Thursday, December 31, 2015

ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ଲେଖକ


ଶିମିଳିପାଳ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସବୁଠାରୁ ଭଲ ଗପ
ଅବଶ୍ୟ, ଲେଖିହୁଏ ନାହିଁ ।
କିମ୍ବା ସତ କହିଲେ 
ସେ ଗପଟିକୁ
ତୁମେ ଆଦୌ ଲେଖିବ ନାହିଁ ।

ସେ ଗପଟିର ଘର
ତୁମର ହୃଦୟ କନ୍ଦର 
କାଗଜର ନଅର
ତ କେବେ ହେଲେ ନୁହେଁ ।

କାଗଜ ଶୁଷ୍କ ।
କ୍ଷୀର ଶୁଖିଯାଉଥିବା ନାରୀର
ସ୍ତନ ଭଳି ବିଲକୁଲ୍ ସପାଟ୍ । 

ଚେର ପାଇଁ ମାଟି କାହିଁ ?
ହଁସାର ଭୂଇଁକୁ କେମିତି ଟେକିବି କୁହ,
ମାଇଲିଏ ଛନଛନିଆ ଜଙ୍ଗଲର 
ଗଛଗୁଡ଼ିକ ଉପରେ ଢୁଳଉଥିବା ପକ୍ଷୀମାନଙ୍କର 
ଅର୍ବୁଦ ଲିଟର ସ୍ୱପ୍ନର 
ସରର ତାରଲ୍ୟରେ ଗାର ନ ପକାଇ ?
ଆଉ ଜଙ୍ଗଲ ତଳର ପର୍ବତ ?
ପ୍ରପାତ ମାନଙ୍କର ନଦୀ ?
ନଦୀମାନଙ୍କରେ ମାଛମାନଙ୍କର ପଟୁଆରର ହାଲ୍ଲୋଳ ଦେଖିବା ପାଇଁ 
ଧସ୍ତାଧସ୍ତି ହେଉଥିବା ଗଛମାନେ ?

ମାଛମାନଙ୍କର ତଳେ
ବଉଦ ।
ଏଠି ଆକାଶରେ ଢେଉ ଉଠେ,
ଆଉ ନଇ ଗୁମୁରେ ।  
ଏ ସବୁ
କାଗଜ ଉପରେ କେମିତି ଚାଲିବେ ?
ବର୍ତ୍ତମାନ ଦେଖ !
କାଗଜସବୁ କେମିତି 
ଗୁଣ୍ଡ ହୋଇ ଉଡ଼େ,
ବାଘର ଚାଲିର ଧର୍ଷଣରେ । 

ପିଲାଙ୍କ ଗୀତ - ଉଠ ସକାଳ ହେଲା 


କବି - ଶ୍ରୀ ନଦୀୟା ବିହାରୀ ମହାନ୍ତି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କଳାକାହ୍ନୁ ଉଠ ସକାଳ ହେଲା ।
କମଳ ଆଖି ତୋ ଖୋଲ ଆରେ ବାବୁ
ଶୁକ ପିକ ଡାକ ଦେଲେଣି ପରା । 

ଆରେ ନନ୍ଦଚାଟ ନକର ତୁ ମଠ
ଗୋପାଳ ବାଳକ ହେଲେଣି ଠୁଳ ;
ଶିଙ୍ଗା ଶବଦରେ ଗୋପଦାଣ୍ଡ ପୂରେ
ଶେଯ ଛାଡ଼ ବେଗେ ମୋ ଗଳାମାଳା । ୧।

ଆରେ ବନମାଳୀ ମୋ ଜୀବଶଙ୍ଖାଳି
ସର ଲବଣି କି ନ ଦେବୁ ମୁଖେ,
ଅଳି ଲାଗି ତୋର ମନ କି ନ ବଳେ
ପଲଙ୍କେ ଲୋଟୁ ରେ ଦୁଃଖପାସୋରା ।୨।

ସୁଦାମ ସୁବଳ ସଖା ତୋ ସକଳ
ଧେନୁପଲ ସଙ୍ଗେ ହେଲେଣି ଉଭା,
ଶ୍ୟାମଳୀ ଧବଳୀ ଛାଡ଼ନ୍ତି ହମ୍ବାଳି 
ଗୋଷ୍ଠବିହାରୀ ତୁ ନକର ହେଳା । ୩।

ମୂଳ ରଚନା ଆକାଶବାଣୀ ସୌଜନ୍ୟରୁ ସଂଗୃହିତ ।  ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

Wednesday, December 30, 2015

ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ସୁଜାତା - ବୁଦ୍ଧଙ୍କର ପ୍ରଥମ ଶିଷ୍ୟ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଦିନ ସକାଳ ମୋର ପୂରା ମନେ ଅଛି । 
ଗୋଟିଏ ପତଳା, ଲମ୍ବା ଲୋକ ମୋ' ଆଡ଼େ,
ଝୁଲି ଝୁଲି ଆସିଲେ ।
ଆଖିଯୋଡ଼ିକ ଶରତର ସ୍ୱପ୍ନ ପରି ଢ଼ଳଢ଼ଳ,
ବଡ଼ ବଡ଼ ; ବ୍ୟାଧିଗ୍ରସ୍ତ, ହତାଶିଆ ପଥିକର ଆଖିପରି 
ଅର୍ଦ୍ଧ ନିମୀଳିତ ।
ବାଳୁଙ୍ଗାର ଚାଷ ପରି କେଶ, ଆଜାନୁଲମ୍ବିତ । 
ମୋତେ ଶୁଣାଗଲା, 
'ମୁଁ କ୍ଷୁଧିତ ମା, ମୁଁ କ୍ଷୁଧିତ' । 

ଘରକୁ ନେଲି, ରୁଟି ଆଉ ଦହି ଖୁଆଇଲି :
ଗୋଧୋଇପାଧୋଇ ଦେଇ, ଖୌର କରାଇ ;
କାଟିବାକୁ ଅରାଜି ହେବାରୁ
ଶରଧାରେ କେଶ ପଖାଳିଲି । 
ଆଉ ପଚାରିଲି
ଏମିତି କେମିତି ହେଲା 
ବାରେ କୁହ ବୋଲି । 

