Thursday, February 28, 2019

ବୈଷ୍ଣବ ପଦାବଳୀରୁ ଗୀତ - 'ସଖୀ ପ୍ରତି ଶ୍ରୀରାଧା'

କବି - ଗୋପାଳକୃଷ୍ଣ

ଗାୟକ - ଗୌରାଙ୍ଗ ଚରଣ ଦାସ

(ରାଗକାମୋଦୀତାଳ-ଏକତାଳୀ)

ଗୀତର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=fgXx05fcKS4


ରାଧା ଓ କୃଷ୍ଣ
ଚିତ୍ରକର - କୀର୍ତ୍ତିନାଥ ମଜୁମଦାର (୧୯୧୪ରେ ପ୍ରକାଶିତ)
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

କଦମ୍ୱ ବନେ ବଂଶୀ ବାଜିଲା ରେ।
ରାଧା ଦମ୍ଭ-ଶିଖରୀ ଭାଜିଲା ରେ। (ଘୋଷା)

ତୋ ବିନା ପ୍ରତିକାର, ଆନ କେ ନାହିଁ ମୋର,
ବିବେକ-ରତନ ମୋ ହଜିଲା ରେ ।୧।

କଢ଼ା ମୋତେ ସରଣୀ, ଆରେ ପ୍ରାଣମିତଣି !
ନୋହିଲେ ଜୀବନ ବରଜିଲା ରେ ।୨।

ଦେଖି ବ୍ରଜେନ୍ଦୁ-ମୁଖ ଲିଭାଇବି ରେ ଦୁଃଖ,
ସ୍ମରାନଳରେ ତନୁ ଭାଜିଲା ରେ ।୩।

ପଳାଇଲାନି ମନ, ବେଣୁ-ପତି ଶୋଭନ
ପୀୟୁଷ-ବାରିଧିରେ ମଜ୍ଜିଲା ରେ ।୪।

ଚାଲ ଯିବା ଲଳିତା, ବୋଲୁଁ କୀର୍ତ୍ତିଦାସୁତା
ମୁଖ-ସୁବର୍ଣ୍ଣାବ୍‌ଜ ବିରାଜିଲା ରେ ।୫।

ଏକାନ୍ତ ଶ୍ରୀ ଲଳିତା, ଶ୍ରୀ ବୃଷଭାନୁ-ସୂତା,
ଗୋପାଳ-କୃଷ୍ଣ ରହି ହେଜିଲା ରେ ।୬।

ଶବ୍ଦାର୍ଥ

ଶିଖରୀ - ପର୍ବତ 
ସରଣୀ ମାର୍ଗ 
ବେଣୁପତି ଶ୍ରୀକୃଷ୍ଣ 
କୀର୍ତ୍ତିଦାସୁତା ରାଧା

ବି.ଦ୍ର. - ଏହି ଗୀତଟି ଜାନକୀବଲ୍ଲଭ ମହାନ୍ତିଙ୍କର ସମ୍ପାଦନାରେ ପ୍ରକାଶିତ 'ବୈଷ୍ଣବ ପଦାବଳୀ' ବହିରୁ ନିଆ ଯାଇଛି । ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା ଓଡ଼ିଶା ବୁକ୍ ଷ୍ଟୋର୍ ୧୯୮୦ ମସିହାରେ ଛାପି ଥିଲେ । ଗ୍ରନ୍ଥଟି ସୃଜନିକା ସଂ‌ସ୍ଥାଙ୍କର 'ଓଡ଼ିଆ ବିଭବ' ୱେବ୍‌ସାଇଟ୍‌ରେ ଉପଲବ୍ଧ । ଆମେ ସଂସ୍ଥା ନିକଟରେ ଏଥି ପାଇଁ କୃତଜ୍ଞ । 

Tuesday, February 26, 2019

ଗାନ୍ଧୀଜୀଙ୍କର ଆଶ୍ରମ ଭଜନାବଳୀ - 'ଏହି ମନ ସିନା ଚତୁର୍ଦ୍ଧା ମୂରତି'

କବି - ଅଚ୍ୟୁତାନନ୍ଦ


ଅଚ୍ୟୁତାନନ୍ଦଙ୍କର ଏକ ଛପା ବହିର ମଲାଟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏହି ମନ ସିନା ଚତୁର୍ଦ୍ଧା ମୂରତି ରେ ମୂଢ଼ମତି ।
ମନ କହେ ଚଇତନ ହେତୁରେ ଦେଖ ତୁ ବ୍ରହ୍ମ
ଏ ତତ୍ତ୍ୱ ଚାରି ବେଦେଣ ଦଣ୍ଡିବ ନାହିଁ ଶମନ
ସନକାଦି ମୁନି ଧ୍ୟାଉଛନ୍ତି ରେ ମୂଢ଼ମତି ।

