Saturday, October 31, 2015

ଦୁଃଖନାଶନ ହେ ସୁଖ ନ ପାଇଲି ଦିନେ


କବି - ବନମାଳୀ ଦାସ 


ଗାୟକ - ଭିକାରୀ ବଳ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=J19uVidoaXU



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 





ଜୟ ଜଗନ୍ନାଥ ହେ ଯଶୋଦା କୁମର 


କବି - ବନମାଳୀ ଦାସ


ଗାୟକ - ସଙ୍ଗିତ ସୁଧାକର ଶ୍ରୀ ବାଳକୃଷ୍ଣ ଦାଶ







Friday, October 30, 2015

କେତେ ଛନ୍ଦ ଜାଣେ ଲୋ ସହି 


କବି - ବନମାଳୀ ଦାସ 


ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=fSdFowoBryI


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 








 ଜଗନ୍ନାଥ ହେ କିଛି ମାଗୁନାହିଁ ତତେ 


କବି - ବନମାଳୀ ଦାସ 


ଗାୟକ - ଭିକାରୀ ବଳ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=_sn9bfDFu7s







Monday, October 26, 2015

ଶ୍ରୀ ବନମାଳୀ ଦାସ କୃତ ଭଜନ : ମଣିମା ହେ ଏତିକି ମାଗୁଣି ମୋର


ଗାୟିକା - ଶ୍ରୀମତି ଲତା ଘୋଷ 


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=qfoI2wbnHNE


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 






Saturday, October 24, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ


 
ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ପ୍ରଥମ ପ୍ରକାଶ – ୧୮୮୭


ପ୍ରଥମ ଅଧ୍ୟାୟ - ଶ୍ଲୋକ ୨୮- ୩୭


ଦୃଷ୍ଟ୍ୱେମାନ୍ ସ୍ୱଜନାନ୍ କୃଷ୍ଣ ଯୁଯୁତ୍ସୂନ୍ ସମୁପସ୍ଥିତାନ୍ ।
ସୀଦନ୍ତି ମମ ଗାତ୍ରାଣି ମୁଖଞ୍ଚ ପରିଶୁଷ୍ୟତି । ୨୮ ।

ହେ ଶ୍ରୀକୃଷ୍ଣ ଯୁଦ୍ଧେ ଜ୍ଞାତି ବନ୍ଧୁ ଗଣେ ଦେଖି । ପୋଡୁଛି ମୋ ଦେହ ମୁକ ଯାଉଅଛି ଶୁଖି । ୨୮ ।

ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ ।
ଗାଣ୍ଡୀବଂ ସ୍ରଂସତେ ହସ୍ତାତ୍ ତ୍ୱକ୍ ଚୈବ ପରିଦହ୍ୟତେ । ୨୯ ।

କମ୍ପୁଛି ଶରୀର ହେଉଅଛି ରୋମାଞ୍ଚିତ । ହସ୍ତୁ ମୋର ହେଉଅଛି ଗାଣ୍ଡୀବ ସ୍ଖଳିତ । ୨୯ ।

ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ ।
ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ । ୩୦ ।

ସ୍ଥିର ହୋଇ ରହିବାକୁ ନାହିଁ ମନେ ବଳ । ମନ ମୋର ନିରନ୍ତର ହେଉଛି ଚଞ୍ଚଳ ।।
ଚତୁର୍ଦ୍ଦିଗେ ଦେଖୁଅଛି ଅମଙ୍ଗଳ ଚିହ୍ନ । ବ୍ୟାକୁଳ ହେଉଛି ମନ ହେ ମଧୁସୂଦନ । ୩୦ ।

ନ ଚ ଶ୍ରେୟୋଽନୁପଶ୍ୟାମି ହତ୍ୱା ସ୍ୱଜନମାହବେ ।
ନ କାଂକ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟମ୍ ଶୁଖାନି ଚ । ୩୧ ।

ବନ୍ଧୁଗଣେ ନାଶକରି ଦେଖୁନାହିଁ ଶ୍ରେୟ । ପ୍ରୟୋଜନ ନାହିଁ ମୋର ରାଜ୍ୟ ବା ବିଜୟ । ୩୧ ।

କିଂ ନୋ ରାଜ୍ୟେନ ଗୋବିଦଂ କିଂ ଭୋଗ୍ୟୈର୍ଜୀବିତେନ ବା ।  
ଯେକ୍ଷାମର୍ଥେ କାଂକ୍ଷିତଂ ନୋ ରାଜ୍ୟଂ ଭୋଗାଃ ସୁଖାନି ଚ । ୩୨ ।

ରାଜ୍ୟ କିମ୍ବା ଜୀବନରେ ପ୍ରୟୋଜନ ନାହିଁ । ସେହି ସର୍ବ ଭୋଗ ଇଚ୍ଛା ସେମାନଙ୍କ ପାଇଁ । ୩୨ ।

ତ ଇମେବସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ ।
ଆଚାର୍ୟାଃ ପିତରଃ ପୁତ୍ରାସ୍ତଥୈବ ଚ ପିତାମହଃ । ୩୩ ।

ସେହି ପିତାମହ ପିତା ଆଚାର୍ଯ୍ୟ କୁମରେ । ପ୍ରାଣ ତେଜିବାକୁ ଆସି ଅଛନ୍ତି ସମରେ । ୩୩ ।

ମାତୁଳାଃ ଶ୍ୱଶୁରାଃ ପୌତ୍ରାଃ ଶ୍ୟାଳାଃ ସମ୍ବନ୍ଧିନସ୍ତଥା ।
ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋଽପି ମଧୁସୂଦନ । ୩୪ ।

ମାତୁଳ ଶଶୁର ନାତି ଶଳା ସମ୍ବନ୍ଧିନ । ଏମାନେ କଲେହେଁ ନାଶ ଆମ୍ଭର ଜୀବନ ।।
ନକରିବୁଁ ସେମାନଙ୍କ ସହିତ ସମର । ହେ ମଧୁସୂଦନ ଏହା କରିଅଛୁ ସ୍ଥିର । ୩୪ ।

ଅପି ତ୍ରୈଲୋକ୍ୟ-ରାଜ୍ୟସ୍ୟ ହେତାଃ କିଂ ନୁ ମହୀକୃତେ ।
ନିହତ୍ୟ ଧାର୍ତ୍ତରାଷ୍ଟ୍ରାନ୍ନଃ କାପ୍ରୀତିଃ ସ୍ୟାଜ୍ଜନାର୍ଦ୍ଦନ । ୩୫ ।