ସେ କହିଲେ, ଅନେକ ବରଷ ହେଲା ଶୋଇନାହିଁ ମା ।
ଅଖିଆ, ଅନିଦ୍ରା ହୋଇ,
 ଖାଲି ଚିନ୍ତା କରୁଥିଲି ।  
କେଶର ଶେଷ ଜଟା ଖୋଲିଗଲା ପରେ,
ମୋ'ର  କ୍ଲାନ୍ତ ଆଙ୍ଗୁଳିକୁ ଧରି 
ନିଦ୍ରା ଗଲେ ।
ସକାଳୁ ସକାଳୁ
ମୋ' ବାପା ମୋତେ ରୋକି ପାରିବା ପୂର୍ବରୁ,
ସୂରୁଜ ପୂରୂବ ଦିଗରେ ଉଠିବା ଆଗରୁ,
ସେ ସେଇ ଆଙ୍ଗୁଳି ଧରି 
ବୋଧି ମୂଳେ ଘେନିଗଲେ
ଆଉ ବୋଇଲେ,
ଶୁଣ !

ଡଗର ( ପ୍ରଥମ ବର୍ଷ, ଚତୁର୍ଥ ସ‌ଂଖ୍ୟା) ପତ୍ରିକାରୁ ଓଡିଶା ସମାଚାର - ୩



୧୯୩୬ ମସିହା : ୧୩୪୪ ସାଲ, ଆଷାଢ଼ ଶେଷାର୍ଦ୍ଧ  



ବ୍ରିଟିଶ ସମ୍ରାଟ ଅଷ୍ଟମ ଏଡ଼ୁଆର୍ଡ଼୍
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ନିଆଁ ନାହିଁ । କିନ୍ତୁ ଓଡ଼ିଶା କଂଗ୍ରେସୀ ଏସେମ୍ଲି ସଭ୍ୟଙ୍କ ଭିତରୁ କେତେଜଣ ଅନ୍ୟ ଦଳକୁ ଖସିଯିବେ ବୋଲି ଏକ ଘୋର ଆତଙ୍କ ଧୂଆଁ  ଦିଶୁଛି ବୋଲି  ଖବରକାଗଜମାନଙ୍କରେ ପ୍ରକାଶ । 

କଟକରେ ଭୟଙ୍କର ବର୍ଷା ହୋଇଛି । ମହାନଦୀ ଓ କାଠଯୋଡ଼ୀର ବନ୍ୟାମାଡ଼ ଆସୁଛି  । ରଙ୍ଗେଇଲୁଣ୍ଡାର ଭାରି ହରଷ । 

ଅନ୍ଧାରି ଗଡ଼ଜାତରେ ଆଲୁଅ ଜାଳିବାକୁ ଯାଇଁ ଶ୍ରୀଯୁକ୍ତ ଦୟାନିଧି ଶତପଥି ଗିରଫ ହୋଇଛନ୍ତି । 

ସମ୍ରାଟ ପିତା ତୁଲ୍ୟ । ପିତାଙ୍କୁ ଗାଳିଫଜିତ କରିବାରୁ ପିତା ଏବେ ପଣ୍ଡିତ ପ୍ରାଣକୃଷ୍ଣ ପଢ଼ିହାରୀଙ୍କୁ ୬ମାସ ପାଇଁ ମାମୁ ଘରକୁ ପଠାଇ ଦେଇଛନ୍ତି । 

ନଇରେ ଘରକରି କୁମ୍ଭୀର ସହିତ କଳି କରିବା ଦୋଷରୁ ଏସେମ୍ଲି ମେମ୍ବର ଚକ୍ରଧର ବେହେରା ଗିରଫ ହୋଇଛନ୍ତି । 

ଭଦ୍ରକକୁ ଶିକ୍ଷା ମନ୍ତ୍ରୀ ଆସିଥିଲେ । ଅଫିସରମାନଙ୍କୁ ସେ ସାଧାରଣ ସେବକ ହୋଇ ସାଧାରଣଙ୍କ ସଙ୍ଗରେ ମିଶିବାକୁ ଉପଦେଶ ଦେଇ ରାବଣ କାନରେ ରାମନାମ କହି ଚାଲିଗଲେ । 

ଅବଳା ଶବ୍ଦ ଅଭିଧାନରୁ ଉଠିଯିବାର ଆନ୍ଦୋଳନ ଚାଲୁଥିବା ବେଳେ ଭଦ୍ରକରେ ଜଣେ ବାଳିକା ଗୋ୪ଟି ବାଳକଙ୍କୁ ସୁଅରେ ଭାଷି ଯାଉଥିବାବେଳେ ରକ୍ଷା କରିଛନ୍ତି । 

ତା୭ରିକ ଜୁଲାଇଦିନ ଗୋପବନ୍ଧୁଙ୍କର ଶ୍ରାଦ୍ଧ ଦିବସ  ଉତ୍କଳର ଚାରିଆଡ଼େ ପାଳିତ ହୋଇ ଯାଇଛି । 

ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଖୋଦ ସରକାରଙ୍କ ବିରୁଦ୍ଧରେ ବାକ୍ୟ ବାଣ ପେଶିଥିବାରୁ ୧୨୪ ଧାରା ଅନୁସାରେ ଗିରଉ ହୋଇଛନ୍ତି । 

ସରକାରୀ କମିଟିର ସୁପାରିସରୁ ଅନୁମାନ ହୁଏ, ଓଡ଼ିଶାରେ ବିଶ୍ୱବିଦ୍ୟାଳୟରେ ଅଦୂର ଭବିଷ୍ୟତରେ ହୋଇପାରେ ।  

ଓଡ଼ିଶା ଲାଟ ସାହେବ ଜଣାଇଛନ୍ତି ଯେ ଓଡ଼ିଆ ଏସେମ୍ଲି ଏମାସ ୨୮ ତାରିଖରେ ହେବ । 

Tuesday, December 29, 2015

ସୁଜାତା ଭଟ୍ଟଙ୍କର ଅନୁଦିତ କବିତା - 'ଥିବା ଓ ହେବା ଭିତରେ ତଫାତ୍' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶରୀର ଭିତରେ ଆତ୍ମା କେଉଁଠି ରହେ ?
ଆଟୁରେ କଏଦୀ ହୋଇ,
କାଚରେ ନିଜର ଡ଼େଣା ଫଡ଼ଫଡ଼ କରି ?
ନା ।
ସେ ଦୁଆର, ଝରକା ତ ସବୁବେଳେ ଫରଚା । 

ପିଲାଦିନେ, ଆମେ ସବୁବେଳେ ବାହାରେ ରହୁଥିଲୁ ।
କୃଷ୍ଣ କପାସ ମୃତ୍ତିକାରେ ଆବଦ୍ଧ,
କଳା ପଥରର ବାମ୍ଫି । 
ଆଉ ତା' ଭିତରେ ଚିକ୍କଣ ଆରିସିର ପ୍ରତିବିମ୍ବ ?

