Tuesday, July 11, 2017

ପ୍ରଥମ ଶ୍ରାବଣ ସନ୍ଧ୍ୟାର ବର୍ଷଣମୁଖୀ ମେଘମାଳା


ଜ୍ୟୋତି ନନ୍ଦ 


ଚିତ୍ର - 'ଡ୍ୱେଲିଙ୍ଗ ଇନ ଦି ଫ୍ଲୋଟିଙ୍ଗ୍ ଜେଡ଼ ମାଉଣ୍ଟେନ୍ସ୍' (ତ୍ରୟୋଦଶ ଶତାବ୍ଦୀ, ବେଜିଙ୍ଗ)
ଚିନ ଦେଶର ଚିତ୍ରକର - କିନ୍ ଜୁଆନ୍ (୧୨୩୫-୧୩୦୫)


"ଶ୍ରାବଣରେ ମନେ ପଡେ ଶ୍ୟାମଳବରଣା ଏକ ଝିଅଟିର କଥା 
ଯାହାକୁ ମୁଁ ଭୁଲିବାକୁ ଦେଇଥିଲି କଥା"


ଆଜି ଶ୍ରାବଣ ର ପ୍ରଥମ ସନ୍ଧ୍ୟାର ଅପୂର୍ବ ମେଘାଡମ୍ବରରେ ଏଇ ଗୀତଟି ମନକୁ ଆସିଲା, ହଠାତ୍ । ଏଇଟି ଆମର ତରୁଣ ବୟସର ଶୁଣା ରେଡିଓର ଗୀତ । ରେଡିଓର ଗୀତମାନେ ମନ ଖରାପ କରିଦେବାର କ୍ଷମତା ରଖନ୍ତି । ଆଜି କାଲିର ଗୀତର ପରିବେଷଣଗତ ମାନ ବଢିଛି, ଯାନ୍ତ୍ରିକ ଅନୁଷଙ୍ଗ ବଢିଛି, ପ୍ରାପ୍ତି ସ୍ଥାନ ଓ ସୁଲଭତା ବଢିଛି । କିନ୍ତୁ, ସେଦିନର ରେଡିଓରୁ ଭାସି ଆସୁଥିବା ସେଇ ମନଖରାପ କରିଦେବା ଭଳି ପ୍ରଭାବରେ କିଛି ମାତ୍ରାରେ ଊଣା ଆସିଛି ବୋଲି ମୋର ମନେହୁଏ ।

ମୁଁ ଗୀତର ଯେ ଅତ୍ୟନ୍ତ ସମଝଦାର ପଣ୍ଡିତ ବ୍ୟକ୍ତି ସେକଥା ଆଦୌ ନୁହଁ । ମୁଁ ମୋ ବୟସକୁ ଚାହିଁ ମୋତେ ଯାହା ଭଲଲାଗିବ, ସେଇ କଥା ଟିପା ଖାତାରେ ଲେଖିଲା ଭଳି ଲେଖୁଛି ।

ଶ୍ୟାମଳବରଣା ଝିଅ ଲେଖିଦେଲି ବୋଲି ମୋତେ ବର୍ଣ୍ଣବିଦ୍ୱେଷୀ ଭାବିବେ ନାହିଁ । ସୁନ୍ଦରତା କ'ଣ କେଉଁଠି ରଙ୍ଗରେ ବିଚାର କରାଯାଏ ?ସୁନ୍ଦରର ସଂଜ୍ଞା କେବଳ ସୁନ୍ଦରତା ରେ ରହୁ ।

