Saturday, August 29, 2015

ବାସ୍ତୁଆର ରାଜା : ସ୍ୱାଧୀନତାର ସୀମା 



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ନର୍ୱେଜୀୟ ଭାଷାର  ଫିଲିମ୍ "କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍" ର ଗୋଟିଏ ଗୁରୁତ୍ତ୍ୱପୂର୍ଣ ଦୃଶ୍ୟରେ ଓଲାଭ୍ ବୋଲି ଜଣେ "ବାଳ ଅପରାଧୀ"  ବାସ୍ତୁଆ ଦ୍ୱୀପରେ ଅବସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ମୁକ୍ତାକାଶ ଡିଟେନସନ୍ କେନ୍ଦ୍ରରେ ଛଅ ବର୍ଷ କାଳ କାଟି ସାରିଲା ପରେ ମୁକ୍ତ ହେବାକୁ ଯାଉଥାଏ । ଦ୍ୱୀପ ଛାଡି ଯିବାର କେଇ ମୂହୁର୍ତ୍ତ ପୂର୍ବରୁ ହିଁ ସେ  ନିଜର ଜଣେ ହାଉସ୍ ମାଷ୍ଟର୍ ବ୍ରାଥେନ୍ କୁ ଆକ୍ରମଣ କରେ ଓ ନିଜର ଆଗତ ସ୍ୱାଧୀନତାର ଅକାଳ ହତ୍ୟା କରେ । ଆଉ କିଛି ଦିନ ପୂର୍ବରୁ ହିଁ ସେହି ଦ୍ୱୀପରେ ଇଭାର୍ ବୋଲି ଗୋଟିଏ ପିଲାର ମୃତ୍ୟୁ ଘଟିଥାଏ । 

ହତ୍ୟା ନୁହେଁ । ଆତ୍ମହତ୍ୟା । ବ୍ରାଥେନ୍ ର ଯୌନ ଶୋଷଣରେ ଅତିଷ୍ଠ ହୋଇ, ପିଲାଟି  ନିଜେ ନିଜକୁ ପଥରରେ ଲଦି, ସମୁଦ୍ରରେ ପଶି ଜୀବନ ହରାଏ ।  ଏହା ପୂର୍ବରୁ ଓଲାଭ୍ ବ୍ରାଥେନ୍ ଦ୍ୱାରା ଲୁଗାଧୁଆ ଘରେ ଇଭାର୍ କୁ ଧର୍ଷିତ ହେବାର ଦେଖିଥାଏ । ଦେଖି ସାରି ସେ ବାସ୍ତୁଆର ଗଭର୍ନର୍ ବେସ୍ତିରେରେନ୍ ଙ୍କୁ ଏ ବିଷୟରେ ଅବଗତ କରାଏ । ଏହି ଘଟଣାର କିଛି ଦିନ ପରେ ବ୍ରାଥେନ୍ ବାସ୍ତୁଆ ଛାଡି ଚାଲିଯିବାର ଦେଖାଯାଏ । ଏହା ଦ୍ୱୀପରେ ଅନ୍ତେବାସୀ ସମସ୍ତ ପିଲାଙ୍କ ପାଇଁ ଆନନ୍ଦ ଓ ଉତ୍ସବର ବିଷୟ ବନେ ।

ଫିଲିମ୍ ର ଦର୍ଶକ ଭାବରେ ଆମେ ଜାଣୁଁ ଯେ ଦୁର୍ନୀତିଗ୍ରସ୍ତ ଗଭର୍ନର୍ ଓ ଅତ୍ୟାଚାରୀ ବ୍ରାଥେନ୍ ର ସଲାସୁତୁରା ହୋଇଛି । ଯେହେତୁ ଗୋଟିଏ ପରିଦର୍ଶକ କମିଟି ଆସିବାର ଥାଏ ଓ ଓଲାଭ୍ ର (ଯେ କି ଇଭାର୍ ର ଧର୍ଷଣର ଏକ ମାତ୍ର ସାକ୍ଷୀ) ମୁକ୍ତିର ଦିନ ପାଖେଇ ଆସୁଥାଏ, ସମସ୍ତଙ୍କୁ କେବଳ ଭଣ୍ଡାଇବା ପାଇଁ, ଓ ପରିଦର୍ଶକ କମିଟିର ଗସ୍ତ ସୁରୁଖୁରୁରେ କଟିଯିବା ନିମନ୍ତେ, ବ୍ରାଥେନ୍ ଅଳ୍ପ କାଳ ପାଇଁ ଦ୍ୱୀପ ଛାଡି ଚାଲି ଯାଇଥାଏ ।ମୁକ୍ତ ହୋଇ ଦ୍ୱୀପ ଛାଡି ଗଲା ବେଳକୁ ଓଲାଭ୍ ଦେଖେ ଯେ ବ୍ରାଥେନ୍ ଲେଉଟି ଆସିଛି । ଏହା ତାକୁ ଉତ୍ୟକ୍ତ କରେ ଓ ସେ ବ୍ରାଥେନ୍ କୁ ଆକ୍ରମଣ କରେ । ଏହି ଆକ୍ରମଣର ଫଳ ସ୍ୱରୂପ ଦ୍ୱୀପରେ ବିପ୍ଳବର ସୂତ୍ରପାତ ହୁଏ ।

ବିପ୍ଳବରେ ଏକ ବଡ ଭୂମିକା ତୁଲାଏ ଏର୍ଲିଙ୍ଗ୍ ବୋଲି ଗୋଟିଏ ସତର ବର୍ଷ ବୟସର ପିଲା । ଗୁଜବ୍  ଅନୁସାରେ ମଣିଷ ମାରିଥିବା ପାଇଁ ତାକୁ ବାସ୍ତୁଆକୁ ପଠା ହୋଇ ଥାଏ । ଦ୍ୱୀପକୁ ଆସିଲା ପରେ, ଏର୍ଲିଙ୍ଗ୍ ଡିଟେନସନ୍ କେନ୍ଦ୍ରର ନିୟମାବଳୀ ସହିତ ସଙ୍ଘାତରେ ଆସେ । ସେ ବାସ୍ତୁଆରୁ ଖସି ପଳାଇଯିବା ପାଇଁ ଚେଷ୍ଚା କରେ ଓ ବିଫଳ ହୁଏ । ମାତ୍ର ଏ ବିଫଳତା ହିଁ ଓଲାଭ୍ ମନରେ ଭାବାନ୍ତର ସୃଷ୍ଟି କରେ । 

ସ୍ୱାଧୀନତା କଣ? ବନ୍ଧନରୁ ମୁକ୍ତି କେବଳ, ନା, ସତ୍ୟ ପଥରେ ବ୍ରତି ହେବା ପାଇଁ ଏକ ଶୃଙ୍ଖଳା ? ସିନେମାଟିକୁ ଆମେ ଏହି ପ୍ରଶ୍ନର  ଉତ୍ତର ଦର୍ଶାଉଥିବା ଏକ ସମ୍ଭାବ୍ୟ ଦିଗବାରେଣୀ ଭାବରେ ନେଇ ପାରିବା । ଓଲାଭ୍ ଦ୍ୱୀପ ଛାଡି ଚାଲିଯାଇ ଏକ "ମୁକ୍ତ" ଜୀବନ ବଂଚି ପାରିଥାଆନ୍ତା । ହେଲେ ସେ ତାହା କଲା ନାହିଁ । ଏର୍ଲିଙ୍ଗ୍ କିଛି ଦିନର ସ୍ୱପ୍ରଶିକ୍ଷଣ ପରେ ଗଭର୍ନର୍ ଙ୍କର ସୁନା ପୁଅ ବନି ବାକି ପିଲାଙ୍କ ଉପରେ ରାଜୁତି କରି ପାରିଥାଅନ୍ତା । ହେଲେ ସେ ବିପ୍ଳବ କରି ଶେଷକୁ ମୃତ୍ୟୁବରଣ କଲା । 