ଜାମୁ ରସ ପରି
ସୁଆଦିଆ ପାଣି ପାଖକୁ 
ଲମ୍ବି ଯାଇଥିବା ବୁଢ଼ି ଅସୁରୁଣୀର ଲୋମଶ ଗୋଡ଼ ପରି ପାହାଚ ।
କହୁଣୀ ପର୍ଯ୍ୟନ୍ତ ପାଣି ;
ମୋ ଜାମାରୁ ନିଗୁଡ଼ି ଥିବା ଶୋଷର କାହାଣୀ । 

ତା' ପରେ ଦୁର୍ଗାର ନିମ ଗଛ ପର୍ଯ୍ୟନ୍ତ ଅଝଟ ଦୌଡ଼ ।
ଶୁଖିଲା, ଗୁମସୁମ୍ ପତ୍ର,
ଚେତେରେଇ ହୋଇ ପଡ଼ିଥିବା କୋଳି ।
ଜିଭ ତଳେ ପିତାଳିଆ ମିଠା ସୁଆଦର ବାସ୍ନା । 

କିଛି ଦୂରରେ କାଳିସୀ ଲାଗିଲା ପରି ନାଚୁଥିବା 
ଲାଲ୍ ମନ୍ଦାରର ଫୁଲ । 

ଚାଷୀ ଆତ୍ମହତ୍ୟା ବିରୁଦ୍ଧରେ ବିଧାନସଭା ଆଗରେ ପ୍ରତିବାଦ  


ଫଟୋ - ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ





























ଓଡ଼ିଆ ସାହିତ୍ୟରେ ପାନ - ୧


ଉତ୍ସ - ଶ୍ରୀ ବୈଷ୍ଣବ ମହାନ୍ତି କୃତ 'ପାନ ଓ ପ୍ରିୟତମା' 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସାରଳା ଦାସ


ବିଜୟେ ରାଜାମାନେ ନିଅବକାଶ ସ୍ଥାନେ ।
କର୍ପୂର ତାମ୍ବୁଳ ଯେ ଭୁଞ୍ଜନ୍ତି ମୁଖବାସ ବିଧାନେ ।।

ବ୍ରଜନାଥ ରଥ 


ମୁଁ ଜାଣିଛି ପାନ, ତୁମେ ବଡ଼ ଉପକାରୀ ବନ୍ଧୁ ।
ଦୂର ଅତୀତରେ ଓଡ଼ିଆ ପୁଅ ତ ବାହିଗଲା ଯେବେ ସିନ୍ଧୁ ,
ଜାଭା, ବୋର୍ଣ୍ଣିଓ, ବ୍ରହ୍ମଦେଶେ ଓ ମଧ୍ୟ ଏସିଆ ମୁଖେ ;
ତୁମେ ଭରିଦେଲ ନୂତନ ଶକ୍ତି ତାହାରି କ୍ଲାନ୍ତ ବୁକେ ।

ତେଣୁ ସେ ତୁମକୁ ଅତି ଭଲ ପାଇ
ବଟୁଆ ଭିତରେ ରଖିଲା ସଜାଇ 
ତୁମେ ତା' ଭିତରେ ଅତି ଆରାମରେ ପଡ଼ିଲ ଘୁମାଇ ଆହା ! 

ସେହି ଦିନଠାରୁ ବଟୁଆବାସିନୀ, ତାମ୍ଭୁଳ ଆହେ କ୍ଲାନ୍ତିନାଶିନୀ
ଓଡ଼ିଆର ହେଲ ସାହା । 
(ଝଙ୍କାର, ୩୭ ବର୍ଷ, ଶାରଦୀୟ ବିଶେଷାଙ୍କ) 

ଗଙ୍ଗାଧର ମେହେର 


ପୂରିଲାଣି ଏ ଦେଶେ ପର୍ଣ୍ଣସେବୀ ଲୋକେ,
ଶୁଭ୍ରଦନ୍ତ କେବଳ ରହିଛନ୍ତି ଥୋକେ ।
ଚଷାଘରୁ ଆରମ୍ବି ରାଜ ପରିବାର
ସବୁଠାରେ ରହିଛି ପର୍ଣ୍ଣ ଅଧିକାର । 

ପିଲାଙ୍କ ଗୀତ - ବର୍ଣ୍ଣଶିକ୍ଷା ଚଉତିଶାର କିୟଦଂଶ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


କ, କ କାଳିନ୍ଦୀ ତୀରେ,
ଖ, ଖ ଖେଳନ୍ତି ଧୀରେ ।
ଛ, ଛ ଛଇଳ କାହ୍ନୁ
ଜ, ଜ ଜଗଜୀବନୁ  
ଡ, ଡ ଡମିଆ ମେରୁ,
ଢ, ଢ ଢାଙ୍କଇ ଭୂରୁ ।
ବ, ବ ବାଙ୍କ ଚାହାଣୀ,
ଭ, ଭ ଭାଙ୍ଗଇ ଟାଣି ।
ର.ର ରସିକ ବନ୍ଧୁ,
ଲ, ଲ, ଲାବଣ୍ୟ ସିନ୍ଧୁ ।
ବ, ବ ବଂଶୀଧାରିଆ,
ଶ, ଶ ଶ୍ୟାମଘନିଆ ।
ଷ, ଷ ସାରଙ୍ଗପାଣି,
ସ, ସ ସୁନ୍ଦରମଣି ।
ହ, ହ, ହରିଦାସିଆ,
କ୍ଷ, କ୍ଷ କ୍ଷମାକାରିଆ ।  

