Monday, July 24, 2017

ଓରହାନ୍ ପାମୁକ୍

ତୁମେ କାହା ପାଇଁ ଲେଖ 

ଅନୁବାଦ ଓ ଆଲେଖ୍ୟ - ଜ୍ୟୋତି ନନ୍ଦ


କାର୍ଯ୍ୟରତ ଓର୍ହାନ ପାମୁକ (୭ ଜୁନ ୧୯୫୨ - )
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ - 

ତୁମେ କାହା ପାଇଁ ଲେଖ ? ଗଲା ତିରିଶ ବର୍ଷ ହେଲା, ଏମିତିରେ କହିବାକୁ ଗଲେ ଯେବେଠୁ ଲେଖାଲେଖି କରୁଛି ପ୍ରାୟ ସେବେଠୁ, ଏଇ ପ୍ରଶ୍ନଟି ପାଠକ ଆଉ ସାମ୍ବାଦିକ ମାନଙ୍କଠାରୁ ଉଣାଅଧିକେ ମୋତେ ଶୁଣିବାକୁ ପଡୁଛି । ଏହାର ଉଦ୍ଦେଶ୍ୟଟି ସ୍ଥାନ ଆଉ କାଳ ଉପରେ କିଛି ପରିମାଣରେ ନିର୍ଭରଶୀଳ ହୋଇଥିଲେ ହେଁ, ସେମାନେ ସମସ୍ତେ ମୋଟାମୋଟି ଗୋଟିଏ ପ୍ରକାରର ସନ୍ଦେହପ୍ରବଣ ଆଉ ଅନୁସନ୍ଧିତ୍ସୁ ଭଙ୍ଗୀରେ ସେହି ପ୍ରଶ୍ନଟି କରିଥାଆନ୍ତି ।

ସତୁରି ଦଶକର ମଝି ସମୟରୁ ଯେତେବେଳେ ମୁଁ ଉପନ୍ୟାସ ଲେଖିବାର ପ୍ରୟାସ କରୁଛି, ସେତେବେଳେ ଏଇ ପ୍ରଶ୍ନଟିରେ ସାମଗ୍ରିକ ଫିଲିସ୍ତିନୀ ଶିଳ୍ପ ଓ ସାହିତ୍ୟ ସମ୍ପର୍କିତ ଧାରଣାର ଗୋଟିଏ ପ୍ରତିଫଳନ ଲକ୍ଷ୍ୟ କରାଯାଉଥିଲା । ସେମାନେ ବିଶ୍ୱାସ କରୁଥିଲେ ଶିଳ୍ପ ଆଉ ସାହିତ୍ୟ ହେଉଛି ସୌଖିନତାର ପ୍ରତୀକ । ଇଉରୋପର ବାହାରର ଦରିଦ୍ର ଦେଶଗୁଡିକରେ ଆଧୁନିକତା ଆଡକୁ ଏ ଯେଉଁ ଯାତ୍ରାର ଆରମ୍ଭ ହୋଇଛି, ତାହା ପୁରାପୁରି ବେଢଙ୍ଗିଆ । ଅର୍ଥାତ୍ ସେପରି ହେବାର ସମୟ ହୁଏତ ଆସିନାହିଁ ସେଠାରେ । ସେଠାରେ ଯେଉଁମାନେ ଶିକ୍ଷିତ ଓ କିଛି କରିପାରିବାର କ୍ଷମତା ରଖନ୍ତି, ସେମାନଙ୍କୁ ପରାମର୍ଶ ଦିଆଯାଉଥିଲା ଦେଶ ଆଉ ଜାତି ପାଇଁ କିଛି ଦରକାରୀ ଜରୁରୀ କାମ କରିବା ଉଚିତ । ଡାକ୍ତରମାନେ ମହାମାରୀ ବିରୁଦ୍ଧରେ ଲଢିଲା ଭଳି, ଇଞ୍ଜିନିୟରମାନେ ସେତୁ ଗଢିଲା ଭଳି କାମ ।

