Monday, July 17, 2017

ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍

ମୁଁ କେମିତି ଲେଖିବା ଆରମ୍ଭ କରିଥିଲି

ଅନୁବାଦକ - ଜ୍ୟୋତି ନନ୍ଦ


ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍


ସବୁଠୁ ଆଗେ ମୁଁ କ୍ଷମା ମାଗି ନେଉଛି ଆପଣମାନଙ୍କର ସାମ୍ନାରେ ବସି କଥା କହିବା ପାଇଁ, କିନ୍ତୁ ସତ ଏୟା ଯେ, ଯଦି ମୁଁ ଠିଆ ହୋଇକି କହେ, ତେବେ ଏଇଲେ ମୋର ଯାହା ପ୍ରକୃତ ଅବସ୍ଥା, ଦୁମ୍ କରି ମୁଣ୍ଡ ଘୁରେଇ ପଡିଯିବାର ସମ୍ଭାବନାକୁ ବାତିଲ୍ କରି ହେବନାହିଁ । ମୁଁ ସବୁ ସମୟରେ ଭାବେ, ମୋ ଜୀବନର ସବୁଠୁ ଭୟାବହ ପାଞ୍ଚ ମିନିଟ କଟେଇଛି ଏରୋପ୍ଲେନ୍ ଭିତରେ, କୋଡିଏରୁ ତିରିଶ ଜଣ ଲୋକଙ୍କ ସାମ୍ନାରେ, ଠିକ୍ ଆଜି ଭଳି ନୁହଁ, ଦୁଇଶ ବନ୍ଧୁବାନ୍ଧବଙ୍କ ସାମ୍ନାରେ, ସେଇଟି ମୋ କପାଳରେ ଥିଲା । ସୌଭାଗ୍ୟବଶତଃ, ଯାହା ଘଟିଥିଲା ତାହାହିଁ ମୋତେ ମୋ ସାହିତ୍ୟ ବିଷୟରେ କିଛି କଥା କହିବା ପାଇଁ ସାହସ ଯୋଗାଇଛି, ଯେଉଁ ସମୟରୁ ମୁଁ ଲେଖକ ହେବାପାଇଁ ଚିନ୍ତା କରୁଥିଲି, ଠିକ୍ ଏଇଭଳି ଯେମିତି ମୁଁ ମଞ୍ଚକୁ ଉଠିଛି, ମୋତେ ସେତେବେଳେ ବି ବାଧ୍ୟ କରାଯାଇଥିଲା । ମୁଁ ସ୍ୱୀକାର କରୁଛି ଏଇ ସମାବେଶରେ ହାଜର ନହେବା ପାଇଁ ମୁଁ ସବୁ ରକମର ବାହାନା ର ଚେଷ୍ଟା କରିଥିଲି: ମୁଁ ଅସୁସ୍ଥ ହେବାର ଚେଷ୍ଟା କରିଛି, ମୁଁ ଚେଷ୍ଟା କରିଛି ଯେମିତି ମୋତେ ନିମୋନିଆ ହେଉ, ମୁଁ ମୋର କ୍ଷୌରକାର ପାଖକୁ ଯାଇଛି, ଏଇ ଆଶାରେ ଯେ କୌଣସି ପ୍ରକାରେ ଅସାବଧାନତାବଶତଃ ମୋର କଣ୍ଠନଳୀଟି କଟି ଯାଉ, ଏବଂ ଚୁଡାନ୍ତ ଭାବେ, ଏଇ କଥାଟି ଘଟାଇବାକୁ ଚେଷ୍ଟାକରିଛି ଯେ ମୁଁ ଏଇଠିକୁ ବିନା ଜ୍ୟାକେଟ ଆଉ ଟାଇରେ ଆସିବି, ଯାହାଫଳରେ ଲୋକମାନେ ଏମିତି ଏକ ସିରିଅସ୍ ସମ୍ମିଳନୀରେ ମୋତେ ପଶିବାକୁ ଦେବେନାହିଁ । କିନ୍ତୁ ମୁଁ ଭୁଲିଯାଇଥିଲି ଯେ ମୁଁ ଏବେ ଭେନେଜୁଏଲାରେ ଅଛି, ଯେଉଁଠି ଆପଣ ହାତକଟା ସାର୍ଟ ପିନ୍ଧି ଯାଇ ପାରନ୍ତି ଯେ କୌଣସି ସ୍ଥାନକୁ । ଫଳରେ ଯାହା ହେଲା ମୁଁ ଏଇଲେ ଏଇଠେ, ଏବଂ ମୁଁ ଜାଣିନି କେଉଁଠୁ ଆରମ୍ଭ କରାଯାଇ ପାରେ । କିନ୍ତୁ ମୁଁ ଆପଣମାନଙ୍କୁ କହିପାରେ, ଉଦାହାରଣ ହିସାବରେ, ମୁଁ କେଉଁଭଳି ଲେଖିବା ଆରମ୍ଭ କରିଥିଲି ।

