Wednesday, December 11, 2019

ପଲ୍ କାରୁସ୍‌ଙ୍କର 'ବୁଦ୍ଧ ଗାଥା' - ୬୪

ଅନୁବାଦକ - ସୁଜାତା ମିଶ୍ର


ମାରଙ୍କର ସିଦ୍ଧାର୍ଥଙ୍କ ଉପରେ ଆକ୍ରମଣ (ଦ୍ୱିତୀୟ ଖ୍ରୀଷ୍ଟାବ୍ଦ)
ଫଟୋ କ୍ରେଡ଼ିଟ୍ ୟ ୱିକିମିଡିଆ କମନ୍ସ୍

ଜଣେ ବ୍ୟକ୍ତି ଜନ୍ମରୁ ଅନ୍ଧ ଥିଲେ । ସେ କହିଲେ, 'ମୁଁ ପ୍ରକାଶ ଓ ରୂପ ରଙ୍ଗର ସଂସାର ଅଛି ବୋଲି ମାନେ ନାହିଁ । ହାଲୁକା ଓ ଚମତ୍କାର ରଙ୍ଗ ଏପରି କିଛି ନାହିଁ । ସୂର୍ଯ୍ୟ, ଚନ୍ଦ୍ର ଓ ତାରା ଏପରି କିଛି ନାହିଁ । କେହି ଏସବୁକୁ ଦେଖି ନାହାନ୍ତି ।'

ତାଙ୍କ ବନ୍ଧୁମାନେ ତାଙ୍କୁ ବୁଝାସୁଝା କଲେ ମାତ୍ର ସେ ନିଜ କଥାରେ ଅଟଳ ରହିଲେ । ତାଙ୍କର ଆପତ୍ତି ଥିଲା, 'ତୁମେ ଯାହା କହୁଛ ଯେ ତୁମେ ଦେଖୁଛ ତାହା ଭ୍ରମ ଅଟେ । ଯଦି ରଙ୍ଗ ବୋଲି କିଛି ଥାଆନ୍ତା, ତେବେ ମୁଁ ତାକୁ ଛୁଇଁ ପାରନ୍ତି । ତାହାର କୌଣସି ବାସ୍ତବତା ନାହିଁ ଏବଂ ତାହା ସତ୍ୟ ନୁହେଁ । ପ୍ରତ୍ୟେକ ବାସ୍ତବିକ ବସ୍ତୁର ଓଜନ ଥାଏ କିନ୍ତୁ ତୁମେ ଯେଉଁଠାରେ ରଙ୍ଗ ଦେଖୁଛ, ସେଠାରେ ମୋତେ କୌଣସି ରଙ୍ଗ ଅନୁଭବ ହେଉନାହିଁ ।'

ସେହି ସମୟରେ ଜଣେ ଚିକିତ୍ସକ ଏହି ଜନ୍ମାନ୍ଧ ବ୍ୟକ୍ତିଙ୍କୁ ଦେଖିବାକୁ ଆସିଲେ । ସେ ଚାରିଗୋଟି ଚୂର୍ଣ୍ଣକୁ ମିଶାଇ ଗୋଟିଏ ଲେପ ତିଆରି କରି ଜନ୍ମାନ୍ଧ ବ୍ୟକ୍ତିଙ୍କ ଡୋଳାରେ ଲଗାଇଲେ ଏବଂ ଚାପରେ ତାଙ୍କ ଉପର ଆବରଣଟି ତରଳି ଯାଇ ବାହାରି ଯାଇଥିଲା ଏବଂ ତାଙ୍କର ଦେଖିବାର ଶକ୍ତି ଫେରିଆସିଲା ।

ତଥାଗତ ସେହି ଚିକିତ୍ସକ ପରି ଅଟନ୍ତି । ଅହଂ ରୂପକ ବିଚାର ଏକ ଭ୍ରମ ଅଟେ ଏବଂ ଚାରି ଚୂର୍ଣ୍ଣ ହିଁ ଚାରୋଟି ଆର୍ଯ୍ୟ ସତ୍ୟ ଅଟେ ।

