Thursday, January 31, 2019

ଫିଲିସ୍ତିନ୍‌ର ଆରବ-ଭାଷୀ କବି ଆସ୍‌ମା ଆଜାଇଜେଙ୍କ କବିତା - 'ମିଥ୍'

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'ଇତିହାସ' (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଚିତ୍ରକର - ଜର୍ଜ୍ ରାଣ୍ଡଲ୍ଫ ବାର୍ସ୍ (୧୮୬୧- ୧୯୩୮)

ଆରବର ଲୋକେ 'ଉସ୍ତୁରା' ବା 'ମିଥ୍' ବୋଲି ଗୋଟିଏ ଶବ୍ଦ ବାହାର କରି ଥିଲେ, ଲାଟିନ୍  'ଇସ୍ତୋରିଆ', ଅର୍ଥାତ୍ 'ଇତିହାସ'ରୁ । ଏଇଟି ଥିଲା ସେମାନଙ୍କର ସବୁଠୁ ବଡ଼ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ।

ଇତିହାସ ଥିଲା ଗଛରେ ବନ୍ଧା ହୋଇ ରହି ଥିବା ଗୋଟିଏ କୁକୁର । ଯିବ ଆସିବା ଲୋକେ ସେ କୁକୁରଟି ବାଧା ହୋଇ ରହିଛି ବୋଲି ଭାରି ମନ ଦୁଃଖ କରୁ ଥିଲେ । ତାହାର ମୁହଁରୁ ଥପ ଥପ କରି ଲାଳ ଗଡ଼ୁ ଥାଏ । ସେହି ଯିବାଆସିବା କରୁ ଥିବା ଲୋକମାନେ ମନକୁ ମନ କ'ଣ କିଛି କହି ସେଇ ଜାଗାଟିକୁ ଛାଡ଼ି ଚାଲି ଯାଉ ଥିଲେ । ଆଉ କେହି କେହି ସେହି କୁକୁର ପାଖକୁ ଆସି ତାହାର ଦେହକୁ ଛୁଇଁବାକୁ ଚେଷ୍ଟା କରନ୍ତେ, ସେ କୁକୁରଟି ଜୋର୍‌ରେ ଭୁକିବା ଯୋଗୁ ଭୟରେ ସେ ଜାଗାକୁ ଛାଡ଼ି ପଳାଉ ଥିଲେ । ଆଉ କେହି ଏଇଟା ଯେମିତି କ'ଣ କିଛିର ବାଧକ ସାଜିଛି, ସେଇମିତି ସେ କୁକୁରକୁ ଗୋଇଠାଏ ପକାଉଥା'ନ୍ତି ,ଆଉ ଯାହା ଫଳରେ ସେ ତାଙ୍କର ପାଦ ଚାଟୁ ଥାଏ ଆଉ ସେମାନେ ସେଇ ମଧୁର କ୍ଷଣକୁ ଉପଭୋଗ କରୁଥା'ନ୍ତି । ଏହି ସମସ୍ତ ଭାବନା ଅସଲରେ ହେଉଛି କେଉଁ ପରି ଗୋଟିଏ ଗଛ ଯିବାଆସିବା କରୁଥିବା ଲୋକଙ୍କୁ ନିଜର ଗଣ୍ଡି ସହିତ ବାନ୍ଧି ପାରିଛି, ସେହି କଥା ।

Wednesday, January 30, 2019

ଜାଗରେ ସର୍ବହରା

ମନମୋହନ ମିଶ୍ର


ମୃତ୍ୟୁସାଗରରେ ଉଷା (ୱିକିମିଡିଆ କମନ୍ସ୍)

