Wednesday, June 19, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୯ - କାମଳୀ

ଅନୁସୃଜନ - ଜ୍ୟୋତି ନନ୍ଦ


ଚିତ୍ର - 'ବୋଟ୍ ବିଲ୍‌ଡିଂ' (୧୭୯୯ ମସିହାରେ ଅଙ୍କିତ)
ଚିତ୍ରକର - ଟମାସ୍ ଗର୍ଟିନ୍ (୧୭୭୫-୧୮୦୨)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କରୁଣା ନୌକାରେ ଭରିଛି ସୁନା

ରୂପା ରଖିବାର ଯାଗା କେଉଁଠି ?
ଯାଆରେ କାମଳୀ ଆକାଶ ଦେଶେ
ଗତ ଜନମ କି ଫେରସ୍ତ ଏଠି ?

ଖୁଣ୍ଟିକୁ ଓପାଡ଼ି ଦଉଡ଼ି ସହ
ବାହି ନେ କାମଳି ଗୁରୁ ଉପଦେଶେ
ଆଗରେ ବସିଣ ଚାହୁଁ ଚାରିଦିଗ
ହାଲ ନାହିଁ ଡଙ୍ଗା ବାହିବ କେ ସେ ।

ବାମ ଡାହାଣକୁ ଯାଆ ମିଶାଇ
ପଥରେ ମିଳନ ମହାସୁଖ ହୋଇ । 

Friday, June 14, 2019

ରାମଚନ୍ଦ୍ରଙ୍କ ବିଦ୍ୟାଳୟରେ ନାମ ଲେଖା


ବେତ୍ରାଘାତ ଖାଉଥିବା ପିଲାଙ୍କର ଏକ ବ୍ୟଙ୍ଗଚିତ୍ର (୧୮୮ ମସିହାର ଚିତ୍ର)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରାମଚନ୍ଦ୍ରଙ୍କ ଚାଟଶାଳୀ ପାଠ ସରିଲା ପରେ ପରିବାରରେ ବାପା ଓ କକେଇ ମାନଙ୍କର ନାନା ତନାଘନା ପରେ ଠିକ୍ ହେଲା କଟକର ପୁରୁଣା ଶିକ୍ଷାନୁଷ୍ଠାନ ପ୍ରାକ୍ଟିସିଂ ମଡେଲ୍ ଇଂଲିସ୍ ସ୍କୁଲରେ ତାଙ୍କର ନାଁ ଲେଖା ହେବ । ବିଦ୍ୟାଳୟଟି ଏପରି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମନୋନୀତ ହେବା ପଛରେ ନାନାଦି କାରଣ ଥିଲା । ପ୍ରଥମ, ପ୍ରସ୍ତାବିତ ଚାଟଙ୍କର ଜେଜେ, ଇସ୍କୁଲୁଟିର ପ୍ରଧାନଶିକ୍ଷକ ଓ ଇଂରାଜୀ ଅଧ୍ୟାପକଙ୍କୁ ଛାଡ଼ି ଦେଲେ ବାକି ସମସ୍ତଙ୍କୁ ଭଲ ଭାବେ ଜାଣିଥିଲେ । କାରଣ ସେ ଥିଲେ ସେ ସଭିଙ୍କର ବଇଦ । ଦ୍ୱିତୀୟ କାରଣ, ଜଣେ ବଡ଼ ଭାଇ ଓ କକେଇ ସେଇ ବିଦ୍ୟାଳୟରେ ଆଗରୁ ଛାତ୍ର ଭାବରେ ଥିବାରୁ ଏଇ ନୂଆ ପିଲାଟି ଉପରେ ସେମାନେ ଆଖି ରଖି ପାରିବାର ମଧ୍ୟ ସମ୍ଭାବନା ରହିଲା ।