ଆମେ ବର୍ତ୍ତମାନ ଏପରି ଏକ ଦେଶରେ ଜୀବନଯାପନ କରୁଛେଁ, ଯେଉଁଥିରେ ନିର୍ଦୋଷ ସାଧାରଣ ନାଗରିକ ମାନଙ୍କୁ ପୋଲିସ୍ ମାରି ଦେଇ ବେଫିକର୍ ପୋତି ଦେଇପାରେ ; ଯେଉଁଠି ପ୍ରଶାସନ ଗଣଆନ୍ଦୋଳନକୁ ଅବଦମିତ କରିବାପାଇଁ ଆନ୍ଦୋଳନର ନେତ୍ରୀମାନଙ୍କୁ ଧର୍ଷିତ କରାଇପାରେ; ଓ ସେହି ଧର୍ଷଣର ତଥ୍ୟସନ୍ଧାନୀ ଦଳର ସଦସ୍ୟଙ୍କ ନାଁରେ ନାରୀ ନିର୍ଯ୍ୟାତନାର ମିଥ୍ୟା କେଶ୍ ଲଗେଇ ପାରେ । ସମଗ୍ର ଭାରତ ବର୍ଷ ବର୍ତ୍ତମାନ ଏକ ବାସ୍ତୁଆ । ବିପ୍ଳବ ଘଟୁ ନାହିଁ, ତାହା ନୁହେଁ । ହେଲେ ଉଭୟ ସାମାଜିକ ଓ ଭୌଗଳିକ ପରିପ୍ରେକ୍ଷୀରୁ ତାହା ସୀମିତ । 

ମାତ୍ର "କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍" ଫିଲିମ୍ ଟିକୁ କେବଳ ଏକ ସର୍ବକାଳୀନ ରାଜନୈତିକ ଆଲେଗରି ଭାବରେ ନେଲେ ଆମେ ସିନେମାଟି ପ୍ରତି ଅନ୍ୟାୟ କରିବା । ଫିଲିମ୍ ଟିରେ ପ୍ରଦର୍ଶିତ ଦ୍ୱୀପର ଓ ଦ୍ୱୀପ ଚାରିପଟର ସୁନ୍ଦର ପ୍ରାକୃତିକ ପରିବେଶରେ ଘଟୁଥିବା ଜଘନ୍ୟ ଘଟଣାବଳୀ, ବାହ୍ୟ ପରିବେଶ ଦ୍ୱାରା ଲଦା ଯାଇଥିବା ଶୃଙ୍ଖଳାର ଦୁଃଖଦ ପରିଣାମ, ଓ କାମନା ଓ କ୍ଷମତାର ବିବାହରୁ ଜାତ ଭୟାବହ ହିଂସା ଓ ଦୁଃଖ, ଆମକୁ ମାନବ ଜୀବନର ଏକ ଆଧ୍ୟାତ୍ମିକ ପରିପ୍ରେକ୍ଷୀର ଆବଶ୍ୟକତା ବିଷୟରେ ସଚେତନ କରନ୍ତି । ନର୍ୱେର ନାନା ପୁରସ୍କାରରେ ସମ୍ବର୍ଦ୍ଧିତ ନିର୍ଦେଶକ ମାରିଅସ୍ ହୋଲସ୍ତଙ୍କର ଏହି ଅଷ୍ଟମ ସିନେମାଟି ୧୯୧୫ ମସିହାର ସତ୍ୟ ଘଟଣାବଳୀ ଉପରେ ଆଧାରିତ ହୋଇଥିଲେ ମଧ୍ୟ, କାହାଣୀଟି ସବୁ ଯୁଗର, ସବୁ ସମୟର ।

Friday, August 28, 2015

ଗଛ


କବି - ଗୁଲଜାର୍


ଅନୁବାଦ - ଭରଦ୍ୱାଜ ପଣ୍ଡା 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଗଛମାନଙ୍କର ପୋଷାକ ଦେଖି ଆମେ ଏତିକି ଅନ୍ତତଃ ଜାଣିପାରୁ ଯେ ବଦଳିବ ୠତୁ ।
ନୂଆ ଝୁମୁକାମାନ କାନରେ ଝୁଲୁଥିବାର ଦେଖି, କୋଇଲି ସୂଚନା ଦିଏ ବେଳ ଆମ୍ବର ହେଇଚି; 
ହେଇ ଖରାଦିନ ଆସୁଚି ।

ପତ୍ରସବୁ ଝାଡି ଦେଇ ଗୁଲମୋହର୍ ଯେବେ ଥୁଣ୍ଟା ହୁଏ ଖରାରେ,
ଓ ସଜବାଜ ହୁଏ ପିନ୍ଧିବାକୁ ସବୁଜରେ ସ୍ୱର୍ଣଅଳତା ରଙ୍ଗ ଛପା ପୋଷାକ,
ଜଣାପଡେ ଇଏ ଉପକ୍ରମ ମେଘର।

ପାହାଡରୁ ତରଳୁଥିବା ବରଫ ବହିଯାଏ ଧୋଇବାକୁ ପାଦ ପାଇନ୍ ର ।
ପବନ ପତ୍ରମାନଙ୍କୁ ଝାଡିଝୁଡି ଚିକ୍ ଚିକ୍ କରିବାକୁ ଲାଗେ ।

କିନ୍ତୁ ଯେବେ ମଣିଷ ସଭ୍ୟତା ଘୁଷୁରି ଘୁଷୁରି ମାଡିଆସେ,
ପଡିଆର ପାଦଚଲା ରାସ୍ତା ଯେବା ଘରୁ ଗୋଡ କାଢେ,
ବୁଝିଯାଆନ୍ତି ଗଛମାନେ, କଟିବାବେଳ ଆସିଲା ଏଥର ।
ବଂଚିବାର ଏଇ ଶେଷ ୠତୁ, ମନଭରି ତାକୁ ଜୀଇଁଯାଅ । 

Thursday, August 27, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୭





ଶ୍ଲୋକ 



ଆଜ୍ୟଧାରୟା ସ୍ରୋତସା ସମମ୍ ।
ସରଲ ଚିନ୍ତନମ୍ ବିରଳତଃ ପରମ୍ ।।

ପଦ ଚ୍ଛେଦ 


ଆଜ୍ୟଧାରୟା - ଘିଅର ଧାର 
ସ୍ରୋତସା ସମମ୍ - ନଈର ସୁଅ ପରି 
ସରଲ - ସରଳ
ଚିନ୍ତନମ୍ - ଚିନ୍ତନ
ବିରଳତଃ - ବିଚ୍ଛିନ୍ନ ଠାରୁ
ପରମ୍ - ଶ୍ରେଷ୍ଠ 

ପଦ୍ୟାନୁବାଦ 


ଘୃତର ଧାର ଅବା ନଇ
ସୁଅର ସମ ଯେବେ ହୋଇ;
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ, 
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।

Wednesday, August 26, 2015

କେନୋପନିଷଦ୍



ଓଁମ୍ ତତ୍ସବ୍ରହ୍ମଣେ ନମଃ


ଫଟେ କ୍ରେଡିଟ୍ - ୱିକିମିଡିଆ କମନସ୍ 





ମନ୍ତ୍ରାର୍ଥ, ଶଙ୍କର ଭାଷ୍ୟ ଓ ଅନୁବାଦ ସହ



ସମ୍ବନ୍ଧ ଭାଷ୍ୟ


ପଦ ଭାଷ୍ୟ

                     

ପ୍ରାଗେତସ୍ମାତ୍କର୍ମାଣି ଅଶେଷତଃ ପରିସମାପିତାନି, ସମସ୍ତକର୍ମାଶ୍ରୟଭୂତସ୍ୟ ଚ ପ୍ରାଣସ୍ୟୋପାସନାନ୍ୟୁକ୍ତାନି, କର୍ମାଙ୍ଗସାମୱିଷୟାଣି ଚ । ଅନନ୍ତରଂ ଚ ଗାୟତ୍ରସାମୱିଷୟଂ ଦର୍ଶନଂ ୱଂଶାନ୍ତମୁକ୍ତଂ କାର୍ୟମ୍ ।  

ଅନୁବାଦ 


ହା ପୂର୍ବରୁ ସମ୍ପୂର୍ଣ କର୍ମ ମାନଙ୍କର ପ୍ରତିପାଦନର ସମ୍ୟକରୂପରେ ସମାପ୍ତି କରାଯାଇଅଛି । ତଥା ସମସ୍ତ କର୍ମମାନଙ୍କର ଆଶ୍ରୟଭୂତ ପ୍ରାଣର ଉପାସନା ଓ କର୍ମର ଅଙ୍ଗଭୂତ ସାମୋପାସନାର ବର୍ଣନା କରାଯାଇଅଛି । ତାହା ପରେ ଯାହା ଗାୟତ୍ରସାମ ବିଷୟର ବିଚାର ଓ ଶିଷ୍ୟପରମ୍ପରାରୂପ ବଂଶର ବର୍ଣନାରେ ସମାପ୍ତ ହେଉଥିବା ଗ୍ରନ୍ଥଦ୍ୱାରା କୁହାଯାଇଅଛି, ତାହା କାର୍ଯ୍ୟରୂପ ବସ୍ତୁର ହିଁ ବର୍ଣନା ଅଟେ । 