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Tuesday, December 03, 2019

ପଞ୍ଚପଲ୍ଲୀରେ ମାଇନର ଶିକ୍ଷା

ଶୈଲେନ ରାଉତରାୟ


ଜଗତସିଂହପୁରର ଗୋରଖନାଥ ମନ୍ଦିର ପ୍ରାଙ୍ଗଣର ଏକ ଦୃଶ୍ୟ (ୱିକିମିଡିଆ କମନ୍ସ୍)

ପଞ୍ଚପଲ୍ଲୀ ବୋଇଲେ ନାରଦିଆଟିକରପଡ଼ାଗୋବିନ୍ଦପୁରପାଣିଏଣ୍ଡୁଳା ଓ ପାଟଣା ପାଞ୍ଚଟି ପଲ୍ଲୀ ମିଶି ବିରାଟ ଗୋଟିଏ ଗାଁ । ବିଦ୍ୟାପୁର ମିଶ୍ରଙ୍କ ଜଗତସିଂପୁର ପାଖ ଛୋଟିଆ ବ୍ରାହ୍ମଣ ଶାସନଟିରୁ କିଛି ୧୮-୨୦ କିଲୋମିଟର ଦୂରରେତଳମାଳରେସମୁଦ୍ରଠାରୁ ମାତ୍ର ଦଶ ବାର କିଲୋମିଟର ବାଟ ଛଡ଼ାରେ । ସେବେ ଦୁଇ ଗାଁ ଭିତରେ ଯାତାୟତ କରିବା ପାଇଁ ରାସ୍ତାଘାଟ କିଛି ନ ଥିଲା । ବିଲ ଓ ଗାଁ ଗୋହିରୀ ଆଦି ବାଟରେ ଯା’ଆସ କରିବାକୁ ପଡ଼େ । ବିଷ୍ଣୁପୁର ଜମିଦାରୀରେ ଥିବା ଏଇ ଗ୍ରାମଟିରେ ବିଦ୍ୟାଧରଙ୍କର ଜଣେ ପିଉସୀ ବାହା ହୋଇଥିଲେ । ଗାଁରେ ହାଟଟିଏ ବି ନ ଥିଲା । ଏରସମା ଥାନା ଓ ଡାକଘର ଅଧୀନରେ ଥିବା ଏଇ ଗ୍ରାମଟିରୁ ଏରସମାକୁ ଯିବା ପାଇଁ ବର୍ଷା ଦିନେ ହୁଲି ଡଙ୍ଗାରେ ଯାତ୍ରା କରିବାକୁ ହେଉଥିଲା । ଗାଁଟି ଜଣାଶୁଣା ଥାଏ ସେ ଅଞ୍ଚଳର ପ୍ରସିଦ୍ଧ ଦିଅଁ ଗ୍ରାମେଶ୍ୱରଙ୍କ ଯୋଗୁଁ ।

୧୯୨୯ ମସିହାର ଫେବ୍ରୁଆରି ମାସରେ ବିଦ୍ୟାଧରଙ୍କ ପାଟନାରେ ଇଞ୍ଜିନିୟରିଂ ପଢ଼ୁଥିବା ଭାଇ ଯକ୍ଷ୍ମା ରୋଗରେ ଚାଲିଗଲେ । ମରିବାର କିଛି ମାସ ଆଗରୁ ସେ ବିହାରରୁ ଗାଁକୁ ଚାଲି ଆସି ଘରେ ଚିକିତ୍ସା କରାଉଥିଲେ । ସେହି ବର୍ଷଟି ଥାଏ ବିଦ୍ୟାଧରଙ୍କର ପଞ୍ଚମ ଶ୍ରେଣୀ । ସେ ପଢ଼ୁଥିବା ବିଦ୍ୟାଳୟଟିରେ ମାଷ୍ଟ୍ରମାନଙ୍କର ହେଳା ଯୋଗୁଁ କିଛି ପାଠ ପଢ଼ା ହେଉ ନ ଥିଲା । ତାହା ସହ ଘରେ ରୋଗୀଣାଆସନ୍ନମୃତ୍ୟୁ ଲୋକଟିଏ ଥିବାରୁ ସମସ୍ତଙ୍କର ମନସ୍ତାପ । ପଞ୍ଚମ ଶ୍ରେଣୀ ଶେଷ ହେବାର ପର ବର୍ଷର ଫେବୃଆରୀରେ ହିଁ ଭାଇ ଜଣଙ୍କ ଚାଲିଗଲେ । ଏହି ପରିସ୍ଥିତିରେ ବିଦ୍ୟାଧରଙ୍କର ବାପାମା ତାଙ୍କୁ ମାଇନର ପାସ ପରେ ଆଉ କେଉଣସି ସ୍କୁଲରେ ନାଁ ଲେଖାଇବା ଦିଗରେ ବେଶୀ ମନଯୋଗ ଦେଲେ ନାହିଁ ।

