Monday, April 27, 2020

ଲୋକପ୍ରିୟ ପାରମ୍ପରିକ ବୈଷ୍ଣବ ଭକ୍ତି ସଙ୍ଗୀତ - ନନ୍ଦ ଉତ୍ସବ

ରଚନା - ବନମାଳୀ ଦାସ

ଗୀତ ସହିତ ଅନୁଷ୍ଠିତ ଏକ ଗୋଟିପୁଅ ନାଚର ଭିଡିଓ - https://www.youtube.com/watch?v=WdPUGk-2wZ0


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦେଖ ଗୋ ରାଧା ମାଧବ ଚାଲି ।
ମଣି ବିମାନ ଆସେ ଝୁଲି ଝୁଲି ।୦।

ବିବିଧ ବାଜଣା ବୀର କାହାଳୀ ।
ବିଜେ କଲେ 'ଚଉଦିଗ' ଉଛୁଳି ।୧।

ସଙ୍ଗତେ ଅଛନ୍ତି ପଞ୍ଚ ସାଗର
ରାଧିକା ଦୂତିକା ମୂରଲୀଧର ।୨। 

ନରେନ୍ଦ୍ର ସରକୁ କରିଣ ମନ ।
ଚାପ ଖେଳନ୍ତି ଜଗତ ମୋହନ ।୩।

ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି ।
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।୪।

ବି.ଦ୍ର. - ଗୀତର ଚତୁର୍ଥ ଧାଡ଼ିରେ ଚଉଦିଗ ବଦଳରେ 'ଗୋପଦାଣ୍ଡ' ମଧ୍ୟ ଠାଏଠାଏ ଶୁଣିବାକୁ ମିଳେ । 

Saturday, April 18, 2020

ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଙ୍କ ପ୍ରସିଦ୍ଧ ଅଭିଭାଷଣ 'ମୋର ଏକ ସ୍ୱପ୍ନ ଅଛି'

ଅନୁବାଦକ - ଶ୍ରୀମନ୍ତ ମହାନ୍ତି


ଏକ ପ୍ରେସ୍ କନ୍ଫରେନ୍ସ୍‌ରେ ମାର୍ଟିନ ଲୁଥର କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ମୁଁ ଆପଣଙ୍କ ସହ ମିଶି ଅତ୍ୟନ୍ତ ଖୁସି । ଆଜିର ଦିନ ଆମ ଜାତିର ଇତିହାସରେ ମୁକ୍ତି ପାଇଁ ମହାନ ଆବେଗ ପ୍ରକାଶର ଦିନ ଭାବେ ଲେଖାଯିବ ।

ଶହେ ବର୍ଷ ତଳେ, ଜଣେ ମହାନ୍ ଆମେରିକୀୟ, ଯାହାଙ୍କର ପ୍ରତୀକାତ୍ମକ ଛାୟା ତଳେ ଆମେ ଆଜି ରୁଣ୍ଢ ହୋଇଛେ, ମୁକ୍ତିର ଘୋଷଣାପତ୍ରରେ ସନ୍ତକ କରିଥିଲେ । ସେହି ମହାନ୍ ଘୋଷଣା, ଅନ୍ୟାୟର ନିଆଁରେ ଜଳି ପୋଡ଼ି ମରୁଥିବା ଲକ୍ଷ ଲକ୍ଷ ନିଗ୍ରୋ ଦାସମାନଙ୍କ ପାଇଁ ବତୀଘର ହୋଇ ଆଶାର ଆଲୋକ ଦେଖାଇ ଥିଲା । ସେମାନଙ୍କର ବନ୍ଧନର ଲମ୍ବା ରାତିକୁ ଭାଙ୍ଗିବା ପାଇଁ ଏହା ଆନନ୍ଦର ସୂର୍ଯ୍ୟାଲୋକ ଭଳି ଆସିଥିଲା ।
ମାତ୍ର ଶହେ ବର୍ଷ ପରେ ମଧ୍ୟ ଆଜି ବି ନିଗ୍ରୋ ମୁକ୍ତ ନୁହେଁ । ନିଗ୍ରୋର ଜୀବନ ଜାତିଗତ ବୈଷମ୍ୟର ବନ୍ଧନରେ । ଏବେ ବି ସେମାନେ ଗୋଡ଼ ହାତ ବାନ୍ଧି ହୋଇ ଦୁଃଖରେ ପଡ଼ି ରହିଛନ୍ତି । ଶହେ ବର୍ଷ ପରେ ମଧ୍ୟ ଭୌତିକ ପ୍ରାଚୁର୍ଯ୍ୟର ବିରାଟ ମହାସାଗରର ମଝିରେ ନିଗ୍ରୋ ଦାରିଦ୍ର୍ୟର ଏକ ନିସଙ୍ଗ ଦ୍ୱିପରେ ଜୀବନ କାଟୁଛି । ଶହେ ବର୍ଷ ପରେ ମଧ୍ୟ ଆମେରିକାର ସମାଜର କୌଣସି ଏକ କୋଣରେ ନିଗ୍ରୋ ଏବେ ବି ଅସହାୟ ହୋଇ ପଡ଼ି ରହିଛି । ନିଜ ମାଟିରେ ସେ ନିଜକୁ ନିର୍ବାସିତ ମନେ କରୁଛି । ସେଥିପାଇଁ ଆମେ ଏଠାକୁ ଆସିଛୁ  –  ଏହି ଲଜ୍ୟାଜନକ ପରିସ୍ଥିତିର ପରିବର୍ତ୍ତନ ପାଇଁ ।

