Saturday, March 31, 2018

କବିତା - 'ଆଉ କେଉଁ ଆଶେ'

ଲକ୍ଷ୍ମୀକାନ୍ତ ମହାପାତ୍ର


'ସୌଗନ୍ଧିକ ପରିଣୟ' ଗ୍ରନ୍ଥରେ ବ୍ୟବହୃତ ଚିତ୍ର (୧୮୨୧ ମସିହା)
ଗ୍ରନ୍ଥକାର - ମହୀଶୂର ମହାରାଜ ମୁମ୍ମଦି କୃଷ୍ଣରାଜ ୱାଡ଼େୟାର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଉ କେଉଁ ଆଶେ ଆସୁଛ ହେ ସଖା
ଆଜି ଏ ରଜନୀ ଶେଷେ,
ସାରିତ ଦେଇଛି ପୂଜାର ସମ୍ଭାର
ନାହିଁ କିଛି ଆଉ ଲେଶେ । (ଘୋଷା)

ସବୁ ରସ ମୋର ଚିପୁଡ଼ି ହୃଦୟ,
ତୁମ ସୁଖ ଲାଗି କରିଅଛି କ୍ଷୟ,
ଅଞ୍ଜଳି ଭରି ସବୁତକ ଫୁଲ
ସମ୍ପିଛି ତବ ଉଦ୍ଦେଶେ ।୧।

ଯେତେକ ଅଶୃ, ଯେତେକ ହାସ୍ୟ,
ଯେତେ ଗୀତ, ଯେତେ ରାଗିଣୀ,
ନିଃଶେଷ କରି ଅଜାଡ଼ି ଦେଇଛି
ପ୍ରତିଦାନ ତା'ର ମାଗିନି;

ତଥାପି ଯେବେଟି ବଳିଅଛି ଆଶା,
ନ ମେଣ୍ଟିଛି ଯେବେ ମୋ ଠେଇଁ ପିପାସା,
ନବରସେ ଭରି ସଜାଇ ଦିଅ ହେ
(ମୋତେ) ପୁଣି ନବ-ବଧୂ ବେଶେ ।

ବି.ଦ୍ର. - ସୃଜନିକା ଅନୁଷ୍ଠାନ ଦ୍ୱାରା ଡିଜିଟାଲକରଣ ହୋଇଥିବା ହାତଲେଖା ପତ୍ରିକା 'କୁଙ୍କୁମ'ର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟା (ଅକ୍ଟୋବର ୧୯୪୮)ରୁ ଆହୃତ । ପତ୍ରିକାଟି ବମ୍ବେରୁ ପ୍ରକାଶିତ ହେଉଥିଲା । ସମ୍ପାଦକ ଥିଲେ ଦେବ ମହାପାତ୍ର । ପରିଚାଳନା ସମ୍ପାଦକ ଥିଲେ ଧୀରେନ୍ ଦାଶ ।

Friday, March 30, 2018

ପାଲି ଧମ୍ମପଦ (୭୪) ର ଓଡ଼ିଆ  ପଦ୍ୟାନୁବାଦ


୧୫ ବାଳବଗ୍ଗୋ (ବାଳ ବର୍ଗ)


ଶ୍ରୀଲଙ୍କାର ଅନୁରାଧାପୁର ସ୍ଥିତ ଅଭୟଗିରି ବିହାର (ୱିକିମିଡିଆ କମନ୍ସ୍)

ଗୃହୀ ତଥା ପ୍ରବ୍ରଜିତ ଏହି ଦୁଇ ଜଣ
ଉଭୟ ମାନନ୍ତୁ ଯାହା ମୋର କୃତ କର୍ମ ।

କୃତ୍ୟ ବା ଅକୃତ୍ୟ ହେଉ ଯେ କୌଣସିଥିରେ
ରୁହନ୍ତୁ ଉଭୟ ଜନ ମୋହରି ବଶରେ ।

ଏପରି ଭାବରେ ମୂର୍ଖ ସଙ୍କଳ୍ପ କରଇ
ଇଚ୍ଛା, ଅଭିମାନ ତା'ର ଏଭଳି ବଢ଼ଇ ।୧୫।

ମମେବ କତମ୍ମଞ୍ଞନ୍ତୁ ଗିହୀ ପବ୍ୱଜିତା ଉଭୋ ।
ମମେବାତିବସା ଅସ୍ସୁ କିଚ୍ଚାକିଚ୍ଚେସୁ କିସ୍ମିଚି ।
ଇତି ବାଳସ୍ସ ସଙ୍କପ୍ପୋ ଇଚ୍ଛାମାନୋ ଚ ବଡ୍ଡତି ।୧୫।