ବିଗତ କେତେ ବର୍ଷ ଧରି ଏଇ ପ୍ରଶ୍ନଟିକୁ ନେଇ ଅନେକ ଭାବିଛି । କେଉଁ ଶ୍ରେଣୀର ପାଠକ ମୋ ବହି ପଢିବେ ଆଉ ପ୍ରଶଂସା କରିବେ ସେଇ କଥାକୁ ନିର୍ଣ୍ଣୟ କରିବା ପାଇଁ ଭାବିଛି । ମୁଁ ଜାଣୁଛି, ପ୍ରଶ୍ନଟି ଭିତରେ ଗୋଟିଏ ରାଜନୈତିକ ଗନ୍ଧ ଅଛି । ଯଦି ମୁଁ କହେ ଯେ ମୁଁ ସମାଜର ସବୁଠାରୁ ଗରୀବ ଆଉ ଅବହେଳିତ ମଣିଷମାନଙ୍କ ପାଇଁ ଲେଖୁଛି, ତାହାହେଲେ ସମସ୍ତେ ଧରିନେବେ ଯେ ମୁଁ ଅସଲରେ ତୁର୍କୀର ଜମିମାଲିକ ଓ ଧନୀକ ଶ୍ରେଣୀର ଶ୍ରେଣୀସ୍ୱାର୍ଥ ରକ୍ଷା କରିବାକୁ ଲେଖୁଛି । ଏବଂ ମୋତେ ତାହାହେଲେ ମନେ ପକାଇ ଦିଆଯିବ ଯେ, ଶୁଦ୍ଧ ଆଉ ମହତ ଚିନ୍ତାର ଅଧିକାରୀ ଯେଉଁ ଲେଖକମାନେ ଶ୍ରମଜୀବୀ ଅବା ନିମ୍ନବିତ୍ତଙ୍କ ପାଇଁ ଲେଖନ୍ତି ବୋଲି ଦାବୀ କରୁଥାନ୍ତି, ସେମାନେ କେବଳ ପଢାଲେଖା ଜାଣିଥିବା କିଛି ହାତଗଣତି ଲୋକମାନଙ୍କ ପାଇଁ ହିଁ ଲେଖିଥାନ୍ତି । ସତୁରି ଦଶକରେ ଯେତେବେଳେ ମୋ ମାଆ ଜାଣିବାକୁ ଚାହିଁଲା ମୁଁ କାହା ପାଇଁ ଲେଖୁଛି ବୋଲି , ତାହାର ଥମଥମ ମୁହଁ ଆଉ କୁଞ୍ଚିତ ଭୁରୁକୁ ଦେଖି ମନେ ହୋଇଥିଲା, ବିଷୟଟି ଅନ୍ତତଃପକ୍ଷେ ତାହା ପାଖରେ ବେଶ୍ ଗୁରୁତ୍ବପୂର୍ଣ୍ଣ । ଆଉ ତାହା ସହିତ ସେ ଜାଣିବାକୁ ଚାହିଁଥିଲା ନିଜର ଗ୍ରାସାଚ୍ଛାଦନ ନିମନ୍ତେ ମୋର ନିଜର ଯୋଜନାର ସ୍ୱରୂପଟି କେଉଁପରି ରହିଅଛି, ସେଇ କଥା । ଏବଂ ଯେତେବେଳେ ବନ୍ଧୁ ମାନେ ଜାଣିବାକୁ ଚାହୁଁଥିଲେ ମୋ ଲେଖା କାହା ପାଇଁ, ସେମାନଙ୍କର କଣ୍ଠସ୍ୱରର ବିଦ୍ରୁପଟି ପରିଷ୍କାର କହୁଥିଲା ଯେ, ସେମାନେ ଅସଲରେ କେହି ମୋ ଭଳି ଲେଖକର ବହି କେଉଁଦିନ ପଢିବେ ନାହିଁ ବୋଲି କହୁଛନ୍ତି ।

