Monday, July 30, 2018

ଲୟଙ୍ଗସ୍ଟଁ ହ୍ୟୁସ୍‌ଙ୍କର କବିତା ଗଣତନ୍ତ୍ର 

ଅନୁବାଦ - ଅବିନାଶ ଦାସ ଚୌଧିୁରୀ


ଲୟଙ୍ଗସ୍ଟଁ ହ୍ୟୁସ୍‌ (୧୯୦୨ - ୧୯୬୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
 
ଗଣତନ୍ତ୍ର ଆସିବନି 
ନା ଆଜି, ନା ଏ ବର୍ଷ 
କେବେ ହେଲେ ନୁହେଁ,
ବୁଝାମଣା ଓ ଡର ଦ୍ୱାରା ।

ମୋର ସେତିକି ଅଧିକାର 
ଯେତିକି ଅନ୍ୟର -
ଛିଡ଼ା ହବାକୁ 
ମୋ ଦୁଇ ଗୋଡ଼ରେ
ଓ ଜମିକୁ ଅଙ୍ଗୀକାର କରିବାକୁ ।

ମୁଁ ଥକି ସାରିଲିଣି ଶୁଣି ଶୁଣି ଲୋକମୁଖରୁ
ଯେ,  ସମୟକୁ ନିଜ ବାଟରେ ଚାଲିବାକୁ ଦିଅ ।
କାଲି ଏକ ନୂଆ ଦିବସ ।
ମୁଁ ମୃତ୍ୟୁ ପରେ ସ୍ୱାଧୀନତା ଲୋଡ଼େ ନାହିଁ ।
ମୁଁ କାଲିର ଭାତରେ ଆଜି ବଞ୍ଚି ପାରିବିନି ।

ସ୍ୱାଧୀନତା 
ଏକ ଦୃଢ଼ ମଞ୍ଜି 
ଯାହା ପୋତା ହୁଏ
ଏକ ବିଶାଳ ଅବଶ୍ୟକତାରେ ।

ମୁଁ, 
ମଧ୍ୟ, ଏହିଠାରେ ରହେ ।
ମୋତେ ସ୍ୱାଧୀନତା ଦରକାର,
ଠିକ ତୁମ ଭଳି ।

Saturday, July 28, 2018

ମଞ୍ଜା ବରା

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 
ସାମଗ୍ରୀ

ଚାଖଣ୍ଡେ ଲମ୍ବର ଏକ ଖଣ୍ଡ ସଜ ମୂଳ ମଞ୍ଜା, ଦୁଇ ତିନିଟା କଞ୍ଚା ଲଙ୍କା, ଦୁଇଟା ଆଳୁ, ରସୁଣ ପାଞ୍ଚ ଛଅ କୋଲା, ଅଦା ଖଣ୍ଡେ, ଉଲିପିଆଜ ଏକଟା, ଧନିଆ ପତ୍ର, ତିନି ଚାରି ଚାମଚ ବେସନ, ଆବଶ୍ୟକୀୟ ଲୁଣ ଓ ହଳଦୀ । କୋରା ନଡ଼ିଆ ଥିଲେ ତିନି ଚାରି ଚାମଚ ।

ପ୍ରଣାଳୀ

ମଞ୍ଜାକୁ ଗୋଲ ଗୋଲ କରି କାଟି ସେଥିରୁ କାଟିବା ସମୟରେ ତନ୍ତୁଗୁଡ଼ିକୁ ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ । ସେଗୁଡ଼ିକୁ ଚୂନେଇ କରି କାଟି ଲୁଣ ହଳଦୀ ପକାଇ ଦଳି ଦିଅ । ଦଳି ସାରିଲା ପରେ ସେଥିରୁ କିଛି ପାଣି ବାହାରିବ । ସେ ପାଣିକୁ ଚିପୁଡ଼ି ଦିଅ ଓ କରେଇରେ ଅଳ୍ପ ସମୟ ଘୋଡ଼େଇ କରି ବାମ୍ଫେଇ ଦିଅ । ଦୁଇଟି ସିଝା ଆଳୁକୁ ଚକଟି ଏଇ ମଞ୍ଜାରେ ମିଶାଅ । ଏଥିରେ ପିଆଜ, ଅଦାକଟା, ନଡ଼ିଆ, ଲଙ୍କା ଖଣ୍ଡ, ଧନିଆଁ ପତ୍ର ଓ ବେସନ ଦେଇ ଭଲ ଭାବେ ଗୋଳାଅ । ଆବଶ୍ୟକ ମନେ କଲେ ସାମାନ୍ୟ ଲୁଣ ଦେଇ ପାର ।

ଏହି ମିଶ୍ରଣକୁ ହାତରେ ବରା ଭଳି ଚତରେଇ ପଲମରେ ତେଲ ଦେଇ ଭଲ ଭାବେ ସେକି, ସେକି ଭାଜି ସାରିଲା ପରେ ପରିବେଷଣ କର । 

Thursday, July 26, 2018

ପାଲି ଧର୍ମପଦ (୮୬) ର ଓଡ଼ିଆ  ପଦ୍ୟାନୁବାଦ

୧୧ ପଣ୍ଡିତ ବର୍ଗ


ସଦ୍ଧର୍ମ ପୁଣ୍ଡରିକ ସୁତ୍ରରେ ଅଳଙ୍କରଣରେ ବ୍ୟବହୃତ ମଣ୍ଡଳ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ସମ୍ୟକ ଭାବେ ଆଖ୍ୟାତ ଅଟେ ଯେଉଁ ଧର୍ମ ।
ତାହାର ଧର୍ମାନୁବର୍ତ୍ତି ହୁଅନ୍ତି ଯେ ଜନ ।।
ସୁଦୁସ୍ତର ମୃତ୍ୟୁର ଆବାସ ଯେଉଁ ଭୂମି ।
ସେହିମାନେ ତାହାକୁ ଯାଆନ୍ତି ଅତିକ୍ରମି ।୧୧।

ଯେ ଚ ଖୋ ସମ୍ମଦକ୍ଖାତେ ଧମ୍ମେ ଧମ୍ମାନୁବତ୍ତିନୋ ।
ତେ ଜନା ପାରମେସ୍ସନ୍ତି ମଚ୍ଚୁଧେୟ୍ୟଂ ସୁଦୁତ୍ତରଂ‌ ।୧୧।

ୟେ ଚ ଖଳୁ ସମ୍ୟଗାଖ୍ୟାତେ ଧର୍ମ୍ମେ ଧର୍ମ୍ମାନୁବର୍ତ୍ତିନଃ ।
ତେ ଜନାଃ ପାରମେଷ୍ୟନ୍ତି ମୃତ୍ୟୁଧେୟଂ ସୁଦୁସ୍ତରମ୍ ।୧୧।

Tuesday, July 24, 2018

ନାଓମି ଶିହାଵ ନାୟଙ୍କର କବିତା 'ଅଦୃଶ୍ୟ ହବାର କଳା'

ଅନୁବାଦ - ଅବିନାଶ ଦାସ ଚୌଧୁରୀ


୧୮୧୯ ମସିହାରେ ଅଙ୍କିତ ଶାଳ ଡେମ୍ଫର ଛବି

ଯେବେ ସେ ପଚାରିବେ କି ତୁମକୁ 
ଆଗରୁ କେବେ ଭେଟିଚନ୍ତି କି ନାହିଁ ?
ମନା କରିଦିଅ ।


ଯଦି ସେ ତୁମକୁ କୌଣସି ଭୋଜିକୁ ନିମନ୍ତ୍ରଣ କରନ୍ତି,
ତେବେ ଆଗ ଭାବି ନିଅ, ଭୋଜିରେ କ'ଣ ହୁଏ,
ଉତ୍ତର ଦେବା ଆଗରୁ:
କେହି ଜଣେ ଉଚ୍ଚ ସ୍ୱରରେ ତୁମ ସହିତ କଥା ହେବାକୁ ଚେଷ୍ଟା କରିବେ ଯେ,
ସେ କେବେ ଗୋଟିଏ କବିତା ଲେଖିଥିଲେ;
ତେଲରେ ଉବୁଡୁବୁ ତରକାରି ଥିବ ପାପରା ଖଲିପତ୍ରରେ;
ତା' ପରେ ଉତ୍ତର ଦିଅ।

ଯଦି ସେ କୁହନ୍ତି ଭେଟଘାଟ କରିବାକୁ,
ପଚାର, କାହିଁକି ?

ଭାବନି ଯେ, ତାଙ୍କ ପ୍ରତି ସ୍ନେହ କମି ଯାଇଚି ତୁମର ।
ତୁମେ କିଛି ସ୍ମରଣ କରୁଚ,
ଯାହା ଖୁବ ଜରୁରୀ ଭୁଲିବାକୁ । 
ଗଛ । ମନ୍ଦିରର ଘଣ୍ଟି ।
କହି ଦିଅ, ଏକ ନୂଆ ଆଶୟ ଅଛି,
ଯାହା କେବେ ଶେଷ ହବ ନାଇଁ ।

ତେଜରାତି ଦୋକାନରେ କିଏ ଚିହ୍ନିଗଲେ
ଧୀରେ ମୁଣ୍ଡ ଟୁଙ୍ଗାରି କୋବି ହେଇଯାଏ ।
ଯାହାକୁ ଦଶ ବର୍ଷରେ ଦେଖି ନାହଁ,
ଯଦି ସେ ଘରକୁ ଆସେ,
ତେବେ ଜୀବନର ସବୁ କଥା ଗାଇ ଦିଅ ନାହିଁ;
କେବେ ହେଲେ ସ୍ୱର ମିଳିବନି ତୁମମାନଙ୍କର ।

ନିଜକୁ ପତ୍ର ଭାବି ଚଲା ବୁଲା କର ।
ଜାଣି ନିଅ, ତୁମେ କଉ ମୁହୂର୍ତ୍ତରେ ଝୁଣ୍ଟି ଯାଇ ପାର ।
ତା' ପରେ ସ୍ଥିର କର, କ'ଣ କରିବ ନିଜ ସମୟର।

Sunday, July 22, 2018

ଇଲିଶି ଶୁଖୁଆ 

ପ୍ରସନ୍ନ କୁମାରୀ ଦେବୀ


ଇଲିଶି ମାଛର ୧୮୦୪ ମସିହାରେ ଅଙ୍କିତ ଚିତ୍ର (ୱିକିମିଡିଆ କମନ୍ସ୍)

ସାମଗ୍ରୀ: ପାଞ୍ଚ ଛଅ ଖଣ୍ଡ କଟା ଇଲିସି ଶୁଖୁଆ, ତେଲ ଚାରି ଚାମଚ, ରସୁଣ ଛଅ ସାତ କୋଲା, ଦୁଇ ଚାମଚ ଶୋରିଷ, ଗୋଟିଏ କଞ୍ଚା ଲଙ୍କା, ଲେମ୍ବୁର ୧/୮ ଖଣ୍ଡର ରସ ।

ପ୍ରଣାଳୀ: ରସୁଣ, ଶୋରିଷ ଓ କଞ୍ଚା ଲଙ୍କାକୁ ଚିକ୍କଣ କରି ବାଟି ଦିଅନ୍ତୁ । ଶୁଖୁଆକୁ କାତି ଛଡ଼ାଇ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ତିନି ଚାରି ଥର ଧୋଇ ଦେଲେ ଏଥିରୁ ଲୁଣ କିଛି ବାହାରି ଯିବ । ତାହା ପରେ ହଳଦୀ ଗୋଳାଇ କରେଇରେ ତେଲ ଦେଇ ଧୀର ଜାଳରେ ଭାଜନ୍ତୁ । ଭଜା ବାଦାମି ରଙ୍ଗ ହୋଇ ଆସିଲେ ସେଗୁଡ଼ିକୁ କାଢ଼ି ବଟା ମସଲା ଗୋଳାଇ ପଲମରେ ଗୋଟି ଗୋଟି କରି ଭାଜନ୍ତୁ । ଏଥିରେ ଲୁଣ ପକାଇବେ ନାହିଁ । ମସଲାରେ ଲେମ୍ବୁ ରସ ପକାଇ ସେଥିରେ ଏଇ ଭଜା ଇଲିଶି ମାଛକୁ ପକାଇ ଦଶ ମିନିଟ ରଖି ତାହା ପରେ ପଲମରେ ଅଳ୍ପ ତେଲ ଦେଇ ଭାଜିବେ । ଗରମ ଥିବା ଅବସ୍ଥାରେ ଖାଇବେ ।

Friday, July 20, 2018

ୱ୍ଵେଣ୍ଡି କୋପ୍‌ଙ୍କର କବିତା 'ଫୁଲ'

ଅନୁବାଦକ - ଅବିନାଶ ଦାସଚୌଧିୁରୀ


ଚିତ୍ର - ମର୍ଣ୍ଣିଙ୍ଗ ଗ୍ଲୋରି (ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଅଙ୍କିତ)
ଚିତ୍ରକର - ସୁଜୁକି କୀତ୍ସୁ (୧୭୯୬ - ୧୮୫୮)

କିଛି ପୁରୁଷ ସେ ବିଷୟରେ ମନେ କରନ୍ତି ନାହିଁ ।
ତୁମେ କରିଥିଲ । ତୁମେ ଆସିଥିଲ,
ଆଉ ହୁଏତ କିଣି ଦେଇ ଥିଲ ମୋ ପାଇଁ 
ଫୁଲ ।