  



Tuesday, August 25, 2015

ବିଚାରମାଳା 

ତୃତୀୟ କିସ୍ତି 

ମାର୍କସ୍ ଅରିଲସ୍ 






୭. ମୁଁ ରଷ୍ଟିକସ୍ ଙ୍କ ଠାରୁ ଶିଖିଲି ଯେ ମୋର ଚରିତ୍ରର ମଧ୍ୟ ଯତ୍ନ ନେବା ଦରକାର ଓ ତାକୁ ପ୍ରଶିକ୍ଷିତ କରିବା ଆବଶ୍ୟକ । ଏହା ମଧ୍ୟ ଶିଖିଲି, ଯେ କୁତର୍କି ମାନଙ୍କଦ୍ୱାରେ ପ୍ରରୋଚିତ ହୋଇ କଳ୍ପିତ ପ୍ରବନ୍ଧ, ତଥାକଥିତ ଶିକ୍ଷାପ୍ରଦ ଉପଦେଶ, କିମ୍ବା, " ତପସ୍ୱୀ" ବା "ପରାର୍ଥବାଦୀ" ଇତ୍ୟାଦି କାଳ୍ପନିକ ବିବରଣୀ ଲେଖିବା ଅନୁଚିତ । ସେ ମୋତେ ଅଯଥା ବାକ୍ ଚାତୁରୀ, କବିତା, ବାଚିକ ଗୁମାନ, ଘରେ ବା ବାହାରେ ଲୁଗାପଟାର ପ୍ରଦର୍ଶନ ଓ ତତ୍ ସମ ଅନ୍ୟାନ୍ୟ ରୁଚିଗତ ପ୍ରମାଦରୁ ଦୂରେଇ ରହିବା ଶିଖାଇଲେ । ସେ ମୋତେ ନିଜେ ସିନୁଏସା ଠାରେ ମୋର ମାତାଙ୍କୁ ଲେଖିଥିବା ଚିଠିର ପତ୍ରାତ୍ମକ ଶୈଳୀର ଅନୁକରଣ କରିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଶିଖିଲି ଯେ, କେହି ମୋଠାରୁ ଏକ କ୍ରୋଧର କ୍ଷଣରେ ଦୂରେଇ ଯାଇ ପୁଣି ଶାନ୍ତି ଯାଚନା କଲେ ମୋତେ ତାଙ୍କୁ ଅଧା ରାସ୍ତାରେ ଆସି ଭେଟିବାକୁ ପ୍ରସ୍ତୁତ ରହିବା ଦରକାର । ଆହୁରି ମଧ୍ୟ ଶିଖିଲି ଯେ, ନିଜର ଅଧ୍ୟୟନରେ ସଠିକ୍ ହେବା କଥା ଓ ଅର୍ଥର ଗୋଟିଏ ସାଧାରଣ ଅବଧାରଣାରେ ସନ୍ତୁଷ୍ଟ ରହିବା ଅନୁଚିତ ; ତଥା, ପ୍ରୀତିପଦ ଶୁଣାଯାଉଥିବା ବାଚାଳତାରେ ବିଶ୍ୱାସ ଜ୍ଞାପନ ଅକର୍ତ୍ତବ୍ୟ ଅଟେ। ସେ ମୋତେ ତାଙ୍କର ଗ୍ରନ୍ଥାଗାରରୁ ଏପିକ୍ଟେଟସ୍ ଙ୍କର "ଡିସର୍ଟେସନସ୍"ର ଖଣ୍ଡେ ପ୍ରତିଲେଖ ଦେବାରୁ ହିଁ ମୋର ଗ୍ରନ୍ଥ ପରିଚିତି ଘଟିଲା ।


Monday, August 24, 2015

ମାଛ ମିଛ : 

କଟକରେ ମାଛ ଧରା 




ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡଜାତ ରାଜ୍ୟ ରୂପେ ମୟୁରଭଞ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀ ମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡିଶା ସରକାରଙ୍କର କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଲା । ମାତ୍ର ପେଟ ପୋଷିବା ପାଇଁ ଓଡିଶା ସରକାରର ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର  ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡିଶା ସରକାରରେ ଯୋଗ ଦେଲେ ଓ ଓଡିଶା ସେକ୍ରେଟେରିଏଟକୁ ବଦଳି ହେଲେ । 

ହେଲେ 'ଛାମୁ ଯାହା ଦେଲେ ହରଷେ' ନ୍ୟାୟରେ ଦରମା ମାସକୁ ୨୬୦ ଟଙ୍କାରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ ତୁଳନାରେ ବଡ ରାଜ୍ୟ ତ ! ସେକ୍ରେଟେରିଏଟ୍ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଁଚଟି କୁକୁଡାର ବଡ ପରିବାର ଧରି ଆସି ହନ୍ତସନ୍ତ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧରିଲା । ନିଜର ଦୁର୍ଘଟଣା ହେଲା । "ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ" ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡିଲା । 

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ରହୁଥାଆନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡେ ମୁହାନ୍ତି ମାଛ ଧରିବା ପାଇଁ : ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲା ଜାଲ ମିଳିବ ବା କାହୁଁ । ଗଛ କୋରଡରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ କିଲିଖିଆ କଳାବାଉଁଶି ମାଛଟାଏ ପଡିଲା । ଦିନକରେ ଜାଲର ପଇସା ଉଠିଗଲା । 

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଛନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡିଲା କ୍ଷଣି ବଡ ଚିଙ୍ଗୁଡି ଗୁଡାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଚି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡି ଧରିଲେ । ପର ଦିନ ଭଜା ଚିଙ୍ଗୁଡି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡି ଗୁଡିକ ସଫାକରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦ ଦାୟକ ସଉକର ବିଷୟ ଥିଲା । ଦିନେ ଖରା ଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ମାଛ ଧରିବା ପାଇଁ ଜାଲ ଧରି ବାହାରି ଗଲେ । ତା ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଅନିସା କରି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ ! ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ କେଉଁଠି କେଜାଣି ଅଖଜରେ ଯାଇଁ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧେହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡି ।

ମାଛ । ମିଛ ।  


Sunday, August 23, 2015

ଫିଲ୍ମ୍ ସୋସାଇଟି ଅଫ୍ ଭୁବନେଶ୍ୱରର ଅଗଷ୍ଟ ମାସର ଚଳଚିତ୍ର ପ୍ରଦର୍ଶନ  


୨୮ ଅଗଷ୍ଟ ( ଶୁକ୍ରବାର), ସନ୍ଧ୍ୟା ୬ ଟା , ଜୟଦେବ ଭବନ, ଏ.ଜି. ଛକ, ଭୁବନେଶ୍ୱର 


ଜୟଦେବ ଭବନ (ପୂର୍ବ ନାମ - ସୂଚନା ଭବନ)
ଫଟେ କ୍ରେଡିଟ୍ - ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର 

ଏହି ସମ୍ପାଦକ ପ୍ରଥମରୁ କହିରଖିବା କଥା ଯେ ସେ ଭୁବନେଶ୍ୱର ଚଳଚିତ୍ର ସମାଜର (ଏହା ପରେ କେବଳ ସମାଜ ଭାବରେ ଅଭିହିତ) ଆଜୀବନ ସଦସ୍ୟ । ତେଣୁ ଏହି ସମାଜର ଉନ୍ନତ୍ତି ଓ ବିକାଶରେ ମୋର ନ୍ୟସ୍ତ ସ୍ୱାର୍ଥ ରହିଛି । ମାତ୍ର ସେଥିଯୋଗୁ ଏହି ବ୍ଲଗ୍ ପୋଷ୍ଟ୍ ଟିକୁ କେହି ବିଜ୍ଞାପନ ବୋଲି ଯେପରି ନ ଭାବନ୍ତି ।

ସମାଜକୁ ଏହି ବର୍ଷ ଦଶ ବରଷ ପୂରି ଗଲା । ଏହା  ପୂର୍ବରୁ ଭୁବନେଶ୍ୱରର ବା ଓଡିଶାର କୌଣସି ଫିଲ୍ମ ସମାଜ ଅବିରତ ଭାବରେ ଦଶ ବରଷ କାମ କରିଥିବାର ଏ ଅଧମ କୁ ଜଣା ନାହିଁ । ସେ ଦୃଶ୍ଟିରୁ ଓଡିଶାର ଫିଲ୍ମ୍ ଇତିହାସରେ ଏହା ଏକ ଗୁରୁତ୍ତ୍ୱପୂର୍ଣ ମାଇଲ୍ ଖୁଣ୍ଟି । ଏ ସମ୍ପାଦକ ପ୍ରାୟ ଛଅ ବର୍ଷ ଧରି ଭୁବନେଶ୍ୱର ଚଳଚିତ୍ର ସମାଜର ସଦସ୍ୟ ହେଲାଣି ଏବଂ ଏହି କେତେ ବର୍ଷ ଭିତରେ ଗୋଟିଏ ବି ଖରାପ ସିନେମା ସେ ଧରି ପାରି ନାହିଁ ।