ତିରିଶ ବର୍ଷ ଧରି ଏଇ ପ୍ରଶ୍ନଟି ମୁଁ ଅଧିକରୁ ଅଧିକ ଶୁଣି ଆସିଛି । ଏହାର କାରଣ ହେଉଛି, ମୋର ଉପନ୍ୟାସ ଏହା ଭିତରେ କେତେଗୁଡିଏ ଅଲଗା ଅଲଗା ଭାଷାରେ ଅନୁବାଦ କରାଯାଇଛି । ବିଶେଷ କରି ଗତ ଦଶ ବର୍ଷ ଭିତରେ ମୋର ସାକ୍ଷାତକାର ନେଉଥିବା ଅନେକେ ଭାବିଛନ୍ତି ଯେ, ମୁଁ ସେମାନଙ୍କର ଏଇ ଭଳି ପ୍ରଶ୍ନକୁ ଠିକ୍ ରେ ଗ୍ରହଣ କରି ନପାରେ । ତେଣୁ ସେମାନେ ଏଇ ପ୍ରଶ୍ନଟିରେ ଆଉକିଛି ଯୋଡିଛନ୍ତି । ଆପଣ ତ ତୁର୍କୀରେ ରହି ଲେଖନ୍ତି, ବସ୍ତୁତଃ ଆପଣ କେବଳ ତୁର୍କୀ ମାନଙ୍କ ପାଇଁ ଲେଖନ୍ତି ? ନା ଏବେ ଯେହେତୁ ଆପଣଙ୍କର ଲେଖା ଅନ୍ୟାନ୍ୟ ଭାଷାରେ ଅନୁବାଦ କରାଯାଉଛି, ସେଇସବୁ ପାଠକମାନଙ୍କର କଥା କ'ଣ ଆପଣଙ୍କୁ ଭାବିବାକୁ ହୁଏ ? ଆମେମାନେ ତୁର୍କୀର ଭିତରେ ବା ବାହାରେ ଯେଉଁଠାରେ ବସି କହୁଥାଉ ପଛକେ, ସେହି ପ୍ରଶ୍ନଟିରେ ସବୁ ସମୟ ସେହି ପୁରୁଣା ସନ୍ଦେହ ଆଉ ଅନୁସନ୍ଧିତ୍ସୁ ଭଙ୍ଗୀଟି ଆସେ ବୋଲି ବାଧ୍ୟ ହୋଇ କହିବାକୁ ପଡେ, ମୁଁ କେବଳ ତୁର୍କମାନଙ୍କ ପାଇଁ ଲେଖିଥାଏ ।

ଏବେ ଏଇ ପ୍ରଶ୍ନଟିକୁ ଟିକିଏ ନିରେଖି ଦେଖିବା ଆଗରୁ ଆମକୁ ମନେ ରଖିବାକୁ ହେବ ଯେ, ଉପନ୍ୟାସର ଉତ୍ଥାନର ସହ ଜାତି-ସତ୍ତାର ବା ରାଷ୍ଟ୍ରର ଉତଥାନ ଘଟିଛି । ଯେତେବେଳେ ଉନବିଂଶ ଶତକର ମହାନ ଉପନ୍ୟାସଗୁଡିକ ଲେଖା ହେଉଥିଲା, ସେତେବେଳଠାରୁ ଉପନ୍ୟାସ ଶିଳ୍ପଟି ହେଉଛି ଏକ ଜାତୀୟ ଶିଳ୍ପ । ବାଲ୍ଜାକ୍, ଡିକେନ୍ସ, ଦସ୍ତୋୟୋଭସ୍କି ଓ ତଲଷ୍ଟୟ ଲେଖିଥିଲେ କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ୍ତ ଶ୍ରେଣୀ ନିମନ୍ତେ । ଊନବିଂଶ ଶତକର ଗୁରୁତ୍ୱପୂର୍ଣ୍ଣ ଲେଖକମାନଙ୍କର ଉପନ୍ୟାସଗୁଡିକ ଜାତୀୟ ଦୈନିକ ସମ୍ବାଦପତ୍ରର ଶିଳ୍ପ ଓ ସାହିତ୍ୟ ପୃଷ୍ଟାରେ ପ୍ରଥମେ ଧାରାବାହିକ ଭାବରେ ପ୍ରକାଶିତ ହେଉଥିଲା । ଆଉ ତାହାର କାରଣ ହିସାବରେ ମନେ କରାଯାଉଥିଲା ଯେ, ସେଇ ଔପନ୍ୟାସିକମାନେ ସମଗ୍ର ଜାତି ଉଦ୍ଦେଶ୍ୟରେ କିଛି ନା କିଛି ବକ୍ତବ୍ୟ ରଖୁଛନ୍ତି । ସେମାନଙ୍କର ଉପନ୍ୟାସର କଥକ ଚରିତ୍ର ଭିତରେ ଏକଧରଣର ସଚେତନ ଦେଶପ୍ରେମିକର ପ୍ରତିଚ୍ଛବି ଦେଖିବାକୁ ମିଳୁଥିଲା, ଯାହାର ମୂଳ କାମନା ଥିଲା, ଦେଶ ଓ ଦଶର ସମୃଦ୍ଧି । ଊଣିଶ ଶତକର ଶେଷ ଆଡକୁ ଆସିଲା ବେଳକୁ, ଉପନ୍ୟାସ ଲେଖିବା ଆଉ ପଢିବା ଉଭୟ ବିଷୟ ହୋଇଗଲା ଏକ ଜାତୀୟ ବିଷୟ ନେଇ ଆଲୋଚନାରେ ଅଂଶଗ୍ରହଣ କରିବା ଭଳି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆଜି ଉପନ୍ୟାସ ଲେଖାର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ । ଉପନ୍ୟାସ ପଢିବା କ୍ଷେତ୍ରରେ ବି ସେଇ ସମାନ କଥା ପ୍ରଯୁଜ୍ୟ ।

