Monday, October 26, 2020

ପାଶ୍‌ଙ୍କର କବିତା 'ଶହୀଦ ଭଗତ ସିଂ'

ଓଡ଼ିଆ ଅନୁବାଦକ - ଜ୍ୟୋତି ନନ୍ଦ


ଭଗତ ସି‌ଂ (୧୯୦୭-୧୯୩୧) ଙ୍କର ଏକ ତୈଳଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଶହୀଦ ଭଗତ ସିଂ
ପଞ୍ଜାବର ପ୍ରଥମ ଚିନ୍ତକ,
ସାମାଜିକ ସଂରଚନା ସମ୍ପର୍କରେ ଯିଏ
ବୈଜ୍ଞାନିକ ଆଖିରେ ରଖିଛି
ନିଜର ବିଚାର ।

ପ୍ରଥମ ବୌଦ୍ଧିକ ସେ, ଦେଖିଅଛି
ସାମାଜିକ ବିଷମତାର, ପୀଡ଼ାର,
କେତେ ଗହୀରରେ ରହିଥାଏ ଚେର

ପ୍ରଥମ ଦେଶଭକ୍ତ,
ମନ ଭିତରେ ଯାହାର ରହିଥିଲା,
ସମାଜର ଯେତେ ଯେତେ ସୁଧାର ହେବ,
ସେ ସବୁର ଏକ ନିଶ୍ଚିତ ଦୃଷ୍ଟିକୋଣ

ମହାନ ପଞ୍ଜାବୀପୁତ୍ର ସେ
ନିଜ ଭାବନା ଆଉ ବୁଦ୍ଧିର ମେଳକ
ମାନ୍ୟତାର କୁହୁଡ଼ିରେ ଆଶ୍ରା
ଲୋଡ଼ିନାହିଁ ଜମା ।

ଏମିତି ପଞ୍ଜାବୀ ସେ
ଦେଶଭକ୍ତିର ପ୍ରଦର୍ଶନକାରୀ ପ୍ରପଞ୍ଚରୁ
ସେ ମୁକ୍ତ ହୋଇଗଲା ।
ପଞ୍ଜାବର ବିଚାରଧାରାକୁ ତାହାର ଦାନ,
ସାଣ୍ଡର୍ସର ହତ୍ୟା
ଆସେମ୍ବ୍ଲିରେ ବୋମାମାଡ଼,
ଫାଶି ଦଉଡ଼ିରେ ଝୁଲି ପଡ଼ିବାଠୁ
କାହିଁ କେତେ ବେଶି ।

ଭଗତ ସିଂ ପ୍ରଥମ ଥର
ପଞ୍ଜାବକୁ
ବଣୁଆପହେଲବାନୀ ଆଉ ଅଶିକ୍ଷାରୁ
ବୁଦ୍ଧିବାଦର ରାସ୍ତା ଦେଖେଇଲା ।

ଯେଉଁ ଦିନ ଫାଶି ଦିଆ ହେବ,
କୋଠରୀରେ ତାହାର
ବହିଟିଏ ଲେନିନର ଥିଲା ।
ଗୋଟିଏ ପୃଷ୍ଠାରେ ରହିଥିଲା ସଯତ୍ନ ଭାଙ୍ଗ ।

ପଞ୍ଜାବର ଭାଷାକୁ
ତାହାର ସେଇ ଶେଷଦିନର
ପୃଷ୍ଠାର ଭାଙ୍ଗଠୁ, ଆଗକୁ ଯିବାକୁ ହେବ,
ଚାଲିବାକୁ ହେବ ଆଗକୁ ।

Saturday, September 26, 2020

 ରେଭେନଶା ଚିନ୍ତା

ଯଦୁନାଥ ପଣ୍ଡା


ରେଭେନଶା ବିଶ୍ୱବିଦ୍ୟାଳୟର ଇଷ୍ଟ ହଷ୍ଟେଲ୍ (୨୦୨୦ରେ ଉତ୍ତୋଳିତ)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ରେଭେନଶା ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ ଅବସ୍ଥାକୁ ନେଇ ଅନେକ ଲୋକ ଉଦ୍‌ବେଗ ପ୍ରକାଶ କରିବାର ଦେଖା ଯାଉଛି । ମେଧାବୀ ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପ୍ରତି ବିମୁଖ ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ମାନ୍ୟତା ତାଲିକାରେ ଏହା ତଳକୁ ଖସି ଚାଲିଛି । ହେଲେ ଏହି ଅବକ୍ଷୟ ଓ ତଜ୍ଜଲିତ କାରଣଗୁଡ଼ିକ କେବଳ ରେଭେନଶା ବିଶ୍ୱବିଦ୍ୟାଳୟର ପାଇଁ ନୁହେଁ, ଆମ ଦେଶର ଊଣା ଅଧିକେ ଶିଖର ସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ।  

ବିଶ୍ୱବିଦ୍ୟାଳୟଗୁଡ଼ିକର ଅବକ୍ଷୟର ରୋଗର ଚେରଟି ଯାଇଁ ବହୁତ ଗଭୀରରେ । ରୋଗଟିର ମୂଳ ବୋଧହୁଏ ସମାଜରେ ଗଣତାନ୍ତ୍ରିକରଣ ପ୍ରକ୍ରିୟାଟି ଅପମୃତ୍ୟୁ ଆଡ଼କୁ ଆଗେଇ ଚାଲିବାରେ, ଯାହା ଫଳରେ କି ବାହୁବଳ, ଧନବଳ ଏବଂ ରାଷ୍ଟ୍ର କ୍ଷମତା ଭଳି ସ୍ଥୂଳ କ୍ଷମତାଧାରୀମାନଙ୍କ ଆଧିପତ୍ୟ ନିରଙ୍କୁଶ ହେଇ ଉଠୁଛି । ଏହାର ଏକ ପ୍ରମୁଖ କାରଣ ଶିକ୍ଷାକୁ ନେଇ ଆମମାନଙ୍କର ମୂଲ୍ୟବୋଧ ଓ ମାନ୍ୟତା ଗୁଡ଼ିକର ସ୍ଥାନାପସାରଣ । ଏହାର ପରିଣତି ହେଉଛି, ମଣିଷର ଚେତନା, ଚିନ୍ତନ ଓ ସୂକ୍ଷ୍ମ ସମ୍ବେଦନା ଗୁଡ଼ିକ ଅଧିକରୁ ଅଧିକ ପଣ୍ୟବାହୀ ବଜାର କବଳିତ ହେଇଯିବା ଏବଂ ସେ ଦୃଷ୍ଟିରୁ ମଣିଷ ଯନ୍ତ୍ରଭଳି ତାହାର ପାରିପାର୍ଶ୍ଵିକ ପରିବେଶ ପ୍ରତି ଆବେଗିକ ସ୍ତରରେ ନିଷ୍ପନ୍ଦ ହେଇଯିବା ।

ଆଦର୍ଶ ଦୃଷ୍ଟିରେ ଗୋଟିଏ ଶିକ୍ଷାୟତନର ପ୍ରାଥମିକ କାମ ହେଉଛି, ପୃଥିବୀର ମନନ କ୍ଷମତା ଥିବା ଏକମାତ୍ର ପ୍ରାଣୀ ମଣିଷର ମନନଶୀଳତାକୁ ପରିପୁଷ୍ଟ କରି ତାକୁ ନାଗରିକରେ ପରିଣତ କରିବା । ପରବର୍ତ୍ତୀ କର୍ତ୍ତବ୍ୟ ହେଉଛି, ସେ ନାଗରିକକୁ ବିଭିନ୍ନ ବୃତ୍ତି ଗ୍ରହଣ ପାଇଁ ତାଲିମ ଦେଇ ସମାଜର ବିଭିନ୍ନ ବୃତ୍ତିଗତ ଦାୟିତ୍ଵ ତୁଲେଇବାକୁ ତିଆରି କରିବା । ନାଗରିକତାର ଅର୍ଥ ହେଉଛି, ସାମାଜିକ କର୍ତ୍ତୃତ୍ଵମାନଙ୍କ ପ୍ରଭୁତ୍ଵକୁ ଦାୟିତ୍ଵରେ ପରିଣତ କରେଇବାର ପ୍ରକ୍ରିୟାରେ ସହଭାଗୀ ହେବା । କାରଣ ସମାଜର ବିଭିନ୍ନ କର୍ତ୍ତୃତ୍ଵ ବା କ୍ଷମତା ବା ପ୍ରଭାବ କେନ୍ଦ୍ରଗୁଡ଼ିକ ମଧ୍ୟରୁ କୌଣସିଟି ବି ଯଦି ନିରଙ୍କୁଶ ହେଇଯାଏ, ତେବେ ତାହା ଅତ୍ୟାଚାରୀ, ଦୁର୍ନୀତିଗ୍ରସ୍ତ ଏବଂ ଦାୟିତ୍ୱହୀନ ହେଇ ଯିବାକୁ ବାଧ୍ୟ । 