ଯେତେବେଳେ ଆମ ପ୍ରଜାତନ୍ତ୍ରର ନିର୍ମାତାମାନେ ସମ୍ବିଧାନ ଓ ସ୍ୱାଧୀନତାର ଘୋଷଣାପତ୍ରର ମନ୍ତ୍ରମୁଗ୍ଧ ଶବ୍ଦମାନ ଲେଖିଥିଲେ, ସେମାନେ ଏକ ପ୍ରତିଶୃତି ଦେଇ ଯାଇଥିଲେ, ଯାହାର ଦାୟାଦ ହେଉଛନ୍ତି ପ୍ରତ୍ୟେକ ଆମେରିକୀୟ । ଏହି ପ୍ରତିଶୃତି ଥିଲା ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର ହଁ ଉଭୟ କଳା ଓ ଗୋରା ବ୍ୟକ୍ତିଙ୍କର ଜୀବନ, ସ୍ୱାଧୀନତା ଓ ଆନନ୍ଦରେ ବଞ୍ଚିବାର ଅଧିକାରକୁ ସୁରକ୍ଷିତ ରଖାଯିବ ।

ଆଜି ଏହା ସ୍ପଷ୍ଠ ଯେ, ଆମେରିକା ତାର ନାଗରିକମାନଙ୍କର ବର୍ଣ୍ଣକୁ ନେଇ ଏହି ପ୍ରତିଶୃତିକୁ ରକ୍ଷା କରିପାରି ନାହିଁ । ନିଜେ ଦେଇଥିବା ପ୍ରତିଶୃତିକୁ ରକ୍ଷା କରିବା ବଦଳରେ ଆମେରିକା ନିଗ୍ରୋମାନଙ୍କୁ ଏକ ମିଛ ବ୍ୟାଙ୍କ ଚେକ୍ ଦେଇଛି, ଯାହା ଅର୍ଥାଭାବରୁ ଫେରି ଆସିଛି ।

କିନ୍ତୁ ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ନ୍ୟାୟର ବ୍ୟାଙ୍କ ଦେବାଳିଆ ହୋଇଯାଇଛି । ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ଏହି ଜାତିର ସୁଯୋଗର ବିରାଟ ଛାତ ତଳେ ଅର୍ଥର ଅଭାବ ରହିଛି । ଏବଂ ସେଥି ପାଇଁ ଆମେ ଏହି ଚେକ୍‌କୁ ଭଙ୍ଗାଇବା ପାଇଂ ଆସିଛୁ । ଏହି ଚେକ୍ ଆମକୁ ମୁକ୍ତିର ପ୍ରାଚୁର୍ଯ୍ୟ ଓ ନ୍ୟାୟର ସୁରକ୍ଷା ଦେବ । ଆଜିର ଚରମ ଆବଶ୍ୟକତାଗୁଡ଼କୁ ଆମେରିକାକୁ ମନେପକାଇ ଦେବାକୁ ଆମେ ଏହି ପବିତ୍ର ସ୍ଥାନକୁ ଆସିଛୁ । 