ଏମିତିରେ ଆମେ କ'ଣ ସବୁ ରଙ୍ଗ ଦେଖିପାରୁ ? ଆମ ଭିତରେ ଅନେକ ବର୍ଣ୍ଣାନ୍ଧ ବା କଲର ବ୍ଲାଇଣ୍ଡ୍ ଅଛନ୍ତି । ଜଣେ ପ୍ରସିଦ୍ଧ ବର୍ଣ୍ଣାନ୍ଧଙ୍କ କଥା ଲେଖୁଛି । ତାଙ୍କର ଏହି ଅକ୍ଷମତାଟି ସମ୍ପର୍କରେ ଯେତେବେଳେ ଗୋଟିଏ ପୁସ୍ତକରେ ପ୍ରକାଶ ପାଇଲା, ସେତେବେଳେ ତାହା ଯଥେଷ୍ଟ ଆଲୋଡନ ସୃଷ୍ଟି କରିଥିଲା । ଆମେ ଆମପାଇଁ ସବୁବେଳେ ଗୋଟିଏ ଗୋଟିଏ ନାୟକ ନିର୍ମାଣ କରିଥାଉ । ସେଇ ନାୟକ ଟି ଆମର ଚିନ୍ତାର ଏକ ପ୍ରକାର ପ୍ରତୀକ ଓ ସୁରକ୍ଷାର କବଚ । ଆମେ ନାୟକଟିର ଛତ୍ରଛାୟାରେ ନିଜକୁ ସୁରକ୍ଷିତ ମଣି ଆହ୍ଲାଦର ଜୀବନଯାପନ କରିଥାଉ । ତେଣୁ ନାୟକ ଦେହରେ ସାମାନ୍ୟ ଫୁଲଟିଏ ପଡିଲେ ଆମ ଦେହରେ ପଥର ପଡିଲା ଭଳି ଲାଗେ । ସେଇଭଳି ଜଣେ ଅବିସମ୍ବାଦିତ ନାୟକକୁ ବର୍ଣ୍ଣାନ୍ଧ କହିବାରେ ସମପରିମାଣର କ୍ରିୟା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସେଇ ନାୟକ ଜଣକ ହେଲେ ଆମର ପ୍ରିୟ ଆଉ ଆମ ପ୍ରତିବେଶୀ ରାଜ୍ୟର ପ୍ରିୟତମ ରବି, ଗୁରୁଦେବ ରବୀନ୍ଦ୍ରନାଥ ଠାକୁର । କବି ଓ ରବୀନ୍ଦ୍ର-ସାହିତ୍ୟ ବିଶେଷଜ୍ଞା କେତକୀ କୁଶାରୀ-ଡାଇସନ୍ ଓ ଜଣେ ବଙ୍ଗୀୟ ଚିତ୍ରସମାଲୋଚକ ସୁଶୋଭନ ଅଧିକାରୀ "ରଙ୍ଗେର ରବୀନ୍ଦ୍ରନାଥ" ବୋଲି ବୃହତ ଗ୍ରନ୍ଥଟିଏ ଲେଖିଥିଲେ । ସେଥିରେ ରବୀନ୍ଦ୍ର-ସାହିତ୍ୟ ଓ ଚିତ୍ରାବଳୀରୁ ତଥ୍ୟ ସମୂହକୁ ନେଇ ବୈଜ୍ଞାନିକ ପଦ୍ଧତିରେ ଅନୁଶୀଳନ ପରେ ଏଇ ନିଷ୍କର୍ଷ ରେ ପହଞ୍ଚିଥିଲେ ଯେ ରବୀନ୍ଦ୍ରନାଥ ଙ୍କୁ ଲାଲ୍ ରଙ୍ଗଟି ଦେଖାଯାଉନଥିଲା ।

ରବୀନ୍ଦ୍ରନାଥଙ୍କ ଦୃଷ୍ଟି ପଥରେ ଲାଲ୍ ରଙ୍ଗଟି କେବଳ ଅନୁପସ୍ଥିତ ବୋଲି କହିଲେ କଅଣ ତାଙ୍କର ବିଶ୍ୱଦୃଷ୍ଟି, ସୌନ୍ଦର୍ଯ୍ୟବୋଧର ପ୍ରାମାଣିକତାରେ କିଛି ଫରକ ପଡିବ କି ? ରବୀନ୍ଦ୍ରନାଥ ତାଙ୍କର ସ୍ଥାନରେ ସେଇମିତି ଉଜ୍ଜ୍ବଳ ଦିଶୁଥିବେ ।

ସେଇ ରବୀନ୍ଦ୍ରନାଥଙ୍କର ବି ଶ୍ୟାମଳବରଣା ପ୍ରତି ପ୍ରଚୁର ଅନୁରାଗ ଥିଲା । ତାଙ୍କର ଗୋଟିଏ ଜନପ୍ରିୟ ସଙ୍ଗୀତରେ ଶ୍ୟାମଳବରଣା ସହ ମେଘକୁ ପରିପୂରକ ଭାବରେ ଚିତ୍ରାୟିତ କରାଯାଇଛି । ତାହାର ପ୍ରଥମ ପଦଟି ହେଲା:

କୃଷ୍ଣକଲି ଆମେ ତାରେଇ ବଲି,
କାଲୋ ତାରେ ବଲେ ଗାଏଁର ଲୋକ;
ମେଘଲା ଦିନେ ଦେଖେଛିଲେମ୍ ମାଠେ,
କାଲୋ ମେଘେର କାଲୋ ହରିଣ ଚୋଖ।।

