Wednesday, November 29, 2017

ପ୍ରାର୍ଥନା - 'ଭଲ ବାଟ ମୋତେ ଦେଖାଅ'


କବି - ରାମକୃଷ୍ଣ ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭଲ ବାଟ ମୋତେ ଦେଖାଅ ତୁମେ ଉଢ଼ାଳେ ଥାଇ
ଦାଉ ଧକ୍କା ଯେତେ ଆସିବ ସବୁ ଯିବି ଏଡ଼ାଇ ।

ସତ ମିଠା ବୋଲି ଦିଅ ଯେ ସଦା ତୁଣ୍ଡରେ ମୋର
ଦେଶ ଦୁନିଆର କାମେ ନ ମଣେ ଆପଣା ପର ।

ଦୁଃଖି ରଙ୍କି ଶୋଷୀ ସକାଶେ  ଝରୁ ଆଖିରୁ ପାଣି
ତାଙ୍କ ସେବା ଲାଗି ସାହସ ବଳ ଦିଅ ହେ ଆଣି ।

ସମ୍ପଦେ ନ ହୁଏଁ ବିଭୋର ବିପଦରେ ଅଧିର ।
ସତ ଲାଗି ଛାତି ପାତେ ମୁଁ କଟୁ ପଛେ ମୋ ଶିର ।

ଟଙ୍କା ସୁନା ପଉରୁଷକୁ ମନ ନ ବଳୁ ତିଳେ ।
ନତ କର ସଦା ମୋ ମଥା ତୁମ ଚରଣ ତଳେ ।

Monday, November 27, 2017

ଚାର୍ଲସ୍ ସିମିକ ଙ୍କ ପାଞ୍ଚଟି ଗଦ୍ୟ କବିତା

ଅନୁବାଦ - ଜ୍ୟୋତି ନନ୍ଦ


ଚାର୍ଲସ୍ ସିମିକ ( ୯ ମେ ୧୯୩୮ - )

ଛବିଭର୍ତ୍ତି ବହି


ବାପା ଧର୍ମତତ୍ତ୍ୱ ବୁଝାନ୍ତି ମେଲ୍‌ରେ । ସାମନାରେ ପରୀକ୍ଷା । ମାଆ ପାଖରେ ବସି ଜାମା ବୁଣୁଛି । ମୁଁ ନିଃଶବ୍ଦରେ ବସିଛି ପଢା ଟେବୁଲ୍‌ରେ, ଖୋଲା ବହି; ବହିଭର୍ତ୍ତି ଅସଙ୍ଖ୍ୟ ଛବି । ବାହାରେ ରାତି ସେତେବେଳେ । ସମସ୍ତ ମୃତ ରାଜାରାଣିର ଚିବୁକ ଛୁଇଁ ଥଣ୍ଡାରେ ମୋ ହାତ ହେମାଳ ।

ଉପରେ ଶୋଇବା ଘରେ କଳାରଙ୍ଗର ରେନ୍ କୋଟ୍‌ଟିଏ ସିଲିଂ ତାରରେ ଝୁଲୁଛି । କ'ଣ କରୁଛି ସେଇଟି ଏବେ ? ମାଆର ଲମ୍ବା ଛୁଞ୍ଚି ଏପଟ ସେପଟ ଦ୍ରୁତ ବୁଣିଚାଲେ କଳାରଙ୍ଗର ଜାମା । ମୋ ମଥାର ଗହୀରରେ ଥିବା ଅନ୍ଧକାର ଭଳି କଳା ।

ବହିର ପୃଷ୍ଠା ଓଲଟାଏ । ପୃଷ୍ଠାରେ ପକ୍ଷୀର ଡେଣା ଝପଟାଇବାର ଶବ୍ଦ । "ମଣିଷର ଆତ୍ମାରାମ, ସ୍ୱଭାବରେ ପକ୍ଷୀ ସମ", ବାପା କହନ୍ତି ।ସେତେବେଳେ, ମୋର ଛବିଭର୍ତ୍ତି ବହିମାନଙ୍କ ଭିତରେ ଆରମ୍ଭ ହୋଇଗଲା ତୁମୁଳ ଯୁଦ୍ଧ, ବର୍ଚ୍ଛା, ତରବାରୀ ଝଣଝଣ; ଶୀତର ଜଙ୍ଗଲ କମ୍ପି ଉଠିଲା ମୋ ଭିତରେ, ଆହତ ଓ ରକ୍ତାକ୍ତ ହୃଦୟ ମୋହର ।

ବହି ଦୋକାନରେ


ଅଖ୍ୟାତ ଏକ ଉପନ୍ୟାସରେ, ପରସ୍ପରର ହାତ ଧରିଛନ୍ତି ପ୍ରେମିକ ପ୍ରେମିକା । ରୋଷେଇ ବହିରୁ, କାକୁଡି-ସାଲାଦ୍‌ର ପୃଷ୍ଠାଟି ଛିଣ୍ଡା । ମଲା ଲୋକ ଜଣେ ଲେଖିରଖିଛି ତାହାର ଶୈଶବ, ଖମାରର ସ୍ମୃତି, ଇରିଲେକ୍‌ରେ ବେଲୁନ ଉଡାଇବାର ଦୃଶ୍ୟସମୂହ । ମୋ ହାତରେ ବନ୍ଦ କରୁଛି ତାହାର ଖସଡା ପାଣ୍ଡୁଲିପି । ଜଣେ ଦାର୍ଶନିକ ପ୍ରଶ୍ନ କରୁଥାନ୍ତି ଧର୍ମତତ୍ତ୍ୱ; ମୌଳବାଦରେ କ'ଣ ସମ୍ଭବ ହେବ ଶାଶ୍ୱତ ବିଚାର ଦିବସ ? ବେଶ,ଅପେକ୍ଷା କରି ଦେଖା ଯାଉ । ମିଶର ଭ୍ରମଣର ବହିରେ ଲାଗି ରହିଛି ଅନେକ ବାଲି । ସେଇ ମୃତ ମହୁମାଛି, ଯିଏ ଦିନେ କାମୁଡି ଦେଇଥିଲା ରହସ୍ୟମୟୀ ରାଣୀ ଏବିଗେଲ୍‌ଙ୍କର ନରମ ନିତମ୍ବ  । ଆଖିର କଜଳରେ ନାଆଁ ଲେଖି ଯାଇଛନ୍ତି ସିଏ ବି, ସେଇ ଇତିହାସ ଏଇ ବହିରେ ।

ମୋର ସ୍ୱୀକାରୋକ୍ତିର ସମୟ


ଗୋଟିଏ କୁକୁର, କବିତା ଲେଖୁଚି, ସେ କାହିଁକି ଘାଉଁ ଘାଉଁ କରେ । ପ୍ରିୟ ପାଠକ ପାଠିକା, ସେ କୁକୁରଟି ହେଉଛି ମୁଁ । ଲାଇବ୍ରେରୀରୁ ସେମାନେ ଅର୍ଦ୍ଧଚନ୍ଦ୍ର ଦେଇ ତଡି ଦେଇଛନ୍ତି ମୋତେ । ମୁଁ କହିଲି ମୋ ପ୍ରଭୂ ସର୍ବଶକ୍ତିମାନ, ଯଦିଓ ବହୁଦିନ ଧରି ଅଦୃଶ୍ୟ । କିନ୍ତୁ ଏମାନେ କୌଣସି ପ୍ରଭୂଙ୍କୁ ମାନନ୍ତି ନାହିଁ । ମୋ ଲାଞ୍ଜକୁ ଧରି ଟାଣି ଠିକ୍ ବାହାର କରି ଦେଲେ ।

ପାର୍କରେ ପକ୍ଷୀମାନେ ସଭା ଡାକିଛନ୍ତି, ନିଜ ଭିତରେ କିଚିରିମିଚିରିରେ କେମିତି ଅତିଷ୍ଠ ସେମାନେ ! ବେଞ୍ଚରେ ବସିଛନ୍ତି ଜଣେ ବୃଦ୍ଧା, ସାମନାରେ ଆଇନାଟିଏ ଧରି ନିଜର ପକ୍ୱକେଶ କାଟୁଛନ୍ତି ଏକ ଅଦୃଶ୍ୟ କଇଁଚିରେ । ମୁଁ କିଛି କହିନି ସେତେବେଳେ । ସେଇ ରାତିରେ, ତଳେ ଶୋଇଛି ଜାକିଜୁକି ହୋଇ, କବିତାର ପେନସିଲ୍ କାମୁଡି ଧରି, ମଝିରେ ମଝିରେ ଦୀର୍ଘଶ୍ୱାସ । ଏଇ ଦୂର ଆକାଶରେ, ହାତ ପାହାନ୍ତାରେ ନଥିବା କାହା ପ୍ରତି ଖୁବ୍ ରାଗ ହେଉଥିଲା । କେଉଁ ଦିନ ଯାହାର କୌଣସି ନାଆଁ ଦେଇନାହିଁ ।

ଫୋନ କଲ୍


ତୋ ପାଇଁ ମେସେଜ୍ ରହିଛି ରେ ଟୋକା: ମୋ ସାଙ୍ଗେ ଖେଳୁଚୁ । ଭଗବାନଙ୍କ ରାଣ ଖାଉଛି,  ତତେ ଶୂଳୀରେ ଚଢେଇ ଦେବା ଉଚିତ ।
ମୋତେ ?

ରୁଟିର ଗୁଡ ପଡିଛି ଟେବୁଲ୍ ତଳେ, ଭୟରେ ଜାକିଜୁକି, କୃତଜ୍ଞ ଆଖି ଖୋଲି ଚାହିଁ ରହିଛି ମୋତେ । କାପୁରୁଷ କେଉଁଠିକାର ! ଆକ୍ଷରିକ ଅର୍ଥରେ କେହି ନୁହଁ ଯେମିତି । ଆଉ ଏଇ ଯିଏ ଏଇଠି, ଦୂର୍ ! ମୋର ଚମକିପଡିବାର ଖୋଲା ମୁହଁ ଝୁଲି ଥାଏ ଝର୍କା କାଚରେ ।  ଅଗଷ୍ଟ, ମୋ ଜହ୍ଲାଦ ଯେମିତି ବାହାରର ଅନ୍ଧକାରରେ, ପିନ୍ଧିଛନ୍ତି କଳାଟୋପି ସବୁ ।

ଆପଣ ମଜା କରୁଛନ୍ତି ସମ୍ଭବତଃ । ନହେଲେ ବିଶାଳ ଏକ ଭୁଲ୍ ବୁଝାବୁଝି । ରଂ ନମ୍ବର, ସେୟା ନୁହଁ ?

ନମ୍ବର ଠିକ୍ ଅଛି , ଅନ୍ୟର ମଗଜରୁ କହୁଚି କେବଳ ।

ସୂଚୀବିଦ୍ଧ ଆଖି


କେହି ଜାଣନ୍ତିନି, ମୃତ୍ୟୁର କର୍ମ ପଦ୍ଧତି କେଉଁ ପରି । କେହି ଜାଣନ୍ତନି, ଗୋଟିଏ କାମ ପାଇଁ ତାହାର ଅପେକ୍ଷା କେତେ । ଘରେ ସ୍ତ୍ରୀ  ଏକା, ମୃତ୍ୟୁର କପଡା ଧୋଇ ତାହାର ଦିନ କଟୁଥାଏ । ସୁନ୍ଦରୀ ଝିଅମାନେ ପ୍ରସ୍ତୁତ କରି ଦିଅନ୍ତି, ତାହାର ରାତିର ଖାଦ୍ୟ । ପ୍ରତିବେଶୀମାନେ ତାସ୍ ଖେଳୁଥାନ୍ତି ବଗିଚାରେ । ଅଥବା କିଛି କରେନାହିଁ ସେ, ସିଡିଘରେ ବସି ବିଅର୍ ଗିଳେ ।

ପଥ ମଧ୍ୟରେ ଯେତେବେଳେ ମୃତ୍ୟୁ, ଅଚିହ୍ନା ସହରର ରାସ୍ତାରେ ଏକା ଘୁରୁଅଛି । ଦୀର୍ଘଦିନ ହେଲା କାଶ, ଏମିତି ଏକ ପ୍ରାଣ ଖୋଜେ ସତର୍କ ସ୍ନାୟୁ । କିନ୍ତୁ ,ଠିକଣାଟି ଭୁଲ୍ ହୋଇଯାଏ । ଏତେ ଏତେ କବାଟର ଏପାଖରୁ କିଛି ଖୋଜି ପାଏନାହିଁ ସିଏ, ହଠାତ୍ ବର୍ଷା ଆସେ ! ଆଗରେ ଲମ୍ବା ରାତି, ଖବର କାଗଜ ଖଣ୍ଡିଏ ନାହିଁ ଭିଜିଯାଉଥିବା ମୁଣ୍ଡକୁ ରକ୍ଷା କରିବା ପାଇଁ । ପକେଟରେ ପଇସା ନାହିଁ ଯେ, ସେ କାହାକୁ ଫୋନ୍ କରିବ ।

ଅନ୍ୟ କେଉଁଠି କିଏ ଆସ୍ତେ ଆସ୍ତେ ପୋଷାକ ଖୋଲୁଛି । ତନ୍ଦ୍ରାଚ୍ଛନ୍ନ ଆଖି, ନଗ୍ନ ହୋଇ ଶୋଇଅଛି ମୃତ୍ୟୁର ବିଛଣାର ଆରପଟେ ।

Saturday, November 25, 2017

କରମଙ୍ଗା ଚଟଣି


ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - ମଝିଆଳିଆ କରମଙ୍ଗା ପାଞ୍ଚଟି, ଦଶ ଗ୍ରାମ ସୋରିଷ ତେଲ, କୋଡ଼ିଏ ଗ୍ରାମ ଗୁଡ଼, ଏକ ଟେବୁଲ ଚାମଚ ଲେମ୍ବୁ ରସ, ସୁଆଦ ଅନୁସାରେ ଲୁଣ । 

ପ୍ରଣାଳୀ -  ପାଚିଲା ବା କଞ୍ଚା କରମଙ୍ଗାର ଶିରା ଓ ଦୁଇ ମୁଣ୍ଡିକୁ ସାମାନ୍ୟ ଭାବରେ କାଟି, ଧୋଇ ଫୁଟୁଥିବା ଭାତରେ ପକାନ୍ତୁ । ପାଞ୍ଚ ସାତ ମିନିଟ ଭିତରେ ସିଝିଗଲେ ବାହାରକୁ କାଢ଼ନ୍ତୁ । ତେଲ, ଲୁଣ ଓ ଗୁଡ଼ ଦେଇ ଚକଟନ୍ତୁ । ଚକଟି ସାରିଲା ପରେ ଉପରେ ଲେମ୍ବୁ ରସ ଦେଇ ପରିବେଷଣ କରନ୍ତୁ ।
 

ଗୁଣାଗୁଣ - କଞ୍ଚା କରମଙ୍ଗା ଅମ୍ଳ-ରସ, ଶୀତଳ, ମଳରୋଧକ, ବାୟୁନାଶକ ଓ କଫ-ପିତ୍ତବର୍ଦ୍ଧକ ।


ବି.ଦ୍ର. - କରମଙ୍ଗା ଚଟଣି  ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, November 23, 2017