ଏଣେ ପାଠ ପଢ଼ା ମାରା ହେବା ଭୟରେ ବିଦ୍ୟାଧରଙ୍କର ମନ କଷ୍ଟ । ପଞ୍ଚମ ଶ୍ରେଣୀ ପାଠ ସାରି ସେ ଖାଲି ଗାଁରେ ବୁଲୁ ଥାଆନ୍ତି । ନିଜ ଗାଁରେ ଆଗକୁ ପାଠ ପଢ଼ିବାକୁ ଆଉ ସ୍କୁଲ ନ ଥାଏ । ଏହି ସମୟରେ ପଞ୍ଚପଲ୍ଲୀ ଗାଁର ତାଙ୍କର ପିଉସୀପୁଅ ଭାଇ ଜଗନ୍ନାଥ ମିଶ୍ର ଶିକ୍ଷା ବର୍ଷ ଆରମ୍ଭ ହେବାର ପାଞ୍ଚ ମାସ ଖଣ୍ଡେ ପରେ ବିଦ୍ୟାଧରଙ୍କର ଗାଁକୁ ଆସି ଥାଆନ୍ତି । ସେବେସେବେ ଦୁଇ ତିନି ବର୍ଷ ଆଗରୁ ଜଗନ୍ନାଥଙ୍କ ଗାଁରେ ମାଇନର ଇସ୍କୁଲଟିଏ ଖୋଲା ଯାଇ ଥାଏ । ସ୍କୁଲଟି ୧୯୨୮ ମସିହାରେ ସରକାରୀ ଅନୁମୋଦନ ବି ପାଇଯାଇ ଥାଏ । ସେ ବିଦ୍ୟାଧରଙ୍କର ମା’ଙ୍କୁ ପଞ୍ଚପଲ୍ଲୀ ଗ୍ରାମେ‌ଶ୍ୱର ମାଇନର ସ୍କୁଲରେ ପିଲାଟିର ନାଁ ଲେଖାଇବା ପାଇଁ ପ୍ରବର୍ତ୍ତାଇଲେ । ଶେଷକୁ ସେ ରାଜି ହେବାରୁ ବିଦ୍ୟାଧର ଯାତ୍ରା କଲେ ପଞ୍ଚପଲ୍ଲୀକୁ ଜଗନ୍ନାଥଙ୍କ ସହ ।