ଜାଗରେ ସର୍ବହରା
ତ୍ୟାଗରେ ନିଦ୍ରା ତ୍ୱରା
ରୁଦ୍ଧ କାରା ଭାଙ୍ଗରେ ଭାଙ୍ଗରେ
ଭାଙ୍ଗରେ ଭାଙ୍ଗ
ଭାଙ୍ଗରେ ଭାଙ୍ଗ
ଗଗନେ ଲଞ୍ଜା ଫୁଟେ
ପବନେ ଝଞ୍ଜା ଛୁଟେ
ସାଗରେ ଉର୍ମି ମାତେ, ଘୂର୍ଣ୍ଣି ସାଥେ
ଗାଏରେ ବଜ୍ର ମନ୍ଦ୍ରେ, ଗାଏରେ କର୍ଣ୍ଣ ରନ୍ଧ୍ରେ,
ମୁକ୍ତ ଛନ୍ଦେ, ଜାଗରେ ଜାଗ
ଅନ୍ଧାରୀ ରାଜ୍ୟ ଛାଡ଼ି
ଆଲୋକ ପଥ ମାଡ଼ି
ଚାଲରେ ଯାତ୍ରୀ ଆଗେଇ ଉଲ୍‌କା ବେଗେ
ସଦମ୍ଭେ ଗୋଳା ଦାଗ, ଅରାତି ଦର୍ପ ଭାଙ୍ଗ
ସର୍ବଦାବୀ ମାଗରେ ମାଗ, ମାଗରେ ମାଗ । 
(ରଚନାକାଳ ୧୯୩୯ ମସିହା)

Tuesday, January 29, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଗାଅ ସର୍ବେ'

(ଭାଟିଆରୀ - ଆଡ଼ତାଳି)


ବ୍ରାହ୍ମ ଧର୍ମପ୍ରଚାରକ କେଶବଚନ୍ଦ୍ର ସେନଙ୍କର ସମାଧି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଗାଅ ସର୍ବେ,
ତାଙ୍କରି ମହିମା ଜୟ ଜୟ ରବେ । 

ସେ ଅନାଥନାଥ ଭଗବାନ,
ତାଙ୍କ ବିନା ଭବେ ନାହିଁ ତ୍ରାଣ,
ପ୍ରେମାନନ୍ଦେ ମାତି ସେ ଅଭୟପଦେ
ଏ ଜୀବନ କର ବଳିଦାନ ।

ହୃଦୟନନ୍ଦନ ପ୍ରାଣାରାମ
ପ୍ରାଣେଶ୍ୱର ପ୍ରାଣସଖା ନାମ
ଭଜ ନିରନ୍ତର ଜୀବନ ମରଣେ
ସେ ଏକା ଶରଣ ଶାନ୍ତିଧାମ ।

ତାଙ୍କ ପାଦପଦ୍ମ ଆଶ୍ରା କରି
ଯିବା ସର୍ବେ ଭବ-ସିନ୍ଧୁ ତରି,
ସେ ଅଭୟଦାତା ତାରିବେ ନିମିଷେ
ସର୍ବ ପାପ ତାପ ଭୟ ହରି ।

ଅସୀମ ଆକାଶେ ଜଳେ ସ୍ଥଳେ,
ତାଙ୍କ ଶ୍ରୀଚରଣ ଛାୟାତଳେ,
ମହିମାର ଲୀଳା ଲାଗିଛି ସନ୍ତତ
ଦେଖି ଭାସେ ଭକ୍ତ ଅଶ୍ରୁଜଳେ ।

