Friday, June 29, 2018

ପାଲି ଧର୍ମପଦ (୮୧) ର ଓଡ଼ିଆ  ପଦ୍ୟାନୁବାଦ

୬ ପଣ୍ଡିତ ବର୍ଗ


ଥାଇଲାଣ୍ଡରେ ଏକ ଜଳପ୍ରପାତ ନିକଟରେ ଧ୍ୟାନରତ ବୌଦ୍ଧ ଭିକ୍ଷୁ (ୱିକିମିଡିଆ କମନ୍ସ୍)

ଏକାନ୍ତ ଘନ ପର୍ବତ ପବନ ବହିଲେ
କମ୍ପିତ ଯେପରି କେବେ ନ ହୁଅଇ ଭଲେ ।
ନିନ୍ଦା ପରଶଂସା ଦ୍ୱାରା ସେପରି ପଣ୍ଡିତ
ଜନ ହୁଅନ୍ତି ନାହିଁ କେବେ ବିଚଳିତ ।୬। 

ସେଳୋ ଯଥା ଏକଘନୋ ବାତେନ ନ ସମୀରତି ।
ଏବଂ ନିନ୍ଦାପସଂସାସୁ ନ ସମିଞ୍ଜତି ପଣ୍ଡିତୋ ।୬।

ଶୈଳୋ ୟଥା ଏକଘନୋ ବାତେନ ନ ସମୀର୍ୟ୍ୟତେ ।
ଏବଂ ନିନ୍ଦାପ୍ରଶଂସାସୁ ନ ସମୃଞ୍ଜତେ ପଣ୍ଡିତଃ ।୬। 

Wednesday, June 27, 2018

ମେରିଲିନ୍ ୟାଲୋମ୍‌ଙ୍କର 'ପତ୍ନୀ:ଏକ ଇତିହାସ'

ଅନୁବାଦ - ଜ୍ୟୋତି ନନ୍ଦ


ମାଛଧରାଳିର ସ୍ତ୍ରୀର ସ୍ୱପ୍ନ (ୱିକିମିଡିଆ କମନ୍ସ୍)
ଚିତ୍ରକର - କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)

ପତ୍ନୀ ଏକ ବିରଳ ପ୍ରଜାତି କି ?

ପ୍ରିୟ ଆବି:

ମୁଁ ଗତ ଦୁଇ ବର୍ଷ ହେଲା ଜଣେ ଚମତ୍କାର ଯୁବକଙ୍କ ସମ୍ପର୍କରେ ରହିଛି, ହେଲେ ବିବାହ ତାରିଖଟି ଧାର୍ଯ୍ୟ କରି ପାରୁ ନାହିଁ । ସେ ମୋତେ ଓ ମୋର ନଅ ବର୍ଷ ବୟସର ଝିଅକୁ ପ୍ରେମ କରେ । ସେ ଲୁଗାପଟା ସଫା କରେ, ବାସନ ଧୁଏ, ଆଉ ପୂରା ଘର ଝାଡ଼ୁ କରେ । ମୋ' ଝିଅକୁ ସେ ନିଜ ଝିଅ ଭଳି ଦେଖେ । ସେ ଦୁଇଟି ଜାଗାରେ ଚାକିରୀ କରେ । ତେଣୁ, ଆମର ଚଳିବାରେ ଅସୁବିଧା ନାହିଁ । ଭଲ ଶୁଭୁଛି, ନୁହଁ ?

କିନ୍ତୁ ସମସ୍ୟା ହେଉଛି, ମୁଁ ଭାବୁଛି ମୁଁ ତା'କୁ ଭଲ ପାଏ ନାହିଁ । ମୁଁ ତା'କୁ ଭଲ ପାଉଛି ବୋଲି କହି ପାରିବି, ମାତ୍ର ସେଇ କଥାଟି ଅନୁଭବ କରି ପାରୁନି । ଜଣେ ଭଲ ସ୍ୱାମୀ ପାଖରେ ଯାହା ଯାହା ଭଲ ଗୁଣ ରହିବ ବୋଲି ଜଣେ ସ୍ତ୍ରୀ କାମନା କରିଥାଏ, ସବୁ ତାହା ପାଖରେ ରହିଛି, କିନ୍ତୁ ଏଇ ସବୁ କ'ଣ ପ୍ରେମର ଜାଗାଟି ନେଇ ପାରିବ ? ଅଥବା ମୁଁ କ'ଣ ବେଶି ରୋମାଣ୍ଟିକ ଉପନ୍ୟାସ ପଢ଼ି ପକେଇଛି ?

ସେ ଖୁବ୍ ଶିଘ୍ର ବିବାହ କାମଟିକୁ ସାରି ଦେବାକୁ ଚାହେଁ । ମୋତେ ଅଣତିରିଶ ଚାଲୁଛି, ଆଗରୁ କେବେ ବାହା ହୋଇନି, ଆଉ ମୋତେ ଲାଗୁଛି ମୋ ଝିଅ ଏବେ ବାପାଟିଏ ଲୋଡ଼ୁଛି । ମୋର ଡରଟି ବି ରହିଛି, ଏଇ ଭଳି ମୋତେ ଭଲ ପାଉଥିବା ଲୋକଟିଏ ମୁଁ ପାଇ ନ ପାରେ ।

ମୁଁ କ'ଣ ଆଉ ଜଣକୁ ଭଲ ପାଇବି, ଯିଏ ମୋ ଝିଅକୁ ନିଜ ଝିଅ ପରି ଦେଖିବ ଅଥବା ମୁଁ ତାହାକୁ ବିବାହ କରିବି ଯାହାକୁ ମୁଁ ଭଲ ନ ପାଏ ପଛକେ ସେ ଏକ ଚମତ୍କାର ସ୍ୱାମୀ ଆଉ ଉତ୍ତମ ପିତା ହୋଇଥିବ ?

ଇତି

ଭଲ ପାଇଁ ଅବା ମନ୍ଦ ପାଇଁ

ପ୍ରିୟ ଭଲ ପାଇଁ:

ତମେ ଯଦି ସେ ଲୋକକୁ ବିବାହ କର, ତମେ ବେଶ୍ ଭଲ ଭାବରେ ଜାଣିଛ ଯେ, ତମେ ତାହାକୁ ଭଲ ପାଅ ନାହିଁ ତାହା ହେଲେ ତମେ ନିଜ ପାଇଁ ଆଉ ସେଇ ଲୋକ ପାଇଁ ଅକଲ୍ୟାଣ କରିବାକୁ ଯାଉଛ । ବିବାହଟିଏ ଅନନ୍ତ କାଳ ଯାଏଁ ସ୍ଥାୟୀ ହେବା ଲୋଡ଼ା । ଆଉ ଅନନ୍ତ କାଳ ହେଉଛି, ମୁଁ ଆଉ ଦ୍ୱିତୀୟ ଜଣେ ଭଲ ପାଇବାର ଲୋକ ପାଇଲି ନାହିଁ ବୋଲି ଭୟଟି ସହ ନିଜକୁ ବିକ୍ରି କରି ଦେଇ, ନିଜ ସହ ବଞ୍ଚିବା ପାଇଁ ଏକ ଦୀର୍ଘ ସମୟ ଯାପନ କରିବା କଷ୍ଠକର । ତାହାକୁ ଯିବାକୁ ଦିଆଯାଉ ।

ଇତି

ସାନଫ୍ରାନସିସ୍କୋ କ୍ରୋନିକଲ୍, ୩ ଜୁଲାଇ ୧୯୯୮

ମାନବ ଇତିହାସର ଅଧିକାଂଶ ସମୟରେ ଏମିତି ଚିଠିଟିଏ ଲେଖା ଯାଇ ପାରି ନାହିଁ । କହିବାକୁ ଗଲେ ଅଧିକାଂଶ ନାରୀ ଏମିତି ଲେଖି ପାରିବେ ନାହିଁ, ଆଉ ପ୍ରାୟ ସମସ୍ତଙ୍କର ନିଜନିଜର ସ୍ୱାମୀ ନିର୍ବାଚନ ସମୟରେ ବହୁତ କମ୍ କହିବା ଭଳି କଥା ରହିଥାଏ । ଯଦି ଉଭୟଙ୍କ ଭିତରେ ବିବାହ-ବହିର୍ଭୂତ ଯୌନ ସମ୍ପର୍କ ରହିଥାଏ ଏବଂ ବିଶେଷ କରି ଯଦି ସେମାନଙ୍କର ବିବାହ ବ୍ୟତିରେକେ ସମ୍ପର୍କରୁ ସନ୍ତାନ ଥାଏ, ସେମାନେ ସମାଜରେ ନିନ୍ଦିତ ହୋଇ ରହିଥା'ନ୍ତି । ଏପରିକି କେତେକ ସମାଜରେ ସେମାନଙ୍କୁ ଏଇ ଉପରଲିଖିତ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇ ଥାଏ । ଆମେରିକାର ପ୍ୟୁରିଟାନିଜମ୍ ଆଦ୍ୟକାଳରେ ଫୋର୍ନିକେସନ୍ ବା ଦୁଇ ଜଣଙ୍କ ଭିତରେ ବିବାହ ବ୍ୟତୀତ ଯୌନ ସମ୍ପର୍କକୁ ଅପରାଧ ବୋଲି ବିଚାର କରି ସାଧାରଣତଃ ଜୋରିମାନାର ଦଣ୍ଡ ଦିଆଯାଉ ଥିଲା ଓ ସର୍ବସାଧାରଣ ସ୍ଥାନରେ ବେତ୍ରାଘାତ କରାଯାଉଥିଲା । ଅବିବାହିତା ମାଆର କଳଙ୍କଟି ଏତେ ତୀବ୍ର ଥିଲା ଯେ, ସେଇ ମାଆଟିକୁ ତାହାର ଗର୍ଭଜାତ ନବଜାତକକୁ ଗୋପନୀୟ କରି ରଖିବା ପାଇଁ ଶିଶୁହତ୍ୟାଠୁ ଆରମ୍ଭ କରି ଯେତେ ଯାହା ସମ୍ଭବ ତାହା କରିବାକୁ ହେଉ ଥିଲା । ଯେଉଁ କେତେକ କ୍ଷେତ୍ରରେ ଏହି ଏକେଲା ମାତୃତ୍ୱଟି ତାହାର ନବଜାତକକୁ ତେଜ୍ୟା କରିବାକୁ ଅନିଚ୍ଛୁକ ହେଉ ଥିଲା, ତେବେ ତାହା ପାଇଁ ସବୁଠୁ ଗ୍ରହଣଯୋଗ୍ୟ ସାମାଜିକ ବିଧାନଟି ଥିଲା, ତୁରନ୍ତ ଏକ ସ୍ୱାମୀ ସନ୍ଧାନ କରି, ତାହାର ବେକରେ ଅବିଳମ୍ବେ ବରଣ ମାଳାଟିଏ ଗଳାଇ ଦେଇ ଝୁଲି ପଡ଼ିବା ।

ଆଜି କାଲି ଏକେଲା ମାଆଟି ଅତୀତର ଜନରୋଷର ଶୀକାର ହେଲା ଭଳି ଯାତନା ଭୋଗୁ ନାହିଁ । ସେ ଉପରେ ଉଦ୍ଧୃତ ଚିଠିଟିର ମାଆ ଭଳି ତାହାକୁ ବିବାହ କରିବାକୁ ଉତ୍ସୁକ ଥିବା ପୁରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ପାରିବାର ସାମର୍ଥ୍ୟ ରଖୁଛି । ସେହି ମହିଳାକୁ ଭଲ ପାଇବା ଓ ନିଜର ହୋଇ ନ ଥିବା ସନ୍ତାନକୁ ଆପଣାର କରିବା, ଦୁଇଟି ସ୍ଥାନରେ ବୃତ୍ତିଗତ ସଫଳତା ଯୋଗୁ ପୂର୍ଣ୍ଣ ଆର୍ଥିକ ନିରାପତ୍ତା ପ୍ରଦାନ କରି ପାରିବା, ଲୁଗାପଟା ସଫା ଓ ବାସନ ଧୋଇବା ଆଦି ସତ୍ୱେ ଏହି ସବୁ ଯଥେଷ୍ଟ ହେଉ ନାହିଁ ଆଜିର ନାରୀ-ପୁରୁଷ ସମ୍ପର୍କରେ । ଚିଠିର ଲେଖିକା ଅଧିକ କିଛି ଚାହେଁ, ସେ ଚାହେଁ ତାହାର ପ୍ରେମପାତ୍ର ହେବାର ଯୋଗ୍ୟତା ରଖିଥିବା ଏକ ପୁରୁଷକୁ । ପତ୍ର ଲେଖିକାର ଏହି ସିଦ୍ଧାନ୍ତକୁ ସେ ସମୟର ନୈତିକ ନିର୍ଦ୍ଧାରଣକାରୀ ଆଫିଗେଲ୍ ଭାନ ବ୍ୟୁରେନ୍ ଓରଫ 'ପ୍ରିୟ ଆବି' ପ୍ରୋଗ୍ରାମ୍‌ର ସଞ୍ଚାଳକ ସମର୍ଥନ କରିଥିଲେ ।

ତମେ କ'ଣ ଭାବୁଛ ଯେ, 'ପ୍ରିୟ ଆବି' ପ୍ରୋଗ୍ରାମର ସଞ୍ଚାଳକ ସେହି ମହିଳା ଜଣଙ୍କୁ ଯଥାଯଥ ଉପଦେଶ ଦେଇଥିଲା ? ଏହି ମାଆଟି କ'ଣ ଜଣେ ସହଭାଗୀ, ଯତ୍ନଶୀଳ ଆଉ ପ୍ରକୃତ ବାପର ଭୂମିକା ତୁଲାଇବା ପାଇଁ ଆଗ୍ରହାନ୍ୱିତ ପୁରୁଷକୁ ତେଜ୍ୟା କରିବା ଉଚିତ ? ପାରସ୍ପରିକ ଭାବପ୍ରବଣ ସମ୍ପର୍କ ବା ରୋମାଣ୍ଟିକ ପ୍ରେମ ଗୋଟିଏ ଦୀର୍ଘସ୍ଥାୟୀ ବିବାହର ଏକମାତ୍ର ଆଧାର ବୋଲି 'ପ୍ରିୟ ଆବି'ଙ୍କର ବିବେଚନାଟି କ'ଣ ସଠିକ୍ ?

ଏହି ଉଦ୍ଧୃତ ଚିଠିଟି ଆଜିକାଲିକାର ସମୟରେ ଜଣେ ସ୍ତ୍ରୀଲୋକର ବିବାହ ସମ୍ପର୍କିତ ଥିବା ସମସାମୟିକ ଧାରଣାକୁ ଆମ ଆଗରେ ପରିପୁଷ୍ଟ କରୁଛି । ଏଇ ବିଚାର ଅନୁସାରେ ଜଣେ ସିଙ୍ଗଲ୍ ମଦର ପାଇଁ ବିବାହ କରିବାର କୌଣସି ବାଧ୍ୟବାଧକତା ରହୁ ନାହିଁ, ଅନ୍ୟ ପକ୍ଷରେ ସେ ନିଜର ପ୍ରେମ ନାଆଁରେ ବିବାହ କରିବାକୁ ସ୍ୱତନ୍ତ୍ର ରହିଛି । ଏଇଠେ ପ୍ରେମ କହିଲେ ପ୍ରତ୍ୟେକ ସାବାଳକର ଯୌନତା ଓ ଆବେଗ ପ୍ରବଣତାର ଏକ ମିଶ୍ରିତ ଅଦ୍ଭୁତ ଅନୁଭବ, ଯାହାର କୌଣସି ସଠିକ ବ୍ୟାଖ୍ୟା ପ୍ରସ୍ତୁତ କରି କେହି ରଖି ପାରିବ ନାହିଁ । 

ଏକଦା ନାରୀକୁ କେତେ ଗୁଡ଼ିଏ କାରଣ ପାଇଁ ବିବାହ କରିବାକୁ ହେଉ ଥିଲା । ଅର୍ଥନୈତିକ ନିରାପତ୍ତା ପାଇଁ, ପାରିବାରିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ, ସନ୍ତାନ ଉତ୍ପାଦନ ପାଇଁ, ଏକେଲାପଣକୁ ପ୍ରତିହତ କରିବା ପାଇଁ, ଆଉ ଆଗରୁ ଯେତେ ସ୍ତ୍ରୀଲୋକ ଥିଲେ ବା ଅଛନ୍ତି, ସେମାନଙ୍କ ଧାଡ଼ିରେ ସାମିଲ୍ ହୋଇଯିବା ପାଇଁ, ଜଣେ ନାରୀକୁ ବିବାହ କରିବାକୁ ହେଉଥିଲା । ଏକଦା ନାରୀ ନିଜେ "ପତ୍ନୀ" ବୋଲି ଏକ ବ୍ୟାଜ୍ ବା ଫଳକକୁ ନିଜ ବେକରେ ଝୁଲାଇ ରଖିବା କାମକୁ ସମ୍ମାନଜନକ ବୋଲି ବିବେଚନା କରୁଥିଲା । ଜଣେ ପୁରୁଷର "ପତ୍ନୀ" ହେବା ଯଥା ଜଣେ ଡାକ୍ତରର 'ପତ୍ନୀ' ଅବା ଜଣେ ଇଞ୍ଜିନିଅର୍‌ର 'ପତ୍ନୀ' ଆଦି କୁ ଜଣେ ନାରୀ ଉଚ୍ଚ କଣ୍ଠରେ କହି ପାରିବାରେ ଆନନ୍ଦ ଲଭୁ ଥିଲା ଏଇଥି ପାଇଁ ଯେ, ସେ ନାରୀ ଜନ୍ମର 'ସ୍ୱାଭାବିକ ଭାଗ୍ୟ'ରେ ସୌଭାଗ୍ୟବତୀ ହୋଇ ପାରିଅଛି । 

ଅବିବାହିତା ସ୍ତ୍ରୀ ଲୋକଟିଏ ପ୍ରତି ସାଧାରଣତଃ ନିର୍ଦ୍ଦୟ ଥିବା ଏହି ପୃଥିବୀ, ଏଇ 'ପତ୍ନୀ ପଣ' ବା ବିବାହକୁ ନାରୀର 'ସ୍ୱାଭାବିକ ଭାଗ୍ୟ' ବୋଲି ଅଭିହିତ କରି ସଂରକ୍ଷଣ ଆଉ ବୈଧତାକୁ ମୋହର ମାରିଛି । ଜଣେ ନାରୀର ବିବାହଟି ସୁଖର ହେଉକି ଦୁଃଖର, ତାହା ବଡ଼ କଥା ନୁହଁ, ବଡ଼ କଥା ହେଉଛି ତାହାର ବିବାହ-ମୁଦ୍ରିକାଟି ସବୁବେଳେ ଶୁଦ୍ଧ ସୁବର୍ଣ୍ଣ ଭଳି ଝଟକି ତାହାର ନାରୀପଣର ସାର୍ଥକତାକୁ ପ୍ରତିପାଦନ କରୁଥିବା ବାଞ୍ଛନୀୟ ।

ଏବେ 'ପତ୍ନୀ' ବୋଲି ଶବ୍ଦଟି ଆଗ ଭଳି ସେମିତି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିବାକୁ ଅସମର୍ଥ । ଏହା ପୂର୍ବର ମଧ୍ୟବିତ୍ତ ଆଉ ଉଚ୍ଚବିତ୍ତ ଗୃହସ୍ଥାଙ୍ଗନରେ ଜଣେ ନିଜ ସ୍ୱାମୀ ଦ୍ୱାରା ସଂରକ୍ଷିତ ଚରିତ୍ରଟିଏ ବୋଲି ଆଜି ଆଉ ବୁଝାଉ ନାହିଁ । ଏହା ଆଉ ଶାରୀରିକ ଏବଂ ଗୃହସ୍ଥାଳୀ ସୁଖର ଏକମାତ୍ର କ୍ଷେତ୍ର ବିଶେଷ ବୋଲି ଆଉ ଗ୍ରହଣ କରାଯାଉ ନାହିଁ, କାରଣ ସମାଜରେ ଏବେ ଅଣସ୍ୱାମୀ ଓ ଅଣସ୍ତ୍ରୀ ମାନେ ମୁକ୍ତ ଭାବରେ ଏକତ୍ର ବସବାସ କରୁଥିବାର ଦେଖାଗଲାଣି, ଯାହାର ପ୍ରଚଳନ ଆଗରୁ ନ ଥିଲା । ଏହା ସହିତ ପତ୍ନୀତ୍ୱ ଯେ ମାତୃତ୍ୱର ଏକ ମାତ୍ର ପ୍ରବେଶପଥ, ସେହି କଥାକୁ ଅନେକେ ଅଗ୍ରାହ୍ୟ କରିବାକୁ ବସିଲେଣି । ଏବେ ଆମେରିକାରେ ଶତକଡା ଚାଳିଶ ସନ୍ତାନ ବିବାହ-ସମ୍ପର୍କର ବାହାରେ ଜନ୍ମ ନେଉଛନ୍ତି ।

