Wednesday, March 27, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୩ -  ବିରୂବା

ଅନୁସୃଜନ - ଜ୍ୟୋତି ନନ୍ଦ


ଭୂବନେଶ୍ୱର ଉପକଣ୍ଠସ୍ଥ ହୀରାପୁରସ୍ଥ ଟଉଷଠି ଯୋଗିନୀ ମନ୍ଦିର (ୱିକିମିଡିଆ କମନ୍ସ୍)

ଥିଲା ଏକ ଶୁଣ୍ଢିଆଣୀ କାମସାଜେ ପ୍ରବେଶିଛି ଘର ଗୋଟା ଦୁଇ,
ସୁସଞ୍ଚ ଗଛରୁ ଘେନା ବକଳେ ସେ ଗୁପତରେ ମଦିରା ରାନ୍ଧଇ ।

ସହଜ ସ୍ଥିତଧୀ ଯେହୁ ଅବିଳମ୍ବେ କରୁଥାଇ ମଦିରା ସେବନ,
ଅଜର ଅମର ହୁଏ, ହୁଏ ଦୃଢ଼ ତା'ର ସମ କେହୁ ବଳବାନ ।

ଗରାଖ ସେ ଦେଖେ ଯେବେ ପ୍ରିୟତମଚିହ୍ନ ଲେଖା ଦଶମଦ୍ୱାରର,
ବାଧାବିଘ୍ନ ତେଜ୍ୟା କରି ଗୁଣବନ୍ତ ନିଜେ ହୁଏ ଆପେ ଆଗୁସାର ।

ଚଉଷଠି ଘଟ ଭରି ବସିଅଛି ଚଉକତି ବିଚିତ୍ର ପସରା,
ସବୁ ଅଛି ନାହିଁ ଖାଲି ଗରାଖର ଫେରିବାର ବାଟ ମୁହଁ ଖୋଲା ।

ନଳ ଏକ ସରୁ ଅତି ତାହା ଦେଇ ମଦ ଯାଏ ଘଟିକା ଭିତର,
ସୁଧୀଜନ ବିରୂବା ଉବାଚ ଅଟେ କାର୍ଯ୍ୟଟିକୁ ତ୍ୱରିତ ନ କର ।

Thursday, March 14, 2019

ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ'ରୁ ଗୀତ - 'ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ'


ଟିତ୍ର - 'ଧୃବ ତାରା' (୧୯୦୨ରେ ଅଙ୍କିତ)
ଚିତ୍ରକର - ଅଲ୍‌ଫୋନ୍ସ୍ ମୁକା (୧୮୬୦-୧୯୩୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବ୍ରହ୍ମସମ ପ୍ରାଣସଖା ନାହିଁ ଆଉ
,
ତା' ପଦ ଚିନ୍ତନେ ମୋର ଦିନ ଯାଉ ।

କୋଟି ଶଶୀ ପ୍ରଭାକର
ଜିଣି ଅସୀମ ସୁନ୍ଦର
ବ୍ରହ୍ମ ପାଦପଦ୍ମ ଦିଶେ ଦାଉ ଦାଉ ।

ସେ ପଦ ମୋ' ଧୃବତାରା
ବରଷଇ ସୁଧାଧାରା
ମୋ' ବିଶ୍ୱାସ-ନେତ୍ର ତହିଁ ଲାଖି ଥାଉ ।

ପ୍ରେମମୟ ହିତକାରୀ
ପାପତାପ ଭୟହାରୀ
ତା' ପ୍ରେମ ସିନ୍ଧୁରେ ପ୍ରାଣ ଅବଗାହୁ ।


ବି.ଦ୍ର. - ଏହି ଗୀତଟି ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ' ପୁସ୍ତକରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୨୬ ମସିହାରେ, କଟକରେ, ବିଶ୍ୱନାଥ କର ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ମୁଦ୍ରକ ହେଲେ ଉତ୍କଳ ସାହିତ୍ୟ ପ୍ରେସ୍ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍‌ସାଇଟ୍ ସୌଜନ୍ୟରୁ ମିଳି ଥିବାରୁ ଆମେ ଅନୁଷ୍ଠାନ ନିକଟରେ କୃତଜ୍ଞ ।

Tuesday, March 12, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୨ - କୁକ୍କୁରି

ଅନୁସୃଜନ - ଜ୍ୟୋତି ନନ୍ଦ


ପଞ୍ଚମ ଖ୍ରୀଷ୍ଟାବ୍ଦର ଜୈନ ପୋଥି 'ଲୋକବିଭାଗ'ର ଚିତ୍ର  (ୱିକିମିଡିଆ କମନ୍ସ୍)
ଏହି ଗ୍ରନ୍ଥରେ ଆମେ ପ୍ରଥମେ 'ଶୂନ'ର ଉଲ୍ଲେଖ ପାଉ