ମଣିଷର ପ୍ରକୃତି ଦୃଷ୍ଟିରୁ କ୍ଷମତାର ଜାହିର କରିବାରେ ଥାଏ କ୍ଷମତାର ମାଦକତା । କର୍ତ୍ତୃତ୍ଵ ଦାୟିତ୍ଵ ନିଷ୍ପାଦନ କରିବାର ଏକ ମାଧ୍ୟମ ମାତ୍ର; ଏଣୁ ଦାୟିତ୍ଵ ପ୍ରଥମ, କର୍ତ୍ତୃତ୍ଵ ଗୌଣ । କିନ୍ତୁ ପ୍ରତ୍ୟେକ କ୍ଷମତା କେନ୍ଦ୍ରର କର୍ତ୍ତୃତ୍ଵକୁ ପ୍ରଭୁତ୍ଵରେ ପରିଣତ କରି ଦାୟିତ୍ଵକୁ ଗୌଣ କରିଦେବାର ପ୍ରବଣତା ଥାଏ । ତାହା ହିଁ ସମାଜ ଜୀବନକୁ ଅସଂହତ କରି ବୈଷମ୍ୟ, ଅତ୍ୟାଚାର, ଶୋଷଣ, ହିଂସା ଭଳି ବହୁ ପ୍ରକାର ବିଶୃଙ୍ଖଳାକୁ ଜନ୍ମ ଦିଏ । 

ସାମାଜିକ ଜୀବନରେ ବିଭିନ୍ନ କ୍ଷମତା କେନ୍ଦ୍ର ଥାଆନ୍ତି, ଯେମିତି ରାଷ୍ଟ୍ର କ୍ଷମତା ନିୟନ୍ତ୍ରଣ କରୁଥିବା ରାଜନୈତିକ ଗୋଷ୍ଠୀ ଏବଂ ଅମଲାତନ୍ତ୍ର ଯେଉଁମାନେ କି ସମାଜ ଜୀବନର ମୁଖ୍ୟ ପରିଚାଳକର ଭୂମିକା ତୁଲାନ୍ତି । ତାହା ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ଗଣମାଧ୍ୟମ, କୃଷକ, ଶ୍ରମିକ, ସାମ୍ବାଦିକ, କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ, ବୃତ୍ତିଜୀବି, ଛାତ୍ର, ଶିକ୍ଷକ, କାରିଗର, ଧାର୍ମିକ, ଜାତିଗତ ଗୋଷ୍ଠୀ ଇତ୍ୟାଦି ରହିଥା'ନ୍ତି, ଯେଉଁମାନେ କି ସମସ୍ତେ ମୋଟାମୋଟି ଭାବରେ ବ୍ୟବସ୍ଥାର ସମର୍ଥକ ବା ଏମାନଙ୍କ ମଧ୍ୟରୁ କେହି କେହି ବ୍ୟବସ୍ଥାର ସଂସ୍କାର ଦାବି କରି ସାମୟିକ ଭାବରେ ବିରୋଧ ପ୍ରଦର୍ଶନ କରନ୍ତି । ଏହା ଛଡ଼ା ବ୍ୟବସ୍ଥାକୁ ବିକୃତ କରୁଥିବା ମାଫିଆଙ୍କ ଭଳି ହିଂସ୍ର ତତ୍ତ୍ଵ ଏବଂ ବ୍ୟବସ୍ଥାର ସମୂଳ ବିନାଶ କରି ନୂତନ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହୁଁ ଥିବା ପ୍ରତିରୋଧୀ ତତ୍ତ୍ଵ ବି ଥାଆନ୍ତି । 

ଏହି ସମସ୍ତ ପ୍ରଭାବୀ ତତ୍ତ୍ଵମାନଙ୍କର ଅହରହ କ୍ରିୟା-ଅନୁକ୍ରିୟା ଦ୍ଵାରା ସମାଜ ଜୀବନ ଗଠିତ । ଏଇ କର୍ତ୍ତୃତ୍ଵ କେନ୍ଦ୍ରମାନଙ୍କର ପାରସ୍ପରିକ ପ୍ରଭାବ ମଧ୍ୟରେ ଆନୁପାତିକ ସନ୍ତୁଳନ ରକ୍ଷା କରିବାର ପ୍ରକ୍ରିୟା ହିଁ ଗଣତାନ୍ତ୍ରିକରଣ, ଯାହା ଦ୍ୱାରା ଏକ ସୁଷମ ସମାଜର ଗଠନ ସମ୍ଭବ । ତେବେ ଯାଇ ସାମାଜିକ ସମ୍ବଳର ସକ୍ରିୟ ଉତ୍ପାଦନ ଓ ସୁଷମ ବଣ୍ଟନ ସମ୍ଭବ ହେବ ଏବଂ ଏକ ଖଣ୍ଡିତ, ବିଭକ୍ତ, ସଙ୍ଘର୍ଷରତ ବିଷମତାପୂର୍ଣ ସମାଜ ସମ୍ପ୍ରୀତିପୂର୍ଣ ସହାବସ୍ଥାନ ଆଡ଼କୁ ଗତି କରିପାରିବ। ଏହି ସମ୍ପୃକ୍ତ ସମାଜ ଜୀବନ ହିଁ ଏକ ସମୃଦ୍ଧ ମାନବ ଜୀବନ ସୃଷ୍ଟି କରିପାରିବ। 
ଏହି କ୍ଷମତା କେନ୍ଦ୍ରମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଆବଶ୍ୟକ.ଯେଉଁ ସଚେତନ ସତର୍କ ସକ୍ରିୟତା, ଯାହାକୁ ଆମେ ପ୍ରକୃତ ଅର୍ଥରେ ରାଜନୀତି ହିଁ କହି ପାରିବା, ତାହା କେବଳ ସାମଗ୍ରିକ, ସମ୍ବେଦନଶୀଳ ଏବଂ ସମ୍ପୃକ୍ତ ଜୀବନ ଦୃଷ୍ଟି ଥିବା ନାଗରିକମାନଙ୍କ ସହଭାଗିତା ଦ୍ଵାରା ସମ୍ଭବ । ସେଭଳି ଏକ ନାଗରିକ ସମାଜ ଗଠନ କରିବାର ପ୍ରାଥମିକ ଭିତ୍ତିଟି ମଣିଷର ଚିନ୍ତନ ଏବଂ ଭାବନା କେନ୍ଦ୍ରକୁ ଗଢ଼ୁଥିବା ଶିକ୍ଷା ବ୍ୟବସ୍ଥା ଭିତରୁ ଜନ୍ମ ନେବା କଥା, ଯାହାକି ପରବର୍ତ୍ତୀ କ୍ଷେତ୍ରରେ ସମାଜର ଅନ୍ୟାନ୍ୟ ବିଭାଗ ଦ୍ଵାରା ପରିପୁଷ୍ଟ ହେବ ଏବଂ ତା ମଧ୍ୟରୁ ଏକ ପ୍ରମୁଖ ବିଭାଗ ହେଉଛି ଗଣମାଧ୍ୟମ । ସମାଜରେ ବିବେକ ରକକ୍ଷକର ଭୂମିକା ତୁଲେଇବାରେ ଏଇ ଦୁଇ ଅନୁଷ୍ଠାନର ଏକ ଗୁରୁ ଦାୟିତ୍ଵ ରହିଛି ।

ଆଦର୍ଶଗତ ଭାବରେ ସମାଜରେ ଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଗଣମାଧ୍ୟମର ଗଣତାନ୍ତ୍ରିକ ସମାଜ ନିର୍ମାତାର ଏହି ଉଚ୍ଚ ମାନ୍ୟତା ହିଁ ରହି ଆସିଥିଲା । ଲୋକ ମୁଖରେ ବିବେକ ତିଆରି କରୁଥିବା ଗୁରୁଙ୍କୁ ସାକ୍ଷାତ ଇଶ୍ଵର ହିଁ କୁହା ଯାଉଥିଲା । ବାସ୍ତବ କ୍ଷେତ୍ରରେ ତ ଏହାର ଅନେକ ବ୍ୟତିକ୍ରମ, ବିକୃତି ଏବଂ ଛଳନା ଅବଶ୍ୟ ରହିଥିଲା । ବାସ୍ତବ କ୍ଷେତ୍ରରେ ଜୀବିକା ଆଉ ପ୍ରତିଷ୍ଠା ଅର୍ଜନ ଶିକ୍ଷାର ମୂଳ ଲକ୍ଷ୍ୟ ରହିଥିଲେ ବି, ଶିକ୍ଷାନୁଷ୍ଠାନରେ ତଥାପି ଆଦର୍ଶ ନାଗରିକାତାର ବତୀଘରଟେ ଦୁପୁ ଦୁପୁ ହେଇ ଜଳୁଥିଲା । ପାଠପଢ଼ି କେବଳ ଧନ କି କ୍ଷମତା ଅର୍ଜନ କରିବି ବୋଲି କହିବାକୁ ସରମ ଲାଗୁଥିଲା ।