ସେବେ ଇସ୍କୁଲ ବର୍ଷ ଆରମ୍ଭ ହେଉଥାଏ ସାଲର ଆରମ୍ଭରେ । ନାଁ ଲେଖାଇବାକୁ ଦୁଇ ଭାଇ ବିଦ୍ୟାଳୟଟିରେ ପହଞ୍ଚିଲା ବେଳକୁ ଶିକ୍ଷାବର୍ଷର ପଞ୍ଚମ ମାସ ଚାଲିଲାଣି । ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଦୁଇ ସପ୍ତାହ ମାତ୍ର ବାକି ଥାଏ । ଏଣେ ବିଦ୍ୟାଙ୍କର ଗାଁ ଇସ୍କୁଲରେ ଆଦୌ ଇଂରାଜୀ ପଢ଼ା ହେଉ ନ ଥିଲା । ରୋଗୀଣା ଭାଇ ଯାହା କେତୋଟି ଶବ୍ଦ ଶିଖାଇ ଦେଇଥିଲେ ତାଙ୍କୁ । ଶିକ୍ଷା ବର୍ଷର ପାଖାପାଖି ଅଧା ବିତିଯାଇ ଥିବାରୁ ଓ ଆବଶ୍ୟକୀୟ ଇଂରାଜୀ ଜଣା ନ ଥିବାରୁ ବିଦ୍ୟାଧରଙ୍କର ନାଁ ଲେଖା ହେଲା ଆଉ ଥରେ ପଞ୍ଚମ ଶ୍ରେଣୀରେ । ଖରାଛୁଟିରେ ସେ ରହିଲେ ପିଉସୀ ଘରେତାହା ପରେ ଇସ୍କୁଲୁର ବୋର୍ଡ଼ିଂରେ ।

ପଞ୍ଚପଲ୍ଲୀ ଗ୍ରାମେଶ୍ୱର ବିଦ୍ୟାଳୟଟି ଗଢ଼ି ଉଠିଥାଏ ଗ୍ରାମେଶ୍ୱର ଦିଅଁଙ୍କ ଚନ୍ଦନ ପୋଖରୀର ଉତ୍ତର ଆଡ଼ର ଦୁଇ ଗୁଣ୍ଠ ଜମି ଉପରେ । ଏଇ ଜମି ଉପରେ ଦୁଇ ସାହାଲା ଛପରଘରରେ ସ୍କୁଲ ଚାଲୁଥାଏ । ଗୋଟିଏ ଖଞ୍ଜା ଦମ୍ଭ ଭାବରେ ତିଆରି କରାଯାଇଥିଲା । ସେଥିରେ ଥାଏ ଚାରୋଟି କୋଠରୀ । ସେଥିରୁ ଦୁଇଟି ବଡ଼ ବଖରାରେ ବେଞ୍ଚ ଓ ଡେସ୍କ ପଡ଼ି ପାଠପଢ଼ା ହୁଏ । ଏଇ ଦମ୍ଭ ଖଞ୍ଜାଟିର ଅନ୍ୟ ଦୁଇଟି କୋଠରୀରେ ସ୍କୁଲର ବୋର୍ଡ଼ିଂ ଚାଲୁଥିଲା । ସେଠି ରହୁଥିଲେ ପିଲାଏ ଓ ଶିକ୍ଷକମାନେ । ଶ୍ରେଣୀଗୃହଗୁଡ଼ିକ ମଧ୍ୟ କ୍ଲାସ୍ ସରିଲେ ରହିବା ପାଇଁ ବୋର୍ଡ଼ିଂ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା । ଅନ୍ୟ ଖଞ୍ଜାଟି ଦୁଇଟି କୋଠରି ଧରି ଚାଳିଆଟିଏ ମାତ୍ରବଖରା ଦୁଇଟି ମଧ୍ୟରେ କାନ୍ଥିନିଟିଏ । ଏଇ ଦୁଇ ସାହାଲା ଘର ଆଗରେ ଛୋଟ ଚାଳିଆ ଘରଟିଏରେ ପିଲା ଓ ଶିକ୍ଷକମାନଙ୍କ ପାଇଁ ରୋଷେଇ ହେଉଥିଲା ।