କଇଁଛ ଦୋହନ ପାତ୍ରେ ନ ଥାଇ
ଗଛର ତେନ୍ତୁଳି କୁମ୍ଭୀର ଖାଇ ।

ପ୍ରାଙ୍ଗଣେ ସଂସାର ସ୍ତ୍ରୀ ଶୁନବତୀ
ହଜେ କାନଫୁଲ ସେ ଅଧରାତି ।

ଶଶୁର ଶୋଇଲେ ଜାଗଇ ବହୁ
ଚୋରି କାନଫୁଲ ପାଇବୁ କାହୁଁ ?

ଦିବସରେ ବହୁ କାକକୁ ଡରେ
ରାତି ହେଲେ କାକକମାଣେ ମରେ ।

ଏହି ରୂପେ ଚର୍ଯ୍ୟା କୁକ୍କୁରି ଗାଏ
ପାଠ ଅବଧାନେ ନାହିଁ ଗୋଟିଏ ।

Sunday, March 10, 2019

ନନ୍‌ସେନ୍ସ୍ କବିତା - 'ପ୍ରେମର ପ ବର୍ଗ'

ଜଗନ୍ନାଥ ପ୍ରସାଦ ଦାସ


ଚିତ୍ର - 'ଗୋଲ୍‌ଡେନ୍ ଫେଜଣ୍ଟ୍ ଆଣ୍ଡ୍ କଟନ୍ ରୋଜ୍'
ଚିତ୍ରକର - ସଙ୍ଗ୍ ବ‌ଂଶର ସମ୍ରାଟ ହୁଇଯୋଙ୍ଗ୍ (୧୦୮୨ - ୧୧୩୫)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପଡ଼ୋଶୀ ପରିକ୍ରମା ପ୍ରତୀକ୍ଷା
ପରିଚୟ ହେମପତ୍ର ପରୀକ୍ଷା
ଫୁଲାଫାଙ୍କିଆ ଫଟା କପାଳ
ଫଟୋ ଫାଣ୍ଡି ଫଲିଡ଼ଲ
ବାଇସ୍କୋପ ବାତାୟନ ବାହାନା
ବାପା ବିପଦ ବିଚରା ବଞ୍ଚନା
ଭଗାରିହସା ଭଗ୍ନ ମନୋରଥ
ଭର୍ତ୍ସନା ଭାଳେଣୀ ଭୟାର୍ତ୍ତ
ମୂର୍ଚ୍ଛା ମୃଗୀ ମୋହ ମୌନ
ମାନ୍ଦା ମନଦୁଃଖ ମଦ୍ୟପାନ ।

ବି.ଦ୍ର. - ଏହି କବିତାଟି ପ୍ରଥମେ ୧୯୯୩ ମସିହାରେ ପ୍ରକାଶିତ 'ଆଳୁକୁଚି ମାଳୁକୁଚି' ବହିରୁ ନିଆ ଯାଇଛି । ଲେଖାଟିିର ଏହି ପ୍ରତିଟି ଶିକ୍ଷାସନ୍ଧାନ ସଂସ୍ଥା ୨୦୧୭ ମସିହାରେ ଛପାଇଥିବା ସଙ୍କଳନ 'ଅପରାପର'ରୁ ଆନୀତ ।

Friday, March 08, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧ - ଲୁଇ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶରୀର ବୃକ୍ଷରେ ପାଞ୍ଚଟି ଡାଳ
ଚଞ୍ଚଳ ମନରେ ପ୍ରବେଶ କାଳ ।

ମନ ଦୃଢ଼ କରି ମହାସୁଖ ପାଉ
ଗୁରୁ ପ୍ରାପତ ଉପାୟ ବତାଉ ।

ସବୁ ସମୟ ଯେ ତପସ୍ୟା କରେ
ଦୁଃଖ ଆଉ ସୁଖେ ସିଏ ତ ମରେ ।

ଫେଡ଼ି ଦେଇ ପରିପାଟୀର ଭାର
ଶୂନ୍ୟତା ଡେଣାରେ ହୁଅ ସବାର ।

ଲୁଇ ଭଣେ କରି ଅନେକ ଧ୍ୟାନ
ଦେଖିଛି ଲଭିଛି ସେ ଦିବ୍ୟ ଜ୍ଞାନ ।

Wednesday, March 06, 2019

ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ'ରୁ ଗୀତ - 'ବ୍ରହ୍ମ ଜୟ ଗାଇ ଗାଇ'