ମୋର ଲେଖକ ହେବାର କୌଣସି କାରଣ ନଥିଲା, କିନ୍ତୁ ଛାତ୍ର ଅବସ୍ଥାରେ ଏଦୁୟାର୍ଦୋ ଜାଲାମିୟା ବୋର୍ଦା ବୋଗାଟାର ପତ୍ରିକା "ଏଲ୍ ଏକ୍ସପେକ୍ତାଦୋରେ"ର ସାହିତ୍ୟ ପୃଷ୍ଠାର ସମ୍ପାଦକ, ଗୋଟିଏ ଛୋଟ ଲେଖାରେ କହିଲେ ଯେ, ତରୁଣ ପ୍ରଜନ୍ମ ଭିତରେ ସେ କୌଣସି ସମ୍ଭାବନା ଦେଖିବାକୁ ପାଉ ନାହାଁନ୍ତି । ଯାହା ଫଳରେ କୌଣସି ନୂଆ ଗଳ୍ପ ଲେଖକ, ଜଣେ ନୂଆ ଔପନ୍ୟାସିକ ହାଜର ହେବ, କେଉଁଠି ହେଲେ ବି ତାହାର ଚିହ୍ନବର୍ଣ୍ଣ ଦେଖାଯାଉନାହିଁ । ଏବଂ ଏଇ କଥା କହି ସେ ପ୍ରସଙ୍ଗଟିର ଉପସଂହାର ଟାଣିଥିଲେ ଯେ, ତାଙ୍କୁ ପ୍ରାୟ ଏଇ ଦୁର୍ନାମର ଭାଗୀଦାର ହେବାକୁ ହେଉଛି ଯେ ତାଙ୍କର ପତ୍ରିକାରେ କେବଳ ଖ୍ୟାତିମାନ ପ୍ରବୀଣ ଲେଖକମାନଙ୍କ ଛଡା ଆଉ କାହାର ଲେଖା ଛପା ହୁଏ ନାହିଁ । ତରୁଣମାନଙ୍କର କୌମସି ସ୍ଥାନ ସେଇଠେ ନାହିଁ । ସେଇଠେ ସତ କଥା ହେଉଛି ଯେ ସେ ମନେ କରନ୍ତି ତରୁଣମାନେ ଆଉ ଲେଖାଲେଖି ଭିତରେ ନାହାଁନ୍ତି ।

ସେତେବେଳେ ଏହାହିଁ ଚଳନ୍ତି ମନ୍ତବ୍ୟ ଆମ ପ୍ରଜନ୍ମ ଉପରେ, ସେଇଠୁ ମୋର ଏମିତି ଏକ ଅନୁଭୂତି ହେଲା ଯେ ମୋତେ ଏମିତି ଏକ ଗପ ଲେଖିବାକୁ ହେବ ଏଇ ଏଦୁୟାର୍ଦୋ ଜାଲାମିୟା ବୋର୍ଦାର ମୁହଁଟାକୁ ବନ୍ଦ କରିବା ପାଇଁ, ଯିଏ ଏବେ ମୋର ବିଶିଷ୍ଟ ବନ୍ଧୁ, ମାନେ ପରେ ଅନ୍ତତଃପକ୍ଷେ ମୋର ଜଣେ ବଂଧୁ ହୋଇପାରିବେ ସେ । ମୁଁ ଲେଖିବାକୁ ବସିଗଲି, ଗୋଟିଏ ଗପ ଲେଖିଲି ଏବଂ ତାହାକୁ "ଏଲ୍ ଏକ୍ସପେକ୍ତାଦୋରେ"କୁ ପଠାଇ ଦେଲି । ମୋ ପାଇଁ ଯେଉଁ ଦ୍ୱିତୀୟ ଧକ୍କାଟି ଅପେକ୍ଷା କରୁଥିଲା - ପର ରବିବାରରେ, ଯେତେବେଳେ ଏଇ ଖବର କାଗଜ ଖୋଲିଲି ଦେଖିଲି ସେଇଠେ ପୁରାପୃଷ୍ଟାରେ ମୋ ଗପ ଛପା ହେଇଛି - ତାହା ସହିତ ଗୋଟିଏ ଟିପ୍ପଣି ସଂଲଗ୍ନ -ଯେଉଁଥିରେ କୁହାଯାଇଛି, ଏଦୁୟାର୍ଦୋ ଜାଲାମିୟା ବୋର୍ଦା ସ୍ୱୀକାର କରିଛନ୍ତି ଯେ, ସେ ଭୁଲ୍ କହୁଥିଲେ । କାରଣ ନିଶ୍ଚିତ ଭାବେ "ସେଇ ଗପ କଲମ୍ବିଆର ଏକ ମହା ପ୍ରତିଭାର ଆବିର୍ଭାବକୁ ଦେଖାଇ ଦେଇଛି", ବା ଏଇ ସବୁ କଥା ସହିତ ଆଉ କିଛି କଥାବାର୍ତ୍ତା ।
ଏଇ ସମୟରେ ମୁଁ ପୁରାପୁରି ଅସୁସ୍ଥ ହୋଇ ପଡିଥିଲି । ଏବଂ ମୁଁ ନିଜକୁ କହିଥିଲି, ହାୟ ଏ କେଉଁ ସର୍ବନାଶ ମୁଁ କଲି ! ଏଇଲେ ମୁଁ କ'ଣ କରିବି ଯାହା ଫଳରେ କି ପରେ ଏଦୁୟାର୍ଦୋ ଜାଲାମିୟା ବୋର୍ଦା ଆଉ କିଛି କହି ପାରିବେ ନାହିଁ ? ଲେଖିଯିବାକୁ ହେବ - ଏହା ଥିଲା ଉତ୍ତର । ମୁଁ ସବୁ ସମୟରେ ଗପ ଲେଖାର ବିଷୟକୁ ନେଇ ସମସ୍ୟାରେ ପଡୁଥିଲି: ମୋତେ ତେଣୁ ବାଧ୍ୟ ହୋଇ ଗପ ଲେଖିବା ଆଗରୁ ସେଇଟିକୁ ଭାବି ନେବାକୁ ହେଉଥିଲା ।