ବ୍ୟବସାୟ ଓ ବୃତ୍ତିଜୀବୀ ମହିଳାମାନଙ୍କ କ୍ଷେତ୍ରରେ ଏବେ ପତ୍ନୀପଣ ଏକ ମିଶ୍ରିତ ଆଶୀର୍ବାଦ ହିସାବରେ ଉପସ୍ଥିତ । କିଛି ପତ୍ନୀ ସେମାନଙ୍କର ସ୍ୱାମୀର ସହଯୋଗ ବା କଣ୍ଟାକ୍ଟ ଗୁଡିକର ଯଥାଯଥ ବୃତ୍ତିଗତ ଉପଯୋଗ କରୁଛନ୍ତି, ଆଉ କିଛି ସେମାନଙ୍କର ବୈବାହିକ ସ୍ଥିତିକୁ ବିଶେଷ କରି ନିଜର ସହକର୍ମୀ ବା ବସ୍‌ଙ୍କ ଆଗରେ ପ୍ରକାଶ କରିବାକୁ ନ୍ୟୁନ ଓ ଅନୁଚିତ ମଣୁଛନ୍ତି, କାରଣ ସେମାନେ କାମ କରୁଥିବା ସଂସ୍ଥା ସେମାନଙ୍କଠାରୁ ଏକନିଷ୍ଠ ଓ ପ୍ରାଥମିକ ଆନୁଗତ୍ୟ ଦାବୀ କରିଥାଏ । ସେଇଥି ପାଇଁ ଅନେକେ କର୍ମଜୀବୀ ପତ୍ନୀ ସେମାନଙ୍କର କୁମାରୀ କାଳର ନାମକୁ ଅବିକୃତ ରଖିବାକୁ ପସନ୍ଦ କରିଥା'ନ୍ତି । ତାହା ଛଡ଼ା ଅର୍ଦ୍ଧାଧିକ ଆମେରିକୀୟ ପତ୍ନୀଙ୍କ ମନ ଆକାଶରେ ଛାଡ଼ପତ୍ରର କଳା ବାଦଲ ଘନୀଭୂତ ହେବାର ସମ୍ଭାବନା ରହିଥିବା କାରଣରୁ, ଆଜି ଗୋଟିଏ ନାଆଁକୁ ପରିବର୍ତ୍ତନ କରି ଆଗାମୀ କାଲି ସେଇ ପୁରୁଣା ନାଆଁକୁ ପୁଣି ଫେରିବାର କିଛି ମାନେ ନ ଥିବାରୁ, ସେମାନେ କୁମାରୀ କାଳର ନାଆଁରେ ରହିବାକୁ ଉଚିତ ବୋଧ କରିଥା'ନ୍ତି ।

ଯଦି ଶରୀର ପାଇଁ ସ୍ୱାମୀର ଦରକାର ନାହିଁ, ଚଳିବା ପାଇଁ ଆଉ କାହାର ବ୍ୟାଙ୍କ ବାଲାନ୍ସର ଦରକାର ନାହିଁ, ରହିବା ପାଇଁ ସହଭାଗୀ ଘରଟିଏର ଦରକାର ନାହିଁ, ଆଉ ଯଦି କହିବାକୁ ଗଲେ ସନ୍ତାନର ଦରକାର ନାହିଁ, ତେବେ ଏହି ସବୁ ଯଦି ଯଦିର ସୁଉତ୍ତର ପାଇଁ ବିବାହ କାହିଁକି ?

ମୁଁ ଏଠାରେ ପତ୍ନୀତ୍ୱର ଇତିହାସରେ ଅର୍ଥାତ୍ ସମୟ ଧାରାରେ ପତ୍ନୀତ୍ୱର ବିବର୍ତ୍ତନମୂଳକ କ୍ରମରେ ପତ୍ନୀପଣ କେଉଁଭଳି ସମସ୍ୟାର ଏହି ସଙ୍କଟଜନକ ମୋଡ଼ରେ ଆସି ପହଞ୍ଚି ଯାଇଛି, ସେଇ କଥାକୁ ବିବେଚନା କରୁଛି । ମୋର କହିବାର କଥା ହେଉଛି, ପତ୍ନୀତ୍ୱ ଗତ ପଚାଶ ବର୍ଷ ଭିତରେ ଯେଉଁ ଦୃଶ୍ୟମାନ ପରିବର୍ତ୍ତନ ଅର୍ଜନ କରିଛି, ତାହା ଦୀର୍ଘକାଳ ଧରି ସମାଜଚଳଣିର ଏକ ବିଶୋଧନଜନିତ ଫଳଶୃତି, ଯଦିଓ ଏହି ପରିବର୍ତ୍ତନ ରାଷ୍ଟ୍ର, ଧର୍ମ, ଗୋଷ୍ଠୀ, ଜାତିଗତ ଓ ସାମାଜିକ ବିଚାରରେ ସର୍ବତ୍ର ସମାନ ନ ଥିଲା, ତଥାପି କୌଣସି ସାଧାରଣ ପ୍ରସଙ୍ଗରେ ଏଇ ସବୁ କଥା ଏକାଠି ଦାନା ବାନ୍ଧିବାର ଲକ୍ଷଣ ଦେଖାଯାଉ ଥିଲା । ପ୍ରାଚୀନ ଇହୁଦୀ, ଗ୍ରୀକ୍ ଓ  ରୋମୀୟ ମାନଙ୍କ ଠାରୁ ଆରମ୍ଭ କରି ଆମର ସାମ୍ପ୍ରତିକ କାଳ ଯାଏଁ, ପତ୍ନୀତ୍ୱର ମୂଳ ସମସ୍ୟାର ଧାରାବାହିକ ପରିପ୍ରେକ୍ଷ୍ୟଟିକୁ ଦେଖିବାକୁ ହେବ । ଆମର ସମସ୍ୟାଗୁଡିକ ସାମ୍ପ୍ରତିକ ହେଲେ ବି, ଏହାର ମୂଳଟି ହଜାର ହଜାର ବର୍ଷ ତଳର ।

ପ୍ରାଚୀନ ଗ୍ରୀସ୍‌ରେ ବାପଟି ବରପାତ୍ରକୁ କନ୍ୟା ସମ୍ପ୍ରଦାନ କଲା ବେଳେ ଏହି ଭଳି କହୁଥିଲା: "ମୁଁ ଅମୁକ (କନ୍ୟାର ନାଆଁ)କୁ ବୈଧ ସନ୍ତାନ ଜନ୍ମ ନିମିତ୍ତ ବନ୍ଧକ ଦେଉଅଛି" । ସମଗ୍ର ପ୍ରାଚୀନ ବିଶ୍ୱରେ ଗୋଟିଏ ପତ୍ନୀର ପ୍ରାଥମିକ କର୍ତ୍ତବ୍ୟ ଥିଲା ବୈଧ ସନ୍ତାନକୁ ଜନ୍ମ ଦେବା ।ବାଇବେଲ୍ ଯୁଗରୁ ବନ୍ଧ୍ୟା ପତ୍ନୀର ଦୁଃଖ କହିଲେ ନ ସରେ, କେବଳ ଯେ ତାହାକୁ ଘୃଣାର ନିର୍ଯାତନା ଦିଆଯାଉ ଥିଲା ସେକଥା ନୁହଁ, ତାହାକୁ ଦ୍ୱିତୀୟ ବା ତୃତୀୟ ପତ୍ନୀରେ ବଦଳାଇ ଦେବାର ପତ୍ନୀତ୍ୱର ବ୍ୟବସ୍ଥାପନାକୁ ଗ୍ରହଣ କରିବାକୁ ହେଉ ଥିଲା ।

ଆଧୁନିକ ଯୁଗରେ ପତ୍ନୀମାନଙ୍କୁ ସନ୍ତାନ ଜନ୍ମ ଦେଇ ନ ପାରିବା କାରଣରୁ ପରିତ୍ୟାଗ କରା ଯାଉଛି, ବିଶେଷତଃ ଉଚ୍ଚବର୍ଗ ଆଉ ରାଜନ୍ୟ ବର୍ଗରେ ଉତ୍ତରାଧିକାର କାରଣରୁ ପୁତ୍ର ସନ୍ତାନର ଇଚ୍ଛା ପତ୍ନୀଟି ଉପରେ ମାତ୍ରାଧିକ ଚାପର କାରଣ ହେଉଛି । ଏବେ ପୃଥିବୀର ସବୁ ପ୍ରାନ୍ତରୁ ପତ୍ନୀର ସନ୍ତାନକୁ ଜନ୍ମ ଦେବାର ବାଧ୍ୟତାମୂଳକ ବ୍ୟବସ୍ଥାଟି ଅପସରି ଯାଇ ନାହିଁ । କିଛି ଇସଲାମୀୟ ଦେଶରେ, ଉଦାହାରଣ ସ୍ୱରୂପ, କନ୍ୟା ତରଫରୁ ସମ୍ପାଦିତ ବିବାହ-ଚୁକ୍ତିନାମାରେ ପ୍ରଥମା ପତ୍ନୀ ସନ୍ତାନ ଜନ୍ମରେ ଅସମର୍ଥ ହୋଇଥିଲେ ସ୍ୱାମୀକୁ ଦ୍ୱିତୀୟ ଦାର ପରିଗ୍ରହ କରି ପାରିବାର ଅନୁମତି ଦିଆ ଯାଇଛି ।

ବହୁତ ସଙ୍ଖ୍ୟାରେ ସ୍ତ୍ରୀ ଆଉ ପୁରୁଷ ଏବେ ବି ସନ୍ତାନ ଜନ୍ମକୁ ବିବାହର ମୂଖ୍ୟ ଉଦ୍ଦେଶ୍ୟ ବୋଲି ମନେ କରନ୍ତି । ୧୯୭୦ର ମଧ୍ୟ ଭାଗରେ ମୋ' ପୁଅର ଗୋଟିଏ ବିଚାରୋତ୍ତେଜକ ମନ୍ତବ୍ୟ ମନକୁ ଆସୁଛି । ଯେତେବେଳେ ତାହାର ବେବିସିଟର୍ ବିବାହ କରିବାକୁ ଯାଉଛି ବୋଲି ସେ ଶୁଣିଲା, ସେ ସେତେବେଳେ କହିଥିଲା, "ସେ କାହିଁକି ବାହା ହେବାକୁ ଯିବ ? ତାହାର ତ ପିଲାଏ ନାହାଁନ୍ତି" । ସତ, ସେତେ ବେଳର କାଲିଫୋର୍ନିଆର ଯୌନ ବିପ୍ଳବ କଥାଟି ମୋର ପାଞ୍ଚ ବର୍ଷୀୟ ପୁଅର ଦୃଷ୍ଟିକୁ ଏଡ଼ାଇ ଯାଇ ନ ପାରିଥାଏ । ଲୋକମାନେ ସେତେବେଳେ ଆମେରିକାର ଚାରି ଆଡ଼େ ମୁକ୍ତ ଭାବରେ ସହବାସ କରୁଥିଲେ, ଯାହା ଆଗାମୀ ଦଶନ୍ଧି ଯାଏଁ ଚାଲିଥିଲା । ମୋ ପୁଅର କଥାଟି ଖୁବ୍ ଗୁରୁତ୍ୱପୁର୍ଣ: ଆଜିକାଲି ବିପରୀତ ଲିଙ୍ଗୀମାନେ ମାସମାସ ଧରି ଏକତ୍ର ବସବାସ କରୁଥିଲେ ହେଁ, ଯେତେବେଳେ ସନ୍ତାନ ଜନ୍ମର ଆବଶ୍ୟକତା ପଡ଼ୁଥିଲା, ଅବା ସନ୍ତାନଟିଏ ଗର୍ଭାଶୟରେ ଆସ୍ଥାନ ମାଡ଼ି ବସିଲାଣି, ସେତେବେଳ ଯାଇ ସେମାନେ ବିବାହ କରିବାକୁ ମନସ୍ଥ କରୁଥିଲେ । ତେଣୁ ବିବାହ ପଛରେ ସନ୍ତାନ ଜନ୍ମ ହିଁ ବୈବାହିକ ନିଷ୍ପତ୍ତିର ମୂଖ୍ୟ କାରଣ କଥାଟି ଅପ୍ରାସାଙ୍ଗିକ ହୋଇ ଯାଇ ନାହିଁ । କିଛି ବିବାହ ହୁଏ ନାହିଁ ବା ଦୀର୍ଘସ୍ଥାୟୀ ନୁହଁ ଯେଉଁଠି ସ୍ତ୍ରୀଟି ସନ୍ତାନ ଚାହେଁ ଯାହା ପୁରୁଷ ଚାହିଁ ନ ଥାଏ, ଅଥବା ବିପରୀତ ଭାବେ ଯେଉଁଠି ସ୍ତ୍ରୀର ସନ୍ତାନରେ ଇଚ୍ଛା ନାହିଁ, ଆଉ ପୁରୁଷର ଦୃଢ ଇଚ୍ଛା ସନ୍ତାନ ପାଇଁ ରହିଥାଏ ।

କହିବାକୁ ଗଲେ 'ପତ୍ନୀ' ଆଉ 'ମାଆ' ଭିତରର ସୀମାରେଖାଟି ଖୁବ୍ ଅସ୍ପଷ୍ଟ । ଉଭୟଙ୍କର ଉତ୍ତରଦାୟିତ୍ୱ ଅନେକ ସମୟରେ ପରସ୍ପରକୁ ଅଧିକ୍ରମଣ କରିଥାନ୍ତି ତ କେତେବେଳ ପରସ୍ପର ସହ ସଙ୍ଘାତରେ ଦେଖା ଦେଇଥା'ନ୍ତି । ପ୍ରତ୍ୟେକ ନାରୀ ଯିଏ ଉଭୟ ପତ୍ନୀ ଆଉ ମାଆ ହୋଇଅଛି, ସେ ବେଶ୍ ଭଲ ଭାବରେ ଜାଣେ ଯେ ଯେଉଁ ସମୟ, ପରିଚର୍ଯ୍ୟା, ସାମର୍ଥ୍ୟ ଓ ବସ୍ତୁଗତ ସ୍ୱାଚ୍ଛନ୍ଦ୍ୟକୁ ସେ ତାହାର ସନ୍ତାନକୁ ଭାବବିଭୋର ହୋଇ ଅର୍ପଣ କରୁଥାଏ, ସେଇ କଥାକୁ ତାହାର ସ୍ୱାମୀ କ୍ରୋଧର ସହ ଆଦୌ ଗ୍ରହଣ କରେ ନାହିଁ । ଆଉ ସେଇ ସମାନ ନାରୀଟି ମଧ୍ୟ ଜାଣେ ଯେ, ତାହାର ସନ୍ତାନ ହିଁ ସେ ଓ ତାହାର ସ୍ୱାମୀ ମଧ୍ୟରେ ଅବସ୍ଥିତ ଏକ ଦୀର୍ଘସ୍ଥାୟୀ ସେତୁ, ଉଭୟଙ୍କର ଶାରୀରିକ କ୍ରିୟାରୁ ଉପଜ ସେମାନଙ୍କର ଭବିଷ୍ୟତର ମାର୍ଗଦର୍ଶକ । ଯଦିଓ ଗୋଟିଏ ଦମ୍ପତ୍ତି ସବୁବେଳେ ପରସ୍ପରକୁ ଭଲ ପାଆନ୍ତି ନାହିଁ, ତଥାପି ସେମାନେ ସାଧାରଣତଃ ପରସ୍ପରର ଭଲ ପାଇବାକୁ ସେମାନଙ୍କର ସନ୍ତାନ ସହ ସହଭାଗ କରିଥା'ନ୍ତି ।

ଅତୀତର ଅଧିକାଂଶ ବିବାହର ଘଟଣାବଳୀ କୌଣସି ପକେଟ ବହିର କାହାଣୀ ଭଳି, ସେତେ ହୃଦୟର କଥା ନୁହଁ । ପୁରୁଷଟିଏ ବିବାହ କରେ ନାରୀକୁ ଯିଏ ଯାନିଯୌତୁକ ସହ ଆସିଛି, ନାରୀଟିଏ ବିବାହ କରେ ପୁରୁଷକୁ ଯିଏ ତାହାକୁ ସୁରକ୍ଷା ଦେବ । ବାଇବେଲ ଯୁଗରୁ ୧୯୫୦ ଯାଏଁ ସ୍ୱାମୀର କାମ ଥିଲା ପତ୍ନୀକୁ ସୁରକ୍ଷା ଦେବା । ଅନ୍ୟ ପକ୍ଷରେ ପତ୍ନୀକୁ ଦେବାକୁ ହେଉଥିଲା ଶରୀର, ସନ୍ତାନ, ଗୃହସ୍ଥଳୀର ରକ୍ଷଣାବେକ୍ଷଣ । ଏଇ 'କ୍ୟୁଇଦ୍ ପ୍ରୋ କ୍ୟୁ' ବା ଆଦାନପ୍ରଦାନଟିର ଗୁପ୍ତ ବୁଝାମଣାଟି କେବଳ ଯେ ଏହି ଦୁଇ ଅଂଶୀଦାର ବୁଝି ନେଇଥିଲେ ସେକଥା ନୁହଁ, ସମସ୍ତ ଧର୍ମଗ୍ରନ୍ଥରେ ଆଉ ଦେୱାନୀ ଆଇନ୍‌ରେ ଏଇ କଥା ସବୁ ଲିପିବଦ୍ଧ ହୋଇ ରହିଛି ।

ଆଜିକାଲି ସମ୍ଭାବିତ ବର ଆଉ କନ୍ୟାଙ୍କ ପାରସ୍ପରିକ ଆର୍ଥିକ ସଙ୍ଗତି ଯଥା ବରର ବା କନ୍ୟାର ବ୍ୟକ୍ତିଗତ ଆୟ ଏବଂ ସେମାନଙ୍କର ପରିବାରର ସମ୍ପତ୍ତିର ଉତ୍ସ ଓ ପରିମାଣ ବିଷୟଟି ବିବାହ ପୂର୍ବରୁ ପ୍ରାରମ୍ଭିକ ଚର୍ଚ୍ଚାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ହେଁ, ସ୍ୱାମୀ କେବଳ ଯେ ସ୍ତ୍ରୀକୁ ଆର୍ଥିକ ସଂରକ୍ଷଣ ବିବାହ ପରେ ଦେଉ ଥିବ ବୋଲି ଆଗର ସେଇ କଥାଟି ତାହାର ଗୁରୁତ୍ୱ ହରାଇ ବସିଛି । ଅଧିକାଂଶ ଦମ୍ପତ୍ତି ବିବାହ ପରେ ଉଭୟେ ପାରିବାରିକ ଅର୍ଥନୀତିକୁ ଏକତ୍ର ସହଯୋଗ କରିବା ସହ ପରିପୂରକ ଭାବରେ କାମ କରିବାଇ ଇଚ୍ଛା ପୋଷଣ କରନ୍ତି । ଯେହେତୁ ଗୋଟିଏ ଦରମାରେ ଗୋଟିଏ ପରିବାର ଚଳିବା କ୍ରମଶଃ କଷ୍ଟକର ହୋଇ ଉଠୁଛି, ତେଣୁ ଦୁଇଟି ଦରମା ବାଲା ପରିବାରର ଏକ ପ୍ରଚଳିତ ବ୍ୟବହାର ହୋଇ ଗଲାଣି । ପ୍ରତି ପାଞ୍ଚ ଜଣରେ ତିନି ଜଣ ଆମେରିକୀୟ ପତ୍ନୀ ପୂର୍ଣ୍ଣକାଳୀନ ରୂପରେ ବା ଆଂଶିକ ଭାବରେ ଉପାର୍ଜନକ୍ଷମ । ଆଜିକାଲିର ପତ୍ନୀଟିଏ ନିଜର ଆର୍ଥିକ ସଙ୍ଗତି ପାଇଁ କେବଳ ବିବାହ ଉପରେ ନିର୍ଭର କରି ରହିପାରୁ ନାହିଁ, ଅନ୍ୟ ପକ୍ଷରେ ବିବାହବିଚ୍ଛେଦ ହେଲେ ପ୍ରାପ୍ୟ ଭରଣପୋଷଣ ଉପରେ ପୂରା ଭବିଷ୍ୟତ ଜୀବନଟି ସୁରୁଖୁରୁରେ କାଟି ନେବା ପାଇଁ ଆସ୍ଥା ରଖିପାରୁ ନାହାନ୍ତି । ଏବେ ପତ୍ନୀର ଆୟ ପତିଠାରୁ ଅଧିକ ହେଉ ଥିବାର ଘଟଣା ଢେର, ଆଉ ପତି ବି ଆଇନତଃ ବିବାହବିଚ୍ଛେଦ କ୍ଷେତ୍ରରେ ଭରଣପୋଷଣର ଦାବୀଦାର ହେଲାଣି ।

