Monday, July 31, 2017

କଙ୍କଡ଼ା ତରକାରୀ


ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସାମଗ୍ରୀ


ଆଠଟି ମଝିଆଳିଆ ଚିଲିକା କଙ୍କଡ଼ା, ତିନିଟି ମଝିଆଳିଆ ବିଲାତି ଆଳୁ, ଯୋଡ଼ିଏ ମଝି ଆକାରର ବିଲାତି ବାଇଗଣ, ଚାରୋଟି ମଝି ଆକାରର ପିଆଜ, କୋଡ଼ିଏଟି ରସୁଣ କୋଲା, ଦୁଇ ଚାମଚ ଜୀରା ଦୁଇ ଇଞ୍ଚ ଲମ୍ବର ଗୋଟିଏ ଅଦା ଖଣ୍ଡ, ଦୁଇଟି କଞ୍ଚା ଲଙ୍କା, ଦୁଇଟି ଶୁଖିଲା ଲଙ୍କା, ଏକ ଇଞ୍ଚ ଲମ୍ବର ଚାରି ଖଣ୍ଡ ଡାଲଚିନି, ଏକ ଟେବୁଲ ଚାମଚ, ଦୁଇ ଟେବୁଲ ଚାମଚ ହଳଦୀ ଗୁଣ୍ଡ, ଚିନି ଦୁଇ ଚାମଚ ପୋସ୍ତ, ଆଠଟି ଗୁଜୁରାତି, ଚାରୋଟି ଲବଙ୍ଗ, ତେଜପତ୍ର ଚାରୋଟି, ସତୁରି ଗ୍ରାମ ତେଲ, ଗୁଆ ଘିଅ ଦୁଇ ଚାମଚ ।  

ପ୍ରଣାଳୀ 


ଗୋଟିଏ ବଡ଼ ଡେକଚିରେ ତିନି ଲିଟର ପାଣି ଡବଡବ କରି ଫୁଟାନ୍ତୁ । କଙ୍କଡ଼ାକୁ ଗୋଟିଏ କାଠ ବା ବାଡ଼ିରେ ବାଡ଼େଇ ମାରନ୍ତୁ । ସେଇ କଙ୍କଡ଼ାକୁ ନେଇ ଫୁଟୁଥିବା ପାଣିରେ ଡେକେଚି ଭିତରେ ପକାଇ ପାଞ୍ଚ ମିନିଟି ଫୁଟାନ୍ତୁ । ତାହା ପରେ ପାଣିରୁ ଛାଣି ଆଣି ଥାଳିରେ ରଖି ଥଣ୍ଡା କରନ୍ତୁ । ଥଣ୍ଡା ହୋଇଗଲେ କଙ୍କଡ଼ାର ଗୋଡ଼ ଗୁଡ଼ିକ ଛିଣ୍ଡାଇ ଦିଅନ୍ତୁ । ଉପରର ଖୋଳପା ଭାଙ୍ଗି ଚାମଚରେ ଶସତକ ଖଣ୍ଡଖଣ୍ଡ କରି ବାହାର କରି ରଖନ୍ତୁ । ଆଳୁରୁ ଚୋପା ଛଡ଼ାଇ, ପ୍ରତି ଆଳୁକୁ ଆଠ ଖଣ୍ଡ ଲେଖାଏ ଲମ୍ବାଳିଆ କାଟି ରଖନ୍ତୁ । ପିଆଜ ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ରଖନ୍ତୁ । ଅଦା, ରସୁଣ, କଞ୍ଚା ଲଙ୍କା, ଶୁଖିଲା ଲଙ୍କା, ପୋସ୍ତ, ଗୁଜୁରାତି କୁ ବାଟି ରଖନ୍ତୁ ।

ତେଲ ଗରମ କରନ୍ତୁ । ଗରମ ତେଲରେ ଜୀରା ଫୁଟାଇ, ଚିନି, ଲବଙ୍ଗ, ତେଜପତ୍ର ପକାନ୍ତୁ । ଦୁଇ ମିନିଟ ପରେ ପିଆଜ ପକାନ୍ତୁ । ଅଳ୍ପ ଆଞ୍ଚରେ ଭାଜି ବଟା ମସଲା ପକାଇ ଅଳ୍ପ ଆଞ୍ଚରେ ଦଶ ମିନିଟ କସନ୍ତୁ । ଆଳୁ ଓ କଙ୍କଡ଼ାର ଶସ ପକାଇ ଲୁଣ ହଳଦୀ ଦେଇ ଆହୁରି ଦଶ ମିନିଟ ଭାଜନ୍ତୁ । ପାଣି ମରିଗଲେ ଦୁଇ କପ ପାଣି ଓ ଟମାଟୋ ପକାନ୍ତୁ । ଆଳୁ ସିଝି ଗଲେ ତର୍କାରୀ ଚୂଲିରୁ ଓହ୍ଲାଇ ଦେଇ, ଗୁଆ ଘିଆ ଦୁଇ ଚାମଚ ପକାଇ ଘୋଡ଼ାଇ ଦିଅନ୍ତୁ । ଗରମ ଗରମ ଖାଆନ୍ତୁ । 

Sunday, July 30, 2017

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 

ପଞ୍ଚମ ଅଧ୍ୟାୟ : ଶ୍ଲୋକ ୦୧

ନୁବାଦକ - ଫକୀର ମୋହନ ସେନାପତି


 ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କର୍ମ ସନ୍ୟାସ କର୍ମ ଯୋଗ । ପ୍ରଶଂସୁ ଅଛ ମହାଭାଗ ।।
ଉଭୟ ମଧ୍ୟେ କେ ନିଶ୍ଚିତ । ଯହିଁରେ ହେବି ଚରିତାର୍ଥ ।

ସନ୍ୟାସ‌ଂ କର୍ମଣାଂ କୃଷ୍ଣ ପୁନର୍ୟୋଗଞ୍ଚ ଶଂସସି
ୟଚ୍ଛେୟ ଏତୟୋରେଦ୍ଦଂ ତନ୍ମେ ବ୍ରୁହି ସୁନିଶ୍ଚିତମ୍ ।୧।

Saturday, July 29, 2017

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୩

ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'


ଲିଙ୍ଗରାଜଙ୍କ ପାଖରେ ଲାଗି ହେଉଥିବା କୋରାଖଇ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କୋରା - କୋରା ହୋଇଥିବା ନଡ଼ିଆ ଶସର କ୍ଷୁଦ୍ର କ୍ଷୁଦ୍ର ଅଂଶବିଶେଷ । ଗୁଡ଼ ବା ଚିନିରେ ପାଗ ହୋଇ ଅଳେଇଚ ସହ ନଡ଼ିଆ କୋରାରେ ପ୍ରସ୍ତୁତ ଏକ ମିଷ୍ଟାନ୍ନ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କ ମାଜଣା ଓ ଏକାନ୍ତରେ ଏହା ଭୋଗ ହୋଇଥାଏ । ପଙ୍କ୍ତି ଭୋଗରେ, ବିମଳା ଠାକୁରାଣୀଙ୍କଠାରେ, ଗର୍ଭଣା ସଙ୍କ୍ରାନ୍ତିରେ, ଝୁଲଣରେ, ଗଣେଶ ଚତୁର୍ଥୀ ପ୍ରଭୃତି ପୂଜାରେ କୋରା ଅନ୍ୟାନ୍ୟ ମିଷ୍ଟାନ୍ନ ସହିତ ବ୍ୟବହୃତ ହୁଏ । ବାହାର ବେଢ଼ାରେ ଥିବା ଏକ ଘରେ ଅମଣିଆ କୋରା ଭୋଗ ତିଆରି ହୁଏ ।  

କୋଳି ବିକା - ଭାଦ୍ର କୃଷ୍ଣ ଦଶମୀ ତିଥିରେ ଠାକୁର ରାମକୃଷ୍ଣ ବଡ଼ଛତା ମଠ ଆଗରେ କାଠ ସିଂହାସନ ଉପରେ ବିଜେ ହେବା ପରେ ଜଣେ ଲୋକ ଶବରୁଣୀ ବେଶ ହୁଏ । ଗୁଆ କୋଳି ନଡ଼ିଆ ମିଶାଇ ଏକତ୍ର କରି ନିମ୍ନମତେ ଡାକେ - "ପାଣିର ଫଳ ସିଙ୍ଗଡ଼ାର କୋଳି - ଖାଇବ ଆସ ଏ ପୁଏ ।" ଭିତରଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ନେଇ ରୂପା ପିଙ୍ଗଣରେ ରଖି ରାମକୃଷ୍ଣଙ୍କୁ ସମର୍ପଣ କରି ମଣୋହି କରାନ୍ତି ।

କୈବଲ୍ୟ - କେବଳ ଭାବ । ଦେହ ଓ ଇନ୍ଦ୍ରିୟ ତ୍ୟାଗ କରି ଆତ୍ମାର କେବଳତ୍ୱ । ପରମାତ୍ମାଙ୍କ ସହିତ ଜୀବାତ୍ମାର ମିଳନ । ପୂର୍ଣ୍ଣାନନ୍ଦ । ଅଖଣ୍ଡ ଆନନ୍ଦ । ସଂସାର ମୁକ୍ତି, ଦୁଃଖ ନିବୃତ୍ତି ରୂପ ମୋକ୍ଷ । ଶ୍ରୀମନ୍ଦିରର ଶ୍ରୀଜଗନ୍ନାଥଙ୍କର ଅନ୍ନଭୋଗ ବା ମହାପ୍ରସାଦ । କଳିଯୁଗରେ ଶ୍ରୀଜଗନ୍ନାଥଙ୍କର କୌବଲ୍ୟ (ମହାପ୍ରସାଦ) କଣିକା ମୁର୍ମୂଷୁ ଲୋକଙ୍କ ମୁହଁରେ ଦେଇ ପରଲୋକ ପ୍ରାପ୍ତିର ପଥ ସୁଗମ କରିଦିଆଯାଏ ।

କୈବଲ୍ୟ ହାଟ - କୈବଲ୍ୟ ବିକ୍ରୀ ହେବା ସ୍ଥାନ ଅର୍ଥାତ୍ ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଥିବା ଆନନ୍ଦ ବଜାର । 

କୈବଲ୍ୟ ପସରା - କୈବଲ୍ୟ ବିକ୍ରୀ ନିମନ୍ତେ ଦ୍ରବ୍ୟ କୁଡ଼ୁଆ, ହାଣ୍ଡିରେ ଏକତ୍ର ରଖିବା ପାତ୍ର । 

ଖଇ - ଧାନକୁ ଭାଜିଲେ ଖଇ ହୁଏ । ଶ୍ରୀଜଗନ୍ନାଥଙ୍କ ଝୁଲଣ ଯାତ୍ରାରେ ଏହା ଭୋଗ କରାଯ।ଏ ।

ଖଇର ଚୂଳ -  ଶ୍ରୀମନ୍ଦିରରେ ଏକ ପ୍ରକାରର ପିଷ୍ଟକ ବିଶେଷ । ଚାଉଳଚୁନା, ଗୁଡ଼, ଗୋଲମରିଚରେ ତିଆରି ବଡ଼ଚୂଳିଆ ଲଡ଼ୁ । ଏହା ଠାକୁରଙ୍କଠାରେ କୋଠଭୋଗରେ ଓ ଦ୍ୱିପହର ଧୂପରେ ଲାଗିହୁଏ । ଏତଦ୍ ବ୍ୟତୀତ ଅନେକ ବିଶିଷ୍ଟ ପୂଜାପର୍ବରେ ମଧ୍ୟ ଠାକୁରଙ୍କ ଭୋଗରେ ଲାଗି କରାଯାଏ ।

Friday, July 28, 2017

ଓଡ଼ିଆ ଲୋକ ଗୀତ - 'ମୋ ଜୀବନ'


ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର



ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଜାଗର ଦୁତିଆ ଦିନ
ଚଉଧୁରୀ ପୁଅ ବୁଝାଇ ଦିନ ଲୋ ମୋ' ଜୀବନ
ବୋଇଲା ବୋହୂକୁ ଆଣ, ମୋ' ଜୀବନ ।୧।

ଭଲା ଚଉଧୁରୀ ଭଲା 
କଟକ ଦାଣ୍ଡରୁ ମାଇଲା ଘୋଡ଼ା ଲୋ ମୋ' ଜୀବନ
ଗାଆଁରେ ପ୍ରବେଶ ହେଲା, ମୋ' ଜୀବନ ।୨।

କକେଇ ତୋହର ଥିଲେ
ସମଧି ଅଇଲା ଚହଳ କଲେ ଲୋ, ମୋ' ଜୀବନ
ପାଣି ପିଢ଼ା ନେଇ ଦେଲେ, ମୋ' ଜୀବନ ।୩।

ଜେଜେବାପା ତୋର ଥିଲେ
ହାଟୁଆ ସାହିରୁ ନାହାକ ଡକେଇଲେ ଲୋ ମୋ' ଜୀବନ
ଦିନ ବାର ବୁଝାଇଲେ, ମୋ' ଜୀବନ ।୪।

ଦଦେଇ ତୋହର ଥିଲେ
ବଣିଆ ସାହିରୁ ବଣିଆ ଡକେଇଲେ ଲୋ ମୋ' ଜୀବନ
ଅଳଙ୍କାର ଗଢ଼େଇଲେ, ମୋ' ଜୀବନ ।୫।

ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇନେଲେ ଲୋ ମୋ' ଜୀବନ
ହାତକୁ ଚନ୍ଧେଇ ଦେଲେ, ମୋ' ଜୀବନ ।୬।

ଖୁଡ଼ି ଯେ ତୋହର ଥିଲା
ଅତି ଶରଧାରେ କୋଳକୁ ନେଲା ଲୋ ମୋ' ଜୀବନ
ବେକୁ ଚିନାମାଳି ଦେଲା, ମୋ' ଜୀବନ ।୭।

ଗାଆଁରେ ପିଉସୀ ଘର
ତତେ ଦେଖିବାକୁ ଶରଧା ତା'ର ଲୋ ମୋ' ଜୀବନ
ନୟନୁଁ ବହଇ ନୀର, ମୋ' ଜୀବନ ।୮।

ମଉଳା ତୋହର ଥିଲା
ତୋରାଣି ପିଇବାକୁ ଡକାଇନେଲା ଲୋ ମୋ' ଜୀବନ
କଳା କୁମ୍ଭଶାଢ଼ି ଦେଲା,  ମୋ' ଜୀବନ ।୯।

ସାଇପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକେଇନେଲେ ଲୋ ମୋ' ଜୀବନ
ଫରୁଆ ପାନିଆ ଦେଲେ, ମୋ' ଜୀବନ ।୧୦।

ନୟନେ କଜଳ ଦେଇ
ଅଷ୍ଟ ଅଳଙ୍କାର ଖଞ୍ଜିଲି ନେଇ ଲୋ, ମୋ' ଜୀବନ
ତୋହର ତ ବାବୁ ନାହିଁ, ମୋ' ଜୀବନ ।୧୧।

ପୟରେ ଅଳତା ଦେଇ
ଲେଉଟି ମୁହଁକୁ ଚାହିଁଲି ମୁହିଁ ଲୋ, ମୋ' ଜୀବନ
ଯାଉଛି ଲୋତକ ବହି,  ମୋ' ଜୀବନ ।୧୨।

ଦକ୍ଷିଣି ପିନ୍ଧା ପାଛୋଡ଼
ଢ଼େଙ୍କାନାଳ ଛତା କାନ୍ଧରେ ପଡ଼ି ଲୋ, ମୋ' ଜୀବନ
ଭାଇ ନନା ଯିବ ଛାଡ଼ି, ମୋ' ଜୀବନ ।୧୩।