ମମୈବ କୃତଂ ମନ୍ୟନ୍ତାଂ ଗୃହୀ ପ୍ରବ୍ରଜିତା ଉଭୟେ ।
ମମୈବାତିବଶ‌ାଃ ସ୍ୟୁଃ କୃତ୍ୟାକୃତ୍ୟେଷୁ କସ୍ମି‌ଂଶ୍ଚିତ୍ ।
ଇତି ବାଳସ୍ୟ ସଂକଳ୍ପଃ ଇଚ୍ଛା ମାନଶ୍ଚ ବର୍ଦ୍ଧତେ ।୧୫।

Thursday, March 29, 2018

କାର୍ଲ ସାଣ୍ଡବର୍ଗଙ୍କର କବିତା 'ଜହ୍ଲାଦ ଯେତେବେଳେ ଘରକୁ ଫେରେ'

ଅନୁବାଦ ଜ୍ୟୋତି ନନ୍ଦ


କାର୍ଲ ସାଣ୍ଡବର୍ଗ


ଜଣେ ଜହ୍ଲାଦ ମୂଳତଃ କ'ଣ ନେଇ ଭାବି ବସେ
ଯେତେବେଳେ ସେ କାମ ସାରି ରାତିରେ ଫେରୁଥିବ ଘରକୁ ?

ଯେତେବେଳେ ସେ ତାହାର ପତ୍ନୀ ଆଉ ସନ୍ତାନ ସହ
କଫି, ଅଣ୍ଡା ଆଉ ଶୂକରର ମାଂସ ଖାଇ ବସିଥିବ,
ସେମାନେ ଜାଣିବାକୁ ଚାହାଁନ୍ତି କ'ଣ ସାରା ଦିନର କାମର ବର୍ଣ୍ଣନା ?

ସବୁକିଛି ଭଲରେ ଭଲରେ ହେଲା ନା ନାହିଁ ।
ସେମାନେ କ'ଣ ଆଲୋଚନା କରନ୍ତି ଏଇସବୁ କଥା-
ଧର ଆବହାଓୟା, ବେସ୍ ବଲ୍, ରାଜନୀତି
ଆଉ କାଗଜରେ ପ୍ରକାଶିତ ମଜାର କମିକ୍ ଷ୍ଟ୍ରିପ୍
ଆଉ ସିନେମାର କଥା ? ସେମାନେ କ'ଣ ଚାହିଁ ଥାନ୍ତି
ସେହି ହାତକୁ ଯେଉଁ ହାତ କଫି ଢାଳେ ପଟ୍‌ରୁ
ଅଥବା ଶୂକରମାଂସ ଖଣ୍ଡ ଆଉ ଅଣ୍ଡା ଉଠେଇନିଏ ପ୍ଲେଟ୍‌ରୁ ?

ଯଦି ସବାସାନ କହି ଉଠେ, ବାବା, ଚାଲ ଘୋଡା-ଘୋଡା ଖେଳି,
ଏଇ ହେଉଛି ଦଉଡି-ସେତେବେଳେ ସେ କ'ଣ ରସିକତା କରି
କହିପାରେ, ଢେର୍ ଦଉଡି ଦେଖିଛି ଆଜି ଦିନଟି ସାରା ?

