Monday, August 03, 2015

 ସାହିତ୍ୟିକ ଶ୍ରୀ ଭାରତ ମାଝୀଙ୍କ ସହ ଏକ ସାକ୍ଷାତକାର


ଶ୍ରୀ ଭାରତ ମାଝୀଙ୍କର ଜନ୍ମ ୧୯୭୨ ମସିହାରେ କଳାହାଣ୍ଡି ଜିଲ୍ଲାର ଏକ ଛୋଟ ଗାଁରେ । ଅଗାଧୁ ଦୁଆରୀ  ଶୀର୍ଷକରେ ପ୍ରଥମ କବିତା ସଙ୍କଳନ ୧୯୯୮ ମସିହାରେ ଛପା ହେଲାପରେ, ଏ ପର୍ଯ୍ୟନ୍ତ ତାଙ୍କର ଆଠଟି କବିତା ବହି ପ୍ରକାଶିତ । ସେ କବି ଜୟନ୍ତ ମହାପାତ୍ରଙ୍କର ଦୀର୍ଘ ଇଂରାଜୀ କବିତା ରିଲେସନ୍ସିପ୍ ର ଓଡିଆ ଅନୁବାଦ ମଧ୍ୟ କରିଛନ୍ତି । ସେ ଏବେ ଓଡିଆ ଖବର ଚ୍ୟାନେଲ୍ ଫୋକସ୍ ଓଡିଶା ରେ କାର୍ଯ୍ୟରତ ।


ଏକ ତରା, ଦୁଇ ତରା 

କବି ଭାରତ ମାଝୀଙ୍କର ସଙ୍କଳନ ଭାରତ ମାଝୀ ଡଟ୍ କମ୍ ରୁ  ଏକ କବିତା )

ଏକ ତରା, ଦୁଇ ତରା
ସେ ତରା ଗଲା ପାଇକପଡା ।
ପାଇକପଡାରେ ବର୍ଷା ନାଇଁ 
ଖଲିଆ ମାଟିରେ ଧଙ୍ଗରା ବାଇ । 

ପୀରତି ବୋକା, ଭକତି ବୋକା
କିଲେ ଆଳୁକୁ ଚାଳିଶ ଟଙ୍କା । 
ଟଙ୍କା ଧରି ପୁଅ ବଣିଜ ଗଲା 
ବଡ ବେପାରିକି ସୁଧ ଗଣିଲା । 

ଚୁଲିର କବାଟ ସବୁଠି ମେଲା 
ଭୋକ ଏକ୍, ଦୁଇ, ଅଠରନଳା ।
ନଳାରେ ପଡିଛି ନିଲାମୀ ପଟ୍ଟା
ଅଷ୍ଟିଅଙ୍ଗେ ମୋର ଗୋଲାମୀ ଅଠା ।

ଅଚାବୁଆ ହୋଇ ଦଉଡେ ବାଟ
ଅଣକିଳି ଖୋଲି ନେଲାଣି ରାଟ,
ରାଟ ବସି ଛାଣେ ଡଳେ ଡଲାର
ଜମି, ଖଣି, ପାଣି ସବୁ ତାହାର ।

ଏକ୍  ତରା, ଦୁଇ ତରା
ତରା ଗଣିଗଲି ଆକାଶ ସାରା,
ସାରା ସଉଦାର ଗୋଟିଏ ଭାବ
ଜଗତ ହାଟକୁ ଲାଭ ଇ ଲାଭ । 

ସାକ୍ଷାତକାର 


ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆପଣଙ୍କର ପୂର୍ବ ପ୍ରଜନ୍ମର ପ୍ରସିଦ୍ଧ ଓ ପ୍ରଭାବଶାଳୀ ଓଡିଆ କବିମାନଙ୍କ ମଧ୍ୟରୁ ଅନେକଙ୍କର ଶିକ୍ଷା ଇଂରାଜୀ ସାହିତ୍ୟରେ ଥିଲା । ସେମାନଙ୍କ ଭିତରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଫିସର୍ ବା ଅଧ୍ୟାପକ ଥିଲେ । ହେଲେ ଆପଣଙ୍କ ପୁରୁଷର ଓଡିଆ ଭାଷାର କବି ମାନଙ୍କର ଏକାଡେମିକ୍ ଟ୍ରେନିଙ୍ଗ୍ ଓ କର୍ମ ଜୀବନରେ ଅଧିକ ବିଭିଦତା ଅଛି । ଏ ବିଷୟରେ ଆପଣ କଣ କହିବେ ? 

