Tuesday, October 31, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା, 'ବନ୍ଧୁତା'


ଅନୁବାଦ - ଗୋର୍ବାଚୋଭ୍


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏବେ ହିଁ ସେଇ ପ୍ରତିକ୍ଷୀତ ମୁହୂର୍ତ୍ତ;
ଟେବୁଲ୍‌ ଉପରେ ବିଛେଇ ହୋଇ ପଡ଼େ,
ଅନ୍ତହୀନ ଭାବେ–
ଲ୍ୟାମ୍ପରୁ ବିଚ୍ଛୁରିତ ଆଲୋକ ରେଖା ସବୁ !
ରାତି ବଢ଼ିବା ସହ–
ଝରକାଟି ମଧ୍ୟ ବିଶାଳକାୟ ରୂପ ନିଏ;
ନାଁ, ଏବେ ଏଇଠି କେହି ବି ନାହାନ୍ତି–
ଏକ ନାମହୀନ ଉପସ୍ଥିତି,
ମୋତେ ଘେରି ପକାଏ ।।

Monday, October 30, 2017

ଅନ୍ନପୂର୍ଣ୍ଣା ଅନ୍ନ


ସରୋଜିନୀ ଚୌଧୁରୀ


ଅନ୍ନପୂର୍ଣ୍ଣା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ଚାଉଳ ଅଧ ସେର, ପାଣି ସେରେ, ଅନ୍ନପୂର୍ଣ୍ଣା ପତ୍ର ଗୋଟିଏ ।

ପ୍ରଣାଳୀ - ହାଣ୍ଡି ଚୁଲିରେ ଚଢାଇ ପାଣି ଦେଇ ସାଧାରଣ ଭାତରନ୍ଧା ନିୟମରେ ଭାତ ରାନ୍ଧି ଗାଳି ହାଣ୍ଡିର ମୁଖ ଓ ଚାରିଆଡ଼ଟା ପରିଷ୍କାର କରି ଥୋଇ ଅନ୍ନପୂର୍ଣ୍ଣା ପତ୍ରଟି ଧୋଇ ଉକ୍ତ ଭାତ ଭିତରେ ଜାକି ଦେଇ ହାଣ୍ଡି ମୁଖ ଭଲକରି ଘୋଡ଼ାଇ ରଖିବ । ଘଣ୍ଟାକ ପରେ ସରା ଉଠାଇ ପତ୍ରଟି ଭାତ ଭିତରୁ ବାହାର କରିଦେବ । ଭାତ ବାଢ଼ିବାକୁ ଗଲେ ବେଶ ଅନୁଭବ କରିବ ଯେ ଭାତରୁ ଗୋଟିଏ ସୁଗନ୍ଧି ବାହାରୁଅଛି - ଠିକ ସୁଗନ୍ଧି ବାସିବ, ଚାଉଳ ଯେପରି ବାସେ । 


 ବି.ଦ୍ର. - ଅନ୍ନପୂର୍ଣ୍ଣା ଅନ୍ନ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।

Saturday, October 28, 2017

ନିରୋ

ମାହମୁଦ ଦାରବିସ୍ 

ଅନୁବାଦ - ଜ୍ୟୋତି ନନ୍ଦ


ରୋମୀୟ ସମ୍ରାଟ ନିରୋଙ୍କର ଅବୟବର ଶଙ୍ଖମର୍ମର  ସ୍ଥାପତ୍ୟ
ରୋମର କାପିଟୋଲାଇନି ସଙ୍ଗ୍ରହାଳୟ ଠାରେ ସ୍ଥିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ଜଳୁଛି ସାମ୍ନାରେ ଲେବାନନ୍ ? ତାଙ୍କର ଆଖିଦୁଇଟି ଉଲ୍ଲସିତ ପର୍ଯ୍ୟଟକ ଆଉ ସେ ଜଣେ ଯେମିତି ନାଚୁଥାଏ ବରଯାତ୍ରୀ ଭଳି ସେଇଭଳି ନିଜେ ଚାଲୁଛନ୍ତି: ଏଇ ପାଗଳାମୀ ମୋର ପାଗଳାମୀ, ମୁଁ ଜାଣେ ବେଶ୍, ସେମାନେ ନିଆଁ ଲଗାଇଦିଅନ୍ତୁ ସେଇ ସବୁଠି ଯାହା ମୋର ଅକ୍ତିଆର୍ ରେ ନାହିଁ । ଆଉ ଯେତେକ ଶିଶୁ ଅଭ୍ୟାସ କରିନିଅନ୍ତୁ ନିଜନିଜ ଭିତରେ ଆଉ ବନ୍ଦ କରନ୍ତୁ ଏ ପାଟିତୁଣ୍ଡ ହୋହଲ୍ଲା, ଯେତେବେଳେ ମୁଁ ସୁର ଦେଉଛି ମୋର ପ୍ରିୟ ବଂଶୀରେ !

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ଇରାକ୍ ? ଏହା କ'ଣ ଖୁସି କରୁଥିବ ତାଙ୍କୁ ଆଉ ସେ ଚେଇଁ ଉଠିବେ ସ୍ମୃତିକୁ, ଇତିହାସର ଅରଣ୍ୟରେ, ତାଙ୍କର ନାଆଁ ସୁରକ୍ଷିତ ଯେଉଁଠି ଜଣେ ଶତ୍ରୁ ତାଲିକାରେ, ହାମୁରାବି, ଗିଲଗାମେଶ୍ ସହ ଓ ଆବୁ ନୁଆସ୍ ସହ : ମୋ ଆଇନ୍ ରୁ ସବୁ ଆଇନ୍, ଶାଶ୍ଵତର କମଳଟି ଫୁଟିଅଛି ମୋ ଉଦ୍ୟାନରେ ଆଉ କବିତା - ମାନେ କ'ଣ ସେଇଟା ?

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ପାଲେଷ୍ଟାଇନ୍ ? ସେ କ'ଣ ଖୁବ୍ ଆନନ୍ଦିତ ତାଙ୍କର ନାଆଁଟି ଯେତେବେଳେ ଲେଖାହୋଇଯାଇଛି ଧର୍ମପ୍ରବର୍ତ୍ତକ ସୂଚୀରେ ଜଣେ, ଯାହାକୁ କେହି କେବେ ବିଶ୍ୱାସ କରିନି ? ଧର୍ମପ୍ରବର୍ତ୍ତକ ହତ୍ୟାର ସେ, ଈଶ୍ୱର ଯାହାକୁ ଅର୍ପିଥିଲେ ସଂଶୋଧନ କରିବାକୁ ଅସୁମାରୀ ଭୁଲ୍ ସବୁକୁ ଅପାର୍ଥିବ ପୁସ୍ତକ ପୃଷ୍ଠାରୁ:ମୁଁ ବି ଜଣେ ପ୍ରବକ୍ତା ଈଶ୍ୱରଙ୍କ !

ଏବଂ କ'ଣ ଚାଲିଥିବ ନିରୋଙ୍କ ମନ ଅଗଣାରେ ଯେତେବେଳେ ସେ ଦେଖୁଥିବେ ସାମ୍ନାରେ ଜଳୁଛି ପୃଥିବୀ ? ମୁଁ ସେଦିନର ଅଧିପତି, ଯେତେବେଳେ ଡକାଯିବ ଶେଷ ବିଚାର ପାଇଁ ସମସ୍ତ ଶବକୁ ନିଜନିଜ କବରରୁ । ତାହା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବେ ସବୁ କ୍ୟାମେରାକୁ କାରଣ ସେ ଚାହିଁବେ ନାହିଁ ଦେଖିବାକୁ ନିଜ ହାତକୁ ନିଆଁ ଭିତରେ ଏକ ଦୀର୍ଘ ଆମେରିକାନ୍ ଫିଲ୍ମର ସମାପ୍ତିରେ !

ଆବୁ ନୁଆସ୍ ଙ୍କର ଚିତ୍ର (୧୯୧୬)
ଚିତ୍ରକର - ଖାଲିଲ ଜିବ୍ରାନ

[ ଆବୁ ନୁଆସ୍ (୭୫୦-୮୧୪) ହେଉଛନ୍ତି ଜଣେ ପାରସ୍ୟର ନିଷିଦ୍ଧ କବି ଯିଏ ଯୌନତା ଓ ମଦିରା କୁ ଉପଜୀବ୍ୟ କରି କବିତା ଲେଖୁଥିଲେ।ତମେ ଥରକ ପାଇଁ ବଚିଛ,ଏଇ ଭାବଧାରାର ସେ ଜଣେ ଆଦ୍ୟସ୍ୱର । ଗିଲଗାମେଶ୍ ପୃଥିବୀର ପ୍ରଥମ ସାହିତ୍ୟ କର୍ମର ନାୟକ ]

Thursday, October 26, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା 'ଆରମ୍ଭ ପୂର୍ବରୁ'

ଅନୁବାଦକ - ଗୋର୍ବାଚୋଭ୍ ପୋଥାଳ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଶବ୍ଦ ବିଭ୍ରାଟ, ଅନିଶ୍ଚିତ ସ୍ପଷ୍ଟତା ।
ଗୋଟିଏ ନୂଆ ଦିନର ଆରମ୍ଭ ।
କୋଠରୀଟେ, ଅଧା ଛାଇ, ଅଧା ଆଲୁଅ
ତା’ରି ଭିତରେ ଦୁଇଟି ଦେହ ପ୍ରସାରିତ ।
ମୋ ଭିତରେ ମୁଁ ଯେମିତି
ଦିଗହୀନ ପ୍ରାନ୍ତରରେ ହଜିଯାଏ ଏକୁଟିଆ ।
ମୁହୂର୍ତ୍ତ ସବୁ ସେମାନଙ୍କୁ କତୁରୀ ପକାନ୍ତି ।
କିନ୍ତୁ ମୋ ପାଖରେ ଶୋଇ ତୁମେ ନିଃଶ୍ୱାସ ମାରୁଥାଅ;
ନିଜ ଗଭୀରତାରେ ପୋତି ହୋଇ,
କେମିତି ଦୂର ଦୂର ହୋଇ ନିଶ୍ଚଳ, ନିଥର ବହି ଚାଲିଥାଅ ।
ଯେତେବେଳେ ତୁମକଥା ଭାବେ ତୁମେ ଅପହଞ୍ଚ,
କେବଳ ମୋ ଆଖିରେ ମୁଁ ତୁମକୁ ଛୁଏଁ,
ହାତରେ ତୁମକୁ ନିରେଖି ଦେଖେ ।
ସ୍ୱପ୍ନ ଅଲଗା କରେ ସିନା
ରକ୍ତ ଯୋଡ଼ିଦିଏ ଆମକୁ:
ଆମେ ଦୁହେଁ ଯେ ନାଡ଼ି ସ୍ପନ୍ଦନର ନଦୀଟିଏ ।
ତୁମ ଆଖିପତା ତଳେ ସୂର୍ଯ୍ୟଙ୍କ ବୀଜ ପାକଳ ହୁଏ ।
କାଳ ଖାଲି ବିସ୍ମିତ ହୁଏ, ବିସ୍ମିତ ହୁଏ ଯେ,
ପୃଥିବୀ ତଥାପି ନିଶ୍ଚିତ ନୁହେଁ: ବାସ୍ତବ ନୁହେଁ
ନିଶ୍ଚିତ ଯା’ କେବଳ ତୁମ ଦେହର ଉତ୍ତାପ ।
ତୁମ ନିଃଶ୍ୱାସରେ ଶୁଣେ ଅସ୍ତିତ୍ୱର ଜୁଆର,
ଭୁଲି ଯାଇଥିବା ଆରମ୍ଭର ପଦାଂଶ ।

Tuesday, October 24, 2017


ଏଣୁ-ତେଣୁ

ନନ୍ଦିତା ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସିନେମା ଦେଖିବା ପାଇଁ ଯାଇଥିଲି ‘ଆଇନକ୍ସ୍’ । ଅନେକ ବର୍ଷ ପରେ , ଝିଅର ବାଧ୍ୟବାଧକତାରେ । ଗେଟ ଭିତରେ ପଶୁ ପଶୁ ହିଁ ଝୁଣ୍ଟିଥିଲି ମୁଁ । ଗେଟରେ ଛିଡା ହେଇଥିବା ମହିଳା ଜଣକ ମୋର ବ୍ୟାଗ ତନଖି କରି ସେଥିରେ ଥିବା କିଛି ଚିନାବାଦାମ ଭଜା, ଦୁଇଚାରୋଟି ଚକୋଲେଟ ଓ ଛୋଟିଆ ପାଣି ବୋତଲଟିକୁ ବି କାଢ଼ି ନେଲେ । କୁଆଡ଼େ ସେଠି ସିନେମା ଦେଖିବାକୁ ହେଲେ ସାଙ୍ଗରେ କିଛି ନେଇ ଯାଇ ପାରିବନି । ଯାହା କିଣିବ ସେଇ ହଲ୍ ର ପରିସର ଭିତରୁ । ତାହା ପୁଣି ପ୍ରକୃତ ଦାମ ଠାରୁ ଆଠଦଶ ଗୁଣ ଅଧିକ ଦେଇ । 

ସିନେମା ହଲ ଭିତରେ ବସି ମୋର ମନେ ପଡୁଥିଲା ରାଉରକେଲାର ରିଙ୍ଗ ରୋଡ କଡ଼, ଦୀପକ ହଲରେ 'ଶ୍ରୀ ଜଗନ୍ନାଥ ‘ ସିନେମା ଦେଖିବା କଥା । ସେତେବେଳେ ସିନେମା ଦେଖି ଯିବାଟା ତ ଆମ ପାଇଁ କୌଣସି ପାର୍ବଣ ଠାରୁ କମ୍ ନ ଥିଲା । ବାବା ଓ ପଡ଼ୋଶୀ ମଉସା ସକାଳୁ ଯାଇ ଲାଇନି ଲଗେଇ ଟିକେଟ କାଟି ଆଣୁଥିଲେ । ମା ଓ ମାଉସୀ ଶାଢ଼ି ପିନ୍ଧିବା ପୂର୍ବରୁ ଆମେ ପିଲାମାନେ ଜାମାଯୋଡ଼ ହେଇ ଯାଇ ଛିଡ଼ା ହେଇ ପଡ଼ୁଥିଲୁ । କମଳା ରଙ୍ଗର ଟାଉନ ବସର ବିରାଟ ପେଟରେ ଗୋଟେ ଗୋଟେ ସିଟରେ ବସି ପଡ଼ୁଥିଲୁ ଆମେ । ରିଙ୍ଗ ରୋଡ଼ରେ ଧୂଆଁ ଫୋପାଡି ଧାଉଁଥିଲା ବସ୍, ଆଉ ତା ସହିତ ଆମେ ବି ଦଉଡୁଥିଲୁ । ବସ ପହଞ୍ଚିବା ଆଗରୁ ଆମେ ପହଞ୍ଚିବାକୁ ଚାହୁଁଥିଲୁ ଆମ ଗନ୍ତବ୍ୟ ସ୍ଥଳିରେ । 