ମୂଳ ରଚନା 'ଶ୍ୟାମସୁନ୍ଦର ରାଜଗୁରୁ ପ୍ରବନ୍ଧାବଳୀ' ରେ ଛପା ଯାଇଥିଲା । ଗୀତଟିର ଏହି ପ୍ରତିଟି ଓଡିଶା ସାହିତ୍ୟ ଏକାଡେମୀ ଛାପିଥିବା ଶ୍ରୀ ରାମକୃଷ୍ଣ ନନ୍ଦ ସଙ୍କଳିତ 'ଓଡିଆ ଶିଶୁ ସଙ୍ଗୀତ ସଙ୍କଳନ' ରୁ ଆହୃତ ।

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଅଙ୍ଗାରୁଆ -  ଶ୍ରୀମନ୍ଦିରର ରୋଷଚୂଲିରୁ ଅଙ୍ଗାର, ପାଉଁଶ, ଖଣ୍ଡିଆ ପୋଡ଼ାକାଠ କଢ଼ା ଓ ନଳା ସଫା କାର୍ଯ୍ୟ କରୁଥିବା ସେବକ ।

ଅଟକାଳି - ଚାଉଳ ଓ ବିରିଚୂନା ମିଶ୍ରିତ ମିଠାଯୁକ୍ତ ଜାଉ । ଶ୍ରୀଜୀଉଙ୍କର ଏକ ଭୋଗ ବିଶେଷ । କ୍ଷୀର, ଗୁଡ଼ ବା ଚିନି ସହିତ ଗହମ ବା ଚାଉଳଚୂନା ମିଶ୍ରିତ ବହଳ କ୍ଷୀରି ଯାହାକୁ ଠାକୁରଙ୍କୁ ଅର୍ପଣ କରାଯାଏ ।
ଅଣସର ଦଶମୂଳପାଚନ - ଶ୍ରୀମନ୍ଦିର ଭିତରେ ଶ୍ରୀବିଗ୍ରହମାନେ ଅଣସରରେ ଥାଇ ଜ୍ୱରରୁ ଆରୋଗ୍ୟ ନିମନ୍ତେ ସେବନ କରୁଥିବା ଦଶମୂଳ ପାଚନ । ଆୟୁର୍ବେଦୋକ୍ତ ଦଶ ଗୋଟି ଗଛର ମୂଳ, ଯଥା - ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, ପାଟେଳୀ, ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ବୃହତୀ (ଲଟା ବରକୋଳୀ), ଅଙ୍କରାନ୍ତି ଓ ଗୋଖୁରା । ଗର୍ଭଣା ସଙ୍କ୍ରାନ୍ତିରେ ଦଶ ଜଣ ଲୋକ ଏହି ଦଶଟି ମୂଳକୁ ପୃଥକ୍ ରୂପେ ସଙ୍ଗ୍ରହ କରି ଆଣି ପାଣିରେ ସିଝାଇ ତିଆରି କରାଯାଇଥିବା ପାଚନ ମୋଦକ ତିଆରି କରାଯାଏ  ।

ଅଣସର ପଣା - ଅଣସର ସମୟରେ ଶ୍ରୀଜୀଉଙ୍କୁ କେବଳ ଫଳମୂଳ ଓ ପଣା ଇତ୍ୟାଦି ଅର୍ପଣ କରାଯାଏ । ପ୍ରତ୍ୟହ ମଧ୍ୟାହ୍ନ ଧୂପ ଓ ସନ୍ଧ୍ୟା ଧୂପ ପରେ ଦୁଇଥର ସର, ନବାତ, କର୍ପୂର, ଜାଇଫଳ, ଚନ୍ଦନ ମିଶ୍ରିତ ମୋଟ ଅଠେଇଶ ଓଳି ପଣା (ଚଉଦ ଓଳି ସାନ ଓ ଚଉଦ ଓଳି ବଡ଼) ମହାପ୍ରଭୁଙ୍କୁ ସମର୍ପଣ କରାଯାଏ । 

ଅଥାର - ପିଠା ସିଝା ହେବା ପାଇଁ ଏକ ହାଣ୍ଡି । ଏଥିରେ ରାଣି ରଖାଯାଇ ଏହାର ମୁହଁକୁ କନାରେ ଢାଙ୍କି ବାନ୍ଧି ଦିଆଯାଇଥାଏ । ଏହାର ଉପରେ ସୁଦ (ଆଣ) ରଖି ନିଆଁରେ ବସାଯାଇ ବିବିଧ ପ୍ରକାରର ପିଠା ପ୍ରସ୍ତୁତ କରାଯାଏ । 

ଅଦା ପାଚେଡ଼ି -  ଏକ ପ୍ରକାର ଭୋଗ । ଯାହା କୋଠ ଭୋଗରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯାଏ ।

ଅଧର ପଣା - ଶ୍ରୀ ଦଗନ୍ନାତଙ୍କ ପାଖରେ ରଥ ଉପରେ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ ନୀଳାଦ୍ରି ବିଜେର ପୂର୍ବଦିନ ଅଧର ପଣା ଲାଗି କରାଯାଏ । ବାହୁଡ଼ା ପରେ ସିଂହଦ୍ୱାରରେ ଠାକୁର ରଥାୠଢ଼ ଅବସ୍ଥାରେ ଶ୍ରୀଅଧରକୁ ପାଇଲା ଭଳି ତୁମ୍ବ ସଦୃଶ  ତିନୋଟି ହାଣ୍ଡିରେ ଅର୍ପିତ ପଣା ଭୋଗ । ମହାପ୍ରଭୁଙ୍କ ଅଧର ସ୍ପର୍ଶ ମାପ ହୋଇ ସ୍ୱତନ୍ତ୍ର ଭାବରେ ନିର୍ମିତ ହୋଇଥିବା ମାଟି ହାଣ୍ଡିରେ ଏହା ଭୋଗ ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ । କ୍ଷୀରସର, ନବାତ, କଦଳୀ, ଗୋଲମରିଚ, ଅଳେଇଚ ଆଦି ମିଶ୍ରିତ ପଣା, ଯାହାକି ଓଡ଼ିଆ ମଠ, ରାଘବଦାସ ମଠ, ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଗୋଟି ହାଣ୍ଡି ଏକ ସମୟରେ ଭୋଗ କରାଯାଏ ।