ଚିତ୍ର - ହାଉସ୍‌ୱର୍କ (୧୯୨୨ ମସିହାରେ ଅଙ୍କିତ: ୱିକିମିଡିଆ କମନ୍ସ୍)
ଚିତ୍ରକର - ଜୋନାସ୍ ହେଇସ୍କା (୧୮୭୩ - ୧୯୩୭)

ଏଇ ପରିବର୍ତ୍ତନ ସତ୍ତ୍ୱେ ଗୋଟିଏ ପତ୍ନୀକୁ ଆଗରୁ ଯାହା କାମ କରିବାକୁ ହେଉଥିଲା, ଏବେ ଠିକ୍ ସେହିଭଳି କାମ କରିବାକୁ ପଡ଼ୁଛି, ଯଥା ହାଉସକିପିଂ ବା ଘରକରଣା ଓ ସନ୍ତାନର ଲାଳନପାଳନ । ଜଣେ ଯୁକ୍ତି କରି ପାରେ ଯେ, ସ୍ୱାମୀଟିଏ ପାରିବାରିକ ଦାୟିତ୍ୱ ନିର୍ବାହ କରିବା ପାଇଁ ଅଧିକ କାମ ଏବେ କରୁଛି, କିନ୍ତୁ ସେମିତି ଦେଖିଲେ ଘରକରଣା ଓ ସନ୍ତାନର ଲାଳନପାଳନରେ ସେ ନିଜ ପତ୍ନୀର ସମକକ୍ଷ କାମ କରୁ ନାହିଁ, ଯେତେବେଳେକି ପତ୍ନୀଟି ନିଜ କର୍ମକ୍ଷେତ୍ର ରେ ଆୟ ଦୃଷ୍ଟିରୁ ଲୈଙ୍ଗିକ ଅସମାନତାକୁ ଯଥେଷ୍ଟ କମାଇ ଦେଇ ପାରିଛି । ପତ୍ନୀଟି ପରିବାରରେ ପ୍ରତିପାଳକର ଭୂମିକାକୁ ଯଥାଯଥ ସହଭାଗ କରୁଥିଲା ବେଳେ, ଯାହା ଆଗରୁ ପୁରୁଷର ଏକଚାଟିଆ ଅଧିକାରରେ ଥିଲା, ସ୍ୱାମୀଟି ନିଜର ମର୍ଦ୍ଦପଣକୁ ପୁନର୍ବ୍ୟାଖ୍ୟାୟିତ କରିବାର ଚେଷ୍ଟାରେ ରହୁଅଛି, ଯାହା ଗୋଟିଏ ପରିବାରରେ ଲିଙ୍ଗଭିତ୍ତିକ ଅଶାନ୍ତିକୁ ଚରମ ସ୍ତରକୁ ନେଉଛି । କହିବାକୁ ଗଲେ ପରିବାରରେ ପୁରୁଣା ଆଦାନପ୍ରଦାନର ପ୍ରଚଳନଟି ଭାଙ୍ଗି ଯାଇଛି ଏବଂ ପତି ଆଉ ପତ୍ନୀ ମଧ୍ୟରେ ଘର ଓ ବାହାର ଉଭୟ କ୍ଷେତ୍ରରେ ସମାନ ପରିମାଣରେ ସହଭାଗ କରିବାର ନୂତନ ବୈବାହିକ-ଅବଧାରଣା ସମ୍ପୂର୍ଣ୍ଣ ଭାବରେ ଗ୍ରହଣଯୋଗ୍ୟ ହୋଇ ନାହିଁ ।

ଲେଖାର ପ୍ରଥମରେ ଯେଉଁ ଚିଠିଟିର ଉଲ୍ଲେଖ କରାଯାଇଥିଲା, ତାହାକୁ ବିଚାରକୁ ନେଲେ ଦେଖିବା ଯେ, ପାଶ୍ଚାତ୍ୟ ଜଗତରେ ପ୍ରେମ ଓ ବିବାହ ସମାର୍ଥକ । ଆମର ବିଦ୍ୱାନମାନେ ଇତିହାସର କେଉଁ ବିଶିଷ୍ଟ କ୍ଷଣରେ ଅନ୍ୟ ସମସ୍ତ ବିଚାର ଉପରେ ପ୍ରେମ ହିଁ ଆଧିପତ୍ୟ ବିସ୍ତାର କରିଥିଲା, ସେହି ବିଷୟରେ ବିଶେଷ ରୁଚି ରଖିଥା'ନ୍ତି । କେହି କେହି ଏହି ରୋମାଣ୍ଟିକ ପ୍ରେମ ଆଦ୍ୟ ମଧ୍ୟଯୁଗର ସାହସିକ ଗାଥାବଳୀ ଓ ରାଜାଙ୍କ ଦରବାରର ଜୀବନରୁ ଫ୍ରାନ୍ସରେ ଉଦ୍ଭବ ହୋଇଥିଲା ବୋଲି ମତ ଦିଅନ୍ତି । ଏକଥା ସତ ଯେ, ମଧ୍ୟଯୁଗୀୟ ପ୍ରେମ-ଧାରଣାରେ ନାରୀକୁ ଯଥେଷ୍ଟ ସମ୍ମାନ ଦିଆ ଯାଉ ଥିଲା ଆଉ ସେଇ ସମ୍ମାନୀତ ନାରୀଟି ସବୁ ବେଳେ ଅନ୍ୟ କାହାର ପତ୍ନୀ ରୂପରେ ଅବସ୍ଥିତ ହୋଇ ରହୁଥିଲା । ରାଜଦରବାରର ପ୍ରେମରେ ତିନୋଟି ମୂଖ୍ୟ ଚରିତ୍ର ବିଦ୍ୟମାନ ରହୁଥିଲା: ସ୍ୱାମୀ,ପତ୍ନୀ ଓ ପତ୍ନୀର ପ୍ରେମିକ । ନିର୍ଦ୍ଧାରିତ ବୈବାହିକ ଜୀବନର ଶୃଙ୍ଖଳା ଭିତରେ ଏକ ବିବାହବର୍ଜିତ ସ୍ତ୍ରୀ ଆଉ ପୁରୁଷଙ୍କ ଯୋଡିର ଏକତ୍ର ଉଲ୍ଲାସ ଗ୍ରହଣଯୋଗ୍ୟ ନ ଥିଲା ।

ପ୍ରାୟ ଖ୍ରୀଅ ଷୋଡ଼ଶ ଶତାବ୍ଦୀରେ ବିଶେଷତଃ ଇଂଲଣ୍ଡରେ ବୈବାହିକ ପ୍ରସ୍ତାବନା ସମୟରେ ପ୍ରେମକୁ ପ୍ରାଥମିକତା ଦିଆ ଯାଉ ଥିଲା ବୋଲି ମୋର ବିଚାର । ତାହା ପରେ ଏହା ଧାର୍ମିକ କଠୋରବାଦୀ ବା ପ୍ୟୁରିଟାନ୍‌ଙ୍କ ମାଧ୍ୟମରେ ସପ୍ତଦଶ ଶତାବ୍ଦୀରେ ପହଞ୍ଚି ଥିଲା ଆମେରିକାରେ । ଆଉ ସେଇଠୁ ଏହି ଅବଧାରଣାଟି ଅଷ୍ଟାଦଶ ଶତାବ୍ଦୀର ଶେଷ ଯାଏଁ ସମାଜର ମଧ୍ୟମବର୍ଗର ଚିନ୍ତାଚେତନାରେ ଆସ୍ଥାନ ମାଡ଼ି ବସି ରହିଲା । ସମାଜର ସମ୍ଭ୍ରାନ୍ତ ଓ ଉଚ୍ଚ ବର୍ଗର ପରିବାରରେ ସମ୍ପତ୍ତି, ବଂଶପରମ୍ପରା ଓ ଆଭିଜାତ୍ୟ ଆଦି ପତି ବା ପତ୍ନୀ ନିର୍ବାଚନ ସମୟରେ ପ୍ରମୂଖ ସ୍ଥାନ ନେଉଥିଲା ଆଉ ଏହି ପ୍ରକ୍ରିୟା ବିଂଶ ଶତାବ୍ଦୀ ଶେଷ ଯାଏଁ ଚାଲିଥିଲା । ଅନ୍ୟାନ୍ୟ ସମ୍ପର୍କରେ ଯେ ପ୍ରେମ ଅନୁପସ୍ଥିତ ଥିଲା, ଏକଥା କହିବା ଠିକ୍ ହେବ ନାହିଁ । ପ୍ରାଚୀନ ଇହୁଦୀ, ଗ୍ରୀକ୍ ଓ ରୋମୀୟ ମାନଙ୍କ ମଧ୍ୟରେ ଆବେଗପ୍ରବଣ ପ୍ରେମ ସମ୍ପର୍କରେ କିଛି କିଛି ସୂଚନା ଉପଲବ୍ଧ । କିନ୍ତୁ ଯେବେଠାରୁ ଅର୍ଥାତ୍ ପ୍ରାକ୍ ଆଧୁନିକ କାଳରୁ ସ୍ଥିରୀକୃତ ବିବାହ ପ୍ରେମ ବିବାହ ତୁଳନାରେ ପ୍ରାଧାନ୍ୟ ଲାଭ କଲା, ସେବେଠାରୁ ବର ଓ କନ୍ୟା ଉଭୟେ ଆମେ ଯେମିତି ପରସ୍ପରକୁ ଭଲ ପାଇବା କହିଲେ ଯାହା ବୁଝିଥାଉ, ସେମିତି ଆଶାଟିଏ ନେଇ ଉଭୟେ ବିବାହଜୀବନକୁ ପ୍ରବେଶ କରୁ ନ ଥିଲେ ।

ଅଧିକାଂଶ ପତ୍ନୀ ନିଜ ବିବାହରେ ସୁସଙ୍ଗତ ମିଳନର ଐକ୍ୟବଦ୍ଧତାରେ ବିଶ୍ୱାସ ରଖି ଥାଆନ୍ତି । ଯେଉଁ ପତ୍ନୀଟି ବିବାହର ନିଜ ଅଂଶର ସର୍ତ୍ତ ଯଥା ଶରୀରଦାନ, ସନ୍ତାନ ଜନ୍ମ, ସନ୍ତାନ ପରିପାଳନ, ରୋଷେଇ ଓ ଘରକରଣା ଆଦିକୁ ପାଳନ କରୁଥାଏ, ଘରର ପନିପରିବା, ବଗିଚା କାମ ଆଉ ଗାଆଁରେ ଗାଈ ଗୁହାଳ କଥା କୁ ନ ବୁଝିଲେ ବି, ନିଜକୁ ଭାଗ୍ୟବତୀ ବୋଲି ଧରି ନେଇଥାଏ, ଯଦି ସେ ତାହାର ସ୍ୱାମୀ ଠାରୁ କୌଣସି ପ୍ରକାରର ଶାରୀରିକ ନିର୍ଯ୍ୟାତନା ନ ପାଇ ଏକ ସମ୍ମାନଜନକ ବ୍ୟବହାର ଲାଭ କରୁଥାଏ । କହିବାର କଥା, 'ରୁଲ୍ ଅଫ୍ ଥମ୍ବ୍' ବୋଲି ସାଧାରଣ ନିୟମଟିଏ ଇଂଲଣ୍ଡର ଅଧିକାଂଶ ଅଞ୍ଚଳରେ ଓ ଆମେରିକାରେ ଊନବିଂଶ ଶତାବ୍ଦୀ ଯାଏଁ ପ୍ରଚଳିତ ଥିଲା, ଏହି 'ରୁଲ୍ ଅଫ୍ ଥମ୍ବ' ଅନୁସାରେ ପ୍ରତ୍ୟେକ ପୁରୁଷ ତାହାର ନିଜ ବୁଢ଼ା ଆଙ୍ଗୁଠି (ଥମ୍ବ୍) ପ୍ରମାଣେ ଛାଟରେ ନିଜ ସ୍ତ୍ରୀକୁ ପିଟି ପାରିବାର ବିଧାନ ରହିଥିଲା ।

ପରିତାପର କଥା, ପତ୍ନୀଟିଏ ସେଇଠେ କେବଳ ସେବା କରିବା ପାଇଁ ଆଉ ଅନୁଗତ ହୋଇ ରହିବା ପାଇଁ ରହିଛି, ଆଉ ସେଇଠି ପତି ତାହାକୁ ପିଟିବା ଆଉ ଗାଳିଗୁଲଜ କରିବା କାମଟି ନିଃସଙ୍କୋଚରେ କରି ଚାଲିଛି, ଯାହା ଏ ଯାଏଁ ଦୂର ହୋଇ ନାହିଁ । ଏହି ପୁରୁଣା ବିଶ୍ୱାସର ଅଂଶବିଶେଷ ଆମର ପରମ୍ପରାଗତ ସମାଜ ସହିତ ଆମର ଆଧୁନିକ ସମାଜରେ ବି ଦେଖା ଦେଉଛି । ଆଜିକାଲି ଆମେରିକାରେ ଯଦି ସେମାନଙ୍କୁ ନିଜର ବିବାହଯାତନାରୁ ମୁକ୍ତି ମିଳିବା ସମ୍ଭବ ହୋଇ ପାରୁଛି, ତେବେ ଅନେକ ପତ୍ନୀ ନାରୀ-ସୁଧାର-ଗୃହରେ ରହିବାକୁ ବାଧ୍ୟ ହେଉଛନ୍ତି । ଆଜିକାଲି ଅନେକ ମୂଖ୍ୟଧାରାର ଆମେରିକୀୟ ଓ ଇଉରୋପୀୟ ମାନେ କଠୋର ଖ୍ରୀଷ୍ଟାନ୍, ମୁସଲମାନ୍ ଓ ଇହୁଦୀଙ୍କ ଧାରଣାକୁ ସମର୍ଥନ କରି ପତ୍ନୀମାନେ ପତିମାନଙ୍କର ଅଧୀନସ୍ଥ ବୋଲି ଦୃଢ଼ ବିଶ୍ୱାସ ରଖନ୍ତି । ସେମାନଙ୍କ ଭିତରୁ କିଛି ନିଜ ପତ୍ନୀକୁ ପିଟିବା କାମକୁ ଯଥାଯଥ ବୋଲି ମନେ କରିଥା'ନ୍ତି । 

ପୁରୁଣା ବିଶ୍ୱାସ ସହଜରେ ମରେ ନାହିଁ । ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ଭିତରୁ ଅନେକେ ଗୋପନରେ ବିଶ୍ୱାସ କରନ୍ତି ଯେ, ସ୍ୱାମୀର ତୁଳନାରେ ସ୍ତ୍ରୀ ହେଉଛି ଏକ ନିମ୍ନବର୍ଗୀୟ ବୃତ୍ତାନ୍ତ । କେତେକଙ୍କ ପାଇଁ ସ୍ତ୍ରୀ ହେଉଛି 'ବିଚାରୀ ଦୁଃଖିନୀ ଗୋବରଗୋଟେଇ', ଇଭ୍‌ର କନ୍ୟା ଯିଏ 'ବିବିଲିକାଲ୍, ମଧ୍ୟଯୁଗୀୟ, ରିଫର୍ମେସନ୍ ଧର୍ମଗ୍ରନ୍ଥ' ଅନୁସାରେ ନିଜର ପତିକର୍ତ୍ତୃକ ଶାସିତ ହେବା ବିଧେୟ । ପାଶ୍ଚାତ୍ୟ ଇତିହାସରେ ପତ୍ନୀଟି ନୈତିକ ଓ ଅର୍ଥନୈତିକ କାରଣରୁ ପତି ଉପରେ ନିର୍ଭରଶୀଳ ରହିବା ହେଉଛି ମୂଖ୍ୟ ପ୍ରବନ୍ଧ ଓ ଏହା ବିଶ୍ୱର ଅଧିକାଂଶ ଅଞ୍ଚଳରେ ପ୍ରଚଳିତ ।

ଏହା ସହିତ ପତ୍ନୀଟିଏ ଯେ ତାହାର ସ୍ୱାମୀର ସମାସ୍କନ୍ଧ, ଏଇ ବିଚାରଟି କ୍ରମଶଃ ଗୁରୁତ୍ୱ ପାଇବାରେ ଲାଗିଛି । ଅଷ୍ଟାଦଶ ଶତକର ଆରମ୍ଭରୁ ବିବାହକୁ ସହଚରକେନ୍ଦ୍ରିତ ବୋଲି ବିଚାର ମଧ୍ୟମବର୍ଗ ଓ ଉଚ୍ଚବର୍ଗ ମଧ୍ୟରେ ଦେଖା ଯାଇ ଥିଲା ଆଉ ଏଇ ବିଚାର ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ସମତାବାଦକୁ ରେଖାଙ୍କିତ କରିଥିଲା । ଊନବିଂଶ ଶତାବ୍ଦୀ ପରେ ଆମେରିକୀୟ ମହିଳା ମାନେ ସାଧାରଣ ବିଦ୍ୟାଳୟ, ନାରୀ ସମସ୍ୟାଭିତ୍ତିକ ସଙ୍ଗୋଷ୍ଟି, ମହାବିଦ୍ୟାଳୟ ଆଦିକୁ ପ୍ରବେଶାଧିକାର ପାଇଁ ସଙ୍ଗ୍ରାମ କରି ସଫଳ ହେଲେ ଏବଂ ଏହା ଫଳରେ ପୂର୍ବରୁ ପୁରୁଷର ଆଧିପତ୍ୟରେ ରହି ଆସି ଥିବା ଯେତେକ ବୌଦ୍ଧିକ, ଅର୍ଥନୈତିକ, ସାମାଜିକ, ଏବଂ ରାଜନୈତିକ ପରିସରରେ ସେମାନେ ଅଧିକରୁ ଅଧିକ ଗ୍ରହଣୀୟ ହେବାରେ ଲାଗିଲେ । ବର୍ତ୍ତମାନ ସ୍ୱାମୀର ପରିସର ଆଉ ପତ୍ନୀର ପରିସର ଭିତରେ ଫରକ୍ ଯଥେଷ୍ଟ କମି ଆସିଛି । ଆଜି ପତ୍ନୀଟିଏ ନିଜର ଦରମାଚେକ୍ ସହ ଘରକୁ ଫେରିଲା ବେଳକୁ ଦେଖା ଯାଉଛି, ପତିଦେବଙ୍କ ପିଲାର 'ଡାଇପର୍' ବଦଳାଉ ଥିବାର ଦୃଶ୍ୟ ।