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

କବି - ନିତ୍ୟାନନ୍ଦ ଦାସ 

ଗାୟକ - ନିମାଇଁଚରଣ ହରିଚନ୍ଦନ

ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=mB6vjUNO0IM














Tuesday, November 21, 2017

ଜଣେ ଦେବପୁରୁଷର ନାରୀବେଶ

ଜ୍ୟୋତି ନନ୍ଦ


ଦେବୀ ବିନାୟକୀ


ସଂଲଗ୍ନ ଛବିଟି ଦେବୀ ବିନାୟକୀ ଙ୍କର ।

ଗଣେଶାନୀ, ଗଜାନନୀ, ବିଘ୍ନେଶ୍ୱରୀ ଓ ଗଜମୁଖୀ ପ୍ରଭୃତି ନାମରେ ତାଙ୍କୁ ଆବାହନ କରାଯାଇଥାଏ ।

ଏଇ ବିଘ୍ନହାରିଣୀ ଦେବୀ ଆମର ପ୍ରିୟ ବିଘ୍ନହର୍ତ୍ତା ଗଣେଶଙ୍କର ନାରୀରୂପ, ଶକ୍ତିରୂପ । ଆମର ପୁରାଣରେ ସବୁ ଦେବତାମାନଙ୍କର ନାରୀବେଶ ବା ନାରୀରୂପ କୁ ନେଇ ଯେତିକି କଥାବସ୍ତୁର ଅବତାରଣା କରାଯାଇଛି, ସେଥିରେ ପ୍ରାୟତଃ ପୁରୁଷ ଦେବତାଙ୍କର ନାରୀରୂପ ଗ୍ରହଣକୁ ସମ୍ମାନର ସହ ସଂହାର ଓ ପରିପାଳନର ପ୍ରୟୋଜନୀୟତା ପାଇଁ ଏକ ଅନିର୍ବାର୍ଯ୍ୟ ଆବଶ୍ୟକତା ହିସାବରେ ବର୍ଣ୍ଣନା କରାଯାଇଛି ।

ଯଦି ଦେବତାଙ୍କୁ ଶ୍ରେଷ୍ଠତମ ପୁଂଲିଙ୍ଗ ହିସାବରେ ଦେଖାଯାଏ, ଯଦିଓ ସଂସ୍କୃତ ବ୍ୟାକରଣ ଦୃଷ୍ଟିରୁ ଦେବତା ହେଉଛନ୍ତି ଲତା ପରି ଏକ ସ୍ତ୍ରୀଲିଙ୍ଗ, ତେବେ ସେହି ଦେବତାର ଅକସ୍ମାତ ନାରୀବେଶ ଆମର ପୂଜ୍ୟ, କିନ୍ତୁ ଯଦି ପୁରୁଷଟିଏ ସେଇଭଳି ସାମୟିକ ନାରୀବେଶ ପ୍ରତି ଆକୃଷ୍ଟ ହେଲା, ତେବେ ଆମେ ତାହାକୁ କେମିତି ଦେଖିବା, ବିଚାର କରିବା, ତାହାକୁ ବିସ୍ତାର କରି କହିବା ଆବଶ୍ୟକ ହେବନାହିଁ ।

ଦେବତାମାନଙ୍କର ନାରୀବେଶ ବନାମ ମଣିଷର ନାରୀବେଶ ବିଷୟରେ ଏକ ବାମାବାଦୀ ଚିନ୍ତନ କରାଯାଇ ପାରେ । ଆଜି ଆମେ ବିନାୟକୀଙ୍କ ସହ ରହିବା । ବାମାବାଦୀ ବିମର୍ଶ ପରେ ।

ଅଗ୍ନି ପୁରାଣ ଓ ଦେବୀ ପୁରାଣରେ ଯେଉଁ ନବମାତୃକା ଅର୍ଥାତ୍ ନଅଗୋଟି ମାତୃଶକ୍ତିର ବର୍ଣ୍ଣନା କରାଯାଇଛି, ସେଥିରେ ନବମ ମାତୃକା ହେଉଛନ୍ତି ବିନାୟକୀ ।

ମିଥ୍ ର ବିଶିଷ୍ଟ ପ୍ରବକ୍ତା ଓ ବିଦ୍ୱାନ ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକ ବିନାୟକୀର ଉତ୍ପତ୍ତି ସମ୍ପର୍କ ରେ ଏକ ସୁନ୍ଦର କାହାଣୀର ଅବତାରଣା କରିଛନ୍ତି ।

ଆରମ୍ଭଟି ହେଉଛି ଗୋଟିଏ ଅସୁରକୁ ନେଇ ଯାହାର ନାଆଁ ଅନ୍ଧକ । କୈଳାଶଶିଖରାସୀନ ଶଙ୍କରଙ୍କ ସହ ଗୌରୀଙ୍କ ମଧୁର ଦାମ୍ପତ୍ୟର ଫଳଶ୍ରୁତି ଏଇ ଅସୁରଟି ।

ଆପଣମାନେ ଜାଣନ୍ତି, ଆମର ଯେତେ ଦେବଦମ୍ପତ୍ତି ଅଛନ୍ତି, ସେମାନଙ୍କର ମଧ୍ୟରେ ଯଦି ଈର୍ଷା କଲା ଭଳି ପୁରାପୁରି ପାରିବାରିକ ଦମ୍ପତ୍ତି ଥାଆନ୍ତି, ତେବେ ସେମାନେ ହେବେ ଆମର ଏଇ ଯୋଡି ଶଙ୍କର ଆଉ ଗୌରୀ । ଯେତେ "ମେଡ୍ ଫର୍ ଇଚ୍ ଅଦର୍" ପୁରସ୍କାର ପୃଥିବୀରେ ଥିବ, ସବୁ ଯେମିତି ସେଇ ଦୁଇଜଣଙ୍କର ପ୍ରାପ୍ୟ । ସେମାନଙ୍କର ସଂସାର ଦେଖିଲା ପରେ, ମୋତେ ନିଜକୁ ଟିକିଏ ଅଧିକ ଦେବତା ଦେବତା ଲାଗେ ମୋ ନିଜ ସଂସାରରେ ବସବାସ ଆଉ ଲାଗେ ଯେମିତି କୌଣସି ଆଉଟ୍ ହାଉସ୍ ରୁ ଏଇ ପତିପତ୍ନୀ ହଳକ ନିଜ ପିଲାଦିଇଟିକୁ କାଖେଇ ପାଖାପାଖି ହୋଇ ଗପସପ କରି ଚାଲିଛନ୍ତି ଅତି ସକାଳୁ ଆମର "ହୋଟେଲ୍ କ୍ରାଉନ୍" ପାଖକୁ, କାମଧନ୍ଦା ଆଶାରେ ବସିଥିବା ଶ୍ରମିକମାନଙ୍କ ଗହଳୀକୁ । ସେଇଠୁ ସେମାନଙ୍କୁ ଯିଏ ନିଜ କାମକୁ ଡାକିଲା ମୂଲଚାଲ ନକରି ଡଗଡଗ ହୋଇ ଚାଲିବେ । ସମସ୍ତଙ୍କର ସୁଖ ଗଢିବା କାମଟି କ'ଣ ଏତେ ସହଜ ?

ଆମ ଗୌରୀଟି ଦିଇଟି ପିଲାର ମାଆ, ହେଲେ କ'ଣ ହେବ, କିଶୋରୀ ହୋଇ ରହିବାର ଇଚ୍ଛାଟିଏ ତାହାର ନିଜ ବାହାନ ବାଘ ଭଳି ମଝିରେ ମଝିରେ ହେଣ୍ଟାଳ ଦିଏ । ଏଇ କଥା କୁ ମନଖୋଲି କାହାକୁ କହିବ ସେ ? କହିଲେ କହିବ ତାହାର ସ୍ୱାମୀ ଶଙ୍କରକୁ, ନ ହେଲେ ଆମକୁ । ତାହାର ମନ ରଖିବା ପାଇଁ ଆମେ ଫି ବରଷ ସୁଆଙ୍ଗ ରଚୁ । ତା' ପାଇଁ ମିଛିମିଛିକା ବର ଖୋଜୁ । ତା'ର ଯିଏ ବର ହେବ ସିଏ ବାହାରକୁ ଦେଖିଲେ ଲାଗିବ ଯେମିତି ଆମଭାଷାରେ ପୂରା ବୋହେମିଆନ୍‌ଟିଏ, ସବୁ କଥାରେ ଯେମିତି ତାହାର ବେପରୁଆ ଭାବ, ହେଲେ ଦେଖିବ ତାହାର ସବୁକଥାକୁ ଭାରି ନିଘା । ଆମକୁ ସେତେବେଳେ ଗଲା ଅଇଲା ବାଟରେ ସେ ଖାଲି ଚାହୁଁଥିବ ମିଟିମିଟି କରି ।କହୁଥିବ ଯେମିତି, ଖବରଦାର୍ ଗୌରୀ ମୋର, ଯଦି ଆଉ କେଉଁଠି ଠିକ୍ କଲ ତେବେ ବୁଝିବ । ପଦ୍ମକେଶରୀପୁରରେ ମୋର ଢେର ଚିହ୍ନା । ସେଇଠୁ ସବୁତକ ପେଡ଼ି ଆଣି ତମ ଘରେ ଖୋଲି ଦେବି ଆଉ ତାହା ପରେ ବୁଝିବ ମଜା । ଯେତେ ମୁଁହ ଫୁଟାଣି ମାରିଲେ, ସାପକୁ ନ ଡରିବା ଲୋକ କେତେ ଅଛ ପୃଥ୍ୱୀରେ ?

ଆମେ ପଞ୍ଚୁଲାଇଟିରେ ରୋଷଣୀ କରି ବାହା ଦେଉ ଗୌରୀକୁ ଶଙ୍କର ସହ, ଫି ବରଷ । ଆମ ଝିଅ ଝିଆରୀଏ ଗୌରୀ ସାଜି ମାନସିକ କରନ୍ତି ଶଙ୍କର ପ୍ରାୟେ ବର ପାଇବା ପାଇଁ ପ୍ରତି ସୋମବାରରେ । ଦେବତାମାନଙ୍କ ଭିତରେ ଶଙ୍କର ଶ୍ରେଷ୍ଠ, ବରପାତ୍ର ହିସାବରେ ଦେଖିଲେ । ଆମେ ଯେତେ ପୁରୁଖା ଲୋକ ସବୁଦିନ ଦାଣ୍ଡପିଣ୍ଡାରେ ସୁଖଦୁଃଖ ହଉ, ଆମ ମାନଙ୍କ ପାଇଁ ଚରିତ୍ର ନଥିଲେ ସବୁ ଅସାର ବୋଲି ଜାଣ । ଆଜିକାଲି ପିଲାଏ ଚରିତ୍ରକୁ ଫୁଟୁକି ମାରି କଥା କହନ୍ତି ବୋଲି ଆମେ ଢେରେ ବୁଝୁ । ଆମେ କିନ୍ତୁ ଚରିତ୍ରକୁ ଜାବୁଡି ଧରିବୁ, ପିଲାଏ ଯେତେ କଥା ପଛରେ କହନ୍ତୁ ପଛେ । 

ସେଇ ଚରିତ୍ରକୁ ଦେଖିଲେ ଆମ ଶଙ୍କରଟି ଢେରେ ଭଲ । ସେ ପଟିଆ ପାଖ ପଦ୍ମକେଶରୀପୁର ଗାଆଁରୁ ସବୁତକ ସାପପେଡି ଆଣି ସେଥିରେ ସାପ ଥାଆନ୍ତୁ କି ନ ଥାଆନ୍ତୁ, ତାହାକୁ ଧରି ଆସି ଯେତେ ଆମ ଘରେ ଖୋଲିଦବ ବୋଲି ଡରାଉ ଥାଉ ପଛକେ, ଆଉ ସବୁ ଦେବତା ମାନଙ୍କର ଟିକିଏଟିକିଏ ଆଳୁଦୋଷ ଥିଲା ବେଳେ, ସେ ପୂରା ସୁବର୍ଣ୍ଣ  । ଏଇତ ସେଦିନ ଆମ କଳାହାଣ୍ଡିର ଲୋକଟିଏ ଶଙ୍କରକୁ ପୂରା ଅନୁକରଣ କରି ନିଜର ସ୍ତ୍ରୀର ଶବକୁ ବୋହି ରାଜରାସ୍ତାରେ ଚାଲିଲା ବୋଲି ଆମ ରାଜ୍ୟ କ'ଣ, ବିଦେଶ ବି ଉଠିଲା ପଡିଲା । ହେଲେ କେହି ଶଙ୍କରର ନାଆଁ ଧରିଲେ ନାହିଁ, ଯେଉଁ ଶଙ୍କର ଦିନେ ନିଜ ଶବକୁ ଧରି ତ୍ରିଜଗତ ଯାତ୍ରା କଲା, ଏକନିଷ୍ଠ ପଣଟି ସହ, ଯେ ଯେତେ ଯାହା ହେଉ, ସେ ନିଜ ସ୍ତ୍ରୀକୁ ଫେରାଇଆଣିବ ମରଣରୁ । ଶଙ୍କର ପାରିଲା । ମାତ୍ର ଆମ କଳାହାଣ୍ଡିର ପିଲାଟି ପାରିଲା ନାହିଁ । ସେ ଯେ ଆଗରୁ ଶୁଣିଥିବା ଶଙ୍କରର ଏଇମିତି କାରନାମା ଦ୍ୱାରା ପ୍ରଭାବିତ ହୋଇଥିଲା କି ନାହିଁ ବୋଲି ଆମେ ତାହାକୁ ପଚାରି ନାହେଁ । ଅବଶ୍ୟ ଶଙ୍କର ଜଣେ ଦେବତା ଆଉ ଆମ କଳାହାଣ୍ଡିର ପିଲାଟି ମଣିଷ । ମଣିଷ ପାଇଁ ସଫଳତା ହାର ସେତେ ସେମିତି ନୁହଁ, ଦେବତା ମାନଙ୍କର ତୁଳନାରେ ।

ଦେବତା ମାନେ ମଣିଷ-ସମ୍ପର୍କକୁ ଭୁଲି ପାରନ୍ତି ନାହିଁ । ସେମାନଙ୍କର ମଣିଷ ଭଳି ଚେହେରା, ଭାଷା, ଆବେଗ, ସାମାଜିକତା ଆଉ ଦୋଷଦୁର୍ବଳତା । ଖାଲି ଗୋଟିଏ ଫରକ, ମଣିଷମାନଙ୍କର ବିଫଳତା ବୋଲି ଗୋଟିଏ ଅବସ୍ଥାଭିତ୍ତିକ ଶବ୍ଦ ରହିଥିଲା ବେଳେ, ସେମାନଙ୍କର ଏଇ କଥା ଗୋଟିକ ନାହିଁ ।

ସେଇ ଥରକ ଗୌରୀ ଆଖିବୁଜିଧରିଥିଲା ଶଙ୍କରର । ଘୋର ଅନର୍ଥ ସୃଷ୍ଟି ହୋଇଗଲା ପୃଥିବୀରେ । ଦେବତାର ଆଖି ବନ୍ଦ ମାନେ, ପୃଥିବୀରେ ଘନଘୋର ଅନ୍ଧାର । ଆଉ ଶଙ୍କରର ସେଇ ଘଡିକ ବନ୍ଦ ଆଖିରୁ ଯେଉଁ ବହଳ ବହଳ ଅନ୍ଧାର ବାହାରି ଆସିଲା, ସେଥିରୁ ଜନ୍ମ ନେଲା ଏକ ଅସୁର, ନାଆଁ ତାହାର ଅନ୍ଧକାସୁର । ଘୋର ଅନ୍ଧାରରୁ ଜନ୍ମିଛି ଯେଉଁ ଅନ୍ଧାର, ତାହାର ଔଚିତ୍ୟବୋଧ କିଛି ନାହିଁ । ସବୁ ସମ୍ପର୍କ ତାହାପାଇଁ ଅନ୍ଧାର । ଜନ୍ମ ହୋଇସାରିବା ପରେ ଅନ୍ଧକ ବୋଲି ସେହି ଅସୁର ଗୌରୀର ରୂପରେ ମୋହିତ ହେଲା । ଶଙ୍କରଙ୍କୁ ବ୍ୟବହାର କରିବାକୁ ପଡିଲା ନିଜର ତ୍ରିଶୂଳ ।