ପୂର୍ବେ ବାହୁଡ଼ାଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସି ସିଂହଦ୍ୱାରରେ ପହଞ୍ଚିଲା ପରେ ତିନି ରଥରେ ଅଧର ପଣା ଲାଗୁଥିଲା । ବାହୁଡ଼ା ଦଶମୀ ଦିନ ତିନି ହାଣ୍ଡି, ଏକାଦଶୀ ସୁନାବେଶ ଦିନ ତିନି ହାଣ୍ଡି, ଏବଂ ଦ୍ୱାଦଶୀ ଦିନ ତିନି ହାଣ୍ଡି ଏହିପରି ନଅ ହାଣ୍ଡି ଅଧର ପଣା ଭୋଗ ହେଉଥିଲା । ପରବର୍ତ୍ତୀ କାଳରେ ରଥ ସିଂହଦ୍ୱାରରେ ବାହୁଡ଼ା ଦିନ ପହଞ୍ଚି ନ ପାରିବାରୁ ଏକାଦଶୀ ଦିନ ଛଅ ହାଣ୍ଡି ଓ ଦ୍ୱାଦଶୀ ଦିନ ତିନି ହାଣ୍ଡି ପଣା ଭୋଗ ହେଉଥିଲା ; କିନ୍ତୁ ଏବେ ଦ୍ୱାଦଶୀ ଦିନ ଅର୍ଥାତ୍ ସୁନାବେଶ ପରଦିନ ଏକାଦିନକେ ନଅ ହାଣ୍ଡିର ଅଧରପଣା ଭୋଗ ହେଉଛି । ପ୍ରକୃତରେ ନଅ ହାଣ୍ଡି ଅଧର ପଣା ନୁହେଁ ବାରହାଣ୍ଡି ଅଧର ପଣା । ପ୍ରତି ରଥରେ ତିନି ହାଣ୍ଡି ଲେଖାଏଁ ନଅ ହାଣ୍ଡି । ଏତଦ୍ ବ୍ୟତୀତ ବଳଭଦ୍ରଙ୍କ ରଥରେ ଅଧିକ ଦୁଇଟି ଛୋଟ ହାଣ୍ଡିରେ ଅଧର ପଣା ଭୋଗ ହୋଇଥାଏ । ରଥରେ ଥିବା ରାମ କୃଷ୍ଣଙ୍କର ଚଳନ୍ତି ବିଗ୍ରହ ନିକଟରେ ଏହି ପଣା ହାଣ୍ଡି ଭୋଗ ହୁଏ । ଆଉ ଏକ ଅଧିକ ଛୋଟ ହାଣ୍ଡି ଅଧର ପଣା ଶ୍ରୀ ଜଗନ୍ନାଥଙ୍କ ରଥରେ ବିରାଜମାନ କରିଥିବା ମଦନମୋହନଙ୍କ ନିକଟରେ ଭୋଗ ହୁଏ ।

ଏହି ପଣା ନଅଟି ଦ୍ରବ୍ୟର ସମ୍ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଯଥା - ଦୁଗ୍ଧ, ଦହି, ମହୁ, ଘୃତ, ଛେନାସର, ଗୋଲମରିଚଗୁଣ୍ଡ, କର୍ପୂର, ଜାଇଫଳ ଇତ୍ୟାଦି । ଏହାକୁ 'ମହାପଞ୍ଚରାତ୍ର' ବିଧି  ବୋଲି ବୈଷ୍ଣବମାନେ ଗ୍ରହଣ କରିଥିବାବେଳେ, ଶାକ୍ତମାନେ ମହାପଞ୍ଚତନ୍ତ୍ର ବିଧି କହିଥାଆନ୍ତି । ଲୋକ ବିଶ୍ୱାସରେ ଆଶାୟୀ ଚଣ୍ଡୀ ଚାମୁଣ୍ଡା ଆଦିଙ୍କର ପରିତୃପ୍ତି ନିମନ୍ତେ ଏହା ପ୍ରଦାନ କରାଯାଏ । ଭୂତ, ପ୍ରେତଙ୍କ ଉଦ୍ଦେଶ୍ୟରେ ଏହା ଉଦ୍ଦିଷ୍ଟ ଥିବାରୁ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଏ ।

ଅଧା - ଅମାଲୁ ଛଣା ତଇ ବା କଡ଼େଇ ଯାହା ଶ୍ରୀମନ୍ଦିର ରୋଷରେ ଅମାଲୁଲ ତିଆରିରେ  ବ୍ୟବହାର କରାଯାଏ ।

ଅଧା ତାଡ଼ିଆ - ଶ୍ରୀମନ୍ଦିରରେ ବ୍ୟବହୃତ ଭୋଗ ବିଶେଷ । ଛୋଟ ମାପର ତାଡ଼ରେ ଥିବା ଭୋଗ । ଏହା ଶ୍ରୀଜୀଉଙ୍କୁ ଲାଗି ହୋଇଥାଏ ।


Sunday, December 27, 2015

ଜଗନ୍ନାଥ ଭଜନ - ମାନ ଉଦ୍ଧାରଣ


ଫଟୋ କ୍ରେଡ଼ିଟ୍ - ୱିକିପିଡ଼ିଆ କମନସ୍ 

କବି - ଉପେନ୍ଦ୍ର ଭଞ୍ଜ 


ଗାୟକ - ବାଣୀ ଜୟରାମ ଓ ବାଳକୃଷ୍ଣ ଦାସ 


ସଙ୍ଗୀତ - ପ୍ରଫୁଲ୍ଲ କର 


ଭଜନର ୟୁଟ୍ୟୁବ୍ ଲିଙ୍କ୍ -  https://www.youtube.com/watch?v=7IGLlmSQEZA











ସୁଜାତା ଭଟ୍ଟଙ୍କର ଇଂରାଜୀ କବିତା - 'ମୋ ବଖରାକୁ ତୁମର ଆଗମନ ଏବଂ'