ପରିବର୍ତ୍ତନର ସୂଚନା ହୁଏ ବିଂଶ ଶତାବ୍ଦୀର ପ୍ରଥମ ଭାଗରୁ । ସେତେବେଳେ ଉପନ୍ୟାସ ହୋଇ ଉଠିଲା ଆଧୁନିକ । ଆଉ ଏଇ ଆଧୁନିକ ଉପନ୍ୟାସ ହିଁ ଶିଳ୍ପର ସର୍ବୋଚ୍ଚ ମର୍ଯ୍ୟାଦା ପାଇଥିଲା । ଯେଉଁ ପରି ଗତ ତିରିଶ ବର୍ଷରେ ଯୋଗାଯୋଗର ତାତ୍ପର୍ଯ୍ୟ ବଦଳି ଯାଇଛି । ତଥା, ବିଶ୍ୱ ଗଣମାଧ୍ୟମର ଯୁଗରେ ସାହିତ୍ୟିକ ମାନେ ଆଉ ଆଜି କେବଳ ନିଜ ଦେଶର ମଧ୍ୟବିତ୍ତ ଶ୍ରେଣୀର ବକ୍ତା ହିସାବରେ ବିବେଚିତ ହେଉ ନାହାଁନ୍ତି । ବରଂ ସେମାନେ ଏବେ ବିଶ୍ୱର ସମଗ୍ର ପାଠକ କୂଳର ବକ୍ତା ।

ଆଜିର ସାହିତ୍ୟର ପାଠକମାନେ ଅପେକ୍ଷା କରନ୍ତି ମାର୍କ୍ୱେଜ୍ ,କୋଏତ୍ଜି, ଆଉ ପଲ୍ ଆସ୍ତର୍ ଙ୍କର ନୂଆ ବହିଟିଏ ପାଇଁ । ଆଗରୁ ତାଙ୍କର ପୂର୍ବସୂରୀମାନେ ଯେମିତି ଅପେକ୍ଷା କରୁଥିଲେ ଡିକେନ୍ସଙ୍କର ଗୋଟିଏ ନୂଆ ଉପନ୍ୟାସର ପ୍ରକାଶକୁ, ସେଇ ଭଳି । ବର୍ତ୍ତମାନର ବଜାର ବ୍ୟବସ୍ଥାରେ ଜଣେ ଔପନ୍ୟାସିକର ଦେଶ ବାହାରେ ଥିବା ପାଠକର ସଙ୍ଖ୍ୟା ତାହାର ସ୍ଥାନୀୟ ପାଠକ ସଙ୍ଖ୍ୟାଠାରୁ ଯଥେଷ୍ଟ ବେଶି ।

