Friday, August 31, 2018


ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ଭଲବାଟ ମୋତେ ଦେଖାଅ'

କବି - ରାମକୃଷ୍ଣ ନନ୍ଦ


ଗୁଜୁରାଟର ସାବରମତି ଆଶ୍ରମର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଭଲ ବାଟ ମୋତେ ଦେଖାଅ ତୁମେ ଉଢ଼ାଳେ ଥାଇ
ଦାଉ ଧକ୍କା ଯେତେ ଆସିବ ସବୁ ଯିବି ଏଡ଼ାଇ ।

ସତ ମିଠା ବୋଲି ଦିଅ ହେ ସଦା ତୁଣ୍ଡରେ ମୋର
ଦେଶ ଦୁନିଆର କାମେ ନ ମଣେ ଆପଣା ପର ।

ଦୁଃଖୀ ରଙ୍କି ଶୋଷୀ ସକାଶେ ଝରୁ ଆଖିରୁ ପାଣି
ତାଙ୍କ ସେବା ଲାଗି ସାହସ ବଳ ଦିଅ ହେ ଆଣି ।

ସମ୍ପଦେ ନ ହୁଏଁ ବିଭୋର ବିପଦରେ ଅଧୀର
ସତ ଲାଗି ଛାତି ପାତେ ମୁଁ କଟୁ ପଛେ ମୋ' ଶିର ।

ଟଙ୍କା ସୁନା ପଉରୁଷକୁ ମନ ନ ବଳୁ ତିଳେ 
ନତ କର ସଦା ମୋ ମଥା ତୁମ ଚରଣ ତଳେ ।

Thursday, August 30, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୪

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ରକର - ଓଲାଉସ ମାଗ୍‌ନସ୍ (୧୪୯୦ - ୧୫୫୭)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ତାଓ ଈଶ୍ୱରଠୁ ପ୍ରବୀଣ
ତାଓ ଯେମିତି ଏକ ଝରଣା ।
ସତତ ଦାନଶୀଳ, ଶୁଖିବନି କେବେ ।
ତାଓ ଯେମିତି ଏକ ଅନନ୍ତ ଶୂନ୍ୟତା,
ଭରିଅଛି ଅସୀମ ସମ୍ଭାବନାରେ ।
ଅଦୃଶ୍ୟ ତାଓ ସଦା ଜାଗ୍ରତ
ଜାଣେ ନାହିଁ, କିଏ ତାହାର ଜନ୍ମଦାତା
ତାଓ ଈଶ୍ୱରଠୁ ବି ପ୍ରବୀଣ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, August 29, 2018

ଛଅ ଦୁଗୁଣେ ବାଆର


କଟକ ସ୍ଥିତ ଗୋରା କବର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଛଅ ଦୁଗୁଣେ ବାଆର, ମିଡିଲିଆ ଚୋର’ । ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ, ସେତେବେଳେ ତାଙ୍କୁ ଏହିପରି ଟାହୁଲି ଗୀତ ଅନ୍ୟ ସ୍କୁଲର ପିଲାଙ୍କଠାରୁ ଶୁଣିବାକୁ ପଡ଼ୁଥିଲା । ଏଥିକୁ ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ କଥା ଲେଉଟାନ୍ତି - ‘କଲେଜିଏଟ୍, ପାନ ବିଡ଼ି ସିଗାରେଟ୍’, ‘ମିଶନ୍ ଫେସନ୍’ । ଅବଶ୍ୟ ମିଡିଲ ସ୍କୁଲରେ ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର ବାବୁ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇଲେ । ୧୯୩୧ ମସିହା ହବ ବୋଧେ । ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା ବେଳକୁ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି ୧୧ କିଲାସରେ; ଫୁଲ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସନ୍ତି, ଆଉ ଖେଳରେ ସବୁ ପୁରସ୍କାର ତକ ଉପରେ ସେ ନିଜ ନାଁ ଯେପରି ଲେଖାଇ ନେଇ ଥାଆନ୍ତି ।

କଟକରେ ସର୍ବେଶ୍ୱରଙ୍କ ପରିବାର ରହୁଥିଲେ ସାହେବଜାଦା ବଜାରରେ । ନିମଚଉଡ଼ିରୁ ଟ୍ରେନିଂ କଲେଜ ଯାଇଥିବା ରାସ୍ତା ଉପରେ ଘର, ଯାହାର ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ ସର୍ବେଶ୍ୱର ପିଲାବେଳରୁ ହିଁ ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର ତାଡ଼ନା ନ ଥାଏ । ତାହା ଛଡ଼ା ସେ ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀରେ ମନିଟର ବି ହେଲେ । ତିନି ଥର ଲାଗଲାଗ । ଏହା ଥିଲା କଲେଜିଏଟ ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ । ସ୍କୁଲର ବାର୍ଷିକ ପୁରସ୍କାର ହିସାବରେ ବହି ହିଁ ମିଳୁଥିଲା । ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା ଗୋଟିଏ ପ୍ରାଇଜ ପୁସ୍ତକ ଥିଲା ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ ଦାସଙ୍କ ଜୀବନା ଓ ସ୍ତବକମାଳା । ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ ଘରେ ଥିବା ‘ପିଲାଙ୍କ ମହାଭାରତ’ ଓ ‘ପିଲାଙ୍କ ରାମାୟଣ’ ଆଉ ‘’ନାବିକ ସିନ୍ଦବାଦ୍‌ର କାହାଣୀ’, ‘ଗଲିଭର୍‌ଙ୍କ କାହାଣୀ’, ‘ବାଲିରାଜା’ ଇତ୍ୟାଦି ବହି ତାଙ୍କର ପଢ଼ା ସରିଥାଏ ।