ବର୍ତ୍ତମାନ ସମୟ ଆସିଛି, ଗଣତନ୍ତ୍ରର ଶପଥ ନେବା ପାଇଁ । ବର୍ତ୍ତମାନ ସମୟ ଆସିଛି, ଅନ୍ଧାରରୁ ବାହାରି ଆସିବାର ଦୁଃସ୍ଥ ବିଭାଜନର ଉପତ୍ୟକାରୁ ଆଲୋକଭରା ଜାତିଗତ ନ୍ୟାୟର ପଥକୁ ଆସିବାର । ବର୍ତ୍ତମାନ ସମୟ ଆସିଛି, ଜାତିଗତ ଅନ୍ୟାୟର ଚୋରାବାଲିରୁ ଦେଶକୁ ଉଦ୍ଧାର କରି ଭାତୃତ୍ୱର ଶକ୍ତ ଚଟାଣ ଉପରେ ଠିଆ କରିବାର । ବର୍ତ୍ତମାନ ସମୟ ଆସିଛି, ଇଶ୍ୱରଙ୍କ ପ୍ରତ୍ୟେକ ସନ୍ତାନଙ୍କୁ ପ୍ରକୃତ ନ୍ୟାୟ ଦେବାର ।

ସ୍ୱାଧୀନତା ଓ ସମାନତାର ଶୀତଳ ବସନ୍ତ ପବନ ନ ବୋହିବା ପର୍ଯ୍ୟନ୍ତ ନିଗ୍ରୋମାନଙ୍କର ଯଥାର୍ଥ ଅସନ୍ତୋଷର ଝାଳୁଆ ବୈଶାଖୀ ଶେଷ ହେବ ନାହିଁ । ୧୯୬୩ ଶେଷ ନୁହେଁ, ଆରମ୍ଭ ମାତ୍ର । ନିଗ୍ରୋମାନେ ନାଗରିକତାର ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମେରିକାରେ ଶାନ୍ତି କିମ୍ବା ସ୍ଥିରତା ରହିବ ନାହିଁ । ନ୍ୟାୟର ଉଜ୍ଜଳ ଆଲୋକ ଉଦ୍‌ଭାସିତ ନ ହେବା ପର୍ଯ୍ୟନ୍ତ, ବିଦ୍ରୋହର ଘୂର୍ଣ୍ଣିଝଡ଼ରେ ଦେଶର ମୂଳଭିତ୍ତି ଦୋହଲୁଥିବ ।

ମୁଁ କିନ୍ତୁ ମୋ ଲୋକଙ୍କୁ କିଛି କଥା କହିବାକୁ ନିଶ୍ଚୟ ଚାହିଁବି, ଯେଉଁମାନେ ନ୍ୟାୟର ପ୍ରାସାଦର ଦ୍ୱାରଦେଶରେ ଦଣ୍ଡାୟମାନ । ଆମେ ଆମ ନ୍ୟାର୍ଯ୍ୟ ସ୍ଥାନ ପାଇବା ପାଇଁ ଯେପରି କିଛି ଭୂଲ କରି ନ ବସୁ । ସ୍ୱାଧୀନତାର ତୃଷ୍ଣା ମେଣ୍ଟାଇବା ପାଇଁ ଯେପରି ଆମେ ଘୃଣାର ନର୍ଦ୍ଦମା ପାଣିକୁ ପିଇ ନଦେଉ । ଆମେ ଯେପରି ସବୁବେଳେ ଆମ ସଙ୍ଗ୍ରାମକୁ ଉଚ୍ଚତର ଆତ୍ମସମ୍ମାନ ଓ ଶୃଙ୍ଖଳାର ସହ ଚଳାଇ ରଖୁ । ଯେପରି ଆମ ସୃଜନଶୀଳ ପ୍ରତିବାଦ ଶାରୀରିକ ହିଂସାକୁ ଖସି ନଆସେ । ଶାରୀରିକ ବଳ ସହ ଆତ୍ମିକ ବଳକୁ ମିଶାଇ ଆମେ ଯେପରି ଆମର ଗାରିମାକୁ ଉଚ୍ଚରୁ ଉଚ୍ଚତରକୁ ନେଇ ଯିବୁ । 