ଆଇନ ଓ ଶିକ୍ଷା ଏହି ପ୍ରକାର ପରିବର୍ତ୍ତନରେ ମୂଖ୍ୟ ଭୂମିକା ନିର୍ବାହ କରିଛି ।  ଆଜିକାଲି ନିଜର 'ଥମ୍ବ୍'ଠୁ ଯେତେ ପତଳା ହେଲେ ବି, କେଉଁ ଛାଟରେ ପତ୍ନୀକୁ ପିଟିବା ଆଇନବିରୁଦ୍ଧ । ପତ୍ନୀଟିଏ ନିଜ ନାଆଁରେ ବିବାହ ସମ୍ପର୍କରେ ଥିଲା ବେଳେ ସ୍ୱତନ୍ତ୍ର ଏକାଉଣ୍ଟଟିଏ ଖୋଲିବାକୁ ଏବେ କେହି ଅସ୍ୱାଭାବିକ ବୋଲି ଭାବୁ ନାହାଁନ୍ତି । ସବୁ ଠାରେ ସମାନ ଶିକ୍ଷାଲାଭର ଅଧିକାର ରହି ଥିବାରୁ ସ୍ତ୍ରୀ ଜଣକ ଏବେ ତାହାର ସ୍ୱାମୀ ଭଳି ସମାନ ଚାକିରୀ କରୁଥିବା ବା କରି ପାରିବାର ସାମର୍ଥ୍ୟ ସହ ବିବାହ ଅନୁଷ୍ଠାନକୁ ପ୍ରବେଶ କରି ପାରୁଛି । ବର୍ତ୍ତମାନ ପୁରୁଷ ନିଜ ପାଇଁ ଯେଉଁ ପତ୍ନୀର ପ୍ରୟୋଜନ ରଖୁଛି, ତାହା ଆଉ ଶରୀର, ସନ୍ତାନ ଜନ୍ମ, ଘରକରଣା କାମରେ ସୀମିତ ହୋଇ ରହି ନାହିଁ, ବରଂ ସମ୍ଭାବିତ ପତ୍ନୀର ଆୟ ଓ କମ୍ୟୁନିଟି ଜୀବନରେ ଯୋଗଦାନ କରିବାର ଯୋଗ୍ୟତା ଉପରେ ନିର୍ଭର କରୁଛି । ବର୍ତ୍ତମାନର ପତ୍ନୀ ବାଇବେଲ୍‌ର ସେହି ପ୍ରବାଦଟିକୁ ଅର୍ଥପୂର୍ଣ୍ଣ କରୁଛି, 'ହୁସୋଏଭର୍ ଫାଇଣ୍ଡେଥ୍ ଏ ୱାଇଫ୍ ଫାଇଣ୍ଡେଥ୍ ଏ ଗୁଡ୍ ଥିଙ୍ଗ୍'।

ପତ୍ନୀ 'ଏ ଗୁଡ୍ ଥିଙ୍ଗ୍' ହେବା ଆଉ ପତ୍ନୀ 'ହୋଇ ରହିବା' କଥାରେ କିଛି ପରିସ୍ଥିତିଗତ ସର୍ତ୍ତ ରହିଛି । ଏହି ପରିସ୍ଥିତିଗତ ସର୍ତ୍ତ ହେଉଛି, ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ପାରସ୍ପରିକ ସମ୍ମାନ ଓ ଆକର୍ଷଣ ରହିବା ଆବଶ୍ୟକ । ଏହା ସହିତ ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଉଭୟେ ପରସ୍ପରର ସ୍ୱାଚ୍ଛନ୍ଦ୍ୟ, ଶିକ୍ଷାଗତ ଓ ଚିକିତ୍ସାଗତ ଆବଶ୍ୟକତାକୁ ସମ୍ପୂର୍ଣ୍ଣରୂପରେ ଦୃଷ୍ଟି ଦେବାକୁ ପଡ଼ିବ । ତଥାପି ନିଜ ଜୀବନରେ ପତ୍ନୀଟିଏ ହୋଇ ରହିବା ଅତ୍ୟନ୍ତ ଜଟିଳ । ନିଜ ଜୀବନର ଶେଷ ଯାଏଁ ଏଇ ସମ୍ପର୍କକୁ ସମସ୍ତ ଜଟିଳତାର ସହ ଧରି ରଖିବାକୁ ହେବ । ଆମକୁ ଆମର ଆଉ ଆମ ସଙ୍ଗୀଟିର ଯେତେ ବିସଙ୍ଗତି ରହିଛି, ସେ ସବୁ ପାଇଁ ଏକ ଆପୋଷ ସମାଧାନମୂଳକ ପ୍ରବଣତା ଜାଗ୍ରତ କରିବାକୁ ହେବ ଆଉ ତାହା ସହିତ ନିଜ ଭିତରେ ବିକଶିତ କରିବାକୁ ହେବ ଏକ ରସ ବୋଧ ବା ସେନ୍ସ ଅଫ୍ ହ୍ୟୁମର୍ । ତାହା ଫଳରେ ଆମ ଜୀବନ ଆମକୁ ହଠାତ୍ ଯେଉଁ ଯନ୍ତ୍ରଣାଗୁଡ଼ିକ ଆମ ସାମ୍ନାରେ ଛିଡ଼ା କରାଉ ଥିବ, ଆମେ ସେଥିରୁ ସହଜରେ ମୁକ୍ତି ପାଇ ପାରିବା । ଆମେ ଆମର ବିଚାର, ସ୍ୱପ୍ନ, ଆନନ୍ଦ, ଭୟ, ଦୁଃଖ, ଅନୁଭୂତି, ଅଭିଜ୍ଞତା ଓ ଆମର ଗୋପନୀୟ ଇଲାକା ଆଦି ବିଷୟକୁ ଆମ ସଙ୍ଗୀ ସହ ସହଜରେ ସହଭାଗ କରି ପାରିବା । ଏହାର ବିରୂପ ପରିସ୍ଥିତିଟି ହେଉଛି ଆମେ ଆମର ସମ୍ପର୍କରେ ନ୍ୟୁନ ହୋଇ ଯାଉ, ଆଉ ବିବାହବିଚ୍ଛେଦକୁ ବିକଳ୍ପ ବୋଲି ଭାବୁ, ଯାହା ଫଳରେ ଆଉ ଥରେ ବିବାହ ସମ୍ପର୍କକୁ ପ୍ରବେଶ କରି ପାରିବାର ସ୍ୱାଧୀନତା ଆମକୁ ମିଳି ପାରିବ ।

ବର୍ତ୍ତମାନ ପତ୍ନୀଟିଏ ହେବା ଆଉ ସମ୍ମାନଜନକ ପଦକଟିଏ ହୋଇ ରହି ନାହିଁ, ଅନ୍ୟ ପକ୍ଷରେ ଏହା ଆଉ ଆଗ ଭଳି ଯାତନାର ପଦକଟିଏ ହୋଇ ଗୃହାଙ୍ଗନରେ ଝୁଲୁ ନାହିଁ ।ଏବେ କର୍ମଜୀବୀ ମହିଳାଟିଏ ନିଜକୁ 'ଅମୁକର ପତ୍ନୀ' ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରୁଛି । ଆଉ ପୂରା ଘରକରଣାରେ ନିମଜ୍ଜିତ ପତ୍ନୀଟିଏ ନିଜକୁ କେବଳ 'ଜଣେ ହାଉସୱାଇଫ୍' ବୋଲି ପରିଚୟ ଦେବାରେ ଅସମ୍ମାନବୋଧ ରହିଛି ବୋଲି ଭାବି ଏଇ କଥାକୁ ଯଥାସମ୍ଭବ ପରିହାର କରିବାର ଚେଷ୍ଟାରେ ଅଛି । ସେମାନେ ଏବେ ପତି-ପତ୍ନୀ ବଦଳରେ ଲିଙ୍ଗନିରପେକ୍ଷ ଶବ୍ଦ ଯଥା 'ସ୍ପାଉଜ୍" ବା 'ପାର୍ଟନର୍ର' ପ୍ରୟୋଗ କରୁଛନ୍ତି । ପତି-ପତ୍ନୀ କହିଲା ବେଳେ କିଛି ସମର୍ପଣ ବା ତ୍ୟାଗର କଥା ରହିଛି, କିନ୍ତୁ 'ସ୍ପାଉଜ୍'ରେ  ସେମିତି କିଛି ଲିଙ୍ଗଗତ ସମର୍ପଣର କଥା ନାହିଁ, ବରଂ ଢେର୍ ସ୍ୱାଧୀନତା ରହିଛି ।

ଆଗ ଭଳି ପତ୍ନୀର ନିଜ ସ୍ୱାମୀ ଉପରେ ନିର୍ଭରଶୀଳତା ବଦଳରେ ଏବେକାର 'ସ୍ପାଉଜ୍'ମାନଙ୍କର ପାରସ୍ପରିକ ନିର୍ଭରତା ହିଁ ବର୍ତ୍ତମାନର ବୈବାହିକ ଲିଙ୍ଗଗତ ସମ୍ପର୍କର ମୂଖ୍ୟ ଢାଞ୍ଚା ବା ପାରାଡାଇମ୍ ।

ପତ୍ନୀତ୍ୱର ଇତିହାସରେ ପାରସ୍ପରିକ ନିର୍ଭରତାର ପରିପ୍ରେକ୍ଷୀରେ ଏକବିଂଶ ଶତାବ୍ଦୀର ଦୃଶ୍ୟପଟଟି ଟିକିଏ ଭିନ୍ନ । ଆମେରିକୀୟ ରାଜ୍ୟମାନେ ସମଲିଙ୍ଗୀ-ସମ୍ପର୍କକୁ ଆଇନଗତ ଭାବରେ ବୈଧ କରିବାକୁ ବସିଛନ୍ତି, ଯାହା ଫଳରେ ସମଲିଙ୍ଗୀ-ଦମ୍ପତ୍ତିଙ୍କୁ ସମ୍ପତ୍ତିର ଉତ୍ତରାଧୀକାର ସହିତ ନିଜ ସଙ୍ଗୀ ପାଇଁ ଚିକିତ୍ସାଗତ ନିଷ୍ପତ୍ତି ନେବାରେ ସହାୟକ ହୋଇ ପାରିବ । କାନାଡ଼ାରେ ଉଭୟଲିଙ୍ଗୀ ଓ ସମଲିଙ୍ଗୀ ବିବାହ ଭିତରେ ଥିବା ସମସ୍ତ ଆଇନଗତ ପ୍ରତିବନ୍ଧକ ଓ ପାର୍ଥକ୍ୟକୁ ଦୂର କରା ଯାଇଛି । ଅନେକ ଇଉରୋପୀୟ ଦେଶ ଯଥା, ଡେନମାର୍କ, ସ୍ୱିଡେନ୍, ସ୍ୱିଜରଲାଣ୍ଡ, ବେଲଜିଅମ୍ ଓ ଫ୍ରାନ୍ସ ଆଦି 'ସିଭିଲ୍ ୟୁନିଅନ୍'ରେ ଆସ୍ଥା ପ୍ରକଟ କରିଛନ୍ତି । 'ସିଭିଲ୍ ୟୁନିଅନ୍' ହେଉଛି ବୈବାହିକ ସମ୍ପର୍କରେ ଲୈଙ୍ଗିକ ବିଭେଦର ବିଚାର ନ ରଖିବା । ହଲାଣ୍ଡରେ ସମଲିଙ୍ଗୀ-ସମ୍ପର୍କକୁ ବିବାହର ପୂର୍ଣ୍ଣ ମାନ୍ୟତା ପ୍ରଦାନ କରିବା ସହିତ ପୋଷ୍ୟ-ସନ୍ତାନ ଗ୍ରହଣ, ସାମାଜିକ ସୁରକ୍ଷା ଓ କରରିହାତିର ଅଧିକାର ଦିଆ ଯାଇଛି । ତେଣୁ ଏବେ ପ୍ରଶ୍ନଟି ଉଠୁଛି, ଗୋଟିଏ 'ଲେସବିଆନ୍' ବା ଗୋଟିଏ 'ଗେ' ବିବାହରେ 'ପତ୍ନୀ' କିଏ ? କେବଳ କ'ଣ 'ପତ୍ନୀ' ଶବ୍ଦଟିର ଅର୍ଥ ସେଇଠି ରହୁଛି, ଯେଉଁଠାରେ ସଙ୍ଗୀମାନଙ୍କ ଭିତରେ ଯୌନ ବିଭେଦ ନାହିଁ ? ବା 'ପତ୍ନୀ' କ'ଣ ପରମ୍ପରାଗତ ନାରୀତ୍ୱର ଆଧାରରେ କୋମଳତା, ପାଳନକର୍ତ୍ତ୍ରୀ, ପ୍ରକୃତି ଓ ଆବେଗର ଏକ ସାମାଜିକ ଏବଂ ମନସ୍ତାତ୍ତ୍ୱିକ ତର୍କ-ସଂରଚନା ହୋଇ ବିରାଜିତା ହେଉଥିବ ?

ଇତିହାସର ଏହି ସନ୍ଧିକ୍ଷଣରେ 'ପତ୍ନୀ' ଶବ୍ଦଟି ଯେତେବେଳେ ସମସ୍ୟାସଙ୍କୁଳ ଆଉ ଅପସୃୟମାନ ହେବାକୁ ବସିଛି, ସେତେବେଳେ ଆମକୁ ଏହାର ଉତ୍ତରାଧିକାରକୁ ବିବେଚନା କରିବାର ସମୟ ଆସିଛି । ପାଶ୍ଚାତ୍ୟ ଜଗତରେ ପତ୍ନୀର ଧାରଣା କେବେଠାରୁ ଆରମ୍ଭ ହେଲା ? ପତ୍ନୀକେନ୍ଦ୍ରିତ ନିୟମଗୁଡ଼ିକ କେମିତି ପୁରୁଷ ପରେ ପୁରୁଷ ଗଡ଼ି ଆସିଲା ? ପତ୍ନୀପଣର କେଉଁ ବିଶିଷ୍ଟ ବିଭାବଗୁଡ଼ିକ ଏବେ ଯାଏଁ ରହିଛି ?କେଉଁ କେଉଁ ଧାରଣାଗୁଡ଼ିକ ବଦଳି ଗଲାଣି ?

ଅତୀତ ଆଉ ବର୍ତ୍ତମାନର ଆଧାରରେ ଆମେ ଏଇ ବିବାହିତା ମହିଳାମାନଙ୍କର ଭବିଷ୍ୟତର ସ୍ୱରୂପକୁ ନିର୍ଣ୍ଣୟ କରି ପାରିବା ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


[ଏଇ ଉପକ୍ରମଣିକାଟିର ପ୍ରସଙ୍ଗରେ କିଛି ଉଲ୍ଲେଖ କରିବାକୁ ଚାହିଁବି । ବୃତ୍ତିଗତ ସେବା କାଳରେ ଉପସ୍ଥିତ ଲେଖକ ଓଡ଼ିଶାର ସର୍ବପୁରାତନ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲା । ସେଠାରେ ଆମ ଝିଅମାନଙ୍କ ପାଇଁ ଗୋଟିଏ ବିଶେଷ ବିଷୟରେ ସ୍ନାତକ ଓ ସ୍ନାତ୍ତକୋତ୍ତର ସ୍ତରରେ ଶିକ୍ଷା ଦିଆଯାଏ । ବିଷୟଟି ଏଇଠି ପ୍ରାସଙ୍ଗିକ ଓ ଗୁରୁତ୍ୱପୂର୍ଣ୍ଣ । ବିଷୟଟି ହେଉଛି 'ଗୃହବିଜ୍ଞାନ' । ଯଦିଓ ଆମର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷମାନେ ଏହି ବିଶେଷ ବିଷୟଟି କେବଳ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କେଉଁଠି ନିର୍ଦ୍ଦିଷ୍ଟ କରି ନାହାନ୍ତି, ତଥାପି ଆମର ଏଠାରେ ଏଇ ବିଷୟଟି କେବଳ ଝିଅମାନେ ପଢ଼ନ୍ତି ଆଉ ଅଳ୍ପ କେତୋଟି ମହିଳା ମହାବିଦ୍ୟାଳୟରେ ଏଇ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି । ଦେଖିବାକୁ ଗଲେ ଏହି ଗୋଟିଏ ମାତ୍ର ବିଷୟ ଯାହା ଆମ ଶିକ୍ଷଣସଂସ୍ଥାରେ ଲୈଙ୍ଗିକ ବିଭେଦର ପ୍ରତୀକ ହୋଇ ଆମ ଆଗରେ ରହିଛି । ସମସ୍ତ ଘରକରଣା କାମକୁ ଏଇ ପାଠ୍ୟକ୍ରମରେ ବିଜ୍ଞାନସୁଲଭ ଢଙ୍ଗରେ ଆମ ଝିଅଙ୍କୁ ପଢ଼ା ଯାଇଥାଏ । ଏହା ମୋତେ ସବୁ ସମୟରେ ଏକ ଗୃହିଣୀନିର୍ମାଣ ପ୍ରକଳ୍ପ ଭଳି ଲାଗେ । ଗୃହବିଜ୍ଞାନଟି ପୁଅ ଝିଅ ଉଭୟଙ୍କ ପାଇଁ ପାରିବାର ଦୃଷ୍ଟିରୁ ଅପରିହାର୍ଯ୍ୟ, ସେ କଥାଟି ଆମର ବାମାବାଦୀ ଚିନ୍ତକମାନଙ୍କ ଦୃଷ୍ଟିରୁ ଏଡ଼ାଇ ଯାଇଥିବା ଭଳି ମନେ ହୁଏ ।(ବିଶେଷ କରି ଗୃହବିଜ୍ଞାନର ଯେଉଁ ରନ୍ଧନ କଳାର ପ୍ରାକ୍ଟିକାଲ୍ କ୍ଲାସ୍ ହୁଏ, ତାହାର ମହମହ ବାସ୍ନାରେ ନିକଟରେ ଆଉ ଗୋଟିଏ ପ୍ରକୋଷ୍ଟରେ ଆକବରଙ୍କର ଧର୍ମନୀତି ଆଲୋଚନା କରିବା ଯେ କେତେ କଷ୍ଠକର, ତାହା ଆପଣମାନେ ନିଶ୍ଚୟ ହୃଦୟଙ୍ଗମ କରି ପାରୁ ଥିବେ । )

ବିବାହ ମୂଳତଃ ବିଶୃଙ୍ଖଳିତ ଯୌନାଚାରକୁ ଶୃଙ୍ଖଳିତ କରିବାର ପଦ୍ଧତି ବିଶେଷ । ଭାରତରେ ହିନ୍ଦୁମାନେ ଯଦିଓ ଦାବୀ କରିଥାନ୍ତି ଯେ, ସେମାନଙ୍କ ମଧ୍ୟରେ ପ୍ରଚଳିତ ବିବାହ ରୀତିନୀତି ବୈଦିକ ଯୁଗରୁ ଅନୁସୃତ ହୋଇ ଆସୁଛି, ତଥାପି ପ୍ରଫେସର ଅତୁଲ ସୁର୍‌ଙ୍କ 'ଭାରତରେ ବିବାହର ଇତିହାସ'ରେ ଥିବା ମନ୍ତବ୍ୟ ଅନୁସାରେ ଏହା ସଠିକ ବିଶ୍ୱାସ ନୁହଁ । ପ୍ରଫେସର୍ ସୁର୍‌ଙ୍କ ଅନୁସାରେ ଗୋତ୍ର-ପ୍ରବର-ସପିଣ୍ଡ ବର୍ଜନ ବିଧି ଯାହା ଉପରେ ବର୍ତ୍ତମାନ ହିନ୍ଦୁମାନଙ୍କର ବିବାହ ପ୍ରଥା ପ୍ରତିଷ୍ଠିତ, ତାହାର ଉଲ୍ଲେଖ ଭାରତର ପ୍ରାଚୀନତମ ଗ୍ରନ୍ଥ ଋଗବେଦରେ ଆଦୌ ନାହିଁ । ଋଗବେଦ-କାଳୀନ ବିବାହ ନିର୍ଭର କରୁଥିଲା ଗ୍ରାମଭିତ୍ତିକ ବହିର୍ବିବାହ ଉପରେ । ନବପରିଣୀତାକୁ ବଧୂ ବୋଲି କୁହା ଯାଉ ଥିଲା, ଯାହାର ବ୍ୟୁତ୍ପତ୍ତିଗତ ଅର୍ଥ ହେଉଛି, ଯାହାକୁ ବହନ କରି ଅନ୍ୟ ସ୍ଥାନରୁ ଅଣା ଯାଇଛି । 