ଭାରତ ମାଝୀ - ତୁମେ ଯେଉଁ ପୁରୁଷର କବିମାନଙ୍କ କଥା କହୁଛ, ସେମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଜାତିର ଓ ଉଚ୍ଚମଧ୍ୟବିତ୍ତ ପରିବାରମାନଙ୍କରୁ ଆସିଥିଲେ । ହେଲେ ୪୫ ବର୍ଷ ବୟସରୁ କମ ବୟସର ଅଧିକାଂଶ କବିମାନେ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ପୃଷ୍ଠଭୂମିର । ଏଣୁ ସାହିତ୍ୟିକ ଆଧୁନିକତାରେ ଆମର ପ୍ରବେଶ ଇଂରାଜୀ ସାହିତ୍ୟର ଫାଟକ ଦେଇ ନୁହେଁ । ଏଣୁ ଓଡିଆ ଜନଜୀବନର ଛନ୍ଦ ଓ ସ୍ପନ୍ଦନ ତୁମେ ଆମର ଗପ ଓ କବିତା ମାନଙ୍କରେ ଦେଖିବାକୁ ପାଇବ । ଉଦାହରଣ ସ୍ୱରୂପ ମୋର ପ୍ରଥମ ପଦ୍ୟ ରଚନା ଥିଲା ନିଜ ଗାଁର ଘୁମୁରା ଦଳ ପାଇଁ । ହେଲେ ମୁଁ ଧିରେଧିରେ ଆଧୁନିର ଗଦ୍ୟ କବିତା ଲେଖିବାକୁ ଆରମ୍ଭ କଲି ଆଉ ପାରମ୍ପରିକ ରଚନାରୁ ଦୂରେଇଗଲି । ଏପରି ଏକ ଟ୍ରାଜେକ୍ଟରୀ ମୋ ପୁରୁଷର ଅନେକଙ୍କ ପାଇଁ ସତ । ଲୋକ ସାହିତ୍ୟରେ ଆମର ଚେର ଥିବାରୁ ଆମ ପୁରୁଷର କାମ ଓଡିଆ କବିତାର ଆଙ୍ଗିକତାକୁ ଅନେକ ଭାବରେ ବଦଳାଇଦେଇପାରିଛି । ଏହା ଆମର ପୂର୍ବ ପ୍ରଜନ୍ମର କବିମାନଙ୍କୁ ଏବେ ପ୍ରଭାବିତ ମଧ୍ୟ କରୁଛି । ଆମ କବିତାର ଆଉ ଗୋଟିଏ ପ୍ରଭାବ ହେଲା ଯେ ତିନି ଚାରି ପୁରୁଷ ତଳ ପର୍ଯ୍ୟନ୍ତ ଯେଉଁ ବୈପ୍ଳବିକ ଆଧ୍ୟାତ୍ମିକତା ଓଡିଆ କାବ୍ୟ ମାନସର ମୂଳଭିତ୍ତି ଥିଲା, ଆମେ ଓଡିଆ କବିତାକୁ ଅନେକ ଭାବରେ ସେଠାକୁ ଫେରାଇ ଆଣିବାରେ ସକ୍ଷମ ହୋଇଛୁ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଏହି ସନ୍ଦର୍ଭରେ ତାହେଲେ ଆପଣ ବ୍ରହ୍ମୋତ୍ରୀ ମହାନ୍ତିଙ୍କର କବିତା ବିଷୟରେ କଣ କହିବେ ?

ଭାରତ ମାଝୀ - ତାଙ୍କର ପ୍ରଥମ କେତୋଟି କବିତା ବହି ଅଗ୍ନିଗର୍ଭା । ହେଲେ ପରେ ତାଙ୍କର କବିତାର ଧାର ଟିକେ ମରିଗଲା । କିନ୍ତୁ ଏହା ଏକ ବୃହତ୍ତର ପରିବର୍ତ୍ତନର ଅଂଶ । ଓଡିଆ ସମାଜର ଆଧ୍ୟାତ୍ମିକତାକୁ ପୁଞିବାଦ ପୋଷା ମଣେଇଦେଇଥିଲା ଭଳି ଜଣାଯାଏ । ପ୍ରତିବାଦ ଓ ମୁକ୍ତି ପାଇଁ ଏହାର କେତେ ଶକ୍ତି ଅଛି ତାହା ଜଣାନାହିଁ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆମେ ଯଦି ବୃହତ୍ତର ପରିବର୍ତ୍ତନର କଥା ହେଉଛେ, ତାହେଲେ ଗତ କୋଡିଏ ବର୍ଷ ଖଣ୍ଡେ ଭିତରେ ଓଡିଆ କବିତା ଓ ସାହିତ୍ୟରେ କଣ କଣ ଭଲ ପରିବର୍ତ୍ତନ ଓ କଣ ଖରାପ ପରିବର୍ତ୍ତନ ଆସିଛି ବୋଲି ଆପଣ କହିବେ ?

