Tuesday, January 31, 2017

ମହିମା ଭକ୍ତି କବିତା - 'ଡାକ ନ ଶୁଣ କିମ୍ପାଇଁ'


କବି - ଭୀମ ଭୋଇ


ଲିସବନଠାରେ ୧୭୫୫ ମସିହାରେ ସଙ୍ଗଠିତ  ଭୂମିକମ୍ପ ଓ ସୁନାମି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଡାକ ନ ଶୁଣ କିମ୍ପାଇଁ,
ଭବସିନ୍ଧୁ ଜଳେ ପଡି ଭାସୁଅଛି ମୁହିଁ । ଘୋଷା ।

ଡାକି ଡାକି ଦିବାନିଶି କଣ୍ଠ ଶୁଖିଯାଇ
ଯେସନେ ଚାତକ ପକ୍ଷୀ ତେସନେକ ମୁହିଁ ।୧।

ନିରତେ ଆଶା କରିଛି ହୃଦପଦ୍ମେ ଧ୍ୟାୟି
କିମ୍ପା ନିର୍ଦ୍ଦୟା କରୁଛ ତ୍ରୈଲୋକ୍ୟ ଗୋସାଇଁ ।୨।

ଯା’ର ଆଜ୍ଞାରେ ଚଳୁଛି ତ୍ରିଭୁବନ ମହୀ
ଭକତ ବତ୍ସଳ ବାନା ଅଛ ପରା ବହି ।୩।

ମୁଢ ପାପୀ ଜୀବଆତ୍ମା କିମ୍ପା ଅଛ ରହି
କେ ସହୁ ଏତେ କଷଣ ମର୍ତ୍ତ୍ୟେ ଦେହ ବହି ।୪।

ଦୁଃଖୀ ଦୁଃଖ ଜଣାଉଛି ନ ଶୁଣ କିମ୍ପାଇଁ
ଅଲେଖ ଅବଧୂତ ବାନା କି କରିବ ଥାଇଁ ।୫।

ମୁହିଁ ପାପିଷ୍ଠ ପାମର ଦୁର୍ଜ୍ଜନ ଅଟଇ
ଅପରାଧ କ୍ଷମାକର ବୋଲେ ଭୀମ ଭୋଇ ।୬।

Monday, January 30, 2017

ଓଡ଼ିଆ ସିନେମାଗୀତ - 'ଗଙ୍ଗା ଯେ ଦେଶେ ବହେ'ର ଦ୍ୱିତୀୟ ଭାଗ


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=A_6bYiBTZUw


୧୯୬୬ ମସିହାରେ ହଙ୍ଗେରୀର ଡାକ ବିଭାଗ  ଜାରିକରିଥିବା ଡାକ ଟିକଟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ 



ଓଡ଼ିଆ ସିନେମାଗୀତ - 'ଗଙ୍ଗା ଯେ ଦେଶେ ବହେ'ର ପ୍ରଥମ ଭାଗ


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=M971pgrBYHU


ତାଜମହଲରୁ ଯମୁନାର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍



Sunday, January 29, 2017

ପର୍ବତରେ  ଧର୍ମୋପଦେଶ - ୩

ପବିତ୍ର ବାଇବେଲର ଓଡ଼ିଆ ଅନୁବାଦ


ଯୀଶୁ ଓ ନିକୋଡେମସ (୧୮୯୯ ମସିହାରେ ଅଙ୍କିତ)
ଚିତ୍ରକର - ହେନେରୀ ଓସାୱା ଟାନର (୧୮୫୯ - ୧୯୩୭)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍  

ନରହତ୍ୟା କର ନାହିଁ, ପୁଣି କେହି ନରହତ୍ୟା କଲେ, ସେ ବିଚାରସ୍ଥାନରେ ଦଣ୍ଡଯୋଗ୍ୟ ହେବ; ପୂର୍ବକାଳର ଲୋକମାନଙ୍କ ପ୍ରତି ଉକ୍ତ ଏହି ବାକ୍ୟ ତୁମ୍ଭେମାନେ ଶୁଣିଅଛ । ମାତ୍ର ଆମ୍ଭେ କହୁଁ, ଯେ କେହି ଆପଣା ଭାଇ ପ୍ରତି କ୍ରୋଧ କରେ, ସେ ବିଚାରସ୍ଥାନରେ ଦଣ୍ଡଯୋଗ୍ୟ ହେବ । ପୁଣି ଯେ କେହି ଆପଣା ଭାଇକି ପାଷାଣ୍ଡ ବୋଲି କହେ, ସେ ମହାସଭାରେ ଦଣ୍ଡନୀୟ ହେବ । ଆଉ ତୁ ମୂଢ଼, ଏ କଥା ଯେବେ କେହି ଆପଣା ଭାଇକି କହେ, ତେବେ ସେ ନରକାଗ୍ନିରେ ଦଣ୍ଡଯୋଗ୍ୟ ହେବ । ଏନିମନ୍ତେ ବେଦି ନିକଟକୁ ଆପଣା ନୈବେଦ୍ୟ ଆଣିଲେ, ତୁମ୍ଭ ସଙ୍ଗରେ  ତୁମ୍ଭ ଭାଇ ସଙ୍ଗରେ ମିଳିତ ହୁଅ, ପଛେ ଆସି ତୁମ୍ଭ ନୈବେଦ୍ୟ ଉତ୍ସର୍ଗ କର । ଆଉ ବାଟରେ ଯାଉଁ ଯାଉଁ ବିବାଦୀ ସଙ୍ଗରେ ବେଗେ ମିଳିତ ହୁଅ; ନୋହିଲେ ଅବା ବିବାଦୀ ତୁମ୍ଭକୁ ବିଚାରକର୍ତ୍ତାଙ୍କଠାରେ ସମର୍ପି ଦେଲେ ବିଚାରକର୍ତ୍ତା ଯେବେ ପ୍ରହାରକଠାରେ ତୁମ୍ଭଙ୍କୁ ସମର୍ପଣ କରନ୍ତି, ତେବେ ତୁମ୍ଭେ ବନ୍ଦିଘରେ ବନ୍ଦ ହେବ । ଆମ୍ଭେ ସତ୍ୟ କହୁଁ । ତୁମ୍ଭେ କଉଡ଼ି ଶେଷ ପର୍ଯ୍ୟନ୍ତ ପରିଶୋଧ ନ କଲେ ସେଠାରୁ କଦାପି ବାହାରି ଆସି ପାରିବ ନାହିଁ । 

ଉତ୍ସ - 'ପବିତ୍ର ବାଇବେଲ : ପୁରାତନ ଓ ନୂତନ ନିୟମ' । ବାଇବେଲ ସୋସାଇଟି ଅଫ ଇଣ୍ଡିଆ : ବାଙ୍ଗାଲୋର । ପ୍ରକାଶନର ତାରିଖ ଦିଆଯାଇନାହିଁ ।

ମହିମା ଭକ୍ତି କବିତା - 'ଦିଅ ପରିତ୍ରାଣ' 


କବି - ଭୀମ ଭୋଇ


ସଲିମ ଚିସ୍ତିଙ୍କର ମକବରାର ଜାଲି
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଦିଅ ପରିତ୍ରାଣ ଦାନ ସମ୍ଭାଳ ଶରଣ
ବିନତି ଘେନ । ଘୋଷା ।