ଇସ୍କୁଲୁ ଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହେଲା । ପ୍ରଥମେ ପରିବର୍ତ୍ତନ ଲୋଡ଼ା ହେଲା ଭେକର । ଘରୁଆ ଚାଟଶୀଳୀରେ ପଢ଼ିଲା ବେଳେ, ରାମ ବାବୁଙ୍କ ହାତରେ, ବାହୁରେ, ଗୋଡ଼ରେ ଖଡ଼ୁ, କାନରେ ଗୋଖରା, ବେକରେ ଗୋପ ଓ ଅଣ୍ଟାରେ ରୂପାର ଅଣ୍ଟାସୂତା ଥିଲା । ଏଗୁଡ଼ିକ ଯେ ନୂଆ ଇସ୍କୁଲୁରେ ଛୁଆଙ୍କୁ ବିଦ୍ରୁପର ଶରବ୍ୟ କରାଇବ, ସେ ବିଷୟରେ ବୁଢ଼ା ବାପାଙ୍କର ଆଦୌ କିଛି ଧାରଣା ନ ଥିଲା । କାରଣ ସେ କେବେ ସ୍କୁଲରେ ପାଠ ପଢ଼ି ନ ଥିଲେ । ହେଲେ ବାପା ଓ କକେଇ ମାନେ ଇଂରେଜୀ ବିଦ୍ୟାଳୟରେ କିଛି ପାଠ ପଢ଼ି ଥିବାରୁ ନିଶ୍ଚିତ ଥିଲେ ଯେ, ପିଲାଏ ଏପରି କପଡ଼ା ପିନ୍ଧି ଇସ୍କୁଲୁ ଗଲେ ତାଙ୍କ ସହପାଠୀମାନେ ଥଟ୍ଟାଟାହୁଲିରେ ପୋତି ପକାଇବେ । ଏଣୁ ପ୍ରଥମେ ରାମଙ୍କର ଶରୀରକୁ ଅଳଙ୍କାରରହିତ କରାଗଲା । ତାହା ପରେ ପାଳି ପଡ଼ିଲା ଲୁଗାପଟାର । ଆଗରୁ ଘରେ ରାମ ପରିବାରର ଅନ୍ୟ ଛୋଟ ଛୁଆଙ୍କ ପରି ଆଣ୍ଠୁ ଲୁଚୁ ନ ଥିବା ରଙ୍ଗୀନ କସ୍ତା କନା ପିନ୍ଧି ବୁଲୁଥିଲେ । ସେମିତି ଅର୍ଦ୍ଧଲଙ୍ଗୁଳି ହୋଇ ତ ଆଉ ସ୍କୁଲ ଯାଇ ହେବ ନାହିଁ । ଏଣୁ ଆଣ୍ଠୁ ତଳକୁ ପଡ଼ୁଥିବା ଲୁଗାପଟା ପିନ୍ଧାଇ ଚାଲିଚଳନରେ ରାମଙ୍କୁ ଅଭ୍ୟସ୍ତ କରାଗଲା । ନ ହେଲେ ଛୁଆଟି ବିଚରା ଖେଳିଲା ବେଳେ କି ଚାଲିଲା ବେଳେ ଛନ୍ଦିରି ମନ୍ଦିରି ହୋଇ ହିନସ୍ତା ହୋଇ ଥାଆନ୍ତେ ଯେ ।

ଇଏତ ଗଲା ଭେକ କଥା । ତାହା ପରେ ଆସିଲା ଇସ୍କୁଲୁ ଯିବା ପାଇଁ ଅନ୍ୟ ପ୍ରସ୍ତୁତି । ଜଣେ ଇଂରାଜୀ ଜାଣିଥିବା ଅବଧାନ ନିଯୁକ୍ତ ହେଲେ । ସେ ଆସି ଇସ୍କୁଲୁର ଆବହାୱା ବିଷୟରେ ଚାଟଙ୍କୁ ସୂଚନା ଦେଲେ; କେମିତି ନାଁ ଡାକିଲା ବେଳେ ଠିଆ ହୋଇ ‘ପ୍ରେଜେଣ୍ଟ୍ ସାର୍’ ବୋଲି କହିବାକୁ ପଡ଼ିବ, ତାହା ଘୋଷାଇ ଦିଆଗଲା; ଆଗରେ ମାଷ୍ଟ୍ରଙ୍କୁ ଦେଖିଲେ ମୁଣ୍ଡ ନୁଆଁଇ ନମସ୍କାର କରିବା ବିଧି; ଶୋଷ ଲାଗିଲେ କି ପରିସ୍ରା ମାଡ଼ିଲେ ସାର୍‌ଙ୍କୁ କହି ବାହାରକୁ ଯିବାକୁ ପଡ଼ିବ; ଇତ୍ୟାଦି । ବିଦ୍ୟାଳୟର ଏଇ ସଂସ୍କୃତି ଆୟତ୍ତ କରିବା ପାଇଁ ଚାଟଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଲା । ଜଣେ କର୍ମାଣିଆ ପଣ୍ଡିତ ଆଉ ଜଣେ ଜଉତିଷଙ୍କୁ ଡାକି ଶୁଭ ଦିନ ମଧ୍ୟ ଠିକ୍ କରାଗଲା ।

