Sunday, October 22, 2017

ଦୀପାବଳିର ଛବି

ଜ୍ୟୋତି ନନ୍ଦ


ଚିତ୍ରୋତ୍ତଳକ - ଅଜ୍ଞାତ

ଏଇ ଛବିଟି ସଙ୍ଗୃହିତ । ଛବିର ପ୍ରକୃତ ମାଲିକଙ୍କୁ ମୁଁ ଜାଣେନାହିଁ । ସେହି ଅଜ୍ଞାତ ଚିତ୍ରୋତ୍ତଳକଙ୍କୁ ମୁଁ କୃତଜ୍ଞତା ଜଣାଉଛି ।

ଗଲାକାଲି ଭାରତର ପ୍ରସିଦ୍ଧ ଯୋଗୀ ତଥା ଉତ୍ତର ପ୍ରଦେଶକୁ ଉର୍ବର ପ୍ରଦେଶରେ ପରିଣତ କରିବା ନିମନ୍ତେ ଦୃଢସଙ୍କଳ୍ପବଦ୍ଧ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଏକ ପୌରାଣିକ କଥାର ଭବ୍ୟ ରୂପାୟନ କରି ଅଯୋଧ୍ୟାବାସୀଙ୍କ ସହିତ ସମସ୍ତ ଭାରତକୁ ବିହ୍ୱଳ କରିଦେଇଛନ୍ତି ।
ଗଲାକାଲି ଆପଣମାନଙ୍କର ସ୍ମରଣରେ ଥିବ ଯେ, ଏହା ଏକ ଐତିହାସିକ କ୍ଷଣ ଥିଲା, ଯେତେବେଳେ ପୌରାଣିକ ମର୍ଯ୍ୟାଦାପୁରୁଷ ପ୍ରଭୂ ଶ୍ରୀରାମଚନ୍ଦ୍ର ମାତା ଜାନକୀ ଓ ଭ୍ରାତା ସୌମିତ୍ରିଙ୍କ ସହ ଚଉଦ ବର୍ଷ ବନବାସାନ୍ତେ ଇତିହାସର ସୁସଜ୍ଜିତ ପୁଷ୍ପକବିମାନରେ ଆସି ପାବନ ଅଯୋଧ୍ୟାଭୂମିରେ ପଦାର୍ପଣ କରିଥିଲେ । ଏବଂ ସେଇ ପୌରାଣିକ କ୍ଷଣକୁ ଇତିହାସର ବୈଧତା ପ୍ରଦାନ କରିବା ପାଇଁ ଯୋଗୀ ପ୍ରବର ଶ୍ରୀଯୁକ୍ତ ଆଦିତ୍ୟନାଥ ଏକ ଭବ୍ୟ ଆୟୋଜନ କରିଥିଲେ ।
ଅବଶ୍ୟ ପ୍ରଭୂ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରଦେଶର ଦ୍ୱାରଦେଶରେ ପହଞ୍ଚିବା ମାତ୍ରକେ ସେହି ବିଶେଷ କାହାଣୀର ପୁନରାବୃତ୍ତି ହୋଇଥିଲା କି ନାହିଁ, ତାହାର ସବିଶେଷ ତଥ୍ୟ ଜଣେ ସୁଦୂର ଓଡିଶାବାସୀ ହିସାବରେ ମୋ ପାଖରେ ଉପଲବ୍ଧ ନାହିଁ ।
ଆପଣଙ୍କୁ ସେଇ କାହାଣୀଟି ମନେ ପକାଇ ଦେଉଛି ।
ପିତୃସତ୍ୟ ପାଳି ପ୍ରଭୂ ଶ୍ରୀରାମଚନ୍ଦ୍ର ଯେତେବେଳେ ବନବାସରେ ବାହାରିଲେ, ସେତେବେଳେ ତାଙ୍କ ସହିତ କେବଳ ଯେ ମାତା ଜାନକୀ ଆଉ ଭ୍ରାତା ସୌମିତ୍ରୀ ବନସ୍ତକୁ ଯିବାପାଇଁ ବାହାରିଲେ ସେ କଥା ନୁହଁ, ସମଗ୍ର ଅଯୋଧ୍ୟାବାସୀ ବି ଜିଦ୍ ଧରିଲେ, ସେମାନେ ବି ବନସ୍ତକୁ ଯିବେ ନିଜ ପ୍ରଭୂଙ୍କ ସହିତ । ପ୍ରଭୂ ଅଯୋଧ୍ୟାର ସୀମାନ୍ତ ଅତିକ୍ରମ କରିବା ପୂର୍ବରୁ ସବୁ ଅଯୋଧ୍ୟାବାସୀଙ୍କୁ ଏକ ନିବେଦନ କରି କହିଥିଲେ, ପିତୃସତ୍ୟକୁ ଲଙ୍ଘି ହେବ ନାହିଁ । ଚଉଦ ବର୍ଷ ପରେ ମୁଁ ଅବଶ୍ୟ ଫେରିବି । ତେଣୁ ହେ ଅଯୋଧ୍ୟାର ନରନାରୀମାନେ, ତମେ ଏବେ ଫେରିଯାଅ । ଫେରିଯାଇ ଅଯୋଧ୍ୟାର ସେବା କର ।