ନା କ'ଣ ତାହାର ମୁଁହ ସାରା ଆନନ୍ଦ ଝଲମଲ,
ଯେମିତି ଏଠି ବନ୍ ଫାୟାର୍ ଆଉ ସେ କହି ବସେ,
"ଏ ପୃଥିବୀ ଯେଉଁଠି ଆମେ ରହୁ ଭାରି ଭଲ, ଖାଲି ପୋଷାକୀ"

ଆଉ ଯଦି ସଫେଦ ଚାନ୍ଦଟିର ମୁଁହ ଦେଖାଯାଏ
ଝରକା ଫାଙ୍କରେ,ଯେଉଁଛି ନିଦରେ ଶୋଇଛି ଝିଅ
ଆଉ ଚାନ୍ଦର ଆଲୁଅରେ ଦୀପ୍ତିମୟ ହୋଇଉଠେ
ଶିଶୁର କୁସୁମ କାନ କେଶରାଜି -ସେତେବେଳେ ଜହ୍ଲାଦ
ତାହାହେଲେ କେଉଁଭଳି କାମ କରିଥାଏ ?

ଏହା ହୁଏତ ତାହାପାଇଁ ଖୁବ୍ ସହଜ।
ଅସଲରେ ମୁଁ ମନେ କରେ,ଜହ୍ଲାଦ ପାଇଁ ସବୁ ସହଜ।

ଅନୁବାଦକୀୟ ଟାକା - ଖ୍ୟାତିମାନ ମାର୍କିନ୍ କବି କାର୍ଲ ସାଣ୍ଡବର୍ଗ (୧୮୭୮-୧୯୬୭)। ସମ୍ମାନଜନକ ପୁଲିଜର୍ ପୁରସ୍କାରରେ ତିନିଥର ସମ୍ମାନିତ । ୧୩ ବର୍ଷ ବୟସରେ ସେ ସ୍କୁଲ୍ ଛାଡିଦିଅନ୍ତି । ଦୁଗ୍ଧ ପରିବହନର ଗାଡି ଚାଳକ, ଦର୍ଜି କାମ, ନାପିତ କାମ ଓ ହୋଟେଲ ପରଚାଳକ ଆଦି ବହୁବିଧ କାମ ତାଙ୍କର ଅନୁଭୂତିକୁ ପୁଷ୍ଟ କରିଛି । ଏଇ କବିତାଟି ସାଣ୍ଡବର୍ଗଙ୍କ ଗୋଟିଏ ଅତ୍ୟନ୍ତ ଜନପ୍ରିୟ କବିତା ।

Wednesday, March 28, 2018

ପାଚିଲା ଓଉର ସିଝା ଚଟଣି

ସରୋଜିନୀ ଚୌଧୁରୀ




ପ୍ରଣାଳୀ - ପାଚିଲା ଓଉ ଆଣ । ପାଖୁଡ଼ା ପାଖୁଡ଼ା କାଟି ଛଡ଼ାଅ । ଦରକାର ମୁତାବକ ଛଡ଼ା ଓଉ ନେଇ ଭାତରେ ପକାଅ । ସିଝିଗଲେ ବାହାର କରି ଶୀତଳ ହେବାକୁ ଦିଅ । 

ବର୍ତ୍ତମାନ ଏହାକୁ ଶିଳରେ ଛେଚି ଅଳ୍ପ ଲୁଣ, ଚିନି, ସୋରିଷ ତେଲ ଏବଂ କଞ୍ଚାମରିଚ (ପାଚିଥିଲେ ଆହୁରି ସୁନ୍ଦର) ସରୁ ସରୁ ଲମ୍ବ ଲମ୍ବ କାଟି ଛେଚା ଓଉରେ ମିଶାଅ । ସର୍ବଶେଷରେ ହାଣ୍ଡିଫୁଟା ଭାଜି ଗୁଣ୍ଡା କରି ତହିଁରେ ଗୋଳାଇ ଢାଙ୍କି ରଖ । 

ଏଥିରେ ରସୁଣ ଛେଚି ଦେଇ ପାର (ରୁଚି ଅନୁଯାୟୀ) ।

ଗୁଣାଗୁଣ - କଞ୍ଚା ଓଉର ଗୁଣ ଅମ୍ଳ-ମଧୁର-କଷାୟରସ, ରୁଚିକର, ମୁଖପରିଷ୍କାରର, କଫ-ପିତ୍ତନାଶକ ଏବଂ ଶାନ୍ତି ଓ ଶୂଳ ରୋଗରେ ଉପକାରକ ।