Monday, January 28, 2019

ତେନ୍ତୁଳିର ସରବତ

ସରୋଜିନୀ ଚୌଧୁରୀ


ତେନ୍ତୁଳି ଗଛର ଚିତ୍ର (୧୮୬୫ ମସିହାରେ ଅଙ୍କିତ)
ଚିତ୍ରକର - ଫ୍ରେଡେରିକ୍ ଏଡୱିନ୍ ଚର୍ଚ୍ଚ୍ (୧୮୨୬-୧୯୦୦)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ ଓ ଗୁଣାଗୁଣ - ପୁରୁଣା ତେନ୍ତୁଳିର ସରବତ ଖାଇଲେ କୋଷ୍ଠବଦ୍ଧ, ଶୀରପିଡ଼ା ଆରୋଗ୍ୟ ହୁଏ । ତେନ୍ତୁଳିର ମଣ୍ଡ ଜଳ ଏକ ଗିଲାସ, ପରିମାଣ ମୁତାବକ ଚିନି ଏବଂ ଦୁଇ ତିନି ଟୋପା ଲେମ୍ବୁ ରସ ଏକତ୍ର ମିଶାଇ ଶୟନ ପୂର୍ବରୁ ଆହାର ପରେ ଅଥବା ପ୍ରାତଃକାଳରେ ଖାଲି ପେଟରେ ଖାଇଲେ ଅଜୀର୍ଣ୍ଣ କୋଷ୍ଠବଦ୍ଧ ଆଦି ଭଲ ହୁଏ ।

ଯକ୍ଷ୍ମା ଓ ବ୍ରଙ୍କାଇଟିସ ରୋଗରେ ବିଶେଷତଃ ବୃଦ୍ଧାବସ୍ଥାରେ ଏକ ପ୍ରକାର ପୁରୁଣା କାଶ ହୁଏ । ତହିଁରେ ପୁରୁଣା ତେନ୍ତୁଳି, ଗୁଡ଼ ସହିତ ସେବନ କଲେ ସଞ୍ଚିତ ଶ୍ଳେଷ୍ମା ବହିର୍ଗତ ହୋଇ ଉପକାର ହୁଏ ।

ଜ୍ୱରରେ ଦାହ ଓ ପିପାସାଧିକ୍ୟ ଥିଲେ ଏକ ଆଉନ୍ସ୍ ବୀଜରହିତ ତେନ୍ତୁଳି, ଦଶ ଆଉନ୍ସ୍ ଗରମ ଜଳରେ ମିଶାଇବ, ମିଶ୍ରି ଦେବ । ଶୀତଳ ହେଲେ ପାନ କଲେ ଉଲ୍ଲିଖିତ ଉପସର୍ଗ ପ୍ରାୟ ବ୍ୟବହାର ସଙ୍ଗେ ସଙ୍ଗେ ଦୂରୀଭୂତ ହୁଏ ।

ବି.ଦ୍ର. - ତେନ୍ତୁଳିର ସରବତ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Sunday, January 27, 2019

ଗାନ୍ଧୀଜୀଙ୍କର ଆଶ୍ରମ ଭଜନାବଳୀ - 'ବିଶ୍ୱ ଦେଖ ମଧୁମୟ'

କବି - ଗଙ୍ଗାଧର ମେହେର

ଗାୟକ - ରଘୁନାଥ ପାଣିଗ୍ରାହୀ

ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=Ep6Ms4bhX1A


୧୬୬୫ ମସିହାର ଏକ ବିଶ୍ୱ ମାନଚିତ୍ର
(ଏହା ପ୍ରଥମ ଥର ପାଇଁ ସମୁଦ୍ରର ସ୍ରୋତ ଦେଖାଇ ଥିଲା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ବିଶ୍ୱ ଦେଖ ମଧୁିମୟ ହେ ଜୀବନ
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟ ।

ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ ବନ୍ଧୁ ସଦାଳାପ
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପ ।

ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନ ପଥ
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁଝର ଶତ ଶତ ।

ମଧୁମୟ ବନେ ମଧୁମୟ ସ୍ୱନେ
ଗାଇ ମଧୁମୟ ଗୀତି
ବିହଙ୍ଗମ ଗଣ କରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି 

ଦିନେ ଦିନପତି ରାତ୍ରେ ୠକ୍ଷ ଗତି
ସହିତ କୁମୁଦ ବନ୍ଧୁ
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ।

ମହୀ ମହୀଧର ସରିତ ସାଗରେ
ସରେ ବନେ ଉପବନେ
ଦେଖ ପୁଷ୍ପକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନେ ।