ଭାସି ଯାଉଛନ୍ତି ସୁଜ୍ଞଜନ
ବୀରବଧୂ ବାନା ଥାଉଁ ନୋହୁଛି କାରଣ ।୧।

ସର୍ବେ ହୋଇଲେଣି ରଣଭଣ
ଅନ୍ତର୍ଯ୍ୟାମୀ କର୍ତ୍ତା ବିଜେ କରିଛ ଆପଣ ।୨।

ଅଚେତାରେ ହଜିଲାଣି ଜ୍ଞାନ
ଦିନ ଗଣି ପିଣ୍ଡୁ ଛାଡି ଗଲାଣି ପରାଣ ।୩।

କିବା ଦୁଷ୍ଟ ସନ୍ଥ ଗୁରୁଜନ
ଆୟୁ ଥାଉଁ ଘୋଟିଲାଣି ଅକାଳ ମରଣ ।୪।

ପୋଡି ଯାଉଅଛି ତ୍ରିଭୁବନ
ଜଳ ବୁନ୍ଦେ ସିଞ୍ଚିବାକୁ ଶ୍ରୀଗୁରୁ ଭାଜନ ।୫।

ଭଣେ ଅରକ୍ଷିତ ଭୀମ ହୀନ
ବିକଳରେ ବସୁନ୍ଧରା ହେଉଛି ଉଚ୍ଛନ୍ନ ।୬।

Saturday, January 28, 2017

ମହିମା ଭକ୍ତି କବିତା - 'ରଖ ନବଖଣ୍ଡ ମହୀ'


କବି - ଭୀମ ଭୋଇ

୧୮୧୭ରେ ଇଂଲଣ୍ଡର ଉବର୍ଣ୍ଣ ଆବିଠାରେ 'ହୋର୍ଟସ ଗ୍ରାମିନିଅସ'
 ପୃଥିବୀର ପ୍ରଥମ ପରିବେଶ ବିଜ୍ଞାନଗତ ପରୀକ୍ଷାର ନକସା

ରଖ ନବଖଣ୍ଡ ମହୀ ଅନାଦି ଅଲେଖ

ତିନି ତ୍ରୈଲୋକ୍ୟ । ଘୋଷା ।

ରକ୍ଷାକର ସ୍ୱାମୀ ନରଲୋକ
କିବା ଯୁବା ବୃଦ୍ଧ ସ୍ତିରୀ ପୁରୁଷ ବାଳକ ।୧।

କୀଟ ପତଙ୍ଗାଦି ଜଳପୋକ
ଯା’କୁ ଯେଉଁ ରୂପେ କର କାରଣ ବିବେକ ।୨।

ତୃଣାଦି ସ୍ଥାବର ତରୁ ବୃକ୍ଷ
ଶରଣ ସମ୍ଭାଳି ରଖ ଏ ଜନ୍ତୁ ଜୀବକ ।୩।

ଛେଦ ଘୋର କଳିକାଳ ପାପ
ବ୍ରହ୍ମା ବିଷ୍ଣୁ ଶିବ ଦଶଦିଗପାଳ ରଖ ।୪।

ନାମେ ସକଳଙ୍କୁ କର ମୋକ୍ଷ
ଦୟା ଚନ୍ଦ୍ର ସୂର୍ଯ୍ୟ ନବ ଲକ୍ଷ ନକ୍ଷତ୍ରକ ।୫।

ଭଣେ ଅରକ୍ଷିତ ଭୀମ ମୁର୍ଖ
ତଉଦ ବ୍ରହ୍ଣାଣ୍ଡ ଧରି ଏକ୍ୱୈଶ ପୁରକ ।୬।

Friday, January 27, 2017



ଓଡ଼ିଆ ସିନେମା ଗୀତ - 'ଝୁମି ଝୁମି ଆସେ ଆଖି'


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=xV60X9t-m8c


ନର୍ସ ରାତ୍ରିର ଦେବୀ ନଲ୍ଟଙ୍କର ଚିତ୍ର (ଉନବିଂଶ ଶତାବ୍ଦୀ)
ଚିତ୍ରକର - ପିଟର ନିକୋଲାଇ ଆର୍ବୋ (୧୮୩୧-୧୮୯୨)
 ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

କଣ୍ଠ - ସୁଜାତା ମୁଖାର୍ଜୀ ଓ ଅକ୍ଷୟ ମହାନ୍ତି  

ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି
ସପନ ଭରା ଜୀବନେ ମୋର
ସପନ ଭରା ଜୀବନେ ମୋର
ରାତି ଆଉ କେତେ ବାକି

ଝୁମି ଝୁମି ଆସେ ଆଖି
ଝୁମି ଝୁମି ଆସେ ଆଖି


Thursday, January 26, 2017

ମହିମା ଭକ୍ତି କବିତା - 'ବିନା ଭକତିରେ ହେ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ବିନା ଭକତିରେ ହେ, ପ୍ରାପତ ନୁହଇ ସଦଜ୍ଞାନ ।

ଏ ଦୁର୍ଲ୍ଲଭ ତନୁ ଗୁରୁସେବା ବିନୁ
ବର୍ତ୍ତିବ ସଂସାରେ କେଇଁ ଜନ । ଘୋଷା ।

ହେତୁ ଚେତା ରଖି ପିଣ୍ଡ ପ୍ରାଣ ବିକି
ପଦ୍ମ ପାଦ ତଳେ ଥିଲେ ମନ ।
ଅନ୍ତେ ଗତି ମୁକ୍ତି କାରଣ ଲଭନ୍ତି
ବିକାଶିବ ତେବେ ପୂର୍ବ ପୂଣ୍ୟ ।୧।

ଡର ଭୟ ନିନ୍ଦା ସ୍ତୁତି ହାନି ଲାଭ
ଏଡିଲେ ଲଡ୍ଡାଦି ମୋହ ମାନ ।
ଧନ ଦାରା ସୁତ ଦୁହିତା ସମର୍ପି
ଶ୍ରୀଗୁରୁ ଛାମୁରେ ଦେଲେ ଦାନ ।୨।

ଦୁଃଖ ସୁଖ ଫନ୍ଦା ବୃତ୍ତି କର୍ମ ଧର୍ମ
ଦେଇ ଖଟିଥିବ ଅନୁକ୍ଷଣ ।
ଚିତ୍ତ ମତି ଚିହ୍ନି ଅନ୍ତର୍ଗତେ ଜାଣି
ତେବେ ସିନା ହେବ ସୁପ୍ରସନ୍ନ ।୩।

ସଦଗୁରୁ ପାଦେ ଚିତ୍ତ ଅପ୍ରମାଦେ
ସେବା କରି ବଞ୍ଚୁଥିବ ଦିନ ।
ଆପେ ତରି ଗୃହ- ଜନଙ୍କୁ ତାରିବ
ସପତ ପୁରୁଷ ଉଦ୍ଧାରଣ ।୪।