ରାଜ୍ୟ କଥା ପଛେ ଥାଉ ତ୍ରୈଲୋକ୍ୟ ରାଜତ୍ତ୍ୱ । ପାଇଲେ ହେଁ ଏମାନଙ୍କୁ ନକରିବି ହତ । ।
ଅତଏବ ବୋଲୁଅଛି ଆହେ ଚକ୍ରଧାରି ।  ନ ଜନ୍ମିବ ପ୍ରୀତି ଧାର୍ତ୍ତରାଷ୍ଟ୍ରେ ବଧ କରି । ୩୫ ।

ପାପମେବାଶ୍ରୟେଦସ୍ମାନ୍ ହତ୍ୱୈତାନାତତାୟିନଃ ।
ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତ୍ତରାଷ୍ଟ୍ରାନ୍ ସ୍ୱବାନ୍ଧବାନ୍ । ୩୬ ।

ଆତତାୟୀ ହେଲେ ମଧ୍ୟ ଧାର୍ତ୍ତରାଷ୍ଟ୍ରମାନେ । ଅବଶ୍ୟ ଜନ୍ମିବ ପାପ ବଧ କଲେ ରଣେ ।।
ଅତଏବ ହେ ମାଧବ ବୋଲୁଅଛି ମୁହିଁ । ବାନ୍ଧବମାନଙ୍କୁ ବଧି ସୁଖ ହେବ ନାହିଁ । ୩୬ ।

ଯଦ୍ୟପେତ୍ୟେ ନ ପଶ୍ୟନ୍ତି ଲୋଭୋପହତଚେତସଃ ।
କୁଳକ୍ଷୟକୃତଂ ଦୋଷଂ ମିତ୍ରଦ୍ରୋହେ ଚ ପାତକଂ । ୩୭ ।

କୁଳକ୍ଷୟ ମିତ୍ରଦ୍ରୋହ ପାପ ଆଚରଣେ । ଲୋଭାସକ୍ତ ହୋଇ ଦେଖୁ ନାହାନ୍ତି ଏମାନେ । ୩୭ ।

Friday, October 23, 2015

ପ୍ରଫେସର୍ କଳବର୍ଗୀଙ୍କର ହତ୍ୟା : ଆମର ମାନବବାଦ ଓ ତାଙ୍କର ମାନବବାଦ






ଏହି କିଛି ବର୍ଷ ଭିତରେ ଅନେକ ଭାରତୀୟ  ମୁକ୍ତ ଚିନ୍ତକମାନଙ୍କର ହତ୍ୟା  କରାଯାଇଅଛି ; ସେମାନଙ୍କ ମଧ୍ୟରୁ ଅନେକ ହେତୁବାଦୀ ବିଚାରଧାରାର  ଅନୁଗାମୀ ଥିଲେ ଏହି ବର୍ଷକ ଭିତରେ ଆମେ ହେତୁବାଦୀ ଚିନ୍ତକ ଓ ପ୍ରଚାରକ ଶ୍ରୀ ନରେନ୍ଦ୍ର ଦାଭୋଲକର୍ ତଥା ସାମ୍ୟବାଦୀ ନେତା, ଚିନ୍ତକ ଓ ହେତୁବାଦୀ, ହିନ୍ଦୁତ୍ତ୍ୱ ବିରୋଧି ଶ୍ରୀ  ଗୋବିନ୍ଦ  ପାନ୍-ସରେ (ସେ ବୃହତ୍ତର ଜନମାନସରେ ଶିବାଜୀଙ୍କର ଏକ ଲୋକାଭିମୁଖୀ ଜୀବନୀ ଶିବାଜୀ କୋଣ୍ ହୋତା?’ ର ଲେଖକ ଭାବରେ ପରିଚିତ) ଅନ୍ୟତମ । ପ୍ରଫେସର୍ ମଦେଶପ୍ପା ମଦିବାଲପ୍ପା କଳବର୍ଗୀଙ୍କର ୩୦ ଅଗଷ୍ଟ, ୨୦୧୫ରେ  ହତ୍ୟା ଏହି ଘୃଣ୍ୟ ଖଟଣା ଶୃଙ୍ଖଳର ଅନ୍ୟତମ ଓ ସଦ୍ୟତମ ପର୍ଯ୍ୟାୟ ଅଟେ ମାତ୍ର ଅନେକ ଦୃଷ୍ଟିରୁ ଶ୍ରୀ କଳବର୍ଗୀ ଅନ୍ୟ ଦୁଇଜଣଙ୍କଠାରୁ ଭିନ୍ନ ଓ ତାଙ୍କର ଜୀବନ ଓ ମୃତ୍ୟୁ ଆମକୁ ଭବିଷ୍ୟତର ଅନେକ ବିଭ୍ରାନ୍ତିରୁ ରକ୍ଷାକରିପାରେ ।

