Tuesday, October 24, 2017


ଏଣୁ-ତେଣୁ

ନନ୍ଦିତା ମହାନ୍ତି 


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ସିନେମା ଦେଖିବା ପାଇଁ ଯାଇଥିଲି ‘ଆଇନକ୍ସ୍’ । ଅନେକ ବର୍ଷ ପରେ , ଝିଅର ବାଧ୍ୟବାଧକତାରେ । ଗେଟ ଭିତରେ ପଶୁ ପଶୁ ହିଁ ଝୁଣ୍ଟିଥିଲି ମୁଁ । ଗେଟରେ ଛିଡା ହେଇଥିବା ମହିଳା ଜଣକ ମୋର ବ୍ୟାଗ ତନଖି କରି ସେଥିରେ ଥିବା କିଛି ଚିନାବାଦାମ ଭଜା, ଦୁଇଚାରୋଟି ଚକୋଲେଟ ଓ ଛୋଟିଆ ପାଣି ବୋତଲଟିକୁ ବି କାଢ଼ି ନେଲେ । କୁଆଡ଼େ ସେଠି ସିନେମା ଦେଖିବାକୁ ହେଲେ ସାଙ୍ଗରେ କିଛି ନେଇ ଯାଇ ପାରିବନି । ଯାହା କିଣିବ ସେଇ ହଲ୍ ର ପରିସର ଭିତରୁ । ତାହା ପୁଣି ପ୍ରକୃତ ଦାମ ଠାରୁ ଆଠଦଶ ଗୁଣ ଅଧିକ ଦେଇ । 

ସିନେମା ହଲ ଭିତରେ ବସି ମୋର ମନେ ପଡୁଥିଲା ରାଉରକେଲାର ରିଙ୍ଗ ରୋଡ କଡ଼, ଦୀପକ ହଲରେ 'ଶ୍ରୀ ଜଗନ୍ନାଥ ‘ ସିନେମା ଦେଖିବା କଥା । ସେତେବେଳେ ସିନେମା ଦେଖି ଯିବାଟା ତ ଆମ ପାଇଁ କୌଣସି ପାର୍ବଣ ଠାରୁ କମ୍ ନ ଥିଲା । ବାବା ଓ ପଡ଼ୋଶୀ ମଉସା ସକାଳୁ ଯାଇ ଲାଇନି ଲଗେଇ ଟିକେଟ କାଟି ଆଣୁଥିଲେ । ମା ଓ ମାଉସୀ ଶାଢ଼ି ପିନ୍ଧିବା ପୂର୍ବରୁ ଆମେ ପିଲାମାନେ ଜାମାଯୋଡ଼ ହେଇ ଯାଇ ଛିଡ଼ା ହେଇ ପଡ଼ୁଥିଲୁ । କମଳା ରଙ୍ଗର ଟାଉନ ବସର ବିରାଟ ପେଟରେ ଗୋଟେ ଗୋଟେ ସିଟରେ ବସି ପଡ଼ୁଥିଲୁ ଆମେ । ରିଙ୍ଗ ରୋଡ଼ରେ ଧୂଆଁ ଫୋପାଡି ଧାଉଁଥିଲା ବସ୍, ଆଉ ତା ସହିତ ଆମେ ବି ଦଉଡୁଥିଲୁ । ବସ ପହଞ୍ଚିବା ଆଗରୁ ଆମେ ପହଞ୍ଚିବାକୁ ଚାହୁଁଥିଲୁ ଆମ ଗନ୍ତବ୍ୟ ସ୍ଥଳିରେ । 

ହଲ ଭିତରର ଅନ୍ଧାରିଆ ପରିବେଶ, ଧଳା ପରଦାରେ ଦେବତା ଆଉ ଅସୁରଙ୍କର ଫାଇଟିଙ୍ଗ । ମଝିରେ ମଝିରେ ଜେନା ମାଉସୀଙ୍କର ପରଦା ଉପରେ ଜଗନ୍ନାଥଙ୍କୁ ଦେଖି ବାରମ୍ବାର ଦୁଇ ହାତ ଯୋଡ଼ି ମୁଣ୍ଡରେ ମାରୁଥିବାର ବା ଅଧାଗଢା ଦିଅଁଙ୍କୁ ଦେଖି ଝରଝର କାନ୍ଦୁ ଥିବାର ଦୃଶ୍ୟ । ଇଣ୍ଟରଭାଲରେ ହଲ ଭିତରେ ବୁଲୁଥିବା ବାଦାମବାଲା ଠାରୁ ଗରମ ଗରମ ଚିନାବାଦାମ ଆଉ ବୁଟ ଭଜା ଖିଆ, ତ ଆଉ କେବେ କେବେ ଲେମ୍ବୁ ଲୁଣ ବୋଳା ପୋଡ଼ା ମକା ଖିଆ । ସିନେମା ଦେଖା ଠାରୁ ବୋଧେ ବେଶୀ ଆକର୍ଷଣୀୟ ଥିଲା ଏ ସବୁ ।