କଲେଜିଏଟେରେ ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ ସର୍ବେଶ୍ୱର ନିଜ ଭାଇନାଙ୍କ ସହିତ ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ ପିତା ଗୋପୀନାଥ ଦାଶଙ୍କ କଚେରିରେ ଥିବା ମିଶଲକୁ ଯାଆନ୍ତି । ଖାଇବା ଛୁଟି ସମୟରେ ବାପାଙ୍କ ସହ ବସି ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି ପଇସାରେ ମିଳେ ପତର ଦନା ଭରତି ହେଲା ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ ଫେରନ୍ତି । ସମାଜର ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ ଗୋପୀନାଥ ମିଶ୍ରଙ୍କର କଟକରେ ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି । ଲିଙ୍ଗରାଜ ବାବୁଙ୍କ ଦ୍ୱାରା ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି ପଢ଼ି, ସର୍ବେଶ୍ୱର ଫରାସୀ, ଇତାଲୀୟ, ଓ ୠଷୀୟ ବିପ୍ଳବ ବିଷୟରେ ଜାଣିଲେ । ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା ସମୀକ୍ଷା ପାଇଁ ବହିଗୁଡ଼ିକ ବି ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ ଦିଅନ୍ତି ପଢ଼ିବା ଲାଗି ।

ସେବେ ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ କୁସୁମ’ ବହିଟି ପଢ଼ା ହେଉଥିଲା । ପାଠ୍ୟପୁସ୍ତକଟିର ସମ୍ପାଦନା କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ ପଢ଼ା ହୁଏ ତାଙ୍କରି ‘ସାହିତ୍ୟ ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’, ‘ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ତୁଳସୀ ସ୍ତବକ’, ‘ନଦୀ ପ୍ରତି’, ‘ସୀତା ବନବାସ’ ଇତ୍ୟାଦି କବିତା । ସେହି ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର ପର୍ତ୍ତୁଗାଲର ଲିସବନ ସହରକୁ ଧ୍ୱଂସ କରିଦେଇଥିବା ଭୂମିକମ୍ପ ବିଷୟରେ ପାଠ ପଢ଼ା ହେଉଥିବା ସମୟରେ ବିହାର ଭୂମିକମ୍ପ ଘଟେ ୧୯୩୪ ମସିହାରେ । ଏକ ବିଚିତ୍ର ସଞ୍ଜୋଗ । କଲେଜିଏଟ ସ୍କୁଲରେ ସର୍ବେଶ୍ୱର ୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ ପ୍ରବଳ ମେଲେରିଆ ବ୍ୟାପୁଥିଲା । ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ । ସେବେ ‘ଜାରମଲୀନ’ ଓଷଦର ମେଲେରିଆ ଚିକିତ୍ସା ପାଇଁ ନାଁ ଡାକ ଥିଲା । ରାସ୍ତାଘାଟରେ ମଡ଼ା ହୋଇଥାଏ, ‘ଜାରମଲୀନ ଜ୍ୱରର ଯମ’ ।

ଏଇ ସ୍କୁଲ ପାଠପଢ଼ା ସମୟରେ କଟକରେ ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା । ଏହା ସର୍ବେଶ୍ୱରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରେର ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ ରାସଦଳର ରାହାସ, ଉତ୍କଳଭୀମ ପଦ୍ମଚରଣହ୍କର ଶାରୀରିକ ଶକ୍ତିର ପ୍ରଦର୍ଶନ । ବେଳେବେଳେ କଲିକତିଆ କି ବମ୍ବେଇଆ କମ୍ପାନୀ ଆସି ନୀରବ ସିନେମା ବି ପ୍ରଦର୍ଶିତ କରନ୍ତି । ପରିବାର ସହିତ ଦେଖିଥିବା ‘ବେଗର୍ ମିଟ୍‌ସ୍ ବେଗର୍’ ଫିଲ୍ମଟି ସର୍ବେଶ୍ୱର ବାବୁଙ୍କର ଅନେକ ବର୍ଷ ପର୍ଯ୍ୟନ୍ତ ମନେ ଥିଲା । ବରଷକେ ଦୁଇ ତିନି ଥର ସରକସ ବାଲେ ବି ଆସନ୍ତି । ଦୁର୍ଗାପୂଜା, ତାଜିଆ ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ ମିଳିମିଶି ଭାଗ ନିଅନ୍ତି । ୧୯୩୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ ଦାଶଙ୍କ ପରିବାର କଟକରେ ଥିଲେ । ଏହା ପରେ ତାଙ୍କର ବଦଳି ହେଲା ପୁରୀକୁ । ପୁରୀରେ ସର୍ବେଶ୍ୱର ବାବୁ ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ । ହେଲେ ତାଙ୍କର ହାଇ ସ୍କୁଲ ପାଠ ପଢ଼ା ଆଉ ଗୋଟିଏ କାହାଣୀ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

Monday, August 27, 2018

ଦୁଧ ବାର୍ଲି

ସରୋଜିନୀ ଚୌଧୁରୀ


ବାର୍ଲିର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଉପକରଣ - ବାର୍ଲି ତୋଳେ, ଜଳ ପାଏ, ଦୁଧ ପାଏ, ଚିନି ବା ମିଶ୍ରି ଅନ୍ଦାଜ ମୁତାବକ । 

ପ୍ରଣାଳୀ -  ପରିଷ୍କୃତ ନିର୍ଦ୍ଦୋଷ ସୂକ୍ଷ୍ମ ବାର୍ଲିଚୂର୍ଣ୍ଣ ଏକ ତୋଳା, ଅଧ ପାଏ ଥଣ୍ଡା ଜଳରେ ମିଶାଇ, ପରେ ତହିଁରେ ପାଏ ଗରମ ଜଳ ଢାଳି ଧୀରେ ଧୀରେ ଘାଣ୍ଟିବ । ତାହାର ପରେ ଅଳ୍ପ କ୍ଷଣ ଫୁଟାଇ ସିଦ୍ଧ କରିବ ଓ କ୍ରମାଗତ ଘାଣ୍ଟୁ ଥିବ । ଏହି ସମୟରେ ଏକଉତୁରା ତଟକା ଇଷଦ୍ ଉଷ୍ଣ ଦୁଧ ପାଏ ତହିଁ ସଙ୍ଗରେ ମିଶାଇବ ଏବଂ ଆବଶ୍ୟକ ମୁତାବକ ଚିନି ଓ ମିଶ୍ରି ଯୋଗ କରିବ । ହିନ୍ଦୁ ଚିକିତ୍ସାଶାସ୍ତ୍ର ଦୁଧ ବାର୍ଲିର ପକ୍ଷପାତି ନୁହେଁ । ସେ କହେ ବାର୍ଲି ଗୋମାଂସ ପରି । ବୋଧ ହୁଏ ଏଥିର ରହସ୍ୟ ବର୍ତ୍ତମାନ ସୁଦ୍ଧା ଅଜଣା ।