ଏହି ସନ୍ଦର୍ଭରେ ଭାରତର ଆଞ୍ଚଳିକ ଓ ଏସୀୟ ପରିପ୍ରେକ୍ଷୀରେ, ଏଇ ନିକଟ ଅତୀତର  କିଛି ଘଟଣାବଳୀ ଆମର ମାର୍ଗଦର୍ଶନ କରିପାରେ । ଏହି ବର୍ଷର ମଇ ମାସରେ ବଙ୍ଗଳାଦେଶରେ ବ୍ଲଗର୍ ଅନନ୍ତବିଜୟ ଦାସଙ୍କୁ ସିଲହଟ୍ ରେ ଅଜଣା ଆତତାୟୀମାନେ ହତ୍ୟା କଲେ । ଶ୍ରୀ ଦାସ ଯୁକ୍ତି ନାମକ ଗୋଟିଏ ତ୍ରୈମାସିକ ପତ୍ରିକାର ସମ୍ପାଦକ ଓ ସିଲହଟ୍ ସ୍ଥିତ ବିଜ୍ଞାନ ଓ ତର୍କବାଦୀ ପରିଷଦର ମୂଖ୍ୟ ଥିଲେ । ସେ ବଙ୍ଗଳାଦେଶରେ ଧର୍ମନିରପେକ୍ଷତା ଓ ମାନବବାଦର ପ୍ରଚାର ଓ ପ୍ରସାରରେ ଏକ ମୂଖ୍ୟ ଭୂମିକା ତୁଲାଉଥିଲେ । ସେ ଜଣେ ନାସ୍ତିକ ଥିଲେ ଓ ମୁକ୍ତମନ ନାମକ ଏକ ଗୁରୁତ୍ତ୍ୱପୂର୍ଣ ମୁକ୍ତଚିନ୍ତନ-ଭିତ୍ତିକ ୱେବସାଇଟ୍ ରେ ନିୟମିତ ଲେଖୁଥିଲେ । ଏହି କିଛି ମାସ ତଳ ପର୍ଯ୍ୟନ୍ତ ଏହି ୱେବସାଇଟ୍ ଟି ବଙ୍ଗଳାଦେଶୀ-ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଓ ପ୍ରସିଦ୍ଧ ଯୁକ୍ତିବାଦୀ ଅଭିଜିତ ରାୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ଏହି ବର୍ଷର ଫେବ୍ରୁଆରୀ ମାସରେ ଅଲ୍ କାଏଦାର ଆତତାୟୀମାନେ ଢାକା ସହରରେ ଅଭିଜିତଙ୍କର ହତ୍ୟା କଲେ । ଏହା ପରେ ପରେ ମାର୍ଚ୍ଚ୍ ମାସରେ ଆଉ ଜଣେ ନାସ୍ତିକ ବ୍ଲଗର୍  ୱାଶିକୁର୍ ରହମାନ୍ ଙ୍କର ହତ୍ୟା କରାଗଲା । ଏଥି ପାଇଁ ଦୁଇଜଣ ଗିରଫ୍ ହୋଇସାରିଛନ୍ତି । ୨୦୧୩ ମସିହା ପରଠାରୁ ପାଞ୍ଚ ଜଣ ବ୍ଲଗର୍ ଙ୍କର ହତ୍ୟା ଇସ୍ଲାମୀୟ ଉଗ୍ରବାଦୀମାନେ ଘଟାଇ ସାରିଲେଣି । ରାଜନୈତିକ ଇସଲାମ୍ ର ବିରୋଧ କରି ଗଣ ଆନ୍ଦୋଳନର ଆୟୋଜନ କରୁଥିବା ନାସ୍ତିକମାନଙ୍କ ନିମନ୍ତେ ହେଫାଜତ୍-ଏ-ଇସଲାମ୍ ନାମକ ଏକ ମୌଳବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ ମୃତ୍ୟୁଦଣ୍ଡର ଦାବୀ କରିଛି  । ଇସଲାମୀୟ ସ୍କୁଲ୍ ଗୁଡିକର ଶିକ୍ଷକଙ୍କର ନେତୃତ୍ତ୍ୱ ନେଇ ମେ ୨୦୧୩ ରେ ହେଫାଜତ୍ ଏକ ବୃହତ୍ ପ୍ରତି-ଆନ୍ଦୋଳନ କଲା । ଏହି ଆନ୍ଦୋଳନ ଜନିତ ହିଂସାରେ ପାଖାପାଖି ୫୦ ଜଣ ଲୋକ ମଲେ । ଏହା ପରେ ବଙ୍ଗଳାଦେଶରେ ନାସ୍ତିକ ଓ ମୁକ୍ତଚିନ୍ତକମାନଙ୍କର ହତ୍ୟାର ସଂଖ୍ୟା ବଢି ଚାଲିଛି । ଆମେ ଏଠାରେ ସିରିଆର କଥା ମଧ୍ୟ ଉଠାଇବା ଆବଶ୍ୟକ । ଆଇ.ଏସ୍.ଆଇ.ଏସ୍. ବର୍ତ୍ତମାନ ତାହାର ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ବିରୋଧିମାନଙ୍କର ଗଣହତ୍ୟା ଓ ନାରୀମାନଙ୍କର ଗଣଧର୍ଷଣ ଓ ଗଣବେଶ୍ୟାକରଣର କାର୍ଯ୍ୟକ୍ରମ ଚଳାଇଛି । କିନ୍ତୁ ଏହି ସବୁ ଘଟଣାବଳୀକୁ ଦେଖି ଆମେ କଣ ଏକଥା କହିପାରିବା ଯେ ଏସବୁ ପାଇଁ ଇସଲାମ୍ ଧର୍ମ ଓ ପରମ୍ପରା ଦାୟୀ ? କିମ୍ବା ଭାରତରେ ଘଟୁଥିବା ମୁକ୍ତଚିନ୍ତକ ମାନଙ୍କର ହତ୍ୟା ପାଇଁ  ଭାରତୀୟ ପରମ୍ପରା ଦାୟୀ? ଉଭୟ କ୍ଷେତ୍ରରେ ଉତ୍ତର ହେବ, ନା

ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ପୁଣି ଶ୍ରୀ କଳବର୍ଗୀଙ୍କ ପାଖକୁ ଫେରି ଯିବା । ଅନ୍ୟ ଦୁଇଜଣଙ୍କ ପରି ଶ୍ରୀ କଳବର୍ଗୀ ଜଣେ ତର୍କବାଦୀ ଓ ନାସ୍ତିକ ନ ଥିଲେ । ସେ ଏକ ଲିଙ୍ଗାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନିଜେ ଜଣେ ଧର୍ମନିଷ୍ଠ ଲିଙ୍ଗାୟତ ଥିଲେ ଲିଙ୍ଗାୟତ ଧର୍ମ ପରମ୍ପରାର ଦର୍ଶନର ଆଲୋଚନାରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ସ୍ଥାନ ଓ ଅବଦାନ ରହିଛି । ମାତ୍ର ଲିଙ୍ଗାୟତ ଧର୍ମ ଧାରଣାର ଐତିହାସିକ ପରିପ୍ରେକ୍ଷୀ ସମ୍ବନ୍ଧୀୟ ତାଙ୍କର ନିଷ୍କର୍ଷଗୁଡିକ ଲିଙ୍ଗାୟତ ଧର୍ମାଧିକାରୀ ଓ ମଠର ମହନ୍ତ ମାନଙ୍କୁ ୠଚୁ ନ ଥିଲା । ସେ ମୂର୍ତ୍ତି ପୂଜାର ବିରୋଧୀ ଥିଲେ । ନିଜର ଗବେଷଣାର ଭିତ୍ତିରେ ସେ ଦାବୀ କରୁଥିଲେ ଯେ ଲିଙ୍ଗାୟତମାନେ ଆମେ ଏବେ ହିନ୍ଦୁ କହିଲେ ଯାହା ବୁଝୁଛୁ ସେହି ଅର୍ଥରେ ହିନ୍ଦୁ  ନୁହନ୍ତି । ମାତ୍ର ଏଠାରେ କହି ରଖିବା ଉଚିତ ହେବ ଯେ ଅନେକ ଶାସ୍ତ୍ରୀୟ ହିନ୍ଦୁ ପରମ୍ପରା ମଧ୍ୟ ମୂର୍ତ୍ତି ପୂଜା ପ୍ରତି ଉଦାସୀନ