କିନ୍ତୁ ସେହି ତ୍ରିଶୂଳ ବ୍ୟର୍ଥ ଗଲା । ତ୍ରିଶୂଳ ଆଘାତରେ ଅନ୍ଧକାସୁରର ରକ୍ତ ଭୂଇଁରେ ଯେଉଁଠି ପଡିଲା ସେଇଠୁ ଆହୁରି ଅନେକ ଅନ୍ଧକ ଜନ୍ମ ନେଲେ । ଆଗରୁ ଆମେ ଯେଉଁ ରକ୍ତବୀଜର କାହାଣୀ ଶୁଣିଛେ, ଅବିକଳ ସେଇ ଭଳି କଥା । ପୁରାଣରେ ଥିବା ଅସୁରହନ୍ତା କାହାଣୀମାନଙ୍କର କେତେ ବା ନୂତନତ୍ୟ ଯୋଡିପାରିବେ ଆମ ପୁରାଣକାରମାନେ ? କାହାଣୀରେ ଅସୁରକୁ ମାରିଦେଲେ ସେମାନେ ନିଶ୍ଚିନ୍ତକୋଇଲି । ତେଣୁ ଅଧିକାଂଶ ସମୟରେ ଅସୁରନିଧନ କାହାଣୀରେ କ୍ଳାନ୍ତିକର ପୁନରାବୃତ୍ତି ହୋଇଥାଏ । ଅବଶ୍ୟ ଦେବୀ ଦୁର୍ଗାଙ୍କୁ ବିବସନା କରି ଦାନବ-ହନନକ୍ରୀୟାଟି ସାହିତ୍ୟ ଦୃଷ୍ଟିରୁ ଦେଖିଲେ ଅଦ୍ଭୁତ-ଉପମାର ପ୍ରୟୋଗ ବୋଲି ମନେ ହୋଇଥାଏ ।

ଶ୍ରୀଯୁକ୍ତ ଦେବଦତ୍ତ ପଟ୍ଟନାୟକଙ୍କ ଅନୁସାରେ ଗୌରୀ ଘଟଣାର ଗୁରୁତ୍ୟକୁ ଠିକ୍ ଭାବରେ ହୃଦୟଙ୍ଗମ କରିପାରିଲେ । ଗୌରୀ ଜାଣନ୍ତି ଯେ, ପୃଥିବୀ ନାରୀରୂପ ଆଉ ପୁରୁଷରୂପ ଉଭୟର ଏକ ମିଶ୍ରିତ ଜଟିଳ ନିର୍ମାଣ । ପୁରୁଷ ରୂପଟି ମାନସିକ ଭାଗର ସାମର୍ଥ୍ୟ ଆଉ ନାରୀରୂପଟି ହେଉଛି ଉପାଦାନ ଭାଗର ସାମର୍ଥ୍ୟ । ତେଣୁ ଅନ୍ଧକ ନିଧନ କେବଳ କୌଣସି ଶଙ୍କରଙ୍କ ତ୍ରିଶୂଳ ଦ୍ୱାରା ସମ୍ଭବପର ନୁହଁ ।ସେଥିରେ ନାରୀ ଶକ୍ତିର ସଞ୍ଜୋଜନ ଆବଶ୍ୟକ ।

ଗୌରୀ ସମସ୍ତ ଶକ୍ତିକୁ ଆବାହନ ଅନ୍ଧାରର ପ୍ରତିଭୂ ଅନ୍ଧକାସୁରକୁ ନିଧନ କରିବା ପାଇଁ ।

ମତ୍ସ୍ୟପୁରାଣ ଅନୁସାରେ ଅନ୍ୟ ଦେବତାମାନଙ୍କ ପରି ଗଣେଶଙ୍କ ଶରୀରରୁ ଉଦଗମ୍ ହୋଇଥିଲା ଏକ ନାରୀଶକ୍ତି । ତାହାକୁ କୁହାଗଲା ବିନାୟକୀ ।

ଆଜି ସକାଳେ ଏଇ ବିଚିତ୍ର ନାରୀବେଶଟିକୁ ଦେଖିବାର ସୁଯୋଗ ମିଳିଥିଲା । କହିବାକୁ ଗଲେ ଭୁବନେଶ୍ୱରର ଉପକଣ୍ଠରେ ଏଇ ସ୍ଥାନଟିକୁ ମୁଁ ଆଗରୁ ଆସିନଥିଲି । ସ୍ଥାନଟି ହେଉଛି ଭୁବନେଶ୍ୱର ଠାରୁ ମାତ୍ର କୋଡିଏ କିଲୋମିଟର ଦୂର ହିରାପୁରର ଚଉଷଠୀ ଯୋଗିନୀ ମନ୍ଦିର । ସେଠାରେ ଥିବା ଚଉଷଠୀ ଯୋଗିନୀଙ୍କ ଭିତରୁ ଏଇ ବିନାୟକୀ ଅନ୍ୟତମ ।

ଚଉଷଠୀ ଯୋଗିନୀ ମନ୍ଦିରରୁ ଫେରିଲା ବେଳେ ମୋ ମନ ଭାରାକ୍ରାନ୍ତ ହୋଇ ଉଠିଥିଲା । ଚଉଷଠୀ ଯୋଗିନୀଙ୍କ ଉପରେ ଓଡିଆ ଓ ଇଂରେଜୀରେ ଗୋଟିଏ ସୁନ୍ଦର ମନୋଗ୍ରାଫ ଅତ୍ୟନ୍ତ ସରଳ ଭାଷାରେ ଲେଖିଛନ୍ତି ମୋର ବନ୍ଧୁ ସୁରେଶ ବଳବନ୍ତରାୟ । ସେ ଅନେକଥର ମୋତେ କହିଥିଲେ, ଆସନ୍ତୁ ସାଙ୍ଗ ହୋଇ ଯିବା । ସାଙ୍ଗ ହୋଇଯିବା ତ ସମ୍ଭବ ହୁଏନି ଅନେକ ସମୟରେ, କିନ୍ତୁ ଜଣେ ନିବିଡ ବନ୍ଧୁଙ୍କ ପୂର୍ବରୁ ସ୍ୱର୍ଗତ ଲଗାଇବା ଅତ୍ୟନ୍ତ ବେଦନା ଦାୟକ ।

ସୁରେଶ ବାବୁଙ୍କ ମୋବାଇଲ୍ ନମ୍ବରଟି ମୋ ଫୋନ୍ ରେ ସୁରକ୍ଷିତ, ଯେଉଁଠୁ ସେଇ ପରିଚିତ ସ୍ୱରଟି ଆଉ କେବେ ବି ଶୁଭିବ ନାହିଁ ।
ସୁରେଶ ବଳବନ୍ତରାୟଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳୀ ।

Monday, November 20, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୫

ନୁବାଦକ - ଫକୀର ମୋହନ ସେନାପତି


ଅଂଶୁମାନଙ୍କ ସହ ସାଙ୍ଖ୍ୟଦର୍ଶନର ଜନକ, କପିଳ ମୁନି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କର୍ମଯୋଗୀ ସନ୍ୟାସୀ ଯେ ଏହି ଦୁଇ ଜନ । 
କରନ୍ତି ନିଶ୍ଚୟ ଶେଷେ ଲାଭ ମୋକ୍ଷ ସ୍ଥାନ ।।

କର୍ମଯୋଗୀ ସନ୍ୟାସୀଙ୍କୁ ଯେ ଦେଖେ ସମାନ । 
ତତ୍ତ୍ୱଦର୍ଶୀ ବୋଲି ତାକୁ ଜାଣିବ ଅର୍ଜୁନ ।୫।

ୟତ୍ ସାଙ୍ଖ୍ୟୈଃ ପ୍ରାପ୍ୟତେ ସ୍ଥାନଂ ତଦ୍ ୟୌଗୈରପି ଗମ୍ୟତେ ।
ଏକଂ ସାଙ୍ଖ୍ୟଞ୍ଚ ୟୋଗଞ୍ଚ ୟଃ ପଶ୍ୟତି ସ ପଶ୍ୟତି ।୫।

Sunday, November 19, 2017

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 

ଦ୍ୱିତୀୟ ଅଧ୍ୟାୟ 

ତୃତୀୟା ବଲ୍ଲୀ : ମନ୍ତ୍ର ୧୫


ନରକରେ ଯମ (ସପ୍ତଦଶ ଶତାବ୍ଦୀର ଚିତ୍ର)

'ମୁଁ' 'ମୋର' ମମତାମୟ ହୃଦଗ୍ରନ୍ଥିଚୟ
ହୁଏ ଯେବେ ଛିନ୍ନ ଭିନ୍ନ ତୁଟେ ଭବଭୟ ।

ଅଜ୍ଞାନ ଜଡ଼ତା ମୋହ ଦୂରେ ଅପସରେ
ବ୍ରହ୍ମ-ଆତ୍ମା ଏକଭାବ ବାହ୍ୟ ଅଭ୍ୟନ୍ତରେ ।

ମର୍ତ୍ତ୍ୟଲୋକେ ମର ଦେହେ ମାନବ ଅମୃତ
ଏ ପରମ ଉପଦେଶ ବେଦାନ୍ତ ନିଃସୃତ । (ନ.ଉ. ୨।୩।୩୯-୪୦)

Friday, November 17, 2017

ଛତୁ ବରା 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାମଗ୍ରୀ - ପାଏ ନରମ ପାଳ ଛତୁ, ପଚାଶ ଗ୍ରାମ ବେସନ, ପଚାଶ ଗ୍ରାମ ଉଆପଖିଆ ଚାଉଳ ଚୁନା, କୋଡ଼ିଏ ଗ୍ରାମ ହଳଦୀ, ଗୋଟିଏ ବଡ଼ ପିଆଜ, ପନ୍ଦରଟି ରସୁଣ କୋଲା, ଚାରୋଟି କଞ୍ଚା ଲଙ୍କା, ପାଞ୍ଚ ଗ୍ରାମ ସୋରିଷ, ଦଶ ଗ୍ରାମ ଜୀରା, ଆବଶ୍ୟକୀୟ ତେଲ ତଥା ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ - ଛତୁର ନାଡ଼ରୁ ଚୋପା ଛଡ଼ାଇ ଦିଅନ୍ତୁ । ପିଆଜ ଓ କଞ୍ଚା ଲଙ୍କା କୁ ଚୁନଚୁନ କରି କାଟନ୍ତୁ । ରସୁଣର ଚୋପା ଛଡାଇ ଦିଅନ୍ତୁ । ଜୀରା, ପିଆଜ, ରସୁଣ ଓ ଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ ।  ନଖ ଉଷୁମ ପାଣିରେ ଦଶ ଗ୍ରାମ ହଳଦୀ ପକାନ୍ତୁ । ଏହି ହଳଦି ପାଣିରେ ଛତୁକୁ ଭଲ କରି ଧୋଇ ଦିଅନ୍ତୁ । ଛତୁକୁ ପାଣିରୁ କାଢ଼ି ଚୁପୁଡ଼ି ଦିଅନ୍ତୁ । ତାହା ପରେ ଛତୁଗୁଡ଼ିକୁ ହାତରେ ଛୋଟଛୋଟ ଖଣ୍ଡ କରି ଦଳି ଦିଅନ୍ତୁ । ଏହି ଦଳା ଛତୁରେ ବଟା ମସଲା, ବେସନ ଓ ଚାଉଳ ଚୁନା ପକାଇ ଚକଟି ଦିଅନ୍ତୁ । ଏହି ଚକଟାକୁ ବରା ଭଳି ଛୋଟ ଛୋଟ କରି ଗଢ଼ନ୍ତୁ । ପଲମରେ ତେଲ ଗରମ କରନ୍ତୁ । ତାହା ପରେ ସୋରିଷ ପକାନ୍ତୁ । ସୋରିଷ ଫୁଟିଗଲେ ଅଳପ ଆଞ୍ଚରେ ବରାଗୁଡ଼ିକ ଭାଜିଦିଅନ୍ତୁ । 

Thursday, November 16, 2017

ପାଲି ଧମ୍ମପଦ (୬୯) ର ଓଡ଼ିଆ  ପଦ୍ୟାନୁବାଦ


୧୦ ବାଳବଗ୍ଗୋ (ବାଳ ବର୍ଗ)



ସ୍ୱର୍ଗରୁ ଅବରତଣ କରୁଥିବା ପଞ୍ଚବିଂଶ ବୋଧିସତ୍ତ୍ୱ
କାମାକୁରା କାଳ (୧୩୦୦ ମସିହା)ର ଜାପାନୀ ଚିତ୍ର

ଯେପର୍ଯ୍ୟନ୍ତ ପାପ ପାଚି ଫଳ ଦିଏ ନାହିଁ ।
ମୂରୁଖକୁ ତାହା ମଧୁ ପରି ଲାଗିଥାଇ ।

ଯେତେବେଳେ ପାପ ପକ୍ୱ ହୋଇ ଫଳ ଦିଏ ।
ତେତେ ବେଳେ ଅପଗଣ୍ଡ ଦୁଃଖ ପାଇଥାଏ ।୧୦। 

ମଧୁ ଇବ ମନ୍ୟତେ ବାଳଃ ୟାବତ୍ ପାାପଂ ନ ପଚ୍ୟତେ ।
ୟଦା ଚ ପଚ୍ୟତେ ପାପଂ ୍ଥ ବାଳୋ ଦୁଖଂ ନିଗଚ୍ଛତି । ୧୦।

ମଧୁଂ ବ ମଞ୍ଞତି ବାଳୋ ଯାବ ପାପଂ ନ ପଚ୍ଚତି ।
ଯଦା ଚ ପଚ୍ଚତି ପାପଂ ଅଥ ବାଳୋ ଦୁକ୍ଖଂ ନିଗଚ୍ଛତି ।୧୦।

Wednesday, November 15, 2017

ଭଣ୍ଡାର ପତ୍ରପୋଡ଼ା

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ -  ପାଏ କଞ୍ଚା ଭଣ୍ଡା, ପନ୍ଦର ଗ୍ରାମ ସୋରିଷ, ଦଶ ଗ୍ରାମ ଗୋଲମରିଚ ଗୁଣ୍ଡ, ପାଞ୍ଚ ଗ୍ରାମ ସୋରିଷ ତେଲ, ସୁଆଦ ଅନୁସାରେ ଲୁଣ, ଆବଶ୍ୟକ ଅନୁସାରେ ବଡ଼ ବଡ଼ କଖାରୁ ପତ୍ର । 