ବିଦ୍ୟାଳୟଟିରେ ଚାରୋଟି ଶ୍ରେଣୀ ଥାଏ – ଚତୁର୍ଥପଞ୍ଚମଷଷ୍ଠ ଓ ସପ୍ତମ । ଚାରୋଟି ଯାକରେ ସମୁଦାୟ ଶହେ ପାଖାପାଖି ଛାତ୍ରଛାତ୍ରୀ ଜଣିଏ ବି ନ ଥାଆନ୍ତି । ଶିକ୍ଷକଙ୍କ ସଙ୍ଖ୍ୟା ଚାରି । ହେଡ଼ ମାଷ୍ଟର ଆଇ.ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ଜଣେ ନାଟକପ୍ରିୟ ଲୋକ ଥିଲେ । ଦ୍ୱିତୀୟ ଓ ତୃତୀୟ ଶିକ୍ଷକ ଦୁଇ ଜଣ ଯାକ ମାଟ୍ରିକ ପରେ ଶିକ୍ଷକ ଟ୍ରେନିଂ ପ୍ରାପ୍ତ ଓ ଚତୁର୍ଥ ଶିକ୍ଷକ ଜଣଙ୍କ ମାଇନର ପାସ କରି ଗୁରୁ ଟ୍ରେନିଂ ପାଇଥିଲେ । ସ୍କୁଲଟି ସରକାରୀ ଅନୁମୋଦନ ପାଇ ଥିଲେ ହେଁ କିଛି ସରକାରୀ ସହାୟତା ପାଉ ନ ଥିଲା । ପିଲାମାନେ ଦେଉଥିବା ବେତନ ଓ ଚାନ୍ଦା ଦ୍ୱାରା ଅତି ଦୁଃସ୍ଥ ଭାବରେ ବିଦ୍ୟାଳୟଟି ଚଳୁଥିଲା । ଗାଁଟିର ସବୁଠାରୁ ଧନୀ ଉଦି ମହାପାତ୍ର ବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ଥିଲେ । ନୂଆ ହେଲେ ହେଁ ସ୍କୁଲଟିରେ ନିୟମିତ ପଢ଼ାପଢ଼ି ହେଉଥିଲା । ଏହା ସହ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଇତ୍ୟାଦି ଉତ୍ସବ ଭଲ ଭାବରେ ପାଳିତ ହେଉଥିଲା । ବିଦ୍ୟାଧର ପରିଶ୍ରମ କରି ନିଜ ଶ୍ରେଣୀରେ ପ୍ରଥମ ହେବାକୁ ଆରମ୍ଭ କଲେ । ମଧୁସୂଦନ ରାଓଙ୍କର ‘ସାହିତ୍ୟ ପ୍ରସଙ୍ଗ’ ସେ ଯାଏଁ ସ୍କୁଲରେ ପଢ଼ା ହେଉଥାଏ ।

ସ୍କୁଲ ହତାକୁ ଲାଗି ଛପଣ ଜମିଦାରୀ କଚେରିର ବାଡ଼ଟି ଥାଏ । ଆଉ ଟିକିଏ ମାତ୍ର ଦୂରରେ ମୁସଲମାନ ବସ୍ତିଟିଏ । ଏଇ ପଡ଼ାର ବରଗଛ ତଳେ ଜଣେ ପୀରଙ୍କ ଆସ୍ଥାନ । ପୀରଙ୍କ ପାଖରେ ମୁଣ୍ଡିଆ ମାରିବା ଓ ଗାଁର ଦଣ୍ଡାମୁଣ୍ଡ ପଡ଼ିଆରେ ଡୁ ଡୁ ଖେଳିବା ଇସ୍କୁଲିଆ ପିଲାଙ୍କର ନିତିଦିନିଆ ଅଭ୍ୟାସ । ମାଇନର ପଢ଼ାର ଶେଷ ବର୍ଷ ମାତ୍ର ଚଉଦ ବରଷ ବୟସରେ ବିଦ୍ୟାଧରଙ୍କର ବିବାହ ଅନୁଷ୍ଠିତ ହେଲା । ୧୯୩୧ ମସିହା ଡିସେମ୍ବର ମାସରେ ମାଇନର ପରୀକ୍ଷା କଟକରେ ହେଲା । ସେ ପରୀକ୍ଷାରେ ଭଲ କଲେ । ହେଲେ ବୃତ୍ତି ମିଳିଲା ନାହିଁ । ତଥାପି ସେ ହାଇ ସ୍କୁଲ ପାଠ ପାଇଁ ଯାତ୍ରା କଲେ କଟକ ।

ବିଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।