ବିଡ଼ମ୍ବନା ଏବଂ ହତାଶାର ବିଷୟଟି ହେଉଛି, ଏଇ ମାନ୍ୟତାଟି ଏବେ ଘୁଞ୍ଚିଘୁଞ୍ଚି ଯାଉଛି, ବିଶେଷତଃ ପ୍ରଯୁକ୍ତି ଓ ପ୍ରବନ୍ଧନ ଭଳି ଆଶୁ ଅର୍ଥକରୀ ବିଦ୍ୟାମାନଙ୍କର ପ୍ରାବଲ୍ୟ ପରେ । ଏହି ମାନ୍ୟତାର ବିପଜ୍ଜନକ ପରିସମାପ୍ତି ବୋଧହୁଏ ଆଉ ବେଶି ଡେରି ନାହିଁ । ଆଗରୁ ହୁଏତ ଜ୍ଞାନ ଆହରଣର ଛଳନା ଭିତରେ ଧନ ଅର୍ଜନ ହିଁ ବିଦ୍ୟାର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଏବେ କିନ୍ତୁ ଆଉ ଧନ ଅର୍ଜନ ନୁହେଁ, ଧନବର୍ଷଣ ହିଁ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ । ବିଦ୍ୟାସବୁ ପଣ୍ୟବାହୀ ବଜାରର ମନୋହରୀ ଦୋକାନ ଥାକରେ ସଜା ହେଇଛନ୍ତି । ବିଦ୍ୟାର୍ଥୀମାନେ ସୁଲଭ ସ୍ଵପ୍ନ ସବୁ ଦୁର୍ଲଭ ମୂଲ୍ୟରେ କିଣୁଛନ୍ତି କୋଚିଙ୍ଗ ସେଣ୍ଟରରୁ । ବିଦ୍ୟାବତୀ ସରସ୍ଵତୀ ଏବେ ସମ୍ପଦବର୍ଷିଣୀ ଲକ୍ଷ୍ମୀଙ୍କର ଚରଣ ସେବିକା । ବିଦ୍ୟାର ସର୍ବମାନ୍ୟ ମାପକ ହେଲା ଭିଟାମିନ-ଏମ୍ (ମନି)- ଏଡମିସନ ନବା ଆଗରୁ ପ୍ରଶ୍ନ କେତେ ଟଙ୍କାର ପେକେଜ ମିଳିବ ! ଧନ ଏବେ ଜ୍ଞାନର ମୂଲ୍ୟାୟକ । ଅର୍ଜିତ ଅର୍ଥର ଉପଯୋଗିତା ନୁହଁ, ତାହାର ବିପୁଳତା ହିଁ ସାମାଜିକ ପ୍ରତିଷ୍ଠା ନିର୍ଦ୍ଧାରଣ କରୁଛି । ସେଥି ପାଇଁ ପଣ୍ୟବାହୀ ବଜାର ହିଁ ଏବେ ସର୍ବମାନ୍ୟ ପ୍ରଭୁ । ଆଉ ପଣ୍ୟବାହୀ ବଜାର ଏବଂ ରାଷ୍ଟ୍ର କ୍ଷମତାକେନ୍ଦ୍ରର ପରିଚାଳକମାନେ ସହୋଦର ଭାଇ, ଉଭୟ ପରସ୍ପରର ବାହୁ ଛାୟା ତଳେ ଆଶ୍ରିତ ।

ଜୀବନରେ ବସ୍ତୁଗତ ପ୍ରାଚୁର୍ଯ୍ୟ, ବିପୁଳତା, ତଜ୍ଜନିତ ବିଳାସର ଆଶା ଏବଂ ସେସବୁକୁ ହାସଲ କରିବାକୁ ତଣ୍ଟିକଟା ପ୍ରତିଯୋଗୀତା, ମଣିଷକୁ ସବୁବେଳେ ସମ୍ବେଦନହୀନ, ଶଙ୍କାଗ୍ରସ୍ତ ଏବଂ ଚାପଗ୍ରସ୍ତ କରିବାକୁ ବାଧ୍ୟ । ଏଭଳି ପରିସ୍ଥିତିରେ ଏକ ସମାଜ-ସମ୍ପୃକ୍ତ ଜୀବନ ବଞ୍ଚିବାକୁ ତା’ ପାଖରେ ନା ସମୟ ଥିବ ନା ଥିବ ମନୋଭାବ । ସେଥି ପାଇଁ ଆଜିକାଲି ଅଭିଳାଷୀ ଯୁବ ସାମାଜ ଭିତରେ ରାଜନୈତିକ ନିସ୍ପୃହତା ଚରମ ସୀମାରେ ପହଞ୍ଚିଛି । ସେମାନଙ୍କ ଆଚରଣରେ କିନ୍ତୁ ଗୋଟେ ବିରାଟ ବିରୋଧାଭାସ । ସେମାନେ ରାଜନୈତିକ ବ୍ୟକ୍ତିମାନଙ୍କୁ ଗୋଟେ ପଟେ କପଟୀ ବୋଲି ଘୃଣା କରନ୍ତି ; କିନ୍ତୁ ନିଜର ସ୍ଵାର୍ଥ ହାସଲ ପାଇଁ ସେମାନଙ୍କର ଶରଣାପନ୍ନ ହେବାକୁ କୁଣ୍ଠା କରନ୍ତି ନାହିଁ । କ୍ଷମତାଧାରୀମାନଙ୍କର ପ୍ରଭୁତ୍ଵ ଦ୍ଵାରା ସେମାନେ ବିମୋହିତ ।

ଧନବର୍ଷାର ଏକାନ୍ତ ଆଉ ନିରଙ୍କୁଶ ଅଭିଲାଷର ମାନସିକତା ପ୍ରବଳ ସାମାଜିକ ବିଭେଦ ହିଁ ସୃଷ୍ଟି କରିଛି । ଦୁନିଆର ଶତକଡ଼ା ଏକ ଭାଗ ପାରିବାର ଲୋକଙ୍କ ପାଖରେ ସଂସାରର ସମ୍ପତ୍ତିର ଅଧା ଠୁଳ ହେଲାଣି । ସର୍ବୋଚ୍ଚ ଆୟକାରୀ ଏବଂ ସର୍ବନିମ୍ନ ଆୟକାରୀର୍ଙ୍କ ଭିତରେ ଆନୁପାତିକ ତଫାତ ତ ଏଇ ଦଶ ବର୍ଷ ଭିତରେ କାହିଁ କେତେ ଗୁଣ ବଢ଼ିଛି ।

ଏବେ ଉଚ୍ଚାଙ୍ଗ ସାହିତ୍ୟ କି ସଙ୍ଗୀତର ଆସରରେ, ସାମୁହିକ ସ୍ଵାର୍ଥଜଡ଼ିତ କୌଣସି ଗମ୍ଭୀର ବିଷୟରେ ସମ୍ପାନ କି ଆଲୋଚନା ଚକ୍ରରେ କେବଳ ପଚାଶ ବର୍ଷ ବଯସରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦେଖିବାକୁ ମିଳେ, ସେଠି ଦେଶର ଭବିଷ୍ୟତ ଯୁବ ଗୋଷ୍ଠୀ ଅନ୍ତର୍ହିତ । ଦେଶର ଯୁବ ମେଧାବୀ ଗୋଷ୍ଠୀ କେବଳ ଧନ ଅର୍ଜନ ଆଉ ଧନ ଖରଚ କରି ସାମାଜିକ ପରିଚୟ ଖରିଦ କରିବାରେ ବ୍ୟସ୍ତ । ସେମାନଙ୍କ ସୂକ୍ଷ୍ମ ସ୍ପନ୍ଦନ କି ଚିନ୍ତନ କେନ୍ଦ୍ର ଗୁଡ଼ାକ ଏବେ ନିଷ୍କ୍ରିୟ - ଅବ୍ୟବହାର ଜନିତ ଅବକ୍ଷୟ କାରଣରୁ ।