ପ୍ରଣାଳୀ - ଭଣ୍ଡାର ଚୋପା ଛଡ଼େଇ, ମଞ୍ଜି ବାହାର କରି, ଭିତରର ସାଦା ଭଣ୍ଡାକୁ ଶିଳରେ ଛେଚି ତାହାର କଷାପାଣି ଚିପୁଡ଼ି ପକାଅ । ଖୁବ ଚିକ୍କଣ ବଟା ସୋରିଷ, ତେଲ, ଲୁଣ, ଗୋଲମରିଚଗୁଣ୍ଡା ମିଶାଇ  ଦିଅନ୍ତୁ । ଛୋଟ ଛୋଟ ଚଣିବରା ଆକାରରେ କରି, କଖାରୁ ପତ୍ରରେ ଭରି ପୁଟୁଳା ବାନ୍ଧି ବା ଲମ୍ବଭାବରେ କାଠି ପୋଡ଼ି ବନ୍ଦ କରି ମଲା ନିଆଁରେ ପୋଡ଼ । ପୋଡ଼ା ହୋଇଗଲେ ବାହାର କରି ଆଣି ଆଗେ ପରିଷ୍କାର କରି ଖୋଲ । କେହି କେହି ଗାଲମରିଚଗୁଣ୍ଡା ବଦଳରେ ପିଆଜ ଓ ଲଙ୍କାମରିଚ ବଟା ଦେଇଥାଆନ୍ତି । 


ବି.ଦ୍ର. -  ଭଣ୍ଡାର ପତ୍ରପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, November 14, 2017

ପୋସ୍ତ ଚଟଣି


ସରୋଜିନୀ ଚୌଧୁରୀ


ପୋସ୍ତ ଫଳ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ପଚାଶ ଗ୍ରାମ ପୋସ୍ତ, ପାଞ୍ଚ ଗ୍ରାମ ଗୋଲମରିଚ ଗୁଣ୍ଡ, ପାଞ୍ଚ ଗ୍ରାମ ସୋରିଷ ତେଲ, ସୁଆଦ ଅନୁସାରେ ଲୁଣ ।

ପ୍ରଣାଳୀ -  ପୋସ୍ତ ଧୋଇ ବାଲି ଛାଣିଦିଅନ୍ତୁ । ସମସ୍ତ ବାଲି ବାହାରି ଗଲେ ପାଣି ବାହାର କରି ଦେଇ ପୋସ୍ତ ବାଟିଦିଅନ୍ତୁ । ବଟା ହୋଇଗଲେ, ଖଣ୍ଡିଏ ପରିସ୍କାର କନାରେ ଢିଲା କରି ଝୁଲାଇ ବାନ୍ଧିଦିଅନ୍ତୁ । ଏପରି ବାନ୍ଧିବାର କାରଣ ଏହିକି ଯେ, ପୋସ୍ତ ସିଝି ଫୁଲିବାକୁ ସ୍ଥାନ ପାଇବ । ତତ୍ପରେ ଭାତରେ ପକାନ୍ତୁ ଏବଂ ସିଝିଗଲେ ବାହାର କରିନେଇ ମରିଚ, ତେଲ ଓ ଲୁଣ ଦେଇ ଚଟଣି ପ୍ରସ୍ତୁତ କରି ଛୋଟ ଛୋଟ ଲମ୍ବା ପୋଟଳ ଆକାରରେ ଗଢ଼ିରଖନ୍ତୁ ।

ବି.ଦ୍ର. - ପୋସ୍ତ ଚଟଣି  ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏହି ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, November 09, 2017

ଲୋକପକ୍ଷ ଓ କ୍ଷୋଭ ପକ୍ଷ

(ଅକ୍ଷୟ ମହାନ୍ତିଙ୍କ  ପାଇଁ)

ଜ୍ୟୋତି ନନ୍ଦ 

୧୪୦୦ ବର୍ଷ ତଳର ଚର୍ଯ୍ୟାପଦର ପୋଥି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ବିଶିଷ୍ଟ ଚିନ୍ତକ ଜିଦୁ କୃଷ୍ଣମୂର୍ତ୍ତୀ ସଭାରେ କହିଲାବେଳେ ସବୁବେଳେ ଗୋଟିଏ କଥାକୁ ପରିହାର କରୁଥିଲେ । ସେଇଟି ହେଲା "ମୁଁ" । "ମୁଁ" ବଦଳରେ ସେ ପ୍ରାୟ କହୁଥିଲେ "ଉପସ୍ଥିତ ବକ୍ତା" ବା "ଏହି ବକ୍ତା" । ପ୍ରଥମ ପୁରୁଷକୁ ତୃତୀୟ ପୁରୁଷରେ କହିବା ସେତେ ସହଜ ନୁହଁ । ଟିକିଏ ସରଳ କରି କହିଲେ, ନିଜ ଆଗରେ ପରଦାଟିଏ ଟାଣି, ତାହା ପଛରେ ଆଢୁଆଳରେ ରହି, ନିଜ କଥାଟିକୁ ଏମିତି ଯତ୍ନରେ କହିବା, ସାମ୍ନାରେ ଥିବା ଲୋକଙ୍କୁ ଲାଗିବ ଯେମିତି ଖାଲି ପରଦା ନୁହଁ, ସେମାନେ ଦେଖିପାରୁଛନ୍ତି ପୂରା ନାଟକ ଟିଏ ।

ଆଢୁଆଳକୁ ଯିବା ଭାରି କଷ୍ଟକର କାମ, ଆଉ ଏଇ କାମ କରିବାର ଯାବତୀୟ କଷ୍ଟ କିଏ ବୋହିବାକୁ ଯିବ ବୋଲି ଜାଣି, ଆମେ ଖାଲି ମୁଁ ମୁଁ କରି ଆମ ଡଙ୍ଗାଟି ମାନ ସହଜରେ ବାହିଚାଲୁ ।

ଏଇଠି ଯେହେତୁ କିଛି କ୍ଷୋଭର କଥା କୁହାଯାଉଛି, ତେଣୁ ଅଧିକ ମୁଁ ମୁଁ ।

ଆଦ୍ୟସ୍ୱର ୧ ଶୀର୍ଷକରେ ଚର୍ଯାପଦରୁ ଲୁଇ ପାଙ୍କ ବିଶିଷ୍ଟ ପଦ ଅର୍ଥାତ୍ "ଶରୀର ବୃକ୍ଷରେ ପାଞ୍ଚଟି ଡାଳ/ଚଞ୍ଚଳ ଚିତ୍ତରେ ପ୍ରବେଶ କାଳ" ବୋଲି ଅନୁସୃଜନ କରି ଆଗରୁ ପୋଷ୍ଟ କରିଥିଲି । ଆପଣମାନେ ତାହାକୁ ଉଦାର ହୃଦୟରେ ଗ୍ରହଣ କରିଛନ୍ତି ।
ଅନୁବାଦ ଓ ଫଟୋ କ୍ରେଡ଼ିଟ - ଜ୍ୟୋତି ନନ୍ଦ

ଏବେ ସେଇ ମୂଳ ଚର୍ଯାପଦଟିକୁ ସୁର କରି ବୋଲିଛନ୍ତି ବିଶିଷ୍ଟ ବାଉଲ ଗାୟିକା ପାର୍ବତୀ ବାଉଲ । ପାର୍ବତୀ ବାଉଲ୍ ଜଣେ ପ୍ରଖ୍ୟାତ ବାଉଲ୍ ଗାୟିକା । ପାର୍ବତୀଙ୍କର ଏହି ଚର୍ଯ୍ୟାପଦଟିର ଗାୟନର ଆରମ୍ଭରେ କିଛି ଆଳାପ ଚାରିତା ରହିଛି ବଙ୍ଗଳା ଭାଷାରେ । ତାହା ପରେ ଗୀତଟି ଅଛି । ଆପଣ ଚାହିଁଲେ ଏହି ଗୀତଟିକୁ ୟୁଟ୍ୟୁବ୍ ରେ ଶୁଣି ପାରନ୍ତି ।

ଏହା ସହିତ ମୋର କ୍ଷୋଭଟିଏ ଆପଣଙ୍କ ସହ ସହଭାଗ କରୁଛି । ଆମେ ଚର୍ଯାପଦକୁ ଆମ ଭାଷାର ବୋଲି ଦାବୀ କରୁଛେ । ଆମ ପ୍ରତିବେଶୀ ଭାଷାର ବିଶାରଦମାନେ ବି ସମାନ ଦାବୀ କରୁଛନ୍ତି । କିନ୍ତୁ ଆମ ଦାବୀଟି ଯଦି କେବଳ କିଛି ପଣ୍ଡିତଙ୍କ ଶାସ୍ତ୍ରଗତ ବିବେଚନାତ୍ମକ ନିଷ୍ପତ୍ତି ଭିତରେ ରହିଯାଏ, ଯାହାର ଲୋକପକ୍ଷଟି ଦୃଶ୍ୟମାନ ହେଉ ନଥାଏ, ତେବେ ଆମେ କେତେ ସଫଳ ହେବା ?
ଚର୍ଯାପଦ ଯେହେତୁ ଲୋକଜ୍ଞାନ ଓ ଲୋକଗାନର ଏକ ସଶକ୍ତ ରୂପ, ସେହି ଦୃଷ୍ଟିରୁ ଏହାର ଲୋକକ୍ଷେତ୍ରଟି ଆମର ବିସ୍ତୃତ ହୋଇ ରହିବା ଦରକାର ।

ଆମର ଗାୟକ ଓ ସୁରକାର ମାନଙ୍କର ଏ ଦିଗରେ ଆଗ୍ରହ ନାହିଁ କାହିଁକି ? ଗୀତ ଖାତା ହିସାବରେ ପଣ୍ଡିତ ଚକ୍ରଧର ମହାପାତ୍ରଙ୍କ "ଉତ୍କଳର ଗାଉଁଲି ଗୀତ" କ'ଣ ଭାବ ଆଉ କଥା ଦୃଷ୍ଟିରୁ ଏତେ ନିମ୍ନ ମାନରେ ଯେ, ତାହା ସର୍ବଦା ବର୍ଜନୀୟ ?

ଆମେ ଯେଉଁମାନେ ପୁରୁଣା ଆଉ ଆଜିର ରିଦମ୍ ମ୍ୟୁଜିକ୍ ର ବିରୋଧୀ ବୋଲି କୁହାଯାଏ, ପ୍ରକୃତରେ କଥାଟି ସେଇଠି ନାହିଁ । ମୃଦୁ ହେଉ କି ଦୃତ ହେଉ, କାନକୁ ଠିକ୍ ଲାଗିଲେ ସବୁ ଠିକ୍ । ଆମେ ପୁରୁଣା ଲୋକେ ଟିକିଏ ଅଧିକ ଭୂଇଁ ସହ ସଞ୍ଜୁକ୍ତ, କାରଣ ଭୂଇଁରୁ ବିଦାୟ ବେଳାକୁ ଦେଖିବା ପାଇଁ ଆମକୁ ଚଷମା କାଚ ପୋଛିବାକୁ ପଡୁନି । ତେଣୁ ଆମେ ଅଧିକ ଭୂଇଁ ଭୂଇଁ ହେଉ । ଭୂଇଁ ସହ ଯାହା ଟିକିଏ ଜଡ଼ିତ ହୋଇଛି ବୋଲି ଦେଖିଲେ, ଆମେ ପୁରାପୁରି ବିହ୍ୱଳ ହୋଇଯାଉ ।

ଆମ ଗୀତରେ ଭୂଇଁ କେତେ ? ସବୁ ସେଇ ଅକ୍ଷୟ ମହାନ୍ତି, ପାର୍ଥସାରଥୀ ମହାପାତ୍ର, ଶିବବ୍ରତ ଦାସ, ଜୀବନ ପାଣି ଆଦିଙ୍କ ବିକଳ ଅନୁକରଣ କେବଳ । ଏଥିରେ ମାତ୍ରାଧିକ ଉପମା, ରୂପକର ଓଜନିଆ ଭାରଟିଏ କୌଣସି ଦୁର୍ବଳ ଶରୀରଯୁକ୍ତ କଥାଟିଏର କାନ୍ଧରେ ଚଢ଼ାଇ ଦେଇ ଆମେ ତାଳି ମାରୁଛୁ, ଯେମିତି ସେ ଏଇଲେ ମାରାଥନଟି ଜିତିଯିବ ।

ଜୀବନମୁଖୀ ଗୀତ କହିଲେ ଯାହା ବୁଝାଏ, ଆମ ଗୀତରେ ତାହା କେତେ ? ବବ୍ ଡିଲାନ୍ ନୋବେଲ୍ ପାଇଲା ପରେ, ଆମର ଏଠିକାର କିଛି ଅତ୍ୟୁତ୍ସାହୀ, ଏଠିକାର ଜଣେ ବିଶିଷ୍ଟ ସିନେମା ସଙ୍ଗୀତକାର ସେଇ ପୁରସ୍କାର ପାଇବାର ହକଦାର୍ ବୋଲି କହିଲେ । ବବ୍ ଡିଲାନ୍ ଙ୍କର ଗୀତ ଆଉ ସେ ମହାଶୟଙ୍କ ଗୀତ ଆପଣ ତୁଳନା କରି ନିଜେ ବିଚାର କରନ୍ତୁ । ଆମର ପ୍ରତିବେଶୀ ରାଜ୍ୟର କବୀର ସୁମନ, ନଚିକେତା, ଅଞ୍ଜନ ଦତ୍ତ, ଆଦିଙ୍କ ଗୀତକୁ ଶୁଣିବା ସହ ତାହାର କଥ୍ୟବସ୍ତୁକୁ ଦେଖନ୍ତୁ । ଆମ ଗୀତର ସ୍ୱର ରହିଛି, କିନ୍ତୁ ଦୁଃଖର ସହ କହିବି, ତାହାର କଥା ପ୍ରାୟତଃ ନେପଥ୍ୟରେ । ଆମର ରିଦମ୍ ଗୀତ ଗୁଡିକ ଅର୍ଥହୀନ ଆଉ "ସ୍ଲୋ" ଗୀତ ଗୁଡିକ, ଯାହା ଆଗରୁ କହିଲି, ଅତୀତର ବିକଳ ଅନୁକରଣ, ତେଣୁ ପ୍ରଭାବହୀନ ।

ଯଦି ବରଯାତ୍ରୀଙ୍କ ନାଚିବା ଆମ ଗୀତର ସଫଳତା ବୋଲି କୁହାଯିବ ତେବେ ଆମେ ବେଶ୍ ସଫଳ ।


ଭୂଇଁ କଥାରୁ ସେତେ ବାଟ ଭାଙ୍ଗି ଯାଇ ନାହିଁ ।

ଆମେ ଯେଉଁମାନଙ୍କର କାନଟିମାନ ଆକାଶବାଣୀ କଟକ (ସମ୍ବଲପୁର ଓ ଜୟପୁର ରୁ ଏକା ସାଙ୍ଗେ ପ୍ରଚାରିତ) ଦ୍ୱାରା ସୁନ୍ଦର ସ୍ୱର ଶୁଣିବାରେ ତାଲିମ ପାଇଛି, ସେମାନେ ଜାଣନ୍ତି ଗୀତର ପ୍ରକାର ଭେଦ ଥିଲା, ସୁଗମ ସଙ୍ଗୀତ, ଜଣାଣ, ପଲ୍ଲୀ ସ୍ୱର ଓ ଓଡିଶୀ । ମୁଁ ଶାସ୍ତ୍ରୀୟ ସଙ୍ଗୀତ କଥା କହୁନାହିଁ । ସୁଗମ ସଙ୍ଗୀତ କୁ ବେଳେବେଳେ "ଆଧୁନିକ" ବୋଲି ବି କୁହାଯାଉଥିଲା । ତାହା ପରେ ଆମେ ଆମ ଗୀତର ଦୀର୍ଘଶ୍ୱାସରେ ଅପନ୍ତରା ମୁଲକର ଯେଉଁ ଜୀବନ ଦେଖୁ, ତାହା କେମିତି ଜୀବନ ?