ନ ଯା' ବୃନ୍ଦାବନ ଗୋପ ନ ଖୋଳ ତଡ଼ାଗ କୂପ
ଦେଉଳ ତୋଟା ନ ସ୍ଥାପ ରୋପନା ଦିଅଁ ନ ସ୍ଥାପ
ନ ଯା' ତୁହି ପ୍ରୟାଗ ଗୋମତୀ ରେ ମୂଢ଼ମତି ।

ଏ ଜ୍ଞାନ ଦେହେଣ ଧର ତିଳକ ମାଳା ନ କର
ଜଟା କୌପୀନ ନ ଧର ଭସ୍ମ ଅଙ୍ଗୁ ପରିହର
ଗଙ୍ଗାକୂଳେ ନାହିଁ ସଦଗତି ରେ ମୂଢ଼ମତି .

ଆତ୍ମାକୁ ଆତ୍ମାରେ ଦେଖ, ଦେଖିଲେ ପାଇବୁ ସୁଖ
ତୋର ଦେହେ ତୁହି ଦେଖ ଦିଶୁଅଛି ଜକଜକ
ଭାବି କହେ ପାମର ଅଚ୍ୟୁତି ରେ ମୂଢ଼ମତି ।

Sunday, February 24, 2019

ବୈଷ୍ଣବ ପଦାବଳୀରୁ ଗୀତ - 'ଶୁକ୍ଳାଭିସାରିକା ଶ୍ରୀରାଧା: ସଖୀ ଭକ୍ତି'

କବି - ଗୋପାଳକୃଷ୍ଣ

(ରାଗ-ଶଙ୍କରାଭରଣ। ତାଳ-ଆଠତାଳୀ, ଝୁଲା)


ଜାପାନ ଦେଶର ଚିତ୍ର (ଅଷ୍ଟାଦଶ ଶତାବ୍ଦୀ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଚଳ ଅଭିସାରେ ନବ ଜଳଦକୁନ୍ତୁଳା ।ଘୋଷା।

ରାଧେ! ତୋ ତନୁ ତ ସ୍ୱତଃ ଅନିନ୍ଦ୍ୟ ସୁନ୍ଦର
ତହିଁକୁ ସାଜିଛୁ ଆଜି ଶୋଭାର ସମ୍ଭାର ।୧।

ପହୁରଣ ଶୁଭ୍ରବାସ ଅତି ସୁଶୋଭିତ
କୁଙ୍କୁମ ଚନ୍ଦନ ପଙ୍କେ ସର୍ବାଙ୍ଗ ଚର୍ଚ୍ଚିତ ।୨।

ଅରୁଣ ଅଧରେ ଶ୍ୱେତ-କର୍ପୁର ରାଜିତ
କବରୀ ଉପରେ କୁନ୍ଦ ପୁଷ୍ପମାଳା ବ୍ୟସ୍ତ ।୩।

କଣ୍ଠେ ମୁକ୍ତା ହାରାବାଳୀ ଝଲକି ଉଜ୍ଜ୍ୱଳେ
ପ୍ରଫୁଲ୍ଲ ଶ୍ୱେତ କୁମୁଦ ଶୋଭେ କରତଳେ ।୪।

ବଳୟାବଳୀର କାନ୍ତି ମଳୟଜେ ଲୁଚି
ଶୁକ୍ଳ ବସନ ଭୂଷଣ ବେଶ ଦିବ୍ୟ ରୁଚି ।୫।

ଚନ୍ଦ୍ର ଜ୍ୟୋତ୍ସ୍ନାରେ ଅଧିକେ ଦିଶେ ମନୋହର
ଏ ଅନୁପମ ଶୋଭାରୁ କିସ ପଟାନ୍ତର ।୬।

ଧନ୍ୟ ରେ ଧନ୍ୟାତିଧନ୍ୟ ଶୁକ୍ଳାଭିସାରିଣୀ
ଆଜି ଦୟିତଙ୍କ ମନ ନେବୁ ପରା କିଣି ।୭।

ସୁଚତୁରା ପ୍ରେମାତୁରା ଗତି କର ଧୀରେ
ଅନୁସଙ୍ଗିନୀ ଗୋପାଳକୃଷ୍ଣ ସନ୍ନିଧିରେ ।୮।

ଶବ୍ଦାର୍ଥ


ଜଳଦ- ମେଘ 
ରୁଚି- ଶୋଭା 

ଉତ୍ସ - ଶ୍ରୀ  ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ ।  ପ୍ରଥମ ସଂସ୍କରଣ - ୧୯୮୦ । ବହିଟି ସୃଜନିକା ସଂସ୍ଥାଙ୍କର ୱେବ୍‌ସାଇଟ୍ 'ଓଡ଼ିଆ ବିଭବ'ରୁ ନିଆଯାଇଛି ।

