Monday, October 09, 2017

ଖଣ୍ଡିଏ ରୁମାଲ୍ ସହ ଆଜି, ଅର୍ଥାତ୍ ୮ ଅକ୍ଟୋବର


ଜ୍ୟୋତି ନନ୍ଦ 


ହେର୍ତ୍ତା ମୁଲର୍ (୧୭ ଅଗଷ୍ଟ ୧୯୫୩ - )
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

"ପାଖରେ ରୁମାଲ୍ ରଖିଚୁ ତ ମାଆ" ସବୁଦିନ ସକାଳେ ମାଆ ପଚାରିବ, ସେତେବେଳକୁ ସେ ଘରର ଗେଟ୍ ପାଖରେ ଆଉ ମୁଁ ବାହାର ରାସ୍ତାରେ ପାଦ ଦେଉଥିବି କି କ'ଣ ?

ମାଆମାନେ ସବୁବେଳେ ଝିଅମାନଙ୍କ ପ୍ରତି କହିବାକୁ ଗଲେ ଭାରି ପଜେସିଭ୍ । ବାହାରକୁ ଯାଇଥିବା ଝିଅଟି ଘରକୁ ନପହଞ୍ଚିବା ଯାଏଁ ଯେମିତି ମାଆଟିର ସବୁପ୍ରକାରର ଅନ୍ନଜଳରେ ଗୋଟିଏ ପ୍ରକାରର ସ୍ୱାଦ, ପିତା । ଆଜିକାଲିର ମୋବାଇଲ୍ ଯୁଗରେ ଝିଅର ମୋବାଇଲ୍କୁ ଦୁଇଟି ନମ୍ବରରୁ କଲ୍ ବେଶି ଆସେ । ଗୋଟିଏ ନମ୍ବରରେ ପରିଷ୍କାର ଲେଖାଥାଏ ମାଆ, ଆଉ ଆର ନମ୍ବରଟିକୁ ଝିଅଟି ଯେଉଁ ନାଆଁରେ ସେଭ୍ କରିଥାଏ, ତାହା ଭିତରକୁ ଯିବି ନାହିଁ ଏବେ ।

ଅବଶ୍ୟ ଏବେ ପରିବାରରେ ସନ୍ତାନ କହିଲେ ଗୋଟିଏ କି ଦିଇଟି । ତେଣୁ ମାଆମାନଙ୍କର ପଜେସିଭ୍ କଥାଟିରେ ଆଉ ଲିଙ୍ଗଗତ ପ୍ରଭେଦ ଦେଖିବାକୁ ମିଳିବ ନାହିଁ । ମାଆର ପଜେସିଭନେସ୍ ଉପରେ ଗୋଟିଏ ଦୀର୍ଘ ଲେଖା ଲେଖିବାର ଇଚ୍ଛା, କିନ୍ତୁ ଏଇ ନିହାତି ଅପଦାର୍ଥ ଲୋକଟି ସେମିତି ଲେଖି ଯଦି ଫଳଶ୍ରୁତି ସ୍ୱରୂପ ସକାଳର ପ୍ରିୟତମ ଲାଗଲାଗ୍ ଚା' ଦିକପ୍ ନପାଏ, ତେବେ ପୃଥିବୀର କାଳଟି ନିହାତି ବିଶ୍ୱଯୁଦ୍ଧର କାଳ ଆଉ ସେଇ କାଳରେ ବାସ କରିବା ପାଇଁ କିଏ ବା ସେଇମିତି ଲେଖିବାର ଭାରୋତ୍ତଳନ କରିବାକୁ ଚାହିଁବ ?