ଯେତେବେଳେ ଅନୁକୂଳ
ଠାକୁରପ୍ରସାଦ ଧଇଲୁ କର ଲୋ ମୋ' ଜୀବନ
ବୋଇଲୁ ହେଲୁ ଅନ୍ତର, ମୋ' ଜୀବନ ।୧୪।

ଗଉଡ଼ ଯେ ଥିଲେ ତହିଁ
ଚିଲ ପରା କରି ନେଲେ ଉଡ଼ାଇ ଲୋ ମୋ' ଜୀବନ
ଆଉ ତ ଦେଖିଲି ନାହିଁ, ମୋ' ଜୀବନ ।୧୫।

ମାସ ତିନି ଦିନ ବାଟ
କିମିତି ଖାଇବୁ ପ୍ରବାସ ଭାତ ଲୋ ମୋ' ଜୀବନ
ତୋ କର୍ମେ ଥିଲା ଏ କଷ୍ଟ, ମୋ' ଜୀବନ ।୧୬।

ପଞ୍ଜର ତଳେ ମୁଁ ଥାଇ
ନିତି ଭଗବତୀ ଜଣାଉଥାଇ ଲୋ ମୋ' ଜୀବନ
ମୋ ବନ୍ଧୁ ଆସିବ କାହିଁ ? ମୋ' ଜୀବନ ।୧୭।

 ପାଲି ଧମ୍ମପଦ (୬୨) ର ଓଡ଼ିଆ  ପଦ୍ୟାନୁବାଦ


୩ ବାଳବଗ୍ଗୋ (ବାଳ ବର୍ଗ)


ବୋଦ୍ଧିସତ୍ତ୍ୱମାନଙ୍କ ଦ୍ୱାରା ପରିବେଷ୍ଟିତ ବୁଦ୍ଧ (ଅଜନ୍ତାର ଗୁମ୍ଫା, ମହାରାଷ୍ଚ୍ର)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଏହା ମୋର ପୁତ୍ର ଅଟେ ଏହା ମୋର ଧନ
ଏହି ପରି ଭାବି ନଷ୍ଟ ହୁଏ ମୂର୍ଖ ଜନ ।

ନିଜେ ହିଁ ତ ନୁହଁଇ ନିଜର ଏହା ଜାଣ
କେଉଁଠାରୁ ଆସିବେ ଏ ପୁତ୍ର ଏବଂ ଧନ ।୩।

ପୁତ୍ତା ମ'ତ୍ଥି ଧନମ୍ମ'ତ୍ଥି ଇତି ବାଳୋ ବିହଞ୍ଞତି ।
ଅତ୍ତା ହି ଅତ୍ତନୋ ନତ୍ଥି କୁତୋ ପୁତ୍ତା କୁତୋ ଧନଂ ।୩।

ପୁତ୍ରା ମେ ସନ୍ତି ଧନଂ ମେଽସ୍ତି ଇତି ବାଳୋ ବିହନ୍ୟତେ ।
ଆତ୍ମା ହି ଆତ୍ମନୋ ନାସ୍ତି କୁତଃ ପୁତ୍ରାଃ କୁତୋ ଧନମ୍ ।୩। 

Thursday, July 27, 2017

ଆକାଶ

ବୈଷ୍ଣବ ପାଣି


ଇ,ଏସ୍.ଓ. ଲା ସିଲ୍ଲା  ପର୍ଯ୍ୟବେକ୍ଷଣ କେନ୍ଦ୍ରଠାରେ ଆକାଶର ଦୃଶ୍ୟ
ଚିଲିର ଆଟାକାମା ମରୁଭୂମିର ରାତ୍ରିର ଆକାଶ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଆକାଶରେ କି ତତ୍ତ୍ୱ ଅଛି
ଆକାଶକୁ ଦେଖି ବୁଝି ହେଉଛି ।ପଦ।

ଆକାଶରେ ସୂର୍ଯ୍ୟ ଆକାଶରେ ଚନ୍ଦ୍ର
ଆକାଶେ ନକ୍ଷତ୍ର ଶୋଭା ଦିଶନ୍ତି ।
ଆକାଶ ସକାଳେ ଆକାଶ ସନ୍ଧ୍ୟାରେ
ଆକାଶ ମହିମା ସର୍ବେ ଜାଣନ୍ତି ।୧।

ଆକାଶେ ବାଦଲ ଆକାଶରୁ ମେଘ
ଆକାଶୁ ତଳକୁ ଖସିପଡ଼ୁଛି ।
ଆକାଶର ସୂର୍ଯ୍ୟ ଆକାଶେ ହସିଲେ
ଆକାଶଟା ସପ୍ତରଙ୍ଗେ ସାଜୁଛି ।୨।

ଆକାଶଟା ଶୂନ୍ୟ ଆକାଶ ବି ପୂର୍ଣ୍ଣ
ଆକାଶେ ଆକାଶ ସୀମା ଲଙ୍ଘୁଛି 
ଆକାଶ କି ଦୃଶ୍ୟ ଆକାଶ ଅଦୃଶ୍ୟ 
ଆକାଶକୁ କିଏ କଳି ପାରୁଛି ।୩।

ଆକାଶେ ଆନନ୍ଦ ଆକାଶେ ବିଷାଦ
ଆକାଶେ ଦେବତା କାହୁଁ ଲୁଚିଛି ।
ଆକାଶର କଥା ଆକାଶ ପୃଷ୍ଠାରେ
ଆକାଶ ନାରଣ କବି ଲେଖୁଛି ।୪।

ମାର୍କସ୍ ଅରିଲସ୍

ବିଚାରମାଳା (ମେଡ଼ିଟେସନ୍ସ୍)

ଦ୍ୱିତୀୟ କାଣ୍ଡ, ଏକାଦଶ ଅଧ୍ୟାୟ


ଅରସ୍ତୁ, ସେନେକା ଓ ଅରସ୍ତୁ (ବାମରୁ ଡାହାଣ)
ଗୋଟିଏ ମଧ୍ୟଯୁଗୀୟ ପାଣ୍ଡୁଲିପିରୁ
ଫଟୋ କ୍ରେଡ଼ିଟ - ୱିକିମଡ଼ିଆ କମନ୍ସ୍

ସ୍ମରଣ କର ଯେ ଯେ କୌଣସି ମୂହର୍ତ୍ତରେ ପ୍ରାଣ ତ୍ୟାଗର ସମ୍ଭାବନା ଅଛି । ଏହା ମନେ ରଖି ନିଜର କଥା, ଚିନ୍ତନ ଓ କର୍ମ ସମ୍ପାଦନା କର । ଯଦି ଦେବତାମାନଙ୍କର ଅବସ୍ଥିତି ସତ୍ୟ, ତାହାହେଲେ ମାନବସମାଜ ପରିତ୍ୟାଗ କରିବାରେ କିଛି ଭୟ ନ ଥାଇ ପାରେ । କାରଣ ଦେବଗଣ ତୁମ୍ଭର ଅମଙ୍ଗଳ ନ ଚାହିଁ ପାରନ୍ତି । କିନ୍ତୁ ଯଦି ଦେବତାମାନେ ନାହାନ୍ତି, ଏବଂ ସେମାନଙ୍କର ମର୍ତ୍ତ୍ୟମଣ୍ଡଳ ସହ କିଛି ସମ୍ପର୍କ ନାହିଁ, ତାହା ହେଲେ ଦୈବତ୍ତ୍ୱ ଓ ଇଶ୍ୱରତ୍ତ୍ୱ ବୀହିନ ଏହି ଜୀବନର ମୋ ପାଇଁ ମୂଲ୍ୟ କଅଣ ହୋଇପାରେ  ? ମାତ୍ର, ଦେବତାମାନେ ଅଛନ୍ତି ତଥା ସେମାନେ ମରଲୋକ ସହ ସମ୍ପର୍କିତ ମଧ୍ୟ । ସେମାନେ ଆମ୍ଭମାନଙ୍କୁ ପୂର୍ଣ୍ଣକ୍ଷମ କରିଛନ୍ତି, ଯେପରି କି ଆମ୍ଭେ ଅବିମିଶ୍ର ଅଧର୍ମରେ ପତିତ ହେବୁନାହିଁ । ଯଦି ଅନ୍ୟ କୌଣସି ପଦାର୍ଥରେ ଏପରି ସଇତାନି ବା ଅଧର୍ମ ଥାଆନ୍ତା, ତାହା ହେଲେ ସେମାନେ ମନୁଷ୍ୟମାନଙ୍କୁ ଏହିସବୁକୁ ପରିହାର କରିବାର କ୍ଷମତା ସବୁ ମଣିଷଙ୍କୁ ଦେଇଥାଆନ୍ତେ । ମାତ୍ର ଯଦି କୌଣସି ବସ୍ତୁ ଜଣେ ମନୁଷ୍ୟକୁ ଆହୁରି ପତିତ କରେନାହିଁ, ତାହା ହେଲେ ଆମ୍ଭେ ଏହା କିପରି କହିପାରିବା ଯେ ଏହା ସେ ବଞ୍ଚୁଥିବା ଜୀବନକୁ ଅଧିକ ଖରାପ କରିବ ? ଏପରି ହୋଇ ନ ପାରେ ଯେ, ଅଜ୍ଞତା ଯୋଗୁଁ କିମ୍ବା କ୍ଷମତାର ଅଭାବରୁ ବିଶ୍ୱଜୀବନ ଏହି ସବୁ ବିପଦକୁ ଅଣଦେଖା କରିଅଛନ୍ତି କିମ୍ବା ସେହି ବିଷୟରେ ଜାଣିନାହାନ୍ତି । କ୍ଷମତା କିମ୍ବା କୌଶଳର ଅଭାବ ଯୋଗୁଁ ଯେ ପ୍ରକୃତି ଉଭୟ ପାପୀ ଓ ପୁଣ୍ୟାତ୍ମାମାନଙ୍କ ଉପରେ ଅବିବେକି ଭାବରେ ଶୁଭାଶୁଭର ବୃଷ୍ଟି କରୁଅଛନ୍ତି, ତାହା ହୋଇ ନ ପାରେ । ମାତ୍ର, ଜୀବନ ଓ ମରଣ, ସମ୍ମାନ ଓ ଅପମାନ, କଷ୍ଟ ଓ ଆନନ୍ଦ, ସମ୍ପଦ ଓ ଦାରିଦ୍ର୍ୟ - ଏ ସମସ୍ତ ଉଭୟ ଉତ୍ତମ ଓ ଅଧମ ମନୁଷ୍ୟମାନଙ୍କର ଭାଗ୍ୟଲିପି । ଏଣୁ ଏଗୁଡ଼ିକ ନା ମନୁଷ୍ୟକୁ ଉତ୍ଥିତ କରନ୍ତି, ନା ପତିତ; ଏଣୁ ଏଗୁଡ଼ିକ ନା ଶୁଭ, ନା ଅଶୁଭ ।    

Wednesday, July 26, 2017

ଇଲିଶି ଶୁଖୁଆ


ଇଲିଶି ମାଛ (ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍)


ସାମଗ୍ରୀ


ଆଠ ଖଣ୍ଡ କଟା ଇଲିଶି ଶୁଖୁଆ (ପାଖାପାଖି ୫୦୦ ଗ୍ରାମ), ତେଲ ଛଅ ଟେବୁଲ ଚାମଚ (୬୦ ଗ୍ରାମ), ତିନି ଚାହା ଚାମଚ ହଳଦି ଗୁଣ୍ଡ ରସୁଣ ୧୨ କୋଲା, ତିନି ଚାମଚ ସୋରିଷ, ଦୁଇଟି ବଡ଼ କଞ୍ଚା ଲଙ୍କା, ଜିରା ଚାରି ଚାହା ଚାମଚ, ଅଧା ଲେମ୍ବୁର ରସ ।

ପ୍ରଣାଳୀ


ଶୁଖୁଆରୁ କାତି ଛଡ଼ାନ୍ତୁ । ଗୋଟିଏ ଲିଟର ପାଣି ନଖଉଷୁମ ଗରମ କରନ୍ତୁ । କାତି ଛଡ଼ା ଇଲିଶି ଶୁଖୁଆକୁ ଏହି ନଖ ଉଷୁମ ପାଣିରେ ଧୁଅନ୍ତୁ । ଚାରି ପାଞ୍ଚ ଥର ଭଲ କରି ଧୋଇ ଲୁଣ ଯଥାସମ୍ଭବ ବାହାର କରିଦେବେ । ହଳଦିଗୁଣ୍ଡକୁ ଏହି ଶୁଖୁଆ ସହ ଗୋଳାଇ ଦେବେ । ଏହା ପରେ ହଳଦୀ ଗୋଳା ମାଛକୁ ତେଲ ଦେଇ ଧୀର ଜାଳରେ ପଲମରେ ଭାଜି ମାଛଖଣ୍ଡ ବାଦାମି ରଙ୍ଗ ହୋଇଗଲେ କାଢ଼ି  ଦିଅନ୍ତୁ । ରସୁଣ, ସୋରିଷ, ଜୀରା ଓ ଲଙ୍କାକୁ ବାଟନ୍ତୁ । ଏହି ମସଲାରେ ପ୍ରତି ଖଣ୍ଡ ମାଛକୁ ବୁଡ଼ାଇ, ପଲମରେ ଧୀର ନିଆଁରେ, ଅଳପ ତେଲ ଦେଇ ପାଞ୍ଚ ମିନିଟ ଭାଜନ୍ତୁ । ଲୁଣ ପକାଇବା ଆଦୌ ଆବଶ୍ୟକ ନାହିଁ । ଭାଜୁଥିବା ଅବସ୍ଥାରେ ଓହ୍ଲାଇବାର ଦୁଇ ମିନିଟ ଆଗରୁ ଲେମ୍ବୁ ରସ ଦେବେ । ଗରମ ଥିଲା ବେଳେ ଖାଇଲେ ଭଲ ।

Tuesday, July 25, 2017

ଓଡ଼ିଆ ସିନେମା ଗୀତ - 'ଚୋରାଚୋରା ଚାହାଣି'


ଗୀତର ୟୁଟ୍ୟୁବ ଲିଙ୍କ୍ - https://www.youtube.com/watch?v=aGqkhhv51J0


ଗାୟନ - ରଘୁନାଥ ପାଣିଗ୍ରାହୀ


ନୃତ୍ୟରତା ରୁକ୍ମିଣୀ ଦେବୀ ଅରୁଣ୍ଡଲେ (୧୯୦୪-୧୯୮୬)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଚୋରାଚୋରା ଚାହାଣି ଏ ଭୁଲନା
ଭୁଲାଇ ନେଲେ କା ମନ
ଭୁଲିହୁଏ ଛନଛନ
ଅଧୀରେ କହେ ପାଶେ ନିଅନା
ଚୋରାଚୋରା ଚାହାଣି ଏ ଭୁଲନା
ଚୋରାଚୋରା ଚାହାଣି ଏ ଭୁଲନା

ମନ ମାରି ବସିଲେ
ମିଛ ରୁଷା ରୁଷିଲେ
ଆସି ଧୀରେ ଦେଲେ ଛୁଆଁ
ରୁହ ଦୂରେ ଦୂରେ
ମାଗିବ ସେ ଆସି ପ୍ରୀତି କରୁଣା
ଅଭିମାନ ପରଶ ଗୋ ଜାଣନା
ଚୋରାଚୋରା ଚାହାଣି ଏ ଭୁଲନା