ଏ ଥରକର ୨୮ ଅଗଷ୍ଟର ପ୍ରଦର୍ଶନର ପ୍ରଥମ ସିନେମାଟିର ଶୀର୍ଷକ ହେଲା " ଡିଅର୍ ଡାଏରୀ" ( ୯୭ ମିନିଟ୍ )। ଏହା ଇତାଲୀୟ ନିର୍ଦେଶକ ଓ ଅଭିନେତା ନାନ୍ନି ମୋରେତି ଙ୍କର ଦ୍ୱାରା ନିର୍ଦେଶିତ ଏକ ଫିଲ୍ମ୍ ଏସେ । ରାଜନୈତିକ ଶ୍ଲେଷ ଓ ସ୍ମୃତିଚାରଣରେ ଭରା ଏହି ସିନେମାଟି ୧୯୯୪ ମସିହାର କାନ୍  ଆନ୍ତର୍ଜାତୀୟ ସିନେ ଉତ୍ସବରେ ବେଷ୍ଟ୍ ଡିରେକ୍ଟର୍ସ୍ ସମ୍ମାନ ଲାଭ କରିଥିଲା ।

ସମାଜର ୨୮ ଅଗଷ୍ଟର ପ୍ରଦର୍ଶନର ଦ୍ୱିତୀୟ ସିନେମାର ଶୀର୍ଷକ ହେଲା " କିଙ୍ଗ୍ ଡେଭିଲ୍ସ୍ ଆଇଲ୍ୟାଣ୍ଡ୍" (୧୧୫ ମିନିଟ୍)। ନିର୍ଦେଶକ ହେଲେ ମାରିଅସ୍ ହୋଲ୍ସ୍ତ । ନର୍ୱେଜୀୟ ଭାଷାର ଏହି ସିନେମାଟି ନର୍ୱେ ଦେଶର କୁଖ୍ୟାତ ବାସ୍ତ୍ୱେ କରେକ୍ସନ୍ ହୋମ୍ ଉପରେ ପର୍ଯ୍ୟବେଷିତ । ସିନେମାଟି, ଜଣେ ଖୁନି ଦାଗି ଗୋଟିଏ ଅତ୍ୟାଚାରୀ ଅନୁଷ୍ଠାନ ବିରୁଦ୍ଦରେ, ନିଜର ସାଥୀ ମାନଙ୍କ ସହିତ ମିଶି, ସୂତ୍ରପାତ କରିଥିବା ବିପ୍ଲବର ଏକ ମର୍ମସ୍ପର୍ଶୀ ଆଲେଖ୍ୟ ।  

ବି.ଦ୍ର. - ପ୍ରଦର୍ଶନ କେବଳ ସଦସ୍ୟ ମାନଙ୍କ ନିମନ୍ତେ । ଆପଣ ଅଗଷ୍ଟ ୨୮ ତାରିଖ ଦିନ ପ୍ରଦର୍ଶନ ସମୟରେ ସଦସ୍ୟତାର ଦେୟ ଦେଇ ଫିଲ୍ମ୍ ସୋସାଇଟି ଅଫ୍ ଭୁବନେଶ୍ୱରର ସଦସ୍ୟ ବନି ପାରିବେ । ବାର୍ଷିକ ସଦସ୍ୟ ଦେୟ ଟ. ୫୦୦ ଛାତ୍ର ମାନଙ୍କ ପାଇଁ, ଓ ଟ. ୮୦୦  ଅଣ ଛାତ୍ର ମାନଙ୍କ ପାଇଁ । 

Saturday, August 22, 2015

'ଆରେ ଭଜ ମନ' - ଶ୍ରୀ ଅଚ୍ୟୁୁୁୁତାନନ୍ଦ ଦାସ କୃତ ଏକ ଭଜନ 


ଗାୟକ - ମାର୍କଣ୍ଡେୟ ମହାପାତ୍ର 



ଫଟୋ କ୍ରେଡିଟ୍ - ୱିକିମେଡିଆ କମନସ୍ 







Friday, August 21, 2015

"କବିତା"

କବି - ଗୁଲଜାର୍

ଅନୁବାଦ - ଭରଦ୍ୱାଜ ପଣ଼୍ଡା 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

କବିତା ଛନ୍ଦିହୋଇଯାଇଚି ଛାତିରେ । 
ପଂକ୍ତି ସବୁ ଅଟକି ଯାଇଛନ୍ତି ଓଠରେ । 
ଶବ୍ଦ କାଗଜରେ ରହୁନାହାନ୍ତି ;
ଉଡି ବୁଲୁଛନ୍ତି ପ୍ରଜାପତି ପରି ।

କେତେବେଳୁ ବସିଚି ମୁଁ 'ପ୍ରାଣପ୍ରିୟା', 
ସାଦା କାଗଜରେ ନାଁ ତୋର ଲେଖିକରି଼ ।
ନାଁଟା ତୋର ସ୍ୱୟଂସମ୍ପୂର୍ଣ  ।
ତୋ ଠୁ ଭଲ କବିତା ଆଉ କଣ ?

Thursday, August 20, 2015

ଗାଲୁଆମିର କଳାକାର 

ସିଦ୍ଧାର୍ଥ ମହାପାତ୍ର


ଫଟୋ କ୍ରେଡିଟ୍ - ନିକିତା ମହାନ୍ତି 


ତାକୁ ତା' ଇଞିନିଅରିଙ୍ଗ୍ ସାଙ୍ଗମାନେ 'ରମ୍' ବୋଲି ଡାକୁଥିଲେ । ଥରେ ତା ପକେଟରୁ ଓଲ୍ଡ୍ ମଙ୍କ୍ ନିପ୍ ବୋତଲଟି କେଉଁଠି ହଜିଯାଇଥିଲା ଜାଣି ନ ପାରି ନିଶାରେ ସେ କଲେଜ୍ ସାରା ଖୋଜିବୁଲିଲା । ଆଉ ବାଟରେ ଘାଟରେ ପିଲାଙ୍କୁ ଅଟକେଇ ପଚାରିଲା - 'ସାଙ୍ଗ ମୋ ରମ୍ ବୋତଲଟା ଦେଖିଚକି' ? ମଦ ଛାଡିବାର କିଛି ବର୍ଷ ପରେ ମଧ୍ୟ ପୁରୁଣା ସାଙ୍ଗ କିଏ ଦେଖା ହୋଇ ତାକୁ ସେଇ ପୁରୁଣା ରମ୍ ନା ଧରି ଡାକିଲେ ସେ ବଡ ଖୁସିଟାଏ ହେଇ ତା ନାଁ କେମିତି ରମ୍ ପଡିଲା, ସେ ପୁରାଣ ଗପୁଥିଲା । ସିଦ୍ଧାର୍ଥ ଭିତରେ ଥିଲେ ଅନେକ ଲୋକ : ପ୍ରଥମ ଲୋକଟି ଥିଲା ମାର୍କାମରା କୋଢିଆ । ସକାଳୁ ତାର ପ୍ରଥମ କାମ ହେଲା ଆଖି ପତା ପୁରା ଖୋଲିବା ପାଇଁ କାରଣ ଖୋଜିବା । ହେଲେ ପ୍ରାୟ କାରଣ ମିଳେ ନାହିଁ, କି ଆଖି ମଧ୍ୟ ଖୋଲେ ନାହିଁ । ଦ୍ୱିତୀୟ ଲୋକଟା ଖାଉରା, ହେଲେ ରନ୍ଧା ଜଣାନାହିଁ । ତୃତୀୟ ଲୋକ୍ କେ ବାଇକ୍ ଚଲାବାର୍ ଲାଗି ଭଲ୍ ଲାଗ୍ସି । ହେଲେ ଛୋଟ୍ ମୋଟ୍ ମରାମତି ଜଣାନାଇନ । ଚତୁର୍ଥ ଲୋକଟା ଦେଖାହେଲେ ଫ୍ୟୁଚର୍ ପ୍ଲାନ୍ ଅଜସ୍ର କରିବ। ହେଲେ ସବୁ ଯୋଜନା ତୁଚ୍ଛା ଗପ । ହେଲେ ଆଉ କିଛି କରୁ ନ କରୁ, ସେ ବୋର୍ କରୁ ନଥିଲା । ସବୁ କଥାରେ ତିନିଟା ଗପ । ଗୋଟେ ପବନା, ଗୋଟେ ଗାଲୁ, ଆଉ ଗୋଟେ ସତ । ପିଇଲା ବେଳେ ବାଜେ ସାଏରି ଓ ନିଜ ସେର୍ ପାଇଁ ନିଜର ୱାଃ ୱାଃ । ପଞ୍ଚମ ଲୋକଟା ବଦ୍ଧ ଗାଲୁଆ ଓ ଏଇ ଲୋକଟା ଥିଲା ସବୁଠୁ ବିରକ୍ତିକର । କେହି ଭୁଲ୍ ଦେଖେଇଲେ ହଁ ପରା କହି ନିଜର ଅନ୍ୟ ଭୁଲ୍ ଗଣାଏ ଓ ନିଜ ମୁଁହ ଫଣଫଣେଇ ବସିଯାଏ । ଯେମିତି ଯିଏ ଭୁଲ ଦର୍ଶେଇଛି, ସିଏ ତାକୁ ସାନ୍ତ୍ୱନା ଦବ । ହେଲେ କୌଣସି ଭୁଲ୍ କେବେ ଆଖର ସୁଧୁରିଲା ନାହିଁ । ସେ ଥିଲା ଗାଲୁଆମିର କଳାକାର । 

