ଓଡ଼ିଆ ଲୋକ ଗୀତ - 'ମୋ ଜୀବନ'
ସଙ୍ଗ୍ରାହକ - ଚକ୍ରଧର ମହାପାତ୍ର
![]() |
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଜାଗର ଦୁତିଆ ଦିନ
ଚଉଧୁରୀ ପୁଅ ବୁଝାଇ ଦିନ ଲୋ ମୋ' ଜୀବନ
ବୋଇଲା ବୋହୂକୁ ଆଣ, ମୋ' ଜୀବନ ।୧।
ଭଲା ଚଉଧୁରୀ ଭଲା
କଟକ ଦାଣ୍ଡରୁ ମାଇଲା ଘୋଡ଼ା ଲୋ ମୋ' ଜୀବନ
ଗାଆଁରେ ପ୍ରବେଶ ହେଲା, ମୋ' ଜୀବନ ।୨।
କକେଇ ତୋହର ଥିଲେ
ସମଧି ଅଇଲା ଚହଳ କଲେ ଲୋ, ମୋ' ଜୀବନ
ପାଣି ପିଢ଼ା ନେଇ ଦେଲେ, ମୋ' ଜୀବନ ।୩।
ଜେଜେବାପା ତୋର ଥିଲେ
ହାଟୁଆ ସାହିରୁ ନାହାକ ଡକେଇଲେ ଲୋ ମୋ' ଜୀବନ
ଦିନ ବାର ବୁଝାଇଲେ, ମୋ' ଜୀବନ ।୪।
ଦଦେଇ ତୋହର ଥିଲେ
ବଣିଆ ସାହିରୁ ବଣିଆ ଡକେଇଲେ ଲୋ ମୋ' ଜୀବନ
ଅଳଙ୍କାର ଗଢ଼େଇଲେ, ମୋ' ଜୀବନ ।୫।
ଦେଠେଇ ତୋହର ଥିଲେ
ତୋରାଣି ପିଇବାକୁ ଡକାଇନେଲେ ଲୋ ମୋ' ଜୀବନ
ହାତକୁ ଚନ୍ଧେଇ ଦେଲେ, ମୋ' ଜୀବନ ।୬।
ଖୁଡ଼ି ଯେ ତୋହର ଥିଲା
ଅତି ଶରଧାରେ କୋଳକୁ ନେଲା ଲୋ ମୋ' ଜୀବନ
ବେକୁ ଚିନାମାଳି ଦେଲା, ମୋ' ଜୀବନ ।୭।
ଗାଆଁରେ ପିଉସୀ ଘର
ତତେ ଦେଖିବାକୁ ଶରଧା ତା'ର ଲୋ ମୋ' ଜୀବନ
ନୟନୁଁ ବହଇ ନୀର, ମୋ' ଜୀବନ ।୮।
ମଉଳା ତୋହର ଥିଲା
ତୋରାଣି ପିଇବାକୁ ଡକାଇନେଲା ଲୋ ମୋ' ଜୀବନ
କଳା କୁମ୍ଭଶାଢ଼ି ଦେଲା, ମୋ' ଜୀବନ ।୯।
ସାଇପଡ଼ିଶାଏ ଥିଲେ
ତୋରାଣି ପିଇବାକୁ ଡକେଇନେଲେ ଲୋ ମୋ' ଜୀବନ
ଫରୁଆ ପାନିଆ ଦେଲେ, ମୋ' ଜୀବନ ।୧୦।
ନୟନେ କଜଳ ଦେଇ
ଅଷ୍ଟ ଅଳଙ୍କାର ଖଞ୍ଜିଲି ନେଇ ଲୋ, ମୋ' ଜୀବନ
ତୋହର ତ ବାବୁ ନାହିଁ, ମୋ' ଜୀବନ ।୧୧।
ପୟରେ ଅଳତା ଦେଇ
ଲେଉଟି ମୁହଁକୁ ଚାହିଁଲି ମୁହିଁ ଲୋ, ମୋ' ଜୀବନ
ଯାଉଛି ଲୋତକ ବହି, ମୋ' ଜୀବନ ।୧୨।
ଦକ୍ଷିଣି ପିନ୍ଧା ପାଛୋଡ଼
ଢ଼େଙ୍କାନାଳ ଛତା କାନ୍ଧରେ ପଡ଼ି ଲୋ, ମୋ' ଜୀବନ
ଭାଇ ନନା ଯିବ ଛାଡ଼ି, ମୋ' ଜୀବନ ।୧୩।
ଯେତେବେଳେ ଅନୁକୂଳ
ଠାକୁରପ୍ରସାଦ ଧଇଲୁ କର ଲୋ ମୋ' ଜୀବନ
ବୋଇଲୁ ହେଲୁ ଅନ୍ତର, ମୋ' ଜୀବନ ।୧୪।
ଗଉଡ଼ ଯେ ଥିଲେ ତହିଁ
ଚିଲ ପରା କରି ନେଲେ ଉଡ଼ାଇ ଲୋ ମୋ' ଜୀବନ
ଆଉ ତ ଦେଖିଲି ନାହିଁ, ମୋ' ଜୀବନ ।୧୫।
ମାସ ତିନି ଦିନ ବାଟ
କିମିତି ଖାଇବୁ ପ୍ରବାସ ଭାତ ଲୋ ମୋ' ଜୀବନ
ତୋ କର୍ମେ ଥିଲା ଏ କଷ୍ଟ, ମୋ' ଜୀବନ ।୧୬।
ପଞ୍ଜର ତଳେ ମୁଁ ଥାଇ
ନିତି ଭଗବତୀ ଜଣାଉଥାଇ ଲୋ ମୋ' ଜୀବନ
ମୋ ବନ୍ଧୁ ଆସିବ କାହିଁ ? ମୋ' ଜୀବନ ।୧୭।
No comments:
Post a Comment