 ସ୍ୱାଧୀନତା ଓ କାମ ପାଇଁ ସଙ୍ଗଠିତ ପ୍ରସିଦ୍ଧ ୱାଶିଂଟନ୍ ରାଲି
୧୯୬୩ ମସିହାରେ କିଙ୍ଗ୍ ଙ୍କ ଦ୍ୱାରା ଆୟୋଜିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ନିଗ୍ରୋ ସମ୍ପ୍ରଦାୟ ଭିତରେ ଯେଉଁ ଚମତ୍କାର ନୂଆ ବୀରତ୍ୱ ଦେଖାଦେଇଛି, ତାହା ସମସ୍ତ ଗୋରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଠି ନ କରୁ । ଅନେକ ଗୋରା ଭାଇମାନେ ବୁଝିଲେଣି ଯେ ସେମାନଙ୍କ ଭବିଷ୍ୟତ ଆମ ଭବିଷ୍ୟତ ସହ ବନ୍ଧା । ସେମାନେ ବୁଝିଲେଣି ଯେ, ସେମାନଙ୍କର ସ୍ୱାଧୀନତା ଆମ ସ୍ୱାଧୀନତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ, ଆମେ ଏକାକୀ ଚାଲି ପାରିବୁ ନାହିଁ ।

ଆମେ ଚାଲିଛୁ, ସେଥିପାଇଁ ସବୁବେଳେ ଆଗକୁ ଚାଲିବା ପାଇଁ ଆମକୁ ଶପଥ କରିବାକୁ ହେବ । ଆମେ ପଛକୁ ଫେରି ପାରିବୁ ନାହିଁ । ନାଗରିକ ଅଧିକାର ପାଇଁ ଉତ୍ସଗୀକୃତମାନଙ୍କୁ ସେମାନେ ପ୍ରଶ୍ନ କରୁଛନ୍ତି, “ତୁମେ କେବେ ସନ୍ତୁଷ୍ଣ ହେବ?” । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ନିଗ୍ରୋମାନେ ପୋଲିସର ଅକଥନୀୟ ଅତ୍ୟାଚାରର ଶୀକାର ହେଉଥିବେ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମ ଶରୀର ବୁଲିବୁଲି ରାସ୍ତାକଡ଼ର ପାନ୍ଥଶାଳାରେ ଓ ସହରର ଯାତ୍ରୀଘରେ ରହିବାକୁ ନ ପାଇ କ୍ଲାନ୍ତିରେ ଭାଙ୍ଗି ପଡୁଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମର ପିଲାମାନଙ୍କୁ କେବଳ ଗୋରାମାନଙ୍କ ପାଇଁକହି ସେମାନଙ୍କର ବ୍ୟକ୍ତିତ୍ୱକୁ ବିବସ୍ତ୍ର କରାଯାଉଥିବ ଏବଂ ଆତ୍ମସମ୍ମାନକୁ ଲୁଣ୍ଠନ କରାଯାଉଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ମିସିସିପିର ଜଣେ ନିଗ୍ରୋ ଭୋଟ ଦେବାରୁ ବଞ୍ଚିତ ହେଉଥିବ ଏବଂ ନ୍ୟୁୟର୍କର ଜଣେ ନିଗ୍ରୋ ଭାବୁଥିବ ଯେ ତାର ଭୋଟ ଦେବାର କିଛି ଅର୍ଥ ନାହିଁ । 

ନା ନା ଆମେ ସନ୍ତୁଷ୍ଟ ନୋହୁଁ । ଆମେ ସନ୍ତୁଷ୍ଟ ନୋହୁଁ ଯେ ପର୍ଯ୍ୟନ୍ତ ନ୍ୟାୟ ପାଣି ପରି ବୋହି ନ ଆସିଛି, ଯେ ପର୍ଯ୍ୟନ୍ତ ଉଚିତ୍ ଅଧିକାର ଖର ସ୍ରୋତ ଭଳି ବୋହି ନ ଆସିଛି ।

