Tuesday, June 16, 2020

କବୀରଙ୍କ ଦୋହା ଓ ଭଜନ - 'ଧୈର୍ଯ୍ୟ'

ଅନୁବାଦ - ଗଣେଶ୍ୱର ମିଶ୍ର 


ସନ୍ଥ ନାମଦେବ, ରୈଦାସ ଓ ପିପାଜୀଙ୍କ ସହ କବୀର (ୱିକିମିଡିଆ କମନ୍ସ୍)
ଉନବିଂଶ ଶତାବ୍ଦୀର ପ୍ରଥମ ଭାଗର କଳାକୃତି

ଧୈର୍ଯ୍ୟ ବଳେ ହୁଏ ଲକ୍ଷ୍ୟର ସାଧନ
ସ୍ମରଣ ରଖରେ ମନ ।
ତରୁମୂଳେ ଜଳ ଢାଳିଲେ ନ ଫଳେ
ନ ହେଲେ ୠତୁ ଆଗମ ।।

ଧୈର୍ଯ୍ୟ ନ ହରାଅ ଘେରିଯାଏ ଯଦି
ବିପତ୍ତି କଳାଭଉଁରି ।
ଗଭୀର ଜଳରୁ କରିବେ ଉଦ୍ଧାର
ପରମପୁରୁଷ ହରି ।।

ବି.ପ୍ର. - ଏହି ଦୋହାଟି ଗଣେଶ୍ୱର ମିଶ୍ର (୧୯୪୨-୨୦୧୫ )ଙ୍କ ଦ୍ୱାରା କୃତ ବହି 'ଶୁଣ ଭାଇ ସାଧୁ: କବୀରଙ୍କ ଦୋହା ଓ ଭଜନ' ବହିଟିରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପୁସ୍ତକଟି କଟକସ୍ଥ ପ୍ରକାଶକ ବିଦ୍ୟାପୁରୀଙ୍କ ଦ୍ୱାରା ୨୦୧୫ ମସିହାରେ ପ୍ରଥମେ ଛପାଯାଇଥିଲା । ଏହା ସନ୍ଥ କବୀରଙ୍କର ବାଣୀର ଗଣେଶ୍ୱର ବାବୁ କରିଥିବା ଓଡ଼ିଆ ଅନୁବାଦ । ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପକ ଭାବରେ ସେ ଅନେକ ବର୍ଷ କାର୍ଯ୍ୟ କରିଥିଲେ । 'ସକାଳର ମୁହଁ' ତାଙ୍କର ଏକ ଉଲ୍ଲେଖନୀୟ କୃତି ।

Saturday, June 13, 2020

ଲାଓଜୁଙ୍କର 'ଦାଓ ଦେ ଜିଙ୍ଗ୍'‌ର ୮୦ତମ ପ୍ରବନ୍ଧ

ଅନୁବାଦ - ଶ୍ରୀମନ୍ତ ମହାନ୍ତି 


ସନ୍ଥ ଲାଓଜୁଙ୍କର ଏକ ଚିତ୍ର

ସୁଚାରୁ ରୂପେ ଚାଲେ ଦେଶ ।
ସୁଖେ ବାସିନ୍ଦା କରେ ବାସ ।।
ଶ୍ରମ ହୁଏନା ଭାରୀ ତାଙ୍କୁ
ଆନନ୍ଦ ପାଆନ୍ତି କର୍ମକୁ ।।

ଯନ୍ତ୍ର କ୍ଷମତା ଶତ ଜନ । 
କର୍ମରେ ବ୍ୟସ୍ତ ଜନଗଣ ।।
ଗୃହେ ଆନନ୍ଦ ଯେବେ ଥାଇ । 
ବିଦେଶେ ଯାତ୍ରା କେଉଁ ପାଇଁ ?

ଯାନ ଜାହାଜ ଥିଲେ ଥାଉ ।
ବ୍ୟବହାରରେ କମ୍ ଯାଉ ।।
ଅସ୍ତ୍ରଶସ୍ତ୍ର ବି ଥିଲେ ଥାଉ ।
ବ୍ୟବହାର ତାହା ନ ହେଉ ।।

ଲୋକେ ଆନନ୍ଦେ ଖାଦ୍ୟ ଭୁଞ୍ଜି ।
ସପରିବାରେ ରହୁ ମଜ୍ଜି ।।
ଖାଲି ସମୟ କୃଷି କର୍ମେ ।
ପଡୋଶୀ ସାଥେ ଖୁସି ଜମେ ।।


ଅତି ପାଖେ ବିଦେଶ ଥାଉ ।
କାଉ ରାବିଲେ ଶୁଭୁ ଥାଉ ।।
ସୁଖରେ ଜୀଇଁ ଜୀବ ଯାଉ ।
ଦେଶ ଛାଡ଼ିବା ଦୂରେ ଥାଉ ।।

ଲେଖକୀୟ ଟୀକା - ଦାଓବାଦ ଏକ ପ୍ରାଚୀନ ଚୀନ୍ ଦର୍ଶନ । ପ୍ରକୃତି, ଜୀବନ ଓ ବଞ୍ଚିବାର କଳାକୁ ନେଇ ଏହି ଦର୍ଶନ । ଦାଓ ଶବ୍ଦର ଆକ୍ଷରୀକ ଅର୍ଥ ହେଉଛି ମାର୍ଗ, ଅର୍ଥାତ୍ ପ୍ରକୃତିର ମାର୍ଗ । ଏହା ସାମଗ୍ରିକତାରେ ବିଶ୍ୱାସ ରଖେ । ବିଶ୍ୱାସ ରଖେ ପ୍ରକୃତିର ନିରବଚ୍ଛିନ୍ନତାରେ । ପ୍ରତିଯୋଗୀତା ବଦଳରେ ସହଯୋଗୀତା, ପ୍ରକୃତିରେ ହସ୍ତକ୍ଷେପ ବଦଳରେ ପ୍ରକୃତିରେ ହଜିଯିବାରେ, ବିବାଦ ବଦଳରେ ଯୋଡ଼ିବାରେ ବିଶ୍ୱାସ ରଖେ ଦାଓବାଦ । ଦାଓବାଦ ସମ୍ପର୍କିତ ଗ୍ରନ୍ଥମାନଙ୍କ ମଧ୍ୟରେ ‘ଦାଓ ଦେ ଜିଙ୍ଗ’ ସର୍ବପ୍ରଧାନ ଓ ଗୁରୁତ୍ୱପୂର୍ଣ୍ଣ । ଏହା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଲାଓ ଜୁଙ୍କ ଦ୍ୱାରା ଲିଖିତ, ଯେଉଁଥିରେ ରହିଛି ୮୧ଟି କ୍ଷୁଦ୍ର କବିତା । ଉପରିଲିଖିତ କବିତାଟି ଏହାର ୮୦ତମ ପ୍ରବନ୍ଧର ମର୍ମାନୁବାଦ ।