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍


କେମିତି ସିଲିଙ୍ଗ୍ ଫ୍ୟାନ୍ ଟିକୁ 
ଅନ୍ କଲ ଦେଖ ;
କେତେ ଉଚ୍ଚାରେ ବିଚରା ଝୁଲେ ଏବଂ ଥରେ । 

ନିଜର ଉତ୍ତପ୍ତ ଧାରଣାମାନଙ୍କ ସହ
ମୋ ବଖରାକୁ ଧସେଇ ପଶି ଆସ ;
ଆଉ ବିଚରା ଫ୍ୟାନ୍ ଟିର ଝାଳ ବହେ 
ଯେତେବେଳେ ରୁମ୍ ଟିକୁ ସିଏ ଥଣ୍ଡା କରେ ।

ମତ୍ତ ବିଶାଳାକ୍ଷୀର ସମ୍ଭାର ନେଇ 
ଆସ ବଖରାକୁ ମୋର ;
ଆଉ ତୁମ ଦେଖାଦେଖି ପଙ୍ଖା ଚାହେଁ 
ଖସିଯାଇ ଉଡ଼ିବୁଲିବାକୁ ;
ସ୍ୱପ୍ନ ଦେଖେ ବନିବାକୁ
ଏକ ଫୁଲେଇ କହ୍ଲାର ।

Saturday, December 26, 2015

ଫକୀର ମୋହନ ସେନାପତି କୃତ ଶ୍ରୀମଦ୍ ଭଗବଦ୍ ଗୀତାର ଓଡିଆ ପଦ୍ୟାନୁବାଦ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ପ୍ରଥମ ପ୍ରକାଶ – ୧୮୮୭




ଦ୍ୱିତୀୟ ଅଧ୍ୟାୟ - ଶ୍ଲୋକ ୩୫ - ୪୧


ଶ୍ରୀ ଭଗବାନୁବାଚ 


ଭୟାଦ୍ରଣାଦୁପରତଂ ମଂସ୍ୟନ୍ତେ ତ୍ୱାଂ ମହାରଥାଃ ।
ୟେକ୍ଷାଂଚ ତ୍ୱଂ ବହୁମତେ ଭୂତ୍ୱା ଯାସ୍ୟସି ଲାଘବମ୍ । ୩୫।

ଗାଆନ୍ତି ତୁମ୍ଭର ଯଶ ଯେଉଁ ମହାବୀରେ । ନ ଗହିବ ତୁମ୍ଭମାନ ସେମାନଙ୍କଠାରେ ।।
ସେମାନେ ମନରେ ଏହା କରିବେ ବିଚାର । ଭୟ ଯୋଗୁଁ ଫାଲଗୁନୀ ନ କଲା ସମର । ୩୫ ।

ଅବାଚ୍ୟ ବାଦାଂଶ୍ଚ ବହୂନ୍ ବଦିଷ୍ୟନ୍ତି ତବାହିତାଃ ।
ନିନ୍ଦନ୍ତସ୍ତବ ସମାର୍ଥଂ ତତୋ ଦୁଃଖତରଂ ନୁ କିମ୍ । ୩୬ ।

ଗାଇବେ ଶତ୍ରୁଏ କେତେ ତୁମ୍ଭ ଅପଯଶ ।  ତୁମ୍ଭ ସାମର୍ଥ୍ୟକୁ ନିନ୍ଦା କରିବେ ଅବଶ୍ୟ ।।
ଆହେ ଫାଲଗୁନୀ ତୁମ୍ଭେ ମନରେ ବିଚାର । ଏହାଠାରୁ ତୁମ୍ଭ ପକ୍ଷେ କିବା ନିନ୍ଦାକର । ୩୬ ।

ହତୋ ବା ପ୍ରାପ୍ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷ୍ୟସେ ମହୀମ୍ ।
ତସ୍ମାଦୁତ୍ତିଷ୍ଠ କୌନ୍ତେୟ ୟୁଦ୍ଧାୟ କୃତନିଶ୍ଚୟ । ୩୭।

ସଂଗ୍ରାମେ କରିବ ଯେବେ ତୁମ୍ଭେ ପ୍ରାଣତ୍ୟାଗ । ଅବଶ୍ୟ କରିବ ପରଲୋକେ ସ୍ୱର୍ଗ ଭୋଗ ।।
ଜୟୀ ହେଲେ ପୃଥ୍ୱୀ ଭୋଗ କରିବ ନିଶ୍ଚିତ । ଅତଏବ ହୁଅ ବେଗେ ସମର ପ୍ରସ୍ତୁତ । ୩୭ ।

ସୁଖଦୁଃଖେ ସମେ କୃତ୍ୱା ଲାଭାଲାଭୌ ଜୟାଜୟୌ।
ତତୋ ୟୁଦ୍ଧାୟ ଯୁଜ୍ୟସ୍ୱ ନୈବଂ ପାପମବାପ୍ସ୍ୟସି । ୩୮ ।

ସୁଖ ଦୁଃଖ ଲାଭାଲାଭ ଜୟ ପରାଜୟ । ଏହି ସର୍ବ ତୁଲ୍ୟ ଜ୍ଞାନ କରି ହେ କୌନ୍ତେୟ ।।
 ସମ୍ପ୍ରତି ଯଦ୍ୟପି ଯୁଦ୍ଧେ ହୁଅ ଅନୁରାଗୀ । ତେବେ କଦାଚିତ ହେବ ନାହିଁ ପାପଭାଗୀ । ୩୮ ।

ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ୟୋଗେ ତ୍ୱିମାଂ ଶୃଣୁ ।
ବୁଦ୍ଧ୍ୟା ୟୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି । ୩୯।

ଯାହା ଯୋଗେ ହେବ ତୁମ୍ଭ ଆତ୍ମ ତତ୍ତ୍ୱଜ୍ଞାନ । ସେହି ସର୍ବ ତୁମ୍ଭଠାରେ କଲୁ ଯେଁ କୀର୍ତ୍ତନ ।।
କର୍ମ ବିଷୟିଣୀ ବୁଦ୍ଧି ହୁଅ ଅବଗତ । ଯହୁଁ ହେବ କର୍ମରୂପ ବନ୍ଧନୁ ମୁକତ । ୩୯ ।