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୋର ଦୁଃଖଟି ଅପହୃତ ପଲ୍ଲୀସ୍ୱରକୁ ନେଇ । ତାହା ଆଉ ରହିଲା ନାହିଁ । ଆମର କିଛି ଜଣାଣ ଲେଖକମାନେ ନିଜନିଜର ଜଣାଣରେ କାଳିଆ ସହିତ ପଲ୍ଲୀସ୍ୱରକୁ ଯୋଡିଦେଇ, ପଲ୍ଲୀସ୍ୱର ପ୍ରତି ରହିଥିବା ଆମର ସବୁ ସମୟର ଆଗ୍ରହକୁ କରାୟତ୍ତ କରିନେଲେ । ଫଳରେ ପଲ୍ଲୀସ୍ୱରର ଚିରକାଳୀନ ଜନଜୀବନ ସହ ଜଡିତ ହସ କାନ୍ଦର କାହାଣୀ ଆଉ ଆବେଗର ସାମୂହିକ ଉଚ୍ଛ୍ୱାସ ଟିକକ ବଦଳିଗଲା, ଧାର୍ମିକ ଖୋଳ ତାଳର ସଙ୍କୀର୍ତ୍ତନରେ । ପଲ୍ଲୀସ୍ୱରର ଭୂଇଁରେ ଆମ ଆଉ ରହିଲୁ ନାହିଁ । ସାମୂହିକତାର ଉତ୍ସବପାଳନ ପରିବର୍ତ୍ତେ, ଆମେ ନିଜ କାନରେ ଇଅର-ଫୋନ ଗୁଞ୍ଜି ,କହିବାକୁ ଗଲେ ସଙ୍ଗୀତ ଦୃଷ୍ଟିରୁ ବ୍ୟକ୍ତିପରକ ହୋଇଗଲୁ ।

ଆମ ଗୀତରେ ଆମେ ଯେତେକ ମମତା ମଧୁର ପ୍ରିୟଜନର ସ୍ନେହ, ଶୈଶବର ସାଥୀ ଆଉ ଜହ୍ନରାତିର ଝଲମଲ ଭୂଖଣ୍ଡକୁ ତେଜି ଯେମିତି କେଉଁ ଏକ ଭିନ୍ନ ରାଇଜକୁ ଦାଦନ ଖଟିବାକୁ ଯାଉଛୁ, ଦୁଃଖରେ ନୁହଁ, ପ୍ରୟୋଜନରେ ନୁହଁ । ଆମର ଭାରି ଇଚ୍ଛା କଲିକତିଆ ଜୋଇଁ ସାଜିବାରେ । ମାହୁନ୍ତ ନଥିବା ହାତୀଟିଏ ଧରି ରୋଷଣୀ କରିବାରେ ଆମର ଆଗ୍ରହ ।

ଆମେ ପୁରୁଣା ଲୋକେ ଭୂଇଁର ଲବଙ୍ଗଲତାର ଝାଉଁଳି ପଡିଥିବା ମୁହଁଟିକୁ ଦେଖୁ । ପହିଲି ଦେଖାରେ ବିଡ଼ିଆ ପାନ ଦେଇଥିବା ଏକଣା ଗାଆଁ ମୁଣ୍ଡକୁ ଦେଖୁ । ଆମର ମନ ଅଡୁଆ ହୋଇଯାଏ ।

ଆମ ଗୀତରେ ଜୀବନମୁଖୀ ଗୀତ କହିଲେ ଯେଉଁ ବାସ୍ତବତାକୁ ବୁଝାଏ, ସେଇଟି ରହିଲା ନାହିଁ । ଆମର ସବୁ ଗୀତ ଯେମିତି ରୂପେଲି ପରଦାରେ ନାୟକନାୟିକାଙ୍କର ସେଇ ଦୃଶ୍ୟ ପାଇଁ ଅଭିପ୍ରେତ, ଯେଉଁ ଦୃଶ୍ୟରେ ଦର୍ଶକମାନେ ତୁହାକୁ ତୁହା ହୁଇସିଲି ମାରିବେ । ଆମ ଗୀତର ଦୁର୍ବଳ କଥାଭାଗ ସେମାନଙ୍କୁ ଅଧିକରୁ ଅଧିକ ତାଳିମାରିବାକୁ ପ୍ରୋତ୍ସାହିତ କଲା । ଗୁଡାଏ ବହୁବ୍ୟବହୃତ ଉପମା ଆଉ ଅପରିଣତ ବୟସର ଚଲତି କଥା ଏବଂ ରିଦମ୍ ରେ ଜୀବନଗୀତ କେତେବାଟ ଯିବ ? 

ଆମ ଗୀତରେ ସମସାମୟିକ ଆଧୁନିକ କବିତାର ରୂପକ ଆଉ ପ୍ରତୀକ କେତେ ବ୍ୟବହାର ହେଉଛି, ତାହା ଆପଣମାନେ ନିଜେ ବିଚାର କରି ପାରନ୍ତି । ଏଠାରେ କହିବା ଅପ୍ରାସଙ୍ଗିକ ହେବନାହିଁ ଯେ, ଆମ ପ୍ରତିବେଶୀ ରାଜ୍ୟର ଆଧୁନିକ ତରୁଣ କବି ଜଣକ କଥା, ଯିଏ ବିତର୍କିତ ଆଉ ଜଣେ ସିନେମା ସଙ୍ଗୀତକାର ହିସାବରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଛନ୍ତି । ସେ ହେଉଛନ୍ତି ଶ୍ରୀଜାତ । ଶ୍ରୀଜାତ ବଙ୍ଗଳାର ଗୌରୀପ୍ରସନ୍ନ ମଜୁମଦାର୍ ଓ ପୁଲକ ବନ୍ଦୋପାଧ୍ୟୟଙ୍କ ଭଳି ଗୀତିକାର ମାନଙ୍କର ଉପମା-ପ୍ରଧାନ ନାରେଟିଭ୍ କୁ ସମସାମୟିକ କରିଛନ୍ତି ।ଅର୍ଥାତ୍ ଆଧୁନିକ କବିତାକୁ ସେ ଗାୟନଯୋଗ୍ୟ ଗୀତିମୟତାରେ ରୂପାନ୍ତରିତ କରିଛନ୍ତି । 

ଆମର ଏଠାରେ କବି ବି ଦୀର୍ଘକାଳର ସିନେମାର ଗୀତିକାର, କିନ୍ତୁ ଗୀତରେ ସେଇ ସମସାମୟିକ ରୂପଟି ଅଛି କି ? ଆପଣମାନେ ଉଭୟଙ୍କୁ ତୁଳନା କରି ନିଜେ ନିଜର ବିବେଚନଟି ବାହାର କରିପାରିବେ ବୋଲି ଆଶା । ସମସାମୟିକତା ଆଉ ଗୋଟିଏ ପ୍ରତିବେଶୀ ଉଦାହାରଣ ଦେବାକୁ ଚାହୁଁଛି । ଆମ ଗୀତରେ ରାଜନୀତିର ପଦଟିଏ ଅଛିକି, ଯେମିତି କବୀର ସୁମନ ଲେଖିଛନ୍ତି, "ଆମି ଚାଇ ବିଜେପି ନେତାର ସଲମା ଖାତୁନ୍ ପୁତ୍ରବଧୁ" ।

କୌଣସି ପ୍ରାଚୀନ ଉପମା ନୁହଁ, ଏଇ ଟିକିଏ ଆଗରୁ କହିଲା ଭଳି ଧାଡ଼ିଟିମାନ ସୁରରେ ରହିଯାଏ ମନରେ । ଆମେ ତାହାକୁ ବେଳ ଅବେଳରେ ଗୁଣୁଗୁଣୁ କରୁ ।

ଭୂଇଁ ଆଉ ଜୀବନକୁ ବାଦ ଦେଇ ଆମର ଯେଉଁ ବ୍ୟକ୍ତିପରକ ନୃତ୍ୟଭିତ୍ତିକ ଗୀତ ଚାଲିଛି, ସେଇ ପ୍ରସଙ୍ଗରେ ରଙ୍ଗବତୀ ଗୀତ ତଥା ସମ୍ବଲପୁରୀ ଗୀତର କଥା କହିବାକୁ ଚାହିଁବି । ରଙ୍ଗବତୀର ବିଶ୍ୱଜୟ ପଛରେ ରହିଛି ତାହାର ଭୂଇଁ ସହ ସମ୍ପୃକ୍ତି, ଲୋକପକ୍ଷ ଓ ସାମୂହିକତାର ଉଦବେଳନର ପ୍ରତୀକୀକରଣ । ମୁଁ ଭାଷା ବିଶେଷଜ୍ଞ ନୁହେଁ, ଆଉ ଭାଷା ଉପରେ କିଛି କହିବା ନିହାତି ଏକ ସମ୍ବେଦନଶୀଳ ପ୍ରସଙ୍ଗ । ତଥାପି ବିନମ୍ରତାର ସହ କହିବି, ସମ୍ବଲପୁରୀ ବା କୋଶଳୀ, ଯାହା କୁହାଯାଉ, ସେଇ ଭାଷାରେ ଲୋକପକ୍ଷ ବା ଲୋକସମ୍ପୃକ୍ତିଟି ଯଥେଷ୍ଟ ନିବିଡ । ଏହା ଏଲିଟିଷ୍ଟ ବା ଉଚ୍ଚବର୍ଗକର୍ତ୍ତୃକ ନିର୍ଦ୍ଦେଶିତ ଭାଷା ଭଳି ମୋତେ ଲାଗ ନାହିଁ । ତେଣୁ ସେଇଠୁ ଯେଉଁ ସୁର ବାହାରେ, ତାହା କୌଣସି ଭିଜାମାଟିର ଗନ୍ଧଠାରୁ ଅଧିକ ବାସ୍ନା, ବାଉଁଶବଣକୁ ଅତିକ୍ରମ କରୁଥିବା ପବନର ସନସନ ଶବ୍ଦଠୁ ଅଧିକ ମଧୁରତର ।

ଏବେ ଏଇ ଅପନ୍ତରାରେ ମୁଁ କ'ଣ କରିବି ? କହିବାରେ ଦ୍ୱିଧା ନାହିଁ ସବୁ ସ୍ୱର ମଧୁର । ଆଜି ବି । କିନ୍ତୁ ସେଇ ସୁରକୁ ଧାରଣ କରିବାର ଆଜିର କଥା ଗୁଡିକ ଦୁର୍ବଳ । ତାହା ମୋର କ୍ଷୋଭ । ଏଇଠି ମୁଁ ବାରମ୍ବାର ପ୍ରତିବେଶୀ ବଙ୍ଗଳାର ଗୀତ ସହ ଆମ ଗୀତକୁ ତୁଳନା କରୁଛି କାହିଁକି ? କିଛି ଦିନ ତଳେ ଶ୍ରେୟା ଘୋଷାଲଙ୍କ ଗତ ବର୍ଷର ଏକ ପୂଜାଗୀତକୁ ସମ୍ପୂର୍ଣ୍ଣ ଅନୁକରଣ କରି, ଆମର ଏଠିକାର ଜଣେ ପ୍ରତିଭାମୟୀ ଗାୟିକା ଗାଇଥିଲେ । ଗୀତର ଅନୁକରଣ ସମ୍ପର୍କ ରେ ମୋର କିଛି କହିବାର ନାହିଁ । କିନ୍ତୁ ଶ୍ରେୟାଙ୍କର ସେଇ ଭିଡିଓଟି ଭଳି ଅବିକଳ ଭିଡିଓ, ଅବିକଳ ଭାବଭଙ୍ଗୀର ପରିବେଷଣଟିକୁ କ'ଣ କୁହାଯିବ ? ସେଠୁ କିଛି ଲିରିକ୍ ଆଉ ସ୍ୱରକୁ ଏଠିକୁ ଆମଦାନୀ ହୋଇଛି । ସେ ବିଷୟରେ ବିଷୟରେ ଅଧିକ ଚର୍ଚ୍ଚା କରିବାକୁ ଚାହୁଁ । ମୋର ଏମିତି ତୁଳନା କରିବାର ଉଦ୍ଦେଶ୍ୟଟି ହେଉଛି, ସେମାନେ କୌଣସି ଶ୍ରେଷ୍ଠ ମାନଦଣ୍ଡ ନୁହଁନ୍ତି, ମାତ୍ର ଗୋଟିଏ ମାପକାଠି ଆଉ ଯେଉଁ ମାପକାଠିରେ ଆମେ କେତେ ଉଚ୍ଚ ମାପିପାରିବା ।


ସିକନ୍ଦର ଆଲମ (୧୯୩୯-୨୦୧୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାର୍ବତୀ ବାଉଲଙ୍କର କଣ୍ଠରେ ଚର୍ଯାପଦର ଗାୟନର କଥାଟିକୁ ଚର୍ଚ୍ଚାକୁ ଆଣିବାପଛରେ ମୋର ଗୋଟିଏ ଉଦ୍ଦେଶ୍ୟ । ଆମର ତରୁଣମାନେ ଏବେ ଗୋଟିଏ ଗୋଟିଏ ବ୍ୟାଣ୍ଡ କରି ସଙ୍ଗୀତ ସାଧନା କରୁଛନ୍ତି । ଯଦି ସେମାନଙ୍କ ଦୃଷ୍ଟିରେ ଆମର ଲୋକଗୀତଟି ମାନ ପଡ଼େ, ତେବେ ଆମେ ଆମର ଭୂଇଁକୁ ଫେରି ପାଇବା । ବଙ୍ଗଳାରେ ଭୂମୀ, ମାଦଳ, ବାଉଲ, ଦୋହାର ଆଦି ଦଳ ଲୋକଗୀତର ଚର୍ଚ୍ଚାରେ ବ୍ୟସ୍ତ ଅଛନ୍ତି । ଠିକ୍ ସେଇଭଳି ଯଦି ଆମର ତରୁଣମାନେ ପଣ୍ଡିତ ଚକ୍ରଧର ମହାପାତ୍ରଙ୍କ "ଉତ୍କଳର ଗାଉଁଲୀ ଗୀତ"କୁ ନିଜର ଗୀତଖାତାରେ ସାମିଲ୍ କରନ୍ତେ, ତେବେ ଆମେ ଆମର ଅସଲ ଭୂଖଣ୍ଡରେ ଗର୍ବର ସହ ଛିଡା ହୋଇ ଆମର ନିଜସ୍ୱ ପତାକାଟିକୁ ଫରଫର କରି ଉଡ଼ାଇ ପାରନ୍ତେ । ଆଉ ଆମକୁ ପ୍ରତିଷ୍ଠା ପାଇଁ ଅନୁକରଣ କରିବାର ଦରକାର ପଡନ୍ତା ନାହିଁ । ବରଂ ଆମକୁ ସେଇଭଳି କିଛି କଥା କହିବାର ସୁଯୋଗ ବାରଂବାର ମିଳନ୍ତା,ଜାଣିଛ ଶଚ୍ଚିନ କର୍ତ୍ତା ମାନେ ଶଚ୍ଚିନ ଦେବ ବର୍ମନ ଆମର "ମଲ୍ଲୀମାଳ ଶ୍ୟାମକୁ ଦେବି" କୁ ନେଇ ସ୍ୱର କରିଛନ୍ତି, "ପିଆ ତୋଷେ ନୈନା ଲାଗେରେ"।