ନିଜ ରୂପ ଉଦେ ଆତ୍ମଜ୍ଞାନ ଭେଦେ
ଅନନ୍ତ ଅରୂପ ନାରାୟଣ ।
ସ୍ୱଦେହେ ଭଜିଲେ ସତ୍ୟରେ ମଜ୍ଜିଲେ
ନିଷ୍କାମରେ ଫଳେ ନିରିଗୁଣ ।୫।

ସେ ଯେ ଅନାଦି ମହା ଶୂନ୍ୟ ପୁରୁଷ
ଭକ୍ତଙ୍କ ହିତ ଜୀବନ ଧନ ।
ବୋଲେ ଭୀମ ଭୋଇ ସେବା ଭକ୍ତି ଦେଇ
ଶ୍ରୀଗୁରୁଙ୍କୁ କରି ଦରଶନ ।୬।

କବିତା - 'ଭାଇ, ତମେ କେତେ ଜଣ'


ଜାତୀୟ କବି ବୀରକିଶୋର ଦାସ (୧୮୯୨-୧୯୫୪)


ଭଗତ ସିଂହ, ସୁଖଦେବ ଥାପର ତଥା ଶିବରାମ ରାଜଗୁରୁ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଭାଇ,
ତମେ କେତେ ଜଣ
ଜୀବନକୁ ପାଣି
ଛଡ଼ାଇ ନ ଦେଲେ ଚଳିବ କି ?
ଦଝୀଚିର ହାଡ଼
ଉଜାଡ଼ି ନ ଦେଲେ
ଜଗତର ଭାଗ୍ୟ ଫେରିବ କି ?

ଶେଷ ଯବନିକା ହେଲାଣି ପତନ
ବଦଳି ଯିବ ଏ ଶୋଷକ ଶାସନ
ଶୋଷଣ ନୀତିର ବତୀ ଲିଭି ଆସେ
ଜଳାଇଲେ ଦୀପ ଜଳିବ କି ?

ଆଖି ଆଗେ ସଫା ଦିଶେ ଢ଼ଳ ଢ଼ଳ
ସ୍ୱାଧୀନତା ସ୍ରୋତ ଆସଇ ପ୍ରବଳ
ପହିଲି ଆଷାଢ଼ ନଈ ବଢ଼ି ପାଣି
ତମେ ତାକୁ ଲୋଭେ ପିଇବ କି ?

ଧନୀ, ମହାଜନ, ରାଜା ଜମିଦାର
ତ୍ୟାଗ ମାଳିଧରି ହୋଇବେ ବାହାର
ଗେରୁଆ ବସନ ମଧୁର ବଚନ
ଶୁଣି ନିଜ ନୀତି ଭୁଲିବ କି ?

ଧଳା ବଦଳରେ କଳା ହେଲେ ଯୋକ
ମେଣ୍ଟିବ କି କୋଟି ଗରୀବଙ୍କ ଦୁଃଖ
ଚାଷୀ ମୁଲିଆଙ୍କ ଖପୁରିକି ଚୂରି
ଦିଲ୍ଲୀ ଦରବାର ତୋଳିବା କି ?

ତମରି ରକ୍ତରେ ଜାତୀୟ ପତାକା
ରଙ୍ଗାଇବ ଯେବେ ସହି ଶତ ଧକା
ମାନବ ଜାତିକି ବଞ୍ଚାଇ ରଖିବ
ପୃଥିବୀରେ ଯିବ ନାଆଁ ରଖି ।  

କବିତା - 'ଅରି ଫେରି ନାହିଁ '


କବି - ବୀରକିଶୋର ଦାସ (୧୮୮୨ - ୧୯୫୪)


୧୯୩୦ ଦଶକର ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅରି ଫେରି ନାହିଁ,
ଯୁଦ୍ଧ ସରି ନାହିଁ 
ଆସ ମୋ ଶିବିରେ ଆସ ଭାଇ !
ହିମାଳୟ ଶିରେ ଶବଦ ଶୁଭଇ
ଡର ନାହିଁ ଆଉ ଡେରି ନାହିଁ । ଘୋଷା ।

ସଉର ଜଗତୁଁ ରଣ ବିଜ୍ଞାନର
ବିଷ ପୂରାପୂରି ହରି ନାହିଁ ।
ପ୍ରକୃତି ସୁନ୍ଦରୀ ବିଜୟ ଚନ୍ଦ୍ରିକା 
ବିଶ୍ୱ ଗଗନରେ ଭରି ନାହିଁ ।୧।

ଭାରତର ନବ ମନ୍ତ୍ରର ଉଚ୍ଚାଟେ
ଶିବ ନାଚିଲାଣି ଶବ ପାଇଁ,
ମାନବ ମୁକତି ଗଙ୍ଗା ଆସୁଛନ୍ତି
ବାରେ ଚଉଦିଗ ଦେଖ ଚାହିଁ ।୨।

ଜଡ଼ ଚେତନର ବଳ କଷାକଷି
ଅସ୍ତ୍ର ଜବତ୍-ରଣ ଏହି
ତରଙ୍ଗ ଏହାର ରୋଧିବ କିଏ ସେ
ଯୁଗ ଯୁଗାନ୍ତର ଯିବ ବହି ।୩।

ଭକତ ଯେ ଅଛ ଦେବୀ ପୂଜା କର
ରକତ ମନ୍ଦାର ଢ଼ାଳି ଦେଇ,
ତରୁଣ କେ ଅଛ ମରଣକୁ ଦଳି 
ଦେବତା ପରାଏ ଉଠ ଚେଇଁ ।୪।

ଚାଷୀ କାରିଗର ପ୍ରାଣ ରକ୍ଷା କର
ଆଜି ଫୁଲ ପାଣି ସିଞ୍ଚି ଦେଇ,
ଅଚିରେ ଧରଣୀ ସରଗ ସାଜିବ
କଳି ଚାଲିଯିବ ବଳି ପାଇଁ ।୫।

Wednesday, January 25, 2017

ମହିମା ଭକ୍ତି କବିତା - 'ଭାସି ଯାଉଛି ପୃଥ୍ୱୀ' 


କବି - ଭୀମ ଭୋଇ



ଚିତ୍ର - 'ଦି ଗ୍ରେଟ ଫ୍ଲଡ଼' : ଅଜଣା କଳାକାର
ଆମଷ୍ଟରଡ୍ୟାମର ରିଜ୍କସମ୍ୟୁଜିଅମର ସଙ୍ଗ୍ରହ 

ଭାସି ଯାଉଛି ପୃଥ୍ୱୀ ।
ଡାକ ମହିମାଙ୍କୁ ରହୁ ଧରତି । ଘୋଷା ।

ସାଧୁ ସୁଜ୍ଞଜନ ଘେନ ମୋ ବଚନ କରୁଅଛି ବିନତି ।
ଯେଉଁ ଦିନଠାରୁ ଉଦେ ହେଲେ ଗୁରୁ
ରବି ତଳେ ଅଛ କେ କେ ଭଗତି ।୧।

ସଂସାର ପୋଡୁଛି ଆକାଶେ ଉଡୁଛି ଯେସନେ ଅଗ୍ନିକାନ୍ତି ।
ଜଳ ବୁନ୍ଦେ ଛିଞ୍ଚ ଦେବାକୁ କେ ଅଛି
ତିନିପୁର ମଧ୍ୟେ ହୋଇ ଶକତି ।୨।