ଶ୍ରୀ କଳବର୍ଗୀ ଜଣେ ସାମାଜିକ ବା ରାଜନୈତିକ କର୍ମୀ ନଥିଲେ । ସେ କନ୍ନଡ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଇତିହାସର ଜଣେ ଦରଦୀ ବ୍ୟାଖାକାର ଥିଲେ । ସେ ଭାଷାବିଜ୍ଞାନ, ଇତିହାସ ଓ ସାହିତ୍ୟର ସନ୍ଧି କ୍ଷେତ୍ରରେ, କନ୍ନଡ ଭାଷାରେ ହିଁ, ଅନେକ ଗୁରୁତ୍ତ୍ୱପୂର୍ଣ କାମ କରିଯାଇଛନ୍ତି ପ୍ରାଚୀନ କନ୍ନଡ ସାହିତ୍ୟର ଆଲୋଚନାରେ ତାଙ୍କର ନାମ ଆଗ ଧାଡିର ଗବେଷକ ଯଥା ଏ.କେ. ରାମାନୁଜନ୍ ଓ ଡି. ନାଗରାଜ୍ ଇତ୍ୟାଦି ମାନଙ୍କ ସହିତ ନିଆଯାଏମାତ୍ର ଏହି ଦୁଇଜଣଙ୍କ ପରି, ତାଙ୍କର ବିଦେଶୀ ଅନୁଷ୍ଠାନମାନଙ୍କ ସହିତ ବେଶୀ ଘନିଷ୍ଠ ସମ୍ପର୍କ ନ ଥିଲା । ପୁରାପୁରି ଦେଶୀ ଶିକ୍ଷା ଲାଭ କରି, ଦେଶୀ ଅନୁଷ୍ଠାନ ମାନଙ୍କରେ କାମ କରି, ଦେଶୀ ଭାଷାରେ ସେ ଆନ୍ତର୍ଜାତୀୟ ସ୍ତରର କାମ କରିଯାଇଛନ୍ତି । ଯଦି ସେ ଏହି କାମକୁ ଏକ ବିଦେଶୀ ଭାଷାରେ କରି ଥାଆନ୍ତେ, ତାହା ହେଲେ, ତାଙ୍କୁ ବୋଧେ ହୁଏ ଆତତାୟୀ ହାତରେ ମୃତ୍ୟୁବରଣ କରିବାକୁ ପଡି ନ ଥାଆନ୍ତା । କନ୍ନଡ ଭାଷାରେ ମାର୍ଗ ନାମରେ ଚାରି ଖଣ୍ଡରେ ବାହାରିଥିବା ତାଙ୍କର ପ୍ରବନ୍ଧ ସଙ୍କଳନ କନ୍ନଡ ବିଚାର ଜଗତ ପ୍ରତି ଏକ ଗୁରୁତ୍ତ୍ୱପୂର୍ଣ ଅବଦାନ ଅଟେ । ଏହି ସଙ୍କଳନର ଚତୁର୍ଥ ଖଣ୍ଡ ସାହିତ୍ୟ ଏକାଡେମୀ ଦ୍ୱାରା ୨୦୦୬ ମସିହାରେ ପୁରସ୍କୃତ ମଧ୍ୟ ହୋଇଛି ।

ବଚନ ସାହିତ୍ୟ କନ୍ନଡ ସାହିତ୍ୟ ଓ ସଂସ୍କୃତିକୁ  ଲିଙ୍ଗାୟତ ଧାର୍ମିକ ପରମ୍ପରାର ଏକ ବଳିଷ୍ଠ ଅବଦାନଶ୍ରୀ କଳବର୍ଗୀ ହମ୍ପି ସ୍ଥିତ କନ୍ନଡ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଥିବା ସମୟରେ (ଓ ତାହା ପରେ  ମଧ୍ୟ) କନ୍ନଡ ପୁସ୍ତକ ପ୍ରାଧିକରଣ ପାଇଁ ବଚନ ସାହିତ୍ୟର ଏକ ପନ୍ଦର ଖଣ୍ଡର ସଙ୍କଳନର ସମ୍ପାଦନା କରିଥିଲେ ବଡ ବଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାହାରେ ରହି (ସେ ପ୍ରାୟତଃ ଧାର୍ୱାଡ୍ ସ୍ଥିତ କର୍ଣାଟକ ବିଶ୍ୱବିଦ୍ୟାଳୟଠାରେ ଅବସ୍ଥିତ ଥିଲେ), ଅଧ୍ୟାପନା କରି, ଗବେଷଣା ପାଇଁ ଅନ୍ୟର ଅର୍ଥ ଉପରେ ନିର୍ଭର ନ କରି ଓ ଭଲ ପାଠାଗାର ଇତ୍ୟାଦି ଆନୁଷଙ୍ଗିକ ସୁବିଧା ନ ଥାଇ ମଧ୍ୟ ନିଜର ଭାଷା ଓ ପରମ୍ପରା ପାଇଁ ଶୁଦ୍ଧ ଶ୍ରଦ୍ଧା ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗବେଷଣାର ମହାନ କୃତିଟିମାନ ଛାଡି ଯାଇଛନ୍ତି ।

ଏପରି ଜଣେ ଗବେଷକଙ୍କର ହତ୍ୟା ଆମକୁ ଏହି ବିଷୟରେ ଚେତାଉଛି ଯେ ଭାରତରେ ମାନବବାଦର ସଙ୍କଟ ମାନବ ବିଜ୍ଞାନର ମଧ୍ୟ ଏକ ସଙ୍କଟ । ବର୍ତ୍ତମାନ ପ୍ରାକ୍-ଆଧୁନିକ କାଳର ଆଲୋଚନା ନିମନ୍ତେ ଆମ ପାଖରେ ଦକ୍ଷତାର ଘୋର ଅଭାବ । ଉଦାହରଣ ସ୍ୱରୂପ, ଓଡିଆ ଭାଷାରେ ମଧ୍ୟଯୁଗୀୟ ଗ୍ରନ୍ଥର ପୋଥି ପଢି, ପାଠ ଉଦ୍ଧାର ସାରି ତର୍ଜମା କଲା ଭଳି ପାଣ୍ଡିତ୍ୟ ଚାଳିଶି ବର୍ଷ ବୟସରୁ କମ୍ ବର୍ଷ ବୟସର ବହୁତ କମ ଲୋକଙ୍କ ପାଖରେ ଅଛି । ଭାରତର ମଧ୍ୟଯୁଗ ଏ ପର୍ଯ୍ୟନ୍ତ ପୁରାପୁରି ଇତିହାସ ପାଲଟି ନାହିଁ । ଆମର ବର୍ତ୍ତମାନର ରାଜନୈତିକ ଓ ସାମାଜିକ ଜୀବନର ଅନେକ ଗୁରୁତ୍ତ୍ୱୁପୂର୍ଣ ବିଭାବର ମୂଳ ମଧ୍ୟଯୁଗୀୟ । ତାହା ହେଲେ, ମଧ୍ୟଯୁଗୀୟ ଶାସ୍ତ୍ର ଆଲୋଚନା ନିମନ୍ତେ ଆବଶ୍ୟକୀୟ ମାନବ ବିଜ୍ଞାନର କୌଶଳରେ ଦକ୍ଷତା ବିନା ଆମେ ଆମର ପରମ୍ପରାକୁ ଓ ଇତିହାସକୁ ନେଇ ଘୃଣା ଓ ଭୟର ରାଜନୀତି କରୁଥିବା ବଦମାସ ଅର୍ଧ-ଶିକ୍ଷିତ ଗୁଣ୍ଡାମାନଙ୍କ ସହିତ ଲଢିବା କେଉଁ ଭିତ୍ତିରେ ।

