାରୋରା । ସେତେବେଳେ ତାଙ୍କ ନାତି ଟୋଙ୍ଗାନି ରାଜୁତି କରୁଥିଲେ। ମାଉଇଙ୍କ ବନ୍ସି କଣ୍ଟା ଯାଇ ଲାଗିଲା ଟୋଙ୍ଗାନିଙ୍କ ରଜା ନଅରର ମୁଣ୍ଡରେ । ମାଉଇ ଟାଣିଲେ । ସମୁଦ୍ରରେ ବଡ଼ ବଡ଼ ଢେଉ ଉଠିଲା, ପାଣି ଦିଭାଗ ହୋଇ ଯାଉଥାଏ । ଟୋଙ୍ଗାନିଙ୍କ ରଜା ନଅର ଆଉ ରାଜ୍ୟ ସବୁଯାକ ପାଣି ଉପରକୁ ଉଠିଆସିଲା । ସେଇ ରାଜ୍ୟ ହେଲା ନିଉଜିଲାଣ୍ଡ । 

ଦ୍ୱିପ ଭାରି ସୁନ୍ଦର। ଦୁଇ ଦ୍ୱୀପ ଭିତରେ ଅଳ୍ପ ଫାଙ୍କ, ମଝିରେ ମେରୁଦଣ୍ଡ ପରି ଧାଡ଼ିଏ ପର୍ବତ ଉତ୍ତରକୁ ଆସି ତଳେ ବେଶୀ ଚଉଡ଼ା ହୋଇ ଚାଲିଯାଇଛି । ନାନାଜାତି ଫୁଲରେ ପୂର୍ଣ୍ଣ ହୋଇଛି । ଏଠି ବହୁତ ମହୁ ମରା ହୋଇ ବିଦେଶକୁ ପଠାଯାଏ । ସବୁଜ ପାହାଡ଼ ଉପରେ ବରଫ ଚିକ୍ ଚିକ୍ କରୁଛି । ଏଠି ବରଫର ନଈ ବିଜୁଳିବେଗରେ ପାହାଡ଼ ଉପରୁ ଛାଡ଼ିଆସୁଛି । ପୃଥିବୀ ତଳୁ ଗରମ ପାଣି ଝରଣା ହୋଇ ବାହାରୁଛି, ସେଠି ଚାଉଳ ପକାଇ ଦେଲେ ଭାତ ହୋଇଯିବ । ଗରମ ପାଣି ପିଚକାରି ମାରିଲା ପରି ଉପରକୁ ଉଠି ପଡ଼ିଯାଉଛି । ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଦିଶୁଛି ହୀରାପରି । ମାଓରିମାନେ ସେଥବରେ ରୋଷେଇ କରନ୍ତି ଆଉ ଗାଧୁଅନ୍ତି । ଜଙ୍ଗଲରେ ଲେମ୍ବୁ ପାଚି ଲାଲ ଦିଶୁଛି । ଲେମ୍ବୁ ବାସନାରେ ଚାରିଆଡ଼ କମ୍ପିଯାଉଛି । ଅସଂଖ୍ୟ ମେଣ୍ଢା, ଛେଳି ଚରି ବୁଲୁଛନ୍ତି । ଜଙ୍ଗଲରେ ମସ୍ତ ବଡ଼ ବଡ଼ ଗଛ, ତା ନାଁ କାଉରି ଗଛ । ଦୁଇହଜାର ବର୍ଷର ପୁରୁଣା କାଉରିଗଛ ଏଠି ଅଦ୍ୟାପି ବଢ଼ୁଛି, କଟାହୋଇ ଜାହାଜର ମାସ୍ତୁଲ ହେଉଛି । ସେ ଗଛରୁ ଅଠା ବାହାରେ, ତହିଁରେ ବାର୍ଣ୍ଣିଶ୍ ତିଆରି ହୁଏ । ଅସଂଖ୍ୟ ନଈ ପାହାଡ଼ରୁ ଦୌଡ଼ି ଦୌଡ଼ି ସମୁଦ୍ରରେ ପଡ଼ିଛି । ସୁଅ ଏତେ ଟାଣ ଯେ, ତହିଁରେ ମେସିନ୍ ଚଳାହୋଇ ବିଜୁଳି ଶକ୍ତି ତିଆରି ହୁଏ ।

ସୁନ୍ଦର ଦେଶରେ ସାହେବମାନେ ଅଛନ୍ତି ପୁଣି ଆଦିମ ଅଧିବାସୀ ମାଓରିମାନେ ଅଛନ୍ତି। ଏମାନେ ବଳୁଆ ଲୋକ, ଅତି ଯୋଦ୍ଧା ଜାତି। ପୂର୍ବେ ଅସଭ୍ୟ ଲୋକେ ନରମାଂସ ଖାଉଥିଲେ। ଏମାନେ ଭୟଙ୍କର ଦିଶିବା ପାଇଁ ମୁହଁଯାକ ଚିତା କୁଟନ୍ତି। ଚିତା କୁଟିବାକୁମୋକୋକରିବା କହନ୍ତି। ଚଢ଼େଇ ହାଡ଼, ମଗରର ଦାନ୍ତ ଗୋଜିଆ ପଥରରେ ଏମାନେମୋକୋହୁଅନ୍ତି।