Monday, July 24, 2017

ଓରହାନ୍ ପାମୁକ୍

ତୁମେ କାହା ପାଇଁ ଲେଖ 

ଅନୁବାଦ ଓ ଆଲେଖ୍ୟ - ଜ୍ୟୋତି ନନ୍ଦ


କାର୍ଯ୍ୟରତ ଓର୍ହାନ ପାମୁକ (୭ ଜୁନ ୧୯୫୨ - )
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ - 

ତୁମେ କାହା ପାଇଁ ଲେଖ ? ଗଲା ତିରିଶ ବର୍ଷ ହେଲା, ଏମିତିରେ କହିବାକୁ ଗଲେ ଯେବେଠୁ ଲେଖାଲେଖି କରୁଛି ପ୍ରାୟ ସେବେଠୁ, ଏଇ ପ୍ରଶ୍ନଟି ପାଠକ ଆଉ ସାମ୍ବାଦିକ ମାନଙ୍କଠାରୁ ଉଣାଅଧିକେ ମୋତେ ଶୁଣିବାକୁ ପଡୁଛି । ଏହାର ଉଦ୍ଦେଶ୍ୟଟି ସ୍ଥାନ ଆଉ କାଳ ଉପରେ କିଛି ପରିମାଣରେ ନିର୍ଭରଶୀଳ ହୋଇଥିଲେ ହେଁ, ସେମାନେ ସମସ୍ତେ ମୋଟାମୋଟି ଗୋଟିଏ ପ୍ରକାରର ସନ୍ଦେହପ୍ରବଣ ଆଉ ଅନୁସନ୍ଧିତ୍ସୁ ଭଙ୍ଗୀରେ ସେହି ପ୍ରଶ୍ନଟି କରିଥାଆନ୍ତି ।

ସତୁରି ଦଶକର ମଝି ସମୟରୁ ଯେତେବେଳେ ମୁଁ ଉପନ୍ୟାସ ଲେଖିବାର ପ୍ରୟାସ କରୁଛି, ସେତେବେଳେ ଏଇ ପ୍ରଶ୍ନଟିରେ ସାମଗ୍ରିକ ଫିଲିସ୍ତିନୀ ଶିଳ୍ପ ଓ ସାହିତ୍ୟ ସମ୍ପର୍କିତ ଧାରଣାର ଗୋଟିଏ ପ୍ରତିଫଳନ ଲକ୍ଷ୍ୟ କରାଯାଉଥିଲା । ସେମାନେ ବିଶ୍ୱାସ କରୁଥିଲେ ଶିଳ୍ପ ଆଉ ସାହିତ୍ୟ ହେଉଛି ସୌଖିନତାର ପ୍ରତୀକ । ଇଉରୋପର ବାହାରର ଦରିଦ୍ର ଦେଶଗୁଡିକରେ ଆଧୁନିକତା ଆଡକୁ ଏ ଯେଉଁ ଯାତ୍ରାର ଆରମ୍ଭ ହୋଇଛି, ତାହା ପୁରାପୁରି ବେଢଙ୍ଗିଆ । ଅର୍ଥାତ୍ ସେପରି ହେବାର ସମୟ ହୁଏତ ଆସିନାହିଁ ସେଠାରେ । ସେଠାରେ ଯେଉଁମାନେ ଶିକ୍ଷିତ ଓ କିଛି କରିପାରିବାର କ୍ଷମତା ରଖନ୍ତି, ସେମାନଙ୍କୁ ପରାମର୍ଶ ଦିଆଯାଉଥିଲା ଦେଶ ଆଉ ଜାତି ପାଇଁ କିଛି ଦରକାରୀ ଜରୁରୀ କାମ କରିବା ଉଚିତ । ଡାକ୍ତରମାନେ ମହାମାରୀ ବିରୁଦ୍ଧରେ ଲଢିଲା ଭଳି, ଇଞ୍ଜିନିୟରମାନେ ସେତୁ ଗଢିଲା ଭଳି କାମ ।

ବିଗତ କେତେ ବର୍ଷ ଧରି ଏଇ ପ୍ରଶ୍ନଟିକୁ ନେଇ ଅନେକ ଭାବିଛି । କେଉଁ ଶ୍ରେଣୀର ପାଠକ ମୋ ବହି ପଢିବେ ଆଉ ପ୍ରଶଂସା କରିବେ ସେଇ କଥାକୁ ନିର୍ଣ୍ଣୟ କରିବା ପାଇଁ ଭାବିଛି । ମୁଁ ଜାଣୁଛି, ପ୍ରଶ୍ନଟି ଭିତରେ ଗୋଟିଏ ରାଜନୈତିକ ଗନ୍ଧ ଅଛି । ଯଦି ମୁଁ କହେ ଯେ ମୁଁ ସମାଜର ସବୁଠାରୁ ଗରୀବ ଆଉ ଅବହେଳିତ ମଣିଷମାନଙ୍କ ପାଇଁ ଲେଖୁଛି, ତାହାହେଲେ ସମସ୍ତେ ଧରିନେବେ ଯେ ମୁଁ ଅସଲରେ ତୁର୍କୀର ଜମିମାଲିକ ଓ ଧନୀକ ଶ୍ରେଣୀର ଶ୍ରେଣୀସ୍ୱାର୍ଥ ରକ୍ଷା କରିବାକୁ ଲେଖୁଛି । ଏବଂ ମୋତେ ତାହାହେଲେ ମନେ ପକାଇ ଦିଆଯିବ ଯେ, ଶୁଦ୍ଧ ଆଉ ମହତ ଚିନ୍ତାର ଅଧିକାରୀ ଯେଉଁ ଲେଖକମାନେ ଶ୍ରମଜୀବୀ ଅବା ନିମ୍ନବିତ୍ତଙ୍କ ପାଇଁ ଲେଖନ୍ତି ବୋଲି ଦାବୀ କରୁଥାନ୍ତି, ସେମାନେ କେବଳ ପଢାଲେଖା ଜାଣିଥିବା କିଛି ହାତଗଣତି ଲୋକମାନଙ୍କ ପାଇଁ ହିଁ ଲେଖିଥାନ୍ତି । ସତୁରି ଦଶକରେ ଯେତେବେଳେ ମୋ ମାଆ ଜାଣିବାକୁ ଚାହିଁଲା ମୁଁ କାହା ପାଇଁ ଲେଖୁଛି ବୋଲି , ତାହାର ଥମଥମ ମୁହଁ ଆଉ କୁଞ୍ଚିତ ଭୁରୁକୁ ଦେଖି ମନେ ହୋଇଥିଲା, ବିଷୟଟି ଅନ୍ତତଃପକ୍ଷେ ତାହା ପାଖରେ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆଉ ତାହା ସହିତ ସେ ଜାଣିବାକୁ ଚାହିଁଥିଲା ନିଜର ଗ୍ରାସାଚ୍ଛାଦନ ନିମନ୍ତେ ମୋର ନିଜର ଯୋଜନାର ସ୍ୱରୂପଟି କେଉଁପରି ରହିଅଛି, ସେଇ କଥା । ଏବଂ ଯେତେବେଳେ ବନ୍ଧୁ ମାନେ ଜାଣିବାକୁ ଚାହୁଁଥିଲେ ମୋ ଲେଖା କାହା ପାଇଁ, ସେମାନଙ୍କର କଣ୍ଠସ୍ୱରର ବିଦ୍ରୁପଟି ପରିଷ୍କାର କହୁଥିଲା ଯେ, ସେମାନେ ଅସଲରେ କେହି ମୋ ଭଳି ଲେଖକର ବହି କେଉଁଦିନ ପଢିବେ ନାହିଁ ବୋଲି କହୁଛନ୍ତି ।

ତିରିଶ ବର୍ଷ ଧରି ଏଇ ପ୍ରଶ୍ନଟି ମୁଁ ଅଧିକରୁ ଅଧିକ ଶୁଣି ଆସିଛି । ଏହାର କାରଣ ହେଉଛି, ମୋର ଉପନ୍ୟାସ ଏହା ଭିତରେ କେତେଗୁଡିଏ ଅଲଗା ଅଲଗା ଭାଷାରେ ଅନୁବାଦ କରାଯାଇଛି । ବିଶେଷ କରି ଗତ ଦଶ ବର୍ଷ ଭିତରେ ମୋର ସାକ୍ଷାତକାର ନେଉଥିବା ଅନେକେ ଭାବିଛନ୍ତି ଯେ, ମୁଁ ସେମାନଙ୍କର ଏଇ ଭଳି ପ୍ରଶ୍ନକୁ ଠିକ୍ ରେ ଗ୍ରହଣ କରି ନପାରେ । ତେଣୁ ସେମାନେ ଏଇ ପ୍ରଶ୍ନଟିରେ ଆଉକିଛି ଯୋଡିଛନ୍ତି । ଆପଣ ତ ତୁର୍କୀରେ ରହି ଲେଖନ୍ତି, ବସ୍ତୁତଃ ଆପଣ କେବଳ ତୁର୍କୀ ମାନଙ୍କ ପାଇଁ ଲେଖନ୍ତି ? ନା ଏବେ ଯେହେତୁ ଆପଣଙ୍କର ଲେଖା ଅନ୍ୟାନ୍ୟ ଭାଷାରେ ଅନୁବାଦ କରାଯାଉଛି, ସେଇସବୁ ପାଠକମାନଙ୍କର କଥା କ'ଣ ଆପଣଙ୍କୁ ଭାବିବାକୁ ହୁଏ ? ଆମେମାନେ ତୁର୍କୀର ଭିତରେ ବା ବାହାରେ ଯେଉଁଠାରେ ବସି କହୁଥାଉ ପଛକେ, ସେହି ପ୍ରଶ୍ନଟିରେ ସବୁ ସମୟ ସେହି ପୁରୁଣା ସନ୍ଦେହ ଆଉ ଅନୁସନ୍ଧିତ୍ସୁ ଭଙ୍ଗୀଟି ଆସେ ବୋଲି ବାଧ୍ୟ ହୋଇ କହିବାକୁ ପଡେ, ମୁଁ କେବଳ ତୁର୍କମାନଙ୍କ ପାଇଁ ଲେଖିଥାଏ ।

ଏବେ ଏଇ ପ୍ରଶ୍ନଟିକୁ ଟିକିଏ ନିରେଖି ଦେଖିବା ଆଗରୁ ଆମକୁ ମନେ ରଖିବାକୁ ହେବ ଯେ, ଉପନ୍ୟାସର ଉତ୍ଥାନର ସହ ଜାତି-ସତ୍ତାର ବା ରାଷ୍ଟ୍ରର ଉତଥାନ ଘଟିଛି । ଯେତେବେଳେ ଉନବିଂଶ ଶତକର ମହାନ ଉପନ୍ୟାସଗୁଡିକ ଲେଖା ହେଉଥିଲା, ସେତେବେଳଠାରୁ ଉପନ୍ୟାସ ଶିଳ୍ପଟି ହେଉଛି ଏକ ଜାତୀୟ ଶିଳ୍ପ । ବାଲ୍ଜାକ୍, ଡିକେନ୍ସ, ଦସ୍ତୋୟୋଭସ୍କି ଓ ତଲଷ୍ଟୟ ଲେଖିଥିଲେ କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ୍ତ ଶ୍ରେଣୀ ନିମନ୍ତେ । ଊନବିଂଶ ଶତକର ଗୁରୁତ୍ୱପୂର୍ଣ୍ଣ ଲେଖକମାନଙ୍କର ଉପନ୍ୟାସଗୁଡିକ ଜାତୀୟ ଦୈନିକ ସମ୍ବାଦପତ୍ରର ଶିଳ୍ପ ଓ ସାହିତ୍ୟ ପୃଷ୍ଟାରେ ପ୍ରଥମେ ଧାରାବାହିକ ଭାବରେ ପ୍ରକାଶିତ ହେଉଥିଲା । ଆଉ ତାହାର କାରଣ ହିସାବରେ ମନେ କରାଯାଉଥିଲା ଯେ, ସେଇ ଔପନ୍ୟାସିକମାନେ ସମଗ୍ର ଜାତି ଉଦ୍ଦେଶ୍ୟରେ କିଛି ନା କିଛି ବକ୍ତବ୍ୟ ରଖୁଛନ୍ତି । ସେମାନଙ୍କର ଉପନ୍ୟାସର କଥକ ଚରିତ୍ର ଭିତରେ ଏକଧରଣର ସଚେତନ ଦେଶପ୍ରେମିକର ପ୍ରତିଚ୍ଛବି ଦେଖିବାକୁ ମିଳୁଥିଲା, ଯାହାର ମୂଳ କାମନା ଥିଲା, ଦେଶ ଓ ଦଶର ସମୃଦ୍ଧି । ଊଣିଶ ଶତକର ଶେଷ ଆଡକୁ ଆସିଲା ବେଳକୁ, ଉପନ୍ୟାସ ଲେଖିବା ଆଉ ପଢିବା ଉଭୟ ବିଷୟ ହୋଇଗଲା ଏକ ଜାତୀୟ ବିଷୟ ନେଇ ଆଲୋଚନାରେ ଅଂଶଗ୍ରହଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜି ଉପନ୍ୟାସ ଲେଖାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଉପନ୍ୟାସ ପଢିବା କ୍ଷେତ୍ରରେ ବି ସେଇ ସମାନ କଥା ପ୍ରଯୁଜ୍ୟ ।

ପରିବର୍ତ୍ତନର ସୂଚନା ହୁଏ ବିଂଶ ଶତାବ୍ଦୀର ପ୍ରଥମ ଭାଗରୁ । ସେତେବେଳେ ଉପନ୍ୟାସ ହୋଇ ଉଠିଲା ଆଧୁନିକ । ଆଉ ଏଇ ଆଧୁନିକ ଉପନ୍ୟାସ ହିଁ ଶିଳ୍ପର ସର୍ବୋଚ୍ଚ ମର୍ଯ୍ୟାଦା ପାଇଥିଲା । ଯେଉଁ ପରି ଗତ ତିରିଶ ବର୍ଷରେ ଯୋଗାଯୋଗର ତାତ୍ପର୍ଯ୍ୟ ବଦଳି ଯାଇଛି । ତଥା, ବିଶ୍ୱ ଗଣମାଧ୍ୟମର ଯୁଗରେ ସାହିତ୍ୟିକ ମାନେ ଆଉ ଆଜି କେବଳ ନିଜ ଦେଶର ମଧ୍ୟବିତ୍ତ ଶ୍ରେଣୀର ବକ୍ତା ହିସାବରେ ବିବେଚିତ ହେଉ ନାହାଁନ୍ତି । ବରଂ ସେମାନେ ଏବେ ବିଶ୍ୱର ସମଗ୍ର ପାଠକ କୂଳର ବକ୍ତା ।

ଆଜିର ସାହିତ୍ୟର ପାଠକମାନେ ଅପେକ୍ଷା କରନ୍ତି ମାର୍କ୍ୱେଜ୍ ,କୋଏତ୍ଜି, ଆଉ ପଲ୍ ଆସ୍ତର୍ ଙ୍କର ନୂଆ ବହିଟିଏ ପାଇଁ । ଆଗରୁ ତାଙ୍କର ପୂର୍ବସୂରୀମାନେ ଯେମିତି ଅପେକ୍ଷା କରୁଥିଲେ ଡିକେନ୍ସଙ୍କର ଗୋଟିଏ ନୂଆ ଉପନ୍ୟାସର ପ୍ରକାଶକୁ, ସେଇ ଭଳି । ବର୍ତ୍ତମାନର ବଜାର ବ୍ୟବସ୍ଥାରେ ଜଣେ ଔପନ୍ୟାସିକର ଦେଶ ବାହାରେ ଥିବା ପାଠକର ସଙ୍ଖ୍ୟା ତାହାର ସ୍ଥାନୀୟ ପାଠକ ସଙ୍ଖ୍ୟାଠାରୁ ଯଥେଷ୍ଟ ବେଶି ।