Wednesday, August 19, 2015

ଭୁବନେଶ୍ୱରର ଷଣ୍ଢ : ଏକ ଫଟୋ ଏସେ 


ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ 



ଭୁବନେଶ୍ୱର ଏହାର ନାଗରିକ ମାନଙ୍କର । ମାତ୍ର ଭୁବନେଶ୍ୱର, ଏକାମ୍ର କ୍ଷେତ୍ର, ଏଥିରେ ରହୁଥିବା ବଣି ମାନଙ୍କର, ବାରବୁଲା କୁକୁର, ବିଲେଇ, ଗାଇ ଓ ଷଣ୍ଢ ମାନଙ୍କର ମଧ୍ୟ ସହର । ଏକାମ୍ର ନଗରୀ ଶୈବ କ୍ଷେତ୍ର ହୋଇଥିବାରୁ ଭୋବନିଶରିଆଙ୍କ ମନରେ ଷଣ୍ଢମାନଙ୍କ ପ୍ରତି ଦରଦ ତ ଅଛି । ଏହି  ଫଟୋ ଏସେ ଟି ଆମ ସହରର ଷଣ୍ଢମାନଙ୍କ ବିଷୟରେ ।


















Tuesday, August 18, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୬



ଶ୍ଲୋକ 


ଉତ୍ତମସ୍ତବାଦୁଚ୍ଚମନ୍ଦତଃ ।
ଚିତ୍ତଜଂ ଜପ ଧ୍ୟାନମୁତ୍ତମମ୍ ।।

ପଦ ଚ୍ଛେଦ 


ଉତ୍ତମ - ସର୍ବ ଶ୍ରେଷ୍ଠ 
ସ୍ତବାତ୍ - ସ୍ତୁତି ତୁଳନାରେ 
ଉଚ୍ଚ - ଉଚ୍ଚ ସ୍ୱରରେ 
ମନ୍ଦତଃ - ଧିରସ୍ୱରରେ ଜପଠାରୁ 
ଚିତ୍ତଜଂ - ଚିତ୍ତରେ କୃତ 
ଜପଧ୍ୟାନମ୍ - ଜପଧ୍ୟାନ 
ଉତ୍ତମମ୍ - ଉତ୍ତମ ଅଟେ

ପଦ୍ୟାନୁବାଦ 


ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।।

Monday, August 17, 2015

ଓ଼ଡିଆ ସିଙ୍ଗିଡା : କଟକି ଓ ସମ୍ବଲପୁରୀ


କଟକି ସିଙ୍ଗିଡା / ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ  

ଓଡିଶା ସାରା ସିଙ୍ଗିଡା ଏକ ଲୋକପ୍ରିୟ ଜଳଖିଆ । ଏହା ଉତ୍ତର ଭାରତୀୟ ସମୋସାର ଏକ ପ୍ରକାର ଭାବରେ ଧରାଯାଏ, ଯଦିଓ ଏଥିରେ ଦ୍ୱିମତର ସମ୍ଭାବନା ରହିଛି । ପୂର୍ବ ଭାରତ ଅର୍ଥାତ୍, ଓଡିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ହେଲା ସିଙ୍ଗିଡାର କ୍ଷେତ୍ର । ସମୋସା ତୁଳନାରେ ସିଙ୍ଗିଡାର ଖୋଳ ଟିକେ ପତଳା ଓ ଏହା ଅଧିକ କଡା ଛଣାଯାଏ ।

ଓ଼ଡିଆ ସିଙ୍ଗିଡାର ମଧ୍ୟ ଖୋଳ ପତଳା ଓ ଏହା ଅତି ଧିମା ଆଁଚରେ ବହୁତ ସମୟ ପର୍ଯ୍ୟନ୍ତ କଡା ଛଣାଯାଏ । ଓଡିଆ ସିଙ୍ଗିଡାର ଆକାର ମଧ୍ୟ ଛୋଟ ହେବା କଥା । ବଡ ଆକାରର ସିଙ୍ଗିଡା ସିଙ୍ଗିଡା ନୁହେଁ, ସମୋସା ।  ମାତ୍ର ଓଡିଆ ସିଙ୍ଗିଡା ଦୁଇ ପ୍ରକାରର । ଯଦିଓ ଆମିଷ ସିଙ୍ଗିଡା ଓଡିଶାରେ ଅଜଣା ନୁହେଁ, ସିଙ୍ଗିଡା କହିଲେ ଓଡିଶାରେ ନିରାମିଷ ସିଙ୍ଗିଡାକୁ ହିଁ ବୁଝାଯାଏ । ସାଧା ଓଡିଆ ସିଙ୍ଗିଡାର କଟକି ଓ ସମ୍ବଲପୁରୀ ଭେଦ ରହିଛି ।  କ଼ଟକି ସିଙ୍ଗିଡାରେ ଚୁନାହୋଇ କଟା ହୋଇଥିବା ଆଳୁ, ଚିନାବାଦାମ, ଓ ମଟର ଜୀରାଲଙ୍କା ଗୁଣ୍ଡରେ ହାଲକା ଭଜା ହୋଇ ପଡିଥାଏ ।  ସମ୍ବଲପୁରୀ ସିଙ୍ଗିଡାର ପୁର କଟକି ସିଙ୍ଗିଡାରୁ ଭିନ୍ନ ନୁହେଁ : ମାତ୍ର ଏଥିରେ ଚକଟା ପୁର ପଶେ, ଭଜା ହୋଇ ନୁହେଁ ।

ଏହି ଭିନ୍ନତାର କାରଣ ବୋଧେହୁଏ ଏହି ସିଙ୍ଗିଡା ତିଆରି ପରମ୍ପରା ଦୁଇଟିର ଭିନ୍ନ ଭିନ୍ନ ମୂଳ । ଉପକୂଳବର୍ତ୍ତୀ ଓଡିଶାକୁ ସିଙ୍ଗିଡା ଆସିଛି ବଙ୍ଗଳାରୁ ଓ ପଶ୍ଟିମ ଓଡିଶାକୁ ଏହା ଆସିଛି ମଧ୍ୟ ଭାରତରୁ । ବଙ୍ଗଳାରେ ନିରାମିଷ ସିଙ୍ଗିଡାରେ ଭଜା ପୁର ପଶେ ଏବଂ ମଧ୍ୟ ଓ ଉତ୍ତର ଭାରତରେ ଏଥିରେ ଚକଟା ପୁର ପଶେ । ଏହା ବୋଧେହୁଏ କଟକି ଓ ସମ୍ବଲପୁରୀ ସିଙ୍ଗିଡା ଭିତରେ ଥିବା ପ୍ରଭେଦର କାରଣ । 