ଏ ପରିପ୍ରେକ୍ଷୀରେ ସବୁଠୁ ମାନ୍ୟତାର ସଙ୍କଟର ସମ୍ମୁଖୀନ ହେଉଛନ୍ତି, ରେଭେନ୍ସା ଭଳି ସାଧାରଣ ବିବିଧ ବିଦ୍ୟା ଶିକ୍ଷା ଦଉଥିବା ବିଶ୍ୱବିଦ୍ୟାଳୟମାନେ । ଅର୍ଥକରୀ ବିଦ୍ୟାମାନଙ୍କ ଚାକଚକ୍ୟ ପାଖରେ ତ ମଣିଷର ଜୀବନ-ଦୃଷ୍ଟି ଓ ଭାବଭୂମି ତିଆରି କରୁଥିବା ସମାଜ ବିଜ୍ଞାନ କି ଦର୍ଶନ ବିଦ୍ୟା ପଢ଼ିବା ଏକ ହୀନମନ୍ୟତାର କଥା; ଭାଷା କି ସାହିତ୍ୟ ବି ଭାବଗତ ସମ୍ବେଦନା ନୁହେଁ, ତଥ୍ୟଗତ ଯୋଗାଯୋଗର ଦକ୍ଷତା ବଢ଼େଇବାର ମାଧ୍ୟମ ମାତ୍ର । ଏମିତିକି ମୌଳିକ ପଦାର୍ଥ କି ଜୀବ ବିଜ୍ଞାନ ବି ଶ୍ରୀହୀନ । ଏପରିସ୍ଥିତିରେ ମେଧାବୀମାନେ ରେଭେନ୍ସାମୁଖୀ ହେଉ ନାହାନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବା ଆମ ଅବୋଧପଣିଆ ମାତ୍ର । 

ତେଣୁ ଏଇ ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଧଇଁସଇଁ, କିଭଳି ବଜାର ଉପଯୋଗୀ ମାନବ ସମ୍ବଳ ଯୋଗାଣ କରି ବଜାରର ମାନ୍ୟତା ହାସଲ କରିବେ । ସେଥି ପାଇଁ ସେମାନେ ତାଙ୍କର ବିଦ୍ୟାଗୁଡ଼ିକୁ ବି ବଜାର ଉପଯୋଗୀ କାଣ୍ଟଛାଣ୍ଟ କରି ପେଶ କରିବାରେ ଗଳଦଘର୍ମ; “ଚଞ୍ଚୁ, ଚରଣେ ଲଗାଇ ହିଙ୍ଗୁଳ” ବଗକୁ ହଂସ ସଜେଇବାରେ ବ୍ୟସ୍ତ । ଜ୍ଞାନଗୁରୁ ଶିକକ୍ଷକମାନେ ଏବେ ନିଜର ଆତ୍ମପ୍ରତ୍ୟୟ ହରେଇ, ବଜାର ଏବଂ ରାଜନୈତିକ କି ଅମଲାତନ୍ତ୍ରିକ କ୍ଷମମାତାଧାରୀମାନଙ୍କ ପାଖରେ ନିଜର ମାନ୍ୟତାକୁ ସମର୍ପଣ କରିଦେଇଛନ୍ତି । ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକମାନଙ୍କ ଅପେକ୍ଷା ଶିକ୍ଷା ପ୍ରାଶାସକମାନଙ୍କର କାଟତି ଅଧିକ । ସେଥି ପାଇଁ ପଦପଦବୀ ଲାଳସାରେ, ମାଲିସ ନହେଲେ ନାଲିସ ।

ଏଇ ସବୁ ବିକୃତିର ଉତ୍କଟ ପ୍ରତିଫଳନ ଆମେ ଦେଖିପାରିବା ଏଇ ଗଲା ନଭେମ୍ବର ମାସରେ ବହୁ ଯାକଜମକରେ ପାଳିତ ହେଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବିଲି ଉତ୍ସବ ଅବସରରେ । ସମ୍ପୂର୍ଣ୍ଣ ଉତ୍ସବଟିରେ ଗୁରୁତ୍ୱ ଥିଲା କେବଳ ରାଜନେତା ଏବଂ ପ୍ରଶାସନିକ ଅଧିକାରୀମାନଙ୍କର, ସେ ପୁଣି ପ୍ରାନ୍ତୀୟ ନୁହେଁ, ସର୍ବଭାରତୀୟ ସେବାର । ସେଇମାନେ ଅତିଥି, ଆଲୋଚକ, ପ୍ରବକ୍ତା, ସଭା ଆଉ ଶୋଭାର ସର୍ବେସର୍ବା; ବିଶ୍ୱବିଦ୍ୟାଳୟର ଏକ ମାତ୍ର ସଫଳ ସନ୍ତାନ ଗୋଷ୍ଠୀ ! ଉତ୍କଳ ବିଶ୍ୱବିଦ୍ୟାଳୟର ଅତି କମରେ ୨୭ ଜଣ ପୁରାତନ ଛାତ୍ର ବିଭିନ୍ନ ବିଶ୍ଵବିଦ୍ୟାଳୟର କୁଳପତି ହେଇଛନ୍ତି । କିନ୍ତୁ ଅନ୍ତତଃ ପ୍ରତୀକାତ୍ମକ ଦୃଷ୍ଟିରୁ, ଜ୍ଞାନଚର୍ଚ୍ଚା କରୁଥିବା ଗୋଟେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି କୌଣସି ଜ୍ଞାନଗୁରୁ ଶିକ୍ଷକ ନୁହେଁ, ଜଣେ ଆଇଏଏସ ଅଫିସର । 

ଖବର କାଗଜରେ ବୟାନ ବି ଦିଆଯାଇ, ଉତ୍କଳ ବିଶ୍ୱବିଦ୍ୟାଳୟର ସଫଳତାକୁ ଏହା କେଉଁ ବର୍ଷ କେତେ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ସଫଳ ଛାତ୍ର ତିଆରି କରିଛି, ସେଇ ମାପଦଣ୍ଡରେ ମପା ଯାଇଥିଲା । ଓଡିଆ ଜାତୀୟ ଜୀବନର ଅସ୍ମିତା, ଦୃଷ୍ଟି କି ଦିଶାର ସାମାନ୍ୟ ଝଲକ ବି ଏଇ ଉତ୍ସବଟା ଭିତରେ ଦେଖିବାକୁ ମିଳି ନଥିଲା । ନା ସେଠି ଏବେ ଉତ୍ତର ଭାରତୀୟ ଭାଷାମାନଙ୍କ ମଧ୍ୟରୁ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଏକମାତ୍ର ଭାଷା ଓଡ଼ିଆ ଓ ତାହାର ସାହିତ୍ୟ, ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଦାବି ରଖୁଥିବା ଓଡ଼ିଶୀ ସଙ୍ଗୀତ, ବିଷୟରେ କିଛି ଚିନ୍ତନ ଥିଲା, ନା ଥିଲା ଓଡ଼ିଶାର ରାଜନୀତି, ଶିଳ୍ପ , କଳା, ସଂସ୍କୃତି, କାରୀଗରୀ, ବାଣିଜ୍ୟ, ଜନଜୀବନ କି ଖୋଦ ବିଶ୍ୱବିଦ୍ୟାଳୟର ଓଡ଼ିଆ ଜନଜୀବନକୁ ଅବଦାନ ବିଷୟରେ ସାମାନ୍ୟ ଆଗ୍ରହ । ଏମିତିକି ପ୍ରତିବାଦ ନ ହେବା ପର୍ଯ୍ୟନ୍ତ, ନାମଫଳକ କି ନିମନ୍ତ୍ରଣପତ୍ର ଗୁଡ଼ାକ ବି ଓଡ଼ିଆ ନୁହେଁ, ଇଂରାଜୀରେ କୁଆଡ଼େ ଲେଖା ଯାଇଥିଲା । 

ଗୋଟିଏ ଭୂଖଣ୍ଡର ସାମୁହିକ ଜନଜୀବନର ବିଶ୍ଵସ୍ତ ପ୍ରଦର୍ଶନୀ ହେବା ଆଶା କରାଯାଉଥିବା ଗୋଟେ ପ୍ରମୁଖ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉତ୍ସବଟା ଗୋଟେ ବାଲିଯାତ୍ରା କି ଅପେରା ପାର୍ଟିର ଅଭିନୟ ଭଳି ଜାକଜମକ ଓ ମଉଜମସ୍ତି କୁ ଭିତ୍ତି କରି ହେଲା । ଦୁଃଖର ବିଷୟ, ଓଡ଼ିଶାର ବୁଦ୍ଧିଜୀବୀ, ଖୋଦ ବିଶ୍ୱବିଦ୍ୟାଳୟର ଶିକ୍ଷକ, ଛାତ୍ର, ପୁରାତନ ଛାତ୍ର, ଗଣମାଧ୍ୟମ, କାହାରି ରୁଚିବୋଧ କି ମର୍ଯ୍ୟାଦାବୋଧକୁ ଏହା ଦ୍ଵାରା ସାମାନ୍ୟ ଆଘାତ ବି ଲାଗିଲାନି । ଏତେ ଐତିହ୍ୟ-ବିସ୍ମୃତ, ସଂସ୍କୃତି-ବିବର୍ଜିତ ଏବଂ ମର୍ଯ୍ୟାଦାବୋଧ ବିରହିତ ନାଗରିକ ସମାଜ ବୋଧହୁଏ ସାରା ପୃଥିବୀରେ କେଉଁ ରାଜ୍ୟରେ ଥିବେ ! 