Friday, February 22, 2019

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୯

ସଙ୍କଳନ - ସ୍ନେହଲତା ଷଡଙ୍ଗୀ



ବିଭିନ୍ନ ପ୍ରକାରର ଆଫ୍‌ଗାନ୍ ପଗଡ଼ି ଓ ଟୋପି (ୱିକିମିଡିଆ କମନ୍ସ୍)


୯୧


ଚାଲୁଣି କହୁଛି ଛୁଞ୍ଚିକି
ତୋ' ପଛରେ ଗୋଟିଏ କଣା ।

ଅର୍ଥ: ନିଜର ଯଥେଷ୍ଟ ଦୋଷ ଗୁଣ ଥିବା ସତ୍ତ୍ୱେ, ଅନ୍ୟର ଦୋଷଗୁଣ ଦେଖି ଖରାପ ଟିପ୍ପଣୀ ଦେବା ।

୯୨


ବହ୍ୱାଡ଼ମ୍ବରେ ଲଘୁ କ୍ରିୟା ।

ଅର୍ଥ: ଅତି ଛୋଟ କାମ କରିବା ପାଇଁ ବିରାଟ ଧରଣର ପ୍ରସ୍ତୁତି ।

୯୩


ଚାଷ ହୁଡ଼ିଲେ ବରଷେ
ଭୋଟର ହୁଡ଼ିଲେ ପାଞ୍ଚ ବରଷ ।

ଅର୍ଥ: ଚାଷ କାର୍ଯ୍ୟରେ କିଛି ଭୁଲ୍ କଲେ ତାହାର ପରିଣାମ ଚାଷୀକୁ ଗୋଟିଏ ବର୍ଷ ଭୋଗ କରିବାକୁ ପଡ଼ିବ । ହେଲେ ଭୋଟର ଭୁଲ୍ ପ୍ରତିନିଧି ନିର୍ବାଚିତ କଲେ, ତାହାର ଫଳାଫଳ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।

୯୪ 


ସମୁଦ୍ରକୁ ଶଙ୍ଖେ ପାଣି

ଅର୍ଥ: ଯେଉଁଠାରେ ଆବଶ୍ୟକତା ବହୁତ ଅଧିକ ସେଠାରେ କିଞ୍ଚିତ୍ ସହାୟତା ଦେବା । ଯେପରି ସମୁଦ୍ରରେ ଶଙ୍ଖପୂର୍ଣ୍ଣ ପାଣି ପକାଇ ସମୁଦ୍ର ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବାକୁ ଚେଷ୍ଟା କରିବା ।

୯୫ 


ପାଗ ଭିଡ଼ୁ ଭିଡ଼ୁ କଚେରୀ ବରଖାସ୍ତ ।

ଅର୍ଥ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଅଧିକ ପ୍ରସ୍ତୁତ ।

Thursday, February 21, 2019

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୮

ସଙ୍କଳନ - ସ୍ନେହଲତା ଷଡଙ୍ଗୀ


କଳାକାର - ଜେମ୍ସ୍ ଫୋର୍ବ୍‌ସ୍ ଓ ଜନ୍ ଗ୍ରେଗ୍
୧୭୭୪ମସିହାର କଳାକୃତି (ୱିକିମିଡିଆ କମନ୍ସ୍)


୮୬


ଗଛର ଛାଇ, ମଣିଷ ହାଇ
ଯେଣେ ଗଲେ ତେଣେ ଉଧାଏ ନାହିଁ ।

ଅର୍ଥ: ଯେପରି ବଡ଼ ଗଛର ଛାଇରେ ଛୋଟ ଗଛ ବଢ଼ିପାରେ ନାହିଁ । ସେହିଭଳି କୌଣସି ମଣିଷ ପ୍ରତି ଅନ୍ୟାୟ କଲେ ତା’ର ଅନ୍ତରରୁ ଯେଉଁ ଅଶାନ୍ତି ଆସ ସେହି ପ୍ରଭାବରୁ ଅନ୍ୟାୟ କରିଥିବା ଲୋକଟି କେଉଁଠି ବି ଶାନ୍ତିରେ ରହିପାରେ ନାହିଁ ।

୮୭


ଉପରେ ପଡ଼ିଲେ ବଜେଇ ଶିଖନ୍ତି ।

ଅର୍ଥ: ମଣିଷ ଯେତେ ଅଯୋଗ୍ୟ ହେଉ ବା ଫୁଲାଫାଙ୍କିଆ ହୋଇଥାଉ, ଥରେ ଦାୟିତ୍ୱ ନିଜ ଉପରକୁ ଆସିଲେ ଧୀରେ ଧୀରେ ସବୁ କାମ ଶିଖିଯାଏ ଓ ଠିକ୍ ଭାବେ କରିବାକୁ ଚେଷ୍ଟା କରେ ।