ଭାରତରେ ମାନବବାଦର ସଙ୍କଟର ଆଉ ଏକ ଦିଗ ହେଲା ଜ୍ଞାନ ଚର୍ଚ୍ଚା ଓ ସାଂସ୍କୃତିକ କର୍ମକୁ ନିଜର ସ୍ୱଜାତୀୟ ମାନବବାଦର ପରମ୍ପରାର ପରିପ୍ରେକ୍ଷୀରେ ନ ଦେଖି ପାଶ୍ଚାତ୍ୟମୁଖୀ ହେବା ।  ପାଶ୍ଚାତ୍ୟରେ ମାନବବାଦର ଉଦ୍ଭବ ଏକ ନିର୍ଦିଷ୍ଟ ସାମାଜିକ ପରିପ୍ରେକ୍ଷୀରେ ହୋଇଥିଲା । ଚତୁର୍ଦ୍ଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଧର୍ମ ସହିତ ରାଷ୍ଟ୍ରର ଯେଉଁ ସଙ୍ଘର୍ଷ ହେଲା, ସେଥିରେ ବ୍ୟକ୍ତି ସ୍ୱାଧୀନତାର ପକ୍ଷ ନେଉଥିବା ଲୋକେ ରାଷ୍ଚ୍ର ସପକ୍ଷରେ ଥିଲେ । ମାତ୍ର ଭାରତୀୟ ଉପମହାଦେଶରେ ମାନବବାଦର ଆଧୁନିକ ରୂପ, ନିଜର ଔପନିବେଶିକ ବିରୋଧି ଚରିତ୍ର ଯୋଗୁଁ, ରାଷ୍ଟ୍ର ବିରୋଧି ଏହି କାରଣରୁ, ଭାରତୀୟ ମାନବବାଦ ଧର୍ମ କିମ୍ବା ପରମ୍ପରା ବିରୋଧୀ ନୁହେଁ । ବିବେକାନନ୍ଦ ଓ ଗାନ୍ଧୀ ଏହାର ବଳିଷ୍ଠ ଉଦାହରଣ । ତେଣୁ ଭାରତୀୟ ମାନବବାଦୀ ଧର୍ମବିରୋଧୀ ହେବା ପାଇଁ ବାଧ୍ୟ ନୁହେଁ । ପାଶ୍ଚାତ୍ୟ ସମାଜଶାସ୍ତ୍ରର ଆଲୋଚନାରେ ଅର୍ଥୋପ୍ରାକ୍ସି ଓ ଅର୍ଥୋଡକ୍ସୀ ଭିତରେ ଏକ ତଫାତ୍ କରାଯାଏଅର୍ଥୋଡୋକ୍ସି ବୋଇଲେ ଡକ୍ସା (ବିଶ୍ୱାସ ବା ଚିନ୍ତା) କୁ ନେଇ ରକ୍ଷଣଶୀଳତା । ଅର୍ଥୋପ୍ରାକ୍ସି ବୋଇଲେ ନିର୍ଦିଷ୍ଟ ଆଚରଣ ବା ଅଭ୍ୟାସର ପରମ୍ପରାକୁ ରକ୍ଷଣଶୀଳ ଭାବରେ ବଜାୟ ରଖିବାକୁ ବୁଝାଏ ଭାରତୀୟ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ଧାରା ଆଚରଣକୁ ନେଇ ରକ୍ଷଣଶୀଳ, ମାତ୍ର ଚିନ୍ତା ବା ତଥାକଥିତ ବିଶ୍ୱାସକୁ ନେଇ ନୁହେଁ । ଅର୍ଥାତ୍, ସ୍ୱାଧୀନଚିନ୍ତା ପାଇଁ ହତ୍ୟା ବା ଅତ୍ୟାଚାରର ପରମ୍ପରା ଅଣଭାରତୀୟ । ଭାରତରେ ଏହି ନିକଟ ଅତୀତରେ ଘଟିଯାଇଥିବା ହତ୍ୟାଗୁଡିକୁ ନେଇ ମାନବ ଅଧିକାରର ହନନର ଏକ ଆଖ୍ୟାନର ମଧ୍ୟ ନିର୍ମାଣର ଚେଷ୍ଟା ହୋଇଛି । ମାତ୍ର  ଭାରତୀୟ ମାନବବାଦର ପରମ୍ପରା ଆଉ ପାଶ୍ଚାତ୍ୟ ମାନବବାଦର ପରମ୍ପରା ମଧ୍ୟରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ ପ୍ରଭେଦ ହେଲା ଏହିକି ଯେ, ଆମର ମାନବବାଦର ଧାରା ଅଧିକାର ଭିତ୍ତିକ ନୁହେଁଆମର ମାନବବାଦର ଧାରା ସାମୁହିକତାର ପରିଭାଷା-ଭିତ୍ତିକ ଓ ସ୍ୱ ଓ ଅପର ମଧ୍ୟରେ ଆଦାନ ପ୍ରଦାନ ଉପରେ ଆଧରିତ ଅଟେ

ସିରିଆରେ ଗୃହଯୁଦ୍ଧ ଓ ତାହା ପରର ଶରଣାର୍ଥୀ ସଙ୍କଟ ପ୍ରତି ପାଶ୍ଚାତ୍ୟ ଦେଶ ଓ ସମାଜ ଗୁଡିକର ଉପେକ୍ଷାର ମନୋବୃତ୍ତିରୁ ପାଶ୍ଚାତ୍ୟ ମାନବବାଦର ଫମ୍ପାପଣ ଜଣା ପଡୁଛି । ଭାରତୀୟ ମାନବବାଦର ପରମ୍ପରାରୁ ପାଶ୍ଚାତ୍ୟ ଦେଶମାନଙ୍କର ଅନେକ କିଛି ଶିଖିବାର ଅଛିଆମର ମାନବବାଦର ପରମ୍ପରା  ପାଶ୍ଚାତ୍ୟ ମାନବବାଦର ପରମ୍ପରା ଭଳି ଏକ ସ୍ୱତନ୍ତ୍ର ପରମ୍ପରା । ଆମର ଚତୁର୍ପାଶ୍ୱର ଘଟଣାବଳୀକୁ ଆମେ ନିଜର ପରମ୍ପରାର କଷଟି ପଥରରେ ପରଖି ପାରିଲେ ଆମର ଅନୁଭୁତି ତଥା ଅବବୋଧ ଅଧିକ ଶାଣିତ ହେବ ଓ ଆମେ ନିଜର ପରିବେଶର ଉପଯୋଗୀ କର୍ତ୍ତବ୍ୟ କର୍ମ କରିପାରିବା । 

