Saturday, January 18, 2020

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' ୪୪ - ଗୋପନୀୟତା ଓ ପ୍ରକଟ

ଅନୁବାଦକ - ସୁଜାତା ମିଶ୍ର


ମଥୁରା ଶୈଳୀରେ ନିର୍ମିତ ବୁଦ୍ଧ ପ୍ରତିମା 

ବୁଦ୍ଧ କହିଲେ: ''ହେ ଶିଷ୍ୟଗଣ! ତିନୋଟି ପଦାର୍ଥ ଗୋପନୀୟତା ଆବଶ୍ୟକ କରେ । ସେଗୁଡ଼ିକ ହେଲା ପ୍ରେମ ପ୍ରସଙ୍ଗ, ସାଧୁଙ୍କ ବିବେକ ଓ ସତ୍ୟପଥର ସମସ୍ତ ବିକାର ।''

''ହେ ଶିଷ୍ୟଗଣ !  ପ୍ରେମରତ ସ୍ତ୍ରୀମାନେ ଗୋପନୀୟତା ଚାହାନ୍ତି । ହେ ଶିଷ୍ୟଗଣ ! ଯେଉଁ ସାଧୁମାନେ ଜାଣନ୍ତି ଯେ, ସେମାନେ ବିଶେଷ ବିଭୂତିର ଅଧିକାରୀ, ସେମାନେ ମଧ୍ୟ ସେ ସବୁର ଗୋପନୀୟତା ଚାହାନ୍ତି ଓ ପ୍ରଚାରଠାରୁ ଦୂରେଇ ରହିଥା'ନ୍ତି । ହେ ଶିଷ୍ୟଗଣ ! ଯେଉଁ ମନୁଷ୍ୟମାନେ ସତ୍ୟପଥରେ ଚାଲୁ ଚାଲୁ ଭ୍ରଷ୍ଟ ହୁଅନ୍ତି ଅବା ବିକାରଗ୍ରସ୍ତ ହୋଇଥା'ନ୍ତି, ସେମାନେ ମଧ୍ୟ ଗୋପନୀୟତା ଚାହାନ୍ତି ଏବଂ ପ୍ରଚାରଠାରୁ ଦୂରେଇ ରହନ୍ତି ।

''ହେ ଶିଷ୍ୟଗଣ ! ତିନୋଟି ବସ୍ତୁ ସଂସାରରେ ପ୍ରକାଶମୟ ଅଟନ୍ତି ଯାହାଙ୍କୁ ଗୁପ୍ତ ରଖାଯାଇପାରେନା । ସେହି ତିନୋଟି ବସ୍ତୁ କ'ଣ ? 

''ହେ ଶିଷ୍ୟଗଣ ! ଚନ୍ଦ୍ର ସାରା ସଂସାରକୁ ଆଲୋକିତ କରେ, ଏଣୁ ଏହାକୁ ଗୁପ୍ତ ରଖାଯାଇ ପାରେନା । ସେହିପରି ସୂର୍ଯ୍ୟ ଏବଂ ତଥାଗତଙ୍କ ନିବେଦିତ ସତ୍ୟ ଯାହା ସାରା ସଂସାରକୁ ଆଲୋକିତ କରୁଛି ତାହାକୁ ମଧ୍ୟ ଘୋଡ଼ାଇ ରଖାଯାଇ ପାରେନା । ଏହି ତିନୋଟି ବସ୍ତୁ ସଂସାରକୁ ଆଲୋକିତ କରୁଥିବାରୁ ହେ ଶିଷ୍ୟଗଣ ଏମାନଙ୍କୁ ଘୋଡ଼ାଇ ରଖାଯାଇ ପାରେନା । ଏମାନଙ୍କର କୌଣସି ଗୋପନୀୟତା ହିଁ ନଥାଏ ।'' 

ବି.ଦ୍ର ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Tuesday, January 07, 2020