ଏଇମିତି ଜୀବନ ଓ ଏଇମିତି ଭୂଇଁର ସୁର ଶୁଣିବାର ଅପେକ୍ଷାରେ ମୁଁ ରହିଛି । ଏଇ ଅପେକ୍ଷା ବେଳର ଯେଉଁ କ୍ଷୋଭ, ସେଥିରେ କାହାକୁ ଆଘାତ କରିବାର ଅଭିପ୍ରାୟ ନାହିଁ ।  ଜାଣେ ସ୍ୱର ସହିତ ଯେତେକ ରହିଛନ୍ତି, ସମସ୍ତେ ପତଳା କାଚ ପରି ଭଙ୍ଗୁର । ତେଣୁ ଦୁଃଖିତ ।ମୋର ଏଇ କ୍ଷୋଭରେ ରହିଛି କେବଳ ଗଭୀର ବେଦନାବୋଧ । ଆଶା ଅଛି ଦିନେ ସବୁ ବଦଳିଯିବ । ତରୁଣମାନେ ସବୁ ବଦଳାଇଦେବେ।

ସେଯାଏଁ ମୋତେ ସାହଚର୍ଯ୍ୟ ଦେଇ କୃତାର୍ଥ କରୁଥିବେ ବାଳକୃଷ୍ଣ ଦାଶଙ୍କର ସମର୍ଥ ବଂଶଧରମାନେ ଓଡିଶୀରେ, ଫକୀର ପଟ୍ଟନାୟକଙ୍କ ବଂଶଧର ମାନେ ସମ୍ବଲପୁରୀରେ । ଆଉ ସେଇଠି ମୋ ଗୀତରେ ମୁଁ ମୌଳିକ ଗୀତିକାର ଏବଂ ସୁରକାର ହୋଇ ଆନନ୍ଦରେ ରହିଥିବି ।

Monday, November 06, 2017

କୁନ୍ଦୁଲି ନାବାଳିକା ବଳାତ୍କାର ଘଟଣା ସମ୍ପର୍କରେ ପ୍ରେସ ବିଜ୍ଞପ୍ତି 

କୋରାପୁଟ, ୨୫.୧୦.୧୭


କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରେଳଷ୍ଟସନର ଦୃଶ୍ୟ
ଫଟୋ କ୍ରେଡ଼ିଟ -  ୱିକିମିଡିଆ କମନ୍ସ୍


ଅକ୍ଟୋବର ମାସର ଦଶ  ତାରିଖ ଦିନ କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକା ପ୍ରତି ଯବାନମାନଙ୍କ ଦ୍ୱାରା ଗଣ ବଳାତ୍କାର ହୋଇଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକାରିଣୀ ଜଣେ ଦଳିତ ବର୍ଗର ନାବାଳିକା ଏବଂ ତାଙ୍କ ଅଭିଯୋଗ ଅନୁସାରେ ଅପରାଧକର୍ତ୍ତା ୟୁନିଫର୍ମ ପିନ୍ଧା ଓ ବନ୍ଧୁକଧାରୀ ଚାରିଜଣ ଯବାନ ହୋଇଥିବାରୁ ଘଟଣାର ଯଥେଷ୍ଟ ଗୁରୁତ୍ୱ ରହିଛି । ଘଟଣାର ପ୍ରତିବାଦରେ ଅଞ୍ଚଳବାସୀ ରାସ୍ତାରୋକୋ ସମେତ ବିଭିନ୍ନ ଭାବରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏ ଅଞ୍ଚଳରେ ବହୁସଙ୍ଖ୍ୟାରେ ଦୀର୍ଘଦିନ ଧରି ଯବାନମାନଙ୍କୁ ମୁତୟନ କରାଯାଇଛି । ପୂର୍ବରୁ ବିଭିନ୍ନ ସମୟରେ ସେମାନଙ୍କ ଦ୍ୱାରା ସାଧାରଣଲୋକଙ୍କ ଅଧିକାର ଉଲ୍ଲଙ୍ଘନ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି ।  

ଏ ପରିପ୍ରେକ୍ଷୀରେ କୁନ୍ଦୁଲି ଘଟଣାର ଗୁରୁତ୍ୱ ଉପଲବ୍ଧି କରି, ମାନବିକ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଓଡ଼ିଶାର ତିନୋଟି ସଙ୍ଗଠନ ଯଥା, ପିୟୁସିଏଲ୍, ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ପ୍ରତିିନିଧିମାନେ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ତା୨୩ ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ଅନୁସନ୍ଧାନ କରିଥିଲେ । ପ୍ରତିିନିଧିମାନେ ପୀଡ଼ିତା ନାବାଳିକା, ତାଙ୍କର ପରିବାରବର୍ଗ, ଗ୍ରାମବାସୀ, ଜେରା କରାଯାଉଥିବା ଦୁଇ ଜଣ ନାବାଳକଙ୍କ ସମେତ, ଗାଁର ଚାରି ଜଣ ଯୁବକ, କୁନ୍ଦୁଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପଟାଙ୍ଗୀ ଥାନା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଡି.ଏସ୍.ପି. ଏଚ୍.ଆର୍.ପି.ସି. ଇତ୍ୟାଦିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ବୁଝିଥିଲେ । ତାହା ସହିତ ଗଣମାଧ୍ୟମରେ ଲଗାତାର ଭାବେ ପ୍ରକାଶିତ ସମ୍ବାଦର ଅନୁଧ୍ୟାନ ମଧ୍ୟ କରିଥିଲେ । ଦଳ ତାହାର ପ୍ରାଥମିକ ଅନୁସନ୍ଧାନର ଆଧାରରେ ନିମ୍ନଲିଖିତ  ବିଷୟ ଉପସ୍ଥାପନ କରୁଅଛି ।

ପୀଡ଼ିତାର ସ୍ଥିତି ସମ୍ପର୍କରେ


୧. ପୀଡ଼ିତା ଏବେ ମଧ୍ୟ ଗମ୍ଭୀର ମାନସିକ ଅସ୍ଥିରତା, ଉଦବେଗ ଓ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହି ସମୟରେ ତାଙ୍କୁ ଉପଯୁକ୍ତ ତଥା ସମ୍ବେଦନଶୀଳ ଯତ୍ନ ଆବଶ୍ୟକ । ଏବେ ପନ୍ଦର ଦିନ ହେଲା ତାଙ୍କୁ ଡାକ୍ତରଖାନାରେ ରଖାଯାଇଛି । ଅନେକ ଦିନ ଧରି ତାଙ୍କୁ ପ୍ରସୂତି ୱାର୍ଡ୍ ରେ ରଖାଯାଇଥିଲା, ଯାହା ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ପାଇଁ ଏକ ଦଣ୍ଡ ଅଟେ ।

୨. ପୀଡ଼ିତାର ଶାରୀରିକ ସ୍ଥିତି ଏବଂ ଚିକିତ୍ସା ବିଷୟରେ ତାଙ୍କୁ କିମ୍ବା ତାଙ୍କର ପରିବାରଙ୍କୁ ବିଶ୍ୱାସକୁ ନିଆଯାଇ ସମସ୍ତ ସୂଚନା ଦିଆଯାଉ ନାହିଁ ।

୩. ପୀଡ଼ିତାଙ୍କର ପରିବାର ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ଅତ୍ୟନ୍ତ ଦୁର୍ବଳ ଶ୍ରେଣୀର । ଘଟଣା ପରେ ସେମାନେ ମଧ୍ୟ ସବୁ ଦିଗରୁ ପ୍ରଭାବିତ ଏବଂ ଘୋର ମାନସିକ ଓ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଛନ୍ତି ।

ତଦନ୍ତର ଦିଗ ସମ୍ପର୍କରେ


୧. ପୀଡ଼ିତାଙ୍କର ଅଭିଯୋଗ ଅନୁସାରେ ଯେଉଁ ସବୁ ଦିଗଗୁଡ଼ିକ ତଦନ୍ତର ପରିସରଭୁକ୍ତ ହେବା କଥା, ସେ ସମସ୍ତ ଦିଗ ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉ ନାହିଁ । ବରଂ, ଅଭିଯୋଗରେ ଉଲ୍ଲେଖ ନଥିବା ଗାଁ ପିଲାମାନଙ୍କ ଉପରେ ତଦନ୍ତର ଧ୍ୟାନ କେନ୍ଦ୍ରିତ କରାଯାଇଛି ।

୨. ସବୁଠାରୁ ଉଦବେଗର ବିଷୟ ହେଉଛି ଯେ, ତଦନ୍ତ ଆଳରେ କିଶୋର ନ୍ୟାୟ ବ୍ୟବସ୍ଥାର ବିଭିନ୍ନ ଆଇନକାନୁନ ଉଲଙ୍ଘନ କରାଯାଇ, ଦୁଇ ନାବାଳକଙ୍କୁ ବିଭିନ୍ନ ଭାବରେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଛି । ସେମାନଙ୍କ ପରିବାର ବର୍ଗଙ୍କୁ ମଧ୍ୟ ବିଭିନ୍ନ ଭାବରେ ହଇରାଣ ହରକତ କରାଯାଉଛି । ବାରମ୍ବାର କୋରାପୁଟ ଏସ୍.ପି. ଅଫିସକୁ ଡାକି ଗାଁର ଅନ୍ୟ ଦୁଇ ଯୁବକ ଓ ନାବାଳକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖିବା, ମାଡ଼ ଦେବା, ରାତିରେ ନାବାଳକକୁ ନେଇ ପୀଡ଼ିତା ସହିତ ମୁହାଁମୁହିଁ କରେଇବା, ରାତିରେ ପୁଲିସ ଫୋର୍ସ ନେଇ ଗାଁ ତନଖି କରିବା, ନାବାଳକର ମିଛ ଧରା ପରୀକ୍ଷା କରେଇବା ଇତ୍ୟାଦି ଭାବରେ ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଛି ।

୩. ଅପର ପକ୍ଷେ, ପୀଡ଼ିତା ଅଭିଯୋଗରେ ଉଲ୍ଲେଖ କରିଥିବା ‘ଯବାନ’ମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତକୁ ସେଭଳି ଗୁରୁତ୍ୱ ଦିଆଯାଉଥିବା ଜଣାପଡ଼ୁ ନାହିଁ - ଯେପରି କି, ସନ୍ଧାନୀ କୁକୁରର ବ୍ୟବହାର ନ କରିବା, ବୟାନ ଅନୁଯାୟୀ ସନ୍ଦିଗ୍ଧ ଅପରାଧୀର ସ୍କେଚ୍ ଜାରି ନ କରେଇବା, ସମ୍ପୃକ୍ତ ଅଞ୍ଚଳକୁ କୁମ୍ବିଂ ପାଇଁ ଆସୁଥିବା ଆନ୍ଧ୍ର-ଓଡ଼ିଶା ମିଳିତ ସୁରକ୍ଷା ବଳକୁ ତଦନ୍ତ ପରିସରଭୁକ୍ତ ନ କରିବା, ଟେଲିଫୋନ୍ ସିଡ଼ିଆର୍ କୁ ତଦନ୍ତରେ ଅନ୍ତର୍ଭୁକ୍ତ ନ କରିବା ଇତ୍ୟାଦି ।

ସୁପାରିଶ


୧. ପୀଡ଼ିତାଙ୍କର ମାନସିକ ସ୍ଥିତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବା ଦରକାର । ସେ ପୁଣି କେମିତି ସ୍କୁଲ ଯାଇ ପାରିବେ ତଥା ଏକ ସ୍ୱାଭାବିକ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବିତେଇପାରିବେ, ସେହି ବ୍ୟବସ୍ଥା କରାଯିବା ଦରକାର ।

୨. ତଦନ୍ତ ନାମରେ ଗ୍ରାମବାସୀ, ଯୁବକ ତଥା ନାବାଳକମାନଙ୍କୁ ମାନସିକ ବା ଶାରୀରିକ ନିର୍ଯ୍ୟାତନା ଦିଆ ନ ଯାଉ ।

୩. ପୀଡ଼ିତାଙ୍କର ଅଭିଯୋଗପତ୍ର ଆଧାରରେ ସମସ୍ତ ଦିଗକୁ ତଦନ୍ତ କରାଯାଉ ।

ପ୍ରମୋଦିନୀ ପ୍ରଧାନ, ଶରନ୍ୟା ନାୟକ - ପିପୁଲସ୍ ୟୁନିଅନ ଫର୍ ସିଭିଲ୍ ଲିବର୍ଟିଜ୍ (ପିୟୁସିଏଲ୍), ଓଡ଼ିଶା
ନରେନ୍ଦ୍ର ମହାନ୍ତି - ମିଥ୍ୟା ମକଦ୍ଧମା ବିରୋଧୀ ଅଭିଯାନ, ଓଡ଼ିଶା
ଦେବ ରଞ୍ଜନ - ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା 

Saturday, November 04, 2017

ସବୁଠାରୁ ବିପଜ୍ଜନକ 


ପାଶ୍‌ (ଅବତାର ସିଂ ସନ୍ଧୁ) 


ଅନୁବାଦ - ଗୋର୍ବାଚୋଭ୍


ଟିତ୍ରକର - ଗୋର୍ବାଚୋଭ୍

କଠିନ ପରିଶ୍ରମର ଲୁଟ୍‌ ସବୁଠାରୁ ବିପଜ୍ଜନକ ନୁହଁ,
ପୁଲିସ୍‌ର ଅତ୍ୟାଚାର ବି ସବୁଠାରୁ ବିପଜ୍ଜନକ ନୁହଁ,
ବିଶ୍ୱାସଘାତକତା ଓ ଲୋଭର ମୁଠି ସବୁଠୁଁ ବିପଜ୍ଜନକ ନୁହଁ ।

ବସି-ଶୋଇ ରହି ଧରା ପଡ଼ିଯିବା ଖରାପ ଅଟେ,
ଚୁପ୍‌-ଚାପ୍‌ ନୀରବ ହୋଇ ନିଷ୍ପେସିତ ହେବା ବି ଖରାପ ଅଟେ,
କିନ୍ତୁ ଏ ସବୁ ମଧ୍ୟ ସବୁଠାରୁ ବିପଜ୍ଜନକ ନୁହଁ !


କପଟର କୋଳାହଳ ମଧ୍ୟରେ ଠିକ୍‌ ହୋଇ ଦବିଯିବା ମଧ୍ୟ ଖରାପ,
ଜୁଳୁଜୁଳିଆ ପୋକର ଆଲୁଅରେ ପାଠ ପଢ଼ି–
ହାତ ବନ୍ଦ କରି କେବଳ ସମୟ ବିତେଇ ଦେବା ନିଶ୍ଚିତ ଭାବେ ଖରାପ,
କିନ୍ତୁ ଏ ସବୁ ମଧ୍ୟ ସବୁଠାରୁ ବିପଜ୍ଜନକ ନୁହଁ !