୮୮


ଯେମିତି ଦିଅଁକୁ ସେମିତି ପୂଜା
ବାଲି ଗରଡ଼ାକୁ ଚାଉଳ ଭଜା ।

ଅର୍ଥ: ମଣିଷ ଯେଉଁଭଳି ବ୍ୟବହାର କରିବ ତଦନୁଯାୟୀ ଫଳ ପାଇବ ।

୮୯


ଘଇତା ଅଯୋଗ୍ୟ ପଣେ
ମାଇପ ଶୋଇଲା ସନ୍ତରା ବଣେ ।

ଅର୍ଥ: ଅଯୋଗ୍ୟ ଲୋକକୁ ବାହା ହେଲେ, ତାହାର କର୍ମରୁ ନିଜକୁ କଷ୍ଟ ପାଇବାକୁ ହେବ ।

୯୦


ଏକ ଦଣ୍ଡବତ ନ କରି ଶହେ ଦଣ୍ଡବତ ।

ଅର୍ଥ: ଛୋଟ କଳହକୁ ଠିକ୍ ଭାବେ ସମାଧାନ ନ କଲେ ତାହା ବିରାଟ ରୂପ ଧାରଣ କରିବ ଓ ତୁମକୁ ଅଧିକ ଅସୁବିଧାରେ ପକାଇବ ।

Wednesday, February 20, 2019

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୭

ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଥାଇଲ୍ୟାଣ୍ଡ୍‌ର ବାଉଁଶକଳା (ୱିକିମିଡିଆ କମନ୍ସ୍)


୮୧


ଘରେ ନାହିଁ ଭୁଜେଇ ହୁଦା
ପୁଅ କରୁଛି ଦୁଆରେ ପୂଜା ।
ଅର୍ଥ: ଘରେ ସମ୍ବଳ ନାହିଁ ଅଥଚ ଫୁଟାଣି ମାରିବା ପାଇଁ ଲୋକକୁ ଦେଖଇ କରି ପଇସା ଖର୍ଚ୍ଚ ଚାଲିଛି ।

୮୨


ଲୁହା କଅଁଳ ହେଲାରୁ ବିରାଡ଼ି କାମୁଡ଼ି ଗୋଡ଼ଉଛି ।
ଅର୍ଥ: ବ୍ୟକ୍ତିକୁ ଶ୍ରଦ୍ଧା ଓ ସମ୍ମାନ କଲେ ସେ ତାହାର ପ୍ରତି ବଦଳରେ ଶ୍ରଦ୍ଧା କରିବା ପରିବର୍ତ୍ତେ ନିଜର ହାକିମାତି ଜାହିର କରିବା ।

୮୩


ଦଣ୍ଡିବା ଶକ୍ତି ଯାର ଥାଇ
ସେ ପୁଣି କ୍ଷମା ଆଚରଇ ।
ଅର୍ଥ: ଯାହାକୁ ଦୋଷୀ ବୋଲି ପ୍ରକୃତ ପ୍ରମାଣ ମିଳେ, ସେ ଯଦି ନିଜ କାର୍ଯ୍ୟ ପାଇ ପଶ୍ଚାତାପ କରେ ଓ ପ୍ରାୟଶ୍ଚିତ କରେ ତାକୁ କ୍ଷମା କରିଦେବା ଉଚିତ ।

୮୪


ଯେବେ ପୁରି ଅଛି ଡୋଲି
ତେବେ ସୁସାର ବଚନ ବୋଲି ।
ଯେବେ ପୂରିନାହିଁ ଡୋଲି
ଫୋ ଫା କରି ବୋଲି ।
ଅର୍ଥ: ମଣିଷର ପେଟ ପୁରିଥିଲେ ମନ ଶାନ୍ତି ରହେ ଓ ସେ ସବୁ କାମ ସୁରୁଖୁରୁରେ କରେ । ପେଟ ପୂରି ନଥିଲେ କାମ କରି ହୁଏନି ଓ ମନ ଉତ୍ତେଜିତ ରହେ ।

୮୫


ଯଦି ନାହିଁ ଉପୁରି
କି କରିବ ଚାକରି ।
ଅର୍ଥ: ମଣିଷ ସବୁବେଳେ ନିଜ ପ୍ରାପ୍ୟ ଧନଠାରୁ ଅଧିକ ଧନ ପାଇଲେ ବେଶି ଆନନ୍ଦ ଉପଭୋଗ କରେ ।

Sunday, February 17, 2019

ଓଡ଼ିଶାର ଢଗ ଢମାଳୀ ସଙ୍ଗ୍ରହ - ୧୬

ସଙ୍କଳନ - ସ୍ନେହଲତା ଷଡଙ୍ଗୀ


ଫତୋଗଡ଼ ଗାଁରେ ଦୋଳ ଯାତରା (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)