କିନ୍ତୁ, କିଛି ଗୋଳମାଳ ହୋଇ ଯାଇ ଥିଲା ।
ଦୋକାନ ବନ୍ଦ ଥିଲା । କିମ୍ବା, ତୁମ ମନରେ ଆଶଙ୍କା ଥିଲା -
ଆମ ଭଳିଆ ମନର
କଳ୍ପନା ଯାହା ଆମେ ନିରନ୍ତର ବୁଣୁଥାଉ । ତୁମେ ମନେ କରିଲ,
ମୋତେ ହୁଏତ ତୁମ ଫୁଲ ଭଲ ଲାଗିବ ନାହିଁ । ସେତେବେଳେ,
ହସିଦେଇ ଆଲିଙ୍ଗନ କରିଥିଲି ତୁମକୁ ମୁଁ ସେ କଥାରେ;
ଏବେ, ମୁଁ କେବଳ ହସି ପାରିବି ।

ହେଲେ, ଦେଖ; 
ସେ ଯେଉଁ ଫୁଲ ତୁମେ ପ୍ରାୟତଃ କିଣି ଦେଇ ଥିଲ,
ସେ, ଏ ପର୍ଯ୍ୟନ୍ତ ରହିଛି ।

Thursday, July 19, 2018

ପାଲି ଧର୍ମପଦ (୮୫) ର ଓଡ଼ିଆ  ପଦ୍ୟାନୁବାଦ

୧୦ ପଣ୍ଡିତ ବର୍ଗ


ଗୌହାଟିର ଶୁକ୍ଳେଶ୍ୱର ଘାଟରୁ ବ୍ରହ୍ମପୁର ତୀରରେ ସୂର୍ଯ୍ୟାସ୍ତର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନ୍ୟପାରକୁ ଗମନ କରିଥିବା ଲୋକ
ମଣିଷଙ୍କ ମଧ୍ୟେ ତା'ଙ୍କ ସଙ୍ଖ୍ୟା ଯେ ଅଳପ ।
ବାକି ରହିଗଲେ ଜାଣ ଅନ୍ୟ ଯେଉଁ ଜନ
ତୀରଦେଶରେ କେବଳ କରନ୍ତି ଧାବନ ।୧୦। 

ଅପ୍ପକା ତେ ମନୁସ୍ୱେସୁ ଯେ ଜନା ପାରଗାମିନୋ ।
ଅଥାୟଂ ଇତରା ପଜା ତୀରମେବାନୁଧାବତି ।୧୦। 

ଅଳ୍ପକାଃ ତେ ମନୁଷ୍ୟେଷୁ ୟେ ଜନାଃ ପାରଗାମିନଃ ।
ଅଥେୟମ ଇତରା ପ୍ରଜା ତୀରମେବାନୁଧାବତି ।୧୦।

Tuesday, July 17, 2018

ପ୍ରେମ : ଦୁଇଟି ସଂକ୍ଷିପ୍ତ ବିଚାର

ଜ୍ୟୋତି ନନ୍ଦ


କାମଦେବ (ୱିକିମିଡିଆ କମନ୍ସ୍)


ଆମେ ଅଧିକାଂଶ ସମୟରେ ପ୍ରେମ କହିଲେ ପ୍ରକୃତରେ ନିଜର ଆଧିପତ୍ୟକୁ ଜାହିର୍ କରିବାର ଅଥବା ନିଜର ଆନୁଗତ୍ୟକୁ ପ୍ରତିଷ୍ଠିତ କରିବାର ପ୍ରବଣତା ତଥା ନିଜର ଭାଗ୍ୟକୁ ନିଜେ ନିର୍ଦ୍ଧାରଣ କରୁଥିବାର ଏକ ସକ୍ରିୟ କାରକ ହିସାବରେ ଅନ୍ୟର ସମ୍ମାନଜନକ ସହମତକୁ ବୁଝିଥାଉ ।


ପ୍ରେମ ସବୁବେଳେ ଶ୍ରଦ୍ଧା ବା ବିସ୍ମୟ, ସମବେଦନା ଅବା କରୁଣା । ଜଣେ ହୁଏତ ଏହି ପରି ଦୁଇ ଜଣ ସମର୍ଥଙ୍କ ମଧ୍ୟରେ ଅବିଶ୍ୱାସ୍ୟ ପ୍ରେମର ମାନବିକ ଟ୍ରାଜେଡ଼ିର କଥା କହି ପାରେ । ମାତ୍ର ସେହି ଟ୍ରାଜେଡ଼ିର ଅସଲ ସ୍ଥିତିଟି ଅନ୍ୟତ୍ର, ଉଦାହାରଣ ସ୍ୱରୂପ ଆଧୁନିକତାର ଆତ୍ମା ପ୍ରେମକୁ ସମସ୍ତ ମର୍ଯ୍ୟାଦାର ଉପରେ ଓ ପ୍ରେମରେ ପଡ଼ିବାର କାମନାକୁ ସମ୍ମାନୀତ ହେବାର କାମନାର ଉପରେ ଏକ ଆସ୍ଥାନରେ ରଖିଥାଏ ।

ଆମେ ସବୁବେଳେ ଅତି ସହଜରେ ଯେତେବେଳେ ଆମର ଇଚ୍ଛା ହେବ ସେତେବେଳେ 'ପ୍ରେମ' ଶବ୍ଦଟିକୁ ବ୍ୟବହାର କରିଥାଉ ।

ଅଧିକାଂଶ ସମୟରେ ଲାଗେ ଯେମିତି ଆମର ସମ୍ପର୍କରେ କେଉଁଠି ଶୂନ୍ୟ ସ୍ଥାନଟିଏ ଦେଖିଲେ, ତାହାକୁ ଖୁବ ଶୀଘ୍ର ପୂରଣ କରିବା ପାଇଁ ଆମ ପାଖରେ ପ୍ରସ୍ତୁତ ହୋଇ ରହିଥାଏ ଏଇ ଚମତ୍କାର ଶବ୍ଦଟି, 'ପ୍ରେମ' । ଶୂନ୍ୟସ୍ଥାନଟି ମାନ ପୂରଣ କରିବା ପାଇଁ ଏହାଠୁ ବଳି ଭଲ ଶବ୍ଦ ଆମ ପାଖରେ ନାହିଁ । ତେଣୁ ଶୂନ୍ୟସ୍ଥାନଟିର ସ୍ୱରୂପଟି କ'ଣ ଆମେ ବୁଝୁ ବା ନ ବୁଝୁ ତାହା ମାକ୍ରୋ ନା ମାଇକ୍ରୋ ତାହାର ବିଶେଷ ତର୍ଜମା ନ କରି ଆମେ 'ପ୍ରେମ'ର ବାଉଁଶ ପୋଲଟିଏ ହଠାତ ଗଢ଼ି ସାମ୍ନାର ଖାଲ ଖମାକୁ ଅତିକ୍ରମ କରି ଖସି ଯାଉ ।

ପ୍ରେମ ଯେହେତୁ ଏକ ଆବେଗର ପରିମାପକ, ସେ ଦୃଷ୍ଟିରୁ ଏହାକୁ ମାକ୍ରୋ ଭଳି ଧରି ନେଇ ଆମେ କୌଣସି ଜଟିଳତା ଭିତରକୁ ପ୍ରବେଶ ନ କରିବାର ସହଜ ବାଟଟିକୁ ବାଛି ନେଉଛୁ । ଆମ ଭିତରେ ଯେଉଁ ସରଳ ତର୍କ ରହିଛି ତାହା ହେଉଛି, ଯଦି ଆମେ ଆବେଗକୁ ଟିକିନିଖି ବିଚାର କରି ବସୁ, ତେବେ ସେହି ଆବେଗଟି କେତେ ପରିମାଣର ଆଉ ଆବେଗ ହୋଇ ରହିବ ? ପ୍ରେମିକ ଆଉ ପ୍ରେମିକା ଭିତରେ ଯଦି ଜଣକର ମୁଣ୍ଡଟି ଅସଜଡା ରୁବ୍ୟିକ୍ କ୍ୟୁବ୍ ଆଉ ଆର ଜଣକର ମୁଣ୍ଡଟି ଯଦି ବ୍ଲାକବୋର୍ଡ଼ ହୋଇ ଥିବ, ତେବେ ଆମେ ସେହି ପ୍ରେମ କାହାଣୀଟିରେ କେତେ ପ୍ରେମ ଦେଖି ପାରିବା ? ପ୍ରେମ କ'ଣ ଗୋଟିଏ ଜଟିଳ ପାଟିଗଣିତ, ଯାହାର ଏକ ନିଷ୍କର୍ଷରେ ପାଇଁ ଆମକୁ ଦିସ୍ତା ପରେ ଦିସ୍ତା କାଗଜ ଦରକାର ହେବ ?

ମୋର ଜଣେ ସାଙ୍ଗ ଦିସ୍ତାଏ କାଗଜ ପରିମିତ ଖଣ୍ଡିଏ ପ୍ରେମ ପତ୍ର ଲେଖି ତାହାର ପ୍ରେମିକାକୁ ଦେବାର ମୁଁ ପ୍ରତ୍ୟକ୍ଷ କରିଛି ।  ମୋର ସେହି ବିଶିଷ୍ଠ ପ୍ରେମପତ୍ର ଲିଖନରେ ଖୁବ୍ ଅଳ୍ପ ଭୂମିକା ଥିଲା । ନା, ମୁଁ ସେହି ବନ୍ଧୁଙ୍କ ପ୍ରେମପତ୍ର ରଚନାର ମୌଳିକତାକୁ ଅପମିଶ୍ରଣ କରି ନାହିଁ, ନିଜର ଯତ୍‌ଚକିଞ୍ଚିତ ସାହିତ୍ୟ ପ୍ରତିଭାର ସହଯୋଗ ଦେଇ ନାହିଁ ବା ମଝିରେ ମଝିରେ ସେଇ ପ୍ରେମପତ୍ରକୁ ଶୁଣି ଉତ୍ସାହବ୍ୟଞ୍ଜକ ଦୁଇ ଶବ୍ଦ କେବେ କହି ନାହିଁ । ମୋର ଭୂମିକାଟି ଏକ ବାଧକର ।

ମୁଁ ବାରମ୍ବାର ବନ୍ଧୁକୁ କହିଛି ଯେ, ଏହା ବଦଳରେ ଫରାସୀ ରାଷ୍ଟ୍ର ବିପ୍ଳବ ଉପରେ ଧ୍ୟାନ ଦେଲେ ପ୍ରଥମ ଶ୍ରେଣୀଟି ମିଳିବା ଥୟ । ମୋ'ର ବାଧକ ପଣଟି ବନ୍ଧୁକୁ ଉତ୍ସାହିତ କରିଛି । ମୁଁ ନୀରବରେ ସେହି ଐତିହାସିକ ପ୍ରେମପତ୍ର ଲେଖନକୁ ଲକ୍ଷ୍ୟ କରିଛି । ଟେବୁଲଲ୍ୟାମ୍ପ ତଳେ କ୍ଲିପ୍ ବୋର୍ଡ଼ ଉପରେ ପୃଷ୍ଠା ପରେ ପୃଷ୍ଠାର ବଦଳି ଯାଉଥିବା ପ୍ରେମପତ୍ରର ମଝିରେ ସେହି ଲେଖକର ବେପରୁଆ ଦୃଷ୍ଟିର ବର୍ଚ୍ଛାମାନ ମୋତେ ଭୋଗିବାକୁ ହୋଇଛି । ମୁଁ ଯେମିତି ସେତେବେଳେ ସେହି ସମୟର ପ୍ରେମ ଚୋପରା, ଆକ୍ଷରିକ ଅର୍ଥରେ ପରିବେଶକୁ ଧୂମ୍ରପାନରେ ପ୍ରଦ୍ୟୁଷିତ କରିବା ମୋର ଅଧିକାର । ତାହା ପରେ ଦିନେ ବନ୍ଧୁ ଉଠିଲେ ତାଙ୍କ ଟେବୁଲଲ୍ୟାମ୍ପ ପାଖରୁ । ମୁଁ ବି ଥିଲି ଟିକିଏ ଦୂରରେ ସେତେବେଳେ ।  ଆସି ମୋ କାନ୍ଧରେ ହାତ ପକାଇଲେ ସେ । କହିଲେ,ହେଲା । ପୂରା ଦିସ୍ତାଏ । ଦେଖ୍ ।

ପ୍ରେମରେ ସଫଳ ଅନେକ କାହାଣୀ ମୁଁ ପଢ଼ିଛି । ପ୍ରେମିକ ପ୍ରେମିକା ମାନଙ୍କର ବାଧକହୀନ ସମୟରେ ଆକାଶୀ ଉଡ଼ାଣ ଦେଖିଛି, କଳ୍ପନା କରିଛି । କିନ୍ତୁ ଏଇ ଗୋଟିଏ ଥିଲା ମୋର ଜଣେ ପ୍ରେମପତ୍ର ଲେଖକର ସଫଳତାର ଝଲମଲ ଦୃଶ୍ୟଟିଏ ସ୍ୱଚକ୍ଷୁରେ ଦେଖି ପାରିବାର ଏକମାତ୍ର ବିରଳ ଅବସର ।

ପ୍ରେମର ଦେବତା, କ୍ୟୁପିଡ଼ (ୱିକିମିଡିଆ କମନ୍ସ୍)

କହିବାର କଥା ହେଉଛି ଏଠାରେ ଏକ ପ୍ରେମପତ୍ରର ବାଧକ ପରି ସମସ୍ତ ପ୍ରେମରେ ବାଧକଟି ଯେତିକି ଯେତିକି ଦୁର୍ଦ୍ଦାନ୍ତ ହେବ, ପ୍ରେମ କାହାଣୀଟି ସେତିକି ସେତିକି ଆକର୍ଷଣୀୟ ହେବ । ଠିକ୍ ଯେମିତି ଗୋଟିଏ ଗୋଇନ୍ଦାର ଦକ୍ଷତା ଅପରାଧିର ଚତୁରତା ଉପରେ ସାଧାରଣତଃ ନିର୍ଭର କରୁଥାଏ । ଅପରାଧିର ଚତୁରପଣର ଗୋଲକଧନ୍ଦା ହେଉଛି, ଆମ ଗୋଇନ୍ଦା କାହାଣୀର ସାମଗ୍ରିକ ଶିଳ୍ପ କର୍ମ, ସୌଷ୍ଠବ ।