ସବୁଠାରୁ ବିପଜ୍ଜନକ ହେଉଛି ଶବ ପରି ନୀରବତାରେ ବୁଡ଼ିଯିବା,
ଅନ୍ୟାୟ ବିରୁଦ୍ଧରେ କ୍ଷୋଭ ପ୍ରକାଶ ନକରି ସବୁକିଛି ସହିଯିବା ।
ଘରୁ-ବାହାର, ବାହାରୁ-ଘର – ଏଇ ଦିନଚର୍ଯ୍ୟାରେ ଜୀବନ ବିତେଇବା, 
ସବୁଠାରୁ ବିପଜ୍ଜନକ ହେଉଛି ଆମର ସ୍ୱପ୍ନକୁ ବଳିଦାନ ଦେଇଦେବା ।

ସବୁଠାରୁ ବିପଜ୍ଜନକ ହେଉଛି ସେଇ ମୁହୂର୍ତ୍ତ–
ଯାହା ତୁମ ହାତଘଣ୍ଟାରେ ବିତିଗଲେ ମଧ୍ୟ ଆଖି ଆଗରେ ଛିଡ଼ା ହୋଇଥାଏ ।
ସବୁଠାରୁ ବିପଜ୍ଜନକ ସେଇ ଆଖି: ଯାହା ଏ ସବୁ ଦେଖି ମଧ୍ୟ ଜଡ଼ପ୍ରାୟ ଥାଏ,
ସେଇ ଆଖି ଯାହା ସ୍ନେହ-ପ୍ରେମ ଭରା ଦୃଷ୍ଟିରେ ଦୁନିଆକୁ ଦେଖିବାକୁ ଭୁଲିଯାଏ,
ସେଇ ଆଖି ଯାହା ଏକ ବସ୍ତୁବାଦୀ ଦୁନିଆର ଅନ୍ଧକାରରେ ମୋହିତ ହୋଇଯାଏ, 
ସେଇ ଦୃଷ୍ଟି ଯାହା ଜୀବନର ଉଦ୍ଦେଶ୍ୟହୀନ ଗତାନୁଗତିକତାରେ ଲୋପ ପାଇଯାଏ ।

ସବୁଠାରୁ ବିପଜ୍ଜନକ ସେଇ ଚନ୍ଦ୍ରମା ଅଟେ:
ଯାହା ପ୍ରତ୍ୟେକ ହତ୍ୟାକାଣ୍ଡ ପରେ ନୀରବ ଅଗଣାରେ ଉଦିତ ହୁଏ,
କିନ୍ତୁ ତାହା ମଧ୍ୟ ତୁମ ଦୃଷ୍ଟିକୁ ବିବ୍ରତ କରିପାରେ ନାହିଁ ।
ସବୁଠାରୁ ବିପଜ୍ଜନକ ସେଇ ଗୀତ ଅଟେ:
ଯାହା ତୁମ ନିକଟରେ ପହଞ୍ଚିବା ପାଇଁ ବିଳାପିତ ସ୍ୱର ନିଏ,
ଆଉ ଭୟଭୀତ ଲୋକଙ୍କ ଦୁଆରରେ ଗୁଣ୍ଡାଙ୍କ ପରି ହୁଙ୍କାରେ ।

ସବୁଠାରୁ ବିପଜ୍ଜନକ ସେଇ ରାତି ଅଟେ:
ଯାହା ଜୀବିତ ଆତ୍ମାଙ୍କ ଆକାଶକୁ ଘୋଡ଼େଇ ଦିଏ
ଯେଉଁଠି କେବଳ ପେଚାଙ୍କ ରାବ ଓ ଶିଆଳଙ୍କ ଗର୍ଜନ ଶୁଭେ–
ଏକ ସଦା ଘନୀଭୂତ ଅନ୍ଧକାର ଅସ୍ତିତ୍ୱର କବାଟ-ଝରକାକୁ ବୁଜିଦିଏ ।

ସବୁଠାରୁ ବିପଜ୍ଜନକ ସେଇ ଦିଗ ଅଟେ:
ଯେଉଁପଟେ ଆତ୍ମାର ସୂର୍ଯ୍ୟାବତରଣ ଘଟେ,
ଏବଂ ଅସ୍ତ ସୂର୍ଯ୍ୟର ଏକ କ୍ଷୀଣ ଆଲୋକ ରେଖା
ତୁମ ଶରୀର ପୂର୍ବଭାଗକୁ ଭେଦିଯାଏ ।

କଠିନ ପରିଶ୍ରମର ଲୁଟ୍‌ ସବୁଠାରୁ ବିପଜ୍ଜନକ ନୁହଁ,
ପୁଲିସ୍‌ର ଅତ୍ୟାଚାର ବି ସବୁଠାରୁ ବିପଜ୍ଜନକ ନୁହଁ,
ବିଶ୍ୱାସଘାତକତା ଓ ଲୋଭର ମୁଠି ସବୁଠୁଁ ବିପଜ୍ଜନକ ନୁହଁ ।

(ଲେଖକୀୟ ଟୀକା - ୨୦୧୨ ମସିହାରେ ପାଶ୍‌ଙ୍କ ଏହି ବିଖ୍ୟାତ କବିତାଟିକୁ ଜଣେ ପଞ୍ଜାବୀ ବନ୍ଧୁଙ୍କ ସହାୟତାରେ ଅନୁବାଦ କରିଥିଲି । ତୃଟିକୁ ମାର୍ଜନା କରିବା ହେବେ । )

Wednesday, November 01, 2017

ଚିତ୍ର ପୁରାଣ

ଶୈଲେନ ରାଉତରାୟ

ଅନୁବାଦ – ବିଶ୍ୱଜିତ ଆପଟ


ଚିତ୍ର - ବୁଢ଼ିଆଣୀ ସହ ଲ୍ୟାଣ୍ଡସ୍କେପ୍ (୧୯୮୮)
ଚିତ୍ରକର - ଜନଗଢ଼ ସିଂ ଶ୍ୟାମ (୧୯୬୨-୨୦୦୧)
ଶ୍ୟାମ ଆଧୁନିକ ଗଣ୍ଡ ଟିତ୍ରକଳାର ଜନକ 

ପୁସ୍ତକ : ‘ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’ । ୨୦୧୧ । ଲେଖକ: ଶ୍ରୀବିଦ୍ୟା ନଟରାଜନ ତଥା ଅପରାଜିତା ନିନାନ୍ । ପ୍ରକାଶକ: ନବୟାନ, ନୂଆ ଦିଲ୍ଲୀ । ପୃଷ୍ଠା : ୧୨୮ । ମୂଲ୍ୟ: ୨୨୦ ଟଙ୍କା ।

 ପୁସ୍ତକ : ‘ଭୀମୟାନ : ଏକ୍ସପେରିଏନସେସ୍ ଅଫ୍ ଅନଟଚେବିଲିଟି’ । ୨୦୧୧ । ଲେଖକ: ଦୁର୍ଗାବାଇ ବ୍ୟାମ, ସୁଭାଷ ବ୍ୟାମ୍, ଶ୍ରୀବିଦ୍ୟା ନଟରାଜନ ଓ ଏସ୍. ଆନନ୍ଦ । ପ୍ରକାଶକ: ନବୟାନ, ନୂଆ ଦିଲ୍ଲୀ । ପୃଷ୍ଠା : ୧୦୬ । ମୂଲ୍ୟ: ୩୯୫ ଟଙ୍କା ।

ସମୀକ୍ଷାର ପରିସରରେ ଥିବା ଉଭୟ ପୁସ୍ତକ ଚିତ୍ରାତ୍ମକ ଅଟନ୍ତି । ଉଭୟ ପୁସ୍ତକ ଦିଲ୍ଲୀସ୍ଥିତ ପ୍ରକାଶନ ସଂସ୍ଥା ନବୟାନ ଦ୍ୱାରା ପ୍ରକାଶିତ ତଥା ଐତିହାସିକ ବ୍ୟକ୍ତିତ୍ୱମାନଙ୍କ ଉପରେ ପର୍ଯ୍ୟବେସିତ । ଏହି ବ୍ୟକ୍ତି ଦୁଇ ଜଣ ହେଲେ ଜ୍ୟୋତିରାଓ ଫୁଲେ ଓ ଭୀମରାଓ ଆମ୍ବେଦକର । ଦୁହେଁ ଔପନିବେଶିକ ଓ ଉତ୍ତର-ଔପନିବେଶିକ ଭାରତରେ ଜାତି ସମ୍ବନ୍ଧୀୟ ଚିନ୍ତନ ଓ କାର୍ଯ୍ୟକଳାପ ଗୁଡିକୁ ପ୍ରଭାବିତ କରିଥିଲେ ।
ଏ ଗାର୍ଡନର୍ ଇନ୍ ଦ ୱେଷ୍ଟଲାଣ୍ଡ୍’ (ଏଗାଇଦୱେ) ମହାରାଷ୍ଟ୍ରର ମହାନ ସମାଜ ସଂସ୍କାରକ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କର ଜାତିପ୍ରଥା ବିରୋଧୀ ପୁସ୍ତକ ‘ଗୁଲାମଗିରି’ ଉପରେ ପର୍ଯ୍ୟବେସିତ ଅଟେ । ‘ଭୀମୟାନ’ ହେଉଛି ଦଳିତ ଦିଗଦ୍ରଷ୍ଟା, ଚିନ୍ତାନାୟକ, ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ, ଭାରତୀୟ ସମ୍ବିଧାନର ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣାର ଏକ ଚିତ୍ରାତ୍ମକ ପୁନର୍କଥନ ।

'ଭୀମୟାନ'ର ମଲାଟ

ବୋଧହୁଏ ଆମ୍ବେଦକରଙ୍କ ଜୀବନ ଉପରେ ‘ଭୀମୟାନ’ ହେଉଛି ପ୍ରଥମ ଏପରି ବହି । ବସନ୍ତ ମୁନଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକମାଳା ‘ବାବାସାହେବ ଆମ୍ବେଦକର : ରାଇଟିଙ୍ଗସ୍ ଆଣ୍ଡ ସ୍ପିଚେସ୍ ‘ ର ୧୨ତମ ଭାଗରେ “ୱେଟିଙ୍ଗ ଫର୍ ଏ ଭିଜା” ଶୀର୍ଷକ ଲେଖାଟିଏ ରହିଛି । ଏହି ଲେଖାରୁ ଆମ୍ବେଦକରଙ୍କ ଜୀବନର କେତେକ ମହତ୍ତ୍ୱପୂର୍ଣ୍ଣ ଘଟଣା ସଙ୍ଗ୍ରହ କରି ‘ଭୀମୟାନ’ରେ ସ୍ଥାନିତ କରାଯାଇଛି । ‘ଭୀମୟାନ’ ର ପ୍ରଥମ ଭାଗରେ ଆମେ ପାଣି ସମ୍ବନ୍ଧୀୟ କେତୋଟି କାହାଣୀ ପଢ଼ୁ । ଭାରତରେ ଦଳିତମାନେ ତାଙ୍କ ପ୍ରତି ହେଉଥିବା ଭେଦଭାବକୁ କିପରି ଅନୁଭବ କରୁଥିଲେ, ଏହି କାହାଣୀଗୁଡିକ ମାଧ୍ୟମରେ ଆମେ ଜାଣିବାକୁ ପାଉ ।
ପ୍ରଥମ କାହାଣୀରେ, ବାଳକ ଭୀମ ଅନେକ ସମୟରେ ବିଦ୍ୟାଳୟରେ ଶୋଷିଲା ରହିଯାଆନ୍ତି । କାରଣ ସେ ଯେଉଁ ବିଦ୍ୟାଳୟରେ ପଢୁଥିଲେ ସେଠାକୁ ବିଭିନ୍ନ ଜାତିର ପିଲା ଆସନ୍ତି । ଭୀମ ଯେହେତୁ “ଅସ୍ପୃଶ୍ୟ”, ତାଙ୍କୁ ନିଜେ ଯାଇ ପାଣି ପିଇବାର ଅନୁମତି ନଥାଏ । ଏଣୁ ବିଦ୍ୟାଳୟ ପରିଚାରକଙ୍କୁ ଭୀମ ପାଇଁ ଝରଣାରୁ ପାଣି ଆଣିବାକୁ ପଡେ ।   
ଦ୍ୱିତୀୟ କାହାଣୀରେ, ଭୀମ ନିଜ ପରିବାର ସହ ମୁମ୍ୱାଇ ନିକଟସ୍ଥ ଗୋରେଗାଁଓ ବୋଲି ଏକ ଜାଗାକୁ ଯାଉଥାଆନ୍ତି । ସେଠି କାମ କରୁଥାଆନ୍ତି ତାଙ୍କ ବାପା । ଯାତ୍ରାର କିଛି ବାଟ ପାଇଁ ତାଙ୍କୁ ଏକ ଟୋଙ୍ଗା ଦରକାର ହୁଏ । କିନ୍ତୁ ତାଙ୍କ ପରିବାର ଲୋକେ ଟୋଙ୍ଗା ଗାଡିଟିଏ ପାଆନ୍ତି ନାହିଁ । କାରଣ, କୌଣସି ଟୋଙ୍ଗା ଚାଳକ ଅସ୍ପୃଶ୍ୟମାନଙ୍କୁ ବସାଇବା ପାଇଁ ରାଜି ହୁଅନ୍ତି ନାହିଁ । ଏହି ଯାତ୍ରାରେ ସେମାନଙ୍କୁ ପାଣି ଓ ଖାଇବା ମଧ୍ୟ ଜୁଟେ ନାହିଁ । କାରଣ କେହି ହେଲେ ସେମାନଙ୍କୁ ପାଣି ଦେବାକୁ ଇଚ୍ଛୁକ ହୁଅନ୍ତି ନାହିଁ । ବାଟ ପାଇଁ ଭୀମଙ୍କ ମାଉସୀ ସେମାନଙ୍କ ନିମନ୍ତେ ଯେଉଁ ମସଲିଆ ଖାଦ୍ୟ ବାନ୍ଧି ଦେଇଥିଲେ, ତାକୁ ବିନା ପାଣିରେ ଖାଇବା କଷ୍ଟକର ହୋଇଥାଆନ୍ତା ।
ଅନେକାଂଶରେ ପାଣି, ମଣିଷ ଓ ଭେଦଭାବକୁ ନେଇ ‘ଭୀମୟାନ’ ର କଥା ସବୁ ରୂପ ପାଇଛି । ବହିଟିର ଅନେକ ପୃଷ୍ଠା ମାଛମାନଙ୍କ ଦ୍ୱାରା ଜୀବନ୍ତ ହୋଇଉଠିଛି । ଯେମିତିକି, ୫୪ ପୃଷ୍ଠାରେ ଦଳିତମାନଙ୍କ ପାଇଁ ନିଷିଦ୍ଧ ପୋଖରୀଟିଏ ଏକ ବିଶାଳ ମାଛର ରୂପ ନେଉଛି । ଏ ଚିତ୍ରଟି ରାଜସ୍ଥାନର ଚକୱାରା ଗ୍ରାମରେ ଦଳିତମାନଙ୍କ ପାଇଁ ସାର୍ବଜନୀନ ପୋଖରୀର ପାଣି ନିଷିଦ୍ଧ ହେବାର କାହାଣୀ କହେ । ୨୦୦୮ ରେ ତେହେଲକା ପତ୍ରିକାରେ ପ୍ରକାଶିତ ଖବରରୁ ଏ କାହାଣୀ ଆସିଛି । ବହିଟି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଦୋଳାୟମାନ - ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ୍ ଓ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଆମ୍ବେଦକର ଜଣେ ଦଳିତ ଭାବେ ଭୋଗିଥିବା ଅପମାନ ଓ ଏବେ ଯାଏଁ ଭାରତରେ ଚାଲିଆସିଥିବା ଦଳିତ ବିରୋଧୀ ହିଂସା ଓ ଭେଦଭାବ ମଧ୍ୟରେ ବହିଟି ଗତି କରେ ।

ପତ୍ନୀ ସବିତାଙ୍କ ସହ ବାବାସାହେବ ଆମ୍ବେଦକର (୧୯୪୮)