ଯେବଣ ଭଗତ ରଖିବେ ଜଗତ କି ଅବା ଯତି ସତୀ ।
ତିନିପୁର ମହୀ ସମର୍ପିବେ ନେଇ
ଶିରେ ଉଡାଇବେ ଚାମର ଛତି ।୩।

ବେଳୁଁ ବେଳ ମହୀ ଉତପାତ ହୋଇ ପାପ ହେଲାଣି ପୃଥ୍ୱୀ ।
ମଦମାଂସ ଖାଇ ମହାସୁଖ ପାଇ
ନ ଜାଣିଲେ କେହି ଦିବସ ରାତି ।୪।

ଧର୍ମକୁ ସ୍ଥାପନ କର ସର୍ବଜନ ସତ୍ୟଯୁଗେ ଯେ ରୀତି ।
ଏ ପିଣ୍ଡ ବ୍ରହ୍ମାଣ୍ଡ ଯେ କଲେ ନିର୍ମାଣ
ସେ ଏକା ରଖିବେ ଏ ନବ କ୍ଷିତି ।୫।

ବ୍ରହ୍ମାଣ୍ଡ ରହିଲେ ପ୍ରଭୁଙ୍କୁ କହିଲେ ମିଳିବ ବସା ସ୍ଥିତି ।
ପାସୋରିବ ଦୁଃଖ ଲଭିବଇଁ ସୁଖ
ଭଣେ ଭୀମ ହୀନ ପାମର ମତି ।

ଓଡ଼ିଆ ସିନେମା ଗୀତ - 'ତୁମ ବିନା ଏଇ ରାତି ଭଲ ଲାଗେନା' 


ଗୀତର ୟୁଟ୍ୟୁବ ଲିଙ୍କ - https://www.youtube.com/watch?v=QKn0vPUvUjs


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍






Tuesday, January 24, 2017

ମହିମା ଭକ୍ତି କବିତା - 'ଅଣାକାର ଅଣରୂପେ ପ୍ରକାଶ'


କବି - ଭୀମ ଭୋଇ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅଣାକାର ଅଣରୂପେ ପ୍ରକାଶ ।
କିଛି ନ ଦିଶନ୍ତି ଶୂନ୍ୟ ଆକାଶ ।ଘୋଷା।

ବର୍ଣ୍ଣଭେଦ ନାହିଁ କି ବର୍ଣ୍ଣ ବର୍ଣ୍ଣିବି, 
ଅବର୍ଣ୍ଣ ସେ ପୁରୁଷ।୧।

ପାଦ ପାଣି ନାହିଁ କି ସେବା କରିବି,
ଭାବେ ହୁଅନ୍ତି ଦୃଶ୍ୟ ।୨।

କଟି ନାହିଁ  ଆଡ଼ବନ୍ଧ କଉପୁନୀ
କାହିଁ ପିନ୍ଧିବେ କିସ ।୩।

ନାହିଁ କରପଖା ହୃଦୟ ମଣ୍ଡଳ,
ନାହିଁ ଉର ସନ୍ଦେଶ ।୪।

କାହିଁ ନ ରୁହନ୍ତି ଛଡ଼ାଇ ହୁଅନ୍ତି,
ନ କରନ୍ତି ବିଶ୍ୱାସ ।୫।

ଭଣେ ଭୀମହୀନ ପାମର ଅଜ୍ଞାନ,
ଗୁରୁ ପୟରେ ଆଶ ।୬।

ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ


(କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ଜଜୀବନୀ ‘ନିରବଧି ନିରବ’ରୁ ସଙ୍ଗୃହିତ)


ମାନସିକ ବିଷାଦର ଲକ୍ଷଣ ବିଷୟକ ଏକ ଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନସ୍ସ


୧୯୫୬ ମସିହାର କଥା । ଅଗଷ୍ଟ-ସେପ୍ଟେମ୍ବର ମାସ । ସେତେବେଳେ କବି ଓ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ବରଷ ଶିକ୍ଷାଦାନ କରି ସାରି ନୂଆନୂଆ ପାରଳାଖେମୁଣ୍ଡି ପାଖ ଗୁରାଣ୍ଡିକୁ ବଦଳି ହୋଇଥାଆନ୍ତି । ଗୁରାଣ୍ଡି କବିଙ୍କର ଗାଁ ବାଣପୁରଠାରୁ ଅଢ଼େଇଶ କିଲୋମିଟର ଠାରୁ ମଧ୍ୟ ଦୂର ବାଟ । ସେତେବେଳେ ଗୁରାଣ୍ଡିକୁ ଯିବାର ତିନୋଟି ପି. ନିୟମ ପ୍ରଚଳିତ ଥାଏ । ତିନୋଟି ପି.ର ଅର୍ଥ ଇଂରାଜୀ ଭାଷାର ପି. ଅକ୍ଷରରୁ ଆରମ୍ଭ ତିନୋଟି ଶବଦ – ପୋଷ୍ଟିଙ୍ଗି, ପ୍ରମୋସନ ଓ ପନିଷିମେଣ୍ଟ । ଅର୍ଥାତ, ପ୍ରଥମ ଚାକିରୀ, ପଦୋନ୍ନତ୍ତି କିମ୍ବା ଦଣ୍ଡ ବିନା କେହି ଗୁରାଣ୍ଡି ଯାଉ ନଥିଲେ । କୁଷ୍ଟଁ ବାବୁ ଗୁରାଣ୍ଡି ଇସ୍କୁଲରେ ଯୋଗ ଦେବାର କିଛି ସପ୍ତାହ ଭିତରେ ତାଙ୍କର ଘୋର ମାନସିକ ଅବସାଦ ଦେଖାଦେଲା । ଏହିପରି ମାନସିକ ବିଷାଦ କବିଙ୍କ ପାଇଁ ପ୍ରଥମ ନଥିଲା । ଏହା ଆଗରୁ ଦୁଇଥର ସେ ଗଭୀର ମାନସିକ କଷ୍ଟ ଭୋଗିସାରିଥିଲେ । ପ୍ରଥମ ଥର ନିଜର ମା ଚାଲିଗଲା ପରେ । ୧୯୩୮ ମସିହାରେ । ମାତୃବିୟୋଗରେ କବିପ୍ରାଣରେ ଘୋର ଆଘାତ ଲାଗିଲା ସେତେବେଳେ କବିଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ଦ୍ୱିତୀୟ ଥର ନିଜର ପ୍ରାଣପ୍ରିୟ ଗୋପାଳ ଭାଇନା ହଇଜାରେ ଅସମୟରେ ପ୍ରାଣ ହରାଇଲା ପରେ । ସେତେବେଳେ କୁଷ୍ଟଁବାବୁଙ୍କୁ ମାତ୍ର ୩୨ ବର୍ଷ । ଭାଇ ଚାଲିଗଲା ପରେ କବିଙ୍କର ପରିବାରରେ ନାନା ଅଶାନ୍ତି ଦେଖାଦେଲା । ଭାଇଙ୍କୁ ଅକାଳରେ ହରାଇବାର ଦୁଃଖ ଓ ଏ ଅବ୍ୟବସ୍ଥା ତ୍ରିପାଠୀଏଙ୍କୁ କରାଇଲା ବିଷାଦଗ୍ରସ୍ତ ।