୭୬
 


ଦିଅଁ ଖାଇ ଖଟୁଲି ଖାଇବା ।
ଅର୍ଥ: ନିଜ ଆୟଠାରୁ ବ୍ୟୟ ଅଧିକ କରି ସର୍ବସ୍ୱାନ୍ତ ହୋଇଯିବା ।

୭୭


ଯାହାର ମନ ଯେଡ଼େ
ତାହାର ପ୍ରଭୁ ସେଡ଼େ ।
ଅର୍ଥ: ବ୍ୟକ୍ତି କାହା ପାଇଁ ଶ୍ରଦ୍ଧା ଓ ଭକ୍ତିରେ କିଛି କରିବାକୁ ଚାହୁଁଥିବା ବେଳେ ଉପାୟ ଆପେ ଆପେ ଆସିଯିବା ।

୭୮


ଲେଉଟିଆ ଶାଗ କାଟି ଖାଇବା ।
ଅର୍ଥ: କୌଣସି ଜିନିଷକୁ ଧୀରେ ଧୀରେ ସାରିବା ।

୭୯


କହ୍ନେଇ ପାଇଁ ସିନା ଦୋଳ ଯାତରା ।
ଅର୍ଥ: ପୁଅର ଖୁସି ପାଇଁ ସିନା ମା’ ବାପା ସବୁ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି । ଯଦି ସେ ଖୁସି ନୁହଁ ତାହା ହେଲେ ଆଉ କାହା ପାଇଁ ଏ ଆୟୋଜନ ।

୮୦


ଷୋଳ ନଖରୁ ନଖେ ସରିନି,
ପିଲାର ବହପ ଦେଖ ।
ଅର୍ଥ: ଅତି ଛୋଟ ବେଳରୁ ଉତ୍ସୃଙ୍ଖଳ ହୋଇ କଥାବାର୍ତ୍ତା କରିବା ।

Friday, February 15, 2019

ବୈଷ୍ଣବ ପଦାବଳୀ - 'ଖଣ୍ଡିତା ଶ୍ରୀରାଧା'

(ରାଗ-ମୁଖାବରୀ। ତାଳ-ଆଦି)


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଯାଅ ଯାଅ ମୋ ପାଶରୁ ଶ୍ୟାମ ତେଣିକି ହେ। ୦।

କି ଭାଗ୍ୟ ଆଜ ମୋହରପ୍ରଭାରୁ ମୁଖ ତୁମ୍ଭର
ଦେଖି କେ ଲୋଭା ନୋହିବ ପୁଣି କି ହେ ।୧।

କାଲି ନିଶି ଉଜାଗରରହିଲି କାହା ମନ୍ଦିର
ଶୟନ କରଯା' ଘେନ ବାଣୀକି ହେ ।୨।

ଅଧରେ କଜ୍ଜ୍ୱଳ ଗାର ଦିଶୁଛି କି ମନୋହର
କରେ ଦେଖ କଙ୍କଣରେ ମଣିକି ହେ ।୩।

ତୁମ୍ଭ ବରନ ସମାନ ଜାଣି କେ ଦେଲା ବସନ
ଧନ୍ୟ ବୋଲି ସିନା ସେ ରମଣୀ କି ହେ ।୪।

ଜଗନ୍ନାଥ ରାଜା ଭାଷେ ଆହା ଧ୍ୟାନେ କି ଶୋଭା ସେ
ଆସିଲ କି ପଥ ଭୁଲି ଏଣିକି ହେ ।୫।

ଉତ୍ସ - ଶ୍ରୀ  ଜାନକୀବଲ୍ଲଭ ମହାନ୍ତି ଦ୍ୱାରା ସମ୍ପାଦିତ ଓ ସଙ୍କଳିତ ବୈଷ୍ଣବ ପଦାବଳୀ । ପ୍ରକାଶକ - ଓଡ଼ିଶା ବୁକ୍ ଷ୍ଟୋର, କଟକ ।  ପ୍ରଥମ ସଂସ୍କରଣ - ୧୯୮୦ । ବହିଟି ସୃଜନିକା ସଂସ୍ଥାଙ୍କର ୱେବ୍‌ସାଇଟ୍ 'ଓଡ଼ିଆ ବିଭବ'ରୁ ନିଆଯାଇଛି ।

Wednesday, February 13, 2019

କୋଳଥ ଜୁସ୍

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - କଳା କୋଳଥର କଞ୍ଚା ଡାଲି କରି ଭଲ ରୂପେ ବାଛି ନେବ । ଜଳ ନିର୍ଦୋଷ ଦେଖି ଆଣି ଛାଣି ଦେବ । ମନ୍ଦ ମନ୍ଦ ଜାଳରେ ସିଝି ସିଝି ଡାଲିର ଜଳ ଅଧ ପାଏ ରହିଲେ ଉତାର । ରସତକ ଗଡ଼ାଇ ନେଇ ରଖ । ଅନ୍ୟ ଗୋଟାଏ ହାଣ୍ଡି ଚଢ଼ାଅ, ଘିଅ ତେଜପତ୍ର ପକାଇ ଜୁସ୍‌ଟା ବଘାରି ନିଅ । ଲୁଣ, କାଗଜିଲେମ୍ବୁ ଓ ଗୋଲମରିଚଗୁଣ୍ଡା ମିଶାଇ ଖାଇବାକୁ ଦେବ ।