Saturday, August 15, 2015

ବିଚାରମାଳା 

ଦ୍ୱିତୀୟ କିସ୍ତି 

ମାର୍କସ୍ ଅରିଲସ୍ 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍  

୬. ଡିଓଜ୍ଞେଟସ୍ ଙ୍କଠାରୁ ମୁଁ ତୁଚ୍ଛ, ମାମୁଲି, ସାଧାରଣ ସଉକ ଓ ଧନ୍ଦାରେ ମନୋନିବେଶ ନ କରିବା ପାଇଁ ଶିଖିଲି । ମୁଁ  ଜାଦୁଗରମାନଙ୍କ ଓ ମନ୍ତ୍ରତନ୍ତ୍ର ଓ ଭୂତ ଛଡେଇବାର କାହାଣୀ ଗପୁଥିବା ଗୁଣିଆମାନଙ୍କ ବିଷୟରେ ସଂଶୟର ବିକାଶ କରିବା; ଗଞା ଲଢେଇ ଓ ଅନ୍ୟ ପ୍ରକାରର ବିବିଧ ଧ୍ୟାନ ବିକର୍ଷିତ କରୁଥିବା ବିଷୟ ପରିହାର କରିବା; ସ୍ପଷ୍ଟବାଦିତା ପ୍ରତି ବିଦ୍ୱେଷ ନ ରଖିବା ; ବାକିଅସ୍ ଙ୍କଠାରୁ ଆରମ୍ଭ କରି ଟାଣ୍ଡାଇସ୍ ଓ ମାର୍ସିଆନ୍ ଙ୍କର ଦର୍ଶନ ସହିତ ପରିଚିତି ବଢାଇବା ; ଅଳ୍ପ ବୟସରୁ ପ୍ରବନ୍ଧ ରଚନା ଆରମ୍ଭ କରିବା ; ଓ "କନ୍ଥା ଓ ମେଷଚର୍ମ" ଇତ୍ୟାଦି ଗ୍ରୀକ୍ ଦର୍ଶନର ଶୃଙ୍ଖଳା ବିଷୟରେ ଉତ୍ସାହୀ ହେବା ଶିଖିଲି ।

Friday, August 14, 2015

କବିତା - 'ବର୍ଷା' 


କବି - ଗୁଲଜାର୍

ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ)


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ବର୍ଷା ପଡିଲେ ମୋ ସହରକୁ କଣ ଗୋଟେ ହେଇଯାଏ ।
ଟିଣ ଛାତ, ଟାର୍ପୋଲିନ୍ ତାଜା, ଗଛ ପତ୍ର, ନାଳ, ସବୁ ଅଜାଡି ହୋଇପଡନ୍ତି ।
ଗଳିକନ୍ଦିରେ ଯାଉଯାଉ ସାଇକେଲ୍ ଚକା ପାଣି କୁଳୁକୁଚା କରେ ।
ବର୍ଷାରେ ଲୋକମାନଙ୍କ ଉଚ୍ଚତା ଟିକେ ବଢିଯାଏ,
ଯେତିକି ପାଣି ଉପରେ, ସେତିକି ପାଦତଳେ, ପାଣି ଭିତରେ ଥାଏ ।
ଉପର ଲୋକ ପହଁରୁଥାଏ ତ ତଳ ଲୋକ ବୁଡି ବୁଡି ଯାଏ ।
ଶୁଖିଲା ଥିଲାବେଳେ, ରାସ୍ତାରେ ଟିକ୍ ଟିକ୍ କରି ଛତା ଧରି ଚାଲୁଥିଲୁ,
ବର୍ଷାରେ ଛତା ଧରି ଟପ୍ ଟପ୍ ଚାଲୁଛୁ ।
ବର୍ଷା ପଡିଲେ ମୋ ସହରକୁ କଣ ଗୋଟେ ହେଇଯାଏ ।

Thursday, August 13, 2015

ଶ୍ରୀ ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୫



ଶ୍ଲୋକ 


ଜଗତ ଇଶଧୀୟୁକ୍ତ ସେବନମ୍ ।
ଅଷ୍ଟ ମୂର୍ତ୍ତିଭୃଦ୍ଦେବ     ପୂଜନମ୍ । । 

ପଦଚ୍ଛେଦ 

ଜଗତ - ଜଗତ ହିଁ 
ଇଶଧୀୟୁକ୍ତ - ଇଶ୍ୱରବୁଦ୍ଧିଯୁକ୍ତ ହୋଇ 
ସେବନମ୍ - ସେବା କରିବା 
ଅଷ୍ଟ ମୂର୍ତ୍ତିଭୃଦେବ - ଅଷ୍ଟମୂର୍ତ୍ତି ଥିବା ଇଶ୍ୱକଙ୍କର
ପୂଜନମ୍ - ପୂଜା ଅଟେ 

ପଦ୍ୟାନୁବାଦ 

ହୋଇ ଇଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଞ୍ଚାନନ ।
ଲଭନ୍ତି ସକଳ ପୂଜନ  ।।

Tuesday, August 11, 2015

ଆସ କିଏ ଖାଇବ ହୋ ଆମ ରଜାଘର ଖାନା


ମହାରାଜା ଶ୍ରୀ ପୂର୍ଣଚନ୍ଦ୍ର ଭ଼ଞଙ୍କ ସ୍ମୃତିରକ୍ଷା କରୁଥିବା ବାରିପଦାସ୍ଥ ଆଇ.ଟି.ଆଇ.ର କୋଠା 

ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



୧୯୨୯ ମସିହାରେ ମୟୁରଭଞ ରଜା ଶ୍ରୀ ପୂର୍ଣଚନ୍ଦ୍ର ଭଞ ସରକାରୀ କାମରେ ପାରିଷଦ, କର୍ମଚାରୀ ବେଷ୍ଟିତ ହୋଇ ବମ୍ବେଇ ଯାଇଥିଲେ ।  ସେଠି ଖିଅର ହେବା ସମୟରେ ଖୁର ମୁନରେ ସାମାନ୍ୟ ଆଘାତ ପାଇଲେ । ତହିଁରୁ ଧନୁଷ୍ଠଙ୍କାର ହୋଇ ସେ ଏପ୍ରିଲ୍ ୨୩ ତାରିଖରେ ପରଲୋକ ଚାଲିଗଲେ । ସେତେବେଳକୁ ମହାରାଜାଙ୍କୁ ମାତ୍ର ୨୯ ବର୍ଷ ବୟସ ହୋଇଥାଏ । ଟ୍ରେନରେ ଶବ ମୟୁରଭଞ ଆସିବା ପାଇଁ ଚାରି ଦିନ ଲାଗିଗଲା । ଶ୍ରୀ ବସନ୍ତ ଶତପଥୀ ସେ ସମୟରେ ଫ୍ରେଜର୍ ହଷ୍ଟଲରେ ରହି  ବାରିପଦାର ମୟୁରଭଞ ଇଂଲିଶ୍ ହାଇସ୍କୁଲରେ ପାଠ ପଢୁଥାଆନ୍ତି । ଏବେ ସେ ସ୍କୁଲର ନାଁ ଏମ୍.କେ.ସି. ହାଇସ୍କୁଲ୍ ।  

ରଜାଙ୍କର ଏଗାର ଦିନ ଭୋଜି ପାଇଁ ମୟୁରଭଞ ଯାକର ନିମନ୍ତ୍ରିତ ଶାସନୀ ବ୍ରାହ୍ମଣ, ବାଟକଟିଆ ଓ ଦକ୍ଷିଣା ବ୍ରାହ୍ମଣ, ବୋର୍ଡିଙ୍ଗିର ବ୍ରାହ୍ମଣ ପିଲା, ସମସ୍ତେ ଚିତା, ପଇତା, ଚଇତନ ଜଡିତ ହୋଇ ଭୋଜିଖାଇ ଆସିଲେ । ଏହି ଦଳରେ ଥିଲେ ଶ୍ରୀ ଶତପଥୀ । ପଂକ୍ତି ପଡିଲା ରାଜବାଟୀର ଛାତର ଦୋତାଲା ଉପରେ । ଅସମ୍ଭବ ଭିଡ । ଗୋସେଇଁ ମାନଙ୍କ ଆଗରେ ପ୍ରଥମେ ମାଟି ଗିଲାସରେ ପାଣି ଓ ଖଲି ପତର ଲାଗିଗଲା ।

ପ୍ରଥମେ ଲାଗି ହେଲା ଚୁଡାଭଜା । ତାପରେ ଉଖୁଡା । ତା ପିଠିକି ବସାଦହି । ନୁଣନଙ୍କା ଖଲିରେ ଲାଗୁନଲାଗୁଣୁ ଭୋଜନ ଆରମ୍ଭ ହେଲା । ବାପାମାନେ ପୁଅମାନଙ୍କୁ ଏ ଦେଶି ଜିନିଷରେ ପେଟ ଭର୍ତ୍ତି ନକରି ଅସଲ ରଜାଘର ଖାନା ପାଇଁ ଅନିସା କରି ପେଟ ଖାଲି ରଖିବା ପେଇଁ କହିଲେ । ବସାଦହି ପଛକୁ ଲାଗିଲା ପୁରୀ ଆଉ ସୋଲା-କଖାରୁ ତରକାରୀ । ତାପରେ ଜିଲାପି ଓ ଫେଣି ।