ପ୍ରଫେସର ସୁର୍‌ଙ୍କ ମତାନୁସାରେ, ବୈଦିକ ଯୁଗରେ ନବପରିଣୀତାର ବିବାହ କୌଣସି ବିଶେଷ ବ୍ୟକ୍ତି ସହିତ ହେଉ ନ ଥିଲା, ତାହାର ସମସ୍ତ ସହୋଦର ଭ୍ରାତାମାନଙ୍କ ସହ ହେଉଥିଲା । ଅନ୍ତତଃ ଆପସ୍ତମ୍ଭ ଧର୍ମସୂତ୍ରର ଯୁଗ (ଖ୍ରୀପୂ ପ୍ରଥମ ସହସ୍ରାବ୍ଦୀ)ରେ ଏହା ପ୍ରଚଳିତ ଥିଲା । ଆପସ୍ତମ୍ଭ ଧର୍ମସୂତ୍ରରେ କୁହାଯାଇଛି ଯେ, କନ୍ୟାଟିକୁ କେବଳ ଜଣକୁ ନୁହଁ ସବୁ ଭ୍ରାତାଙ୍କୁ ସମ୍ପ୍ରଦାନ କରା ଯାଇଛି । ମହାଭାରତରେ ଏଇ ଧାରଣାଟିର ବିସ୍ତାର ହୋଇଛି । ସେଇଥି ପାଇଁ ପରବର୍ତ୍ତୀ କାଳରେ ମନୁ ବିଧାନ ଦେଇଛନ୍ତି ଯେ, କଳିଯୁଗରେ କନ୍ୟାର ବିବାହ ଯେମିତି ସମଗ୍ର ପରିବାର ସହିତ ଯୌଥ ଭାବରେ ଦିଆ ନ ହୁଏ । ତେଣୁ କନ୍ୟାର ଯୌଥ ବିବାହ ଆର୍ଯ୍ୟମାନେ ଏଠାରେ ପହଞ୍ଚିବା ପରେ ନିଜ ଗୋଷ୍ଠୀ ଭିତରେ ବିବାହଯୋଗ୍ୟା କନ୍ୟାର ଅଭାବରୁ ଘଟୁଥିଲା । ସେମାନେ ଅର୍ଥାତ୍ ଆର୍ଯ୍ୟମାନେ ନିଜର ରକ୍ତର ବିଶୁଦ୍ଧତା ବଜାୟ ରଖିବା ପାଇଁ ଏଠିକାର ଅନାର୍ଯ୍ୟ ମାନଙ୍କ ସହ ବିବାହ ସମ୍ପର୍କ ନିଷିଦ୍ଧ କରି ରଖି ଥିଲେ । ତେଣୁ ଆମ ପୁରାଣରେ 'ନିୟୋଗ' ଭଳି ପରପୁରୁଷକର୍ତ୍ତୃକ ସନ୍ତାନ ଜନ୍ମ, ନିକଟ ଜ୍ଞାତି ମଧ୍ୟରେ ନିଷିଦ୍ଧ ସଙ୍ଗମ ଭଳି ଘଟଣାର ବର୍ଣ୍ଣନା ରହିଛି ।

ବିବାହ କ୍ଷେତ୍ରରେ ଅନାର୍ଯ୍ୟମାନଙ୍କର ବିବାହ ନିର୍ଧାରିତ ହୋଇଥାଏ ଟୋଟେମ୍ ଦ୍ୱାରା । ଟୋଟେମ୍‌ର ଅର୍ଥ ହେଉଛି ଗୋଟିଏ ଅନାର୍ଯ୍ୟ ଗୋଷ୍ଠୀର ରକ୍ଷକସ୍ୱରୂପ ପରମାତ୍ମା ବିଶେଷ । ଏହି ପରମାତ୍ମା କୌଣସି ବୃକ୍ଷବିଶେଷ ହୋଇପାରେ, ବା ହୋଇପାରେ ପ୍ରାଣୀ ବା ଜଡ଼ପଦାର୍ଥ । ପ୍ରତ୍ୟେକ ଅନାର୍ଯ୍ୟ ଗୋଷ୍ଠୀ ନିଜର ଟୋଟେମ୍‌କୁ ବିଶେଷ ଶ୍ରଦ୍ଧା କରିଥାଏ । ଏବଂ ପ୍ରତ୍ୟେକ ଟୋଟେମ୍‌ର ଅନୁଗାମୀ ପୁଅ ଝିଅ ଙ୍କ ଭିତରେ ବିବାହ ସମ୍ପର୍କ ନିଷିଦ୍ଧ । ତେଣୁ ଟୋଟେମ୍ ଦୃଷ୍ଟିରୁ ବହିର୍ବିବାହ ସେମାନଙ୍କର ପ୍ରଚଳିତ ପ୍ରଥା ରହିଥିଲା ।

ଋଗବେଦ-କାଳୀନ ଆର୍ଯ୍ୟମାନେ ପରବର୍ତ୍ତୀ ସମୟରେ ନମନୀୟ ହେବାକୁ ଆରମ୍ଭ କଲେ ଓ ଅନାର୍ଯ୍ୟମାନଙ୍କ ସହିତ ସେମାନଙ୍କର ସମ୍ପର୍କ ସେତେ ଉଗ୍ର ହୋଇ ରହିଲା ନାହିଁ । ଅନାର୍ଯ୍ୟମାନଙ୍କର ସଂସର୍ଗରୁ ସତ୍ୟକାମ ଜାବାଳ ଭଳି ଚରିତ୍ରମାନଙ୍କର ଉଦ୍ଭବ ହେଲା । ଅନାର୍ଯ୍ୟର ସମାଜରେ ପ୍ରଚଳିତ ଟୋଟେମ୍ ଭଳି ଆର୍ଯ୍ୟମାନେ ଗୋତ୍ର, ପ୍ରବର, ପିଣ୍ଡ ଆଦି ବ୍ୟବସ୍ଥା ନିଜକୁ ଗୋଷ୍ଠୀଭୂତ କରିବା ଉଦ୍ଦେଶ୍ୟରେ ପ୍ରକରଣ କଲେ ।

ଆର୍ଯ୍ୟ ଆଉ ଅନାର୍ଯ୍ୟ ମାନଙ୍କ ମିଳାମିଶା ତଥା ପାରସ୍ପରିକ ପ୍ରଭାବ ଦେଖା ଦେଇ ଥିଲା ବିଶେଷ କରି ମହାଭାରତ ଯୁଗରେ । ଆର୍ଯ୍ୟମାନେ ଅନାର୍ଯ୍ୟମାନଙ୍କର ବହିର୍ବିବାହକୁ ଅନୁକରଣ କରି ଅର୍ଥାତ୍ ଗୋତ୍ର-ପ୍ରବର-ସପିଣ୍ଡ ବର୍ଜିତ ବିବାହକୁ ପ୍ରଥାସିଦ୍ଧ କରିଦେଲେ ।ଋଗବେଦ କାଳରେ ଆର୍ଯ୍ୟମାନଙ୍କ ବିବାହ ସବୁ କେବଳ ମନ୍ତ୍ରୋଚ୍ଚାରଣରେ ସମ୍ପନ୍ନ ହେଉଥିଲା । ମାତ୍ର ମହାଭାରତ ଯୁଗରେ କେବଳ ବ୍ରାହ୍ମ ବୋଲି ଯେଉଁ ବିବାହ, ସେଥିରେ ମନ୍ତ୍ରୋଚ୍ଚାରଣ କରାଯାଉଥିଲା । ଅନ୍ୟ ତିନୋଟି ପ୍ରକାରର ବିବାହ, ଯଥା, ଗାନ୍ଧର୍ବ, ଅସୁର ଓ ରାକ୍ଷସ ବିବାହରେ ମନ୍ତ୍ର ଓ ଯଜ୍ଞାନୁଷ୍ଠାନର ପ୍ରୟୋଜନ ନ ଥିଲା । କାଳକ୍ରମେ ବ୍ରାହ୍ମଣ ଆଚାରଯୁକ୍ତ ବିବାହ ପ୍ରାଧାନ୍ୟ ଲାଭ କଲା ।

ଏହି ପ୍ରସଙ୍ଗରେ ଋଷି ଭୃଗୁ ଓ ପୁଲୋମାଙ୍କ ବିବାହ ପ୍ରସଙ୍ଗଟି ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ । ଭୃଗୁ ଯେତେବେଳେ ପୁଲୋମାଙ୍କୁ ବିବାହ କଲେ, ସେତେବେଳେ ଜଣେ ରାକ୍ଷସ ଆସି ଉପସ୍ଥିତ ହୋଇ କହିଲା, "ପୁଲୋମା ମୋର ପତ୍ନୀ, ମୁଁ ତାଙ୍କୁ ଆଗରୁ ବିବାହ କରିଛି ।" ଏଇ ଘଟଣାକୁ ମୀମାଂସା କରିବା ପାଇଁ ଅଗ୍ନୀଙ୍କୁ ସାକ୍ଷୀ ବୋଲି ବିଚାର କରାଗଲା । ଅଗ୍ନୀ କହିଲେ, "ହେ ରାକ୍ଷସପ୍ରବର ତମେ ସତ କହୁଛ, ତମେ ହିଁ ଆଗରୁ ପୁଲୋମାଙ୍କୁ ବିବାହ କରିଛ । କିନ୍ତୁ ଯେହେତୁ ସେହି ବିବାହରେ ଯଜ୍ଞାନୁଷ୍ଠାନ କି ମନ୍ତ୍ରପାଠ ହୋଇ ନାହିଁ, ତେଣୁ ସେହି ବିବାହ ବୈଧ ନୁହଁ । ପୁଲୋମା ତେଣୁ ନିୟମତଃ ଭୃଗୁଙ୍କ ପତ୍ନୀ ।"

ଏଇ କାହାଣୀରୁ ଆଚାର ଅନୁଷ୍ଠାନଗତ ବିବାହ ଉପରେ ଗୁରୁତ୍ୱର ଐତିହାସିକ ପରିପ୍ରେକ୍ଷ୍ୟଟି ବେଶ୍ ବୁଝାଯାଇ ପାରିବ ।

ଏଇ ସମସ୍ତ କଥା ଭାରତରେ ବିବାହ ତଥା ପତ୍ନୀ ନିର୍ବାଚନର କାଳାନୁକ୍ରମିକ ବିବରଣୀ ହୋଇଥିଲେ ହେଁ, ମେରିଲିନ୍ ୟାଲୋମ୍‌ଙ୍କ ପତ୍ନୀତ୍ୱର ମାନସିକ ସ୍ଥିତି ସମ୍ପର୍କୀତ ବିଚାରକୁ ବିରୋଧ କରୁ ନାହିଁ । ପତ୍ନୀର ସ୍ୱାତନ୍ତ୍ର୍ୟ ନାହିଁ ଯେହେତୁ ବାପ, ପତି ଆଉ ପୁତ୍ର ର ସଂରକ୍ଷଣ ବିନା ସେ ତିଷ୍ଠି ପାରିବ ନାହିଁ; କବିତା ଆଉ ଲତା ପରି ଏଇ ବନିତା କୂଳ ସବୁବେଳେ ଆଶ୍ରା ଲୋଡ଼ି ଥାଆନ୍ତିଏବଂ ଭାର୍ଯ୍ୟାଟି ପୁତ୍ର ଉତ୍ପାଦନର ହେତୁ ବୋଲି ବହୁ ଆପ୍ତବାକ୍ୟ ଆମ ଶାସ୍ତ୍ରରୁ ଆମ ମୁଣ୍ଡରେ ବସା ବାନ୍ଧିଛି । ଅବଶ୍ୟ ପତ୍ନୀ ନୁହଁ ନାରୀ ପାଇଁ ଆମେ କେତୋଟି ସୁନ୍ଦର ମନ ମୋହିନେବା ଭଳି ଶ୍ଳୋକ ରଚନା କରିଛୁ । ଯଥା, ଯେଉଁଠି ନାରୀମାନଙ୍କୁ ପୂଜା କରାଯାଏ ସେଇଠି କୁଆଡ଼େ ସବୁ ଦେବତାଙ୍କ ନୈମିଷାରଣ୍ୟ । ଏହାକୁ ସାଂସ୍କୃତିକ ବାମାବାଦ ବା କଲଚରାଲ୍ ଫେମିନିଜମ୍ ବୋଲି କୁହାଯାଏ, ଯାହାର ଅର୍ଥ ହେଉଛି ପ୍ରଶଂସା ଦ୍ୱାରା ପରାଭୂତ କରି ରଖିବା ।

ଆମେ ଭାରତୀୟମାନେ ସେଥିରେ ପ୍ରବୀଣ । ମାଆ ମାଆ ବୋଲି ଆମେ ପାଣି ପିଇବୁ ନାହିଁ, ଅଥଚ ମାଆର ଅସ୍ତିତ୍ୱର ଏକ ଅଂଶବିଶେଷ ତଥା ତାହାର ଯୌନତାର କଥା ଉଠିଲେ ଆମେ ନାକ ଟେକିବୁ । ଆମେ ମାଆକୁ ସେହି ଜର୍ମାନେ ଗ୍ରୀଅର୍‌ଙ୍କ 'ଫିମେଲ୍ ଇଉନକ୍' ଭାବରେ ଆମ ବିଚାରରେ ସବୁବେଳେ ବନ୍ଦୀ କରି ରଖିବାକୁ ଚାହୁଁ ।

ଶେଷରେ ଆଜିକାଲି ସବୁକଥାର ଅନ୍ତ ହୋଇ ଗଲାଣି ବୋଲି ଯେଉଁ ବିଚାରଧାରା ସମଗ୍ର ବିଶ୍ୱରେ ଚାଲିଛି, ସେହି ଅନୁଯାୟୀ 'ପତ୍ନୀ' ଶବ୍ଦଟି ଏବେ ମରଣମୁଖୀ । ଗଲା ଶହେ ବର୍ଷରେ ଯୌଥ ପରିବାରର ବିଘଟନ ଘଟିଲା ଆଉ ଆସନ୍ତା ଶହେ ବର୍ଷରେ ପରିବାର ବୋଲି କିଛି ରହିବ ନାହିଁ ବୋଲି ଭବିଷ୍ୟଦ୍‌ବିଦ୍‌ମାନେ ମତ ଦେଉଛନ୍ତି । ନାରୀଟି ପାଖରେ ଜରାୟୁ ଆଉ ପ୍ରଜଜନର କଳକବ୍‌ଜା ଥିବା କାରଣରୁ ସେ 'ପତ୍ନୀ' ନ ହୋଇ ଆବଶ୍ୟକୀୟ ପୁରୁଷ ଉପକରଣଟି କୌଣସି ସ୍ପର୍ମ ବ୍ୟାଙ୍କ୍‌ରୁ ସଙ୍ଗ୍ରହ କରି ନେଇ ପାରେ ସନ୍ତାନର ଆବଶ୍ୟକତା ପାଇଁ ।

ଆସନ୍ତା ସମୟଟି ହେଉଛି ପୁରୁଷଟିଏ ଅପ୍ରାସଙ୍ଗିକ (ପ୍ରଜଜନ କାରଣରୁ ନାରୀ ସବୁବେଳେ ପ୍ରାସଙ୍ଗିକ) ହୋଇ ରହିବାର ସମୟ । ତେଣୁ କେଉଁ କବିର ଭବିଷ୍ୟପୁରାଣରେ ଜଣକର ହୃଦୟର ମାଇକ୍ରୋଚିପସ୍‌ରୁ ଯଦି 'ଚକୋରୀ ଝରାନା ଲୁହ ଜୋଛନା ରାତେ' ସୁମଧୁର ସ୍ୱରରେ ଭାସି ଆସେ, ତେବେ ଭାରି ଭଲ ଲାଗେ । ଖୁବ୍ ଭଲ ଲାଗେ ।

ନିଜେ କାନ୍ଦିବା ଆଗରୁ ଅନ୍ୟକୁ କାନ୍ଦନା ବୋଲି କହିବାରେ ଆନନ୍ଦ ଅଛି । ମୋହ ଅଛି ।

ଏଇ ଆଲେଖ୍ୟଟି ଜଣେ ବିଶିଷ୍ଟ ବାମାବାଦୀ ଚିନ୍ତକ ଓ ଗବେଷକ ମେରିଲିନ୍ ୟାଲୋମ୍‌ଙ୍କ  ବିତର୍କିତ ପୁସ୍ତକ 'ଏ ହିଷ୍ଟୋରୀ ଅଫ୍ ୱାଇଫ୍'ର ଉପକ୍ରମଣିକାର ଅନୁବାଦ । ଏଥିରେ ନାରୀ ପୁରୁଷ ସମ୍ପର୍କକୁ ଐତିହାସିକତାର ପରିପ୍ରେକ୍ଷୀରେ ତୀକ୍ଷ୍ଣ ଭାବରେ ବ୍ୟବଚ୍ଛେଦ କରା ଯାଇଛି । ଅନୁବାଦଜନିତ ତୃଟିଭାଗ ମୋର ।]

Monday, June 25, 2018

ପାଲି ଧର୍ମପଦ (୮୦) ର ଓଡ଼ିଆ  ପଦ୍ୟାନୁବାଦ

୫ ପଣ୍ଡିତ ବର୍ଗ


ସିକ୍କିମ ରାଜ୍ୟର ରୁମ୍‌ଟେକ୍ ବୌଦ୍ଧମଠର ଦୃଶ୍ୟ

ପାଣିଭାରୁଆ ପଥ ଦେଖାଇ ଜଳ ନ୍ୟନ୍ତି
ଇଷୁକାରମାନେ ଶର ସଳଖ କରନ୍ତି ।
ବଢ଼େଇମାନେ ନମନ କରନ୍ତି କାଷ୍ଠକୁ
ପଣ୍ଡିତମାନେ ଦମନ କରନ୍ତି ନିଜକୁ ।୫।
ଉଦକଂ ହି ନୟନ୍ତି ନେତ୍ତିକା ଉସୁକାରା ନମୟନ୍ତି ତେଜନଂ
ଦାରୁଂ ନମୟନ୍ତି ତଚ୍ଛକା ଅତ୍ତାନଂ ଦମୟନ୍ତି ପଣ୍ଡିତା ।୫।

ଉଦକଂ ହି ନୟନ୍ତି ନେତୃକାଃ ଇଷୁକାରା ନମୟନ୍ତି ତେଜନମ୍ ।
ଦାରୁ ନମୟନ୍ତି ତକ୍ଷକା ଆତ୍ମାନଂ ଦମୟନ୍ତି ପଣ୍ଡିତାଃ ।୫। 

Sunday, June 24, 2018

ସ୍ତେଫାନ୍ ମାଲାର୍ମେଙ୍କ ଦୁଇଟି ଗଦ୍ୟକବିତା

ଅନୁବାଦ - ଜ୍ୟୋତି ନନ୍ଦ


୧୮୯୨ ମସିହାରେ ଅଙ୍କିତ ସ୍ତେପାନ୍ ମାଲାର୍ମେଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଭବିଷ୍ୟ ଘଟଣା