ନିର୍ଦ୍ଧାରିତ ଦିନରେ ରାମ ଓ ତାଙ୍କ ବଡ଼ କକେଇଙ୍କ ପୁଅ ହୁରୁଷି ଭାଇନା ଜମାଣିଆ ଖାଇବା ପିଇବା ସାରି ସ୍କୁଲରେ ନାଁ ଲେଖାଇବା ପାଇଁ ବାହାରିଲେ । ସାଥିରେ ନିଜେ ବଡ଼ କକେଇ, ଦଦେଇଙ୍କ ପୁଅ ରମାନ୍ନା, କାହ୍ନୁ କକେଇ, ଇଂରେଜିଆ ଅବଧାନ ଓ ମଧୁ ପିଇସା ଆଦି ଥିବାରୁ ନାଁ ଲେଖା ଦଳଟି ଗୋଟିଏ ଶୋଭାଯାତ୍ରାର ରୂପ ନେଲା । ପ୍ରାକ୍ଟିସିଂ ମଡେଲ୍ ଇଂଲିସ୍ ସ୍କୁଲ ଆଡ଼କୁ ଶୁଭ ମୁହୁର୍ତ୍ତରେ ବାହାରିଲା ବେଳକୁ ରମାଙ୍କ ବୋଉ ଚାଟ ଦୁହିଁଙ୍କ ଉପରେ ଅନୁକୁଳ ପାଇଁ ପାଦୁକପାଣି କିଛି ସିଞ୍ଚନ କରିଦେଲେ । ଶୋଭାଯାତ୍ରାଟି ବାମ୍ଫି ସାହି ରାସ୍ତାରେ ତେଲେଙ୍ଗା ବଜାର ଓ ନୃସିଂହନାଥ ମଠ ଦେଇ ସିଧା ଇସ୍କୁଲୁ ହତାରେ ପହଞ୍ଚିଲା । ସ୍କୁଲର ଚିହ୍ନା ମାଷ୍ଟ୍ରମାନେ ପିଲା ଦୁହିଁଙ୍କର ବହୁତ ଆଦର କଲେ । ସୁରୁଖୁରୁରେ ଦୁହିଁଙ୍କର ସେ ସମୟର ଷଷ୍ଠ ଶ୍ରେଣୀରେ ନାଁ ଲେଖା ହୋଇଗଲା । ଆରମ୍ଭ ହୋଇଗଲା ଇଂରାଜୀ ବିଦ୍ୟାଳୟରେ ଇସ୍କୁଲୁ ଜୀବନ ।

ବି.ଦ୍ର. - ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଙ୍କର ଆତ୍ମଜୀବନୀମୋ ଫୁଟା ଡଙ୍ଗାର କାହାଣୀ ୨୦୦୮ ମସିହାରେ କଟକର ସୁଧାଂଶୁ ପ୍ରଧାନଙ୍କ ଦ୍ୱାରା ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ ବହିଟିର ପ୍ରଥମ ସଂସ୍କରଣଇଷ୍ଟର୍ଣ୍ଣ ମିଡିଆପ୍ରକାଶନ ସଂସ୍ଥାଙ୍କ ଦ୍ୱାରା ୧୯୮୯ ମସିହାରେ ଛପା ଯାଇଥିଲା

Thursday, June 06, 2019

ଚର୍ଯ୍ୟାଗୀତିକା: ଆଦ୍ୟସ୍ୱର ୮ - କାହ୍ନୁ

ଅନୁସୃଜନ - ଜ୍ୟୋତି ନନ୍ଦ


'ସୁବର୍ଣ୍ଣ ବ୍ୟୁହ'ର ପ୍ରାରୂପ (୧୫୫୦ ମସିହାର ଆଖପାଖରେ ଅଙ୍କିତ)
ଉତ୍ସ - ମନ୍ତୁଆର ଡ୍ୟୁକ୍‌ମାନଙ୍କର ସ୍କେଚ୍ ବହିରୁ ଆନୀତ (ୱିକିମିଡିଆ କମନ୍ସ୍)