ବିଶ୍ୱବିଦ୍ୟାଳୟର କୁଳାଧିପତି ରାଜ୍ୟପାଳ, ଯେ ଖୋଦ ଜଣେ ପ୍ରାକ୍ତନ ଶିକ୍ଷକ, ସେ ବି ଏଥିରେ ଆସି ଯୋଗ ଦେଇ ଏସବୁକୁ ମାନ୍ୟତା ଦେଇ ଚାଲିଗଲେ, ଅଥଚ ଏଇ ବିଚ୍ୟୁତିଗୁଡ଼ାକ ପ୍ରତି ତାଙ୍କର ଟିକେ ଦୃଷ୍ଟି ବି ଗଲାନି । ଏ ଉତ୍ସବର ଭୋଜିଭାତକୁ ନିମନ୍ତ୍ରଣ ନ ପାଇ କିଛି ହତାଶିଆ ଯାହା କେବଳ ଟିକେ ଗୁଁ ପୁଁ ହେଇ ଚୁପ ରହିଲେ । ଓଡ଼ିଶାର ଗଣମାଧ୍ୟମମାନେ ଏଥିରେ ଖୁବ ହାତତାଳି ବଜେଇଲେ । ଏ ବିଷୟରେ କିଛି ପ୍ରତିବାଦର ସ୍ଵର ଉଠିଥିଲେ ବି, ତାହାକୁ ସେମାନେ ପ୍ରକାଶ କଲେ ନାହିଁ । ଆମେ ଏଠାରେ ଭାବିବା କଥା - ଶିକ୍ଷାୟତନମାନଙ୍କରେ ଚିନ୍ତନ, ବିବେକବିକାଶ, ଜ୍ଞାନଚର୍ଚ୍ଚା, ସାମଗ୍ରିକ ଜୀବନ-ଦୃଷ୍ଟି ତିଆରି ଦ୍ଵାରା ସୁ-ନାଗରିକ ସୃଷ୍ଟି କରିବାର ମାନ୍ୟତାକୁ ପୁନଃପ୍ରତିଷ୍ଠା କରିବାର ଆବଶ୍ୟକତା ଅଛି କି ନା ତଥା ଏଥିରେ ଗଣମାଧ୍ୟମ ଓ ରାଜନୈତିକ ନେତୃତ୍ୱର ଏକ ପ୍ରମୁଖ ଭୂମିକା ରହିଛି କି ନା ଏବଂ ସେମାନେ କେତେ ଦୂର ଏଇ ଦାୟିତ୍ଵଗୁଡ଼ିକୁ ତୁଲଉଛନ୍ତି ।

ଗଣମାଧ୍ୟମ ମାନଙ୍କରେ ତ ଏବେ ଆଦର୍ଶ ଲୋକପ୍ରତିମାମାନେ ହଉଛନ୍ତି ବଜାରୀ ସଫଳତା ଏବଂ ବିପୁଳତାର ଶିଖରରେ ଥିବା ଚଳଚିତ୍ର ଆଉ କ୍ରୀଡ଼ା ଜଗତର ତାରକାମାନେ, ସାମୁହିକ ଜୀବନକୁ ସମୃଦ୍ଧ କରିବାକୁ ଉଦ୍ୟମ କି ସଙ୍ଗ୍ରାମ କରିଥିବା ବ୍ୟକ୍ତିମାନେ ନୁହନ୍ତି । ଏବେକାର ଉଦାହରଣ କେତୋଟି ଦିଆଗଲା । ମେଧା, ଉଚ୍ଚଡିଗ୍ରୀ ଆଉ ବଡ଼ ଚାକିରି ଭଳି ଯେଉଁ ସଫଳ ସ୍ଵପ୍ନସବୁକୁ ବାପ ମା ମାନେ ପିଲାମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖରଚ କରି କୋଚିଙ୍ଗ ସେଣ୍ଟରରୁ କିଣୁଛନ୍ତି, ସେଇ ସ୍ଵପ୍ନସବୁ ତାଙ୍କ ହାତ ପାଆନ୍ତାରେ ମିଳିଥିଲେ ବି, ତା'କୁ ଆଡ଼େଇ ଦେଇ ଏକ ସୁଷମ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବାର ସ୍ଵପ୍ନ ଦେଖି ସଙ୍ଗ୍ରାମ କରିବାକୁ ବାହାରି ପଡ଼ିଥିବା ଓଡ଼ିଶାର ଜଣେ ପ୍ରମୁଖ ବ୍ୟକ୍ତି ଗଣନାଥ ପାତ୍ରଙ୍କର ଏବେ ନିକଟରେ ଜୁନ ପାଞ୍ଚ ତାରିଖରେ ମୃତ୍ୟୁ ହେଇଗଲା । ତାଙ୍କ ରାଜନୈତିକ ମାର୍ଗ ଏବଂ ଦୃଷ୍ଟିଭଙ୍ଗୀ ସହିତ ହୁଏତ ଅନେକଙ୍କର ମତଭେଦ ରହିପାରେ । କିନ୍ତୁ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ବ୍ୟାକୁଳତା ଏବଂ ତ୍ୟାଗ ତ ନିଶ୍ଚିତ ଭାବରେ ନିଃସନ୍ଦେହ । 

ଠିକ ସେଇ ସମୟରେ ଆଉ ଜଣେ ହତାଶ ଯୁବ ଚିତ୍ର ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିଲେ । ବିଚରା ଟିକେ ସମ୍ଭ୍ରମଶୀଳ ବୋଧହୁଏ, ବଜାରୀ କାରସାଦିରେ ତାଳ ଦେଇ ପାରିଲେନି । ଓଡ଼ିଶାର ଗଣମାଧ୍ୟମ ଗଣନାଥ ପାତ୍ରଙ୍କୁ କେତେ ଯାଗା ଦେଲେ ଆଉ ସୁଶାନ୍ତ ସିଂ ଙ୍କୁ କେତେ ? ଅମିତାଭ ବଚ୍ଚନ ପରିବାରର ଲୋକଙ୍କୁ କରୋନା ହେଲେ ଖବର କାଗଜରେ ସେହି ଖବରକୁ କେତେ ସ୍ଥାନ ମିଳେ ? ଅଥଚ ସମାଜର ଚିନ୍ତକ, ବ୍ୟତିକ୍ରମୀ ଦୃଷ୍ଟିଭଙ୍ଗୀର ମଣିଷମାନଙ୍କୁ କିମ୍ବା ସମାଜକୁ ଅଧିକ ଗଣତାନ୍ତ୍ରିକ କରିବାକୁ ଉଦ୍ୟମ, ଉଚ୍ଚାଙ୍ଗ କଳା, ସାହିତ୍ୟ ଏବଂ ସଂସ୍କୃତି ଇତ୍ୟାଦି ବିଷୟକୁ ସେହି ଭଳି ମୁଦ୍ରଣ ସ୍ଥାନ ଦିଆ ଯାଏ କି, ଯେଭଳି ବଜାରପ୍ରିୟ ଚକମକି ବିଷୟ, କ୍ଷମତା-ଖମ୍ବ ଆରୋହଣର ସଫଳତା, ରାଜନୈତିକ କ୍ଷମତା ଲଢ଼େଇର ମାରପେଞ୍ଚ, କାଦୁଅ ଫିଙ୍ଗା ଇତ୍ୟାଦିକୁ ଦିଆଯାଏ ?

ପ୍ରତିବର୍ଷ ପରୀକ୍ଷାଫଳ ବାହାରିଲା ପରେ ଗଣମାଧ୍ୟମ ତରଫରୁ ସଫଳତମ ସନ୍ତାନମାନଙ୍କର ଜୀବନାଭିଳାଷକୁ ନେଇ ଯେଉଁ ପ୍ରଦର୍ଶନୀ କରାଯାଏ, ସେଇ ସଫଳ ସନ୍ତାନମାନଙ୍କର ଜୀବନ ଦୃଷ୍ଟି ଏବଂ ଜୀବନାଭିଳାଷ ଗୁଡ଼ିକୁ ଆମେ ନଜର ରଖିଛନ୍ତି କି ? ପରବର୍ତ୍ତୀ ଜୀବନରେ ସେମାନଙ୍କ ଭିତରୁ ଅଧିକାଂଶଙ୍କର ନାଗରିକ ଭୂମିକାଟି କଣ ହେଇଥାଏ ? ଏହି ପ୍ରଦର୍ଶନୀ ଦ୍ଵାରା ଆମେ କେଉଁ ଜୀବନ-ଦୃଷ୍ଟିକୁ, କେଉଁ ବିଦ୍ୟାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ? ସେଇ ରୋଜଗାରିଆ ବିଦ୍ୟାମାନଙ୍କୁ ପଢ଼ିବା ପାଇଁ ପରା ଲଢ଼ାଭିଡ଼ା, ପ୍ରୋତ୍ସାହନ ବିନା କଣ ଏ ବିଦ୍ୟା ଗୁଡ଼ାକ ଅପଢ଼ା ରହିଯିବେ ? 