ଭାରତ ମାଝୀ - ଆମର ଥିମ୍ ର ସଂଖ୍ୟା ବଢିଛି । ଓଡିଆ ଭାଷାର କବି ଓ ଲେଖକ ମାନେ ଆମର ସମସାମୟିକ ଦୁନିଆ ଓ ଅବସ୍ଥା ବିଷୟରେ ବର୍ତ୍ତମାନ ଅଧିକ ସଚେତନ । ଭାଷାକୁ ନେଇ ଅଧିକ ପରୀକ୍ଷା ନୀରିକ୍ଷା ହେଉଛି । ଆଗରୁ ଓଡିଆ ସାହିତ୍ୟର ଭାଷା ସଂସ୍କୃତାଶ୍ରୟୀ ଥିଲା । ନ ହେଲେ ଉପକୂଳ ଓଡିଶାର ଗାଉଁଲି ଭା।ଷାର ବ୍ୟବହାର ହେଉଥିଲା । ଏବେ ଓଡିଆ ଭାଷାର ଅନେକ ରୂପ ଓ ବୋଲି ସାହିତ୍ୟରେ ବ୍ୟବହୃତ ହେଉଛି। 

ହେଲେ ଏବେର ଅନେକ କବି କୋରସ୍ ରେ ଗାଉଛନ୍ତି । ଅନେକଙ୍କର ପ୍ରାକ୍ - ଆଧୁନିକ ଓଡିଆ କାବ୍ୟଜଗତ ସହିତ କିଛି ପରିଚୟ ନାହିଁ। ପଢାପଢି, ଗବେଷଣା, ମନନ, ଚିନ୍ତନ, ଓ ଲେଖାଲେଖିର କାରୁକଳା ସହିତ ସମ୍ପୃକ୍ତି କମିଛି । ଏସବୁ ଚିନ୍ତାର ବିଷୟ । 

ଲିଭିଙ୍ଗ୍ ଇନ୍ ଭୁବନେଶ୍ୱର - ଆମେ ଚିକେ ବର୍ତ୍ତମାନ ସାକ୍ଷାତକାରର ଆରମ୍ଭର ପ୍ରଶ୍ନକୁ ଫେରିଯିବା । ମୋତେ ଯାହା ଲାଗୁଛି, ଆପଣଙ୍କ ପ୍ରଜନ୍ମର କବିମାନେ ଓଡିଆ ଆଧୁନିକତାର, ବିଶେଷତଃ ଆପଣଙ୍କର ପୂର୍ବ ପୁରୁଷର ଥିମାଟିକ୍ ସିମିତତାକୁ ସଫଳତାର ସହିତ ଚ୍ୟାଲେଞ୍ ଦେଇଛନ୍ତି । ହେଲେ ଓଡିଆରେ ଭାଷା ଓ ଜନ୍ରା ର ବ୍ୟବହାରର ବୃହତ୍ତର ଢାଁଚାଟିକୁ ଯଥା ପୂର୍ବମ୍ ତଥା ପରମ୍ ଛାଡି ଯାଇଛନ୍ତି । ଏ ବିଷଯରେ ଆପଣ କଣ କହିବେ ?

ଭାରତ ମାଝୀ - ତୁମେ ଭୁଲ୍ କହୁନାହଁ । ହେଲେ ଏଥିପାଇଁ ଆମେ ଏ ପର୍ଯ୍ୟନ୍ତ ଯେତିକି ପରିଶ୍ରମ କରିପାରିଛୁ, ତାଠାରୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡିବ । ଏପରି ଅବସ୍ଥା ପାଇଁ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଦାୟୀ । ମୁଁ ଅଳସୁଆ । ହେଲେ ଭବିଷ୍ୟତର ଯୋଜନାରେ ଏହା ଅଛି । ଧୈର୍ଯ୍ୟ ଧର ବନ୍ଧୁ । 

ବି.ଦ୍ର. ଏହି ସାକ୍ଷାତକାର ର ଏକ ଅପେକ୍ଷାକୃତ ବୃହତ୍ତର ରୂପ କନ୍ନଡ ଦୈନିକ ପ୍ରଜାବାଣୀ ରେ କିଛି ବର୍ଷ ଆଗରୁ ଛପାଯାଇଥିଲା । ସାକ୍ଷାତକାର କରିଥିଲେ ଶୈଲେନ୍ ରାଉତରାୟ । 

No comments:

Post a Comment