ପ୍ରେମର ଏହି ବାଧକତତ୍ତ୍ୱକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି, ପ୍ରେମ ଭଳି ସବୁ କ୍ଷେତ୍ରରେ ବାଧକକୁ ବୁଝିବା ଆଉ ବାଧକକୁ ଅତିକ୍ରମ କରିବାର ପନ୍ଥା ଓ ସାହସ ସଞ୍ଚୟ କରିବା ।

ଦୁଃଖର କଥା, ଆପଣମାନେ ଦୟା କରି ଏହାକୁ କାହାକୁ ଆକ୍ଷେପ ବା ନିଜ ଦେହକୁ ନ ନେଲେ କହିବି, ବାଧକତତ୍ତ୍ୱର ନିହାତି କୁପୋଷଣ ଯୋଗୁ ଆମର ପ୍ରେମ ଓ ଆମର ସବୁ ପ୍ରେମ କଥା ଓ ଅନ୍ୟାନ୍ୟ କଥା ମାନ ସାହିତ୍ୟିକ ଦୁରାବସ୍ଥା ଭୋଗୁଛନ୍ତି । ଆମର ଚରିତ୍ରମାନେ ସବୁବେଳେ ସତ୍, ନଷ୍ଟାଲଜିଆ ଗ୍ରସ୍ତ । ସେମାନଙ୍କୁ ସେହି ଚିରାଚରିତ ଶଗଡ଼ଗୁଳାରୁ ବାହାର କରି ଆଣିବାକୁ ପଡ଼ିବ । ତାହା ହେଲେ ଆମେ ବିବିଧତା ଦେଖିବା । ବୈଚିତ୍ର୍ୟକୁ ଅନୁଭବ କରିବା । ଏହା ଲେଖିବାର ଉଦ୍ଦେଶ୍ୟ କଦାପି ନୁହଁ ଯେ, ଆମ ପ୍ରେମ କଥାରେ ସବୁଆଡ଼ କେବଳ ଅନ୍ଧାର ହିଁ ଅନ୍ଧାର ।

ନିୟତି ଆଉ କାଳକୁ ବାଧକ ହିସାବରେ ଆମ କାହାଣୀରେ ଆଉ କେତେ ମାକ୍ରୋ-ମାନେଜମେଣ୍ଟ କରି ଆମେ ସନ୍ତୁଷ୍ଟ ରହିବା ? ଏମିତିରେ ଆମ ସାହିତ୍ୟରେ ଆବେଗ ଆଉ କେବଳ ଲୋଡ଼ିବାପଣକୁ ନେଇ କବି ରମାକାନ୍ତଙ୍କ ବିଖ୍ୟାତ ଶୃତଲିଖନଟି ଆମ ସାମ୍ନାରେ ଉପଲବ୍ଧ, 'ଶ୍ରୀରାଧା' । ମୋର ବିଚାରରେ 'ଶ୍ରୀରାଧା'ରେ ଯେଉଁ ପ୍ରେମକାହାଣୀଟି ଆମକୁ ବିହ୍ୱଳ କରି ଏତେ ଦିନ ରଖି ଆସିଛି, ସେଥିରେ 'ବାଧକତତ୍ତ୍ୱ'ଟି ଅର୍ଥାତ୍ ଆଣ୍ଟାଗୋନିଷ୍ଟଟି କେତେ ସ୍ପଷ୍ଠ, ଆଉ କେତେ ପ୍ରାଞ୍ଜଳ ? ଏହାର ସବିଶେଷ ବିଚାର ଆପଣମାନଙ୍କର ।

"ସଖୀ ବେଦନା କାହାରେ ବଲେ,
ତୋମରା ଯେ ବଲୋ ଭାଲୋବାସା ଭାଲୋବାସା,
ସଖୀ ଭାଲୋବାସା କାରେ କୟେ ?"

ଆପଣମାନେ ଅସହମତି ବ୍ୟକ୍ତ କରି ପାରନ୍ତି, କିନ୍ତୁ ମୋର ବିଚାରରେ ଆସନ୍ତାକାଲି 'ଶ୍ରୀରାଧା'ର ପୁନର୍ମୂଲ୍ୟାୟନ ହେବ ଆଉ 'ଶ୍ରୀରାଧା' ରହିବେ ନାହିଁ । କବି ରମାକାନ୍ତ ନିଶ୍ଚୟ ରହିବେ, ତାଙ୍କର 'ସପ୍ତମ ଋତୁ' ଓ ଅନ୍ୟାନ୍ୟ ଆଗର କୃତି ସହ ।

ପ୍ରେମକୁ ବୁଝିବାକୁ ହେଲେ ଆମକୁ ପ୍ରେମର ବାଧକତତ୍ତ୍ୱକୁ ବେଶି ବୁଝିବାକୁ ହେବ । ଯେଉଁ ଦୁଇଟି ସଂକ୍ଷିପ୍ତ ବିଚାର ସହ ଏଇ ଲେଖାଟି ଆରମ୍ଭ ହୋଇଅଛି, ସେଥିରେ ଆପଣ ଦେଖିବେ ପ୍ରେମର ବାଧକପଣକୁ ବେଶି ଉଜାଗର କରା ଯାଇଛି । ସେଇ ଦୁଇଟି ବିଚାର ବିଶିଷ୍ଠ ଆମେରିକାନ୍ ମନସ୍ତତ୍ତ୍ୱବିତ୍ ଥମାସ୍ ସାସ୍‌ଙ୍କ ପୁସ୍ତକ 'ଦି ସେକେଣ୍ଡ ସିନ୍'ରୁ ଉଦ୍ଧାର କରା ଯାଇଛି । କବିଗୁରୁ ରବୀନ୍ଦ୍ର ଏକଦା ଲେଖିଛନ୍ତି:

"ସଖୀ ଭାବନା କାହାରେ ବଲେ"

ସବୁ ବିଚାର ସତ୍ତ୍ୱେ ଆମେ କବିଗୁରୁଙ୍କ ଭଳି ପୁଣି ଫେରିବା ଗ୍ରାଉଣ୍ଡ ଜିରୋକୁ । ପ୍ରେମ କହିଲେ କ'ଣ ବୁଝିବା ଆମେ ?

Sunday, July 15, 2018

ପୋଇ ଶାଗ

ପ୍ରସନ୍ନ କୁମାରୀ ଦେବୀ


ପୋଇ ଶାଗ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାମଗ୍ରୀ - ବଡ଼ ପୋଇ ପତ୍ରରୁ ୧୦୦ ଗ୍ରାମ, ଦୁଇଟା ଆଳୁ, ଅଧ କପ ନଡ଼ିଆ କୋରା, ଦୁଇ ତିନିଟା କଞ୍ଚା ଲଙ୍କା, ଏକ ଚାମଚ ଜୀରା, ଶୋରିଷ, ଅଧ ଚାମଚ ଫୁଟଣ, ବଡ଼ ଚାମଚରେ ଦୁଇ ଚାମଚ ତେଲ ଓ ପରିଣାମ ଅନୁସାରେ ଲୁଣ ।

ପ୍ରଣାଳୀ - ପ୍ରଥମେ ପୋଇପତ୍ରକୁ ଭଲ ଭାବେ ଧୋଇ ଗୁଣ୍ଡ ଗୁଣ୍ଡ କରି କାଟି ଦିଅନ୍ତୁ । ଆଳୁର ଚୋପା ଛଡ଼ାଇ ସରୁ ସରୁ କରି କାଟି ପାଣିରେ ଧୋଇ କରି ରଖନ୍ତୁ । କଡ଼େଇରେ ତେଲ ଦେଇ ଫୁଟଣ ଓ କଞ୍ଚା ଲଙ୍କା ଫୁଟାଇଲା ପରେ ଆଳୁ, ନଡ଼ିଆ କୋରା ଓ ଶାଗକୁ ପକାଇ ଖରଡ଼ି ଦିଅନ୍ତୁ । ଲୁଣ ପକାନ୍ତୁ ।  ଶାଗ ସିଝିଲା ପର୍ଯ୍ୟନ୍ତ ଭାଜନ୍ତୁ ।

Friday, July 13, 2018

ପାଲି ଧର୍ମପଦ (୮୪) ର ଓଡ଼ିଆ  ପଦ୍ୟାନୁବାଦ

୯ ପଣ୍ଡିତ ବର୍ଗ


ସିକ୍କିମରେ ସ୍ଥିତ ବୁଦ୍ଧ ପାର୍କରେ ଶାକ୍ୟମୁନିଙ୍କର ପ୍ରତିମା (ୱିକିମିଡିଆ କମନ୍ସ୍)

ନିଜ ଆଉ ପର ପାଇଁ ପୁତ୍ର, ରାଷ୍ଟ୍ର, ଧନ,
ନ ଇଚ୍ଛି, ଅଧର୍ମ ବିତ୍ତେ ନ ବଳାଏ ମନ;
ଏହି ପରି ଯେହୁ କରେ ଅଟେ ସେହି ନର,
ଶୀଳବାନ, ପ୍ରଜ୍ଞାବାନ, ଧାର୍ମିକ ପ୍ରବର ।୯।

ନ ଅତ୍ତହେତୁ ନ ପରସ୍ସହେତୁ ନ ପୁତ୍ତମିଚ୍ଛେ ନ ଧନଂ ରଟ୍ଠ‌ଂ ।
ନ ଇଚ୍ଛୟେ' ଧମ୍ମେନ ସମିଦ୍ଧିମତ୍ତନୋ ସ ସୀଳବା ପଞ୍ଞବା ଧମ୍ମିକୋସିୟା ।୯।

ନ ଆତ୍ମହେତୋଃ ନ ପରସ୍ୟ ହେତୋଃ ନ ପୁତ୍ରମିଚ୍ଛେତ୍ ନ ଧନଂ ନ ରାଷ୍ଟ୍ରମ୍ ।
ନ ଇଚ୍ଛେଦଧର୍ମ୍ମେଣ ସମୃଦ୍ଧିମାତ୍ମନଃ ସ ଶୀଳବାନ୍ ପ୍ରଜ୍ଞାବାନ୍ ଧାର୍ମିକଃ ସ୍ୟାତ୍ ।୯।

Thursday, July 12, 2018

ଦେଉଳତୋଳା କଥା

ଜ୍ୟୋତି ନନ୍ଦ


ହୁମାୟୁଁପୁର ଗୁମ୍‌ଟି (ୱିକିମିଡିଆ କମନ୍ସ୍)

ଈଶ୍ୱର କରନ୍ତୁ ଭାରତବର୍ଷ ଆଉ ଗୋଟିଏ ମନ୍ଦିର ଆଉ ମସଜିଦ ବିବାଦ ଭଳି ବିବାଦର ସାମ୍ନା କେବେ ନ କରୁ ।
ମନ୍ଦିର-ମସଜିଦ୍ ବିବାଦ ଆମର ସାମାଜିକ ଜୀବନକୁ ତଥା ଆମର ରାଜନୈତିକ ଜୀବନକୁ କେଉଁ ପରି ଆଉ କେତେ ମାତ୍ରାରେ ପ୍ରଭାବିତ କରି ଆସିଛି ତାହା ଆମେ ସମସ୍ତେ ଜାଣୁ । ତେଣୁ 'ଅଉର୍ ଏକ୍ ଧକ୍କା ଦୋ' ଭଳି କୌଣସି ଗୈରିକବସ୍ତ୍ରାବୃତ୍ତା ସାଧ୍ୱୀର ରଣହୁଙ୍କାରରୁ ଆମେ ସବୁବେଳେ ଢେର୍ ଦୂରରେ ରହିବୁ ଆମର ପ୍ରିୟ ତ୍ରିରଙ୍ଗା ତଳେ ।
ଦୟାକରି ଏଇ ଲେଖା ଉପରେ କୌଣସି ବିଭେଦକାରୀ ବା ଉତ୍ତେଜନାପ୍ରବଣ ବିଦ୍ୱେଷମୂଳକ ବା ଅସହିଷ୍ଣୁତାମୂଳକ ମନ୍ତବ୍ୟ ଦେବେ ନାହିଁ ବୋଲି ଅନୁରୋଧ କରୁଛି ।
ପ୍ରସଙ୍ଗଟି ଆମର ବିବିଧତାକୁ ନେଇ ।
ଚିତ୍ରଟି ଦିଲ୍ଲୀର ସଫଦରଜଙ୍ଗ୍ ଏନକ୍ଲେଭ୍‌ର ହୁମାୟୁନପୁର ନାମକ ଗାଆଁରେ ଗୋଟିଏ ପରିତ୍ୟକ୍ତ ମସଜିଦ୍ । ମସଜିଦ୍‌ଟି ଭାରତର ତୁଗଲକ୍ ବଂଶର ଶାସନ କାଳର ।
ଇଣ୍ଡିଆନ ଏକ୍ସପ୍ରେସ୍‌ରେ ପ୍ରକାଶିତ ଶ୍ରୀମୟୀ ସୌମ୍ୟା ଲେଖାନୀଙ୍କର ଗତ ମଇ ଚାରିତାରିଖ ଦୁଇ ହଜାର ଅଠରର ଏକ ବିବରଣୀର ଆଧାରରେ ଏହି ଲେଖାଟି ପ୍ରସ୍ତୁତ ।
ଏହି ପରିତ୍ୟକ୍ତ ମସଜିଦ୍‌ଟିକୁ ଦୁଇ ମାସ ତଳେ ଗୈରିକ ରଙ୍ଗରେ ରଙ୍ଗିନ କରି ସେଠାରେ ଭଗବାନ ଶିବଙ୍କ ମୂର୍ତ୍ତି ସ୍ଥାପନା କରା ଯାଇଛି ।
ସଚରାଚର ସଂସାରର ବିଷପାନକାରୀ ଶଙ୍କର ମହାଦେବଙ୍କ ଏହିଭଳି ପୂଜାର୍ଚ୍ଚନା ପାଇଁ ଏକ ପରିତ୍ୟକ୍ତ ମସଜିଦ୍‌କୁ ବାଛି ତାହାକୁ ମନ୍ଦିରରେ ବଦଳାଇ ଦେବା ପଛରେ ଆମର ଭକ୍ତି ଓ ବିଶ୍ୱାସର ପରିମାଣ କେତେ ଆଉ ସମାଜର ସଂହତିରେ ବିଷ-ବିକ୍ଷେପଣଟି କେତେ, ତାହାର ପରିମାଣର ବିଚାର ଆପଣମାନଙ୍କର ।
ପୂରାତତ୍ତ୍ୱ ବିଭାଗର ସିଟିଜେନ୍ ଚାର୍ଟର୍ ବା ଜନସାଧାରଣଙ୍କର ପ୍ରାଚୀନ ସ୍ଥାପତ୍ୟ ସମ୍ବନ୍ଧୀୟ ଯେଉଁ ଆବଶ୍ୟକୀୟ ବ୍ୟବହାର ତଥା ଆଚରଣବିଧିଟି ରହିଛି, ତାହା ଅନୁସାରେ ସେମାନେ କୌଣସି ସ୍ଥାପତ୍ୟକୁ କୌଣସି ରଙ୍ଗରେ ରଙ୍ଗାଇ ପାରିବେ ନାହିଁ ତଥା ସ୍ଥାପତ୍ୟଟି ଯେଉଁ ଭଳି ରହିଛି ସେହି ଭଳି ସ୍ୱାଭାବିକତାରେ ଅବିକୃତ ରଖିବାକୁ ଚେଷ୍ଟା କରିବେ ।
ଏଠାରେ ତାହାର ବିରୁଦ୍ଧାଚରଣ କରା ଯାଇଛି । ଗୈରିକ ରଙ୍ଗରେ ରଙ୍ଗିନ କଲା ପରେ ତାହା ନିକଟରେ ସେହି ବିଶେଷ ରଙ୍ଗପ୍ରେମୀ ରାଜନୈତିକ ଦଳର ମାନନୀୟ ବିଧାୟକଙ୍କ ନାଆଁ ବି ଲିପିବଦ୍ଧ ହୋଇ ରହିଛି ।
ଏହା ଭାରତୀୟ ମହାନ ପରମ୍ପରା, ଯାହା ବହୁଳବାଦ ଉପରେ ଆଧାରିତ ତାହାର ବିରୁଦ୍ଧାଚରଣ କରୁଛି । ଏହା ସଙ୍ଖ୍ୟାବଳର ଅଂହକୁ ସୂଚିତ କରୁଛି ।