ଏହି ପରିପ୍ରେକ୍ଷୀରେ ଯଦି ସାଧାରଣ ଅର୍ଥରେ ଜଣେ ଲେଖକ କାହା ପାଇଁ ଲେଖେ ବୋଲି ପ୍ରଶ୍ନଟିର ଉତ୍ତରରେ କହିବି, ଲେଖକଟି ତାହାର ଆଦର୍ଶ ଓ ଯୋଗ୍ୟ ପାଠକ ପାଇଁ ଲେଖେ, ତାହାର ପାଖର ମଣିଷ ଆଉ ନିଜ ପାଇଁ ଲେଖେ, ଏହା ଛଡା ଆଉ କାହାରି ପାଇଁ ନୁହଁ । ଏହା ସତ, ତେବେ ଆଂଶିକ ସତ । ଆଜିର ଲେଖକମାନେ ସେମାନଙ୍କୁ ଯିଏ ପଢୁଥାଏ, ତାଙ୍କରି ପାଇଁ ଲେଖନ୍ତି । ଏଥିରୁ ଆମେ ଅନୁମାନ କରିପାରିବା ଯେ ଆଜିର ଲେଖକ ମାନେ ନିଜନିଜ ର ଜାତୀୟ "ମେଜରିଟି" (ଯେଉଁମାନେ ସେମାନଙ୍କୁ ପଢନ୍ତି ନାହିଁ) ତୁଳନାରେ ସେମାନଙ୍କୁ ପଢୁଥିବା ବିଶ୍ୱର କ୍ଷୁଦ୍ର "ମାଇନରିଟି"ପାଠକ ମାନଙ୍କ ପାଇଁ ଅଧିକ ଲେଖନ୍ତି ।

ବିଷୟଟିକୁ ଯେଉଁମାନେ ତୀର୍ଯକ ଦୃଷ୍ଟିରେ ଦେଖନ୍ତି, ସେମାନେ ହେଲେ ମତାଦର୍ଶ ଆରୋପଣକାରୀ ଏବଂ ପଶ୍ଚିମର ବାହାର ଦେଶର ମଣିଷ ମାନଙ୍କର ଗଢା ବିଭିନ୍ନ ସଙ୍ଗଠନ । ବିଶ୍ୱରେ ନିଜର ଅବସ୍ଥାନ ନେଇ ସେମାନେ ଯେମିତି ଅନିଶ୍ଚିତ, ସେମିତି ସେମାନେ ନିଜର ଚଳମାଣ ଜାତୀୟ ସମସ୍ୟା ବା ଇତିହାସର କଳଙ୍କିତ ଅଧ୍ୟାୟକୁ ନେଇ ଆଲୋଚନାରେ ବସିବାକୁ ଅନିଚ୍ଛୁକ । ଔପନ୍ୟାସିକମାନଙ୍କ ଭିତରୁ ଯେଉଁମାନେ ଏଇ ଦଳର ପ୍ରତିନିଧି, ସେମାନେ ମନେ କରନ୍ତି ଇତିହାସ ଆଉ ଜାତୀୟତାବାଦକୁ ଯଦି ବାହାରୁ ଦେଖାଯାଏ, ତେବେ ତାହା ସନ୍ଦେହର ଉର୍ଦ୍ଧ୍ୱରେ ରହିବ ନାହିଁ । ସେମାନଙ୍କର ମତରେ ଯେଉଁ ଔପନ୍ୟାସିକମାନେ ସେମାନଙ୍କର ନିଜ ଜାତୀୟ ପାଠକମାନଙ୍କ ପାଇଁ ଲେଖନ୍ତି ନାହିଁ, ସେମାନେ ନିଜ ଦେଶକୁ ଏକ ପ୍ରକାରେ ଅପରିଚିତ କରି ଗଢି ତୋଳି ଅନ୍ୟ ଦେଶର ଭୋଗ୍ୟ ହିସାବରେ ପ୍ରତିଷ୍ଠିତ କରାଇଥାନ୍ତି । ଏବଂ ସେମାନେ ଏମିତି କିଛି ସମସ୍ୟାର ଉତ୍ତରଣ ଘଟିବାର କାରଣ ହୋଇଯାଆନ୍ତି, ଯାହାର କୌଣସି ବାସ୍ତବ ସ୍ଥିତି ନଥାଏ । 

ସେହି ସମାନ ଧରଣର ସନ୍ଦେହ ପଶ୍ଚିମରେ ଅଛି । ସେଠାରେ ଅନେକ ପାଠକ ମନେ କରନ୍ତି ଯେ, ସାହିତ୍ୟ ଆଞ୍ଚଳିକ, ଶୁଦ୍ଧ ଓ ଜାତୀୟତା-କେନ୍ଦ୍ରଭିତ୍ତିକ ହେବା ବାଞ୍ଛନୀୟ । ସେମାନଙ୍କର ଗୋପନ ଶଙ୍କାଟି ହେଉଛି ଏଇ ଭଳି । ଜଣେ ପୃଥିବୀର ଲେଖକ ବୋଲାଇ ଅନ୍ୟମାନଙ୍କର ଐତିହ୍ୟରୁ ଉପାଦାନ ସଙ୍ଗ୍ରହ କରି ସେମାନଙ୍କର ଖାଣ୍ଟି ରହିବାର ସମ୍ଭାବନାଟିକୁ ଧୂଳିରେ ମିଶାଇ ଦେଇପାରେ, ସେଇ ଭୟ । ଏଇ ଭୟରେ ବେଶି ଭୀତ ହେଉଥାଏ ସେଇ ପାଠକଟି, ଯିଏ ବହିଟିଏ ଖୋଲିଲା ବେଳେ ମନେମନେ ପ୍ରାର୍ଥନା କରେ ଓ ପୃଥିବୀଠାରୁ ବିଚ୍ଛିନ୍ନ ଗୋଟିଏ ଜଗତରେ ପ୍ରବେଶ କରେ । ସେ ସେଇ ଜଗତର ମଣିଷ ମାନଙ୍କର ହଟ୍ଟଗୋଳ ଏମିତି ଦେଖିବାକୁ ଚାହେଁ, ଯେପରି ତାହାର ପଡିଶା ଘରର ଗଣ୍ଡଗୋଳ ସେ ଅବିକା ଦେଖିବାକୁ ପାଇବ । ଯଦି କୌଣସି ଲେଖକ ଅନ୍ୟ କେଉଁ ଭାଷାଭାଷୀ ପାଠକମାନଙ୍କ ଉଦ୍ଦେଶ୍ୟରେ କିଛି ଲେଖନ୍ତି, ତେବେ ଏଇ କଳ୍ପଲୋକ (ଫାଣ୍ଟାସି) ଟି ଆଉ ରହେନାହିଁ ।

କାରଣ ପ୍ରତି ଲେଖକ ଭିତରେ ଆକାଂକ୍ଷା ଥାଏ ଖାଣ୍ଟି ହେବାର । ତେଣୁ ଏତେ ବର୍ଷ ପରେ ମୋତେ ଭାରି ଖୁସି ଲାଗେ, ଯଦି କିଏ ପଚାରେ, ମୁଁ କାହା ପାଇଁ ଲେଖେ ? କିନ୍ତୁ ଜଣେ ଲେଖକର ଖାଣ୍ଟି ହେବା ଆଉ ନ ହେବା ନିର୍ଭର କରିଥାଏ, ସେ ତାହାର ପାଖ ଜଗତ ସହ କେତେ ପରିମାଣରେ ଅନ୍ତରଙ୍ଗ । ଅର୍ଥାତ୍ ଯିଏ ଯେତେ ବେଶି ନିଜର ଅବସ୍ଥାନର ପରିବର୍ତ୍ତନ ସମ୍ପର୍କରେ ସଜାଗ ହେବ, ସେ ସେତେ ବେଶି ଖାଣ୍ଟି । ନିଜ ଜଗତ ସହ ଅନ୍ତରଙ୍ଗ ହୋଇଥିଲେ ତ ଜଣେ ନିଜର ପରିବର୍ତ୍ତନକୁ ଠିକ୍ ବୁଝିପାରିବ ।

ଜଣେ ଆଦର୍ଶ ପାଠକ ବୋଲି ଅସଲରେ କିଛି ନାହିଁ । ଠିକ୍ ସେମିତି ଆଦର୍ଶ ଔପନ୍ୟାସିକ ବୋଲି ବି କିଛି ନାହିଁ । କିନ୍ତୁ ସେ ସ୍ୱଦେଶୀ ହେଉ କି ଭିନ୍ନ ଦେଶୀ, ଯେଉଁଠିକାର ହେଉନା କାହିଁକି, ଜଣେ ଔପନ୍ୟାସିକ କେବଳ ତାହାର ଆଦର୍ଶ ପାଠକ ମାନଙ୍କ ପାଇଁ ଲେଖେ । ପ୍ରଥମେ ତାହାର ଅସ୍ତିତ୍ୱ ମନେ ମନେ କଳ୍ପନା କରିନିଏ, ଏବଂ ପରେ ମନ ଭିତରେ ତାହାର ଉପସ୍ଥିତିକୁ ଅନୁଭବ କରି ଔପନ୍ୟାସିକଟି ଲେଖୁଥାଏ । ଲେଖୁଥାଏ ଶେଷ ଯାଏଁ ।


ହ୍ୱାଇଟ କ୍ୟାସେଲ ଉପନ୍ୟାସର ମଲାଟ
୧୯୮୫ ମସିହାରେ ପ୍ରକାଶିତ ତୁର୍କୀ ଭାଷୀ ପ୍ରଥମ ସଂସ୍କରଣ
ବନ୍ଧନୀ ଭିତରେ ସମସ୍ତେ ନିରାପଦ ।

ଏଇ ଲେଖାଟି ନୋବେଲ୍ ବିଜେତା ତୁର୍କୀର ଲେଖକ ଓରହାନ୍ ପାମୁକ୍ ଙ୍କ ର "ହୁ ଡୁ ୟୁ ରାଇଟ୍ ଫର୍" ବୋଲି ଏକ ଲେଖର ମର୍ମାନୁବାଦ । ଏଥିରେ ତୃଟି ଭାଗ ପାଇଁ ଉପସ୍ଥିତ ଟାଇପିଷ୍ଟ୍-କମ୍-ଅନୁବାଦକ ପୂର୍ଣ୍ଣ ରୂପରେ ଦାୟି । 

ପାମୁକ୍ ଙ୍କ ବିଚାର ସହ ସହମତ ଆଉ ଅସହମତ ହେବା ଆପଣମାନଙ୍କର ନିଜସ୍ୱ ବିଚାର ।

ଏଇ ପ୍ରସଙ୍ଗରେ ଟିକିଏ କହିବି । ଆମ ରାଜ୍ୟରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ବିମର୍ଷଟିମାନ ହୁଏ ସାହିତ୍ୟ ଚର୍ଚ୍ଚାରେ । ଦସ୍ତଖତ କରି ମାନିଫେଷ୍ଟୋ ମାନ ଉଦଘୋଷିତ ହୁଏ । ହେବା ଉଚିତ୍ ବି । କିନ୍ତୁ କାହା ପାଇଁ ଲେଖୁଛନ୍ତି ବୋଲି ଆମର ସାହିତ୍ୟର ଯୁଗପୁରୁଷଙ୍କ ଠାରୁ ଆରମ୍ଭ କରି ଚିନ୍ତକ ଓ ଯେତେଯେତେ ସାକ୍ଷାତକାର ଯୋଗ୍ୟ କୃତି ସାହିତ୍ୟିକ ଅଛନ୍ତି, ସେମାନଙ୍କୁ ଏଇ ମୌଳିକ ପ୍ରଶ୍ନଟି ପଚରାଯାଏ ନାହିଁ ।

ମୌଳିକ ପ୍ରଶ୍ନ ଗୁଡିକର ଯଥାଯଥ ଉତ୍ତରର ଆବଶ୍ୟକତା ଅଛି ସେଇ କିଶୋରଟି ର ପାଖରେ, ଯିଏ ଏବେ ତାହାର ପଡୋଶିନୀ ମେଘବାଳିକାକୁ ନିଜର ନ କହି ପାରିବାର ଉଚ୍ଛ୍ୱାସ ଟିକକୁ ଲେଖୁଛି ପ୍ରତୀକରେ । ତାହାର ପ୍ରତୀକମାନଙ୍କୁ ବିଶ୍ୱ ଭ୍ରମଣରେ ନେବାର ଅଛି । ସେଇଥିପାଇଁ ।

ଏହା ମୋର ଅଜ୍ଞତା ହୋଇ ପାରେ । ସବୁ କ'ଣ ମୁଁ ଦେଖିପାରିବି ?

କହିବା କଥା ହେଉଛି, ଆମେ ସବୁବେଳେ ମୌଳିକ ପ୍ରଶ୍ନକୁ ନିଶ୍ୱାସ ପ୍ରଶ୍ୱାସରେ ପବନ ନେବା ଆଣିବା ସାଧାରଣ "ମାଟର୍ ଅଫ୍ ଫାକ୍ଟ" ଭଳି କଥା ବୋଲି, ଭାବୁ ତେଣୁ ତାହା ଗୁରୁତ୍ୱହୀନ ।

ଭଲ ଗପ ବା ଭଲ କବିତା କହିଲେ ଯାହା ଆମର ଲୋତକ ଉଦ୍ରେକକାରୀ ହୋଇଥିବ ବା ଯାହାକୁ ଆମର ବରିଷ୍ଠ କେହି ଜଣେ ଗୋଟିଏ ଦଫାରେ ବସି ପଢିନେଇ ପାରିବ, ଆମେ ସେହିଭଳି ଏକ ନିଷ୍କର୍ଷଟିଏ ବାହାର କରି ମହାସୁଖରେ ଆମ ଦାଣ୍ଡ ପିଣ୍ଡାରେ ସୌଖୀନ ଶାଲଟି ମାନ ଘୋଡି ହୋଇ ବସିଛୁ ।

ମୋର ଯେତିକି ମନେଅଛି, ଆମେ କାହାପାଇଁ ଲେଖୁଚୁ ପ୍ରଶ୍ନଟି ଉପରେ ଓଡିଆ ଗଳ୍ପର ସୁବର୍ଣ୍ଣ ଯୁଗ (ଇତିହାସର ଛାତ୍ରମାନଙ୍କର ଏଇ ଆଳୁଦୋଷଟି ଦୁର୍ନିବାର । କଥା କଥା କେ ସୁବର୍ଣ୍ଣ ଯୁଗ !) ରେ ଓଡିଆ ଗଳ୍ପର ବିଶିଷ୍ଟ ସ୍ଥପତି କିଶୋରୀ ଚରଣ ଦାସ "ଝଙ୍କାର"ରେ "ଗଣତାନ୍ତ୍ରିକ ଗଳ୍ପ କଳା" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଯେଉଁଥିରେ ଜଣେ ଲେଖକ "ଜନ" ପାଇଁ ଲେଖିବ କି "ଗଣ" ପାଇଁ ଲେଖିବ, ତାହାର ଏକ ତାତ୍ତ୍ଵିକ ଆଲୋଚନା କରାଯାଇଥିଲା ।

ଅସଲରେ ଆମେ ଜନ ଆଉ ଗଣ ଭିତରେ ନିଜେ କେଉଁଠି ଅଛୁ ଜାଣୁ । କିନ୍ତୁ ନିଜର ସୁବିଧା ପାଇଁ କଥାଟିକୁ ଗୋଳେଇଦେଉ ।