ଜିଲେପି ପରେ ନାଗିଲା ଅସଲ ରଜାଘର ଚିଜ – କଲିକତି ଆମଦାନୀ ।  ସେତେବେଳେ ବାରିପଦାରେ ଖାଲି ରସଗୋଲା ଓ ଲେଡି କେନିଙ୍ଗ୍ – ଯାହାକୁ ଏବେ ଆମେ ପାନ୍ତୁଆ କହୁଚୁ, ମିଳୁଥିଲା । ଭୋଜିରେ ପରସା ଗଲା ଟିଣଖୋଲା ପ୍ରସିଦ୍ଧ ଭୀବନାଗର ସନ୍ଦେଶ ଓ ବାଘ ବଜାରର ସନ୍ଦେଶ । ଯିଏ ଯାହା ଖାଇଲେ ଖାଇଲେ, ଓ ଗାମୁଛାରେ ଘର ପାଇଁ ବାନ୍ଧିଲେ । ଟଙ୍କାଏ ଲେଖାଏଁ ଦକ୍ଷିଣା (ସେତେବେଳେ ଦୁଇ ପଇସାରେ ଶେରେ ବା ପାଖାପାଖି କିଲେ ଚାଉଳ ମିଳୁଥିଲା) ନେଇ ଘରକୁ ବାହାରିଲା ବେଳକୁ ଦୁଇ ଦିନ ପରେ ମହାରାଜାଙ୍କର ଶଶୁର, ୱାଙ୍କାନୀର୍ ମହାରାଜାଙ୍କ ତରଫରୁ ଆଉ ଏକ ଭୋଜିପାଇଁ ଗୋସେଇଁ ମାନଙ୍କୁ ନିମନ୍ତ୍ରଣ ଦିଆଗଲା ।

ସେ ଦିନ ଦୁଇ ବାଜିଲା ବେଳକୁ ରାଜବାଟୀର ଛାତରେ ଥାଟପଟାଳି । ଏଥର ଖଲିରେ ସେବା ପାଇଁ ଲାଗିଲା ଗଜା, ବାଲୁସାଇ, ନୂଆବସାଣି ମିଠେଇ, ପୁରୀ ଓ କଲିକତି ରସଗୋଲା । ହେଲେ ବ୍ରାହ୍ମଣ ଗୋସାଇଁମାନେ ସେବା ଆରମ୍ଭ କରିଛନ୍ତିକି ନାହିଁ ଗୋଟିଏ ମାନୁଗଳିଆ, କଳାପାହାଡିଆ ମେଘ ଶିମିଳିପାଳ ଆଡୁ ଘୋଟିଆସିଲା । ଖୁବ୍ ଅଳ୍ପ ସମୟରେ ବର୍ଷା ପବନରେ ଭୋଜିର ସତ୍ତା ରହିଲା ନାହିଁ । ଗୋସେଇଁମାନେ ଯେ ଯାହା ପାରିଲେ କାନିରେ ବାନ୍ଧି ସ୍ୱଗୃହକୁ ଫେରିଗଲେ ।  ଶ୍ରୀ ଶତପଥୀଙ୍କର ଜଣେ ସାଙ୍ଗ ବର୍ଷା ବିତ୍ପାତରୁ ଗୋଟିଏ ରସଗୋଲା ଟିଣକୁ ଉଦ୍ଧାର କରିଆଣିଥାଆନ୍ତି । ବସନ୍ତବାବୁ ଓ ତାଙ୍କ ସାଙ୍ଗମାନେ ସେସବୁ ସେବା କରି ଗୋଟିଏ ଅଶୁଭ ଦିନକୁ ଶୁଭରେ ରୂପାନ୍ତରିତ କଲେ ।  

Monday, August 10, 2015

ରେଭେନ୍ସାର ଖାନା 


ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଙ୍ଗୃହିତ 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତାହାର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡିଆ ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ବ୍ୟାପିଥିବା ଓଡିଆଭାଷୀ ଅଁଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା କଲେଜେ । 

ପ୍ରସିଦ୍ଧ କଥାକାର ଶ୍ରୀ ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ. ରେ  ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ । 

ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ - ଖାଇବା ପାଇଁ ସୁଜି, ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।

ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା ନିରାମିଷ ତରକାରୀ । ସେଥିରେ ବଢାହେଉଥିଲା ଦୁଇତିନି ଠା ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା । 

ହଷ୍ଟେଲ୍ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞିଆ ମିଠା ଦୋକାନ । ଚାରି ପଇସାରେ ଚାରିଟା ରୁଟି ଭଳିଆ ବଡ ବଡ ଲୁଚି ଓ ପୁଡାଏ ଆଳୁଦମ୍ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ଗାଣ୍ଠିଆ, ଶେଉ, ମହୀଶୂର ପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢା ସହ ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ଖାଇବା । 

Sunday, August 09, 2015

ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ଓଁମ୍ ନିଜାନନ୍ଦାୟ ନମଃ

ଓଁମ୍ ତତ୍ସବ୍ରହ୍ମଣେ ନମଃ


କେନୋପନିଷଦ


ମନ୍ତ୍ରାର୍ଥ, ଶଙ୍କର ଭାଷ୍ୟ ଓ ଅନୁବାଦ ସହ



ଶାନ୍ତିପାଠ



ଓଁମ୍ ଆପ୍ୟାୟନ୍ତୁ ମମାଙ୍ଗାନି ୱାକ୍-ପ୍ରାଣଶ୍ଚକ୍ଷୁଃ ଶ୍ରୋତ୍ରମଥୋ ବଲମିନ୍ଦ୍ରିୟାଣି ଚ ସର୍ବାଣି ସର୍ବ ବ୍ରହ୍ମୌପନିଷଦଂ ମାହଂ ବ୍ରହ୍ମ ନିରାକୁର୍ୟାଂ ମା ମା ବ୍ରହ୍ମ ନିରାକରୋଦନିରାକରଣମସ୍ତ୍ୱନିରାକରଣଂ ମେSସ୍ତୁ ତଦାତ୍ମନି ନିରତେ ୟ ଉପନିସତ୍ସୁ ଧର୍ମାସ୍ତେ ମୟି ସନ୍ତୁ ତେ ମୟି ସନ୍ତୁ ।
ଓଁମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ

ମୋର ଅଙ୍ଗ ପୁଷ୍ଟ ହେଉ ତଥା ମୋର ୱାକ୍, ପ୍ରାଣ, ଚକ୍ଷୁ, ଶ୍ରୋତ୍ର, ବଳ ଓ ସମସ୍ତ ଇନ୍ଦ୍ରିୟଗୁଡିକ ପୁଷ୍ଟ ହୁଅନ୍ତୁ । ସର୍ବ ଉପନିଷଦର ବ୍ରହ୍ମ । ମୁଁ ଯେପରି ବ୍ରହ୍ମର ନିରାକରଣ ନକରେ । ବ୍ରହ୍ମ ଯେପରି ମୋର ନିରାକରଣ କରନ୍ତି ନାହିଁ । ଅର୍ଥାତ୍ ମୁଁ ଯେପରି ବ୍ରହ୍ମଙ୍କଠାରୁ ବିମୁଖ ହୁଏ ନାହିଁ ଓ ବ୍ରହ୍ମ ମୋଠାରୁ ବିମୁଖ ହୁଅନ୍ତି ନାହିଁ । ଏହି ପ୍ରକାରରେ ଆମର ପରସ୍ପର ଅନିରାକରଣ ହେଉ, ଅନିରାକରଣ ହେଉ । ଆତ୍ମାରେ ନିରତ ମୋଠାରେ ଉପନିଷଦର ଧର୍ମ ରହୁ, ମୋଠାରେ ରହୁ । ତ୍ରିବିଧ ତାପ ଶାନ୍ତ ହେଉ ।


ପ୍ରଥମ ଖଣ୍ଡ


ସମ୍ବନ୍ଧ ଭାଷ୍ୟ

ପଦ ଭାଷ୍ୟ

                        କେନେଷିତମ୍ ଇତ୍ୟାଦ୍ୟୋପନିଷତ୍ ପରବ୍ରହ୍ମୱିଷୟା ୱକ୍ତବ୍ୟା ଇତି ନୱମସ୍ୟାଧ୍ୟାୟସ୍ୟ ଆରମ୍ଭଃ ।

ଅନୁବାଦ 

ଏବେ କେନେଷିତ ଇତ୍ୟାଦି ପରବ୍ରହ୍ମ ବିଷୟକ ଉପନିଷତ୍ କଥିତ, ଇତି ନବମ ଅଧ୍ୟାୟର ଆରମ୍ଭ ।


ବି.ଦ୍ର. - ସେପ୍ଟେମ୍ବର ମାସରୁ ସପ୍ତାହରେ ଥରେ କେନ ଉପନିଷଦର ଅନୁବାଦ ଏହି ବ୍ଲଗ୍ ରେ ପ୍ରକାଶିତ ହେବ ।