ବି.ଦ୍ର. - ଦୁଧ ବାର୍ଲି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Saturday, August 25, 2018

ପାଲି ଧର୍ମପଦ (୯୦) ର ଓଡ଼ିଆ  ପଦ୍ୟାନୁବାଦ

 ୧ ଅରହନ୍ତ ବର୍ଗ


ଯୁକ୍ତରାଜ୍ୟ ଆମେରିକାର କାଲିଫର୍ଣ୍ଣିଆରେ ସ୍ଥିତ ସି ଲାଇ ବୌଦ୍ଧ ମନ୍ଦିରର ଅର୍ହତ ଉଦ୍ୟାନ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଯେଉଁ ଜନ ପଥ ପରେ ହୋଇଣ ଚାଳିତ,
ଶୋକରୁ ରହିତ ହୋଇ ସର୍ବଥା ବିମୁକ୍ତ ।
ସର୍ବ ଗ୍ରନ୍ଥି ଛିନ୍ନ ହୋଇ ସେହି ବ୍ୟକ୍ତିଙ୍କର
କ୍ଲେଶ, ପରିତାପ ଆଦି ନ ଥାଏ ତାଙ୍କର ।୧।   

ଗତଦ୍ଧିନୋ ବିସୋକସ୍ସ ବିପ୍ପମୁତ୍ତସ୍ସ ସବ୍ୱଧି ।
ସବ୍ୱଗନ୍ଥପ୍ପହୀଣସ୍ସ ପରିଳାହୋ ନ ବିଦ୍ୟତେ ।୧।

ଗତାଧ୍ୱନୋ ବିଶୋକସ୍ୟ ବିପ୍ରମୁକ୍ତସ୍ୟ ସର୍ବଥା ।
ସର୍ବଗ୍ରନ୍ଥ ପ୍ରଣୀହସ୍ୟ ପରିଣାହୋ ନ ବିଦ୍ୟତେ ।୧।

Thursday, August 23, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୩

ଅନୁବାଦ - ଜ୍ୟୋତି ନନ୍ଦ


ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

କ'ଣ କିଛି ନ କରି ଅନୁଶୀଳନ କର
ଯଦି ମହାପୁରୁଷକୁ ଅତିରିକ୍ତ ବଡ଼ କରି ବସ
ସାଧାରଣ ମଣିଷଟି ହୋଇଯାଏ ଖୁବ୍ ଛୋଟ, ଅସହାୟ ।
ଯେତେକ ସମ୍ପଦ ଅଛି ଯଦି ଅତିମୂଲ୍ୟ ତାହାର ପ୍ରଚାର,
ଲୋକେ ତ ପ୍ରଲୁବ୍ଧ ହେବେ କରିବାକୁ ଚୋରି ।
ମନରୁ ପୋଛି ଦେଇ ମୋହ
ଦୂର କରି ସମସ୍ତ ବାସନା ।
ଶିକ୍ଷା ଦେଉଥା'ନ୍ତି ଗୁରୁ ମଣିଷରେ
କେମିତି ଅକସ୍ମାତ
ସବୁଥିରୁ ରହିବ ମୁକତ ।
ସେ ବିଷୟରେ ନିଶ୍ଚିତ ଥାଆନ୍ତି ଗୁରୁ ।
ସବୁକିଛି ହୋଇବ ପ୍ରାପତ ।
ଦୀକ୍ଷା ଦେଉଥାନ୍ତି ଗୁରୁ ।
ମଣିଷ ଯେତେବେଳେ ଦ୍ୱିଧାଗ୍ରସ୍ତ ସେଇ କଥାରେ
କିଛି ନାହିଁ, ଅନୁଶୀଳନ କର ଖାଲି ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Tuesday, August 21, 2018

ଗୀତ - 'ହୃଦୟ ଭରା ମୋର ଗୀତରେ'

ଗୀତିକାର - ନାରାୟଣ ପ୍ରସାଦ ସିଂହ 

(୨୮ ମଇ, ୧୯୩୩ - ୬ ଜୁନ, ୨୦୧୮)

ରାଗମାଳାର ଚିତ୍ର - ବସନ୍ତ ରାଗିଣୀ (ୱିକିମିଡିଆ କମନ୍ସ୍)
୧୭୭୦ରେ ଅଙ୍କିତ ରାଜସ୍ଥାନର କୋଟା ଅଞ୍ଚଳର ଚିତ୍ର

ମିତରେ ମିତରେ ମିତରେ
ହୃଦୟ ଭରା ମୋର ଗୀତରେ
କେବେ ଫୁଲର ଫଗୁଣ
କେବେ ଧାରା ଶିରାବଣ
କେବେ ମାଘ ଛାତିଥରା ଶୀତରେ ।ଘୋଷା।

କେବେ ରାକା ଜୋଛନାର ରାତି
କେବେ ମଧୁମଳୟ ଚଇତି
ଅନ୍ଧାରେ କେବେ ଜାଗେ ଭୀତି
ଆଲୋକରେ ଝଲ୍‌ମଲ୍ ପ୍ରୀତି
ଭଲ ପାଇବାର ଅମୃତରେ ।୧।

କେବେ ଅବା ବିଳାସୀ ବସନ୍ତ
ଅସୁମାରି ଆଶାରେ ଅଶାନ୍ତ
ଦୁଃଖରେ କେବେ ଭାରାକ୍ରାନ୍ତ
କେବେ ଅବା ହସର ହସନ୍ତ ।
ଚହଲାଇ ଦିଏ ମୋର ଚିତ୍ତରେ ।୨।

ବି.ଦ୍ର. - ଏହି ଗୀତିକବିତାଟି ତ୍ରୈମାସିକ ସାହିତ୍ୟପତ୍ର 'ଚନ୍ଦନ'ର ୨୦୧୮ ମସିହାର ବର୍ଷା ସଙ୍ଖ୍ୟାରୁ ସଙ୍ଗୃହିତ ।