କିଶୋରୀ ଚରଣଙ୍କ ପାଖକୁ ଫେରିବି । ସୃଜନକର୍ମ ସମ୍ପର୍କରେ ତାଙ୍କର ଗୋଟିଏ ପ୍ରବାଦକୁ ମୋର ସାମର୍ଥ୍ୟ ଥିଲେ ବେଶ୍ ଭଲ ଭାବରେ ବନ୍ଧେଇ ନିଜ ପଢା ଘରେ ଟାଙ୍ଗିବା ପାଇଁ ସମସ୍ତ ସୃଜନ କର୍ମୀଙ୍କୁ ଉପହାର ଦିଅନ୍ତି ।

"ମୁଁ ମୋ ଅଭଜ୍ଞତାର ସମୀକ୍ଷା କରିଥାଏ।"

"ଆଇ ଅଡିଟ୍ ମାଇ ଓନ୍ ଏକ୍ସପେରିଏନ୍ସେସ।"

"ଭଙ୍ଗା ଖେଳଣା"ର ସେହି ଅମର ସ୍ରଷ୍ଟାଙ୍କୁ ପ୍ରଣାମ । )

Friday, July 21, 2017

ଅଦ୍ଭୁତ ସେ ମାନବ ପଦେ 


ରାଧାମୋହନ ଗଡ଼ନାୟକ (୧୯୧୧-୧୯୯୯)


ଆର୍ମେନିଆର ନୋରାଟସ୍ ଠାରେ ସ୍ଥିତ ଏକ ଶ୍ମଶାନ


କମାଣ ଗୋଳ ସମ୍ମୁଖରେ
ଛାତିର ହାଡ଼ ବଜ୍ର କରି
ଅହିଂସାର ଯୁଦ୍ଧ ରଚି
ଜିତିଲା ଯିଏ ହିଂସ୍ର ଅରି;
ସ୍ୱାଧୀନ କଲା ବିଶାଳ ଦେଶ,
ମୁକ୍ତ କଲା ବିରାଟ ଜାତି
ଅଦ୍ଭୁତ ସେ ମାନବ-ପଦେ
ଅର୍ଘ୍ୟ ତୋର ଢାଳରେ ସାଥି ।

ସର୍ପ ଯେବେ ଦର୍ପ ଭରେ 
ଦଂଶିବାକୁ ଆସିଲା ଧାଇଁ
ବାହୁରେ ତାକୁ ନେଲା ଯେ ତୋଳି
ଡରିଲା ନାହିଁ, ଥରିଲା ନାହିଁ ।
ଶମ୍ଭୁ ସମ ବୁକୁରେ ଧରି
କରିଲା ସାଥି, କରିଲା ଜ୍ଞାତି,
ଅଦ୍ଭୁତ ସେ ମାନବ-ପଦେ
ଅର୍ଘ୍ୟ ତୋର ଢାଳରେ ସାଥି ।

ଦଗ୍ଧୀଭୂତ ପ୍ରାଣର ଜ୍ୱାଳା
ମର୍ମେ ଘେନି ଯେ ଭଗୀରଥ
ଗଗନ ପଥୁ ଆଣିଲା ବାହି
ଗଙ୍ଗା-ଧାରା-ମୁକ୍ତି-ପଥ ।
ଶମଶାନର ଭସ୍ମପରେ
ଖେଳାଇ ଦେଲା ଜୀବନ-ଭାତି
ଅଦ୍ଭୁତ ସେ ମାନବ-ପଦେ
ଅର୍ଘ୍ୟ ତୋର ଢାଳରେ ସାଥି ।

ଭାରତ-ସୀତା ବନ୍ଦୀ ଥିଲା
ସିନ୍ଧୁପାରେ ବନ୍ଦୀଶାଳେ,
ମୁକ୍ତ କରି ତାହାକୁ ଯିଏ
ଆଣିଲା ପୁଣି ଭାରତ କୋଳେ ।
ଅରୁଣାଲୋକେ ପୁହାଇ ଦେଲା 
ଲାଞ୍ଛନାର ତିମିର-ରାତି,
ଅଦ୍ଭୁତ ସେ ମାନବ-ପଦେ
ଅର୍ଘ୍ୟ ତୋର ଢାଳରେ ସାଥି ।

ଉତ୍ସ - ଶ୍ରୀ ଚିନ୍ତାମଣି ବେହେରାଙ୍କର ଦ୍ୱାରା ସଙ୍କଳିତ ତଥା ସମ୍ପାଦିତ 'କବିତା ଯେବେ ଥିଲା ମନ୍ତ୍ର' । ପ୍ରକାଶନର ସ୍ଥାନ ଭୁବନେଶ୍ୱର ।  ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ୨୦୦୪ ମସିହାରେ ପ୍ରକାଶିତ ।

ବୈଷ୍ଣବ ପଦାବଳୀ - 'ଆକ୍ଷେପାନୁରାଗ ବା ସଖୀ ପ୍ରତି ଶ୍ରୀରାଧା'

(ରାଗିଣୀ - ମୋହନା, ତାଳ - ଝୁଲା) 

କବି - କାହ୍ନୁଚରଣ 


ଆଲୋଚନାରତ ରାଧା ଓ କୃଷ୍ଣ (ବାସୋଲି ମିନିଏଚର ଚିତ୍ର, ୧୭୩୦ ମସିହା)
ଫଟୋ କ୍ରେଡ଼ିଟ - ୱିକିମିମିଡ଼ିଆ କମନ୍ସ୍

ତୁଚ୍ଛାରେ ଯାହା ମୁଁ ଶ୍ୟାମେ ହୋଇଲି ଉତ୍ସାହୀ ଗୋ ।
କୁତ୍ସାରେ ସରିଲି କୁଳବରତ ଘୁଞ୍ଚାଇ ଗୋ । ଘୋଷା ।

ମୁଁ ଛାର ପରାଏ ସେବି, ନିଶି ଦିବା ଥାଏ ଭାବି
ସେ ଦିନେ ମୋ ବେଦନାକୁ ନ ନେଲେ ପୁଛାଇଁ ଗୋ ।୧।

ମୁଁ ଛାର ସେ ସେବା ଭଳି ନୋହିବାରୁ ଚନ୍ଦ୍ରାବଳୀ
ଝଳିଛି ମୋହନ ହୃଦେ ଚିତ୍ତକୁ ରୁଚାଇ ଗୋ ।୨।

ସୁଚାରୁରୂପାଏ ଗୋପେ, ଅଛନ୍ତି ତାଙ୍କ ସ୍ୱରୂପେ
ସେତ ବୀଟ-ରାଟ ଥିବେ କୁଚାଗ୍ରକୁ ଚାହିଁଗୋ ।୩।

ଲୁଚାଇ ପାଳିବା ପ୍ରୀତି, ମୋର ଏହି ଅପକୀର୍ତ୍ତି
କହନ୍ତି ଶାଶୁ ନଣନ୍ଦେ କେ କେତେ ଘୁଞ୍ଚାଇ ଗୋ ।୪।

ମୁଁ ଛାଏଁ ସିନା ହୁଡ଼ିଲି ତୋହ କଥାରେ ପଡ଼ିଲି
ନିଶୀଥେ ଆସି ଅରଣ୍ୟେ ମଲି ଚାହିଁ ଚାହିଁ ଗୋ ।୫।

ଲୁଚାଏ ତୋ ପରା କେତେ, ପ୍ରଶଂସା କରନ୍ତି ଯେତେ
ଶ୍ୟାମ ପ୍ରୀତି ଶୁଣି ନିତ୍ୟେ ମୋ ଆଗେ ବଞ୍ଚାଇ ଗୋ ।୬।

ଘୁଞ୍ଚାଇବା ତାପ ମନୁ, ନୁହେଁ ଚାଲ ଯିବା ବନୁ
କହଇ ଚରଣ କାହ୍ନୁ ପଦେ ନିଉଛାଇଁ ଗୋ ।୭।

Thursday, July 20, 2017

ଏକ ଜଟିଳ ଓ ଗମ୍ଭୀର ଆଦାନ ପ୍ରଦାନକାରୀ ଅଭିଧାନ


ଜ୍ୟୋତି ନନ୍ଦ


ପୋପ୍ ତୃତୀୟ ପଲ୍ ଙ୍କର ଏକ ଆଦେଶ ଉଦ୍ଦେଶ୍ୟରେ ଜର୍ମାନ ଚାଷୀମାନଙ୍କର ନିତମ୍ବବଂଶୀବାଦନ
ଉତ୍ସ - ଲୁଥରଙ୍କ 'ଡେପିକ୍ସନ୍ ଅଫ୍ ପାପାସି' (୧୫୪୫)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ପ୍ରସ୍ତାବନା


ଶିକ୍ଷକ ମାନେ ବିଶେଷତଃ ପ୍ରଶ୍ନପ୍ରବଣ ଜାତି । ସବୁ ପ୍ରଶ୍ନର ଉତ୍ତର ସାଧାରଣତଃ ସେମାନେ ଏକ ପ୍ରକାର ପ୍ରଶ୍ନରେ ଦେଇଥାନ୍ତି ।

ଦୁଇଟି ସରଳ ନମୁନା:

ଛାତ୍ର: ସାର୍ ଆପଣଙ୍କ କ୍ଲାସ୍ ଥିଲା ?
ଶିକ୍ଷକ:ମୋର ? ଇଜ୍ ଇଟ୍ ? କେତେଟା ବାଜିଛି ?
ପତ୍ନୀ: ଆସ । ବଢା ହେଲାଣି ? କେତେ ଅପେକ୍ଷା କରିବି ?
ଅବସରପ୍ରାପ୍ତ ଶିକ୍ଷକ: କ'ଣ ରୋଷେଇ ହେଇଛି  ?

(ଏଇ ଦୁଇଟି ଉଦାହାରଣ ଆତ୍ମଜୈବନୀକ)

କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହଁ । ପ୍ରଶ୍ନର କର୍ତ୍ତା ଓ କାରକ ଉଭୟ ଯେତେବେଳେ ଦୁଇଟି ଭିନ୍ନଭିନ୍ନ ସ୍ତରରେ ଥାଆନ୍ତି, ସେତେବେଳେ ପ୍ରଶ୍ନର ଉତ୍ତର ପ୍ରଶ୍ନରେ ହିଁ ଆସିଥାଏ । ଶିକ୍ଷକ ମାନଙ୍କ ସ୍ତରକୁ ଅନ୍ୟମାନେ ଯେତେ ନ୍ୟୁନ କଲେ ବି ସେମାନଙ୍କୁ ଏକ ପୂର୍ଣ୍ଣ ଶ୍ରେଣୀଗୃହରେ ଥିଲାବେଳେ ଦେଖିବାର କଷ୍ଟ କରା ଯାଉ । ସେମାନେ ଯେ କୌଣସି ମହାମହିମ ସମ୍ରାଟଙ୍କ ଠାରୁ ବା ଯେ କୌଣସି ଦୃପ୍ତ ମହାବଳ ଠାରୁ କମ୍ ଦେଖାଯିବେ ନାହିଁ ।

ଶିକ୍ଷକ ମାନଙ୍କ ସହ ପ୍ରଶ୍ନାକୁଳତା କୁ ଯୋଡିବାର ଅର୍ଥ ହେଉଛି ଶୂନ୍ୟ ସ୍ଥାନ ବୋଇଲେ ଯାହା କୁହାଯାଏ, ସେଥି ପ୍ରତି ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବା ।

ପ୍ରଶ୍ନର ଅନ୍ୟନାମ ହେଉଛି ଯେଉଁଠି ଆମେ ଫାଙ୍କା ଜାଗାଟିଏ ଦେଖିଲେ ତାହାକୁ ପୂରଣ କରିବାର କାମଟିର ଶୁଭାରମ୍ଭ ।

ଶିକ୍ଷକ ମାନେ ଏମିତିରେ ଯେଉଁ ପ୍ରକାର ଗରଳର ବିଶେଷ ଅଧିକାରୀ, ତାହାହେଲା ପିଲାମାନଙ୍କ ପାଇଁ ପରୀକ୍ଷାର ପ୍ରଶ୍ନପତ୍ର ନିର୍ମାଣ ।ତେଣୁ ଶୂନ୍ୟସ୍ଥାନ ପୂରଣ, କ ସ୍ତମ୍ଭ ଖ ସ୍ତମ୍ଭ ର ପାରସ୍ପରିକ ସମ୍ପର୍କ, ସମାଲୋଚନା ପୂର୍ବକ ବର୍ଣ୍ଣନାର ନିର୍ଦ୍ଦେଶ ଆଦି ଏତାଦୃଶ ଗରଳର ପ୍ରକାର ଭେଦ ।

ପ୍ରଶ୍ନ ଆଉ ପ୍ରଶ୍ନପତ୍ର ବିନା କୌଣସି ଶିକ୍ଷକର ଅସ୍ତିତ୍ୱ ନାହିଁ । ଯେତେ ଦଣ୍ଡମୁକ୍ତ ଅଞ୍ଚଳ ହେଲେ ବି, ଏଇ ଦୁଇଟି ଅସ୍ତ୍ର ହାତରେ ଥିବା ଯୋଗୁଁ ଶିକ୍ଷକଟି ଗୋଟିଏ ଭୟ ଉତ୍ପାଦକ ଜୀବବିଶେଷ ।

ଏଠାରେ ଶୂନ୍ୟ ସ୍ଥାନ ପୂରଣ କରିବା ଭଳି ପ୍ରଶ୍ନପତ୍ରର ପ୍ରୟୋଗଟିକୁ ଅନୁସରଣ କରାଯାଇଛି ।

ହଁ ଯେଉଁ ବିଷୟରେ ଏଇ ପ୍ରଶ୍ନୋତ୍ତର ମୂଳକ ଅଭିଧାନଟି ପ୍ରସ୍ତୁତ କରାଯାଉଛି, ତାହା ଅତ୍ୟନ୍ତ ଜଟିଳ ଓ ଗମ୍ଭୀର ବୋଲି ଆପଣ ଏ ଲେଖାଟିର ଶୀର୍ଷକରୁ ଜାଣି ପାରିଥିବେ । ଆମର ଇତିହାସର ଶିକ୍ଷକ (ମୋ ବିଚାରରେ ସର୍ବକାଳର ଶ୍ରେଷ୍ଠ ଇତିହାସ ଶିକ୍ଷକର ଶିରୋପା ଯଦି କାହାକୁ କେବେ ଦିଆଯାଏ, ତେବେ ସେ ଦୃଢ ଦାବିଦାର ହେବେ) ସ୍ୱର୍ଗତ ପ୍ରଫେସର୍ ଆଲତାଫ୍ ହୁସେନ ତାଙ୍କର ଇତିହାସବୋଧ ଆଉ ପ୍ରତ୍ୟୁତ୍ପନ୍ନମତି ଓ ରସବୋଧ ପାଇଁ ସୁଖ୍ୟାତ । ଆମ ଭିତରେ ଅନେକ ଦକ୍ଷ ବିଜ୍ଞ ବିଦ୍ୱାନ ଇତିହାସ ଶିକ୍ଷକ ଅଛନ୍ତି କିନ୍ତୁ କେଜାଣି କାହିଁକି ଇତିହାସ ପଢୁଥିବା ପିଲାମାନଙ୍କୁ ଦେଖିଲେ ମୋତେ ଲାଗେ, ଯେମିତି ସେମାନଙ୍କୁ ଅନ୍ତତଃ ଥରେ ଅଲତାଫ୍ ବାବୁଙ୍କ ଶ୍ରେଣୀରେ ବସିବାର ଥିଲା । ଆଉ ସେଇ ସୁଯୋଗ ପାଇଥିବାରୁ ଆମେମାନେ ଭାଗ୍ୟବାନ ।