ଯେଉଁମାନେ କୁଳପତି ବନି ପାରିଲେ ନାହିଁ


ଶୈଲେନ ରାଉତରାୟ


ଜଗତସିଂପୁରର ଓଡିଶୋସ୍ଥ ଏକ ବିଦ୍ୟାଳୟର ଫାଟକର ଚିତ୍ର
(ଫଟୋ କ୍ରେଡ଼ିଟ୍ - ପ୍ରୀତିରଞ୍ଜନ ତ୍ରିପାଠୀ: ୱିକିମିଡିଆ କମନ୍ସ୍ ସୂତ୍ରରୁ ପ୍ରାପ୍ତ)

ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ନିଜ ଜୀବନରେ ବହୁତ କିଛି କଲେ । ଜଗତସିଂପୁରର ଗୋଟିଏ ଛୋଟ ଗାଁରୁ ବାହାରି ଆଉ କିଏ ଅଧିକ ବା କଅଣ କରି ପାରନ୍ତା । ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସ୍‌ରୁ କୃଷି ଅର୍ଥନୀତିରେ ପିଏଚ୍‌ଡ଼ି ଉପାଧି, ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପଦ, ସବୁକିଛି ସେ ପାଇଲେ । ଶାସନୀ ବାମୁଣ ପରିବାର, ପୁଣି ଦେଢ଼ ବାଟିଏ ସମ୍ପତ୍ତିର ମାଲିକଙ୍କ ଖାନଦାନି ଭାବରେ ତାଙ୍କର ଆଗକୁ ମାଡ଼ି ଯିବାରେ ମେରିଟ୍ ନିଶ୍ଚିତ ଭାବରେ ଦାୟୀ ଥିଲା । ହେଲେ ସେତେ ମେରିଟ୍ ଆଉ ଅନେକ ପିଲାଙ୍କର ନ ଥିଲା । ସେମାନେ କୁଳପତି ବନି ପାରିଲେ ନାହିଁ । ଆସନ୍ତୁ ସେମାନଙ୍କ ଭିତରୁ ତିନି ଜଣଙ୍କୁ ଟିକିଏ ଟିକିଏ ଜାଣିବା ।

ବିଦ୍ୟାଧର ବାବୁଙ୍କ ସାନ ବେଳେ ଜଣେ ଖଣ୍ଡାୟତ ଜାତିର ପିଲା ତାଙ୍କ ସାଙ୍ଗ ଥିଲେ । ତାଙ୍କ ନାଁ ହେଲା ହରିଆ ଜେନା । ବାପା ରାମ ଜେନା ମୁଲ ଲାଗି ପରିବାର ପାଳୁଥିଲେ । ଦିନେ ପାଗଳ ହୋଇ ସେ ଘର ଛାଡ଼ି ଚାଲି ଗଲେ । ହରିଆଙ୍କ ମା ପେଟ ପୋଷିବା ପାଇଁ ବିଦ୍ୟାଧରଙ୍କ ଘରବାଡ଼ି ଓଳାନ୍ତି, ଜାଳ ଆଣି ଦିଅନ୍ତି, ରୋଷେଇ ପାଇଁ ଜିନିଷପତ୍ର ସଜିଲ କରିଦିଅନ୍ତି, ଧାନ ଉଷାଁନ୍ତି ଓ ଶୁଖାନ୍ତି । ଏତକ କରି ପ୍ରତି ସନ୍ଧ୍ୟାରେ ତାଙ୍କୁ ଶ୍ରମର ମୂଲ୍ୟ ମିଳେ ଅଧ କିଲେ ଚାଉଳ ଆଉ ବର୍ଷକୁ କେତୋଟି ଟଙ୍କା ।

ପ୍ରାଥମିକ ବିଦ୍ୟାଳୟରେ ହରିଆ ବିଦ୍ୟାଧରଙ୍କ ସହ ପଢ଼ୁ ନ ଥିଲେ । ହେଲେ ଘରେ ଥିଲା ବେଳେ ସେ ଥିଲେ ତାଙ୍କର ଚିର ସାଥୀ । ଦୁଇ ଜଣଙ୍କୁ ଆଠ ନଅ ବର୍ଷ ହୋଇଥିବା ବେଳେ ଦିନେ ଦୁହେଁ ଯାକ ମିଶି ଘର ପାଖ ପୋଖରୀ ପାଖରେ କିଆକନ୍ଦା କାଢ଼ୁଥିଲେ । ସେତେବେଳେ ସେମାନଙ୍କୁ ପାଗଳା କୁକୁରଟିଏ ଗୋଡ଼ାଇଲା ଆଉ ହରିଆଙ୍କୁ କାମୁଡ଼ି ଦେଲା । ହେଲେ ଜଳାତଙ୍କ ହେବା ପୂର୍ବରୁ ବିଚରା ହରିଆ ବିନା ଚିକିତ୍ସାରେ ବୋଧହୁଏ ବସନ୍ତରେ ଚାଲିଗଲା । କାରଣ ତା’ର ମେରିଟ୍ ନ ଥିଲା ।