ପୂର୍ବକଥିତ ବୃତ୍ତାନ୍ତ ଅନୁସାରେ, ତୃତୀୟ ଛେକରେ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମାନସିକ ଅବସାଦ ଗୁରାଣ୍ଡି ଆସିଲା ପରେ ଦେଖାଦେଲା । ମନ ଭଲ ରହିଲା ନାହିଁ । ଭୋଜନର ସ୍ପୃହା ଚାଲିଗଲା । ବେଳେବେଳେ ଭାତ ତଣ୍ଟିରେ ଗଳେ ନାହିଁ । ବାନ୍ତି ଲାଗେ । ବାବୁ ପ୍ରଧାନ ଶିକ୍ଷକ ଫକୀର ଚରଣ ପଟ୍ଟନାୟକଙ୍କ ସହିତ ମିଶି ଇସ୍କୁଲରେ ହିଁ ଶୋଉଥାଆନ୍ତି । ହେଲେ ଅଧିକାଂଶ ଦିନ ଫକୀର ବାବୁ ଶୋଇସାରିଲା ପରେ, କୁଷ୍ଟଁ ବାବୁଙ୍କ ଆଖିକୁ ନିଦ ଆସେ ନାହିଁ । ଇସ୍କୁଲୁ ଘଣ୍ଟାର ଆୱାଜ ଶୁଣିଶୁଣି ଅନେକ ଦିନ ରାତିର ଅର୍ଦ୍ଧାଧିକ କଟିଯାଏ । ସକାଳ ହେଲେ ଗାଧୋଇପାଧୋଇ ଆସି ଶେଯରେ ଯଥାକଥା କରି ଶୋଇପଡ଼ନ୍ତି । ଅଧା ନିଦ୍ରିତ । ଅଧା ଜାଗ୍ରତ । ଧିରେ ଧିରେ ମାନସିକ ଅବସାଦ ଓ ନିଦ୍ରାହୀନତା ଇସ୍କୁଲର କାମରେ ମଧ୍ୟ ପ୍ରଭାବ ପକାଇଲା । ଖାତା ଦେଖା ଠିକ ଭାବରେ ହୋଇପାରିଲା ନାହିଁ । ଅନ୍ୟମନସ୍କତା ପ୍ରକାଶ ପାଇଲା ।

କବି ଜାଣିଥିଲେ ଯେ ରୋଗ ଭଲ ହେବା ପାଇଁ ଦରକାର ଧୈର୍ଯ୍ୟ ଓ ସାହସ । ଦ୍ୱିତୀୟରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ । ସେତେବେଳେ ମାନସିକ ଅବସାଦ ପାଇଁ ଓଡ଼ିଶାରେ ଡାକ୍ତରୀ ଔଷଧର ପ୍ରଚଳନ ପ୍ରାୟ ନ ଥାଏ । ଏ ଘଟଣାର ଷାଠିଏ ବରଷ ପରେ ମଧ୍ୟ ଅବସ୍ଥା କିଛି ବିଶେଷ ଭିନ୍ନ ନୁହେଁ । କୁଷ୍ଟଁବାବୁ ଅବସାଦକୁ ଦୂରେଇବା ପାଇଁ ଚଉକସ ଜଳଖିଆ ଖାଇବାକୁ ଆରମ୍ଭ କଲେ । ସକାଳୁ ଉଠି ଜଳଖିଆ ସହିତ କଞ୍ଚା ଅଣ୍ଡା ସହ କଫି ବା ଦୁଧ । ଦଶଟା ବେଳକୁ ଭାତ, ଡାଲି ଓ ତରକାରୀ ସହ ପାଏ ଖିର ଓ ଅର୍ଦ୍ଧ-ସିଦ୍ଧ ଡିମ୍ବ ଗୋଟାଏ । ସେହିପରି ରାତ୍ରିଭୋଜନ ସହିତ ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ସହିତ ଦୁଧ ଓ ଡ଼ିମ୍ବଭଜା । ଏହା ସହିତ ଔଷଧ ଭାବରେ ରତ୍ନପୁରୁଷ ଲେହ, ଛାଗଳାଦି ଘୃତ, ସିରପ, ଟନିକି, ଦିଲ୍ଲୀରୁ ସଙ୍ଗୃହିତ ହାକିମ ଦବାଇ, ଇତ୍ୟାଦିର ସେବନ ମଧ୍ୟ ହେଉଥାଏ । ସେତେବେଳେ ଗୁରାଣ୍ଡି ଇସ୍କୁଲୁରେ ଅଗାଧୁ ବୋଲି ଜଣେ ପିଅନ ବାବୁ ଥାଆନ୍ତି । ତ୍ରିପାଠୀ ବାବୁଙ୍କର ସେ ଅନେକ ସେବା କରନ୍ତି । ସକାଳେ ଓ ସନ୍ଧ୍ୟାବେଳେ ନିଇତି ମୁଣ୍ଡରେ ଭୃଙ୍ଗରାଜ ତୈଳ ମର୍ଦ୍ଦନ କରନ୍ତି । କୁଅରୁ ପାଣି କାଢ଼ି ମୁଣ୍ଡରେ ଢାଳି ଗାଧୋଇ ଦିଅନ୍ତି । ଖାଇବା ତିଆରି କରନ୍ତି । ଆଉ ଜଣେ ଥାଆନ୍ତି ଆପୁଡ଼ୁ ଆଜ୍ଞା । ଇସ୍କୁଲୁର ମେହେନ୍ତର । ଜର, ବାଧିକି ଇତ୍ୟାଦି ବେଳେ ଗୋଡ଼, ହାତ, ମୁଣ୍ଡ ଘଷି ଦିଅନ୍ତି । ଗୋଡ଼େ ଗୋଡ଼େ ଜଗିକି ରହନ୍ତି, ଯେମିତି ବାବୁ ଆପଣେ ଭଲରେ ରହିବେ ଆଉ ବାଧିକି ଦିହକୁ ପରାଶ ନଦେବ । ନିଜର ଯତ୍ନ ନେଇ, ଆଉ ଏଇ ଦୁଇଜଣ ତଥାକଥିତ ଅଶିକ୍ଷିତ ଲୋକଙ୍କର ସେବାଯତନରେ, ମାନସିକ ଅବସାଦରେ ଶୁକୁଟି ଆସୁଥିବା ଜୀବନଲତାଟି ପୁଣି ରସ ସଙ୍ଗ୍ରହ କଲା, ନୂଆ ପତର ଦେଲା । ଖରାଛୁଟି ବେଳକୁ ଘରକୁ ବାଣପୁର ଫେରିଲା ବେଳକୁ ଆଉ ଅବସାଦ ନଥିଲା ।

(ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୧ତମ ଖଣ୍ଡର ୧୪ ତମ ସଂଖ୍ୟାରେ ୨୦୧୭ ମସିହାରେ ପ୍ରକାଶିତ)
ବିଳାସପୁରର ବିସ୍ଥାପିତ ଲୋକେ ଓ ଜଙ୍ଗଲ ଅଧିକାର ଆଇନ