ପାଚିଲା ଓଉର ଗୁଣ - ମଧୁରାମ୍ଳରସ, ଗୁରୁପାକ, ମଳରୋଧକ ଓ ବିଷ ଦୋଷନାଶକ । 


ବି.ଦ୍ର. - ପାଚିଲା ଓଉର ସିଝା ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, March 27, 2018

କୌତୁକ-କୋଳାହଳ-ଚମ୍ପୂର 'ଝ'-ଗୀତ 


କବିବର ହନୁମନ୍ତ ନକଲ ନବିସ


ପକ୍ଷୀମାନଙ୍କୁ ଜଗିଥିବା ବିରାଡ଼ି (୧୧୨୦ ଖ୍ରୀଷ‌୍ଟ ପୂର୍ବ, ମିଶର ଦେଶର କଳା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଝଗଡ଼ି ମାତ୍ରେ ହେଲୁ ରେ ଓଲୁ, ଝୁଣ୍ଟି ଝାମା ଗୋଡ଼ ରଗଡ଼ି ଦେଲୁ । 
ଝିଙ୍କାଝିଙ୍କି କରି ନୋହିବ ଫଳ, ଝାଡ଼ା ହୋଇ ହଟି ଯିବଟି ବଳ ।
ଝୁଙ୍କି ଛାଡ଼ି ଏବେ ମୋ ବୋଲ କର, ଝୁଟା କଥାଟାକୁ ମନେ ନ ଧର ।
ଝୋଟରେ ନିଆ ଲାଗିବା ପ୍ରକାର, ଝାଳବୁହା ସିନା ହୋଇବ ସାର ।
ଝାଞ୍ଜରା ମୁହଁକୁ ନାହିଁ କି ଲାଜ, ଝିଟ ପଣ ଏବେ ଝଟତି ତେଜ ।
ଝୁଣା ପଣା ବଳୀ ମନାସ କଲେ, ଝାଡ଼ଖଣ୍ଡି ଦୟା କରିବେ ଭଲେ ।

ଉତ୍ସ - 'ରସଚକ୍ର' ପତ୍ରିକାର ଦ୍ୱିତୀୟ ବର୍ଷ ଟତୁର୍ଥ ସଙ୍ଖ୍ୟା । ଜ୍ୟେଷ୍ଠ ୧୩୪୧ ସାଲ । (ସୃଜନିକା ସୂତ୍ରରୁ ଉପଲବ୍ଧ) 

Sunday, March 25, 2018

ମହାନଦୀ ଓଡ଼ିଶାର ଗମନାଗମନ ପରିବହନ

ସମ୍ବଲପୁର ପରଠାରୁ ମହାନଦୀ


ପ୍ରାକ-ବ୍ରିଟିଶ ବ୍ରିଟିଶ ଅମଳରେ ପ୍ରାକୃତିକ ଓଡ଼ିଶାର ଗମନାଗମନ ବ୍ୟବସ୍ଥାରେ ମହାନଦୀର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ମହାନଦୀର ତ୍ରିକୋଣଭୂମିରେ ଅବସ୍ଥିତ ସେବେଳର ହରିହରପୁର (ଏବେକାର ଜଗତସିଂହପୁର) ଭାରତରର ପ୍ରଥମ ବ୍ରିଟିଶ ଫ୍ୟାକ୍ଟରି (ବାଣିଜ୍ୟିକ ପେଣ୍ଠ) ଭିତରୁ ଗୋଟିଏ ଏହା ୧୬୩୩ ମସିହାରେ ସ୍ଥାପିତ ହୋଇଥିଲା ଏଥିରୁ ମଧ୍ୟଯୁଗୀୟ ଭାରତରେ ମହାନଦୀର ବାଣିଜ୍ୟିକ ଗୁରୁତ୍ତ୍ୱ ଅନୁମେୟ