ଇଣ୍ଟର୍ମିଶନରେ ଝିଅ ଠୁଙ୍ଗାଏ ମକାଖଇ (ପପକର୍ଣ୍ଣ) ଆଣି ମୋ ହାତରେ ଧରେଇ ଦେଇ କହିଲା, "ମାମା, ପପକର୍ଣ୍ଣ... ସେଇ ମକା ମ ।“ ପାଟିରେ ଦି‘ଟା ପକେଇଲି । ସଞ୍ଚରି ଗଲା ଏକ ଖଟା-ମିଠା ଚଟପଟା ସ୍ଵାଦ ଜିଭ ସାରା । ହେଲେ ମୋର ସ୍ଵାଦଗ୍ରନ୍ଥି ସବୁ ବୋଧେ ଖୋଜୁଥିଲେ ଆଉ କିଛି । ଏଇ ଜିଭଟା ପରା ଭାରି ଦଗାଦିଆ । ଚିମୁଟି ଦେଇ, ସାଙ୍ଗେ ସାଙ୍ଗେ ଟାଣି ନେଇ ଛିଡ଼ା କରିଦେବ ଅତୀତର ସେଇ ଅର୍ଗଳି ଭିତରେ, ଯେଉଁଠି ପ୍ରବେଶ ନିଷେଧର ବୋର୍ଡ଼ ଲାଗିଥିବ । 

ବାସ୍ କେବଳ ମାନସ ଚକ୍ଷୁରେ ଦିଶିଯିବ... ସିନେମା ହଲ ସାମ୍ନାରେ, ଠେଲାଗାଡିରେ ବସିଥିବ ବିହାରୀ ବୁଢ଼ା । ମୁଣ୍ଡରେ ଠେକା ପରି ବାନ୍ଧିଥିବ ଗୋଟେ ଗାମୁଛା । ଠେଲାରେ ଗୋଟେ ପଟେ ଗଦା ହେଇଥିବ ମକା । ଆଉ ଗୋଟେ ପଟେ ଦିକ ଦିକ ହେଇ ଜଳୁଥିବ କୋଇଲା ଆଞ୍ଚ । ସିଏ ଗୋଟିଏ ଗୋଟିଏ ମକାରୁ ଚୋପା ଛଡ଼େଇ କୋଇଲା ଆଞ୍ଚରେ ପକଉଥିବ। ମଝିରେ ମଝିରେ ପାଟି କରୁଥିବ “ଭୁନା ହୁଆ ଭୁଟ୍ଟା ଲେଲୋ ବାବୁ, ଦୋ ରୁପିଏ ମେ ଏକ୍ । ପାଞ୍ଚ୍ କା ତିନ୍ ।“ ଆଞ୍ଚରୁ ହାଲକା ଧୂଆଁ ଉଠୁଥିବ । କୋଇଲା ଜଳିବାର ଆଉ ମକା ପୋଡ଼ାର ମିଶାମିଶି ସୁନ୍ଦର ବାସ୍ନା ଘୁରି ବୁଲୁଥିବ ଚାରିପଟେ । ନାକ ପଟ ଦେଇ ପେଟ ଯାଏଁ ପହଞ୍ଚି ଯାଉଥିବ । ବିହାରୀ ବୁଢ଼ା ଗୋଟେ ପୋଡ଼ା ମକା ଉପରେ ଲେମ୍ବୁ ଓ କଳାଲୁଣ ବୋଳିବ ବଡ଼ ଯତ୍ନରେତା' ପରେ ତାକୁ ମକା ଚୋପାରେ ଗୁଡେଇ ଧରେଇ ଦେବ ହାତରେ । ମକା ଚୋବାଉ ଚୋବାଉ ଆମେ କେତେବେଳେ ଯେ ଘରେ ପହଞ୍ଚି ଯିବୁ, ଜଣା ବି ପଡ଼ିବନି । 

ଅତୀତଟା ଏମିତି, ଯେଉଁଠିକି ଆଉ କେବେ ଫେରି ଯାଇ ହେବନି, ହେଲେ ମୃତ୍ୟୁ ଯାଏଁ ,ସେ ସିଏ କେବେ ପିଛା ଛାଡ଼ିବନି । ବେଳ ଅବେଳରେ ଏମିତି ଆସି ଛିଡ଼ା ହେଇଯିବ ସାମ୍ନାରେ, ବିନା ନିମନ୍ତ୍ରଣରେ, ଆ ମୋତେ ଛୁଉଁ କହି ।

No comments:

Post a Comment