ବିଶ୍ୱନାଥଙ୍କର କରୁଣା କନ୍ଦର
ମଧୁଝର ଜନ୍ମସ୍ଥଳ
ଚାହିଁ ଝର ପ୍ରତି ଉର୍ଦ୍ଧ୍ୱେ କଲେ ଗତି
ପାଇବୁ କରୁଣା ଜଳ ।

ହେଲେ ହେଁ ତୁ ସାନ କରୁଣା ନିଧାନ
ରାଜ୍ୟରେ କରିଛୁ ବାସ
ବଢ଼ାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ।

Saturday, January 26, 2019

ଆମ ହାତେ ଦେଇ ଭିକାରୀ ଥାଳ

ମନମୋହନ ମିଶ୍ର


ଭୀମରାଓ ଆମ୍ବେଦକର ରାଜେନ୍ଦ୍ରପ୍ରସାଦଙ୍କୁ ସମ୍ବିଧାନର ପ୍ରତି ପ୍ରଦାନ କରୁ ଥିବାର ଚିତ୍ରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା
ହେ ବାବୁ ! ତୁମେ ପାଲଟିଛ ରାଜା
ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।

ଆମେ ଫଳାଇଲୁ ସୁନାର ଫସଲ
ତୁମେ ନେଲ ତାହା କାଟି
ଆମ ପୁଅ ଝିଅ ଭୋକେ କଲବଲ
ମରନ୍ତି ପତର ଚାଟି;
ଆମ ହାଡ଼େ ତୁମେ ପଲଙ୍କ ଗଢ଼ିଛ
ମାରୁଛ ସଉକ ମଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ଆମର ଜୀବନ ହୁଡ଼ ରସ ତୁମେ
ଆମକୁ ପରଦା କର
ଆମ କୁଡ଼ିଆରେ ଅନଳ ଲଗାଇ
ପୀୟୁଷେ ଗରଳ ଭର,
ଛାତିର ମାଉଁସ ଛେଲା ଛେଲା ନେଇ
କଲ ପାଉଁରୁଟି ଭଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ଶିଳ ଶିଳୁପୁଆ ଗଗନେ ଉଡ଼ନ୍ତି
ଜମିଦାର ଦେଖେ ଚାହିଁ,
ଚରଚା କରିବୁ ଯେତେକ ଶୋଷକେ
ଏକତାର ଗାଇ,
ଚୁରୁଟ ଖସିବ ଚୋଚଲା ମୁହଁରୁ
ନିକାଲିବୁ ସବୁ ମଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।
ଆମ ହାତେ ଦେଇ ଭିକାରୀ ଥାଳ ହୋ
ତୁମେ ପାଲଟିଛ ରାଜା ।

ତୁମ ଲାଗି ନୁହଁ ସୁନା ଖଟୁଲି ହୋ
ତୁମ ଲାଗି ବେଡ଼ି ସଜା ।

Friday, January 25, 2019

ଦୁଧ କଦଳୀର ପାୟସ

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପ୍ରଣାଳୀ - ବିଶୁଦ୍ଧ ତଟକା ଦୁଧ ଅଧ ପାଏ, ବିଶୁଦ୍ଧ ଜଳ ଅଧ ପାଏ, ଏକତ୍ର ମିଶାଇ ଆଉଟ । ଦୁଇ ଉତୁରା ହେଲେ ଓହ୍ଲାଇ କୈଣସି ପାତ୍ରରେ ଢାଳ । ତହିଁରେ ସୁପୁଷ୍ଟ ଶୁଷ୍କ କଦଳୀ, ଚୁର୍ଣ୍ଣ ଏକ ଚାମଚ, ଚିନି ବା ମିଶ୍ରିର ଗୁଣ୍ଡ ଅଧ ଛଟାଙ୍କେ ମିଶାଇ ଘାଣ୍ଟିଘୁଣ୍ଟି କିଛି କ୍ଷଣ ଢାଙ୍କି ରଖ । ଅଳ୍ପ ଉଷୁମ ଥାଉଁ ଥାଉଁ ଖାଇବାକୁ ଦେବ ।

