ଓ଼ଡିଆ ସିଙ୍ଗିଡା : କଟକି ଓ ସମ୍ବଲପୁରୀ
![]() |
କଟକି ସିଙ୍ଗିଡା / ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ |
ଓଡିଶା ସାରା ସିଙ୍ଗିଡା ଏକ ଲୋକପ୍ରିୟ ଜଳଖିଆ । ଏହା ଉତ୍ତର ଭାରତୀୟ ସମୋସାର ଏକ ପ୍ରକାର ଭାବରେ ଧରାଯାଏ, ଯଦିଓ ଏଥିରେ ଦ୍ୱିମତର ସମ୍ଭାବନା ରହିଛି । ପୂର୍ବ ଭାରତ ଅର୍ଥାତ୍, ଓଡିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ହେଲା ସିଙ୍ଗିଡାର କ୍ଷେତ୍ର । ସମୋସା ତୁଳନାରେ ସିଙ୍ଗିଡାର ଖୋଳ ଟିକେ ପତଳା ଓ ଏହା ଅଧିକ କଡା ଛଣାଯାଏ ।
ଓ଼ଡିଆ ସିଙ୍ଗିଡାର ମଧ୍ୟ ଖୋଳ ପତଳା ଓ ଏହା ଅତି ଧିମା ଆଁଚରେ ବହୁତ ସମୟ ପର୍ଯ୍ୟନ୍ତ କଡା ଛଣାଯାଏ । ଓଡିଆ ସିଙ୍ଗିଡାର ଆକାର ମଧ୍ୟ ଛୋଟ ହେବା କଥା । ବଡ ଆକାରର ସିଙ୍ଗିଡା ସିଙ୍ଗିଡା ନୁହେଁ, ସମୋସା । ମାତ୍ର ଓଡିଆ ସିଙ୍ଗିଡା ଦୁଇ ପ୍ରକାରର । ଯଦିଓ ଆମିଷ ସିଙ୍ଗିଡା ଓଡିଶାରେ ଅଜଣା ନୁହେଁ, ସିଙ୍ଗିଡା କହିଲେ ଓଡିଶାରେ ନିରାମିଷ ସିଙ୍ଗିଡାକୁ ହିଁ ବୁଝାଯାଏ । ସାଧା ଓଡିଆ ସିଙ୍ଗିଡାର କଟକି ଓ ସମ୍ବଲପୁରୀ ଭେଦ ରହିଛି । କ଼ଟକି ସିଙ୍ଗିଡାରେ ଚୁନାହୋଇ କଟା ହୋଇଥିବା ଆଳୁ, ଚିନାବାଦାମ, ଓ ମଟର ଜୀରାଲଙ୍କା ଗୁଣ୍ଡରେ ହାଲକା ଭଜା ହୋଇ ପଡିଥାଏ । ସମ୍ବଲପୁରୀ ସିଙ୍ଗିଡାର ପୁର କଟକି ସିଙ୍ଗିଡାରୁ ଭିନ୍ନ ନୁହେଁ : ମାତ୍ର ଏଥିରେ ଚକଟା ପୁର ପଶେ, ଭଜା ହୋଇ ନୁହେଁ ।
ଏହି ଭିନ୍ନତାର କାରଣ ବୋଧେହୁଏ ଏହି ସିଙ୍ଗିଡା ତିଆରି ପରମ୍ପରା ଦୁଇଟିର ଭିନ୍ନ ଭିନ୍ନ ମୂଳ । ଉପକୂଳବର୍ତ୍ତୀ ଓଡିଶାକୁ ସିଙ୍ଗିଡା ଆସିଛି ବଙ୍ଗଳାରୁ ଓ ପଶ୍ଟିମ ଓଡିଶାକୁ ଏହା ଆସିଛି ମଧ୍ୟ ଭାରତରୁ । ବଙ୍ଗଳାରେ ନିରାମିଷ ସିଙ୍ଗିଡାରେ ଭଜା ପୁର ପଶେ ଏବଂ ମଧ୍ୟ ଓ ଉତ୍ତର ଭାରତରେ ଏଥିରେ ଚକଟା ପୁର ପଶେ । ଏହା ବୋଧେହୁଏ କଟକି ଓ ସମ୍ବଲପୁରୀ ସିଙ୍ଗିଡା ଭିତରେ ଥିବା ପ୍ରଭେଦର କାରଣ ।
No comments:
Post a Comment