ଏବଂ ଏହାର ପରିପ୍ରେକ୍ଷୀରେ ମୁଁ ଆପଣମାନଙ୍କୁ କହିପାରେ ଏମିତି କିଛି କଥା, ଯାହା ମୁଁ ଏଇଲେ ପରଖି ନେଇ ପାରେ, ବିଶେଷ କରି ପାଞ୍ଚଟି ବହି ପ୍ରକାଶିତ ହେଲା ପରେ: ଲେଖକର କାର୍ଯ୍ୟ ହିଁ ସମ୍ଭବତଃ ଏକମାତ୍ର କାମ ଯେ ତାହାକୁ ଯେତେଯେତେ ଆପଣ କରିବେ, ସେତିକି ସେତିକି ତାହା ଆପଣଙ୍କ ପାଇଁ କଠିନରୁ କଠିନତର ହୋଇ ଉଠୁଥିବ । କେତେ ସହଜ ଭାବରେ ସେଇ ଯେଉଁ ଅପରାହ୍ନରେ ମୁଁ ଗୋଟିଏ ବସାଣରେ ଗପଟିକୁ ଲେଖିପାରିଥିଲି, ତାହା ସହ ତୁଳନା ଆଉ ଚଳିବ ନାହିଁ । ପରେ ମୋତେ ପ୍ରତିଟି ପୃଷ୍ଟା ଲେଖିବା ପାଇଁ ଅନେକ କିଛି ମୂଲ୍ୟ ଦେବାକୁ ପଡୁଛି।