ଚିତ୍ର - 'ସ୍ୱାନ୍ ଆଣ୍ଡ୍ ଆଇରିସ୍' (୧୮୮୩)
ଚିତ୍ରକର - ଜେମ୍ସ୍ ହ୍ୱିସ୍ଲର୍ (୧୮୩୪ - ୧୯୦୩)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ବ୍ରହ୍ମ ଜୟ ଗାଇ ଗାଇ
ଚାଲ ସର୍ବେ ଚାଲ ଭାଇ
ପବିତ୍ର ଆନନ୍ଦେ ଧ୍ୟାଇ
ତାଙ୍କରି ଅମୃତ ଧାମ ।

ପ୍ରାଣଗୁରୁ ତାଙ୍କୁ ଜାଣି
ପ୍ରେମ ଭକ୍ତି ଭାବ ଆଣି
ଶୁଣି ତାଙ୍କ ବେଦବାଣୀ
ହୁଅ ସର୍ବେ ପୂର୍ଣ୍ଣକାମ ।

ବିଶ୍ୱାସେ ଦର୍ଶନ କରି
ପରମ ସୁନ୍ଦର ହରି
ତାଙ୍କ ଶ୍ରୀଚରଣ ଧରି
କର ବିନୟେ ପ୍ରଣାମ ।

ବି.ଦ୍ର. - ଏହି ଗୀତଟି ବିଶ୍ୱନାଥ କରଙ୍କ ସଙ୍କଳିତ 'ବ୍ରହ୍ମ ସଙ୍ଗୀତ' ପୁସ୍ତକରୁ ନିଆ ଯାଇଛି । ବହିଟି ପ୍ରଥମେ ୧୯୨୬ ମସିହାରେ, କଟକରେ, ବିଶ୍ୱନାଥ କର ଓ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ମୁଦ୍ରକ ହେଲେ ଉତ୍କଳ ସାହିତ୍ୟ ପ୍ରେସ୍ । ଗ୍ରନ୍ଥଟି ସୃଜନିକା ସଂସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍‌ସାଇଟ୍ ସୌଜନ୍ୟରୁ ମିଳି ଥିବାରୁ ଆମେ ଅନୁଷ୍ଠାନ ନିକଟରେ କୃତଜ୍ଞ ।

Monday, March 04, 2019

ପୁରୀ ଜିଲ୍ଲାରେ ପ୍ରାଥମିକ ଶିକ୍ଷା - ଶ୍ରୀଧର ବାବୁଙ୍କ କାହାଣୀ


ପୁରୀ ଜିଲ୍ଲାର ଧାନକ୍ଷେତ (ୱିକିମିଡିଆ କମନ୍ସ୍)

ଶ୍ରୀଧର ଦାସ କିଏ ଥିଲେ ଏବେ କହିଲେ ଅନେକ ଲୋକେ ଜାଣି ନ ପାରନ୍ତି । ଅନେକଙ୍କ ପାଇଁ ତାଙ୍କର ପରିଚୟ ହେଲା ସେ ଲେଖକ ଜଗନ୍ନାଥ ପ୍ରସାଦ ଦାସଙ୍କର ବାପା । ହେଲେ ଓଡ଼ିଶାର ଜନଜୀବନ ପ୍ରତି ଶ୍ରୀଧର ବାବୁଙ୍କର ବହୁଳ ଅବଦାନ ରହିଛି । ଏବେ ଯଦିଓ ସେ ଓଡ଼ିଆ ସାହିତ୍ୟରେ ତାଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ ପାଇଁ ଜଣାଶୁଣା, ଓଡ଼ିଆ ସମାଜ ପ୍ରତି ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେଲା, କିଶୋର ପାଠକଙ୍କ ପାଇଁ ‘ବିଶ୍ୱ ସାହିତ୍ୟ ଗ୍ରନ୍ଥମାଳା’ ସିରିଜ୍‌ରେ ଅନେକ ଲୋକପ୍ରିୟ ବିଦେଶୀ ବହିର ଓଡ଼ିଆରେ ସଂକ୍ଷିପ୍ତ ଅନୁବାଦ ଯୋଗେ ସାହିତ୍ୟ ସୃଷ୍ଟି କରିବା । ଏହା ଛଡ଼ା ଏ ରାଜ୍ୟରେ ଶିକ୍ଷା ବିଭାଗର ଜଣେ କର୍ମକର୍ତ୍ତା ଭାବରେ ମଧ୍ୟ ସେ ଅନେକ କିଛି ଉପାଦେୟ କାମ କରି ଯାଇ ଅଛନ୍ତି ।