ଗୁଣାଗୁଣ - କୋଳଥର ଜୁସ୍ ଅଗ୍ନିବର୍ଦ୍ଧକ, ବାୟୁର ଅନୁଲୋମନକାରକ ଏବଂ ଗୁଳ୍ମ, ତୂନୀ, ପ୍ରତିତୂନୀ, ମେହ, ମେଦଦୋଷ, ଅର୍ଶ, ଅଶ୍ମରୀ ଓ ବାତ କଫର ଶାନ୍ତିକାରକ ।

ବି.ଦ୍ର. - କୋଳଥ ଜୁସ୍ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Tuesday, February 12, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ଫେଡ଼ି ନୟନ'

(ଇଂରାଜୀ ସ୍ୱର)


ଲିଓନାର୍ଦୋ ଦାଭିଞ୍ଚିଙ୍କର ଚିତ୍ର 'ଟୁ ହେଡ଼୍‌ସ୍'
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଫେଡ଼ି ନୟନ କରହେ ଦର୍ଶନ
ଭାରତାକାଶେ ନବୀନ ତପନ
ହୋଇ ଉଦୟ ଗାଇ ବ୍ରହ୍ମ-ଜୟ,
ପୁଣ୍ୟ କିରଣ କରୁଛି ବର୍ଷଣ ।

ଉଠ ହେ ଉଠ ନ କରିଣ ମଠ,
ପ୍ରେମର ଡାଲା ସାଜ ହେ ବହନ ।

ଭକ୍ତି-ଚନ୍ଦନେ ପୁଣ୍ୟର ବସନେ
ହୋଇ ଭୂଷିତ କର ଆଗମନ ।

ନବୀନ ବର୍ଷେ ମନର ହରଷେ
ନର ନାରୀଏ କର ସଙ୍କୀର୍ତ୍ତନ ।

ବିଶ୍ୱାସ-ଅଗ୍ନି ଜାଳି ଭ୍ରାତା ଭଗ୍ନି
ଡାକ ପ୍ରାଣେଶେ ଦେଇ ପ୍ରାଣ ମନ ।

ଆତ୍ମା-ଘୃତରେ ଶରୀର-କାଷ୍ଠରେ
ଜୀବନ-ଯଜ୍ଞ କର ସମାପନ ।

Monday, February 11, 2019

ବୁଟର ପାନକ

ସରୋଜିନୀ ଚୌଧୁରୀ


ବୁଟର ଫୁଲ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପ୍ରଣାଳୀ - ବଛାଇ ନିର୍ଦ୍ଦୋଷ ବୁଟ ସିଦ୍ଧ କରି ପରିଷ୍କାର ଜଳରେ ରାତିରେ ଭିଜାଇବ । ସକାଳେ ସେହି ଜଳ ଛାଣି ଖାଇବାକୁ ଦେବ । ବୁଟଭିଜା ବାସି ଜଳ ଶୀତଳ, ପିତ୍ତନାଶକ ଏବଂ ସନ୍ତର୍ପଣ ଓ ପୁଷ୍ଟିକାରକ । ଚିନି ଓ କାଗଜିଲେମ୍ବୁ ଦେଇ ଏହି ପାନକୁ ସୁସ୍ୱାଦୁ କରାଯ।ଏ, ଏବଂ ତଦ୍ୱାରା ଗୁଣର କୌଣସି ବ୍ୟତିକ୍ରମ ହୁଏ ନାହିଁ ।

ବି.ଦ୍ର. - ବୁଟର ପାନକ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Sunday, February 10, 2019

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ସର୍ବେ ମିଳି ଡାକ ବ୍ରହ୍ମେ'

(ଜୟଜୟନ୍ତୀ - ଆଠତାଳୀ)


୧୮୮୪ ମସିହାରେ ଅଙ୍କିତ ଚିତ୍ର
ଚିତ୍ରକର - ଆନ୍ନା ଭନ୍ ୱାଲ୍ (୧୮୬୧-୧୯୩୮)

ସର୍ବେ ମିଳି ଡାକ ବ୍ରହ୍ମେ ବ୍ରହ୍ମାଣ୍ଡ-ଇଶ୍ୱର ହେ,
ସେହି ବ୍ରହ୍ମ ନାମ ବାଜୁ ହୃଦ-ମୃଦଙ୍ଗରେ ହେ ।