ଥମାସ ମୋଟ୍ଟେ ୧୭୬୬ ମସିହାରେ ରିପୋର୍ଟ କରନ୍ତି ଯେ ମହାନଦୀରେ ଡଙ୍ଗାଗୁଡ଼ିକ ତିରିଶି କୁଇଣ୍ଟାଲ ପର୍ଯ୍ୟନ୍ତ ଜିନିଷ ପରିବହନ କରୁଥିଲେ ଜେମସ୍ ଡେଭିଡସନଙ୍କର ଦ୍ୱାରା ଲିଖିତ ଅପ୍ରକାଶିତ ପାଣ୍ଡୁଲିପିଜର୍ନାଲ ଅଫ୍ ରୁଟ ଫ୍ରମ କଟକ ଟୁ ନାଗପୁରରେ ଜଣେ ଅଜ୍ଞାତ ବ୍ରିଟିଶ ପରିବ୍ରାଜକଙ୍କୁ ଆମେ କହିବାର ଶୁଣୁ ଯେ ବନରାସ ଛାଡ଼ିବା ପରେ ସେ ପ୍ରଥମ ପୋତ ସୋନପୁର ପାଖ ବିନିକାରେ ହିଁ ଦେଖିଲେ ମହାନଦୀ କୂଳ ବଡ଼ମୂଳ ତଳ ଅଞ୍ଚଳରେ ସେତେବେଳେ ପୋତମାନେ ସତୁରି କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଓଜନର ମାଲମତା ବୋହିପାରୁଥିଲେ ଏହାର ଆଠ ଦଶନ୍ଧି ପରେ ଉନବିଂଶ ଶତାବ୍ଦୀର ମଧ୍ୟ ଭାଗରେ ପି.ଡବ୍ଲ୍ୟୁ.ଡ଼ି. ବିଭାଗର ରିପୋର୍ଟରୁ ଆମେ ଜାଣୁ ଯେ ମହାନଦୀରେ ଆତଯାତ କରୁଥିବା ଡଙ୍ଗାଗୁଡ଼ିକ ଚାଳିଶିରୁ ୧୪୦ କୁଇଣ୍ଟାଲ ଓଜନର ମାଲ ପରିବହନ କରୁଥିଲେ ହଣ୍ଟରଙ୍କର ଷ୍ଟାଟିଷ୍ଟିକାଲ ଆକାଉଣ୍ଟ୍ରୁ ଏହି ଡଙ୍ଗା ଗୁଡ଼ିକରେ ବୁହାହେଉଥିବା ମାଲମାତାର ଓଜନ ୨୫୦ କୁଇଣ୍ଟାଲ ପାଖାପାଖି ଜଣାଯାଏ



ଅର୍ଥାତ, ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ମହାନଦୀର ନାବିକମାନେ ବହୁ ଓଜନ ବିଶିଷ୍ଟ ମାଲ ପରିବହନ କରିବାରେ ଅଭ୍ୟସ୍ତ ଥିଲେ କଟକର ଉପର ମୁଣ୍ଡରେ ୨୪୦ କିଲୋମିଟର ପର୍ଯ୍ୟନ୍ତ, ଅର୍ଥାତ ବିନିକା ଯାଏଁ, ଛୋଟ ନାବ ଗୁଡ଼ିକ ବର୍ଷ ସାରା ଚଳପ୍ରଚଳ ହୋଇପାରୁଥିଲେ ମହାନଦୀରେ ଯଥେଷ୍ଟ ପାଣି ଥିବା ସମୟରେ ରାୟପୁରର ୩୫ କିଲୋମିଟର ପୂର୍ବରେ ଥିବା ଅରଙ୍ଗ ପର୍ଯ୍ୟନ୍ତ ଡଙ୍ଗାଗୁଡ଼ିକ ଗତି କରିପାରୁଥିଲେ ମାତ୍ର ଛତିଶଗଡ଼ରେ ପ୍ରାୟତଃ ନାବଗୁଡିକରେ ମହାନଦୀର ଶାଖା ନଦୀ ଶେଓନାଥ ଉପକୂଳରେ ସ୍ଥିତ ନନ୍ଦଘାଟ ଠାରେ ହିଁ ମାଲ ଭର୍ତ୍ତି କରାଯାଉଥିଲା ମହାନଦୀ୍ରେ ଯାତ୍ରା ପାଇଁ ନାବିକମାନଙ୍କୁ ବହୁତ କୌଶଳ ପ୍ରୟୋଗ କରିବାକୁ ପଡ଼ୁଥିଲା ମୌସୁମୀ ସମୟରେ ଏହି ଡଙ୍ଗାଗୁଡ଼ିକର ଗତି ଘଣ୍ଟାକୁ ଆଠରୁ ଦଶ କିଲୋମିଟର ଥିଲା ଗ୍ରୀଷ୍ମ କାଳରେ ଏହା ଘଣ୍ଟା ପିଛା ତିନି କିଲୋମିଟରକୁ ଖସି ଆସୁଥିଲା ଏଣୁ ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଯାତ୍ରା ବର୍ଷା ଦିନେ ମାତ୍ର ଚାରି ଦିନରେ ଏବଂ ଅନ୍ୟ ୠତୁରେ ୧୨-୧୫ ଦିନ ପର୍ଯ୍ୟନ୍ତ ସମୟ ନେଉଥିଲା ମହାନଦୀ ଉପରେ ଅବସ୍ଥିତି ଯୋଗୁଁ ହିଁ ସମ୍ବଲପୁର ତଥା ସୋନପୁର ପଶ୍ଚିମ ଓଡ଼ିଶାର ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ ପେଣ୍ଠ ଥିଲେ