ପ୍ରଥମ ଶ୍ରାବଣର ମେଘମାଳା ସହ ଏମିତି ଆସିଲେ ଏକ ଶ୍ୟାମଳ ବରଣା ଓ ରବୀନ୍ଦ୍ରନାଥ । କିନ୍ତୁ ମୁଁ ରବୀନ୍ଦ୍ରନାଥଙ୍କୁ ଜାଣିନଥିବା ସମୟରେ ମୋ ଭାଷାର ରେଡିଓରୁ ଶୁଣିଥିଲି ଶ୍ୟାମଳବରଣାକୁ ଭୁଲିବାକୁ କଥାଦେଇଥିବା ଏକ ଶ୍ରାବଣର ଗୀତ । ଗୀତଟିର ଗାୟକ ଅକ୍ଷୟ ମହାନ୍ତି । ଯଦି ଏଥିରେ କୌଣସି ତଥ୍ୟଗତ ତୃଟି ଥାଏ ତେବେ ଓଡିଆ ସିନେମା ଆଉ ସଙ୍ଗୀତର ଚଳନ୍ତି ଅଭିଧାନ ମୋର ଅନୁଜପ୍ରତିମ ସୂର୍ଯ୍ୟ ଦେଓ ନିଶ୍ଚୟ ସୁଧାରି ଦେବେ ବୋଲି ବିଶ୍ୱାସ ।


ଚିତ୍ର - 'ଆଠଟି ପୁଷ୍ପ'  (ତ୍ରୟୋଦଶ ଶତାବ୍ଦୀ, ବେଜିଙ୍ଗ): ଚିତ୍ରକର - କିନ୍ ଜୁଆନ୍

ଶ୍ରାବଣର ମେଘମାଳା ସହ ଆଉ ଗୋଟିଏ କଥା ଜଡିତ ହୋଇ ରହିଛି।

ମଣିଷ ମଲାପରେ ବିଶ୍ୱାସ କରାଯାଏ ତାହାର ଆତ୍ମାଟିମାନ ପୃଥିବୀର ସବୁଠାରୁ ସୁନ୍ଦରତମ ସ୍ଥାନରେ ପ୍ରାଥମିକ ଭାବରେ ବସବାସ କରିଥାନ୍ତି । କୌଣସି ଫୁଲର ପାଖୁଡାଠୁ ଅଧିକ ସୁନ୍ଦର ଜାଗା ଏଇ ପୃଥିବୀରେ ଆଉ ଦ୍ୱିତୀୟ କ'ଣ ଅଛି ଯେ ? ସେଇ ଫୁଲର ପାଖୁଡାରେ ବିଶ୍ରାମ ନେଲାବେଳେ ସେମାନେ ଅପେକ୍ଷା କରନ୍ତି ଏକ ଆଦିଗନ୍ତ ଆଲିଙ୍ଗନକୁ । ପ୍ରସାରିତ ଜହ୍ନରାତିକୁ । ଜହ୍ନରାତିର କାରକ ଓ କର୍ତ୍ତା ଜହ୍ନ ସେମାନଙ୍କୁ ଆକର୍ଷଣ କରେ । ବୃକ୍ଷଲତାଦି ସହ ନିବିଡ ସମ୍ପର୍କ ଯୋଗୁ ଜହ୍ନର ଆଉ ଗୋଟିଏ ନାଆଁ ହେଉଛି ଓଷଧୀଷ । ଜହ୍ନର ଆଲିଙ୍ଗନରେ ଆମର ସମସ୍ତ ବିହ୍ୱଳ ଆତ୍ମା ନଭଚାରୀ ହୁଅନ୍ତି । ଘନ ବଉଦ ମାଳାରେ ଅପାର୍ଥୀବ ଲୀଳାଖେଳାରେ ମାତିଯାଆନ୍ତି ।ତାହାପରେ ଆରମ୍ଭ ହୁଏ ସେମାନଙ୍କର ଅବରୋହଣର ପର୍ବ ।