ସମାଜକୁ ବିଭେଦ ଆଉ ବିଦ୍ୱେଷରେ ଭାଗଭାଗ କରି ଆମର ଭାରତୀୟତାର ସଂହତିକୁ ବିପନ୍ନ କରୁଥିବା ଏହି ଜାତୀୟ ସମସ୍ତ ଉପଚାରକୁ ଆମକୁ ପ୍ରତିହତ କରିବାକୁ ହେବ ।

ଆମେ ଆମର ତ୍ରିରଙ୍ଗା ତଳେ ସମସ୍ତେ ଏକାଠି ଶେଷ ଯାଏଁ ।
କାହାକୁ ଆଘାତ କାହିଁକି ? ଅସୂୟା କାହିଁକି ?
ଆଉ ଥରେ ଲେଖୁଛି, ସଂସାରଯାକର ବିଷପାନ କରି ନୀଳକଣ୍ଠ ସାଜିଥିବା ଦେବତାର ଉପାସନା ବେଳେ ଆମକୁ ସେହି ଦେବତାଠୁ କିଛି ଶିଖିବା ନିତାନ୍ତ ଆବଶ୍ୟକ ।
କାମନା କରୁଛି ଆମେ କଦାପି ଆଉ ଏକ ମନ୍ଦିର-ମସଜିଦ ବିବାଦର ମୂଳଦୁଆ ପକାଇବା ନାହିଁ । ଏବଂ ଯେତେବେଳେ ନିଜର ଦୁଇ ହାତରେ ତାଳି ମାରି ନିତାନ୍ତ ଅଶୋଭନୀୟ ଭାବରେ ମଞ୍ଚରୁ ଅନବରତ ମିଛ, ନିଜର ଅସଫଳତାକୁ ଏଡ଼ାଇବା ପାଇଁ ଇତିହାସର ନିର୍ବାଚିତ ଉଲ୍ଲେଖ ଓ ଧାର୍ମିକ ବିଭେଦର ଯେଉଁ ସୁକ୍ଷ୍ମ 'ଟୁ ନେସନ୍ ଥିଓରି'ର ରାଜନୈତିକ ବଖାଣ ଚାଲିଛି, ତାହାକୁ ଏବଂ ତାହାର କ୍ଷମତାସୀନ ଅହଙ୍କାରକୁ ପ୍ରତିହତ କରିବା ପାଇଁ ଜଣେ ଭାରତୀୟ ହିସାବରେ ଆମକୁ ସତର୍କ ରହିବାକୁ ପଡ଼ିବ ।
ଆମେ ସାଧାରଣ ଶକ୍ତିହୀନ ଲୋକ ସେମାନଙ୍କର ପ୍ରଚାରର ଭେଳିକିରେ ଆଛନ୍ନ ହୋଇଯାଉ । ଆମକୁ ବୁଝିବାକୁ ହେବ, ସେମାନେ ନିଜ ଛାତିରେ ନିଜ ଦଳର ଚିହ୍ନଟିଏ ଖଞ୍ଜି ଅତ୍ୟନ୍ତ ପ୍ରଭାବୀ ଭାଷାରେ ଯେଉଁ ଅଭିନୟଟି କରି ଚାଲିଛନ୍ତି, ତାହା ଅସଲରେ କ'ଣ ? କେବଳ ଅନ୍ୟର ଅସଫଳତାର ବିସ୍ତୃତ ଆଲୋଚନାର ଶ୍ଳେଷରେ ଆମେ ଆମୋଦିତ ହେଉଥିବା, କିନ୍ତୁ ତାହା କେବେ ହେଲେ ସେହି ପ୍ରଭାବୀ ବକ୍ତା ଜଣକର ସଫଳତାର ନିୟାମକ ବୋଲି ବିଚାର୍ଯ୍ୟ ନୁହଁ । ମାନେ ଅନ୍ୟର ସମାଲୋଚନାରେ ମୁଁ ଯେତେ ମୁଖର, ତାହା ସମାନ ଭାବରେ ମୁଁ କ'ଣ କରିଛି ବୋଲି କହିବ ନାହିଁ ।

ତେଣୁ ଆମକୁ ଆମର ଏହି ପୋଷାକପ୍ରିୟ ଅଭିନେତାର ରାଜନୈତିକ ଭାଷଣକୁ ଏକ ଅଭିନୟାଂଶ ବା 'ପରଫର୍ମେଟୋରୀ ପାର୍ଟ ଅଫ୍ ପଲିଟିକ୍ସ' ବୋଲି ଧରି ନେଇ ହାତତାଳି ଦେବାକୁ ପଡ଼ିବ । ଅଭିନୟଟିକୁ ମୁଣ୍ଡକୁ ନେଲେ ସବୁ ଅସୁବିଧା । ସବୁ ବିଚାରରେ ବିଭ୍ରାନ୍ତି ।

ଆମ ମୁଣ୍ଡରେ କେବଳ ଗୋଟିଏ ଆକୁମାରୀ ହିମାଳୟର ଭାରତବର୍ଷଟିଏ ତାହାର ସମସ୍ତ ବିବିଧତା ସହିତ ରହିବା ବାଞ୍ଛନୀୟ, ଯାହା ଆମର ଏକମାତ୍ର ଦେବସ୍ଥାନ ।

Monday, July 09, 2018

ଆର୍ସିର ଗପ ଓ ଗପର ଆର୍ସି

କେଦାର ମିଶ୍ର


ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ


ଗୋଟେ ଗପ ଦେଖିଲେ କେମିତି ଲାଗିବ ଗପ ନୁହଁ ତ କିଛି କଥା । ଗୋଟେ ଅଦ୍ଭୁତ ଗପୁଡ଼ି ଝିଅ ଓ ଗୋଟେ ଅଚିହ୍ନା ପୁଅର କଥା । ହଁତା ଭିତରେ ଅଛି ଗୋଟେ ରାସ୍ତାଅନେକ କୋଳାହଳ ଓ ଧୂସର ଜୀବନର ଗୋଟେ ଅସଜଡ଼ା ମାନଚିତ୍ର । ଗୋଟେ ଗପକୁ ଦେଖିବା ଓ ସେ ଗପର ପ୍ରେମରେ ପଡ଼ିଯିବାଗୋଟେ ପ୍ରକାର କୁହୁକ ଅନୁଭବ ହୋଇପାରେ । 

ପ୍ରାୟ ଦେଢ଼ ଘଣ୍ଟା ଧରି ଏ ଯେଉଁ ଗପଟିକୁ ମୁଁ ଦେଖିଲି ଗପ ଦେଖିଲିଶୁଣି ନାଇଁସେ ଗପର ଲେଖକ କିଏ ବିଶ୍ଵାସ କରନ୍ତୁ ଫ୍ରାଞ୍ଜ କାଫକା ଯଦି ଓଡ଼ିଆ ଜାଣିଥା'ନ୍ତେ, ସେ ଗପଟିକୁ ଠିକ ଏମିତି ଇ ଲେଖିଥା'ନ୍ତେ । କିମ୍ବା ବୋରହେସନିର୍ମଳ ବର୍ମା କି ମଣ୍ଟୋହୋଇ ପାରେ ଆମର ଜଗଦୀଶ ମହାନ୍ତି କି ସତ୍ୟ ମିଶ୍ର । ନା, ଏ ଗପ ଅକ୍ଷରରେ ଲେଖା ହୋଇନାହିଁଲେଖା ହୋଇଛି ଦୃଶ୍ୟରେ ।

ଦୃଶ୍ୟ ପରେ ଦୃଶ୍ୟ ଦେଇ ଗପଟି ଗତିଶୀଳ ହେଉଛି । ଝିଅଟି ଗପୁଛିପୁଅଟି ଶୁଣୁଛି ।

ଦୁଇଟି ବୋଲି ଚରିତ୍ର । ମଝିରେ ପାଞ୍ଚ ମିନିଟ ଲାଗି ଆଉ ଗୋଟେ ଚରିତ୍ର ଆସୁଛନ୍ତି ଓ ମିଳେଇ ଯାଉଛନ୍ତି ।

ତେବେ ଏ ଗପରେ ସବୁଠୁ ବଡ ଚରିତ୍ର ହେଉଛି ରାସ୍ତା । ରାସ୍ତାର କୋଳାହଳଡ୍ରୋଜରକ୍ରେନରୋଲରଟ୍ରକବସଟ୍ରେନ ଇତ୍ୟାଦିର କାନଫଟା ଚିତ୍କାର ଏ ଗପରେ ବହୁତ ବଡ଼ ଜାଗା ମାଡ଼ି ବସିଛନ୍ତି । କଥା ଅପେକ୍ଷା କୋଳାହଳ ବେଶୀ ଅର୍ଥପୂର୍ଣ୍ଣ ଲାଗୁଛି । ତା'ରି ଭିତରେ ଅଛି ଗୋଟେ ଅଚିହ୍ନା ଚଢ଼େଇର କାକଳି । ଅଛି ମୋବାଇଲ ଗେମ୍‌ର ଟିକ୍ ଟିକ୍ ମୋନୋଟୋନି । ଏ ଗପର ବଡ଼ ଚରିତ୍ର ହେଉଛି ରାସ୍ତା ।ଗୋଟେ ଜାଗାରେ ସେ ଗପୁଡ଼ି ଝିଅ କହୁଛି - “ଏ ରାସ୍ତା ଦିନକୁ ଦିନ ମୋଟା ହୋଇଯାଉଛି ଓ ଯେମିତି ଅନେକଙ୍କୁ ଗିଳି ପକାଉଛି।"

ଏଇଟା ରାସ୍ତାର ଗପ । ଯେମିତି କି, ' ରାସ୍ତା ଇ ତିଆରି କରିଛି ଏହାର ସାମାଜିକ ଇତିହାସ । ରାସ୍ତା ବାରମ୍ବାର ଜୀବନ ପରି ଲମ୍ବି ଯାଉଛି ଗୋଟେ ଅଚିହ୍ନା ସହର ଆଡ଼କୁ । ରାସ୍ତା ଆମକୁ କହୁଛି, ଗୋଟେ ଯାଯାବର ଜୀବନ କାହାଣୀ ।

ଓଡ଼ିଆ ଭାଷାରେ ଏମିତି ଗୋଟେ ଗପ ଆପଣ ହୁଏତ ଦେଖି ନ ଥିବେ । ସାହିତ୍ୟ ତୁଳନାରେ ଗୋଟେ ଦୃଶ୍ୟ-ମାଧ୍ୟମ ଭାଷାର ପ୍ରୟୋଗକୁ କେତେ ଅଧିକ ଶକ୍ତିଶାଳୀ କରିପାରେ, ତାର' ଅନୁଭବ ଆମ ପାଖରେ ବହୁତ କମ । ନିହାତି ଶସ୍ତା ଓ ଧାରକରା ସିନେମାର ପ୍ରଭାବହୀନ ପରମ୍ପରା ସହିତ ଅଭ୍ୟସ୍ତ ଓଡ଼ିଆ ଦର୍ଶକ ଲାଗି ଏଇଟା ଗୋଟେ ଅଭିନବ ଅନୁଭବ ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