ଦୁର୍ଗାବାଇ ବ୍ୟାମ ଓ ସୁଭାଷ ବ୍ୟାମଙ୍କ ପତିପତ୍ନୀ ଯୁଗଳବନ୍ଦୀ ବହିର କାହାଣୀଗୁଡିକୁ ନିଜ ଚିତ୍ରକଳା ମାଧ୍ୟମରେ ଚମତ୍କାର ଭାବେ ବ୍ୟାଖ୍ୟା କରିଛନ୍ତି । ସେମାନେ ଭାରତର ‘ପ୍ରଧାନ ଗଣ୍ଡ’ ସମ୍ପ୍ରଦାୟର ଲୋକ । ‘ଭୀମୟାନ’ ର ଚିତ୍ରକଳା ଗଣ୍ଡ କଳା ପରମ୍ପରାର ଅନ୍ତର୍ଭୁକ୍ତ । କଳାକାର ଜନଗଣ ସିଂହ ଶ୍ୟାମ (୧୯୬୦-୨୦୦୧) ଯାହାଙ୍କୁ ଆଧୁନିକ ଭାରତୀୟ କଳାର “ଜନଗଣ କଲାମ” ର ଜନକ କୁହାଯାଇପାରେ, ତାଙ୍କୁ ଏ ବହି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ଭୀମୟାନ’ ର ପଞ୍ଚମ ପୃଷ୍ଠାରେ ବହିର ପ୍ରଥମ ଚିତ୍ରକଳା ଦେଖିବାକୁ ମିଳେ ଓ ଏହା ହେଉଛି ଶ୍ୟାମଙ୍କର ଗୋଟିଏ ପୃଷ୍ଠାବ୍ୟାପୀ ଚିତ୍ର । ଜନଗଣ କଲାମ ଶୈଳୀରେ ଅଙ୍କିତ ଏହି ଚିତ୍ରରେ ଶ୍ୟାମଙ୍କ କାନ୍ଧଗୁଡିକରେ ବଳଦ ଦୌଡୁଛନ୍ତି, ଦେହରେ ପହଁରୁଛନ୍ତି ମାଛ । ତାଙ୍କର ଗୋଡ ଦୁଇଟିରେ ଅଙ୍କା ହୋଇଛି ଚଢେଇଟେ ଓ ହରିଣଟିଏ । ସାଧାରଣତଃ ଆମେ ପଢ଼ୁ ଯେ “କଳାକାରଙ୍କର କୃତିରେ ତାଙ୍କ ବ୍ୟକ୍ତିତ୍ୱ” ଫୁଟିଉଠେ । ‘ଭୀମାୟନ’ରେ ଆମେ ଏହି ପରମ୍ପରାର ଠିକ ବିପରୀତ କାମ ଦେଖିବାକୁ ପାଉ, ଯେମିତି  ବହିଟିର ପଞ୍ଚମ ପୃଷ୍ଠାର ଏହି ଚିତ୍ରରେ । ଆମେ କଳାକାରଙ୍କର ପୋଟ୍ରେଟ ଭିତରେ ଦେଖୁ ତାଙ୍କର ସାମାଜିକ ପରିବେଶ ଓ ତାଙ୍କ କଳା ଜଗତ । ଏପରି କରିବା ଚିତ୍ରକର୍ମ ବିଷୟକୁ ନେଇ ପାଶ୍ଚାତ୍ୟ ସୌନ୍ଦର୍ଯ୍ୟବୋଧ ଓ ସାଧାରଣ ଜ୍ଞାନକୁ ଓଲଟାଇ ଦିଏ  । କଳାକାରଙ୍କ କଳାକୃତିରେ ତାଙ୍କୁ ଭେଟିବା ପରିବର୍ତ୍ତେ ଆମେ ଆକ୍ଷରିକ ଅର୍ଥରେ ତାଙ୍କ ଭିତରେ, ଏ କ୍ଷେତ୍ରରେ ତାଙ୍କ ଚିତ୍ର ଭିତରେ, ତାଙ୍କର କଳାକୃତିଗୁଡିକୁ ପାଉ ।    

ରାଜେନ୍ଦ୍ର ପ୍ରସାଦଙ୍କୁ ଆମ୍ବେଦକର ସମ୍ବିଧାନର ଶେଷ ଡ୍ରାଫ୍ଟ ଅର୍ପଣ କରିବାର ଦୃଶ୍ୟ
(୨୫ ନଭେମ୍ବର ୧୯୪୯)

ପାଶ୍ଚାତ୍ୟ ଗ୍ରାଫିକ ପୁସ୍ତକ ରଚନା ବିଧିର ଏପରି ଅନାଦର ଓ ଚପଳ ବୈପରିତ୍ୟ ‘ଭୀମୟାନ’ରେ ଅନେକ ଜାଗାରେ ଦେଖିବାକୁ ମିଳେ । କଥନିକାଟି ପୃଷ୍ଠାରେ ଗାର କାଟି, ପାନେଲ ଭିତରେ ଦିଆଯାଇନାହିଁ । ଗଣ୍ଡ ଚିତ୍ରକଳାର ଦିଗ୍ନ ରୂପାଙ୍କନକୁ ବ୍ୟବହାର କରି ପୃଷ୍ଠା ଭିତରେ କାହାଣୀର ଗତିଶୀଳତାକୁ ଦର୍ଶାଯାଇଛି । ଶୂନ୍ୟ ସ୍ଥାନଗୁଡିକୁ ଭରିବା ପାଇଁ ଚାଉଳ, ସୋରିଷ, ମୋଆ ଘାସର ପ୍ୟାଟର୍ଣ୍ଣମାନ ବ୍ୟବହୃତ ହୋଇଛି । ଅଧ୍ୟାୟ କ୍ରମାଙ୍କ ଥିବା ଶୀର୍ଷକଗୁଡିକ ମୂଷା, ସାପ ଓ ଅନ୍ୟାନ୍ୟ ଜନ୍ତୁଙ୍କର ରୂପ ନେଇଛନ୍ତି । 
ଗଣ୍ଡୀୟ କଳାର ସାମାଜିକ ପରିବେଶର ପ୍ରତିବିମ୍ବ ସ୍ୱରୂପ ରେଳଗାଡିଗୁଡ଼ିକ ପାଲଟି ଯାଇଛନ୍ତି ସାପ । ପୋଖରୀଗୁଡିକ ମାଛ ହୋଇଯାଇଛନ୍ତି । ଆମ୍ବେଦକରଙ୍କୁ ସ୍ୱାଗତ କଲାବେଳେ ଚାଲିଶଗାଁଓର ଲୋକଙ୍କ ହୃଦୟର ଆନନ୍ଦ ଦର୍ଶାଉଛନ୍ତି ମୟୁରମାନେ । ୧୯୫୬ରେ ତାଙ୍କ ନେତୃତ୍ୱରେ ମଣିଷ ଇତିହାସର ସମ୍ଭବତଃ ସବୁଠାରୁ ବଡ ଧର୍ମ ପରିବର୍ତ୍ତନ (ହିନ୍ଦୁରୁ ବୌଦ୍ଧ ଧର୍ମ) ସମାବେଶରେ ପାଞ୍ଚ ଲକ୍ଷ ଲୋକଙ୍କ ସହ ହାତୀ ଓ ଗାଈମାନେ ମଧ୍ୟ ଆସିଛନ୍ତି ।
ଏହି ବହି ଆମ୍ବେଦକରଙ୍କର ସ୍ମୃତିର ପୁନରୁଦ୍ଧାର ଓ ପୁନର୍ସ୍ଥାପନରେ ବ୍ରତୀ । ଆମ୍ବେଦକରଙ୍କ ସହ ତୁଳନୀୟ ଅନ୍ୟ ଭାରତୀୟ ଯଥା ଗାନ୍ଧୀ ଓ ନେହେରୁଙ୍କ ପ୍ରତିମୂର୍ତ୍ତି ସଂଖ୍ୟା ତୁଳନାରେ ଆମ୍ବେଦକରଙ୍କ ଅଧିକ ସଂଖ୍ୟକ ପ୍ରତିମୂର୍ତ୍ତି ଉନ୍ମୋଚିଚ ହୋଇଛି । ତଥାପି ସେ ଜଣେ ଦଳିତ ଆଦର୍ଶ ହୋଇ ରହିଛନ୍ତି, ଜାତୀୟ ଆଦର୍ଶ ନୁହେଁ । ଯଦିଓ ସେ ସାର୍ବଜନୀନ ସିଦ୍ଧାନ୍ତଗୁଡିକ ବଳରେ ଅସ୍ପୃଶ୍ୟତା ଓ ଜାତିଭେଦ ବିରୋଧରେ ନିଜ ସଙ୍ଗ୍ରାମ ଲଢିଥିଲେ, ତାଙ୍କୁ ଜଣେ ଦଳିତ ବୁଦ୍ଧିଜୀବୀ ଭାବେ ହିଁ ଦେଖାଯାଇଛି । ଅଦ୍ଭୁତ ଭାବରେ ଗଣ୍ଡ କଳାର ଗ୍ରାମ୍ୟ ରୀତି ଆମ୍ବେଦକରଙ୍କୁ ତାଙ୍କ ସମ୍ପ୍ରଦାୟର ଜୀବନ ଓ ଯନ୍ତ୍ରଣାରୁ ବାହାରେ ନ ରଖି,  ସ୍ୱାଧୀନତାର ସାର୍ବଜନୀନ ବର୍ଣ୍ଣନାରେ ତାଙ୍କୁ ପୁନର୍ସ୍ଥାପିତ କରିଛି ।
ଏଗାଇଦୱେ’ ‘ମଧ୍ୟ ଏକ ସୁନ୍ଦର ବହି । ଅନେକ ପ୍ରକାରରେ ଏ ବହିଟି ମଧ୍ୟ ଗୋଟିଏ ସାମାଜିକ ଆନ୍ଦୋଳନ ତଥା ତାହାର ନାୟକ ନାୟିକା, ଜ୍ୟୋତିବା ଫୁଲେ ଓ ସାବିତ୍ରୀବାଇ ଫୁଲେଙ୍କର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଚେଷ୍ଟିତ । ‘ଗୁଲାମଗିରି’ରେ ବିବାଦଟି ଯଦିଓ ଜ୍ୟୋତିବା ଓ ତାଙ୍କ ସାଙ୍ଗ ଧୋନ୍ଦିବା ମଧ୍ୟରେ ରହିଛି, ‘ଏଗାଇଦୱେ’  ଜୋତିବାଙ୍କ ପତ୍ନୀ ସାବିତ୍ରୀବାଇ ଫୁଲେଙ୍କ ଜୀବନକୁ ଭାରତୀୟ ଇତିହାସର ବିସ୍ମୃତିରୁ ଉଦ୍ଧାର କରିବାର ଚେଷ୍ଟା କରେ । ଫୁଲେଙ୍କ ଜାତିପ୍ରଥା ବିରେଧୀ ସଙ୍ଗ୍ରାମରେ ସାବିତ୍ରୀବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ନିଜ ସ୍ୱାମୀଙ୍କର ବିଚାର ନିର୍ମାଣର ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରିଥିଲେ । ‘ଭୀମୟାନ’  ଭଳି ‘ଏଗାଇଦୱେ’ ମଧ୍ୟ ଏକ ଅଗ୍ରଣୀ କାମ । ବହିର ପ୍ରଶସ୍ତିରେ ଯେପରି ଲେଖା ହୋଇଛି, ଏହି ବହିଟି ସମ୍ଭବତଃ ଭାରତରେ ପ୍ରଥମ ବହି ଯେଉଁଥିରେ କି ଐତିହାସିକ ବହିକୁ ଆଲେଖୀ ରୂପ ଦିଆଯାଇଛି ।  

'ଏ ଗାର୍ଡେନର ଇନ୍ ଦ ୱେଷ୍ଟଲ୍ୟାଣ୍ଡ୍' ବହିର ମଲାଟ

ଏଗାଇଦୱେ ବହିର ଶୀର୍ଷକରେ ଉଲ୍ଲିଖିତ ‘ୱେଷ୍ଟଲାଣ୍ଡ’ ବା ପତିତ ଭୂମି ଜାତିପ୍ରଥାର ପତିତ ଭୂମିକୁ ସୂଚାଏ ଯେଉଁଥିରେ ମାଳି ସାଜିଛନ୍ତି ଜ୍ୟୋତିବା ଫୁଲେ । ଊନବିଂଶ ଶତାବ୍ଦୀର ସମାଜ ସଂସ୍କାରକମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ । ସେ ଦୃଢ ଭାବରେ ଜାତିପ୍ରଥା ଓ ହିନ୍ଦୁ ଶାସ୍ତ୍ର ପୁରାଣର ବିରୋଧ କରୁଥିଲେ । ଏକ ସାମ୍ୟବାଦୀ ସମାଜ ଗଠନ ଦିଗରେ ଏବଂ ଜାତିଗତ ଭେଦଭାବ ଓ ପୂର୍ବାଗ୍ରହଗୁଡିକୁ ରୋକିବା ପାଇଁ ବ୍ୟାପକ ସମାନ ବିଦ୍ୟାଳୟ ଶିକ୍ଷା ଯେଉଁ ଭୂମିକା ନିର୍ବାହ କରିପାରେ ତାହା ଫୁଲେ ସେତେବେଳୁ ଜାଣିପାରିଥିଲେ ।  
ବହିଟିରେ ଅଳ୍ପ କେତୋଟି କଳାକୃତି ରହିଛି କିନ୍ତୁ ସବୁଗୁଡିକ ନିପୁଣ ହାତରେ ସୁନ୍ଦର ଭାବେ ଅଙ୍କାଯାଇଛି । ହାଲୁକା ଭାବେ କହିଲେ, ବହିଟି ସହ ମୋର ଗୋଟିଏ ଅସୁବିଧା ଅବଶ୍ୟ ରହିଛି । ସେଇଟି ମଣିଷମାନଙ୍କ ଲୋମ ସମ୍ପର୍କିତ । ଯେଉଁ ଲୋକଙ୍କୁ ପ୍ରାୟ ସଭିଏଁ ନାପସନ୍ଦ କରିବେ, ବହିରେ ସେ ସମସ୍ତଙ୍କର ଦେହରେ ଅତିଶୟ ଲୋମ ରହିଛି । ଏପରି କାହିଁକି ଯେ?  
ଏ ଦୁଇଟି ପୁସ୍ତକ ପ୍ରକାଶନ କରିଥିବାରୁ ନବୟାନ ନିଶ୍ଚିତ ରୂପେ ଅଭିନନ୍ଦନର ପାତ୍ର । ଉଭୟ ବହିକୁ ବହୁ ଲୋକ ପଢିବା ଉଚିତ । ଗ୍ରାଫିକ ବହି ପ୍ରକାଶନ କ୍ଷେତ୍ରରେ ଏ ପୁସ୍ତକଦ୍ୱୟ ଭାରତରେ ଏକ ନୂଆ ମାନକ ପ୍ରତିଷ୍ଠା କରିଛନ୍ତି ।

ମହାତ୍ମା ଜ୍ୟୋତିବା ଫୁଲେ (୧୮୨୭-୧୮୯୦)

ବି.ଦ୍ର. - ଏହି ଲେଖାଟି ପ୍ରଥମେ ୫ ଜୁନ ୨୦୧୨ରେ, ‘ହାର୍ଡ୍ ନ୍ୟୁଜ୍’ ଇଂରାଜୀ ମାସିକରେ, ‘ଏପିକ୍ ଗ୍ରାଫିକ୍’ ଶୀର୍ଷକରେ ପ୍ରକାଶିତ ହୋଇଥିଲା । ପରେ ଏହା ବିଶ୍ୱଜିତ ଆପଟଙ୍କ ଦ୍ୱାରା ଅନୁଦିତ ହୋଇ ଦୈନିକ ସଞ୍ଚାରର ୨୯ ସେପ୍ଟେମ୍ବର, ୨୦୧୭ର ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ସ୍ଥାନ ପାଇଥିଲା ।