ପୁଷ୍ପାଞ୍ଜଳି ଶତପଥୀ ଓ ସାଥୀ


ହୀରୁକୁଦ ଉପରେ ଜାରୀ ୧୯୭୯ ମସିହାର ଡାକଟିକଟ
ଫଟୋ କ୍ରେଡ଼ିଟ - ୱିକମିଡ଼ିଆ କମନ୍ସ

ଏ ଲେଖାର ଜେଗା ଛତ୍ତିଶଗଡ଼ର ନଗର ବିଳାସପୁର ନୁହେଁ । ଏହି ବିଳାସପୁର ଆମ ରାଜ୍ୟ ଓଡ଼ିଶାର ସମ୍ବଲପୁର ଜିଲାର କୁଲୁଣ୍ଡି ପଞ୍ଚାୟତର ନୂଆବଘରା ଗାଁର ଗୋଟିଏ ପଡ଼ା । ବର୍ତ୍ତମାନ ଯେଉଁ ଲୋକମାନେ ବିଳାସପୁର ବସ୍ତିରେ ବସବାସ କରୁଛନ୍ତି, ତାହା ମଧ୍ୟରୁ ଯେଉଁମାନେ ହିରାକୁଦ ବିସ୍ଥାପିତ, ସେମାନେ ଗୀର୍ଦ୍ଧା ବୋଲି ଗୋଟିଏ ଗାଁରେ ବସବାସ କରୁଥିଲେ । ହିରାକୁଦ ବନ୍ଧ ଯେଉଁ ୩୨୫ଟି ଗାଁକୁ ବୁଡ଼ାଇଲା, ସେଥି ମଧ୍ୟରୁ ୨୯୧ଟି ଗାଁ ଓଡ଼ିଶାର ଓ ୩୪ଟି ଗ୍ରାମ ସେହି ସମୟର ମଧ୍ୟୀୟ ପ୍ରଦେଶର ଥିଲା । ଦେଶର ତଥାକଥିତ ବୃହତ୍ତର ସ୍ୱାର୍ଥ ପାଇଁ ବୁଡ଼େଇ ମାନଚିତ୍ରରୁ ଲିଭାଇ ଦିଆଯାଇଥିବା ଓଡ଼ିଶାର ୨୯୧ଟି ଗାଁ ଭିତରେ ଗୀର୍ଦ୍ଧା ଗ୍ରାମଟି ମଧ୍ୟ ଥିଲା ।

ସରକାରୀ ହିସାବ ଅନୁସାରେ ବୁ଼ଡ଼ି ଯାଇଥିବା ୩୨୫ଟି ଗାଁମାନଙ୍କରେ ଅତି କମରେ ୧୬, ୫୦୧ ପରିବାର ବସବାସ କରୁଥିଲେ । ମାତ୍ର ବେସରକାରୀ ହିସାବ ଏଥିରୁ କାହିଁ କେତେ ଅଧିକ । କିଛି ବେସରକାରୀ ହିସାବ ଅନୁସାରେ ଲକ୍ଷେ ଷାଠିଏ ହଜାର ଲୋକେ ବିସ୍ଥାପିତ ହୋଇଥିଲେ, ଯଦିଓ ସରକାରୀ ହିସାବରେ ହିରାକୁଦ ଦ୍ୱାରା ବେଘର ହୋଇଥିବା ଲୋକଙ୍କର ସଂଖ୍ୟା ପ୍ରାୟ ଲକ୍ଷେ । ଏହି ଲୋକେ ଜିଲ୍ଲା ବିଭାଜନ ପରର ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଓ ସୋନପୁର ଜିଲ୍ଲାରେ ବିଛାଡ଼ି ହୋଇ କେ କାହିଁ ପଡ଼ିଲେ ତାହାର ଇୟତ୍ତା ନାହିଁ । କିଛି ଲୋକେ କାହିଁ ଯେ ଗଲେ ତାହାର ହିସାବ ନା ସରକାର ପାଖରେ ଅଛି, ନା ଆଉ କାହା ପାଖରେ । ଗୀର୍ଦ୍ଧା ଗାଁର ଲୋକେ ମଧ୍ୟ ସେଇମିତି ବାତ୍ୟାମୁହଁରେ ଉଡ଼ିଯାଉଥିବା ତୁଳା ପରି ଛିଞ୍ଚାଡ଼ି ହୋଇ କେ କୁଆଡ଼େ ଗଲେ ।

ହିରାକୁଦ ଓଡ଼ିଶାରେ ବୁଡ଼ାଇଥିବା ଗାଁ ମାନ ଯେତେବେଳେ ବିସ୍ଥାପନ ଘଟିଲା, ସେ ପର୍ଯ୍ୟନ୍ତ ମଧ୍ୟ ଗାଁର ଜନଜୀବନରେ ପାରମ୍ପରିକ ଗ୍ରାମୀଣ ମୁଖିଆ, ଗଉନ୍ତିଆମାନଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଯେତେବେଳେ ଭିଟାମାଟି ଛାଡ଼ି ଚାଲିଯିବାର କଥା ଉଠିଲା, ଲୋକଶୃତି ଅନୁସାରେ, ସେତେବେଳେ ଗୀର୍ଦ୍ଧା ଗ୍ରାମର ଗଉନ୍ତିଆ ମଧ୍ୟ-ଭାରତର ବିଳାସପୁର ସହରକୁ ଉଠି ଚାଲିଗଲେ । ଯେଣେ ରଜା ତେଣେ ପ୍ରଜା ନ୍ୟାୟରେ ଅନେକ ଗ୍ରାମବାସୀ ଗଉନ୍ତିଆଙ୍କ ସହିତ ଉଠି ବିଳାସପୁର ନଗରରେ ବସବାସ କରିବା ପାଇଁ ଚାଲିଗଲେ । ସେଠାରେ ଏହି ବିସ୍ଥାପିତ ଲୋକମାନେ ପ୍ରାୟ ବାର ବର୍ଷ ଘର କରି ରହିଲେ । କିନ୍ତୁ ସହରୀ ଜୀବନ, ଭିନ୍ନ ଭାଷା ଓ ସଂସ୍କୃତି ଇତ୍ୟାଦି ସେମାନଙ୍କୁ ଆରେଇଲା ନାହିଁ । ସେମାନେ ବିଳାସପୁରରେ ରହି ଏ କଥା ମଧ୍ୟ ଶୁଣିଲେ ଯେ ସେ ସମୟର ଲୋକପ୍ରିୟ ସାମ୍ୟବାଦୀ ନେତା ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପଣ୍ଡା ଲୋକଙ୍କର ଜମି ଉପରେ ଅଧି୍କାର ଓ ବିସ୍ତାପିତମାନଙ୍କର କ୍ଷତିପୂରଣ ପାଇବା ପାଇଁ ଲଢ଼ୁଛନ୍ତି । ଜମି ଓ କ୍ଷତିପୂରଣର ସମ୍ଭାବ୍ୟ ଆକର୍ଷଣ ତଥା ଭିଟାମାଟିର ମୋହରେ ଟାଣି ହୋଇ କିଛି ଗ୍ରାମବାସୀ ଓଡ଼ିଶା ଲେଉଟି ଆସିଲେ ।