'ହେଲୋ ଆର୍ସି' ବୋଲି ଗୋଟେ ସିନେମା ଦେଖି ସାରିଲା ପରେ ମୋତେ ଲାଗିଲାମୋ' ଭାଷାର ସାମର୍ଥ୍ୟ କେତେ । କେତେ ଦମଦାର ଓ ଓଜନଦାର ହୋଇପାରେ ଓଡିଆ ଭାଷାର ପ୍ରାଣଶକ୍ତି । ଏଇ ସିନେମାରେ ଓଡିଆ ଭାଷାର ସର୍ବାଧିକ ଶକ୍ତି ଓ ସୃଜନଶୀଳତା ଫୁଟି ଉଠିଛି । ଗୋଟେ ସିନେମାବହୁ ଦିନ ପରେ ମୋତେ ସ୍ଥିର ଓ ଅବାକ କରିଦେଲା । ମୁଁ ସେ ରାସ୍ତାରେ ଏବେ ବି ଅଛି ଯେମିତି । ମୁଁ ଏବେ ବି ଘାରି ହେଉଛିସେ ଆର୍ସି ବୋଲି ଝିଅଟା କିଏ ସେ କଣ ରାଉରକେଲା-ରାଜଗାଙ୍ଗପୁର ରାସ୍ତାରେ ଗରାଖ ଖୋଜୁଥିବା ଗୋଟେ ଝିଅ ନା ଶିଳ୍ପାୟନର ଦାନବ ପଞ୍ଝାରେ ନିଜର ଅସ୍ତିତ୍ଵ ହରାଇଥିବା ଗୋଟେ ଯାଯାବର ଆତ୍ମା । ସେମିତି ସେ ହତାଶିଆ ହସ ହସୁଥିବା ପୁଅଟି କିଏ ସେ ବି କଣ ଆର୍ସିର ମାତ୍ର ଗୋଟିଏ ରାତିର ପ୍ରେମିକ କି ଗରାଖ ନା ସେ ବି ଠିକଣା ହଜେଇ ଦେଇଥିବା ଗୋଟେ ଉଦବାସ୍ତୁ ଗାଁ'ର ପ୍ରାଣ ଅଦ୍ଭୁତ ଘଟଣାକ୍ରମ ଓ ଏକ ଶେଷହୀନ ପରିଣତି ଥିବା ଏ' ସିନେମାର କାହାଣୀଆମ ସମୟର ଓଡିଆ ଭାଷାକୁ ମେଞ୍ଚାଏ ଖୋଲା ପବନ ଦେଇଛି । ଆପଣ କହି ପାରନ୍ତିଏଇଟା ଆଧୁନିକ ଓଡିଆ ଭାଷାର ଗରିମା । ଏଇଟା ଇ ସମକାଳୀନ ଓଡିଆ ଜୀବନର ପ୍ରତିଛବି । ଆମ ପିଲା ଏଇ ଭାଷାଏଇ ଜୀବନବୋଧଏଇ ଯାଯାବର ଲକ୍ଷ୍ୟହୀନତା ଓ ଏଇ ପ୍ରକାର ସ୍ଵାଧୀନତାକୁ ନେଇ ବଞ୍ଚୁଛନ୍ତି । ଦୁର୍ଭାଗ୍ୟକ୍ରମେ ଆମର କଳା ଓ ସାହିତ୍ୟ ଏ ପ୍ରକାର ଭାଷାକୁ ବୁଝିବାରେ ଏକ ପ୍ରକାର ଅସମର୍ଥ ।

ଆର୍ସି ବୋଲି ଏ ଯେଉଁ କୋଡ଼ିଏ-ଏକୋଇଶ ବର୍ଷର ଝିଅଟି ନିଜ କଥା ଗପି ଚାଲିଛିସେ ନିଜ ଜୀବନ ସଙ୍ଘର୍ଷର କଥା କହୁଛି । ତା' ସହିତ ସେ ନିଜ ସ୍ଵାଧୀନ ଜୀବନର ରାହା ବିଷୟରେ ମଧ୍ୟ ସଚେତନ । ଠୋ ଠୋ କଥାବେପରୁଆ ଚାହାଣୀନୈତିକତା ଓ ସାମାଜିକ ଅଙ୍କୁଶକୁ ଫୁଃ କରି ଉଡ଼େଇ ଦେବାର ସାହସ ଓ ଜୀବନକୁ ନିଜ ସର୍ତ୍ତରେ ବଞ୍ଚିବାର ଦୃଢ଼ତା ଆର୍ସିକୁ ଅଲଗା କରି ଗଢ଼ିଛି । ସିନେମାରେ ସେ କେବଳ ନାୟିକା ନୁହଁସେ ଆମ ସମୟ ଓ ସମାଜର ଗୋଟେ ଅନମନୀୟ ଅଂଶ । ଗତ ପଚିଶ–ତିରିଶ ବର୍ଷ ଭିତରେ କୌଣସି ଓଡ଼ିଆ ସିନେମା ଏତେ ଗହନକୁ ଯାଇ ନିଜ ସମୟର କଥା କହିଥିବାରମୁଁ କାଇଁ ଦେଖିନି ।

ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ଏ ସିନେମାରେ କୌଣସି ପ୍ରଶ୍ନର ଉତ୍ତର ନାଇଁ । ପ୍ରଶ୍ନ ପରେ ପ୍ରଶ୍ନର ବୋଝ ଲଦି ଆପଣ ବି ପାଲଟି ଯାଇ ପାରନ୍ତି, ' ରାସ୍ତାର ଗୋଟେ ଅସହାୟ ଚରିତ୍ର । ଓଡିଆ ସିନେମାରେ ବହୁ ଦିନ ପରେ କିଛି ଗୋଟେ ଆଚ୍ଛନ୍ନ କଲା । ନିଜ ଭିତରର ଆତ୍ମାକୁ କିଛି ସମୟ ଲାଗି ଝୁଣିଝାଣି ଦେଇଗଲା ଆର୍ସି । ସିନେମାରେ ଆଉ କଣ ଅଛିକହିବା ଦରକାର ନାଇଁ । ସିନେମାରେ ଗୋଟେ ପାଗଳ କଲା ପରି ଗପ ଅଛି । ପ୍ରବଳ ଉତ୍କଣ୍ଠା ଅଛି । ପ୍ରତ୍ୟେକ ସଂଳାପ ଭାଷା ଓ ଭାବକୁ ସାବଲୀଳ ଭାବରେ ଯୋଡ଼ିବାରେ ସଫଳ ହେଉଛନ୍ତି । ଦୃଶ୍ୟଶବ୍ଦଭାଷା ଓ ଭାବ ଏଇ ଚାରୋଟି ଯାକ ବିଭବ ମିଶି ଗୋଟେ ଜମାଣିଆଁ ମୂର୍ଚ୍ଛନା ତିଆରି କରିଛନ୍ତି ଏ ସିନେମାରେ ।

ପ୍ରାୟ ଦୃଶ୍ୟ ସ୍ପଷ୍ଟ ଓ କ୍ୟାମେରାର ଦୃଷ୍ଟି ଏକ ପ୍ରକାର ସ୍ଥିର । ଯେମିତି କ୍ୟାମେରା ଗୋଟେ ଜାଗାରେ ଗପ ଦେଖିବାକୁ ଅଟକି ଯାଇଛି । ଏ ସିନେମାରେ କ୍ୟାମେରାମେନ ବି ଗୋଟେ କବି । ଧୂସର ଓ ବିବର୍ଣ୍ଣ ଉପତ୍ୟକାର କବି । ଚିତ୍ର ଓ ଶବ୍ଦର ଏତେ ଚମତ୍କାର ସଙ୍ଗମକେଉଁ ଓଡିଆ ସିନେମାରେ ମୁଁ ଶେଷ ଥର ଲାଗି ଦେଖିଥିଲିମୋର ମନେ ନାହିଁ । ଏ ସିନେମାର ପ୍ରଭାବ ନିଜ ରକ୍ତରେ ବହୁ ଦିନ ଧରି ଅନୁଭବ କରିବାକୁ ଜଣେ ସମ୍ବେଦନଶୀଳ ଦର୍ଶକ ବାଧ୍ୟ ହେବ । ଅଭିନୟରେ ମୁଁ ତ କେବେ କଳ୍ପନା କରି ନ ଥିଲିପ୍ରକୃତି ମିଶ୍ର ଏମିତି କିଛି କରି ପାରିବେ । ସେମିତି ପାର୍ଥନୂଆ ଅଭିନେତା । ହେଲେ ଅଭିନୟରେ ଗୋଟେ ଗାମ୍ଭୀର୍ୟ ଅଛି । ମୁହଁରେ ହସ ଓ ବିଷାଦଭରା ଗୋଟେ ବିରଳ ମାନଚିତ୍ର ତିଆରି କରିଛନ୍ତି ପାର୍ଥ । ଏଠି ଅଭିନୟର ଗୋଟେ ଅଲଗା ଇଲାକା ତିଆରି ହୋଇଛି । ନାଟକ ନାଇଁ କି ସଂଳାପରେ ଅଯଥା ଉତ୍ତେଜନା ନାଇଁ । କେବଳ ସଠିକ ଭାବରେସଠିକ ସମୟରେ କଥା କହିପାରିବାର ଯାଦୁକରୀ ଇ, ' ସିନେମାର ସବୁଠୁ ସାର୍ଥକ ଅଭିନୟ । ତିନୋଟି ଯାକ ଚରିତ୍ର ଏତେ ସ୍ଵାଭାବିକ ଓ ସହଜ ଯେସେମାନେ ଏଠିସେଠିସବୁଠି ଆମ ସହ କଥା ହୋଇ ପାରିବେ ।

ଏତେ ସବୁ ଯାଦୁକରୀ ଦେଖେଇଥିବା ସେ ଅସଲ କଥାକାରଟି କାଇଁ ଏତେ ସବୁକୁ ସାର୍ଥକ ଓ ସଫଳ ଭାବରେ ତୁଲାଇ ପାରିଥିବା ଏ ସିନେମାର ଅସଲ ନାୟକ କେଉଁଠି ଆଃସେ ବହୁ ଦୂର ଆକାଶରେ ଏବେ ଗୋଟେ ଅସ୍ପଷ୍ଟ ତାରା । ସେଇ ଆକାଶରେ ଥାଇ ସେ ଆମକୁ ଆର୍ସିର ଗପ ଦେଖାଉଛନ୍ତି । “ହେଲୋ ଆର୍ସି” ର ସଂଳାପକାର ଓ ନିର୍ଦ୍ଦେଶକ ସ୍ଵର୍ଗତ ସମ୍ବିତ ମହାନ୍ତିହଜି ଯାଇଥିବା ଗୋଟେ ଜିନିୟସ । ଏତେ ଚମତ୍କାର ସିନେମା ଗଢ଼ିଥିବା ଲୋକଟା ସିନେମା ସରିଲା ପରେ ଆଉ ଏ ପୃଥିବୀରେ ନାଇଁ । ମରିବା ଆଗରୁ ଏଇଟା ସମ୍ବିତଙ୍କର ପ୍ରଥମ ଓ ଅନ୍ତିମ ସିନେମା । କଳାର ଇତିହାସରେ ଅନେକ ବିସ୍ମୟ ତିଆରି ହୁଏ । ଓଡିଆ ଦୃଶ୍ୟକଳାର ଇତିହାସରେ ସମ୍ବିତ ମହାନ୍ତି ସେମିତି ଏକ ବିସ୍ମୟ ।

'ହେଲା ଆର୍ସି' ଚଳଚିତ୍ରର ନିର୍ଦ୍ଦେଶକ ସମ୍ବିତ ମହାନ୍ତି
ଫଟୋ କ୍ରେଡ଼ିଟ - ୠତୁ ପଟ୍ଟନାୟକ

ମୁଁ ଯଦି ଏ ସିନେମାକୁ ଏତେ ଚମତ୍କାର ଓ ସୁନ୍ଦର ବୋଲି କହୁଛିତା' ହେଲେ ଏହାକୁ ଦେଖିବା ଲାଗି ସିନେମା ହଲରେ ଭିଡ଼ ହେବ ନାହିଁ କାହିଁକି ଆମ ସମୟରେ ଏ ପ୍ରଶ୍ନ ସବୁଠୁ ମାରାତ୍ମକ । ଭଲ ସିନେମା ଓ ଲୋକପ୍ରିୟ ସିନେମା ଭିତରେ ସମୟକ୍ରମେ ଗୋଟେ ବଡ଼ ଖାଇ ତିଆରି ହୋଇ ଯାଇଛି । ଭଲ ସିନେମା ପୁରଷ୍କାର ପାଇବସମୀକ୍ଷକମାନଙ୍କର ଆଦର ପାଇବହେଲେ ତାକୁ ଟିକେଟ କିଣି କେହି ଦେଖିବାକୁ ଯିବେ ନାହିଁ । କାରଣ କଣ ଆମ ସମୟରେ ଚାଲୁ ଓ ଶସ୍ତା ନିଶାର ପ୍ରଭାବ ଆପେ ଆପେ ତିଆରି ହୋଇ ନାହିଁ । କିଛି ବେପାରୀ ଜାଣିଶୁଣି ଶସ୍ତା ନିଶା ସହିତ ଆମ ସମାଜକୁ ଅଭ୍ୟସ୍ତ କରିଛନ୍ତି । ସେମାନଙ୍କ ଫାନ୍ଦ କାଟି ନୂଆ କିଛି କରିବା ସହଜ ନୁହେଁ ।