ପ୍ରଭୂଙ୍କ ନିର୍ଦ୍ଦେଶ ବୋଲି କଥା । ତାହାକୁ ଅମାନ୍ୟ କରି ହେବ ନାହିଁ । ତେଣୁ ଅଯୋଧ୍ୟାର ସବୁ ନରନାରୀମାନେ ଫେରିବାକୁ ଆରମ୍ଭ କରିଥିଲେ, ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ, ମାତା ଜାନକୀ କୀ ଜୟ, ଶ୍ରୀ ଲକ୍ଷ୍ମଣଲାଲ୍ କୀ ଜୟ, ବୋଲି ଜୟଧ୍ୱନି ଦେଇଦେଇ ।
ଚଉଦ ବର୍ଷର ବୀରତ୍ୱର କାହାଣୀର ବନବାସ ପରେ, ଶ୍ରୀରାମଚନ୍ଦ୍ରଙ୍କୁ ପ୍ରବେଶ କରିବାକୁ ହେବ, ବ୍ୟକ୍ତିଗତ ବିପର୍ଯ୍ୟୟର ଏକ କାହାଣୀକୁ, ଆପଣ ଜାଣନ୍ତି । ଏଇ ଦୁଇଟି କାହାଣୀ ମଝିରେ ଶ୍ରୀରାମଚନ୍ଦ୍ର ପହଞ୍ଚିଗଲେ ଅଯୋଧ୍ୟାର ସୀମାନ୍ତରେ । ସେଇଠି ତାଙ୍କ ପାଇଁ ଅପେକ୍ଷା କରିରହିଥିଲା ଅପୂର୍ବ ଆଶ୍ଚର୍ଯ୍ୟଟିଏ । ଅଯୋଧ୍ୟାର ସମସ୍ତ ପ୍ରଜାକୂଳ ସମବେତ ସେଇଠି ଚଉଦ ବର୍ଷ ପରେ ପ୍ରଭୂଙ୍କୁ ସ୍ୱାଗତ କରିବା ପାଇଁ ।
ସେମାନଙ୍କର ଭିତରୁ କେତେ ଜଣଙ୍କର କଥା ।
ସେମାନେ କରଯୋଡି ଠିଆ ହେଲେ । କହିଲେ, ପ୍ରଭୂ ଆମେ ଆପଣଙ୍କୁ ଅପେକ୍ଷା କରି ରହିଛୁ, ଏଇଠି ଗତ ଚଉଦ ବର୍ଷ ହେଲା, ଏବେ ଆମ ପାଇଁ କେଉଁ ଆଜ୍ଞା ପ୍ରଭୂ ?
ପ୍ରଭୂ ଶ୍ରୀରାମଚନ୍ଦ୍ର ବିସ୍ମିତ ହେଲେ । କହିଲେ, ତମେ ?
ସେମାନେ ସେମିତି ହାତଯୋଡି କହିଲେ, ପ୍ରଭୂ ଆପଣ ନିର୍ଦ୍ଦେଶ ଦେଲେ ଅଯୋଧ୍ୟାକୁ ନିଜନିଜ କାମକୁ ଫେରିଯିବାକୁ ,ସବୁ ନରନାରୀଙ୍କୁ । ପ୍ରଭୂ ଆମେ ନର ନୁହଁ କି ନାରୀ ନୁହଁ, ତେଣୁ ଅପେକ୍ଷା କରିଛୁ ଆପଣଙ୍କୁ ଏଇଠେ ? ନିର୍ଦ୍ଦେଶ ପାଇଁ ?
ଶ୍ରୀରାମଚନ୍ଦ୍ର ଏଇ କଥାରେ ବିଗଳିତ ହୋଇଗଲେ । ପ୍ରଭୂ ଜଣେ ବିଗଳିତ ହୋଇଯିବା ମାନେ, ଜାଣିବାକୁ ହେବ ଯେ, ପୁରାଣରେ ଗୋଟିଏ ବିଶେଷ କ୍ଷଣ ଉପସ୍ଥିତ ହେଲା, ଆଉ ଏହା ପରେ ପୁରାଣ କଡ଼ ଲେଉଟାଇବ । ଏଇ ମୁହୂର୍ତ୍ତଟି ହେଉଛି ବରଦାନର ମୁହୂର୍ତ୍ତ । ପ୍ରଭୂ ଶ୍ରୀରାମଚନ୍ଦ୍ର ସେମାନଙ୍କୁ, ଅର୍ଥାତ୍ ଯେଉଁମାନେ ନର ବା ନାରୀ ନଥିଲେ ସେହି ମାନଙ୍କୁ, ବର ପ୍ରଦାନ କଲେ, ସେମାନେ କଳିକାଳରେ ସମସ୍ତ କ୍ଷମତାର ଅଧିକାରୀ ହୋଇ ସୁଖରେ କାଳ କାଟିବେ ।