ସାମ୍ୟବାଦୀ ନେତା ଶ୍ରୀ ପ୍ରସନ୍ନ ପଣ୍ଡା ଏହି ଲୋକମାନଙ୍କର ଗଉନ୍ତିଆଙ୍କର ପରିବାରର ହିଁ ଲୋକ ଥିଲେ । ସେ ବିଳାସପୁରରୁ ଫେରିଥିବା ଗ୍ରାମବାସୀମାନଙ୍କୁ ବର୍ତ୍ତମାନର ବସ୍ତିଟିରେ ଥଇଥାନ କଲେ । ଔପନିବେଶିକ ସମୟରେ ମୂଳ ଦେଶରୁ ଯେତେବେଳେ ଲୋକେ ଯାଇ ଅନ୍ୟ ଦେଶ ମହାଦେଶମାନଙ୍କର ବସତି ସ୍ଥାପନ କରୁଥିଲେ, ସେତେବେଳେ ଅନେକ ସମୟରେ ଜେଗା ଗୁଡ଼ିକର ନାଁ ପାଇଁ ପୁରୁଣା ନାମଗୁଡ଼ିକର ବ୍ୟବହାର କରୁଥିଲେ । ସେହି ପରି ଭାବରେ ନିଉ ଜି ଲ୍ୟାଣ୍ଡ (ଅର୍ଥାତ ନବୀନ ‘ଜି ଲ୍ୟାଣ୍ଡ’) ଦେଶ ବା ନ୍ୟୁ ୟର୍କ (ବା ନୂଆ ୟର୍କ) ନଗରର ନାମ କରଣ ହୋଇଥିଲା । ଯେତେବେଳେ ଗୀର୍ଦ୍ଧା ଗାଁର ଲୋକେ ଓଡ଼ିଶା ଫେରି ଆସିଲେ, ସେତେବେଳେ ସେମାନେ ନିଜର ନୂଆ ବସତିଟିର ନାଁ ଆଉ ପୁରୁଣା ଗାଁ ବା ପଡ଼ା ହିସାବରେ ଦେଲେ ନାହିଁ । ବୋଧେହୁଏ ବିସ୍ଥାପନର ସ୍ମୃତି ଅତ୍ୟନ୍ତ କଷ୍ଟଦାୟକ ଥିଲା । ତେଣୁ ସେମାନେ ନିଜର ନୂଆ ପଡ଼ାର ନାମ ଦେଲେ ବିଳାସପୁର, ସେ ସମୟର ମଧ୍ୟ ପ୍ରଦେଶର ବିଳାସପୁର ନଗରର ନାମ ଅନୁସାରେ ।

ସେତେବେଳେ ଏହିପରି ବାରଟି ପରିବାର ବର୍ତ୍ତମାନର ବିଳାସପୁର ବସ୍ତିକୁ ଫେରିଆସି ରହିବାର ଆମେ ଖବର ପାଉ । ବିସ୍ତାପିତ ଏହି ମୂଳ ବାରଟି ପରିବାର ଆସି ନୂଆବଘରା ଗ୍ରାମରେ ପଡ଼ାଟିଏ ବାନ୍ଧି ସିନା ରହିଲେ । ହେଲେ ସେମାନଙ୍କୁ କିଛି କ୍ଷତିପୂରଣ ମିଳିଲା ନାହିଁ । କିଛି ଜଙ୍ଗଲ ଜମି ଆବାଦ କରି ସେମାନେ ଜୀବିକା ନିର୍ବାହ କରିବାକୁ ଲାଗିଲେ । ଏହି ଗରୀବ ଭୂମିହୀନମାନଙ୍କ ଜମି ଉପରେ ଅଧିକାର ତ ମିଳିଲା ନାହିଁ, ବରଂ, ଅନେକ ସମୟରେ ସେମାନଙ୍କ ବିରୋଧରେ ମକଦ୍ଦମା ମଧ୍ୟ ରୁଜୁ କରାଯାଉଥିଲା । ଏହା ଛଡ଼ା, ସେମାନଙ୍କୁ ଜଙ୍ଗଲ ବିଭାଗକୁ ନାନାଦି ଜୋରିମାନା ମଧ୍ୟ ଗଣିବାକୁ ପଡ଼ୁଥିଲା । ଲୋକେ ଖାଲି ଜୋରିମାନା ଗଣିଗଣି ରହିଲେ । କ୍ଷତିପୂରଣ ବାବଦରେ ମିଥ୍ୟା ପ୍ରତିଶୃତି ଛଡ଼ା, ଲୋକଙ୍କ ଅନୁସାରେ, ପ୍ରଶାସନଠାରୁ ଆଉ କିଛି ମିଳିଲା ନାହିଁ ।

ହିରାକୁଦ ବିସ୍ଥାପିତଙ୍କର ତୃତୀୟ ପୁରୁଷ ଏବେ ଏଠାରେ ରହୁଛନ୍ତି । ଏମାନଙ୍କର ପରିବାର ସଂଖ୍ୟା ମଧ୍ୟ ଏବେ ବଢ଼ିଗଲାଣି । ବିସ୍ଥାପିତଙ୍କ ଛଡ଼ା ଏବେ ବିଳାସପୁର ପଡ଼ାରେ ସୁନ୍ଦରଗଡ଼ର କିଛି ଓରାଙ୍ଗ ଜନଜାତିର ପରିବାର, ସମ୍ବଲପୁରର ଅନ୍ୟ ଅଞ୍ଚଳରୁ ଆସି ବସବାସ କରୁଥିବା କିଛି ମୁଣ୍ଡା ପରିବାର ତଥା ଝାଡ଼ଖଣ୍ଡରୁ ଆସିଥିବା କିଛି ବଡ଼ାଇକ ପରିବାର ମଧ୍ୟ ବସବାସ କରୁଛନ୍ତି । କିଛି ମିର୍ଦ୍ଧା ପରିବାର ମଧ୍ୟ ବିଳାସପୁର ବସ୍ତିରେ ରହୁଛନ୍ତି । ଏହି ପଡ଼ାକୁ ବସବାସ କରିବା ପାଇଁ ଲୋକେ ଆସିବା ପ୍ରାୟ କୋଡ଼ିଏ ବରଷ ତଳେ ବନ୍ଦ ହୋଇଗଲା ।