ମୋର ଏକାନ୍ତ ଅନିଚ୍ଛା ସତ୍ତ୍ୱେ ଆପଣମାନେ ଯଦି ଗୋଟିଏ ତାଳଫୋଟକାର ଆବାଜ ଶୁଣିବାକୁ ଚାହାଁନ୍ତି, ତାହାହେଲେ ଆପଣ ଏଇ କଥାକୁ ପାଟିକରି ପଢନ୍ତୁ, ଭାରତୀୟ ମାଆମାନଙ୍କ ଦୃଷ୍ଟିରେ ତାଙ୍କର ପୁଅଝିଅମାନେ ସବୁ ସମୟରେ କ୍ଷୁଧାତୁର ହୋଇ ରହିବାର ସମ୍ଭାବନାଟି ଛଳଛଳ ହୋଇ ଦେଖାଯାଉଥାଏ । ରାତି ବାରଟାରେ ସେମାନେ ପୁଅଝିଅଙ୍କୁ ଫୋନ୍ କଲାମାତ୍ରେ ହିଁ ଆଗ ପଚାରିବେ, ଆଜି କ'ଣ ଖାଇଚୁ ?

ମୁଁ ବେଳେବେଳେ ଭାରତୀୟ ମାଆମାନଙ୍କ ଦ୍ୱାରା ଯେ ପ୍ରଭାବିତ ନ ହୋଇଛି, ଏକଥା ନୁହଁ।

ସେ ଯାହାହେଉ, ମାଆମାନଙ୍କର ସେମାନଙ୍କର ପୁଅଝିଅଙ୍କ ପ୍ରତି ମାତ୍ରାଧିକ ପଜେସିଭନେସ୍ ସେମାନଙ୍କର ବିବାହୋତ୍ତର ଜୀବନରେ କେଉଁ ପ୍ରକାର କୁପ୍ରଭାବ ପକାଇଥାଏ, ସେଇ କଥାକୁ ଆମ ମାଆମାନେ କଦାପି ମାନିବେ ନାହିଁ ।

ମାଆମାନେ ସର୍ବଦା ଆନନ୍ଦମୟୀ ଓ ବାପା ମାନେ ସର୍ବଦା ଶମ୍ଭୁ ସଦାନନ୍ଦ ହୋଇ ରହିଥାନ୍ତୁ । ଆନନ୍ଦ ବିରାଜ କରୁ ସବୁଠି ।

"ପାଖରେ ରୁମାଲ୍ ରଖିଛୁ କି ମାଆ" ବୋଲି ଘରର ଫାଟକ ପାଖରେ ଛିଡା ହୋଇ ମାଆଟି ଯେଉଁ ଝିଅକୁ ସବୁଦିନ ପଚାରୁଥିଲା, ସେ ପରେ ଅତି ବିଖ୍ୟାତ ହୋଇଗଲା । ଆଜିଦିନରେ, ଅର୍ଥାତ୍ ଆଠ ଅକ୍ଟୋବର୍ ରେ, ସେ ଝିଅଟି ପାଇଥିଲା ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ସାହିତ୍ୟରେ, ନୋବେଲ୍ ପୁରସ୍କାର, ୨୦୦୯ ମସିହା ପାଇଁ । ଝିଅଟିର ନାଆଁ ହେଲା ହେର୍ତ୍ତା ମୁଲର୍, ଜନ୍ମ ଏକଛତ୍ରାଧିପତି କୁଖ୍ୟାତ ଚେଚସ୍କୁଙ୍କର ରୁମାନିଆରେ, ଗୋଟିଏ ସଙ୍ଖ୍ୟାଲଘୁ ଜର୍ମାନ ସମ୍ପ୍ରଦାୟରେ ।