ମୁଁ ଭୂଲି ନାହିଁ ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ଲମ୍ବା ବିଚାରର ପ୍ରକ୍ରିୟା ପରେ ଏଠାକୁ ଆସିଛନ୍ତି । ଅନେକ କାରାଗାରର କାଳ କୋଠରୀରୁ ନିକଟରେ ଫେରିଛନ୍ତି । ଅନେକ ଏପରି ଅଞ୍ଚଳରୁ ଆସିଛନ୍ତି, ଯେଉଁଠି ମୁକ୍ତିର ଅନ୍ୱେଷଣ ପାଇଁ ଆପଣ ପୋଲିସର ଅତ୍ୟାଚାରରେ ହତବାକ ଓ ନିର୍ଯ୍ୟାତନାର ଝଡରେ କ୍ଷତାକ୍ତ ହୋଇଛନ୍ତି । ନୂତନ ନୂତନ ଅତ୍ୟାଚାର ଆପଣଙ୍କୁ ମହିମାନ୍ୱିତ କରିଛି । ଅନର୍ଜିତ ଦୁଃଖ-ଦୁର୍ଦଶାରୁ ମୁକ୍ତିର ବିଶ୍ୱାସ ସହ ଆମକୁ କ୍ରମାଗତ ଭାବେ କାର୍ଯ୍ୟ କରିଯିବାକୁ ହେବ ।


କୃଷ୍ଣକାୟ ଆମେରିକୀୟ ବିପ୍ଳବୀ ମାଲକମ୍ ଏକ୍ସ୍‌ଙ୍କ ସହ କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏବେ ଆଉ ନୈରାସ୍ୟର ଉପତ୍ୟାକାରେ ଆମେ ଲୋଟିବାନି । ଆଜି ମୁଁ ଆପଣମାନଙ୍କୁ, ମୋର ବନ୍ଧୁମାନଙ୍କୁ କହିବି ଯଦିଓ ବର୍ତ୍ତମାନ ଆମେ ବହୁ ଅସୁବିଧା ଭୋଗୁଛେ, ତଥାପି ମୋର ଏକ ସ୍ୱପ୍ନ ଅଛି । ଏହି ସ୍ୱପ୍ନ ଆମେରିକୀୟ ସ୍ୱପ୍ନ ସହ ଗଭୀର ଭାବେ ଯୁକ୍ତ ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ଏ ଜାତି ଉଠିବ ଏବଂ ତାର ବିଶ୍ୱାସର ପ୍ରକୃତ ଅର୍ଥରେ ଜୀଇବ : ଆମେ ଏହି ସ୍ୱତଃସିଦ୍ଧ ସତ୍ୟକୁ ତୋଳିଧରୁ ଯେ ସବୁ ମଣିଷ ଜନ୍ମଗତ ଭାବେ ସମାନ

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଜର୍ଜିଆର ଲାଲ ପାହାଡ଼ ଉପରେ ପୂର୍ବତନ ଦାସଙ୍କର ସନ୍ତାନମାନେ ଓ ପୂର୍ବତନ ଦାସ-ମାଲିକଙ୍କର ସନ୍ତାନମାନେ ଭାତୃତ୍ୱର ମେଜ ଚାରିପାଖେ ଏକାଠି ବସିବାକୁ ସମର୍ଥ ହେବେ ।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଅନ୍ୟାୟ ଓ ଅତ୍ୟାଚାରର ଉତ୍ତାପରେ ସନ୍ତୁଳିତ ମିସିସିପି ରାଜ୍ୟ ନ୍ୟାୟ ଓ ମୁକ୍ତିର ମହାସାଗରରେ ପରିଣତ ହେବ ।

ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ମୋର ଚାରିଜଣଯାକ ସନ୍ତାନ ଏପରି ଏକ ଦେଶରେ ବାସ କରିବେ, ଯେଉଁଠି ସେମାନଙ୍କୁ ନିଜର ବର୍ଣ୍ଣକୁ ନେଇ ନୁହେଁ, ବରଂ ସେମାନଙ୍କର ଚରିତ୍ରକୁ ନେଇ ମୂଲ୍ୟାୟିତ କରାଯିବ ।