ଗୁଣାଗୁଣ - ଉଦରାମୟ ପ୍ରଭୃତି ରୋଗରେ ଏହା ପଥ୍ୟ ।

ବି.ଦ୍ର. - ଦୁଧ କଦଳୀର ପାୟସ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Thursday, January 17, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଆସ ଆସ ଭାଇ ବ୍ରହ୍ମ ପ୍ରେମ ନିକେତନେ'

(ଲଳିତ - ଆଡ଼ଠେକା)


ବ୍ରାହ୍ମସମାଜର ନବ ଦେବାଳୟର ଚିତ୍ର (ୱିକିମିଡିଆ କମନ୍ସ୍)

ଆସ ଆସ ଭାଇ ବ୍ରହ୍ମ ପ୍ରେମ ନିକେତନେ,
ପୂଜିବା ଆନନ୍ଦେ ମିଳି ପ୍ରେମମୟ ଶ୍ରୀଚରଣେ ।

କ୍ଷୁଦ୍ର ନୀଚ ଅହଙ୍କାର, ହିଂସା କ୍ରୋଧାଦି ବିକାର,
କୁଟିଳ ସ୍ୱାର୍ଥ ବିଚାର ନ ରହୁ କାହାର ମନେ ।

କ୍ଷମା ସିନ୍ଧୁ ହରି ନିଜେ ହୃଦୟେ କରନ୍ତୁ ବିଜେ,
ବିକାଶନ୍ତୁ କ୍ଷମା-ବୀଜେ ସନ୍ତାନ ହୃଦ-କାନନେ । 

ବ୍ରହ୍ମସତ୍ୟର ବାରତା ବ୍ରହ୍ମପ୍ରେମଗଭୀରତା
ସେ ପ୍ରେମର ଉଦାରତା ହେଜ ଭାଇ ହେଜ କ୍ଷଣେ ।

ପ୍ରେମମହିମା ସୁମରି ଆସ ଭାଇ ଆଶା କରି
ମିଳାଇବେ ନିଜେ ହରି ମହାପ୍ରେମର ମିଳନେ ।

Wednesday, January 16, 2019

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୧୧

ନୁବାଦକ - ଫକୀର ମୋହନ ସେନାପତି


ମୋଗଲ ସମୟର ଯୋଗୋବଶିଷ୍ଠର ଅଳଙ୍କରଣ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କର୍ମଯୋଗୀମାନେ ଆତ୍ମାଶୁଦ୍ଧିର ନିମନ୍ତେ
କର୍ମଫଳ ସଙ୍ଗ ତେଜି ଦେହଜ୍ଞାନ ଚିତ୍ତେ ।
ମମତ୍ୱବିହୀନ ଇନ୍ଦ୍ରି ଯୋଗେ ପ୍ରତିଦିନ
କରିଥା'ନ୍ତି ସର୍ବରୂପ କର୍ମ ଅନୁଷ୍ଠାନ ।

କାୟେନ ମନସା ବୁଦ୍ଧ୍ୟା କେବେଳୈରିନ୍ଦ୍ରିୟୈରପି
ୟୋଗୀନଃ କର୍ମ କୁର୍ବନ୍ତି ସଙ୍ଗଂ ତ୍ୟକ୍ତ୍ୱାତ୍ମଶୁଦ୍ଧୟେ ।

Tuesday, January 15, 2019

କଖାରୁ ଚଟଣି

ସରୋଜିନୀ ଚୌଧୁରୀ


ଉନବିଂଶ ଶତାବ୍ଦୀର ଜାପାନର କଳାକୃତି (ୱିକିମିଡିଆ କମନ୍ସ୍)