ବୁଢ଼ା ହୋଇ ମରି ଯାଉଛି, ଯାଉଛି ଏପରି ଗୋଟିଏ ପୃଥିବୀ ଉପରେ ମେଘମାଳା ସହିତ ହୁଏତ ବିଦାୟ ନେବ ଫିକା ଆକାଶଟିଏ । ସୂର୍ଯ୍ୟର କିରଣ ଆଉ ଜଳରେ ଆବୃତ ଦିଗନ୍ତ ଉପରେ ଘୁମେଇ ପଡିଥିବା ନଦୀଟି ଭିତରେ ସୂର୍ଯ୍ୟାସ୍ତ ଗୁଡିକର ଛିଣ୍ଡାଛିଣ୍ଡା ଗୋଲାପୀ କ୍ଷୟର ସବୁଯାକ ଚିହ୍ନ ମିଳାଇ ଯାଏ । କ୍ଲାନ୍ତ ସମୟର ଭାରରେ ଗଛପତ୍ର ସବୁ ଅବସନ୍ନ । ଆଉ ସେମାନଙ୍କର ହଳଦିଆ ପଡ଼ି ଆସୁଥିବା ପତ୍ରଗୁଡ଼ିକ ତଳେ ରାସ୍ତାରେ ନୁହଁ ବରଂ ସମୟର ଧୂଳିଧୂସରିତ କାନଭାସ୍‌ର ତମ୍ବୁ ଭିତରେ ଜାଗି ଉଠେ ଅତୀତର ସବୁ ଚିହ୍ନରେ ଗୋଧୂଳି ଅପେକ୍ଷାରେ ରହିଥିବା ଗ୍ୟାସ୍‌ବତୀ ଯାକ । ସେମାନେ ପୁଣି ନିଦରୁ ଉଠାଉଥାନ୍ତି ଅସୁଖୀ ଭିଡ଼ର ସେହି ସବୁ ମୁହଁ । ଆଉ ଅବିନାଶୀ ରୁଗ୍‌ଣତା ଏବଂ ବହୁ ଶତକର ପୁଞ୍ଜିଭୂତ ପାପ ସେମାନଙ୍କୁ ଜୟ କରିନିଏ । ତାହାର କୂଳରେ ରହିଥାଏ ଭୟାବହ ଦୁଃସଙ୍ଗୀ ସବୁ, ଏକ ଅମାଙ୍ଗଳିକ ଫଳର ଭାରରେ ଭାରାକ୍ରାନ୍ତ । ପୃଥିବୀ ବିଲୀନ ହୋଇଯିବ ଏଇ ଫଳଗୁଡ଼ିକରେ । ସମସ୍ତ ଆଖିରେ ପୀଡିତ ନୈଃଶବ୍ଦ୍ୟରେ ବୁଡି ଯାଏ ସକଳ ଦେଶ, ଯେଉଁ ନିଃଶବ୍ଦ ସୂର୍ଯ୍ୟଙ୍କୁ ମିନତି କରେ, ଯେଉଁ ସୂର୍ଯ୍ୟ ଗୋଟିଏ ଧ୍ୱନୀର ହତାଶାରେ ଡେଇଁ ପଡ଼େ ପାଣିକୁ ।କୌତୁକ ପୋଷାକରେ ଛଦ୍ମବେଶୀ କଥା କହୁଥାଏ ଚୁପିଚୁପି, "ଭିତରେ ପ୍ରଦର୍ଶନୀ ଦେଖାଇବ ବୋଲି କହି ତୁମକୁ ଆମୋଦିତ କରିବାର ଏମିତି କିଛି ଚିହ୍ନ ନାହିଁ । କାରଣ ଏବେ ଏଇଠେ ଏମିତି କେଉଁ ଚିତ୍ରକର ନାହିଁ ଯିଏ ଆଙ୍କି ପାରିବ ତାହାର କ୍ଷୀଣତମ ପ୍ରତିଚ୍ଛାୟା । ମୁଁ ତୁମମାନଙ୍କ ପାଖକୁ ନେଇ ଆସିବି ସେଇ କେବେକାର ଜୀବନ୍ତ ଏକ ନାରୀକୁ (ଯାହାକୁ ସାର୍ବଭୌମ ବିଜ୍ଞାନ ବର୍ଷବର୍ଷ ଧରି ସଂରକ୍ଷଣ କରି ରଖିଛି) । "କିଛି ପାଗଳାମୀ, ମୌଳିକ ଓ ସରଳ, ଏକ ସୁନେଲି ଉଲ୍ଲାସ ଓ ଉନ୍ମାଦନା, ଜାଣେନି ସେଇଟି କ'ଣ ! ଯାହାକୁ ସେ ନିଜର କେଶ ବୋଲି କହେ, ବୁଣିବାର ବୈଭବରେ ସେ ଯେମିତି ବିଚ୍ଛୁରିତ ହୋଇ ଯାଇଥାଏ ତାହାର ଓଠର ରକ୍ତ, ଲାଲ୍ ନଗ୍ନତାରେ ଜଳି ଉଠୁଥିବା ମୁହଁର ଚାରି ଦିଗ । ଶୂନ୍ୟତାର ପୋଷାକ ଖସି ପଡ଼େ । ରହିଥାଏ ତାହାର ଦେହରାଜି । ଅମୂଲ୍ୟ ହୀରଣ୍ମୟ ପଥର ସଦୃଶ ତାହାର ଆଖି ହଳକ ସେଇ ଦୃଷ୍ଟିର ସମାନ ହେବ ନାହିଁ, ଯେଉଁ ଦୃଷ୍ଟି ଉଠି ଆସିଛି ତା'ର ସୁଖମୟ ମାଂସର ସ୍ୱରଃଛନ୍ଦରୁ, ଯେଉଁ ଦୃଷ୍ଟି ଜାଗି ଉଠିଛି ତାହାର ଅପରୂପ ସ୍ତନଯୁଗଳରୁ ଯେମିତି ତାହା ଅନନ୍ତ ଦୁଗ୍ଧର ବୃହତ୍ ଭାଣ୍ଡ । ତାହାର ଶୀର୍ଷ ନିଶାଣଟିଏ ପରି ଚାହିଁ ରହିଛି ଆକାଶକୁ, ବିସ୍ମରଣମୟ ପାଦମାନଙ୍କ ଦ୍ୱାରା ଅଙ୍କାଯାଇଥିବା ଦାଗ ଆଡକୁ, ଯାହାର ଶରୀରରେ ରହି ଯାଇଛି ସେ ଆଦିମ ସମୁଦ୍ରର ଲୁଣ । ସେମାନଙ୍କର ଅସହାୟ, କ୍ଲାନ୍ତିକର, ରୁଗ୍‌ଣ ଓ ଆତଙ୍କିତ ସ୍ତ୍ରୀମାନଙ୍କର କଥା ସ୍ମରଣ କରି ସ୍ୱାମୀମାନେ ଏକା ସାଥିରେ ଭିଡ଼ ଜମାନ୍ତି ।ସେମାନଙ୍କର ବିଷର୍ଣ୍ଣ ସ୍ତ୍ରୀମାନେ ଦେଖି ନେବାକୁ ଚାହାଁନ୍ତି କୌତୁହଳରେ ।

କେଉଁ ଏକ ପୂର୍ବ ଅଭିଶପ୍ତ ଯୁଗରୁ ଛାଡ଼ ପାଇ ଆସିଥିବା ସେହି ମହିୟାନ ପ୍ରାଣୀଟି ଆଡ଼କୁ ଯେତେବେଳେ ସମସ୍ତେ ନିର୍ନିମେଷ ଚାହିଁ ରହିଥା'ନ୍ତି, ସେମାନେ ପୁଣି ଜଣେ ଅପରକୁ କେବଳ ଚାହିଁ ରହିଥିବେ, କେହି କେହି ଥିବେ ଉଦାସୀନ, କାରଣ କେଉଁ ଘଟଣା ଘଟି ଚାଲିଛି, ତାହାକୁ ବୁଝିବାର ସାମର୍ଥ୍ୟ ନାହିଁ କାହାର । କିନ୍ତୁ କେହି ଚାହିଁ ରହିଥିବେ ବିଷର୍ଣ୍ଣରେ ଆଖିପତା ଦୁଇଟି ଯାହାର ଭିଜି ଯାଇଛି ସମର୍ପିତ ଜଳରେ; ଯେତେବେଳେ କବିମାନଙ୍କର ଭିଜା ଆଖିଟିମାନ ଉଜ୍ଜଳି ଉଠିବ, ଯାତ୍ରା ଆରମ୍ଭ କରିଦେବ ସେ ନିଜ ନିଜ ଦୀପାଳିକୁ, ଘଡ଼ିକ ପାଇଁ ହେଲେ ବି ଏକ ବିଭ୍ରାନ୍ତ ମହିମାରେ ସେମାନଙ୍କର ମସ୍ତିଷ୍କ ମାତାଲ୍, ସେମାନେ ଆକ୍ରାନ୍ତ ଆଉ ଆଲୋକିତ ହେବେ ଛନ୍ଦରେ, ଆଉ ସେମାନେ ଭୁଲିଯିବେ ସେମାନଙ୍କର ଅସ୍ତିତ୍ୱ ଏମିତି ଏକ ଯୁଗରେ ରହିଛି ଯେଉଁ ଯୁଗରେ ସୁନ୍ଦର ବସବାସ କରି ଆସୁଛି ।

ୱିକିମିଡିଆ କମନ୍ସ୍

ହେମନ୍ତର ଶୋକ

ମୋତେ ଛାଡ଼ି ମାରିଆ ଗୋଟେ ତାରା ପାଖକୁ ଗଲା ପର ଠାରୁ - ମାନେ ? କେଉଁ ତାରା ? ମୃଗଶିରା ? ଶତଭିଷା ? ନା, ତୁ ନୀଳ ଧୃବତାରା ? - ମୁଁ ସବୁବେଳେ ଲୋଡ଼ି ଆସୁଛି ନିଃସଙ୍ଗତା । ଆହା, ଦୀର୍ଘ କାଳ ଅବଧି ରହିଛି, ମୋ ସହ ମୋ ବିରାଡ଼ି । ମୁଁ ଏକେଲା ତାହାକୁ ଶୁଣିଛି, ସେ ଦେହରେ ନାହିଁ, ମୋ ବିରାଡ଼ି ମୋର ରହସ୍ୟମୟୀ ସହଯାତ୍ରିଣୀ, ଆତ୍ମାଟିଏ । ମୁଁ ଏମିତି ବି କହିପାରେ, ମୋ ସହ ଦୀର୍ଘ କାଳ ଯାପନ କରେ ଏକାଠି ମୋ ବିରାଡ଼ି, ଏକେଲା, ସାଥିରେ ରହିଥାଏ ଲାଟିନ୍ ଅବକ୍ଷୟର ଜଣେ ଶେଷ ଆଡ଼ର କବିର ହସ୍ତାକ୍ଷର; ମୋର ଧବଳସଙ୍ଗିନୀଟି ନ ଥିବା ପରଠାରୁ ଅଦ୍ଭୁତ ଭାବରେ ଯାହା ସବୁକୁ କେବଳ ମୁଁ ଭଲ ପାଇ ଆସିଛି, ତାହାର ସାରାଂଶ ଗୋଟିଏ ଶବ୍ଦରେ ହେବ, ପତ୍ରଝଡ଼ା । ତେଣୁ ଏଇ ବର୍ଷ, ମୋର ପ୍ରିୟ ଋତୁ, ଏବେ ତାହାର ଶେଷଦିନ, ଖରାର ଆଘାତରେ ଶକ୍ତିହୀନ, ହେମନ୍ତର ପରବର୍ତ୍ତି ସମୟ; ଦିନ ବେଳା, ମୁଁ ରାସ୍ତାରେ ଯେତେବେଳେ ସୂର୍ଯ୍ୟ ତାଙ୍କର ଚେତା ବୁଡ଼ିବା ପୂର୍ବରୁ ଘଡିଏ ବିଶ୍ରାମ ନେଉଥିଲେ, ତାଙ୍କର କିରଣମାନ ଧୂସର କାନ୍ଥରେ ତମ୍ବାଳିଆ ଇଷତ୍ ହଳଦୀ ରଙ୍ଗ ଆଉ ଚଟାଣ ପଥରରେ ଲାଲ୍ ତମ୍ବା । ସେହି ଭଳି ମୋ ଆତ୍ମା ଇନ୍ଦ୍ରୀୟ ସୁଖ ଭୋଗିବାକୁ ଯେଉଁ ସାହିତ୍ୟ ଲୋଡ଼ୁ ଥିଲା ତାହା ହେବ ରୋମର ଶେଷ କ୍ଷଣର ମୃତପଦ୍ୟ ଆଉ ଏ ଯାଏଁ କହିବାକୁ ଗଲେ ଯାହାର ଶ୍ୱାସରେ ନ ଥିଲା ବର୍ବରର ନବଯୌବନ, ରହିନା ହିଁ ପ୍ରାଥମିକ ଖ୍ରୀଷ୍ଟାନ୍ ଲାଟିନ୍ ଗଦ୍ୟଭାଷାର ଶିଶୁଶୁଲଭ ଦରୋଟି ।

ତେଣୁ ମୁଁ ଗୋଟିଏ ପ୍ରିୟ କବିତା ବାଛି ପଢ଼େ (ଯେଉଁଠି ସମ୍ପୂର୍ଣ୍ଣ ଗୋଲାପୀ ରଙ୍ଗର ଯୌବନ ଅପେକ୍ଷା ଆଂଶିକ ଶୃଙ୍ଗାର ମୋର ଶ୍ରେୟ) ଆଉ ହାତ ବୁଲାଇ ଆଣୁଥାଏ ସତସତିକା ଲୋମଶ ଜୀବଟିର ଦେହ ସାରା, ଯେତେବେଳେ ମୋ ଝରକା ବାହାରେ ହାହୁତାଶ ଆଉ ନିଃସଙ୍ଗତାର ବାରେଲ୍ ଅର୍ଗାନ୍ ବଜାଉଥାଏ ଆଉ କିଏ । ବାହାରେ ଦେବଦାରୁର ପତ୍ର ତଥାପି ଝରି ପଡ଼ୁଥାଏ ବସନ୍ତରେ, ସେହି ଶେଷ ଥର, ମାରିଆ ହାତରେ ମହମବତୀ ଧରି ଗଲା ପର ଠାରୁ । ଦୁଃଖର ଯେତେ ବାଦ୍ୟଯନ୍ତ୍ର, ହଁ, ବାଦ୍ୟଯନ୍ତ୍ରମାନ ସବୁ ଦୁଃଖର, ସତ କଥା, ପିଆନୋରେ ସ୍ଫୁଲିଙ୍ଗ, ଭାଓଲିନ୍ ଛିଣ୍ଡା ତନ୍ତୁରେ ଲଗାଏ ନିଆଁ, କିନ୍ତୁ ବାରେଲ୍ ଅର୍ଗାନ ସ୍ମୃତିର ଗୋଧୂଳିରେ  ମୋତେ ଉନ୍ମତ୍ତ କରେ ସ୍ୱପ୍ନ ଦେଖିବାକୁ । ଏବେ ସେ ଗୁଣୁଗୁଣୁ କରୁଛି ଆନନ୍ଦର ଅଶ୍ଳୀଳ ଲହର ଯାହା ସବୁଆଡେ ସହରତଳୀରେ ଖେଳାଇ ଦେଉଛି ପୁଲକ: କେମିତି ଏହାର ବାରଣ ମୋ ଭିତରକୁ ଭେଦି ଗଲା ଆଉ ମୁଁ କାନ୍ଦି ପକେଇଲି ଏକ ରୋମାଣ୍ଟିକ ଆଖ୍ୟାୟିକା ଭଳି ? ମୁଁ ଏହାକୁ ଧିରେ ଧିରେ ଆତ୍ମସାତ୍ କରିବାରେ ଲାଗିଲି, ନିଜକୁ ବିବ୍ରତ ନ କରି ଝରକା ଦେଇ ଫୋପାଡ଼ି ଦେଇ ନ ଥିଲି ଖୁଚୁରା ପଇସା ଆଉ ଜାଣିଗଲି ଏହା ଭିତରେ କେଉଁ ବାଦ୍ୟଯନ୍ତ୍ର ଏକେଲା ଗାଏ ନାହିଁ ।

ମାଲାର୍ମେଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର (ୱିକିମିଡିଆ କମନ୍ସ୍)

[ସ୍ତେଫାନ୍ ମାଲାର୍ମେ (୧୮୪୨-୧୮୯୮) ଜଣେ ଫରାସୀ କବି । କବିତା ଲେଖିବାର ଆଦ୍ୟ ପର୍ଯ୍ୟାୟରେ ବଦଲେୟାର୍‌ଙ୍କ ଦ୍ୱାରା ପ୍ରଭାବିତ ଥିଲେ । ପରେ ସେ ନିଜର ସ୍ୱତନ୍ତ୍ର ଧାରା ନିର୍ମାଣ କରି ପାରି ଥିଲେ । ସ୍ତେଫାନ୍‌ଙ୍କ ଘରେ ଯେଉଁ ସାଲୋନ୍‌ଟି ବସୁଥିଲା, ତାହା ଫରାସୀ ସାହିତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସାଲୋନ୍ କହିଲେ ଫରାସୀ ଭାଷାରେ ଗୋଟିଏ ଛାତ ତଳେ ସାହିତ୍ୟିକମାନଙ୍କ ଆଡ୍ଡା । ସ୍ତେଫାନ୍‌ଙ୍କ ସାଲୋନ୍‌କୁ ବିଭିନ୍ନ ସମୟରେ ଆଇରିଶ କବି ୟେଟସ୍, ଜର୍ମାନ୍ ରିଲ୍‌କେ, ଆନ୍ଦ୍ରେ ଜିଦ୍, କବି ପଲ୍ ଭାଲେରି ପ୍ରମୁଖ ଆସି ଅଣପାରମ୍ପାରିକ ସାହିତ୍ୟ ଚର୍ଚ୍ଚା କରୁଥିଲେ । ଏହି ସାଲୋନ୍‌ର ମୂଖ୍ୟ ସ୍ତେଫାନ୍ ମାଲାର୍ମେ ଇତିହାସ, ଶିଳ୍ପ ସାହିତ୍ୟ ଓ ଦର୍ଶନ ଆଦି ବିଷୟରେ ଜଣେ ସୁବକ୍ତା ଥିଲେ ।

ଏହି ସାଲୋନ୍‌ରୁ ସ୍ତେଫାନ୍‌ଙ୍କ କାବ୍ୟଭାବନାଟି ସ୍ଫଷ୍ଠ ରୂପ ନେଇ ଥିଲା । ଏହା ତାଙ୍କୁ ଫରାସୀ ସାହିତ୍ୟରେ ପ୍ରତୀକବାଦର ଜଣେ ଆଦ୍ୟ ପ୍ରବକ୍ତା ଭାବରେ ପ୍ରତିଷ୍ଠିତ କରିଥିଲା । ପ୍ରତୀକବାଦ ହେଉଛି ବାସ୍ତବବାଦ ବିରୁଦ୍ଧରେ ଦ୍ରୋହ । ଯେଉଁ କଥାଟି ଯେମିତି ଘଟିଛି ତାହାକୁ ଅବିକଳ ସେମିତି ନ କହି ତାହାକୁ ଏକ ପ୍ରକାର ଇଙ୍ଗିତରେ କହିବା ପାଇଁ ପ୍ରତୀକ ଆଦିର ଲୋଡ଼ା ହୋଇଥାଏ । ଜର୍ମାନୀ ଦାର୍ଶନିକ ଶୋପେନହାଓଆର୍‌ଙ୍କ ଦର୍ଶନରୁ ପ୍ରତୀକବାଦର ଏକ ପ୍ରକାର ଉତ୍ପତ୍ତି । ଶୋପେନହାଓଆର୍‌ଙ୍କ ଦର୍ଶନରେ ପୃଥିବୀର ଅସନ୍ତୋଷରୁ ରକ୍ଷା ପାଇବା ପାଇଁ ଶିଳ୍ପରେ ପଥ ସନ୍ଧାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆ ଯାଇଛି । ପ୍ରତୀକବାଦୀ ମାନେ ନିଜସ୍ୱ ଧାରଣାକୁ ପ୍ରକାଶିତ କରିବା ପାଇଁ ଆଧ୍ୟାତ୍ମିକ ଓ ଅପାର୍ଥୀବ ବିଷୟ ଉପରେ ସାଧାରଣତଃ ଗୁରୁତ୍ୱ ଦେଇଥା'ନ୍ତି । ଏହା ସହିତ କ୍ଷଣିକ ଜୀବନବୋଧଜନିତ ବିମର୍ଷ ଆଉ ଅତୃପ୍ତ ଯୌନ ବୋଧ ବି ପ୍ରତୀକବାଦୀଙ୍କ ବହୁଳ ବ୍ୟବହୃତ କଥ୍ୟବସ୍ତୁ ।

ମାଲାର୍ମେଙ୍କ ସବୁଠାରୁ ଅଧିକ ଚର୍ଚ୍ଚିତ ମନ୍ତବ୍ୟଟି ହେଉଛି, କବିତା ହେଉଛି ଗୋଟିଏ ସଙ୍କଟକାଳର ଭାଷା ।

ଏଇ ଅନୁବାଦର ତୃଟି ଭାଗ ମୋର । ମୋ ବିଚାରରେ ମୁଁ ଅନୁବାଦ କରୁଥିବା ଲେଖକଟିକୁ ମୁଁ ଯେମିତି ଧାରଣ କରିଛି ଆଉ ଦେଖିଛି ,ମୋ ଠାରୁ ଯଥେଷ୍ଟ ଭଲ ଭାବରେ ଆଉ କେହି ତାହାଙ୍କୁ ପାଦାସନ ଦେଇ ନିଜ ଭିତରେ ରଖି ପାରନ୍ତି । ବେଳେବେଳେ କିଛି ଅନୁବାଦ କରି ସାରିଲା ପରେ କେଜାଣି କାହିଁକି କେଉଁ କାଳର ଖପରା ଡେଇଁବାର ଖୁସିଟିଏ ଦେହ ମନକୁ ଆବୋରି ବସେ । ଏକା ଖପରା ଡେଇଁବାରେ ଆନନ୍ଦ ନାହିଁ, ତେଣୁ ଆପଣମାନେ, ଯେଉଁମାନେ ସବୁବେଳେ ଅଛନ୍ତି ।]