ବିଦ୍ୟାଧରଙ୍କର ଆଉ ଜଣେ ସାଙ୍ଗ ଥିଲେ ଧଡ଼ି ମହାଳିକ । ସେ ପଢ଼ୁଥିଲେ ବିଦ୍ୟାଧରଙ୍କର ଉପର ଶ୍ରେଣୀରେ । ସେ ଅତି ଭଲ ଛାତ୍ର ଥିଲେ । ବିଶେଷତଃ ଗଣିତ ଓ ମାନସାଙ୍କ ତାଙ୍କର ବେଶ୍ ହେଉ ଥିଲା । ସେ କେଉଟ ଜାତିର ପିଲା । ତାଙ୍କ ବାପା ଚୁଡ଼ାକୁଟା, ଶୁଖୁଆ ବିକା ଆଦି କୌଳିକ ବୃତ୍ତି ଅନୁସରଣ କରି ପରିବାର ପ୍ରତିପୋଷଣ କରୁଥିଲେ । ଯେହେତୁ ଅସବର୍ଣ୍ଣ, ସେଥି ପାଇଁ ତାଙ୍କର ମେରିଟ୍ ଆଦୌ ନ ଥିଲା । ତେଣୁ ସେ ପ୍ରାଥମିକ ଶିକ୍ଷା ପରେ ଆଉ ଆଗକୁ ପଢ଼ି ପାରିଲେ ନାହିଁ । ସେ ବି ନିଜ ପରିବାର ପୋଷିବା ପାଇଁ ଚୁଡ଼ା କୁଟି, ଶୁଖୁଆ ବିକି, ଚାଷ କରି ଚଳିଲେ । କୁଳପତି ବନି ପାରିଲେ ନାହିଁ । କାରଣ ତାଙ୍କର ମେରିଟ୍ ନ ଥିଲା ।

ବୃନ୍ଦାବନ ସାହୁ ବୋଲି ଜଣେ ଶୁଣ୍ଢି ପିଲା ବି ବିଦ୍ୟାଧରଙ୍କ ସାଙ୍ଗ ଥିଲେ । କଲ୍ୟାଣପୁର ଗାଁରେ ସ୍କୁଲ ପାଖରେ ତାଙ୍କର ଗୋଟେ ଦୋକାନ ଥିଲା । ପାଠପଢ଼ୁଆ ଜାତିର ପିଲା ନୁହନ୍ତି ତ ! ଏଣୁ ବିଦ୍ୟାଧର ବାବୁ ତାଙ୍କ ଆତ୍ମଜୀବନୀରେ କହିବା ଅନୁସାରେ ବୃନ୍ଦାବନଙ୍କର ପାଠପଢ଼ାରେ ମନ ଲାଗୁ ନ ଥିଲା । ସେ ସାନ ବେଳୁଁ ହିଁ ଦୋକାନରେ ବସି ଗୁରୁଜନମାନଙ୍କୁ ବ୍ୟବସାୟ ଚଳାଇବାରେ ସାହାଯ୍ୟ କରୁଥିଲେ । ଜୀବନଯାକ ସେ ସେହିପରି ଗୋଟିଏ ଛୋଟ ଦୋକାନ ଚଳାଇ ପରିବାର ପାଳିଲେ । ତାଙ୍କର ବି ମେରିଟ୍ ନ ଥିଲା । ସେ ମଧ୍ୟ ବିଚରା କୁଳପତି ବନି ପାରିଲେ ନାହିଁ ।

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।