ଅନନ୍ତ ସୁନୀଳ ବ୍ୟୋମେ ନକ୍ଷତ୍ର ଭାସ୍କର ସୋମେ
ବିରାଜିତ ମହେଶ୍ୱର ଜୀବନରୂପରେ ହେ ।

ବିସ୍ତୀର୍ଣ୍ଣ ଅବନୀତଳ ନଦୀ ସମୁଦ୍ର ଅଚଳ
ପ୍ରକାଶନ୍ତି  ବିଭୁକୀର୍ତ୍ତି ସର୍ବ ସମୟରେ ହେ ।

ଅସଙ୍ଖ୍ୟ ବାରିଦରାଜି ଅନ୍ତରୀକ୍ଷରେ ବିରାଜି
ଘୋଷନ୍ତି ବିଭୁଙ୍କ ନାମ ଗମ୍ଭୀର ନାଦରେ ହେ ।

ଗାଅ ସର୍ବେ ସେହି ନାମ ମଙ୍ଗଳ ଶାନ୍ତିର ଧାମ,
ନ ରହିବ ପାପ ତାପ ଆଉ ହୃଦୟରେ ହେ ।

Thursday, February 07, 2019

ସପୁରିର ସରବତ

ସରୋଜିନୀ ଚୌଧୁରୀ


ଯୁକ୍ତରାଜ୍ୟ ଆମେରିକାର ହାୱାଇ ଦ୍ୱୀପରେ ସପୁରୀ ଚାଷ (୧୯୧୪ ମସିହାରେ ପ୍ରକାଶିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - ଗୋଟିଏ ମଧ୍ୟ ଭଳି ସପୁରିର ଚୋପା ଛଡ଼ାଇ ଆଖିଗୁଡ଼ା ପକାଇଦେଇ ଚୁନି ଚୁନି କରି କାଟିବ । ଅଧପା' ଚିନିରେ ପାଏ ଜଳ ମିଶାଇ ଚୁଲିରେ ଚଢ଼ାଇ ରସ ପ୍ରସ୍ତୁତ କରି ସେଥିରେ ଉକ୍ତ ସପୁରିକୁ ଢାଳି ଦେଇ ଓ ଟିକେ ତଟକା ଚୂନ ମିଶାଇ ସିଝାଇ ପାତ୍ରଟି ବନ୍ଦ କରି ଶୀତଳ ସ୍ଥାନରେ ଦୁଇ କି ତିନି ଘଣ୍ଟା ରଖିଦିଅ । ଦୁଇ ତିନି ଘଣ୍ଟା ପରେ ସପୁରିକୁ ସେହି ରସରେ ଭଲ ରୂପେ ଚକଟି ପରିଷ୍କାର କନାରେ ଛାଣି ତହିଁରେ ଛଅ କି ସାତ ସେର ପରିଷ୍କାର ଜଳ ମିଶାଇଲେ ଅତି ଉତ୍କୃଷ୍ଟ ସରବତ ହେବ ।

ବି.ଦ୍ର. - ସପୁରିର ସରବତ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Wednesday, February 06, 2019

ଫିଲିସ୍ତିନ୍‌ର କବି ଆସ୍‌ମା ଆଜାଇଜେଙ୍କ କବିତା - 'ପ୍ରତିଫଳନ'

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'ୱିଣ୍ଟର୍ ଲ୍ୟାଣ୍ଡ୍‌ସ୍କେପ୍ ୱିଥ୍ ବ୍ୟାରେନ୍ ଟ୍ରି' (୧୯୦୭ ମସିହାରେ ଅଙ୍କିତ)
ଚିତ୍ରକର - ଅଟୋ ହେନ୍‌ରୀ ବାକର୍ (୧୮୫୬ - ୧୯୦୯)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଗତକାଲି ମୋର ସବୁତକ କବିତା ସମ୍ପାଦକଙ୍କ ପାଖକୁ ପଠେଇଦେଲି ।
ଲାଗିଲା ଯେମିତି ମୁଁ ପଠେଇ ଦେଇଛି ମୋର
ପୁରା ମୁଣ୍ଡ ଆଉ ଯେଉଁ ଯେଉଁ ଶବ୍ଦମାନଙ୍କରେ ମୁଁ
କଥା କହିଥାଏ,
ଆଜିଠୁ ତାହା ବାହାରି ଆସିବ ତାଙ୍କରି ମୁହଁରୁ ।

କି ଘୃଣା ।
ଘୃଣାମାନେ କେବେ ଏକଲା ଆସନ୍ତିନି,
ଦଳଦଳ ହୋଇ ଖାଦ୍ୟସନ୍ଧାନରେ
ଉଡ଼ି ବୁଲନ୍ତି ଘୃଣାଦଳ,
ମରଣ ପୂର୍ବରୁ ଏକଥା କହିଯାଇଛନ୍ତି ଜଣେ କବି ।