Friday, June 22, 2018

ପାଲି ଧର୍ମପଦ (୭୯) ର ଓଡ଼ିଆ  ପଦ୍ୟାନୁବାଦ

୪ ପଣ୍ଡିତ ବର୍ଗ


ବୌଦ୍ଧଗୟାର ବୋଧିବୃକ୍ଷ ତଳେ ସ୍ଥିତ ଏକ କ୍ଷୁଦ୍ର ମନ୍ଦିରର ଦୃଶ୍ୟ
(୧୮୧୦ ମସିହାରେ ଅଙ୍କିତ: ୱିକିମିଡିଆ କମନ୍ସ୍)

ଧର୍ମରସ ଯେଉଁ ବ୍ୟକ୍ତି କରୁଥାଏ ପାନ
କରେ ପ୍ରସନ୍ନ ଚିତ୍ତରେ ସୁଖରେ ଶୟନ ।
ଆର୍ଯ୍ୟମାନଙ୍କର ଯେଉଁ ଧର୍ମ ଉପଦିଷ୍ଟ
ପଣ୍ଡିତ ରହନ୍ତି ସଦା ତହିଁରେ ପ୍ରବିଷ୍ଟ ।୪।

ଧମ୍ମପୀତୀ ସୁଖଂ ସେତି ବିପ୍ପସନ୍ନେନ ଚେତସା ।
ଅରିୟପ୍ପବେଦିତେ ଧମ୍ମେ ସଦା ରମତି ପଣ୍ଡିତୋ ।୪।

ଧର୍ମପ୍ରୀତୀ ସୁଖଂ ଶେତେ ବିପ୍ରସନ୍ନେନ ଚେତସୋ ।
ଆର୍ଯ୍ୟପ୍ରବେଦିତେ ଧର୍ମ୍ମେ ସଦା ରମତେ ପଣ୍ଡିତଃ ।୪।

Thursday, June 21, 2018

ପାବଲୋ ନେରୁଦାଙ୍କର 'ସମାଲୋଚନା ଗାଥା'

ଅନୁସୃଜନ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପାଞ୍ଚୋଟି କବିତା ଲେଖିଥିଲି:
ଗୋଟିଏ ଥିଲା ସବୁଜ
ଆଉ ଗୋଟିଏ ଗୋଲଗୋଲ ଗହମର ରୁଟିରୁ ଖଣ୍ଡେ
ତିନ ନମ୍ବରଟା ଥିଲା ଗୋଟେ ଘର, ଗୋଟିଏ ପ୍ରାସାଦ
ଚତୁର୍ଥଟି ମୁଦି
ଆଉ ପଞ୍ଚମଟି ଅଳ୍ପ ସମୟର
ବଜ୍ରବିଦ୍ୟୁତ ଇରମ୍ମଦମୟ
ଏବଂ ଯେହେତୁ କବିତା ଲେଖିଥିଲି,
ସେମାନେ ନିଜେ ମୋ ବିଚାରରେ ଛପା ହେଲେ ।

ତ, ତାହା ପରେ ପୁରୁଷ
ଆଉ ନାରୀ
ଆସିଲେ,
ସାଥିରେ ନେଇଗଲେ ଯିବା ବେଳେ
ମୋର ସହଜ ସରଳ ସଞ୍ଚୟ,
ହାଲକା ବତାସ, ବତାସର ଢେଉ, ବର୍ଣ୍ଣଛଟା, ମାଟି ଓ କାଦୁଅ
ଆଉ ଏଇ ସବୁ ସାଧାରଣ ଦରବରେ 
ନିର୍ମାଣିଲେ
କାନ୍ଥ,ଚଟାଣ ଆଉ ସ୍ୱପ୍ନ ।

ମୋର କବିତାର ଧାଡିଟିଏ ବାଛି,
ତାହା ଉପରେ ମେଲେଇ ଦେଲେ ଭିଜାଲୁଗା ସୂର୍ଯ୍ୟାଲୋକରେ 
ସେମାନଙ୍କର ରାତ୍ରୀଭୋଜନରେ ମୋର ଶବ୍ଦମାନ,
ଯତ୍ନରେ ସାଇତି ରଖିଛନ୍ତି
ନିଜ ମୁଣ୍ଡ ପାଖ ତକିଆ କଡ଼ରେ ।

କବିତା ସହ ଆରମ୍ଭ ହୋଇଗଲା ବସବାସ ସେମାନଙ୍କର,
ବସବାସର ଆରମ୍ଭ ସେଇ ଆଲୁଅ ସହ,
ଯେଉଁ ଆଲୁଅ ମୋଠାରୁ ବିଦାୟ ନେଇଛି ।

ତାହା ପରେ 
ଆସିଲେ ଜଣେ ନିଃଶବ୍ଦ ସମାଲୋଚକ
ତାହା ପରେ ଆସିଲେ ଦଳେ ବାଚାଳ
ଏବଂ ଆହୁରି ଅନେକ, ଅନେକେ
କିଏ ଅନ୍ଧ, କିଏ ପୁଣି ସବୁ ଦେଖେ, ସର୍ବଦ୍ରଷ୍ଟା ।

ସେମାନଙ୍କ ଭିତରେ କେହିକେହି ମାର୍ଜିତ, ପରିଚ୍ଛନ୍ନ, ରୁଚିବନ୍ତ
କେହିକେହି ଏପରି କି ଲାଲଯୋତାର ବର୍ଣ୍ଣଛଟା ଭଳି ଉଜ୍ଜଳ;
ଭୀଷଣ ପରିପୂର୍ଣ୍ଣ ଲାଗୁଛନ୍ତି, କିଏ ପୋଷାକରେ ଶବ ଭଳି ।

କେହି କେହି ଦଳଭୁକ୍ତ
ରାଜା ଆଉ ତାଙ୍କ ରାଜମୁକୁଟର ଗୈରିକ ବିଭାରେ ।
କେହି କେହି ମାର୍କ୍ସ୍ ମହାଶୟରଙ୍କ ଘନ ଦୀର୍ଘ ଭୁରୁରେ
ଅଟକି ଗଲେ ଆଉ ଝୁଲିଝୁଲି ତାଙ୍କ ଦାଢ଼ିକୁ 
ମାରି ଚାଲିଲେ ଗୋଇଠା ।

କେହିକେହି ଇଂରେଜ 
ପୁରାପୁରି ଇଂରେଜ
ଏବଂ ତାଙ୍କ ଭିତରୁ କେହି କେହି
ଦାନ୍ତ ଆଉ ଛୁରିରେ 
ମୋଟା ମୋଟା ଅଭିଧାନ ଆଉ ଗୁପ୍ତ ଅସ୍ତ୍ର ଧରି
ମାନନୀୟ ଉଦ୍ଧୃତି ସହିତ,
ପଟୁଆର ସାଜି ବାହାରିଲେ
କରିବାକୁ ମୋ ଦୁଃଖିନୀ କବିତା ହରଣ,
ତାହାର ନିଜ କୁଡିଆରୁ ଯେଉଁଠି ରହିଥାଏ ସେ ଆନନ୍ଦରେ
ତାହାର ସରଳ ପ୍ରେମିକ ସହ ବଣବିହାରରେ ।

ସେମାନେ ଫନ୍ଦି କଲେ, ଉଡ଼ିଯାଏ ଫିକରର ପୁଷ୍ପକ ବିମାନ,
ଚିତ୍ରପଟରେ କବିତାକୁ ଗୁଡ଼ାଇ ନେଲେ ଏବଂ
ସୁରକ୍ଷିତ କଣ୍ଟା ପିଟି ଟାଙ୍ଗି ଦେଲେ ।

କବିତାର ଦେହ ସାରା ମାଖି ଦେଲେ କଙ୍କାଳର ଧୂଳି
ମାଜଣା କରିବା ହେବ ସେ ନଈରେ, ନଈ ସାରା କାଳି ।
ବିରାଡ଼ିକୁ ମହାମାରୀ କବଳରୁ ରକ୍ଷା କରେ ଯାହା,
ସେଇ ଛେପ ଲେଣ୍ଡାଏ ଛିଟକାଇ ଦେଲେ କବିତା ଉପରେ ।
ଘଣ୍ଟାର ପୋଛାଲୁଗା ହେଲା କବିତା ।

ସେମାନେ ଏଇମିତି କବିତାକୁ ରକ୍ଷା କଲେ, ନିନ୍ଦା କଲେ,
ସେମାନେ ଦୀପରେ ଭରି ନେଲେ ପୁନାଗତେଲ କବିତାର;
ନିଉଛାଳି ଦେଲେ କବିତାକୁ ଓଦାଳିଆ ରଚନାବଳୀରେ ।
ବେଳେବେଳେ କବିତାକୁ ଫୁଟାଇ ନେଲେ ଦୁଗ୍ଧରେ,
ବାଲିରଗଡ଼ାମାନ ପ୍ରସ୍ତୁତ ସ୍ନାନ ପାଇଁ କବିତାର ।

ଆଉ ଏଇ ପ୍ରକ୍ରି୍ୟାରେ କବିତାର ଦେହରୁ ପୋଛି ନେଲେ,
ତାହାର ଜଳଜଳ ସ୍ୱରବର୍ଣ୍ଣ, ତା'ର ଶବ୍ଦର ଟୁକୁରା,
ତା'ର ଦୀର୍ଘଶ୍ୱାସ;
କବିତାକୁ ପ୍ରାୟ ଖୁନ୍ କଲେ ସେମାନେ ।

ସେମାନେ କବିତାକୁ ମୋଡ଼ିମାଡ଼ି ହାତ ପାଦ ବାନ୍ଧି ରଖି ଦେଲେ
ଗୋଟିଏ ପାକେଟ୍‌ରେ।
ତାହା ପରେ କବିତାରେ ଥିବା ଆଟୁକୁ, ଶ୍ମଶାନକୁ
ସମ୍ବୋଧନ କଲେ ।

ତାହା ପରେ,
ଜଣେ ପରେ ଜଣେ ଅବସର ନେଲେ -
ଚିହିଁକି ଆସିଲେ ମୋ ଆଡ଼କୁ ପାଗଳ ପରିକା;
କାରଣ, ମୁଁ ସେମାନଙ୍କ ପାଇଁ ଯଥେଷ୍ଟ ଜନପ୍ରିୟ ନୁହଁ,
ଅଥବା ମୋ କବିତାର ନିୟମମାଫିକ୍ ଭୁତଖେଳ ନାହିଁ ବୋଲି
କିଛିଟା ଘୃଣାରେ କାତର ହୋଇ 
ସେମାନେ ବିଦାୟ ନେଲେ ।
ସମସ୍ତେ ।

ଏବଂ ଠିକ୍ ତାହା ପରେ
ପୁଣି ଥରେ
ନାରୀ ଓ ପୁରୁଷ 
ଆସିଗଲେ ରହିବାକୁ
ମୋ କବିତା ସହ ।
ଆଉ ଥରେ ସେମାନେ ଜାଳିଲେ ନିଆଁ
ଗଢ଼ି ତୋଳିଲେ ଘରବାଡ଼ି,
ରୁଟି ସେକିଲେ,
ସହଭାଗ କରି ନେଲେ,
ଆଲୁଅ, ସୂର୍ଯ୍ୟ, ମାଟି, କାଦୁଅ, କାଠ
ଏବଂ ଭଲ ପାଇବାର
ବିଦ୍ୟୁତ ଝଲମଲ ମୁଦି ।

ଆଉ ଏବେର କଥା:
ଭଦ୍ରମହୋଦୟଗଣ, ମାଫ୍ କରିଦେବେ;
ଏଇ କାହାଣୀରେ ବାଧା ଦେଲି ।
କାରଣ ମୁଁ ନିଜେ ରହୁନି ଏଇଠି, ଯାଉଛି;
ଏଇ ସହଜ ସରଳ ସୁନ୍ଦର ସାଧାରଣ ମଣିଷର ସହ,
ରହିବାକୁ ଚିରକାଳ।

[ପାବଲୋ ନେରୁଦାଙ୍କର କବିତାର କଥା ଆମ କବିଙ୍କୁ କହିବା ଅର୍ଥ ସିଧାସଳଖ ହେଉଛି ନିଜ ମାଆ ଆଗରେ ମାଉସୀର କଥା ବଖାଣି ବସିଲା ଭଳି ହେବ । କହିବା କଥା ହେଉଛି, ଏଇ କବିତାରେ ମୁଁ ଯେତିକି ଅନୁସୃଜନକାଳୀନ ସ୍ୱାଧୀନତାର ଅପବ୍ୟବହାର କରିଛି, ତାହା ପାଇଁ ସମସ୍ତ ନେରୁଦାପ୍ରେମୀ କବି ଓ ବିଶୁଦ୍ଧତାବାଦୀ ଅନୁବାଦକମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ । ମୁଁ ନିଜକୁ ସବୁବେଳେ ଜଣେ ଗଦ୍ୟକର୍ମୀ ବୋଲି ବିଚାର କରେ । ତେଣୁ କବିତାର ଅନୁସୃଜନ କଲା ବେଳେ ଗଦ୍ୟଭାଗଟି ବେଶି ରହି ଯାଉଛି ବୋଲି ମୁଁ ଜାଣେ; ଆଉ, ଏଇ ତୃଟିଟି ଦୂର ହେବାର ସମ୍ଭାବନା ଆଦୌ ନାହିଁ । ନେରୁଦାଙ୍କ ଏଇ ପ୍ରସିଦ୍ଧ କବିତା 'ଓଡ୍ ଟୁ କ୍ରିଟିସିଜମ୍'ର ଏହା ଏକ ମୂଖ୍ୟତଃ ଭାବାନୁବାଦ । ଯଦି ଏଇ ଲେଖାଟିକୁ ପଢ଼ି, ଯେଉଁମାନେ ଏହା ଆଗରୁ ପଢ଼ି ନ ଥିବେ ସେମାନଙ୍କ ଭିତରୁ କେହି ନେରୁଦାଙ୍କ ଏହି ମୌଳିକ କୃତି ଓ ନେରୁଦାଙ୍କୁ ପଢ଼ିବାକୁ ଆଗ୍ରହୀ ହେବେ, ତେବେ ସେଇଟି ବଡ଼ କଥା ହେବ । ଏଇ କବିତାର ଶେଷ ଧାଡ଼ିଟି ଭଳି, ସହଜ ସରଳ ସାଧାରଣ ମଣିଷ ସହ ଚିରକାଳ ରହିବାଠାରୁ ଅଧିକ ସୁନ୍ଦର କ'ଣ ଅଛି ? ]

Sunday, June 17, 2018

ପାଲି ଧମ୍ମପଦ (୭୮) ର ଓଡ଼ିଆ  ପଦ୍ୟାନୁବାଦ

୩ ପଣ୍ଡିତୋବଗ୍ଗୋ (ପଣ୍ଡିତ ବର୍ଗ)


ଆନ୍ଧ୍ରପ୍ରଦେଶର ବୋଜ୍ଜନକୋଣ୍ଡା ସ୍ଥିତ ବୁଦ୍ଧପ୍ରତିମା (ୱିକିମିଡିଆ କମନ୍ସ୍)

ପାପୀ ମିତ୍ର ସହିତ ସମ୍ପର୍କ ନ ରଖିବ ।
ଅଧମ ପୁରୁଷ ସହ କେବେ ନ ରହିବ ।
ଉତ୍ତମ ମିତ୍ରଙ୍କ ସହ ସମ୍ପର୍କ ରଖିବ ।
ସୁପୁରୁଷମାନଙ୍କର ସହିତ ରହିବ ।୩। 

ନ ଭଜେ ପାପକେ ମିତ୍ତେ ନ ଭଜେ ପୁରିସାଧମେ ।
ଭଜେଥ ମିତ୍ତେ କଲ୍ୟାଣେ ଭଜେଥ ପୁରିସୁତ୍ତମେ ।୩।

ନ ଭଜେତ୍ ପାପକାନି ମିତ୍ରାଣି ନ ଭଜେତ୍ ପୁରୁଷାଧମାନ୍ ।
ଭଜେତ୍ ମିତ୍ରାଣି କଲ୍ୟାଣାନି ଭଜେତ୍ ପୁରୁଷୋତ୍ତମାନ୍ ।୩।

Friday, June 15, 2018

ମାଣ୍ଡିଆ ରୁଟି


ମାଣ୍ଡିଆ ଶସ୍ୟ (ୱିକିମିଡିଆ କମନ୍ସ୍)

ସାମଗ୍ରୀ - ମାଣ୍ଡିଆ ଚୁନା ୫୦୦ ଗ୍ରାମ, ଆବଶ୍ୟକତା ଅନୁସାରେ ଲୁଣ ଓ ପାଣି ।

ପ୍ରଣାଳୀ - ମାଣ୍ଡିଆ ଚୁନାକୁ ପାଣି ଦେଇ ଅଟା ଭଳି ଚକଟି ଲେମ୍ବୁ ଆକାରର ଗୁଳାମାନ କରନ୍ତୁ  ଓ ଗୁଳାକୁ ବେଲଣାପେଡ଼ିରେ ରୁଟି ପରି ବେଲି ଗରମ ତାୱା ଉପରେ ପକାନ୍ତୁ । ରୁଟି ହୋଇ ଆସିଲେ ତା' ଉପରେ ସବୁ ଦିଗରେ ସମାନ ଭାବେ ପଡ଼ିବା ଭଳି ସାମାନ୍ୟ ପାଣି ଛିଞ୍ଚି ନିଆଁ ଉପରେ ରୁଟି ସେକା ସରଞ୍ଜାମ ସାହାଯ୍ୟରେ ରଖି ଭଲ ଭାବେ ଫୁଲିବା ପରି ସେକନ୍ତୁ ।

କେବଳ ମାଣ୍ଡିଆ ଚୁନାରେ ରୁଟି କରିବାରେ ଅସୁବିଧା ହେଲେ ସେଥିରେ ଅଟା, ବାଜରା, ଯଅ ଚୁନା ଇତ୍ୟାଦି ମଧ୍ୟ ମିଶାଇ ପାରନ୍ତି । ବାଜରା ଓ ଯଅର ରୁଟି ମଧ୍ୟ ଏହି ଭଳି କରାଯାଇପାରେ । ଚୁନା ସହିତ ଛୋଟ ଛୋଟ କଟା ଯାଇଥିବା ଶାଗ ମିଶାଇ ରୁଟି କରାଯାଇପାରେ । ଗୁଡ଼ ମିଶାଇ ମିଠା ରୁଟି ମଧ୍ୟ କରାଯାଇପାରେ ।

ବି.ଦ୍ର. - ମାଣ୍ଡିଆ ରୁଟି ରାନ୍ଧିବାର ଏହି ପ୍ରଣାଳୀଟି ନିର୍ମାଣ ସଂସ୍ଥା ଛାପିଥିବା ପୁସ୍ତିକା ମାଣ୍ଡିଆ ଜାତିର ଶସ୍ୟର ବ୍ୟଞ୍ଜନ ବିଚିତ୍ରାରୁ ନିଆଯାଇଅଛି । ବହିଟିର ସଂକଳକ ଓ ସମ୍ପାଦକ ହେଲେ ବିକାଶ ରଥ, ତଥା ଅନୁବାଦକ ହେଲେ ବିଘ୍ନେଶ୍ୱର ସାହୁ । 

Wednesday, June 13, 2018

ବନଫୁଲଙ୍କର 'ନିମଗଛ' 

ଅନୁବାଦ - ଜ୍ୟୋତି ନନ୍ଦ


ବନଫୁଲ
(ୱିକିନାଓ)

କିଏ ଛାଲ ଖଣ୍ଡେ ଛେଲି ଗରମପାଣିରେ ସିଝେଇ ବସିଲାଣି ।
ପାଛିଆଏ ପତ୍ରମାନଙ୍କୁ ଛିଣ୍ଡେଇ ସାରି ଶିଳରେ ବାଟୁଛି କିଏ ।
କିଏ ବା ଭାଜୁଛି ଗରମ ତେଲରେ ବସି ଚୁଲିମୁଣ୍ଡରେ ।
ଯାଦୁ, କାଛୁ, କୁଣ୍ଡିଆ ର ସବୁ ଜାଗା ଅଜାଗାରେ ବୋଳାଯିବ  ।
ଚର୍ମରୋଗର ଅବ୍ୟର୍ଥ ମହୌଷଧ ।

କଅଁଳ ପତ୍ରକୁ ଅନେକେ ଖାଆନ୍ତି ।
ଏମିତି କଞ୍ଚା କଞ୍ଚା,
ଅବା ସୋରିଷ ତେଲରେ ଚକା ଚକା ବାଇଗଣ ଭଜା ସହ ।
ଯକୃତକୁ ଭାରି ପଦାର୍ଥ ସିଏ ।

ଏପରିକି କଅଁଳି ଡାଳ ପତ୍ରକୁ ଭାଙ୍ଗି ଚୋବାନ୍ତି କେତେକ, ଦାନ୍ତମାନ ବଜ୍ର ହେବ ।
କବିରାଜ ମାନେ ପଞ୍ଚମୁଖ ପ୍ରଶଂସାରେ ।
ଘର ପାଖରେ ଚାରାଟିଏ ଦେଖିଲେ ବିଜ୍ଞ ଜନେ ଭାରି ଖୁସି ହୁଅନ୍ତି,
କହନ୍ତି, ଥାଉ, କାଟନି, ନିମଗଛର ହାଉଆ ଦେହକୁ ହିତ ।

କାଟନ୍ତିନି କେହି, ଯତ୍ନ ବି ନିଅନ୍ତିନି।
ଆବର୍ଜନା ଜମି ଆସୁଥାଏ ଚାରିପାଶ ।
ନାଲି ପାଟକନା ବାନ୍ଧିଦିଏ କିଏ, ସେ ବି ଆଉ ଏକ ଆବର୍ଜନା ।

ହଠାତ୍ ଦିନେ ଜଣେ ନୂଆ କୁଣିଆ ଆସିଲେ ।
ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଲେ ନିମଗଛକୁ ।
ଛାଲ ଛେଲିଲେ ନାହିଁ,
ପତ୍ର ଛିଣ୍ଡେଇଲେ ନାହିଁ,
ଡାଳ ବି ଭାଙ୍ଗିଲେ ନାହିଁ ।

ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିଲେ ଖାଲି, କିଛି ଘଡ଼ି ।
କହି ଉଠିଲେ, ବାଃ କି ସୁନ୍ଦର ପତ୍ର,
ହାଲୋଳ କଲା ଭଳିକା ରୂପ ଦେଖ,
ପେନ୍ଥା ପେନ୍ଥା ଫୁଲ କି ଅପୂର୍ବ,
ଯେମିତି ପଞ୍ଝାଏ ତାରା ଓହ୍ଲାଇ ଆସିଛନ୍ତି ସବୁଜ ପାରାବାରକୁ ଅବିକା ।
ବାଃ ।

କିଛି କ୍ଷଣ ବିହ୍ୱଳ ହୋଇ ଚାଲିଗଲେ କୁଣିଆ ।
କବିରାଜ ନୁହଁନ୍ତି, କବି ସିଏ।
ନିମଗଛଟିର ମନ ବଳିଛି,
କୁଣିଆ ସାଙ୍ଗରେ ଚାଲିଯାଆନ୍ତା କି !