ଅକ୍ଟୋବର ମାସର ଆଦ୍ୟଭାଗଟି ହେଉଛି ନୋବେଲ୍ ସମୟ, ମାନେ ନୋବେଲ୍ ପୁରସ୍କାରର ସମୟ । ଆମେ ଆମର ପ୍ରିୟ ଲୋକମାନଙ୍କର ଏକ ସମ୍ଭାବ୍ୟ ତାଲିକା ମନେ ମନେ ପ୍ରସ୍ତୁତ କରୁ । କଥାବାର୍ତ୍ତା ହେଉ ଆମ ଆମ ଭିତରେ । ଆଗରୁ ହାତାହାତି ବି ହୋଇଯାଉଥିଲା, ଅବଶ୍ୟ ଏହା ସେ କେଉଁ ପ୍ରାକ୍-ଅସହିଷ୍ଣୁତାର ଐତିହାସିକ ଯୁଗର କଥା । ଆମ ଘର ଥାକରେ ଥିବା ଲେଖକଟି ଯଦି ନୋବେଲ୍ ପାଇଗଲା, ତାହାହେଲେ ଆମେ ଏମିତି ଠାଣିରେ ବାହାରକୁ ବାହାରିବୁ, ଯେମିତି ନରେନ୍ଦ୍ର ସ୍ନାହାନକୁ ବିଜେ କରୁଛନ୍ତି କେଉଁ ପୁରୀ କଟକର ଅଧିବାସୀ ଜଣେ । ଆମକୁ କେହି ପଚାରିବା ଯାଏଁ ତର ସହିବ ନାହିଁ । ଆମେ ଆଗଚଲା ହୋଇ ଯେତେ ସମ୍ଭବ ଗମ୍ଭୀର ହୋଇପାରିବ ଜଣେ, ସେତିକି ଗଂଭୀର ହୋଇ କହିବୁ, ଅମୁକ ନୋବେଲ୍ ପାଇଲେ ଜାଣିଛ ? ତାହା ପରେ ଆଉ ବିରାମର ଚିହ୍ନ ସବୁକୁ ମାନିବୁ ନାହିଁ ଜମା । ପଇଁଚାଳିଶ ମିନିଟ ଧରି ଆମ ସାମ୍ନାରେ ଯିଏ ବସିଥାଉ ବି, ସେ ଆମ ନୋବେଲ୍ ଅତ୍ୟାଚାରରେ ଅତ୍ୟାଚାରିତ ହେବାକୁ ବାଧ୍ୟ । ଆମ ପାଇଁ ଆପଣମାନେ ଜାଣନ୍ତି ପଇଁଚାଳିଶ ମିନିଟ ଏକ ସର୍ବକାଳୀନ ମାନଦଣ୍ଡ । ସେତିକିରେ ଆମ ଘଣ୍ଟା ବାଜେ, ଆମେ ଦି ଗ୍ଲାସ ପାଣି ପିଇ ଆଉ ଗୋଟିଏ କ୍ଲାସକୁ ବାହାରି ପଡୁ । ପୃଥିବୀର ଶୀତଳଯୁଦ୍ଧ ପରେ ସିନ୍ଧୁ ସଭ୍ୟତା କେବଳ ସେଇଠି ଆସିପାରେ । ଅବଶ୍ୟ ନୋବେଲ୍ ଉପରେ ଆମେ ଆଗରୁ ଟିକିଏ ପ୍ରସ୍ତୁତି କରିନେଇଥାଉ ଗୋପନରେ । ଥାକରେ ଥିବା ପୁରସ୍କୃତ ବହିଟିରୁ ଧୂଳିଝାଡି ତାହାର ପଛ ମଲାଟକୁ ଟିକିଏ ଭଲ କରି ପଢିଦେଇଥାଉ ।