ନର ବା ନାରୀ ହୋଇନଥିବା ସେଇ ଅଯୋଧ୍ୟା ପ୍ରଜା କେତେକ ସୋଲ୍ଲାସ ଚିତ୍କାର କଲେ,ପ୍ରଭୂ ଶ୍ରୀରାମଚନ୍ଦ୍ର କୀ ଜୟ ।
ଶ୍ରୀଯୁକ୍ତ ଯୋଗୀ ଆଦିତ୍ୟନାଥ ଜଟାଜୁଟ ଶୋଭିତ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ସହ ଅନ୍ୟମାନଙ୍କୁ ଏକ ପୁଷ୍ପକବିମାନ କଳ୍ପ ବ୍ୟୋମଜାନରୁ ଅବତରଣ କରାଇବା ସହ ସ୍ୱର୍ଗରୁ ପୁଷ୍ପବୃଷ୍ଟିର ଦୃଶ୍ୟଟି ଯଥେଷ୍ଟ ଦକ୍ଷତା ଓ କୁଶଳତାର ସହ ସଂରଚନା କରିଥିଲେ । ମାତ୍ର ଆମର ପୂର୍ବୋକ୍ତ ଏଇ କାହାଣୀଟି ସେଠାରେ ଘଟିଥିଲା, କି ନାହିଁ, ତାହା ଜଣାନାହିଁ । ସେଇଟି କହିବାକୁ ଗଲେ ଏକ କାହାଣୀ, କ୍ଷମତାର ଏକ ଅତୀତ କଥା ।
ତାହା ପରେ କିନ୍ତୁ ଶ୍ରୀଯୁକ୍ତ ଆଦିତ୍ୟନାଥ ଅଯୋଧ୍ୟାକୁ ଲକ୍ଷ ଲକ୍ଷ ଦୀପରେ ଝଲମଲ କରି ଦେଇଥିଲେ, ଯାହା ଅତ୍ୟନ୍ତ ନୟନାଭିରାମ ଥିଲା, ଆଉ ଈର୍ଷୁକ ମାନଙ୍କୁ ଈର୍ଷାରେ ଅନ୍ଧ କରିଦେଇଥିଲା ।
ଯଦି ଆମର ଶାସକକୂଳ ଗୋଟିଏ କାମ କରିପାରନ୍ତେ, ତାହାହେଲେ ଆମର ଆଉ କୌଣସି ଚିନ୍ତା ରହନ୍ତା ନାହିଁ । ସେଇଟା ସେତେ ବଡ କଥା ନୁହଁ । ଭାରତୀୟମାନଙ୍କ ଶରୀରରୁ ପେଟଟିକୁ ବାହାର କରି, ସେଇଠି କେବଳ ଆଖି ଆଉ କାନ କେତେ ହଳ ଅଧିକ ଯୋଡିଦେବାର କଥା ।
ଏଇ ନିର୍ଲଜ ପେଟଟି ଅଛି ବୋଲି ଲକ୍ଷଲକ୍ଷ ଦୀପାଳିରେ ଝଲମଲ ଅଯୋଧ୍ୟାର କିଛି ଈର୍ଷୁକ ଅଧିବାସୀ ତାହା ପରଦିନ ସକାଳୁ ସକାଳୁ ବାହାରି ପଡିଛନ୍ତି ଜାରକେନ୍ ମାନଙ୍କୁ ଧରି ସେଇ ପୋଡା ଦୀପାଳିରୁ ବଳିଥିବା ତେଲଟିକକୁ ସଙ୍ଗ୍ରହ କରିବାକୁ । ସେଇ ପୋଡାତେଲରେ ହୁଏତ ସେମାନଙ୍କର ଜୀବନ ସଳିତାଟି ଅଧିକ ତେଜିଆନ ହୋଇ ଜଳିପାରେ ଦିନଟିଏ ।
ଏଇ ଛବି ଝଲମଲ ଅଯୋଧ୍ୟାର ପୋଡାତେଲ ସହ ପେଟ ପୋଡିବାର ଛବିଟିଏ ।
ରକ୍ଷା, ଆମ ଓଡିଶାରେ ସେମିତି କୌଣସି ପୌରାଣିକ ବିଶିଷ୍ଟ ମୁହୂର୍ତ୍ତକୁ ଇତିହାସର ପୁଷ୍ପକ ବିମାନରେ ସଜାଇବାର ଅବକାଶ ନାହିଁ । ନ ଆସୁ କେବେ ।