ଏ ବିଷୟରେ ମୁଁ କିଛି କହିବିନି, କାରଣ ମୁଁ
ମୋର କବିତା ସବୁକୁ ଏଇ ଦେଖ
ତେଜ୍ୟା କରି ସାରିଲିଣି ।
କବିମାନେ ସବୁରାତିରେ ମାତାଲ
ମୋହର ଝରକା ଆର ପଟେ,
ଡ୍ରମ୍ ପିଟିପିଟି ପହଞ୍ଚାଇ ଦେଇଥା'ନ୍ତି ନିଜନିଜର ବିଚକ୍ଷଣ କବିତା ମୋ ନିକଟକୁ ଆଉ ମୁଁ,
ଘୃଣା କରୁଥାଏ ବିଜ୍ଞତାକୁ,
ଘୃଣାକରୁଥାଏ ବାହୁବଳକୁ;
ନିମନ୍ତ୍ରଣ କରି, ସେମାନଙ୍କୁ ମୁଁ ହଲାଲ୍ କରେ
ଯେମିତି ଏକ ମୋଟା ଖାସି,
ମୋର ରାତ୍ରିଭୋଜନ ପାଇଁ ।

ତଥାପି,ମୁଁ ଫେରି ପାଏ ନାହିଁ ମୋର
ଭାଷା, ଯାହା ଦେଖିଥିଲି ଝର୍କା ସେପଟେ
ପାହାଡ ଉପରେ କ୍ରୁଶରେ ଝୁଲୁଛି ।

ମୁଁ ଏବେ ହୋଇଯାଇଛି
ଏକ ନପୁଷ୍ପକ ଗଛର ଛାଇଟିଏ,
ରାସ୍ତା ମଝିରେ ଥିବା ଖାଲରେ ।
ମୋତେ ଦଳିଚକଟି ଯାଅ ନାହିଁ।
ଆଢ଼ୁଆଳ କରି ରଖ ମୋତେ ସମ୍ଭାବିତ ଯେତିକି ସୂର୍ଯ୍ୟଠୁ,
କାଳେ ମୋର ଗଣ୍ଡିଟି ଉଡ଼ିଯିବ
ବାଷ୍ପ ହୋଇ ଆକାଶକୁ ।

ତାହା ପରେ ହୁଏତ ଦିନେ ମୁଁ କଥା କହି ପାରିବି ।
ମୁଁ କହିବି ଘୃଣାକୁ ଚାଲିଯାଆ, ଯଦି
ତାହା ପାଖରେ ସେତେ ଜାଳେଣୀ ନାହିଁ ।
କିନ୍ତୁ ତମେ ମୋ କଥା ଶୁଣି ନାହଁ ।
ପାହାଡ଼ଟା ଥିଲା ଜାଳେଣୀରେ ଭର୍ତ୍ତି ।

Monday, February 04, 2019

ପାଣି ସିଙ୍ଗଡ଼ାର ପତଳା ପାୟସ

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ଉପକରଣ - ବିଶୁଦ୍ଧ ଏକ ଗାଈର ଦୁଧ ଅଧ ସେର, ସିଙ୍ଗଡ଼ାର ଅଟା ଏକ ଛଟାଙ୍କ, ଚିନି ଏକ ଛଟାଙ୍କ, ଚିନି ସ୍ଥାନରେ ମିଶ୍ରି ଦେଲେ ଆହୁରି ଭଲ ହୁଏ । ପରିଷ୍କାର ଫୁଟିଲା ପାଣି ଅଧ ସେର ।

ପ୍ରଣାଳୀ - ଦୁଧ ଓ ଜଳ ମିଶାଇ ପରିଷ୍କାର ମାଟିର ପାତ୍ରରେ ରଖି ଚୁଲ୍ଲୀରେ ଚଢ଼ାଅ । ଦୁଗ୍ଧ ଫୁଟିଲେ ସିଙ୍ଗଡ଼ାର ଅଟା ଗୋଟିଏ ହାତରେ ପକାଉ ଥିବ ଓ ଅନ୍ୟ ହାତରେ କରଚୁଲି ଦେଇ ଘାଣ୍ଟୁ ଥିବ । ସମସ୍ତ ଅଟା ଦିଆ ହୋଇ ଗଲେ ଚିନି ବା ମିଶ୍ରି ପକାଇ କିଛି କ୍ଷଣ ପରେ ଓହ୍ଲାଅ । ଏହା ଲଘୁପାକ, ରୁଚିକର, ବଳକାରକ ଓ ଗୋଟିଏ ପ୍ରଶସ୍ତ ପଥ୍ୟ ଅଟେ ।


ବି.ଦ୍ର. - ପାଣି ସିଙ୍ଗଡ଼ାର ପତଳା ପାୟସ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।