ବହିର ପଛ ମଲାଟ ଅଛି ବୋଲି, ଆମର ସକଳ ଦୃଶ୍ୟମାନ ବିଦ୍ୱତା ଅଛି ବୋଲି ଜାଣନ୍ତୁ । ମୋର ସମସ୍ତ ପଣ୍ଡିତମାନଙ୍କୁ ସମ୍ମାନ ।ସେମାନେ ବହିର ପଛମଲାଟକୁ ବର୍ଜ୍ୟବସ୍ତୁ ସଦୃଶ ମନେ କରିଥାନ୍ତି । ସେମାନେ ଅଛନ୍ତି ବୋଲି ପୃଥିବୀର ଆଖିଟିମାନ ଆହୁରି ଅଧିକ ଚକ୍ଷୁଷ୍ମାନ, ଆମର ବିଚାରର ମଞ୍ଜଟି ଆହୁରି ଶକ୍ତ । ସେମାନେ କ'ଣ ଆମ ପରି ମୁଖାଧାରୀ ହୋଇ ରହିଛନ୍ତି ଯେ, ଯେଉଁମାନଙ୍କ ପାଇଁ ବହିର ବିଧିବଦ୍ଧ ପଛମଲାଟଟିଏ ନଥିଲେ, ଯନ୍ତ୍ରଟିର ମୋଡ୍ ଟି ମ୍ୟୁଟ୍ ହୋଇଯିବ ? ଆମର ଏମିତି ଦେଖିଲେ ପଣ୍ଡିତମାନଙ୍କ ପ୍ରତି ଭିତରେ ଭିତରେ ଟିକିଏ ଅହନ୍ତାଭାବ ରହିଛି । କେବଳ ପଣ୍ଡିତମାନେ ଆମ ବିଶ୍ୱାସକୁ ବଦଳାଇ ଦେଇ ପାରନ୍ତି । ଆମେ ଯେଉଁ ବିଶ୍ୱାସଟିକୁ ଟିଙ୍କ ପରି ଜାବୁଡି ଧରି ନିଜର ସ୍ଥିତିକୁ ଜାହିର କରିଆସୁଛୁ, ଯଦି ସେଇ ବିଶ୍ୱାସର ଆଶ୍ରାଟି ଆମଠୁ ହଠାତ ଛଡେଇ ନିଆଯାଏ, ଆମେ ଟିଙ୍କମାନେ ଛିନ୍ନମୂଳ ହୋଇ ରହିପାରିବୁ ନାହିଁ । ଅସହିଷ୍ଣୁତା ଓ ଗୁଳି ବନ୍ଦୁକ କଥା ଉଠିବ, ତାହା ପରେ ଆମର ମୁଣ୍ଡର ମାଲମତ୍ତାଗୁଡିକୁ ସହିସଲାମତ ରକ୍ଷା କରିବା ପାଇଁ । 