ଏଇ ତଥ୍ୟଟି ଯେତେବେଳେ ମୁଁ ବିଶିଷ୍ଟ ପ୍ରାଚ୍ୟତତ୍ତ୍ୱବିଦ୍ ଏ.ଏଲ୍. ବାଶାମ୍ ଙ୍କ ଅତ୍ୟନ୍ତ ଜନପ୍ରିୟ ଓ ଉଲ୍ଲେଖଯୋଗ୍ୟ କୃତି "ଏକଦା ବିସ୍ମୟକର ଭାରତ" (ଦି ୱଣ୍ଡର ଦ୍ୟାଟ୍ ୱାଜ୍ ଇଣ୍ଡିଆ)ରୁ ପ୍ରଥମ ପଢିଥିଲି, ସେତେବେଳର ରୋମାଞ୍ଚ ଏତେ ବର୍ଷ ପରର ଯୁକ୍ତିପ୍ରବଣ ମାନସିକତାରେ ସଠିକ ବଖାଣ କରିବା ସହଜ ନୁହଁ । ଫୁଲ, ଜହ୍ନ ଆଉ ଆକାଶ ସେତେବେଳେ ସେମାନଙ୍କ ଭଳି ଅବିକଳ ଦେଖାଯାଉଥିଲେ ?

ଯୁକ୍ତି ଆମକୁ ଅସହଜ କରେ । ସରଳ ନିଷ୍କପଟ ଶିଶୁଟିର କାନ୍ଦଣା କେଉଁ ବନ୍ଦୀଶାଳରୁ ଶୁଭେ । କଂସ ସମେତ ସମସ୍ତ ପ୍ରହରୀ, ଏପରି କି ଯେତେ ବସୁଦେବ ଆଉ ଦେବକୀ, ସମସ୍ତେ ନିଘୋଡ ନିଦରେ ଅଚେତନ ।

ସେହି ଚିରକାଳର ଶିଶୁକୁ ଏଇଲେ ଘଡିଏ ବୋକ ଦେବାକୁ ହେବ।

ଆମର ପବିତ୍ର ଆତ୍ମାମାନେ ଅବରୋହଣ କରିବେ ସେମାନଙ୍କର ନଭଶ୍ଚାରଣରୁ, ଏଇ ପ୍ରଥମ ଶ୍ରାବଣରେ, ବର୍ଷଣମୁଖୀ ମେଘମାଳାରେ ।ତାହାପରେ ନଦୀନାଳରେ ସେମାନଙ୍କ ଭିତରୁ କିଛି ବହିଯିବେ ସମୁଦ୍ରକୁ । ଆଉ ସମୁଦ୍ର ହେବ, ସେମାନଙ୍କର ଚିରନ୍ତନ ଅନନ୍ତ ଶୟନର ବିଶ୍ରାମ । ସେମାନଙ୍କ ମଧ୍ୟରୁ ଆଉ କିଛି ମାଆର ଗର୍ଭଟିମାନ ଖୋଜିବେ, ପୃଥିବୀରୁ ଜୀବନର ସୁଆଦ ଚାଖିବା ପାଇଁ ଆଉ ଥରେ ।

ଏବେ ଯେତେବେଳେ ମୋ ଝରକା ସେପଟେ ଶ୍ରାବଣର ପ୍ରଥମ ବାରିଧାରାରେ ପବିତ୍ର ଆତ୍ମାମାନଙ୍କର ପୃଥିବୀକୁ ଆଗମନ, ସେତେବେଳେ ମୋ କାନ୍ଧରେ ବୟସର ବେତାଳ ସବାର୍ । ତାହା ସହିତ ପ୍ରଶ୍ନୋତ୍ତର ଖେଳ ଖେଳିବାକୁ ମୁଁ ଏକ ପ୍ରକାର ବାଧ୍ୟ ।

ଝରକା ଦେଇ ଯେତେବେଳେ ଶଙ୍ଖା ସହ ଶଙ୍ଖ ଶୁଭ୍ର ହାତ ଦୁଇଟିରେ ବାହାରର ବର୍ଷାକୁ ନିଜ ଆଞ୍ଜୁଳିରେ ଧରିବାର ଛବିଟିଏ ଆମ ସମୟର ବଳିଷ୍ଠ ତରୁଣ କାବ୍ୟସ୍ୱରର ଅଧିକାରିଣୀ ପ୍ରତୀକ୍ଷାର ଦେଖିବାର ସୁଯୋଗ ପାଏ, ସେତେବେଳେ ମୋର ମନେହୁଏ, ଏହାଠୁ ଅଧିକ ନିବିଡତା ଅନ୍ତରଙ୍ଗତା ଆମେ କ'ଣ ଆଉ ଦେଖାଇ ପାରିବା ଆମର ପବିତ୍ର ଆତ୍ମାମାନଙ୍କୁ ?

ସେହି ଆଞ୍ଜୁଳିଟିଏ ହିଁ ଯଥେଷ୍ଟ, ଆଜିର ଏଇ ପ୍ରଥମ ଶ୍ରାବଣରେ, ବାରିଧାରାରେ ।

No comments:

Post a Comment