ସମ୍ପାଦକୀୟ ଟୀକା

ଚିକିତ୍ସା ଅଭାବରେ ପିଲାମାନେ ଉତ୍ତରପ୍ରଦେଶର ଡାକ୍ତରଖାନାରେ ଉତ୍ତର-ଗୋଧ୍ରା ସମୟର ଗୁଜୁରାତ ଦଙ୍ଗାରେ ସଙ୍ଖ୍ୟାଲଘୁଙ୍କ ଭଳି ମରୁଥିବା ବେଳେ ଶହଶହ କୋଟି ଟଙ୍କା ଖର୍ଚ୍ଚ କରି 'ତ୍ରେତୟା ଯୁଗର ଭବ୍ୟ ଦୀପାବଳୀ ପାଳିବା'ର ପୁଣ୍ୟକର୍ମ ନିଶ୍ଚିତ ଭାବରେ ଯୋଗୀଜନୋଚିତ କର୍ମଟିଏ । ଅବଶ୍ୟ ଏଭଳି ପୁଣ୍ୟ କର୍ମ ଆମର ସମାଜରେ କିଛି ନୂଆ ନୁହେଁ । ତାଜମହଲ ଗଢ଼ା ହେବା ସମୟରେ ନିଶ୍ଚିତ ଭାବରେ ପିଲା ଚିକିତ୍ସା ଅଭାବରେ ମରୁଥିବେ । କୋଣାର୍କ ଗଢ଼ାହେବା ସମୟରେ ବୋଧେହୁଏ ଅନେକ ଚଷୁଣୀମାନଙ୍କର ଥନ ଶୁଖିଥିବ, ଖଜଣା ପାଇଁ ତାଙ୍କ ମରଦମାନେ ରଜାକୁ ଯୋଗାଇଥିବା ଧାନର ଅଭାବରେ । ରାଜାଧିରାଜ କନିଷ୍କ ଚତୁର୍ଥ ବଉଧ ମହାସଭାର ମୂଖ୍ୟ ଭାବରେ ଆଲୋଚନା ପରେ ଥେରାମାନଙ୍କ ସହ ଭୁରିଭୋଜନ କଲାବେଳେ, ସେହି ମହାନୁଭାବମାନେ ଘରେ ଛାଡ଼ି ଆସିଥିବା ତାଙ୍କର ଅନେକ ଭାଇବନ୍ଧୁ କୁଟୁମ୍ବ, ନିଶ୍ଚେ ପେଟରେ ଓଦାକନା ପକେଇ ଶୋଇଥିବେ । ଦ୍ୱାପରରେ ଧର୍ମରାଜ ଯୁଧିଷ୍ଠିର ରାଜସୂୟ ଯଜ୍ଞରେ ମହଣ ମହଣ ଘିଅ ପୋଡ଼ୁଥିବା ସମୟରେ, ଅନେକ ଶିଶୁଙ୍କର ତୋଟି ପଳେ ଗୁରସ ବିନା ନିଶ୍ଚୟ ସୁଖିଥିବ । ମର୍ଯ୍ୟାଦା ପୁରୁଷତ୍ତୋମ ଶ୍ରୀ ରାମ ଅଶ୍ୱମେଧ ଯାଗ କରି ଦାନରେ ବାମୁଣ ପୋଏଙ୍କୁ ଲୁଗାରେ ପୋତି ପକଉଥିବା ବେଳେ, ନିଶ୍ଚିତ ଭାବରେ କେଉଁ ଚାଣ୍ଡାଳ ଯୁବତୀ ବଧୁର (ଶୁଦ୍ରକର?) ସ୍ତନ, ଯଉବନ ସାତସିଆ କନା ଦେଇ ବୋଧେହୁଏ ଦୁଶିଯାଉଥେବ ।