ମୋର କାର୍ଯ୍ୟର ପଦ୍ଧତି, ଏଇଟି ବରାବର ଗୋଟିଏ ଧାରାରେ ସଙ୍ଗତିପୂର୍ଣ୍ଣ ଭାବରେ ଚାଲିଛି ଯାହାକୁ ନେଇ ମୁଁ ଏଇଲେ ଆପଣମାନଙ୍କ ସହ ଗପ ଯୋଡୁଛି । ମୁଁ କେତେବେଳେ ଜାଣିପାରିନାହିଁ ଯେ ମୋତେ କେତିକି ଲେଖିବାକୁ ହେବ ଏବଂ କ'ଣ ନେଇ ମୁଁ ଲେଖିପାରିବି ।ମୋର ପ୍ରତ୍ୟାଶା ଥାଏ ଯେ ମୁଁ କିଛି ଗୋଟାଏ ଚିନ୍ତା କରିବି, ଏବଂ ଯେତେବେଳେ ମୋ ଭିତରେ କୌଣସି ଗୋଟିଏ ପରିକଳ୍ପନାର ଜନ୍ମ ହେବ, ସେତେବେଳ ସେଇଟି କେବଳ ଲେଖିବା ପାଇଁ ଯଥେଷ୍ଟ ବୋଲି ବିବେଚିତ ହୋଇପାରେ । ଏବଂ ଏହାକୁ ନେଇ ମୁଁ ମୋ ମନ ଭିତରେ ଅବିରାମ ଟଣାଓଟରା କରୁଥାଏ ଏବଂ ଚାହୁଁଥାଏ ଯେମିତି ଏଇଟି ପାକଳ ହୋଇ ଉଠୁ । ଯେତେବେଳେ ଏହା ଶେଷ ହେଲା (ମଝିରେ ମଝିରେ ଅନେକ ଗୁଡିଏ ବର୍ଷ ବିତିଯାଇଛି, ଯେମିତି "ୱାନ୍ ହଣ୍ଡ୍ରେଡ୍ ଇୟରସ୍ ଅଫ୍ ସଲିଚ୍ୟୁଡ୍" ବେଳେ ଘଟିଥିଲା, ଯାହାକୁ ନେଇ ମୁଁ ଉଣେଈଶ ବର୍ଷ ଧରି ଚିନ୍ତା କରି ଆସିଥିଲି ) - ମୁଁ ପୁଣିଥରେ କହୁଛି, ଯେତେବେଳେ ଏଇ କାମଟି (ମନ ଭିତରେ ଲେଖାଟିର ଟଣାଓଟରା ଚାଲିବା ଓ ପାକଳ ହେଲେ ତୋଳିବା କାମ) ଶେଷ ହୁଏ - ସେତେବେଳେ ହିଁ ମୁଁ ଏହାକୁ ଲେଖିବାକୁ ଆରମ୍ଭ କରିଥାଏ, ଆଉ ସେତେବେଳେ ଆରମ୍ଭ ହୁଏ ସବୁଠୁ କଠିନ ଆଉ ଗୋଟିଏ କାର୍ଯ୍ୟର ଆରମ୍ଭ କରିବା, ଏଇ ସମୟଟି ମୋ ପାଇଁ ବିରକ୍ତିକର ଲାଗେ ।କାରଣ ମୋ ପାଇଁ ସବୁଠୁ ଉପଭୋଗ୍ୟ ହେଲା ଏଇ ଗପଟିକୁ ନେଇ ମନ ଭିତରେ ଟଣାଓଟରା କରିବାର ସମୟ, ବାରମ୍ବାର ଗପଟିକୁ ତନ୍ନତନ୍ନ କରି ଦେଖିବା, ଓଲଟପାଲଟ କରି ଦେଖିବା, ଫଳରେ ଯେତେବେଳେ ଏଇ ଗପ ଲେଖିବା କାମଟିର ସମୟ ଆସେ, ଆଉ ମୁଁ ଗପ ଲେଖିବାକୁ ବସେ,ଏହା ମୋତେ ସେତେ ଉତ୍ସୁକ କରେ ନାହିଁ । ନ୍ୟୁନତମ ଭାବରେ କୁହାଯାଇପାରେ ଯେ, ଏହା ମୋତେ ଅଧିକ ଆଗ୍ରହୀ କରେ ନାହିଁ, ଯେମିତି ମୋତେ ଯଥେଷ୍ଟ ମତେଇ ରଖିଥାଏ, ଲେଖା ଆରମ୍ଭ ହେବା ଆଗର ପରିକଳ୍ପନାକୁ ନେଇ ଟଣାଓଟରା କରିବାର ଘଟଣାଟିମାନ ।

ଆପଣମାନଙ୍କୁ କହିଚାଲିଛି, ଯେମିତି, ଯେଉଁ ଆଇଡିଆକୁ ନେଇ ମୁଁ ବର୍ଷ ପରେ ବର୍ଷ ଗୁଡେଇତୁଡେଇ ମୋ ମନ ଭିତରେ ଦେଖିଛି, ଏବଂ ମୋ ଖିଆଲରେ ମୁଁ ତାହାର ଛାଞ୍ଚଟିଏ ଗଢିଥାଏ କେବଳ । ମୁଁ ଆପଣଙ୍କୁ କହିପାରେ, କାରଣ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଯେତେବେଳେ ଏଇଟିକୁ ଲେଖିବାକୁ ହେବ, କିନ୍ତୁ ଜାଣେନି ସେହି ଲେଖାଟି କେତେବେଳେ ଲେଖିବାକୁ ହେବ, ଆପଣ ଦେଖିବେ ଲେଖିଲାବେଳେ ଲେଖାଟି ପୁରାପୁରି ବଦଳି ଯାଇଛି ଏବଂ ଖିଆଲ ହେବ ଘଟଣାଟି ଅସଲରେ କେମିତି ବିବର୍ତ୍ତିତ ହୁଏ । କଳ୍ପନା କରନ୍ତୁ ଗୋଟିଏ ଗାଆଁରେ ରହେ ବୁଢୀଟିଏ ଯାହାର ଦୁଇଟି ସନ୍ତାନ ଅଛନ୍ତି । ସତର ବର୍ଷ ବୟସର ପୁଅଟିଏ ଆଉ ଚଉଦ ବର୍ଷ ପୂରି ନଥିବା ଝିଅଟିଏ । ବୁଢୀଟି ଦିନେ ତାର ପିଲାମାନଙ୍କୁ ସକାଳେ ଜଳଖିଆ ଦେଲା ବେଳକୁ ଦେଖାଗଲା ତାହାର ମୁହଁଟିରେ ଦୁଶ୍ଚିନ୍ତାର କଳାବଉଦ । ତା'ର ପୁଅ ଝିଅ ମାନେ ପଚାରିଲେ କ'ଣ କିଛି ହେଇଛି କି ବୋଲି । ଯାହାର ଉତ୍ତରରେ ସେ କହିଲା, "ମୁଁ ଜାଣିନି, କିନ୍ତୁ ମୋର କେମିତି ମନେ ହେଉଛି ଯେମିତି ସାଙ୍ଘାତିକ କିଛି ଗୋଟିଏ ଗାଆଁରେ ଘଟିବାକୁ ଯାଉଛି ।"