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅଧିକାଂଶ ବିଭାଗରେ ଏବେ ତାଲା, ପଢ଼ିବାକୁ ପିଲା ନାହାନ୍ତି । ଯେଉଁ ବିଦ୍ୟାଗୁଡ଼ିକ ଅବହେଳିତ, ଅଥଚ ସେଗୁଡ଼ିକର ମାନବିକ ଭାବସ୍ପନ୍ଦନ ଉଜ୍ଜୀବିତ କରିବାର ଏବଂ ଜୀବନ-ଦୃଷ୍ଟି ତିଆରି କରିବାର କ୍ଷମତା ଥିବାରୁ ସେଗୁଡ଼ିକୁ ବଞ୍ଚେଇ ରଖିବାର ସାମାଜିକ ଆବଶ୍ୟକତା ରହିଛି, ସେଇ ବିଦ୍ୟାଗୁଡ଼ିକୁ ସେତିକି ପ୍ରୋତ୍ସାହନ କି ପ୍ରଚାର ଦ୍ଵାରା ମାନ୍ୟତା ମିଳୁଛିକି କି ?

ବିଶ୍ୱବିଦ୍ୟାଳୟମାନଙ୍କରେ ଏବେ ବୋଧହୁଏ ସବୁଠୁ ଅପାଂକ୍ତେୟ ବିଭାଗ ଦର୍ଶନଶାସ୍ତ୍ର । ବସ୍ତୁବିଦ୍ୟାମାନଙ୍କ ମାଡ଼ରେ ଯେତେବେଳେ ମଣିଷ ମସ୍ତିସ୍କର ଚିନ୍ତନ କେନ୍ଦ୍ର ବ୍ୟବହାର ବିନା ନିଷ୍କ୍ରିୟ ହେଇ ଆସୁଛି, ସେତେବେଳେ ଜୀବନ-ସ୍ଥିତି ପ୍ରତି ଚେତନାର ଦୃଷ୍ଟି ଖୋଲିବାରେ ସାହାଯ୍ୟ କରୁଥିବା ଦର୍ଶନ ଅଧ୍ୟୟନକୁ ବିଶେଷ ପ୍ରୋତ୍ସାହନ ଦେଇ ମେଧାବୀ ଛାତ୍ରମାନଙ୍କୁ ତାହା ପ୍ରତି ଆକୃଷ୍ଟ କରେଇବା ନିହାତି ଆବଶ୍ୟକ ବୋଲି ମନେ ହେଲାଣି । ବସ୍ତୁବିଦ୍ୟା ଆମକୁ ଶକ୍ତି ଦେବ । କିନ୍ତୁ ସେହି ଶକ୍ତିକୁ ବ୍ୟବହାର କରିବାର ସାମଗ୍ରିକ ଜୀବନ ଦୃଷ୍ଟି ଦେବ ନାହି । ପରିଣତି ହବ ପୁରାଣର ପ୍ରବଳ ଶକ୍ତିଶାଳୀ ଅସୁରମାନେ ରଚିଥିବା ଧ୍ଵଂସ ଲୀଳା । 

ବିକାଶ ଦୁବେ ମାନଙ୍କର ସ୍ରଷ୍ଟା ଏବଂ ପୃଷ୍ଟପୋଷକ କୋଉ ନିରକ୍ଷର ନୁହେଁ, ସମସ୍ତେ ବିଶ୍ୱବିଦ୍ୟାଳୟର ସଫଳ ସନ୍ତାନମାନେ । ମଣିଷର ବସ୍ତୁଗତ ଉତ୍କର୍ଷ ହାସଲର ବିଦ୍ୟାଗୁଡ଼ାକ ଯେତିକି ଦରକାର, ଭାବଗତ ଉତ୍କର୍ଷ ସାଧନ କରୁଥିବା ବିଦ୍ୟା ଗୁଡ଼ାକର ବି ଯେ ସେତିକି ଆବଶ୍ୟକତା ରହିଛି, ସେକଥା ଆମେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ଏବେ ସବୁ ଧାର୍ମିକ ବାବାମାନେ ବି ଯେଉଁ ସବୁ ଶିକ୍ଷାନୁଷ୍ଠାନ ଖୋଲୁଛନ୍ତି, ସେଗୁଡ଼ାକ ବି ସେଇ ଅର୍ଥକରୀ ବିଦ୍ୟା ପାଇଁ । ସ୍ଥୂଳ ବଳକୁ ଆୟତ୍ତରେ ରଖି ପାରିବ କେବଳ ଚେତନା, ଚିନ୍ତନ ଆଉ ଭାବସ୍ପନ୍ଦନର ଶକ୍ତି । ଜୀବନର କୁରୁକ୍ଷେତ୍ର ଜିତିବା ପାଇଁ ବାସ୍ତରୀ ଅକ୍ଷୌଣୀ ନାରାୟଣୀ ସେନା ନୁହେଁ, ଗୋଟିଏ କୃଷ୍ଣ ହିଁ ଜୀବନ ରଥର ସାରଥି ହେବା ଆବଶ୍ୟକ ।

ଆଗରୁ ଆମେମାନେ କର୍ମହୀନ ଜ୍ଞାନଚର୍ଚ୍ଚାକୁ ମାନ୍ୟତା ଦେଇ, ବୈଷୟିକ କୁଶଳତାକୁ ନାକ ଟେକି ସଂସାରୀ ବୁଦ୍ଧିଗୁଡ଼ିକ ଛାଡିଲୁ; ଗୋଟେ ଜାତିଭିତ୍ତିକ କର୍ମକୁଣ୍ଠ ବ୍ରାହ୍ମଣ୍ୟବାଦକୁ ଜନ୍ମ ଦେଇ ପରମାଣୁ ବିଦ୍ୟାଠାରୁ ପ୍ଲାଷ୍ଟିକ ସର୍ଜରୀ ପର୍ଯ୍ୟନ୍ତ ସବୁ ଆମ ଶାସ୍ତ୍ରରେ ମହଜୁଦ ଅଛି, ସେଥି ପାଇଁ ଆଉ କିଛି କରିବାର ନାହିଁ ବୋଲି ବାହାସ୍ଫୋଟ ମାରି ପରାଧୀନତାକୁ ଡାକି ଆଣିଲୁ । ଠିକ ସେମିତି ଆମେ ଏବେ ବୈଷୟିକ ବିଦ୍ୟାର ଆଧିପତ୍ୟକୁ ଅସମାନୁପାତିକ ମାନ୍ୟତା ଦେବାଦ୍ଵାରା ବିଶୃଙ୍ଖଳ ବୈଶ୍ୟବାଦକୁ ଜନ୍ମଦେଇ ମାନସିକ ପରାଧୀନତାକୁ ନିମନ୍ତ୍ରଣ ଦଉଛୁ । ଅର୍ଥକରୀ ଫସଲ ଲୋଭରେ ଉଦରପୂରଣ ପାଇଁ ଆତ୍ୟବଶ୍ୟକୀୟ ଖାଦ୍ୟାନ୍ନ ଉତ୍ପାଦନର ଯେ ଆବଶ୍ୟକତା ରହିଛି, ସେ ମୌଳିକ ପ୍ରଶ୍ନଟି ଭୁଲିଗଲେ ସମଗ୍ର ଜୀବନ ସତ୍ତା ବିପନ୍ନ ହବ ।