Sunday, August 19, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୨

ଅନୁବାଦ - ଜ୍ୟୋତି ନନ୍ଦ


ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯେତେବେଳେ ସରିଯାଏ କାମ
ଯେତେବେଳେ ସରିଯାଏ କାମ
ଗୁରୁ ତାହାକୁ ଭୁଲି ଯାଆନ୍ତି ।
ଲୋକମାନେ ଯେତେବେଳେ କେଉଁଠି କେଉଁଠି
ସୌନ୍ଦର୍ଯ୍ୟ ଦେଖନ୍ତି;
ଆଉ କିଛି ମନେହୁଏ ତାଙ୍କର ଖୁବ୍ ଅସୁନ୍ଦର ।

ଲୋକେ ଯେତେବେଳେ କାହାକୁ କାହାକୁ ଭଲ କହନ୍ତି
ରହିବା ଆଉ ନ ରହିବା ଜଣେ ତିଆରି କରେ ଆରକୁ
ଜଟିଳତା ଆଉ ସହଜତା ଜଣେ ଆରଜଣକୁ ସମର୍ଥନ କରେ
ହସ୍ର ଆଉ ଦୀର୍ଘ ଚିହ୍ନାଏ ଜଣେ ଆରଜଣକୁ ।

ଉଚ୍ଚ ଆଉ ନୀଚ୍ଚ ପରସ୍ପର ଉପରେ ନିର୍ଭର କରନ୍ତି;
ଆଗ ଆଉ ପଛ ଅନୁସରଣ କରୁଥା'ନ୍ତି ଜଣେ ଆରଜଣକୁ ।
ଗୁରୁ ତାଙ୍କର ନିର୍ଦ୍ଧାରିତ କାମ କରୁ ଥାଆନ୍ତି, କିଛି ନ କରି;
ଦୀକ୍ଷା ଦେଉ ଥାଆନ୍ତି ସେ, ପଦେ କଥା ନାହିଁ,
ଯେତେବେଳେ କିଛି ଜାଗ୍ରତ ହୁଏ ସେ ଜଗାଇଦିଅନ୍ତି;
ଯେତେବେଳେ କିଛି ଅବଲୁପ୍ତ ହେବାକୁ ବସେ, ସେ ପୋଛି ଦିଅନ୍ତି;
ଯାହା ଅଛି, ତାହାକୁ ବିସର୍ଜି ଦେବାକୁ ତାଙ୍କର ନାହିଁ କିଛି ଦ୍ୱିଧା ।

ପ୍ରତ୍ୟାଶା ନାହିଁ ,କାମ ଖାଲି ତାଙ୍କର
ଯେତେବେଳେ କାମଶେଷର ଘଣ୍ଟା ବାଜେ
ସେ ଭୁଲିଯାଇଥାନ୍ତି କାମ;
ଏଥି ପାଇଁ ବଞ୍ଚିଥାଏ ତାଙ୍କ ଅବଦାନ ଓ
ସ୍ୱୟଂ ଗୁରୁ ନିଜେ ଚିରକାଳ ।

ଅନ୍ୟ କିଛି ନିଶ୍ଚେ ମନ୍ଦ ମନେ ହେବ ।


ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Friday, August 17, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧

ଅନୁବାଦ - ଜ୍ୟୋତି ନନ୍ଦ


ଗଧ ଉପରେ ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଦାଓ କ'ଣ ?
ଦାଓ ହେଉଛି ତାହା ଯାହାକୁ ଶବ୍ଦରେ ବନ୍ଧା ଯାଏନା
କେବେ ହେଲେ ତାହାର ନାମକରଣ ନାହିଁ
ସେଥିରେ ଜମା ଧରା ପଡ଼ିବନି ଅସଲ ତାଓ ।

ଶବ୍ଦ ଭିତରେ ଅଛି, ପାଇଯିବ ସୀମିତକୁ,
ଅସୀମ ସେଇଠୁ ଓହ୍ଲାଇ ଆସେ ଧରା ଦିଏ ନାହିଁ
ଯଦିବା ମୁକ୍ତ ହୁଅ ବାସନାରୁ
ତେବେ ରହସ୍ୟକୁ ଭେଟିବ
ଯଦି ବାସନା ସହ ସହବାସ କର
କେବଳ ପାଇବ ପ୍ରକାଶ୍ୟ ।

ରହସ୍ୟ ଆଉ ପ୍ରକାଶ୍ୟ ଉତ୍ସ ତ ଗୋଟିଏ
ଏଇ ଉତ୍ସର ନାମ ଅନ୍ଧକାର
ଅନ୍ଧକାର ଭିତରେ ଅନ୍ଧକାର
ମୂଳମନ୍ତ୍ର ସବୁକିଛିକୁ ବୂଝାଏ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

Wednesday, August 15, 2018

ସୋନପୁରରେ ଇସ୍କୁଲ ପଢ଼ା


 ସୋନପୁରର ସୂବ୍ରର୍ଣ୍ଣମେରୁ ମନ୍ଦିର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

୧୯୨୩ ମସିହାର ସେପ୍ଟେମ୍ବର ମାସରେ, ନଅ ବର୍ଷ ବୟସରେ, ପ୍ରଥମ କରି ଗୋପୀ ବିଦ୍ୟାଳୟର ଖୁଆଡ଼ରେ ପଶିଲେ । ସେ ପୁଣି ନିଜ ଗାଁ ନାଗବାଲିରେ ନୁହେଁ । କେଉଁ ପଛିମରେ ଯାଇଁ ସୋନପୁର ରାଇଜର ‘ଦି ସୋନପୁର ମହାରାଜା ହାଇ ଇଙ୍ଗ୍ଲିଶ୍ ସ୍କୁଲ’ ରେ । ଛୋଟ କରି କହିଲେ ଇସ୍କୁଲଟିର ନାମ – ଦି ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲ । ସେତେବେଳେ ବିଦ୍ୟାଳୟଟିରେ ଅଢ଼େଇ ଶହ ଆଡ଼କୁ ବିଦ୍ୟାର୍ଥୀ । ଗୋପୀବାବୁଙ୍କର ନିଜ ଶ୍ରେଣୀରେ ପାଖାପାଖି ତିରିଶ ଜଣ ଛାତ୍ର । ତାଙ୍କ ନାମ ଲେଖାଗଲା ଛଅ ଶ୍ରେଣୀରେ । ସେତେବେଳେ ଶିଶୁ ଶ୍ରେଣୀ ଥିଲା । ଅର୍ଥାତ, ତାହା ଏବେକାର ପଞ୍ଚମ ଶ୍ରେଣୀ ହବ । ଶ୍ରେଣୀରେ ବସିଲା କ୍ଷଣି ବହିର ମଲାଟରେ ଲେଖି ବସିଲେ,

ଦି ଗ୍ରାସ୍ ଇଜ୍ ଗ୍ରୀନ୍
ଦି ରୋଜ୍ ଇଜ୍ ରେଡ଼୍
ଦିସ୍ ବୁକ୍ ଇଜ୍ ମାଇନ୍
ଟିଲ୍ ଆଇ ଆମ୍ ଡେଡ଼୍”

ନିଜ ବହିଗୁଡ଼ିର ମାଲିକାନା ସାବ୍ୟସ୍ତ କରିବା ପାଇଁ ଏପରି ହରଫନାମା ତ ଅବଶ୍ୟ କର୍ତ୍ତବ୍ୟ ।

ସେବେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯିବାକୁ ପଡ଼ୁଥାଏ ସମ୍ବଲପୁର । କାରଣ ପାଟନା ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ କରୁଥିବା ମାଟ୍ରିକ ପରୀକ୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ସେତେବେଳେ ସମ୍ବଲପୁର ଠାରେ ହିଁ ଥାଏ କେନ୍ଦ୍ର । ପାସ୍ କରିବା କୁଆଡ଼େ ଭାରୀ କଷ୍ଟ । ସେତେବେଳେ ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲରୁ ଦୁଇ ଚାରି ବର୍ଷରେ ଜଣେ ଅଧେ ମାଟ୍ରିକ ପାଶ କରୁ ଥାଆନ୍ତି । ଏଣୁ ସ୍କୁଲରେ ମାଟ୍ରିକ ପାସ କରି ନ ଥିବା ଅନେକ ଶିକ୍ଷକ ଥିଲେ । ହେଲେ ସେଇମିତି, ଏଫ୍.. ଆଉ ବି.. ପାସ କରିଥିବା ଆଚାର୍ଯ୍ୟ ବି ଥିଲେ । ହେଡ଼ମାଷ୍ଟର ଗୌରମୋହନ ଭଟ୍ଟାଚାର୍ଯ୍ୟ ଥିଲେ ସବୁଠାରୁ ଅଧିକ ଶିକ୍ଷିତ – ଏମ୍.. ପାସ୍ । ନିଜର ବିଗତ ଜୀବନରେ ଥିଲେ ବଙ୍ଗଳାର ଜଣେ ଗୁରୁତ୍ୱପୂର୍ଣ୍ଣ ସନ୍ତ୍ରାସବାଦୀ ବିପ୍ଳବୀ । କପିଳ ବାବୁ ଓ ଦାମୋଦର ଶାସ୍ତ୍ରୀ ଓଡ଼ିଆ ପଢ଼ାଉଥିଲେ ସ୍କୁଲଟିରେ । ଅକ୍ଷୟ ବାବୁ ଇଂରାଜୀ, ମହେଶ୍ୱର ସୁବୁଦ୍ଧି ଅଙ୍କ, ସୋମନାଥ ଦାନୀ ଭୂଗୋଳ ଓ ଆଦିତ୍ୟ ଗୁରୁ ସଂସ୍କୃତ ପଢ଼ାଉ ଥିଲେ ।

କଦବାକ୍ୱଚିତ କ୍ଲାସକୁ ପ୍ରସନ୍ନ ବାବୁ ‘ଦି ଅମୃତ ବଜାର ପତ୍ରିକା’ ଓ ଅକ୍ଷୟ ବାବୁ ‘ଦି ଇଙ୍ଗ୍ଲିଶମ୍ୟାନ” ଇଂରାଜୀ ଦୈନିକପତ୍ରିକାଟିମାନ ଆଣନ୍ତି । ପିଲାଙ୍କ ପାଇଁ ଏହା ବୈଚିତ୍ର୍ୟର ବିଷୟ ଥିଲା । କେବଳ ପାଠ ପଢ଼ାଇବା ଛଡ଼ା ଶିକ୍ଷକମାନେ ଉତ୍ସାହ ଦେଉ ଥିଲେ । ପିଲାଙ୍କର ଦିନଚର୍ଯ୍ୟା ଉପରେ ନିଘା ରଖୁଥିଲେ । ଶ୍ରେଣୀ ବାହାରେ ପାଠର ଆଲୋଚନା ମଧ୍ୟ କରୁଥିଲେ । ଲାଇବ୍ରେରୀରୁ ବହି ନେଇ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ଗୋପୀଙ୍କ ପାଇଁ ଲାଇବ୍ରେରୀଟି ଥିଲା ଏକ କିମିଆରାଇଜ । ଓଡ଼ିଆ, ଇଂରାଜୀ, ଯାହା ବହି ପାଇଲେ, ନେଇ ପଢ଼ୁଥିଲେ । ବୟସରେ ସବୁଠାରୁ ସାନ ହୋଇ ମଧ୍ୟ ପାଠାଗାରଟିର ସବୁଠାରୁ ବେଶୀ ବ୍ୟବହାର ସେ ହିଁ କରୁଥିଲେ ।

ଇସ୍କୁଲରେ ସେତେବେଳେ ମାଇନର ସ୍କୁଲର ଚାରି କିଲାସରେ ସାଧାରଣ ଲୋକଙ୍କର ପିଲାଏ ପ୍ରାୟ ନ ଥିଲେ କହିଲେ ଚଳେ । ଯିଏ ବି ଥିଲେ ସେମାନେ ସମସ୍ତେ ରାଜକର୍ମଚାରୀଙ୍କର ପିଲାପିଚିକା । ନ ହେଲେ ସଙ୍ଗତିସମ୍ପନ୍ନ ପରିବାରର ସନ୍ତାନ । ସେମାନଙ୍କ ମଧ୍ୟରୁ ନୀଳାମ୍ବର, ଗୋପୀଙ୍କର ସହପାଠୀ ରହିଲେ ରେଭେନ୍ସାରେ ଏମ୍.. ପଢ଼ିବା ପର୍ଯ୍ୟନ୍ତ । ପରେ ସେ ବନିଲେ ସୋନପୁର ରାଜ୍ୟର ପ୍ରଥମ ଏମ.. ଓ ନିୟୋଜିତ ହେଲେ ବଲାଙ୍ଗୀର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ । ସାରା ଜୀବନ ସେଇଠି ଶିକ୍ଷକତା କରି କାଟିଦେଲେ । ସୋନପୁର ମହାନଦୀ ତଟର ସହର ହୋଇ ଥିବାରୁ, ଇସ୍କୁଲର ପିଲାଏ ପ୍ରାୟତଃ ସନ୍ତରଣପଟୁ ଥିଲେ - ଭଲ ଦଉଡ଼ୁ ମଧ୍ୟ ଥିଲେ । ହେଲେ ଗୋପୀଙ୍କର ପିଲାବେଳୁ ନିଶା ଥିଲା ପଢ଼ା; ଉଭୟ ପାଠ ପଢ଼ା ଓ ପାଠ୍ୟ ବହିର୍ଭୁତ ପୁସ୍ତକର ପଠନପାଠନ । ବାର୍ଷିକ ପରୀକ୍ଷାରେ ସେ ହିଁ ପ୍ରାୟତଃ ପ୍ରଥମ ହୁଅନ୍ତି । ଡାକରେ କବିଭୂଷଣ ସ୍ୱପ୍ନେଶ୍ୱର ଦାସଙ୍କର ‘ସାଧନା’ ନିୟମିତ ଆସୁଥାଏ । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ସୋନପୁର ଇସ୍କୁଲ ଲାଇବ୍ରେରୀର ବହି, ଶିକ୍ଷକମାନଙ୍କ ଅଧିନରେ ଭାଷା ଶିକ୍ଷା, ଆଖପାଖରେ ସାହିତ୍ୟର ପରିବେଶ – ସୋନପୁରରେ ଏମିତି ମିଳିମିଶି ଯେଉଁ ମୂଳଦୁଆଟି ଗଢ଼ି ହେଲା, ତାହା ପରେ ରୂପ ନେଲା ଓଡ଼ିଆ ସାହିତ୍ୟର ଏକ ସୁଉଚ୍ଚ ଅଟ୍ଟାଳିକାରେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇ ଥିଲା । ଆଲେଖ୍ୟଟି ଗୋପୀନାଥ ମହାନ୍ତିଙ୍କର ଆତ୍ମଜୀବନୀ ‘ସ୍ରୌତସ୍ୱତୀ’ର ପ୍ରଥମ ଭାଗରୁ ସଙ୍ଗୃହିତ । ବ୍ୟବହାର କରାଯାଇଥିବା ସଂସ୍କରଣଟି ବହିର ୧୯୯୭ ମସିହାରେ କଟକର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀଙ୍କ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ସଂସ୍କରଣ । ପୁସ୍ତକଟି ପ୍ରଥମେ ୧୯୯୨ ମସିହାର ଅଗଷ୍ଟ ମାସର କୋଡ଼ିଏ ତାରିଖରେ ଛପା ଯାଇଥିଲା ।

Monday, August 13, 2018

ପାଲି ଧର୍ମପଦ (୮୯) ର ଓଡ଼ିଆ  ପଦ୍ୟାନୁବାଦ

୧୪ ପଣ୍ଡିତ ବର୍ଗ


ଚିତ୍ର - 'ବୋଧିସତ୍ତ୍ୱଙ୍କର ଦନ୍ତ' (ୱିକିମିଡିଆ କମନ୍ସ୍)
ଚିତ୍ରକର - ଅବନୀନ୍ଦ୍ରନାଥ ଠାକୁର (୧୮୭୧-୧୯୫୧)

ଯେଉଁମାନଙ୍କର ଚିତ୍ତ ସମ୍ବୋଧି ଅଙ୍ଗରେ
ଅଭ୍ୟସ୍ତ ହୋଇଣ ଅଛି ଉତ୍ତମ ରୂପରେ ।।
ଯେଉଁମାନେ ଗ୍ରହଣ ନ କରି କିଛି ମାତ୍ର
ଅପରିଗ୍ରହରେ ସଦା ରହିଥା'ନ୍ତି ରତ ।।
ଦ୍ୟୁତିମାନ ଯେ, ଯାହାର ଚିତ୍ତମଳ କ୍ଷୀଣ ।
ସେମାନେ ଏଲୋକେ ଲଭନ୍ତି ପରିନିର୍ବାଣ ।୧୪।
  
ଯେସଂ ସମ୍ବୋଧି-ଅଙ୍ଗେସୁ ସମ୍ମା ଚିତ୍ତଂ‌ ସୁଭାବିତଂ ।
ଆଦାନପଟିନିସ୍ସଗ୍ଗେ ଅନୁପାଦାୟ ଯେ ରତା ।
ଖୀଣାସବା ଜୁତୀମନ୍ତୋ ତେ ଲୋକେ ପରିନିବ୍ବୁତା ।୧୪।

ୟେଷାଂ ସମ୍ବୋଧ୍ୟଙ୍ଗେଷୁ ସମ୍ୟକ୍ ଚିତ୍ତଂ ସୁଭାବିତମ୍ ।
ଆଦାନପ୍ରତିନିଃସର୍ଗାନ୍ ଅନୁପାଦାୟ ୟେ ରତାଃ ।
କ୍ଷୀଣାସ୍ରବା ଜ୍ୟୋତିଷ୍ମନ୍ତଃ ତେ ଲୋକେ ପରିନିର୍ବୃତାଃ ।୧୪।

Saturday, August 11, 2018

କଲରା ଖଟା

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମି଼ଡିଆ କମନ୍ସ୍

ଆବଶ୍ୟକ - କଲରାକୁ ଲମ୍ବା ଲମ୍ବା କରି ଚାରି ଫାଳ କରି କାଟି ଧୋଇ ରଖ । ଦୁଇଟି ବିଲାତି ବାଇଗଣ (୧୦୦ ଗ୍ରାମ୍‌ର) ବା ସାମାନ୍ୟ ତେନ୍ତୁଳି ରସ ଦୁଇ ଚାମଚ, ଗୁଡ଼, ଆବଶ୍ୟକୀୟ ଲୁଣ ଓ ହଳଦୀ ।  ମସଲା ପାଇଁ ଦୁଇ ଚାମଚ ଜୀରା, ଦୁଇଟି ଲଙ୍କା, ଅଧ ଚାମଚେ ମେଥି, ଏକ ଚାମଚ ଧନିଆକୁ ସାମାନ୍ୟ ଭାଜି ଗୁଣ୍ଡ କରି ରଖ । ତେଲ ପାଞ୍ଚ ଚାମଚ ।

ପ୍ରଣାଳୀ - କଲରାକୁ ତେଲ ଦେଇ, ଲୁଣ ହଳଦୀ ପକାଇ, କରେଇରେ ଧିମା ଜାଳରେ ଘୋଡ଼ାଇ କରି ଭାଜ । କଲରା ସିଝି ଗଲେ ସେଥିରେ ଟମାଟକଟା  ପକାଇ ପୁଣି ଘୋଡ଼ାଇ କରି ଚୁଲିରେ ରଖ । ଟମାଟୋ ନରମିଗଲେ ସେଥିରେ ଗୁଡ଼ ପକାଅ ଓ ଭଜା ମସଲା ଗୁଣ୍ଡ ପକାଇ ଗୋଳାଇ ଚୁଲିରୁ ଓହ୍ଲାଅ ।

ଆଉ ଏକ ପାତ୍ରରେ ତେଲ ଓ ଫୁଟଣ ଦେଇ କଲରାଖଟାକୁ ବଘାରି ଦିଅ । ସାମାନ୍ୟ ଥଣ୍ଡା ହେଲେ ବ୍ୟବହାର କର ।

Thursday, August 09, 2018

ଲାଉପତ୍ର ବରା

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଉପକରଣ - କିଛି କଅଁଳ ଲାଉ ପତ୍ର (୮/୧୦ଟା). ୪/୫ଟା ଆଳୁ ସିଝା, ୧ଟି ପିଆଜ ଅଳ୍ପ ଅଦା, ୨ଟି କଞ୍ଚାଲଙ୍କା କଟା, ୧ ଚାମଚ ଗରମ ମସଲାଗୁଣ୍ଡ ଓ କିଛି ତେଲ ।

ପ୍ରଣାଳୀ - ଲାଉପତ୍ର ସବୁକୁ ଭଲ ଭାବେ ଧୋଇ କରି ରଖ । ସିଝା ଆଳୁକୁ ଲୁଣ ଓ ଗରମ ମସଲା ଗୁଣ୍ଡ ଦେଇ ଚକଟି ରଖ । କରେଇରେ ତେଲ ଦେଇ ପିଆଜ, ଅଦା ଓ କଞ୍ଚା ଲଙ୍କା କଟା ପକାଇ ଅଳ୍ପ ଭାଜି ଦେଇ ଆଳୁ ଚକଟାକୁ ବଘାରି ଦିଅ । ସେଇ ଆଳୁକୁ ଛୋଟ ଛୋଟ ଗୁଳା କରି ଲାଉ ପତ୍ରରେ ରଖି ସେହି ପତ୍ରକୁ ଚାରି ପାଖରୁ ଭାଙ୍ଗି ତାୱାରେ ତେଲ ଦେଇ ଧୀର ଜାଳରେ ଲେଉଟାଇ କରି ଭାଜ ।  ମଧ୍ୟାହ୍ନ ଭୋଜନ ବେଳେ ଏଇ ଭଳି ଚଟକ ଖାଦ୍ୟ ପ୍ରତି ଭାରି ଆଗ୍ରହ ସୃଷ୍ଟି ହୁଏ ।

Tuesday, August 07, 2018

ପାଲି ଧର୍ମପଦ (୮୮) ର ଓଡ଼ିଆ  ପଦ୍ୟାନୁବାଦ

୧୩ ପଣ୍ଡିତ ବର୍ଗ


ଶ୍ରୀଲଙ୍କାର ପୋଲ୍ଲନରୱାଠାରେ ସ୍ଥିତ ବୁଦ୍ଧମୂର୍ତ୍ତି (ୱିକିମିଡିଆ କମନ୍ସ୍)

ଯାହାଙ୍କର ଇଚ୍ଛା ସେହି ଆନନ୍ଦ ବିରଳ
ହୋଇ ଅକିଞ୍ଚନ ତ୍ୟାଗି ସୁଖ ଯେ ସକଳ
ସେହି ପଣ୍ଡିତମାନେ ନିଜର ଚିତ୍ତକ୍ଲେଶ
ପରିଷ୍କାର କରିବାଟି ହୁଅଇ ଉଚିତ ।୧୩।

ତତ୍ରାଭିରତିମିଚ୍ଛେୟ୍ୟ ହିତ୍ୱା କାମେ ଅକିଞ୍ଚନୋ ।
ପରିୟୋଦପେୟ୍ୟ ଅତ୍ତାନଂ ଚିତ୍ତକ୍ଳେସେହି ପଣ୍ଡିତୋ ।୧୩।

ତତ୍ରାଭିରତିମିଚ୍ଛେତ୍ ହିତ୍ୱା କାମାନ୍ ଅକିଞ୍ଚନଃ ।
ପର୍ୟ୍ୟବଦାପୟେତ୍ ଆତ୍ମାନଂ ଚିତ୍ତକ୍ଳେଶୈଃ ପଣ୍ଡିତଃ ।୧୩।