ଆଳିକା ମାଳିକା ଓଗାଳେ ପଥ
ତାହା ଦେଖି କାହ୍ନୁ ବିରସ ଚିତ୍ତ ।

କାହ୍ନୁ ବୋଲେ କେଣେ କରିବି ବାସ
ମନ ଜାଣିଥିବା ଲୋକ ଉଦାସ ।

ତିନିକୁ ତିନିହେଁ ନିହାତି ଭିନ୍ନ
କାହ୍ନୁ ନାଁ ଦିଅଇ ଯେ ଭବଚ୍ଛିନ୍ନ ।

ଏଇଲେ ଆସନ୍ତା ଏଇଲେ ନାହିଁଁ
ଏହି ରୂପେ କାହ୍ନୁ ବିମନା ହୋଇ ।

ପାଖେ ଜୀନପୁର ରହିଛି ସତେ
ମୋହାନ୍ଧ କାହ୍ନୁ ତହିଁଁ ଯିବ କେମନ୍ତେ ?

Sunday, June 02, 2019

ଗାନ୍ଧୀ ଆଶ୍ରମ ପ୍ରାର୍ଥନା, 'ଜୀବନର ଯଜ୍ଞେ ଯହିଁ  ହୀନ ଅକିଞ୍ଚନ'

କବି - ବୈକୁଣ୍ଠନାଥ ପଟ୍ଟନାୟକ


ମହାତ୍ମା ଗାନ୍ଧୀ ଓ ସହକର୍ମୀମାନେ ବାସ କରୁଥିବା ଦକ୍ଷିଣ ଆଫ୍ରିକାକ ଟଲଷ୍ଟୟ ଫାର୍ମ୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଜୀବନର ଯଜ୍ଞେ ଯହି ହୀନ ଅକିଞ୍ଚନ
ଲଭନ୍ତି ଆହୁତି ତହିଁ ପାରିଛ ଆସନ ।

ହେ ଦରିଦ୍ର ସଖା ନିଖିଳର ରାଜେଶ୍ୱର
କରିବାକୁ ଏ ଜୀବନ ସୁନ୍ଦର ଅମର ।

ବରି ନେଇଅଛ ଆପେ ଦୈନ୍ୟ ନିର୍ଯ୍ୟାତନ
ସହସ୍ର ଲାଞ୍ଛନା ଭୋଗ କ୍ଷତ ଅନଶନ ।

କରିଅଛ ଶୁଭ୍ର ଦେହ ଶୋଣିତ ଆପ୍ଳୁତ
ମାନବ ଗରଳ ବସି କରୁଛ ଅମୃତ ।

ଅଶ୍ରୁ ଅନ୍ତରାଳୁ ତହିଁ ଫୁଟାଉଛ ହାସ
ନିରାଶା ଅନ୍ଧାରୁ ତବ ଆଲୋକ ପ୍ରକାଶ ।

ପ୍ରଭଞ୍ଜନ ଝଞ୍ଜାମେଳେ ହସ ତୁମେ ଶାନ୍ତି
ମୃତ ଜୀବନର ଭସ୍ମେ ଅରବିନ୍ଦ କାନ୍ତି ।

ଦରିଦ୍ରପୁରେ ଗାଉଛ ନିଖିଳର ବ୍ୟଥା
ଭ୍ରାନ୍ତି ଏ ମାନବ ଲାଗି ଏଡ଼ିକି ମମତା ।

ହେ ମୂକ ପାଷାଣ ପ୍ରଭୁ, ଚିର ଅବିଚଳ
ହେ ଲାଞ୍ଛିତ ନିଷ୍ପେଷିତ ହେ ଶିବ ମଙ୍ଗଳ ।

ନତଶିରେ ଶ୍ରୀପୟରେ ମାଗେ ଏହି ଭିକ୍ଷା
ଦିଅ ଦୀନବେଶେ ମୋତେ ଦରିଦ୍ରର ଦୀକ୍ଷା ।