ସେମାନେ ମାଆର କଥାକୁ ହସରେ ଉଡେଇଦେଲେ ଏବଂ କହିଲେ, ଏହା ବୟସ ବଢିବା କାରଣରୁ ମନର ଗୋଟାଏ ବିଭ୍ରମ । କିଛି ସମୟ ପାର ହୋଇଗଲେ ଆପେ ଦୂର ହୋଇଯିବ । ପୁଅ ବିଲିୟାର୍ଡ ଖେଳିବାକୁ ଯାଏ । ଏବଂ ଯେତେବେଳେ ସେ ଗୋଟିଏ ପେଣ଼୍ଡୁକୁ ଲକ୍ଷ୍ୟ କରି ମାରିବାକୁ ପ୍ରସ୍ତୁତ, ତା'ର ପ୍ରତିପକ୍ଷ କହିଲା, "ମୁଁ ବାଜି ଲଗାଉଛି ଗୋଟିଏ "ପୋଶୋ", ତମେ ଏଇ ସଟ୍ ଟି ମିସ୍ କରିବ।" ସମସ୍ତେ ହସି ଉଠିଥିଲେ । ସେ ବି, ସେ ସଟ୍ ଟିକୁ ଖେଳିଥିଲା । ଆଉ ବିଫଳ ହୋଇଥିଲା । ସେ ତାହାର ପ୍ରତିପକ୍ଷକୁ ଗୋଟିଏ ପୋଶୋ ଦେଲା । ଆଉ ପୋଶୋଟି ନେଇ ସାରିଲା ପରେ ପ୍ରତିପକ୍ଷ ଜଣକ ତା'କୁ ପଚାରିଲା, "ଆଜି କ'ଣ ହେଇଛି ତମର ? ଏଇଟା ତ ଅତି ସହଜ ସଟ୍।" ସେ କହିଲା, "ଠିକ୍ କଥା । କିନ୍ତୁ ମୁଁ ଗୋଟିଏ କଥାକୁ ନେଇ ଚିନ୍ତାରେ ଅଛି । ଆଜି ସକାଳେ ମାଆ କହିଲା, ଗାଆଁରେ ସାଙ୍ଘାତିକ କିଛି ଗୋଟାଏ ଘଟିବାକୁ ଯାଉଛି।" ସମସ୍ତେ ତାହାରି କଥା ଶୁଣି ହସି ଉଠିଲେ । ଏବଂ ଯେଉ ପିଲାଟି ଗୋଟିଏ ପେଶୋ ବାଜି ଧରିଥିଲା, ସେ ବି ତାହାର ଘରକୁ ଯାଏ । ସେଠାରେ ସେ ତା'ର ମାଆ ଓ ଜଣେ କୌଣସି ଆତ୍ମୀୟାର ଦେଖାପାଏ । ପେସୋ ପାଇଥିବା ଯୋଗୁ ସେ ଖୁସିରେ କହେ, "ମୁଁ ଦାମାସୋ ଠାରୁ ଅତି ସହଜରେ ଗୋଟିଏ ପେସୋ ଜିତିଛି, କାରଣ ସେ ପ୍ରକୃତରେ ଗୋଟିଏ ବୋକା ।" "ସେ ବୋକା କେମିତି?" ସେ କୁହେ, "ଓହୋ କ'ଣ କହିବି ! ସେ ଆଜି ନିହାତି ସହଜ ସଟ୍ ଟିଏ ଖେଳି ପାରିଲା ନାହିଁ । କାରଣ ତାହାର ଆଜି ସକାଳୁ କୁଆଡେ ଚିନ୍ତା ହେଉଛି ଯେ, ତା'ର ମାଆ ଆଜି ସକାଳେ ଏମିତି ଗୋଟିଏ ଲଥା ତା' ମୁଣ୍ଡରେ ପୂରେଇ ଦେଇଛି ।ଆଜି କୁଆଡେ ଗାଆଁରେ ଭୟାବହ କ'ଣ ଗୋଟାଏ ଘଟିଯାଇ ପାରେ।"