ଏମାନେ ଯୋଦ୍ଧା ଜାତି। ପାହାଡ଼ ଉପରେ ଏମାନେ ଗାଁ ବସାଉଥିଲେ । ଏମାନେ ଡଙ୍ଗାରେ ଚଢ଼ି, ବର୍ଚ୍ଛା, ଫାର୍ସା, ଧନୁଶର ଧରି ଯୁଦ୍ଧ କରିବାକୁ ଯାଉଥିଲେ । ଯୁଦ୍ଧ ଡଙ୍ଗାରେ ନାଲି ରଙ୍ଗ ବେଳା ହୋଇଥାଏ । ପୁଣି ଭାରି ସୁନ୍ଦର ଖୋଳାଇକାମ ହୋଇଥାଏ । ଯୋଦ୍ଧାମାନେ ଦେହଯାକ ଚିତ୍ର କରିଥାନ୍ତି । ସାହେବମାନେ ଏମାନଙ୍କ ଦେଶକୁ ନେଇଗଲେ । ସେମାନେ ଏମାନଙ୍କ ଉପରେ ଅତ୍ୟାଚାର ମଧ୍ୟ କଲେ । ତେଣୁ ଏମାନେ ୧୮୬୧ ସାଲରୁ ୧୮୭୧ ସାଲ ପର୍ଯ୍ୟନ୍ତ ସାହେବମାନଙ୍କ ତୋପ ବନ୍ଧୁକ ବିରୁଦ୍ଧରେ ନିଜର ପୁରୁଣା ବର୍ଚ୍ଛା, ଖଣ୍ଡା ଧରି ଲଢ଼ିଲେ । ହାରିଲେ , କିନ୍ତୁ ଭାରି ବୀରତ୍ୱ ଦେଖାଇଥିଲେ ।

ଏମାନେ ନାଚିବାକୁ ଭାରି ଭଲ ପାଆନ୍ତି । ତାଙ୍କ ନାଚ ସବୁ ପୂଜାପଦ୍ଧତି ପରି ହୁଏ । ବେଳେବେଳେ ସେ ନାଚ ଭିତର ଦେଇ ମୋନଙ୍କ ବିଗତ ଇତିହାସ ସେମାନେ ଦେଖାନ୍ତି ।

ଗୋଟିଏ ନାଚ ଅଛି, ତା ନାଁ ଡଙ୍ଗା-ନାଚ । ଏଥିରେ ତିରିଶି ଚାଳିଶି ଜଣ ସ୍ତ୍ରୀଲୋକ ଲାଗିଯାଆନ୍ତି । କେତେଜଣ ଏକାଠି ବସି ପଡ଼ନ୍ତି । ସେ ଦଳଟା ହୁଏ ସେମାନଙ୍କର ଡଙ୍ଗା । ତାଙ୍କ ପଛଆଡ଼େ ଅନ୍ୟମାନେ ଠିଆହୋଇ ଦେହକୁ ନାନାପ୍ରକାର ହଲାନ୍ତି, ଫୁଲାନ୍ତି ଆଉ ଝୁଲାନ୍ତି, ଯହିଁରେ ଜଣାପଡ଼ିବ ଯେ ଢେଉ ସବୁ ଉଠୁଛି ପଡ଼ୁଛି । ସେମାନେ ଫ୍ଲାକ୍ସରେ ତିଆରି ଘାଗରା ପିନ୍ଧିଥାନ୍ତି । ଦେହ ହଲାଇଲାବେଳକୁ ସେ ପୋଷାକଗୁଡ଼ିକ, ପାଣି ବାଜିଲାପରି ଚବ୍ ଚବ୍ କରେ । 

ଏମାନେ ଘରର ଖୁଣ୍ଟ ଉପରେ ଅନେକ ପ୍ରକାରର ଭୟଙ୍କର ଛବି ଖୋଳି ଦେଇଥାନ୍ତି । ବଡ଼ ବଡ଼ ଆଖି, ବଡ଼ ବଡ଼ ଦାନ୍ତ, ଏହିପରି । କିନ୍ତୁ ଏମାନଙ୍କର ଦଣ୍ଡଚତ କରିବା ବିଧି ସବୁଠାରୁ ମଉଜି । ଦୁଇଜର ଭେଟା ଭେଟି ହେଲେ ହାତ ଧରାଧରି ହୁଅନ୍ତି, ତାପରେ ନାକକୁ ନାକ ଘସି କେମିତି ଗୋଟିଏ କରୁଣ ଚିକ୍ରାର କରନ୍ତି, - ଏଇ ତାଙ୍କର ଦଣ୍ଡବତ। ମୁହଁକୁ ମୁହଁ ଓଠକୁ ଓଠ ଲଗାଇ ଗେଲ କରିବାକୁ ଏମାନେ ଆଦୌ ପସନ୍ଦ କରନ୍ତି ନାହିଁ । 

ଉତ୍ସ - ୨୦୧୪ ମସିହାର ପୂଜା ସଂଖ୍ୟା ମଲ୍ଲିକା । ଅତିଥି ସମ୍ପାଦନା - କମଳାକାନ୍ତ ମହାପାତ୍ର ।