ଏହି ପରିପ୍ରେକ୍ଷୀରେ ଯଦି ସାଧାରଣ ଅର୍ଥରେ ଜଣେ ଲେଖକ କାହା ପାଇଁ ଲେଖେ ବୋଲି ପ୍ରଶ୍ନଟିର ଉତ୍ତରରେ କହିବି, ଲେଖକଟି ତାହାର ଆଦର୍ଶ ଓ ଯୋଗ୍ୟ ପାଠକ ପାଇଁ ଲେଖେ, ତାହାର ପାଖର ମଣିଷ ଆଉ ନିଜ ପାଇଁ ଲେଖେ, ଏହା ଛଡା ଆଉ କାହାରି ପାଇଁ ନୁହଁ । ଏହା ସତ, ତେବେ ଆଂଶିକ ସତ । ଆଜିର ଲେଖକମାନେ ସେମାନଙ୍କୁ ଯିଏ ପଢୁଥାଏ, ତାଙ୍କରି ପାଇଁ ଲେଖନ୍ତି । ଏଥିରୁ ଆମେ ଅନୁମାନ କରିପାରିବା ଯେ ଆଜିର ଲେଖକ ମାନେ ନିଜନିଜ ର ଜାତୀୟ "ମେଜରିଟି" (ଯେଉଁମାନେ ସେମାନଙ୍କୁ ପଢନ୍ତି ନାହିଁ) ତୁଳନାରେ ସେମାନଙ୍କୁ ପଢୁଥିବା ବିଶ୍ୱର କ୍ଷୁଦ୍ର "ମାଇନରିଟି"ପାଠକ ମାନଙ୍କ ପାଇଁ ଅଧିକ ଲେଖନ୍ତି ।

ବିଷୟଟିକୁ ଯେଉଁମାନେ ତୀର୍ଯକ ଦୃଷ୍ଟିରେ ଦେଖନ୍ତି, ସେମାନେ ହେଲେ ମତାଦର୍ଶ ଆରୋପଣକାରୀ ଏବଂ ପଶ୍ଚିମର ବାହାର ଦେଶର ମଣିଷ ମାନଙ୍କର ଗଢା ବିଭିନ୍ନ ସଙ୍ଗଠନ । ବିଶ୍ୱରେ ନିଜର ଅବସ୍ଥାନ ନେଇ ସେମାନେ ଯେମିତି ଅନିଶ୍ଚିତ, ସେମିତି ସେମାନେ ନିଜର ଚଳମାଣ ଜାତୀୟ ସମସ୍ୟା ବା ଇତିହାସର କଳଙ୍କିତ ଅଧ୍ୟାୟକୁ ନେଇ ଆଲୋଚନାରେ ବସିବାକୁ ଅନିଚ୍ଛୁକ । ଔପନ୍ୟାସିକମାନଙ୍କ ଭିତରୁ ଯେଉଁମାନେ ଏଇ ଦଳର ପ୍ରତିନିଧି, ସେମାନେ ମନେ କରନ୍ତି ଇତିହାସ ଆଉ ଜାତୀୟତାବାଦକୁ ଯଦି ବାହାରୁ ଦେଖାଯାଏ, ତେବେ ତାହା ସନ୍ଦେହର ଉର୍ଦ୍ଧ୍ୱରେ ରହିବ ନାହିଁ । ସେମାନଙ୍କର ମତରେ ଯେଉଁ ଔପନ୍ୟାସିକମାନେ ସେମାନଙ୍କର ନିଜ ଜାତୀୟ ପାଠକମାନଙ୍କ ପାଇଁ ଲେଖନ୍ତି ନାହିଁ, ସେମାନେ ନିଜ ଦେଶକୁ ଏକ ପ୍ରକାରେ ଅପରିଚିତ କରି ଗଢି ତୋଳି ଅନ୍ୟ ଦେଶର ଭୋଗ୍ୟ ହିସାବରେ ପ୍ରତିଷ୍ଠିତ କରାଇଥାନ୍ତି । ଏବଂ ସେମାନେ ଏମିତି କିଛି ସମସ୍ୟାର ଉତ୍ତରଣ ଘଟିବାର କାରଣ ହୋଇଯାଆନ୍ତି, ଯାହାର କୌଣସି ବାସ୍ତବ ସ୍ଥିତି ନଥାଏ । 