ପ୍ରଫେସର୍ ଅଲତାଫ୍ ହୁସେନ୍ ଙ୍କ ଉପରେ ପରେ କେବେ ।

ମୋର ଇଚ୍ଛା ବିକାଶ ଚୌଧୁରୀ, ସତ୍ୟବ୍ରତ ମହାପାତ୍ର, ଡଃ ସିଦ୍ଧାର୍ଥ ରାୟ, ଶତୃଜିତ୍ ଭଳି ଆମ ଶୈଶବର ସବୁ ବିଶିଷ୍ଟ ଗୋଇନ୍ଦାମାନଙ୍କୁ ଏକାଠି କରି କିଛି ଲେଖିବା ପାଇଁ । ସେଭଳି ଆମର ପ୍ରସିଦ୍ଧ ଇତିହାସ ଶିକ୍ଷକମାନଙ୍କୁ ନେଇ ଗୋଟିଏ ସଂସ୍ମରଣ ଲେଖିବାର ମଧ୍ୟ ଇଚ୍ଛା ।ଅବଶ୍ୟ ଇଛାମାନେ ସବୁବେଳେ ଅମାନିଆ ଘୋଡା ।

ଯଦି ପରୀକ୍ଷାରେ ଅମୁକ ବିଷୟରେ ସମାଲୋଚନା ପୂର୍ବକ ବର୍ଣ୍ଣନା କର ଭଳି ପ୍ରଶ୍ନ ତମକୁ ଅସୁବିଧାରେ, ପକାଏ ତେବେ ଅଲତାଫ୍ ସାର୍ ଆମକୁ ଗୋଟିଏ ସରଳ ସୂତ୍ର କହିଥିଲେ । ମୁଁ ସେଇ କଥା ଆମ ପିଲାଙ୍କୁ କହିନାହିଁ ବା ପରୀକ୍ଷା ଖାତାରେ ନିଜେ ଏହାର ପ୍ରୟୋଗ କରିନାହିଁ ।

ଆଜି ଏଇଠେ ଲେଖୁଛି, ସେଇ ସରଳ ସୂତ୍ର ।

ଉତ୍ତର ଶେଷରେ କେବଳ ଗୋଟିଏ ବାକ୍ୟ ଲେଖିଦେଲେ ହେଲା: ମୁଁ ଏହି ଉତ୍ତରଟି ସମାଲୋଚନା ପୂର୍ବକ ଲେଖିଅଛି । (କୌଣସି ପରୀକ୍ଷକଙ୍କୁ ଏହା କ'ଣ ଘଡିଟିଏ ଜଳକା କରିଦେବ ନାହିଁ ? ପିଲାମାନଙ୍କୁ ନିବେଦନ, ଏହାର ପ୍ରୟୋଗ କରିବାରୁ କ୍ଷାନ୍ତ ରହିବେ।)

ମୁଁ ଅଲତାଫ୍ ସାର୍ ଙ୍କ ସୂତ୍ରକୁ ଅନ୍ୟ ଉପାୟ ନ ଦେଖି ଏଇଠି ପ୍ରୟୋଗ କରୁଛି । ଏଇଟି ଏକ ଜଟିଳ ଓ ଗମ୍ଭୀର ଅଭିଧାନ । ଆଦାନ ପ୍ରଦାନକାରୀ ଅଭିଧାନ । ଆପଣମାନେ ଜାଣନ୍ତି ଅଭିଧାନ ପ୍ରଣେତାମାନେ ବିଶେଷଭାବରେ  ଶବ୍ଦ-ସଙ୍ଗ୍ରହକାରୀ । ତେଣୁ ଏହି ପ୍ରଶ୍ନଭିତ୍ତିକ ଅଭିଧାନଟିରେ ମୋ ଭୂମିକାଟି ସଙ୍ଗ୍ରାହକର ମାତ୍ର । ତେଣୁ ଏଥିରେ ଅଧୀନର ଆଦୌ କୌଣସି ବିଚକ୍ଷଣତା ନାହିଁ, କେବଳ ଦୃତ ଟାଇପ୍ କରିବା ବ୍ୟତୀତ ।

ଅଭିଧାନ


କୌତୁହଳୀ:____ କରେ ଏବଂ ପଚାରେ ଏହା କିଏ କଲା ?
ଦୁଷ୍ଟଲୋକ: ____କରେ ଏବଂ ଦୋଷଟି ପିଲାଙ୍କ ଉପରେ ଦେଇଥାଏ ।
ଲାଜକୁଳା: ____ କରିବା ପାଇଁ ଡରୁଥାଏ ।
ନିଶାଗ୍ରସ୍ତ: ____କାମଟି ସ୍ନାନାଗାର ରେ କରିଥାଏ ।
ରୋମାଣ୍ଟିକ:____ପ୍ରେମଜନୀତ ଦୀର୍ଘଶ୍ୱାସର ସହଜ ନିର୍ଗମନ ।
ଦେଶପ୍ରେମୀ:____କାମଟି ଛିଡା ହୋଇ କରିଥାଏ ।
ସୁବିଧାବାଦୀ: ଅନ୍ୟମାନେ କରିବା ଭିତରେ ନିଜେ ____ କରିଦେଇଥାଏ ।
ଭାବପ୍ରବଣ:____କରେ ଏବଂ ଦୀର୍ଘଶ୍ୱାସ ଛାଡେ ।
ବୁଦ୍ଧିମାନ:______କରେ ଓ ଚଞ୍ଚଳ ଦଳ ଛାଡି ଚାଲି ଯାଏ ।
ନିରାଶାବାଦୀ:____କରେ ଓ ଖୁବ୍ ଜୋର୍ ରେ ହସେ ।
କ୍ରୋଧୀ :_____କରେ ଓ ନିଜେ ଏଇ କାମଟିକୁ ଗ୍ରହଣ କରିପାରେନା ।
କଳ୍ପନାପ୍ରବଣ:____କରେ ଓ ଗମ୍ଭୀର ହୋଇଯାଏ ।
ଭଦ୍ରଲୋକ: କୌଣସି ନାରୀର ଏଇ ____କାମଟିକୁ ନିଜ ଉପରକୁ ସ୍ୱତଃ ନେଇଥାଏ ।
ସତର୍କ ଲୋକ: _____କାମଟି ଆସ୍ତେ ଆସ୍ତେ କରେ ।
ସମ୍ମାନିତ:_____କରେ ଓ ସ୍ୱୀକାର କରେ ।
ଜନନେତା:____କରେ ଓ ଏହି କାମ ଉପରେ ଅଭିଯୋଗ କରେ ।
ନିର୍ବୋଧ:____କରେ ଓ ନିଜେ ଜାଣିପାରେ ନାହିଁ ।
ବୁଦ୍ଧିଜୀବୀ:____କରେ ଓ କହେ ଯେ "ଚାପ ଦଳ" ଉପରେ ସେ ଏକ ଗମ୍ଭୀର ପରୀକ୍ଷା ନିରୀକ୍ଷା କରୁଛି ।
ସନ୍ଦେହୀ:____କରେ ଓ ଚାରି ଆଡକୁ ଚାହେଁ ।
ଦୁଃସାହସୀ:____କରିବା ପୂର୍ବରୁ ସମସ୍ତଙ୍କୁ ସତର୍କ କରିଦିଏ ।
ଅସନ୍ତୁଷ୍ଟ: ____କରେ ଓ ସନ୍ତୁଷ୍ଟ ହୁଏନାହିଁ ।
କାପୁରୁଷ:____କରେ ଓ ଏହାର ପ୍ରଭାବ କୁ ଡରୁଥାଏ ।
ହତ୍ୟାକାରୀ:___ କାମଟିକୁ ସ୍ଥଗିତ ରଖେ ।
ଶାନ୍ତ: ଅନ୍ୟମାନଙ୍କର ____କାମଟିରେ ଅଭିଯୋଗ କରେ ନାହିଁ ।
ସଙ୍ଗୀତଜ୍ଞ: ବିଭିନ୍ନ ସ୍ୱରରେ ___କାମଟି କରିଥାଏ ।
ଦାର୍ଶନିକ: ____କରେ ଓ ହଠାତ୍ ତାତ୍ତ୍ଵିକ ହୋଇ ପଡେ ।

ଉପସଂହାର


ଆପଣମାନେ ଜାଣନ୍ତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସଚରାଚର ଏକ ପ୍ରକାରର ଅଶ୍ୱସ୍ତିକର କାର୍ଯ୍ୟକ୍ରମ । ଆପଣମାନଙ୍କର ଏହା ଭିତରେ ଶୂନ୍ୟସ୍ଥାନଟି କ'ଣ ହେବ, ତାହାର ଏକ ମୋଟାମୋଟି ଧାରଣା ହୋଇଯିବଣି ।

ଆମର ହାସ୍ୟରସର ମହର୍ଷି ଫତୁରାନନ୍ଦଙ୍କ ଭାଷାରେ ଶୂନ୍ୟ ସ୍ଥାନଟି ହେଉଛି, ନିତମ୍ବବଂଶୀବାଦନ । ଏଇ କଥାଟିକୁ ସେ ଗୋଟିଏ ଗପରେ ବିଶେଷଭାବରେ ବୁଝାଇଛନ୍ତି । ଗପଟିର କଥାବସ୍ତୁ ମୋର ମନେ ଅଛି । କିନ୍ତୁ ଯେତେବେଳେ କାହାଣୀଟି ଆମର ଦୁଇଜଣ ଦେବଦେବୀଙ୍କ ଉପରେ ଆଧାରିତ, ସେତେବେଳେ ତାକୁ ବଖାଣ କରି କହିବା ବର୍ତ୍ତମାନର ରାଜନୈତିକ ସମୟରେ ଠିକ୍ ହେବ ନାହିଁ । ଆପଣମାନେ ଜାଣନ୍ତି ରାଜନୈତିକ ସମୟରେ ବିକାଶର ଯେତିକି ଜୟଜୟକାର ହୁଏ, ହସ ସେତିକି ସେତିକି ମ୍ଳାନ ପଡିଆସୁଥାଏ । ଆଜିର ସମୟରେ ହସିବା କଷ୍ଟକର ।

ସେ ଯାହାହେଉ ଅତ୍ୟଧିକ ବରା ଆଉ ପକୁଡି ଖାଇବା ପରେ ଜଣଙ୍କର ଯେଉଁ ଆନନ୍ଦଦାୟକ ନିଷ୍କାଷନ ଟି ହୋଇଥାଏ, ତାହାକୁ ମହର୍ଷି ଫତୁରାନନ୍ଦ ନିତମ୍ବ ବଂଶୀବାଦନ ବୋଲି କହିଛନ୍ତି । ବିଶ୍ୱାସ କରନ୍ତୁ ଏହା ସମ୍ପର୍କରେ ମୋର ଗମ୍ଭୀର ଓ ଗଭୀର ଦାର୍ଶନିକ ଅଧ୍ୟୟନ ରହିଛି । ଖାଲି ଲେଖିବାର ଅସୁବିଧାଟି ଗୋଟିଏ ଜାଗାରେ । ନିତମ୍ବବଂଶୀବାଦନର ଯେଉଁ ସରଳ ଓଡିଆଟି ଆପଣ ଓ ମୁଁ ଜାଣିଛୁ ତାହା ସର୍ବସାଧାରଣରେ ନିତମ୍ବବଂଶୀବାଦନ ପରି ପ୍ରକାଶ କରାଯାଏ ନାହିଁ ।

ମୁଁ ତାହାର ଏକ ସରଳ, ପ୍ରଚଳିତ, ଯୋଗ୍ୟ ବିକଳ୍ପ ଓଡିଆ ପ୍ରତିଶବ୍ଦର ସନ୍ଧାନରେ ଅଛି।


ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ତୃତୀୟା ବଲ୍ଲୀ : ମନ୍ତ୍ର ୧୨



ଇଶ୍ୱରଙ୍କର ୯୯ ନାମ
ଚୀନର ସିନି ଲିପିରେ ଲିଖିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ଅଜ୍ଞେୟ ଯେ ମନ ବାକ୍ୟ ଇନ୍ଦ୍ରିୟ ସଞ୍ଜୋଗେ 
ଗୋଚର କେବଳ ହୃଦେ ଜ୍ଞାନ ଧ୍ୟାନ ଯୋଗେ ।

ଆସ୍ତିକ ବିଶ୍ୱାସୀ ଗୁରୁ ବିନା କିଏ ଆନ
ଦେଇପାରେ ସେ ଅନାଦି ବ୍ରହ୍ମତତ୍ତ୍ୱ ଜ୍ଞାନ ?

ପାଷାଣ୍ଡ ନାସ୍ତିକ ଗଣ ବ୍ରହ୍ମେ ଅବିଶ୍ୱାସୀ
ଦୂରେ ତାଙ୍କ ସଙ୍ଗ ତେଜ ଅମୃତ ପ୍ରୟାସୀ ।

ନିର୍ଗୁଣ ସଗୁଣ ଆତ୍ମା ଉଭୟ ପ୍ରକାର 
ସଗୁଣ ଉପାଧି ବଶେ ସୃଷ୍ଟି ଏ ସଂସାର ।

ବିନା କାରଣରେ କାହିଁ କାର୍ଯ୍ୟର ଉଦ୍ଭବ ?
ଆତ୍ମା ବିନା ଏ ସଂସାର ସୃଷ୍ଟି ଅସମ୍ଭବ । (ନ.ଉ. ୨।୩।୩୯)

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୪୨


ଅନୁବାଦକ - ଫକୀର ମୋହନ ସେନାପତି


ଅର୍ଜୁନଙ୍କର କର୍ଣ୍ଣ ବଧ (୧୬୧୬-୧୬୧୭)
ମୋଗଲ ସମୟର ରାଜ୍ମନାମା ପାଣ୍ଡୁଲିପିରୁ ସଙ୍ଗୃହିତ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ତେଣୁ ତୁମ୍ଭେ ଆତ୍ମଜ୍ଞାନ ରୂପ ଖଡ଼ଗରେ । ହୃଦୟସ୍ଥ ସଂଶୟକୁ ଛେଦ ସହଜରେ ।
କର୍ମଯୋଗ ଅନୁଷ୍ଠାନେ ମନଯୋଗ କର । ସମର କରିବା ପାଇଁ ହୁଅ ତତପର ।୪୨।

ତସ୍ମାଦଜ୍ଞାନସମ୍ଭୁତଂ ହୃତ୍-ସ୍ଥଂ ଜ୍ଞାନାସିନାତ୍ମନଃ ।
ଛିତ୍ତ୍ୱୈନଂ ସଂଶୟଂ ୟୋଗମାତିଷ୍ଠୋତ୍ତିଷ୍ଠ ଭାରତ ।୪୨।

Wednesday, July 19, 2017

‘ଶୂନ୍ୟ ଚଉକି’ର ସ୍ୱପ୍ନ


ଅଶୋକ ସାହୁ


ଲିଉ ଶିଆଓବୋ (୧୯୫୫-୨୦୧୭)
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


କ୍ଷମତା ନୁହେଁ, ବରଂ ଭୟ ଭ୍ରଷ୍ଟ କରେ । କ୍ଷମତା ହରାଇବାର ଭୟ ସେମାନଙ୍କୁ ଭ୍ରଷ୍ଟ କରେ, ଯେଉଁମାନେ ତାକୁ ପ୍ରୟୋଗ କରୁଥାନ୍ତି ଏବଂ ଶାସନ-ସଙ୍କଟର ଭୟରେ ସେମାନେ ସେମାନଙ୍କୁ ମଧ୍ୟ ଭ୍ରଷ୍ଟ କରିଦିଅନ୍ତି, ଯେଉଁମାନେ ସେମାନଙ୍କ ଅଧୀନରେ ଥାଆନ୍ତି ।
('ଫ୍ରିଡମ୍ ଫ୍ରମ୍ ଫିଅର୍', ୧୯୯୧)