୨୦୧୭ ମସିହାର ସାହିତ୍ୟ ନୋବେଲ୍ ର ବିଜୟୀ କାଜୁଓ ଇଶିଗୁରୋ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଆମର ପଣ୍ଡିତ-ବିଦ୍ୱେଷକୁ ଆଉ ଟିକିଏ ପରିଷ୍କାର କରି ଆମେ ଆମ ବାଗରେ କହିପାରୁ ଯେ, ଅସଲ ପଣ୍ଡିତଟି ମୁଣ୍ଡରେ ଥାଏ ଆଉ ତାହାର କୌଣସି ପୁସ୍ତକ ଉପରେ ନିର୍ଭର କରି ରହିବାର ଦରକାର ନାହିଁ । ସେଇଥିପାଇଁ ଗ୍ରୀକ ମହାପଣ୍ଡିତ ସକ୍ରେଟିସ ସବୁ ପୋଥିର ଅସାରତାର କଥା କହୁଥିଲେ । ତମେ ଯଦି ବାହାରର ଆଉ କିଛି ପଦାର୍ଥ ଉପରେ ନିର୍ଭର କରି ରହିଲ, ତେବେ ତମେ କେଉଁ ପ୍ରକାରର ଜ୍ଞାନୀ ? ତାଙ୍କ ଦୃଷ୍ଟିରେ ସବୁ ଜ୍ଞାନ ସ୍ୱୟମ୍ଭୂ । ମହାପଣ୍ଡିତ ସକ୍ରେଟିସଙ୍କ କଥା ଉଠିଛି, ଯେତେବେଳେ ସେତେବେଳେ ଏଇକଥା ବି କୁହାଯାଇପାରିବ ଯେ, ମହାପଣ୍ଡିତମାନେ ବେଳେବେଳେ ଅଜ୍ଞାନୀ ଭଳି କଥା ବି ସାର୍ବଜନୀନ କରିପାରନ୍ତି । ସକ୍ରେଟିସଙ୍କ ଏଇ ପରି ଗୋଟିଏ ବିଚାର ଅନ୍ୟକାହାକୁ ନହେଉ ପଛକେ, ପୃଥିବୀର ସମସ୍ତ ଦନ୍ତ ଚିକିତ୍ସକଙ୍କୁ ଉତ୍ସାହିତ କରିପାରେ । ସକ୍ରେଟିସଙ୍କ ଧାରଣାରେ ପୁରୁଷମାନେ ନାରୀ ମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ । ତାହାର ଯେଉଁ ଅକାଟ୍ୟ ପ୍ରମାଣଟି ସେ ଉପସ୍ଥାପନ କରିଥିଲେ, ତାହା ହେଉଛି ପୁରୁଷମାନଙ୍କର ନାରୀମାନଙ୍କ ତୁଳନାରେ ମୁହଁରେ ରହିଛି ଅଧିକ ଦାନ୍ତ । ନାରୀର ଦାନ୍ତକୁ ଗଣି ସକ୍ରେଟିସଙ୍କ ଭଳି ମହାପଣ୍ଡିତଙ୍କୁ ଭୁଲ ବୋଲି କହିପାରିବାର ସାମର୍ଥ୍ୟ ସେତେବେଳେ କାହାର ଥିଲା ? ତେଣୁ ଦାନ୍ତ ଅଛି ମାନେ ଜ୍ଞାନ ବିଦ୍ୟମାନ, ଏଇ ଭଳି ଏକ ଚମତ୍କାର ବିଜ୍ଞାପନ ଆମ ଦନ୍ତ ଚିକିତ୍ସକମାନେ କେବଳ ସକ୍ରେଟିସଙ୍କ ସୌଜନ୍ୟରୁ ପାଇ ପାରିବେ ।

ନୋବେଲ ପୁରସ୍କାର ଚୟନକୁ ନେଇ ଏଥର କୌଣସି କଥା ଉଠିବ ନାହିଁ, ଆଗରୁ ଅନେକଥର ଯେମିତି କଥା ଉଠୁଥିଲା ।

ହେର୍ତ୍ତା ମୁଲର୍ ୨୦୦୯ ମସିହାରେ ନୋବେଲ ବିଜେତା ଘୋଷିତ ହେଲାପରେ ଚୟନର ସ୍ୱରୂପକୁ ନେଇ ଅନେକ କଥା ଉଠିଥିଲା ।ନୋବେଲ୍ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍ ନୋବେଲ୍ ଙ୍କ ନିର୍ଦ୍ଦେଶ ଥିଲା ଯେ, ଏଇ ପୁରସ୍କାର ସେଇ ଲେଖକକୁ ଦିଆଯିବ, ଯାହାର ଲେଖା "ଦି ମୋଷ୍ଟ୍ ଆଉଟଷ୍ଟାଣ୍ଡିଙ୍ଗ୍ ୱାର୍କ ଇନ୍ ଆନ୍ ଆଇଡିଆଲ୍ ଡିରେକସନ୍" ବା "ଏକ ଆଦର୍ଶ ଉଦ୍ଦେଶ୍ୟରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ" ହୋଇଥିବ । ଏଇ ମହତ୍ୱପୂର୍ଣ୍ଣ ଆଦର୍ଶର ସ୍ୱରୂପକୁ ସବୁବେଳେ ସ୍ୱର୍ଗୀୟ ଆଦର୍ଶ ବୋଲି ବିଚାର କରାଯାଏ ।

ଆମେ ବହିର ପଛମଲାଟ ପାଖରେ ଥିଲେ । ପଛ ମଲାଟ କେମିତି ଆମର ସମସ୍ତ ନବ ନବ ଉନ୍ମେଷଶାଳିନୀ ଜ୍ଞାନର ଉତ୍ସ, ସେଇ କଥା ହେଉଥିଲେ । ପ୍ରସଙ୍ଗଟି ନୋବେଲ୍ ପୁରସ୍କାର ରୁ ଉଠିଥିଲା ।

ଅଳ୍ପ କେତେଥରକୁ ଛାଡିଦେଲେ, ନୋବେଲ୍ କମିଟି ଆଦ୍ୟ ଶ୍ରାବଣର କୁଆଁରୀ ମନ ଭଳି ମେଘ, କେଉଁଠି ହଠାତ୍ ବର୍ଷିଯିବ କିଏ ଜାଣେ ? ଆମ ବହିଥାକରୁ ବହି ନୋବେଲ୍ କମିଟି ବାଛେ ନାହିଁ । ଆମେ ଖାଲି ଡହକବିକଳ ହେଉ ।

ଏଥରର ନୋବେଲ୍ ବିଜେତା କାଜୁଓ ଈଶିଗୁରୋ ପୁରସ୍କାର ଘୋଷଣା ହେଲା ପରେ, ପ୍ରଥମେ ଆଉଜଣେ ଔପନ୍ୟାସିକାଙ୍କ ବିଷୟରେ କହିଛନ୍ତି । ଈଶିଗୁରୋ କହିଛନ୍ତି, "ମୁଁ ଏଇ ପୁରସ୍କାର ପାଇଥିବା କାରଣରୁ ମାର୍ଗାରେଟ୍ ଆଟଉଡ୍ ଙ୍କୁ କ୍ଷମା ମାଗୁଛି, ଆଉ କାମନା କରୁଛି ସେ ଖୁବ୍ ଶିଘ୍ର ଏଇ ପୁରସ୍କାର ପାଇବେ । ମୁଁ ଘଡିକ ପାଇଁ ଭାବିନାହିଁ ଯେ ମୁଁ ପାଇବି । ମୁଁ ସବୁବେଳେ ଭାବି ଆସିଛି ଯେ, ଏଥର ଖୁବ୍ ଶିଘ୍ର ମାର୍ଗାରେଟ୍ ଆଟଉଡ୍ । ଏବଂ ଏବେ ମୁଁ ଠିକ୍ ସେଇକଥା ଭାବୁଛି, ଓ କାମନା କରୁଛି ।"

"ଅନ୍ଧ ହତ୍ୟାକାରୀଣୀ"ର ଲେଖିକା ମାର୍ଗାରେଟ୍ ଆଟଉଡ୍ ବି ନିଜ ପ୍ରତିକ୍ରିୟା ଦେଇଛନ୍ତି ଏହିଭଳି, ଏବେ ଦେଖିଲି । ବହୁତ ପ୍ରତିଭାବାନ ।ଯଦିଓ ଏଇ ବୃଦ୍ଧା ମହିଳା ପ୍ରତି କିଛିଟା କ୍ଳାନ୍ତି ରହିଛି ।

ନିଜର ଜନ୍ମସ୍ଥାନ ଜାପାନରେ ସମ୍ପୂର୍ଣ୍ଣ ଅଖ୍ୟାତ ଏଇ ଲେଖକ ଈଶିଗୁରୋଙ୍କୁ ନେଇ ନୋବେଲ୍ ଘୋଷଣା ପରେ କିଛି ପରିମାଣରେ କୌତୁହଳ ସୃଷ୍ଟି ହୋଇଛି ।