ସେହି ସମାନ ଧରଣର ସନ୍ଦେହ ପଶ୍ଚିମରେ ଅଛି । ସେଠାରେ ଅନେକ ପାଠକ ମନେ କରନ୍ତି ଯେ, ସାହିତ୍ୟ ଆଞ୍ଚଳିକ, ଶୁଦ୍ଧ ଓ ଜାତୀୟତା-କେନ୍ଦ୍ରଭିତ୍ତିକ ହେବା ବାଞ୍ଛନୀୟ । ସେମାନଙ୍କର ଗୋପନ ଶଙ୍କାଟି ହେଉଛି ଏଇ ଭଳି । ଜଣେ ପୃଥିବୀର ଲେଖକ ବୋଲାଇ ଅନ୍ୟମାନଙ୍କର ଐତିହ୍ୟରୁ ଉପାଦାନ ସଙ୍ଗ୍ରହ କରି ସେମାନଙ୍କର ଖାଣ୍ଟି ରହିବାର ସମ୍ଭାବନାଟିକୁ ଧୂଳିରେ ମିଶାଇ ଦେଇପାରେ, ସେଇ ଭୟ । ଏଇ ଭୟରେ ବେଶି ଭୀତ ହେଉଥାଏ ସେଇ ପାଠକଟି, ଯିଏ ବହିଟିଏ ଖୋଲିଲା ବେଳେ ମନେମନେ ପ୍ରାର୍ଥନା କରେ ଓ ପୃଥିବୀଠାରୁ ବିଚ୍ଛିନ୍ନ ଗୋଟିଏ ଜଗତରେ ପ୍ରବେଶ କରେ । ସେ ସେଇ ଜଗତର ମଣିଷ ମାନଙ୍କର ହଟ୍ଟଗୋଳ ଏମିତି ଦେଖିବାକୁ ଚାହେଁ, ଯେପରି ତାହାର ପଡିଶା ଘରର ଗଣ୍ଡଗୋଳ ସେ ଅବିକା ଦେଖିବାକୁ ପାଇବ । ଯଦି କୌଣସି ଲେଖକ ଅନ୍ୟ କେଉଁ ଭାଷାଭାଷୀ ପାଠକମାନଙ୍କ ଉଦ୍ଦେଶ୍ୟରେ କିଛି ଲେଖନ୍ତି, ତେବେ ଏଇ କଳ୍ପଲୋକ (ଫାଣ୍ଟାସି) ଟି ଆଉ ରହେନାହିଁ ।

କାରଣ ପ୍ରତି ଲେଖକ ଭିତରେ ଆକାଂକ୍ଷା ଥାଏ ଖାଣ୍ଟି ହେବାର । ତେଣୁ ଏତେ ବର୍ଷ ପରେ ମୋତେ ଭାରି ଖୁସି ଲାଗେ, ଯଦି କିଏ ପଚାରେ, ମୁଁ କାହା ପାଇଁ ଲେଖେ ? କିନ୍ତୁ ଜଣେ ଲେଖକର ଖାଣ୍ଟି ହେବା ଆଉ ନ ହେବା ନିର୍ଭର କରିଥାଏ, ସେ ତାହାର ପାଖ ଜଗତ ସହ କେତେ ପରିମାଣରେ ଅନ୍ତରଙ୍ଗ । ଅର୍ଥାତ୍ ଯିଏ ଯେତେ ବେଶି ନିଜର ଅବସ୍ଥାନର ପରିବର୍ତ୍ତନ ସମ୍ପର୍କରେ ସଜାଗ ହେବ, ସେ ସେତେ ବେଶି ଖାଣ୍ଟି । ନିଜ ଜଗତ ସହ ଅନ୍ତରଙ୍ଗ ହୋଇଥିଲେ ତ ଜଣେ ନିଜର ପରିବର୍ତ୍ତନକୁ ଠିକ୍ ବୁଝିପାରିବ ।