ପାରିଲାନି ।
ମାଟିର ଢେର୍ ଗହୀରକୁ କାହିଁ କେତେ ଦୂର,
 ମାଡ଼ି ଯାଇଛି ତାହାର ଅମାନିଆ ଚେରଯାକ ।
ଘର ପଛରେ ଆବର୍ଜନାସ୍ତୁପ ସବୁକୁ ସାଥିକରି ଛିଡ଼ା ହୋଇ ରହିଲା ସେ ।
ଆଉ ଏପଟେ,  ଘର ଭିତରେ,
ଯାବତୀୟ ଗୃହକର୍ମନିପୁଣା ଲକ୍ଷ୍ମୀବନ୍ତ ବୋହୁଟିର ଦଶା ସମାନ ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
(ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟ (୧୮୯୯-୧୯୭୯) ଓରଫ ବନଫୁଲ ପ୍ରତିବେଶୀ ବଙ୍ଗଳା କଥା ସାହିତ୍ୟର ଜଣେ ସମ୍ମାନାସ୍ପଦ ଜନପ୍ରିୟ ଉଚ୍ଚାରଣ । ତାଙ୍କର ଅନେକ କାହାଣୀ ବଙ୍ଗଳାରେ ଚଳଚ୍ଚିତ୍ରାୟିତ ହୋଇ ଦର୍ଶକ ମାନଙ୍କର ଅମାପ ଲୋକପ୍ରିୟତା ଲାଭ କରିଅଛି, ଯାହା ଏବେ ବି ଅର୍ଜନ କରିବାକୁ ସମର୍ଥ । ହଁ, ଯଦି କେବେ କେଉଁଠି ପଦ୍ମଭୂଷଣକୁ ଲେଖକର ମାନଦଣ୍ଡ ବୋଲି ବିଚାର କରାଯାଉଥାଏ, ତେବେ ସେମାନଙ୍କ ପାଇଁ ଏହି ତଥ୍ୟଟି ଗୁରୁତ୍ୱପୂର୍ଣ୍ଣ ହେବ ଯେ, ବନଫୁଲ ବି ଜଣେ "ପଦ୍ମଭୂଷଣ" ।)

Monday, June 11, 2018

ପଲ୍ କାରୁସ୍‌ଙ୍କର ୭୫ତମ 'ବୁଦ୍ଧ ଗାଥା' - 'ଅଛୁଆଁ' 

ଅନୁବାଦକ - ସୁଜାତା ମିଶ୍ର


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେତେବେଳେ ଭଗବତ ଶ୍ରାବସ୍ତୀର ଜେତବନରେ ବାସ କରୁଥିଲେ, ସେ ଭିକ୍ଷା ପାତ୍ର ନେଇ ଭିକ୍ଷା ପାଇଁ ଜଣେ ବ୍ରାହ୍ମଣ ପୁରୋହିତର ଘରକୁ ଗଲେ । ସେତେବେଳେ ସେଠାରେ ହୋମ କୁଣ୍ଡରେ ଆହୁତିର ଅଗ୍ନି ଜଳୁଥିଲା । ଏବଂ ପୁରୋହିତ କହିଲେ: "ହେ ଲଣ୍ଡିତ ମସ୍ତକଧାରୀ ! ସେହିଠାରେ ଠିଆ ହୁଅ । ହେ ତୁଚ୍ଛ ସନ୍ୟାସୀ, ତୁମେ ଅଛୁଆଁ ଅଟ ।"

ଭଗବତ ଉତ୍ତର ଦେଲେ: "ଅଛୁଆଁ କିଏ ଅଟେ ?"

"ଅଛୁଆଁ ସେହି ମନୁଷ୍ୟ ଯିଏ କ୍ରୋଧୀ, ଯେ ଘୃଣାକୁ ବହନ କରେ, ଯିଏ ଧୂର୍ତ୍ତ ଓ ଛଳନାକାରୀ, ଯିଏ ଭ୍ରମକୁ ଜାବୁଡ଼ି ଧରେ ଓ କପଟୀ ଅଟେ ।

"ଯିଏ ଧନ ଲୋଭୀ ଏବଂ କଳହପ୍ରିୟ, ଯେ ଦୁଷ୍ଟ ଭାବନା ପୋଷଣ କରେ, ଯିଏ ଇର୍ଷାଳୁ, ଭ୍ରଷ୍ଟ, ନିର୍ଲଜ ଏବଂ ଅନିଷ୍ଟ କରିବାକୁ ଡରେ ନାହିଁ, ସେ ହିଁ ଅଛୁଆଁ ଅଟେ । 

"ଜନ୍ମରୁ କେହି ଅଛୁତ ହୁଏ ନାହିଁ, ନା' ଜନ୍ମରୁ ବ୍ରାହ୍ମଣ ହୁଏ । ନିଜ କର୍ମ ଯୋଗୁଁ ହିଁ କେହି ଅଛୁତ କିମ୍ବା କେହି ବ୍ରାହ୍ମଣ ହୋଇଥାଏ ।"

ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍‌ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା  ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।

Saturday, June 09, 2018

ପୋଇ ଶାଗର ପତର ପୋଡ଼ା

ସରୋଜିନୀ ଚୌଧୁରୀ


ପୋଇ ଶାଗ (ୱିକିମିଡିଆ କମନ୍ସ୍)

ପ୍ରଣାଳୀ - ପୋଇର ଶାଗ ଓ ନରମ ନରମ ଡଙ୍ଗ ଚୁନେଇ କାଟି ଧୋଇ ଚିକ୍କଣ ସୋରିଷବଟା ଓ ତେଲ ଲୁଣ ମିଶାଇ କଦଳୀ ବା ଖଲି ପତ୍ର ଦୁଇ ପ୍ରସ୍ତ କରି ତହିଁରେ ରଖ ।  କଦଳୀ ପତ୍ର ହୋଇଥିଲେ ପଟୁକାରେ ବାନ୍ଧି ପୁଟୁଳା କରିବ; କିନ୍ତୁ ଖଲି ପତ୍ର ହୋଇଥିଲେ କାଠି ମାରି ପତରର ଲମ୍ବ ଭାଗରେ ବନ୍ଦ କରିବ । ମଲା ନିଆଁରେ ପୋଡ଼ିବ । ବାହାର କରି ଭଲ କରି ଝାଡ଼ିଝୁଡ଼ି ଉପରର ପତ୍ରଟା ବାହାର କରି ପକାଅ । 

ମଲା ନିଆଁରେ ପୋଡ଼ିବ । ବାହାର କରି ଭଲ କରି ଝାଡ଼ିଝୁଡ଼ି ଉପରର ପତ୍ରଟା ବାହାର କରି ପକାଅ ।

ଗୁଣାଗୁଣ - ପୋଇ ସ୍ନିଗ୍ଧ, ଶୀତଳ, ପିଚ୍ଛିଳ, ଗୁରୁପାକ, ମଳଭେଦକ, ଆଳସ୍ୟଜନକ, ପୁଷ୍ଟିଜନକ, ଶୁକ୍ରକାରକ, ନିଦ୍ରାବର୍ଦ୍ଧକ, ବାତପିତ୍ତନାଶକ ଓ ଶ୍ଲଷ୍ମାକାରକ ।

ବି.ଦ୍ର. - ପୋଇ ଶାଗର ପତର ପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, June 07, 2018

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୫

ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଜୈନ ସିଦ୍ଧଚକ୍ର ମହାଯନ୍ତ୍ର (ୱିକିମିଡିଆ କମନ୍ସ୍)


୭୧ 

ଅଙ୍ଗୁଳି ପ୍ରବେଶରୁ ବାହୁ ପ୍ରବେଶ ।
ଅର୍ଥକୌଣସି ବ୍ୟକ୍ତିକୁ ଦୟାଳୁ ଟିକିଏ ସୁବିଧା ଦେଲେ ଅଧିକ ସୁବିଧା ଦାବି କରିବା ।

୭୨ 

ସତ୍ୟ ହିଁ ଧବ
ମୃତ୍ୟୁ ହିଁ ଧୃବ ।
ଅର୍ଥ: ମୃତ୍ୟୁ ଜୀବନର ଅନ୍ତିମ ସତ୍ୟ ଭଳି, ସତ୍ୟ ସବୁ ହେଲେ ଚିରନ୍ତନ ।

୭୩ 

ବାପ ରାଣ ଢିଙ୍କି ଗିଳି ।
ଅର୍ଥ: ସାମର୍ଥ୍ୟ ନ ଥିବା ଲୋକ ଦ୍ୱାରା କୌଣସି କାର୍ଯ୍ୟକୁ ଜବରଦସ୍ତ କରାଇବା ।

୭୪ 

ପଣ୍ଡିତ ପୁଅ ମଣିଷ ମାରିଲେ ଦୋଷ ନାହିଁ ।
ଅର୍ଥ: ପ୍ରତିପତ୍ତି ଥିବା ଲୋକ ଦୋଷ କଲେ ତାହାକୁ ନ ଧରିବା ।

୭୫

ଅରକ୍ଷିତକୁ ଦଇବ ସାହା ।
ଅର୍ଥ: ଯାହାର କେହି ନାହିଁ ତାହାକୁ ଭଗବାନ ନିଶ୍ଚୟ ସହାୟ ହୁଅନ୍ତି ।

Tuesday, June 05, 2018

'ଉତ୍କଳ ଦୀପିକା'ରେ ପ୍ରକାଶିତ ନରମାଂସ ଭକ୍ଷଣ ସମ୍ପର୍କୀୟ ଏକ ଖବର


ନରମାଂସ ଭକ୍ଷଣ ସମ୍ପର୍କରେ ଥିଓଡର୍ ଡି ବ୍ରାଏ (୧୫୨୮-୧୫୯୮)ଙ୍କର ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଦ୍ୟ ଆମ୍ଭମାନଙ୍କ ଶ୍ରୁତି ଗୋଚରରେ ଆସିଲା ଯେ ମାହାଙ୍ଗା ଗ୍ରାମରେ କେତେକ ଦିନହେଲା ଗୋଟିୟେ ଅନାହାର ପୀଡ଼ିତ ସ୍ତ୍ରୀଲୋକ ଜାତିରେ ଗୁଡ଼ିଆଣୀ ପ୍ରବେଶ କରିଅଛି । ତାହାର ଗୋଟିଏ ପାଦ ଅନ୍ୟ ପାଦାପେକ୍ଷା ଛୋଟ ଅଟେ ଓ ମୁଖ ଅତି ବକ୍ର ରୂପେ କୁତ୍ସିତ ଓ କିଞ୍ଚିତ୍ ଭୟଙ୍କର ଓ ତାହାର ଅବସ୍ଥା ଅତି ଘୃଣାକର । ମନୁଷ୍ୟ ମାଂସ ଭକ୍ଷଣରେ ତାହାର ଅତ୍ୟନ୍ତ ପ୍ରି୍ତୀ । ଅନ୍ନ ଭୋଜନ ପାଉଥିଲେ ମଧ୍ୟ ସେ ଶ୍ମଶାନକୁ ଯାଇ ମୃତ ପିଣ୍ଡ ମୃତ୍ତିକା ମଧ୍ୟରୁ ବାହାର କରି କଞ୍ଚା ମାଂସ ଭୋଜନ କରେ । ଏକଦା ଗୋଟିୟେ ଅଳ୍ପ ବୟସ୍କ ସୁନ୍ଦରୀ ବାଳିକା ଦାଣ୍ଡରେ ବୁଲୁଥିଲା । ସେ ରାକ୍ଷାସୀ ତାକୁ ଦେଖି ତାହାଠାରୁ ଦୃତଗତିରେ ଆସି ତାହାର ଶରୀରରୁ ଦୁଇ ପୁଳା ମାଂସ କାମୁଡ଼ି ଖାଇଲା । ବାଳିକା ଉଚ୍ଚ ସ୍ୱରରେ ରୋଦନ କରନ୍ତେ କେତେକ ଜଣ ଗ୍ରାମବାସୀ ଦଉଡ଼ି ଆସି ବାଳିକାକୁ ରକ୍ଷାକଲେ । ଓ ରାଜଦଣ୍ଡ କିମ୍ବା ସ୍ତ୍ରୀ ହତ୍ୟା ଦୋଷଭୟରେ ସେ ରାକ୍ଷାସୀର ପ୍ରାଣନାଶ ନ କରି ତାକୁ ଯକ୍ଷ୍ଠିରେ ଯଥୋଚିତ ପ୍ରହାର ପ୍ରଦାନ କଲେ । ତାହାର ଏରୂପ କଦାଚାର ନିମନ୍ତେ ପୂର୍ବେ ଥରେ ତାହା ଶରୀରରେ ତପ୍ତ ଲୋହଦ୍ୱାରା ଛେଁକା ଦିଆଯାଇଥିଲା । ଏ ତ କଞ୍ଚା ଡାହାଣୀ ନୁହେଁ କାରଣ ତାହାହେଲେ କେବଳ ରକ୍ତପାନ କରନ୍ତା, ଏ ଗୋଟିଏ ଯୋଗିନୀ ପ୍ରବେଶ ହୋଇଅଛି, ଏହାକୁ ପ୍ରହାର ନ କରି ଛେନାପଣା ଇତ୍ୟାଦି ଦେଲେ ମଙ୍ଗଳ ହେବ । 

 ବି.ଦ୍ର. - ଏହି ପତ୍ରଟିର ବନାନ ଆଦି, ଯେପରି ମିଳିଅଛି, ସେହିପରି ଦିଆ ଯାଇଅଛି । ଏହି ଲେଖାଟି ଉତ୍କଳ ଦୀପିକାର ଅଗଷ୍ଟ ଏଗାର, ୧୮୬୬ ମସିହାର ସଂସ୍କରଣରେ ଛପାହୋଇଥିଲା । ଲେଖାଟି ସୃଜନିକା ସଂସ୍ଥାଙ୍କର ସୌଜନ୍ୟରୁ ମିଳିଅଛି ।

Sunday, June 03, 2018

ବୈଷ୍ଣବ ପଦାବଳୀ - 'ସଖୀ ପ୍ରତି ଶ୍ରୀରାଧା'

(ରାଗ-ଭୈରବୀ । ତାଳ-ଆଠତାଳି)


ରାଧା ଓ କୃଷ୍ଣ (ୱିକିମିଡିଆ କମନ୍ସ୍)

ଶ୍ୟାମ ସମ କମନୀୟ ନାହିଁ ଆଉ
ତା' ବାହୁଭିଡ଼ାରେ ମୋର ଦିନ ଯାଉ ।ଘୋଷା।

କି ସୁନ୍ଦର ପୀତପଟ ତ୍ରିଭଙ୍ଗ ମୂରଲୀ ନଟ,
ତା' ଶିର ମୁକୁଟ ଦିଶେ ଦାଉ ଦାଉ ।୧।

ଆଳି ମଙ୍ଗଳାକୁ ଜଣା, ଥିଲେ ନ ଥିଲେ କରୁଣା,
ନୟନ ସମ୍ପତ୍ତି ମୋର ଜୀଇ ଥାଉ ।୨।

ପଡ଼ିଗଲେ ତା' ନଜରେ, ମଦନ ମାଦକ ଶରେ,
ନାରୀ ହୃଦୟରୁ ଖସି ପଡ଼େ ହାଉ ।୩।

ନିନ୍ଦିଲେ ନିନ୍ଦନ୍ତୁ ଜନେ, ତା' ପଛେ ମୁଁ ବନେ ବନେ,
ଶିରେ ଘେନି ବୁଲୁଥିଲି ତା' କଠାଉ ।୪।

କବିରବି ଭାଷେ ରସେ, ମନପଥ ରତିତ୍ରାସେ,
ତା' ପ୍ରେମ ସାଗରେ ଚିତ୍ତ ବୁଡ଼ି ଯାଉ ।୫।

Friday, June 01, 2018

କୁଜି ଗେଣ୍ଡାର ସୁରୁଆ

ସରୋଜିନୀ ଚୌଧୁରୀ


ଜାପାନୀ କଳାକାର କାତ୍ସୁସିକା ହୋକୁସାଇ (୧୭୬୦-୧୮୪୯)ଙ୍କ ଦ୍ୱାରା ଅଙ୍କିତ ଗେଣ୍ଡାର ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ସାମଗ୍ରୀ - ଗେଣ୍ଡା ପାଞ୍ଚ ସାତ ଗଣ୍ଡା, ଜଳ ଦେଢ଼ ପା', ତେଜପତ୍ର ଖଣ୍ଡେ, ଧନିଆପତ୍ର ଦୁଇଟା, ଲୁଣ ଅଧଚିମୁଟେ, ଡାଲଚିନି ଖଣ୍ଡେ ।

ପ୍ରଣାଳୀ - ଗେଣ୍ଡା ଛଡ଼ାଇ ଥଲଥଲିଆ ଅଂଶଟା କାଢ଼ି ଧୋଇ ନିଅ । ଗୋଟିଏ ଛୋଟ ହାଣ୍ଡିରେ ଦେଢ଼ ପା'  ପାଣି ଦିଅ । ଗେଣ୍ଡାର ମାଂସତକ, ତେଜପତ୍ର, ଧନିଆ ପତ୍ର, ଡାଲଚିନି ଦିଅ । ହାଣ୍ଡି ଢାଙ୍କି ଚୁଲିରେ ବସାଆ । ଖୁବ ମୃଦୁ ମୃଦୁ ଜାଳ ଦିଅ । କୋଡ଼ିଏ ମିନିଟ ପରେ ଓହ୍ଲାଇ ଆସ୍ତେ ରସଟି ନିଗାଡ଼ି ନେଇ ଲୁଣ ମିଶାଇ ଉଷୁମ ଉଷୁମ ଖାଇବାକୁ ଦେବ ।  

ବି.ଦ୍ର. - କୁଜି ଗେଣ୍ଡାର ସୁରୁଆ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।