Friday, August 07, 2015

ପାରମ୍ପରିକ ଭଜନ - 'କଳାକାହ୍ନୁ କୁହୁକ ଜାଣେ' 


ଗାୟକ - ନିମାଇଚରଣ ହରିଚନ୍ଦନ 


ଏହି ଭଜନ ଶୁଣିବା ପାଇଁ ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=I_BfC8qg97I


ଅଷ୍ଟାଦଶ ଶତାବ୍ଦୀର ଗୀତଗୋବିନ୍ଦ ପୋଥି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କଳା କାହ୍ନୁ କୁହୁକ ଜାଣେ, 
ଯେଣିକି ଚାହିଁଲେ ଦିଶଇ, 
ଆଗୋ ଯେଣିକି ଚାହିଁଲେ ଦିଶଇ ତେଣେ । 
କଳା କାହ୍ନୁ କୁହୁକ ଜାଣେ । 

ତରଳ ନୟନ କେଡ଼େ ବିଷାୟନ,
ସାୟକ ସାଜଇ ବାମ ଡାହାଣେ, 
ତରଳ ନୟନ କେଡ଼େ ବିଷାୟନ,
ସାୟକ ସାଜଇ ବାମ ଡାହାଣେ, 
ହାସ୍ୟ ତରବାରୀ, ତା' ନେତ୍ର କଟାରି,
ହାସ୍ୟ ତରବାରୀ, ତା' ନେତ୍ର କଟାରି,
ବାହାରେ ଲୁଚାଇ ଭିତରେ,
ଆଗୋ ବାହାରେ ଲୁଚାଇ ଭିତରେ ହାଣେ । 

କଳା କାହ୍ନୁ କୁହୁକ ଜାଣେ, 
ଯେଣିକି ଚାହିଁଲେ ଦିଶଇ, 
ଆଗୋ ଯେଣିକି ଚାହିଁଲେ ଦିଶଇ ତେଣେ । 
କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ ।

କଳା ବିଜୁଳିଆ, କାଇଁଚ ମାଳିଆ, 
ନାହିଁ ଅଭିରାମ ସଙ୍ଗେକେ ଜଣେ ।  
କଳା ବିଜୁଳିଆ, କାଇଁଚ ମାଳିଆ, 
ନାହିଁ ଅଭିରାମ ସଙ୍ଗେକେ ଜଣେ ।  
ଧନ୍ୟ ତା' ଚାତୁରୀ ପ୍ରଖର କତୁରି, 
ଧନ୍ୟ ତା' ଚାତୁରୀ ପ୍ରଖର କତୁରି, 
ଦାଢ଼ରୁ ବରତି ଯିବକେ, 
ଆଗୋ ଦାଢ଼ରୁ ବରତି ଯିବକେ ଜଣେ ।

କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ । 

ବେଣୁଗୀତ ଗାଇ ମୋହନ ଲଗାଇ 
କାନ୍ତ କୋଳୁ କାନ୍ତା ଉଠାଇ ଆଣେ । 
ବେଣୁଗୀତ ଗାଇ ମୋହନ ଲଗାଇ 
କାନ୍ତ କୋଳୁ କାନ୍ତା ଉଠାଇ ଆଣେ ।
ବୋଲେ ଦୁର୍ଜଜେମା ଦେଖିତା ଭଙ୍ଗିମା, 
ବୋଲେ ଦୁର୍ଜଜେମା ଦେଖିତା ଭଙ୍ଗିମା, 
କାଳଯାକ ଥିବି ସେବକି, 
ଆଗୋ କାଳଯାକ ଥିବି ସେବକି ପଣେ । 

କଳା କାହ୍ନୁ କୁହୁକ ଜାଣେ, 
କଳା କାହ୍ନୁ କୁହୁକ ଜାଣେ ।

ବି.ଦ୍ର. - ଭଜନର ପଦଗୁଡ଼ିକ ନିମାଇ ହରିଚନ୍ଦନ ଗାଇଥିବା ଥାକ ଅନୁସାରେ ଦିଆଯାଇଛି ।

Thursday, August 06, 2015

ଓଡିଆ ଜାଉ


ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ


ଆମେ କିଛି ଦିନ ଆଗରୁ ଖିରି କରି ଶିଖିଥିଲେ । ଆଜି ଆସନ୍ତୁ ଦେଖିବା ଜାଉ କେମିତି କରିବା । ଜାଉ ଆଉ ଖିରି ଭିତରେ ମୂଳ ତଫାତ ଦୁଇଟି । ଖିରିର ମୂଳ ଉପାଦାନ ଖିର । ଜାଉର ମୂଳ ଉପାଦାନ ଚାଉଳ । ଖିରିର ମିଷ୍ଟତା ମୂଳତଃ ଖିରରୁ ଆସେ । ଜାଉର  ମିଷ୍ଟତା ଆସେ ମୂଳତଃ ଗୁଡରୁ
ସାମଗ୍ରୀ 

ଖିର ଅଧା ଲିଟର, ଛୋଟ ଦାନା ଅରୁଆ ଚାଉଳ ୨୦୦ ଗ୍ରାମ୍, ଗୁଡ ତିରିଶ ଗ୍ରାମ୍, ଗୁଜୁରାତି ଦଶଟା, ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର ଦୁଇ କେନା, ଲୁଣ ଚିମୁଟାଏ ।
ପ୍ରଣାଳୀ

ଦୁଇଶହ ଗ୍ରାମ୍ ଚାଉଳର ଭାତ ତିଆରି କରି ରଖନ୍ତୁ । ବେଶୀ ନରମ କି ବେଶୀ ଟାଣ କରିବେ ନାହିଁ । ଆଲୁମିନିଅମ୍ ବାସନରେ ଖିରକୁ ବିନା ପାଣିରେ ଗ୍ୟାସ୍ ଚୁଲ୍ଲାରେ ନିଆଁରେ ବସାନ୍ତୁ । ଷ୍ଟିଲ୍ ବାସନରେ ତଳେ ଲାଗିଯିବାର ସବୁବେଳେ ଭୟ ଥାଏ । ଥରେ ଫୁଟି ଆସିଗଲେ ଅନ୍ନପୂର୍ଣ୍ଣା ପତ୍ର ବା ତେଜ ପତ୍ର  ଦେଇ ପାଞ୍ଚ ମିନିଟି ଫୁଟାନ୍ତୁ । ତାପରେ ଖିରରେ ଭାତ ଦେଇ ଘଣ୍ଟାଏ ଧିମା ଆଞ୍ଚରେ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥାଅନ୍ତୁ । ଖିର ଓ ଚାଉଳ ଘଣ୍ଚାଏ ଫୁଟି ସାରିଲା ପରେ, ଗୁଡ ଓ ଗୁଜୁରାତିକୁ ଛିଡାଇ ପକାଇ ଦିଅନ୍ତୁ । ଆହୁରି ପନ୍ଦର ମିନିଟି ଖିରକୁ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥିବେ । ଏବେ ଲୁଣ ଚିମୁଟାଏ ଖିରରେ ପକାଇ ଦିଏନ୍ତୁ । ଲୁଣ ପକାଇ ସାରିବାର ପାଞ୍ଚ ମିନିଟି ପରେ ଖିରିକୁ ଓହ୍ଲା୍ଇ ଦିଅନ୍ତୁ । 

ବି.ଦ୍ର.

୧. ଆଲୁମିନିଅମ୍ ବାସନ ବ୍ୟବହାର କରନ୍ତୁ । କସ୍ମିନ୍ କାଳେ ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ ।
୨. ଖିରକୁ ନିୟମିତ ଘାଣ୍ଟିବେ । 
୩. ଭାତ ଖିରରେ ପକାଇ ସାରିବା ପରେ ସବୁଠାରୁ ଧିମା ଆଞ୍ଚରେ ସବୁବେଳେ ଖିରକୁ ଫୁଟାଇବେ ।
୪. ଲୁଣ ସବା ଶେଷକୁ ହିଁ ପକାଇବେ । ନ ହେଲେ ଜାଉ ପାଣି ଫାଟିଯିବ ।