ବି.ଦ୍ର. : ଏହି ଲେଖାଟିର ଏକ ରୂପ ୨୦.୧୦.୨୦୧୫ ତାରିଖ (ମଙ୍ଗଳବାର) ଦିନର ଦୈନିକ 'ସମାଜ'ର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା । 

ଫିଲ୍ମି ଦୁର୍ଗା ଭଜନ 



ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=2qrwny2oEwA



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 





ଗୁଲଜାର୍ କୃତ କବିତା ହାୱା ମହଲ୍ (ଜୟପୁର୍)


ଅନୁବାଦ - ଭରଦ୍ୱାଜ ପଣ୍ଡା (ଜୁଲୁ )



ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ପଛରେ, ସଞ୍ଜୁଆ ଆକାଶର ହଳଦୀ ରଙ୍ଗର ଚାଦର, 
ସାମ୍ନାରେ, ବିଜୁଳିର ଦୁଇଟା ଲମ୍ବା ତାର ଟଣା ହେଇଚି ।
ତାର ଉପରେ କଳା କଳା ପକ୍ଷୀ 
ଧ୍ୟାନମଗ୍ନ ହେଇ ଏମିତି ବସି ରହନ୍ତି ;
ସତେ ଯେମିତି କିଏ ଜଣେ ହିନ୍ଦୀ ଅକ୍ଷର ସବୁ ଥାକ ଥାକ କରି ଥୋଇ ଦେଇଚି ।
ସଞ୍ଜ ନଇଲେ ସବୁଦିନ 
ଜଣେ ରାଜକବି ଆସି, ସେଇ ତାର ଉପରେ 
ଦୋହାଟିଏ ଲେଖି ଦେଇ ଯାଉଛି ।  

Thursday, October 22, 2015

ମାର୍କସ୍ ଅରିଲସ୍ 



ବିଚାରମାଳା ପ୍ରଥମ ଖଣ୍ଡ - ୧୪




ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 


ମୁଁ ଭ୍ରାତା ସିଭେରସ୍ ଙ୍କଠାରୁ ନିଜର ସମ୍ପର୍କୀୟମାନଙ୍କୁ ଭଲ ପାଇବା ଓ ସତ୍ୟ ଓ ନ୍ୟାୟକୁ ଭଲ ପାଇବା ଶିଖିଲି । ମୁଁ ତାଙ୍କ ଯୋଗୁଁ ଥ୍ରାସିଆ, କେଟୋ, ହେଲ୍ଭିଡିଅସ୍, ଡିଅନ୍ ଓ ବ୍ରୁଟସ୍ ଆଦିଙ୍କୁ ଜାଣିପାରିଲି । ମୁଁ ତାଙ୍କ ଯୋଗୁଁ ଏକ ସମତା ଓ ବାକ୍ ସ୍ୱାଧୀନତା ଭିତ୍ତିକ ସମାଜ ଓ ପ୍ରଜାର ସ୍ୱାଧୀନତାକୁ ବଜାୟ ରଖୁଥିବା ରାଜତନ୍ତ୍ରର ପରିକଳ୍ପନା ବିଷୟରେ ଜାଣିଲି । ଦର୍ଶନ ଶାସ୍ତ୍ରର ଉଚିତ ଓ ନିସ୍ପକ୍ଷ ମୂଲ୍ୟାଙ୍କନ କରିବା, ସତ୍କାର୍ଯ୍ୟ ପ୍ରତି ଆସକ୍ତି, ଦାନଶୀଳତା, ଆଶାବାଦୀ ମିଜାଜ୍ ଓ ବନ୍ଧୁମାନଙ୍କର ସ୍ନେହରେ ବିଶ୍ୱାସ ରଖିବା ମୁଁ ତାଙ୍କଠାରୁ ହିଁ ଶିଖିଲି । ଯେ କୌଣସି ବିଷୟରେ ନିଜର ନିନ୍ଦା ପ୍ରକାଶ କରିବାରେ ତାଙ୍କର ସ୍ପଷ୍ଟବାଦିତା ମୋର ମନେ ଅଛି । ମୋର ଏହା ମଧ୍ୟ ମନେ ଅଛି ଯେ ସେ ନିଜର ବନ୍ଧୁମାନଙ୍କୁ ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ନିର୍ଦ୍ୱନ୍ଦରେ ଅଥଚ ସ୍ପଷ୍ଟ ଭାବରେ ଜଣାଉଥିଲେ  । 


Wednesday, October 21, 2015

ଶ୍ରୀ ରମଣ ମହର୍ଷିକୃତ ଉପଦେଶ ସାରଶ୍ଲୋକ ୧୨



ଶ୍ଲୋକ

ଚିତ୍ତବାୟବଶ୍ଚିତ୍ କ୍ରିୟାୟୁତାଃ ।
ଶାଖୟୋର୍ଦ୍ୱୟୀ ଶକ୍ତି ମୂଲକା । ୧୨ ।


ପଦଚ୍ଛେଦ

ଚିତ୍ତବାୟବଃ – ମନ ଓ ବାୟୁ
ଚିତ୍ – ଚୈତନ୍ୟ
କ୍ରିୟା – କ୍ରିୟା
ୟୁତାଃ – ଯୁକ୍ତ
ଶାଖୟୋଃ – ଶାଖା
ଦ୍ୱୟୀ – ଦୁଇଟି
ଶକ୍ତି ମୂଳକା – ଶକ୍ତିର ମୂଳ 


ପଦ୍ୟାନୁବାଦ


ମନ ଓ ପ୍ରାଣ ଏହି ଦୁଇ
କ୍ରିୟା ଶକତି ବୋଲି କହି
ଚୈତନ୍ୟ ବୋଇଲେ ସେ ଏକା
ଇଶ୍ୱରଶକ୍ତିର ସେ ଶାଖା ।

Tuesday, October 20, 2015

ଓଡିଆ କାହିଁକି ଦରିଦ୍ର?