ମୁଁ ମୋ ବହିଥାକକୁ ଟିକିଏ ସଜାଡି ଦେଇଛି ଏହା ପରେ । ଈଶିଗୁରୋଙ୍କ 'ଦି ରିମେନସ୍ ଅଫ୍ ଦି ଡେ' , ତାହା କାନ୍ଧକୁ ଲାଗି ଏନଗୁଗି ୱା ଥିଆଙ୍ଗୋ ଙ୍କ 'ୱିଜାର୍ଡ ଅଫ୍ ଦି କ୍ରୋ', ତା ପାଖରେ ମୁରାକାମୀଙ୍କ 'କାଫକା ଅନ୍ ଦି ସୋର୍' ଆଉ ଏବେ ଈଶିଗୁରୋଙ୍କ ପ୍ରତିକ୍ରିୟା ପଢିବା ପରେ ରଖିଛି ଆଟଉଡ୍ ଙ୍କ 'ଦି ବ୍ଲାଇଣ୍ଡ ଆସାସିନ୍' ।

ସଫଳ ବିଫଳ ଏଇ ବହିମାନେ ନିଜନିଜ ଭିତରେ ମୋ ଅଜ୍ଞାତ ରେ କଥା ହୁଅନ୍ତୁ । ସେମାନଙ୍କର ନିଃଶ୍ୱାସ ଯେମିତି ମୋ ପିଠିରେ ବାଜୁଥାଉ ।

ହେର୍ତ୍ତା ମୁଲର ରୁମାନିଆର ଅତ୍ୟାଚାରୀ ଶାସକ ଅର୍ଥାତ ଏକ ଏକଛତ୍ରବାଦୀ ଶାସନରେ ସ୍ୱାଧୀନତାର ଚିନ୍ତାର ପରିପ୍ରକାଶ ଜନିତ ଯାତନାକୁ 'ଇନ୍ ଆନ୍ ଆଇଡିଆଲ୍ ଡିରେକସନ୍' ବୋଲି ନୋବେଲ କମିଟି ତରଫରୁ ବିଚାର କରାଯାଇଥିଲା ସେତେବେଳେ ।

ନିଜର ନୋବେଲ୍ ଭାଷଣରେ ହେର୍ତ୍ତା ଏଇ କଥାଟିରୁ ଆରମ୍ଭ କରି ଥିଲେ ।

"ପାଖରେ ରୁମାଲ୍ ରଖିଛୁ ତ ମାଆ" ସବୁଦିନ ସକାଳେ ମାଆ ପଚାରିବ, ସେତେବେଳକୁ ସେ ଘରର ଗେଟ୍ ପାଖରେ ଆଉ ମୁଁ ବାହାର ରାସ୍ତାରେ ପାଦ ଦେଇଥିବି କି କ'ଣ ?

ମାଆଟି ଏଇ କଥାପଦକ ପଚାରିବାର କିଛି ସମୟ ପରେ ତାହାକୁ ଚିଚେସ୍କୁର ସୈନ୍ୟମାନେ ବାନ୍ଧି ନେଇଥିଲେ ନିର୍ଯାତନା କକ୍ଷ ଗୁଲାଗ୍ କୁ ଯେଉଁଠୁ କେହି କେବେ ଫେରେନାହିଁ ।

ରୁମାଲ୍ ଖଣ୍ଡିକ କଥାରେ ରହିଗଲା ସବୁଠୁ ବେଦନାଦାୟକ ସ୍ମୃତି ହୋଇ । ଏଇ ନୋବେଲ ବିଜୟିନୀ ତାହାକୁ ବିଶ୍ୱବିଖ୍ୟାତ କରିଦେଲା ।
ପରେ ତୁର୍କୀର ଜଣେ ନୋବେଲ୍ ବିଜେତା ଓରହାନ୍ ପାମୁକ୍ ନିଜ ବାପାଙ୍କ ବାକ୍ସ କଥା ନିଜ ଭାଷଣରେ ଉଠାଇଥିଲେ, କିନ୍ତୁ ଏ ଯାଏଁ ସବୁଠାରୁ ପ୍ରଭାବଶାଳୀ ହୋଇ ରହିଆସିଛି ସେଇ ପୁରୁଣା ଆଗର କଥା ପଦକ ।

'ପାଖରେ ରୁମାଲ୍ ରଖିଛୁ ତ ମାଆ ?'

No comments:

Post a Comment