ଓଡ଼ିଶା ବିଜୟ ପରେ ଆମେ ଔପନିବେଶିକ ମହଲରେ ଛତିଶଗଡ଼ରୁ ଜିନିଷ ରପ୍ତାନୀ ପାଇଁ ମହାନଦୀର ଗୁରୁତ୍ତ୍ୱ ବିଷୟକ ଅନେକ ଆଲୋଚନା ଆମେ ଶୁଣିବାକୁ ପାଉ ୧୮୬୦ ଦଶକର ପ୍ରାରମ୍ଭରେ ସାର୍ ରିଚାର୍ଡ୍ ଟେମ୍ପଲ ଲେଖନ୍ତି ଯେ ବାର୍ଷିକ ସୋନପୁରକୁ ୨୦୦, କଟକକୁ ୨୦୦, ବିନିକାକୁ ୩୦୫ ସମ୍ବଲପୁରକୁ ୫୦୦ ପାଖାପାଖି ଡଙ୍ଗା ବାଣିଜ୍ୟ ଉଦ୍ଦେଶ୍ୟରେ ଛତିଶଗଡ଼ରୁ ଧାଡ଼ି ଦେଉଥିଲେ ଛତିଶଗଡ଼ରୁ କଟକକୁ ଆସୁଥିବା ମାଲମତାର ଓଜନ ପ୍ରାୟ ୧୯୦୦ ଟନ୍ (୧୫୨, ୫୪୧ ଟଙ୍କା ମୂଲ୍ୟର) କଟକରୁ ଛତିଶଗଡକୁ ଯାଉଥିବା ଜିନିଷର ଓଡନ ପ୍ରାୟ ୯୪୦ ଟନ୍ ( ୭୭,୧୮୭ ଟଙ୍କା ମୂଲ୍ୟର) ଥିଲା ଏହା ଥିଲା ବ୍ରିଟିଶ ଓଡ଼ିଶା ଛତିଶଗଡ଼ ଭିତରେ ମହାନଦୀରେ ବାଣିଜ୍ୟରେ ହିସାବ ମହାନଦୀ ଉପରେ ଘଟୁଥିବା ସ୍ଥାନୀୟ ବାଣିଜ୍ୟ ବୋଧେହୁଏ ପରିମାଣରେ ଏହାର ବହୁ ଗୁଣ ଥିଲା ଯଥା ଅନୁଗୁଳରୁ କଟକ ପର୍ଯ୍ୟନ୍ତ କାଠଗଡ଼ ଭସାଯାଇ ବ୍ୟାବସାୟିକ ଉପଯୋଗ ପାଇଁ ବ୍ୟବହାର କରାଯଉଥିଲା ଏହା ଉପରୋକ୍ତ ଛତିଶଗଡ଼-ବ୍ରିଟିଶ ଓଡ଼ିଶାର ବାଣିଜ୍ୟର ହିସାବରୁ ବାହାରେ