ସମ୍ବିତ ମହାନ୍ତିଙ୍କ ପରି ସିନେମା ନିର୍ମାତାମାନେ ଗୋଟେ ପ୍ରକାର ବିକଳ୍ପ ତିଆରି କରନ୍ତି । ଚାଲୁ ଓ ଶସ୍ତା ମନୋରଞ୍ଜନର ଏଇ କଳାତ୍ମକ ବିକଳ୍ପକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ଵ ଆମେ ନେଇ ପାରିବା କି ଗୋଟେ ଭଲ ସିନେମା ଲାଗି ସମଝଦାର ଦର୍ଶକ ହେବାର ସାମାଜିକ କର୍ତ୍ତବ୍ୟ ତୁଲାଇବାରେ ଆମେ ଟିକେ ଆଗୁସାର ହେବା କି ଭଲ ସିନେମା ତିଆରି ହେବା ଯେତିକି ଜରୁରୀଭଲ ସିନେମାକୁ ନିଜର କରିବାର ଆଗ୍ରହ ମଧ୍ୟ ସେତିକି ଆବଶ୍ୟକ । 'ହେଲୋ ଆର୍ସି' ଆମ ଆଗରେ ଗୋଟେ ଭଲ ବିକଳ୍ପ ଠିଆ କରେଇଛି । ତାକୁ ଭଲ ପାଇବା ଓ ତାକୁ ଆଗକୁ ବଢ଼ାଇବାର ଦାୟିତ୍ଵ ଆମର ।

ଶେଷରେ ଏତିକି କହିବିସମ୍ବିତ ମହାନ୍ତିଙ୍କ ‘ହେଲୋ ଆର୍ସି’ ଆମ ସମୟର ଇତିହାସରେ ଗୋଟେ ମାଇଲଖୁଣ୍ଟ ହୋଇ ଠିଆ ହୋଇଥିବ ଆଗାମୀ ବହୁତ ବହୁତ ବର୍ଷ ଧରି । ହୁଏତ ସମ୍ବିତ ମହାନ୍ତି ବଞ୍ଚିଥିଲେତାଙ୍କଠୁ ଆଉ କିଛି ଭଲ ସିନେମା ଆମେ ଆଶା କରିଥା'ନ୍ତେ । ହେଲେ ଏ ସିନେମାପୁଣି ଥରେ ଭଲ ସିନେମାର ବାଟ ଫିଟାଇବାରେ ସହାୟକ ହେବ ବୋଲି ଆମେ ଆଶା କରିବା ।

Sunday, July 08, 2018

ହର୍ହେ ଲୁଇସ ବୋର୍ହେସ୍‌ଙ୍କର 'ଆଇନା ଓ ମୁଖା'

ଅନୁବାଦ - ଜ୍ୟୋତି ନନ୍ଦ


ଆଇସଲ୍ୟାଣ୍ଡୀୟ ଯୋଦ୍ଧା (ସପ୍ତଦଶ ଶତାବ୍ଦୀର ଚିତ୍ର)

କ୍ଲୋଷ୍ଠାର୍ଫର ଯୁଦ୍ଧ ଶେଷ, ନରୱେ ହାରି ଯାଇଛି । ଆୟାରଲାଣ୍ଡର ମହାରାଜ ତାଙ୍କର ସଭାକବି ସହ ଖୁସି ଗପ କରୁଛନ୍ତି । କହିଲେ, "ଏତେ ବଡ଼ ଗୋଟିଏ ବିଜୟ ହେଲା, ଏ କଥା ଯଦି ଭାଷାରେ ଲେଖା ନ ହୁଏ ତେବେ ଏହାର ଯେତିକି ସଫଳତା ଅଛି ସବୁ ହଜି ଯିବ ।ଆମର ଏଇ ବିଜୟକୁ ନେଇ ମୁଗ୍ଧତାର ସହ ଗୋଟିଏ ସ୍ତ୍ରୋତ୍ର ରଚନା କର ।ମୁଁ ଚାହିଁବି ତମେ ମୋ ଜୟକାହାଣୀର ଗୀତ ବି ଗାଅ । ମୁଁ ହେବି ଈନିସ୍ ଆଉ ତମେ ହେବ ମୋର ଭର୍ଜିଲ୍ । ତମ ଭିତରେ କ'ଣ ଏତିକି ସାମର୍ଥ୍ୟ ରହିଛି ଯାହା ଆମ ଦି' ଜଣଙ୍କୁ ଅମର କରିଦେଇ ପାରିବ ?"

"ହଁ ମହାରାଜ", ଚାରଣକବି କହିଲେ ।" ମୁଁ ଓଲାନ୍ । ବାରୋଟି ଶୀତଋତୁ ମୁଁ ଅଳଙ୍କାର ଶାସ୍ତ୍ର ଚର୍ଚ୍ଚା କରିଛି । ମୁଖସ୍ଥ କରିଛି ପ୍ରକୃତ କବିତାରେ ଗଢ଼ି ଉଠିଥିବା ତିନି ଶହ ଷାଠିଏ ଉପାଖ୍ୟାନ । ବୀଣାର ତାରରେ ବାନ୍ଧିଛି ଉଲଷ୍ଟାର୍ ଆଉ ମୁନଷ୍ଟାର୍‌ର ଚକ୍ର ଗୁଡ଼ିକୁ ।ଆମ ଭାଷାରେ ଥିବା ପ୍ରାଚୀନ ଶବ୍ଦ, ଆଉ ଜଟିଳ ରୂପକର ବ୍ୟବହାର କରି ସୂତ୍ରଗୁଡ଼ିକୁ ଭଲ ଭାବରେ ସାଧିଛି । ଲେଖାର ଚାବିକାଠି ମୋ ନଖଦର୍ପଣରେ । ମୁଁ ବେଶ୍ ଦକ୍ଷ । ଯେଉଁ ସବୁ ରୀତିରହସ୍ୟ ଦଳେ ସାଧାରଣଙ୍କ ଠାରୁ ଅଲଗା ଏକ ଅଭିନ୍ନ ଦୃଷ୍ଟି ହୋଇ ଶିଳ୍ପକୁ ରକ୍ଷା କରିଥାଏ, ମୁଁ ଆୟତ୍ତ କରିଛି । ଆପ୍ୟାୟନ କରି ପାରିବି ପ୍ରେମକୁ, ଗାଭୀତସ୍କରକୁ, ଭ୍ରମଣକୁ, ଯୁଦ୍ଧକୁ । ଆୟାରଲାଣ୍ଡର ରାଜପ୍ରାସାଦର ସକଳ ପୌରାଣିକ ଭାଷ୍ୟକୁ, ବଂଶ ଇତିହାସକୁ ମୁଁ ଜାଣେ । ମୁଁ ଆୟତ୍ତ କରିଛି ବୈଧ ଫଳିତ ଜ୍ୟୋତିଷୀ ବିଦ୍ୟା, ଗଣିତ, କମାଣନୀତି, ଓ ବୃକ୍ଷଶକ୍ତି । ଯେତେକ ସାଧାରଣ ପ୍ରତିଯୋଗିତାରେ ମୁଁ ପରାସ୍ତ କରିଛି ସବୁ ପ୍ରତିଦ୍ୱନ୍ଦୀଙ୍କୁ । ପ୍ରହସନ ରଚନାରେ ମୁଁ ଦକ୍ଷ, ଏହା ଚମଡ଼ାକୁ ଦୁର୍ବଳ କରିଦେଇ ପାରେ, କୁଷ୍ଠରୋଗୀକୁ ବି । ମୁଁ ଜାଣିଛି କେମିତି ତଲବାର୍ ବୁଲାଇବାକୁ ହେବ, ଆପଣଙ୍କ ଯୁଦ୍ଧ ତାହାର ପ୍ରମାଣ । ମୁଁ କେବଳ ଗୋଟିଏ କଥାରେ ଅଜ୍ଞ ରହିଛି ଏ ଯାଏଁ, ଆପଣ ଯେତେବେଳେ ମୋତେ ପୁରସ୍କୃତ କରନ୍ତି ସେତେବେଳେ କେମିତି ଆପଣଙ୍କୁ ଧନ୍ୟବାଦ ଜଣାଇବା ଉଚିତ ।"

ରାଜା ତ ସହଜେ କ୍ଳାନ୍ତ ହୋଇ ଯାଆନ୍ତି ଏଇମିତି ଦୀର୍ଘ ବକ୍ତୃତାରେ, ବିଶେଷରେ ବାହାରୁ କିଏ ଜଣେ କହିଲେ, ଏବେ ସ୍ୱସ୍ତି ନିଃଶ୍ୱାସ ମାରି କହିଲେ, "ଏ ସବୁ ମୁଁ ଭଲ ଜାଣେ । କହୁଥିଲି ସମ୍ପ୍ରତି ନାଇଟିଙ୍ଗେଲ୍ ଗୀତ ଗାଉଛି ଇଂଲଣ୍ଡରେ । ବର୍ଷା ଆଉ ବରଫ ପଡ଼ିବା ଶେଷ ହୋଇ ଯାଇଛି, ଦକ୍ଷିଣ ଦେଶରୁ ଫେରିଛି ନାଇଟିଙ୍ଗେଲ୍, ଠିକ୍ ଏତିକି ବେଳେ ଦରବାରରେ ସମସ୍ତଙ୍କ ସାମ୍ନାରେ ସବୁ ଚାରଣକବିଙ୍କ ଉପସ୍ଥିତିରେ ତମକୁ ତମର ସ୍ତ୍ରୋତ୍ର ଗୁଡିକୁ ପଢ଼ିବାକୁ ପଡ଼ିବ । ବର୍ଷଟିଏ ସମୟ ତମକୁ ଦେଉଛି । ତମେ ତମର ପ୍ରତିଟି ଶବ୍ଦ ଭାଷା ପରିମାର୍ଜନ କରିବ ।ଆଉ ପୁରସ୍କାର, ଏ ଯାଏଁ ଆମ ରାଜପ୍ରଥା ହିସାବରେ ତମେ ଯାହା ଜାଣିଛ ତାହାଠାରୁ କମ୍ ହେବ ନାହିଁ, ଏପରିକି ତାହା ତମର ବିନିଦ୍ର ରଜନୀ ସମୂହକୁ ଆଦୌ ନିରୁତ୍ସାହ କରିବ ନାହିଁ ।"

"ମହାରାଜ, ଆପଣଙ୍କର ଶ୍ରୀମୁଖ ଦେଖିବାଠାରୁ ଅଧିକ ବଡ଼ ପୁରସ୍କାର କିଛି ନାହିଁ" । କବି କହିଲେ । ସେ କବି ବି ଜଣେ ସଭାସଦ । ମୁଣ୍ଡ ତଳକୁ କଲେ, ଉପରକୁ ମୁଣ୍ଡ ଉଠାଇଲେ ଆଉ ସେହି ଫାଙ୍କରେ ଝଲସି ଉଠିଥିଲା ଗୋଟିଏ ଦୁଇଟି ସ୍ତବକ କାବ୍ୟର ।

ବର୍ଷଟିଏ ଘୁରି ଆସିଲା, ବର୍ଷଟି ଥିଲା ମହାମାରିର ଆଉ ବିପ୍ଳବର, କବି ତାଙ୍କର ରଚିତ ସ୍ତୋତ୍ର ଉପହାର ଦେଲେ । ପାଣ୍ଡୁଲିପିକୁ ନ ଦେଖି ଧିରେ ଅଥଚ ମନ୍ଦ୍ରିତ କଣ୍ଠରେ କାବ୍ୟପାଠ କଲେ କବି । ମୁଣ୍ଡ ହଲାଇ ସମ୍ମତି ଜଣାଉଥିଲେ ରାଜା ନିଜ ସିଂହାସନରୁ । ତାଙ୍କର ଅଭିବ୍ୟକ୍ତିକୁ ଅନୁକରଣ କରୁଥିଲେ ସମସ୍ତ ସଭାସଦ । ଏପରିକି ଝରକା ବାହାରେ ଜମା ହୋଇଥିଲେ ସେତେବେଳେ ଯେଉଁମାନେ, ଗୋଟିଏ ବର୍ଣ୍ଣ ନ ବୁଝି ପାରିବା ସତ୍ତ୍ୱେ ବି, ସେମାନେ ନିଜନିଜର ମୁଣ୍ଡ ହଲାଇ ସମର୍ଥନ ଜଣାଉ ଥିଲେ । ଶେଷରେ ରାଜା କହିଲେ, 

"ମୁଁ ତମର ପରିଶ୍ରମକୁ ସ୍ୱୀକାର କରୁଛି । ଏହା ଆଉ ଏକ ବିଜୟ । ତମେ ପ୍ରତିଟି ଶବ୍ଦର ପ୍ରକୃତ ଅର୍ଥ ଦେଇଛ, ପ୍ରତିଟି ବାସ୍ତବ ଅସ୍ତିତ୍ୱର ବିଶେଷଣକୁ ପ୍ରାଚୀନ କବିଙ୍କ ରୀତି ଅନୁସାରେ ପ୍ରୟୋଗ କରିଛ । ତମର ସ୍ତ୍ରୋତ୍ରରେ ଏମିତି କିଛି କଳ୍ପନା ନାହିଁ ଯାହା ଧୃପଦୀ ଲେଖକଙ୍କ ଲେଖାରେ ନ ଥିଲା । ଯୁଦ୍ଧ ହେଉଛି ମଣିଷର ସୁନ୍ଦର ବୁଣାକାରୀଟିଏ, ଆଉ ରକ୍ତ ହେଉଛି ତରବାରୀର ପାନୀୟ । ସମୁଦ୍ର ତାହାର ଦେବଦେବୀ ଓ ମେଘମାଳା ତାହାର ଭବିଷ୍ୟ କହିବାରେ ସନ୍ତୁଷ୍ଟ । ସୁଦକ୍ଷ ଭାବରେ ବ୍ୟବହାର କରିଛ ଶ୍ଳୋକ, ଅନୁପ୍ରାସ, ଧ୍ୱନୀସାମ୍ୟ ତାହାର ସାଦୃଶ୍ୟ, ପରିମିତି; ସୁଚାରୁ ଭାବେ ବ୍ୟବହାର କରିଛ ଅଳଙ୍କାର, ନାନାବିଧ ଚାତୁର୍ଯ୍ୟମୟ ବାକମୟତା । ଯଦି ଆୟାରଲାଣ୍ଡର ସମସ୍ତ ସାହିତ୍ୟ ଧ୍ୱଂସ ହୋଇଯାଏ - ଧ୍ୱଂସ ହେଉ - ତେବେ ତମର ଧୃପଦୀ ଗୀତରୁ ଏହାର ଅବିକଳ ପୁନର୍ନିମାଣ ସମ୍ଭବ । ତିରିଶ ଜଣ ଲେଖକ ପ୍ରତ୍ୟକେ ବାର ଥର ଲେଖାଏଁ ତମର କାବ୍ୟର ଅନୁଲିପି ପ୍ରସ୍ତୁତ କରିବେ ।"