ହଲ ଭିତରର ଅନ୍ଧାରିଆ ପରିବେଶ, ଧଳା ପରଦାରେ ଦେବତା ଆଉ ଅସୁରଙ୍କର ଫାଇଟିଙ୍ଗ । ମଝିରେ ମଝିରେ ଜେନା ମାଉସୀଙ୍କର ପରଦା ଉପରେ ଜଗନ୍ନାଥଙ୍କୁ ଦେଖି ବାରମ୍ବାର ଦୁଇ ହାତ ଯୋଡ଼ି ମୁଣ୍ଡରେ ମାରୁଥିବାର ବା ଅଧାଗଢା ଦିଅଁଙ୍କୁ ଦେଖି ଝରଝର କାନ୍ଦୁ ଥିବାର ଦୃଶ୍ୟ । ଇଣ୍ଟରଭାଲରେ ହଲ ଭିତରେ ବୁଲୁଥିବା ବାଦାମବାଲା ଠାରୁ ଗରମ ଗରମ ଚିନାବାଦାମ ଆଉ ବୁଟ ଭଜା ଖିଆ, ତ ଆଉ କେବେ କେବେ ଲେମ୍ବୁ ଲୁଣ ବୋଳା ପୋଡ଼ା ମକା ଖିଆ । ସିନେମା ଦେଖା ଠାରୁ ବୋଧେ ବେଶୀ ଆକର୍ଷଣୀୟ ଥିଲା ଏ ସବୁ ।

ଇଣ୍ଟର୍ମିଶନରେ ଝିଅ ଠୁଙ୍ଗାଏ ମକାଖଇ (ପପକର୍ଣ୍ଣ) ଆଣି ମୋ ହାତରେ ଧରେଇ ଦେଇ କହିଲା, "ମାମା, ପପକର୍ଣ୍ଣ... ସେଇ ମକା ମ ।“ ପାଟିରେ ଦି‘ଟା ପକେଇଲି । ସଞ୍ଚରି ଗଲା ଏକ ଖଟା-ମିଠା ଚଟପଟା ସ୍ଵାଦ ଜିଭ ସାରା । ହେଲେ ମୋର ସ୍ଵାଦଗ୍ରନ୍ଥି ସବୁ ବୋଧେ ଖୋଜୁଥିଲେ ଆଉ କିଛି । ଏଇ ଜିଭଟା ପରା ଭାରି ଦଗାଦିଆ । ଚିମୁଟି ଦେଇ, ସାଙ୍ଗେ ସାଙ୍ଗେ ଟାଣି ନେଇ ଛିଡ଼ା କରିଦେବ ଅତୀତର ସେଇ ଅର୍ଗଳି ଭିତରେ, ଯେଉଁଠି ପ୍ରବେଶ ନିଷେଧର ବୋର୍ଡ଼ ଲାଗିଥିବ । 

ବାସ୍ କେବଳ ମାନସ ଚକ୍ଷୁରେ ଦିଶିଯିବ... ସିନେମା ହଲ ସାମ୍ନାରେ, ଠେଲାଗାଡିରେ ବସିଥିବ ବିହାରୀ ବୁଢ଼ା । ମୁଣ୍ଡରେ ଠେକା ପରି ବାନ୍ଧିଥିବ ଗୋଟେ ଗାମୁଛା । ଠେଲାରେ ଗୋଟେ ପଟେ ଗଦା ହେଇଥିବ ମକା । ଆଉ ଗୋଟେ ପଟେ ଦିକ ଦିକ ହେଇ ଜଳୁଥିବ କୋଇଲା ଆଞ୍ଚ । ସିଏ ଗୋଟିଏ ଗୋଟିଏ ମକାରୁ ଚୋପା ଛଡ଼େଇ କୋଇଲା ଆଞ୍ଚରେ ପକଉଥିବ। ମଝିରେ ମଝିରେ ପାଟି କରୁଥିବ “ଭୁନା ହୁଆ ଭୁଟ୍ଟା ଲେଲୋ ବାବୁ, ଦୋ ରୁପିଏ ମେ ଏକ୍ । ପାଞ୍ଚ୍ କା ତିନ୍ ।“ ଆଞ୍ଚରୁ ହାଲକା ଧୂଆଁ ଉଠୁଥିବ । କୋଇଲା ଜଳିବାର ଆଉ ମକା ପୋଡ଼ାର ମିଶାମିଶି ସୁନ୍ଦର ବାସ୍ନା ଘୁରି ବୁଲୁଥିବ ଚାରିପଟେ । ନାକ ପଟ ଦେଇ ପେଟ ଯାଏଁ ପହଞ୍ଚି ଯାଉଥିବ । ବିହାରୀ ବୁଢ଼ା ଗୋଟେ ପୋଡ଼ା ମକା ଉପରେ ଲେମ୍ବୁ ଓ କଳାଲୁଣ ବୋଳିବ ବଡ଼ ଯତ୍ନରେତା' ପରେ ତାକୁ ମକା ଚୋପାରେ ଗୁଡେଇ ଧରେଇ ଦେବ ହାତରେ । ମକା ଚୋବାଉ ଚୋବାଉ ଆମେ କେତେବେଳେ ଯେ ଘରେ ପହଞ୍ଚି ଯିବୁ, ଜଣା ବି ପଡ଼ିବନି । 

ଅତୀତଟା ଏମିତି, ଯେଉଁଠିକି ଆଉ କେବେ ଫେରି ଯାଇ ହେବନି, ହେଲେ ମୃତ୍ୟୁ ଯାଏଁ ,ସେ ସିଏ କେବେ ପିଛା ଛାଡ଼ିବନି । ବେଳ ଅବେଳରେ ଏମିତି ଆସି ଛିଡ଼ା ହେଇଯିବ ସାମ୍ନାରେ, ବିନା ନିମନ୍ତ୍ରଣରେ, ଆ ମୋତେ ଛୁଉଁ କହି ।

Sunday, October 22, 2017

ଦୀପାବଳିର ଛବି

ଜ୍ୟୋତି ନନ୍ଦ


ଚିତ୍ରୋତ୍ତଳକ - ଅଜ୍ଞାତ

ଏଇ ଛବିଟି ସଙ୍ଗୃହିତ । ଛବିର ପ୍ରକୃତ ମାଲିକଙ୍କୁ ମୁଁ ଜାଣେନାହିଁ । ସେହି ଅଜ୍ଞାତ ଚିତ୍ରୋତ୍ତଳକଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଗଲାକାଲି ଭାରତର ପ୍ରସିଦ୍ଧ ଯୋଗୀ ତଥା ଉତ୍ତର ପ୍ରଦେଶକୁ ଉର୍ବର ପ୍ରଦେଶରେ ପରିଣତ କରିବା ନିମନ୍ତେ ଦୃଢସଙ୍କଳ୍ପବଦ୍ଧ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଏକ ପୌରାଣିକ କଥାର ଭବ୍ୟ ରୂପାୟନ କରି ଅଯୋଧ୍ୟାବାସୀଙ୍କ ସହିତ ସମସ୍ତ ଭାରତକୁ ବିହ୍ୱଳ କରିଦେଇଛନ୍ତି ।
ଗଲାକାଲି ଆପଣମାନଙ୍କର ସ୍ମରଣରେ ଥିବ ଯେ, ଏହା ଏକ ଐତିହାସିକ କ୍ଷଣ ଥିଲା, ଯେତେବେଳେ ପୌରାଣିକ ମର୍ଯ୍ୟାଦାପୁରୁଷ ପ୍ରଭୂ ଶ୍ରୀରାମଚନ୍ଦ୍ର ମାତା ଜାନକୀ ଓ ଭ୍ରାତା ସୌମିତ୍ରିଙ୍କ ସହ ଚଉଦ ବର୍ଷ ବନବାସାନ୍ତେ ଇତିହାସର ସୁସଜ୍ଜିତ ପୁଷ୍ପକବିମାନରେ ଆସି ପାବନ ଅଯୋଧ୍ୟାଭୂମିରେ ପଦାର୍ପଣ କରିଥିଲେ । ଏବଂ ସେଇ ପୌରାଣିକ କ୍ଷଣକୁ ଇତିହାସର ବୈଧତା ପ୍ରଦାନ କରିବା ପାଇଁ ଯୋଗୀ ପ୍ରବର ଶ୍ରୀଯୁକ୍ତ ଆଦିତ୍ୟନାଥ ଏକ ଭବ୍ୟ ଆୟୋଜନ କରିଥିଲେ ।
ଅବଶ୍ୟ ପ୍ରଭୂ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରଦେଶର ଦ୍ୱାରଦେଶରେ ପହଞ୍ଚିବା ମାତ୍ରକେ ସେହି ବିଶେଷ କାହାଣୀର ପୁନରାବୃତ୍ତି ହୋଇଥିଲା କି ନାହିଁ, ତାହାର ସବିଶେଷ ତଥ୍ୟ ଜଣେ ସୁଦୂର ଓଡିଶାବାସୀ ହିସାବରେ ମୋ ପାଖରେ ଉପଲବ୍ଧ ନାହିଁ ।
ଆପଣଙ୍କୁ ସେଇ କାହାଣୀଟି ମନେ ପକାଇ ଦେଉଛି ।
ପିତୃସତ୍ୟ ପାଳି ପ୍ରଭୂ ଶ୍ରୀରାମଚନ୍ଦ୍ର ଯେତେବେଳେ ବନବାସରେ ବାହାରିଲେ, ସେତେବେଳେ ତାଙ୍କ ସହିତ କେବଳ ଯେ ମାତା ଜାନକୀ ଆଉ ଭ୍ରାତା ସୌମିତ୍ରୀ ବନସ୍ତକୁ ଯିବାପାଇଁ ବାହାରିଲେ ସେ କଥା ନୁହଁ, ସମଗ୍ର ଅଯୋଧ୍ୟାବାସୀ ବି ଜିଦ୍ ଧରିଲେ, ସେମାନେ ବି ବନସ୍ତକୁ ଯିବେ ନିଜ ପ୍ରଭୂଙ୍କ ସହିତ । ପ୍ରଭୂ ଅଯୋଧ୍ୟାର ସୀମାନ୍ତ ଅତିକ୍ରମ କରିବା ପୂର୍ବରୁ ସବୁ ଅଯୋଧ୍ୟାବାସୀଙ୍କୁ ଏକ ନିବେଦନ କରି କହିଥିଲେ, ପିତୃସତ୍ୟକୁ ଲଙ୍ଘି ହେବ ନାହିଁ । ଚଉଦ ବର୍ଷ ପରେ ମୁଁ ଅବଶ୍ୟ ଫେରିବି । ତେଣୁ ହେ ଅଯୋଧ୍ୟାର ନରନାରୀମାନେ, ତମେ ଏବେ ଫେରିଯାଅ । ଫେରିଯାଇ ଅଯୋଧ୍ୟାର ସେବା କର ।
ପ୍ରଭୂଙ୍କ ନିର୍ଦ୍ଦେଶ ବୋଲି କଥା । ତାହାକୁ ଅମାନ୍ୟ କରି ହେବ ନାହିଁ । ତେଣୁ ଅଯୋଧ୍ୟାର ସବୁ ନରନାରୀମାନେ ଫେରିବାକୁ ଆରମ୍ଭ କରିଥିଲେ, ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ, ମାତା ଜାନକୀ କୀ ଜୟ, ଶ୍ରୀ ଲକ୍ଷ୍ମଣଲାଲ୍ କୀ ଜୟ, ବୋଲି ଜୟଧ୍ୱନି ଦେଇଦେଇ ।
ଚଉଦ ବର୍ଷର ବୀରତ୍ୱର କାହାଣୀର ବନବାସ ପରେ, ଶ୍ରୀରାମଚନ୍ଦ୍ରଙ୍କୁ ପ୍ରବେଶ କରିବାକୁ ହେବ, ବ୍ୟକ୍ତିଗତ ବିପର୍ଯ୍ୟୟର ଏକ କାହାଣୀକୁ, ଆପଣ ଜାଣନ୍ତି । ଏଇ ଦୁଇଟି କାହାଣୀ ମଝିରେ ଶ୍ରୀରାମଚନ୍ଦ୍ର ପହଞ୍ଚିଗଲେ ଅଯୋଧ୍ୟାର ସୀମାନ୍ତରେ । ସେଇଠି ତାଙ୍କ ପାଇଁ ଅପେକ୍ଷା କରିରହିଥିଲା ଅପୂର୍ବ ଆଶ୍ଚର୍ଯ୍ୟଟିଏ । ଅଯୋଧ୍ୟାର ସମସ୍ତ ପ୍ରଜାକୂଳ ସମବେତ ସେଇଠି ଚଉଦ ବର୍ଷ ପରେ ପ୍ରଭୂଙ୍କୁ ସ୍ୱାଗତ କରିବା ପାଇଁ ।
ସେମାନଙ୍କର ଭିତରୁ କେତେ ଜଣଙ୍କର କଥା ।
ସେମାନେ କରଯୋଡି ଠିଆ ହେଲେ । କହିଲେ, ପ୍ରଭୂ ଆମେ ଆପଣଙ୍କୁ ଅପେକ୍ଷା କରି ରହିଛୁ, ଏଇଠି ଗତ ଚଉଦ ବର୍ଷ ହେଲା, ଏବେ ଆମ ପାଇଁ କେଉଁ ଆଜ୍ଞା ପ୍ରଭୂ ?
ପ୍ରଭୂ ଶ୍ରୀରାମଚନ୍ଦ୍ର ବିସ୍ମିତ ହେଲେ । କହିଲେ, ତମେ ?
ସେମାନେ ସେମିତି ହାତଯୋଡି କହିଲେ, ପ୍ରଭୂ ଆପଣ ନିର୍ଦ୍ଦେଶ ଦେଲେ ଅଯୋଧ୍ୟାକୁ ନିଜନିଜ କାମକୁ ଫେରିଯିବାକୁ ,ସବୁ ନରନାରୀଙ୍କୁ । ପ୍ରଭୂ ଆମେ ନର ନୁହଁ କି ନାରୀ ନୁହଁ, ତେଣୁ ଅପେକ୍ଷା କରିଛୁ ଆପଣଙ୍କୁ ଏଇଠେ ? ନିର୍ଦ୍ଦେଶ ପାଇଁ ?
ଶ୍ରୀରାମଚନ୍ଦ୍ର ଏଇ କଥାରେ ବିଗଳିତ ହୋଇଗଲେ । ପ୍ରଭୂ ଜଣେ ବିଗଳିତ ହୋଇଯିବା ମାନେ, ଜାଣିବାକୁ ହେବ ଯେ, ପୁରାଣରେ ଗୋଟିଏ ବିଶେଷ କ୍ଷଣ ଉପସ୍ଥିତ ହେଲା, ଆଉ ଏହା ପରେ ପୁରାଣ କଡ଼ ଲେଉଟାଇବ । ଏଇ ମୁହୂର୍ତ୍ତଟି ହେଉଛି ବରଦାନର ମୁହୂର୍ତ୍ତ । ପ୍ରଭୂ ଶ୍ରୀରାମଚନ୍ଦ୍ର ସେମାନଙ୍କୁ, ଅର୍ଥାତ୍ ଯେଉଁମାନେ ନର ବା ନାରୀ ନଥିଲେ ସେହି ମାନଙ୍କୁ, ବର ପ୍ରଦାନ କଲେ, ସେମାନେ କଳିକାଳରେ ସମସ୍ତ କ୍ଷମତାର ଅଧିକାରୀ ହୋଇ ସୁଖରେ କାଳ କାଟିବେ ।
ନର ବା ନାରୀ ହୋଇନଥିବା ସେଇ ଅଯୋଧ୍ୟା ପ୍ରଜା କେତେକ ସୋଲ୍ଲାସ ଚିତ୍କାର କଲେ,ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ ।
ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜଟାଜୁଟ ଶୋଭିତ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ସହ ଅନ୍ୟମାନଙ୍କୁ ଏକ ପୁଷ୍ପକବିମାନ କଳ୍ପ ବ୍ୟୋମଜାନରୁ ଅବତରଣ କରାଇବା ସହ ସ୍ୱର୍ଗରୁ ପୁଷ୍ପବୃଷ୍ଟିର ଦୃଶ୍ୟଟି ଯଥେଷ୍ଟ ଦକ୍ଷତା ଓ କୁଶଳତାର ସହ ସଂରଚନା କରିଥିଲେ । ମାତ୍ର ଆମର ପୂର୍ବୋକ୍ତ ଏଇ କାହାଣୀଟି ସେଠାରେ ଘଟିଥିଲା, କି ନାହିଁ, ତାହା ଜଣାନାହିଁ । ସେଇଟି କହିବାକୁ ଗଲେ ଏକ କାହାଣୀ, କ୍ଷମତାର ଏକ ଅତୀତ କଥା ।
ତାହା ପରେ କିନ୍ତୁ ଶ୍ରୀଯୁକ୍ତ ଆଦିତ୍ୟନାଥ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଦୀପରେ ଝଲମଲ କରି ଦେଇଥିଲେ, ଯାହା ଅତ୍ୟନ୍ତ ନୟନାଭିରାମ ଥିଲା, ଆଉ ଈର୍ଷୁକ ମାନଙ୍କୁ ଈର୍ଷାରେ ଅନ୍ଧ କରିଦେଇଥିଲା ।
ଯଦି ଆମର ଶାସକକୂଳ ଗୋଟିଏ କାମ କରିପାରନ୍ତେ, ତାହାହେଲେ ଆମର ଆଉ କୌଣସି ଚିନ୍ତା ରହନ୍ତା ନାହିଁ । ସେଇଟା ସେତେ ବଡ କଥା ନୁହଁ । ଭାରତୀୟମାନଙ୍କ ଶରୀରରୁ ପେଟଟିକୁ ବାହାର କରି, ସେଇଠି କେବଳ ଆଖି ଆଉ କାନ କେତେ ହଳ ଅଧିକ ଯୋଡିଦେବାର କଥା ।
ଏଇ ନିର୍ଲଜ ପେଟଟି ଅଛି ବୋଲି ଲକ୍ଷଲକ୍ଷ ଦୀପାଳିରେ ଝଲମଲ ଅଯୋଧ୍ୟାର କିଛି ଈର୍ଷୁକ ଅଧିବାସୀ ତାହା ପରଦିନ ସକାଳୁ ସକାଳୁ ବାହାରି ପଡିଛନ୍ତି ଜାରକେନ୍ ମାନଙ୍କୁ ଧରି ସେଇ ପୋଡା ଦୀପାଳିରୁ ବଳିଥିବା ତେଲଟିକକୁ ସଙ୍ଗ୍ରହ କରିବାକୁ । ସେଇ ପୋଡାତେଲରେ ହୁଏତ ସେମାନଙ୍କର ଜୀବନ ସଳିତାଟି ଅଧିକ ତେଜିଆନ ହୋଇ ଜଳିପାରେ ଦିନଟିଏ ।
ଏଇ ଛବି ଝଲମଲ ଅଯୋଧ୍ୟାର ପୋଡାତେଲ ସହ ପେଟ ପୋଡିବାର ଛବିଟିଏ ।
ରକ୍ଷା, ଆମ ଓଡିଶାରେ ସେମିତି କୌଣସି ପୌରାଣିକ ବିଶିଷ୍ଟ ମୁହୂର୍ତ୍ତକୁ ଇତିହାସର ପୁଷ୍ପକ ବିମାନରେ ସଜାଇବାର ଅବକାଶ ନାହିଁ । ନ ଆସୁ କେବେ ।