ଉପକରଣ - କଖାରୁ ଭଲ ମିଠା ରକମ ଦେଖି ଖଣ୍ଡେ, ଲୁଣ ଅନ୍ଦାଜ ମୁତାବକ, ପିଆଜ ଦୁଇଟା କିମ୍ବା ତିନିଟା, କଞ୍ଚା ମରିଚ ଦୁଇଟା ଓ ତେଲ ପଳେ ।

ପ୍ରଣାଳୀ - କଖାରୁ ଖଣ୍ଡରୁ ଚୋପା ଛଡ଼ାଅ । ଅନ୍ତି ଭଲ କରି କାଢ଼ି ପକାଅ ଏବଂ ଧୋଇ ଧାଇ ଭାତରେ ପକାଅ । ଭାତରେ ନ ପକାଇ ଡାଲିରେ ପକାଇଲେ ସ୍ୱାଦୁ ଅପେକ୍ଷାକୃତ ଭଲ ହୁଏ । ଭାତ ଠାରୁ ଡାଲିରୁ କାଢ଼ିବାକୁ ମଧ୍ୟ ସୁବିଧାଜନକ । ଭାତରୁ କାଢ଼ିବାବେଳେ ଯଦି ଭାଙ୍ଗି ଯାଏ ତେବେ ଭାତରେ ତାହାର ଗୁଣ୍ଡ ବା ଖଣ୍ଡ କୋରାକୋରାମାନ ବାହାରିବାରୁ ବିରକ୍ତିକର ହୁଏ । 

ସିଝା କଖାରୁ ଭଲ କରି ଚକଟି ତେଲ, ଲୁଣ, ପିଆଜ ସରୁସରୁ କାଟି ଓ ଗୋଟାଏ ଲଙ୍କାମରିଚ ଟିକିଟିକି କରି କାଟି ଦେଇ ଏକାଠି ସବୁ ମିଶାଇବ । ଗୋଳା ଗୋଳା କରି ରଖ, ବାକି ଥିବା ଲଙ୍କାମରିଚକୁ ଚେକିଚେକି କାଟି ମଞ୍ଜି ଯେତେ ଥିବ ଝାଡ଼ି ପକାଇ ଗୋଳାର ଉପରେ ବସାଇ ଦିଅ ।

ଗୁଣାଗୁଣ - କଖାରୁ ମଧୁରରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ଅଗ୍ନିମାନ୍ଦ୍ୟକାରକ, ପିତ୍ତବର୍ଦ୍ଧକ, ବାୟୁ କୋପକ ଓ ଶ୍ଲେଷ ନାଶକ ।


ବି.ଦ୍ର. - କଖାରୁ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Monday, January 07, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଏ ଘୋର ଗହନ ଭବେ'

(ଖମ୍ବାଜ - ତେତାଲା)


ପୂର୍ବ ମେଦିନୀପୁରର କନ୍ତାଇ ସ୍ଥିତ ବ୍ରାହ୍ମ ପ୍ରାର୍ଥନା ଗୃହ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏ ଘୋର ଗହନ ଭବେ ମହା ହାହାକାର ରବେ
କାହିଁକି ଭ୍ରମୁଛ ଦଗ୍ଧ ପ୍ରାଣେ ।
କରୁଣାବରୁଣାଳୟ ବିଧାତା ମଙ୍ଗଳମୟ
ସେ ସତ୍ୟ ସୁନ୍ଦର ସଖା ଛନ୍ତି ସନ୍ନିଧାନେ ।

ଦଗ୍ଧ ପ୍ରାଣର ବିଶ୍ରାମ ଆତ୍ମାର ଆନନ୍ଦଧାମ
ଲୋଡ଼ ରେ ବ୍ୟାକୁଳ ଚିତ୍ତେ ସେହି ପ୍ରାଣାରାମେ ।
ଆସ ରେ ଆସେ ରେ ପାଶେ ଫେଡ଼ିବି ତୋ ଦୁଃଖପାଶେ
ବୋଲି ଡାକୁଛନ୍ତି ସଖା ଶୁଣ ଶୁଣ ଧ୍ୟାନେ ।