ମିଆଁମାର (ପ୍ରାକ୍ତନ ବର୍ମା ବା ବର୍ମଦେଶ)ର ସ୍ୱାଧୀନତା ସଙ୍ଗ୍ରାମୀ ଓ ଜନନେତ୍ରୀ ଅଙ୍ଗ୍ ସାନ ସୁ କୀ’ ହୁଏତ ତାଙ୍କ ଦେଶର ଏକଛତ୍ରବାଦୀ ସାମରିକ ଶାସକଙ୍କୁ ଲକ୍ଷ୍ୟ କରି ଏକଥା ଏକଦା କହିଥିଲେ । ମାତ୍ର ଚୀନର କମ୍ୟୁନିଷ୍ଟ ଶାସକଙ୍କ କ୍ଷେତ୍ରରେ ଏହା ଯେମିତି ସତ୍ୟ ସାବ୍ୟସ୍ତ ହୋଇଛି; ତାହା ତାଙ୍କ ନିଜ କ୍ଷେତ୍ରରେ ବି ନୁହେଁ । କୀ’ଙ୍କୁ ଅନ୍ତତଃ କାରାବାସରୁ ମିଳିଚି ମୁକ୍ତି; ସୁଯୋଗ ଦିଆଯାଇଚି ଲଢ଼ିବାକୁ ଗଣତାନ୍ତ୍ରିକ ଲଢ଼େଇ; ମାତ୍ର ଗତ ଗୁରୁବାର (୧୩ ଜୁଲାଇ) ଏକ ଭୟାତୁର କମ୍ୟୁନିଷ୍ଟ ସରକାରଙ୍କ ଭ୍ରଷ୍ଟ ଶାସନର ନଷ୍ଟଗତିକୁ ଉପହାସ କରି ଶେନୟାଙ୍ଗ ଡାକ୍ତରଖାନାର କର୍କଟ ୱାର୍ଡରେ ନିଜକୁ ଶୀତଳ ମୁତ୍ୟୁର ଆଲିଙ୍ଗନରେ ସମର୍ପି ଦେଇଥିବା ଗଣତାନ୍ତ୍ରିକ ଲଢ଼େଇର ନିର୍ଭୀକ ସେନାପତି ଲିଉ ଶିଆଓବୋଙ୍କୁ ସେତିକି ବି ପ୍ରାପ୍ତ ହେଲାନି । 

ଭ୍ରଷ୍ଟ ଶାସନ ତାଙ୍କୁ ଅନେକ ଥର ଭ୍ରଷ୍ଟ ହେବାକୁ ପ୍ରବର୍ତ୍ତାଇଥିଲା, ମାତ୍ର ସେ ଥିଲେ ଅଚଳ; ଅଟଳ । ଚାରିଚାରି ଥର କାରାଗାରକୁ ନିକ୍ଷିପ୍ତ ହୋଇ ବି ସେ ଗାଇଚାଲିଥିଲେ ଗଣତନ୍ତ୍ରର ଗୀତ; ସ୍ୱାଧୀନତାର ସଙ୍ଗୀତ । ଆମେରିକୀୟ ବିଶ୍ୱବିଦ୍ୟାଳୟର ବୌଦ୍ଧିକ ନିରାପଦ ଜୀବନକୁ ତ୍ୟାଗ କରି ୧୯୮୯ରେ ତିଆନାନମେନ୍ ସ୍କୋୟାର ଆନ୍ଦୋଳନରେ ଯୋଗ ଦେବାକୁ ପ୍ରଫେସର ଲିଉ ମଣିଲେ ଅତ୍ୟାବଶ୍ୟକ, ଯାହା ବି ବଦଳାଇଦେଇଥିଲା ତାଙ୍କ ଜୀବନର ମୋଡ଼ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆମରଣ ଅନଶନରୁ ଆରମ୍ଭ ହୋଇ ପରେ ଜାତୀୟ ଗଣବିକ୍ଷୋଭର ରୂପ ନେଇଥିବା ଏହି ଗଣତାନ୍ତ୍ରିକ ଆନ୍ଦୋଳନ ଶାସକ ପାଇଁ ପାଲଟିଥିଲା ବଡ଼ ଆହ୍ୱାନ । ସାମରିକ ଆଇନ ଲାଗୁ ସହ ସହସ୍ରାଧିକ ଲୋକଙ୍କୁ ହତ୍ୟା କରି ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରିଥିଲା ଚୀନ ସରକାର । ସମ୍ମୁଖରେ ଟ୍ୟାଙ୍କ୍ ଦେଖି ବି ଭୟଭୀତ ହୋଇନଥିବା ଲିଉ ଓ ତାଙ୍କର ଅନ୍ୟ ସାଥୀମାନେ ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ପାଇଁ ସରକାର ସହ ସନ୍ଧି ସ୍ଥାପନ କରିବାକୁ ବାଧ୍ୟ ହେଲେ । ମାତ୍ର ତା’ର କିଛି ଦିନ ପରେ ହିଁ ତାଙ୍କୁ ୨୧ ମାସ ଧରି କରାଗଲା ଗୃହବନ୍ଦୀ । ଏଇଠୁ ହିଁ ଆରମ୍ଭ ହେଲା ଲିଉଙ୍କର ପ୍ରକୃତ ଲଢ଼େଇ । 

ସେବେଠୁ ସେ ମାନବାଧିକାର, ବାକ୍ ସ୍ୱାଧୀନତା ଓ ରାଜନୈତିକ ସଂସ୍କାର ପାଇଁ  ଲଢ଼ିଚାଲିଲେ ଏକାଏକା । କବିତା, ପ୍ରବନ୍ଧ, ସମାଲୋଚନା ଲେଖି ସାହିତ୍ୟ ଜଗତରେ (କେବଳ ଚୀନ ବାହାରେ, କାରଣ ଚୀନ ସରକାର ତାଙ୍କ ପୁସ୍ତକ ପ୍ରକାଶନକୁ ମଧ୍ୟ ନିଷିଦ୍ଧ କରିଥିଲେ) ଯେଭଳି ଖ୍ୟାତି ଅର୍ଜିଲେ, ଶାସକଙ୍କ ପାଇଁ ସେପରି ପାଲଟିଗଲେ ଚକ୍ଷୁଶୂଳ। ଶାନ୍ତଭାବେ ​‌ସେ କେବଳ ନିଜ ବିଚାର ବଖାଣୁଥିଲେ ବି, ତାହା ସହ୍ୟ ​‌ହେଉନଥିଲା କମ୍ୟୁନିଷ୍ଟ ଶାସନର । ରାଜନୈତିକ ସଂସ୍କୃତିର ବିରୋଧୀ ଭାବ ତାଙ୍କୁ ଶାସକ-ବିରୋଧୀ କରିଦେଲା ଅନାୟାସରେ। ତାଙ୍କୁ ଲେବର କ୍ୟାମ୍ପରେ ପୂରାଇ ଦିଆଗଲା । ୨୦୦୮ ମସିହାରେ ସେ ପ୍ରାୟ ତିନିଶହରୁ ଅଧିକ ବୁଦ୍ଧିଜୀବୀଙ୍କ ସହ ମିଶି ଏକ ଘୋଷଣାପତ୍ର ପ୍ରସ୍ତୁତ କଲେ, ଯାହା ଚାର୍ଟର୍ ୦୮ ନାମରେ ପ୍ରସିଦ୍ଧ । ଏହି ଦସ୍ତାବିଜରେ ଚୀନରେ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା ପାଇଁ ଦିଆଯାଇଥିଲା ଆହ୍ୱାନ, ଯେଉଁଥିରେ ସମ୍ବିଧାନ ଓ ସଂସଦୀୟ ଗଣତନ୍ତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଯେଉଁଦିନ ଏହି ଘୋଷଣାପତ୍ର ଅନଲାଇନ୍ ପ୍ରକାଶ ପାଇବାର ଥିଲା, ତା’ର ଦୁଇ ଦିନ ପୂର୍ବରୁ ହିଁ ଲିଉଙ୍କୁ ଗିରଫ କରାଗଲା । ଅଦାଲତରେ ମୋକଦ୍ଦମା ନଚଳାଇ ଚୀନ ସରକାର ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ହାଜତରେ ବନ୍ଦୀ କରି ରଖିଲେ ଏବଂ ୨୦୦୯ ମସିହାରେ ତାଙ୍କୁ ଶୁଣାଇ ଦିଆଗଲା ଏଗାର ବର୍ଷର କାରାଦଣ୍ଡାଦେଶ । ବାରମ୍ବାର କାରାଗାରବଦ୍ଧ ହେବା ସତ୍ତ୍ୱେ ଲିଉ ଥିଲେ ଗଣତନ୍ତ୍ର ଓ ମୁକ୍ତ ଚିନ୍ତନର ଜଣେ ଅପ୍ରତିମ ଯୋଦ୍ଧା । ୨୦୦୯ରେ ନ୍ୟାୟାଳୟରେ ଶୁଣାଣିବେଳେ ସେ କହିଥିଲେ, ‘‘ମୋର ଦୃଢ଼ ବିଶ୍ବାସ ଯେ ଚୀନର ରାଜନୈତିକ ବିକାଶ ଅଟକିଯିବ ନାହିଁ ଓ ଦିନୋ ନା ଦିନେ ଏଠି ଗଣତନ୍ତ୍ର ଆସିବ। +++ ମନୁଷ୍ୟର ସ୍ୱାଧୀନତାର ଆକାଂକ୍ଷାକୁ ନଷ୍ଟ କରିଦେବା ପାଇଁ କୌଣସି ଶକ୍ତିର ସାମର୍ଥ୍ୟ ନାହିଁ ଓ ଚୀନ ମଧ୍ୟ ଏଭଳି ଏକ ଦେଶ ହେବ, ଯାହା ଆଇନ ବଳରେ ଚାଲିବ ଏବଂ ଯେଉଁଠି ମାନବାଧିକାର ହେବ ସର୍ବୋପରି ।’’


ୱାର୍ସ ନଗରୀରେ ଶିଆଓବୋଙ୍କ ପାଇଁ ସୌହାର୍ଦ୍ଦ୍ୟଭିତ୍ତିକ କାନ୍ଥଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

‘ଶୂନ୍ୟ ଚଉକି’ର ସ୍ବପ୍ନ


ମାନବାଧିକାର ଓ ଶାନ୍ତିର ଅନନ୍ୟ ପ୍ରବକ୍ତା ଭାବେ ୨୦୧୦ ମସିହାରେ ନୋବେଲ କମିଟି ସ୍ଥିର କଲା କାରାବଦ୍ଧ ଲିଉଙ୍କୁ ଶାନ୍ତି ନିମନ୍ତେ ନୋବେଲ ପୁରସ୍କାର ପ୍ରଦାନ କରିବାକୁ । ଚୀନ ପାଇଁ ଏହା ଥିଲା ଅସହ୍ୟ । ତାଙ୍କ ପ୍ରତିନିଧି ସ୍ୱରୂପ ପୁରସ୍କାର ଗ୍ରହଣ କରିବାକୁ ବି କାହାକୁ ଦିଆଗଲାନି ଅନୁମତି । ଶେଷରେ ନୋବେଲ କମିଟି ଗୋଟିଏ ଶୂନ୍ୟ ଚଉକିରେ ଲିଉଙ୍କ ଫଟୋ ରଖି ତାଙ୍କୁ କଲେ ସମ୍ବର୍ଦ୍ଧିତ, ଯାହା କାଳକାଳକୁ ପାଲଟିଗଲା ଏକ ପ୍ରତିରୋଧର ପ୍ରତୀକ । ସେତେବେଳେ ଚୀନବାସୀଙ୍କ ପାଇଁ ଅନଲାଇନରେ ‘ଏମ୍ପଟି ଚେୟାର୍’ ଶବ୍ଦ ଉପରେ ବି ଲାଗିଲା ସରକାରୀ କଟକଣା ! ଲିଉ ଜେଲରେ ଥାଇ ନୋବେଲ ପୁରସ୍କାର ପାଇଥିବା ବିଶ୍ୱର ତୃତୀୟ ବ୍ୟକ୍ତି ଏବଂ ତାକୁ ଗ୍ରହଣ କରିବାକୁ ପ୍ରତିନିଧିଙ୍କୁ ବାରଣ କରାଯାଇଥିବା ଦ୍ୱିତୀୟ ବ୍ୟକ୍ତି। ପ୍ରଥମ ହେଉଛନ୍ତି ନାଜୀ ଶାସନ ବିରୋଧରେ ସ୍ୱର ଉତ୍ତୋଳନକାରୀ ନେତା କାର୍ଲ ଭନ ୱିସିଜକି, ଯାହାଙ୍କୁ ଜର୍ମାନୀର ଦୁର୍ଦ୍ଧର୍ଷ ଶାସକ ହିଟଲରଙ୍କ ଦ୍ୱାରା ୧୯୩୩ରେ ଦିଆଯାଇଥିଲା କାରାଦଣ୍ଡ । 

ସେଇଠି ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ବିଚିତ୍ର ସଞ୍ଜୋଗ/ଦୁର୍ଯୋଗ ଯେ କାର୍ଲ ଓ ଲିଉ, ଉଭୟେ ବନ୍ଦୀ ଅବସ୍ଥାରେ ଥାଇ ରୋଗାକ୍ରାନ୍ତ ହୋଇଥିଲେ ଏବଂ ଚିକିତ୍ସା ଅବହେଳାରୁ ଉଭୟଙ୍କର ହୋଇଥିଲା ପ୍ରାଣହାନି । କାର୍ଲଙ୍କୁ ଯକ୍ଷ୍ମା ହୋଇଥିଲେ ହେଁ ହିଟଲର ପ୍ରଶାସନ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିଲା । ଠିକ୍ ସେହିପରି ଗତ ମେ’ ମାସରେ ଲିଉ ଯକୃତ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା । ମାତ୍ର ସେତେବେଳକୁ ଶେଷ ଅବସ୍ଥା । ଜାଣିଶୁଣି ତାଙ୍କର ଚିକିତ୍ସାରେ ଅବହେଳା ସନ୍ଦେହ ଏବେ ସତ୍ୟ ସାବ୍ୟସ୍ତ ହୋଇଚି। ଦୁଇ ଜଣ ଆମେରିକୀୟ ଓ ଜର୍ମାନ ଡାକ୍ତର ତାଙ୍କୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ କହିଥିଲେ ଯେ, ସେ ଦେଶ ବାହାରକୁ ଯାଇ ଚିକିତ୍ସା କରିପାରିବେ; ଯାହାକୁ ଚୀନ ସରକାର ଆଳ ଦେଖାଇ କରିଥିଲା ବାରଣ । ଡାକ୍ତରଖାନାରେ ବି ତାଙ୍କ ଚାରିପଟେ ରାଷ୍ଟ୍ର ଶକ୍ତି କରିଥିଲା କଡ଼ା ପହରାର ବନ୍ଦୋବସ୍ତ । ମରଣାସନ୍ନ ଜଣେ ବ୍ୟକ୍ତିଙ୍କୁ ମହାପ୍ରତାପୀ ଶାସକର ଏ ଭୟ ସତକୁ ସତ କେତେ ଦୟନୀୟ, ତାହା ବିଚାରଣୀୟ । ବିଂଶ ଶତାବ୍ଦୀର ନାଜୀ ଜର୍ମାନୀ ଓ ଏକବିଂଶ ଶତାବ୍ଦୀର କମ୍ୟୁନିଷ୍ଟ ଚୀନ ଭିତରେ ଏ ଦୃଷ୍ଟିରୁ ଯେ ବେଶି ଫରକ୍ ନାଇଁ, ତାହା ଅବଶ୍ୟ ଅନୁଭବ୍ୟ ।