ଶ୍ରୀଧର ଦାସଙ୍କର ଜନ୍ମ ୧୯୦୧ ମସିହାର ଅକ୍ଟୋବର ଚାରି ତାରିଖରେ । ପିତା ଥିଲେ ଚାଟଶାଳୀରେ ପାଠ ପଢ଼ି ଥିବା ଜଣେ ଦରିଦ୍ର ନିମ୍ନ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ଏହା ଛଡ଼ା ତାଙ୍କୁ ଜ୍ୟୋତିଷ ଓ ବଇଦ ବିଦ୍ୟା ମଧ୍ୟ କିଛିକିଛି ଜଣା ଥିଲା । ଶ୍ରୀଧର, ବାପା ଅଧ୍ୟାପନା କରୁଥିବା ଏହି ଗାଁ ସ୍କୁଲରେ ହିଁ ପାଞ୍ଚ ଛଅ ବର୍ଷ ବୟସରେ ପାଠପଢ଼ା ଆରମ୍ଭ କଲେ । ହେଲେ ବିଦ୍ୟାରମ୍ଭ କର୍ମ ହେଲା, ସ୍କୁଲରେ ପାଠପଢ଼ା ଆରମ୍ଭ କରିବାର ତିନି ଚାରି ବରଷ ପରେ ଯାଇଁ । ପରିବାରର ପୁରୋହିତ ବିକେଇ ତିହାଡ଼ି କିଛି ଇଆଡ଼ୁ ସିଆଡ଼ୁ ମନ୍ତ୍ର ପଢ଼ି ପୂଜା କଲେ । ତାହା ପରେ ତଳେ ‘ସିଧୀରସ୍ତୁ’ ଲେଖି ଦେଲେ । ଶ୍ରୀଧରଙ୍କୁ ଏହା ଉପରେ ମଡ଼ାଇବାକୁ ପଡ଼ିଲା ଆଉ ତାହା ପରେ ଗାଁର ଦିଅଁ ବିନାୟକଙ୍କ ପାଖରେ ନଡ଼ିଆ ଭୋଗ ଯାଚନା କରା ଗଲା ।

ଶ୍ରୀଧରଙ୍କ ଘରୁ ବାପାଙ୍କ ସ୍କୁଲଟି ଅଧ ମାଇଲିଏ ବାଟ । ବାପା ଥାଆନ୍ତି ଏହି ବିଦ୍ୟାଳୟରେ ଏକମାତ୍ର ଶିକ୍ଷକ । ଏହି ନି.ପ୍ରା. ଇସ୍କୁଲରେ ନାଁ ତ ଲେଖାଇ ଥାଆନ୍ତି ପଚିଶି ଜଣ ପ୍ରାୟ ଚାଟ, ହେଲେ ନିୟମିତ ପାଠ ପଢ଼ିବାକୁ ଆସନ୍ତି ମାତ୍ର ପନ୍ଦର କୋଡ଼ିଏ ଛାତ୍ରଛାତ୍ରୀ । ଶିକ୍ଷକଙ୍କ ପାଇଁ ଜିଲ୍ଲା ବୋର୍ଡ଼ରୁ ତିନି ମାସରେ ଥରେ ଛଅ ଟଙ୍କା (ମାସକୁ ଦୁଇ ଟଙ୍କା ହିସାବରେ) ଦରମା ବାବଦରେ ମିଳେ । ତହିଁରୁ ପୁରୁଣା ଆଠ ପଇସା କଟି ଯାଏ ମନିଅର୍ଡରର କମିଶନି ନିମନ୍ତେ । ଗାଁଲୋକେ ‘ସିଧା’ ଭାବରେ ଦିନକୁ ଦୁଇ ମାଣ ଚାଉଳ, କିଛି ଡାଲି, ଖଡ଼ା, ବାଇଗଣ ଓ କଖାରୁ ଆଦି କିଛି ପରିବା ଦିଅନ୍ତି । ଏହାକୁ ନେଇ ସ୍କୁଲ ଘରର ଗୋଟିଏ କୋଣରେ ବାପା ରୋଷେଇ କରନ୍ତି । ବାପା ପୁଏ ଦୁଇ ଜଣ ଖାଆନ୍ତି । ରାତିରେ ମଶାରି ପାରି ସେଇଠି ଶୁଅନ୍ତି । ସପ୍ତାହକୁ ଥରେ ଖଣ୍ଡେ ନିଜ ଘରକୁ ଯାଆନ୍ତି । ଗାଁ ଲୋକେ ଯାହା ସିଧା ଭାବରେ ଦେଇ ଥାଆନ୍ତି, ସେଥିରୁ ବଳକା ଚାଉଳତକରେ ଘର ଲୋକଙ୍କର ଖାଇବାର ଆବଶ୍ୟକତାଟି କିଛି ମାତ୍ରାରେ ପୂରଣ ହୁଏ ।

ସେତେବେଳେ ପାଠପଢ଼ାରେ ପିଲାଙ୍କୁ ବହୁତ ଦଣ୍ଡ ସହିବାକୁ ପଡ଼ୁଥିଲା । ସ୍କଲକୁ ଫି ବରଷ ତିନି ଚାରି ଥର ଶିକ୍ଷା ବିଭାଗର ସବ‌୍ଇନ୍‌ସ୍‌ପେକ୍ଟର୍ ପାଠ ପଢ଼ା ତଦାରଖ କରିବାକୁ ଆସୁଥିଲେ । ପିଲାଙ୍କର ପାଠ ପରୀକ୍ଷା କରୁଥିଲେ ଆଉ ଶିକ୍ଷକଙ୍କର କାମଦାମକୁ ସେଥିରୁ ଆକଳନ କରି ଉପରକୁ ରିପୋର୍ଟ ପଠାଉଥିଲେ । ଶ୍ରୀଧର ବାବୁ ଏହି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ତାଙ୍କର ଏକ ସ୍ମରଣୀୟ ଘଟଣା ହେଲା ବିଲାତର ରାଜା ପଞ୍ଚମ ଜର୍ଜଙ୍କର ଦରବାର ବିଷୟକ ଉତ୍ସବ ଅନୁଷ୍ଠାନ । ପଞ୍ଚମ ଜର୍ଜ ୧୯୧୧ ମସିହାର  ଜୁନ ମାସର ବାଇଶ ତାରିଖରେ ସିଂହାସନ ଆରୋହଣ କଲେ । ସେହି ବର୍ଷ ଡିସେମ୍ବର ୧୨ ତାରିଖ ଦିନ ଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଦରବାରରେ ତାଙ୍କୁ ଭାରତ ସମ୍ରାଟ ବୋଲି ଘୋଷିତ କରାଗଲା । ଏଥି ପାଇଁ  ସେହି ଦିନ ଶ୍ରୀଧରଙ୍କ ଇସ୍କୁଲରେ ମଧ୍ୟ ଏକ ଉତ୍ସବ ଆୟୋଜିତ ହେଲା । ପିଲାମାନେ ସମସ୍ତେ ବେକର ମାଳିରେ ପଞ୍ଚମ ଜର୍ଜ ଓ ମହାରାଣୀ ମେରୀଙ୍କର ଛବି ଥିବା ଏକଏକ ପଦକ ଝୁଲାଇ ପାଖର ଏକ ଡାକବଙ୍ଗଳାକୁ ଗଲେ । ଯେହେତୁ ସେତେବେଳେ ଅନେକ ପିଲାଙ୍କର ଗଞ୍ଜି କିମ୍ବା କାମିଜ ମଧ୍ୟ ନଥିଲା, ସେଥି ପାଇଁ ମାଳିରେ ପଦକ ଝୁଲା ଯାଇଥିଲା । ଡାକବଙ୍ଗଳାକୁ ଗଲା ବେଳେ ପିଲାଏ ଏଇ ଗୀତ ବୋଲି ବୋଲି ଯାଇ ଥିଲେ -

ପଞ୍ଚମ ଜର୍ଜ ସମ୍ରାଟ ଆମ୍ଭମାନଙ୍କର
ହେ ଇଶ୍ୱର ଅତି ଯତ୍ନେ ତାଙ୍କୁ ରକ୍ଷା କର ।”

ଏହି ମହାନ ସଙ୍ଗୀତର ରଚୟିତା କିଏ, ତାହା କିନ୍ତୁ ହାୟ ଜଣା ନାହିଁ ।

ବି. ଦ୍ର. - ଏହି ଲେଖାଟିର ଉପାଦାନ ଶ୍ରୀଧର ଦାସଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ର କଟକସ୍ଥ ‘ମିତା ବୁକ୍ସ୍’ ୨୦୧୪ ମସିହାରେ  ପ୍ରକାଶ କରିଥିବା ଚତୁର୍ଥ ସଂସ୍କରଣରୁ ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨ ମସିହାରେ ଛପା ଯାଇଥିଲା ।

Saturday, March 02, 2019

ନୀଳକଣ୍ଠଙ୍କ ଚାଟଶାଳୀ ପାଠ

ପଣ୍ଡିତ ନୀଳକଣ୍ଠ ଦାସ (ୱିକିମିଡିଆ କମନ୍ସ୍)

ପଣ୍ଡିତ ନୀଳକଣ୍ଠ ଦାସ  (୫ ଅଗଷ୍ଟ ୧୮୮୪ – ୬ ନଭେମ୍ବର ୧୯୬୭) ଙ୍କ ଜନ୍ମ ମାତାଙ୍କର ଅଷ୍ଟମ ଗର୍ଭରେ, ଗହ୍ମାପୂନେଇ ପୂର୍ବ ଦିନ । ତାଙ୍କର ପୈତୃକ ଗ୍ରାମ ହେଲା ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର । ସେ ପ୍ରଥମେ ବିଧିବଦ୍ଧ ଭାବରେ ପଢ଼ା ଆରମ୍ଭ କରନ୍ତି ସେଇ ଗାଁରେ, ଏକ ଚାଟଶାଳୀରେ । ଛଅ ବରଷ ପୁରିବାରୁ ପଢ଼ା ଆରମ୍ଭ କରି, ସେଇଠାରେ ସେ ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସେହି ଚାହାଳିରେ ହିଁ ସେ ସେତେବେଳର ‘ଖ’ ଓ ‘କ’ ପରୀକ୍ଷା ଓ ଦ୍ୱିତୀୟ ପରୀକ୍ଷା (ବୋଇଲେ, ଏବେର ନିମ୍ନ ପ୍ରାଥମିକ ପରୀକ୍ଷା) ପାସ କରିଥିଲେ ।  

ସେବେ ଚାହାଳିରେ ଅକ୍ଷର ପରିଚୟ, ଫଳା, ବନା, ପଣିକିଆ, କଡ଼ାଗଣ୍ଡା, ପାହି ପଣିକିଆ, ଗୁଣ୍ଠ, ବିଶ୍ୱା, ଫେଡ଼ା ମିଶା ହରି ଗୁଣ, ଓଡ଼ାଙ୍କ ଆଦି ପଢ଼ା ହେଉଥିଲା । କୌଣସି ବିଷୟରେ ପଢ଼ା ଆରମ୍ଭ ହେଲା ବେଳକୁ ନାହାକ ପିଲାଙ୍କୁ ସନ୍ଥ ଦିଅନ୍ତି । ସେଥିକୁ ପିଲାଟି ଘରୁ ଚାଉଳ, ଦୁବ, ବରକୋଳି ପତ୍ର, ହଳଦୀଗୁଣ୍ଡ ଓ ଅନ୍ୟ ପୂଜା ସାମଗ୍ରୀ ଧରି ଆସେ । ସରସ୍ୱତୀଙ୍କର ପୂଜା ହୁଏ । ଚାଉଳତକ ନାହାକଙ୍କର । ଯଦି ଚାଟଟି ସଙ୍ଗତିସମ୍ପନ୍ନ ପରିବାରର, ତାହା ହେଲେ, ଚାଉଳ ଓ ପୂଜା ସାମଗ୍ରୀ ସହିତ କିଛି ପଇସା ଦକ୍ଷିଣା ଭାବରେ  ନାହାକଙ୍କୁ ମିଳେ । ଏହା ଛଡ଼ା ସେ ଚାଟଟିଏ  ‘ଖ’, ‘ କ’ ତଥା ଦ୍ୱିତୀୟ ପରୀକ୍ଷା ପାସ କଲେ, ଯଥା କ୍ରମେ ଦୁଇ ଟଙ୍କା, ତିନି ଟଙ୍କା ଓ ପାଞ୍ଚ ଟଙ୍କା ଚାଟ ପିଛା ସରକାର ବାହାଦୁରଙ୍କ ଠାରୁ ସେବେ ପାଉଥିଲେ ।

ବ୍ରାହ୍ମଣ ଗାଁଟିରେ ନାହାକ ଜଣଙ୍କ ଥିଲେ କରଣ ଜାତିର । ସେ ଦରମା ପାଉଥିଲେ ପିଲା ପିଛା ମାସକୁ ପୁରୁଣା ପଇସା ଚାରିଅଣା । ତାଙ୍କର ଖିଆପିଆର ବ୍ୟବସ୍ଥା ଚାଟମାନଙ୍କ ଘରେ ହେଉ ଥିଲା । ଯେହେତୁ ଛାତ୍ରମାନେ ଥିଲେ ବ୍ରାହ୍ଣଣ, ସେମାନଙ୍କ ଘରେ ନାହାକଙ୍କର ଖାଇବାରେ ଜାତିଗତ ବାରଣ ଦୃଷ୍ଟିରୁ କିଛି ଅସୁବିଧା ନ ଥିଲା । ନାହାକଙ୍କ ପାଇଁ ଚାଟଙ୍କ ଘରେ ଅଲଗା ବାସନ ମଧ୍ୟ ରହୁଥିଲା । ସେ ସମୟର ଚଳଣୀ ଅନୁସାରେ ତାଙ୍କୁ ଖାଇ ସାରି ନିଜର ବାସନ ମାଜି ଦେଇ ଆସିବାକୁ ପଡ଼ୁଥିଲା ।