ନେହାଭିକ୍ରମ ନାଶୋଽସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ।
ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋଭୟାତ୍ । ୪୦ ।

ଯେ ଅବା କରେ ନିଷ୍କାମ କର୍ମ ଅନୁଷ୍ଠାନ । ତାହା ଫଳ ବିଫଳଟି ନ ହୁଏ ଅର୍ଜୁନ ।।
ନିଶ୍ଚୟ ତହିଁରେ ଜାଣ ନାହିଁ ମଧ୍ୟ ପାପ । ମହତ ଭୟରୁ ଉଦ୍ଧରଇ ପୁଣ୍ୟ ଅଳ୍ପ । ୪୦ ।

ବ୍ୟବସାୟାତ୍ମିକା ବୁଦ୍ଧିରେକେହ କରୁ-ନନ୍ଦନ ।
ବହୁଶାଖା ହ୍ୟନନ୍ତାଶ୍ଚ ବୁଦ୍ଧୟୋଽବ୍ୟବସାୟିନାମ୍ । ୪୧ ।

ସଂସାରେ ବିଷୟଯୁକ୍ତ ଅଟେ ଯେଉଁ ଜ୍ଞାନ । ସେହି ଜ୍ଞାନ ଅଟେ ଏକ ଶୁଣ ହେ ଅର୍ଜୁନ ।।
ଯେଉଁ ଜ୍ଞାନଟି ନୁହଁଇ ବ୍ୟବସାୟାତ୍ମିକା । ଅସୀମ ସେ ଜ୍ଞାନ ପୁଣି ହୁଏ ବହୁ ଶାଖା । ୪୧ । 

ଯୀଶୁଙ୍କର ଚାରୋଟି ଭିନ୍ନ ରୂପ 


                                                         ଗଗାଁଙ୍କର ଅଙ୍କିତ ପୀତ ଯୀଶୁ  



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଚୈନିକ ଯୀଶୁ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

କୃଷ୍ଣ ଯୀଶୁ 

ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଆରବୀୟ ଯୀଶୁ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ  କମନସ୍ 

Friday, December 25, 2015

ଡଗର ପତ୍ରିକାରୁ ଓଡିଶା ସମାଚାର - ୨


୧୯୩୬ ମସିହା : ୧୩୪୪ ସାଲ, ଜ୍ୟେଷ୍ଠ ଶେଷାର୍ଦ୍ଧ  



ଶ୍ରୀ କୃଶ୍ଣମେନନ୍ ଙ୍କ ସହ ଶ୍ରୀ ହରେକୃଷ୍ଣ ମହତାବ
ଫଟୋ କ୍ରେଡ଼ିଟ୍ - ଫଟୋ ଡିଭିଜନ୍, ଭାରତ ସରକାର 

ଶିକ୍ଷା ବିଭାଗ ପ୍ରାଥମିକ ଶିକ୍ଷାର ଆମୂଳ ପରିବର୍ତ୍ତନ ସଂକଳ୍ପରେ ଅଛନ୍ତି । 

ଉତ୍କଳରେ କିପରି ବହୁଳ ଭାବରେ ହିନ୍ଦି ପ୍ରଚାରିତ ହେବ, ତାହା ବିଚାର କରିବା ପାଇଁ କଟକରେ ଏକ ବିରାଟ ସଭା ବସିଥିଲା ।

ଦେଶରେ ଚାରିଆଡ଼େ କୃଷକସଭା ଚାଲିଛି । ପ୍ରତ୍ୟେକ ସଭାରେ ସଭାପତି ସାଧାରଣତଃ ଅକୃଷକ ମାନେହିଁ ହେଉଥିବାର ଦେଖାଯାଏ ।

ଖୋର୍ଦ୍ଦା ଅଞ୍ଚଳରେ ଭୀଷଣ ଘରପୋଡ଼ି ହେବା ଫଳରେ ଲୋକେ ବହୁତ କ୍ଷତିଗ୍ରସ୍ତ ହୋଇଛନ୍ତି । 

କଂଗ୍ରେସ ସଭାପତି ଶ୍ରୀ ହରେକୃଷ୍ଣ ମହତାବ୍ ଉତ୍କଳରେ କଂଗ୍ରସ କାର୍ଯ୍ୟର ସୁପରିଚାଳନା ନିମନ୍ତେ  ଦଶହଜାର ଟଙ୍କାର ଗୋଟିଏ ପାଣ୍ଠି ସଂଗ୍ରହ କରୁଛନ୍ତି । 

Thursday, December 24, 2015

ସୁଜାତା ଭଟ୍ଟଙ୍କର ଇଂରାଜୀ କବିତା - ଲାଞ୍ଜ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ମୋ ପୃଷ୍ଠା ଅନେକ ନିରର୍ଥକ କଳା ଚିହ୍ନରେ ଭର୍ତ୍ତି ।
ସେଗୁଡ଼ିକ ଭିଡ଼ିମୋଡ଼ି ହୋଇ, ଚେତେରେଇ
ବିଲେଇ ପାଲଟନ୍ତି ।
ସେ ବିଲେଇର ଚାହି ତଟକା ଗୁଣ୍ଡୁଚିମୂଷା,
ଓ ନଖର ଦାଢ଼ ମାରିବା ନିମନ୍ତେ ବନସ୍ତ ପ୍ରମାଣ ଜାଳ । 

କଳା ଚିହ୍ନଗୁଡ଼ିକ ମୋଡ଼ି ହୋଇ
ଡାଳେଇ ଯାଆନ୍ତି ;
ନେସି ହୋଇଯାଆନ୍ତି 
ବିନ୍ଦୁ ବିନ୍ଦୁ ଝାଳ ପରି
ଚୁନା ଚୁନା କଢ଼ ।

ପୁରୁଣା ଓକ୍ ଗଛଟି ଉପରେ
ଢ଼େଉଢ଼େଉକା ତିନୋଟି ଗୁଣ୍ଡୁଚ଼ି ଚଢ଼ନ୍ତି ।
ସେ ବିଲେଇଟି ଛଳନା କରେ 
ତା ଆଖି ଦୁଇଟି ପଥରର ଅନ୍ଦ ମହୁମାଛି ;
ଆଉ ପଥରର ଚିଡିଆଖାନାରେ 
ସେ ନିଜେ ଜଣେ ନିସ୍ତବ୍ଧ ପଥର ।

