Thursday, August 08, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୨ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଦୃଢ଼ ହସ୍ତେ ଧରା ନାଡ଼ିର ତରୁ
ବାଜେ ଅନାହତ ବୀର ଡମ୍ବରୁ ।

କାହ୍ନୁ ଯୋଗାଚାର ସାଧନ କରେ
ଏକାକାର ଘୁରେ ଦେହ ନଗରେ ।

ପାଦେ ଆଳି କାଳି ନୂପୁର ବାଜେ
ଚାନ୍ଦ ସୂରୁଜ କାନଫୁଲ ସାଜେ ।

ଭସ୍ମସାର କରି ଷଡ଼ରିପୁକୁ
ମୋକ୍ଷ ମୁକ୍ତାହାର ପିନ୍ଧେ ଗଳାକୁ ।

ମାରିଣ ଶାଶୁ ଓ ନଣନ୍ଦ ଶାଳୀ
ମାୟା ହାଣି ଦେଖ କାହ୍ନୁ କାପାଳୀ ।

Monday, August 05, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୧୧ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କାଳର ଶକତ ଖୁଣ୍ଟି ଓପାଡ଼ି
ବ୍ୟାପକ ବିବିଧ ବନ୍ଧନ ତାଡ଼ି ।

ସହଜ ନଳିନୀ କୁଞ୍ଜେ ପ୍ରବେଶ
ମାତାଲ କାହ୍ନୁ ଯେ ତୃପ୍ତ ହରଷ ।

ଯେଉଁ ପରି ହସ୍ତୀ ହସ୍ତୀନୀ ରମେ
କାମ କଳଧ୍ୱନୀ ଜଳ ବର୍ଷଣେ ।

ଷଡ଼ଗତି ସବୁ ସ୍ୱଭାବେ ଶୁଦ୍ଧ
ଭାବାଭାବେ କିଛି ନାହିଁ ବିରୁଦ୍ଧ ।

ଦଶଦିଶେ ରଖି ଦଶ ରତନ
ବିଦ୍ୟା-କରୀକୁ କରଇ ଦମନ ।