ବିଳାସପୁର ଲୋକେ ଜଙ୍ଗଲ ଅଧିକାର ଆଇନ ବଳରେ ନିଜେ ଚାଷ କରୁଥିବା ଜମି ଉପରେ ସତ୍ତ୍ୱ ଜାହିର କରିବା ପାଇଁ ୪୮ଟି ଦାବୀ ପତ୍ର ବାଙ୍ଗଟାଲ ଜଙ୍ଗଲ ଅଧିକାର କମିଟି ଅଧିନରେ ଦାୟର କଲେ । ନିୟମ ଅନୁସାରେ ଏହି ଜମିର କ୍ଷେତ୍ର ନୀରିକ୍ଷଣ ଇତ୍ୟାଦି ସରିଗଲା ପରେ ଏହି ବର୍ଷ ୪୨ଟି ଦାବୀ ଦ୍ୱାରା ସିଦ୍ଧ ୧୦୧.୨୫ ଏକର ଜମି ଉପରେ ଗାଁର ଲୋକଙ୍କର ଅଧିକାର ସରକାର ସ୍ୱୀକର କରିଛନ୍ତି । ଛଅଟି ଅଣ-ଆଦିବାସୀ ଅନ୍ୟାନ୍ୟ ପାରମ୍ପରିକ ଜଙ୍ଗଲ ନିବାସୀମାନଙ୍କର ଅଧିକାର ପାଇଁ ଦାବୀ ଖାରଜ ହୋଇଯାଇଛି । ଗ୍ରାମବାସୀମାନଙ୍କ ଦ୍ୱାରା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ମଧ୍ୟ ଦାବୀପତ୍ର ଜଙ୍ଗଲ ଅଧିକାର କମିଟି ମାଧ୍ୟମରେ ଦିଆଯାଇଥିଲା । ମାତ୍ର ଏ ପର୍ଯ୍ୟନ୍ତ ଜଙ୍ଗଲ ଓ ରାଜସ୍ୱ ବିଭାଗ ଦ୍ୱାରା ଯୁଗ୍ମ ନୀରିକ୍ଷଣ ପ୍ରକ୍ରିୟା ସମ୍ପାଦିତ ହୋଇନାହିଁ । ଏ ବିଷୟରେ ଜଙ୍ଗଲ ବିଭାଗର ଅହହେଳା ହିଁ ପ୍ରାୟତଃ ଦାୟୀ ।

ଜଙ୍ଗଲ ଅଧିକାର ଆଇନ ଅଧିନରେ ବିସ୍ଥାପିତଙ୍କର ଭୁମ୍ୟାଧିକାର ସ୍ୱିକୃତ ହେବାରେ ବିଳାସପୁର ବୋଧେହୁଏ ପ୍ରଥମ ଉଦାହରଣ ଅଟେ । ଜଙ୍ଗଲ ଅଧିକାର ଆଇନର ମୂଳ ଲକ୍ଷ୍ୟ ଥିଲା ଔତିହାସିକ ଭାବରେ ଯେଉଁ ଜନଗୋଷ୍ଠୀମାନଙ୍କର ଜମି ଓ ଜଙ୍ଗଲ ଉପରେ ଅଧିକାର ହନନ କରାଯାଇଥିଲା, ତାହାର ନ୍ୟାୟସଙ୍ଗତ କ୍ଷତିପୂରଣ କରିପାରିବା । ଯଦିଓ ବିଳାଲପୁରରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏ ପର୍ଯ୍ୟନ୍ତ ସ୍ୱୀକୃତ ହୋଇପାରିନାହିଁ, ଲୋକଙ୍କର ବ୍ୟକ୍ତିଗତ ଜମି ଉପରେ ଅଧିକାର ସ୍ୱୀକୃତ ହେବା ଏକ ଶୁଭ ସଙ୍କେତ । ରାଜ୍ୟ ସରକାର ଓ ବିସ୍ଥାପିତମାନେ ବସବାସ କରୁଥିବା ଅଞ୍ଚଳମାନଙ୍କର ଜିଲ୍ଲା ପ୍ରଶାସନ ଏହାକୁ ଏକ ଉଦାହରଣ ଭାବରେ ଗ୍ରହଣ କରି, ଅତୀତରେ ଅଧିକାର ହନନ ହୋଇ ବିସ୍ଥାପିତ ହୋଇଥିବା ଲୋକଙ୍କର ଜମି ଅଧିକାରକୁ ଅଗ୍ରାଧୀକାର ଦେଇ ସ୍ୱୀକୃତି ପ୍ରଦାନ କଲେ, ଏହା ଏକ ଜାତୀୟ ଦୃଷ୍ଟାନ୍ତ ସୃଷ୍ଟି କରିବ । 

ବି.ଦ୍ର. ଏହି ଲେଖାଟି ଦୈନିକ ଧରିତ୍ରୀର ୯ ଜାନୁଆରୀ ୨୦୧୭ ସଂଖ୍ୟାର ସମ୍ପାଦକୀୟ ପୃଷ୍ଠାରେ  ଛପା ହୋଇଥିଲା । 

ମହିମା ଭକ୍ତି କବିତା -  'ଶୂନ୍ୟ ସ୍ୱରୂପ ହେ'


କବି - ଭୀମ ଭୋଇ 


ପୃଥିବୀର ଉଦୟର ଦୃଶ୍ୟ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଶୂନ୍ୟ ସ୍ୱରୂପ ହେ, ଘୋଟିଅଛ ତ୍ରିଭୁବନ ମହୀ,
ସୁଜ୍ଞାନୀ ଜନଙ୍କୁ ଚିତ୍ତରେ ଅଦୃଶ
କୁଜ୍ଞାନୀକି ପଥ ଦିଶୁନାହିଁ । ଘୋଷା ।

ଆଜ୍ଞାରେ ବାସୁକୀ ଧରିଛି ପୃଥ୍ୱୀକି
କିବା ଦୁଷ୍ଟ ସନ୍ଥ ଏକ ହୋଇ ।
କାହାକୁ ଅନ୍ତର ଚିତ୍ତେ ନାହିଁ ତାର
ଅଲେଖ ପୁରୁଷ ଦୀକ୍ଷା ବହି ।୧।

ସାୟେର ମଣ୍ଡଳ ଦ୍ରୌପଦୀର ଖେଳ
କେତେ ଉପଦ୍ରବ ମର୍ତ୍ତ୍ୟେ ନାହିଁ ।
ଧନ୍ୟ ସେ ପୁରୁଷ ଶୂନ୍ୟୁ ଅବକାଶ
ଉଦ୍ଧରେ ମାନବ ତନୁ ବହି ।୨।

ସ୍ୱର୍ଗେ ସୁରପତି ଦିଗପାଳ ଖ୍ୟାତି
ଅମ୍ରାଧୀ ଭୁବନେ ବାସ ପାଇ।
କେ ରଚିଲା ପୁର ହେତୁ ନାହିଁ ତାର
ଶଚୀ ଘେନି ଭୋଗ କଲା ତହିଁ ।୩।

ବ୍ରହ୍ମା ବେଦବର ଜଗତେ ଅଧିକାର
ଦିବସ ରଜନୀ ସୁସ୍ଥ ନାହିଁ ।
ବେଦାଧ୍ୟୟନରେ ସୃଷ୍ଟି ସର୍ଜ୍ଜନାରେ
କୋଟି କୋଟି ଯୁଗ ଗଲା ବହି ।୪।

ନକ୍ଷତ୍ରାଦି ଗଣ ଶଶାଙ୍କ ଅରୁଣ
ଚଳୁଛନ୍ତି ସର୍ବ ଆଜ୍ଞା ପାଇ ।
ଆଜ୍ଞା ବିନୁ ବଡ ଜଗତେ କେ ଗାଢ
ଦୁଷ୍ଟ ହୋଇ ଜଣେ କେହି ନାହିଁ ।୫।

ଘଟେ ଘଟେ ଦେଖ ନାହିଁ ରୂପ ରେଖ
ଏକରୁ ଅନେକ ସଞ୍ଚରଇ ।
ଭୀମସେନ ଭୋଇ ପଦେ ବଖାଣଇ
ଅମନ ମନ୍ଦିରେ ମନ ଥୋଇ ।୬।