ପିଲାଟିର ମାଆ କହିଲା, "ଛି ! ବୁଢୀ ମଣିଷର ଆଶଙ୍କାକୁ ନେଇ ଥଟ୍ଟା କରିବା ନୁହଁ । ମଝିରେ ମଝିରେ ସେମାନଙ୍କର କଥା ବି ଫଳିଯାଏ ।" ଏଇ କଥାଟି ମାଂସ କିଣିବାକୁ ବାହାରିଥିବା ତାହାର ଆତ୍ମୀୟାର କାନରେ ପଡେ । ସେ ମାଂସ ବିକ୍ରେତାକୁ କହେ, "ମୋତେ ଅଧ ସେରେ ମାଂସ ଦିଅ ।" ଏବଂ ଯେତେବେଳେ ସେ ଲୋକଟି ମାଂସ କାଟୁଛି, ସେ ତାହା ସହିତ ଯୋଗ କରେ, "ହଁ ସେରେ ମାଉଁସ ଦେଲେ ଭଲ ହେବ । କାରଣ ଗାଆଁରେ ଲୋକେ କୁହାକୁହି ହେଉଛନ୍ତି ଗାଆଁରେ ସାଙ୍ଘାତିକ କ'ଣ ଗୋଟାଏ ଘଟିବାକୁ ଯାଉଛି । ତେଣୁ ଆଗରୁ ସାବଧାନ ହୋଇ ରହିବାଟା ଭଲ ।" କଂସେଇ ମହିଳାଙ୍କୁ ମାଂସ ଦିଏ । ଠିକ୍ ସେତିକିବେଳେ ଆଉଜଣେ ମହିଳା ଆସନ୍ତି ଅଧ ସେରେ ମାଂସ କିଣିବାକୁ । କଂସେଇ ତା'ଙ୍କୁ କହେ, "ସେରେ ନିଅନ୍ତୁ । ଆଜି ଯେଉଁମାନେ ମାଂସ ନେବାକୁ ଆସୁଛନ୍ତି, ସେମାନେ କହୁଛନ୍ତି ଗାଆଁରେ ସାଙ୍ଘାତିକ କିଛି ଘଟିବାକୁ ଯାଉଛି । ସେଇଥିପାଇଁ ସେମାନେ ଆଗରୁ ସାବଧାନ ହେଉଛନ୍ତି ଆଉ ସେଇ ଅନୁସାରେ ଜିନିଷପତ୍ର କିଣୁଛନ୍ତି ।"

ସେଇ ବୟସ୍କ ମହିଳା ଉତ୍ତରରେ କହେ, "ମୋର ମେଞ୍ଚାଏ ପିଲା, ଭଲ ହେବ ମୋତେ ଦୁଇ ସେରେ ଦିଅ।" ମହିଳା ଜଣକ ତାଙ୍କର ଦୁଇ ସେରେ ମାଂସ ନେଲେ । ଏବଂ ଏଥିରୁ ଗୋଟିଏ ଦୀର୍ଘ ଛୋଟଗପ ଲେଖିବାକୁ ହେଲେ, ମୁଁ କହିବି ମାତ୍ର ଅଧ ଘଣ୍ଟାଏ ଭିତରେ ଏଇ କଂସେଇର ସବୁ ମାଂସ ସେହି ଦିନ ବିକ୍ରି ହୋଇଗଲା । ସେ ଆଉ ଗୋଟିଏ ଜନ୍ତୁ କାଟିଲା । ଆଉ ଏ ସବୁକୁ ବିକ୍ରି ପାଇଁ ଏଇ ଗୁଜବଟିକୁ ସେ ବେଶ୍ ବଢେଇ ଚଢେଇ କହିବାରେ ଲାଗିଗଲା ।

ଶେଷରେ ସେଇ ମୁହୂର୍ତ୍ତ ଟି ଆସେ ଯେତେବେଳେ ଗାଆଁର ସମସ୍ତେ କ'ଣ କିଛି ଗୋଟିଏ ଘଟିଯିବାର ଅପେକ୍ଷାରେ ରହିଥାନ୍ତି । ସମସ୍ତ କାର୍ଯ୍ୟକ୍ରମରେ ବିଘ୍ନ ଘଟୁଥାଏ । ହଠାତ୍ ସେଦିନ ଦିପହର ଦୁଇଟା ବେଳକୁ, ଯେମିତି ସବୁ ସମୟରେ ଗରମ ପଡେ, ସେମିତି ଗରମ, ଜଣେ କହିଲା, "ଖିଆଲ କରୁଛ ଆଜି କେତେ ଗରମ ?"