ହଙ୍ଗ କଙ୍ଗ ନଗରୀରେ ଚାର୍ଟର୍ ୦୮ ପ୍ରତିବାଦ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ନାହିଁ ଶତ୍ରୁ, ନାହିଁ ଘୃଣା


ଏକାଧିପତ୍ୟ ଯେତେ ଶକ୍ତିଶାଳୀ ହେଲେ ବି ତାହା ନିଜକୁ ଦୁର୍ବଳ ମନେକରେ; ତେଣୁ ସେ ଛୋଟଛୋଟ କଥାରେ ବି ଡରିଯାଏ । ଲିଉ ଏକଥାକୁ ଠିକ୍ ବୁଝିଥିଲେ; ତେଣୁ ସେ ଜୀବନର ଅଧେ ସମୟ କାରାଗାରରେ ବିତାଇଥିଲେ ବି ସ୍ୱର ଉତ୍ତୋଳନ କରିବାକୁ କେବେ ଡରିଯାଇନଥିଲେ; ନିଜ ପାଇଁ ନୁହେଁ, ଶାନ୍ତି, ସ୍ୱାଧୀନତା ଓ ଲୋକତନ୍ତ୍ର ପାଇଁ । ସେ ଥିଲେ ଉଦାରବାଦର ପ୍ରତିନିଧି; ମାତ୍ର ଅନ୍ୟାୟ ପ୍ରତି ତାଙ୍କର ଅନୁଦାରଭାବ ଅତି ତୀବ୍ର । ଏକ ସାକ୍ଷାତକାରରେ ସେ କହିଥିଲେ, ‘‘ମୁଁ ସାଧାରଣ ଭାବେ ନିରାଶାବାଦୀ; କିନ୍ତୁ ମୋ ନିରାଶାବାଦ ଆତ୍ମରକ୍ଷା ପାଇଁ ଅନୁମତି ଦିଏ ନାହିଁ । ଯଦି ମୁଁ କ୍ରମାଗତ ଦୁଃଖଯନ୍ତ୍ରଣା ଭୋଗ କରେ, ତା’ହେଲେ ମଧ୍ୟ ମୁଁ ସଙ୍ଘର୍ଷ କରିବି; ପ୍ରତିବାଦୀ ହେବି । ଏହି କାରଣରୁ ମୁଁ ନିତସେଙ୍କୁ ଭଲ ପାଏ ଓ ସୋପେନହୁରଙ୍କୁ ଭଲ ପାଏନି।​‌’’ ଅବଶ୍ୟ ସେ ସର୍ବଦା କହୁଥିଲେ, ମୋର କେହି ଶତ୍ରୁ ନାହାନ୍ତି !

ଆପଣାର ସାହିତ୍ୟ ମାଧ୍ୟମରେ ଲିଉ ଜଣାଇ ଦେଇଥିଲେ ଯେ କାପୁରୁଷ ଶାସକ ହିଁ ମିଥ୍ୟା ଦେଶପ୍ରେମ ଓ ଛଦ୍ମ ଜାତୀୟତାବାଦର ପ୍ରଚାର କରେ, ଯାହାକୁ ସେ ଶାସିତ-ଶୋଷଣର ମାଧ୍ୟମ କରିବାକୁ ମଧ୍ୟ ହୁଏନାହିଁ ପଶ୍ଚାତପଦ । ‘ନୋ ଏନିମିଜ୍, ନୋ ହେଟ୍ରେଡ’ (ନାହିଁ ଶତ୍ରୁ, ନାହିଁ ଘୃଣା) ପ୍ରବନ୍ଧ ସଙ୍କଳନରେ ସେ ଚୀନର ‘ଯୁଦ୍ଧପ୍ରିୟ ଜାତୀୟତାବାଦ’ ସମ୍ବନ୍ଧରେ ଯାହା ଲେଖିଛନ୍ତି, ତାହା ଅବଶ୍ୟ ବେଶ୍ ଚିନ୍ତନୀୟ । ତାଙ୍କ ମତରେ, ଚୀନର ରାଷ୍ଟ୍ରଶାସନ ଜାଣିଶୁଣି ଚୀନବାସୀଙ୍କ ମନ ଭିତରେ ଏକ ଅତି-ରାଷ୍ଟ୍ରବାଦର ପାଗଳପଣ ଭର୍ତ୍ତି କରିବାକୁ ଚେଷ୍ଟା କରୁଚି, ଯାହା ବିଶ୍ୱ ମାନବାଧିକାରର ମୂଲ୍ୟବୋଧର ପରିପନ୍ଥୀ । ଆପଣା ନେତୃତ୍ୱର ଦୋଷତ୍ରୁଟିକୁ ଯେମିତି ସାଧାରଣ ଚୀନବାସୀ ଦେଖିନପାରିବେ, ସେଥିପାଇଁ ଏହା ଏକ ଅନ୍ଧପୁଟୁଳି ସଦୃଶ । ସମାଲୋଚନା, ପ୍ରତିରୋଧ ଓ ପ୍ରତିବାଦକୁ ଧ୍ୱଂସ କରିଦେବା ଏକାଧିପତ୍ୟ ଶାସନର ମୂଳ ଲକ୍ଷ୍ୟ, ଯାହା ଚୀନର ଶି ଜିନପିଙ୍ଗ ସରକାର କରିଆସିଚି । ଲିଉଙ୍କ ପରି ଅଳ୍ପ କେତେକ ମୁକ୍ତ ଚିନ୍ତକଙ୍କୁ ବନ୍ଦୀ ଓ ଶୀତଳହତ୍ୟା କରିବା ପଛର କାରଣ ବି ଏଇଆ । ଚୀନାମାନେ ବର୍ତ୍ତମାନ ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଲେଣି ଯେ, କମ୍ୟୁନିଷ୍ଟ ଶାସନର ମିଥ୍ୟା ପ୍ରଚାର (ପ୍ରୋପାଗଣ୍ଡା) ବି ସେମାନଙ୍କୁ ମନେହେଉଚି ସମ୍ପୂର୍ଣ୍ଣ ସତ୍ୟ । ଭାରତର ନବ୍ୟ ଶାସକଗୋଷ୍ଠୀଙ୍କ ପାଇଁ ମଧ୍ୟ ଲିଉଙ୍କ ମନ୍ତବ୍ୟରେ ବାର୍ତ୍ତା ରହିଚି, ତାହା କହିବା ବାହୁଲ୍ୟ ମାତ୍ର।

ପ୍ରେମରେ ବି ସଂଘର୍ଷ


୨୦୧୦ରେ ଲିଉଙ୍କ ପାଇଁ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ପ୍ରତିନିଧି ଭାବେ ଯିଏ ଯାଇଥାନ୍ତେ, ସେ ହେଲେ ପ୍ରେମିକାରୁ ପତ୍ନୀ ସାଜିଥିବା କବୟିତ୍ରୀ-ଶିଳ୍ପୀ ଲିଉ ଶିଆ। ଜଣେ ରାଜନୈତିକ ବନ୍ଦୀଙ୍କୁ ପ୍ରେମ କରି ସେ ଯେଉଁ ସଙ୍ଘର୍ଷମୟ ସାହସୀ ଜୀବନର ଉଦାହରଣ ରଖିଛନ୍ତି, ତାହା ଅନନ୍ୟ । ଜଣେ ସମ୍ପନ୍ନ ଘରର କନ୍ୟା ହୋଇଥିଲେ ବି, ସେ ସ୍ୱେଚ୍ଛାରେ ବାଛିନେଲେ ଏକ ଅନିର୍ଦ୍ଦିଷ୍ଟ ଜୀବନକୁ । ଜେଲରେ ଥିବା ସତ୍ତ୍ୱେ ସେ ଲିଉଙ୍କୁ ପ୍ରେମ କଲେ ଓ ବାହା ବି ହେଲେ । ଛୟାନବେ ମସିହାରେ ସେ ତୁରନ୍ତ ବାହାହେଲେ ଏଇଥିପାଇଁ ଯେ ଲିଉଙ୍କୁ ‘ଲେବର କ୍ୟାମ୍ପ’ରେ ପତ୍ନୀଭାବେ ହିଁ ଭେଟିପାରିବେ । ଏଥିପାଇଁ ତାଙ୍କୁ ୧୬୦୦ କିଲୋମିଟର ଯାତ୍ରା କରିବାକୁ ପଡ଼ୁଥିଲା । ମଝିମଝିରେ କାରାଗାରରୁ ଲିଉ ଯେତେବେଳେ ମୁକ୍ତି ପାଉଥିଲେ, ସେତେବେଳେ ବି ତାଙ୍କ ପ୍ରେମ-ପୃଥିବୀ ଚାରିପଟେ ଜଗିରହୁଥିଲା ଶାସକର ପହରା । ଦଶ ମସିହା ପରେ ଶିଆ ବି ଶାସକ-ରୋଷର ଶିକାର ହେଲେ ଓ ତାଙ୍କୁ ମଧ୍ୟ କରାଗଲା ଗୃହବନ୍ଦୀ । ତାଙ୍କ ଘରୁ କାଟିଦିଆଗଲା ଟେଲିଫୋନ ଓ ଇଣ୍ଟରନେଟ୍ । ତାଙ୍କୁ ବାଧ୍ୟ କରାଗଲା ନିର୍ବାସିତର ଜୀବନ ଜିଇଁବାକୁ । ତାଙ୍କର ସେହି ଅବସ୍ଥା ଜୀବନ୍ତ ରୂପ ପାଇଛି ତାଙ୍କର କେତେକ କବିତାରେ । ସେଥିରୁ ଗୋଟିଏ ଏମିତି:

‘‘ଏଇଟା କ’ଣ ଗୋଟେ ଗଛ?
ମୁଁ ଏଇଠି ଏକାକିନୀ ।
ଏଇଟା କ’ଣ ଗୋଟେ ଶୀତୁଆ ଗଛ ?
ଏହା ସବୁବେଳେ ଏମିତି ଦିଶେ, ପୂରା ବର୍ଷସାରା । 
ପତ୍ରସବୁ କାହିଁ ?
ପତ୍ରସବୁ ବହୁତ ଦୂରରେ । 
କାହିଁକି ତିଆରିବା ଗୋଟେ ଗଛ ?
ମତେ ତା’ର ଠିଆ ହେବା ବହୁତ ପସନ୍ଦ ।
ତୁମେ କ’ଣ ନିଜ ଜୀବନରେ ଗଛଟିଏ ଗଢ଼ିବାକୁ କେବେ ଚେଷ୍ଟା କରିନାହଁ ?
ଏପରିକି ଶକ୍ତିହୀନ ହେବା ସତ୍ତ୍ବେ, ମୁଁ ଠିଆ ହୋଇ ରହିବାକୁ ଚାହେଁ ।
ଆପଣଙ୍କ ସାଥୀରେ କ’ଣ କିଏ ଅଛି ?
ସେଇଠି ପକ୍ଷୀ ଅଛନ୍ତି
ଅଥଚ ମୋତେ କେହି ଦେଖୁନାହାନ୍ତି ।
ତାଙ୍କ ଡେଣାର ଫଡ଼ଫଡ଼୍ ଶବ୍ଦ ଶୁଣ
ଗଛ ଉପରେ ପକ୍ଷୀଙ୍କୁ ତିଆରିବା କ’ଣ ଭଲ ହେବନି ?
ମୁଁ ବହୁତ ବୃଦ୍ଧ, ସେଥିପାଇଁ ଦେଖିପାରୁନି । 
ବୋଧେ ତୁମକୁ ଜଣାନାହିଁ ପକ୍ଷୀ କେମିତି ତିଆରି କରାଯାଏ ? 
ତୁମେ ଠିକ୍। ମୋତେ ଜଣାନାହିଁ କେମିତି ।
ତୁମେ ଗୋଟେ ଜିଦିଆ ଗଛ ।
ମୁଁ ବି । 
(ସୌଜନ୍ୟ: ବିବିସି)

ଲିଉଙ୍କ ମୃତ୍ୟୁ ପରେ ଏବେ ଚୀନ ସରକାର ଶିଆଙ୍କୁ ମୁକ୍ତ କରିଚି ସତ; ହେଲେ ସେ ନିଜ ପ୍ରିୟତମଙ୍କ ଅବର୍ତ୍ତମାନରେ କେମିତି ବଞ୍ଚିରହିବେ, ତାହା ଏକ ବଡ଼ ପ୍ରଶ୍ନ ।

ମରଣରେ ବି ଅମର


ଚୀନ ସରକାର ଲିଉଙ୍କ ସ୍ମୃତିକୁ ଲିଭାଇବାକୁ ଯେତିକି ଚେଷ୍ଟା କରୁଚି/କରିବ, ସେତିକି ତାହା ଦାଉଦାଉ ହେଇ ଜଳୁଚି/ଜଳୁଥିବ । ଶାସକଙ୍କ ନାଁ ଇତିହାସରେ ରହେ; ମାତ୍ର ସଙ୍ଗ୍ରାମୀର ନାଁ ଜନମାନସରେ । ତେଣୁ ଲିଉ ମରି ବି ଅମର । ତାଙ୍କ ଜୀବନୋତ୍ସର୍ଗ ଚିରଦିନ ରହିବ ଭାସ୍ୱର । ‘ଶୂନ୍ୟ ଚଉକି’ର ସ୍ୱପ୍ନ ସତ ହେଉ ।

 ପାଲି ଧମ୍ମପଦ (୬୧) ର ଓଡ଼ିଆ  ପଦ୍ୟାନୁବାଦ


୨ ବାଳବଗ୍ଗୋ (ବାଳ ବର୍ଗ)


ଇଣ୍ଡୋନେସିଆର ବର୍ବୋଦୁର ସ୍ଥିତ ସ୍ଥାପତ୍ୟ
ରାଜକୁମାର ଗୌତମଙ୍କର ସନ୍ୟାସ ଗ୍ରହଣ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍

ସଂସାର ମଧ୍ୟରେ ଯଦି କରି ବିଚରଣ ।
ନପାଅ ନର ନିଜଠୁଁ ଶ୍ରେଷ୍ଠ ବା ସମାନ ।।

ଏକଚର୍ଯ୍ୟା ବ୍ରତ ତେବେ ଦୃଢ଼ କରିଥିବ 
ମୂର୍ଖଠାରୁ ସହାୟତା ଆଶା ନ କରିବ ।୨।

ଚରଞ୍ଚେ ନାଧିଗଚ୍ଛେୟ୍ୟ ସେୟ୍ୟଂ ସଦିଶମତ୍ତନୋ ।
ଏକଚରିୟଂ ଦଳଂ କୟିରା ନତ୍ଥି ବାଳେ ସହାୟତା ।୨।

ଚରନ୍ ଚେତ୍ ନାଧିଗଚ୍ଛେଥାଃ ଶ୍ରେୟାଂସଂ ସଦୃଶାମାତ୍ମନଃ ।
ଏକଚର୍ଯ୍ୟାଂ ଦୃଢ଼ାଂ କୁର୍ଯ୍ୟାଃ ନାସ୍ତି ବାଳେ ସହାୟତା ।୨।