ସମ୍ପାଦକୀୟ ଟୀକା

ଚିକିତ୍ସା ଅଭାବରେ ପିଲାମାନେ ଉତ୍ତରପ୍ରଦେଶର ଡାକ୍ତରଖାନାରେ ଉତ୍ତର-ଗୋଧ୍ରା ସମୟର ଗୁଜୁରାତ ଦଙ୍ଗାରେ ସଙ୍ଖ୍ୟାଲଘୁଙ୍କ ଭଳି ମରୁଥିବା ବେଳେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି 'ତ୍ରେତୟା ଯୁଗର ଭବ୍ୟ ଦୀପାବଳୀ ପାଳିବା'ର ପୁଣ୍ୟକର୍ମ ନିଶ୍ଚିତ ଭାବରେ ଯୋଗୀଜନୋଚିତ କର୍ମଟିଏ । ଅବଶ୍ୟ ଏଭଳି ପୁଣ୍ୟ କର୍ମ ଆମର ସମାଜରେ କିଛି ନୂଆ ନୁହେଁ । ତାଜମହଲ ଗଢ଼ା ହେବା ସମୟରେ ନିଶ୍ଚିତ ଭାବରେ ପିଲା ଚିକିତ୍ସା ଅଭାବରେ ମରୁଥିବେ । କୋଣାର୍କ ଗଢ଼ାହେବା ସମୟରେ ବୋଧେହୁଏ ଅନେକ ଚଷୁଣୀମାନଙ୍କର ଥନ ଶୁଖିଥିବ, ଖଜଣା ପାଇଁ ତାଙ୍କ ମରଦମାନେ ରଜାକୁ ଯୋଗାଇଥିବା ଧାନର ଅଭାବରେ । ରାଜାଧିରାଜ କନିଷ୍କ ଚତୁର୍ଥ ବଉଧ ମହାସଭାର ମୂଖ୍ୟ ଭାବରେ ଆଲୋଚନା ପରେ ଥେରାମାନଙ୍କ ସହ ଭୁରିଭୋଜନ କଲାବେଳେ, ସେହି ମହାନୁଭାବମାନେ ଘରେ ଛାଡ଼ି ଆସିଥିବା ତାଙ୍କର ଅନେକ ଭାଇବନ୍ଧୁ କୁଟୁମ୍ବ, ନିଶ୍ଚେ ପେଟରେ ଓଦାକନା ପକେଇ ଶୋଇଥିବେ । ଦ୍ୱାପରରେ ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞରେ ମହଣ ମହଣ ଘିଅ ପୋଡ଼ୁଥିବା ସମୟରେ, ଅନେକ ଶିଶୁଙ୍କର ତୋଟି ପଳେ ଗୁରସ ବିନା ନିଶ୍ଚୟ ସୁଖିଥିବ । ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀ ରାମ ଅଶ୍ୱମେଧ ଯାଗ କରି ଦାନରେ ବାମୁଣ ପୋଏଙ୍କୁ ଲୁଗାରେ ପୋତି ପକଉଥିବା ବେଳେ, ନିଶ୍ଚିତ ଭାବରେ କେଉଁ ଚାଣ୍ଡାଳ ଯୁବତୀ ବଧୁର (ଶୁଦ୍ରକର?) ସ୍ତନ, ଯଉବନ ସାତସିଆ କନା ଦେଇ ବୋଧେହୁଏ ଦୁଶିଯାଉଥେବ ।

ହେଲେ ଆମେ ନା ତ୍ରେତୟା ଯୁଗରେ ବଞ୍ଚୁଛୁ, ନା ଦ୍ୱାପର ଯୁଗରେ । ଆମେ ନା ଲାଙ୍ଗୁଳା ନରସିଂହର ପ୍ରଜା, ନା ଆମେ କନିଷ୍କର ଖାତକ । ଗୋଟାଏ ହୃଦୟହୀନ, ରକ୍ତଶୋଷା ବେପାରୀ ଜାତି ସହ ଲଢ଼ିଲଢ଼ି, ଝାଳ, ରକ୍ତ, ହିଆର କୋହ ଢାଳିଢାଳି ସ୍ୱାଧୀନ ହୋଇଥିବା ଗୋଟାଏ ଜନସମୁଦ୍ର ଆମେ । ଦେଶର ସବୁଠାରେ ବଡ଼ ରାଜ୍ୟରେ, ହଜାର ହଜାର ସଙ୍ଖ୍ୟାରେ ପିଲା ଚିକିତ୍ସା ଅଭାବରେ ମରୁଥିବା ବେଳ, ଆମରି ଟଙ୍କାରେ, ଗଣତାନ୍ତ୍ରିକ ଉପାୟରେ ଭୋଟ ଜିତି ସରକାର ଗଢ଼ିଥିବା, ଗୋଟେ ବାବାଜୀ ଯଦି ଭବ୍ୟ ଦୀପାବଳୀ ପାଳନ କରୁଛି, ଆଉ ସେତେବେଳେ ଆମକୁ ତାଜମହଲ ଆଉ କନିଷ୍କ ମନେ ପଡ଼ୁଛନ୍ତି, ନୟନାଭିରାମ ରାମଙ୍କର ସ୍ମରଣ ହେଉଛି, ହେଲେ ନିଜ ପିଲାକୁ ଗୋରଖପୁରର ଡାକ୍ତରଖାନାରେ ସବୁଦିନ ପାଇଁ ହଜେଇଦେଇ ଆସିଥିବା ମା'ର ଶୁଖିଯାଇଥିବା ଆଖିର ଅନ୍ଧାରର କାଳିମାରେ ତାଜମହଲ, କୋଣାର୍କ ଓ କନିଷ୍କ ଇତ୍ୟାଦି ସବୁ ଇତିହାସର ଉଚ୍ଛିଷ୍ଟ ଲୁଚିଯାଉନାହାନ୍ତି, ତେବେ ଆମକୁ ଲଜ୍ଜା ଲାଗିବା କଥା ।

ଚିକିତ୍ସା ଅଭାବରେ ମରିଥିବା ସେଇ ପିଲାଙ୍କ ଚିତାରେ ପୋଡ଼ିଯାଉ ଆମର ବୁଦ୍ଧିଜୀବୀତ୍ତ୍ୱ, ଦାହ ହୋଇ ପାଉଁଶ ହେଉ ଆମର ହୃଦୟହୀନତା । ତାହାହେଲେ ଯାଇ ଦେଶରେ ରାମରାଜ୍ୟ ଆସିବାର ସମ୍ଭାବନା ଅଛି ।   

Friday, October 20, 2017


ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୩


ସଙ୍କଳନ - ସ୍ନେହଲତା ଷଡଙ୍ଗୀ


କୋଚିଲା ଗଛ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୧


ଜୀବର ପାପ ପୁଣ୍ୟ ବାଣୀ
ମରଣ କାଳେ ତାହା ଜାଣି ।

ଅର୍ଥ : ମଣିଷ ଭଲ କାମ କରିଥିଲେ, ତାହାର ଶେଷ ଜୀବନ ଭଲରେ କଟେ ଓ ସୁରୁଖୁରୁରେ ଇହଲୀଳା ସମ୍ବରଣ କରେ । ନଚେତ ବହୁତ କଷ୍ଟ ପାଇଁ ଜୀବନକୁ ବୋଝ ଭାବରେ ବୋହି ଚାଲେ । ଶେଷରେ ମୃତ୍ୟୁବରଣ କରେ । ଯେତେ ବେଳକୁ ତାହା ପ୍ରତି ସମସ୍ତେ ବିମୁଖ ହୋଇ ସାରିଥାନ୍ତି ଓ ଭାବନ୍ତି ଚାଲିଯାଇଛି, ଭଲ ହେଲା ।

୧୨


ଅଧର୍ମ ବିତ୍ତ, ବଢେ଼ ବହୁତ
ଗଲା ବେଳେ ଯାଏ ମୂଳ ସହିତ ।

ଅର୍ଥ : ଜଣେ ଅଧର୍ମ କରି, ଅର୍ଥାତ, ଅନ୍ୟ ଲୋକଙ୍କୁ ଦୁଃଖ ଦେଇ ଅସତ ଉପାୟରେ ଧନ ଉପାର୍ଜନ କଲେ, ଦିନେ ତାହା ମୂଳ ପୁଞ୍ଜି ସହ ସବୁକିଛି ଚାଲିଯାଏ ଓ ସେ ଦାଣ୍ଡର ଭିକାରି ହୋଇଯାଏ । ତେଣୁ କେବେ ହେଲେ ଧର୍ମକୁ ନିଜଠାରୁ ଅଲଗା କରିବା ଉଚିତ ନୁହେଁ ।

୧୩


ଗଛ ପଛେ କୋଚିଲା ହେଉ,
ମୂଳରେ କାର୍ଯ୍ୟ ଥାଉ ।

ଅର୍ଥ : ଏହା ଏକ ପୁତ୍ର ଦ୍ୱାର ନିପିଡ଼ିତ ମା’ର ପୁଅକୁ ଅଭିଶାପ । ତାହାର ଅର୍ଥ ଗଛର ଫଳ ହୁଏତ କୋଚିଲା ଗଛ ଭଳି ତିକ୍ତ ଓ ଅଦରକାରୀ ହୋଇଥାଉ, କିନ୍ତୁ ବଞ୍ଚିକରି ଥାଉ । ପୁଅ ମୋତେ ଯେପରି କଷ୍ଟ ଦେଉଛି, ସେହି ଭଳି ସେ ତାହାର ପିଲାମାନଙ୍କ ଦ୍ୱାରା ନିର୍ଯାତିତ ହେଉ । ହେଲେ ବଞ୍ଚି କରିଥାଉ ।

୧୪


ଡର କାହାକୁ ଭୟ କାହାକୁ
ଠାକୁରେ ଅଛନ୍ତି ଚଉ ବାହାକୁ ।

ଅର୍ଥ : ଭଗବାନଙ୍କ ଉପରେ ବିଶ୍ୱାସ ରଖି ସତ୍ ପଥରେ ଚାଲିଲେ ଅସୁବିଧା ବେଳେ ଭଗବାନ ହିଁ ସାହା ହେବେ ।

୧୫


କଥା କହି ଜାଣିଲେ ସୁନ୍ଦର
ମଥା ବାନ୍ଧି ଜାଣିଲେ ସୁନ୍ଦର ।


ଅର୍ଥ : ମଣିଷ ସବୁବେଳେ ସମସ୍ତଙ୍କ ସହିତ ମଧୁର ବ୍ୟବହାର କରିବା ଉଚିତ ।

Wednesday, October 18, 2017

ନିଜକୁ ଜଣେ ବିଫଳ ନବପ୍ରତିଭା ମନେକରି


ଜ୍ୟୋତି ନନ୍ଦ 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

( ଗପ କୁ ଏକ ଆଦୋଳନ ବୋଲି ବିଚାରି ଆସିଥିବା ସମ୍ଭ୍ରାନ୍ତ ଗଳ୍ପ ପତ୍ରିକା "କଥା"ର ଏକ ବିଶେଷ ମୁହୂର୍ତ୍ତରେ ଆମେମାନେ ଅର୍ଥାତ୍ ବିଶିଷ୍ଟ ଗାଳ୍ପିକା ଶ୍ରୀଯୁକ୍ତା ଗାୟତ୍ରୀ ସରାଫ୍, ବିଶିଷ୍ଟ ସମାଲୋଚକ ଶ୍ରଦ୍ଧେୟ କ୍ଷୀରୋଦ ଚନ୍ଦ୍ର ବେହେରା ଓ ମୁଁ ଏକାଠି ହେବାର ସୁଯୋଗ ପାଇଥିଲୁ ।


ଶ୍ରୀଯୁକ୍ତା ସରାଫ୍ ଓ ଶ୍ରଦ୍ଧେୟ କ୍ଷୀରୋଦ ଙ୍କର ସମ୍ମାନଜନକ ଓ ପ୍ରଭାବଶାଳୀ ମନ୍ତବ୍ୟକୁ ମୁଁ ସହଭାଗ କରିଛି ଟିକିଏ ଆଗରୁ । ନିଶ୍ଚୟ ପଢିବେ । ଅନୁରୋଧ ରହିଲା ।

କଥାର କର୍ତ୍ତୃପକ୍ଷ ମୋତେ ଗୋଟିଏ ଓଜନଦାର "ବିଚାରକ ର ଅଭିମତ" ତଳେ ରଖି ସମ୍ମାନିତ କରିଛନ୍ତି । ପ୍ରକୃତରେ ମୁଁ ଉପରେ ଯେଉଁ ଶୀର୍ଷକ ଲେଖିଛି ତାହାରି ତଳରେ ରହିବାକୁ ଚାହିଁଥିଲି ।

ହଁ ଆଉ ଗୋଟିଏ କଥା । ଏଇ ଲେଖାର ଶେଷ ବାକ୍ୟକୁ କାଟି ଦିଆ ଯାଇଛି । ସେଇଟିକୁ ଏଇଠେ ଯୋଡିବାକୁ ଚାହିଁବି । କାରଣ ଆମକୁ ସେଦିନ ଯେଉଁ ଆତିଥ୍ୟ ପ୍ରଦାନ କରାଯାଇଥିଲା, ତାହାର ଉଲ୍ଲେଖ ରହିବା ନିହାତି ଆବଶ୍ୟକ ।

ବିଶେଷ କରି ଲଭଲି ବୋଲି ଝିଅଟିର କଥା କହିବି । ସେଦିନ ଥିଲା ତାହାର ଖୁଦୁରୁକୁଣୀ ଓପାସ । ଓପାସକୁ ଖାତିରି ନ କରି ଆମେ ଭୁରିଭୋଜନରେ ତୃପ୍ତ ହୋଇ ଫେରିବା ଯାଏଁ, ସେ ହସହସ ହୋଇ ରହିଥିଲା ।

ଏଇମିତି ହସହସ ଭାବ କହିବାକୁ ଗଲେ "କଥା"ର ୟୁ.ଏସ୍.ପି. ଆମର ଗଳ୍ପ ସାହିତ୍ୟ ପାଇଁ। )


ଥାଟି ସେତେ ସହଜ ନୁହଁ ।

ମନେକର ବୋଲି କହିଦେଲେ କ'ଣ ପ୍ରକୃତରେ ମନେ କରିବା କାମଟି ଯାହା ଉଦ୍ଦେଶ୍ୟରେ କୁହାଯାଉଛି, ସେ ସେମିତି ଅବିକଳ ମନେ କରିନେବ ନିଜ ମନ ଭିତରେ  ? ଆଦୌ ନୁହଁ । ସେ ଜଣକ ପ୍ରଥମରୁ ଆପଣ ସ୍ୱୟଂ, ଆଉ ଆପଣ 'ମନେ କର' ବୋଲି ଯେଉଁ ରୂପଟି ଧରିବାକୁ ଚାହୁଁଛନ୍ତି, ତାହା ଭିତରର ଫାଙ୍କଟି ଧରି ସାରିଛି । ତେଣୁ ମନେକର ବୋଲି କହି ଖାଲି ଆତ୍ମୀୟତା ଯୋଡିବାର କଥା । ବୁଢାଟିଏ ଶୈଶବର "ମିମିକ୍ରି" କରି ଆତ୍ମତୃପ୍ତି ଲାଭ କଲା ଭଳି ।

ବିଶିଷ୍ଟ କଥାଶିଳ୍ପୀ ଶ୍ରୀଯୁକ୍ତା ଗାୟତ୍ରୀ ସରାଫ୍ ଓ ବିଶିଷ୍ଟ କ୍ଷୁଦ୍ର ଗଳ୍ପ ସମାଲୋଚକ ତଥା ଅଧ୍ୟାପକ ଶ୍ରଦ୍ଧେୟ କ୍ଷୀରୋଦ ଚନ୍ଦ୍ର ବେହେରାଙ୍କ ସହ ମୋତେ ଯେତେବେଳେ "କଥା"ର ନବପ୍ରତିଭା ବାଛିବା ପାଇଁ ଗପର ଫାଇଲିଟି ଦିଆଗଲା, ସେଇ ନଥିଟିକୁ ଖୋଲିବା ଆଉ ଗପଗୁଡିକୁ ପଢିବା ଭିତରେ ମୋ ମନରେ କେବଳ ଦୁଇଟି କଥା ଖେଳି ବୁଲୁଥିଲା । ସେହି ଦୁଇଟି କଥାରେ ଯଦିଓ ଟିକିଏ ମୁଁ ମୁଁ ବୋଲି ରହିବ, ତଥାପି କହୁଚି ।

ଏକଦା ଏକ ଦିନ କେହି ଜଣେ ପ୍ରଥମ କରି ମୋ ଫାଇଲିଟି ବି ଖୋଲିଥିବେ, ଆଉ ଖୋଜିଥିବେ ମୋ ଗପରେ ଅଛି "କ'ଣ" । ତାହା ପରେ ତାଙ୍କ ମାପକାଠିରେ ସେହି "କ'ଣ"ଟିକୁ ବିଚାର କରି ଅସନ୍ତୁଷ୍ଟ ହୋଇ ମୋତେ ପଠାଇ ଦେଇଥିବେ ବାତିଲର ଡଷ୍ଟବିନ୍ କୁ । ମୁଁ ସେତେବେଳର ପୃଥିବୀକୁ ନିଜ ଆଙ୍ଗୁଠି ଅଗରେ ଘୁରାଇପାରିବାର ସ୍ୱଘୋଷିତ ସାମର୍ଥ୍ୟ ରଖୁଥିବା ସୁଦର୍ଶନ ତରୁଣ ଜଣକ ନିଜର ଏଇ ପରାଜୟକୁ ସହିପାରୁନଥିଲି, କେବଳ କଳ୍ପନାରେ ଦେଖୁଥିଲି, ସେହି ଜଣକର ମୁଁହ ଗୋଟିଏ ନୁହଁ ଅନେକ ଆଉ କେତେ ଭୟଙ୍କର, କେତେ ନିଷ୍ଠୁର ଦେଖାଯାଇପାରେ ସେଇ ମୁହଁଟିମାନ, ସେଇ ଦୃଶ୍ୟ । ତାଙ୍କ ପାଇଁ କେତେ ଅନୁଚ୍ଚାରିତ ଅପଶବ୍ଦ ମୋ ଭିତରେ ରହିଥିଲା, ତାହା ମୁଁ ଜାଣେ । ଆଜି ଯେତେବେଳେ ଏଇଠେ ସେଇ ନିଷ୍ଠୁର ଜଣକ ମୁଁ - ହୁଏତ ବୟସ୍କ, ହୁଏତ ଶାନ୍ତ -, ଏବେ କାହାକୁ ଡଷ୍ଟବିନ୍ ର ବାତିଲ ତାଲିକାକୁ ପଠାଇଲା ବେଳକୁ, ମୁଁ ସେଇ ମୋର କଳ୍ପିତ ନିଷ୍ଠୁର ମୁହଁମାନଙ୍କୁ ନିଜ ମୁହଁରେ ରୋପଣ କରି ମୋର ନିଜର ସଙ୍ଗୁପ୍ତ ଅପଶବ୍ଦମାନଙ୍କୁ ଶୁଣୁଛି ।

ନିଜେ ଜଣେ ଜହ୍ଲାଦ ହେବାର ଅନୁଭବ ସବୁଠୁ ବଡ ବେଦନାଦାୟକ । ମୁଁ ଏଇଲେ ଏଇଠି ଯାହା କରୁଛି, ତାହାକୁ ଡାକ୍ତରୀ ଭାଷାରେ କହିଲେ ଏଇ ଭଳି ହେବ, 'ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଅଫ୍ ଷ୍ଟୋରି' । 'ଗପର ଶଲ୍ୟ-ଚିକିତ୍ସାଗତ ଭ୍ରୂଣପାତ' । ଆଉ ଗପର ଏଇଭଳି ଭ୍ରୂଣପାତରେ ମୁଁ ପାତକି । ଜହ୍ଲାଦ ।

ମୁଁ ପିଲାମାନଙ୍କ ସହ ଯେଉଁ ପାଠ ପଢିଛି, ସେଥିରୁ ଜାଣେ ଯେ, ଆମର ଏଇ ପୃଥ୍ୱୀରେ ବିକାଶଟି ସମଭାବରେ ହୋଇନାହିଁ । ଆଜି କେଉଁଠି ମଣିଷଟି ଆଦିମପ୍ରସ୍ତର ଯୁଗର ମଣିଷ ଭଳି ପ୍ରକୃତିରୁ ଖାଦ୍ୟ ସଙ୍ଗ୍ରହ କରି ବଞ୍ଚିବାର ଜୀବନ ଜିଉଁଥିବା ବେଳେ, ଆଉ କେଉଁଠି ମଣିଷ ନିଜର ବିକଳ୍ପ ଶ୍ରମର ଧାରକ ହିସାବରେ "ରୋବୋଟ" ମାନଙ୍କୁ ନିର୍ମାଣ କରିପାରୁଛି । ଏଇଠେ ତାହାହେଲେ ପ୍ରଶ୍ନଟି ଉଠୁଛି, ଆମେ ଠିକ୍ କେଉଁଠି ଛିଡା ହୋଇ ବିକାଶର ସ୍ୱରୂପକୁ ଦେଖିବା ? ଆଦିମପ୍ରସ୍ତର ଯୁଗ ଭଳି ଜୀବନଧାରଣକୁ ଯଦି ଆମେ ଅବିକଶିତ ଅବସ୍ଥା ବୋଲି ଧରିବା, ସେମିତି ଧରିନେବାର କାରଣ ବି ଅନେକ ଅଛି, ତେବେ ଆଦିମପ୍ରସ୍ତର ଯୁଗରେ ଥିବା ଆଜିର ମଣିଷକୁ ଆମେ କ'ଣ ପୂରାପୁରି ଇରେଜରରେ ଘଷି ଲିଭାଇ ଦେବା ?

ସମସ୍ତଙ୍କର ରହିବାର ଅଧିକାର ରହିଛି, ସେ ଖାଦ୍ୟ ସଙ୍ଗ୍ରହକାରୀ ମଣିଷ ହେଉ କି ବାତିଲ ତାଲିକାରେ ରହିଥିବା ଆଜି ତାରିଖରେ ଗପର ବିଫଳ ନବପ୍ରତିଭାଟି ହେଉ । ଏକାଠି ସମସ୍ତେ ରହିବେ । ତାହା ଦ୍ୱାରା ତୁଳନାତ୍ମକ ଭାବରେ ଆମେ ଗପର ବିକଶିତ ସ୍ୱରୂପଟିକୁ ଦେଖି ପାରିବା ।

ମୁଁ ବିଚାର କରେ, ଯିଏ ଯେତେ ମୂର୍ଦ୍ଧନ୍ୟ କଥାକାର ଯେଉଁଠି ଅଛନ୍ତି, ସେମାନଙ୍କର ଅତୀତ ଦେଖିବେ ଏକପ୍ରକାରର ଦିଶିବ । ଏକଦା ଏକ ଦିନ ସମସ୍ତଙ୍କୁ ଉଠିଆସିବାକୁ ହୋଇଥାଏ, ସେଇ ନିଷ୍ଠୁର ବାତିଲ ତାଲିକାର ଡଷ୍ଟବିନ୍ ର କାଳକୋଠରୀରୁ ଉଜ୍ଜ୍ବଳ ଆଲୋକକୁ । ଏଇ ବାକ୍ୟଟି ଲେଖିସାରିଲା ପରେ, ମୋତେ ଟିକିଏ ଦୋଷମୁକ୍ତ ଲାଗୁଛି । ଆଶା କରିବି ସମସ୍ତେ ଉଜ୍ଜଳ ଆଲୋକ ଦେଖନ୍ତୁ ।

କହିବାକୁ ଗଲେ, ସମସ୍ତଙ୍କ ଗପ ଭିତରେ "କ'ଣ" ବୋଲି ଯେଉଁ କଥାଟିକୁ ନେଇ ଏତେ ସାତଚକଟା ପୋଳୁହଘଣ୍ଟା ଚାଲିଛି, ତାହା ଅସଲରେ କ'ଣ ? କେମିତି ଦେଖିବାକୁ ସେଇ "କ'ଣ"ଟି ? ତାହାକୁ ନେଇ ମୁଁ ଯାହା ଭାବେ, ଅନ୍ୟମାନେ ଯେ ସେଥିରେ ହାତ ଟେକି ସମର୍ଥନ ଦେବେ, ସେ କଥା ନୁହଁ । ଅସହମତିରୁ ସୁନ୍ଦର ନିର୍ଣ୍ଣାୟକ ବିଚାରଟିଏ ବାହାରିଥାଏ ବୋଲି ମୋର ସବୁବେଳେ ବିଶ୍ୱାସ । ଯେ କୌଣସି ଗପରେ ସବୁବେଳେ ଯେଉଁ "କ'ଣ"ଟି କୁ ମୁଁ ଦେଖିଥାଏ, ତାହା ଏହିଭଳି:

ଚରିତ୍ରଟି କିଏ, ତାହାର ପାର୍ଶ୍ୱଦୃଶ୍ୱଟି କେମିତି ? ସେ କେଉଁଠି ଆଉ କାହିଁକି ରହିଛି ? ତାହାର ଲକ୍ଷ୍ୟଟି ଏବେ କ'ଣ ? ଲକ୍ଷ୍ୟଟି ହାସଲ କରିବା ପାଇଁ ତାହାର ପ୍ରଧାନ ପ୍ରତିବନ୍ଧକ ମାନେ କିଏ କିଏ, ଆଉ ସେମାନେ କେତେ ପରିମାଣରେ ଶକ୍ତିଶାଳୀ ? ନିଜର ପ୍ରତିରୋଧକୁ ମୁକାବିଲା କରିବା ପାଇଁ ଚରିତ୍ରଟିର କୌଶଳ କ'ଣ ଓ ସେ କେତେ ସଫଳ ? ଗପର ଉଜ୍ଜଳତମ ବିନ୍ଦୁଟି କେଉଁଠି ଅଛି ? ଚରିତ୍ରଟି ଯେତେ ପ୍ରତିରୋଧ ରହିଛି, ତାହାକୁ ସାମ୍ନା କରିବାର ପ୍ରାରମ୍ଭିକ କାଳର ସମୟ, ନା ପ୍ରତିରୋଧରେ ପ୍ରଭାବିତ ବେଳର ସମୟ, ନା ପ୍ରତିରୋଧର ସମାପ୍ତି ପରର ସଫଳ ସମୟ, ନା ଆଉ କିଛି, ଗପର ପ୍ରକ୍ରିୟା ହେଉ କି ଗପଟିର ପରିବେଶ ?

ଗପରେ "କ'ଣ" ଅଛି ଖୋଜିବାରେ ମୁଁ ଏମିତି ପ୍ରଶ୍ନତାଡ଼ିତ ହୋଇଯାଏ । ପୁଣି ଆଉ କିଛି ପ୍ରଶ୍ନ ଆସନ୍ତି । ଯଥା:

ମୁଁ ଯେଉଁ ଗପଟିକୁ ପଢିଲି, ସେଇଟିକୁ ଅସଲରେ କ'ଣ କୁହାଯାଇପାରେ ? ଜଣକର ଆତ୍ମଜୀବନୀ ନା ଇତିହାସ ନା ରିପୋର୍ଟାଜ୍ ନା ପାରସ୍ପରିକ ବାର୍ତ୍ତାଳାପ ନା କୌଣସି ଚରିତ୍ରର ମୁଣ୍ଡ ସହିତ ମୋ କାନ ଦୁଇଟି ସଞ୍ଜୁକ୍ତ ହୋଇଛି ଗୋଟିଏ ହାଲଫେସନ୍ ର ଇଅରଫୋନ୍ ରେ,  ଆଉ ମୁଁ ଚରିତ୍ରର ମୁଣ୍ଡକୁ ଶୁଣୁଛି ଅନାୟାସରେ ?

ଜଣକର ଗପରେ "କ'ଣ" ଖୋଜିବାରେ ଏଇମିତି ପ୍ରଶ୍ନ ପରେ ପ୍ରଶ୍ନ ମୋତେ ଅସ୍ତବ୍ୟସ୍ତ କରିଦିଅନ୍ତି । ତେଣୁ ଅମୁକଙ୍କ ଗପ ପଢି ମୁଁ କାନ୍ଦିଛି ବୋଲି ମୋର କାନ୍ଦଣାକୁ ଗପର ସର୍ବଶ୍ରେଷ୍ଠ "କ'ଣ" ହିସାବରେ ବିଚାରଟି ସ୍ଥାପନା କରିବା ପାଇଁ ମୋତେ ଏକପ୍ରକାର ଫୁରସତର ଅଭାବ । ଆଉ କେହି ଏକ ନିଃଶ୍ୱାସରେ ଗପଟିକୁ ପଢିଦେଇ ପାରିବା ହିଁ ଗପର ଅନ୍ୟତମ ମୂଖ୍ୟ "କ'ଣ" ବୋଲି ବିଚାରି ଥାଆନ୍ତି । ମୁଁ ସେଥିରେ ଆଂଶିକ ସହମତ । ଗୋଟିଏ ପ୍ରକାରର ଗପକୁ ସମସ୍ତେ ଯିଏ ତାହାକୁ ପଢିବାକୁ ଆରମ୍ଭ କରିବ ସେ ଗୋଟିଏ ନିଃଶ୍ୱାସରେ ଶେଷ ଯାଏଁ ପଢିବାକୁ ବାଧ୍ୟ । ତାହା ବୋଲି ସେଗୁଡିକ କ'ଣ ଭଲ ଗପ ? ଏଇଠେ ମୁଁ ନିଷିଦ୍ଧ ପୁସ୍ତିକାର ଶରୀରିକ୍ରିୟା ସମ୍ବଳିତ ଗପ ଗୁଡିକର କଥା କହୁଛି ।

ମୁଁ ପ୍ରଶ୍ନତାଡ଼ିତ, ଆବେଗତାଡ଼ିତ ନୁହଁ । ମୋଟାମୋଟି ମୁଁ ସ୍ଥାପତ୍ୟ ତାଡିତ, ଗପରେ "କ'ଣ"ଟିକୁ ଜଣେ କେମିତି କହିବାର ଢଙ୍ଗଟିଏ ପେଶ୍ କରିଛି, ତାହା ଆଡ଼କୁ ସବୁବେଳେ ମୋର ଆଣ୍ଟେନାଟି ମୁହାଁଇଥାଏ । ମୁଁ ବି ଯେ ଗପ ପଢି କାନ୍ଦେନାହିଁ ଏକଥା ନୁହଁ । ମୋର କାନ୍ଦଣାଟି ଏକ ଲୋତକହୀନ ଅବସାଦ, ଯାହାକୁ ମୁଁ ସାଥିରେ ଧରି ବାଟ ଚାଲୁଥାଏ ।

ଗପର ଏମିତି ଭୃଣପାତ କରୁଥିବା ବେଳେ, ମୋ ମନକୁ ଯେଉଁ ଦ୍ୱିତୀୟ କଥାଟି ଆସିଥିଲା ତାହା ଏଇଭଳି ।

ମିଲ୍କ୍-ୱିଡ଼୍ ଗଛର ମଞ୍ଜି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) 

ମୁଁ ଯେମିତି ଏଇଠେ ମାଳେ ମଞ୍ଜି ଧରି ବସିଛି ।

ସେହି ମଞ୍ଜିମାନେ ଦିନେନା ଦିନେ ମୋ ଭାଷାର ଗପ ସାହିତ୍ୟର ସବୁଜ ଅରଣ୍ୟାନୀଟିକୁ ଆହୁରି ଅଗନାଅଗନି ବନସ୍ତରେ ପରିଣତ କରିଦେବେ । ଗପର ଭୃଣମାନେ ମଞ୍ଜି ଭଳି ଦିଶିଲା ପରେ ମୋତେ ଟିକିଏ ଦୋଷମୁକ୍ତ ହେଲା ପରି ଲାଗିଲା । ମୁଁ ଗୋଟିଏ ସୁଖ ସ୍ୱପ୍ନରେ ବିଭୋର ହୋଇଗଲି । ସବୁ ମଞ୍ଜି ଭିତରେ ଏକ ବିଶାଳ ସମ୍ଭାବନା ସଙ୍ଗୁପ୍ତ ହୋଇଥାଏ । ଆବଶ୍ୟକୀୟ ସୁଯୋଗ ପାଇଲେ ସେଇ ମହାଦୃମର ଅଙ୍କୁରୋଦଗମ୍ ହୋଇଥାଏ । କିନ୍ତୁ ସବୁ ମଞ୍ଜି ସେଇ ସୁଯୋଗ ପାଆନ୍ତି ନାହିଁ । ତଥାପି ସମ୍ଭାବନା ଟିଏ ଲୁଚିଛି ବୋଲି ତ, ତା'କୁ ମଞ୍ଜି କୁହାଯାଏ, ନ ହେଲେ ଆଉ କ'ଣ ବୋଲି ତାହାକୁ କୁହାଯାଆନ୍ତା । ତେଣୁ ଆଜି ଯେଉଁ ମଞ୍ଜି ମାନେ ଅଙ୍କୁରୋଦଗମର ସୁଯୋଗ ପାଇଲେ ନାହିଁ, ତା'କୁ ନେଇ କ'ଣ କରିବା ?

ସେଇ ଆଜିର ବାତିଲ ମଞ୍ଜି ମାନଙ୍କୁ ଫାଇଲ୍ ରେ ରଖି ଫିତା ବାନ୍ଧିଲା ବେଳେ ମୋତେ ସେତେ ଅସହାୟ ଲାଗୁନାହିଁ । କାରଣ ସେମାନେ ମଞ୍ଜି, ଯେଉଁଠିକୁ ଫୋପାଡ଼ିଲେ ବି, ସେମାନେ ଗଜୁରି ଉଠିବେ, ଯଦି ସେମାନଙ୍କର ଆଗାମୀ ପ୍ରତିରୋଧକୁ ସାମନା କରି ଗଜୁରିବାର ଲିପ୍ସାଟିଏ ରହିଥାଏ, ତେବେ । ପ୍ରାୟତଃ ଖ୍ରୀପୂ ଦେଢ଼ ହଜାର ବର୍ଷ ତଳେ ମିଶର ଦେଶରେ ତୁତନ୍-ଖାମୁନ୍ ବୋଲି ଜଣେ ଫାରୋହ୍/ରାଜା ଥିଲେ । ତାଙ୍କର କବରରୁ ତାଙ୍କ ମମିକୃତ ଶରୀର ସହ ବାହାରିଥିଲା କେତେଗୁଡିଏ ମଞ୍ଜି । ପାଖାପାଖି ସାଢ଼େ ତି ନିହଜାର ବର୍ଷ ତଳର ମଞ୍ଜି । ବିଶ୍ୱାସ କରାଯାଏ ଯେ ଫାରୋହ୍ ତୁତନ୍-ଖାମୁନ୍ ଙ୍କ ପରବର୍ତ୍ତୀ ଜୀବନରେ ଏଇ ମଞ୍ଜିଗୁଡିକରୁ ଗଛ ହେବ, ଆଉ ସେଥିରୁ ଯେଉଁ ଫଳ ଫଳିବ ତାହା ତାଙ୍କୁ ଯୌବନ ଓ ଆନନ୍ଦ ପ୍ରଦାନ କରିବ ।

ଅଙ୍କୁରିତ ହେବାକୁ ଥିବା ଏଇ ମଞ୍ଜିମାଳକୁ ନେଇ ନିଜକୁ ତୁତନ୍-ଖାମୁନ୍ ବୋଲି ଘଡ଼ିଏ ଭାବିଲେ, ଓଡିଆ କଥା ସାହିତ୍ୟର ସେମିତି କିଛି କ୍ଷତି ହୋଇଯିବ ନାହିଁ ।

ଆଜି ଯେଉଁମାନେ ଏଇଠି ନବପ୍ରତିଭା ଭାବରେ ଅଙ୍କୁରିତ ହେଲେ, ସେମାନଙ୍କ ଭିତରେ କଳ୍ପନାର ଅଭିଷେକ ଦେଖିବାକୁ ମିଳିଛି ।ଦେବୀପ୍ରସାଦଙ୍କ "ଆଲୁଅ"ରେ ଶୋଭାଯାତ୍ରାରେ ଆଲୁଅ ବୋହୁଥିବା ମାଆର ଚରିତ୍ର, ବିରଜାନନ୍ଦଙ୍କ "ଅନ୍ତହୀନ ଅନ୍ଧକାର"ରେ ନକସାଲ୍ କାହାଣୀ, ସ୍ୱଦେଶଙ୍କ "ଅରୋରା"ରେ କଳ୍ପ ବିଜ୍ଞାନ ଗପ, ଶୁଭ୍ରାଂଶୁଙ୍କ "ଶାଳଚୁଲି"ରେ ଆଞ୍ଚଳିକତା, ବିମଳଙ୍କ "ମାନବବୋମା"ରେ ମାନବିକତା ଓ ଆଦର୍ଶ ର ସଙ୍ଘାତ, ଶାନ୍ତନୁଙ୍କ "ଅବତୀର୍ଣ୍ଣ"ରେ ମନସ୍ତାତ୍ତ୍ୱିକ ପ୍ରେକ୍ଷାପଟ, ଅନୀଲଙ୍କ "ଦର୍ପଣ"ରେ ଅସମ ବିବାହ ଜନିତ ଦ୍ୱନ୍ଦ୍ୱ, ଜୀତେନ୍ଦ୍ରଙ୍କ "କୁଆଁରୀ ମାଆ"ରେ ପରିବେଶ, ପ୍ରିୟଙ୍କାଙ୍କ "ରାମନିଧିର ଡାଏରୀ"ରେ ମାଆର କାହାଣୀ ଓ ସତ୍ୟଜିତଙ୍କ "ମୋକ୍ଷ"ରେ ନିଜ ସହ ନିଜର ସଙ୍ଘର୍ଷକୁ ଆପଣ ସହୃଦୟତାର ସହ ଦେଖିବାକୁ ଅନୁରୋଧ ।

ହଁ ଆଜିର ନବପ୍ରତିଭା ମାନଙ୍କୁ ପଦଟିଏ କହିବି । ଏମିତିରେ କୌଣସି ଅଙ୍କୁରୋଦଗମ ଶେଷ କଥା ନୁହଁ । ଦୃମଟିଏ ହେବାକୁ ହେଲେ ନିଜର ଚେରମାନଙ୍କୁ ଦୃଢ଼ କରିବାକୁ ହେବ । ଚେରମାନଙ୍କରେ ଭରିଦେବାକୁ ହେବ ଅସୁମାରୀ କ୍ଷୁଧା ଆଉ ଅନ୍ଧାରରୁ ଆହୁରି ଅନ୍ଧାରକୁ ଯିବାର ଅବାରିତ ଆଗ୍ରହ । ତେବେ ଆମେ ଉପରେ ଦେଖିବୁ ଦୃମ, ମହାଦୃମ । ଶୋଭାବନ୍ତ ।

ଏହି ସମସ୍ତ ପ୍ରକ୍ରିୟାଟିର ସୁଯୋଗ ଦେଇଥିବାରୁ "କଥା"ର କର୍ତ୍ତୁପକ୍ଷ ଗୌରହରି ବାବୁଙ୍କୁ ଧନ୍ୟବାଦ । ଆମ ସହିତ ରହି ଆମକୁ ଆତିଥ୍ୟରେ ଅନୁଗୃହିତ କରିଥିବା ଆଶୀଷ ଓ ଲଭଲିଙ୍କୁ ଧନ୍ୟବାଦ ।

Monday, October 16, 2017

ଅକ୍ଟାଭିଓ ପାଜ୍‌ ଙ୍କର କବିତା 'ଏଇଠି'


ଅନୁବାଦ - ଗୋର୍ବାଚୋଭ୍


ଆମେରିକାର ନ୍ୟୁମେକ୍ସିକୋର ଅଲବକର୍କି ନଗରରୀରେ କୁହୁଡ଼ି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ମୋ ପାଦଶବ୍ଦ,
ପ୍ରତିଧ୍ୱନିତ ହୋଇ ଉଠେ–
ଏହି ଗଳିର ସାଥେ ସାଥେ, 
ଅନ୍ୟ ଏକ ଗଳିରେ;

ଗୁଞ୍ଜରି ଉଠୁଥିବା ପାଦଶବ୍ଦକୁ– 
ମୁଁ ଶୁଣେ ପୁଣି ଥରେ ଏଇ ଗଳିରେ;
ଯେଉଁଠି କିଛି ବି ବାସ୍ତବ ନୁହେଁ–
କେବଳ କୁହୁଡ଼ିି ବ୍ୟତୀତ ।।

Saturday, October 14, 2017

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୨



ସଙ୍କଳନ - ସ୍ନେହଲତା ଷଡଙ୍ଗୀ



ଆଙ୍କରୱାଟ ରେ ଅସୁରମାନଙ୍କ ସହାୟତାରେ ସମୁଦ୍ର ମନ୍ଥନର ଚିତ୍ରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ଯେତେକ ଲଙ୍କାରୁ ଜାତ
ସମସ୍ତେ ଅସୁର ଦଇତ ।

ଅର୍ଥ : ସଂସ୍କାର ବିହୀନ ପରିବାର ସମସ୍ତ ବ୍ୟକ୍ତି ତଥା ସେମାନଙ୍କର ପରବର୍ତ୍ତୀ ବଂଶଧରମାନେ ସଂସ୍କାର ବିନା ପଶୁ ଭଳି ବ୍ୟବହାର କରନ୍ତି ।


ଏକ ରେ ଦୁକୁ ଦୁକୁ,
ଦୁଇ ରେ ମହା ସୁଖୁ,
ତିନି ରେ ମେଳି
ଚାରିରେ କଳି ।

ଅର୍ଥ : ମଣିଷ ଏକୁଟିଆ ଥିବା ସମୟରେ ଦକରେ ଦିନ କାଟେ । ଦୁଇ ଜଣ ହୋଇଗଲେ ଖୁସିରେ ରୁହେ । ମାତ୍ର ତିନି ଜଣ ହେଲେ କେବେ ଏ ଦୁଇ ଜଣ ତ କେବେ ସେ ଦୁଇ ଜଣ ମିଶି ଅପରଟିକୁ ଅଲଗା କରିଦିଅନ୍ତି । କିନ୍ତୁ ଚାରି ଜଣ ହୋଇଗଲେ ସେହି ମେଳି କଳିରେ ପରିଣତ ହୁଏ ।


ଭାଇ ଯେବେ ରାଜା ହୁଏ ଭଉଣୀ ନୁହେଁ ରାଣୀ,
ଅତି ସମୟରେ ଡାକିବେ ରଜାଙ୍କ ଭଉଣୀ ।

ଅର୍ଥ : ମଣିଷ ତାର ଭାଇ ବନ୍ଧୁ କୁଟୁମ୍ବଙ୍କର କୃତିତ୍ୱ ପାଇଁ ଗର୍ବ ଅନୁଭବ କରିବା ଉଚିତ, ମାତ୍ର ତାହା ତାଙ୍କ ନିଜର କୃତିତ୍ୱ ନୁହେଁ । ସେଥି ପ୍ରତି ସଚେତନ ମଧ୍ୟ ରହିବା ଉଚିତ ।


ଯାହାକୁ ରଖିବେ ଅନନ୍ତ
କି କରିପାରେ ବଳବନ୍ତ ।

ଅର୍ଥ : ଯାହାକୁ ଭଗବାନ ରକ୍ଷା କରୁଛନ୍ତି, ତାହାକୁ ସ୍ୱୟଂ ଯମରାଜ ଆସିଲେ ମଧ୍ୟ ତାହାର କୌଣସି କ୍ଷତି କରିପାରିବ ନାହିଁ ।

୧୦


ହରି ମାରେ ରଖେ କିଏ,
ହରି ରଖେ ମାରେ କିଏ ?

ଅର୍ଥ : ସ୍ୱୟଂ ଭଗବାନ ଯାହାକୁ ସହାୟ, ତାହାର ସାଧାରଣ ମଣିଷ କୌଣସି କ୍ଷତି କରିପାରିବ ନାହିଁ । ହେଲେ ଯଦି ଭଗବାନ ସହାୟ ନୁହନ୍ତି ଓ ତାକୁ କହିବି ରକ୍ଷା କରି ପାରିବେ ନାହିଁ । 
(ଏଠାରେ ପ୍ରାକୃତିକ ବିପର୍ଯ୍ୟୟକୁ ମାରେ ହରି ରଖେ କିଏ କୁହାଯାଇଅଛି)

Friday, October 13, 2017

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନଓଡିଶାଙ୍କର ପ୍ରେସ ବିଜ୍ଞପ୍ତି


ତାରିଖ : ୧୧/୧୦/୨୦୧୭


ସ୍ପେନୀୟ ଭାଷାରେ ବୈଶ୍ୱିକ ମାନବ ଅଧିକାର ଘୋଷଣାନାମା ସହ ଏଲିନର ରୁଜଭେଲ୍ଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଜାତିସଙ୍ଘ ଦ୍ଵାରା ସ୍ଥିରୀକୃତ ସାରା ବିଶ୍ୱରେ ଅକ୍ଟୋବର ୧୧ ତାରିଖରେ ଆନ୍ତର୍ଜାତୀୟ ବାଳିକା ଦିବସ ବାଳିକାଙ୍କ ଅଧିକାରର ସୁରକ୍ଷା ଓ ଉପଯୁକ୍ତ ସମ୍ମାନ ଦେବା ଉପଲକ୍ଷେ ପାଳନ କରାଯାଉଥିଲା ବେଳେ, ଓଡିଶାର କୋରାପୁଟ ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନରେ ସମ୍ପୃକ୍ତ ଚାରି ଜଣ ସୁରକ୍ଷା ଯବାନମାନଙ୍କ ଦ୍ଵାରା ଏକ ଆଦିବାସୀ ବାଳିକା ଗଣଧର୍ଷଣ ହେବା ପରେ ମଧ୍ୟ, ରାଜ୍ୟ ସରକାର ସମ୍ପୃକ୍ତ ଯବାନମାନଙ୍କୁ ଗିରଫ ନକରି ତଥା  ନିଜର ଦାୟିତ୍ତ୍ୱକୁ ଭୁଲି ଅନ୍ୟକୁ ଦୋଷ ଦେଉଛନ୍ତି । ସରକାରଙ୍କ ଏହି ଆଦିବାସୀ ବିରୋଧୀ ମନୋଭାବ ବିରୁଦ୍ଧରେ, ଯବାନଙ୍କ ଦୁଷ୍କର୍ମ ଅପରାଧକୁ ଘୋଡାଇବା ଉଦ୍ୟମ ବିପକ୍ଷରେ ଓ ଉକ୍ତ ବାଳିକାକୁ ଉପଯୁକ୍ତ ଚିକିତ୍ସା ତଥା ସୁରକ୍ଷା ଦାବୀରେ ଏକ ଗଣ ବିକ୍ଷୋଭ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ନିକଟରେ ଆୟୋଜିତ ହୋଇଥିଲା ଏଥିରେ ଅଖିଳ ଭାରତ ଜନମଞ୍ଚ, ସିପିଆଇ (ଏମ.ଏଲ.) ଲିବେରେସନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଇନସାଫ, ଏନ.ଏ.ପି.ଏମ. ଇତ୍ୟାଦି ସଙ୍ଗଠନର ସଦସ୍ୟ ତଥା ବହୁ ମାନବିକ ଅଧିକାର କର୍ମୀ ମାନେ ଯୋଗ ଦେଇଥିଲେ ସୁରକ୍ଷା କର୍ମୀଙ୍କର ନିଲମ୍ବନ ଓ ବାଳିକାର ପରିବାରଙ୍କୁ ସୁରକ୍ଷା ସାଙ୍ଗକୁ ୟୁ.ଏ.ପି.ଏ. ଆଇନ ପ୍ରତ୍ୟାହାର ଦାବୀରେ ଅନୁଷ୍ଠିତ ଏହ ଗଣ ବିକ୍ଷୋଭରେ ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡା, ବିଶ୍ଵପ୍ରିୟ କାନୁନଗୋ, ସତୀଶ ମିଶ୍ର, ଅମିୟ ପାଣ୍ଡବ, ଦେବ ରଞ୍ଜନ, ପ୍ରଦୀପ୍ତ ନାୟକ ସମେତ ବହୁ ମାନବିକ ଅଧିକାର କର୍ମୀ ଯୋଗ ଦେଇଥିଲେ
ଏହା ପୂର୍ବରୁ ପାଞ୍ଚ ଜଣିଆ ମାନବିକ ଅଧିକାର କର୍ମୀଙ୍କର ଏକ ଦଳ ରାଜ୍ୟ ମାନବିକ ଅଧିକାର କମିଶନ, ଭୁବନେଶ୍ଵରଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଗ୍ରହଣ କରି କମିଶନ ତୁରନ୍ତ ଘଟଣାର ସବିଶେଷ ତଦନ୍ତ ଆଇ.ଜି. ଅଫ ପୋଲିସ, କଟକ ଓ ଅନୁସୁଚିତ ଜାତି ଓ ଜନଜାତି ଆୟୋଗର କମିଶନର-ସମ୍ପାଦକ ଙ୍କୁ ନିଜେ ଘଟଣାସ୍ଥଳକୁ ଯାଇ ସାତ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସେହିପରି ବାଳିକାର ଚିକିତ୍ସା ଲାଗି ସର୍ବୋତ୍ତମ ବ୍ୟବସ୍ଥା କରିବା ଓ ଆବଶ୍ୟକ ହେଲେ ରାଜ୍ୟ ବାହାରକୁ ମଧ୍ୟ ନେବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ, କୋରାପୁଟଙ୍କୁ ନିର୍ଦ୍ଦେଶ ଦେବା ସହିତ, ସ୍ୱାସ୍ଥ୍ୟର ଅଗ୍ରଗତି ସମ୍ପର୍କରେ ମଧ୍ୟ ସାତଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ସୁରକ୍ଷା କର୍ମୀଙ୍କ ଦ୍ଵାରା ଏପରି ନାରାକୀୟ କାଣ୍ଡ ହେବା ଆଦୌ ନୂଆ ନୁହେଁ । ଅତୀତରେ ଯଦି ସରକାର ଅଥବା କମିଶନ ଘଟଣାକୁ ଗୁରୁତ୍ତ୍ୱର ସହିତ ନେଇଥାଆନ୍ତେ ତେବେ ଆଜି ଉକ୍ତ ବାଳିକା ଏଭଳି ଦୁଷ୍କର୍ମର ଶିକାର ହୋଇନଥାନ୍ତେ ରାଜ୍ୟ ସରକାର ଅନ୍ୟ ଉପରେ ଦୋଷ ଲଦିବା ଛାଡି ଯବାନଙ୍କୁ ଗିରଫ କରିବା ଓ ମାନବିକ ଅଧିକାର କମିଶନ ଏହାକୁ ଗୁରୁତ୍ତ୍ୱର ସହିତ ନେଇ ଦାୟୀ ଅଫିସର ମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବେ ଲାଗି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ ଦାବୀ ଜଣାଉଛି
ଦେବ ରଞ୍ଜନ,
ସାଧାରଣ ସମ୍ପାଦକ,

ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନଓଡିଶା

ବି.ଦ୍ର. - ଏହା ଦେବରଞ୍ଜନ ଯୋଗାଇଥିବା ପ୍ରେସ ବିଜ୍ଞପ୍ତିର ସମ୍ପାଦିତ ଅଂଶ ।

Wednesday, October 11, 2017

ପୋସ୍ତ ଚଟଣୀ


ସରୋଜିନୀ ଚୌଧୁରୀ


ବାମରେ କାଇମା ଚାଉଳ, ଡାହାଣରେ ବାସୁମତି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ଧଣିଆଗୁଣ୍ଡ, ବାସମତି କି ବାଦସାଭୋଗ ଚାଉଳ ଅଧ ସେରେ, ନିର୍ଜଳ ଦୁଧ ଏକ ସେରେ, ନଡ଼ିଆ ଗୋଟାଏ, ଚିନି ପଚାଶ ଗ୍ରାମ, ତେଜପତ୍ର ଦୁଇଖଣ୍ଡ, କର୍ପୁର ଗୋଟିଏ, ଦୁଇଟି ଗୁଜୁରାତିର ଦାନା ବା ଜାଇଫଳ ଗୁଣ୍ଡି ଅଧ ଚାହା ଚାମଚ, ଗୁଆ ଘିଅ ଏକ ଟେବୁଲ ଚାମଚ ।  

ପ୍ରଣାଳୀ -  ହାଣ୍ଡିକୁ ଚୁଲିରେ ବସାଇ, ଘିଅ ତେଜପତ୍ର ଦେଇ ଦୁଧ ଢାଳି ନିଅ । ଦୁଧ ଗରମ ହୋଇଗଲେ ଚାଉଳ ଧୋଇ ପକାଇବ, ଜାଳ ବେଶୀ ଦେବ ନାହିଁ କି କମ ହେବ ନାହିଁ, ମଝିରେ ମଝିରେ ବେଶ୍ କରି ଘାଣ୍ଟି ଦେଉଥିବ । ସିଦ୍ଧ ହୋଇଗଲେ ନଡ଼ିଆ ଓ ଚିନି ଦେଇ ପୁଣି ଘାଣ୍ଟି ଦେବ, ଦୁଇ ଏକ ଥର ଘାଣ୍ଟି ଦେଖିବ ବେଶ୍ ହୋଇ ଆସିଲା, ଓହ୍ଲାଇ ଦେବ ଓ ତଳେ ଥୋଇ କର୍ପୂର ଏବଂ ମସଲା ଗୁଣ୍ଡି ଦେଇ ଢାଙ୍କି ରଖିବ । 

ଗୁଣାଗୁଣ - ସୁଶ୍ରୁତ ମତରେ ପରମାନ୍ନ - ବିଷ୍ଟମ୍ଭି ଅର୍ଥାତ୍ ବହୁତ ଡେରିରେ ହଜମ ହୁଏ, ବାୟୁ ଓ ମଳମୁତ୍ର ରୋଧକ, ବଳକର, ମେଧା ଓ ଶ୍ଲେଷଜନକ ଏବଂ ଗୁରୁପାକ ।

ବି.ଦ୍ର. - ପରମାନ୍ନ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Monday, October 09, 2017

ଖଣ୍ଡିଏ ରୁମାଲ୍ ସହ ଆଜି, ଅର୍ଥାତ୍ ୮ ଅକ୍ଟୋବର


ଜ୍ୟୋତି ନନ୍ଦ 


ହେର୍ତ୍ତା ମୁଲର୍ (୧୭ ଅଗଷ୍ଟ ୧୯୫୩ - )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

"ପାଖରେ ରୁମାଲ୍ ରଖିଚୁ ତ ମାଆ" ସବୁଦିନ ସକାଳେ ମାଆ ପଚାରିବ, ସେତେବେଳକୁ ସେ ଘରର ଗେଟ୍ ପାଖରେ ଆଉ ମୁଁ ବାହାର ରାସ୍ତାରେ ପାଦ ଦେଉଥିବି କି କ'ଣ ?

ମାଆମାନେ ସବୁବେଳେ ଝିଅମାନଙ୍କ ପ୍ରତି କହିବାକୁ ଗଲେ ଭାରି ପଜେସିଭ୍ । ବାହାରକୁ ଯାଇଥିବା ଝିଅଟି ଘରକୁ ନପହଞ୍ଚିବା ଯାଏଁ ଯେମିତି ମାଆଟିର ସବୁପ୍ରକାରର ଅନ୍ନଜଳରେ ଗୋଟିଏ ପ୍ରକାରର ସ୍ୱାଦ, ପିତା । ଆଜିକାଲିର ମୋବାଇଲ୍ ଯୁଗରେ ଝିଅର ମୋବାଇଲ୍କୁ ଦୁଇଟି ନମ୍ବରରୁ କଲ୍ ବେଶି ଆସେ । ଗୋଟିଏ ନମ୍ବରରେ ପରିଷ୍କାର ଲେଖାଥାଏ ମାଆ, ଆଉ ଆର ନମ୍ବରଟିକୁ ଝିଅଟି ଯେଉଁ ନାଆଁରେ ସେଭ୍ କରିଥାଏ, ତାହା ଭିତରକୁ ଯିବି ନାହିଁ ଏବେ ।

ଅବଶ୍ୟ ଏବେ ପରିବାରରେ ସନ୍ତାନ କହିଲେ ଗୋଟିଏ କି ଦିଇଟି । ତେଣୁ ମାଆମାନଙ୍କର ପଜେସିଭ୍ କଥାଟିରେ ଆଉ ଲିଙ୍ଗଗତ ପ୍ରଭେଦ ଦେଖିବାକୁ ମିଳିବ ନାହିଁ । ମାଆର ପଜେସିଭନେସ୍ ଉପରେ ଗୋଟିଏ ଦୀର୍ଘ ଲେଖା ଲେଖିବାର ଇଚ୍ଛା, କିନ୍ତୁ ଏଇ ନିହାତି ଅପଦାର୍ଥ ଲୋକଟି ସେମିତି ଲେଖି ଯଦି ଫଳଶ୍ରୁତି ସ୍ୱରୂପ ସକାଳର ପ୍ରିୟତମ ଲାଗଲାଗ୍ ଚା' ଦିକପ୍ ନପାଏ, ତେବେ ପୃଥିବୀର କାଳଟି ନିହାତି ବିଶ୍ୱଯୁଦ୍ଧର କାଳ ଆଉ ସେଇ କାଳରେ ବାସ କରିବା ପାଇଁ କିଏ ବା ସେଇମିତି ଲେଖିବାର ଭାରୋତ୍ତଳନ କରିବାକୁ ଚାହିଁବ ?

ମୋର ଏକାନ୍ତ ଅନିଚ୍ଛା ସତ୍ତ୍ୱେ ଆପଣମାନେ ଯଦି ଗୋଟିଏ ତାଳଫୋଟକାର ଆବାଜ ଶୁଣିବାକୁ ଚାହାଁନ୍ତି, ତାହାହେଲେ ଆପଣ ଏଇ କଥାକୁ ପାଟିକରି ପଢନ୍ତୁ, ଭାରତୀୟ ମାଆମାନଙ୍କ ଦୃଷ୍ଟିରେ ତାଙ୍କର ପୁଅଝିଅମାନେ ସବୁ ସମୟରେ କ୍ଷୁଧାତୁର ହୋଇ ରହିବାର ସମ୍ଭାବନାଟି ଛଳଛଳ ହୋଇ ଦେଖାଯାଉଥାଏ । ରାତି ବାରଟାରେ ସେମାନେ ପୁଅଝିଅଙ୍କୁ ଫୋନ୍ କଲାମାତ୍ରେ ହିଁ ଆଗ ପଚାରିବେ, ଆଜି କ'ଣ ଖାଇଚୁ ?

ମୁଁ ବେଳେବେଳେ ଭାରତୀୟ ମାଆମାନଙ୍କ ଦ୍ୱାରା ଯେ ପ୍ରଭାବିତ ନ ହୋଇଛି, ଏକଥା ନୁହଁ।

ସେ ଯାହାହେଉ, ମାଆମାନଙ୍କର ସେମାନଙ୍କର ପୁଅଝିଅଙ୍କ ପ୍ରତି ମାତ୍ରାଧିକ ପଜେସିଭନେସ୍ ସେମାନଙ୍କର ବିବାହୋତ୍ତର ଜୀବନରେ କେଉଁ ପ୍ରକାର କୁପ୍ରଭାବ ପକାଇଥାଏ, ସେଇ କଥାକୁ ଆମ ମାଆମାନେ କଦାପି ମାନିବେ ନାହିଁ ।

ମାଆମାନେ ସର୍ବଦା ଆନନ୍ଦମୟୀ ଓ ବାପା ମାନେ ସର୍ବଦା ଶମ୍ଭୁ ସଦାନନ୍ଦ ହୋଇ ରହିଥାନ୍ତୁ । ଆନନ୍ଦ ବିରାଜ କରୁ ସବୁଠି ।

"ପାଖରେ ରୁମାଲ୍ ରଖିଛୁ କି ମାଆ" ବୋଲି ଘରର ଫାଟକ ପାଖରେ ଛିଡା ହୋଇ ମାଆଟି ଯେଉଁ ଝିଅକୁ ସବୁଦିନ ପଚାରୁଥିଲା, ସେ ପରେ ଅତି ବିଖ୍ୟାତ ହୋଇଗଲା । ଆଜିଦିନରେ, ଅର୍ଥାତ୍ ଆଠ ଅକ୍ଟୋବର୍ ରେ, ସେ ଝିଅଟି ପାଇଥିଲା ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ସାହିତ୍ୟରେ, ନୋବେଲ୍ ପୁରସ୍କାର, ୨୦୦୯ ମସିହା ପାଇଁ । ଝିଅଟିର ନାଆଁ ହେଲା ହେର୍ତ୍ତା ମୁଲର୍, ଜନ୍ମ ଏକଛତ୍ରାଧିପତି କୁଖ୍ୟାତ ଚେଚସ୍କୁଙ୍କର ରୁମାନିଆରେ, ଗୋଟିଏ ସଙ୍ଖ୍ୟାଲଘୁ ଜର୍ମାନ ସମ୍ପ୍ରଦାୟରେ ।

ଅକ୍ଟୋବର ମାସର ଆଦ୍ୟଭାଗଟି ହେଉଛି ନୋବେଲ୍ ସମୟ, ମାନେ ନୋବେଲ୍ ପୁରସ୍କାରର ସମୟ । ଆମେ ଆମର ପ୍ରିୟ ଲୋକମାନଙ୍କର ଏକ ସମ୍ଭାବ୍ୟ ତାଲିକା ମନେ ମନେ ପ୍ରସ୍ତୁତ କରୁ । କଥାବାର୍ତ୍ତା ହେଉ ଆମ ଆମ ଭିତରେ । ଆଗରୁ ହାତାହାତି ବି ହୋଇଯାଉଥିଲା, ଅବଶ୍ୟ ଏହା ସେ କେଉଁ ପ୍ରାକ୍-ଅସହିଷ୍ଣୁତାର ଐତିହାସିକ ଯୁଗର କଥା । ଆମ ଘର ଥାକରେ ଥିବା ଲେଖକଟି ଯଦି ନୋବେଲ୍ ପାଇଗଲା, ତାହାହେଲେ ଆମେ ଏମିତି ଠାଣିରେ ବାହାରକୁ ବାହାରିବୁ, ଯେମିତି ନରେନ୍ଦ୍ର ସ୍ନାହାନକୁ ବିଜେ କରୁଛନ୍ତି କେଉଁ ପୁରୀ କଟକର ଅଧିବାସୀ ଜଣେ । ଆମକୁ କେହି ପଚାରିବା ଯାଏଁ ତର ସହିବ ନାହିଁ । ଆମେ ଆଗଚଲା ହୋଇ ଯେତେ ସମ୍ଭବ ଗମ୍ଭୀର ହୋଇପାରିବ ଜଣେ, ସେତିକି ଗଂଭୀର ହୋଇ କହିବୁ, ଅମୁକ ନୋବେଲ୍ ପାଇଲେ ଜାଣିଛ ? ତାହା ପରେ ଆଉ ବିରାମର ଚିହ୍ନ ସବୁକୁ ମାନିବୁ ନାହିଁ ଜମା । ପଇଁଚାଳିଶ ମିନିଟ ଧରି ଆମ ସାମ୍ନାରେ ଯିଏ ବସିଥାଉ ବି, ସେ ଆମ ନୋବେଲ୍ ଅତ୍ୟାଚାରରେ ଅତ୍ୟାଚାରିତ ହେବାକୁ ବାଧ୍ୟ । ଆମ ପାଇଁ ଆପଣମାନେ ଜାଣନ୍ତି ପଇଁଚାଳିଶ ମିନିଟ ଏକ ସର୍ବକାଳୀନ ମାନଦଣ୍ଡ । ସେତିକିରେ ଆମ ଘଣ୍ଟା ବାଜେ, ଆମେ ଦି ଗ୍ଲାସ ପାଣି ପିଇ ଆଉ ଗୋଟିଏ କ୍ଲାସକୁ ବାହାରି ପଡୁ । ପୃଥିବୀର ଶୀତଳଯୁଦ୍ଧ ପରେ ସିନ୍ଧୁ ସଭ୍ୟତା କେବଳ ସେଇଠି ଆସିପାରେ । ଅବଶ୍ୟ ନୋବେଲ୍ ଉପରେ ଆମେ ଆଗରୁ ଟିକିଏ ପ୍ରସ୍ତୁତି କରିନେଇଥାଉ ଗୋପନରେ । ଥାକରେ ଥିବା ପୁରସ୍କୃତ ବହିଟିରୁ ଧୂଳିଝାଡି ତାହାର ପଛ ମଲାଟକୁ ଟିକିଏ ଭଲ କରି ପଢିଦେଇଥାଉ ।

ବହିର ପଛ ମଲାଟ ଅଛି ବୋଲି, ଆମର ସକଳ ଦୃଶ୍ୟମାନ ବିଦ୍ୱତା ଅଛି ବୋଲି ଜାଣନ୍ତୁ । ମୋର ସମସ୍ତ ପଣ୍ଡିତମାନଙ୍କୁ ସମ୍ମାନ ।ସେମାନେ ବହିର ପଛମଲାଟକୁ ବର୍ଜ୍ୟବସ୍ତୁ ସଦୃଶ ମନେ କରିଥାନ୍ତି । ସେମାନେ ଅଛନ୍ତି ବୋଲି ପୃଥିବୀର ଆଖିଟିମାନ ଆହୁରି ଅଧିକ ଚକ୍ଷୁଷ୍ମାନ, ଆମର ବିଚାରର ମଞ୍ଜଟି ଆହୁରି ଶକ୍ତ । ସେମାନେ କ'ଣ ଆମ ପରି ମୁଖାଧାରୀ ହୋଇ ରହିଛନ୍ତି ଯେ, ଯେଉଁମାନଙ୍କ ପାଇଁ ବହିର ବିଧିବଦ୍ଧ ପଛମଲାଟଟିଏ ନଥିଲେ, ଯନ୍ତ୍ରଟିର ମୋଡ୍ ଟି ମ୍ୟୁଟ୍ ହୋଇଯିବ ? ଆମର ଏମିତି ଦେଖିଲେ ପଣ୍ଡିତମାନଙ୍କ ପ୍ରତି ଭିତରେ ଭିତରେ ଟିକିଏ ଅହନ୍ତାଭାବ ରହିଛି । କେବଳ ପଣ୍ଡିତମାନେ ଆମ ବିଶ୍ୱାସକୁ ବଦଳାଇ ଦେଇ ପାରନ୍ତି । ଆମେ ଯେଉଁ ବିଶ୍ୱାସଟିକୁ ଟିଙ୍କ ପରି ଜାବୁଡି ଧରି ନିଜର ସ୍ଥିତିକୁ ଜାହିର କରିଆସୁଛୁ, ଯଦି ସେଇ ବିଶ୍ୱାସର ଆଶ୍ରାଟି ଆମଠୁ ହଠାତ ଛଡେଇ ନିଆଯାଏ, ଆମେ ଟିଙ୍କମାନେ ଛିନ୍ନମୂଳ ହୋଇ ରହିପାରିବୁ ନାହିଁ । ଅସହିଷ୍ଣୁତା ଓ ଗୁଳି ବନ୍ଦୁକ କଥା ଉଠିବ, ତାହା ପରେ ଆମର ମୁଣ୍ଡର ମାଲମତ୍ତାଗୁଡିକୁ ସହିସଲାମତ ରକ୍ଷା କରିବା ପାଇଁ । 

୨୦୧୭ ମସିହାର ସାହିତ୍ୟ ନୋବେଲ୍ ର ବିଜୟୀ କାଜୁଓ ଇଶିଗୁରୋ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମର ପଣ୍ଡିତ-ବିଦ୍ୱେଷକୁ ଆଉ ଟିକିଏ ପରିଷ୍କାର କରି ଆମେ ଆମ ବାଗରେ କହିପାରୁ ଯେ, ଅସଲ ପଣ୍ଡିତଟି ମୁଣ୍ଡରେ ଥାଏ ଆଉ ତାହାର କୌଣସି ପୁସ୍ତକ ଉପରେ ନିର୍ଭର କରି ରହିବାର ଦରକାର ନାହିଁ । ସେଇଥିପାଇଁ ଗ୍ରୀକ ମହାପଣ୍ଡିତ ସକ୍ରେଟିସ ସବୁ ପୋଥିର ଅସାରତାର କଥା କହୁଥିଲେ । ତମେ ଯଦି ବାହାରର ଆଉ କିଛି ପଦାର୍ଥ ଉପରେ ନିର୍ଭର କରି ରହିଲ, ତେବେ ତମେ କେଉଁ ପ୍ରକାରର ଜ୍ଞାନୀ ? ତାଙ୍କ ଦୃଷ୍ଟିରେ ସବୁ ଜ୍ଞାନ ସ୍ୱୟମ୍ଭୂ । ମହାପଣ୍ଡିତ ସକ୍ରେଟିସଙ୍କ କଥା ଉଠିଛି, ଯେତେବେଳେ ସେତେବେଳେ ଏଇକଥା ବି କୁହାଯାଇପାରିବ ଯେ, ମହାପଣ୍ଡିତମାନେ ବେଳେବେଳେ ଅଜ୍ଞାନୀ ଭଳି କଥା ବି ସାର୍ବଜନୀନ କରିପାରନ୍ତି । ସକ୍ରେଟିସଙ୍କ ଏଇ ପରି ଗୋଟିଏ ବିଚାର ଅନ୍ୟକାହାକୁ ନହେଉ ପଛକେ, ପୃଥିବୀର ସମସ୍ତ ଦନ୍ତ ଚିକିତ୍ସକଙ୍କୁ ଉତ୍ସାହିତ କରିପାରେ । ସକ୍ରେଟିସଙ୍କ ଧାରଣାରେ ପୁରୁଷମାନେ ନାରୀ ମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ । ତାହାର ଯେଉଁ ଅକାଟ୍ୟ ପ୍ରମାଣଟି ସେ ଉପସ୍ଥାପନ କରିଥିଲେ, ତାହା ହେଉଛି ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ ମୁହଁରେ ରହିଛି ଅଧିକ ଦାନ୍ତ । ନାରୀର ଦାନ୍ତକୁ ଗଣି ସକ୍ରେଟିସଙ୍କ ଭଳି ମହାପଣ୍ଡିତଙ୍କୁ ଭୁଲ ବୋଲି କହିପାରିବାର ସାମର୍ଥ୍ୟ ସେତେବେଳେ କାହାର ଥିଲା ? ତେଣୁ ଦାନ୍ତ ଅଛି ମାନେ ଜ୍ଞାନ ବିଦ୍ୟମାନ, ଏଇ ଭଳି ଏକ ଚମତ୍କାର ବିଜ୍ଞାପନ ଆମ ଦନ୍ତ ଚିକିତ୍ସକମାନେ କେବଳ ସକ୍ରେଟିସଙ୍କ ସୌଜନ୍ୟରୁ ପାଇ ପାରିବେ ।

ନୋବେଲ ପୁରସ୍କାର ଚୟନକୁ ନେଇ ଏଥର କୌଣସି କଥା ଉଠିବ ନାହିଁ, ଆଗରୁ ଅନେକଥର ଯେମିତି କଥା ଉଠୁଥିଲା ।

ହେର୍ତ୍ତା ମୁଲର୍ ୨୦୦୯ ମସିହାରେ ନୋବେଲ ବିଜେତା ଘୋଷିତ ହେଲାପରେ ଚୟନର ସ୍ୱରୂପକୁ ନେଇ ଅନେକ କଥା ଉଠିଥିଲା ।ନୋବେଲ୍ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ୍ ଙ୍କ ନିର୍ଦ୍ଦେଶ ଥିଲା ଯେ, ଏଇ ପୁରସ୍କାର ସେଇ ଲେଖକକୁ ଦିଆଯିବ, ଯାହାର ଲେଖା "ଦି ମୋଷ୍ଟ୍ ଆଉଟଷ୍ଟାଣ୍ଡିଙ୍ଗ୍ ୱାର୍କ ଇନ୍ ଆନ୍ ଆଇଡିଆଲ୍ ଡିରେକସନ୍" ବା "ଏକ ଆଦର୍ଶ ଉଦ୍ଦେଶ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ" ହୋଇଥିବ । ଏଇ ମହତ୍ୱପୂର୍ଣ୍ଣ ଆଦର୍ଶର ସ୍ୱରୂପକୁ ସବୁବେଳେ ସ୍ୱର୍ଗୀୟ ଆଦର୍ଶ ବୋଲି ବିଚାର କରାଯାଏ ।

ଆମେ ବହିର ପଛମଲାଟ ପାଖରେ ଥିଲେ । ପଛ ମଲାଟ କେମିତି ଆମର ସମସ୍ତ ନବ ନବ ଉନ୍ମେଷଶାଳିନୀ ଜ୍ଞାନର ଉତ୍ସ, ସେଇ କଥା ହେଉଥିଲେ । ପ୍ରସଙ୍ଗଟି ନୋବେଲ୍ ପୁରସ୍କାର ରୁ ଉଠିଥିଲା ।

ଅଳ୍ପ କେତେଥରକୁ ଛାଡିଦେଲେ, ନୋବେଲ୍ କମିଟି ଆଦ୍ୟ ଶ୍ରାବଣର କୁଆଁରୀ ମନ ଭଳି ମେଘ, କେଉଁଠି ହଠାତ୍ ବର୍ଷିଯିବ କିଏ ଜାଣେ ? ଆମ ବହିଥାକରୁ ବହି ନୋବେଲ୍ କମିଟି ବାଛେ ନାହିଁ । ଆମେ ଖାଲି ଡହକବିକଳ ହେଉ ।

ଏଥରର ନୋବେଲ୍ ବିଜେତା କାଜୁଓ ଈଶିଗୁରୋ ପୁରସ୍କାର ଘୋଷଣା ହେଲା ପରେ, ପ୍ରଥମେ ଆଉଜଣେ ଔପନ୍ୟାସିକାଙ୍କ ବିଷୟରେ କହିଛନ୍ତି । ଈଶିଗୁରୋ କହିଛନ୍ତି, "ମୁଁ ଏଇ ପୁରସ୍କାର ପାଇଥିବା କାରଣରୁ ମାର୍ଗାରେଟ୍ ଆଟଉଡ୍ ଙ୍କୁ କ୍ଷମା ମାଗୁଛି, ଆଉ କାମନା କରୁଛି ସେ ଖୁବ୍ ଶିଘ୍ର ଏଇ ପୁରସ୍କାର ପାଇବେ । ମୁଁ ଘଡିକ ପାଇଁ ଭାବିନାହିଁ ଯେ ମୁଁ ପାଇବି । ମୁଁ ସବୁବେଳେ ଭାବି ଆସିଛି ଯେ, ଏଥର ଖୁବ୍ ଶିଘ୍ର ମାର୍ଗାରେଟ୍ ଆଟଉଡ୍ । ଏବଂ ଏବେ ମୁଁ ଠିକ୍ ସେଇକଥା ଭାବୁଛି, ଓ କାମନା କରୁଛି ।"

"ଅନ୍ଧ ହତ୍ୟାକାରୀଣୀ"ର ଲେଖିକା ମାର୍ଗାରେଟ୍ ଆଟଉଡ୍ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି ଏହିଭଳି, ଏବେ ଦେଖିଲି । ବହୁତ ପ୍ରତିଭାବାନ ।ଯଦିଓ ଏଇ ବୃଦ୍ଧା ମହିଳା ପ୍ରତି କିଛିଟା କ୍ଳାନ୍ତି ରହିଛି ।

ନିଜର ଜନ୍ମସ୍ଥାନ ଜାପାନରେ ସମ୍ପୂର୍ଣ୍ଣ ଅଖ୍ୟାତ ଏଇ ଲେଖକ ଈଶିଗୁରୋଙ୍କୁ ନେଇ ନୋବେଲ୍ ଘୋଷଣା ପରେ କିଛି ପରିମାଣରେ କୌତୁହଳ ସୃଷ୍ଟି ହୋଇଛି ।

ମୁଁ ମୋ ବହିଥାକକୁ ଟିକିଏ ସଜାଡି ଦେଇଛି ଏହା ପରେ । ଈଶିଗୁରୋଙ୍କ 'ଦି ରିମେନସ୍ ଅଫ୍ ଦି ଡେ' , ତାହା କାନ୍ଧକୁ ଲାଗି ଏନଗୁଗି ୱା ଥିଆଙ୍ଗୋ ଙ୍କ 'ୱିଜାର୍ଡ ଅଫ୍ ଦି କ୍ରୋ', ତା ପାଖରେ ମୁରାକାମୀଙ୍କ 'କାଫକା ଅନ୍ ଦି ସୋର୍' ଆଉ ଏବେ ଈଶିଗୁରୋଙ୍କ ପ୍ରତିକ୍ରିୟା ପଢିବା ପରେ ରଖିଛି ଆଟଉଡ୍ ଙ୍କ 'ଦି ବ୍ଲାଇଣ୍ଡ ଆସାସିନ୍' ।

ସଫଳ ବିଫଳ ଏଇ ବହିମାନେ ନିଜନିଜ ଭିତରେ ମୋ ଅଜ୍ଞାତ ରେ କଥା ହୁଅନ୍ତୁ । ସେମାନଙ୍କର ନିଃଶ୍ୱାସ ଯେମିତି ମୋ ପିଠିରେ ବାଜୁଥାଉ ।

ହେର୍ତ୍ତା ମୁଲର ରୁମାନିଆର ଅତ୍ୟାଚାରୀ ଶାସକ ଅର୍ଥାତ ଏକ ଏକଛତ୍ରବାଦୀ ଶାସନରେ ସ୍ୱାଧୀନତାର ଚିନ୍ତାର ପରିପ୍ରକାଶ ଜନିତ ଯାତନାକୁ 'ଇନ୍ ଆନ୍ ଆଇଡିଆଲ୍ ଡିରେକସନ୍' ବୋଲି ନୋବେଲ କମିଟି ତରଫରୁ ବିଚାର କରାଯାଇଥିଲା ସେତେବେଳେ ।

ନିଜର ନୋବେଲ୍ ଭାଷଣରେ ହେର୍ତ୍ତା ଏଇ କଥାଟିରୁ ଆରମ୍ଭ କରି ଥିଲେ ।

"ପାଖରେ ରୁମାଲ୍ ରଖିଛୁ ତ ମାଆ" ସବୁଦିନ ସକାଳେ ମାଆ ପଚାରିବ, ସେତେବେଳକୁ ସେ ଘରର ଗେଟ୍ ପାଖରେ ଆଉ ମୁଁ ବାହାର ରାସ୍ତାରେ ପାଦ ଦେଇଥିବି କି କ'ଣ ?

ମାଆଟି ଏଇ କଥାପଦକ ପଚାରିବାର କିଛି ସମୟ ପରେ ତାହାକୁ ଚିଚେସ୍କୁର ସୈନ୍ୟମାନେ ବାନ୍ଧି ନେଇଥିଲେ ନିର୍ଯାତନା କକ୍ଷ ଗୁଲାଗ୍ କୁ ଯେଉଁଠୁ କେହି କେବେ ଫେରେନାହିଁ ।

ରୁମାଲ୍ ଖଣ୍ଡିକ କଥାରେ ରହିଗଲା ସବୁଠୁ ବେଦନାଦାୟକ ସ୍ମୃତି ହୋଇ । ଏଇ ନୋବେଲ ବିଜୟିନୀ ତାହାକୁ ବିଶ୍ୱବିଖ୍ୟାତ କରିଦେଲା ।
ପରେ ତୁର୍କୀର ଜଣେ ନୋବେଲ୍ ବିଜେତା ଓରହାନ୍ ପାମୁକ୍ ନିଜ ବାପାଙ୍କ ବାକ୍ସ କଥା ନିଜ ଭାଷଣରେ ଉଠାଇଥିଲେ, କିନ୍ତୁ ଏ ଯାଏଁ ସବୁଠାରୁ ପ୍ରଭାବଶାଳୀ ହୋଇ ରହିଆସିଛି ସେଇ ପୁରୁଣା ଆଗର କଥା ପଦକ ।

'ପାଖରେ ରୁମାଲ୍ ରଖିଛୁ ତ ମାଆ ?'

Saturday, October 07, 2017

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧



ସଙ୍କଳନ - ସ୍ନେହଲତା ଷଡଙ୍ଗୀ



ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


କର୍ମ ଅର୍ଜନେ ସହେ ଦୁଃଖ
କେବେ ହେଁ ନୋହିବ ବିମୁଖ ।

ଅର୍ଥ : ମନୁଷ୍ୟ ଜୀବନରେ ଭଲ କର୍ମ କରିଥିଲେ ଭଲ ଫଳ ନିଶ୍ଚିତ ପାଏ । ଯଦି ଅନୀତି ଦୁର୍ନୀତିରେ ଲିପ୍ତ ରହି ଜଣେ ଖରାପ କାମ କରିଚାଲେ,  ଦୁଃଖ ତ ନିଶ୍ଚୟ ମିଳିବ । ତେଣୁ ସେଥିପାଇଁ ଅବଶୋଷ କରିବା ଉଚିତ ନୁହେଁ ।


କହି ଦେଉ ଥାଇ ପରକୁ
ବୁଦ୍ଧି ନ ଦିଶଇ ଘରକୁ ।

ଅର୍ଥ : ଅନ୍ୟକୁ ତାହାର ଭୁଲ ବିଷୟରେ ଚେତାଇ ଦେବା ପୂର୍ବରୁ, ଆମର ଅନୁଶୀଳନ କରି ଦେଖିବା ଉଚିତ ଯେ, ନିଜେ ସେହି ଭୁଲଟିକୁ କରୁଛେ ନା ନାହିଁ । ଏହା ହିଁ ବୁଦ୍ଧିମତାର କାର୍ଯ୍ୟ ।


ଯେଣେ ଇଚ୍ଛା ତେଣେ ଯାଅ
କର୍ମ ଘେନି ବୁଲୁ ଥାଅ ।

ଅର୍ଥ : ମଣିଷ ଦୁନିଆରେ ଯେ କୌଣସି କୋଣକୁ ଗଲେ ମଧ୍ୟ, ନିଜର କର୍ମ ଅନୁସାରେ ଫଳ ପାଇବ । ଭଲ କର୍ମର ଭଲ ଫଳ ଓ ମନ୍ଦ କର୍ମର ମନ୍ଦ ଫଳ ନିଶ୍ଚୟ ମିଳିବ ।


ବଡ଼ ବଡ଼ ଗଲେ ଫସର ଫାଟି
ସାନ ଆସିଲେ ବେସର ବାଟି ।

ଅର୍ଥ : ଯେଉଁ କାର୍ଯ୍ୟକୁ ବଡ଼ ବଡ଼ ବିଦ୍ୱାନ ବା ଅନୁଭବୀ ଲୋକମାନେ କରିବାକୁ ସମର୍ଥ ହୋଇ ନାହାନ୍ତି, ତାହାକୁ ଅତି ସାଧାରଣ ମଣିଷ କରିବା ପାଇଁ ଆସ୍ପର୍ଦ୍ଧା କରିବା ।


ଶାଶୂ ମାରୁଥାଇ ବୋହୂକୁ,
ବୋହୂ ମାରି ମାରି କାହାକୁ ମାରିବ
ମାରୁଥାଇ ଚୁଲି ମୁହଁକୁ ।

ଅର୍ଥ : ଉପରିସ୍ଥ ଅଫିସର ବା ମାନ୍ୟରେ ଅଧିକ ବ୍ୟକ୍ତିଙ୍କ ଠାରୁ ସବୁ ବେଳେ ଗାଳି ଶୁଣିଲେ ମନ ଉତ୍ତ୍ୟକ୍ତ ରହିବ । ତେଣୁ ମନକୁ ଶାନ୍ତ କରିବାକୁ ଯାଇ ନିଜର ଅଧସ୍ତନ କର୍ମଚାରୀ ହେଉ ବା ସର୍ବସାଧାରଣ କାହା ଉପରେ ନିଜର ଆକ୍ରୋଶକୁ ଶାନ୍ତ କରିବା ପାଇଁ ଅକାରଣରେ ଗାଳି ଦେବା ।