ଜଣେ ଆଦର୍ଶ ପାଠକ ବୋଲି ଅସଲରେ କିଛି ନାହିଁ । ଠିକ୍ ସେମିତି ଆଦର୍ଶ ଔପନ୍ୟାସିକ ବୋଲି ବି କିଛି ନାହିଁ । କିନ୍ତୁ ସେ ସ୍ୱଦେଶୀ ହେଉ କି ଭିନ୍ନ ଦେଶୀ, ଯେଉଁଠିକାର ହେଉନା କାହିଁକି, ଜଣେ ଔପନ୍ୟାସିକ କେବଳ ତାହାର ଆଦର୍ଶ ପାଠକ ମାନଙ୍କ ପାଇଁ ଲେଖେ । ପ୍ରଥମେ ତାହାର ଅସ୍ତିତ୍ୱ ମନେ ମନେ କଳ୍ପନା କରିନିଏ, ଏବଂ ପରେ ମନ ଭିତରେ ତାହାର ଉପସ୍ଥିତିକୁ ଅନୁଭବ କରି ଔପନ୍ୟାସିକଟି ଲେଖୁଥାଏ । ଲେଖୁଥାଏ ଶେଷ ଯାଏଁ ।


ହ୍ୱାଇଟ କ୍ୟାସେଲ ଉପନ୍ୟାସର ମଲାଟ
୧୯୮୫ ମସିହାରେ ପ୍ରକାଶିତ ତୁର୍କୀ ଭାଷୀ ପ୍ରଥମ ସଂସ୍କରଣ
ବନ୍ଧନୀ ଭିତରେ ସମସ୍ତେ ନିରାପଦ ।

ଏଇ ଲେଖାଟି ନୋବେଲ୍ ବିଜେତା ତୁର୍କୀର ଲେଖକ ଓରହାନ୍ ପାମୁକ୍ ଙ୍କ ର "ହୁ ଡୁ ୟୁ ରାଇଟ୍ ଫର୍" ବୋଲି ଏକ ଲେଖର ମର୍ମାନୁବାଦ । ଏଥିରେ ତୃଟି ଭାଗ ପାଇଁ ଉପସ୍ଥିତ ଟାଇପିଷ୍ଟ୍-କମ୍-ଅନୁବାଦକ ପୂର୍ଣ୍ଣ ରୂପରେ ଦାୟି । 

ପାମୁକ୍ ଙ୍କ ବିଚାର ସହ ସହମତ ଆଉ ଅସହମତ ହେବା ଆପଣମାନଙ୍କର ନିଜସ୍ୱ ବିଚାର ।

ଏଇ ପ୍ରସଙ୍ଗରେ ଟିକିଏ କହିବି । ଆମ ରାଜ୍ୟରେ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଦାର୍ଶନିକ ବିମର୍ଷଟିମାନ ହୁଏ ସାହିତ୍ୟ ଚର୍ଚ୍ଚାରେ । ଦସ୍ତଖତ କରି ମାନିଫେଷ୍ଟୋ ମାନ ଉଦଘୋଷିତ ହୁଏ । ହେବା ଉଚିତ୍ ବି । କିନ୍ତୁ କାହା ପାଇଁ ଲେଖୁଛନ୍ତି ବୋଲି ଆମର ସାହିତ୍ୟର ଯୁଗପୁରୁଷଙ୍କ ଠାରୁ ଆରମ୍ଭ କରି ଚିନ୍ତକ ଓ ଯେତେଯେତେ ସାକ୍ଷାତକାର ଯୋଗ୍ୟ କୃତି ସାହିତ୍ୟିକ ଅଛନ୍ତି, ସେମାନଙ୍କୁ ଏଇ ମୌଳିକ ପ୍ରଶ୍ନଟି ପଚରାଯାଏ ନାହିଁ ।

ମୌଳିକ ପ୍ରଶ୍ନ ଗୁଡିକର ଯଥାଯଥ ଉତ୍ତରର ଆବଶ୍ୟକତା ଅଛି ସେଇ କିଶୋରଟି ର ପାଖରେ, ଯିଏ ଏବେ ତାହାର ପଡୋଶିନୀ ମେଘବାଳିକାକୁ ନିଜର ନ କହି ପାରିବାର ଉଚ୍ଛ୍ୱାସ ଟିକକୁ ଲେଖୁଛି ପ୍ରତୀକରେ । ତାହାର ପ୍ରତୀକମାନଙ୍କୁ ବିଶ୍ୱ ଭ୍ରମଣରେ ନେବାର ଅଛି । ସେଇଥିପାଇଁ ।

ଏହା ମୋର ଅଜ୍ଞତା ହୋଇ ପାରେ । ସବୁ କ'ଣ ମୁଁ ଦେଖିପାରିବି ?

କହିବା କଥା ହେଉଛି, ଆମେ ସବୁବେଳେ ମୌଳିକ ପ୍ରଶ୍ନକୁ ନିଶ୍ୱାସ ପ୍ରଶ୍ୱାସରେ ପବନ ନେବା ଆଣିବା ସାଧାରଣ "ମାଟର୍ ଅଫ୍ ଫାକ୍ଟ" ଭଳି କଥା ବୋଲି, ଭାବୁ ତେଣୁ ତାହା ଗୁରୁତ୍ୱହୀନ ।

ଭଲ ଗପ ବା ଭଲ କବିତା କହିଲେ ଯାହା ଆମର ଲୋତକ ଉଦ୍ରେକକାରୀ ହୋଇଥିବ ବା ଯାହାକୁ ଆମର ବରିଷ୍ଠ କେହି ଜଣେ ଗୋଟିଏ ଦଫାରେ ବସି ପଢିନେଇ ପାରିବ, ଆମେ ସେହିଭଳି ଏକ ନିଷ୍କର୍ଷଟିଏ ବାହାର କରି ମହାସୁଖରେ ଆମ ଦାଣ୍ଡ ପିଣ୍ଡାରେ ସୌଖୀନ ଶାଲଟି ମାନ ଘୋଡି ହୋଇ ବସିଛୁ ।

ମୋର ଯେତିକି ମନେଅଛି, ଆମେ କାହାପାଇଁ ଲେଖୁଚୁ ପ୍ରଶ୍ନଟି ଉପରେ ଓଡିଆ ଗଳ୍ପର ସୁବର୍ଣ୍ଣ ଯୁଗ (ଇତିହାସର ଛାତ୍ରମାନଙ୍କର ଏଇ ଆଳୁଦୋଷଟି ଦୁର୍ନିବାର । କଥା କଥା କେ ସୁବର୍ଣ୍ଣ ଯୁଗ !) ରେ ଓଡିଆ ଗଳ୍ପର ବିଶିଷ୍ଟ ସ୍ଥପତି କିଶୋରୀ ଚରଣ ଦାସ "ଝଙ୍କାର"ରେ "ଗଣତାନ୍ତ୍ରିକ ଗଳ୍ପ କଳା" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଯେଉଁଥିରେ ଜଣେ ଲେଖକ "ଜନ" ପାଇଁ ଲେଖିବ କି "ଗଣ" ପାଇଁ ଲେଖିବ, ତାହାର ଏକ ତାତ୍ତ୍ଵିକ ଆଲୋଚନା କରାଯାଇଥିଲା ।

ଅସଲରେ ଆମେ ଜନ ଆଉ ଗଣ ଭିତରେ ନିଜେ କେଉଁଠି ଅଛୁ ଜାଣୁ । କିନ୍ତୁ ନିଜର ସୁବିଧା ପାଇଁ କଥାଟିକୁ ଗୋଳେଇଦେଉ ।

କିଶୋରୀ ଚରଣଙ୍କ ପାଖକୁ ଫେରିବି । ସୃଜନକର୍ମ ସମ୍ପର୍କରେ ତାଙ୍କର ଗୋଟିଏ ପ୍ରବାଦକୁ ମୋର ସାମର୍ଥ୍ୟ ଥିଲେ ବେଶ୍ ଭଲ ଭାବରେ ବନ୍ଧେଇ ନିଜ ପଢା ଘରେ ଟାଙ୍ଗିବା ପାଇଁ ସମସ୍ତ ସୃଜନ କର୍ମୀଙ୍କୁ ଉପହାର ଦିଅନ୍ତି ।

"ମୁଁ ମୋ ଅଭଜ୍ଞତାର ସମୀକ୍ଷା କରିଥାଏ।"

"ଆଇ ଅଡିଟ୍ ମାଇ ଓନ୍ ଏକ୍ସପେରିଏନ୍ସେସ।"

"ଭଙ୍ଗା ଖେଳଣା"ର ସେହି ଅମର ସ୍ରଷ୍ଟାଙ୍କୁ ପ୍ରଣାମ । )

No comments:

Post a Comment