ସମସ୍ତେ ଚୁପ୍ । ରାଜା କହି ଚାଲିଥିଲେ, "ସବୁ ଭଲ, ତେବେ ଯେମିତି କିଛି ବି ଘଟିନାହିଁ । ଆମର ଶିରାଧମନୀରେ ରକ୍ତ ଆଉ ଟିକିଏ ଜୋରରେ ବହୁ ନାହିଁ । ଆମର ହାତ ଧନୁଶର ଖୋଜୁ ନାହିଁ । ଭୟରେ କାହାର ମୁହଁ ନୀଳ ପଡ଼ିନି । କେହି ଗର୍ଜନ କରୁନି ଯୁଦ୍ଧ ପାଇଁ ଅଥବା ଛାତି ପାତି ଦେଉ ନାହିଁ କେଉଁ ଭାଇକିଂ ସାମ୍ନାରେ । ବର୍ଷଟିଏ ଶେଷ ହେବା ଆଗରୁ, କବି, ଆମେ ଆଉ ଗୋଟିଏ ପ୍ରଶଂସା ଶୁଣିବାକୁ ଚାହିଁବୁ । ଆମ ସମ୍ମତିର ସୂଚକ ହିସାବରେ ଗ୍ରହଣ କର ଏହି ଦର୍ପଣ, ଦର୍ପଣଟି ରୂପାରେ ।

"ଧନ୍ୟବାଦ, ମୁଁ ବୁଝିଲି ମହାରାଜ", କହିଲେ ଚାରଣକବି ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆକାଶରେ ନକ୍ଷତ୍ରମାନେ ସେମାନଙ୍କର ଉଜ୍ଜଳ କକ୍ଷପଥରେ । ଆଉ ଥରେ ସାକ୍ସୋନ୍ ଅରଣ୍ୟରେ ନାଇଟିଙ୍ଗେଲ୍‌ର ଗୀତ, କବି ଫେରିଆସନ୍ତି ହାତରେ ତାଙ୍କର ସଦ୍ୟ ପାଣ୍ଡୁଲିପି,ସଦ୍ୟ ପାଣ୍ଡୁଲିପିଟି ପୂର୍ବ ଅପେକ୍ଷା ଆକାରରେ ଛୋଟ।ସ୍ମୃତିରୁ ଗାଇଯାଉନଥିଲେ କବି ଆଗ ଭଳି, ପାଣ୍ଡୁଲିପି ଦେଖିଦେଖି ପଢୁଥିଲେ,ଅନେକ ପରିମାଣରେ ଦ୍ୱିଧାଗ୍ରସ୍ତ ଥିଲେ କବି ଏଥର।କେତୋଟି ଅନୁଚ୍ଛେଦକୁ ସେ ବାଦ୍ ଦେଇଥିଲେ ସେଥିରୁ, ଯେମିତି ସେ ଏଗୁଡିକୁ ବୁଝିପାରି ନାହାଁନ୍ତି ବା ସେଗୁଡିକୁ ଅପବିତ୍ର କରିବାକୁ ଚାହୁଁ ନାହାଁନ୍ତି।କାବ୍ୟଟି ବିସ୍ମୟକର ଥିଲା।ଏଥିରେ ଯୁଦ୍ଧର ବର୍ଣ୍ଣନା ନଥିଲା,ଏହାହିଁ ଥିଲା ଏକ ଯୁଦ୍ଧ।ଏଇ ଯୁଦ୍ଧ ଭଳି କୋଳାହଳ ଜଣେ ଭିନ୍ନ ଦେବତାର ସଂଗ୍ରାମ।ଗୋଟିଏ ପଟରେ ତିନିଜଣ,ଆର ପଟରେ ଜଣେ,ଆୟାରଲାଣ୍ଡର ତଳସ୍ତରର ଧର୍ମୀୟ ଦେବତା,ଏଲଡର୍ ଏଡା ଆରଂଭ ହେବା ପରେ ଶହଶହ ବର୍ଷ ଧରି ଯେଉଁମାନେ ଯୁଦ୍ଧ ଚଳାଇ ଯାଇଛନ୍ତି।କାବ୍ୟର ଆଙ୍ଗିକଟି ମୋଟେ ଅଦ୍ଭୁତ ନଥିଲା।ଏକ ବଚନ ବିଶେଷ୍ୟଟି ବହୁବଚନର କ୍ରିୟାପଦକୁ ପରିଚାଳନା କରୁଥିଲା।ପଦାନ୍ୱୟୀ ଅବ୍ୟୟଟି ସାଧାରଣ ପ୍ରଥା ଠାରୁ ଭିନ୍ନ ଥିଲା,ଯେମିତି ଅଜଣା।ଯାବତୀୟ କର୍କଶତା ବଦଳି ଯାଇଛି ମଧୁରତାରେ।ରୂପକ ଗୁଡିକ ମୁକ୍ତ ବା ମନେହେଉଥିଲା ଯେମିତି ସେମାନେ ମୁକ୍ତ।

ରାଜା ନିଜ ଚାରିପଟରେ ବେଢ଼ି ରହିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସହ କିଛି କଥା ବିନିମୟ କଲେ । ତାହା ପରେ ଚାରଣକବିଙ୍କୁ କହିଥିଲେ, "ତମର ପ୍ରଥମ କାବ୍ୟ ସମ୍ପର୍କରେ ଏତିକି କୁହାଯାଇ ପାରିବ ଯେ, ଏଯାଏଁ ଆୟାରଲାଣ୍ଡରେ ଯାହା ଲେଖା ହୋଇ ରହିଛି, ଏହା ସେସବୁର ଏକ ସଂକ୍ଷିପ୍ତ ସାର । ଏହା ସେସବୁଠାରୁ ଭିନ୍ନ, ଯେମିତି ଆଗରୁ ଯାହା ଘଟି ଯାଇଛି, ତାହା ତୁଳନାରେ କିଛି ନୁହଁ ହୋଇ ବାହାରି ଆସିଛି ଏଇଟି । ସ୍ତମ୍ଭିତ କରୁଛି, ଦୃଷ୍ଟି ଆକର୍ଷଣ କରୁଛି, ବିସ୍ମୟକାରୀ । ଅଜ୍ଞାନୀମାନେ ଏହାର ଯଥାଯୋଗ୍ୟ ମୃଲ୍ୟ ଦେବେ ନାହିଁ, ସମସ୍ତ ବିଜ୍ଞାନୀ ମାନେ ବି, ସେମାନଙ୍କ ମଧ୍ୟରୁ ମାତ୍ର କେତେଜଣଙ୍କୁ ବାଦ୍ ଦେଇ । ଏହାର ଗୋଟିଏ ଅନୁଲିପି ହାତୀଦାନ୍ତର ଗହଣାବାକ୍ସରେ ରଖାଯିବ । ଆଉ ଯେଉଁ କଲମରୁ ଏହି ମହାନ କର୍ମଟି ବିରଚିତ, ସେଥିରୁ ଅଧିକ ଉଚ୍ଚମାନର ମହିମାମଣ୍ଡିତ ସୃଜନକର୍ମର ଆଶା ଓ ଅପେକ୍ଷା ରଖୁଛୁ।" ସ୍ମିତ ହାସ୍ୟ ଖେଳାଇ ରାଜା ପୁଣି କହିଲେ, "ଆମେମାନେ ହେଲୁ ଉପକଥାର ମଣିଷ । ସ୍ମରଣ କରିବା ଶ୍ରେୟସ୍କର ଯେ. ଭଲ ଉପକଥାକୁ ତିନୋଟି ସଙ୍ଖ୍ୟା ପ୍ରଭାବିତ କରିଥାଆନ୍ତି ।"

"ଡାହାଣୀର ତିନୋଟି ଉପହାର, ତ୍ରୟୀ , ଆଉ ପ୍ରଶ୍ନାତୀତ ଟ୍ରିନିଟି (ପିତା,ପୁତ୍ର ଓ ପବିତ୍ର ଆତ୍ମା, ଖ୍ରୀଷ୍ଟାନ୍‌ଙ୍କ ଟ୍ରିନିଟି)", ସାହସ ବାନ୍ଧି କହିଥିଲେ କବି ଜଣକ ଆସ୍ତେ ।

ରାଜା କହିଲେ, "ଆମର ସ୍ୱୀକୃତି ସ୍ୱରୂପ ଏହି ସ୍ମାରକୀଟି ପ୍ରଦାନ କରା ଯାଉଛି, ନିଅ, ଏହା ସୁନାରେ ତିଆରି ମୁଖାଟିଏ" ।

"ଧନ୍ୟବାଦ, ବୁଝିପାରିଲି", କହିଥିଲେ ଚାରଣ କବି।

ବର୍ଷପୂର୍ତ୍ତି ପୁଣି ଲେଉଟି ଆସିଲା । ରାଜପ୍ରାସାଦର ରକ୍ଷୀମାନେ ଦେଖିଲେ କବି ସାଥିରେ ଆଣି ନାହାନ୍ତି କୌଣସି ପାଣ୍ଡୁଲିପି । ରାଜା ବିସ୍ମିତ । ଚାରଣ କବି ଭିନ୍ନ ମଣିଷଟିଏ । ସମୟ ବ୍ୟତୀତ ଅନ୍ୟ କିଛି ତାହାର ଛାପ ଯେମିତି ଛାଡ଼ିଯାଇଛି ତାଙ୍କ ଉପରେ, ଢେର୍ ବଦଳି ଯାଇଛି ତାଙ୍କର ବୈଶିଷ୍ଟ୍ୟ । ତାଙ୍କର ଆଖି ଦୁଇଟି ଯେମିତି କେଉଁ ସୁଦୂର ଦିଗବଳୟରେ ନିବଦ୍ଧ ରହିଛି ବା ହୁଏତ ସେ ଅନ୍ଧ । ରାଜାଙ୍କ ସହ କିଛି ଏକାନ୍ତ ବାର୍ତ୍ତାଳାପର ଅନୁମତି ପ୍ରାର୍ଥନା କରିଥିଲେ କବି । କ୍ରୀତଦାସମାନେ କକ୍ଷ ପରିତ୍ୟାଗ କରିଥିଲେ ।

"ତମେ କ'ଣ ଗୀତ ଲେଖିନ", ପଚାରିଲେ ରାଜା ।
"ହଁ" କବିଙ୍କ ଉତ୍ତରଟି ବେଶ୍ କରୁଣ ।" ତାହା କରିବାରେ ପ୍ରଭୂ ଯୀଶୁଙ୍କ ନିଷେଧ ଅଛି ଯେ!"
"ଆଉ ଥରେ କହି ପାରିବ ?"
"ମୋର ସାହସ ନାହିଁ"
"ତମକୁ ସାହସ ଦେଉଛି, ଯେତିକି ଲୋଡ଼ାଯିବ", ରାଜା କହିଲେ।

ଚାରଣ କବି କବିତାଟିକୁ ଆବୃତ୍ତି କଲେ।କବିତାଟି ମାତ୍ର ଗୋଟିଏ ପଂକ୍ତିରେ ଲିଖିତ ।

ଉଚ୍ଚଗଳାରେ ନୁହଁ, ଖୁବ୍ ଆସ୍ତେ ଆଉ ଥରେ ପଢ଼ିଲେ କବିତାକୁ କବି । ରାଜା ଆଉ କବି ଦୁଇ ଜଣ ଏହାକୁ ଆସ୍ୱାଦନ କରିଥିଲେ, ଯେମିତି ଏଇଟି ଗୋଟିଏ ଗୋପନ ପ୍ରାର୍ଥନା ଅବା ଗୋଟିଏ ଈଶ୍ୱର-ଦ୍ରୋହ । ରାଜା ଯେମିତି କବିଙ୍କ ଭଳି ନିଜର ସନ୍ତ୍ରାସକୁ ଅତିକ୍ରମ କରି ବାହାରି ଆସିଛନ୍ତି । ଉଭୟେ ପରସ୍ପରକୁ ଦେଖିଲେ, ଖୁବ୍ ବିଷନ୍ନ ।

ରାଜା କହିଲେ, "ଯୌବନରେ ନୌକାରେ ପାଲଟାଣି ଯାତ୍ରା ଆରମ୍ଭ କରିଥିଲି ସୂର୍ଯ୍ୟାସ୍ତକୁ । ଗୋଟିଏ ଦ୍ୱୀପରେ ଦେଖିଲି ରୂପେଲି ଡାହାଳ କୁକୁର ଦଳ, ଯେଉଁମାନେ ଝାମ୍ପି ପଡ଼ୁଥିଲେ ସୁନେଲି ଭାଲୁମାନଙ୍କ ଉପରକୁ ମରଣ ଭଳି । ଆଉ ଏକ ଦ୍ୱୀପରେ ଆମେ ନିଜକୁ ଭୁଞ୍ଜାଉଥିଲୁ ଜାଦୁ ଆପେଲ୍‌ର ସୁବାସ । ତୃତୀୟଟିରେ ଦେଖିଲୁ କାନ୍ଥ ନିଆଁର । ସବୁଠାରୁ ଦୂରବର୍ତ୍ତି ଦ୍ୱୀପରେ ଦେଖିଲୁ ଗୋଟିଏ ଅର୍ଦ୍ଧ ବୃତ୍ତାକାର ଝୁଲନ୍ତ ନଈଟିଏ ଆକାଶକୁ ଚିରି ଏପାରି ସେପାରି ଯାହାର ଜଳଧାରାରେ ଚାଲିଛନ୍ତି ମାଛ ଓ ବୋଇତ । ଏଗୁଡିକ ବିସ୍ମୟକର, ତମ କବିତା ସହ ଏହାର ତୁଳନା ନାହିଁ, ଏହି ସମସ୍ତ ତମର କବିତାରେ ସମାହିତ । କେଉଁ ସମ୍ମୋହନୀ ତମକୁ ଅଯାଚିତ ଅର୍ପଣ କରି ବସିଛି ଏ ସମସ୍ତ ?"