ଗୁଣ୍ଡୁଚିମାନେ ଜାଣନ୍ତି ଏ ଭେଳିକି,
ଆଉ ବନ୍ଦୀ ହୋଇ ରହନ୍ତି 
କୋଳରେ, ନିଭୃତ ଓକ୍ ର ।

ଧୀରେ
ଧୀରେ
ଝଡ଼ି ପଡ଼େ
ପୃଷ୍ଠାର ଉପରେ
ବିଳମ୍ବିତ ବୈଧବ୍ୟ ପରି
ନିର୍ମମ 
ଧବଳ ତୁଷାର । 

ଉପଦେଶ ସାର ଶ୍ଲୋକ - ୧୯, ୨୦, ୨୧




ଶ୍ଲୋକ - ୧୯



ଅହମୟଂ କୁତୋ ଭବତି ଚିନ୍ୱତଃ ।

       ଅୟି ପତତ୍ୟହଂ ନିଜ ବିଚାରଣମ୍ । ୧୯।


ପଦ ଚ୍ଛେଦ


ଅହମ୍ - ମୁଁ କାର ବା ଅହକାଂର 
ଅୟମ୍ - ଏହି
କୁତଃ - କେଉଁଠାରୁ 
ଭବତି - ଉତ୍ପନ୍ନ ହୁଏ
ଚିନ୍ୱତଃ - ବିଚାରକର୍ତ୍ତାଙ୍କର 
ଅୟି - ଆରେ
ପତତି - ପଡ଼େ ବା ପତିତ ହୁଏ
ଅହମ୍ - ଅହଂକାର
ନିଜ ବିଚାରଣମ୍ - ନିଜ ବିଷୟରେ (ଆତ୍ମତତ୍ତ୍ୱ ବିଷୟରେ ) ବିଚାର

ପଦ୍ୟାନୁବାଦ 


ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
    ନାଶଇ ଅହଂକାର ହେଳେ । ୧୯।

ଶ୍ଲୋକ - ୨୦


ଅହମି ନାଶଭାଜ୍ୟହମହଂତୟା ।
      ସ୍ଫୁରତି ହୃତ୍ସ୍ୱୟଂ ପରମପୂର୍ଣ୍ଣସତ୍  । ୨୦।


ପଦ ଚ୍ଛେଦ


ଅହମି ନାଶ ଭାଜି - ଅହଂକାର ନାଶ ହେଲେ
ଅହଂ ଅହଂ ତୟା - ମୁଁ ମୁଁ ବୋଲି
ସ୍ଫୁରତି - ସ୍ଫୁରଣ ହୁଏ 
ହୃଦ୍ - ଆତ୍ମା 
ସ୍ୱୟଂ - ନିଜେ 
ପରମ ପୂର୍ଣ୍ଣସତ୍ - ପରମ ପୂର୍ଣ୍ଣ ସତ୍ ସ୍ୱରୂପ

ପଦ୍ୟାନୁବାଦ


ଅହଂକାର ବିନାଶ ଫଳେ, 
ଆତ୍ମା ହୃଦୟର ସ୍ଥଳରେ ;
ମୁଁ ବୋଲି ପ୍ରକଟ ହୁଅଇ ,
          ପରମ ପୂର୍ଣ୍ଣ ସତ୍ୟ କହି ।  ୨୦ ।

ଶ୍ଲୋକ - ୨୧


ଇଦମହଂ ପଦାଭିଖ୍ୟମନ୍ୱହଂ ।
    ଅହମିଲୀନକୋପ୍ୟଲୟ ସତ୍ତୟା । ୨୧।

ପଦ ଚ୍ଛେଦ

ଇଦମ୍ - ଏହି
ଅହଂ ପଦାଭିଖ୍ୟମ୍  - ଅହମ୍ ଶବ୍ଦ ଦ୍ୱାରା ନିର୍ଦ୍ଦେଶ କରାଯାଇଥିବା
ଅନୁ - ପରେ
ଅହମ୍ - ମୁଁ (ପରମ)
ଅହମିଲୀନକେ ଅପି - ଜୀବ ପରି ପ୍ରତିତ ହେଉଥିବା ଅହଂ ଲୀନ ହେବା ପରେ 
ଅଲୟ ସତ୍ତୟା - ନାଶବିହୀନ ସତ୍ ସ୍ୱରୂପ ହୋଇଥିବାରୁ


ପଦ୍ୟାନୁବାଦ


ଏହି ପରି ଜୀବ ଇଶ୍ୱରେ 
ଲୀନ ହୋଇବାର ପରେ ।
ଆତ୍ମାର ଘଟଇ ପ୍ରକାଶ
           ସତ୍ୟ ସ୍ୱରୂପ ଅବିନାଶ ।୨୧।  

Monday, December 21, 2015

ରାସ୍ତାରେ ଶିକ୍ଷକ - ଏକ ଫଟୋ ଏସେ 


ରାଜ୍ୟ ବିଧାନସଭାରୁ ଷ୍ଟେସନ୍ ଗୋଲେଇ (ମାଷ୍ଟର୍ କ୍ୟାଣ୍ଟିନ୍ ଛକ) ପର୍ଯ୍ୟନ୍ତ ରାସ୍ତାର ଖଣ୍ଡେ ଅଂଶ ବିଧାନସଭା ଚାଲୁଥିବା ସମୟରେ ବିରୋଧ ଓ ବିକ୍ଷୋଭର ମହୋତ୍ସବର ରୂପ ନିଏ । ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ ଆପଣଙ୍କ ଆଗରେ ଏହି ମହୋତ୍ସବର ଚିତ୍ର ପରିବେଷଣ କରୁଛନ୍ତି । ମହୋତ୍ସବର ନାୟକ ନାୟିକା ହେଲେ, ଓଡ଼ିଶାର ଶିକ୍ଷକ ଓ ଶିକ୍ଷୟତ୍ରୀ ଗଣ ।

ଶ୍ରୀ ଗୁରୁଦତ୍ତ ଖୁଣ୍ଟିଆ