ବୈଷ୍ଣବ ପଦାବଳୀ - 'ଆକ୍ଷେପାନୁରାଗ ବା ସଖୀ ପ୍ରତି ଶ୍ରୀରାଧା'
(ରାଗିଣୀ - ମୋହନା, ତାଳ - ଝୁଲା)
କବି - କାହ୍ନୁଚରଣ
ଆଲୋଚନାରତ ରାଧା ଓ କୃଷ୍ଣ (ବାସୋଲି ମିନିଏଚର ଚିତ୍ର, ୧୭୩୦ ମସିହା) ଫଟୋ କ୍ରେଡ଼ିଟ - ୱିକିମିମିଡ଼ିଆ କମନ୍ସ୍ |
ତୁଚ୍ଛାରେ ଯାହା ମୁଁ ଶ୍ୟାମେ ହୋଇଲି ଉତ୍ସାହୀ ଗୋ ।
କୁତ୍ସାରେ ସରିଲି କୁଳବରତ ଘୁଞ୍ଚାଇ ଗୋ । ଘୋଷା ।
ମୁଁ ଛାର ପରାଏ ସେବି, ନିଶି ଦିବା ଥାଏ ଭାବି
ସେ ଦିନେ ମୋ ବେଦନାକୁ ନ ନେଲେ ପୁଛାଇଁ ଗୋ ।୧।
ମୁଁ ଛାର ସେ ସେବା ଭଳି ନୋହିବାରୁ ଚନ୍ଦ୍ରାବଳୀ
ଝଳିଛି ମୋହନ ହୃଦେ ଚିତ୍ତକୁ ରୁଚାଇ ଗୋ ।୨।
ସୁଚାରୁରୂପାଏ ଗୋପେ, ଅଛନ୍ତି ତାଙ୍କ ସ୍ୱରୂପେ
ସେତ ବୀଟ-ରାଟ ଥିବେ କୁଚାଗ୍ରକୁ ଚାହିଁଗୋ ।୩।
ଲୁଚାଇ ପାଳିବା ପ୍ରୀତି, ମୋର ଏହି ଅପକୀର୍ତ୍ତି
କହନ୍ତି ଶାଶୁ ନଣନ୍ଦେ କେ କେତେ ଘୁଞ୍ଚାଇ ଗୋ ।୪।
ମୁଁ ଛାଏଁ ସିନା ହୁଡ଼ିଲି ତୋହ କଥାରେ ପଡ଼ିଲି
ନିଶୀଥେ ଆସି ଅରଣ୍ୟେ ମଲି ଚାହିଁ ଚାହିଁ ଗୋ ।୫।
ଲୁଚାଏ ତୋ ପରା କେତେ, ପ୍ରଶଂସା କରନ୍ତି ଯେତେ
ଶ୍ୟାମ ପ୍ରୀତି ଶୁଣି ନିତ୍ୟେ ମୋ ଆଗେ ବଞ୍ଚାଇ ଗୋ ।୬।
ଘୁଞ୍ଚାଇବା ତାପ ମନୁ, ନୁହେଁ ଚାଲ ଯିବା ବନୁ
କହଇ ଚରଣ କାହ୍ନୁ ପଦେ ନିଉଛାଇଁ ଗୋ ।୭।
No comments:
Post a Comment