ମହାନଦୀ ଯୋଗୁଁ ହିଁ ଓଡ଼ିଶାର ଆଭ୍ୟନ୍ତରୀଣ ବାଣିଜ୍ୟ ଔପନିବେଶିକ ଶାସନ ଉନବିଂଶ ଶତାବ୍ଦୀର ତୃତୀୟ ଚଉଠ ପର୍ଯ୍ୟନ୍ତ ପାକଳ ହେବା ପର୍ଯ୍ୟନ୍ତ ଏକ ପଶ୍ଚିମ-ଦକ୍ଷିଣପୂର୍ବ କର୍ଣ୍ଣ ଦେଇ, ନଈର ପ୍ରବାହର ସହ ସଙ୍ଘଟିତ ହେଉଥିଲା ବ୍ରିଟିଶ ଶାସନ କଳର ପ୍ରଭାବରେ ରେଳ ଇତ୍ୟାଦି ଫିଟି ଯିବାରୁ ଧିରେ ଧିରେ କଲିକତା ସହିତ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ବଢ଼ିଲା ଆପେକ୍ଷିକ ଭାବରେ ଛତିଶଗଡ଼ ଗଡ଼ଜାତମାନଙ୍କ ସହିତ ବ୍ରିଟିଶ ଓଡ଼ିଶାର ମହାନଦୀ ଦେଇ ଘଟୁଥିବା ବାଣିଜ୍ୟର ଗୁରୁତ୍ୱ ଛିଡ଼ିବାକୁ ଆରମ୍ଭ କଲା ଏହି ବିଷୟରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି



ଗ୍ରନ୍ଥସୂଚୀ

ରବି ଆହୁଜା ୨୦୦୪ ଓପନିଙ୍ଗ ଅପ୍ ଦି କଣ୍ଟ୍ରି? ପ୍ୟାଟର୍ଣ୍ଣସ୍ ଅଫ୍ ସିର୍କୁଲେସନ୍ ଆଣ୍ଡ୍ ପଲିଟିକ୍ସ୍ ଅଫ୍ କମ୍ୟୁନିକେଶନ ଇନ୍ ଅର୍ଲି କଲୋନିଆଲ୍ ଓଡ଼ିଶା ଷ୍ଟଡ଼ିଜ୍ ଇନ୍ ହିଷ୍ଟ୍ରୀ ୨୦() : ୭୩-୧୩୦ ପୃଷ୍ଠା



ଥମାସ ମୋଟ୍ଟେ ୨୦୧୦ ନ୍ୟାରେଟିଭ୍ ଅଫ୍ ଜର୍ଣ୍ଣି ଟୁ ଦି ଡାଇମଣ୍ଡ ମାଇନ୍ସ୍ ଆଟ୍ ସମ୍ଭଲପୁର୍, ଇନ୍ ଦି ପ୍ରୋଭିନ୍ସ୍ ଅଫ୍ ଓଡ଼ିଶା ଫୋର୍ କର୍ଣ୍ଣର୍ସ୍ ୱିଥ୍ ପ୍ରଫୁଲ୍ଲ

ଏଚ୍.ଏଚ୍. ଡଡ୍-ୱେଲ୍ (ସମ୍ପାଦକ) ୧୯୨୯ ଦି କେମ୍ବ୍ରିଜ୍ ହିଷ୍ଟ୍ରୀ ଅଫ୍ ଦି ବ୍ରିଟିଶ୍ ଏମ୍ପାୟାର୍ ଭଲ୍ୟୁମ୍ (୧୪୯୭-୧୮୫୮) କେମ୍ବ୍ରିଜ୍ ୟୁନିଭର୍ସିଟି ପ୍ରେସ୍ : କେମ୍ବ୍ରିଜ୍

ବି.ଦ୍ର. - ଏହି ଲେଖାଟି ମାସିକ ପତ୍ରିକା ସମ୍ଭାବନାର ୨୦୧୭ ମସିହାର ବାର୍ଷିକ ସଙ୍ଖ୍ୟାରେ ପ୍ରକାଶ ପାଇଥିଲା ।