ରେଭେନଶା ବିଶ୍ବବିଦ୍ୟାଳୟର ଉପସ୍ଥିତ ସମସ୍ୟାମାନଙ୍କପାଇଁ ଉଦ୍‌ବେଗ ଯଥାର୍ଥ ଏବଂ ତାହାର ତାତ୍କାଳିକ ସମାଧାନର ପନ୍ଥା ଅବଶ୍ୟ ଖୋଜାଯିବା ଆବଶ୍ୟକ । ଶୁଣାଯାଏ କିଛିଟା ବିବାଦ ଭିତରେ ବି ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଦେବଦାସ ଛୋଟରାୟ ସେଭଳି କିଛି ସୁଧାରମୂଳକ ପ୍ରୟାସ କରିଥିଲେ । ସେସବୁ କିଛି ଫଳଦାୟୀ ହେଲା କି ଏବଂ ଏ ବିଷୟରେ କିଛି ମୂଲ୍ୟାୟନ ହେଇଛି କି ?କିନ୍ତୁ ଏଇ ସବୁ ମୌଳିକ ଏବଂ ସାର୍ବଜନୀନ ପ୍ରଶ୍ନଗୁଡ଼ିକୁ ଅଣଦେଖା କରି, ବରଂ ଯେଉଁ ସମସ୍ୟାମାନଙ୍କୁ ନେଇ ଆମେ ଅବଶୋସ ପ୍ରକାଶ କରୁଛୁ, ପକ୍ଷାନ୍ତରେ ସେଇ ସମସ୍ୟାମାନଙ୍କର ସମସ୍ତ କାରଣଗୁଡ଼ିକୁ ପରିପୁଷ୍ଟ କରି କେବଳ କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ଏବଂ ତାତ୍କାଳିକ ସମସ୍ୟାଗୁଡ଼ିକୁ ଗୁରୁତ୍ତ୍ଵ ଦେବାର ଅର୍ଥ, ହାସ୍ୟକଥାର ସେଇ ନିଶାଗ୍ରସ୍ତର ନିଶାର୍ଦ୍ଧ କାନ୍ଦଣା ଭଳି ହବ ଯିଏ ରାତି ଅଧରେ ହାଉଳି ଖାଇ କାନ୍ଦି କାନ୍ଦି ଲୋକଙ୍କୁ ଉଠେଇ କହିଲା ଭାଇ ମୁଁ ଭାସିଗଲି, ମୋତେ ଆପଣମାନେ ଦୟାକରି ସାହାଯ୍ୟ କରନ୍ତୁ, କାହିଁକି ନା, ମୋ ସ୍ତ୍ରୀ ଏବେ ବିଧବା ହେଇଗଲା । 

ଆପଣା ହସ୍ତେ ଜିହ୍ଵା ଛେଦି !

Sunday, August 02, 2020

ଇତି ଭିନସେଣ୍ଟ୍

ରମାକାନ୍ତ ସାମନ୍ତରାୟ


ଭାନ୍‌ଗଗ୍‌ଙ୍କ ଦ୍ୱାରା ୧୮୮୮ ମସିହାରେ ଅଙ୍କିତ 'ବେଡ଼୍‌ରୁମ୍ ଆଟ୍ ଆର୍ଲେସ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ ତାଙ୍କୁ ଭଲ ପାଉଥିବା ମଣିଷମାନଙ୍କୁ ମଝିରେ ମଝିରେ ତାଙ୍କ ବିଷୟରେ ମନେ ପକେଇବାକୁ ଏକ ପ୍ରକାର ବାଧ୍ୟ କରନ୍ତି ଇର୍ଭିଙ୍ଗ୍ ଷ୍ଟୋନ୍‌ଙ୍କ ଉପନ୍ୟାସ 'ଲଷ୍ଟ୍ ଫର୍ ଲାଇଫ୍' ହେଉ କି ସେହି ବହିକୁ ନେଇ ୧୯୬୫ରେ ଭିନସେଣ୍ଟ୍ ମିନେଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଲଷ୍ଟ୍ ଫର୍ ଲାଇଫ୍' ହେଉ, ଭ୍ୟାନ୍ ଗୋଗ୍‌ଙ୍କ ୩୭ ବର୍ଷର ଜୀବନୀ ଜୀବନଚର୍ଯ୍ୟା ସବୁବେଳେ ଅନ୍ୟମାନଙ୍କୁ ଆକର୍ଷିତ କରେ ଜୀବନରେ ଚିତ୍ରଶିଳ୍ପୀ ହେବାର ନିଷ୍ପତ୍ତି ନେବାର ପ୍ରାକ୍ କାଳରେ ହୁଏତ କ୍ୱଚିତ୍ କିଛି ଚିତ୍ରଶିଳ୍ପୀ ଥିବେ, ଯିଏ କି ଭ୍ୟାନ୍ ଗୋଗ୍‌ଙ୍କ ଜୀବନୀ ଶୈଳୀ ଦ୍ୱାରା ପ୍ରଲୁବ୍ଧ ହୋଇନଥିବେ ସେଥିରୁ କିଛି କିଛି ନିଜ ଜୀବନଚର୍ଯ୍ୟାରେ ପରୀକ୍ଷା କରି ନଥିବେ 

ଆଜି ପୁଣି ଥରେ ଭ୍ୟାନ୍ ଗୋଗ୍‌ଙ୍କୁ ମନେ ପକେଇବାର କାରଣ ୨୦୧୭ରେ ମୁକ୍ତିଲାଭ କରିଥିବା ଏକ ଆନିମେଟେଡ଼୍ ଚଳଚ୍ଚିତ୍ର 'ଲଭିଙ୍ଗ ଭିନସେଣ୍ଟ୍' 'ଲଭିଙ୍ଗ ଭିନସେଣ୍ଟ୍' ହେଉଛି ପୃଥିବୀର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାବେ ହାତରେ ଅଙ୍କା ଯାଇଥିବା ଏକ ପୂର୍ଣ୍ଣାଙ୍ଗ ଫିଚରଧର୍ମୀ ଚଳଚ୍ଚିତ୍ର ଚଳଚ୍ଚିତ୍ରର କିଛି କିଛି ଅଂଶ ଟିଜର୍ କିମ୍ବା ଅଫିସିଆଲ୍ ଟ୍ରେଲର୍ ଭାବରେ ଅନେକ ଥର ଫେସ୍‌ବୁକ୍ ପୃଷ୍ଟାରେ ଦେଖିଛି ଏବେ ପୁରା ଚଳଚ୍ଚିତ୍ରଟିକୁ ଦେଖିଲି

ଚଳଚ୍ଚିତ୍ରର ବିଶେଷତ୍ୱଟି ହେଲା, ୯୫ ମିନିଟ୍ ଅବଧିର ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବେ ଭ୍ୟାନ୍ ଗୋଗ୍‌ଙ୍କ ପୋଷ୍ଟ୍ ଇମ୍ପ୍ରେସନିଷ୍ଟ୍ ବାଗରେ ଅଙ୍କା ତାଙ୍କ ଛବିମାନଙ୍କ ଶୈଳୀରେ ଅଙ୍କିତ ଶହ ଶହ ଛବିମାନଙ୍କୁ ନେଇ ଆନିମେଶନ୍ ଟେକ୍ନିକ୍‌ରେ ନିର୍ମାଣ କରାଯାଇଛି ସାଢ଼େ ପାଞ୍ଚ ମିଲିୟନ୍ ଡଲାର ଖର୍ଚ୍ଚ ହୋଇଥିବା ଏହି ଚଳଚ୍ଚିତ୍ରଟି ପାଇଁ ପ୍ରକୃତରେ ପୃଥିବୀର ବିଭିନ୍ନ କୋଣରେ ଥିବା କୋଡ଼ିଏଟି ଦେଶରୁ ଆସି ୧୨୫ ଜଣ ଚିତ୍ରଶିଳ୍ପୀଙ୍କ ଏକ ଦଳ କ୍ୟାନଭାସ୍ ଉପରେ ତୈଳ ରଙ୍ଗରେ ଛବି ଆଙ୍କିଛନ୍ତି; ଠିକ୍ ଯେମିତି ଯେଉଁ ବାଗରେ ଭ୍ୟାନ୍ ଗୋଗ୍ ଏକଦା ତାଙ୍କ ଛବି ଆଙ୍କୁଥିଲେ ଅବିକଳ ସେମିତି


୧୮୮୫ ମସିହାରେ ଭାନ୍‌ଗଗ୍‌ଙ୍କ ଚିତ୍ର 'ପେଜେଣ୍ଟ୍  ୱିମାନ୍ ଡିଗିଙ୍ଗ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଭ୍ୟାନ୍ ଗୋଗ୍‌ଙ୍କ ପରି ଚିତ୍ର ଆଙ୍କିବା ଶୈଳୀ ଶିଖିବାକୁ ପ୍ରତି ଚିତ୍ରଶିଳ୍ପୀଙ୍କୁ ପ୍ରାୟ ଶହେ ଘଣ୍ଟାର ଟ୍ରେନିଂ ନେବାକୁ ହୋଇଥିଲା ଏଥିପାଇଁ ସାରା ପୃଥିବୀରୁ ପାଞ୍ଚ ହଜାର ଚିତ୍ରଶିଳ୍ପୀ ଆବେଦନ କରିଥିଲେ ସେଥିମଧ୍ୟରୁ ମାତ୍ର ୧୨୫ ଜଣଙ୍କୁ ଶେଷକୁ ବଛା ଯାଇଥିଲା ସମୁଦାୟ ଚଳଚ୍ଚିତ୍ର ପାଇଁ ପାଖାପାଖି ୬୫,୦୦୦ ଛବି ଅଙ୍କା ଯାଇଥିଲା କିନ୍ତୁ ଛବିର ଫଟୋ ଉଠାଗଲା ପରେ ଛବି ଉପରେ ପୁଣି ଛବି ଅଙ୍କା ଯାଉଥିବାରୁ ପ୍ରୋଜେକ୍ଟ ସରିଲା ବେଳକୁ ଶେଷରେ ମାତ୍ର ହଜାରଟି ଛବି ବଞ୍ଚିଥିଲା

ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତାମାନେ ପ୍ରଥମେ ସବୁଜ ପରଦା ଆଗରେ ଅଭିନୟ କରିଥିଲେ ପରେ ରୋଟୋସ୍କୋପିଙ୍ଗ୍ ଟେକନିକ୍‌ରେ ସୁଟିଂ ପରେ ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍‌କୁ କ୍ୟାନଭାସ୍ ଉପରେ ଅଙ୍କା ଯାଇଥିଲା ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଫ୍ରେମ୍‌ର ଆବଶ୍ୟକତା ଥିଲା ଅର୍ଥାତ୍ ପ୍ରତି ସେକେଣ୍ଡର ଚଳଚ୍ଚିତ୍ର ପାଇଁ ୧୨ଟି ଛବି ସେଥିପାଇଁ ଚଳଚ୍ଚିତ୍ରର ନିର୍ମାଣ କାମ ସରିବାକୁ ପ୍ରାୟ ଛଅ ବର୍ଷ ସମୟ ଲାଗିଯାଇଥିଲା

ଚଳଚ୍ଚିତ୍ରର କାହାଣୀ ହେଲା , ଭ୍ୟାନ୍ ଗୋଗ୍‌ଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ଠିକ୍ ବର୍ଷକ ପରେ ତାଙ୍କର ପରମବନ୍ଧୁ ଡାକବାଲା ଜୋସେଫ୍ ରୋଲିଁ (ଯାହାଙ୍କର ପୁରା ପରିବାରର ଛବି ଭ୍ୟାନ୍ ଗୋଗ୍ ଏକଦା ଆଙ୍କିଥିଲେ) ତାଙ୍କ ପୁଅ ଆର୍ମଣ୍ଡକୁ ଗୋଟିଏ ଚିଠି ଧରାଇ, ଚିଠିଟିକୁ ଭ୍ୟାନ୍ ଗୋଗ୍‌ଙ୍ଗ ସାନ ଭାଇ ଥିଓଙ୍କୁ ଦେବା ପାଇଁ କହିଛନ୍ତି ଯୋଶେଫ୍ ରୋଲି ଭ୍ୟାନ୍ ଗୋଗ୍‌ଙ୍କ ଆତ୍ମହତ୍ୟାକୁ ସନ୍ଦେହଜନକ ଭାବୁଥିଲେ କାରଣ ଆତ୍ମହତ୍ୟାର ଅଳ୍ପ ଦିନ ଆଗରୁ ସେଇ ଚିଠିଟିରେ ଭ୍ୟାନ୍ ଗୋଗ୍ ରୋଲିଙ୍କୁ ଲେଖିଥିଲେ ଯେ, ସେ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି


ୱିକିମିିଡିଆ କମନ୍ସ୍

ଚିଠି ଧରି ବଡ଼ ଅନିଚ୍ଛାରେ ଆର୍ମଣ୍ଡ ପ୍ୟାରିସ୍ ଯାତ୍ରା କରିଛନ୍ତି ଏମିତି ହିଁ ଆରମ୍ଭ ହୋଇଛି ଚଳଚ୍ଚିତ୍ରଟି ଆର୍ମଣ୍ଡ ପ୍ୟାରିସ୍‌ରେ ପହଞ୍ଚି ଜାଣୁଛନ୍ତି ଭ୍ୟାନ୍ ଗୋଗ୍‌ଙ୍କ ଆତ୍ମହତ୍ୟାର ଛଅ ମାସ ପରେ ତାଙ୍କ ଭାଇ ଥିଓ ମରି ସାରିଛନ୍ତି ତା'ପରେ ଆର୍ମଣ୍ଡ ଜଣଙ୍କ ପରେ ଜଣେ ଲୋକଙ୍କୁ ଭେଟୁଛନ୍ତି ଏକଦା ଭ୍ୟାନ୍ ଗୋଗ୍ ରହୁଥିବା ହୋଟେଲ୍‌ରେ ରାତ୍ରି ଯାପନ ବି କରୁଛନ୍ତି ଶେଷରେ ଥିଓଙ୍କ ସ୍ତ୍ରୀଙ୍କ ପାଖରେ ତାଙ୍କ ବାପା ଦେଇଥିବା ଟିଠିଟି ପହଞ୍ଚାଇ ଦେବା ପାଇଁ ଭ୍ୟାନ୍ ଗୋଗ୍‌ଙ୍କୁ ତାଙ୍କ ଜୀବନର ଶେଷ ସମୟତକ ଚିକିତ୍ସା କରୁଥିବା ଡାକ୍ତର ଗ୍ୟାସେଟ୍‌ଙ୍କ ହାତରେ ଦେଇ ଫେରି ଆସୁଛନ୍ତି

ଆର୍ମଣ୍ଡ ଘରକୁ ଫେରିଲା ପରେ ଥିଓଙ୍କ ବିଧବା ପତ୍ନୀଙ୍କ ପାଖରୁ ଧନ୍ୟବାଦ ଚିଠି ଗୋଟେ ପାଉଛନ୍ତି ଥିଓଙ୍କ ପତ୍ନୀ ଜୋହାନା ଧନ୍ୟବାଦ ଚିଠି ସହିତ ଭ୍ୟାନ୍ ଗୋଗ୍ ତାଙ୍କ ପାଖକୁ ଲେଖିଥିବା ଗୋଟେ ହାତଲେଖା ଚିଠି ମଧ୍ୟ ସଂଲଗ୍ନ କରି ପଠେଇଛନ୍ତି, ଯେଉଁ ଚିଠିର ଶେଷରେ ଲେଖାଅଛି ଇଓର୍ ଲଭିଂ ଭିନ୍‌ସେଣ୍ଟ୍

ଚଳଚ୍ଚିତ୍ରକୁ ଦୁଇ ଜଣ ନିର୍ଦ୍ଦେଶକ ନିର୍ଦ୍ଦେଶନା ଦେଇଛନ୍ତି ଡୋରୋଟା କୋବିଏଲା ତଥା ହ୍ୟୁ ୱେଲ୍‌ଚ୍‌ମ୍ୟାନ୍ ପ୍ରକୃତରେ ୨୦୦୮ ମସିହାରେ ଡୋରୋଟା ପ୍ରଥମ କରି ଭ୍ୟାନ୍ ଗୋଗ୍ ଦୁଇ ଭାଇଙ୍କ ମଧ୍ୟରେ (ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ ତଥା ଥିଓ ଭ୍ୟାନ୍ ଗୋଗ୍) ପାରସ୍ପରିକ ଆଦାନପ୍ରଦାନ ହୋଇଥିବା ଚିଠିକୁ ନେଇ ସଙ୍କଳିତ 'ଲେଟର୍ ଟୁ ଥିଓ' ବହି ପଢ଼ି ଏମିତି ଏକ ଧାରଣାରେ ସାତ ମିନିଟ୍‌ର ଏକ ଚଳଚ୍ଚିତ୍ର ପ୍ରଥମେ ତିଆରି କରିଥିଲେ ଏଠାରେ କହିରଖେ ଯେ, ଡୋରୋଟା ନିଜେ ଜଣେ ଚିତ୍ରଶିଳ୍ପୀ ମଧ୍ୟ

ଅନେକ ଆର୍ନ୍ତଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିବା ଏହି ଆନିମେଟେଡ୍ ଚଳଚ୍ଚିତ୍ରଟି ଆପଣଙ୍କୁ ନିଶ୍ଚୟ ଭଲଲାଗିବ କିନ୍ତୁ ଦେଖିଲା ବେଳେ ଏତିକି ମନେ ରଖିବାକୁ ହେବ ଯେ, ଚଳଚ୍ଚିତ୍ରର ପ୍ରତିଟି ଫ୍ରେମ୍ ହାତରେ ଅଙ୍କା ଯାଇଛି ତା ପୁଣି ଆମ ପ୍ରିୟ ଭିନସେଣ୍ଟ୍ ଭ୍ୟାନ୍ ଗୋଗ୍ଙ୍କ ଛବି ଅଙ୍କାର ଅବିକଳ ସ୍ୱକୀୟ ଶୈଳୀରେ


ଭାନ୍‌ଗଗ୍‌ ଭ୍ରାତୃଦ୍ୱୟଙ୍କ ସମାଧି (ୱିକିମିଡିଆ କମନ୍ସ୍)