କୁକୁଡ଼ାଡକାରୁ ଚାଟମାନେ ଉଠି ଚାହାଳିରେ ଢୁକନ୍ତି । ସେବେ ଜାମାପଟାର ବେଶି ଚଳଣି ନ ଥିଲା । ପ୍ରାୟତଃ ପିଲାଏ ଖଣ୍ଡିଏ ଲେଖାଏଁ କଉପିନି ମାରି ଚାହାଳି ଯାଆନ୍ତି । ସବୁ ଚାଟଶାଳୀ ପରି ନୀଳକଣ୍ଠଙ୍କ ଚାହାଳିରେ ମଧ୍ୟ ଛାତ୍ରମାନଙ୍କୁ ସମୟାନୁବର୍ତ୍ତୀ କରିବା ପାଇଁ ନିୟମଟିଏ ପ୍ରଚଳିତ ଥାଏ । ଯିଏ ପ୍ରଥମେ ପହଞ୍ଚିବ ସାହାର ହାତରେ ନାହାକ ବେତଟିକୁ ଖାଲି ଛୁଆଇଁ ଦିଅନ୍ତି । ତାହା ହେଲା ‘ଶୂନ’ । ତାହା ପରେ ଯାହୁଁଯାହୁଁ ପିଲା ଡେରିରେ ଆସନ୍ତି, ତାଙ୍କ ହାତରେ ବେତର ପ୍ରକୋପ ସେହି ଅନୁପାତରେ ବଢ଼ି ବଢ଼ି ଯାଏ ।  ଚାହାଳି ଦୁଇ ଓଳି ଚାଲେ । ଉପର ଓଳି ଛାତ୍ରମାନେ ଖାଇ କରି ଆସିଲା ବେଳକୁ ମଧ୍ୟ ଏହି ପରି ଉପସ୍ଥାନ ନିଆ ଯାଏ । ଉପସ୍ଥାନ ନେଇ ସାରି ପିଲାମାନେ ପାଠ ଆରମ୍ଭ କଲେ, ନାହାକ ମହାଶୟ ଚାଲିଯାଆନ୍ତି ପୋଖରିପାଣି ଓ ଅନ୍ୟାନ୍ୟ ନିତ୍ୟକର୍ମ ସମାପାନ କରିବା ନିମନ୍ତେ ।

ନିତ୍ୟକର୍ମ ପାଇଁ ଗଲା ବେଳକୁ ନାହାକେ ପଛରେ ଜଗାଇ ଦେଇ ଯାଆନ୍ତି, ଜଣେ ବଡ଼ ଚାଟକୁ, ଯାହାକୁ ଏବର ହିସାବରେ ଆମେ ମନିଟର ବୋଲି କହିବା । ହେଲେ ବଡ଼ଚାଟମାନେ ଯେ କେବଳ ଅନ୍ୟ ଛାତ୍ରମାନଙ୍କୁ ନିୟନ୍ତ୍ରଣ କରୁଥିଲେ ତାହା ନୁହେଁ । ସେମାନେ ପାଠ ମଧ୍ୟ ଆଦାୟ କରିବାର କ୍ଷମତା ଓ ଦକ୍ଷତା ରଖୁଥିଲେ । ବଡ଼ଚାଟ ଜଣକ ଥିଲା ସବୁଠାରୁ ବେଶି ପାଠ ଜାଣିଥିବା ପିଲା । ଯେଉଁ ଦିନ ନାହାକ କୌଣସି କାରଣରୁ ଚାହାଳିରେ ନ ଥାଆନ୍ତି, ସେ ଦିନ ବଡ଼ ଚାଟ ହିଁ ଚାହାଳି ପରିଚାଳନା କରେ । ସେ ଶୃଙ୍ଖଳା ରକ୍ଷା କରେ, ନୂଆ ପାଠ ଦିଏ ତଥା ପୁରୁଣା ପାଠ ମଧ୍ୟ ଆଦାୟ କରେ । ବଡ଼ ଚାଟ ତଳକୁ ଦକ୍ଷତା ଅନୁସାରେ ଛାତ୍ରମାନେ ନିଜଠୁ କମ ବୟସର ଓ ଦକ୍ଷତାର ଚାଟମାନଙ୍କ ପାଇଁ ଶିକ୍ଷକଙ୍କର ଭୂମିକା ଅବଲୀଳା କ୍ରମେ ତୁଲାଇ ଯାଆନ୍ତି ।  