ମୋର ଆଜି ଏକ ସ୍ୱପ୍ନ ଅଛି ।
ମୋର ଏକ ସ୍ୱପ୍ନ ଅଛି ଯେ, ଭୟଙ୍କର ବର୍ଣ୍ଣବାଦ ଥିବା ଅଲାବାମାରେ ହିଁ ଦିନେ ଛୋଟଛୋଟ କଳା ଶିଶୁମାନେ ଗୋରା ଶିଶୁମାନଙ୍କ ସହ ହାତ ଧରାଧରି ହୋଇ ଭାଈ-ଭଉଣୀ ଭାବେ ଖେଳି ପାରିବେ ।

ମୋର ଆଜି ଏକ ସ୍ୱପ୍ନ ଅଛି ।

ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ସମସ୍ତ ଉପତ୍ୟାକା ଉପରକୁ ଉଠିବ ଏବଂ ପ୍ରତ୍ୟେକ ପାହାଡ, ପର୍ବତ ନୀଚ ହେବ, ଉଚ୍ଚା-ନୀଚ୍ଚା ସ୍ଥାନ ସବୁ ସମାନ ହେବ ଓ ଅଙ୍କାବଙ୍କା ରାସ୍ତା ସବୁ ସିଧା ହେବ ଏବଂ ଇଶ୍ୱରଙ୍କ ଯଶ ପ୍ରଦର୍ଶିତ ହେବ ଓ ସବୁ ମଣିଷ ଏକାଠି ଏହାକୁ ଦେଖିବେ ।

ଏହା ହେଉଛି ଆମର ଆଶା । ଏହା ବିଶ୍ୱାସ ଯେ, ଏହି ବିଶ୍ୱାସ ନେଇ ମୁଁ ଦକ୍ଷିଣକୁ ଫେରିଯିବି । ଆମେ ନୈରାଶ୍ୟର ପାହାଡ଼କୁ ଭାଙ୍ଗି ଆଶାର ପଥର ନିର୍ମାଣ କରି ପାରିବୁ । ଏହି ବିଶ୍ୱାସକୁ ନେଇ ଆମ ଜାତିର କଦାକାର କର୍କଶ ସ୍ୱରକୁ ଭାତୃତ୍ୱର ସୁନ୍ଦର ସଙ୍ଗୀତରେ ପରିଣତ କରି ଦେଇ ପାରିବୁ । ଏହି ବିଶ୍ୱାସକୁ ନେଇ ଆମେ ଏକାଠି କାମ କରି ପାରିବୁ, ଏକାଠି ପ୍ରାଥନା କରି ପାରିବୁ, ଏକାଠି ସଙ୍ଘର୍ଷ କରି ପାରିବୁ, ଏକାଠି ବନ୍ଦୀଶାଳାକୁ ଯାଇ ପାରିବୁ, ଏକାଠି ମୁକ୍ତି ପାଇଁ ଠିଆ ହୋଇ ପାରିବୁ ଏହା ଜାଣି ଯେ ଆମେ ଦିନେ ମୁକ୍ତ ହେବୁ ।

ଦିନ ଆସିବ, ଦିନ ଆସିବ, ଯେତେବେଳେ ଇଶ୍ୱରଙ୍କ ସମସ୍ତ ସନ୍ତାନମାନେ ନୂଆ ଅର୍ଥ ସହ ଗାଇବାକୁ ସମର୍ଥ ହେବେ:
ମୁଁ ଗାଏ ମୋର ଏ ଦେଶ, ମୁକ୍ତିର ମଧୁର ମାଟିବାପା ମୋର ମରିଥିଲେ ଯହିଁ, ପବିତ୍ର ସେହି ମାଟିପ୍ରତିଟି ପାହାଡର ଉହାଡରୁ 
ଭାସି ଆସୁ ସ୍ୱାଧୀନତାର ଗୀତି ।

କୋଲୋରାଡୋର ବରଫାବୃତ ପଥରରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କାଲିଫର୍ଣ୍ଣିଆର ତରଙ୍ଗମୟ ମାଳ ଅଞ୍ଚଳରୁ ଭାସିଆସୁ ସ୍ୱାଧୀନତାର ଗୀତି ।

