Wednesday, September 30, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୧୦




ଶ୍ଲୋକ 

ହୃତ୍-ସ୍ଥଲେ ମନଃ ସ୍ୱସ୍ଥତାଃ କ୍ରିୟା ।
ଭକ୍ତିୟୋଗବୋଧାଶ୍ଚ ନିଶ୍ଚିତମ୍  ।।

ପଦ ଚ୍ଛେଦ 

ହୃତ୍-ସ୍ଥଲେ - ହୃଦୟରେ ସ୍ଥିତ ଅର୍ଥାତ୍ ଆତ୍ମ ସ୍ୱରୂୁପରେ 
ମନଃ ସ୍ୱସ୍ଥତା - ମନ ସ୍ଥିର ହେଲେ 
କ୍ରିୟା - କର୍ମ 
ଭକ୍ତି - ଭକ୍ତି 
ୟୋଗ - ୟୋଗ 
ବୋଧାଶ୍ଚ - ତଥା ଜ୍ଞାନ 
ନିଶ୍ଚିତମ୍ - ନିଶ୍ଚିତ ହୁଏ 

ପଦ୍ୟାନୁବାଦ 

ହୃଦୟ କନ୍ଦର ମଧ୍ୟରେ
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି  ଜ୍ଞାନ  ଓ କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।

Monday, September 28, 2015

 କିଶନ ପଟ୍ଟନାୟକ : ଏକ ଆଲେଖ୍ୟ




ରାଜନୀତି କରିବ ଆଉ ବ୍ୟାଙ୍କ୍ ଏକାଉଣ୍ଟ୍ ନ ଥିବ । ତେତିଶି ବର୍ଷ ବୟସରେ ଚାଷୀ ଆନ୍ଦୋଳନ କରି, ତାହା ଫଳରେ ଜେଲେରେ ଥାଇ, ନିର୍ବାଚନ ଲଢି ଜିତିବ ଆଉ ତାହା ପରେ କ୍ଷମତା ରାଜନୀତିର ପ୍ରଲୋଭନରେ ମୋଟେ ପଡିବ ନାହିଁ ଓ ଦଳବଦଳ, ଆଦର୍ଶ ପରିବର୍ତ୍ତନ ଆଦି ଆଧୁନିକ କାଣ୍ଡକାରଖାନାଗୁଡିକରେ ମନୋନିବେଶ କରିବ ନାହିଁ ଗାନ୍ଧୀବାଟ ଧରିବ, ହେଲେ ଗାନ୍ଧୀଙ୍କ ନାମ ଧରି ଗାନ୍ଧୀବାଦୀ ମାନେ ବସେଇଥିବା ହାଟରେ ଜମା ହାଟୁଆ ହେବାକୁ ମନ ବଳାଇବ ନାହିଁ । ସମାଜବାଦୀ ହେବ, ମାତ୍ର ସମାଜବାଦର ୟୁରୋପୀୟ ଢାଞ୍ଚାଗୁଡିକ ଭିତରେ ଭାରତୀୟ ଅନୁଭୁତିଗୁଡିକୁ ଜବରଦସ୍ତି ମାଡିମକଚି ନ ପଶାଇ, ସମାଜବାଦର  ସୁବିଧାବାଦରେ ପରିବର୍ତ୍ତନକୁ ଉପେକ୍ଷା କରି, ନିଜର ରାଜନୈତିକ ଆଚରଣ ଓ ବିଚାର ଦ୍ୱାରା ଏକ ଦୀର୍ଘ ମିୟାଦରେ ଉପଯୋଗୀ, ଅସଲ ଅର୍ଥରେ ଭାରତୀୟ, ସମାଜବାଦୀ ବିକଳ୍ପର ସଂରଚନା ପାଇଁ ଜୀବନ ଉତ୍ସର୍ଗ କରିବ । କିଶନ ବାବୁଙ୍କ ପରି ଏମିତି ଯିଏ କରିବ, ତାକୁ ବେଶୀ ଲୋକେ ଚିହ୍ନିବେ ନାହିଁ, ଜାଣିବେ ନାହିଁ । ମାତ୍ର ସିଏ ହିଁ ରାଜନୀତି ବୋଇଲେ ଯେଉଁ ଆଧୁନିକ କଳାଟିକୁ ଆମେ ବୁଝୁ – ଅର୍ଥାତ୍ ଲୋକଙ୍କୁ ସାମୁହିକ ସ୍ୱାର୍ଥ ପାଇଁ ଲଢିବା ପାଇଁ ଏକାଠି କରିବା, ଲଢେଇର ମାନଚିତ୍ର ଭାବରେ ଏକ ବିଚାର-ଜଗତର ନିର୍ମାଣ କରିବା ତଥା ଭବିଷ୍ୟତକୁ ବର୍ତ୍ତମାନ ଓ ଅତୀତର କଷଟିରେ ପରଖି, ଉକୁଟେଇ, ଅଥଚ ସେଥିରୁ ମୁକ୍ତ କରି ଏକ ନୂଆ ମାନବ ସମାଜର କଳ୍ପନା କରିବା – ସେ ଏହି କଳାର ଏକ କଳାକାର ନିଶ୍ଚିତ ଭାବରେ ପାଲଟିବ ।  ଯଥାର୍ଥ ଅର୍ଥରେ ସେ ଥିଲେ ରାଜନୀତି ନାମକ କଳାର ଏକ ପ୍ରବୀଣ କଳାକାର – ଯେଉଁ ଅର୍ଥରେ ଆମେ ଭାରତୀୟ ରାଜନୀତିର ସନ୍ଦର୍ଭରେ ଗାନ୍ଧୀ, ଗୋପବନ୍ଧୁ, ଲୋହିଆ, ଭଗତ ସିଂହ ଓ  ଗୋପାଳକୃଷ୍ନ ଗୋଖଲେଙ୍କୁ ରାଜନୀତିର ଉତ୍କୃଷ୍ଟ କଳାକାର କହିପାରିବା ।

କିଶନ ବାବୁଙ୍କର ଜନ୍ମ ଏକ ସମ୍ଭ୍ରାନ୍ତ କରଣ ପରିବାରରେ, ୨୯ ଜୁନ୍ ୧୯୨୯ ମସିହାରେ ; ରାଜୁଡା ସମୟର କଳାହାଣ୍ଡିର ରାଜଧାନୀ, ଭବାନୀପାଟଣାରେ ।ବ୍ରଜମୋହନ ହାଇସ୍କୁଲ୍ ରୁ ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାଶ୍ କରି ସେ ବଲାଙ୍ଗୀର୍ ର ରାଜେନ୍ଦ୍ର କଲେଜ୍ କୁ ଉଚ୍ଚତର ଶିକ୍ଷା ପାଇଁ ଯାଆନ୍ତି । ସେଠାରେ ବନ୍ଧୁମାନଙ୍କ ସହିତ ମିଶି ଛାତ୍ର ସମ୍ମିଳନୀ କରନ୍ତି ଓ ୧୯୪୬ ମସିହା ଅଗଷ୍ଟ ମାସରେ ସେମାନଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରନ୍ତି । ଏହା ପରେ ବି.ଏ. ଓ ଏମ୍.ଏ. ପଢିବା ପାଇଁ ନାଗପୁର୍ ପ୍ରବାସ କରନ୍ତି । ନାଗପୁର୍ ବିଶ୍ୱବିଦ୍ୟାଳୟରେ ପ୍ରଥମେ ଇଂରାଜୀ ସାହିତ୍ୟରେ ଉଚ୍ଚଶିକ୍ଷା ଆରମ୍ଭ କରି ପରେ ରାଜନୀତି ବିଜ୍ଞାନକୁ ବିଷୟ ବଦଳାନ୍ତି । ଅଧ୍ୟାପକ ଭାବରେ କାମ କରିବାର ଇଚ୍ଛା ଥାଏମାତ୍ର ଏମ୍.ଏ. ରେ କମ୍ ନମ୍ବର ରହିବାରୁ ସେ ଘରକୁ ୧୯୫୧ ମସିହାରେ ଫେରି ଆସନ୍ତି ଓ ବ୍ରଜମୋହନ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରନ୍ତି ।

ଏହି ସମୟରେ ଗଡଜାତ ମିଶ୍ରଣ ଆନ୍ଦୋଳନର ସନ୍ଦର୍ଭରେ ସମାଜବାଦୀ ନେତା ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ସଂସ୍ପର୍ଶରେ ଆସି ସେ ସୋସାଲିଷ୍ଟ୍ ପାର୍ଟିରେ ଯୋଗ ଦିଅନ୍ତି । ୧୯୫୨ ମସିହାରେ କଟକ ଆସି ସୋସାଲିଷ୍ଟ୍ ପାର୍ଟିର ଓଡିଆ ପତ୍ରିକା କୃଷକ ସମ୍ପାଦନା କରନ୍ତି । ଏହି ସମୟରେ ହିଁ ସୋସାଲିଷ୍ଟ୍ ପାର୍ଟିରେ ବିଭାଜନ ଘଟେକିଶନ ବାବୁ ଲୋହିଆଙ୍କ ସହିତ ରହନ୍ତି ଓ ୧୯୫୭ ଠାରୁ ହାଇଦ୍ରାବାଦ୍ ରେ ସ୍ଥିତ ଲୋହିଆଙ୍କର ନେତୃତ୍ତ୍ୱରେ ଚାଲୁଥିବା ସମାଜବାଦୀ ଦଳର  ମୂଖ୍ୟ କାର୍ଯ୍ୟାଳୟରେ ଅବସ୍ଥାନ କରି ଦଳର ଇଂରାଜୀ ପତ୍ରିକା ମ୍ୟାନ୍ କାଇଣ୍ଡ୍ ତଥା ହିନ୍ଦୀ ପତ୍ରିକା ଜନ୍ ର ସମ୍ପାଦନା କରନ୍ତି ମାତ୍ର ଧୀରେ ଧୀରେ ପତ୍ରିକା ଚଳାଇବା ପାଇଁ ପଇସାର ଅଭାବ ହେବାରୁ କିଶନ ବାବୁ ୧୯୬୦ ରେ ଓଡିଶାକୁ ଫେରି ଆସନ୍ତି । ବରଗଡକୁ ନିଜର ରାଜନୈତିକ କର୍ମର କେନ୍ଦ୍ର କରି ରାଜ୍ୟରେ ଦଳକୁ ନୁଆ ରୂପ ଦିଅନ୍ତି ଓ ଓଡିଆ ପତ୍ରିକା 'ସାଥି' ପ୍ରକାଶ କରନ୍ତି ।

ଏହି ସମୟରେ ସେ ଦଳର ସାଙ୍ଗଠନିକ କାମରେ ମନୋନିବେଶ କରନ୍ତି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ରାଜନୀତିର ପନ୍ଥା ବାଛି ନିଅନ୍ତି । ଆନ୍ଦୋଳନର ଫଳଶୃତି ଭାବରେ ଜେଲ୍ ଯାଆନ୍ତି, ଜେଲରେ ରହି ୧୯୬୨ ମସିହାର ଲୋକସଭା ନିର୍ବାଚନ ଲଢନ୍ତି ଓ ବିପୁଳ ପରିଣାମରେ ଭୋଟ ପାଇ ଜୟଯୁକ୍ତ ହୁଅନ୍ତି । ଲୋକସଭାର ସଦସ୍ୟ ଭାବରେ ନେହେରୁ ସରକାରର ତଥ୍ୟନିଷ୍ଠ ସମାଲୋଚନା ଓ ଲୋକାଭିମୁଖୀ ଭାଷଣ ଓ ବିତର୍କ ଅନେକଙ୍କର ଏହି ସମୟରେ ଦୃଷ୍ଟି ଆକର୍ଷଣ କରେ । ୧୯୬୭ ରେ ଲୋକସଭା ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୁଅନ୍ତି । ଏହା ପରେ ପରେ ୧୯୬୯ ମସିହାରେ ଶ୍ରୀମତୀ ବାଣୀମଞ୍ଜରୀ ଦାସଙ୍କୁ ବିବାହ କରନ୍ତି । ୧୯୬୭ ମସିହାରେ ଲୋହିଆ ଚାଲିଗଲା ପରେ ୧୯୬୯ ରେ ଲୋହିଆ ବିଚାର ମଞ୍ଚ ଗଠନରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ଭୂମିକା ରୁହେ । ଯେତେବେଳେ ବିହାରରେ ୧୯୭୪ ମସିହାରେ ଜେ.ପି. ଙ୍କର ନେତୃତ୍ତ୍ୱରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକେ ଓ ପରେ ଦେଶବ୍ୟାପୀ ରୂପ ନିଏ, କିଶନ ବାବୁ ପ୍ରଥମରୁ ହିଁ ଏଥିରେ ଯୋଗ ଦିଅନ୍ତି । ଏହି ସମୟରେ ସେ ପ୍ରାୟତଃ ପାଟନାରେ ହିଁ ଅବସ୍ଥାନ କରନ୍ତି ଓ କଲିକତାରୁ ପ୍ରକାଶିତ ଚୌରଙ୍ଗୀ ବାର୍ତ୍ତା  ପତ୍ରିକାର ପ୍ରକାଶନରେ ମଧ୍ୟ ଜଡିତ ରୁହନ୍ତି ।

ଏମର୍ଜେନ୍ସୀ ସମୟରେ ସେ ଅଣ୍ଡରଗ୍ରାଉଣ୍ଡ୍ ରୁହନ୍ତି  ଓ ନିଜର ରାଜନୈତିକ କାମ କରିଚାଲନ୍ତି । ୧୯୭୬ ରେ ଦିଲ୍ଲୀରେ ଗିରଫ ହୋଇ ଜେଲ୍ ଯାଆନ୍ତି ।  ଏମର୍ଜେନ୍ସୀ ପରେ ଗଠିତ ଜନତା ପାର୍ଟିକୁ ଏକ ସୁବିଧାବାଦୀ ଦଳ ଭାବରେ ଦେଖି ସେ ସେଥିରେ ଯୋଗ ଦିଅନ୍ତି ନାହିଁ ଓ ଲୋହିଆ ବିଚାର ମଞ୍ଚକୁ ଚଳାଇ ରଖି ଭାରତରେ ସମାଜବାଦୀ ଆନ୍ଦାଳନକୁ ଗତିଶୀଳ କରନ୍ତି । ବିକଳ୍ପ ସନ୍ଧାନର ଫଳ ସ୍ୱରୂପ କିଶନ ବାବୁ ଓ ଅନେକ ପୁରୁଣା ସମାଜବାଦୀମାନେ ମିଶି ସମତା ସଙ୍ଗଠନ ଗଠନ କରନ୍ତି । ଏହି ସମୟ ପର୍ଯ୍ୟନ୍ତ ସେ ପାଟଣାରେ ରହୁଥାଆନ୍ତି । ସଙ୍ଗଠନ ଦ୍ୱାରା ଏହି ସମୟରେ କୋଇଲା ଶ୍ରମିକମାନଙ୍କ ମଧ୍ୟରେ ମଦମୁକ୍ତି ଓ ୠଣମୁକ୍ତି ତଥା ଶିକ୍ଷା ସମସ୍ୟାକୁ ନେଇ ଆନ୍ଦୋଳନର ସୁତ୍ରପାତ ହୁଏ ।

ଅଶୀ ଦଶକରେ କିଶନ ବାବୁ ବରଗଡ ଫେରି ଆସନ୍ତି ଓ ବାଲକୋ ବିରୋଧୀ ଆନ୍ଦୋଳନରେ ଯୋଗଦିଅନ୍ତି । ୧୯୮୫ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର୍ କରି ସେ ଦେଶର ଦୃଷ୍ଟି କଳାହାଣ୍ଡିର କ୍ଷୁଧା ଓ ଦାରିଦ୍ର୍ୟ ପ୍ରତି ଆକର୍ଷିତ କରନ୍ତି । ସମତା ସଙ୍ଗଠନର ସୀମିତତାକୁ ଲକ୍ଷ କରି ଅନେକ ଜନବାଦୀ ସଙ୍ଗଠନକୁ ଏକାଠି କରି ଜନ ଆନ୍ଦୋଳନ ସମନ୍ୱୟ ସମିତିର ଗଠନ ହୁଏ । ଏଥିରେ କିଶନ ବାବୁଙ୍କର ଅବଦାନ ଗୁରୁତ୍ତ୍ୱପୂର୍ଣ । ଅଶି ଓ ନବେ ଦଶକରେ ଦେଶ ସାରା ଘଟିଥିବା ନାନାଦି ଗଣ ଆନ୍ଦୋଳନରେ ସେ ଭାଗ ନିଅନ୍ତି । ୧୯୯୫ ରେ ସେ ପର୍ଯ୍ୟନ୍ତ ଚାଲିଥିବା ଜନବାଦୀ ରାଜନୈତିକ କାର୍ଯ୍ୟକ୍ରମକୁ ଏକ ସଙ୍ଗଠିତ ଦଳର ରୂପ ପ୍ରଦାନ କରିବା ପାଇଁ ସମାଜବାଦୀ ଜନ ପରିଷଦର ଗଠନ ହୁଏ । କିଶନ ବାବୁ ଓ ତାଙ୍କର ସାଥୀମାନଙ୍କ ଯୋଗୁଁ  ବରଗଡ ଏହି ଜାତୀୟ ଦଳର ଏକ କେନ୍ଦ୍ର ପାଲଟେ । ୧୯୯୩ ମସିହାରେ ବରଗଡରୁ ବିଚାରଧର୍ମୀ ପତ୍ରିକା ବିକଳ୍ପ ବିଚାରର ମଧ୍ୟ ପ୍ରକାଶନ ଆରମ୍ଭ ହୁଏ । ବରଗଡରେ ସଙ୍ଗଠନ ଓ ବିଚାର ନିର୍ମାଣକୁ କେନ୍ଦ୍ର କରି ସେ ନିଜ ଜୀବନର ଶେଷ ଦଶକ ଅତିବାହିତ କରନ୍ତି ଓ  ୨୭ ସେପ୍ଟେମ୍ବର, ୨୦୦୪ ମସିହାରେ ଶ୍ୱାସ ରୋଗରେ ମୃତ୍ତ୍ୱୁବରଣ କରନ୍ତି ।


ହିନ୍ଦୀରେ ବିକଳ୍ପହୀନ ନହିଁ ହେ ଦୁନିଆଭାରତ୍ ଶୂଦ୍ରୋଙ୍କା ହୋଗା ଶୀର୍ଷକରେ ତାଙ୍କର ଦୁଇଟି ହିନ୍ଦୀ ପ୍ରବନ୍ଧ ସଙ୍କଳନ ରହିଛି ଓଡିଆରେ  ଭାରତ୍ ଶୂଦ୍ରୋଙ୍କା ହୋଗାର ଓଡିଆ ଅନୁବାଦ ଭାରତ ଶୂଦ୍ରଙ୍କର ହେବ ଶୀର୍ଷକରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ଓଡିଆରେ ଏହା ଛଡା ଭାରତୀୟ ବୁଦ୍ଧୀଜୀବୀର ସଙ୍କଟ ଓ ଅନ୍ୟାନ୍ୟ ପ୍ରବନ୍ଧ ତଥା ବିଚାରର ଟିପାଖାତା ନାମରେ ତାଙ୍କର ଆଉ ଦୁଇଟି ପ୍ରବନ୍ଧ ସଙ୍ଗ୍ରହ ରହିଛି l ଭାରତରେ ସମାଜବାଦୀ ବିଚାରର ବିବର୍ତ୍ତନରେ ଲୋହିଆଙ୍କ ପରେ ବୋଧେହୁଏ କିଶନଜୀଙ୍କର ଅବଦାନ ସବୁଠାରୁ ଅଧିକ । ଲୋକାଭିମୁଖୀ ରାଜନୈତିକ ଆନ୍ଦୋଳନର ନେତୃତ୍ତ୍ୱ ନେବା ତଥା ଚିନ୍ତନ ଓ ପ୍ରକାଶନ ଛଡା, ରାଜନୈତିକ କର୍ମୀ ନିର୍ମାଣ ଓ ପ୍ରଶିକ୍ଷଣରେ ସେ ଅନେକ ସମୟ ଓ ଶକ୍ତି ଅତିବାହିତ କରୁଥିଲେ । କିଶନ ବାବୁ ଚାଲିଯିବାର ୧୧ ବର୍ଷ ହେଲାଣି । ହେଲେ ଏବେ ବି ତାଙ୍କୁ ଲୋକେ ଝୁରୁଛନ୍ତି । ସେ ଛାଡିଯାଇଥିବା ବିଚାର ଓ ସଙ୍ଗଠନର ମଞ୍ଜିକୁ ଧରି ଭାରତରେ ସମାଜବାଦର ପ୍ରତିଷ୍ଠା ଦିଗରେ ବ୍ରତି ହେଲେ ଏହା ତାଙ୍କର ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ । 

ବି.ଦ୍ର. - ଏହି ଲେଖାର ଏକ କ୍ଷୁଦ୍ରତର ରୂପ 'ସମାଜ' ଖବର କାଗଜର ୨୭.୦୯.୨୦୧୫ ତାରିଖର ସଂସ୍କରଣର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା ।  

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ଛାନ୍ଦ ନିର୍ମଳ ଚନ୍ଦ୍ରମଣ୍ଡଳ


ଗାୟକ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ 


ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=6UcJtor22K8



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


                                                                        ନିର୍ମଳ ଚନ୍ଦ୍ରମଣ୍ଡଳ ସରଗେ ବିରାଜି

ଲେଖି ଆରମ୍ଭିଲା  ବସି ବିନୟ ପତର ।


ଏବେ ମରୁଅଛି ଝୁରି
ଦରିଦ୍ର ରତନ ପାଇ ହରାଇଲା ପରି ।


ନୂଆ ଅନ୍ଧ ପ୍ରାୟେ ହୋଇ
ଅନୁକ୍ଷଣେ ଆକୁଳ ବଢୁଛି ପ୍ରାଣ ସହି ।


ଏଣ ହଟ କାହିଁ ପାଇଁ
ମୋହ ଜାଣିବାରେ ମୁଁ ତ ଦୋଷ କରି ନାହିଁ ।


ବନ୍ଧୁ ତେମନ୍ତେ ମୁଁ ତୋର
ସବୁଠାରେ କୁହାଉଛି ସୁନ୍ଦରୀ ପୟର ।


ଧାତା ନଟକାର ପରି
ଦେଖାଇ ତ ହରିନେଲା କନକଗଉରୀ ।


ପ୍ରୀତି ଅଭେଦ ତାଙ୍କର

Saturday, September 26, 2015

ଓ଼ଡିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା 






ପ୍ରଧାନମନ୍ତ୍ରୀ 


୧. କୃଷ୍ନଚନ୍ଦ୍ର ଗଜପତି ନାରାୟଣ ଦେଓ  -  ୦୧.୦୪.୧୯୩୭ - ୧୯.୦୭.୧୯୩୭ 
୨. ବିଶ୍ୱନାଥ ଦାସ                          -  ୧୯.୦୭.୧୯୩୭  - ୦୬.୧୧.୧୯୩୯
୩. କୃଷ୍ନଚନ୍ଦ୍ର ଗଜପତି ନାରାୟଣ ଦେଓ  - ୨୪.୧୧.୧୯୪୧   - ୩୦.୦୬.୧୯୪୪
୪. ହରେକୃଷ୍ନ ମହତାବ                    - ୨୩.୦୪.୧୯୪୬   - ୧୨.୦୫.୧୯୫୦  


ମୁଖ୍ୟମନ୍ତ୍ରୀ


୫. ନବକୃଷ୍ନ ଚୌଧୁରୀ                    - ୧୨.୦୫.୧୯୫୦ - ୧୯.୧୦.୧୯୫୬
୬. ହରେକୃଷ୍ନ ମହତାବ                   - ୧୯.୧୦ ୧୯୫୬ - ୨୫.୦୨.୧୯୬୧ 
୭. ବିଜୟାନନ୍ଦ ପଟ୍ଟନାୟକ               - ୨୩.୦୬.୧୯୬୧ - ୦୨.୧୦.୧୯୬୩ 
୮. ବୀରେନ୍ ମିତ୍ର                           -୦୨.୧୦.୧୯୬୩ - ୨୧.୦୨.୧୯୬୫
୯. ସଦାଶିବ ତ୍ରିପାଠୀ                       -୨୧.୦୨.୧୯୬୫ - ୦୮.୦୩.୧୯୬୭
୧୦. ରାଜେନ୍ଦ୍ର ନାରାୟଣ ସିଂହଦେଓ     -୦୮.୦୩.୧୯୬୭ - ୦୯.୦୧.୧୯୭୧ 
୧୧. ବିଶ୍ୱନାଥ ଦାସ                        -୦୩.୦୪.୧୯୭୧ - ୧୪.୦୬.୧୯୭୨
୧୨. ନନ୍ଦିନୀ ଶତପଥୀ                     -୧୪.୦୬.୧୯୭୨ - ୦୩.୦୩.୧୯୭୩ 
୧୩. ନନ୍ଦିନୀ ଶତପଥୀ                     - ୦୬.୦୩.୧୯୭୪ - ୧୬.୧୨.୧୯୭୬
୧୪. ବିନାୟକ ଆଚାର୍ଯ୍ୟ                   - ୨୯.୧୨.୧୯୭୬ - ୩୦.୦୪.୧୯୭୭
୧୫. ନୀଳମଣି ରାଉତରାୟ               - ୨୬.୦୬.୧୯୭୭ - ୧୭.୦୨.୧୯୮୦ 
୧୬. ଜାନକୀବଲ୍ଲଭ ପଟ୍ଟନାୟକ          -  ୦୯.୦୬.୧୯୮୦ - ୦୭.୧୨.୧୯୮୯
୧୭. ହେମାନନ୍ଦ ବିଶ୍ୱାଳ                    - ୦୭.୧୨.୧୯୮୯ - ୦୪.୦୩.୧୯୯୦ 
୧୮. ବିଜୟାନନ୍ଦ ପଟ୍ଟନାୟକ              - ୦୫.୦୩.୧୯୯୦ - ୧୫.୦୩.୧୯୯୫
୧୯. ଜାନକୀବଲ୍ଲଭ ପଟ୍ଟନାୟକ          - ୧୫.୦୩.୧୯୯୫ - ୧୭.୦୨.୧୯୯୯
୨୦. ଗିରିଧର ଗମାଙ୍ଗ                     -  ୧୭.୦୨.୧୯୯୯ - ୦୬.୧୨.୧୯୯୯
୨୧. ହେମାନନ୍ଦ ବିଶ୍ୱାଳ                    -  ୦୬.୧୨.୧୯୯୯ - ୦୫.୦୩.୨୦୦୦
୨୨. ନବୀନ ପଟ୍ଟନାୟକ                   - ୦୫.୦୩.୨୦୧୦  - ବର୍ତ୍ତମାନ 

ଉତ୍ସ - ଶ୍ରୀ ଉଦ୍ଧବ ଚରଣ ନାୟକ କୃତ 'ଓଡିଶା ରାଜନୀତିର ଇତିହାସ'ର ଦ୍ୱତୀୟ ପରିବର୍ଦ୍ଧିତ ସଂସ୍କରଣ (ଜାନୁଆରୀ ୨୦୧୪)। ପ୍ରକାଶକ - ଆମ ଓଡିଶା (ଭୁବନେଶ୍ୱର)। 

ଫଟୋ ଏସେ - ବିନ୍ଦୁସାଗରରେ ଶ୍ରାଦ୍ଧ 

ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ


ଭୁବନେଶ୍ୱରରେ ବର୍ତ୍ତମାନ ଗେଙ୍ଗୁଟି ନଈ ଗୋଟିଏ ନାଳ। କୁଆଖାଇ ଏକ ନର୍ଦମା । ହେଲେ ଜନସଂଖ୍ୟା ହୁହୁ ହୋଇ ବଢୁଛି । ଶ୍ରାଦ୍ଧାଦି କର୍ମ କରିବା ପାଇଁ ଜାଗାର ଘୋର ଅଭାବ । ବିନ୍ଦୁ ସାଗର ପାରମ୍ପରିକ ଭାବରେ ଏହି କର୍ମ ଆଦି ପାଇଁ ଏକ ଲୋକ ପ୍ରିୟ ଯେଗା । ଏଥରର ଫଟୋ ଫିଚର୍ ରେ ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ ଶ୍ରାଦ୍ଧାଦି କର୍ମକୁ ଉପଲକ୍ଷ କରି ଆମ ଆଗରେ ବିନ୍ଦୁସାଗରର ଏକ ହୃଦୟଗ୍ରାହୀ ଚିତ୍ରମାଳା ନିର୍ମାଣ କରନ୍ତି ।  


































































Thursday, September 24, 2015

ମାର୍କସ୍ ଅରିଲସ୍ 

ବିଚାରମାଳା - ୯




ସେକ୍ସଟସ୍ ଙ୍କ ପାଖରେ ମୁଁ  ଅନେକ ଭାବରେ ୠଣି । ଦୟା ଓ ପିତୃତୁଲ୍ୟ କର୍ତ୍ତୃତ୍ତ୍ୱ ସହିତ ପରିବାରର ଶାସନ କରିବା, 'ପ୍ରାକୃତିକ ଜୀବନ'ର ଅସଲ ଅର୍ଥ, ଅଣ-ଆତ୍ମସଚେତନ ଭାବରେ ମହତ୍ତ୍ୱ ବଜାୟ ରଖିବା, ନିଜର ବନ୍ଧୁମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସହଜାତ ଉଦବେଗ, ଓ ବିଦ୍ୟାନବୀସ୍ ତଥା ସ୍ୱପ୍ନଦର୍ଶୀ ମାନଙ୍କ ପ୍ରତି ଏକ ଉତ୍ତମଗୁଣଜାତ ଧୈର୍ଯ୍ୟ - ଏ ସମସ୍ତ ମୁଁ ତାଙ୍କଠାରୁ ଶିଖିଲି । ପ୍ରତି ବ୍ୟକ୍ତି ପାଇଁ ଯଥାର୍ଥ ସୌଜନ୍ୟ  ତାଙ୍କର ସଙ୍ଗକୁ ଯେ କୌଣସି ଚାଟୁ ଠାରୁ ବଳି ଅଧିକ ଶକ୍ତିଶାଳୀ ଭାବରେ ଆକର୍ଷକ କରୁଥିଲା । ତାଙ୍କର ଆଚରଣ ବ୍ୟାପକ ଓ ଧାରାନୁକ୍ରମିକ ଭାବରେ ଜୀବନର ଆବଶ୍ୟକୀୟ ନିୟମଗୁଡିକୁ ନିର୍ଦ୍ଧାରିତ ଓ ନିୟମବଦ୍ଧ କରୁଥିଲା । ସେ କେବେ କ୍ରୋଧ କିମ୍ବା ଅନ୍ୟ କୌଣସି ଚିତ୍ତବୃତ୍ତି ପ୍ରକାଶ କରୁ ନ ଥିଲେ । ସମ୍ପୁର୍ଣ ଭାବରେ ସ୍ଥିତପ୍ରଜ୍ଞ ହୋଇ ମଧ୍ୟ ସେ ଦୟାପୂର୍ଣ ଅନୁରାଗ ଓ ସ୍ନେହରେ ପୂର୍ଣ ଥିଲେ । କାହା ପାଇଁ ତାଙ୍କର ପ୍ରଶଂସା ସେ ଶାନ୍ତ ଓ ଅଣ-ଦର୍ଶନୀୟ ଭାବରେ ପ୍ରକାଶ କରୁ ଥିଲେ । ସେ କେବେ ନିଜର ଜ୍ଞାନକୋଷ ପ୍ରମାଣ ପ୍ରଜ୍ଞାର ପ୍ରଦର୍ଶନ କରୁ ନ ଥିଲେ ।


Wednesday, September 23, 2015

ପୁରୀର ଭାଙ୍ଗ ସଂସ୍କୃତି 


ଉତ୍ସ - ସିଦ୍ଧେଶ୍ୱର ମହାପାତ୍ର କୃତ 'ପୁରୀ ବୋଲି' । ପ୍ରକାଶକ ଓଡିଶା ସାହିତ୍ୟ ଏକାଡେମୀ । 


ଫଟୋ କ୍ରେଡିଟ୍ - ୱିକିମିଡିଆ କମନସ୍ 

ଭାଙ୍ଗ ଗୀତ - ୧


ଯେ ଗଲେ ଯାଗାକୁ,  ଯାକିଲେ ଲୁଗାକୁ
ପିନ୍ଧି ପାଚିଲା ଗାମୁଛା 
ମରିଚି ମସଲା ଗଞ୍ଜାଇ ପୋଟଳା 
ବାନ୍ଧିଲେ ଯେ ଯାହା ଇଚ୍ଛା 

କେ ବୋଲୁଛି ସାଙ୍ଗ  ଆଣିଛୁ କି  ଭାଙ୍ଗ
ଶୁଙ୍ଘି ଦେଲେ ଉଡିଯିବ 
ସେରସେର କରି ନିଗୁଦି ଯେ ମାରି
ତାକୁ ଏତିକି କାପିବ ?

କିଏ କହେ କାଲି ଦିଭରି ପେଷିଲି 
ନ କଲା ଜମା ଅମଳ 
ଚୋଖଚୋଖ କଲି ଯେତେକ ବାଛିଲି 
ସବୁ ମୁଁ ଚାଖିଲି ପାଳ  

କେବୋଲେ ଜାଣିନି ଗରଦ ଗୁମାନି 
ମୋତେ ବଳିକେ ଭାଙ୍ଗୁଆ 
ଛାଡି ମୋର ଭାଙ୍ଗ କୋଚିଲା ମଲାଙ୍ଗ 
ଦିନି ଟଙ୍କେ ପାନଗୁଆ 

ତହୁଁ କେହୁ ବୋଲେ ନିଶା ହୋଇଥେଲେ 
ମତଲପ ମୁତାବକ 
ଭୋଜନ ପତରେ ଶୋଇ ପଡନ୍ତୁରେ 
କାଢି ଜିଭ ମୋଡି ବେକ ।

ଭାଙ୍ଗ ଗୀତ - ୨


ପି ପିଆଲା ଭାଙ୍ଗ ଭଲା
କୁଦିଯାଏ ନଦୀନାଲା 
ମା ଲୋ !

ଭାଙ୍ଗ ପିଇବୁ ଆଲୋ
ସାଙ୍ଗସୁଖଙ୍କୁ ବଞ୍ଚେଇ ଥା'ଲୋ  
 ଶତ୍ରୁକୁ ମୋଡି ମୋଡି ମୋଡି ଖା'ଲୋ

ଅଗଡକୁ ବଗଡକର
ବୁଢାବୁଢିଙ୍କୁ ଚଟଣୀ କର ।

ଭାଙ୍ଗ ଗୀତ - ୩


ଘୋଟି କରି ପି'
କୋଟି କଳ୍ପ ଯି'
ପୋଡି ପାଡି ଖା'
ସତ୍ୟାନାଶ ଯା'

୧୯୨୦ ଦଶକରେ ମୟୁରଭଞ୍ଜର ଶୀର୍ଷା ସ୍କୁଲ୍ ମେସ୍ ର ଜୀବନ


ଶ୍ରୀ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ ମନେପଡେ ରୁ ସ‌ଂଗୃହିତ 



ନିଜ ଗାଁ ପାନ୍ଧଡାର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢା ସରିଲା ; ଭୋଳା ଶତପସ୍ତିଙ୍କର ପୁଅ ବସନ୍ତ ବାବୁ ଇଉ.ପି. ପରୀକ୍ଷାରେ ମୟୁରଭଞ୍ଜ ରାଜ୍ୟରେ ପ୍ରଥମ ହୋଇ ମାସକୁ ପାଞ୍ଚ ଟଙ୍କାର ବୃତ୍ତି ପାଇଲେ ସେ ସମୟରେ ପାଞ୍ଚ ଟଙ୍କା କିଛି କମ୍ ନ ଥିଲା ; ମାତ୍ର ପାଠପଢା ଥିଲା ଭାରୀ ମହରଗିଆ । ଘରେ ବିଚାର ପଡିଲା ଯେ ମାଇନର ପଢିବା ପାଇଁ ପୁତ୍ରମଣି ଯିବେ କୁଆଡେ – ଶୀର୍ଷା ନା ବାରିପଦା । ଶୀର୍ଷାରେ ଖରଚ ହେବ ଟଙ୍କା ସାତଟି ; ବାରିପଦାର ଇସ୍କୁଲ୍ ଟାଣିବ ଦଶ ଟଙ୍କା ମାସକୁ ଘରର ଆର୍ଥିକ ପରିସ୍ଥିତିକୁ ଚାହିଁ ସ୍ଥିର ହେଲା ଯେ ସେ ଯିବେ ଶୀର୍ଷା : ଇଆଡେ ବଡମାନେ ନିଷ୍ପତ୍ତି ନେଲେ ଓ ସିଆଡେ ବୃତ୍ତିଧାରୀ ବୋବାଳି ଛାଡିବା ଆରମ୍ଭ କଲେ । 

ଏକେ ତ ଶୀର୍ଷାରେ କେହି ଚିହ୍ନାଜଣା ନ ଥିଲେ ; ବାରିପଦାରେ ଥିଲେ ପାନ୍ଥଡାର ହରି, ଶିରୀଷ, ନାରଣ ଓ ପଦୁ ଇତ୍ୟାଦି । ଶୀର୍ଷାର ହେଡ୍ ମାଷ୍ଟର ରଘୁନାଥ ରଣାକୁ କୁଆଡେ ଗରଭିଣୀ ଗାଇ ବାଟ ଛାଡିଦିଏ ମାଡ ମାରିବାରେ ସେ ଓସ୍ତାଦ ଥିଲେ ; ‘ ରଣା ସେତେବେଳକୁ ଗୋଟାଏ ପିଲାର ମୁଣ୍ଡରେ ସିଲଟ ଭାଙ୍ଗି ଛାତ୍ରବଧ ପୂଣ୍ୟ ଅର୍ଜନ କରିସାରିଥାଏ । ବସନ୍ତ ବାବୁଙ୍କର ଭେମ୍ବାରଡିର ଏହାଥିଲା ପ୍ରେକ୍ଷାପଟ । ଶେଷକୁ ପାନ୍ଥଡାର ହେଡ୍ ମାଷ୍ଟରଙ୍କୁ ପଚରାଗଲା, ସେ ମଧ୍ୟ ଶୀର୍ଷା ସପକ୍ଷରେ ମତ ଦେଲେ ।