ମୌଖିକ ଆବୃତ୍ତି ଥିଲା ଚାହାଳି ପଢ଼ାର ମୂଳ ପଦ୍ଧତି । ସକାଳ ଓଳିଯାକ ପିଲାଏ ମାଟିରେ ଗୋବର ଲିପା ଚଟାଣ ଉପରେ ଖଡ଼ି ଧରି ଅକ୍ଷର ମଡ଼ା ଠାରୁ ଆରମ୍ଭ କରି ପଣିକିଆ ଇତ୍ୟାଦି ବଡ଼ ପାଟିରେ ଘୋଷି ଘୋଷି ଲେଖନ୍ତି । ନାହାକ ନିତ୍ୟକର୍ମ ମେଣ୍ଟାଇବା ପାଇଁ ବଡ଼ଚାଟକୁ ଜଗାଇ ଦେଇ ଯିବା ପରେ, ବଡ଼ ଚାଟ ଜଣକ ଖାଲି ନାହାକଙ୍କ ଆସିବା ବାଟକୁ ଛେକି ରହେ । ଅନ୍ୟ ପିଲାମାନେ ପାଠ କଅଣ ପଢ଼ିବେ, ପ୍ରାୟତଃ ଖେଳକୁଦ ଓ ନାନାଦି କଉତୁକରେ ମାତି ରହନ୍ତି । ନାହାକଙ୍କ ଆସିବା ଖବର ବଡ଼ ଚାଟ ଦେଲେ, ସମସ୍ତ ଚାଟମାନେ ଯେଝା ଯାଗାକୁ ଯାଇ ପୁଣି ପାଠ ଗାଇ ବସନ୍ତି । ହେଲେ ନାହାକ ଆସି ବେତ ଧରି ସମସ୍ତଙ୍କୁ ପୁଣି ଗୋଟିଏ ଛେକ ପିଚାରେ ସେକି ଦେଇ ଯାଆନ୍ତି ।

ସନ୍ଧ୍ୟାବେଳେ ମଧ୍ୟ ଚାଟମାନେ ଚାହାଳିରେ ପଢ଼ାପଢ଼ି କରୁଥିଲେ । ଛାତ୍ର ପିଛା ସପ୍ତାହକ ପାଇଁ ତେଲ ନିମନ୍ତେ ପଇସାଟିଏ ଦିଆ ହୁଏ ।  ସେତିକି ବେଳେ ନୂଆ କରି କିରାସିନି ତେଲ ଆସିଲା ।  ନାହାକ ହିଁ କାଳିଆ ପାତ୍ରଟିରେ କିରାସିନି ଆଣି ଥୋଇଲେ । ବୋତଲଟିର ଠିପି ଥାଏ ଗୋଟିଏ ପତ୍ର କାହାଳି । ପୁରୁଣା ତେଲ ତୁଳନାରେ କିରାସିନି ଥିଲା ଯଥେଷ୍ଟ ଶସ୍ତା । ଏଣୁ ପୁରୀ ଜିଲ୍ଲାରେ ପଢ଼ାପଢ଼ି ପାଇଁ ଆଲୁଅ ନିମନ୍ତେ କିରାସିନିର ପ୍ରବେଶ ଘଟିଲା ଉନବିଂଶ ଶତାବ୍ଦୀର ଶେଷ ଦଶକରେ । ହେଲେ ସେ ତେଲ ଦେବଭୋଗ୍ୟ ହେଲା ନାହିଁ । 

ବି.ଦ୍ର. - ଏହି ଲେଖାଟିର ଉପାଦାନ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ଲିଖିତ, ତଥା କେନ୍ଦ୍ର ସାହିତ୍ୟ ଏକାଡେମୀଙ୍କ ଦ୍ୱାରା ପୁରସ୍କୃତ, ଆତ୍ମକଥା, ‘ଆତ୍ମଜୀବନୀ ଅଗଷ୍ଟ ୨୦୦୩ ମସିହାରେ ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ଛପାଇଛନ୍ତି ବହିଟିର ପ୍ରଥମ ସଂସ୍କରଣ କେବେ ପ୍ରକାଶିତ ହୋଇଥିଲା, ସେହି ତଥ୍ୟ ପ୍ରକାଶକ ଦେଇ ନାହାନ୍ତି