କେବଳ ସେତିକି ନୁହେଁ,
ଜର୍ଜିଆର ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।
ଟେନ୍ସେସିର ଲୁକ୍‌ଆଉଟ୍ ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।

ଭାସିଆସୁ ସ୍ୱାଧୀନତାର ଗୀତି । 

ଏବଂ ଯେତେବେଳେ ଏହା ଘଟିବ ଓ ଆମେ ଯେତେବେଳେ ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା ଯେତେବେଳେ ଆମେ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଡ଼ା, ପ୍ରତ୍ୟେକ ରାଜ୍ୟ, ପ୍ରତ୍ୟେକ ସହରରୁ ଏହି ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା, ଆମେ ସେହି ଦିନକୁ ତ୍ୱରାନ୍ୱତି କରିବା ଯେଉଁ ଦିନ ଇଶ୍ୱରଙ୍କ ସମସ୍ତ ସନ୍ତାନ କଳା ଓ ଗୋରା, ଇହୁଦି ଓ ଅଣ-ଇହୁଦି, ପ୍ରୋଟେଷ୍ଟାଣ୍ଟସ୍ ଓ କ୍ୟାଥଲିକ୍ ହାତରେ ହାତ ମିଳାଇ ପୁରୁଣା ସେହି ନିଗ୍ରୋ ଭାବାବେଗର ଗୀତ ଗାଇବେ:

ଶେଷରେ ମୁକ୍ତ ! ଶେଷରେ ମୁକ୍ତ ! ଧନ୍ୟବାଦ ହେ ସର୍ବଶକ୍ତିମାନ ଭଗବାନ, ଶେଷରେ ଆମେ ମୁକ୍ତ !


ଆମେରିକାର ଆଟଲାଣ୍ଟା ସ୍ଥିତ ମାର୍ଟିନ ଲୁଥର କିଙ୍ଗ ଙ୍କର ସମାଧି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅନୁବାଦକୀୟ ଟୀକା: ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହାନ୍ ନାଗରିକ ଅଧିକାର ଯୋଦ୍ଧା । ଆମେରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସଙ୍ଗ୍ରାମରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଅହିଂସା ଓ ମାନବବାଦର ସାଧକ ମାର୍ଟିନ ଲୁଥର ନାଗରିକ ଅଧିକାରକଳା ଲୋକଙ୍କର ସମାନ ଅଧିକାରଭିଏତ୍‌ନାମ୍ ଯୁଦ୍ଧ ବିରୋଧୀ ଆନ୍ଦୋଳନ ତଥା ଶ୍ରମଜୀବୀ ଦରିଦ୍ର ଲୋକଙ୍କର ସ୍ୱରକୁ ଦୃଢ଼ତାର ସହ ଉତ୍ତୋଳିତ କରିଥିଲେ । ଏପ୍ରିଲ ୪୧୯୬୮ରେ ସେ ମାତ୍ର ୩୯ ବର୍ଷ ବୟସରେ ଜଣେ ଅଜଣା ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ମ୍ୟାଟିନ ଲୁଥରଙ୍କ ଉପରୋକ୍ତ ବକ୍ତବ୍ୟ ସେ ଅଗଷ୍ଟ ୨୮୧୯୬୩ରେ ୱାସିଙ୍ଗଟନ୍‌ର ଲିଙ୍କନ ମେମୋରିଆଲ୍‌ରେ ଅନୁଷ୍ଠିତ ନିଯୁକ୍ତି ଓ ମୁକ୍ତି ସମାବେଶରେ ଏକାଠି ହୋଇଥିବା ଦୁଇ ଲକ୍ଷ ଜନତାଙ୍କୁ ଦେଇଥିଲେଯାହାକୁ ଆଜି ମଧ୍ୟ ବିଶ୍ୱର ଅନ୍ୟତମ ଉତ୍କୃଷ୍ଟ ବକ୍ତବ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ସେ ଏକ ନ୍ୟାୟ ଓ ସମତାପୂର୍ଣ୍ଣ ଆମେରିକାର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ ।