Saturday, April 30, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୩୬ - ୪୩ 


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଅର୍ଜୁନ ଉବାଚ


ଅଥ କେନ ପ୍ରୟୁକ୍ତୋଽୟଂ ପାପଂ ଚରତି ପୁରୁଷଃ ।
ଅନିଚ୍ଛନ୍ନପି ବାର୍ଣ୍ଣେୟ ବଳାଦିବ ନିୟୋଜିତଃ ।୩୬।

ପାପରେ ପ୍ରବୃତ୍ତ ଯେବେ ନୋହିବ ପୁରୁଷ । କରାଇବ  କିଏ ତାକୁ ବଳରେ ପ୍ରବେଶ ।୩୬।

ଶ୍ରୀ ଭଗବାନ ଉବାଚ 


କାମ ଏଷ କ୍ରୋଧ ଏଷ ରଜୋଗୁଣ ସମୁଦ୍ଭବଃ ।
ମହାଶନୋ ମହାପାପ୍ମା ବିଦ୍ଧ୍ୟେନମିହ ବୈରିଣମ୍ ।୩୭।

ରଜଗୁଣୁ ହୋଇ କାମ କ୍ରୋଧ ଆଜି ଜାତ । ହୁଅନ୍ତି ମୋକ୍ଷର ଶତ୍ରୁ ଜାଣିବ ନିତାନ୍ତ । ୩୭।

ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନଚ ।
ୟଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍ ।୩୮।

ଯେମନ୍ତେ ଧୂମରେ ଅଗ୍ନି ମନରେ ଦର୍ପଣ । ଜରାୟୁରେ ଥାଏ ସଦା ଗର୍ଭ ଆଚ୍ଛାଦନ ।।
ତେହ୍ନେ କାମ ଆଚ୍ଛାଦନ କରଇ ଜ୍ଞାନକୁ । ଅତଏବ ଯତନରେ ତେଜିବ କାମକୁ ।୩୮।

ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟ ବୈରିଣା ।
କାମରୂପେଣ କୌନ୍ତେୟ ଦୁଷ୍ପୂରେଣାନଳେନଚ ।୩୯।

ଅନଳସ୍ୱରୂପ କାମ ଜ୍ଞାନୀଙ୍କର ବୈରୀ । ଚିରକାଳ ରଖେ ଜ୍ଞାନ ଆଚ୍ଛାଦନ କରି ।୩୯।

ଇନ୍ଦ୍ରିୟାଣି ମନୋବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।
ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ । ୪୦।

କାମ ଆବିର୍ଭାବ ସ୍ଥାନ ଇନ୍ଦ୍ରି ବୁଦ୍ଧି ମନ । ଜାତ ହୋଇ କରେ ଦେହୀ ଜ୍ଞାନକୁ ଆଚ୍ଛନ ।୪୦।

ତସ୍ମାତ୍ତ୍ୱମିନ୍ଦ୍ରିୟାଣ୍ୟାଦୌ ନିୟମ୍ୟ ଭରତର୍ଷଭ ।
ପାପ୍ମାନଂ ପ୍ରଜହି ହ୍ୟେନଂ ଜ୍ଞାନ ବିଜ୍ଞାନ ନାସନମ୍ ।୪୧।

ତେଣୁ ଆଗେ କର ଇନ୍ଦ୍ରିୟଙ୍କୁ ବଶୀଭୂତ । କର ପୁଣ ଜ୍ଞାନନାଶୀ କାମକୁ ଆୟତ୍ତ । ୪୧।

ଇନ୍ଦ୍ରିୟାଣି ପରାଣ୍ୟାହୁରିନ୍ଦ୍ରିୟେଭ୍ୟଃ ପରଂ ମନଃ ।
ମନସସ୍ତୁ ପରା ବୁଦ୍ଧିର୍ୟୋ ବୁଦ୍ଧେଃ ପରତସ୍ତୁ ସଃ ।୪୨।

ଦେହାଦି ବିଷୟ ଠାରୁ ଇନ୍ଦ୍ରିୟ ବିଶିଷ୍ଟ । ଇନ୍ଦ୍ରିୟ ସମୂହଠାରୁ ମନ ଅଟେ ଶ୍ରେଷ୍ଠ ।।
ମନଠାରୁ ଶ୍ରେଷ୍ଠତର ନିଃସନ୍ଦେହ ଜ୍ଞାନ । ସେହି ଜ୍ଞାନଠାରୁ ଶ୍ରେଷ୍ଠ ପରମାତ୍ମା ଜାଣ ।୪୨।

ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱାସଂସ୍ତଭ୍ୟାତ୍ମାନମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।୪୩।

ଆତ୍ମାକୁ ଏ ରୂପେ ତୁମ୍ଭେ ହୋଇ ଅବଗତ । ବୁଦ୍ଧିଯୋଗେ କର ନିଜ ମନକୁ ଆୟତ୍ତ ।।
କାମ ରୂପ ଦୁରାସହ ବୈରୀକୁ ବିନାଶ । ଏଥିରେ ଲଭିବ ମୋକ୍ଷ ପଦକୁ ଅବଶ୍ୟ ।୪୩।

ଇତି ଶ୍ରୀ ମହାଭାରତେ ଶତ ସାହସ୍ର୍ୟାଂ ସଂହିତାୟାଂ ବୈୟାସିକ୍ୟାଂ
ଭୀଷ୍ମପର୍ବଣି ଶ୍ରୀମଦ୍ଭଗବଦ୍ ଗୀତାସୂଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ
ୟୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ କର୍ମୟୋଗ ନାମ ତୃତୀୟୋଽଧ୍ୟାୟଃ ।

ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧


ଜ୍ଞାନ ୟୋଗ

ଶ୍ରୀ ଭଗବାନ ଉବାଚ 


ଇମଂ ବିବସ୍ୱତେ ୟୋଗଂ ପ୍ରୋକ୍ତବାନହମବ୍ୟୟମ୍ ।
ବିବସ୍ୱାନ୍ ମନବେ ପ୍ରାହ ମନୁରିକ୍ଷ୍ୱାକବେଽବ୍ରବୀତ୍ ।୧।

ପୂର୍ବ କାଳେ ଆମେ ଏହି ଅବ୍ୟୟ ଯୋଗକୁ । ଯତନରେ ଶିକ୍ଷା ଦେଇଥିଲୁଁ ଆଦିତ୍ୟଙ୍କୁ ।।
ମନୁକୁ ଶିଖାଇଥି୍ଲେ ଆଦିତ୍ୟ ଏ ଯୋଗ । ଇକ୍ଷ୍ୱାକୁଙ୍କୁ ଶିଖାଇଲେ ମନୁ ମହାଭାଗ ।୧।

ପିଲାଙ୍କ ଗୀତ - 'ପାତିର ମାଛଧରା'

 

(ପଞ୍ଚାମୃତ - ୨/୨ ସଂଖ୍ୟା, ଜ୍ୟେଷ୍ଠ - ୧୩୩୩)

କବି - କୃଷ୍ଣଚନ୍ଦ୍ର କର (୧୯୦୬-୧୯୯୫)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନଈକୂଳ ବରଗଛେ ବସି ବୁଢ଼ା ପାତି
ଦେଖିଲା କେଉଟ ଜାଲେ ନଈରେ ପକାନ୍ତି ।

ମାଛ ଧରି ଅତାଡ଼ିରେ ଜାଲ ଦେଇ ପାରି 
ଆନନ୍ଦେ କେଉଟେ ଗଲେ ଘରକୁ ବାହାରି ।

ତା ଦେଖି ପାତିଟି ଗଛୁଁ ଆସିଲା ଓହ୍ଲାଇ 
କେଉଟଙ୍କ ପରି ଜାଲ ପକାଇବା ପାଇଁ ।

ବୋଇଲା "ଏ ଜାଲେ ଆଜି ମାଛ ମୁଁ ଧରିବି 
ପରମ ଆଦରେ ନେଇ ମାଙ୍କଡୀକି ଦେବି ।"

ଏତେ ବୋଲି ଜାଲମୁଠା ଧଇଲା ହାତରେ 
ପକାଇ ଆସିଲା ତାକୁ ନଦୀର ଜଳରେ ।

ନିର୍ବୁଦ୍ଧିଆ ଜୀବ ପୁଣି ସହଜେ ତ ପାତି,
ସେ କାହୁୁଁ ଜାଣିବ ଜାଲ ପକାଇବା ରୀତି !

ତରତରେ ଶେଷେ ଜାଲ ଦିଅନ୍ତେ ପକାଇ
ଆପେ ଛନ୍ଦିହୋଇ ଜଳେ ପଡ଼ିଲା ସେ ଯାଇ ।

ଚାହୁଁ ଚାହୁଁ ଜାଲ ସଙ୍ଗେ ପାତିଗଲା ବୁଡ଼ି
ସେକାଳେ ବୋଇଲା ଦୁଃଖେ ଛାଡ଼ି ଘୋର ରଡ଼ି 

"ଏ ପାପର ଏହି ଏକା ଉପଯୁକ୍ତ ଫଳ 
ଭୋଗିଲି ମୁଁ ଆପେ ଆପେ ମୋ କରମ ଫଳ ।" 

ଦିନେ ସୁଦ୍ଧା ନ ଜାଣେ ଯେ ଜାଲ ବ୍ୟବହାର 
ତା' ପକ୍ଷେ ଏ କାର୍ଯ୍ୟ ଅହୋ ! କେଡ଼େ ଅବିଚାର !

ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।

Friday, April 29, 2016

ସିନେମା ଗୀତ - ମୋ ମନବୀଣାର ତାରେ 






ମୋ ମନ ବୀଣାର ତାରେ

ଫଟୋ କ୍ରେଡ଼ିଟ୍ : http://themusepaper.blogspot.in/2011/04/manika-jodi-odia-movie-1963.html

ଗୋରୁଙ୍କ ସମ୍ପର୍କରେ କିଛି ଓଡ଼ିଆ ଢ଼ଗ ଢ଼ମାଳି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧. ଆଗେ ଚାନ୍ଦ, ପଛେ ଚାନ୍ଦ, ତାକୁ ନେଇ ମଝିଖୁଣ୍ଟରେ ବାନ୍ଧ ।

୨. ଆଣିଥିବୁ ମୂଳାଶିଙ୍ଗାକୁ ରସି, କାନ୍ଦୁଥିବୁ ହିଡ଼ମୁଣ୍ଡରେ ବସି ।

୩. କାଳି ଗାଈର ଦୁଧ ମିଠା ।

୪. କାଳିଆ ବଳଦ କସରା, ୟାଙ୍କୁ ନ କରିବ ପସରା ।

୫. ଖର ଗାଈର ଖୀର ସୁଆଦ ।

୬. ଗାଈପୁଅ ଅଣ୍ଡିରା, ଘରେ ନ ବାନ୍ଧେ ଜଣ୍ଡରା ।

୭. ଗାଈ ମୁହଁରେ ଦୁଧ ।

୮. ଗୁହାଳ ସୁତୁରା ଦେଖି ଗାଈ ହମାଳି ପଶେ ।

୯. ଗୋଠ ସୁଆର ଥିଲେ ଗାଈ ହମାଳି ପଶେ ।

୧୦. ଗୋଠ ଖଣ୍ଡିଆ ଗାଈ ।

୧୧. ଗୋଠଖଣ୍ଡିଆର ଗୋସେଇଁ ମରେ ।

୧୨. ଗୋଠ ମାତିଲେ ଖଣ୍ଡିଆ (ହଡ଼ା) ମାତେ ।

୧୩. ଗୋଠେ ଅଣ୍ଡିରା, ଘରେ ମାଇ, ବଂଶ ବୁଡ଼ିଲାରେ ଭାଇ ।

୧୪. ଘଣା-ବଳଦ, ଘଣାରୁ ଫିଟିଲେ ଥୋଡ଼ିକି ଲଦ ।

୧୫. ଘଣା-ବଳଦର ଗୋଠରେ କି ସମ୍ବନ୍ଧ ।

୧୬. ତେଲୀ ଘର ଗୋରୁ, ଗାଡ଼ିରେ ନ ଗଲେ ଘଣାରେ ମରୁ ।

୧୭. ତେଲୀ ଘର ଗୋରୁ, ଘଣା ଓଟରାରୁ ଲଦନ ଗୁରୁ ।

୧୮. ତେଲୀ ବଳଦ, ଘଣାରେ ନ ଗଲେ ପଲାଣ ଲଦ ।

୧୯. ଦୁଧ ଯେବେ ଖାଇ ମନେ କରିବ ଘରେ ଥିବ ଗାଈ,
        କଳି ଯେବେ କରି ବସିବ ସଙ୍ଗେ ଥିବ ଭାଇ ।

୨୦. ଦୁଧର ବାଛୁରୀ, ପାଣିର ଧାନ ।

୨୧. ଫଁ ଫଁ ବଳଦ ମାରେ ନାହିଁ । 

ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୬


ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ' 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଆଚମନ - ଭୋଜନ କରିବା ପୂର୍ବରୁ ମନ୍ତ୍ରପାଠ ପୂର୍ବକ ଗଣ୍ଡୂଷ ଦ୍ୱାରା ସାମାନ୍ୟ ଜଳ ମୁଖ ଗହ୍ୱରକୁ ନେବା । ଭୋଜନାଦି ପରେ ମୁଖ ଧୌତ କରିବା, ଆଚମନ କ୍ରିୟା ବା ଆଞ୍ଚେଇବା । ଧର୍ମ କାର୍ଯ୍ୟ ପାଇଁ ମନ୍ତ୍ରପାଠ । ବିଧିମତେ ଜଳ ଗ୍ରହଣ । ପୂଜା ପୂର୍ବରୁ ତିନି ଥର ଜଳ ପାନ କରି ଦୁଇଥର ସମ୍ବୃତ ଓଷ୍ଠାଦାର ମାର୍ଜନା କରି ମଥା ଆଦି ଛଅ ବା ଆଠ ଅଙ୍ଗ ସ୍ପର୍ଶରୂପ ବା ପ୍ରତୀକ ଶୁଦ୍ଧିକ୍ରିୟା । ମନୁଙ୍କ ମତାନୁସାରେ ଚକ୍ଷୁ, କର୍ଣ୍ଣ, ନାସିକା, ହୃଦୟ, ମସ୍ତକ, ନାଭି ଓ ବାହୁ ସମେତ ଅଷ୍ଟାଙ୍ଗ ସ୍ପର୍ଶ କରିବାକୁ ହୁଏ । ହସ୍ତମଧ୍ୟରେ ଥିବା ତୀର୍ଥ ସ୍ଥାନାନୁସାରେ ମଧ୍ୟ ଆଚମନ କରାଯାଏ । ଶ୍ରୀମନ୍ଦିରରେ ଷୋଡ଼ଷ ପୂଜା ଉପଚାର ମଧ୍ୟରୁ ଅନ୍ୟତମ ।

ଆଟିକା - ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅନ୍ନ ଆଦି ରଖିବା ଓ ରୋଷେଇ କରିବା ନିମନ୍ତେ ବ୍ୟବହୃତ ଛୋଟ ମାଟି ହାଣ୍ଡି । ଶ୍ରୀଜଗନ୍ନାଥଙ୍କ ଦର୍ଶନକୁ ଆସିଥିବା ଯାତ୍ରୀମାନେ ଶ୍ରୀଦଗନ୍ନାଥଙ୍କ ଠାରେ ଚିରକାଳ ଭୋଗଲାଗିବା ଉଦ୍ଦେଶ୍ୟରେ ଯେଉଁ ଧନ ଦାନ କରି ଯାଆନ୍ତି ବା ଦେବାକୁ ସ୍ୱୀକାର କରିଯାଆନ୍ତି । 

ଆଡ଼ପ ଅଭଡ଼ା - ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ଅନ୍ନରନ୍ଧା ହୋଇ ଠାକୁରମାନଙ୍କୁ ଭୋଗ ଲାଗିହୁଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋଗ କରାଯାଉଥିବା ଅଭଡ଼ା ।

ଆଡ଼ପ ତଣ୍ଡୁଳ - ଉଆ ଚାଉଳ ବା ଅରୁଆ ଚାଉଳ । ଯାହା ଆଡ଼ପ ମଣ୍ଡପରେ ଆଡ଼ପ ଅଭଡ଼ା ନିମନ୍ତେ ବ୍ୟବହୃତ ହୁଏ ।

ଆଡ଼ପ ବସିବା -  ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ମାଧ୍ୟମରେ ଯେପରି ବନ୍ଧୁତ୍ୱ ସ୍ଥାପନ କରାଯାଇଥାଏ, ସେହିପରି ଗୁଣ୍ଡିଚା ମନ୍ଦିରର ଅନ୍ନଭୋଗଦ୍ୱାରା 'ଆଡ଼ପ' ମିତ୍ରତା ମଧ୍ୟ ସ୍ଥାପନା କରାଯାଇଥାଏ ।  

ଆଦି ଭୋଗ - କୋଠ ଭୋଗ, ଯଜମାନୀ ଭୋଗ, ଉପାଧି ଭୋଗ, ଆଦ୍ୟ ସମ୍ବୋଧନୀ ଭୋଗ - ଗୋପାଳ ବଲ୍ଲଭ ଭୋଗ ।

ଆନନ୍ଦବଜାର - ପୁରୀ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଶ୍ରୀମହାପ୍ରସାଦର ବିକ୍ରୟ ସ୍ଥାନ । ପୂର୍ବେ ଏହା କୈବଲ୍ୟ ହାଟ ନାମରେ ପ୍ରସିଦ୍ଧ ଥିଲା ।  

Thursday, April 28, 2016

ବୈକୁଣ୍ଠନାଥ ପଟ୍ଟନାୟକ (୧୯୦୪-୧୯୭୯) ଙ୍କର ପ୍ରସିଦ୍ଧ ଗୀତ - 'ଯାତ୍ରା ସଙ୍ଗୀତ'


ଗାୟକ - ସୁନନ୍ଦା ପଟ୍ଟନାୟକ


ଭଜନର ୟୁଟ୍ୟୁବ୍ ଲିଙ୍କ୍ - https://www.youtube.com/watch?v=USit4pFbho8



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 








ଫକୀର ମୋହନଙ୍କର କିଛି ଗଡ଼ଜାତିଆ ଶବ୍ଦ - ୪


ଶ୍ରୀ ଫକୀରମୋହନ ସେନାପତି କୃତ  ପ୍ରବନ୍ଧ 'ଆଳିମାଲିକା' ରୁ ସଂଗୃହୀତ


ଓଡ଼ିଶାର ଗଡ଼ଜାତ ରାଜ୍ୟ ଗୁଡ଼ିକର ମାନଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯୋଗାଣ, ମଣୋହି, ଠା - ରାଜଭୋଜନ, ଶୀତଳ ମଣୋହି, ଜଳଖିଆ ଖାଇବା ।

ଯୋଗାଡ଼ - ଭୋଜନ ପାତ୍ରାଦି । 

ଆପଟ - କାନ୍ଧିଆ ଗଉଡ଼, ଅବଶ୍ୟ ଦେବବାହକ, ରାଜବାହାକ ।

ସୁଅସିଆ - ମୁଲିଆ ।

ସୁଆର - ସୂପକାରର ଅପଭ୍ରଂଶ । ରାଜପାଚକ ।

ପାଣିଆ - ଯେଉଁ ଗଉଡ଼ ରାଜ ବ୍ୟବହାର୍ଯ୍ୟ ଜଳ ଦିଏ । ରାଜାଙ୍କ ଖନ୍ଦାରେ ବା ପିଇବା ପାଇଁ ଭଣ୍ଡାରିମାନେ ଆଣିଥିବା ପାଣି ବ୍ୟବହୃତ ହୁଏ ନାହିଁ ।

ଧରିଆସିବା - ସଜୀବ, ନିର୍ଜୀବ ଯାହା କିଛି ସାଙ୍ଗରେ ଆଣିବା । ଦୋକାନରୁ ସଉଦା ଧରି ଆସୁଛି, ବାପ ପୁଅକୁ ଧରି ଆସୁଚି, ଭେଟିବା ପାଇଁ ବାଇଗଣ ଧରି ଆସୁଚି - ଇତ୍ୟାଦି । ଧାରଣର ଅପଭ୍ରଂଶରେ କହିଲେ ଚଳିବ ନାହିଁ  ବା ଧୃତର ଅପଭ୍ରଂଶ କଲେ ମଧ୍ୟ ସଙ୍ଗତ ହେବ ନାହିଁ ।

Wednesday, April 27, 2016

ମାର୍କସ୍ ଅରିଲସ୍ 


ବିଚାରମାଳା (ମେଡ଼ିଟେସନ୍ସ୍)  : ପ୍ରଥମ ଖଣ୍ଡ - ୧୬


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ମୋର ପିତାଙ୍କଠାରେ ମୋତେ ଯେଉଁସବୁ ଗୁଣଗୁଡ଼ିକ ପ୍ରୀତିପ୍ରଦ ଲାଗୁଥିଲା, ସେଥି ମଧ୍ୟରେ ତାଙ୍କର କ୍ଷମାଶୀଳତା, ବିବେଚନା ପରେ ନିଆଯାଇଥିବା ନିଷ୍ପତ୍ତିରୁ ପଥଚ୍ୟୁତ ହେବାକୁ ପ୍ରତ୍ୟାଖ୍ୟାନ କରିବା, ମିଥ୍ୟା ସମ୍ମାନ ପ୍ରତି ସମ୍ପୂର୍ଣ  ଔଦାସ୍ୟ, ତାଙ୍କର ଶ୍ରମ ଓ ଅଧ୍ୟବସାୟ, ସାମୁହିକ ମଙ୍ଗଳ ପାଇଁ ଯେକୌଣସି ପ୍ରକଳ୍ପ ବିଷୟରେ ଶୁଣିବାର ଆଗ୍ରହ, ଯୋଗ୍ୟତା ଅନୁସାରେ ପାରିତୋଷିକ ମିଳିବା ନେଇ ତାଙ୍କର ଅବିକାର୍ଯ୍ୟ ଦୃଢ଼ନିଶ୍ଚୟ, ସମୟ ଓ ଆବଶ୍ୟକତା ଅନୁସାରେ ଲଗାମ ଢ଼ିଲା ଛାଡ଼ିବାର ଓ କଷିବାର ନିପୁଣତା, ତଥା କୁମାରମୈଥୁନକୁ ନିୟନ୍ତ୍ରିତ କରିବା ପାଇଁ ତାଙ୍କର ଉଦ୍ୟମ, ଇତ୍ୟାଦି ଅନ୍ୟତମ ଥିଲେ । 

ସେ ନିଜର ସାମାଜିକ ଦାୟିତ୍ତ୍ୱ ସମ୍ପର୍କରେ ସଚେତନ ଥିଲେ । ତାଙ୍କର ବନ୍ଧୁମାନେ କେବେବି ନିୟମିତ ଆସି ତାଙ୍କୁ ଭେଟି ତାଙ୍କର ଅଗ୍ରଗତି ସମ୍ପର୍କରେ ବାର୍ତ୍ତାଳାପ କରିବାର ଆବଶ୍ୟକତା ସେ ଅନୁଭବ କରୁନଥିଲେ । ସେମାନେ ଅନ୍ୟ କୌଣସି କର୍ମରେ ବ୍ୟାପୃତ୍ତ ରହିଲେ, ସେଥିରେ ତାଙ୍କୁ କିଛି ଫରକ ପଡ଼ୁନଥିଲା । ସେ ରାଜସଭାରେ ତାଙ୍କ ସମ୍ମୁଖକୁ ଆସୁଥିବା ସବୁ ପ୍ରଶ୍ନକୁ ଧୈର୍ଯ୍ୟ ସହକାରେ ତନ୍ନତନ୍ନ କରି ପର୍ଯ୍ୟାଲୋଚନା କରୁଥିଲେ । ପ୍ରଥମେ ପାଇଥିବା ଅନୁଭୂତିର ଭିତ୍ତିରେ ସେ କୌଣସି ପ୍ରଶ୍ନକୁ ତ୍ୱରିତ ଭାବରେ ବରଖାସ୍ତ କରୁ ନଥିଲେ । ତାଙ୍କର ବନ୍ଧୁତାଗୁଡ଼ିକ ଚିରସ୍ଥାୟୀ ଥିଲେ । ବନ୍ଧୁ ଭାବରେ ସେ ନା ଚଞ୍ଚଳ ଓ ଅସ୍ତିର ଥିଲେ, ନା ସେ ଥିଲେ ଅପରିମିତ । ସବୁ ପରିସ୍ଥିତି ସହିତ ସେ ଖାପ ଖାଇ ପାରୁଥିଲେ । ପ୍ରଶାନ୍ତ ଭାବରେ, ଦୂରଦୃଷ୍ଟି ସହିତ, ନିଜର ସବୁ ବିନ୍ୟାସକୁ ସେ ଅପ୍ରଗଳ୍ଭ ଭାବରେ ଶେଷ କଥାଟି ପର୍ଯ୍ୟନ୍ତ ଯୋଜନାବଦ୍ଧ କରିପାରୁଥିଲେ । ସାମ୍ରାଜ୍ୟର ସମସ୍ତ ଆବଶ୍ୟକତା ତାଙ୍କର ନଖଦର୍ପଣରେ ଥିଲା । ସେ ସାମ୍ରାଜ୍ୟର ସଂସାଧନଗୁଡ଼ିକର ସୁବିନିଯୋଗ ଓ ସଂରକ୍ଷଣ କରୁଥିଲେ ଓ ଏଥିନିମନ୍ତେ ସମାଲୋଚନା ଶୁଣିବାକୁ ପଡ଼ିଲେ ମଧ୍ୟ ତାକୁ ସହୁଥିଲେ । ନିଜର ଦିଅଁଦେବତାମାନଙ୍କ ସମ୍ବନ୍ଧରେ ସେ ଅନ୍ଧବିଶ୍ୱାସୀ ନଥିଲେ ।  ସେ ତଳକୁ ଖସିଯାଇ, ଲୋକପ୍ରିୟତା ପାଇଁ କିମ୍ବା ଜନସାଧାରଣଙ୍କୁ ମୋହିବା ପାଇଁ, କେବେ ନିଜର ଲୋକଙ୍କ ଆଗରେ କିଛି କରୁନଥିଲେ । ଜାକଜମକିଆ ଓ ନବ୍ୟସଭ୍ୟ ଚିଜମାନଙ୍କଠାରୁ ଦୂରରେ ରହି, ସେ ସର୍ବଦା ସ୍ୱନିର୍ବାଚିତ ପଥକୁ ହିଁ ଶାନ୍ତ ଓ ଧୀର ଭାବରେ ଅନୁସରଣ କରୁଥିଲେ । ଭାଗ୍ୟ ତାଙ୍କୁ ପ୍ରଦାନ କରିଥିବା ସୁଖସୁବିଧାକୁ ସେ ବିନା ଅନୁଶୋଚନା ତଥା ଆତ୍ମତୃପ୍ତିର ସହ ଗ୍ରହଣ କରୁଥିଲେ ।  ସେସବୁ ଭୌତିକ ସୁବିଧା ପାଖରେ, ହାତ ପାହାନ୍ତାରେ ଥିଲେ ସେଗୁଡ଼ିକର ବ୍ୟବହାର ସେ ଅକପଟ ଭାବରେ କରୁଥିଲେ । ନମିଳିଲେ ତାଙ୍କର କୌଣସି ଅନୁତାପ ନଥିଲା । 

ଧାର୍ମିକ ବିଚାରକର ଛଳନା, ଅନୁଚରର ପ୍ରଗଳ୍ଭତା, ପାଣ୍ଡିତ୍ୟାଭିମାନୀର  ମାତ୍ରାଧିକ ସନ୍ଧିଗ୍ଧାବସ୍ଥା ଇତ୍ୟାଦି ଦୋଷ ତାଙ୍କଠାରେ ଆଦୌ ନଥିଲା । ଅଧିକାଂଶ ଲୋକଙ୍କ ପାଇଁ ତାଙ୍କର ବ୍ୟକ୍ତିତ୍ତ୍ୱ ଥିଲା ସମ୍ପୂର୍ଣ୍ଣ ତଥା ପରିପକ୍ୱ - ଏପରି ଏକ ବ୍ୟକ୍ତିତ୍ତ୍ୱ ଯାହା ଚାଟୁ ପାଇଁ ଥିଲା ଅଭେଦ୍ୟ ଏବଂ ନିଜକୁ ଓ ଅନ୍ୟକୁ ଶାସନ କରିବା ପାଇଁ ଥିଲା ସକ୍ଷମ । ଏହାଛଡ଼ା ସମସ୍ତ ଯଥାର୍ଥ ଦାର୍ଶନିକମାନଙ୍କୁ ସେ ସମ୍ମାନ କରୁଥିଲେ । ଅନ୍ୟମାନଙ୍କୁ ସମାଲୋଚନା ନ କରୁଥିଲେ ମଧ୍ୟ ତାଙ୍କଠାରୁ କୌଣସି ମାର୍ଗଦର୍ଶନ ସେ ଗ୍ରହଣ କରୁନଥିଲେ । ଜନସମାଜରେ ସେ ଆଳାପୀ ତଥା ଶିଷ୍ଟ ହେଲେ ହେଁ କେବେହେଲେ ମଧ୍ୟ ତାଙ୍କର ବ୍ୟବହାର ଅରୁଚିକର ନଥିଲା । ସେ ନିଜର ଶରୀରର ଯଥାଯୋଗ୍ୟ ଯତ୍ନ ନେଉଥି୍ଲେ । ମାତ୍ର ଏହାର ଅବସ୍ଥିତିକୁ ଦୀର୍ଘତର କରିବା ନିମନ୍ତେ କିମ୍ବା ଏହାର ଆକୃତିକୁ ସୁଶୋଭିତ କରିବାକୁ ନେଇ ତାଙ୍କର କୌଣସି ଉଦ୍ବେଗ ନଥିଲା । ଯଦିଓ ସେ ନିଜର ଶରୀର ପ୍ରତି ଅମନୋଯୋଗୀ ନଥିଲେ । ସେ ନିଜ ଦେହର ଯତ୍ନ ଏଭଳି ସଫଳତାର ସହିତ ନେଉଥିଲେ ଯେ ତାଙ୍କୁ ଡାକ୍ତର କିମ୍ବା ଔଷଧ ଇତ୍ୟାଦିର ଆବଶ୍ୟକତା ପ୍ରାୟ ପଡ଼ୁନଥିଲା ।  

କୌଣସିଠାରେ - ତାହା ଭାଷଣ ଦେବାରେ ହେଉ ବା ଆଇନରେ ବା ହେଉ ନୀତିଶାସ୍ତ୍ର ବା ଅନ୍ୟ କୌଣସି ବିଭାଗରେ - ଉଲ୍ଲେଖନୀୟ କ୍ଷମତା ଦୃଷ୍ଟିଗୋଚର ହେଲେ ତାଙ୍କଠାରେ ଇର୍ଷା ଦେଖିବାକୁ ମିଳୁନଥିଲା । ସେ ସବୁ ଲୋକଙ୍କୁ ନିଜ ନିଜର କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବାର ସୁଯୋଗ ଯୋଗାଇ ଦେଉଥିଲେ । ଯଦିଓ ସେ ନିଜର ସମସ୍ତ କାର୍ଯ୍ୟାବଳୀରେ ସାମ୍ବିଧାନିକ ପୂର୍ବପ୍ରଥା ଦ୍ୱାରା ପ୍ରଚୋଦିତ ହେଉଥିଲେ, ଏଥିନିମନ୍ତେ କେବେ ସାର୍ବଜନୀନ ପରିଚିତି ଖୋଜୁନଥିଲେ । ତାଙ୍କୁ ଅସ୍ଥିରତା ଓ ପରିବର୍ତ୍ତନ ପସନ୍ଦନଥିଲା । ତାଙ୍କୁ ସ୍ଥିରୀକୃତ ଭାବରେ ନିର୍ଦ୍ଦିଷ୍ଟ ଯାଗା ଓ ଉଦ୍ଯୋଗ ହିଁ ଭଲଲାଗୁଥିଲେ । ଅର୍ଦ୍ଧକପାଳିର ତୀବ୍ର କଷ୍ଟ ପରେ ସେ ତେଜୋଦୀପ୍ତ ଭାବରେ ସମ୍ପୂର୍ଣ୍ଣରୂପେ ନିଜର ଶକ୍ତିସଞ୍ଚୟ କରି କର୍ତ୍ତବ୍ୟକର୍ମ ସମ୍ପାଦନ କରିବାରେ ଲାଗିଯାଉଥିଲେ । ତାଙ୍କର ଗୁପ୍ତ ଓ ନିଗୁଢ଼ ନଥିପତ୍ରମାନଙ୍କର ସଂଖ୍ୟା ବେଶୀ ନଥିଲା । ଓ ସେଥିରେ ଥିବା ଅଳ୍ପସଂଖ୍ୟକ ଓ ଅନିୟତ ବିଷୟଗୁଡ଼ିକ କେବଳ ରାଷ୍ଟ୍ର ସମ୍ବନ୍ଧୀୟ ହିଁ ଥିଲେ ।  

ତମାଶା ଇତ୍ୟାଦିର ପ୍ରଦର୍ଶନ, ଅଟ୍ଟାଳିକା ନିର୍ମାଣ, ରିହାତି ଇତ୍ୟାଦିର ବିତରଣ ପ୍ରଭୃତି ବ୍ୟାପାରରେ ସେ ସଞ୍ଜମ ଓ ଉଚିତ ବିଚାରର ପ୍ରଦର୍ଶନ କରୁଥିଲେ । କାରଣ ସବୁବେଳେ କୋଣସି ପ୍ରସ୍ତାବର ଆବଶ୍ୟକତା ହିଁ ତାଙ୍କର ବିଚାର୍ଯ୍ୟ ଥିଲା, ତାହାର ଲୋକପ୍ରିୟତା ନୁହେଁ । ସେ କେବେ ଅସୁବିଧାଜନକ ସମୟରେ ସ୍ନାନ କରୁନଥିଲେ । କୋଠାବାଡ଼ି ନିର୍ମାଣ ନେଇ ତାଙ୍କର କୌଣସି  ଅତୀଚ୍ଛା ନଥିଲା । ସେ ନିଜେ ଖାଉଥିବା ଖାଦ୍ୟର, ନିଜେ ପିନ୍ଧୁଥିବା ଜାମାପଟାର, ତଥା ତାଙ୍କ ଚାରିପଟେ ଥିବା ଲୋକଙ୍କର ସୁରୂପତାର କେବେ ସମାଲୋଚନା କରୁନଥିଲେ । ଲୋରିଅମ୍ ରେ ଥିବା ତାଙ୍କର ଗ୍ରାମ୍ୟ ଗୃହରୁ ହିଁ ତାଙ୍କର ସମସ୍ତ ଲୁଗାପଟା ଆହୃତ ହେଉଥିଲା । ବାକି ସବୁ ଜିନିଷ ଆସୁଥିଲା ଲାନୁଭିଅମ୍ ରୁ । ଟୁସ୍କୁଲମ୍ ର କ୍ଷମାପ୍ରାର୍ଥୀ ତତ୍ତ୍ୱାବଧାରକଙ୍କ ପ୍ରତି ତାଙ୍କର ଆଚରଣ ତାଙ୍କର ବ୍ୟବହାରର ଏକ ଉତ୍ତମ ଉଦାହରଣ । ଅସୌଜନ୍ୟ ତଥା କୌଣସି ପ୍ରକାରର କର୍କଶତା ଓ ଦମ୍ଭ ତାଙ୍କର ଚରିତ୍ରଗତ ନଥିଲା । ସେ କେବେ ରାଗି ଯାଇ 'ତରଳିଲା' ପର୍ଯ୍ୟନ୍ତ ତାତିଯାଉନଥିଲେ । ପ୍ରତ୍ୟେକ ଘଟଣାକୁ ସେ ରୀତ୍ୟାନୁସାରେ, ପୁଙ୍ଖାନୁପୁଙ୍ଖ ଭାବରେ, ସମୟ ଓ ଧ୍ୟାନ ଦେଇ, ଦୃଢ଼ ଭାବରେ ପର୍ଯ୍ୟାଲୋଚନା କରୁଥିଲେ । ସୁକ୍ରାତ୍ ଙ୍କ ବିଷୟରେ ଯାହା କୁହାଯାଏ, ତାହା ତାଙ୍କ ପାଇଁ ମଧ୍ୟ ସତ୍ୟ ଥିଲା - ଯେଉଁସବୁ ଜିନିଷ ସାଧାରଣ ଲୋକେ ନିଜର ଦୁର୍ବଳତା ଯୋଗୁଁ ମନା କରନ୍ତି କିମ୍ବା ଅପରିମିତତା ଯୋଗୁଁ ଯେଉଁସବୁ ଚିଜର ଗୁଣାଦର କରିପାରନ୍ତି ନାହିଁ, ତାଙ୍କର ସେହିସବୁ ଜିନିଷର ସ୍ୱାଧୀନ ଭାବରେ ଭୋଗ ବା ତ୍ୟାଗ କରିବାର କ୍ଷମତା ଥିଲା । ଭୋଗ ଓ ତ୍ୟାଗ - ଏ ଉଭୟ ଉପରେ ଶକ୍ତିର ସହ ବିଜୟଲାଭ କରିଥିବା ମାକ୍ସିମସ୍ ନିଜର ମୃତ୍ୟୁଶଯ୍ୟାରେ ମଧ୍ୟ ଏହା ପ୍ରମାଣିତ କଲେ ଯେ ସେ ସିଦ୍ଧ ଓ ଅଜେୟ । 

ଏଗାରଟି ଓଡ଼ିଆ ଢ଼ଗ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଶଙ୍ଖାଳି ନାହିଁ ହାତେ
ବଣିଜ କରିବୁ କେତେ । 


ଶଙ୍ଖୁଆ ମହୁରା ଶୋଧନ ହୋଇଲେ 
ଅମୃତର ତୁଲ୍ୟ ଜାଣ
ଖଣ୍ଟ ରତନଟା ବ୍ରହ୍ମଜ୍ଞାନ ପାଇ
ଲେଖିଗଲା ରାମାୟଣ । 


ଶଗଡ଼ ଗଲାଣି
ଚକ ରହିଛି 


ଶଗଡ଼ ପଟା ତଳ ଉପର ।


ଶନି ସୁନା, ବୁଧେ ଧାନ ,
ସମ୍ବାର ଦିନେ ଗୋରୁ ନକରିବୁ ଆନ ।


ଶାଗ ଖରଡ଼ାକୁ ନାହିଁ ଲୁଣ
ପୁଅ ବସି ଲୋଡ଼ୁଥାଇ ତିନି ତୁଣ ।


ଶାଗ ଶିମିଳି କଷା କାଠ
ମୁର୍ଖ ସାଙ୍ଗରେ ନ ଚାଲି ବାଟ
ଯେବେ ମୂର୍ଖ ସାଙ୍ଗେ ଚାଲିବ ବାଟ
କହୁଣୀ ଖାଇବ ରଟ ରାଟ ।


ଶାଲଗ୍ରାମର ବସିବା ଶୋଇବା ସମାନ ।


ଶାଶୁ ତମ୍ ତମ୍ ବୋହୂକୁ
ବୋହୂ ମାରୁଥାଏ ଚୂଲୀ ମୁହଁକୁ ।

୧୦


ଶାଶୁ ବୋହୂଙ୍କ ଠକର କଳି 
ରାତିରେ ଖାଆନ୍ତି ବିରି ଚକୁଳି । 


୧୧


ଶିଙ୍ଘ ଧରିବ ଜଣେ
ଦୁଧ ଖାଇବ ଆଉ ଜଣେ । 

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।

Tuesday, April 26, 2016

ମେଘ ବରଷଇ ଟପର ଟପର


ନନ୍ଦକିଶୋର ବଳ (୧୮୭୫ - ୧୯୨୮)


ଫଟୋକ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମେଘ ବରଷଇ ଟପର ଟପର 
କେଶୁର ମାଇଲା ଗଜା,
କେଉଁ ରାଇଜରେ ରହିଲେ ମୋ ରଜା
ତେଲିଙ୍ଗି ବାଇଦ ବଜା ।

ମେଘ ବରଷଇ ଟପର ଟପର
ସୁଅରେ ବହଇ ପାଣି 
ପାଣିରେ ଡାକନ୍ତି କେଁ-କଟର ହୋ
ବେଙ୍ଗ ଓ ବେଙ୍ଗୁଲୀ ରାଣୀ ।

ନୂଆପାଣି ପାଇ ଦାଣ୍ଡେ ଦୂବଘାସ
ଚକାଚକା କଅଁଳିଲା
ନାଲି ଗୁଲୁଗୁଲୁ ପାଟଶାଢ଼ି ପିନ୍ଧି 
ସାଧବବୋହୂ ହସିଲା ।

ଅଳତା ସମାନ ରକତ ବନର
ଓଳିପାଣି ପଡ଼େ ତଳେ 
ତଳ ପାଣି ସଙ୍ଗେ ମିଶିଗଲା ବେଳେ
ମୋତିଫୁଲ ପରି ଝଳେ ।

ପାଣିରେ ଫୁଟକା ଫୁଟିଯାଏ ଭାସି
କ୍ଷଣକେ କାହିଁ ଉଭାଏ 
'ସାଧବଘରର ବୋହୂ ବୁଡ଼ିମଲା'
ବୋଲି ନାଚନ୍ତି ପିଲାଏ ।

ନୂଆପାଣି ପାଇ ଫୁଟିଉଠେ ଛତୁ 
ହୁଙ୍କା ବାଲିଅରା ବିଲେ 
ସକାଳୁ ଉଠିଣ ଚାଙ୍ଗଡ଼ା ଧରିଣ 
ପିଲାଏ ଛତୁ ତୋଳିଲେ । 

ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।

ଦୁଇଟି ପୁଚି ଗୀତ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଚିକି ଚିକି ଚିକେଇ ଲୋ 


ଚିକି ଚିକି ଚିକେଇ ଲୋ ମରଦ ଲଗେଇ ଲୋ
ଘଷି ସାଉଣ୍ଟି ପୋଇଲି ଝିଅ ଢ଼ଙ୍ଗ ଦେଖେଇ ଲୋ ।

ଢ଼ିଙ୍କିରେ କୁଟିଲେ ମସୁର 
ମୋର ଟିଙ୍ଗିଟିଙ୍ଗିଆ ଶଶୁର,
ଢ଼ିଙ୍କିରେ କୁଟିଲି ଅଗାଡ଼ି
ଦେଖି ମରୁଥିବେ ଭଗାରୀ,
ଢ଼ିଙ୍କିରେ କୁଟିଲି ଚଷୁ 
ଟୋକୀ ନଣନ୍ଦ ମୋ ସାଙ୍ଗ ସରିସା
ବେଗେ ଶାଶୁ ଘରୁ ଆସୁ । (ବାଙ୍କି) 

ପୁଚି ଖେଳ


ପୁଚି ଲୋ 
ଯା ଯା ଘୁଞ୍ଚି ଲୋ ।

ଗହିରି ବିଲରେ ମଇଁଷି
ଧାନ କେଣ୍ଡା କେଣ୍ଡା ଖାଉଚି
ଅଡେଇ ଦେ ରେ ଗଉଡ ଭାଇ
ବୋହୂ ବାପଘର ଯାଉଛି ।

ବୋହୂ ବାପଘର ଦୂର ରାଇଜ
ମଝିରେ ପଡ଼ିବ ନଈ
ବୋହୂ ଘରେ ଯୋଉ ଦଦରା ମାଠିଆ 
ବୋହୂ ନେବ ପାଣି ବୋହି । (ତିଗିରିଆ)

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

Monday, April 25, 2016

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୫


ଫଟୋ କ୍ରେଡ଼ି୍ଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆପଣ ସେଇ ଚଉଦ ବର୍ଷ ବୟସରେ ଗାଁ ଛାଡ଼ି କଟକ ଆସିଲା ପରେ, ଆଉ କେବେ ଗାଁରେ ଯାଇଁ ଦୀର୍ଘ ସମୟ ପାଇଁ ରହିଛନ୍ତି ?

ଶ୍ରୀମତି ଶ୍ୟାମାମଣି ଦେବୀ : ହଁ, ଯାଏନା । ମୁଁ ପ୍ରାୟତଃ ଛୁଟିରେ ଯାଏ, ଓ ଗାଁରେ ରହେ । ଗାଁରେ ରହିଲେ ସେଇ ନଈକୁ ଯିବି । ପିଲାମାନଙ୍କୁ ସମସ୍ତଙ୍କୁ ନେଇକି । ସବୁ ସାଙ୍ଗମାନଙ୍କୁ, ଭଉଣୀମାନଙ୍କୁ ନେଇକି । ତାଙ୍କୁ କହିବି ସବୁ ପାଠ ପଢ଼ ଭଲକି । କାରଣ ଆମ ଗାଁରେ ସେତେବେଳେ ମାଇନର ସ୍କୁଲ୍ ରେ ମୁଁ ହଉଚି ପ୍ରଥମ ଝିଅ । ଝିଅପିଲାଙ୍କ ପାଇଁ ସହଶିକ୍ଷା ନଥିଲା ସେତେବେଳେ । ପୁଅପିଲାଙ୍କ ସ୍କୁଲ୍ ଥିଲା । କେହି [ଝିଅ] ସେଠି ପଢ଼ିବାକୁ ଯିବେନି । ମୁଁ ପ୍ରଥମ ଝିଅପିଲା ଯାଇଁ ସେଠି ପାଠ ପଢ଼ିଲି । ମୋର ବଡ଼ ଭଉଣୀକୁ ପଢ଼ିବାର ଦରକାର ପଡ଼ିଲା, ତାକୁ ବାଙ୍କୀ ପଢ଼ାଗଲା । ସେ ପିଇସାଙ୍କ ଘରେ ରହି ପଢ଼ିଲା । କିନ୍ତୁ ଗାଁଁରେ ମୁଁ ପ୍ରଥମ । ଆଉ ତାପରେ ମୋ ପରେପରେ ସେମାନେ ସମସ୍ତେ । ଧିରେ ଧିରେ ସବୁ ଗଲେ । ତାପରେ ସେମାନେ ବି କଲେଜ୍ ଗଲେ । ସେମାନେ ବି ଶିକ୍ଷକତା କଲେ । ସେମାନେ ବି ନିଜନିଜ ଜାଗାରେ ଚାକିରୀବାକିରୀ କରିକି ବାହାସାହା ହେଇକି ସମସ୍ତେ ପ୍ରତିଷ୍ଠିତ ।  ତେଣୁ ବାହାରକୁ ବାହାରିକି, ସ୍ୱାଧୀନ ଭାବରେ କିଛି କରିବାର ପ୍ରେରଣା ମୁଁ ଜାଣିବାରେ ମୁଁ ପ୍ରଥମେ ବୋଧେ ଆମ ଗାଁରେ ।  

ସେଣ୍ଟର୍ : ଆମକୁ ଟିକେ ବାଙ୍କି-ବଡ଼ମ୍ବା, ଏଇ ଅଞ୍ଚଳରେ ସେହି ସମୟର ସାଙ୍ଗୀତିକ ପରମ୍ପରା ବିଷୟରେ କିଛି କୁହନ୍ତୁ । ସେଇ ସମୟରେ ଓଡ଼ିଆ-ଓଡ଼ିଶୀ ସଙ୍ଗୀତକୁ ନେଇ ଯେଉଁ ପ୍ରକାରର ଚର୍ଚ୍ଚା ଚାଲିଥିଲା, ଓ ସେଥିରେ ଆପଣଙ୍କର ପିତୃବ୍ୟ ଥିଲେ  ବୋଧେ ଜଣେ ପୁରୋଧା ।

ଶ୍ରୀମତି ଶ୍ୟାମାମଣି ଦେବୀ :  ବଡ଼ମ୍ବା ତ ଗୋଟେ ସାଂସ୍କୃତିକ ପୀଠ । କାରଣ ବଡ଼ମ୍ବାରୁ ବୈକୁଣ୍ଠ ପଟ୍ଟନାୟକ,  ସୁନନ୍ଦା ପଟ୍ଟନାୟକ  -  ସେମାନେ ସବୁ ବଡ଼ମ୍ବାର ଲୋକ । ତା' ପରେ ବାଙ୍କୀର ତ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଆପଣଙ୍କର ଗୋପୀକୃଷ୍ଣ ବେହେରା - ଅଲ୍-ରାଉଣ୍ଡର୍ କଳାକାର ଜଣେ - ସେ ବାଙ୍କୀର । ତା' ପରେ ଏମାନେ ତିନି ଭଉଣୀ - ସୁଚିତ୍ରା ମହାପାତ୍ର, ସଙ୍ଗୀତା ମହାପାତ୍ର, ଓ ସୁମିତା ମହାପାତ୍ର  - ଏମାନେ ସମସ୍ତେ ବାଙ୍କୀର । ବାଙ୍କୀ ଗୋଟେ ବହୁତ ସଂସ୍କୃତି ସମ୍ପନ୍ନ ଜାଗା । 

ସେଣ୍ଟର୍ :  ଏଇଟା ମୋ ମନରେ ବେଳେବେଳେ ଖେଳେ ଯେ ଏବେ ଓଡ଼ିଶାରେ ପ୍ରାୟ ସବୁକିଛି କଟକ-ଭୁବନେଶ୍ୱର କୈନ୍ଦ୍ରିକ ହୋଇଯାଇଛି - ଯାହାବି ସାଂସ୍କୃତିକ କାମ ହେଉଛି ବା ଚର୍ଚ୍ଚା ହେଉଛି । କିନ୍ତୁ ସେ ସମୟରେ ଯେତେବେଳେ ଯୋଗାଯୋଗ ଏତେ ଭଲ ନଥିଲା, ଛୋଟ ଛୋଟ ଯାଗାଗୁଡ଼ିକରେ ଏଭଳି ପରମ୍ପରାର ସୃଷ୍ଟି କିଭଳି ସମ୍ଭବ ହେଉଥିଲା ।  

ଶ୍ରୀମତି ଶ୍ୟାମାମଣି ଦେବୀ : ସେଇଠି କେବଳ ଡ୍ରାମା । ସେମାନେ ବାଙ୍କୀରେ ବି ସେ ସମୟରେ ଡ୍ରାମା କରୁଥିଲେ ସବୁ । ମାନେ ସେତେବେଳେ ତ କିଛି ନଥିଲା । ଏଇ ଖଟ ପକେଇକରି, ପେଣ୍ଡଲ୍ ତିଆରି କରି ଡ୍ରାମା କରୁଥିଲେ । ବାଙ୍କୀରେ ବି ବହୁତ ଡ୍ରାମା ହଉଥିଲା । ଆମ ସରଣ୍ଡା ଅଞ୍ଚଳରେ ଆମ ଗାଁରେ ଡ୍ରାମା ହୁଏ । ବିଭିନ୍ନ ଗାଁରୁ ଆମ ଗାଁକୁ ଲୋକେ ଡ୍ରାମା ଦେଖିବାକୁ ଆସନ୍ତି । ସେତେବେଳେ ଡ୍ରାମା ହିଁ ଏ ଅଞ୍ଚଳରେ ସଂସ୍କୃତିରେ ବାହକ ଥିଲା । ଆଉ ତ କିଛି ନଥିଲା । ଆଉ ତ ପାଲା ଫାଲା ଇତ୍ୟାଦି । ଆଉ ତ କିଛି ନଥିଲା । ଆଉ - ମୁଁ ଜାଣିବାରେ, ମୁଁ ଯେତିକି ଜାଣିଛି - ସେମିତି କିଛି ନଥିଲା ।  ଆଉ ବିଭିନ୍ନ ଗାଁର ବିଭିନ୍ନ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀ ଥିଲା । ଏମାନେ ଏସବୁ ଦୋଳ ପୂର୍ଣ୍ଣିମା ବେଳେ ଯେଉଁ ହୁଏ ମେଲଣ । ସେତିକି ବେଳେ ଆସି ମେଲଣ ପଡ଼ିଆରେ ସଂକୀର୍ତ୍ତନ ମଣ୍ଡଳୀମାନେ ଆସି ଖୋଳ ଇତ୍ୟାଦି ଧରି [ଆସି ସଙ୍ଗୀତ ପରିବେଷଣ କରନ୍ତି] । ମାନେ ବିଶ୍ୱାସ କରିବେନି, ମୋ ଛୋଟ ବେଳେ, ଯେଉଁ କୀର୍ତ୍ତନ ହୁଏ ତାଙ୍କର ସେମାନେ ଭିନ୍ନ ଭିନ୍ନ ପ୍ରକାରର ତାଳରେ ବଜାନ୍ତି ।  ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳୀମାନେ ଦେଖିଥିବେ । ଖୋଳ ଧରିକି ବସିକରି ବଜେଇବେ, ଆଣ୍ଠେଇକି ବଜେଇବେ । ପୁଣି ଉଠିକରି ବଜେଇବେ । ଏପଟୁସପଟ ଯାଇଁ ବଜେଇବେ । ସେପଟୁ ଆଉ ଦଳେ ଆସୁଥିବେ । ଏମିତି ସବୁ ହୁଏ । ମୁଁ ପୁରା ସେଇଠି ଠିଆ ହେଇକି ରହେ । ଘଣ୍ଟାଘଣ୍ଟା ଠିଆହେଇ ଶୁଣେ । ଘରୁ ଲୋକ ଆସିବ କଅଣ ଏଠି ଠିଆହେଇଚି । ଘରେ ଖୋଜୁଥିବେ ମୋତେ । ଏତେ ସମୟ କଅଣ ତୁ ଶୁଣୁ ତାକୁ ବୋଲି ମୋତେ ବୋଉ ପଚାରେ । ମୁଁ କହିବି ବୋଉ କେତେ ପ୍ରକାରର ତାଳକୁ ସେମାନେ ବଦଳେଇକି ବଜଉଛନ୍ତି । ମୋର ତ ସେତେବେଳେ ଜ୍ଞାନ ନାହିଁ ଏତେ ସବୁ ତାଳ ବିଷୟରେ । କେତେ ପ୍ରକାରର ତାଳ ସେମାନେ ବଦଳିକି ଖୋଳରେ ବଜଉଛନ୍ତି । କେତେ ଧିରେ ତାଳକୁ ବଜଉଛନ୍ତି । ଏବେ ସବୁ ଶିଖିଲା ପରେ ତ ମୁଁ ଜାଣିଲି ନା । ସେତେବେଳେ ତ ମୁଁ ଏସବୁ ଜାଣୁନଥିଲି ନା ।  ସେତେବେଳେ ଏସବୁ ବଡ଼ ଆଗ୍ରହଜନକ ଥିଲା । ଗୋଟେ ତାଳ କରୁଛନ୍ତି । ତାହା ପରେ ବଢ଼ଉଛନ୍ତି । ତାହାପରେ ଗୋଟେ ଉଦ୍ଦଣ୍ଡ କରୁଛନ୍ତି । ପୁଣି ଆଉଥରେ ଧୀରକୁ ପଳେଇଆସୁଛନ୍ତି । କିନ୍ତୁ ମୂଳ ଲୟ ତାଙ୍କର ଯାହା ସେ ଲୟ ସେକାଳରେ ମଧ୍ୟ ସେମାନଙ୍କର ସମାନ ରହୁଥିଲା । ଯେତେ ଯୁଆଡ଼େ ଗଲେ ମଧ୍ୟ, ଉଦ୍ଦଣ୍ଡ କରି ସେ ପୁଣି ନିଜ ମୂଳ ଲୟକୁ ଫେରି ଆସୁଥିଲେ । ତାହା ମାନେ ଲୟ, ତାଳ, ସୁର, ପ୍ରତି ଗାଁମାନଙ୍କରେ, ସେଇ ସଂକୀର୍ତ୍ତନମାନଙ୍କ ଦ୍ୱାରା ହେଉ କି ଭାଗବତ ଟୁଙ୍ଗୀରେ ଖଞ୍ଜଣି [ଭଜନ] ମାଧ୍ୟମରେ ହେଉ, ସେସବୁ ଥିଲା । ତାହାପରେ ସେଇଟାକୁ ଧିରେ ଧିରେ ଆମେ ଯେଉଁମାନେ ଆଜିର ସାଂସ୍କୃତିକ [ଜଗତର] ଗୁୁରୁମାନେ ତାହାର ଧି୍ରେଧିରେ ବିକାଶ କରାଇଛନ୍ତି ।  କିନ୍ତୁ ସେଗୁଡ଼ା ଆଗରୁ ସବୁଥିଲା । 

ତିନୋଟି ଦନାଇ ବଚନ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ହଗି ବଶେ ଯେହୁ ଓଳିଏ କାଳ 
ପୂର୍ବମୁଖା ହୋଇ ଗମେ ସକାଳ
ଦାନ୍ତ ଘଷେ ଘେନି ଅଘଷା ଢ଼ାଳ 
ଲଗାଏ ତେଲ ନ ମରୁଣୁ ଝାଳ
ଖନ୍ଦ କରିନାହିଁ କୋଡ଼ି କୋଦଳ
ରୋଷାଇ ବେଳକୁ ଖୋଜଇ ଜାଳ 
ସବୁ କଥାରେ ଯେ ପୂରାଏ ଫାଳ
ବୋଲେ ଦନାଇ ଏ ବଡ଼ ବିଟାଳ  


ହଡ଼ା ବେପାର କରେ ଯେ ପାତର
ଅଳପ କଥାରେ ହୁଏ କାତର
ସବୁ କଥାରେ ଲଗାଏ ମାତର
ଭେଦା ନଦିଏ ଯେ ସାହି ଯାତର
ଅଲୋଡ଼ାରେ ଆସି ପାରେ ପତର
ମାନ୍ୟ ଲୋକକୁ ଯେ ଦିଏ ଉତ୍ତର 
ଘରେ ଧାନ ରଖି ଖାଏ ଛତର
ଦେବାଳୟେ ଯାଏ ମାଖି ଅତର 
ବୋଲେ ଦନାଇ ଏ ଅତି ଇତର । 



ହବିଷ କରଇ ନିତି ପ୍ରତିରେ 
ହରିନାମ ଛାପା ଘେନେ ଛାତିରେ 
ସ୍ନାହାନ କରେ ପିଛିଲା ରାତିରେ
ସମସ୍ତଙ୍କୁ କଥା କହେ ପ୍ରୀତିରେ 
ବସଇ ଯାଇ ସଜ୍ଜନ କତିରେ 
ରସଇ ସଦା ଯେ ନାମ ଗୀତିରେ 
ଦନାଇ ବୋଲେ ନ ବୁଝ ଗେଲ
ହାଡ଼ି ହେଉ, ଗଣା ବଡ଼ ଜାତିରେ ।

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ ।

Sunday, April 24, 2016

ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ 


ତୃତୀୟ ଅଧ୍ୟାୟ : ଶ୍ଲୋକ ୨୯ - ୩୫ 


ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କର୍ମ ୟୋଗଃ 


ଶ୍ରୀ ଭଗବାନ ଉବାଚ 


ପ୍ରକୃତେର୍ଗୁଣସଂର୍ମତାଃ ସଜ୍ଜନ୍ତେ ଗୁଣ କର୍ମ୍ମସୁ ।
ତାନକୃସ୍ନବିଦୋ ମନ୍ଦାନ୍ କୃତ୍ସ୍ନବିନ୍ନ ବିଚାଳୟେତ୍ । ୨୯।

ଯେମାନେ ପ୍ରକୃତିଗୁଣେ ହୋଇ ବିମୋହିତ । ଇନ୍ଦ୍ରିୟ ଇନ୍ଦ୍ରିୟ କାର୍ଯ୍ୟେ ହୁଅନ୍ତି ଆସକ୍ତ ।।
ସେହି ଅପଦର୍ଶୀ ମୂଢ଼ମତି ଲୋକଗଣେ । ବିଚଳିତ ନ କରିବେ କେଭେଁ ଜ୍ଞାନୀଜନେ । ୨୯।

ମୟି ସର୍ବାଣି କର୍ମାଣି ସନ୍ନସ୍ୟାଧ୍ୟାତ୍ମଚେତସା ।
ନିରାଶୀନିର୍ମ୍ମମୋ ଭୂତ୍ୱା ୟୁଧ୍ୟସ୍ୱ ବିଗତଜ୍ୱରଃ ।୩୦।

ଅତଏବ ବୋଲୁଅଛୁଁ ଆହେ ଫାଲଗୁନ । ଆମ୍ଭପ୍ରତି ସର୍ବକର୍ମ କରି ସମର୍ପଣ ।।
କାମନା ମମତା ଶୋକ ପରିତ୍ୟାଗ କରି । ଯୁଦ୍ଧରେ ପ୍ରବୃତ୍ତ ହୁଅ ଆହେ ଧନୁର୍ଦ୍ଧାରୀ ।୩୦।

ୟେ ମେ ମତମିଦଂ ନିତ୍ୟ ମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମ୍ମଭିଃ ।୩୧।

ଯେ ଲୋକ ହୋଇ ଶ୍ରଦ୍ଧାବନ୍ତ । ଅସୂୟା ତେଜିଣ ସତତ ।।
ଆମ୍ଭ ମତର ଅନୁବର୍ତ୍ତୀ । ହେଲେ ସହଜେ ପାଏ ମୁକ୍ତି ।୩୧।

ୟେ ତ୍ୱେତଦଭ୍ୟସୂୟୋନ୍ତୋ ନାନୁତିଷ୍ଠନ୍ତି ମେ ମତମ୍ ।
ସର୍ବଜ୍ଞାନବିମୂଢ଼ାଂସ୍ତାନ୍ ବିଦ୍ଧି ନଷ୍ଟାନଚେତସଃ ।୩୨।

ଯେବା ଅସୂୟାବଶ ହୋଇ । ଆମ୍ଭ ମତରେ ନଚଳଇ ।।
ବିବେକ ଶୂନ୍ୟ ସେ ପାପିଷ୍ଠ । କର୍ମ ବ୍ରହ୍ମରୁ ହୁଏ ଭ୍ରଷ୍ଟ ।୩୨।

ସଦୃଶଂ ଚେଷ୍ଟତେ ସ୍ୱସ୍ୟାଃ ପ୍ରକୃତେର୍ଜ୍ଞାନବାନପି ।
ପ୍ରକୃତିଂ ୟାନ୍ତି ଭୂତାନି ନିଗ୍ରହଃ କିଂ କରିଷ୍ୟତି ।୩୩।

ଜ୍ଞାନୀଲୋକ ମଧ୍ୟ ନିଜ ପ୍ରକୃତି ବଶରେ । କରୁଛନ୍ତି ନାନା କର୍ମ ପୃଥିବୀ ମଧ୍ୟରେ ।।
ସ୍ୱଭାବ ଅଟଇ ଯେଣୁ ସକଳ ପ୍ରଧାନ । ଇନ୍ଦ୍ରିୟ ନିଗ୍ରହ ତେବେ କର କି କାରଣ ।୩୩।

ଇନ୍ଦ୍ରିୟସ୍ୟେନ୍ଦ୍ରିୟସ୍ୟାର୍ଥେ ରାଗଦ୍ୱେଷୌ ବ୍ୟବସ୍ଥିତୌ ।
ତୟୋର୍ନ ବଶମାଗଚ୍ଛେତ୍ ତୌ ହ୍ୟସ୍ୟପରିପନ୍ଥିନୌ ।୩୪।

ଅନୁକୁଳ ବିଷୟରେ ଇନ୍ଦ୍ରିୟେ ସନ୍ତୋଷ । ପ୍ରତିକୂଳ ବିଷୟରେ କରନ୍ତି ବିଦ୍ୱେଷ ।।
ମୁକ୍ତିଇଚ୍ଛା କାରୀଙ୍କର ଏହି ଦୁଇ ବୈରୀ । ନ କରିବ କାର୍ଯ୍ୟ ଏମାନଙ୍କୁ ଅନୁସରି ।୩୪।

ଶ୍ରେୟାନ୍ ସ୍ୱଧର୍ମୋ ବିଗୁଣଃ ପରଧର୍ମାତ୍ ସ୍ୱନୁଷ୍ଠିତାତ୍ ।
ସ୍ୱଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହଃ ।୩୫।

ଅଳ୍ପ ହେଲେ ମଧ୍ୟ ନିଜ ଧର୍ମ ଆଚରିବ । ଉତ୍କୃଷ୍ଟ ଅନ୍ୟର ଧର୍ମ ପାଶକୁ ନଯିବ ।।
ବରଞ୍ଚ ଉଚିତ ନିଜ ଧର୍ମରେ ମରଣ । ପରଧର୍ମ ଭୟାବହ ଏହା ମନେ ଘେନ ।୩୫।

Saturday, April 23, 2016

ରଜଦୋଳି ଗୀତ - ୧


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପଟା ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ 
ଦିଶୁଥାଇ ଝଟଝଟ ।

ପଟା ଦୋଳି କେଁ କଲା 
ମୋ ଭାଇ ମୁଣ୍ଡରେ କି ଫୁଲ ଥିଲା 
ଦଶଦିଗ ମହକିଲା ।

ବାଡ଼ିରେ ଲଙ୍କାମରିଚ
କାହା ସଙ୍ଗେ ତୁମେ ଭାବ କରିଚ 
ଛାଇ ଦେଲେ ଡରୁଚ ।

ମାଛ ନେଇଗଲା ଚିଲ
ମାଇପ ନାଁରେ ତିନିପା' ବିଲ 
ଗିରସ୍ତ କରୁଛି ହଳ । 

ଉତ୍ସ - କେନ୍ଦ୍ରିୟ ସାହିତ୍ୟ ଅକାଦେମୀ ଛାପିଥିବା (ପ୍ରଥମ ପ୍ରକାଶ ୧୯୯୪ : ଦ୍ୱିତୀୟ ସଂସ୍କରଣ ୨୦୧୩) ଓ ପ୍ରସନ୍ନ କୁମାର ମିଶ୍ର ସଙ୍କଳନ କରିଥିବା 'ଓଡ଼ିଆ ଲୋକଗୀତ'ରୁ ସଙ୍ଗୃହିତ ।

ସାତଟି ନାଁ ଦିଆ ଢ଼ଗ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

୧. ଶଙ୍ଖ ପୋଖରୀରେ ପଙ୍କ ନାହିଁ
     ପଙ୍କ ପୋଖରୀରେ ମାଛ ନାହିଁ । 
(ପଇଡ଼)

୨. ଶଙ୍ଖ ବନ୍ଧରେ ପଙ୍କ ନାହିଁ 
     ଜାଲ ପକାଇଲେ ମାଛ ନାହିଁ ।
(ପଇଡ଼) 

୩. ଶଶୁର, ଜୋଇଁ, ଶଳା, ଭିଣୋଇଁ
କଂସା ତିନିଖଣ୍ଡି ଖାଇବେ କାହିଁ ?
(ଶଶୁର, ଶଳା, ଭିଣୋଇଁ - ଏ ତିନି ଜଣଙ୍କ ଲାଗି ତିନିଖଣ୍ଡ କଂସା । ଶଶୁରର ଜୋଇଁ, ଶଳାର ଭିଣୋଇଁ, ଏକା ଲୋକ ।) 

୪. ଶାଗୁଆ ବସନ ପିନ୍ଧି ମାହାରୀ
ଗର୍ଭରେ ଥାଇ ମୁଷଳ ଭରି
ମୁଷଳକୁ କରି ବାହାର 
ତାକୁ ଖାଆନ୍ତି ସଂସାର ନର ।
(ଧାନ)   

୫. ଶିଲ୍ ତଲେ ମୁଠାଏ ଲିଆ ।
(ଦାନ୍ତ)

୬. ଶିଷ ଭେଣ୍ଡିଆ 
ଫୁଲ ଫୁଟିଅଛି ଶେତ ମୁଣ୍ଡିଆ 
ଗୁରୁ ଗୋସାଇଁ
ଫୁଲ ଫୁଟିଅଛି ପାଖୁଡ଼ା ନାହିଁ ।
(ଛତୁ)

୭. ଶୁଖା ବନ୍ଧେ ବଗ ଫଡ଼ ଫଡ଼ 
(ଲିଆ)

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ । 

Friday, April 22, 2016

ପିଲାଙ୍କ ଗୀତ - 'ପ୍ରଭାତ'


ରେବା ରାୟ (୧୮୭୬ - ୧୯୫୭)


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଉଠ ଉଠ ଜାଗ ବାଳକେ 
ଦେଖ ଫେଡ଼ି ନୟନ
ପାହିଛି ଅନ୍ଧାର ରଜନୀ
ଧୀରେ ଉଇଁ ତପନ ।

ନବୀନ ଆଶାର ଆଲୋକେ 
ଆଙ୍କି ନୂତନ ଛବି
ପ୍ରକାଶେ ବିଭୁଙ୍କ ମହିମା 
ସେହି ପରମ କବି ।

ବିହଙ୍ଗ ମଧୁର କଣ୍ଠରେ 
ମୋହି ହୃଦୟ ମନ
ଡାକଇ ଆଦରେ, "ବାଳକେ
ଜାଗଜାଗ ବହନ ।" 

ପ୍ରଭାତ ସମୀରେ ଦୋହଲି 
ମଲ୍ଲି ଗୋଲାପ ଯୂଇ
ସୁରଭି ଆଘ୍ରାଣେ ଡାକନ୍ତି 
"ଜାଗ ଜନନୀ ଭାଇ ।

ନିଜ ନିଜ କାର୍ଯ୍ୟେ ବାଳକେ 
ଏବେ ହୁଅ ତତ୍ପର 
ଦେଖ ସ୍ରୋତସ୍ୱିନୀ ବେଗରେ 
କାଳ ଧାଇଁଛି ଖର ।

ଏହି ରୂପେ ପ୍ରତି ପ୍ରଭାତେ
ତବ ଜୀବନ-ମନ
ନିଜ ନିଜ କାର୍ଯ୍ୟେ ବାଳକେ
କର କର ଅର୍ପଣ ।

ଏହି ରୂପେ କରି ସମ୍ବଳ 
ଜ୍ଞାନ, ପୂଣ୍ୟ-ବିଭବ
ଅକ୍ଷୟ ସମ୍ପଦ ସମ୍ପାଦି
ନିତି ଜୀବନେ ତବ ।"

ଏହି କବିତାଟି ଓଡ଼ିଶାର ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା 'ପ୍ରଭାତ' (୧୯୦୯)ର ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ପତ୍ରିକାର ସମ୍ପାଦିକା ଥିଲେ ଏହି କବିତାର ଲେଖିକା ଶ୍ରୀମତି ରେବା ରାୟ । ଏହି ଶିଶୁ ପତ୍ରିକା ଛଡ଼ା ସେ ପ୍ରଥମ ଓଡ଼ିଆ ନାରୀ ପତ୍ରିକା 'ଆଶା'ର ମଧ୍ୟ ସମ୍ପାଦିକା ଥିଲେ ।  ସମ୍ପାଦନା ଛଡ଼ା ସେ ଜଣେ ଲେଖିକା ଭାବରେ ମଧ୍ୟ ନିଜର ସାକ୍ଷର ଛାଡ଼ି ଯାଇଛନ୍ତି । ତାଙ୍କର ସାହିତ୍ୟକୃତି ମଧ୍ୟରୁ ଗପବହି 'ଅଞ୍ଜଳି' ଓ କବିତା ବହି 'କବିତା ସଙ୍ଗ୍ରହ' ଅନ୍ୟତମ । ସେ କଟକରେ ଆଦର୍ଶ ହିନ୍ଦୁ ବାଳିକା ବିଦ୍ୟାଳୟର ପ୍ରତିଷ୍ଠାତା । କଟକ ସହରରେ ଜନ୍ମିଥିବା ଏହି ମହିୟସୀ ମହିଳା, କବି ମଧୁସୂଦନ ରାୟଙ୍କର ଝିଆରୀ ଅଟନ୍ତି ।

ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।

ବିଶ୍ୱନାଥପୁରରେ ଭାଙ୍ଗ ପାଚକ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କବି, ଔପନ୍ୟାସିକ ଓ ନାଟ୍ୟକାର, ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଜନ୍ମ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ପାଖ ଗାଁ ବିଶ୍ୱନାଥପୁରରେ । କାଳିନ୍ଦୀବାବୁଙ୍କର ବାପାଙ୍କର ନାମ ସ୍ୱପ୍ନେଶ୍ୱର, ମାତାଙ୍କର ନାମ ସରସ୍ୱତୀ । ବାପା ପୁରୀରେ ମୁକ୍ତାର । ଲୋକମୁଖରେ ଗାଁର ନା ବିସିନାଥପୁର । ସେତେବେଳେ ପାଞ୍ଚ ପଡ଼ାରେ ଘର ସଂଖ୍ୟା ପାଖାପାଖି ଅଢ଼େଇଶହ । ଗାଁର ପୋଷ୍ଟ୍ ବାଲିପାଟଣା, କୋଠଦେଶ ପ୍ରଗଣା, ପୁରୀ ଜିଲ୍ଲା । ଆମ୍ବ, ତାଳ, ନଡ଼ିଆ, ବେତ ଓ ବାଉଁଶ ଗଛରେ ଢଙ୍କା ଗାଁଟି । ଛତିଶ ପାଟକ, ପ୍ରାୟ ସବୁ ଜାତିର, ଲୋକେ ଗାଁରେ ରୁହନ୍ତି । ନିଶାପାଣି ବୋଇଲେ ଗାଁରେ ସବୁଠୁ ବେଶୀ ଚଳେ ଧୂଆଁପତ୍ର - ଆଠକାଳି ବାରମାସୀ । ସମସ୍ତେ ଧୂଆଁପତ୍ରର ଭକ୍ତ । ଗଞ୍ଜେଇ ଓ ଅଫିମ ଚଳେ । ମାତ୍ର ସେତେ ବେଶୀ ନୁହେଁ । ମାତ୍ର ପୂଜାପୁଜି ହେଲେ, ମେଳା ଇତ୍ୟାଦିରେ, ପାଚକ ପାଣି ଟିକିଏ ନିର୍ଦ୍ୱନ୍ଦରେ ଚଳେ । ବଡ଼ମାନେ ତ ଆନନ୍ଦମନରେ ସେବନ କରନ୍ତି । ପିଲାମାନେ ମଧ୍ୟ ବଡ଼ମାନଙ୍କ ଦେଖାଦେଖି ଟିକିଏ ଟିକିଏ ପାଆନ୍ତି । 

ଗାଁ ପାଖରେ ଭୋବନିଶର । ମହାତୀର୍ଥ । ପ୍ରଖ୍ୟାତ ଶୈବକ୍ଷେତ୍ର । ଶିବଙ୍କର ଗଞ୍ଜାଇ ପ୍ରତି ପକ୍ଷପାତିତା ତ ଜଣାଶୁଣା । ତେଣୁ ସାଧୁସନ୍ଥମାନେ ମଧ୍ୟ ଗଞ୍ଜେଇ ସେବନ କରିବାରେ କିଛି ଅପ୍ରାଧ ନାହିଁ । ଏଣୁ ଗାଁରେ ଶୈବତୀର୍ଥର ପ୍ରଭାବରେ ଗଞ୍ଜେଇ ଚଳେ । ମାତ୍ର ଉଚ୍ଚବଂଶଜ ମାନେ ଏହି ଶିବ-ପ୍ରସାଦ ସେବନ କରିବା ବିଷୟରେ ଟିକିଏ ଉନ୍ନାସିକ । ଅନେକ ସମ୍ଭ୍ରାନ୍ତ ପରିବାରରେ ଗଞ୍ଜେଇ ସେବନ ନିନ୍ଦନୀୟ ମଧ୍ୟ ଥିଲା । ମାତ୍ର ଭାଙ୍ଗସେବନ ଥିଲା ସାର୍ବଜନୀନ । ଏଥିର ବିରୋଧାଭାଷ କାଳିନ୍ଦୀବାବୁଙ୍କୁ ଟିକିଏ ବିଚିତ୍ର ଲାଗୁଥିଲା । ମାତ୍ର, ତାହା ହିଁ ଥିଲା ସେହି ସମୟରେ ବିସିନାଥପୁରର ଚଳଣି । 

ମେଳା ମଉଛବରେ, ଜନ୍ତାଳ ହେଲେ ଭାଙ୍ଗ ପାଚକ ହେବା ନିଶ୍ଚିତ । ଏପରିକି କିଶୋର ବୟସର ପିଲାଙ୍କ ଭିତରେ ଏହା ଚଳୁଥିଲା । ବ୍ରାହ୍ମଣମାନଙ୍କ ମଧ୍ୟରେ ଧୂଆଁଖାଇବା ନିଶିଦ୍ଧ ଥିଲା । ମାତ୍ର ତମ୍ବାଖୁ ନଖାଇଲେ ମଧ୍ୟ ଭଜନ ଟୁଙ୍ଗିରେ ବସି ଗଞ୍ଜାଇ ସେବନ ବାମୁଣ ଗୋସେଇଁମାନଙ୍କ ମଧ୍ୟରେ ବେଶ୍ ଚଳୁଥିଲା । କାଳିନ୍ଦୀ ବାବୁଙ୍କର ବିଶିକକେଇ ଭଜନ ଟୁଙ୍ଗିରେ ନାନାଜାତିର ଲୋକଙ୍କ ସହ ବସି, ଚିଲମ ବୁଲେଇ, ଖଞ୍ଜଣି ପିଟି, ଶରୀର ଭେଦ ଭଜନ ବୋଲନ୍ତି । ଗଞ୍ଜେଇ ଓ ଭଜନରେ ଜାତିପାତିର ଭେଦ କଟିଯାଏ । ଚଇତ, ବଇଶାଖ ମାସରେ କାଳିନ୍ଦୀ ବାବୁ ଓ ତାଙ୍କର ବନ୍ଧୁମାନେ ପାଚକ ପାଣି ଚିକିଏ ସେବନ କରି ତୋଟାକୁ ବିଜେ କରନ୍ତି ମହୁଫେଣା ଭାଙ୍ଗିବା ପାଇଁ । ଗାଁର ସଡ଼କର ଧୂଳିକୁ ଫେଣ୍ଟି ଚୋରାଚଇତି ଭିଆଏ ଖଣ୍ଡିଆଭୂତ । ସେଇ ଖଣ୍ଡିଆଭୂତର ପାଦରେ ପାଦ ଥାପି ଭାଙ୍ଗୁଆ ଦଳ ଆମ୍ବତୋଟାରେ ପହଞ୍ଚିଯାଆନ୍ତି । ମହୁଫେଣା ଖଣ୍ଡେ ପାଟିରେ ପକାଇ ଜିଭ ଟିକିଏ ବୁଲାଇଦେବା କ୍ଷଣି ଅପୂର୍ବ ରସ କ୍ଷରିତ ହୁଏ ।  

ଭାଙ୍ଗ ଖିଆର ଏ ସଂସ୍କୃତି କେବଳ ବିସିନାଥପୁର ଗାଁର ନୁହେଁ । ଏହା ସମୁଦାୟ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଚଳଣୀ । ଶ୍ରୀଜଗନ୍ନାଥଙ୍କର ମନ୍ଦିରର ଅନେକ ସେବକଙ୍କର ତ ନିୟମିତ ପାଚକପାଣି ଚଳେ । ଚଳେ ବୋଇଲେ ବାପ, ଅଜା, ପୁଅ, ନାତି ହୋଇ ପୁରୁଷାନୁକ୍ରମରେ ଚଳେ । ପୁରୀର ଜାଗାଘର ଗୁଡ଼ିକ ତେଣୁ କରି ଯେପରି ଭାବରେ ନିଜର ଶରୀର ଚର୍ଚ୍ଚା ଓ ସଙ୍ଗୀତ ଆସର ପାଇଁ ପ୍ରସିଦ୍ଧ, ସେହିପରି ନିଜର ଭାଙ୍ଗ ଖିଆ ପାଇଁ ମଧ୍ୟ ଜଣାଶୁଣା । ଏଣୁକରି ପୁରୀର ସଂସ୍କୃତି ଏହି ତିନି ଜିନିଷ - ସାଙ୍ଗ, ଭାଙ୍ଗ, ପଙ୍ଗତ - କୁ ନେଇ ପରିଚାଳିତ ବୋଲି ଗୋଟିଏ ଲୋକଶୃତି ଅଛି ।

ଭାଙ୍ଗନିଶା ଯେ ମୃତ୍ୟୁଜୟୀ ସେ ବିଷୟରେ ଏକ ଗପ ଲେଖକ ଶୁଣିଥିଲେ ନିଜର କନିଷ୍ଠ ଭ୍ରାତା, ବିଶିଷ୍ଟ ସାମ୍ୟବାଦୀ ନେତା ଶ୍ରୀ ଭଗବତୀଚରଣ ପାଣିଗ୍ରାହୀଙ୍କ ଠାରୁ । ଥରେ ପୁରୀରେ କିଛି ଟୋକା ବାଜି ମରାମରି ହୋଇ ଭାଙ୍ଗ ପିଇଲେ । ତା ମଧ୍ୟରୁ ଜଣେ ବୀର ବାଜି ଜିଣିବାର ଅତ୍ୟୁତ୍ସାହ ଯୋଗୁଁ ଅତ୍ୟଧିକ ଭାଙ୍ଗ ପାନ କରି ପରଲୋକ ଗମନ କଲେ । ଏଥି ଉତ୍ତାରୁ ବାପା ପୁତ୍ରର ଏ ବିଷୟ ଶୁଣି ଦେଖିବାକୁ ଆସନ୍ତେ ପ୍ରଥମେ ଆଖିପତାକୁ ଟେକି ଖୁସି ହେଲେ । ଆଉ କହିଲେ - 'ଆଃ ! କେଡ଼େ ବଢ଼ିଆ ନାଲି ଉଠି ଥିଲାଟି ପତାଯୋଡ଼ିକରେ' । 


ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ 'ଅଙ୍ଗେ ଯାହା ନିଭାଇଛି'ରୁ ସଙ୍ଗୃହିତ 

Thursday, April 21, 2016

ପାଞ୍ଚଟି ଦନାଇ ବଚନ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ସମୁଦ୍ର ତଳ ତଡ଼ିଆ
ଟାଙ୍ଗି ତଳ ଗଡ଼ିଆ
ରାଷି ସୋରିଷ ପିଡ଼ିଆ
ଘର ପଛ ପଡ଼ିଆ 
ବାଞ୍ଛାଛେଳି ଫଡ଼ିଆ
କେତକୀ ଖଇର ବିଡ଼ିଆ
ବୋଲେ ଦନାଇ ବଢ଼ିଆ ।


ସବୁବେଳେ ଯେ ରାଗେ ତମତମ
ଅଳପ କାମେ ଝାଳେ ଗମଗମ
ଟୋକାଙ୍କ ଆଗେ ହୁଏ ଝମଝମ 
ବିଲୁଆ ଦେଖି ଛାତି ଦମ ଦମ
କାମ ନକରି ହୁଏ ହମ ହମ
ଦନାଇ ଦେଖି ହୁଏ କମ କମ । 


ସତୀର ହୋଇଲେ ପତି ବିଚ୍ଛେଦ 
ପଣ୍ଡିତ ଲୋକର ଲୋକାପବାଦ 
ବହୁକୁଟୁମ୍ବୀ ହେଲେ ଧନହୀନ
ଦୂର ବାଟରେ ଭାଙ୍ଗିଗଲେ ଯାନ 
କନ୍ୟା ଲାଗି ଯେବେ ନ ମିଳେ ବର
ତୋଳି ନ ପାରେ ଯେହୁ ଭଙ୍ଗାଘର
ୠଣ ଯେବେ ବଢ଼ିଯାଏ ବହୁତ 
ପରଦାରା ଯେବେ କରଇ ସୁତ 
ଜମିବାଡ଼ି ବନ୍ଧା ଦିଏ ଯା ବାପ 
ବୋଲେ ଦନାଇ ବଢ଼େ ମନସ୍ତାପ ।


ସନ୍ଧିନୀ ଗାଭୀ ଦୁଗ୍ଧ କଲେ ପାନ
ଟିକିଏ କଥାରେ ପକାଏ ଆନ 
ଦମ୍ପତ୍ତି କଥାକୁ ଯେ ପାରେ କାନ
ଗୁରୁବାରେ ରାମ ଚରିତ୍ର ଗାନ
ଅପାତ୍ରରେ ଯେହୁ କରଇ ଦାନ
ବର ହୋଇଲେ କନ୍ୟାଠାରୁ ସାନ 
ମାରୁ ନାରୀ ଯେବେ ଚଢ଼ଇ ଯାନ
ବୋଲେ ଦନାଇ ଏ କଥା ନିଦାନ ।


ସବୁ ଚାଉଳ ହାଣ୍ଡିକୁ
ପତୁରି ସୁନା ଦଣ୍ଡିକୁ 
ଶିମିଳି ତୂଳା ମାଣ୍ଡିକୁ
କିଆକନ୍ଦା ଗଣ୍ଡୀକୁ 
ଟାଣୁଆ କନ୍ଦା କୁଣ଼୍ଡିକୁ
ପାର୍ବଣ ପୂଜା ଚଣ୍ଡୀଙ୍କୁ
ନଈ ମଝି ପଠା ତଣ୍ଡୀକୁ
ଭଲା ଦନାଇ ଦାଣ୍ଡିକୁ । 

ଉତ୍ସ - ଶ୍ରୀ କୁଞ୍ଜବିହାରୀ ଦାଶ କୃତ 'ଲୋକବାଣୀ ସଞ୍ଚୟନ' - ଷଷ୍ଠ ଭାଗ । 

ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୪


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ ସେଣ୍ଟର୍) : ଆପଣଙ୍କର ପ୍ରଥମ ଗୀତଟି କଅଣ ଥିଲା ?

ଶ୍ରୀମତି ଶ୍ୟାମାମଣି ଦେବୀ : 'ଭଜ ଶ୍ୟାମ ମଧୁର ଠାମ ମଧୁର କାମମୋହନ ଗୋ । ଭଜ ଶ୍ୟାମ ମଧୁର ଠାମ' (ଗାଇକରି ଶୁଣାଇଲେ) । ସେତେବେଳେ ମୁଁ ଏମିତି ଗାଇପାରୁନଥିଲି । ସିଧା ସିଧା ଗାଉଥିଲି । କିନ୍ତୁ ମୋର ମନେ ଅଛି । ତା' ପରେ ମୁଁ ଶିଖିବା ଆରମ୍ଭ କଲି । ମାନେ ବିଧିବଦ୍ଧ ଭାବରେ ସଙ୍ଗୀତ ଶିଖିବା ଯେଉଁଟା, ସେଇଟା ମୁଁ ସେତେବେଳେ ଆରମ୍ଭ କଲି । ସେତେବେଳେ ପୂଜ୍ୟଗୁରୁ ସ୍ୱର୍ଗତଃ ସିଙ୍ଘାରୀ ଶ୍ୟାମସୁନ୍ଦର କରଙ୍କ ପାଖରେ ମୁଁ ଶିଖିଲି । ତା' ପରେ ଶ୍ରୀ ବାଳକୃଷ୍ଣ ଦାସ - ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ମୋ ଗୁରୁ, - ତାଙ୍କ ପାଖରେ ମୁଁ ଶିଖିଲି ।   

ସେଣ୍ଟର୍ : ଆପଣ ତାହାହେଲେ ବାର ତେର  ବର୍ଷ ବୟସରେ ହିଁ କଟକ ଚାଲିଆସିଲେ ।

ଶ୍ରୀମତି ଶ୍ୟାମାମଣି ଦେବୀ : ମୋତେ ଚଉଦ ବର୍ଷ ହୋଇଥିଲା ମୁଁ କଟକ ଆସିଲା ବେଳକୁ ।

ସେଣ୍ଟର୍ ଆପଣଙ୍କ ଗାଁ ବିଷୟରେ ଆମକୁ ଟିକେ କୁହନ୍ତୁ । 

ଶ୍ରୀମତି ଶ୍ୟାମାମଣି ଦେବୀ : ଆମ ଗାଁ ହେଉଛି ଗୋଟେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଗାଁ । ଆମ ଘରର ସାମ୍ନା ପଟେ ମହାନଦୀ । ପଛପଟେ ଆପଣଙ୍କର ଅଂଶୁପା ହ୍ରଦ । ବହୁତ ସୁନ୍ଦର ହ୍ରଦ । ଆପଣମାନେ ନାଁ ଶୁଣିଥିବେ । ସତକଥା କହିଲେ ପିଲାବେଳେ ମୋର ଟିକେ ଡେଆରିଙ୍ଗ୍ କ୍ୟାରେକ୍ଟର୍ ଥିଲା । ମୋର ସେଇଟା ବଦ୍-ଗୁଣ ହୋଇପାରେ । ମୁଁ କାହାକୁ ମାନେନି । ସତକଥା । ହ୍ୱାଟ୍ ଆଇ ଡିସାଇଡ୍ ଆଇ ୱିଲ୍ ଡୁ । ମୋର ଏଇ ମାନସିକତା ଗୋଟିଏ ଥିଲା । ତ ହଠାତ୍ ଇଚ୍ଛା ହେବ । କାହାକୁ କିଛି କହିବିନି । ମୁଁ ପଳେଇଯିବି ଅଂଶୁପା । ଅଂଶୁପାକୁ ଯାଇକରି - ସେଠି ଛୋଟ ଛୋଟ ପଟୁଆ ଥାଏ । ତାର ଆହୁଲା ଗୋଟେ ଥାଏ । ସେଠି ତ ଡଙ୍ଗା ବୁଡ଼ିବାର ସମ୍ଭାବନା ନାହିଁ । ଚାରିପଟେ ପଦ୍ମବଣ । ମୁଁ ନିଜେନିଜେ ଆହୁଲା ମାରି ଭିତରକୁ ପଳେଇବି । ଯାଇଁକି ପଦ୍ମବଣ ଭିତରେ ଥୋଇବି । ଯାଇଁକରି ପୁଷ୍କୋଡ଼ା ତୋଳିକରି ଖାଇବି । ନ ହେଲେ ପଦ୍ମଫୁଲ ତୋଳିବି ।  ଏମିତି କଅଣ କଅଣ ମୁଁ କରେ । ସେଇଟା ମୋର ପ୍ରକୃତି । କିନ୍ତୁ ସତକଥା କହିବାକୁ ଗଲେ ମୁଁ ବହୁତ କୃତଜ୍ଞ ମୋ ବାପାଙ୍କ ପାଖରେ । ମୋ ବାପା ମୋତେ - ଯେମିତି କହନ୍ତିନି - ଅଗାଧ ସ୍ୱାଧୀନତା ଦେଇଥିଲେ । ଏମିତି ବାପ କୌଣସି ଝିଅକୁ ଦେବନି । ମୋ ବାପା କେବଳ ସ୍ୱାଧୀନତା ଦେଇନଥିଲେ । ମୋ ବାପା ମୋତେ ଏତେ ଭଲ ପାଆନ୍ତି, ଏତେ ଭଲ ପାଆନ୍ତି, ବୋଧେହୁଏ ସାୟଦ୍ କୋଉଁ ବାପ ତା ଝିଅକୁ ଭଲ ପାଉଥିବ । ମୁଁ ଯ।ହାଟା କହିବି ବାପା ସେଇଟାରେ ହଁ ମାରିବେ । କିଏ ଆସିକି କହିଦେବ ଅଂଶୁପାରେ ଝିଅ ଯାଇଁ କାତମାରିକରି ପଶିଚି । ବାପା କହିବେ -  'ହଁ ଚାରିଟାବେଳେ ଟିକେ ବୁଲିବାକୁ ଯାଇଥିବ । ଡଙ୍ଗା କଅଣ ବୁଡ଼ିଯାଉଛି ।' ଏଇ ପ୍ରକାରର । କେବେ ମୋତେ ହତୋତ୍ସାହିତ କରିନାହାନ୍ତି । କୌଣସି କଥାରେ ।

ଛୋଟ ବେଳୁ ଗାଁ ପରିବେଶ ଗୋଟେ ଅଲଗା ଥିଲା । ମୁଁ ସନ୍ଧ୍ୟାବେଳେ ଯିବି । ତୃତୀୟାଦେବ ଜଗନ୍ନାଥ ମନ୍ଦିରରେ ମୁଣ୍ଡିଆ ମାରିବି ।ସକାଳୁ ଦିନେଦିନେ ବେଳେବେଳେ ଇଚ୍ଛା ହୁଏ ନଈରେ ଗାଧୋଇବାକୁ । ଯେଉଁଦିନ ନଦୀରେ ଗାଧୋଇବାକୁ ଯିବୁ, ସେଠି ମହାଦେବ ମନ୍ଦିିର ଅଛି । ତାକୁ ମହାଦେବ ତୁଠ ବୋଲି କୁହାଯାଏ । ଗୋଟେ ସ୍କୁଲ୍ ତୁଠ, ଯେଉଁଟାକି ମାଇନର୍ ସ୍କୁଲ୍ ତୁଠ ।  ଆଉ ଗୋଟେ ମହାଦେବ ତୁଠ ଅଛି ଯେଉଁଥିରେ ଆମ କରଣ ସାଇର ଲୋକେ ଯାଆନ୍ତି ଗାଧୋଇବା ପାଇଁ । ସେଇଠୁ ଗାଧୋଇକି ଆସିକରି ମହାଦେବ ମନ୍ଦିରରେ ମୁଣ୍ଡିଆ ମାରୁ । ଆଉ ଗ୍ରୁପିଜିମ୍ ମୋର ଗୋଟେ ବହୁତ ବଡ଼ ମେଣ୍ଟାଲିଟି ଥିଲା । ଆମ ସାଇର ଯେତିକି ଝିଅ ସେମାନଙ୍କୁ ମୁଁ ପ୍ରଥମେ ଇନ୍ସପାୟାର୍ କରିଥିଲି କି ନିଜ ଗୋଡ଼ରେ ନିଜେ ଠିଆ ହେବ । କାହା ଉପରେ ନିର୍ଭରଶୀଳ ହୁଅନି । ସନ୍ଧ୍ୟା ହେଲେ ସାଙ୍ଗମାନଙ୍କୁ ଧରିକି ନଈକି ଯିବି । କିତ୍-କିତ୍ ଖେଳିବି ତାଙ୍କ ସାଙ୍ଗରେ, ସାଇରେ ମୋର ଯେତେ ସବୁ ଭଉଣୀ ସେ ସମସ୍ତଙ୍କ ସାଥିରେ । 

ବଡ଼ବଡ଼ ମଣ୍ଡାଫୁଲ ହୁଏ ଆମର । ମଣ୍ଡାଫୁଲ ଧରିକି ଅଗଣାରେ ବାପାଙ୍କର ମୋର ଫୁଲ ଫୋପଡ଼ା ହୋଇ ବାଡ଼ିଆବାଡ଼ି ହୋଇ ଖେଳୁ । ବାପା ମୋ ସହିତ ଖେଳନ୍ତି । ବୋଉ କହିବ - 'ହଁ ହଁ । ଝିଅ ସହିତ ଆହୁରି ଖେଳ । ଆଉ ଟିକେ ମୁହଁବଢ଼ିଆ କର ତାକୁ ।' ସେଇଠୁ ମୋର ଏବେ ବି ମନେ ପଡ଼େ, ବାପା କହିବେ । 'ଓହୋ । ସବୁ କଥାରେ କାହିଁକି କହୁଚ ତାକୁ ।' ମୋ ପାଇଁ ବେଳେବେଳେ ବାପା ବୋଉଙ୍କର ବି ପାଟି ଲାଗିଯାଏ । ତା' ପରେ ମୁଁ ଯାଇକି ବୋଉଙ୍କ କୋଳ ଉପରେ ଶୋଇପଡ଼େ । ଆଉ ତାକୁ କହିବି, 'ତମେ କାଇଁ ପାଟି କରୁଚ । ମୁଁ ତ ଠିକ୍ ଅଛି । ବାପାଙ୍କର ମୋର ଯଦି ନ ଖେଳିବୁ ତାହାହେଲେ ମୁଁ ଯାଉଚି ସ୍କୁଲ୍ ପଡ଼ିଆରେ ଖେଳିବି । ଭଲ ଲାଗିବ ତମକୁ ।' ଏମିତି କହିଦେଲେ ବୋଉ ଚୁପ୍ । ତେଣୁ କିଛି କୁହନ୍ତିନି । 

ଆଉ ଗୋଟେ ବଡ଼ ଜିନିଷ ହେଉଚି ଗାଁରେ ସବୁ ବୟୋଜ୍ୟେଷ୍ଠ ଲୋକମାନେ ବି ମୋତେ ଭଲ ପାଉଥିଲେ । ଆମ ଘରର ଗୋଟେ ସଂସ୍କାର ଥିଲା । ଯେ କୌଣସି ଗୁରୁ ଗୁରୁଜନ ଲୋକଙ୍କୁ ଆମେ ଅସମ୍ମାନ କରୁନା । ବାପା ବୋଉଙ୍କର ଆମ ପାଇଁ ସେଇଟା ଶିକ୍ଷା ଥିଲା । କାରଣ ପ୍ରଥମେ ତ ଆମ ଘରେ ସେଇଟା ଶିକ୍ଷା ଦିଆଯାଇଥିଲା । ସକାଳୁ ଉଠିବୁ । ଉଠିକରି ଆଗ ବାପାଙ୍କୁ ମୁଣ୍ଡିଆ ମାରିବୁ, ବୋଉଙ୍କୁ ମୁଣ୍ଡିଆ ମାରିବୁ, ତା ପରେ ଠାକୁରଙ୍କୁ ମୁଣ୍ଡିଆ ମାରିବୁ । ଏଇଟା ଆମର ଘରର ନିୟମ । ସକାଳୁ ଉଠିଲୁ ମାନେ ଆମେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ । ତା' ପରେ ଦାନ୍ତ ଘଷିବୁ । ସନ୍ଧ୍ୟା ହେଲେ ଚଉରା ପାଖରେ ବସିକରି ପ୍ରାର୍ଥନା କରିବୁ । ତା' ପରେ ବାପାବୋଉଙ୍କୁ ମୁଣ୍ଡିଆ ମାରିବୁ  । ତା' ପରେ ଆସି ପଢ଼ିବସିବୁ ।  ଏଇଟା ଆମର ଘରର ସଂସ୍କାର ଥିଲା । ସେଇ ହିସାବରେ ଗାଁରେ ଦାଣ୍ଡରେ ଗଲେ ବି ଯେ କୌଣସି ବୟୋଜ୍ୟେଷ୍ଠ ଲୋକ ହୁଅନ୍ତୁ, ତାଙ୍କୁ ମଧ୍ୟ ଆମେ ପ୍ରଣାମ କରୁ । ସେ ଦୃଷ୍ଟିରୁ ସେମାନେ ବି ବହୁତ ଭଲ ପାଆନ୍ତି । ଏଇ ଭଳିଆ ଥିଲା ଗାଁ ଜୀବନ । ଗାଁ ଜୀବନ ପ୍ରକୃତରେ ବହୁତ ଭଲ ଥିଲା । ଦୋଳିଫୋଳି ଖେଳୁଥିଲି ରଜ ଫଜରେ । ଆଉ କୁଆଁର ପୁନେଇରେ ସେଇ ଯେଉଁ ଚାନ୍ଦ ଚକଟା ଫକଟା ସବୁ ହୁଏ ଚଉରା ପାଖରେ । ସେଥିରୁ ଗୋଟେ ଧରିକରି ଦଉଡ଼ି ପଳେଇବି ଗୁହାଳ ଆଡ଼କୁ । କୁହନ୍ତି କଅଣ ନା ଲୁଚିକରି ଖାଇବ ନା । 'ଲୁଚି ଲୁଚି ଯାଇ' - ମୋର ଗୋଟେ ଗୀତ ନାହିଁ କି । 'ଠିଆ ପୁଚି ନାରଙ୍ଗ, ଗୋଡ଼ ଦିଇଟା ସାରଙ୍ଗ । ସାରଙ୍ଗ ବାଡ଼ିକି ଯାଇଥିଲି । ଚୁଙ୍ଗୁଡ଼ି ଶୁଖୁଆ ଆଣିଥିଲି । ଅଧେ କଲି ଭଜା ଅଧେ କଲି ପିତା । ତୋ ଭଉଣୀ ରାଣୀ ଆଉ ମୋ ଭାଇ ରଜା' (ଗାଇକରି ଶୁଣାନ୍ତି) ।  ସେଇଭଳିଆ ଚାନ୍ଦ ଚକଟା ଧରି ସମସ୍ତେ କହିବେ ଲୁଚିକରି ଖାଇବା ପାଇଁ । ମୁଁ ଧରିକି ଦଉଡ଼ି କି ସିଧା ଗୁହାଳ ପାଖେ । ବୋଉ କହିଛନ୍ତି ପରା ଲୁଚିକି ଖାଇବାକୁ । ତ ମୁଁ ଯାଏ ଲୁଚିକି ଖାଇବା ପାଇଁ । ତ କହିବେ, ତତେ କଅଣ ଲୁଚିବାକୁ ଆଉ ଯାଗା ମିଳିଲାନି । ସିଧା ପଳେଇଗଲୁ ଗୁହାଳକୁ । 

ତେଣୁ  ଏଇ ପ୍ରକାରର ସବୁ କାମ କରେ ବୋଲି - ମୋର ଆଇ ଜଣେ ଥାଆନ୍ତି, ସମ୍ପର୍କୀୟ - ଅଣ୍ଡ୍ରିଟା ବୋଲି କହିବେ । ଏଇମିତି କହିବେ (ହାତ ଦେଖାଇ କହନ୍ତି ) - ଅଣ୍ଡ୍ରିଟା  ଏଇଟା । ବେଳେବେଳେ ମୋତେ କଅଣ କଅଣ କହିବେ - ଅଣ୍ଡ୍ରିଟା, ଘୋଡ଼ିଟା । କାହାକୁ ମାନୁନି । ମୁଁ ଭଲରେ ମାଗିବି । ମୁଁ ଗୋଟେ ଗଛରୁ ପିଜୁଳି ନେବି । ମୋତେ ଯଦି ନଦେବେ, ତାହାହେଲେ ସେ ପୁରା ଗଛର ପିଜୁଳି ସବୁ ନଷ୍ଟ କରିଦେବି । ମୋର ଭାରି ରାଗ । ସେ ଆଇଙ୍କର ପିଜୁଳି ଗଛ ଥାଏ । ତାଙ୍କ ଗଛରେ ବହୁତ ପିଜୁଳି ହୁଏ । ଆମର ସବୁ ବସନ୍ତ. ଟୁନି ଫୁନି ସବୁ ଅନେକ ଥାଆନ୍ତି । ଭଉଣୀମାନେ । ମୁଁ ତାଙ୍କୁ ସବୁ କହିବି - ଦିପହରରେ ତାଙ୍କ ଘରକୁ ଯିବା, ପିଜୁଳି ତୋଳିବା । ଦେଖିଲୁ ସିଏ କଅଣ ଟିଣ ବାନ୍ଧିକି ଘର ଭିତରେ ଅଛନ୍ତି । [ଗଛରେ] ଯିଏ ଚଢ଼ିଲେ ଖଡ଼ଖଡ଼ ହଉଚି । ବୁଢ଼ୀ ସିଆଡ଼ୁ ଦଉଡ଼ି ଆସୁଛନ୍ତି । ମୁଁ ଉପରେ ଚଢ଼ିବି । ତଳେ ସେମାନେ ପିଜୁଳି ଗୋଟେଇବେ । ମୁଁ ଉପରୁ ତଳକୁ ଫୋପାଡ଼ିବି । ସେମାନେ ତଳେ ଗୋଟେଇବେ । ବୁଢ଼ୀ ଯେମିତି ଆସିଲେ ସିଏ ପିଜୁଳି ଫିଜୁଳି ଏକାଠି କରିକି  ଅଣ୍ଟିରେ ଧରିକି ଯେ ଯୁଆଡ଼େ ଛୁ । ମୋତେ ଗାଳିଦେଲେ ବୋଲି ମୁଁ ଉପରୁ ଗୋଟେ ପିଜୁଳି ପକେଇଦେଲି । ତାଙ୍କ ମୁଣ୍ଡରେ ପଡ଼ିଲା । 'ଆଲୋ ମୁଁ ମରିଗଲିଲୋ । ମୋତେ ମୋତେ ମାରିଦେଲାଲୋ' କହିକରି ସିଏ ଆଉଁଶେଇକରି ଉଠିଲା ବେଳକୁ ମୁଁ ସେଠୁ ଚମ୍ପଟ୍ । 

ମାନେ ମୁଁ ଏମିତି ଟିକେ ବଦମାଶ ବି ଥିଲି ପିଲାବେଳେ । କାକୁଡ଼ି ଲଟା ହେଇଥିବ ବାରିରେ । ଆଇ ଗୋଟେ କାକୁଡ଼ି ଦବ । 'କାଇଁବା କାକୁଡ଼ି ତ କଉଠିଁ ନାଇଁ । ତତେ କାକୁଡ଼ି କଉଁଠୁ ଦେବି' । ଦେଖିଲା ବେଳକୁ କାକୁଡ଼ି ଓହଳି ଥିବ । ସକାଳୁ ସେପଟକୁ ଗୁହାଳ ଘର କାନ୍ଥ ଡେଇଁକି ସେପଟେ ଯାଇଁ ସବୁ କାକୁଡ଼ିରୁ ଅଧା ଅଧା କାମୁଡ଼ି ଦେଇଥିବି । ଯେତେ କାକୁଡ଼ି ଥିବ - ଆଠଦଶଟା ଖଣ୍ଡେ କାକୁଡ଼ି - କାମୁଡ଼ିକି ପକେଇ ଦେଇଥିବି । ମତେ ଦେଲନି କାହିଁକି । ତା ପରେ ଆସି ବୋଉକୁ କହିବେ - 'ଏ କାମ ଆଉ କାହାର ନୁହେଁ । ତୋ ଝିଅର । ମୋତେ କାଲି ମାଗୁଥିଲା କାକୁଡ଼ି ମୁଁ ଦେଲିନି । ଏମିତିଆ କରିଛି ।' ମୁଁ ଏ ବାବଦରେ ବି ଟିକିଏ ଦୁଷ୍ଟ ଥିଲି । ତ ନିଜର ଗୁଣ କହୁଚି ମୁଁ । ଏ ବାବଦରେ ବି ବହୁତ ବଦମାସ ଥିଲି । ତେବେ ଯାହାହଉ, ସେଇ ଭିତରେ, ହସଖେଳ ଭିତରେ ମୋ ପିଲାଦିନ ଗାଁରେ କଟିଗଲା । ଆଉ ଏବେ ଯେତେବେଳେ ଏକା ଏକା ବସେ, ଗାଁ କଥା ମନେ ପଡ଼େ । ଆଉ ଅବଶ୍ୟ ଗାଁର ସେଇ ଶିରୀ ନାଇଁ । ବର୍ତ୍ତମାନ ଗାଁଦାଣ୍ଡ ଚିକ୍ ଚାକ୍ ହେଇଗଲାଣି । ସିମେଣ୍ଟ୍ ପ୍ଲାଷ୍ଟର୍ ହେଇଗଲାଣି । ଆମର ଯେଉଁ ଗାଁର ତୋଟା ଥିଲା, ସେଥିରେ ଆଉ ଆମ୍ବଗଛ ନାହିଁ । ଗାଁର ପରିବେଶ ଆଉ ଗାଁ-ପରିବେଶ ହେଇକି ନାହିଁ । ଇଲେକ୍ଟ୍ରି ଲାଇନ୍ ଚାଲିଗଲାଣି । ସେତେବେଳେ ତ ଆମେ ଲଣ୍ଠନ୍ ରେ ପଢ଼ୁଥିଲୁ ବସିକରି । ତେଣୁଁ କରି ଗାଁରେ ଆଉ ସେ ସବୁ ନାହିଁ ।