ଗାଆଁରେ ତ ସବୁବେଳେ ଏମିତି ଗରମ ପଡେ । ଏତେ ଗରମ ଯେ, ଗାଆଁର ଯେତେକ ଗାଉଣା ବାଜଣାକୁ ନେଇ ବ୍ୟସ୍ତ ରହୁଥିବା ଲୋକେ ଯେଉଁ ମାନଙ୍କୁ ନିଜ ନିଜର ବାଦ୍ୟଯନ୍ତ୍ରକୁ ଠିକଠାକ୍ କରି ରଖିବାକୁ ହେବ, ସେମାନେ ଛାଇରେ ବସି ନିଜ ନିଜର କାମ କରୁଥାନ୍ତି । କାରଣ ଖରାରେ ବସିଲେ ସେମାନଙ୍କର ବାଦ୍ୟଯନ୍ତ୍ର ନଷ୍ଟ ହୋଇଯିବାର ସମ୍ଭାବନା ଅଛି। "ସେମିତି ଦେଖିଲେ ଦିନର ଏତିକି ବେଳେ ଏତେ ଗରମ ଆଗରୁ କେବେ ପଡିନଥିଲା", ଜଣେ କହିଲା । ଏବଂ କୌଣସି ପ୍ରକାରର ସତର୍କତା ଛଡା, ସେ ସମୟରେ ଗୋଟିଏ ଛୋଟିଆ ପକ୍ଷୀ ଆସି ଓହ୍ଲାଇଲା ସେଇ ଅନୁର୍ବର ଗାଆଁରେ,ସେଇ ଊଷର ପ୍ରାନ୍ତରରେ । ଏବଂ ଖବରଟି ପ୍ରଚାରିତ ହୋଇଗଲା ଚାରିଆଡେ: "ପଡିଆକୁ ଆସିଛି ଗୋଟିଏ ଛୋଟ ପକ୍ଷୀ" । ଶୁଣି ସମସ୍ତେ ପଡିଆକୁ ଯାଆନ୍ତି, ଏବଂ ସେମାନେ ସେଇ ଛୋଟ ପକ୍ଷୀଟିକୁ ଦେଖି ଭୟ ପାଇ ଯାଆନ୍ତି ।