Thursday, January 03, 2019

ମୂଳା ସିଝା

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ପ୍ରଣାଳୀ - ଗୋଟାଏ ନରମ ମୂଳାର ପଛ ଆଡ଼ୁ ଦୁଇ ଆଙ୍ଗୁଳି କାଟି ପକାଅ ଏବଂ ଉପର ଆଡ଼ର ବଡ଼ ବଡ଼ ପତ୍ରଗୁଡ଼ିକ ସବୁ ଛିଣ୍ଡାଇ ପକାଅ । ଛୋଟ ଛୋଟ ଦୁଇ ତିନିଟି ପତ୍ର ରଖି ଉତ୍ତମ ରୂପେ ଘସି ଧୋଇବ; ତାହାର ପରେ ପଛ ଆଡ଼ୁ ବରାବର ଚାରି ଫାଳ କରି କାଟି ଯାଅ, ମୁଣ୍ଡି ଆଡ଼କୁ ଯେମନ୍ତ ଗୋଟା ରହିବ ।


ଡାଲିରେ ପକାଇ ସିଝାଅ । ସିଝି ଗଲେ ବାହାର କରି ଛୁରିରେ ପାତଳା ପାତଳା କରି ଚୁନେଇ କାଟି ତେଲ ଲୁଣ ଗୋଳାଅ । ତତ୍ପରେ ଖଣ୍ଡିଏ ରେକାବିରେ ସଜାଡ଼ି ରଖ । ଉପରେ ଗୋଲମରିଚ ଗୁଣ୍ଡି ଛିଞ୍ଚି ଦିଅ; ଅଦା ଛଡ଼ାଇ ଗୋଲ ଚେକତି ଚେକତି କିମ୍ବା ସରୁ ସରୁ ଲମ୍ବା ଲମ୍ବା କାଟି ଉପରେ ସଜାଡ଼ି ରଖ ।

ଗୁଣାଗୁଣ - ମୂଳା କଟୁ ରସ, ଉଷ୍ଣବୀର୍ଯ୍ୟ, ତୀକ୍ଷ୍ମ, ଗୁରୁପାକ, ରୁଚିକର, ଅଗ୍ନିବର୍ଦ୍ଧକ ଏବଂ ବାୟୁ, ଅର୍ଶ, ଗୁଳ୍ମ, ହୃଦରୋଗ, ଶ୍ୱାସ, ପୀନସ ଓ ଚକ୍ଷୁ ରୋଗରେ ଉପକାରକ ।

ବି.ଦ୍ର. - ମୂଳା ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, January 01, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଧ୍ୟାନ କର ପ୍ରାଣ ମମ'

(ଝିଞ୍ଜିଟି - ଠୁମୁରି)


୧୮୬୦ରୁ ୧୮୮୦ ମସିହା ମଧ୍ୟରେ ଅଙ୍କିତ ଚୀନ ଦେଶର ଚିତ୍ର
ଚିତ୍ରଟି କାଗଜରେ ଅଙ୍କା ହୋଇ କନା ଉପରେ ଚଢ଼ା ଯାଇଛି
ଚିତ୍ରକର - ଅଜ୍ଞାତ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଧ୍ୟାନ କର ପ୍ରାଣ ମମ ସତ୍ୟ ଶିବ ସୁନ୍ଦରେ,
ଦଗ୍ଧ ଚିତ ମଗ୍ନ ହୁଅ ଶାନ୍ତି-ସୁଧା-ସାଗରେ ।

ସ୍ନାନ କର ତପ୍ତ ପ୍ରାଣ ପୁଣ୍ୟ ସୁଧାନିର୍ଝରେ,
ସେ ଅମୃତପାନେ ତୃଷା ତୃପ୍ତ କର ନିର୍ଭରେ ।