ଲେଖକ – ଗୋପବନ୍ଧୁ ଦାସ


ଦରିଦ୍ରତା ଓଡ଼ିଶା ଦୁର୍ଗତିର ପ୍ରଧାନ କାରଣ । ପ୍ରଧାନ କାରଣ କାହିଁକି, ଏକମାତ୍ର କାରଣ କହିଲେ ଚଳେ । ଓଡ଼ିଆ ଦରିଦ୍ର ; ତେଣୁ ଦୁର୍ବଳ । ତା ଦେହରେ ଶକ୍ତି ନାହିଁ, ମନରେ ସ୍ଫୁର୍ତ୍ତି ନାହିଁ, ହୃଦୟରେ ସାହସ ନାହିଁ । ତାର ସମସ୍ତଙ୍କୁ ଡର ; ସେ କାର୍ଯ୍ୟରେ ଅଳସୁଆ ଓ ନିରୁତ୍ସାହୀ । ଓଡ଼ିଆ ଯଥାର୍ଥରେ ନିର୍ବୁଦ୍ଧିଆ ନୁହେଁ । ଓଡ଼ିଆର ଶିଳ୍ପ ବିଚକ୍ଷଣତା ଅଦ୍ୟାପି ଜାଜ୍ଜଲ୍ୟମାନ । କୋଣାର୍କର ନବଗ୍ରହ ପଥର ଓଡ଼ିଆର ହାତ ଓ ବୁଦ୍ଧି ବଳରେ ଉପରକୁ ଉଠିଥିଲା । ତମଲୁକ ଓ ଚିଲିକା ବାଟେ ଓଡ଼ିଆ ଦେଶ ବିଦେଶରେ ଯାଇ ବାଣିଜ୍ୟ କରୁଥିଲା ତାଜମହଲ ତିଆରିରେ ଓଡ଼ିଆ  ଇଞ୍ଜିନିୟରଙ୍କର ବୁଦ୍ଧି ଖଟିଥିଲା । ସରୁ ସୂକ୍ଷ୍ମଲୁଗା ତିଆରି କରିବା ବିଷୟରେ ଓଡ଼ିଆର ବିଚକ୍ଷଣତା ଇତିହାସ ପ୍ରସିଦ୍ଧ । ଢାକା ମସଲିନ୍ ଠାରୁ ବଳି ତାରିଫ ଲୁଗା ଓଡ଼ିଆମାନେ ତିଆରି କରୁଥିଲେ । ଓଡ଼ିଆମାନେ ଆପଣା ସାହସ ଓ ବିକ୍ରମ ବଳରେ ମୁସଲମାନ ଆକ୍ରମଣକୁ ତିନିଶହ ବର୍ଷକାଳ ହଟାଇ ରଖିଥିଲେ । ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶା ସଭା ଶେଷରେ ମୁସଲମାନ ଶାସନ ତଳେ ଆସିଥିଲା । ଓଡ଼ିଶାର ଆଜି ଏସବୁ ସୌଭାଗ୍ୟ ଯାଇଛିଦାରିଦ୍ର୍ୟ ଦୋଷ ଗୁଣରାଶିନାଶୀ ଓଡ଼ିଆର ଏ ଉପସ୍ଥିତ ଦରିଦ୍ରତାର କାରଣ ଅନେକ । ଓଡ଼ିଶାର ଅଧିକାଂଶ ବଡ଼ ବଡ଼ ଜମିଦାରୀ ଓଡ଼ିଆଙ୍କ ହାତେ ନାହିଁ । ଇଂରେଜ ରାଜତ୍ୱ ଆରମ୍ଭରେ ସାମାନ୍ୟ ସାମାନ୍ୟ ରାଜସ୍ୱ ଦେଣାରେ ତାହାସବୁ ସୁଦୂର କଲିକତାରେ ଶାଗମାଛ ଦରରେ ନିଲାମ ହୋଇ ବଙ୍ଗାଳୀମାନଙ୍କ ହାତକୁ ଯାଇଛି । ବଡ଼ ବଡ଼ ଜମିଦାରୀ ଯାଇଥିଲା ; ଏବେ ପ୍ରଜାସ୍ୱତ୍ତ୍ୱ, ମକଦ୍ଦମୀ ଓ ସରବରାକାରୀ ସ୍ୱତ୍ତ୍ୱ ଓଡ଼ିଆଙ୍କ ହାତରୁ ଗଲାଣି । ବଙ୍ଗାଳୀ, ପଶ୍ଚିମା, ମାରୁଆଳୀ ଓ ବିଭିନ୍ନ ପ୍ରଦେଶର ମୁସଲମାନ୍ ମାନେ ଓଡ଼ିଶାରେ ସ୍ଥାନେ ସ୍ଥାନେ ଚାଷ ଓ ବଗିଚାଦି ଆରମ୍ଭ କଲେଣି । ଓଡ଼ିଶାର ମହାଜନୀ ମଧ୍ୟ ଏହିପରି ଅନ୍ୟ ପ୍ରଦେଶ ଲୋକଙ୍କ ହାତରେ । ବ୍ୟକ୍ତିଗତ ଭାବରେ ବା ଦଳବଦ୍ଧ ହୋଇ ବ୍ୟାଙ୍କ୍ ସୂତ୍ରରେ ଏମାନେ ଓଡ଼ିଆ ଜମିଦାର ଓ ଅନ୍ୟାନ୍ୟ ପ୍ରଜାମାନଙ୍କୁ କରଜ ଦେଇ ଶେଷରେ ସେମାନଙ୍କ ସ୍ୱତ୍ୱ ସମ୍ପତ୍ତି ନେଇଛନ୍ତି । ଓଡ଼ିଶାର କାରବାର ମଧ୍ୟ ପରଦେଶୀଙ୍କ ହାତରେ । ପ୍ରତିବର୍ଷ ଯେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଆଦି ଶସ୍ୟ ଓଡ଼ିଶାରୁ ଅନ୍ୟଆଡେ ରପ୍ତାନି ହେଉଅଛି, ସେସବୁ କାରବାରରେ ଓଡ଼ିଆ କେତେଜଣ ଅଛନ୍ତି । କଚ୍ଛି, ଗୁଜରାଟୀ, ମାରୁଆଳୀ ଓ ମୁସଲମାନ ଏ ବ୍ୟବସାୟକୁ ଏକ ପ୍ରକାର ଏକଚାଟିଆ କରିଅଛନ୍ତି । ଓଡ଼ିଶାର ଅଧିକ ଭାଗ ଗଡ଼ଜାତ, ତାହାସବୁ ଜଙ୍ଗଲରେ ପୂର୍ଣ୍ଣ । କାଠ ଓଡ଼ିଶାର ଏକ ପ୍ରଧାନ କାରବାର ଜିନିଷ । ଏ ବ୍ୟବସାୟରେ ମଧ୍ୟ ପ୍ରାୟ କେହି ଓଡ଼ିଆ ନାହାନ୍ତି । ଓଡ଼ିଆ କାପେଡ଼ିଙ୍କ ଭାଗ୍ୟ ଅସ୍ତ ହୋଇଅଛି । ଆଗେ ଯେଉଁମାନେ ଲୁଗା ଦୋକାନ କରି ମସ୍ତ ଧନୀ ହୋଇଥିଲେ ଏବେ ତାଙ୍କ ପିଲା ମାଗି ଖାଇଲେଣି । ମାରୁଆଳୀମାନେ ସହରରେ ଓ ମଫସଲ ଗାଁରେ ବିଲାତି କଳଲୁଗାର ଚକଚକିଆ ଦୋକାନ ବସାଇଛନ୍ତି । ଓଡ଼ିଆ ସେଥିରେ ଅନଳରେ ପତଙ୍ଗ ପଡ଼ିଲା ପରି ପଡୁଛନ୍ତି । ଓଡ଼ିଶାର ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଅନ୍ୟ ପ୍ରଦେଶରେ ରପ୍ତାନି କରି ଲୋକେ ଲାଭବାନ ହେଉଛନ୍ତି । ବିଦେଶୀ ଜିନିଷ ଓଡ଼ିଶାକୁ ଆଣି ଏମାନେ ଓଡ଼ିଆଙ୍କ ଧନ ନେଉଛନ୍ତି । ରାସ୍ତାଘାଟ, ସେତୁ, କୋଠା ତିଆରିରେ ସରକାର ଓ ଅନ୍ୟାନ୍ୟମାନଙ୍କର ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏଥିରୁ ଅଧାଅଧି କାନତରାଟି ନିଅନ୍ତି । ଏଥିରେ ଯେ ଓଡ଼ିଆ ଅଛନ୍ତି ତାଙ୍କ ସଂଖ୍ୟା ଏତେ କମ୍ ଯେ ଥିବା ନଥିବା ସମାନ । ଶିଳ୍ପକ୍ଷେତ୍ରରେ ଅନ୍ୟ ପ୍ରଦେଶର ଲୋକେ ଆସି କ୍ରମେ ଓଡ଼ିଆଙ୍କୁ ବେଦଖଲ କଲେଣି । ଓଡିଆ ମୋଚ଼ି ପ୍ରାୟ ସହରରୁ ଲୋପ ପାଇଛନ୍ତି, ମଫସଲର କାଁ ଭାଁ କେଉଁଠାରେ ଓ ଗଡ଼ଜାତରେ କେତେକ ଯାଗାରେ ଦେଖାଯାନ୍ତି । ସହରରେ ସେମାନଙ୍କ ସ୍ଥାନ ତେଲେଙ୍ଗା ମୋଚ଼ିମାନେ ପୂରା ଅଧିକାର କଲେଣି । ଏହାଛଡ଼ା ବିଦେଶୀ ଆମଦାନୀ ଯୋତା ସେମାନଙ୍କ ନାଶର କାରଣ ହୋଇଛି । ଲୁଗାବୁଣାରେ ମଧ୍ୟ ଓଡିଆ ତନ୍ତୀ ହାତରୁ ଅନ୍ୟ ତନ୍ତୀ କାମ ଛଡ଼ାଇ ନେଲାଣି । ସବୁ କ୍ଷେତ୍ରରୁ ଓଡ଼ିଆ କ୍ରମେ ଏପରି ବେଦଖଲ ହୋଇ ପେଟ ପୋଷିବାକୁ ବିଦେଶକୁ ପଳାଉଛନ୍ତି । ମାତ୍ର ଏସବୁ କ୍ଷେତ୍ରରେ ଯେ ଓଡ଼ିଆ ବେଦଖଲ ହେଉଛନ୍ତି, ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଚାକିରି ଲାଗି ଶିକ୍ଷିତ ଓଡ଼ିଆ ଯୁବକ ବ୍ୟସ୍ତ । ସେ କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କର ପୂରା ଦଖଲ ହୋଇନାହିଁ । ଓଡ଼ିଆମାନେ ଆଖି ଫିଟାଇ ଆପଣାର ଏ ଅବସ୍ଥା ଦେଖନ୍ତୁ । ଅନ୍ୟ ପ୍ରଦେଶ ଲୋକେ ଏ ପ୍ରଦେଶର ବ୍ୟବସାୟ ବାଣିଜ୍ୟ ଓ ଅନ୍ୟାନ୍ୟ କାରବାର କରିବା ତାଙ୍କ ଦୋଷ ନୁହେଁ । ଉଦଜୋଗୀ ପୁରୁଷ ଆଗରେ ସମସ୍ତ ସଂସାର ଉନ୍ମୁକ୍ତ । ଯେ ଯେଉଁଠାରେ ନିଜ ବୁଦ୍ଧିବଳ ଖଟାଇ କାର୍ଯ୍ୟ କରିପାରିଲେ ; ମାତ୍ର ନିଜ ଘରେ ଅନ୍ୟ ଲୋକେ ଆସି କାର୍ଯ୍ୟକରି ଧନୀ ଓ ଭାଗ୍ୟବାନ ହେବେ । ଓଡିଆ କାଙ୍ଗାଳ ହୋଇ କାନ୍ଦି କାନ୍ଦି ପେଟ ବିକଳରେ ଅନ୍ୟ ଦେଶକୁ ପଳାଇବେ । ଏହା କର୍ମଦୋଷ ଛଡ଼ା ଆଉ କଅଣ ? ଉତ୍କଳବାସୀ ନିଜର ଅବସ୍ଥା ଦେଖ, ଭାବ, ଅନ୍ୟମାନଙ୍କ ଉଦ୍ୟମରୁ ନିଜେ ଉଦ୍ୟମ କରି ଶିଖ ।

ସମ୍ପାଦକୀୟ ଟିପ୍ପଣୀ

ଏହି ଲେଖାଟି ସମାଜର ତା ୨୩-୧-୨୬-ରିଖ  ର ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଓଡ଼ିଶାର ଓ ଓଡ଼ିଆଙ୍କର ବର୍ତ୍ତମାନର ପରିସ୍ଥିତି କିଛି ଭିନ୍ନ ଅଟେ କି ?

ଏହି ଲେଖାଟି ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ୍ (ନୂଆ ଦିଲ୍ଲୀ) ୨୦୦୯ ମସିହାରେ ଛାପିଥିବା ଗୋପବନ୍ଧୁ ଚୟନିକା (ପୃଷ୍ଠା ସଂଖ୍ୟା ୨୨୮-୨୨୯) ରୁ ଉଦ୍ଧୃତ ।

Monday, October 19, 2015

କଳା କଳେବର କହ୍ନାଇ


କବି – ଭକ୍ତ ଦାସ


ଭଜନର ୟୁଟ୍ୟୁବ୍ ଲିଙ୍କ୍  - https://www.youtube.com/watch?v=RdTHv7Xbo5A