Sunday, August 05, 2018

ବିରିର ପାୟସ

ପ୍ରସନ୍ନ କୁମାରୀ ଦେବୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆବଶ୍ୟକ - ଚୋପାଛଡ଼ା ବିରି ୨୦୦ ଗ୍ରାମ୍, ଅରୁଆ ଚାଉଳ ୧୦୦ ଗ୍ରାମ୍, ଘିଅ ଚାରି ଚାମଚ, ଚିନି ୨୦୦ ଗ୍ରାମ୍, ଦୁଇଟି ଗୁଜୁରାତି, ୧/୪ ଜାଇଫଳ (ଏକ ଜାଇଫଳର ଚାରି ଭାଗରୁ ଭାଗେ), ଅଧ ଲିଟର କ୍ଷୀର ।

ପ୍ରଣାଳୀ - ବିରି ଓ ଚାଉଳକୁ କରେଇରେ ଅଳ୍ପ ଉଷୁମ କଲା ପରେ ତାକୁ ହାତ ଗ୍ରାଇଣ୍ଡରରେ ଚିକ୍କଣ ଭାବେ ଚୂନା (ପାଉଡର) କରିଦିଅ । କରେଇରେ ଘିଅତକ ଦେଇ ଚୂନାକୁ ଧୀର ଜାଳରେ ଭାଜ । ଏହି ଭଜାର ରଙ୍ଗ ବାଦାମୀ ହୋଇଗଲେ ଏଥିରେ ଚିନି ପକାଇ ଦୁଧତକ ଗରମ କରି ଏକ ଲିଟର ପାଣି ଢାଳି ଦିଅ ଓ କିଛି ସମୟ ଫୁଟାଅ । ଯଦି କ୍ଷୀର କମ୍ ଲାଗେ ବା ଚୂନା ଭଲ ଭାବେ ସିଝି ନ ଥାଏ ତେବେ ଆଉ ଏକ କପ୍ ଗରମ ପାଣି ସେଥିରେ ଦେଇ ପାର । ବହଳିଆ ହୋଇ ଗଲେ ଓହ୍ଲାଇ ଜାଇଫଳ ଓ ଗୁଜୁରାତି ଗୁଣ୍ଡ ଦେଇ ଦିଅ । ଏଥିରେ ମଧ୍ୟ କିଛି ପରିମାଣରେ ଦୁଧସର ମିଶା ଯାଇ ପାରେ ।

ଏହା ଅଧିକ ଗୁରୁପାକ ଖାଦ୍ୟ । କିନ୍ତୁ ଖାଇଲେ ଅତ୍ୟନ୍ତ ସୁସ୍ୱାଦୁ ଲାଗେ ।

Friday, August 03, 2018

ପାଲି ଧର୍ମପଦ (୮୭) ର ଓଡ଼ିଆ  ପଦ୍ୟାନୁବାଦ

୧୨ ପଣ୍ଡିତ ବର୍ଗ


ବୌଦ୍ଧ ସୂତ୍ର-ସାହିତ୍ୟ (ୱିକିମିଡିଆ କମନ୍ସ୍)

କଣ୍ହଂ ଧମ୍ମଂ ବିପ୍ପହାୟ ସୁକ୍କଂ ଭାବେଥ ପଣ୍ଡିତୋ ।
ଓକା ଅନୋକଂ ଆଗମ୍ମ ବିବେକେ ଯତ୍ଥ ଦୂରମଂ ।୧୨।

କୃଷ୍ଣଂ ଧର୍ମ୍ମଂ ବିପ୍ରହାୟ ଶୁକ୍ଳଂ ଭାବୟେତ ପଣ୍ଡିତଃ ।
ଓକାତ୍ ଅନୋକମ୍ ଆଗମ୍ୟ ବିବେକେ ୟତ୍ର ଦୂରମମ୍।୧୨।

ଅନ୍ଧକାରପୂର୍ଣ୍ଣ ପଥ କରି ପରିତ୍ୟାଗ
ଆଲୋକିତ ପଥେ ବିଚରଣ କରେ ପ୍ରାଜ୍ଞ ।
କାମନାର ଘର ନାଶି ହୋଇ ଗୃହହୀନ
ଦୁଷ୍କର ବିବେକାନନ୍ଦ ଝୁରେ ତା'ର ମନ ।୧୨।

Wednesday, August 01, 2018

ହରଡ଼ ଡାଲିର ଚଟଣି

ସରୋଜିନୀ ଚୌଧୁରୀ


ହରଡ଼ ଡାଲି: ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ପ୍ରଣାଳୀ - ହରଡ଼ ଡାଲି ଏକବାରେ ସିଝି ପାଣି ସଙ୍ଗରେ ଘାଣ୍ଟି ହୋଇ ଯିବା ପୂର୍ବରୁ ଛାଣି ରଖ । ଏହି ଯୁଷ ଖୁବ୍ ଉପକାରୀ । ଡାଲି କୌଣସି ଚଟକା ପାତ୍ରରେ ଥଣ୍ଡା ହେବାକୁ ଦିଅ । ଥଣ୍ଡା ହେଲେ ଚକଟି, ଲୁଣ ଟିକେ, ଅଦା କଟା, ପିଆଜ କଟା, ଘିଅ, କାଗଜିଲେମ୍ବୁ ରସ ଦେଇ ଗୋଳାଇ ଗୋଲ ଗୋଲ କରି ଖାଇବାକୁ ଦିଅ ।  


ଗୁଣାଗୁଣ - ହରଡ଼ କଷାୟ-ମଧୁର ରସ, ଗୁରୁପାକ, ରୁକ୍ଷ, ମଳ-ରୋଧକ, କଫ-ପିତ୍ତନାଶକ, ଅଳ୍ପ ବାୟୁବର୍ଦ୍ଧକ, ରୁଚିକାରକ ଏବଂ ଜ୍ୱର, ଗୁଳ୍ମ, ମୁଖବ୍ରଣ, କାଶ, ବାନ୍ତି, ହୃଦରୋଗ ଓ ଅର୍ଶ ରୋଗରେ ଉପକାରକ ।

ବି.ଦ୍ର. - ହରଡ଼ ଡାଲିର ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।