ଅତଏବ୍, ବସନ୍ତ ବାବୁ ଉଣେଇଶି ପଚିଶି ସାଲ୍ ର ମାର୍ଚ୍ଚ୍ ଦୁଇ ତାରିଖ ଦିନ ଭିଡା ହୋଇଗଲେ ଶୀର୍ଷା : ଏହି ଦିନ ଯୁକ୍ତରାଜ୍ୟ ଆମେରିକାର ହାଇୱେ ବ୍ୟବସ୍ଥାର ଆନୁଷ୍ଠାନିକ ଉଦ୍ଘାଟନ ହେଲା; ଯଦିଓ ବସନ୍ତ ବାବୁ, କିମ୍ବା  ତାଙ୍କର  ବାପା ଭୋଳା ଶତପସ୍ତି କିମ୍ବା ରଣା, କେହି ମଧ୍ୟ ଏ ବିଷୟରେ ଜାଣିଥିବାର ସମ୍ଭାବନା କମ୍ । ଯାତ୍ରା ନିମନ୍ତେ ସଜିଲ୍ ହୋଇଥିଲା ବାଉଁଶର ପେଡି –  ପେଡିରେ ରହିଲା ମୁଢି, ଚୁଡା, ଚେନି, ଉଇଲ୍ ପିଆଜ ଆଉ ବିଡାଏ ଶାଳ ଦାନ୍ତକାଠି । ସାଥିରେ ଗଲା କନ୍ଥାଟିଏ, ଝୋଟବୁଣା ସତରଞ୍ଜି ଗୋଟିଏ, କଂସା ଥାଳି, ପିତଳ ବେଲା, ଗୋଟିଏ ଧୋତି ଆଉ ଦାନୁଆ ଗାମୁଛାଟିଏ । ଯାତ୍ରା ପାଇଁ ବାବୁ ପିନ୍ଧିଥିଲେ, ତିନି ପିସ୍ତଲ୍ ମାର୍କା ବାଇଗଣୀ ଧଡିବାଲା ଛଅ-ଗଜିଆ ଧୋତି ଆଉ ତାହା ସହିତ ବେକ-ବନ୍ଦ୍ ହାଟୁଆ, ରେଡିମେଡ୍ କୋଟ୍ ; ଗେଞ୍ଜି ନାହିଁ କି ସାର୍ଟ୍ ନାହିଁ।  ହାତରେ ରୂପାର ବଳା । କାନରେ ନୀଳ ରଙ୍ଗର କାଚ ଜଡିତ ସୁନାର ଫୁଲ । ଆଙ୍ଗୁଠିରେ ରୂପାର ମୁଦି । ପାଦ ଲଙ୍ଗଳା ।

ସ୍କୁଲ୍ ରେ ପହଞ୍ଚି ନାଁ ଲେଖେଇ ସାରିଲା ପରେ ବାପା ଭାଇ ଘର ଛାଡି ଗଲା ବେଳକୁ ବସନ୍ତ ବାବୁଙ୍କର ଭେମ୍ବାରଡି । ସେଦିନ ରାତିର ଭୋଜନ ହେଲା ବାରପ୍ରକାରର ମିଶାମିଶି ଚାଉଳରେ ରନ୍ଧା ଭାତ, ମଶୁରି ଡାଲି ଆଉ ମଟର ଝୋଳ । ତା ପରଦିନ ସକାଳୁ ଉଠି ଶଉଚ ପାଇଁ ଯିବାକୁ ପଡିଲା ପାଖର ସୁବର୍ଣରେଖା ନଈକୁ । ପାଣି ଯାଇଁ ଶହେ ହାତ ତଳେ । ଗାଧୁଆ, ଶୌଚ ଓ ବଗିଚା କାମର ପାଣି ପାଇଁ ଏଠାକୁ ଯିବାକୁ ପଡୁଥିଲା । ବସନ୍ତ ବାବୁଙ୍କର ସୌଭାଗ୍ୟକୁ ରଣା ତାଙ୍କର ଷଷ୍ଠ ଶ୍ରେଣୀ ହୋଇଥିଲା ବେଳେ ହିଁ ବାତରୋଗରେ ମରିଗଲା ଆଉ ତାଙ୍କୁ ଗୋଗଛିଆ ମାଡ ଖାଇ ସବୁବେଳେ ହନ୍ତସନ୍ତ ହେବାକୁ ପଡିଲା ନାହିଁ । ପିଲାଙ୍କର ଦେହ ଖରାପ ହେଲେ ହେଡ୍ ପଣ୍ଡିତ ବୈଙ୍କୁଣ୍ଠନାଥ ମିଶ୍ର ବାପା ମାଙ୍କଠାରୁ ବଳି ସେବା ଶୁଶ୍ରୁଷା କରନ୍ତି । ଶୀର୍ଷାରେ ଭଲ ପଢୁଥିଲେ ସୁଦ୍ଧା ତଥା  ସହପାଠି ଓ ଶିକ୍ଷକମାନେ ଭଲ ପାଉଥିଲେ ମଧ୍ୟ ଥରେ ପାନ୍ଧଡା ଆସିଲେ ଶତପଥୀଏ ଆଉ ଶୀର୍ଷାକୁ ନ ଗଡନ୍ତି । ଗଲା ବେଳକୁ ବାଲିଙ୍ଗି ଦେଖେଇଲେ ବାପାଙ୍କର ଧମକାଣ ଖାଇ ଶେଷକୁ ବିଦାୟ ନିଅନ୍ତି ।

ଶୀର୍ଷାରେ ପଢୁଥିଲା ବେଳେ ବସନ୍ତ ବାବୁ ପ୍ରଥମ ଥର ପାଇଁ ନାଟକ ଦେଖିଲେଦେଖିଥିବା ପ୍ରଥମ ନାଟକ ଦୁଇଟି ହେଲା କୋଣାର୍କପର୍ଶୁରାମ ମାତୃହତ୍ୟାକଳ ଗାଉଣା ବି ପ୍ରଥମ ଥର ପାଇଁ ଶୁଣିଲେ । ହେଲେ ସେଠି ଖାଇବା ପିଇବାରେ ଭାରୀ ଅସୁବିଧା । ପନିପରିବା କିଛି ମିଳେ ନାହିଁ । ଖାଲି କୁନ୍ଦୁରି, ବାଇଗଣ ଓ ଆଳୁ । ସକାଳ ଜଳଖିଆ ହେଲା ନିରୋଳା ମୁଢି । ତାହା ପୁଣି ବାସି, ସେମେଟା, ଗନ୍ଧିଆ, ଯାହାକୁ ବିନା ଦୁଧ ଦହିରେ ଖାଇବାକୁ ପଡେ । ସ୍କୁଲ୍ ଛୁଟି ହେଲାବେଳକୁ ଭୋକ । ହେଲେ ବାଘ ଭଳି ଭୋକ ସହିତ ଡାଲିପାଣି ଆଉ କୁନ୍ଦୁରି ସିଝା ନଗେଇ ବଗଡା ଭାତ ଖାଇବାକୁ ମନ ଡାକେ ନାହିଁ । ଅନେକ ସମୟରେ କିଣି ଲଙ୍କା ମରିଚ ସହ ମୁଢି ଆଉ ସୋଲା ଭଜା ଖିଆ ଯାଏ । 

