Monday, August 10, 2015

ରେଭେନ୍ସାର ଖାନା 


ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଙ୍ଗୃହିତ 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍

ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତାହାର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡିଆ ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ପର୍ଯ୍ୟନ୍ତ ବ୍ୟାପିଥିବା ଓଡିଆଭାଷୀ ଅଁଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା କଲେଜେ । 

ପ୍ରସିଦ୍ଧ କଥାକାର ଶ୍ରୀ ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ. ରେ  ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ । 

ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ - ଖାଇବା ପାଇଁ ସୁଜି, ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।

ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା ନିରାମିଷ ତରକାରୀ । ସେଥିରେ ବଢାହେଉଥିଲା ଦୁଇତିନି ଠା ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା । 

ହଷ୍ଟେଲ୍ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞିଆ ମିଠା ଦୋକାନ । ଚାରି ପଇସାରେ ଚାରିଟା ରୁଟି ଭଳିଆ ବଡ ବଡ ଲୁଚି ଓ ପୁଡାଏ ଆଳୁଦମ୍ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ଗାଣ୍ଠିଆ, ଶେଉ, ମହୀଶୂର ପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢା ସହ ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ଖାଇବା । 

No comments:

Post a Comment