ହେଲେ ଆମେ ନା ତ୍ରେତୟା ଯୁଗରେ ବଞ୍ଚୁଛୁ, ନା ଦ୍ୱାପର ଯୁଗରେ । ଆମେ ନା ଲାଙ୍ଗୁଳା ନରସିଂହର ପ୍ରଜା, ନା ଆମେ କନିଷ୍କର ଖାତକ । ଗୋଟାଏ ହୃଦୟହୀନ, ରକ୍ତଶୋଷା ବେପାରୀ ଜାତି ସହ ଲଢ଼ିଲଢ଼ି, ଝାଳ, ରକ୍ତ, ହିଆର କୋହ ଢାଳିଢାଳି ସ୍ୱାଧୀନ ହୋଇଥିବା ଗୋଟାଏ ଜନସମୁଦ୍ର ଆମେ । ଦେଶର ସବୁଠାରେ ବଡ଼ ରାଜ୍ୟରେ, ହଜାର ହଜାର ସଙ୍ଖ୍ୟାରେ ପିଲା ଚିକିତ୍ସା ଅଭାବରେ ମରୁଥିବା ବେଳ, ଆମରି ଟଙ୍କାରେ, ଗଣତାନ୍ତ୍ରିକ ଉପାୟରେ ଭୋଟ ଜିତି ସରକାର ଗଢ଼ିଥିବା, ଗୋଟେ ବାବାଜୀ ଯଦି ଭବ୍ୟ ଦୀପାବଳୀ ପାଳନ କରୁଛି, ଆଉ ସେତେବେଳେ ଆମକୁ ତାଜମହଲ ଆଉ କନିଷ୍କ ମନେ ପଡ଼ୁଛନ୍ତି, ନୟନାଭିରାମ ରାମଙ୍କର ସ୍ମରଣ ହେଉଛି, ହେଲେ ନିଜ ପିଲାକୁ ଗୋରଖପୁରର ଡାକ୍ତରଖାନାରେ ସବୁଦିନ ପାଇଁ ହଜେଇଦେଇ ଆସିଥିବା ମା'ର ଶୁଖିଯାଇଥିବା ଆଖିର ଅନ୍ଧାରର କାଳିମାରେ ତାଜମହଲ, କୋଣାର୍କ ଓ କନିଷ୍କ ଇତ୍ୟାଦି ସବୁ ଇତିହାସର ଉଚ୍ଛିଷ୍ଟ ଲୁଚିଯାଉନାହାନ୍ତି, ତେବେ ଆମକୁ ଲଜ୍ଜା ଲାଗିବା କଥା ।

ଚିକିତ୍ସା ଅଭାବରେ ମରିଥିବା ସେଇ ପିଲାଙ୍କ ଚିତାରେ ପୋଡ଼ିଯାଉ ଆମର ବୁଦ୍ଧିଜୀବୀତ୍ତ୍ୱ, ଦାହ ହୋଇ ପାଉଁଶ ହେଉ ଆମର ହୃଦୟହୀନତା । ତାହାହେଲେ ଯାଇ ଦେଶରେ ରାମରାଜ୍ୟ ଆସିବାର ସମ୍ଭାବନା ଅଛି ।   

No comments:

Post a Comment