"କିନ୍ତୁ ବନ୍ଧୁମାନେ, ଏଇଠିକୁ ତ ସବୁ ସମୟରେ ଏମିତି ଛୋଟ ପକ୍ଷୀ ଉଡି ଆସିଥାନ୍ତି ।"  "ହଁ ଠିକ୍ ଯେ, କିନ୍ତୁ ଦିନର ଠିକ୍ ଏଇ ସମୟରେ ନୁହଁ । "ସେଇ ମୁହୂର୍ତ୍ତରେ ଏମିତି ଗୋଟିଏ ଶଙ୍କା ଗ୍ରାମବାସୀଙ୍କ ଭିତରେ ଖେଳିଯାଏ ଯେ, ସେମାନେ ସମସ୍ତେ ଭିତରେ ଭିତରେ ଗାଆଁ ଛାଡି ଯିବାକୁ ପାଗଳ ହୋଇ ଉଠୁଥାନ୍ତି । କିନ୍ତୁ ସେମାନଙ୍କ ଭିତରେ କାହାର ସାହସ ହେଉନଥାଏ ଗାଆଁ ଛାଡି ଯିବାକୁ ।" "ଠିକ୍ ଅଛି । ମୁଁ ହେଉଛି ଅସଲ ବାପ୍ କା ବେଟା" । ତାଙ୍କ ଭିତରୁ ଜଣେ ବଡପାଟିରେ କହେ, "ମୁଁ ଏବେ ଚାଲିଲି ଏଇଠୁ।" ସେ ତା'ର ଆସବାବପତ୍ର, ପୁଅଝିଅ,ପୋଷା ପଶୁପକ୍ଷୀ, ସବୁକୁ ଗୋଟିଏ ଗୋରୁଗାଡିରେ ଲଦି ସଦର ରାସ୍ତା ଦେଇ ଗାଆଁ ପାର ହୁଏ । ଆଉ ସେଇଠେ ଠିଆ ହୋଇ ହତଭାଗ୍ୟ ଗ୍ରାମବାସୀ ମାନେ ତାହାର ସେଇମିତି ଯିବାର ଦୃଶ୍ୟକୁ ଅନିଶା କରୁଥାଆନ୍ତି । ସେମାନେ ସେତେ ସମୟ ପର୍ଯ୍ୟନ୍ତ ଏହି ଦୃଶ୍ୟଟିକୁ ଦେଖୁଥାଆନ୍ତି, ଯେତେବେଳେ ଜଣେ କହିଉଠେ, "ଯଦି ତା'ର ଯିବାର ସାହସ ଅଛି, ତେବେ ସେଇଟା ବି ଆମ ସମସ୍ତଙ୍କର ଅଛି । ତାହାହେଲେ ଆମେ ସମସ୍ତେ ବି ଛାଡି ଯାଇ ପାରିବା ।" ଏବଂ ଶାବ୍ଦିକ ଭାବରେ ସେମାନେ ଗାଆଁଟିକୁ ଶୂନ୍ୟ କରି ଯିବାରେ ଲାଗିଲେ । ସେମାନେ ସେମାନଙ୍କର ସବୁକିଛି, ଗୋମେଷାଦି ପଶୁ, ସବୁକୁ ନେଇ ଚାଲି ଯାଆନ୍ତି ସାଥିରେ । ଏବଂ ଗାଆଁ ଛାଡିବାର ଶେଷ ଦଳରୁ ଜଣେ କହେ, "ମୋ ଘରେ କୌଣସି ଦୁର୍ଭାଗ୍ୟ ଘଟିବାକୁ ଦେବି ନାହିଁ ।" ଏବଂ ସେ ତା' ଘରଟିରେ ନିଆଁ ଲଗାଇ ଦିଏ । ତା' ଦେଖାଦେଖି ଅନ୍ୟମାନେ ବି ନିଜ ନିଜର ଘରବାଡି ଜାଳି ଦିଅନ୍ତି । ସେମାନେ ପଳାଇଯାଉଥାନ୍ତି, କୌଣସି ଯୁଦ୍ଧ ସମୟର ଆତଙ୍କିତ ଲୋକମାନେ ନିଜନିଜ ଇଲାକା ଛାଡି ସୁରକ୍ଷିତ ସ୍ଥାନକୁ ଯିବା ଭଳି ।ଏବଂ ସେଇ ସମୟରେ ସେମାନଙ୍କ ଭିତରେ ଥିବା ସେଇ ବୁଢୀଟି ଯିଏ ପ୍ରଥମେ ଆଶଙ୍କାର କଥା କହିଥିଲା ସେ କାନ୍ଦି ଉଠେ ଆଉ କହେ, "ମୁଁ ଆଗରୁ କହୁଥିଲି ସାଙ୍ଘାତିକ କିଛି ଗୋଟାଏ ଘଟିବ । ଆଉ ତମେ ମାନେ ମୋତେ ଥଟ୍ଟା କରୁଥିଲ । କହୁଥିଲ ମୋ ମୁଣ୍ଡ ଖରାପ ହୋଇ ଯାଇଛି । ମୁଁ ପାଗଳ ହୋଇ ଯାଇଛି ।"

ଲେଖକୀୟ ଟୀକା : ଏଇ ଲେଖାଟି ମାର୍କ୍ୱେଜ୍ ଙ୍କ ପ୍ରବନ୍ଧ ଓ ବକ୍ତୃତାମାଳାର ସଙ୍କଳନ 'ଆଇ ଆମ୍ ନଟ୍ ହିଅର୍ ଟୁ ମେକ୍ ଏ ସ୍ପିଚ'ରୁ ନିଆଯାଇଛି । ଏଇ ଲେଖାଟିରେ ଯଦି ପାଠକ ମାନେ କୌଣସି ତୃଟି ଅନୁଭବ କରନ୍ତି, ତେବେ ସେମାନେ ସହୃଦୟତାର ସହ ଏଇ ଉପସ୍ଥିତ ଟାଇପିଷ୍ଟ-କମ୍-ଅନୁବାଦକ କୁ କ୍ଷମା କରିଦେବେ ବୋଲି ଅନୁରୋଧ । କାରଣ ତୃଟିଟି ତା'ର ଏକାନ୍ତ । ଏଇ ଲେଖାଟି ୧୯୭୦ ମସିହାର । ଗୋଟିଏ ଲେଖା ପାଇଁ କଳ୍ପନାର ଯଥାଯଥ ବିନିଯୋଗ ଉପରେ ମାର୍କ୍ୱେଜ୍ ଙ୍କ ଆତ୍ମଜୈବନୀକ ଏଇ ଯାଦୁକରୀ ଧାରାଭାଷ୍ୟଟି ଆପଣଙ୍କୁ ମୁଗ୍ଧ କରିବ ବୋଲି ଆଶା ।

No comments:

Post a Comment