ଶନିବାରେ ଓ ମଙ୍ଗଳବାରେ ଦିନ ପରମା ଓ ରାଜୁ ଗୁଡିଆ ମିଠେଇ ପସରା ଧରି ଆସନ୍ତି । ସେ ଦିନ ଖାଇବାଟା ଟିକେ ଜମେ । ଦୁଇ ପଇସାରେ ଯୋଡିଏ ବଡ ବଡ ଜିଲାପି ଡଳଖିଆ ଭାବରେ ଖାଇଦେଲେ ଭାତ ଖାଇଲା ବେଳ ଯାଏଁ ଟାଣି ହୋଇଯାଏ । ପାଞ୍ଚ ଟଙ୍କା ବୃତ୍ତି ; ସେଥିରୁ ଦୁଇ ଟଙ୍କା ମେସ୍ ଖର୍ଚ୍ଚ, ଟଙ୍କାଏ ଟିଉସନ, ଆଉ ଟଙ୍କାକର ଜିଲାପି । ମିଠା ଖାଇ ଖାଇ ଶୀର୍ଷା ଛାଡିଲା ବେଳକୁ ଦେହସାରା କାଛୁ । ମାଇନର ସରିଲା ଓ ତା ପରେ ଶତପଥୀଏ ଯାଆନ୍ତି ବାରିପଦା ହାଇସ୍କୁଲ ପଢା ପାଇଁ । ହେଲେ ତାହା ଆଉ ଏକ ଉପାଖ୍ୟାନ । 

Sunday, September 20, 2015

ରମଣ ମହର୍ଷିକୃତ ଉପଦେଶ ସାର ଶ୍ଲୋକ - ୯





ଶ୍ଲୋକ 

ଭାବଶୂନ୍ୟ ସଦ୍-ଭାବ ସୁ ସ୍ଥିତିଃ ।
ଭାବନା ବଲାତ୍ ଭକ୍ତିରୁତ୍ତମା ।।

ପଦ ଚ୍ଛେଦ 

ଭାବଶୂନ୍ୟ - ବୃତ୍ତିଶୂନ୍ୟତା 
ସଦ୍-ଭାବ - ସତ୍ ସ୍ୱରୂପରେ 
ସୁସ୍ଥିତି - ସମ୍ୟକ୍ ସ୍ଥିତି 
ଭାବନା ବଲାତ୍ - ଭାବନାର ବଳରେ
ଭକ୍ତିଃ - ଭକ୍ତି
ଉତ୍ତମା - ସର୍ବଶ୍ରେଷ୍ଠ 

ପଦ୍ୟାନୁବାଦ 

ଅଭେଦ ଭାବନାର ବଳେ,
ଭାବଶୂନ୍ୟତା ହେଳେ ଫଳେ; 
ଏଥିରୁ ଉତ୍ପତି ସୁସ୍ଥିତି 
ଅଟଇ ପରମ ସେ ଭକ୍ତି ।

Saturday, September 19, 2015

ନ୍ୟୁୟର୍କ୍ 


କବି - ଗୁଲଜାର୍ 

ଅନୁବାଦକ - ଭରଦ୍ୱାଜ ପଣ୍ଡା (ଜୁଲୁ)

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ତମ ସହରରେ ସାଙ୍ଗ କିମ୍ପା ପିମ୍ପୁଡିଙ୍କ ବସା ନାହିଁ ?
କୋଉଠି ହେଲେ କାଇଟିଏ ବି ଦେଖିଲିନି ମୁଁ ।
ଚଟାଣ ଉପରେ ଚିନି ପକାଇଦେଲି, ତଥାପି ପିମ୍ପୁଡି ଆସିଲେନି ।
ଆମ ଗାଁରେ କିନ୍ତୁ ଅଟା ପକାନ୍ତି ଦେଖାଗଲେ ଲମ୍ବା ପିମ୍ପୁଡି ଧାଡି ।

ତମ ସହରରେ ଯଦିଓ ଅଛି ସବୁଜିମା, ଭଳିକି ଭଳି ସୁନ୍ଦର ଗଛ ବୃଛ, ଫୁଲ ଭର୍ତି ହେଇ;
ହେଲେ ଭଅଁରଟିଏ ଗୁଣୁ ଗୁଣୁ ହବା ତାଙ୍କ ଉପରେ କେବେ ମୁଁ ଦେଖିଲି ନାହିଁ ।

ତମ ଆଡେ କାନ୍ଥରୁ କେବେ ପାଣି ଝରେନି କି ଫାଟ ପଡି କାନ୍ଥ କେବେ ଆଁ କରେନି ।
ଆମ ଆଡେ ଦଶ ଦିନ ନାଳ ପାଇପ୍ ଲିକ୍ ହେଲେ କାନ୍ଥରୁ ଓସ୍ତ ଡାଳମାନ ଫୁଟି ବାହାରନ୍ତି ।

ଦାରିଦ୍ର୍ୟ ମୋର ଅଭ୍ୟାସ ଅବା ମୁଁ ତମ ପାଇଁ ପରଶ୍ରୀକାତର ।
ତମ ସହର ମାନଙ୍କର ନକଲ ଆମ ସହର ମାନଙ୍କରେ ହେବା ଆରମ୍ଭ ହେଲାଣି ।
ହେଲେ ପୋଡାମୁହାଁ ଜନସଂଖ୍ୟା ବୃଦ୍ଧି ମୁଷଳଧାରା ଶ୍ରାବଣୀ;
ୟାଡେ ଏଠି ନ୍ୟୁୟର୍କ୍ ରେ ପୋକମାଛିମାନଙ୍କର ବି ବଂଶ ବଢୁନି;
ସଡକରେ କେବେ ଧୂଳିଟେ ଉଡିବାର ମୁଁ ଦେଖିନି ।

ମୋ ଗାଁ ବଡ ପଛୁଆ ।
ଆମ ଅଗଣା ବରଗଛକୁ ସକାଳୁ କେତେ ଚଢେଇ ଆସନ୍ତି;
ଅପଦାର୍ଥ ! ସେଇଠି ଖାଇ ସେଇଠି ହଗି ଦେଇ ଚାଲିଯାଆନ୍ତି ।

କିଛି ଦିନ ରହିଗଲେ ତମ ସହରରେ
ଭାଇ, ମତେ ମୋ ଗାଁ ହିନ୍ଦୁସ୍ଥାନ୍ ମନେ ପଡେ ।  

Friday, September 18, 2015

ସନ୍ଥ କବି ଭୀମ ଭୋଇ ଭଜନ - ସମର୍ପି ଦେଲି ପାଇଲ ସର୍ବ 

 

ଗାୟକ - ଅକ୍ଷୟ ମହାନ୍ତି


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=2sm3ABwysyQ&list=PLUSRfoOcUe4b4SWkWs0HW-Xccxg1tf4Zh&index=5


ଫଟେ କ୍ରେଡିଟ୍ - www.mahimadharma.com