"ଉଷାକାଳରେ ଶବ୍ଦର କିଚିରିମିଚିରିରେ ଉଠି ପଡ଼ିବା ପରେ କିଛି ହେଲେ ବୁଝି ପାରିଲି ନାହିଁ" କହିଲେ ଚାରଣ କବି ।" ସେଇ ଶବ୍ଦ ସବୁ ଗୋଟିଏ କବିତା । ମନେହେଲା ପାପ କରିଛି, ଏଇ ଗୋଟିକ ପାପ, ସମ୍ଭବତଃ ହୋଲି ଘୋଷ୍ଟ ଏହାକୁ କ୍ଷମା କରିବ ନାହିଁ ।"

"ସେହି ଗୋଟିକୁ ଆସ ଆମେ ଦୁଇଜଣ ଭାଗବାଣ୍ଟି ନେବା", ଫିସଫିସ୍ କରି କହିଥିଲେ ରାଜା ।" ସୌନ୍ଦର୍ଯ୍ୟକୁ ଜାଣିବା ପାପ । ଏହି ଉପହାରଟି ମଣିଷ ପାଇଁ ନିଷିଦ୍ଧ । ଆମକୁ ଏହାର ଉପଯୁକ୍ତ ପ୍ରାୟଶ୍ଚିତ୍ତ କରିବାକୁ ହେବ । ଆଗରୁ ମୁଁ ତମକୁ ଦେଇଛି ରୂପାର ଦର୍ପଣ ଆଉ ସୁନାର ମୁଖାଟିଏ । ଏଇ ନିଅ ମୋର ତୃତୀୟ ଉପହାର । ଏଇଟି ମୋର ଶେଷ" ।

କବିଙ୍କ ଡାହାଣ ହାତରେ ରାଜା ରଖି ଦେଇଥିଲେ ନିଜ ଶାଣରେ ଚକଚକ ଛୁରୀଟିଏ । ତାହା ପରେ ।

କବିଙ୍କ ବିଷୟରେ ଆମର ସବା ଶେଷ ସମ୍ବାଦ, ରାଜପ୍ରାସାଦ ଛାଡ଼ିଲା ପରେ କବି ଆତ୍ମଘାତୀ ହେଲେ, ଆଉ ସେଇ ରାଜା ଜଣକ ଯାହାର ସମଗ୍ର ଆୟାରଲାଣ୍ଡ ଥିଲା ଏକଦା ରାଜ୍ୟକ୍ଷେତ୍ର, ତାହା ଚାରିପଟେ ଘୁରି ବୁଲୁଥିଲେ ଭିକାରିଟିଏ ହୋଇ; ଆଉ କହିବା ବାହୁଲ୍ୟ, କେବେ ହେଲେ ସେ ଆଉ ଥରେ ପାଠ କରି ନାହାନ୍ତି ସେହି କବିତାଟିକୁ ।

ହୋଟେଲରେ ବୋର୍ହେସ୍ (୧୯୬୯ ମସିହାରେ ଉତ୍ତୋଳିତ ଚିତ୍ର)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

[ ଏଇ ଆଲିଗୋରିଟି ବିଶ୍ୱବିଖ୍ୟାତ ହର୍ହେ ଲୁଇ ବୋର୍ହେସ୍‌ଙ୍କ ବିରଚିତ । ତାଙ୍କର ପୁସ୍ତକ 'ଦି ବୁକ୍ ଅଫ୍ ସାଣ୍ଡ୍'ରୁ ଗୃହିତ ଏଇ ଆଲିଗୋରିଟି ବିଶ୍ୱ ସାହିତ୍ୟରେ ଅତ୍ୟନ୍ତ ଚର୍ଚ୍ଚିତ ।

ଆଲିଗୋରିର ଆଖ୍ୟାନ ଭାଗରେ ସାଧାରଣତଃ ଦୁଇଟି କଥା ରହିଥାଏ, ପ୍ରଥମେ ଗୋଟିଏ ସୁଦୃଢ଼ ଆଖ୍ୟାନର ଦୃଶ୍ୟମାନ ପ୍ରଭାମଣ୍ଡଳ, ଆଉ ଦ୍ୱିତୀୟଟି ଏକ ରୂପକାତ୍ମକ ଆଭାସ । ଉଭୟେ ନିଜ ନିଜ ସ୍ଥିତିରେ ସ୍ୱତନ୍ତ୍ର ଆଉ ସେହି ସ୍ୱାତନ୍ତ୍ର୍ୟର ଅଧିଷ୍ଠାନରେ ରହି ଥାଆନ୍ତି ।ଆଖ୍ୟାନ ଓ ରୂପକ ପରସ୍ପରର ଯଥାଯଥ ପରିପୂରକ ହୋଇ ପାରିଲେ ଗୋଟିଏ ଆଲିଗୋରିର ସଫଳତାର ପ୍ରତିପାଦିତ ହୋଇଥାଏ ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ ଏଇ ଆଲିଗୋରିଟିରେ ସୃଜନକ୍ରିୟାର ପ୍ରକାରଭେଦକୁ ସ୍ପଷ୍ଟ ଭାବରେ କୁହା ଯାଇଛି । ଏଠାରେ ଦୁଇଟି ଚରିତ୍ର ଯଥା ଏକ ରାଜା ଓ ଏକ ଚାରଣ କବି ନିଜର ଆଖ୍ୟାୟିକାରେ ଯେମିତି ସାରସ୍ୱତ ସୃଜନର ମୌଳିକ ପ୍ରଶ୍ନଗୁଡ଼ିକର ଏକ ବିଚାରୋତ୍ତେଜକ ଲେଖ ପ୍ରସ୍ତୁତ କରିଛନ୍ତି ।

ରାଜା ନିଜର ମହିମାନ୍ୱିତ ରାଜପଣ ସତ୍ତ୍ୱେ ଆମର ସମଗ୍ର ପାଠକ କୂଳର ପ୍ରତିଭୂ ଆକାରରେ ଅବସ୍ଥାପିତ, ଆଉ ଚାରଣ କବିଟି ଯାବତୀୟ ସୃଜନଲେଖାର ପ୍ରତୀକ ।

ଆଖ୍ୟାନଟିରେ ରାଜା କବିଙ୍କୁ ତିନୋଟି ଉପହାର ଦେଇ ଆମର ସାମଗ୍ରିକ କୃତିକୁ ତିନୋଟି ବିଶିଷ୍ଟ ବିଭାବରେ ବର୍ଗୀକରଣ କରିଛନ୍ତି ।ତାହାର ନିଷ୍କର୍ଷକୁ ତର୍ଜମା କଲେ ଜଣାଯିବ ଯେ, ଜଣକର ଲେଖା ଦର୍ପଣ ସୁଲଭ ଅର୍ଥାତ୍ ତାହାର ଲେଖାରେ କେବଳ ଅତୀତର ଲେଖନ କର୍ମ, ଅର୍ଥାତ୍ ଆଗରୁ ଯେତେ ଯାହା ଲେଖା ଯାଇଛି, ତାହାର କେବଳ ପ୍ରତିଫଳନ ହିଁ ଘଟିଥାଏ । ଏଇ ଜାତୀୟ ଲେଖା କେବଳ ପୁନରାବୃତ୍ତି । ସୁନେଲି ମୁଖା ପିନ୍ଧି ଯେଉଁ ଲେଖକଟି ତାହାର ଲେଖା ସମ୍ପାଦନ କରିଥାଏ, ତାହା ଅତୀତର କ୍ଳାନ୍ତିକର ଚର୍ବିତଚର୍ବଣ ନ ହୋଇ, ନୂତନ ଭାବ ଓ ଘଟଣାର ସଞ୍ଚାର କରାଇ ଥାଏ ପାଠକ ପାଖରେ । ଶେଷ ପର୍ଯ୍ୟାୟର ଲେଖକଟି ନିଜର ଲେଖାରେ ମଗ୍ନ ଯେଉଁଠି ଲେଖା ଓ ଲେଖକ ଭିତରେ କୌଣସି ଫରକ ରହେ ନାହିଁ, ଯାହାକୁ ଅନ୍ୟ ଭାବରେ କହିଲେ ଜଣେ ଲେଖକର ସୌନ୍ଦର୍ଯ୍ୟତାତ୍ତ୍ୱିକ ଆତ୍ମହନନ, ଯେଉଁଠି ଲେଖାଟି ହୁଏତ ରହିପାରେ, ମାତ୍ର ପାଠକ ଆଉ ଲେଖକ ଅପହୃତ ହୋଇଯାଇ ଥାଆନ୍ତି, ତେଣୁ ବୋର୍ହେସ୍‌ଙ୍କ ଏହି ଆଖ୍ୟାନାନୁଯାୟୀ ଛୁରିକାପ୍ରାପ୍ତି ।

ଆପଣମାନେ ଆମ ଲେଖାର ଲେଖକକୁ ନିଜ ବିଚାରରେ କେଉଁ ପୁରସ୍କାର ଦେବେ, ତାହା ଆପଣମାନଙ୍କର ଏକାନ୍ତ ବ୍ୟକ୍ତିଗତ ନିର୍ଣ୍ଣୟ । ମାତ୍ର ଏଠାରେ ଏଇ ପୁରସ୍କାରଟିରେ ଅବଶ୍ୟ ଆପଣମାନଙ୍କର ପଦ୍ମବିଭୂଷଣ ବା କୌଣସି ଦୈବୀକ ଶୃତଲିଖନର ଯଥେଷ୍ଠ ସମ୍ମାନମୁଦ୍ରାର ପାରିତୋଷିକ ହେବା ଭଳି ନମନୀୟତାର ଅବସର ବୋର୍ହେସ୍ ଆମକୁ ଦେଇ ନାହାନ୍ତି । ଆମକୁ ବାଛିବାକୁ ହେବ ରୁପେଲି ଦର୍ପଣ ବା ସୁନେଲି ମୁଖା ବା ଏକ ଧାରୁଆ ଛୁରୀ, ଏଇ ତିନୋଟିରୁ ଗୋଟିଏ ।

ମୋର ନିଜର ବ୍ୟକ୍ତିଗତ ପସନ୍ଦ ନୂଆ ଶାଣ ଦିଆ ଚକମକ ଛୁରୀ।

ହର୍ହେ ଲୁଇସ୍ ବୋର୍ହେସ୍‌ଙ୍କ 'ଦି ବୁକ୍ ଅଫ୍ ସାଣ୍ଡ୍', ଯେଉଁଥିରୁ ଏଇ ଆଖ୍ୟାନଟି ଗୃହିତ ହୋଇଛି, ତାହା ଏକ ଅତ୍ୟନ୍ତ ପ୍ରଭାବଶାଳୀ କ୍ଷୁଦ୍ର କଳେବରର ପୁସ୍ତକ । ମୋର ସାମର୍ଥ୍ୟ ଥିଲେ ମୁଁ ଏହାର ଏକ ଅନୁବାଦ (ପୁଣି ମୋ ସାମର୍ଥ୍ୟ ଅନୁସାରେ) ପ୍ରସ୍ତୁତ କରି ସମସ୍ତ ପାଠକଙ୍କୁ ବିନା ମୂଲ୍ୟରେ ବିତରଣ କରି ଥାଆନ୍ତି ।

ଏହି ଆଖ୍ୟାନଟିର ଅନୁବାଦ ବିଶିଷ୍ଟ କବି ଓ ସିନେମା ଗୀତିକାର ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ସମ୍ବାଦର କେଉଁ ଏକ ସଙ୍ଖ୍ୟାରେ କରିଛନ୍ତି ବୋଲି ଗତ ପନ୍ଦର ତାରିଖ ଦିନ ସମ୍ଭ୍ରାନ୍ତ ଗଳ୍ପ ପତ୍ରିକା 'କଥା'ର ବାର୍ଷିକ ଉତ୍ସବରେ ମୂଖ୍ୟ ଅତିଥି ହିସାବରେ ସମ୍ବୋଧନ କଲାବେଳେ କହିଛନ୍ତି, ଯାହା ମୋ ଦୃଷ୍ଟିକୁ ଆସି ନାହିଁ ।

ଏଇ ଅନୁବାଦର ତୃଟିଭାଗ ମୋର, ଏକାନ୍ତ ଭାବରେ ମୋର । ଶ୍ରୀଯୁକ୍ତ ଛୋଟରାୟକୃତ ଅନୁବାଦଟି ଯଦି ଆପଣଙ୍କ ଦୃଷ୍ଟିକୁ ଆସେ, ତାହାକୁ ଅବଶ୍ୟ ପଢ଼ିବେ, କାରଣ ଜଣେ ଲୋକପ୍ରିୟ ଗୀତିକାରଙ୍କର ଶବ୍ଦ ଯୋଜନାର ଲାଳିତ୍ୟ ଆଉ କାହାର କେଉଁଠୁ ଆସିବ ?

ନେପାଳର ପାରମ୍ପରିକ ଖୁକ୍ରି ଛୁରି